Unknown

 

 

 

 

 

 

 

 

 

୬୯ତମ ସଂଖ୍ୟା କୋଣାର୍କ ୧୯୮୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଉପନ୍ୟାସ ଶତବାର୍ଷିକୀ ସଂଖ୍ୟା

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

 

୬୯ତମ ସଂଖ୍ୟା କୋଣାର୍କ ୧୯୮୮

ଉପନ୍ୟାସ ଶତବାର୍ଷିକୀ ଉପଲକ୍ଷେ ପ୍ରକାଶିତ

 

* ମୁଖ୍ୟ ସଂପାଦକ - ମହାପାତ୍ର ଶ୍ରୀ ନୀଳମଣି ସାହୁ

* ସଂପାଦକ - ଶ୍ରୀ ବିନୋଦ ଚନ୍ଦ୍ର ନାୟକ

* ପରିଚାଳନା ସଂପାଦକ - ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ

* ସହଯୋଗୀ ପରିଚାଳନା ସଂପାଦକ - ଶ୍ରୀ କୈଳାଶ ବିହାରୀ ଦାସ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର-୭୫୧୦୧୪

 

ମୁଦ୍ରଣ :

ସପ୍ତର୍ଷି ପ୍ରିଣ୍ଟର୍ସ୍, କଟକ-୧୦

 

 

ମୂଲ୍ୟ ଟ ୩୧-୦୦ (ଏକତିରିଶ ଟଙ୍କା) ମାତ୍ର

 

ଏ ସଂଖ୍ୟାର ଲେଖା ଓ ଲେଖକ

୧.

ବିଭିନ୍ନ ଭାରତୀୟ ଭାଷାରେ

ଉପନ୍ୟାସର ଆଦିପର୍ବ

ଶ୍ରୀ ବିଭୂତି ପଟ୍ଟନାୟକ

୨.

ଅସମୀୟା ଭାଷାର ପ୍ରଥମ

ଉପନ୍ୟାସ - ଭାନୁମତୀ

ଶ୍ରୀ ସୁନୀଲ କୁମାର ଦତ୍ତ

୩.

ପ୍ରଥମ ବଙ୍ଗଳା ଉପନ୍ୟାସ

ଡଃ ପଶୁପତି ଶାସମଲ

ଅନୁବାଦ : କାଳିନ୍ଦୀ ସାହୁ

୪.

ପ୍ରଥମ ତାମିଲ ଉପନ୍ୟାସ

‘ପ୍ରତାପ ମୁଦାଲିୟର ଚରିତ୍ତିରମ୍‌’

ସି. ମୁଥଥାୟା

 

 

ଅନୁବାଦ : କାଳିନ୍ଦୀ ସାହୁ

୫.

ମରାଠୀ ଭାଷାର ପ୍ରଥମ ଉପନ୍ୟାସ

ଶ୍ରୀମତୀ ବୀଣା ଆଲସେ

 

 

ଅନୁବାଦ : ଶ୍ରୀ ସୁବାସ ଚନ୍ଦ୍ର ସାହୁ

୬.

ହିନ୍ଦୀର ସର୍ବପ୍ରଥମ ମୌଳିକ

ଉପନ୍ୟାସ ‘ପରୀକ୍ଷା ଗୁରୁ’

ଡଃ ହରିଶଚନ୍ଦ୍ର ମିଶ୍ର

୭.

ଦଣ୍ଡିଙ୍କ ‘ଦଶକୁମାର ଚରିତ’ରେ

ଉପନ୍ୟାସ-କଳା

ଡଃ ଗୋପବନ୍ଧୁ ମିଶ୍ର

ଅନୁବାଦ : ଶ୍ରୀ ସତ୍ୟ ଷଡ଼ଙ୍ଗୀ

୮.

ଓଡ଼ିଆ ଭାଷାରେ ପ୍ରଥମ ଉପନ୍ୟାସ

ଡଃ କୃଷ୍ଣଚରଣ ବେହେରା

୯.

ଓଡ଼ିଆ ଐତିହାସିକ ଉପନ୍ୟାସ

(ସ୍ୱାଧୀନତା ପୂର୍ବବର୍ତ୍ତୀ)

ଡଃ ଦେବେନ୍ଦ୍ର ମହାନ୍ତି

୧୦.

ଓଡ଼ିଆ ଐତିହାସିକ ଉପନ୍ୟାସ

(ସ୍ୱାଧୀନତା ପରବର୍ତ୍ତୀ)

ଡଃ ରେଖା ମହାନ୍ତି

୧୧.

ଓଡ଼ିଆ ରାଜନୈତିକ ଉପନ୍ୟାସ

ଅଧ୍ୟାପକ ବିଜୟ କୁମାର ମହାନ୍ତି

୧୨.

ସହର ଓ ଶିଳ୍ପାଞ୍ଚଳ ପୃଷ୍ଠଭୂମିରେ ରଚିତ

ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସ

ପ୍ରାଧ୍ୟାପକ ଭୋଳାନାଥ ରାଉତ

୧୩.

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ

ଉପନ୍ୟାସରେ ସମାଜ-ଚେତନା

ଡଃ ଶ୍ୟାମସୁନ୍ଦର ମିଶ୍ର

୧୪.

ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସ

ଡଃ ଲାବଣ୍ୟ ନାୟକ

୧୫.

ଓଡ଼ିଆ ଉପନ୍ୟାସରେ ବ୍ୟକ୍ତି ଚେତନା

(ସ୍ୱାଧୀନତା ପୂର୍ବବର୍ତ୍ତୀ)

ଡଃ ରବୀନ୍ଦ୍ର କୁମାର ପ୍ରହରାଜ

୧୬.

ଓଡ଼ିଆ ଉପନ୍ୟାସରେ ହାସ୍ୟରସ

ଡଃ କୁଳମଣି ରାଉତ

୧୭.

ଓଡ଼ିଆ ଉପନ୍ୟାସରେ ପୌରାଣିକତା

ଡଃ ହରିହର କାନୁନଗୋ

୧୮.

ସମସାମୟିକ ଭାରତୀୟ ଉପନ୍ୟାସରେ

‘ପଦ୍ମମାଳୀ’ର ସ୍ଥାନ

ଡଃ ବାଉରୀବନ୍ଧୁ କର

୧୯.

ଓଡ଼ିଆ ଉପନ୍ୟାସରେ ଆଦିବାସୀ

ସମାଜ : ଏକ ଦୃଷ୍ଟିପାତ

ଡଃ ବୈଷ୍ଣବ ଚରଣ ସାମଲ

୨୦.

ଓଡ଼ିଆ ଉପନ୍ୟାସରେ କେତୋଟି

ବିଶିଷ୍ଟ ନାରୀଚରିତ୍ର

ଡଃ ଅର୍ଚ୍ଚନା ନାୟକ

୨୧.

ପଲ୍ଲୀ ପୃଷ୍ଠଭୂମିରେ ରଚିତ ଓଡ଼ିଆ

ଉପନ୍ୟାସ (ସ୍ୱାଧୀନତା ପୂର୍ବବର୍ତ୍ତୀ)

ଶ୍ରୀ ପ୍ରସନ୍ନ କୁମାର ମହାନ୍ତି

୨୨.

ପରିବର୍ତ୍ତିତ ପଲ୍ଲୀ-ଜୀବନଧାରା ଓ

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ

ଅଧ୍ୟାପକ ବାଳକୃଷ୍ଣ ମହାପାତ୍ର

୨୩.

ଓଡ଼ିଆ ଉପନ୍ୟାସରେ ଭାଷାଶୈଳୀର

କ୍ରମବିବର୍ତ୍ତନ

ଡଃ ଶ୍ୟାମସୁନ୍ଦର ମିଶ୍ର

୨୪.

ଉପନ୍ୟାସ ସାହିତ୍ୟ

ଶ୍ରୀ ସୌରୀନ୍ଦ୍ର ବାରିକ

୨୫.

‘ଛ’ ମାଣ ଆଠଗୁଣ୍ଠ : ଛବି ଓ ବହି

ଡଃ ପ୍ରଫୁଲ୍ଲ କୁମାର ମହାନ୍ତି

 

ସଂପାଦକୀୟ

 

 

ଶେଷପୃଷ୍ଠା :

 

 

ଉପନ୍ୟାସର ସଂକଟ : ଏକ ଅନୁଚିନ୍ତନ

 

 

***

 

ବିଭିନ୍ନ ଭାରତୀୟ ଭାଷାରେ ଉପନ୍ୟାସର ଆଦିପର୍ବ

ଶ୍ରୀ ବିଭୂତି ପଟ୍ଟନାୟକ

 

କାବ୍ୟ, ମହାକାବ୍ୟ, ନାଟକ, ଗଳ୍ପ, ଆଖ୍ୟାୟିକାର ଦେଶ ଭାରତବର୍ଷ । ଉପନ୍ୟାସ ଲେଖାର ପରମ୍ପରା ଆମ ଦେଶରେ ନଥିଲା । ସାହିତ୍ୟର କନିଷ୍ଠତମ ଶିଳ୍ପରୂପ (art form) ଭାବରେ ଅଷ୍ଟାଦଶ ଶତାବ୍ଦୀର ଇଂଲଣ୍ଡରେ ଉପନ୍ୟାସର ଜନ୍ମ । ଗଳ୍ପ କଥନର ଅଭିନବ ମାଧ୍ୟମ ଭାବରେ ଉପନ୍ୟାସର ଆବିର୍ଭାବ ପଛରେ କେତେକ ଐତିହାସିକ କାରଣ ମଧ୍ୟ ଥିଲା । ଶିଳ୍ପ-ସମୃଦ୍ଧ ଇଂଲଣ୍ଡରେ ଏକ ନୂତନ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଉଦ୍ଭବ, ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା, ସମ୍ୱାଦପତ୍ର ଓ ସାହିତ୍ୟ ପତ୍ରିକାର ପ୍ରସାର ଫଳରେ ଉପନ୍ୟାସ ସୃଷ୍ଟି ସମ୍ଭବ ହୋଇଥିଲା । ଏଭଳି ଏକ ପରିସ୍ଥିତି ସେତେବେଳେ ଆମ ଦେଶରେ ନଥିଲା । ଉପନ୍ୟାସ ଲେଖା ପାଇଁ ସେଥିଲାଗି ଆମ ଦେଶର କଥାଶିଳ୍ପୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ ।

 

୧୭୪୦ ମସିହାରେ ପ୍ରକାଶିତ ରିଚାର୍ଡ଼ସନ୍‌ଙ୍କ ‘ପାମେଲା’ ଉପନ୍ୟାସକୁ ବିଶ୍ୱସାହିତ୍ୟରେ ପ୍ରଥମ ଉପନ୍ୟାସ ଭାବରେ ଚିହ୍ନିତ କରାଯାଇଛି । କିନ୍ତୁ ପ୍ରାଚୀନ-ମଧ୍ୟଯୁଗୀୟ ଉପାଖ୍ୟାନ ଆଧୁନିକ ଉପନ୍ୟାସରେ ରୂପାନ୍ତରିତ ହେବାର ଯଥେଷ୍ଟ ପୂର୍ବରୁ ଉପନ୍ୟାସଧର୍ମୀ ଦୀର୍ଘକାହାଣୀ ବିଶ୍ୱର ବିଭିନ୍ନ ଭାଷାରେ ରଚିତ ହୋଇ ସାରିଥିଲା । ସପ୍ତମ ଶତାବ୍ଦୀରେ ଭାରତୀୟ ସାହିତ୍ୟରେ ବାଣଭଟ୍ଟଙ୍କ ରଚିତ ‘କାଦମ୍ୱରୀ’, ଦଶମ ଶତାବ୍ଦୀରେ ଜାପାନୀ ଭାଷାରେ ଲିଖିତ ‘ଦି ଟେଲ୍‌ସ ଅଫ୍‌ ଗେଂଜି’; ସପ୍ତଦଶ ଶତାବ୍ଦୀରେ ସ୍ପେନୀୟ ସାହିତ୍ୟରେ ସାରଭେଣ୍ଟିସ୍‌ଙ୍କ ରଚିତ ‘ଡନ୍ କୁଇକ୍‌ସୋଟ୍’ ଏବଂ ଅଷ୍ଟାଦଶ ଶତାଦ୍ଦୀର ଆରମ୍ଭରେ ଡାନିଏଲ ଡିଫୋଙ୍କ ‘ରବିନସନ୍‌ କ୍ରୁଶୋ’, ଜନାଥନ୍‌ ସୁଇଫ୍‌ଟଙ୍କ ‘ଗାଲିଭର ଟ୍ରାଭଲ୍‌ସ’ ମଧ୍ୟରେ ନିହିତ ଥିଲା ଉପନ୍ୟାସର ବୀଜ ।

 

ବାସ୍ତବରେ ଦେଖିବାକୁ ଗଲେ ଇଂରେଜି ଭାଷା ମାଧ୍ୟମରେ ପାଶ୍ଚାତ୍ୟ ସାହିତ୍ୟ ଓ ଦର୍ଶନର ସଂସ୍ପର୍ଶରେ ଆସିଲା ପରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟରେ ଉପନ୍ୟାସ ରଚନା ଆରମ୍ଭ ହୋଇଥିଲା । ୧୮୩୫ ମସିହାରେ ମେକ୍‌ଲେଙ୍କ ଶିକ୍ଷାନୀତି ସମ୍ପର୍କୀୟ ସୁପାରିଶ ଲର୍ଡ଼ ବେଣ୍ଟିକ୍‌ ଗ୍ରହଣ କରି ଇଂରେଜି ଶିକ୍ଷାର ପ୍ରସାର ପାଇଁ ସ୍କୁଲ କଲେଜମାନ ସ୍ଥାପନ କରିବାର କୋଡ଼ିଏ ବର୍ଷ ପରେ ଭାରତୀୟ ସାହିତ୍ୟରେ ଉପନ୍ୟାସମାନ ପ୍ରକାଶିତ ହୋଇଥିଲା ।

 

ସମସ୍ତ ଭାରତୀୟ ଭାଷାରେ ଇଂରେଜି ‘ନଭେଲ୍’ ଶବ୍ଦକୁ ପ୍ରଥମେ ‘ଉପନ୍ୟାସ’ ନାମରେ ଗ୍ରହଣ କରାଯାଇ ନଥିଲା । ଯେତେଦୂର ସମ୍ଭବ ପ୍ରଥମେ ୧୮୬୨ ମସିହାରେ ଭୂଦେବ ମୁଖୋପାଧ୍ୟାୟ ଅତୀତ କାହାଣୀ ଉପରେ ଆଧାରିତ ତାଙ୍କର ଦୁଇଟି ଦୀର୍ଘ କାହାଣୀକୁ ‘ଐତିହାସିକ ଉପନ୍ୟାସ’ ନାମରେ ନାମିତ କରି ପ୍ରକାଶ କଲାପରେ ‘ନଭେଲ୍‌’ର ବଙ୍ଗଳା ପ୍ରତିଶବ୍ଦ ଭାବରେ ‘ଉପନ୍ୟାସ’ ଶବ୍ଦଟି ପ୍ରଚଳିତ ହେଲା । ବଙ୍ଗଳାରୁ ହିନ୍ଦି ଭାଷାରେ ଓ ଓଡ଼ିଆ ଭାଷାରେ ‘ନଭେଲ’ ଉପନ୍ୟାସ ନାମରେ ଚିହ୍ନିତ ହେଲେ ସୁଦ୍ଧା ମରାଠି ଭାଷାରେ ଏହା ‘କାଦମ୍ୱରୀ’ ନାମରେ ପରିଚିତ । ହିନ୍ଦି ଭାଷାର ବିଶିଷ୍ଟ ସମାଲୋଚକ ତାଙ୍କର ‘ହିନ୍ଦି ତଥା ମରାଠି ଉପନ୍ୟାସକା ତୁଳନାତ୍ମକ ଅଧ୍ୟୟନ’ ଗ୍ରନ୍ଥରେ ସ୍ୱୀକାର କରିଛନ୍ତି ଯେ ୧୮୭୧ ମସିହାରେ ପ୍ରଥମେ ‘ମନୋହର ଉପନ୍ୟାସ’ ଶୀର୍ଷକ ପୁସ୍ତକରେ ବଙ୍ଗଳାର ଅନୁସରଣରେ ହିନ୍ଦୀରେ ‘ନଭେଲ’କୁ ଉପନ୍ୟାସ ଭାବରେ ଗ୍ରହଣ କରାଯାଇଛି । ମରାଠି ଭାଷାରେ ମନଷ୍ଟୁଆର୍ଟ ଏଲଫିନ୍‌ଷ୍ଟୋନ୍‌ଙ୍କ ୧୮୨୯ ମସିହାରେ ସଂକଳିତ ଅଭିଧାନରେ ‘ନଭେଲ୍‌’କୁ ‘କାଦମ୍ୱରୀ’ ନାମରେ ଏବଂ ନଭେଲ ଲେଖକଙ୍କୁ ‘କାଦମ୍ୱିନୀକାର’ ଭାବରେ ଗ୍ରହଣ କରାଯାଇ ସାରିଥିଲା । ତେଣୁ ୧୮୫୭ ମସିହାରେ ମରାଠି ଭାଷାରେ ପ୍ରକାଶିତ ପ୍ରଥମ ନଭେଲ ‘ୟମୁନା ପର୍ଯ୍ୟଟନ’ ଉପନ୍ୟାସ ନୁହେଁ-କାଦମ୍ୱରୀ ନାମରେ ହିଁ ଖ୍ୟାତ । ମରାଠି ଭାଷାର ଅନୁସରଣରେ କନ୍ନଡ଼ ଭାଷାରେ ମଧ୍ୟ ଏହା ‘କାଦମ୍ୱରୀ’ ନାମରେ ଗୃହୀତ ।

 

ଉର୍ଦ୍ଦୁ ଭାଷାରେ ୧୮୬୮ମସିହାରେ ପ୍ରକାଶିତ ରତନ ନାଥ ସରସାର ତାଙ୍କର ‘ଫସାନା-ଇ-ଆଜାଦ୍‌’ ଉପନ୍ୟାସର ମୁଖବନ୍ଧରେ ନୂତନ କଥା ସାହିତ୍ୟ ଭାବରେ ‘ନଭେଲ୍‌’କୁ ‘ନବଲ୍’ ନାମରେ ଗ୍ରହଣ କରିଥିବା କଥା ପ୍ରକାଶ କରିଥିଲେ । ଉର୍ଦ୍ଦୁରେ ‘ନଭେଲ୍‌’ର ପ୍ରତିଶବ୍ଦ ଭାବରେ ‘ନବଲ’ ଶବ୍ଦଟି ଗୃହୀତ ହେଲା ପରେ ଗୁଜୁରାଟି ଭାଷାରେ ଉପନ୍ୟାସକୁ ‘ନବଲ କଥା’ ନାମରେ ମଧ୍ୟ ଗ୍ରହଣ କରା ଯାଇଥିଲା । ମଣିଲାଲ ଦ୍ୱିବେଦୀ ପରବର୍ତ୍ତୀ କାଳରେ ଗୁଜୁରାଟି ଭାଷାରେ ଉପନ୍ୟାସକୁ ‘‘ସଂସାର ଚିତ୍ର’’ ନାମରେ ପ୍ରଚଳିତ କରିବାକୁ ଚାହିଁଥିଲେ ମଧ୍ୟ ‘‘ନବଲ କଥା’’ ଉପନ୍ୟାସ ପାଠକମାନଙ୍କ ମନରେ ସ୍ଥାୟୀ ପ୍ରଭାବ ବିସ୍ତାର କରିଥିବା ଦୃଷ୍ଟିରୁ ‘ସଂସାର ଚିତ୍ର’ ଉପେକ୍ଷିତ ହୋଇ ଯାଇଥିଲା ।

 

ଦକ୍ଷିଣ ଭାରତୀୟ ଭାଷାମାନଙ୍କ ମଧ୍ୟରେ ତାମିଲ ମାଲାୟାଲମ୍‌ ଓ ତେଲୁଗୁ ଭାଷାରେ ଇଂରେଜି ନଭେଲ ଶବ୍ଦ ଅବିକୃତ ଭାବରେ ବ୍ୟବହୃତ ହୋଇ ଆସୁଛି । ଅବଶ୍ୟ ତେଲୁଗୁ ଉପନ୍ୟାସର ଆଦ୍ୟକାଳରେ ଉପନ୍ୟାସକୁ ‘ବଚନ ପ୍ରବନ୍ଧ’ ବା ଗଦ୍ୟ ଆଖ୍ୟୟିକା ଭାବରେ ବ୍ୟବହାର କରା ଯାଇଥିଲା । ତେଲୁଗୁ ଭାଷାରେ ‘ପ୍ରବନ୍ଧ’ ଅର୍ଥ ‘ଆଖ୍ୟାୟିକା’ । ‘‘ଯାହା ଉପଯୁକ୍ତ ରୂପେ ବିନ୍ୟସ୍ତ ତାହାହିଁ ଉପନ୍ୟାସ’’ । -ସଂସ୍କୃତ ଭାଷାରେ ଉପନ୍ୟାସକୁ ଏହିପରି ଭାବରେ ଗ୍ରହଣ କରାଯାଇଥିବା ହେତୁ ‘ବଚନ ପ୍ରବନ୍ଧ’ ତେଲୁଗୁ ଭାଷାରେ ଇଂରେଜି ‘ନଭେଲ’ ଶବ୍ଦର ନିକଟବର୍ତ୍ତୀ ପ୍ରତିଶବ୍ଦ ବୋଲି କୁହା ଯାଇପାରେ ।

 

ଭାରତୀୟ ପ୍ରାନ୍ତୀୟ ସାହିତ୍ୟରେ ଇଂରେଜି ନଭେଲ ପ୍ରେରଣାରେ ଉପନ୍ୟାସମାନ ରଚିତ ହେବା ଆଗରୁ ‘କାଦମ୍ବରୀ’କୁ ପ୍ରଥମ ଭାରତୀୟ ଉପନ୍ୟାସ ବୋଲି ଅନେକ ଗ୍ରହଣ କରିବା ପାଇଁ ବ୍ୟଗ୍ର । କିନ୍ତୁ ସଂସ୍କୃତ ଭାଷାରେ ରଚିତ ‘କାଦମ୍ବରୀ’ ହେଉ ଅଥବା ଜାପାନୀ ଭାଷାରେ ଲିଖିତ ‘ଦି ଟେଲସ୍‌ ଅଫ୍‌ ଗେଂଜି’ ହେଉ-ଏହା କୌଣସି ଗୋଟିଏ ଅଖଣ୍ଡ କାହାଣୀର ବିକଶିତ ରୂପ ନୁହେଁ । କାହାଣୀ ମଧ୍ୟରେ କାହାଣୀ - ଏହିପରି ବୃତ୍ତାକାର କଥନ ଶୈଳୀ ମଧ୍ୟରେ ଏହାର ବିକାଶ । ‘କାଦମ୍ବରୀ’ରେ ଶୁକପକ୍ଷୀ ଶୁଦ୍ରକଙ୍କୁ ଗଳ୍ପ କହିବା ମଝିରେ ଶୁକପକ୍ଷୀକୁ ଜାବାଳି ମଧ୍ୟ କାହାଣୀ ଶୁଣାଇଛନ୍ତି । ଏସବୁ କାହାଣୀରେ ବାସ୍ତବତାର ସ୍ପର୍ଶ ନାହିଁ କିମ୍ବା ଏହା କୌଣସି ନିର୍ଦ୍ଦିଷ୍ଟ କାଳର ଶିଳ୍ପରୂପ ମଧ୍ୟ ନୁହେଁ । ବାସ୍ତବତା, ସମୟ-ସଚେତନତା ଓ ସାମାଜିକତା ଆଧୁନିକ ଉପନ୍ୟାସର ପ୍ରଧାନ ଭାବ-ସମ୍ପଦ ହୋଇଥିବା ଦୃଷ୍ଟିରୁ ‘କାଦମ୍ବରୀ’ ‘ଆରବୀ ଉପନ୍ୟାସ’, ‘ଗେଂଜିର କାହାଣୀ’ ଅଥବା ‘କାଣ୍ଟାରବେରି ଟେଲ୍‌ସ’ କେହି ଯଥାର୍ଥରେ ଉପନ୍ୟାସ ନୁହନ୍ତି । ଉପନ୍ୟାସ ‘ଟେଲିଭିଜନ’, ‘ସିନେମା’, ଭଳି ଅଷ୍ଟାଦଶ ଶତାବ୍ଦୀର ଶିଳ୍ପ-ସମୃଦ୍ଧ ୟୁରୋପୀୟ ବୁର୍ଜ୍ଜୟା ଶ୍ରେଣୀର ନୂତନ ସାରସ୍ୱତ ଶିଳ୍ପ । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଇଂରେଜି ଉପନ୍ୟାସର ପ୍ରେରଣାରେ ବିଭିନ୍ନ ଭାରତୀୟ ଭାଷାରେ ଏହାର ପ୍ରଥମ ଆତ୍ମପ୍ରକାଶ ।

 

ପ୍ରଥମେ ବଙ୍ଗଳା ଭାଷାରେ ଉପନ୍ୟାସ ରଚନା ପାଇଁ ଉଦ୍ୟମ ହୋଇଥିଲା । କଲିକତା ନଗରୀ ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ବାଣିଜ୍ୟ କାରବାରର କେନ୍ଦ୍ରବିନ୍ଦୁ; ଏକଦା ଇଂରେଜଶାସିତ ଭାରତବର୍ଷର ରାଜଧାନୀ । ଇଂରାଜି ଶିକ୍ଷା ଓ ସଭ୍ୟତାର ସଂସ୍ପର୍ଶରେ ଆସିବାର ସୁଯୋଗ ସେମାନେ ପ୍ରଥମେ ଲାଭ କରିଥିଲେ । କର୍ଣ୍ଣୱାଲିସଙ୍କ ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ଏକ ନୂତନ ଜମିଦାରବାବୁ ଶ୍ରେଣୀ ଯେପରି ଏଠାରେ ସୃଷ୍ଟି ହୋଇଥିଲା, କୋର୍ଟ କଚେରୀରେ ଇଂରେଜ ଭାଷାର ପ୍ରଚଳନ ହେବା ଫଳରେ ସେହିପରି ଏକ ନୂଆ ‘ଓକିଲ ବାବୁ’ ଶ୍ରେଣୀ ମଧ୍ୟ ନବଜନ୍ମ ଲାଭ କରିଥିଲେ । ସେମାନେ ଇଂରେଜମାନଙ୍କ ଅନୁକରଣରେ ବିଦେଶୀ ପୋଷାକ ପରିଧାନ, ମଦ୍ୟପାନ, ବେଶ୍ୟାଳୟଗମନ ଇତ୍ୟାଦି କାର୍ଯ୍ୟ ପ୍ରତି ଆସକ୍ତ ହେବା ଫଳରେ ସେହି ‘ବାବୁ ସଂସ୍କୃତି’ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରଥମେ ଏହି ନୂତନ ବାବୁ ସମାଜକୁ ବିଦ୍ରୂପ କରି ଭବାନୀ ଚରଣ ବନ୍ଦୋପଧ୍ୟାୟ ରଚନା କରିଥିଲେ ନକ୍‌ସାଧର୍ମୀ ରଚନା ‘ନବବାବୁ ବିଳାସ’; ପରେ ପ୍ୟାରୀଚାନ୍ଦ ମିତ୍ର ଲେଖିଥିଲେ ପ୍ରଥମ ଉପନ୍ୟାସ ‘ଆଲାଲେର ଘରେର ଦୁଲାଲ’ । ତେଣୁ କେବଳ ଇଂରେଜି ଭାଷା ଓ ସାହିତ୍ୟର ପ୍ରଭାବ ନୁହେଁ; ଇଂରେଜ ସାହେବମାନଙ୍କ ଶାସନ ବ୍ୟବସ୍ଥାର ପ୍ରତିକ୍ରିୟାସ୍ୱରୂପ ତତ୍‌କାଳୀନ ବଙ୍ଗୀୟ ସମାଜରେ ଯେଉଁ ଶ୍ରେଣୀ-ବିନ୍ୟାସ ସୃଷ୍ଟି ହୋଇଥିଲା, ତା’ର ସାରସ୍ୱତ ରୂପାୟନ ଘଟିଥିଲା ବଙ୍ଗଳା ଉପନ୍ୟାସରେ ।

 

ପ୍ୟାରୀଚାନ୍ଦ ମିତ୍ର ଥିଲେ ଊନବିଂଶ ଶତାବ୍ଦୀର ଅନ୍ୟତମ ବଙ୍ଗାଳୀ ବୁଦ୍ଧିଜୀବୀ । ସେ ୧୮୫୪ ମସିହାରେ ‘ମାସିକ ପତ୍ର’ ନାମରେ ଏକ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ । ଏହି ପତ୍ରିକାର ପୃଷ୍ଠାରେ ହିଁ ‘ଆଲାଲେର ଘରେର ଦୁଲାଲ୍‌’ ଉପନ୍ୟାସର କେତୋଟି ପରିଚ୍ଛେଦ ପ୍ରଥମେ ପ୍ରକାଶିତ ହେଲା ପରେ ୧୮୫୮ ମସିହାରେ ପୁସ୍ତକ ଆକାରରେ ମୁଦ୍ରିତ ହୋଇଥିଲା । ଏହି ଉପନ୍ୟାସର ବିଷୟବସ୍ତୁ ଊନବିଂଶ ଶତାବ୍ଦୀର ପରିବର୍ତ୍ତନଶୀଳ ସମାଜ ଓ ସଂସ୍କୃତିର ପୃଷ୍ଠଭୂମିରେ ରଚିତ । ଉପନ୍ୟାସର ନାୟକ ମତିଲାଲ୍‌ ପ୍ରଥମ ଇଂରେଜି ଶିକ୍ଷା ଯୁଗର ଯୁବକ । ବଙ୍ଗଳାର କ୍ଷୟିଷ୍ଣୁ ସମାଜର ଚିତ୍ର ଓ ପୁରାତନ-ନୂତନ ଜୀବନଧାରା ମଧ୍ୟରେ ସଂଘର୍ଷର ଛବି ଏଥିରେ ରୂପାୟିତ । ବଙ୍କିମଚନ୍ଦ୍ର ‘ଆଲାଲେର ଘରେର ଦୁଲାଲ୍‌’କୁ ବଙ୍ଗଳା ଭାଷାର ପ୍ରଥମ ଉପନ୍ୟାସ ଭାବରେ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ଏପରିକି ଭାଷାତତ୍ତ୍ୱବିତ୍‌ ଜନ୍‌ବିମ୍‍ସ ମଧ୍ୟ ଟେକଚାନ୍ଦ ଠାକୁର ଛଦ୍ମନାମରେ ରଚିତ ପ୍ୟାରିଚାନ୍ଦଙ୍କ ଏହି ଉପନ୍ୟାସକୁ ‘‘ଆମ ଭାଷାରେ ରଚିତ ଅନ୍ୟତମ ଶ୍ରେଷ୍ଠ କମିକ୍‌ ଉପନ୍ୟାସ’’ ଭାବରେ ଆଖ୍ୟାୟିତ କରିଛନ୍ତି ।

 

ପ୍ରଥମ ସାମାଜିକ ଉପନ୍ୟାସ ଭାବରେ ବଙ୍ଗଳା ସାହିତ୍ୟରେ ‘ଆଲାଲେର ଘରେର ଦୁଲାଲ’ ଭଳି ପ୍ରଥମ ଐତିହାସିକ ଉପନ୍ୟାସରୂପେ ଭୂଦେବ ମୁଖୋପାଧ୍ୟାୟଙ୍କ ‘ଅଙ୍ଗୁରୀୟ ବିନିମୟ’ ସୁପରିଚିତ । ୧୮୫୭ ମସିହାରେ ‘ଐତିହାସିକ ଉପନ୍ୟାସ’ ଶୀରୋନାମାରେ ଏହି ଉପନ୍ୟାସ ସହିତ ଅନ୍ୟ ଏକ ଦୀର୍ଘକାହାଣୀ ‘ସଫଳ ସ୍ୱପ୍ନ’ ଏକତ୍ର ପ୍ରକାଶିତ ହୋଇଥିଲା । ‘ସଫଳ ସ୍ୱପ୍ନ’ ମୌଳିକ ରଚନା ନୁହେଁ, ହେବାର୍ଟ କନ୍‌ଟେରଙ୍କ ‘The Traveller’s Dream’ର ଅନୁବାଦ । ଆଓରେଙ୍ଗଜେବ୍‌ଙ୍କ ନନ୍ଦିନୀ ରୋସିନ୍ନାରା ଓ ମହାରାଷ୍ଟ୍ର ବୀର ଶିବାଜୀଙ୍କ ମଧ୍ୟରେ ଗଢ଼ି ଉଠିଥିବା ରାଗ-ଅନୁରାଗକୁ କେନ୍ଦ୍ର କରି ଗଢ଼ି ଉଠିଛି ‘ଅଙ୍ଗୁରୀୟ ବିନିମୟ’ର କାହାଣୀ । ବାର ଅଧ୍ୟାୟ ବିଶିଷ୍ଟ ଏହି ଐତିହାସିକ ଉପନ୍ୟାସ ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପ୍ରଥମ ବଙ୍ଗଳା ଐତିହାସିକ ଉପନ୍ୟାସ ଭାବରେ ଏହା ଥିଲା ବଙ୍କିମ ଚନ୍ଦ୍ରଙ୍କର ପଥପ୍ରଦର୍ଶକ ଏବଂ ପରବର୍ତ୍ତୀ କାଳରେ ଐତିହାସିକ ଉପନ୍ୟାସର ସ୍ରଷ୍ଟାମାନଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ୱରୂପ ।

 

ଆଧୁନିକ ବଙ୍ଗଳା ଉପନ୍ୟାସ ସାହିତ୍ୟ ଆକାଶର ଦିଗବଳୟରେ ବହ୍ନିମାନ ସୂର୍ଯ୍ୟଭଳି ବଙ୍କିମ ଚନ୍ଦ୍ର ଆବିର୍ଭୂତ ହେବା ପୂର୍ବରୁ ଭୂଦେବ ମୁଖୋପାଧ୍ୟାୟ ଓ ପ୍ୟାରିଚାନ୍ଦ ମିତ୍ରଙ୍କ ବ୍ୟତୀତ ବଙ୍ଗଳା ଉପନ୍ୟାସର ସୀମାରେଖା ସଂପ୍ରସାରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲେ ରେଭରେଣ୍ଡ ଲାଲ୍‌ ବିହାରୀ ଦେ । ୧୮୫୯ ମସିହାରେ ପ୍ରକାଶିତ ତାଙ୍କର ‘ଚନ୍ଦ୍ରମୁଖୀ’ ଉପନ୍ୟାସରେ ପ୍ରଥମ ଥର ପାଇଁ ବଙ୍ଗଳାର ଗାର୍ହସ୍ଥ୍ୟ ଜୀବନର ଚିତ୍ର ଫୁଟି ଉଠିଥିଲା । ଉପନ୍ୟାସର ଶେଷ ଭାଗରେ ଚନ୍ଦ୍ରମୁଖୀର ବ୍ୟର୍ଥ ଦାମ୍ପତ୍ୟ ଜୀବନର ଛବି ଅଙ୍କନ କରି ସେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରମୁଖୀକୁ ଖ୍ରୀଷ୍ଟଧର୍ମ ଗ୍ରହଣ କରାଇ ଦେଇଥିଲେ ସୁଦ୍ଧା ବାସ୍ତବଧର୍ମୀ ସାମାଜିକ ଉପନ୍ୟାସ ଭାବରେ ଏହାର ଅବଦାନ ଅସ୍ୱୀକାର କରିହେବ ନାହିଁ ।

 

ମରାଠି ଭାଷାର ପ୍ରଥମ ଉପନ୍ୟାସ ‘ଯମୁନା ପର୍ଯ୍ୟଟନ’ ୧୯୫୭ ମସିହାରେ ପ୍ରକାଶିତ ହୋଇଥିଲା । ଏହି ଉପନ୍ୟାସର ଲେଖକ ବାବା ପଦ୍ମନ୍‌ଜୀ ଏକ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ସୁଦ୍ଧା ପରେ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ । ତାଙ୍କ ଉପନ୍ୟାସର ନାୟିକା ଯମୁନା ମଧ୍ୟ ଏକ ଖ୍ରୀଷ୍ଟିୟାନ୍‌ ମିଶନାରୀ ସ୍କୁଲରେ ପାଠ ପଢ଼ି ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲା । ତାର ସ୍ୱାମୀ ବିନାୟକ ଥିଲା ଜଣେ ହିନ୍ଦୁ । ସେ ଯମୁନାର ଜୀବନ ଦର୍ଶନକୁ ମାନି ନେଇଥିଲେ ସୁଦ୍ଧା ତାର ଧର୍ମମତକୁ ଗ୍ରହଣ କରିନଥିଲେ । ସ୍ୱାମୀ ସ୍ତ୍ରୀ ଉଭୟେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳ ଭ୍ରମଣ କରୁଥିବା ବେଳେ ଗୋଟିଏ ଶଗଡ଼ ଗାଡ଼ି ସାମ୍ନାରେ ପଡ଼ି ଯାଉଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ବିନାୟକ ନିଜେ ସେ ଗାଡ଼ି ସାମ୍ନାରେ ପଡ଼ି ଯାଇଥିଲେ । ଶଗଡ଼ ଚକ ତାଙ୍କ ଉପରେ ମାଡ଼ିଯିବା ଫଳରେ ସେ ଭୀଷଣ ଭାବରେ ଆହତ ହୋଇଥିଲେ । ମୃତ୍ୟୁବରଣ କରିବା ଆଗରୁ ସେ ଯମୁନାଦ୍ୱାରା ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ ଏବଂ ନିଜର ପିତାଙ୍କୁ ବିଧବା ବୋହୂ ପ୍ରତି କୌଣସି ଦୁର୍ବ୍ୟବହାର ନକରିବା ପାଇଁ ରାଜି କରାଇଥିଲେ । କିନ୍ତୁ ବିନାୟକର ପିତାଙ୍କ ପ୍ରତିଶ୍ରୁତି ସମାଜର ରକ୍ଷଣଶୀଳତା ପାଖରେ ଥିଲା ପାଣିର ଗାର । ରକ୍ଷଣଶୀଳା ଶାଶୁ କୁଳପୁରୋହିତଙ୍କ ପରାମର୍ଶ କ୍ରମେ ବିଧବା ବୋହୂର ମୁଣ୍ଡ ନଣ୍ଡା କରି ସେ ପିନ୍ଧିଥିବା ଗହଣା କାଢ଼ି ନେବାକୁ ବସିବାରୁ ଯମୁନା ଘର ଛାଡ଼ି ପଳାୟନ କରିଥିଲା । କିଛି ଦିନ ଜଣେ ଖ୍ରୀଷ୍ଟିୟାନ୍‌ ଦମ୍ପତିଙ୍କ ଆଶ୍ରୟରେ ରହିବା ପରେ ପୁର୍ନବିବାହ କରିଥିଲା । ଦ୍ୱିତୀୟ ସ୍ୱାମୀ ତାର ଏଥର ହିନ୍ଦୁ ନୁହନ୍ତି, ଥିଲେ ଜଣେ ଖ୍ରୀଷ୍ଟିୟାନ !

 

ବିଧବା ବିବାହ ସପକ୍ଷରେ ଏକ ସଂସ୍କାରଧର୍ମୀ ଉପନ୍ୟାସ ଲେଖିବାକୁ ଯାଇ ବାବା ପଦ୍ମନ୍‌ଜୀ ‘ଯମୁନା ପର୍ଯ୍ୟଟନ’ରେ ଖ୍ରୀଷ୍ଟଧର୍ମର ମହତ୍ତ୍ୱ ପ୍ରତିପାଦନ କରିବାକୁ ଭୁଲିନଥିଲେ ।

 

ମରାଠି କଥାସାହିତ୍ୟରେ ‘ଯମୁନା ପର୍ଯ୍ୟଟନ’ ପରେ ୧୮୬୧ ମସିହାରେ ପ୍ରକାଶିତ ଲକ୍ଷଣ ହାଲ୍‌ବେଙ୍କ ‘ମୁକ୍ତାମାଳା’ ଏବଂ ୧୮୭୧ ମସିହାରେ ପ୍ରକାଶିତ ବିଖଲଜୀ ଗୁଞ୍ଜିକାରଙ୍କ ‘ମୋଚନ ଗଡ଼’ ନାମକ ଐତିହାସିକ ଉପନ୍ୟାସ ଦୁଇଟି ସ୍ମରଣୀୟ ସୃଷ୍ଟି । ପ୍ରଖ୍ୟାତ ମରାଠି ଔପନ୍ୟାସିକ ହରି ନାରାୟଣ ଆପ୍ତେଙ୍କ ପ୍ରଥମ ଉପନ୍ୟାସ ‘ମାଧଲିସ୍ଥିତି’ ୧୮୯୦ ମସିହାରେ ପ୍ରକାଶିତ ହୋଇ ଏକ ନବଯୁଗର ସୂଚନା ଦେବା ଆଗରୁ ଏହି କେତୋଟି ପ୍ରାଥମିକ ସ୍ତରର ଉପନ୍ୟାସ ମରାଠି ସାହିତ୍ୟକୁ ସମୃଦ୍ଧ କରିଥିଲା ।

 

ଊନବିଂଶ ଶତାବ୍ଦୀ ପୂର୍ବରୁ ଦେବନାଗରୀ ଲିପି ପ୍ରଚଳିତ କୌଣସି ହିନ୍ଦି ଭାଷାଭାଷୀ ଆଞ୍ଚଳିକ ସାହିତ୍ୟରେ ଉଚ୍ଚ ମାନର ଗଦ୍ୟ ରଚନା ବିଶେଷ ଭାବରେ ପରିଲକ୍ଷିତ ହୋଇ ନଥିଲା । ତେଣୁ ୧୮୦୦ ମସିହାରେ ରଚିତ ଉର୍ଦ୍ଦୁକବି ‘ଇଶା ଆଲ୍ଲା ଖାଁ’ଙ୍କ ରଚିତ ‘ରାନୀ କେତ୍‌କୀ କି କାହାନୀ’କୁ ପ୍ରଥମ ହିନ୍ଦି ଉପନ୍ୟାସ ବୋଲି କୁହାଯିବା ଯଥାର୍ଥ ମନେ ହୁଏ ନାହିଁ । ଏହା ଏକ ଅବାସ୍ତବ କାହାଣୀ ଉପରେ ଆଧାରିତ ଦୀର୍ଘ ଗଳ୍ପ । ଜଣେ ରାଜକୁମାର ରାଜକନ୍ୟା କେତ୍‌କୀଙ୍କର ପ୍ରେମରେ ପଡ଼ିଥିଲେ । କିନ୍ତୁ ସେମାନଙ୍କ ଦୁଇ ରାଜ ପରିବାର ମଧ୍ୟରେ ଦ୍ୱନ୍ଦ ଓ ସଂଘର୍ଷ ଲାଗିବା ଫଳରେ ରାଜପୁତ୍ର ଓ ରାଜକନ୍ୟାଙ୍କ ମିଳନ ବିଳମ୍ବିତ ଏବଂ ବିଡ଼ମ୍ବିତ ହେବାକୁ ଲାଗିଲା । ଶେଷରେ ଜଣେ ଯୋଗୀଙ୍କ ଯାଦୁବିଦ୍ୟାବଳରେ ଦୁଇ ପରିବାର ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପିତ ହେଲା ଏବଂ ରାଜପୁତ୍ର ରାଜକନ୍ୟାଙ୍କ ମଧ୍ୟରେ ମିଳନ ଘଟିଲା ।

 

ଏହି କାହାଣୀ କେବଳ ଅବାସ୍ତବତା ନୁହେଁ, ଅଲୌକିକତାରେ ମଧ୍ୟ ପରିପୂର୍ଣ୍ଣ । ତେଣୁ ହିନ୍ଦି ସାହିତ୍ୟର ଐତିହାସିକମାନଙ୍କ ମଧ୍ୟରୁ କେହି କେହି ଏହାକୁ ପ୍ରଥମ ଉପନ୍ୟାସର ସମ୍ମାନ ଦେଇଥିଲେ ସୁଦ୍ଧା ଏହା ଯଥାର୍ଥ ଉପନ୍ୟାସ ନୁହେଁ ।

 

‘ରାନୀ କେତ୍‌କୀକି କାହାନୀ’ ବ୍ୟତୀତ ଆଉ ଯେଉଁ ଦୁଇଟି ଉପନ୍ୟାସ ହିନ୍ଦି ଭାଷାରେ ରଚିତ ପ୍ରଥମ ଉପନ୍ୟାସର ଗୌରବ ଦାବୀ କରନ୍ତି, ତାହା ହେଉଛି ପଣ୍ଡିତ ଗୌରୀଦତ୍ତଙ୍କ ଲିଖିତ, ୧୮୭୦ ସାଲରେ ପ୍ରକାଶିତ ‘ଦେଓରାନୀ ଜେଠାନୀକି କାହାନୀ’ ଏବଂ ଶ୍ରୀନିବାସ ଦାସଙ୍କ ୧୮୮୨ମସିହାରେ ପ୍ରକାଶିତ ଉପନ୍ୟାସ ‘ପରୀକ୍ଷାଗୁରୁ’ । ‘ଦେଓରାନୀ ଜେଠାନୀକି କାହାନୀ’ ଉପନ୍ୟାସରେ ପଣ୍ଡିତ ଦତ୍ତ ଅଶିକ୍ଷିତା ନାରୀ କିପରି ପାରିବାରିକ ଦୁର୍ଦ୍ଦଶାର କାରଣ ହୁଏ, ତାହା ବର୍ଣ୍ଣନା କରିବାକୁ ଚେଷ୍ଟା କରିଛନ୍ତି । ଏହା ବ୍ୟତୀତ ବଣିଆ ଜାତିର ସାମାଜିକ ରୀତିନୀତି, ଜନ୍ମ, ବିବାହ, ମୃତ୍ୟୁ ସମୟରେ ଅନୁସୃତ ବିଧିବିଧାନର ଟିକିନିଖି ଚିତ୍ର ଏଥିରେ ଅଙ୍କିତ ହୋଇଛି । ‘ପରୀକ୍ଷାଗୁରୁ’ ଉପନ୍ୟାସରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରୁ ହିନ୍ଦୁ ସାମାଜିକ ମୂଲ୍ୟବୋଧକୁ କିପରି ସୁରକ୍ଷିତ କରି ରଖାଯାଇ ପାରିବ, ତାର ଅପରୂପ ଆଲେଖ୍ୟ ଚିତ୍ରିତ ହୋଇଛି ।

 

ପ୍ରକୃତରେ ଆଧୁନିକ ହିନ୍ଦି ଉପନ୍ୟାସ ପ୍ରେମଚନ୍ଦ୍‌ଙ୍କ ‘ସେବାଶ୍ରମ’ ୧୯୧୮ ମସିହାରେ ପ୍ରକାଶିତ ହେବା ପରେ ଆରମ୍ଭ ହୋଇଥିଲା ବୋଲି ଧରି ନିଆଯାଏ, ତାହେଲେ ‘ରାନୀ କେତ୍‌କୀକି କାହାନୀ’, ‘ଦେଓରାନୀ ଜେଠାନୀକି କାହାନୀ’, ‘ପରୀକ୍ଷାଗୁରୁ’ ଏବଂ ୧୮୯୨ ମସିହାରେ ପ୍ରକାଶିତ ଦେବକୀ ନାରାୟଣ କ୍ଷାତ୍ରୀଙ୍କ ଲିଖିତ, ସର୍ବାଧିକ ଲୋକପ୍ରିୟ ଉପନ୍ୟାସ ‘‘ଚନ୍ଦ୍ରକାନ୍ତା’’ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା ବୋଲି କୁହା ଯାଇପାରେ । ଐତିହାସିକ ଉପନ୍ୟାସ ଭାବରେ ୧୮୯୪ ମସିହାରେ ପ୍ରକାଶିତ କିଶୋରୀ ଲାଲ ଗୋସ୍ୱାମୀଙ୍କ ‘ସୁଖ ଶର୍ବରୀ’ ଏବଂ ୧୮୯୬ରେ ପ୍ରକାଶିତ କାର୍ତ୍ତିକ ପ୍ରସାଦ କ୍ଷତ୍ରୀଙ୍କ ‘‘ଜୟା’’ ମଧ୍ୟ ଏହି ଦୃଷ୍ଟିରୁ ଦୁଇଟି ସ୍ମରଣୀୟ ସୃଷ୍ଟି ।

 

ଉର୍ଦ୍ଦୁ ଭାଷାରେ ରତନନାଥ ସରସାରଙ୍କ ଲିଖିତ ‘‘ଫସାନା-ଇ-ଆଜାଦ୍‌’’ (ଖ୍ରୀ ୧୮୭୮) ପ୍ରଥମ ଉର୍ଦ୍ଦୁ ଉପନ୍ୟାସ ଭାବରେ ଚିହ୍ନିତ ହୋଇଥିଲେ ସୁଦ୍ଧା ଗୁଣାତ୍ମକ ମୂଲ୍ୟବୋଧ ବିଚାରରେ ମିର୍ଜ୍ଜା ମହମ୍ମଦ ହାଜିଙ୍କ ଲିଖିତ ‘‘ଉମରାଓ-ଜାନ୍‌-ଅଦା’’ (ଖ୍ରୀ. ୧୮୯୯)କୁ ପ୍ରଥମ ସାର୍ଥକ ଉର୍ଦ୍ଦୁ ଉପନ୍ୟାସରୂପେ ଗ୍ରହଣ କରାଯାଇଥାଏ । ମିର୍ଜ୍ଜା ମହମ୍ମଦ ତାଙ୍କ ଉପନ୍ୟାସର ଭୂମିକାରେ କହିଛନ୍ତି- ଔପନ୍ୟାସିକ ଅନ୍ୟ ଭାବରେ ଦେଖିବାକୁ ଗଲେ ଜଣେ ଐତିହାସିକ । ତାର ପରିକଳ୍ପିତ କାହାଣୀ ମଧ୍ୟରେ ବର୍ଣ୍ଣିତ ସମୟର ଏକ ନିଖୁଣ ଛବି ଫୁଟି ଉଠେ । ‘ଉମରାଓ-ଜାନ୍‌-ଅଦା’ ଉପନ୍ୟାସରେ ତାଙ୍କର ଏହି ମତ ବାସ୍ତବ ରୂପ ଧାରଣ କରିଛି ବୋଲି ଲକ୍ଷ୍ୟ କରାଯାଇପାରେ । ୧୮୪୦ ମସିହାରୁ ୧୮୭୦ ମସିହା ମଧ୍ୟରେ ଲକ୍ଷ୍ନୌର ଅଭିଜାତ ମହଲରେ ନର୍ତ୍ତକୀ ଭାବରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ଜଣେ ନାରୀ ଉମ୍‌ରାଓର କାହାଣୀକୁ ନେଇ ଗଢ଼ି ଉଠିଛି ଏହି ଉପନ୍ୟାସର କଥାବସ୍ତୁ । ନାୟିକା ଉମରାଓ କେବଳ ନର୍ତ୍ତକୀ କିମ୍ବା ସ୍ୱରଶିଳ୍ପୀ ନଥିଲା, ସେ ଥିଲା ଜଣେ ସୁପରିଚିତା କବି । ଲକ୍ଷ୍ନୌର ସାମନ୍ତବାଦୀ ଅଭିଜାତ ସମାଜରେ ତା’ର ଥିଲା ଅବାଧ ପ୍ରବେଶ । ତା’ର ଜୀବନ କାହାଣୀ ମଧ୍ୟରେ ସେଇ ସମୟ ଓ ସମାଜର ସ୍ୱରୂପ ଔପନ୍ୟାସିକ ଦକ୍ଷତାର ସହିତ ଉନ୍ମୋଚନ କରି ପାରିଛନ୍ତି । ସେଇ ମିର୍ଜ୍ଜା ତା’ପରେ ‘ଜାତ୍‌-ଇ-ସରିଫ୍‌’ ଓ ‘ସରିଫଜାଦା’ ଭଳି ଆଉ କେତେଖଣ୍ଡ ଉପନ୍ୟାସ ଲେଖିଥିଲେ ସୁଦ୍ଧା ତାଙ୍କ ପ୍ରଥମ ଉପନ୍ୟାସ ତୁଳନାରେ ସେଗୁଡ଼ିକ ନିଷ୍ପ୍ରଭ ମନେହୋଇଥିଲା ।

 

ଗୁଜୁରାଟି ଭାଷାରେ ପ୍ରଥମ ଉପନ୍ୟାସ ଭାବରେ ୧୮୬୬ ମସିହାରେ ପ୍ରକାଶିତ ନନ୍ଦଶଙ୍କର ମେହେଟ୍ଟାଙ୍କ ‘‘କରନ ଘେଲୋ’’ ନାମ ପ୍ରଥମେ ସ୍ମରଣକୁ ଆସିଲେ ସୁଦ୍ଧା ଠିକ୍‌ ସେଇ ବର୍ଷ ପ୍ରକାଶ ପାଇଥିବା ମହିପତ୍ରମ୍‌ ନୀଲକଣ୍ଠଙ୍କ ‘ଶାଶୁ ବହୁନି ଲଡ଼ାଇ’ ଉପନ୍ୟାସର ଦାବୀକୁ ସହଜରେ ଅସ୍ୱୀକାର କରାଯାଇ ପାରିବ ନାହିଁ । ମେହେଟ୍ଟାଙ୍କ ‘କରନ ଘେଲୋ’ ଏକ ଐତିହାସିକ ଉପନ୍ୟାସ । ପାଟାନ୍‌ର ରାଜପୁତ୍‌ ବୀର କରନ୍‌ଙ୍କ ଦୁଃଖଦାୟକ ଜୀବନ କାହାଣୀ ଉପରେ ଏହା ଆଧାରିତ । କିନ୍ତୁ ନୀଲକଣ୍ଠଙ୍କ ‘ଶାଶୁ ବହୁନି ଲଡ଼ାଇ’ ଏକ ସାମାଜିକ ଉପନ୍ୟାସ । ମେହେଟ୍ଟା ଇଂରେଜୀ ଔପନ୍ୟାସିକ ସ୍କଟ୍‌ଙ୍କ ଅନୁକରଣରେ ତାଙ୍କର ଐତିହାସିକ ଉପନ୍ୟାସ ରଚନା କରିଥିବାବେଳେ ନୀଲକଣ୍ଠଙ୍କ ଉପନ୍ୟାସ ଗୁଜୁରାଟି ଭାଷାରେ ପ୍ରଥମ ସଂସ୍କାରଧର୍ମୀ ସାମାଜିକ ଉପନ୍ୟାସ ।

 

ଗୁଜୁରାଟୀ ଉପନ୍ୟାସ ସାହିତ୍ୟର ବିକାଶଧାରାରେ ଆଦ୍ୟ ଔପନ୍ୟାସିକ ଭାବରେ ଗୋବର୍ଦ୍ଧନ ରାମ ତ୍ରିପାଠୀଙ୍କ ନାମ ସୁପରିଚିତ । ପ୍ରଥମ ଔପନ୍ୟାସିକ ନହେଲେ ମଧ୍ୟ ତାଙ୍କର ଚାରିଭାଗରେ ବିଭକ୍ତ ସୁବୃହତ୍‌ ଉପନ୍ୟାସ ‘‘ସରସ୍ୱତୀଚନ୍ଦ୍ର’’ ପାଠକ ପାଠିକାମାନଙ୍କ ପାଖରେ ଥିଲା ଏକାନ୍ତ ଲୋକପ୍ରିୟ । ଏହି ଉପନ୍ୟାସର ପ୍ରଥମ ଭାଗ ୧୮୮୭ ମସିହାରେ ପ୍ରକାଶିତ ହୋଇଥିଲା ବେଳେ ଚତୁର୍ଥ ଭାଗ ୧୯୧୦ ମସିହାରେ ଆତ୍ମପ୍ରକାଶ କରିଥିଲା ।

 

ଦକ୍ଷିଣ ଭାରତୀୟ ଭାଷାମାନଙ୍କ ମଧ୍ୟରେ ତାମିଲ ଭାଷାରେ ବେଦନାୟକମ୍‌ ପିଲ୍ଲାଇଙ୍କ ୧୮୭୯ ମସିହାରେ ପ୍ରକାଶିତ ‘ପ୍ରତାପ ମୁଦାଲିୟର ଚରିତମ’କୁ ପ୍ରଥମ ଉପନ୍ୟାସ ଭାବରେ ସମ୍ମାନିତ କରାଯାଏ । ଶ୍ରୀ ପିଲ୍ଲାଇ ଥିଲେ ଜଣେ ଉଚ୍ଚଶିକ୍ଷିତ ଖ୍ରୀଷ୍ଟିୟାନ । ଇଂରେଜି ସାହିତ୍ୟରେ ଉପନ୍ୟାସର ଲୋକପ୍ରିୟତା ଲକ୍ଷ୍ୟ କରି ସେ ତାମିଲ ଭାଷାରେ ପ୍ରଥମେ ଉପନ୍ୟାସ ଲେଖିବାକୁ ଅନୁପ୍ରାଣୀତ ହୋଇଥିଲେ । ‘ପ୍ରତାପ ମୁଦାଲିୟର ଚରିତମ୍‌’ ଏକ ହାସ୍ୟରସାତ୍ମକ ସାମାଜିକ ଉପନ୍ୟାସ । ସମକାଳୀନ ସମାଜ ଜୀବନର ଚିତ୍ର ଏଥିରେ ଜୀବନ୍ତ ଭାବରେ ରୂପାୟିତ । ଅନେକ ଏହାକୁ ଶ୍ରୀ ପିଲ୍ଲାଇଙ୍କ ଆତ୍ମଜୀବନୀମୂଳକ କାହାଣୀ ଭାବରେ ଗ୍ରହଣ କରିଥିବା ବେଳେ ସମାଲୋଚକମାନେ ଏ ଉପନ୍ୟାସ ଉପରେ ହେନ୍‌ରି ଫିଲଡିଙ୍କ “The History of Tom Jones” ଏବଂ ସାର୍ଭେଣ୍ଟିସ୍‌ଙ୍କ “Don Quixote”ର ପ୍ରଭାବ ଲକ୍ଷ୍ୟ କରିଛନ୍ତି ।

 

ଶ୍ରୀ ପିଲ୍ଲାଇଙ୍କ ପରେ ତାମିଲ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରିଥିଲେ ଔପନ୍ୟାସିକ ମାଣ୍ଡାଭ୍ୟା (Mandaviah) । ତାଙ୍କର ଉପନ୍ୟାସ ଥିଲା ସଂସ୍କାରଧର୍ମୀ । ୧୯୮୮ ମସିହାରେ ଲିଖିତ ୧୯୦୦ ମସିହାରେ ପ୍ରକାଶିତ ତାଙ୍କର ‘‘ପଦ୍ମାବତୀ ଚରିତମ୍‌’’ ପିଲ୍ଲାଇଙ୍କ ‘‘ପ୍ରତାପ ମୁଦାଲିୟର ଚରିତମ୍‌’’ ଭଳି ନାୟକ-ନାୟିକାଙ୍କ ମିଳନରେ ରକ୍ଷଣଶୀଳ ସମାଜର ପ୍ରତିବନ୍ଧକ ଏବଂ ତାକୁ ଅତିକ୍ରମ କରିବାରେ ନାୟକ-ନାୟିକାଙ୍କର ଦୁଃସାହସିକତାର ଚିତ୍ର ଅଙ୍କିତ ।

 

ମଣ୍ଡାଭ୍ୟାଙ୍କ ବ୍ୟତୀତ ତାମିଲ ଉପନ୍ୟାସ ସାହିତ୍ୟରୁ ପଣ୍ଡିତ ଏସ୍‌. ଏମ୍‌ ନୀତେଶା ଶାସ୍ତ୍ରୀଙ୍କ ଦ୍ୱାରା ବିଶେଷ ଭାବରେ ଲୋକପ୍ରିୟତା ଅର୍ଜନ କରିଥିଲା । ଦକ୍ଷିଣ ଭାରତୀୟ ବ୍ରାହ୍ମଣ ପରିବାରକୁ ସେ ନିଜ ଉପନ୍ୟାସରେ ପ୍ରାଧାନ୍ୟ ଦେଇଥିଲେ । ତାଙ୍କର ୧୯୦୦ ମସିହାରେ ପ୍ରକାଶିତ ‘ଦିନଦୟାଲୁ’ ଉପନ୍ୟାସ ଏ ଦୃଷ୍ଟିରୁ ଏକ ସାର୍ଥକ ସୃଷ୍ଟି ।

 

ମାଲାୟାଲମ୍‌ ଭାଷାରେ ୧୮୮୭ ମସିହାରେ ଅପ୍‌ପୁ ନେଟୁକାଣ୍ଡିଙ୍କ ‘‘କୁନ୍ଦଲତା’’ ଉପନ୍ୟାସ ପ୍ରକାଶ ପାଇଥିଲେ ମଧ୍ୟ ଗୁଣାତ୍ମକ ମୂଲ୍ୟ ଦୃଷ୍ଟିରୁ ୧୮୮୮ ମସିହାରେ ପ୍ରକାଶିତ ଚନ୍ଦୁମେନନ୍‌ଙ୍କ ଲିଖିତ ‘ଇନ୍ଦୁଲେଖା’କୁ ହିଁ ପ୍ରଥମ ମାଲୟାଲମ୍‌ ଉପନ୍ୟାସ ଭାବରେ ସମ୍ମାନିତ କରାଯାଇଥାଏ । କେରଳ ଦକ୍ଷିଣ ପାର୍ଶ୍ୱସ୍ଥ ମାଲବାର ଅଞ୍ଚଳର ଭୌଗଳିକ ପୃଷ୍ଠଭୂମିରେ ଏହି ଉପନ୍ୟାସ ଲିଖିତ । ମାତୃପ୍ରଧାନ ସମାଜର ପତନ ଓ ଇଂରେଜି ଶିକ୍ଷିତ ଓ ନୂତନ ପ୍ରଜନ୍ମର ସ୍ୱାତନ୍ତ୍ର୍ୟବୋଧ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀକୁ ନେଇ ‘ଇନ୍ଦୁଲେଖା’ର ଭାବବସ୍ତୁ ବିସ୍ତୃତ ।

 

ଚନ୍ଦୁମେନନ୍‌ଙ୍କର ସମସାମୟିକ ମାଲୟାଲମୀ ଔପନ୍ୟାସିକ ସି ଭି. ରମନ ପିଲ୍ଲାଇ ଥିଲେ ଜଣେ ଐତିହାସିକ ଉପନ୍ୟାସର ଶକ୍ତିଶାଳୀ ସ୍ରଷ୍ଟା । ୧୮୯୧ ମସିହାରେ ପ୍ରକାଶିତ ତାଙ୍କର ‘ମାର୍ତ୍ତଣ୍ଡ ବର୍ମା’ ଉପନ୍ୟାସଟି ‘ତିରୁବତୀଙ୍କୁର୍‌’ ବା ଟ୍ରାଭାଙ୍କୋର୍‌ର ଜାତୀୟ ଇତିହାସ ପୃଷ୍ଠଭୂମିରେ ଲିଖିତ । ସାର୍‌ ୱାଲଟର ସ୍କଟ୍‌ଙ୍କ ‘ଆଇଭାନ୍‌ ହୋ’ ଉପନ୍ୟାସର ପ୍ରଭାବ ଏ ଉପନ୍ୟାସର ଲୋକପ୍ରିୟତାକୁ ମଳିନ କରିପାରି ନଥିଲା ।

 

କନ୍ନଡ଼ ସାହିତ୍ୟରେ ଲକ୍ଷ୍ମଣ ରାଓ ଗଦ୍‌ଡକରଙ୍କ ୧୮୯୨ ମସିହାରେ ପ୍ରକାଶିତ ‘ସୂର୍ଯ୍ୟକାନ୍ତ’ ହେଉଛି ପ୍ରଥମ ମୌଳିକ ଉପନ୍ୟାସ । ଏହା ପୂର୍ବରୁ କନ୍ନଡ଼ ଭାଷାରେ ଯାଦବଙ୍କ ରଚିତ’ “କଳାବତୀ ପରିଣୟ’’ (ଆନୁମାନିକ ପ୍ରକାଶ କାଳ : ୧୮୧୫), ମୁମ୍ମୁଡ଼ି କୃଷ୍ଣରାଜଙ୍କ ‘‘ସୌଗନ୍ଧିକା ପରିଣୟ’’ (ପ୍ରକାଶକାଳ : ୧୮୨୧) ଏବଂ କେମ୍‌ପୁନାରାୟଣଙ୍କ ରଚିତ ‘ମୁଦ୍ରା ମଞ୍ଜୁଷା’ (ପ୍ରକାଶ କାଳ ୧୮୨୩) ପ୍ରକାଶ ପାଇ ପାଠକମାନଙ୍କ ମନରେ ଉପନ୍ୟାସ ପଠନ-ପିପାସା ଜାଗ୍ରତ କରି ସାରିଥିଲା । କିନ୍ତୁ ଏହି ତିନିଖଣ୍ଡ ଉପନ୍ୟାସ ମୌଳିକ ସୃଷ୍ଟି ନୁହେଁ । ସଂସ୍କୃତ ନାଟ୍ୟକାର ବିଶାଖା ଦତ୍ତଙ୍କ ‘ମୁଦ୍ରାରାକ୍ଷସ’ ନାଟକର ଉପନ୍ୟାସ ରୂପ ହେଉଛି ‘ମୁଦ୍ରାମଞ୍ଜୁଷା’ । ତଥାପି କନ୍ନଡ଼ ଉପନ୍ୟାସର ବିକାଶ କ୍ରମରେ ଏହି ତିନିଖଣ୍ଡ ଉପନ୍ୟାସର ଅବଦାନକୁ ଅସ୍ୱୀକାର କରି ହେବ ନାହିଁ ।

 

କନ୍ନଡ଼ ଉପନ୍ୟାସର ପ୍ରଥମ ଯୁଗର ଅନ୍ୟତମ କଥାଶିଳ୍ପୀ ହେଉଛନ୍ତି ଏମ ଏସ ପୁଟ୍‌ଟାନା-। ତାଙ୍କର ‘ମାଡ଼ିଦ୍ଦୁନ୍ନୋ ମହାରାୟ’ (ଯେପରି କର୍ମ, ସେପରି ଫଳ) ଉପନ୍ୟାସ ୧୯୧୫ ମସିହାରେ ପ୍ରକାଶିତ ହେଲାପରେ କନ୍ନଡ଼ ଉପନ୍ୟାସରେ ନବଯୁଗର ସୂଚନା ମିଳିଥିଲା । ମହୀଶୂର ରାଜା ତୃତୀୟ କୃଷ୍ଣରାଜ ଓଡ଼େୟାଙ୍କ ସମୟରେ ସଞ୍ଜମାଡ଼ି ନାମକ ଏକ ଗ୍ରାମକୁ କେନ୍ଦ୍ରକରି ଏ ଉପନ୍ୟାସ କଥାବସ୍ତୁ ବିକଶିତ ହୋଇଛି । କାହାଣୀ ବିନ୍ୟାସ ନୁହେଁ; ଚରିତ୍ର ଚିତ୍ରଣର ଅପୂର୍ବ କଳା-କୁଶଳତା ହେଉଛି ଏ ଉପନ୍ୟାସର ବୈଶିଷ୍ଟ୍ୟ ।

 

ମୌଳିକ ଉପନ୍ୟାସ ସହିତ ଅନୁବାଦ ଉପନ୍ୟାସ ପ୍ରକାଶନ ସମାନ୍ତରାଳ ଭାବରେ କନ୍ନଡ଼ ସାହିତ୍ୟରେ ଲକ୍ଷ୍ୟ କରାଯାଏ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ମରାଠି, ବଙ୍ଗଳା ଉପନ୍ୟାସର ଅନୁବାଦ ସହିତ ‘ପିଲ୍‍ଗ୍ରିମ୍‍ସ ପ୍ରଗ୍ରେସ’ ଓ ‘ରବିନସନ କ୍ରୁଶୋ’ ପ୍ରମୁଖ ଇଂରେଜି କଥାସାହିତ୍ୟର ଅନୁବାଦ କନ୍ନଡ଼ ସାହିତ୍ୟକୁ ସମୃଦ୍ଧ କରିଥିଲା ।

 

ତେଲୁଗୁ ସାହିତ୍ୟରେ ପ୍ରଥମ ଉପନ୍ୟାସର ସ୍ରଷ୍ଟାଥିଲେ କାଣ୍ଡାକୁରି ବିରେଶ ଲିଙ୍ଗମ୍‌ ପାନ୍ତୁଲୁ । ବାସ୍ତବରେ କେବଳ ତେଲୁଗୁ ଉପନ୍ୟାସ ସାହିତ୍ୟରେ ନୁହନ୍ତି, ତେଲୁଗୁ ସାମାଜିକ ଓ ସାଂସ୍କୃତିକ ଜୀବନରେ ବିରେଶ ଲିଙ୍ଗମ୍‌ ଥିଲେ ନବଯୁଗର ପ୍ରବର୍ତ୍ତକ । ତାଙ୍କର ୧୮୭୮ ମସିହାରେ ପ୍ରକାଶିତ ‘ରାଜ ଶେଖର ଚରିତମ୍‌’କୁ ତେଲୁଗୁ ଭାଷାରେ ପ୍ରଥମ ଉପନ୍ୟାସ ବୋଲି କୁହାଯାଏ । କିନ୍ତୁ ବାସ୍ତବରେ ଏହା ଏକ ମୌଳିକ ଉପନ୍ୟାସ ନୁହେଁ । ଗୋଲ୍‌ଡ ସ୍ମିଥଙ୍କର “The Vicar of Wakefield’’ ଉପନ୍ୟାସ ଅବଲମ୍ବନରେ ଏହା ଲିଖିତ ।

 

ତେଲୁଗୁ ଭାଷାର ବିଶିଷ୍ଟ କବି ଓ ନାଟ୍ୟକାର ଚିଲାକାମାର୍ତ୍ତି ଲକ୍ଷ୍ମୀ ନରସିଂହମ୍‌ ‘ରାଜଶେଖର ଚରିତମ୍‌’ ଉପନ୍ୟାସ ଦ୍ୱାରା ଉଦ୍‌ବୁଦ୍ଧ ହୋଇ ‘ରାମଚନ୍ଦ୍ର ବିଜୟମ୍‌’ ନାମକ ଏକ ଉପନ୍ୟାସ ରଚନା କରିଥିଲେ । ତେଲୁଗୁ ଭାଷାଭାଷୀ ଲୋକଙ୍କ ସାମାଜିକ ଜୀବନର ପୃଷ୍ଠଭୂମିରେ ଏହି ଉପନ୍ୟାସ କଥାବସ୍ତୁ ରଚିତ ହୋଇଥିଲା ।

 

୧୯୨୦ ମସିହା ସୁଦ୍ଧା ଆନ୍ଧ୍ର ଅଞ୍ଚଳରେ ଇଂରେଜ ଶିକ୍ଷାର ପ୍ରସାର ଓ ରାଜନୈତିକ ଚେତନାର ବିକାଶ ଘଟିବା ଫଳରେ ଯେଉଁ ନୂତନ ଭାବନା ବୁଦ୍ଧିଜୀବୀମାନଙ୍କ ହୃଦୟକୁ ଆଲୋଡ଼ିତ କରିଥିଲା; ତାହାରି ମଧ୍ୟରୁ ଜନ୍ମ ନେଇଥିଲା ବାସ୍ତବରେ ଆଧୁନିକ ତେଲୁଗୁ ଉପନ୍ୟାସ । ଏହି ନୂତନ ସାରସ୍ୱତ ଚେତନାର ସାର୍ଥକ ରୂପକାର ଥିଲେ ‘ଭିୟେ ପାଡ଼ାଗୁଲୁ’ର ଔପନ୍ୟାସିକ ବିଶ୍ୱନାଥ ସତ୍ୟନାରାୟଣା ଏବଂ ‘ନାରାୟଣ ରାଓ’ ନାମକ ଉପନ୍ୟାସର ସ୍ରଷ୍ଟା ଆଦିଭି ବାପି ରାଜୁ ।

 

ଅନ୍ୟ ଭାଷା ସାହିତ୍ୟ ଭଳି ଅସମିୟା ସାହିତ୍ୟରେ ଉପନ୍ୟାସର ଜନ୍ମ ହୋଇଥିଲା ଆସାମରେ ଇଂରେଜୀ ଶିକ୍ଷାର ସଂପ୍ରସାରଣ ପରେ । ଅସମୀୟା ଭାଷାର ସର୍ବପ୍ରଥମ ମାସିକ ସାହିତ୍ୟପତ୍ର ‘ଅରୁଣୋଦୟ’ ପୃଷ୍ଠାରେ ବୁନିୟାନ୍‌ଙ୍କ ‘Pilgrim’s Progress’ ‘ଯାତ୍ରୀଙ୍କର ଯାତ୍ରା’ ନାମରେ ଧାରାବାହିକ ଭାବରେ ପ୍ରକାଶିତ ହେବାପରେ ବିଶ୍ୱକଥା-ସାହିତ୍ୟ ସହିତ ଅସମିୟା ପାଠକର ପ୍ରଥମ ସଂପର୍କ ସ୍ଥାପିତ ହୋଇଥିଲା । ତା’ପରେ ‘କାମିନୀକାନ୍ତା’ ଓ ଫୁଲମଣି ଓ କରୁନା’ ନାମକ ଦୁଇଖଣ୍ଡ ଖ୍ରୀଷ୍ଟଧର୍ମୀ ଉପନ୍ୟାସର ଅନୁବାଦ ମଧ୍ୟ ସେହି ସମୟରେ ଅସମିୟା ଭାଷାରେ ପ୍ରକାଶିତ ହୋଇଥିଲା । ୧୮୮୦ ମସିହାରେ ପ୍ରକାଶିତ ପଦ୍ମାବତୀ ଦେବୀ ଫୁକାନନୀଙ୍କ ‘ସୁଧର୍ମାର ଉପାଖ୍ୟାନ’ ନାମକ ଉପନ୍ୟାସ ଥିଲା ସେ ଦିଗରୁ ବିଚାର କଲେ ପ୍ରଥମ ମୌଳିକ ଅସମିୟା ଉପନ୍ୟାସ । କିନ୍ତୁ ଜଣେ ନାରୀ ଲେଖିକାଙ୍କ ସୃଷ୍ଟି ଭାବରେ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା, ଭାଷା ଓ କାହାଣୀ ବିନ୍ୟାସ ଦୃଷ୍ଟିରୁ ଏହାକୁ ସଫଳ ଉପନ୍ୟାସ ଭାବରେ କେହି ଗ୍ରହଣ କରି ନଥିଲେ । ସେଥିପାଇଁ ପରବର୍ତ୍ତୀ କାଳରେ ହେମଚନ୍ଦ୍ର ବରୁଆଙ୍କ ଲିଖିତ ‘‘ବାହିରେ ରଙ୍ଗ ଚଙ୍ଗ୍‌ ଭିତରେ କୋୱାଭାତୁରି’’ ନାମକ ଉପନ୍ୟାସକୁ ପ୍ରଥମ ଉପନ୍ୟାସ ଭାବରେ ଅସମିୟା ଭାଷାରେ ଗ୍ରହଣ କରାଯାଇଛି । ଚିକ୍‌ ଚିକ୍‌ ଦେଖା ଯାଉଥିବା ସବୁ ଧାତୁ ସୁବର୍ଣ୍ଣ ନୁହେଁ-ଏହାହିଁ ଉପନ୍ୟାସର ନାମକରଣର ଲକ୍ଷ୍ୟ । ଅସମିୟା ସମାଜରେ ବ୍ୟାପୀ ଯାଇଥିବା କୁସଂସ୍କାର ଓ ଧର୍ମନାମରେ ଚାଲିଥିବା ଅନ୍ଧବିଶ୍ୱାସକୁ ପଦାରେ ପକାଇବା ଦୃଷ୍ଟିରୁ ଏହି ସାମାଜିକ ଉପନ୍ୟାସ ଅସମିୟା ପାଠକ-ପାଠିକାମାନଙ୍କ ହୃଦୟ ସ୍ପର୍ଶ କରି ପାରିଥିଲା ।

 

ବାସ୍ତବରେ ଦେଖିବାକୁ ଗଲେ ବିଂଶ ଶତାବ୍ଦୀର ଆରମ୍ଭରେ ରଜନୀକାନ୍ତ ବରଦୋଲଇଙ୍କ ସୃଷ୍ଟି ସାଧନା ମଧ୍ୟରେ ହିଁ ଆଧୁନିକ ଅସମିୟା ଉପନ୍ୟାସ ଜନ୍ମ ଗ୍ରହଣ କରିଥିଲା । ୧୮୯୬ ମସିହାରେ ପ୍ରକାଶିତ ତାଙ୍କର ‘ମିରିଜିୟାରି’ ଉପନ୍ୟାସ ସେ ଦୃଷ୍ଟିରୁ ଏକ ସ୍ମରଣୀୟ କୀର୍ତ୍ତି । ସୁବନଶ୍ରୀ ନଦୀ ଉପକୂଳରେ ବାସ କରୁଥିବା ମିରି ଆଦିବାସୀ ଯୁବକ-ଯୁବତୀଙ୍କ ପ୍ରଣୟ କାହାଣୀକୁ ନେଇ ଏ ଉପନ୍ୟାସ ରଚିତ । ଆଦିବାସୀ ଜନଜୀବନର ସାର୍ଥକ ରୂପକାର ବରଦୋଲଇଙ୍କ ଏହି ଉପନ୍ୟାସ ଅସମିୟା କଥା ସାହିତ୍ୟରେ ଏକ ନୂତନ ଦିଗନ୍ତ ଉନ୍ମୋଚିତ କରିଥିଲା ।

 

ଉମେଶଚନ୍ଦ୍ର ସରକାରଙ୍କ ‘ପଦ୍ମମାଳି’ ଉପନ୍ୟାସ ୧୮୮୮ ମସିହାରେ ପ୍ରକାଶିତ ହେବା ଆଗରୁ ‘ଉତ୍କଳ ମଧୁପ’ରେ ରାମଶଙ୍କର ରାୟଙ୍କ ‘ସୌଦାମିନୀ’ ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ଏହା ଅସମ୍ପୂର୍ଣ୍ଣ ଏବଂ ପୁସ୍ତକ ଆକାରରେ ଅପ୍ରକାଶିତ ଥିବା ହେତୁ ‘ପଦ୍ମମାଳି’କୁ ହିଁ ଓଡ଼ିଆ ଭାଷାରେ ସର୍ବ ପ୍ରଥମ ଉପନ୍ୟାସ ଭାବରେ ସମ୍ମାନିତ କରାଯାଇଛି । ୧୮୩୨ ଖ୍ରୀଷ୍ଟାବ୍ଦ ନୀଳିଗିରି ଗଡ଼ଜାତର ଇତିହାସକୁ ଭିତ୍ତି କରି ଏହି ଉପନ୍ୟାସର କଥାବସ୍ତୁ ନିର୍ମିତ । ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ପ୍ରକାଶିତ ହୋଇ ଓଡ଼ିଆ ଉପନ୍ୟାସକୁ ଗଭୀରତା ଓ ସାର୍ବଜନିନତା ଆଣିଦେବା ଆଗରୁ ରାମଶଙ୍କର ଓ ରମେଶ ସରକାରଙ୍କ ଉପନ୍ୟାସ ଯେ ଉଜ୍ଜ୍ୱଳ ପ୍ରଦୀପ ଭଳି ଉପନ୍ୟାସ-ପାଠକମାନଙ୍କୁ ଆଲୋକ ଦେଖାଇଥିଲା, ଏଥିରେ ସନ୍ଦେହ ନାହିଁ ।

 

ବିଭିନ୍ନ ଆଞ୍ଚଳିକ ଭାରତୀୟ ଭାଷାରେ ଉପନ୍ୟାସର ଏହି ବିକାଶ ଧାରା ଲକ୍ଷ୍ୟ କଲେ ଏକଥା ସ୍ପଷ୍ଟ ହୋଇ ଯାଏ ଯେ ଇଂରେଜି ଶିକ୍ଷାର ପ୍ରଚଳନ ପରେ ଇଂରେଜି ସାହିତ୍ୟ ବିଶେଷ କରି ଇଂରେଜି ଉପନ୍ୟାସର ପ୍ରେରଣାରେ ହିଁ ଭାରତୀୟ ଭାଷାରେ ଉପନ୍ୟାସ ରଚନା ଲାଗି ଉଦ୍ୟମ କରା ଯାଇଛି । ଏଥିରେ ଇଂରେଜ ଶାସକ, ଖ୍ରୀଷ୍ଟଧର୍ମପ୍ରେମୀ ଇଂରେଜ ଓ ଭାରତୀୟମାନଙ୍କର ଅବଦାନ ମଧ୍ୟ ଊଣା ନୁହେଁ । ଉପନ୍ୟାସ ଏକ ଲୋକପ୍ରିୟ କଥା-ଶିଳ୍ପ ହୋଇଥିବା ଯୋଗୁଁ ଏହା ମାଧ୍ୟମରେ ଖ୍ରୀଷ୍ଟଧର୍ମର ବୈଶିଷ୍ଟ୍ୟ ପ୍ରଚାର ଉଦ୍ଦେଶ୍ୟରେ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନେକ ଉପନ୍ୟାସ ରଚିତ ହୋଇଛି । ଏମାନଙ୍କ ମଧ୍ୟରେ କ୍ୟାଥେରିନ୍‌ ମ୍ୟଲେନ୍‌ସଙ୍କ ‘ଫୁଲମଣି ଓ କରୁଣା’ ଉପନ୍ୟାସଟି ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ସର୍ବଭାରତୀୟ ସମ୍ମାନ ମଧ୍ୟ ଲାଭ କରିଛି । କେବଳ ବଙ୍ଗଳା, ଓଡ଼ିଆ, ଅସମିୟା ପ୍ରଭୃତି ପୂର୍ବଭାରତୀୟ ଭାଷାରେ ନୁହେଁ, ହିନ୍ଦି, ମରାଠି, ତାମିଲ ପ୍ରଭୃତି ଅନ୍ୟ ନଅଟି ଭାରତୀୟ ଭାଷାରେ ଏହା ଅନୂଦିତ ହୋଇଥିଲା । ଶ୍ରୀମତୀ ମ୍ୟଲେନ୍‌ସ ଥିଲେ ଲଣ୍ଡନ ଖ୍ରୀଷ୍ଟିୟାନ୍‌ ମିଶନାରୀ ସୋସାଇଟିର କର୍ମୀ ଓ ‘ଫୁଲମଣି-କରୁଣା’ ଉପନ୍ୟାସଟି ଥିଲା ଖ୍ରୀଷ୍ଟିୟାନ ପ୍ରଚାର ସାହିତ୍ୟର ଏକ ଉଲ୍ଲେଖଯୋଗ୍ୟ ଗ୍ରନ୍ଥ । ଅନ୍ୟ ଜଣେ ଇଂରେଜି ଲେଖକଙ୍କ ଉପନ୍ୟାସ ଅବଲମ୍ବନରେ ଭାରତୀୟ ଚରିତ୍ରମାନଙ୍କୁ ନେଇ ସେ ଏହି ଉପନ୍ୟାସ ରଚନା କରିଥିଲେ । ତେଣୁ ଅନେକ ଆଞ୍ଚଳିକ ଭାଷା ସାହିତ୍ୟର ସମାଲୋଚକମାନେ ଏହି ଉପନ୍ୟାସକୁ ନିଜ ନିଜ ଭାଷାରେ ପ୍ରଥମ ଉପନ୍ୟାସ ବୋଲି ଦାବୀ କରିବା ଯଥାର୍ଥ ନହେଲେ ମଧ୍ୟ ଭାରତୀୟ ଭାଷାରେ ଉପନ୍ୟାସର ଜନ୍ମ ଲଗ୍ନରେ ଏହି ଉପନ୍ୟାସର ପ୍ରେରଣାଦାୟକ ଭୂମିକାକୁ ଅସ୍ୱୀକାର କରି ହେବ ନାହିଁ । ଶ୍ରୀମତୀ ମ୍ୟଲେନ୍‌ସଙ୍କ ‘ଫୁଲମଣି ଓ କରୁଣା’ ବ୍ୟତୀତ ମରାଠି ଭାଷାର ପ୍ରଥମ ଔପନ୍ୟାସିକ ବାବା ପଦ୍ମନଜୀ ଓ ତାମିଲ ଭାଷାର ପ୍ରଥମ ଔପନ୍ୟାସିକ ସାମୁଏଲ ବେଦନାୟକମ୍‌ ପିଲ୍ଲାଇ ଏବଂ ଅସମୀୟା ଭାଷାରେ ‘କାମିନୀକାନ୍ତା’ ନାମକ ଉପନ୍ୟାସର ଲେଖକ ଜି. ଏସ୍‌. ଗୁର୍ଣ୍ଣିଙ୍କୁ ଉପନ୍ୟାସରେ ଖ୍ରୀଷ୍ଟଧର୍ମର ମହତ୍ତ୍ୱ ପ୍ରତିପାଦନ ପ୍ରଧାନ ଲକ୍ଷ୍ୟ ଥିଲା । ମାଲବାର ଅଞ୍ଚଳରେ ବାସ କରୁଥିବା ଜଣେ ଇଂରେଜି ମହିଳା ମିସେସ୍‌ କଲିନ୍‌ସ ୧୮୬୬ ମସିହାରେ ‘The Slayer Slain’ ନାମକ ଏକ ଉପନ୍ୟାସ ଇଂରେଜି ଭାଷାରେ ଲେଖିଥିଲେ-। ପରେ ପରେ ଏହା ମାଲାୟଲମ୍‌ ଭାଷାରେ ଅନୂଦିତ ହୋଇଥିଲା । ଖ୍ରୀଷ୍ଟଧର୍ମ ପ୍ରତି ଅନୁରାଗ ସୃଷ୍ଟି କରିବାହିଁ ଥିଲା ଏହି ଉପନ୍ୟାସର ଆଭିମୁଖ୍ୟ ।

 

ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଆଉ ଯେଉଁ ଯୁଗପୁରୁଷଙ୍କ ଛାୟା ଭାରତୀୟ ଉପନ୍ୟାସର ପ୍ରଥମ ସକାଳକୁ ଆଚ୍ଛନ୍ନ କରି ରଖିଥିଲା, ତାଙ୍କର ନାମ ହେଉଛି ସାର୍‌ ୱାଲଟର ସ୍କଟ୍‌ । ସେ ଥିଲେ ଇଂରେଜି ସାହିତ୍ୟରେ ଐତିହାସିକ ଉପନ୍ୟାସର ଜନକ । ତାଙ୍କର ଉପନ୍ୟାସଦ୍ୱାରା ଉଦ୍‌ବୁଦ୍ଧ ହୋଇ ମରାଠି ଭାଷାରେ ‘ମୁକ୍ତାମାଳା’, ‘ମୋଚନ ଗଡ଼’ ବଙ୍ଗଳ ଭାଷାରେ ‘ଦୁର୍ଗେଶ ନନ୍ଦିନୀ’ ‘ମହାରାଷ୍ଟ୍ର ଜୀବନ ପ୍ରଭାତ’, ମାଲାୟଲମ ଭାଷାରେ ‘ମାର୍ତ୍ତଣ୍ଡ ବର୍ମା’ ଓ ହିନ୍ଦି ଭାଷାରେ ‘ଜୟା’ ଓ ‘ସୁଖଶର୍ବରୀ’ ପ୍ରଭୃତି ଐତିହାସିକ ଉପନ୍ୟାସମାନ ରଚିତ ହୋଇଥିଲା । ପ୍ରଖ୍ୟାତ ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କୁ ତାଙ୍କର ଐତିହାସିକ ଉପନ୍ୟାସର ସଫଳତା ଲାଗି ‘ବଙ୍ଗଳାର ସ୍କଟ୍‌’ ବୋଲି କୁହା ଯାଉଥିଲା । ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସ ‘ପଦ୍ମମାଳି’ ଓ ‘ସୌଦାମିନୀ’ ମଧ୍ୟ ଥିଲା ଇତିହାସର ତଥ୍ୟାଶ୍ରୟୀ ଉପନ୍ୟାସ ।

 

ଧର୍ମ ଓ ଇତିହାସର ଅର୍ଗଳିରୁ ମୁକ୍ତ ସମକାଳୀନ ସମାଜ ଜୀବନ ଉପରେ ଆଧାରିତ ଉପନ୍ୟାସ ଭାବରେ ବଙ୍ଗଳା ଭାଷାର ‘ଆଲାଲେର ଘରେର ଦୁଲାଲ’, ମାଲୟାଲମ୍‌ ଭାଷାର ‘ଇନ୍ଦୁ ଲେଖା’ ଓ ଗୁଜୁରାଟି ଭାଷାରେ ଜନପ୍ରିୟ ଉପନ୍ୟାସ ‘ସରସ୍ୱତୀ ଚନ୍ଦ୍ର’ ଭାରତୀୟ ଭାଷାର ଆଦ୍ୟ ଉପନ୍ୟାସମାନଙ୍କ ମଧ୍ୟରେ ଅନ୍ୟତମ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତାସଂଘର୍ଷ, ସାମାଜିକ କୁସଂସ୍କାର ଓ ଧର୍ମାନ୍ଧତା ବିରୁଦ୍ଧରେ ସ୍ୱର ଉତ୍ତୋଳନ ଥିଲା ଏହି ସବୁ ସାମାଜିକ ଉପନ୍ୟାସର ପ୍ରଚ୍ଛନ୍ନ ପ୍ରେରଣା ।

 

ବିଂଶ ଶତାବ୍ଦୀର ଆରମ୍ଭରେ ଉପନ୍ୟାସ କ୍ରମଶଃ ସମସ୍ୟା-କଣ୍ଟକିତ ସାଧାରଣ ମଣିଷର ସୁଖଦୁଃଖ, ଜୀବନ ଯନ୍ତ୍ରଣାକୁ କଥାବସ୍ତୁର ପ୍ରଧାନ ସାମଗ୍ରୀ ଭାବରେ ଗ୍ରହଣ କଲାପରେ ଧର୍ମପ୍ରବଣତା ଓ ଐତିହାସିକତା ବଦଳରେ ସମାଜ-ସଚେତନତା ହେଲା ଏହାର ପ୍ରଧାନ ପ୍ରାଣ-ସ୍ପନ୍ଦନ । ବଙ୍କିମଚନ୍ଦ୍ର, ଫକୀରମୋହନ, ହରିନାରାୟଣ ଓ ପ୍ରେମଚନ୍ଦ୍‌ ପ୍ରମୁଖ ଯୁଗସ୍ରଷ୍ଟା କଥାଶିଳ୍ପୀମାନଙ୍କ ସୃଷ୍ଟିସାଧନା ମଧ୍ୟରେ ଭାରତୀୟ ଉପନ୍ୟାସ ଆରମ୍ଭ କରିଥିଲା ତା’ର ଅପ୍ରତିହତ ଜୟଯାତ୍ରା ।

 

ସହାୟକ ଗ୍ରନ୍ଥସୂଚୀ

1.

Realism and Reality : By Minakshi Mukherjee.

2.

The Novel in India : Its Birth and Development : Ed. by : T. W. Clark.

3.

Novel in Modern India : Ed. by : Iqbal Bakhtiyer.

4.

Contemporary Indian Literature : Published by- Sahitya Academy

5.

ଫୁଲମନି ଓ କରୁନାର ବିବରଣ : ସମ୍ପାଦନା- ଚିତ୍ତରଞ୍ଜନ ବନ୍ଦୋପାଧ୍ୟାୟ ।

6.

‘ଚତୁରଙ୍ଗ’ : ଜାନୁୟାରୀ, ୧୯୮୮ ସଂଖ୍ୟା ।

 

୩ ଏଚ୍‌, ଲୁଇସ୍‌ ରୋଡ଼୍‌

ଭୁବନେଶ୍ୱର-୭୫୧୦୧୪

 

***

 

ଅସମୀୟା ଭାଷାର ପ୍ରଥମ ଉପନ୍ୟାସ - ଭାନୁମତୀ

ଶ୍ରୀ ସୁନୀଲ କୁମାର ଦତ୍ତ

 

ଉପକ୍ରମଣିକା : ବିଭିନ୍ନ ଆଞ୍ଚଳିକ ଭାରତୀୟ ଭାଷାମାନଙ୍କରେ ଉପନ୍ୟାସ ସାହିତ୍ୟର ସୃଷ୍ଟି ହୋଇଛି ଆଧୁନିକ ଯୁଗରେ । ଏକଥା ମଧ୍ୟ ଠିକ୍‌ ଯେ ସବୁ ଆଞ୍ଚଳିକ ଭାଷାରେ ‘ଆଧୁନିକ ଯୁଗ’ର ସୃଷ୍ଟି ଏକା ସମୟରେ ହୋଇନି । ଏହାର ସମୟ ଭିନ୍ନ ଭିନ୍ନ ଭାଷା ପାଇଁ ଭିନ୍ନ ଭିନ୍ନ । କିନ୍ତୁ ହାରାହାରି ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭାରତୀୟ ଭାଷାମାନଙ୍କରେ ଆଧୁନିକ ଯୁଗର ଉଦ୍ଭବ ବୋଲି ଧରାଯାଇ ପାରେ । ସାହିତ୍ୟରେ ‘ଆଧୁନିକ ଯୁଗ’ର ସୃଷ୍ଟି କ୍ଷେତ୍ରରେ କେତେକ ସାଧାରଣ ଐତିହାସିକ ଘଟଣା ଜଡ଼ିତ । ଇଂରେଜମାନଙ୍କ ଦ୍ୱାରା ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ଆଧିପତ୍ୟ ବିସ୍ତାର, ଇଂରେଜୀ ଶିକ୍ଷାର ପ୍ରଚଳନ, ଖ୍ରୀଷ୍ଟିଆନ ମିଶନାରୀମାନଙ୍କଦ୍ୱାରା ଭାରତୀୟ ଭାଷାଗୁଡ଼ିକର ଚର୍ଚ୍ଚା ଓ ଏଗୁଡ଼ିକର ପ୍ରସାର ଓ ପ୍ରଚାର ପାଇଁ ଚେଷ୍ଟା-ଏସବୁ କାର୍ଯ୍ୟ ସାହିତ୍ୟ କ୍ଷେତ୍ରରେ ଆଧୁନିକତା ଆନୟନ ଦିଗରେ ସହାୟକ ହୋଇଥିଲା । ଆଧୁନିକତାର ଦ୍ୟୋତକ ଭାବରେ ଆମେ ସାହିତ୍ୟ କ୍ଷେତ୍ରରେ ନୂଆ ନୂଆ ରଚନା ରୂପ, ଆଂଗିକ ଏବଂ ଶୈଳୀ ପାଇଲୁ । ଏହା ମଝିରେ ଉପନ୍ୟାସ ମଧ୍ୟ ଏମିତି ଗୋଟିଏ ରଚନା-ରୂପ, ଯାହାର ଉଦ୍ଭବ ଓ ବିକାଶ ଆଧୁନିକ ଯୁଗରେ ହୋଇଥିଲା । କିନ୍ତୁ ସୁସମୃଦ୍ଧ ଭାରତୀୟ ସାହିତ୍ୟରେ ପାରସ୍ପରିକ ଇତିହାସରେ ଉପନ୍ୟାସର ମୂଳ ଅନୁସନ୍ଧାନ କରିବାର ପ୍ରବଣତା ପ୍ରାୟ ସବୁ ଭାଷାର ସାହିତ୍ୟ-ଇତିହାସକାରମାନଙ୍କ କ୍ଷେତ୍ରରେ ଲକ୍ଷ୍ୟ କରାଯାଏ । ଏଣୁ ଆଧୁନିକ ଉପନ୍ୟାସ ସାହିତ୍ୟର ଇତିବୃତ୍ତ ଖୋଜି ପ୍ରାଚୀନ ସଂସ୍କୃତ ସାହିତ୍ୟର ‘କଥା’ ଜାତୀୟ ରୋମାନ୍‌ସ୍‌ଗୁଡ଼ିକ ପାଖକୁ ଫେରି ଯିବାର ପ୍ରୟାସ ପରିଲକ୍ଷିତ ହୁଏ । କିନ୍ତୁ ଆଧୁନିକ ଉପନ୍ୟାସ ଓ ପ୍ରାଚୀନ ସଂସ୍କୃତ ସାହିତ୍ୟର ରୋମାନ୍‌ସ୍‌ଗୁଡ଼ିକ ମଝିରେ ସଂଯୋଗ ଦେଖାଇବାର ଚେଷ୍ଟା ଯେ ଯଥେଷ୍ଟ କଷ୍ଟକଳ୍ପିତ-ଏକଥା କହିବା ବାହୁଲ୍ୟ ମାତ୍ର ।

 

ଏବେଠାରୁ ପ୍ରାୟ ଶହେ ବର୍ଷ ତଳେ ୧୮୮୮ ଖ୍ରୀଷ୍ଟାବ୍ଦରେ ଓଡ଼ିଆରେ ଉମେଶଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ ଉପନ୍ୟାସ ପ୍ରକାଶ ପାଇଲା । ଠିକ୍‌ ଏହି ସମୟରେ ଭାରତବର୍ଷର ଆହୁରି କେତେକ ଭାଷାରେ ଉପନ୍ୟାସର ସୃଷ୍ଟି ହୋଇ ସାରିଥିଲା, ଅନ୍ୟ କେତେକ ଭାଷାରେ ଉପନ୍ୟାସର ଜନ୍ମ-ଯନ୍ତ୍ରଣା ଆରମ୍ଭ ହୋଇଥିଲା ଏବଂ ଅନ୍ୟ କତିପୟ ଭାଷାରେ ଉପନ୍ୟାସ-ସାହିତ୍ୟ ସାବାଳକତ୍ୱ ଲାଭ କରି ସାରିଥିଲା । ନିମ୍ନରେ ପ୍ରଦତ୍ତ ତାଲିକାରୁ ବିଭିନ୍ନ ଭାରତୀୟ ଭାଷାମାନଙ୍କର ଉପନ୍ୟାସର ବିକାଶର ଧାରା ଅନୁଧାବନ କରି ହେବ ।

 

୧.

ଭାଷା

ଉପନ୍ୟାସ

ଲେଖକ

ପ୍ରକାଶ

୨.

ବଙ୍ଗଳା

ଆଲାଲେର ଘରେର

ଦୁଲାଲ

ପ୍ୟରୀଚାନ୍ଦ ମିତ୍ର

୧୮୫୮

୩.

ଗୁଜରାତୀ

କରଣ ଘେଲୋ

ନନ୍ଦଶଙ୍କର ତୁଲଜାଶଙ୍କର

୧୮୬୬

୩.

ମରାଠୀ

ମଞ୍ଜୁଘୋଷ

ନାରାୟଣରାଓ ସଦାଶିବରିଶବୁଦ

୧୮୬୮

୪.

ତାମିଲ

ପ୍ରତାପ ମୁଦାଲିୟର

ବେଦନାୟକମ୍‌ ପିଲ୍ଲାଇ

୧୮୭୯

୫.

ହିନ୍ଦୀ

ପରୀକ୍ଷାଗୁରୁ

ଲାଲା ଶ୍ରୀନିବାସ ଦାସ

୧୮୮୨

୬.

ମାଲୟାଲମ୍‌

କୁନ୍ଦଲତା

ଟି ଏମ. ନେତୁନ୍ନାତି

୧୮୮୭

୭.

ଓଡ଼ିଆ

ପଦ୍ମମାଳୀ

ଉମେଶଚନ୍ଦ୍ର ସରକାର

୧୮୮୮

୮.

ଅସମୀୟା

ଭାନୁମତୀ

ପଦ୍ମନାଥ ଗୋହାଁଇ ବରୁଆ

୧୮୯୦

୯.

ତେଲୁଗୁ

ରାଜଶେଖର ଚରିତ୍ରମ୍‌

ବୀରେଶଲିଂଗମପନଟୁଲ

 

୧୦.

ପାଞ୍ଜାବୀ

ସୁନ୍ଦରୀ

ବୀର ସିଂ

୧୮୯୭

୧୧.

କାନାଡ଼ା

କେରୂର ଓ ଗଲଗନାଥ

ବିଂଶଶତାବ୍ଦୀର ଆରମ୍ଭରେ

 

 

ଉଲ୍ଲେଖଯୋଗ୍ୟ କଥା ଯେ ପ୍ରାୟ ସମସ୍ତ ଭାରତୀୟ ଭାଷାରେ ପ୍ରଥମ ଉପନ୍ୟାସ ନିର୍ଦ୍ଧାରଣ ବିଷୟରେ ବିତର୍କ ରହିଛି । ପାଶ୍ଚାତ୍ୟ ସାହିତ୍ୟର ଆଦର୍ଶରେ ଭାରତୀୟ ଭାଷାମାନଙ୍କରେ ଉପନ୍ୟାସର ସୃଷ୍ଟି ହୋଇଛି-ଏକଥା ସମସ୍ତେ ସ୍ୱୀକାର କରନ୍ତି । କିନ୍ତୁ ଏହାକୁ ସାହିତ୍ୟ-ବିଶେଷର ସ୍ୱାଭାବିକ ବିକାଶର ଫଳ ଭାବରେ ଦେଖାଇବାର ପ୍ରବଣତା ମଧ୍ୟ ଦେଖାଯାଏ । ଏହି କାରଣରୁ କିଛି କିଛି ଭାଷାରେ ରୋମାନ୍‌ସ ଅଥବା ଏଜାତୀୟ ଅନ୍ୟ କାହାଣୀକୁ ଉପନ୍ୟାସ ଆଖ୍ୟା ମିଳିଛି । କିନ୍ତୁ ଊନବିଂଶ ଶତାବ୍ଦୀରେ ହିଁ ଯେ ପ୍ରାୟ ସମସ୍ତ ଭାରତୀୟ ଭାଷାରେ ପ୍ରକୃତାର୍ଥରେ ଉପନ୍ୟାସର ଆବିର୍ଭାବ ହୋଇଥିଲା-ଏକଥାରେ ସନ୍ଦେହ ନାହିଁ ।

 

ପଶ୍ଚାତ୍‌ ଦୃଷ୍ଟି : ଅସମୀୟା ଭାଷାରେ ଉପନ୍ୟାସର ଆଗମନ ପାଇଁ ପଥ ନିର୍ମାଣରେ ସାହାଯ୍ୟ କରିଥିବା ଗ୍ରନ୍ଥଗୁଡ଼ିକର ନାମ ଏଇଠି ସଂଯୋଜନ କରାଯାଇ ପାରେ । ୧୮୬୧ ମସିହାରେ ହେମଚନ୍ଦ୍ର ବରୁଆ ପ୍ରକାଶ କଲେ ତାଙ୍କର ବହି ‘ବାହିରେ ରଂ ଚଂ ଭିତରେ କୋଆଭାତୁରୀ’ । ତୀବ୍ର ବ୍ୟଙ୍ଗ ମିଶ୍ରିତ ଗୋଟିଏ ଛୋଟ କାହାଣୀ ଏହି ଗ୍ରନ୍ଥରେ ଉପସ୍ଥାପିତ ହୋଇଥିଲା । କାହାଣୀଟି ଲେଖକଙ୍କ ମୌଳିକ ସୃଷ୍ଟି । କିନ୍ତୁ ଏହା ଉପନ୍ୟାସ ନାମ ପାଇବାର ଯୋଗ୍ୟତା ଅର୍ଜନ କରିନି । ସେପରି ଭାବରେ ୧୮୭୭ ମସିହାରେ ଏ କେ. ଗାର୍ଣୀଙ୍କ ‘କାମିନୀ କାନ୍ତର ଚରିତ୍ର’ ଓ ‘ଏଲୋକେଶୀ ବେଶ୍ୟାର ବିବରଣ’ ଏବଂ ଶ୍ରୀମତୀ ଗାର୍ଣୀଙ୍କ ‘ଫୁଲମଣି ଆରୁ କରୁଣା’ ବାହାରିଥିଲା । ୧୮୮୦ ମସିହାରେ ପଦ୍ମାବତୀ ଦେବୀ ଫୁକନନୀ ‘ସୁଧର୍ମାର ଉପାଖ୍ୟାନ’ ପ୍ରକାଶ କରି ଉପନ୍ୟାସ ପାଇଁ ବାଟ ସୁଗମ କରିଦେଲେ । ଶେଷୋକ୍ତ ଚାରିଟିଯାକ କାହାଣୀ ଅନୂଦିତ କାହାଣୀ ଏବଂ ଭାରତବର୍ଷର ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାମାନଙ୍କରେ ମଧ୍ୟ ଏଗୁଡ଼ିକର ଅନୁବାଦ ହୋଇଥିଲା ।

 

ଭାନୁ ଉଦୟ : ୧୮୯୦ ମସିହାଟି ଅସମୀୟା ସାହିତ୍ୟ ଇତିହାସରେ ସ୍ମରଣୀୟ ବର୍ଷ । ଏହି ବର୍ଷ ପଦ୍ମନାଥ ଗୋହାଁଇ ବରୁଆ ଅସମୀୟା ଭାଷାରେ ପ୍ରଥମ ଉପନ୍ୟାସ ‘ଭାନୁମତୀ’ ଲେଖିଲେ । ଏହି ଉପନ୍ୟାସ ୧୮୯୦ରେ ପ୍ରକାଶିତ ମାସିକା ପତ୍ରିକା ‘ବିଜୁଳୀ’ରେ ଧାରାବାହିକ ଭାବରେ ବାହାରିଥିଲା । ୧୮୯୨ ଖ୍ରୀରେ ପଦ୍ମନାଥଙ୍କର ହିଁ ଦ୍ୱିତୀୟ ଉପନ୍ୟାସ ‘ଲହରୀ’ ପ୍ରକାଶ ପାଇଲା । ‘ଭାନୁମତୀ’ ଏବଂ ‘ଲାହରୀ’ ଦୁଇଟିଯାକ ଉପନ୍ୟାସ ଦୁଇ ଭିନ୍ନ କ୍ଷେତ୍ରରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛି । ‘ଭାନୁମତୀ’ ଲେଖକଙ୍କ ପ୍ରଥମ ଉପନ୍ୟାସ ଅସମୀୟା ସାହିତ୍ୟରେ ମଧ୍ୟ ପ୍ରଥମ ଉପନ୍ୟାସ । କିନ୍ତୁ ‘ବିଜୁଳୀ’ ପତ୍ରିକାର ଅନ୍ତୁଡ଼ିଶାଳରେ ଥିବା ଅବସ୍ଥାରେ ହିଁ ‘ଲାହରୀ’ ୧୮୯୭ ମସିହାରେ ଛାପା ହୋଇ ଗ୍ରନ୍ଥ ଆକାରରେ ବାହାରି ଗଲା । ତେଣୁ ଗ୍ରନ୍ଥ ଆକାରରେ ଛାପା ହୋଇଥିବା ବିଚାରରେ ‘ଲାହରୀ’ ପ୍ରଥମ ଉପନ୍ୟାସ । ୧୮୯୦-୯୧ ମସିହାରେ ‘ବିଜୁଳୀ’ ପତ୍ରିକାରେ ସମ୍ପୂର୍ଣ୍ଣଭାବରେ ବାହାରି ସାରିବାର ଦୀର୍ଘ ସତର ବର୍ଷ ପରେ ୧୯୦୮ ଖ୍ରୀଷ୍ଟାବ୍ଦରେ ‘ଭାନୁମତୀ’ ଗ୍ରନ୍ଥାକାରରେ ବାହାରିଥିଲା । ଏପ୍ରସଙ୍ଗରେ ଲେଖକ ଗୋହାଁଇ ବରୁଆ ଆତ୍ମଜୀବନୀରେ ଲେଖିଛନ୍ତି-‘‘ବିଜୁଳି ପତ୍ରିକା ମୋତେ ଲେଖାଲେଖି କ୍ଷେତ୍ରରେ ପ୍ରବୃତ୍ତ କରେଇଥିଲା । ଏହି ପ୍ରସଙ୍ଗରେ ମୋର ସର୍ବପ୍ରଥମ ସାହିତ୍ୟିକ ଉଦ୍ୟମ ହେଲା ଖଣ୍ଡିଏ ସାମାଜିକ-ପାରିବାରିକ ଉପନ୍ୟାସର ରଚନା । ସେତେବେଳ ପର୍ଯ୍ୟନ୍ତ ଅର୍ଥାତ ୧୮୯୦ ପର୍ଯ୍ୟନ୍ତ ଅସମୀୟା ଭାଷାରେ ଉପନ୍ୟାସ ବୋଲି କିଛି ନଥିଲା । ମୋର ‘ଭାନୁମତୀ’ ସେହି ଉଦ୍ୟମର ଫଳ ।’’ ‘ଲାହରୀ ଉପନ୍ୟାସ ସମ୍ପର୍କରେ ତାଙ୍କର ମନ୍ତବ୍ୟ ଏହିପରି ‘‘ଲାହରୀ ଅସମୀୟା ଭାଷାରେ ଗ୍ରନ୍ଥାକାରରେ ପ୍ରକାଶିତ ସର୍ବପ୍ରଥମ ଉପନ୍ୟାସ । ଏହା ପୂର୍ବରୁ ଅସମୀୟା ଭାଷାରେ ଉପନ୍ୟାସ ଗ୍ରନ୍ଥ ନଥିଲା । ମାତ୍ର ମୋର ‘ଭାନୁମତୀ’ ‘ବିଜୁଳୀ’ରେ (ପ୍ରଥମ ବର୍ଷ, ୧୮୯୦ ଖ୍ରୀ) ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ‘ପଦ୍ମ କୁମାରୀ’ ‘ଜୋନାକୀ’ରେ (ତୃତୀୟ ବର୍ଷ ୧୮୯୧ ଖ୍ରୀ) ଧାରାବାହିକ ଭାବରେ ପ୍ରକାଶ ପାଇଥିଲା । ଏଣୁ ଅସମୀୟା ଉପନ୍ୟାସର ଜନକର ସ୍ୱୀକୃତି ପଦ୍ମନାଥ ଗୋହାଁଇ ବରୁଆଙ୍କୁ ହିଁ ଦିଆଯାଇଛି । ଗୋହାଇଁ ବରୁଆ ଥିଲେ ଏକାଧାରରେ ନାଟ୍ୟକାର, କବି, ପ୍ରବନ୍ଧକାର, ଐତିହାସିକ, ପାଠ୍ୟପୁସ୍ତକ ପ୍ରଣେତା ଏବଂ ଔପନ୍ୟାସିକ ।

 

ଅସମୀୟା ସାହିତ୍ୟର ଅଭାବ ପ୍ରତି ଦୃଷ୍ଟି ରଖି ସେ ସାହିତ୍ୟ ରଚନାରେ ପ୍ରବୃତ୍ତ ହୋଇଥିଲେ । କିନ୍ତୁ ତାହାହେଲେ ମଧ୍ୟ ତାଙ୍କର ସାହିତ୍ୟ-ପ୍ରତିଭାର ଅଭାବ ନଥିଲା । ପ୍ରୟୋଜନ ପୂର୍ଣ୍ଣ କରିବା ଲାଗି ଲେଖିଲେ ମଧ୍ୟ ସେ ଅସମୀୟା ସାହିତ୍ୟକୁ କେତୋଟି ଶ୍ରେଷ୍ଠ ସୃଷ୍ଟି ଦାନ କରିଛନ୍ତି ।

 

ଭାନୁମତୀର ସଂକ୍ଷିପ୍ତ ରୂପରେଖ : ଏହି ଉପନ୍ୟାସର କାହାଣୀ ଐତିହାସିକ ପ୍ରେକ୍ଷାପଟ୍ଟରେ ବିକଶିତ ହୋଇଛି । ନାମ ଉଲ୍ଲେଖ ନକରି ଜଣେ ଆସାମରାଜାଙ୍କ ରାଜତ୍ଵକାଳର କିଛି କିଛି ଘଟଣା ବର୍ଣ୍ଣନା କରାଯାଇଛି । ଏହି ଘଟଣାରାଶି ଐତିହାସିକ ଏବଂ ସେଥିରୁ ଠିକ୍‌ କେଉଁ ରାଜାଙ୍କ ସମୟର କଥା ବର୍ଣ୍ଣିତ ହୋଇଛି ତାହା ଭଲଭାବରେ ଅନୁମାନ କରିହୁଏ । କିନ୍ତୁ ମୁଖ୍ୟ ଚରିତ୍ର ଭାନୁ ଏବଂ ଭାନୁର ପ୍ରେମିକ ଚାରୁଗୋହାଁଇ କାଳ୍ପନିକ ଚରିତ୍ର । ଲେଖକ କାହାଣୀରେ କିଛି ବିଶ୍ୱାସଯୋଗ୍ୟତା ପ୍ରଦାନ କରିବାଲାଗି ଇତିହାସର ପଟ୍ଟଭୂମିରେ ପକେଇ କାହାଣୀ ବିସ୍ତାର କରିଛନ୍ତି । ଅସମୀୟା ଉପନ୍ୟାସ ସାହିତ୍ୟର ସର୍ବପ୍ରଥମ ଫସଲ ହେବା ସତ୍ତ୍ୱେ ମଧ୍ୟ ‘ଭାନୁମତୀ’ ଉପନ୍ୟାସ ପାଠକମାନଙ୍କ ମଧ୍ୟରେ ଆଶାନୁରୂପ ଜନପ୍ରିୟତା ଲାଭ କରି ପାରିଥିଲା ବୋଲି ଜଣାଯାଏ ।

 

ଏହି ଉପନ୍ୟାସର କାହାଣୀ ଅତ୍ୟନ୍ତ ସରଳ । ଚରିତ୍ର ସଂଖ୍ୟା ମଧ୍ୟ ତଦନୁଯାୟୀ କମ୍‌ । ମୁଖ୍ୟ ଚରିତ୍ର ଭାନୁମତୀ । ଅଭିଜାତ ବଂଶର ଝିଅ ଭାନୁ ସେପରି ଅଭିଜାତ ବଂଶର ଜଣେ ଯୁବକ ଚାରୁଗୋହାଁଇକୁ ଭଲ ପାଏ । ଘଟଣା ଚକ୍ରରେ, ଚାରୁଗୋହାଁଇ ଭାନୁର ଘରେହିଁ ଆଶ୍ରୟ ଗ୍ରହଣ କରିଛି । ଗୋଟିଏ ଘରେ ରହିଲେ ମଧ୍ୟ ସେମାନଙ୍କ ଭିତରେ ପରସ୍ପର ଦେଖା ସାକ୍ଷାତ୍‌ର ସୁଯୋଗ ବହୁତ୍‌ କମ୍‌ ଥିଲା । ଭାନୁ କିନ୍ତୁ ପ୍ରେମ କ୍ଷେତ୍ରରେ ଅତ୍ୟନ୍ତ ସାହସୀ ଓ ତାହାର ପ୍ରେମ ଅଦମ୍ୟ, ପ୍ରବଳ । ସେ ଫୁଲ-ତୋଡ଼ା ନିବେଦନ କରି ଚିଠି ଲେଖି ଚାରିପାଖରେ ନିଜର ପ୍ରେମ ଅର୍ପଣ କରିଛି-। ଭାନୁର ବାପା ଭାନୁକୁ ନିଜ ଦେଶର ସ୍ୱୟଂ ରାଜକୁମାର ସହିତ ବାହା ଦେବା ପାଇଁ ଆୟୋଜନ କଲେ । ଚାରୁଗୋହାଁଇ ଏ ଘଟଣାରେ ଅତ୍ୟନ୍ତ ହତାଶ ହୋଇ ଗୃହତ୍ୟାଗ କଲା । ଭାନୁମତୀ ମଧ୍ୟ ପୁରୁଷର ଛଦ୍ମବେଶରେ ଘରୁ ପଳାୟନ କରି ଜନୈକ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଲା । ସେଇ ଘରର ଏକମାତ୍ର ଝିଅ ସହିତ ପୁରୁଷବେଶଧାରୀ ଭାନୁକୁ ଘରଜ୍ୱାଇଁ ହୋଇ ରହିବା ପାଇଁ ବାଧ୍ୟ କରାଗଲା । କିନ୍ତୁ ଦିନେ ସାପ କାମୁଡ଼ିଥିବାରୁ ଭାନୁର ପ୍ରକୃତ ପରିଚୟ ବାହାରିଗଲା । ଭାନୁକୁ ପୁଣି ବାପା ଘରକୁ ଫେରାଇ ଆଣିଲେ । ଅନ୍ୟ ଦିଗରେ, ସେଇ ରାଜକୁମାର ନିଜେ ରାଜ-କ୍ଷମତା ଅଧିକାର କରି, ଭାନୁକୁ ପାଇବା ପାଇଁ ଚେଷ୍ଟା କଲେ ଏବଂ ଅସତ୍ୟ ଅଭିଯୋଗରେ ଚାରୁ ଗୋହାଁଇକୁ ଧରି ଆଣି ବିଚାର କରି ମୃତ୍ୟୁଦଣ୍ଡ ଦେଲେ । ପ୍ରେମିକର ମୃତ୍ୟୁଶୋକ ସହି ନପାରି ଭାନୁମତୀ ମଧ୍ୟ ଆତ୍ମହତ୍ୟାର ବାଟ ବାଛିନେଲା । ଏପରି ଭାବରେ ମୃତ୍ୟୁ ଭିତର ଦେଇ ଉପନ୍ୟାସର କାହାଣୀର କରୁଣ ସମାପ୍ତି ଘଟିଛି ।

 

ଭାନୁମତୀର ବିଶେଷତ୍ୱ : ଏହି ଉପନ୍ୟାସଟିର ମୁଖ୍ୟ ବୈଶିଷ୍ଟ୍ୟ ହେଲା ଏହାର ଆତ୍ମକଥନମୂଳକ ଶୈଳୀ । ଉପନ୍ୟାସର ପ୍ରଧାନ ଚରିତ୍ର ଭାନୁ ନିଜ ମୁହଁରେ ସମସ୍ତ ଘଟଣା ବର୍ଣ୍ଣନା କରିଛି । କେବଳ ଚତୁର୍ଦଶ ପରିଚ୍ଛେଦଟିରେ ଭାନୁର ମୃତ୍ୟୁ ଘଟଣା ଲେଖକ ନିଜେ ବର୍ଣ୍ଣନା କରିଛନ୍ତି । ଅସମୀୟା ସାହିତ୍ୟର ସର୍ବପ୍ରଥମ ଉପନ୍ୟାସ ଏବଂ ଲେଖକଙ୍କର ମଧ୍ୟ ପ୍ରଥମ ଉପନ୍ୟାସର ଘଟଣାବଳୀ ପ୍ରଥମ ପୁରୁଷରେ ବର୍ଣ୍ଣିତ ହୋଇଛି । ପରୀକ୍ଷାମୂଳକତାର ସୀମା ଛାଡ଼ି ଲେଖକ ଏ କ୍ଷେତ୍ରରେ ନିଜର ନୈପୁଣ୍ୟ ଦେଖାଇ ପାରିଛନ୍ତି । କେବଳ ଶେଷ ଅନୁଚ୍ଛେଦଟି ଛଡ଼ା ଅନ୍ୟ କେଉଁଠି ହେଲେ ଭୁଲରେ ମଧ୍ୟ ଲେଖକ ଭାନୁମତୀ ମୁଖରୁ କଥା କାଢ଼ିଆଣି ନିଜେ ବର୍ଣ୍ଣନାକାରୀର ଭୂମିକାରେ ଅବତୀର୍ଣ୍ଣ ହୋଇ ନାହାନ୍ତି । ଆତ୍ମବିବୃତିମୂଳକ ଶୈଳୀ ଅନୁସରଣ କରୁଥିବାରୁ ଉପନ୍ୟାସଟିର ପ୍ଳଟ୍‌ ଅତ୍ୟନ୍ତ ସୁସଂଗଠିତ ହୋଇଛି । ଉପନ୍ୟାସରେ ସାଧାରଣତଃ ଦେଖା ଯାଉଥିବା ଉପକାହାଣୀ ଅଥବା ବିବିଧବୈଚିତ୍ର୍ୟ-ମୂଳକ ଘଟଣାସମାବେଶ ‘ଭାନୁମତୀ’ରେ ନାହିଁ । ଏହାର କାହାଣୀ ଅତ୍ୟନ୍ତ କ୍ଷିପ୍ର କିନ୍ତୁ ଦୃଢ଼ ଗତିରେ ଶୀର୍ଷ ଆଡ଼କୁ ଆଗେଇ ଚାଲିଛି । ଏହି କ୍ଷୁଦ୍ର ଉପନ୍ୟାସଟି ପଢ଼ିବାବେଳେ ପାଠକଙ୍କ ମନୋଯୋଗ ଅଦ୍ୟୋପାନ୍ତ ଅକ୍ଷୁଣ୍ଣ ଥାଏ ।

 

ପଦ୍ମନାଥ ଗୋହାଇଁ ବରୁଆ ‘ଭାନୁମତୀ’ ଲେଖି ଅସମୀୟା ସାହିତ୍ୟରେ ଯେ ଗୋଟିଏ ନୂଆ ଧାରାର ପ୍ରବର୍ତ୍ତନ କରି ଯାଇଛନ୍ତି କେବଳ ତାହା ନୁହେଁ, ଉପନ୍ୟାସ ରଚନା କ୍ଷେତ୍ରରେ ସେ ଗୋଟିଏ ଆଦର୍ଶ-ରୂପ ଛିଡ଼ା କରାଇ ପାରିଛନ୍ତି । ସାହିତ୍ୟର ଏହି ବିଶିଷ୍ଟ ଫର୍ମଟିକୁ ସେ ଭଲ ଭାବରେ ଅନୁଧାବନ କରିପାରିଥିଲେ । ତାଙ୍କର ଏହି ଉପନ୍ୟାସରେ କୌଣସି ଧରଣର ଉପଦେଶ ବା ଶିକ୍ଷା ଦେବାର ଚେଷ୍ଟା ନାହିଁ । ପଦ୍ମନାଥଙ୍କ ପରବର୍ତ୍ତୀ କାଳରେ ଲିଖିତ ଉପନ୍ୟାସରେ ଯେପରି ଦେଖାଯାଏ ପନ୍ୟାସ ଭିତରେ ତଥ୍ୟ ଓ ତତ୍ତ୍ୱର ଅବତାରଣା, କିଛି କିଛି କ୍ଷେତ୍ରରେ ଯେଉଁଗୁଡ଼ିକ ସ୍ୱତନ୍ତ୍ର ଗୋଟିଏ ପ୍ରବନ୍ଧର ଆକାର ନେଇଛି- ଏପରି ପ୍ରସଙ୍ଗାନ୍ତର ଘଟେଇବାର ନିଦର୍ଶନ ପଦ୍ମନାଥଙ୍କ ଉପନ୍ୟାସରେ ମିଳେ ନାହିଁ ଏବଂ ପ୍ରଥମ ସ୍ତରୀୟ ବହୁ ଉପନ୍ୟାସରେ ମିଳିଥିବା ବୈଶିଷ୍ଟ୍ୟ - ଲେଖକ ପାଠକଙ୍କୁ ପ୍ରତ୍ୟକ୍ଷ ଭାବରେ ସମ୍ବୋଧନ କରି କିଛି କହିବା ବା ଘଟଣା ବୁଝେଇ ଦେବାର ରୀତି ମଧ୍ୟ ପଦ୍ମନାଥ ଗ୍ରହଣ କରିନାହାନ୍ତି । ତାଙ୍କର କାହାଣୀ ଏକସୂତ୍ରରେ ଗ୍ରଥିତ ଦୃଢ଼-ପିନଦ୍ଧ ।

 

ଏହି ଉପନ୍ୟାସର ପ୍ରଧାନ ଚରିତ୍ର ଭାନୁମତୀ ଅତ୍ୟନ୍ତ ଉଜ୍ଜ୍ୱଳ ଏବଂ ବ୍ୟକ୍ତିତ୍ୱସମ୍ପନ୍ନା ନାରୀ-। ଭାନୁର ତୁଳନାରେ ପ୍ରେମିକ ଚାରୁ ଗୋହାଁଇ ମ୍ଳାନ ଓ ଦୁର୍ବଳ । ଭାନୁ ଅତ୍ୟନ୍ତ ସାହସୀ ଏବଂ ତାହାର ପ୍ରେମ ତୀବ୍ର ଓ ଅମଳିନ । କିନ୍ତୁ ଚାରୁଗୋହାଁଇ ସେତେ ସାହସୀ ଓ ପ୍ରେମରେ ଉତ୍ସର୍ଗପ୍ରାଣ ନୁହେଁ । ଭାନୁ ଅବଳା କିନ୍ତୁ ଦୁର୍ବଳା ନୁହେଁ । ତାହାର ପ୍ରେମ ଦେହଜ ବା ସଂକୀର୍ଣ୍ଣ ପ୍ରେମ ନୁହେଁ । ପ୍ରିୟତମର ସୁଖ ଓ ଆନନ୍ଦ ପାଇଁ ସେ ନିଜର ସ୍ୱାର୍ଥ ତ୍ୟାଗ କରିବାକୁ ମଧ୍ୟ ପ୍ରସ୍ତୁତ । ଭାନୁ କହିଛି- ‘‘ମୁଁ ତ ମୋର ସୁଖ ନିମନ୍ତେ ଚାରୁଗୋହାଁଇକୁ ଭଲପାଇନି ।’’ ଭାନୁ ଚରିତ୍ରରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଯେଉଁ ଧରଣର ଆଭାସ ମିଳିଛି ତାହା ଅତି ତାତ୍ପର୍ଯ୍ୟପୂର୍ଣ୍ଣ । ସପ୍ତଦଶ ଶତାବ୍ଦୀର ପୃଷ୍ଠପଟ୍ଟରେ ସଂଘଟିତ ଗୋଟିଏ କାହାଣୀର ନାୟିକା ନିଜର ଅଧିକାର ସମ୍ପର୍କରେ କେତେ ସଚେତନ ନିମ୍ନର ଉଦ୍ଧୃତିରୁ ପ୍ରମାଣ ମିଳିବ । ରାଜା ଭାନୁକୁ ବିବାହ କରିବାରେ ଇଛୁକ ଏବଂ ସେଇଥିପାଇଁ ଭାନୁର ପ୍ରିୟତମକୁ ଭାନୁଠାରୁ ବିଛିନ୍ନ କରିବାର ବ୍ୟବସ୍ଥା କରିଛନ୍ତି, ଏକଥା ଜାଣି ଭାନୁ ଏଭଳି ଭାବରେ ପ୍ରତିକ୍ରିୟା ବ୍ୟକ୍ତ କରିଛି- ‘‘ରାଜା ତାଙ୍କର ଦୁର୍ବଳ ମନରେ ସମସ୍ତଙ୍କୁ ଦୁର୍ବଳ ବୋଲି ଭାବୁଛନ୍ତି । ଅନ୍ୟମାନଙ୍କର ପବିତ୍ର ମନ କଳୁଷିତ କରିବା ଲାଗି ତାଙ୍କର ରାଜକ୍ଷମତା ତାଙ୍କୁ ବଳ ଦେଇପାରେ । ମୋର ପ୍ରାଣେଶ୍ୱର ଗୋହାଁଇ ଦେବଙ୍କୁ ବନ୍ଦୀ କରି ରଖି ସେ ମୋର ପ୍ରାଣ ଅଧୀଶ୍ୱର ହେବା ପାଇଁ ହାତ ବଢ଼ାଉଛନ୍ତି । କିନ୍ତୁ ସେ ଜାଣନ୍ତି ନାହିଁ ଯେ ମୋ ନିଜର ପ୍ରାଣ ଉପରେ ମୋର କେତେ ଅଧିକାର । ତାଙ୍କର ଏକଥା ବୁଝିବାର ଶକ୍ତି ନାହିଁ ଯେ ମୁଁ ଏତେ ଯତ୍ନରେ କାହିଁ ପାଇଁ ଏ ପ୍ରାଣଟି ଧାରଣ କରି ରହୁଛି ।’’ ଊନବିଂଶ ଶତାବ୍ଦୀରେ ନାରୀମାନଙ୍କ ପାଇଁ ବହୁ ପ୍ରଗତିମୂଳକ କାମ କରାହୋଇଥିଲା । କିନ୍ତୁ ସେ ସମୟରେ ନାରୀଜାଗରଣ ବା Women’s libର ଧ୍ୱନି ତ ଶୁଣା ଯାଉ ନଥିଲା । ଅଥଚ ଏହି ସମୟରେ ଜଣେ ଝିଅ ପଦ୍ମନାଥଙ୍କର ଭାନୁମତୀ ନିଜ ଅଧିକାର ସଚେତନତାର ଯେଉଁ ନିଦର୍ଶନ ଦେଖାଇଛି-ତାହା ଦେଖି ବିସ୍ମୟ-ବିମୁଗ୍‌ଧ ହେବାକୁ ପଡ଼େ । ରାଜା ତାଙ୍କର ରାଜକ୍ଷମତା ଏବଂ କୌଶଳରେ ଭାନୁର ମନ ଜୟ କରିପାରି ନଥିଲେ, ସବୁ ପ୍ରକାରର ଭୟ ଓ ପ୍ରଲୋଭନ ଉପେକ୍ଷା କରି ସସମ୍ମାନରେ ସେ ମୃତ୍ୟୁକୁ ଆଲିଙ୍ଗନ କରିନେଲା । ଭାନୁ ନଇଁ ପଡ଼ିବାର ଲୋକ ନୁହଁ, ସେ ବରଂ ଭାଙ୍ଗିପଡ଼େ ।

 

ପ୍ରଭାବ : ଏହା ଗୋଟିଏ ଲକ୍ଷଣୀୟ କଥା ଯେ ‘ଭାନୁମତୀ’ ପରି ନାରୀଚରିତ୍ର-ପ୍ରଧାନ ଉପନ୍ୟାସ ଅସମୀୟା ଉପନ୍ୟାସର ପ୍ରଥମ ସ୍ତରରେ ଆହୁରି ରଚିତ ହୋଇଛି । ପଦ୍ମନାଥଙ୍କର ନିଜର ଦ୍ୱିତୀୟ ଉପନ୍ୟାସଟି ମଧ୍ୟ ନାୟିକା-ପ୍ରଧାନ । ଏହି ଦୁଇ ଉପନ୍ୟାସର ରଚନାକାଳର ଅବ୍ୟବହିତ ପରେ ରଚିତ ଲକ୍ଷ୍ମୀନାଥ ବେଜବରୁଆଙ୍କ ‘ପଦୁଜାକୁଅଁରୀ’, ଉପନ୍ୟାସ-ସମ୍ରାଟ ଭାବରେ ବିଖ୍ୟାତ ରଜନୀକାନ୍ତ ବଡ଼ଦର୍ଲେଙ୍କ ‘‘ମିରି-ଜୀୟରୀ’, ‘ରଙ୍ଗିଲୀ’, ‘ମନୋମତୀ’, ‘ରହର୍ଦେ ଲିଗିରୀ’ ଇତ୍ୟାଦି ସବୁ ଉପନ୍ୟାସ ନାୟିକା-ପ୍ରଧାନ ଏବଂ ନାରୀମାନଙ୍କୁ ତଥାକଥିତ ସତୀ-ସାଧ୍ୱୀ ବା ଦେବୀ ଭାବରେ ରୂପାୟିତ କରାହୋଇନି । ଏହି ନାରୀମାନେ ସମସ୍ତେ ସମାଜର ସାଧାରଣ ଶ୍ରେଣୀର ଲୋକର ପ୍ରତିନିଧି ଅଥଚ ସ୍ୱକୀୟ ଚାରିତ୍ରିକ ମହିମାରେ ମହିମାନିତ୍ୱ । ଏହି କ୍ଷେତ୍ରରେ ଭାନୁମତୀର ନେତୃତ୍ୱ ସାର୍ଥକ ହୋଇଛି ।

 

ପୂର୍ବବର୍ତ୍ତୀ ରୋମାନ୍‌ସଗୁଡ଼ିକର କ୍ଷୀଣ ଅନୁରଣନ ଗୋଟିଏ ‘ଭାନୁମତୀ’ ଉପନ୍ୟାସର କାହାଣୀ ଭାବରେ ମଧ୍ୟ ଉପଲବ୍‌ଧ ହୁଏ । ତାହା ହେଲା ଭାନୁର ପୁରୁଷ-ଛଦ୍ମବେଶ ଧାରଣ । ଏହାକୁ ଛାଡ଼ିଦେଲେ ଉପନ୍ୟାସଟିରେ ବାସ୍ତବତାର ଅଭାବ ଘଟିନି । ଉପନ୍ୟାସର ବର୍ଣ୍ଣନା ଅତି ସାବଳୀଳ । ଭାନୁ ଚରିତ୍ର ସହିତ ପାଠକ ସହଜରେ ଏକାତ୍ମତା ଅନୁଭବ କରନ୍ତି । ଭାନୁମତୀ ମହତ୍‌ ସୃଷ୍ଟି ନହୋଇ ପାରେ, କିନ୍ତୁ ଏହାକୁ ସାର୍ଥକ ସୃଷ୍ଟି ବୋଲି କହିବାରେ ଦ୍ୱିଧା ନାହିଁ ।

 

ଉପସଂହାର : ପଦ୍ମନାଥ ଗୋହାଁଇ ବରୁଆ ‘ଭାନୁମତୀ’ ଲେଖି ଅସମୀୟା ସାହିତ୍ୟରେ ଗୋଟିଏ ନୂଆ ଧାରା ପ୍ରବର୍ତ୍ତନ କରି ଦେଇ ଯାଇଛନ୍ତି । ସମୟ ଅନୁକ୍ରମରେ ଏହି ଧାରାଟି ଶକ୍ତିଶାଳୀ ଏବଂ ସମୃଦ୍ଧ ଧାରାରେ ପରିଗଣିତ ହୋଇ ପାରିଛି । ଏହି ପ୍ରସଙ୍ଗରେ ଗୌରବର ସହିତ ସ୍ମରଣ କରାଯାଇ ପାରେ ଯେ ଅସମୀୟା ସାହିତ୍ୟକୁ ସର୍ବଭାରତୀୟ ଜ୍ଞାନପୀଠ ପୁରସ୍କାର ମିଳିଛି ଗୋଟିଏ ଉପନ୍ୟାସ ଉପରେ ଏବଂ ଏକଥା ମଧ୍ୟ ଠିକ୍‌ ଯେ ସେଇ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଯେଉଁ ସାହିତ୍ୟ ଧାରାଟି ସୃଷ୍ଟି ହୋଇଥିଲା, ତାହା ଦିନକୁ ଦିନ ସମୃଦ୍ଧ ହୋଇଛି, ବିକଶିତ ହୋଇଛି । ଏପର୍ଯ୍ୟନ୍ତ ପ୍ରକାଶିତ ଉପନ୍ୟାସମାନଙ୍କ ଭିତରେ ଅସମୀୟା ଭାଷାରେ ଶ୍ରେଷ୍ଠ ବୋଲି ସ୍ୱୀକୃତ ବହୁ ସାହିତ୍ୟ-କୃତି ରହିଛି ।

 

ଆଜି ପ୍ରାୟ ଶହେ ବର୍ଷ ପରେ ଆମେ ‘ଭାନୁମତୀ’କୁ ଏବଂ ଏହାର ସୃଷ୍ଟିକର୍ତ୍ତା ପଦ୍ମନାଥଙ୍କୁ ନୂତନ ସାହିତ୍ୟ ଧାରାର ଦିଗ୍‌ଦର୍ଶକ ଭାବରେ ହିଁ ଦେଖୁଛୁ । ବିଶେଷ ଭାବରେ ଏଇଥିରେ ହିଁ ତାଙ୍କର ସାର୍ଥକତା ଏବଂ ଆମର ଗୌରବ ।

 

ଅଧ୍ୟାପକ, ଅସମୀୟା ବିଭାଗ

ବିଶ୍ୱଭାରତୀ,

ଶାନ୍ତିନିକେତନ-୭୩୧୨୩୫

***

 

Unknown

ପ୍ରଥମ ବଙ୍ଗଳା ଉପନ୍ୟାସ

ଡଃ ପଶୁପତି ଶାସମଲ

 

ବଙ୍ଗଳାରେ ପ୍ରଥମ ଉପନ୍ୟାସ କେଉଁଟା, ସେଥିପାଇଁ ବିତର୍କ ହୋଇଥାଏ । କେହି କେହି ମନେକରନ୍ତି ଟେକଚାନ୍ଦ ଠାକୁର ଛଦ୍ମନାମ ପ୍ୟାରୀଚାନ୍ଦ ମିତ୍ର (୧୮୧୪-୮୩)ଙ୍କ ଲେଖା ‘ଆଲାଲେର ଘରେର୍‌ ଦୁଲାଲ୍‌’ (୧୮୫୮) । ଭିନ୍ନ ମତରେ ହାନା କ୍ୟାଥୋରିନ୍‌ ମାଲେସ୍ନେଙ୍କର (୧୮୨୬-୬୧) ‘ଫୁଲମନି ଓ କରୁନାର ବିବରଣ’ (୧୮୫୨) । ମତାନ୍ତରରେ ପ୍ରମଥନାଥ ଶର୍ମା ଅର୍ଥାତ ଭବାନୀ ଚରଣ ବନ୍ଦୋପାଧ୍ୟାୟଙ୍କର (୧୭୮୭-୧୮୪୮) ‘ନବବାବୁ ବିଳାସ’ ହେଉଛି ବଙ୍ଗଳାର ପ୍ରଥମ ଉପନ୍ୟାସ । ଉପନ୍ୟାସର ଧର୍ମ ଓ ଲକ୍ଷଣାନୁସାରେ ଏଇ ତିନୋଟି ରଚନାକୁ ଶିଳ୍ପଗତ ଯୋଗ୍ୟତା ଦୃଷ୍ଟିରୁ ବିଚାର କଲେ ବିତର୍କର ଅବସାନ ଘଟିପାରେ ।

 

।।୧।।

ରଚନା ତିନୋଟି ମଧ୍ୟରେ ‘ନବବାବୁ ବିଳାସ’ ପ୍ରାଚୀନତମ । ଇଂରେଜ କମ୍ପାନୀ ଶାସନ କାଳରେ କଲିକତା ନଗରର ନିଷ୍ଠାବାନ୍ ହିନ୍ଦୁ ସମାଜର ମୁଖପାତ୍ର ଏବଂ ଧର୍ମସଭାର କାର୍ଯ୍ୟାଧ୍ୟକ୍ଷ ଥିଲେ ଭବାନୀ ଚରଣ । ତାଙ୍କ ‘ନବବାବୁ ବିଳାସ’ ରେ ବର୍ଣ୍ଣିତ ହୋଇଛି ନୂତନ ନାଗରିକ ଜୀବନର ନବଜାତକ, ବାବୁବର୍ଗଙ୍କର ଉଚ୍ଛୃଙ୍ଖଳତା ଓ ଅମିତାଚାର, ସେମାନଙ୍କର ବିଳାସ ଓ ବ୍ୟଭିଚାରର ବିଚିତ୍ର ପ୍ରସଙ୍ଗ । ପ୍ରସଙ୍ଗଗୁଡ଼ିକର ବିବରଣ ସୂତ୍ରାକାରେ କେବଳ ଉଲ୍ଲେଖ ମାତ୍ର କରାଯାଇଛି । ପ୍ରତ୍ୟକ୍ଷ ଦୃଶ୍ୟାଧୀନ ହୋଇନାହିଁ । କାର୍ଯ୍ୟ-କାରଣ ପରମ୍ପରାର ବିଶ୍ଳେଷଣ ବା ବ୍ୟାଖା ମଧ୍ୟ କରାଯାଇନି । କେନ୍ଦ୍ରୀୟ ଏବଂ ମୁଖ୍ୟ ଚରିତ୍ର ନବବାବୁ କୌଣସି ବ୍ୟକ୍ତିବିଶେଷ ନୁହନ୍ତି; ଗୋଟିଏ ଶ୍ରେଣୀର ପ୍ରତିନିଧି, ଅର୍ଥାତ୍‌ ଶ୍ରେଣୀ ଚରିତ୍ର । ନବବାବୁର ବିକାଶ ଓ ଅଶୁଭ ପରିଣାମର ବିଷୟାଗତ ଚଳଚ୍ଚିତ୍ରଟି ଏଠାରେ ବର୍ଣ୍ଣହୀନ ଏବଂ ରୈଖିକ । ଯେପରି ଏହା ଗୋଟିଏ ସ୍କେଚ୍‌, ଅସ୍ତିତ୍ୱ ଅଛି କିନ୍ତୁ ପ୍ରାଣ ନାହିଁ ।

 

ଲେଖକର ରକ୍ଷଣଶୀଳ ଚିନ୍ତା ଓ ଆକ୍ରମଣାତ୍ମକ ମନୋଭାବ ଶ୍ରେଣୀ ଚରିତ୍ରଟିକୁ କ୍ରମାଗତ ଆଘାତ କରିଚାଲିଛି । ଔପନ୍ୟାସିକର ଉଦାର ସହାନୁଭୂତି ଅଥଚ ନିରପେକ୍ଷ ଜୀବନ ଦୃଷ୍ଟି ଏଠାରେ ଏକାନ୍ତ ଋଣାତ୍ମକ । ବିଡ଼ମ୍ୱିତ ଜୀବନର ଅନ୍ଧକାର ହିଁ ଏହାର ଏକତମ ପ୍ରତିପାଦ୍ୟ । ଯେହେତୁ ରଚନାଟି ଦୂଷିତ ଓ ନିଷିଦ୍ଧ ବାତାବରଣଦ୍ୱାରା ଆଚ୍ଛନ୍ନ, ସେହି ଦୃଷ୍ଟିରୁ ଏହାର ବିଷୟବସ୍ତୁ ଏକପାଖିଆ ହୋଇଛି । ଉପନ୍ୟାସର ବିଷୟଗତ ସାମଗ୍ରିକତା ‘ନବବାବୁ ବିଳାସ’ରେ ଉପେକ୍ଷିତ । ଉପନ୍ୟାସର ଅନ୍ୟତମ ପ୍ରଧାନ ବସ୍ତୁ ହେଉଛି କାହାଣୀ । ଏହାର କାହାଣୀରେ ବୃତ୍ତାନ୍ତଧର୍ମୀ ଆଦିମ ରୂପର ଗୋଟିଏ କ୍ଷୀଣ ଆଭାସ ଅଛି ମାତ୍ର । ସଂଘାତମୟ ଆଦି-ମଧ୍ୟ-ଅନ୍ତ-ଯୁକ୍ତ ସ୍ୱୟଂ ସମ୍ପୂର୍ଣ୍ଣ ବୃତ୍ତଟି ଏଥିରେ ଅନୁପସ୍ଥିତ । କାହାଣୀର ଯେଉଁ ଟିକିଏ ଆୟତନ ରହିଛି, ତାହା ଯେପରି ଆଂଶିକ ସେହିପରି ଅସ୍ପଷ୍ଟ । ‘ନବବାବୁ ବିଳାସ’ ଏଇଥିପାଇଁ କାହାଣୀ- ପ୍ରଧାନ ଉପନ୍ୟାସ ହୋଇପାରିନି । ଉପନ୍ୟାସଟିର ମୁଖ୍ୟ ବା ଗୌଣ ପ୍ରତ୍ୟେକ ଚରିତ୍ର ବ୍ୟକ୍ତିତ୍ୱହୀନ । ମସୃଣ ଏବଂ ସମତଳ ପ୍ରକୃତିର, ଶ୍ରେଣୀ ଚରିତ୍ର ପରି ଏକମାତ୍ରିକ । ବସ୍ତୁତଃ ବ୍ୟକ୍ତି ବିଶେଷ ବା ବ୍ୟକ୍ତି ଚରିତ୍ର କିମ୍ୱା ଶ୍ରେଣୀ ଚରିତ୍ରର ଧାରାବାହିକ ବିକାଶ ଓ ବିବର୍ତ୍ତନସମ୍ମତ ପରିଣାମ ଅପେକ୍ଷା ତାର ଅପରିବର୍ତ୍ତନୀୟ ରୂପ ରଚନାଟିକୁ ଚରିତ୍ର ପ୍ରଧାନ ଉପନ୍ୟାସ ହେବାର ଯୋଗ୍ୟତାରୁ ବଞ୍ଚିତ କରିଛି । ଯେଉଁ ସମାଜ ପରିବେଶର ରୂପ ‘ନବବାବୁ ବିଳାସ’ରେ ଚିତ୍ରିତ ହୋଇଛି ତାହା ମଧ୍ୟ ସମସ୍ତଙ୍କର ନୁହେଁ । ଏହା ହେଉଛି ନିତାନ୍ତ କ୍ଷୁଦ୍ର ଓ ସଂକୀର୍ଣ୍ଣ ଆୟତନରେ ସୀମାବଦ୍ଧ କ୍ଷେତ୍ର । ଘଟଣା କ୍ରିୟାଧୀନ ନହୋଇ, ଚରିତ୍ର ପରି କେବଳ ଉଲ୍ଲେଖନୀୟ ବା ବିବରଣ-ସର୍ବସ୍ୱ । ଫଳରେ ରଚନାଟିରେ ସମାଜ ବାସ୍ତବତା ସମଗ୍ର ଜୀବନ ସତ୍ୟକୁ ଧାରଣ ବା ବ୍ୟାଖ୍ୟା କରି ପାରିନି । ସେଇଥିପାଇଁ ‘ନବବାବୁ ବିଳାସ’କୁ ଉପନ୍ୟାସ ଆଖ୍ୟା ଦେଇହେବନି । କିନ୍ତୁ ଏହାର ବିଷୟ ଘଟଣା, ପରିବେଶ ଥିଲା ଉପନ୍ୟାସ ଉପଯୋଗୀ । ଯଦିଓ ଲେଖାଟି ଉପନ୍ୟାସ ଲକ୍ଷଣଯୁକ୍ତ ତଥାପି ଲକ୍ଷଣଗୁଡ଼ିକ ସ୍ପଷ୍ଟ ନୁହନ୍ତି, ଆଭାସ ମୂଳକ । ଅନ୍ୟ ପକ୍ଷରେ କୁହାଯାଇପାରେ, ଏହାର ଗଠନଶୈଳୀ ପରବର୍ତ୍ତୀକାଳର ସାର୍ଥକ ବଙ୍ଗଳା ଉପନ୍ୟାସର ପ୍ରାଥମିକ ପ୍ରସ୍ତୁତି । ତାହାର ପୂର୍ବାଭାସ ବା ଅତିବେଶି ହେଲେ ଅପରିଚିତ ନକ୍‌ସା ଧରଣର ।

 

।।୨।।

‘ନବବାବୁ ବିଳାସ’ ତୁଳନାରେ ଏହାର ପ୍ରାୟ ପଚିଶି ବର୍ଷ ପରେ ପ୍ରକାଶିତ ହାନା କ୍ୟାଥୋରିନ୍‌ ମାଲେସ୍ନେଙ୍କର ‘ଫୁଲମନି ଓ କରୁନାର ବିବରଣ’ରେ ଉପନ୍ୟାସ ଯୋଗ୍ୟତା କିଛି ବେଶି ପରିମାଣରେ ଅଛି । ଗୋଟିଏ ଛୋଟ କାହାଣୀ ଏହା ଭିତରେ ଅଛି, ଯାହା ମନଗଢ଼ା କାଳ୍ପନିକ, ଅଥଚ ତଥ୍ୟଭିତ୍ତିକ । ଲେଖିକା ହାନାଙ୍କର ଭାଷାରେ (The little story, fictitious on the whole, but founded upon facts.) ଏହା ମଧ୍ୟରେ ଅଛି ବାସ୍ତବ ଚରିତ୍ର, ବାସ୍ତବ ସମାଜ ଓ ଜୀବନର ପରିବେଶ । କାହାଣୀ, ଚରିତ୍ର ଓ ପରିବେଶର ବିଶେଷତ୍ୱରୁ ମନେହୁଏ, ରଚନାଟି ତଥାକଥିତ ସାମାଜିକ ବାସ୍ତବତାର ଉପନ୍ୟାସ । ‘ଫୁଲମନି ଓ କରୁଣାର ବିବରନ’ର ଆବିଷ୍କର୍ତ୍ତା ଚିତ୍ତରଞ୍ଜନ ବନ୍ଦୋପାଧ୍ୟାୟ, ବଙ୍ଗସାହିତ୍ୟରେ ଉପନ୍ୟାସର ଧାରା ନିର୍ଣ୍ଣୟାକ ଶ୍ରୀ କୁମାର ବନ୍ଦୋପାଧ୍ୟାୟ ପ୍ରମୁଖ ବିଶିଷ୍ଟ ସମାଲୋଚକ ଏହି ପ୍ରକାରର ଧାରଣା ପୋଷଣ କରନ୍ତି । କିନ୍ତୁ ପ୍ରସଙ୍ଗଟିର ପୁନର୍ବିଚାରର ଆବଶ୍ୟକତା ଅଛି ।

 

‘ଆଖ୍ୟାପତ୍ର’ରେ ରଚନାଟିର ପରିଚୟ ଦିଆହୋଇଛି ଏହିପରି- ‘‘The History of Fhulmani and Karuna, a book for native christian women. ଫୁଲମନି ଓ କରୁନାର ବିବରନ, ସ୍ତ୍ରୀ ଲୋକଦେର୍‌ ଶିକ୍ଷାର୍ଥେ ବିରଚିତ ।’’ ଗ୍ରନ୍ଥର ପ୍ରକୃତି ଓ ଉଦ୍ଦେଶ୍ୟ ବ୍ୟାଖ୍ୟା କରି ଲେଖିକା ହାନା ‘କାଲ୍‌କାଟା ଖ୍ରୀଷ୍ଟିୟାନ ଟ୍ରାକ୍ଟ ଆଣ୍ଡ ବୁକ୍‌ ସୋସାଇଟିର ସେକ୍ରେଟେରୀଙ୍କୁ ଯାହା ଲେଖିଥିଲେ, ତାହାର ଭୂମିକାରୁ କିଛି ଅଂଶ ଏଠାରେ ଉଦ୍ଧୃତ କରାଗଲା । ସେଥିରୁ ବୁଝାଯାଏ, ହାନା ଜଣେଇଥିଲେ : ‘‘It is a book specially intended for native christian women. I have endeavoured to show in it the practical influence of Christianity on the various details of domestic life, such as- the forming of marriage connections, behaviour to husbands, moral training of children, and the duty of women, especially to the poor, to the sick and to the healthy. ଏହା ବ୍ୟତୀତ ବାଇବେଲ ପାଠ ଓ ଉପାସନାରେ ଯୋଗଦାନ ଏବଂ ସ୍ତ୍ରୀ ଶିକ୍ଷାର ଉପଯୋଗିତା, ଋଣଗ୍ରସ୍ତ ହେବା, କୁସଂସ୍କାର ମାନି ଚଳିବାର କୁଫଳାଫଳ ପ୍ରଭୃତିର ଚିତ୍ରଣ ସଙ୍ଗେ ସଙ୍ଗେ ବିବାହ, ଗ୍ରାର୍ହସ୍ଥ୍ୟ-ଅର୍ଥନୀତି, ପରିଚ୍ଛନ୍ନତା ଇତ୍ୟାଦି ବିଷୟ ସମ୍ପର୍କରେ ମଧ୍ୟ ଏହି ଗ୍ରନ୍ଥରେ ଅଳ୍ପେ ବହୁତେ ଆଲୋଚନା କରାହୋଇଛି ।

 

ଏହି ସମସ୍ତ କଥା- ‘‘are worked into the little story, fictitious on the whole, but founded upon facts, for many of the incidents related in it have come under my own notice and others’ I have heard from Missionaries wives in the country. Through out the whole book true heart-religion has been shown to be the basis of every good work, and the simple gospel plan of salvation has ben repeatedly explained and referred to’’ ଭୂମିକାରୁ ଆହୁରି ମଧ୍ୟ ଜଣାଯାଏ, ଦେଶୀୟ ଖ୍ରୀଷ୍ଟିୟାନମାନଙ୍କର ନାମକରଣ ଓ ତା’ର ନିୟମ ଗ୍ରନ୍ଥ ଶେଷରେ ପରିବେଷିତ ହୋଇଛି । ସେହି ଅନୁସାରେ ରହିଛି, ବାଳକ ବାଳିକାମାନଙ୍କର ସମ୍ଭାବ୍ୟ ନାମ ନିର୍ଦ୍ଧାରଣ ଏବଂ ପ୍ରସ୍ତାବିତ ମିତ୍ରାକ୍ଷରାନ୍ତ ନାମର ତାଲିକା ।

 

ଆଖ୍ୟାପତ୍ର ଏବଂ ଭୂମିକାରେ ପରିବେଷିତ ଏଇ ସମସ୍ତ ଉଲ୍ଲେଖନରୁ ଜଣାପଡ଼େ, ଗ୍ରନ୍ଥଟି History ବା ବିବରଣ ଗୋତ୍ରୀୟ । ‘ଫୁଲମନି ଓ କରୁନାର ବିବରଣ’ ଲେଖା ହୋଇଥିଲା, ‘ସ୍ତ୍ରୀ ଲୋକମାନଙ୍କର ଶିକ୍ଷାର୍ଥେ’ । ଯେଉଁମାନେ ହେଉଛନ୍ତି ‘Native Christian women’ । ଗ୍ରନ୍ଥରେ ବିଭିନ୍ନ ବିଷୟ ରହିଲେ ମଧ୍ୟ ତା ମଧ୍ୟରେ ଦେଶୀୟ ଖ୍ରୀଷ୍ଟୀୟାନ ମହିଳାମାନଙ୍କ ଜୀବନର କଥା ମୁଖ୍ୟ । ବିଶେଷତଃ ସେମାନଙ୍କର ଗ୍ରାର୍ହସ୍ଥ୍ୟ ଜୀବନର ବିଭିନ୍ନ କ୍ଷେତ୍ରରେ ଖ୍ରୀଷ୍ଟଧର୍ମର ବ୍ୟାବହାରିକ ପ୍ରଭାବ ଫଳରେ ଯେଉଁ ସବୁ ଉପକାର ହୁଏ ଏବଂ ଏହାର ଅଭାବରେ ଯେଉଁ ଅପକାର ହୁଏ, ଏଥିରେ ସେ ସବୁ ପ୍ରସଙ୍ଗ ଅନ୍ତର୍ଭୁକ୍ତ । ଗ୍ରନ୍ଥର ଉପସଂହାରରେ ପାଠକବର୍ଗଙ୍କ ପ୍ରତି ଲେଖିକାଙ୍କର ଉପଦେଶ ଏହିପରି ଅଛି : ‘‘ଯେ କୋନ ବ୍ୟକ୍ତିର ମନ ଖ୍ରୀଷ୍ଟେର ପ୍ରତି ନିତାନ୍ତ ଆସକ୍ତ ଆଛେ, ସେ ଅବଶ୍ୟ ତାହାର ସତ୍‌ ସଦ୍‌ବ୍ୟବହାର କରିତେ ପାରିବେ । ଏଇ ହେତୁ ଆମି ତୋମାଦିଗକେ ବିନୟ କରିୟା ବଲି, ଫୁଲମନି ଯେମନ ଖ୍ରୀଷ୍ଟେର ଅନୁକାରୀ ଛିଲ, ତେମନି ତୋମରାଓ ତାହାର ଅନୁକାରୀ ହଓ । .....କରୁନା ଯେମନ ଶେଷେ କରିଲ, ତେମନି ତୋମରାଓ ଯୀଶୁଖ୍ରୀଷ୍ଟେର ଚରନ୍‌ ଧରିୟାଁ ତାଂହାର ସତ୍ୟଶିଷ୍ୟ ହଓ ।’’ ପ୍ରାଚୀନ କାଳରେ ଯେପରି ‘ପ୍ୟାରେବଲ-ଫିବଲ’ କଥା-ସାହିତ୍ୟର ଘଟଣା ବର୍ଣ୍ଣନା ପରେ ନୀତିବାକ୍ୟ କୁହାଯାଏ, ଏଠାରେ ମଧ୍ୟ ସେହିପରି କରାହୋଇଛି । ଫୁଲମନି, ସୁନ୍ଦରୀ, ପ୍ୟାରୀ ପ୍ରଭୃତି ଦେଶୀୟା ଖ୍ରୀଷ୍ଟାନ ମହିଳା ଖ୍ରୀଷ୍ଟଧର୍ମର ଅନୁଶାସନ ଅନୁସାରେ ସାର୍ଥକତା ଲାଭ କରନ୍ତି, ଅନ୍ୟପକ୍ଷରେ କରୁଣା, ରାଣୀ ପ୍ରଭୃତି ରମଣୀ ବିପରୀତ ଆଚରଣ କରି କିପରି କୁତ୍ସିତ ଜୀବନ ଯାପନ କରନ୍ତି ଏବଂ ଅବଶେଷରେ ସେମାନେ ଖ୍ରୀଷ୍ଟୀୟ ଅନୁଶାସନ ମାନିବାଦ୍ୱାରା ସେମାନଙ୍କ ଜୀବନ କିପରି ସାର୍ଥକ ହୋଇଉଠିଛି, ସେଇ ସମସ୍ତ ଘଟଣାର ବିବରଣ ଏଥିରେ ପ୍ରଦତ୍ତ । ପ୍ରେମଚାନ୍ଦ, ମଧୁ, ବଂଶୀ ପ୍ରଭୃତି ପୁରୁଷ ଚରିତ୍ରର ଜୀବନ କର୍ମ ଓ ତା’ର ପରିଣାମ ସେଇ ଗୋଟିଏ ସୂତ୍ର ଅନୁସାରେ ପରିକଳ୍ପିତ । ‘ଫୁଲମନି ଓ କରୁନାର ବିବରଣ’ର ବିଷୟ ନିର୍ବାଚନ ଓ ତାର ପ୍ରୟୋଗ ବିଧି ସମୀକ୍ଷାରୁ ସ୍ପଷ୍ଟ ହୁଏ, ଖ୍ରୀଷ୍ଟଧର୍ମର ନିରଙ୍କୁଶ ଉତ୍କର୍ଷ ପ୍ରତିଷ୍ଠା ପାଇଁ ଏହି ଗ୍ରନ୍ଥରେ ବ୍ୟାପକ ଆୟୋଜନ କରାଯାଇଥିଲା । ଏହାର ମହିଳା-ପୁରୁଷ ଚରିତ୍ର ସମୂହର କାର୍ଯ୍ୟକଳାପ ଏବଂ ଯାବତୀୟ ଘଟଣାବଳୀ ତଥା ବିବରଣ ହୋଇଥିଲା ସେଇ ଗୋଟିଏ ଅଭିପ୍ରାୟ ଓ ଉଦ୍ଦେଶ୍ୟଦ୍ୱାରା ଏକାନ୍ତ ଭାବେ ନିୟନ୍ତ୍ରିତ ।

 

ଲେଖିକା ହାନା ଜୀବନ ଓ ମନନ କାର୍ଯ୍ୟରେ ଅତ୍ୟନ୍ତ ସକ୍ରିୟ ଥିଲେ । ସେ ଥିଲେ ଖ୍ରୀଷ୍ଟିୟାନ ମିସନାରୀ ପିତାର କନ୍ୟା, ମିସନାରୀ ସ୍ୱାମୀର ବଧୂ, ମିସନ କର୍ମୀ ସମାଜସେବୀ ଏବଂ ମିସନ ସ୍କୁଲର ଶିକ୍ଷିକା । ଏହି କାରଣରୁ ଖ୍ରୀଷ୍ଟଧର୍ମ ପ୍ରତି ତାଙ୍କର ଏକାନ୍ତ ଆନୁଗତ୍ୟ ଥିଲା । ଖ୍ରୀଷ୍ଟଧର୍ମର ଶ୍ରେଷ୍ଠତ୍ୱ ପ୍ରତିପାଦନରେ ଥିଲା ନିଃସନ୍ଦେହ ଧାରଣା । ସେହି ଧାରଣାର ବଶବର୍ତ୍ତୀ ହେବା ଫଳରେ ସ୍ୱାଭାବିକ ଭାବରେ ମିସନାରୀସୁଲଭ ଧର୍ମ ପ୍ରଚାରର ଉଦଗ୍ର ବାସନା, ଆଞ୍ଚଳିକ ଉଦ୍ଦେଶ୍ୟମୂଳକତା ତାଙ୍କର ରହିଥିଲା । ସେହି କାରଣରୁ ଖ୍ରୀଷ୍ଟୀୟ ନୀତି ପ୍ରତିଷ୍ଠାର ଐକାନ୍ତିକ ଇଚ୍ଛା ଅତି ମାତ୍ରାରେ ପ୍ରକାଶ ପାଇଥିଲା ଏଇ ଗ୍ରନ୍ଥରେ । ପ୍ରସଙ୍ଗକ୍ରମେ କହିଲେ, ଉଦ୍ଦେଶ୍ୟମୂଳକତା ଦୃଷ୍ଟିରୁ ଭବାନୀ ଚରଣଙ୍କର ‘ନବବାବୁ ବିଳାସ’ ଏବଂ ହାନାଙ୍କର ‘ଫୁଲମନି ଓ କରୁଣାର ବିବରଣ’ ସମଧର୍ମୀ । ସବୁ ପ୍ରକାରର ଅତି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ଊର୍ଦ୍ଧ୍ୱକୁ ଉଠି ଜୀବନକୁ ଦେଖିବା ଓ ଦେଖେଇବାର ପ୍ରୟାସ ଦୁଇଟିଯାକ କ୍ଷେତ୍ରରେ ବାରମ୍ୱାର ବିଡ଼ମ୍ୱିତ ହୋଇଛି । ସାହିତ୍ୟ ବା ନୀତିଶାସ୍ତ୍ର କିମ୍ୱା ପ୍ରଚାର ପୁସ୍ତକର ଲକ୍ଷ୍ୟ ଅନେକ ସମୟରେ ଏକା ହୋଇପାରେ । କିନ୍ତୁ ଏହାର ନିର୍ମାଣକର୍ତ୍ତାର ଅଭିପ୍ରାୟ ଏବଂ ଗଠନଶୈଳୀ ଭିନ୍ନ ଭିନ୍ନ ପ୍ରକୃତିର । ହାନାର ଅଭିପ୍ରାୟ ଅନ୍ୟ କିଛି ହୋଇପାରେ, କିନ୍ତୁ ଉପନ୍ୟାସ ସୃଷ୍ଟି ନୁହେଁ । ତାହାର ‘ଫୁଲମନି ଓ କରୁନାର ବିବରଣ’ ଟଲଷ୍ଟୟଙ୍କ ମନ୍ତବ୍ୟ ଅନୁସାରେ ଉପନ୍ୟାସ ଯୋଗ୍ୟତାରୁ ବଞ୍ଚିତ ।

 

ଗ୍ରନ୍ଥଟିର ଉପନ୍ୟାସ ଯୋଗ୍ୟତା ସଂପର୍କରେ ଆସ୍ଥା ପୋଷଣ କରି, କେହି କେହି ସମାଲୋଚକ ଶେଷ ପର୍ଯ୍ୟନ୍ତ ସ୍ୱୀକାର କରନ୍ତି- ‘ଏହି ଭିତରେ ବିଭିନ୍ନ ଚରିତ୍ର ଓ ଘଟଣାର ସମାବେଶ ପୀନବଦ୍ଧ ନୁହେଁ । ଅନ୍ୟ କେତେକଙ୍କ ମତରେ- ‘ଖ୍ରୀଷ୍ଟଧର୍ମର ମହୌଷଧିରେ ସମସ୍ତ ଭବ-ରୋଗ ଆରୋଗ୍ୟ ହୁଏ । ସବୁ ସାମାଜିକ ଦୁର୍ନୀତି ଅତ୍ୟାଚାର ଓ ପାରିବାରିକ ମନୋମାଳିନ୍ୟ ଦୂରୀଭୂତ ହୁଏ । ଏହି ଧର୍ମୀୟ ବିଶ୍ୱାସରେ ଅଭିଭୂତ ହୋଇ ହାନା ରଚନା କରିଛନ୍ତି ତାଙ୍କ ‘ଫୁଲମନି ଓ କରୁନାର ବିବରନ’ । ଧର୍ମାନ୍ଧତାର ବଶବର୍ତ୍ତୀ ହୋଇ ଜୀବନର ସତ୍ୟ ରୂପକୁ ନ ଦେଖି ଝାପ୍‌ସା ଏବଂ ଅସ୍ୱାଭାବିକ ରୂପକୁ ହିଁ ସେ ଦେଖିଥିଲେ । ଫଳରେ ହାନାର ଅଙ୍କିତ ଜୀବନ ଚିତ୍ର ସାଂପ୍ରଦାୟିକ ଧର୍ମବୋଧର ସଂକୀର୍ଣ୍ଣ ଗଣ୍ଡି ଭିତରେ ଆବଦ୍ଧ ହୋଇ ରହି ଯାଇଛି । ବସ୍ତୁତଃ ଅଳ୍ପ କେତୋଟି ଦରିଦ୍ର ଅନଭିଜାତ ଦେଶୀୟ ଖ୍ରୀଷ୍ଟାନ ପରିବାରର ଆତ୍ମକୈନ୍ଦ୍ରିକ ଜୀବନଯାତ୍ରାକୁ ନେଇ ସେ ବ୍ୟାପୃତ । ତାର ପ୍ରତିବେଶୀ, ନିମ୍ନବର୍ଗର ହିନ୍ଦୁ ଓ ମୁସଲମାନ ସମାଜ ହାନାର ମନ ବୃତ୍ତିକୁ ଟିକିଏ ମାତ୍ର ଆକର୍ଷଣ କରିପାରିନି । ଏହି ଉଦ୍ଦେଶ୍ୟମୂଳକ ଦୃଷ୍ଟି, ଏକ ପାଖିଆ କରି ଦେଖିବାର ଭଙ୍ଗୀ ରଚନାଟିକୁ ପକ୍ଷପାତ ସର୍ବସ୍ୱ କରି ଗଢ଼ି ତୋଳିଛି । ଚରିତ୍ର ଗଠନରେ ସେଇ ଏକା ପ୍ରକାରର ପକ୍ଷପାତିତା ଦେଖାଯାଏ । ଫୁଲମନି ଓ ତା’ର ପରିବାରର ସଦସ୍ୟବୃନ୍ଦ ବାଇବେଲୀୟ ଧର୍ମନିର୍ଦ୍ଦେଶର ଆଦର୍ଶ ସଂସ୍କରଣ । ସେମାନଙ୍କ ଜୀବନର ସମସ୍ୟା ଚରମ ପରିଣତି ଲାଭ କରିଛି ଧର୍ମଗ୍ରନ୍ଥର ପୃଷ୍ଠାମଧ୍ୟରେ । ସ୍ୱତଃସିଦ୍ଧତା ଏ କ୍ଷେତ୍ରରେ ଲେଖିକାର ଏକମାତ୍ର କୌଶଳ । ଅନ୍ୟତ୍ର କରୁଣା ବା ତାର ସ୍ୱାମୀ ସେମାନଙ୍କ ଦୁଇ ପୁତ୍ର, ଯେଉଁମାନେ କେବଳ ଦରିଦ୍ର ଦେଶୀୟ ଖ୍ରୀଷ୍ଟାନ ନୁହନ୍ତି ବରଂ ବିପଥଗାମୀ, ଦୁଶ୍ଚରିତ୍ର, ଦାୟିତ୍ୱହୀନ, ଚୋର, ମାତାଲ, ପ୍ରତାରକ । କିନ୍ତୁ ଖ୍ରୀଷ୍ଟଧର୍ମର ବ୍ୟବହାରିକ ପ୍ରଭାବରେ ଏବଂ ବାଇବେଲ ଗ୍ରନ୍ଥ ବଳରେ ଏମାନେ ଆକସ୍ମିକ ଭାବେ ଶୁଦ୍ଧପୂତ ଚରିତ୍ରରେ ରୂପାନ୍ତରିତ ହୋଇଯାଇଛନ୍ତି । ତେଣୁ ଫୁଲମନି ଓ କରୁଣାର ଏ ପ୍ରକାର କାହାଣୀ ବିନ୍ୟାସ ଓ ଚରିତ୍ରଗଠନ ସ୍ୱତଃସିଦ୍ଧ ଧର୍ମୀୟ ଗଠନକୌଶଳ ପ୍ରାଚୀନ କାଳର ଆଖ୍ୟାନ ତଥା ନୀତିକଥାର ଆଙ୍ଗିକ ଶୈଳୀକୁ ମନେ ପକାଇ ଦିଏ । ଏହା ସହିତ ଆଧୁନିକ ଉପନ୍ୟାସର ଗଠନକୌଶଳଗତ ସଂପର୍କ ଅତ୍ୟନ୍ତ କ୍ଷୀଣ ।

 

ଏଠାରେ ଲକ୍ଷଣୀୟ, ଗ୍ରନ୍ଥର ଆଖ୍ୟାପତ୍ରରେ ନିର୍ଦ୍ଦେଶ ଅନୁଯାୟୀ History ଏବଂ ବିବରଣ ସମାର୍ଥକ । ରଚନାଟି ମଧ୍ୟ ସେଇ ଶ୍ରେଣୀର । ବସ୍ତୁତଃ ‘ନବବାବୁ ବିଳାସ’ରେ ଯେଉଁ ବୃତ୍ତାନ୍ତ ବା ଆଖ୍ୟାନ ଧର୍ମଟି ପ୍ରାଧାନ୍ୟ ପାଇଥିଲା, ‘ଫୁଲମନି ଓ କରୁଣାର ବିବରଣ’ କେତେକାଂଶରେ ସମଦୃଷ୍ଟ । ଏହାର ବର୍ଣ୍ଣନାରେ ଦୃଶ୍ୟ ପରେ ଦୃଶ୍ୟ ଯାହା ଦୈନଦିନ ‘‘ରୋଜନାମଚା’’ ବର୍ଣ୍ଣନା ପରି ବର୍ଣ୍ଣିତ ହୋଇଛି । ଗୋଟାଏ ପରେ ଗୋଟାଏ ଘଟଣା ଏଥିରେ ବର୍ଣ୍ଣିତ ହୋଇଛି, ବ୍ୟାଖ୍ୟା ହୋଇ ନାହିଁ । ଘଟଣାକୁ ବିଶ୍ଳେଷଣ କରି କାର୍ଯ୍ୟ-କାରଣ ପରଂପରାରେ ଯୁକ୍ତ କରାଯାଇ ନାହିଁ । ବିବର୍ତ୍ତନ ସମ୍ମତ ବିକାଶ ପ୍ରବଣ ବା କ୍ରିୟାଧୀନ କରାଯାଇନାହିଁ । କେବଳ ଉଲ୍ଲେଖ କରିବା ପ୍ରକ୍ରିୟାରେ ଉପସ୍ଥାପନ କରାଯାଇଛି । ଏହାହିଁ ହେଉଛି ଏହାର କାହାଣୀ ବା ଘଟଣା । କାହାଣୀ ଅନ୍ତର୍ଗତ ବ୍ୟକ୍ତି ବା ଗୋଷ୍ଠୀ ଚରିତ୍ର-ପ୍ରତ୍ୟକ୍ଷ ଓ ଦୃଶ୍ୟମୂଳକ ପରିସ୍ଥିତିରୁ ଉତ୍ପନ୍ନ ହୋଇ ନାହାନ୍ତି । ଫଳରେ ଫୁଲମନି ଓ କରୁଣାର ତଥାକଥିତ ବିବରଣ ଏକାନ୍ତଭାବେ ବୃତ୍ତାନ୍ତ ବା ଉପାଖ୍ୟାନ ଗଠନ କୌଶଳ ଦ୍ୱାରା ନିୟନ୍ତ୍ରିତ ହୋଇ ରହିଛି । ଏହି କାରଣରୁ ‘ଫୁଲମନି ଓ କରୁଣାର ବିବରଣ’ ଗଦ୍ୟନିର୍ଭର କଥା-ସାହିତ୍ୟର ଆଦିମ ଧାରା ଯାହା ଟେଲ୍‌-ଉପାଖ୍ୟାନ-ହିଷ୍ଟ୍ରି-ବୃତ୍ତାନ୍ତ-ବିବରଣର ଖୋଳପା ଭିତରୁ ଆଧୁନିକ ନବଜାତକ ଉପନ୍ୟାସ ଗରୁଡ଼ ରୂପରେ ବାହାରି ଆସିପାରିନି ।

 

ରଚନାଟି ଉପନ୍ୟାସ ତ ନୁହେଁ । ସର୍ବତୋଭାବେ କାହାଣୀ ପ୍ରଧାନ ବା ଚରିତ୍ର ପ୍ରଧାନ ଉପାଖ୍ୟାନ ମଧ୍ୟ ନୁହେଁ । ଏଠାରେ ପ୍ରଶ୍ନ ଉଠେ-ତାହେଲେ କଣ ପରିବେଶ ପ୍ରଧାନ ? କେତେକାଂଶରେ ସେହି ପ୍ରକାରର କହିଲେ ଚଳିବ । ‘ଫୁଲମନି ଓ କରୁଣାର ବିବରଣ’ରେ ଦେଶ କାଳ ନିର୍ଭର ପାତ୍ର-ପାତ୍ରୀର କ୍ରିୟା ଏବଂ ସେମାନଙ୍କର ପାରଂପରିକ ସଂପର୍କଗତ ଜୀବନର ପରିବେଶ ହେଉଛି, ସେ କାଳର ଗ୍ରାମ୍ୟ-ବଙ୍ଗଳାର ଦରିଦ୍ର ପଲ୍ଲି, ଯାହାର ଅଧିବାସୀମାନେ ନିତାନ୍ତ ନିମ୍ନବର୍ଗୀୟ । ସେମାନେ ଜାତି-ଧର୍ମ-ସଂପ୍ରଦାୟ ସାଧରଣ ଜନଗଣ ନୁହଁନ୍ତି । ଯେଉଁମାନେ କେବଳ ଖ୍ରୀଷ୍ଟାନ୍‌, ସେମାନଙ୍କ ମଧ୍ୟରେ ବେଶୀ ଭାଗ ହିଁ ମହିଳା । ଏହା ବ୍ୟତୀତ ବିଭିନ୍ନ ବିବରଣୀରୁ ଜଣାଯାଏ, ଦେଶୀୟ ଓ ଗ୍ରାମୀଣ ନିମ୍ନବର୍ଗର ଖ୍ରୀଷ୍ଟାନ୍‌ ପରିବାରରୁ ବିଦେଶାଗତ ସହରୀ ଅଭିଜାତ ଖ୍ରୀଷ୍ଟାନମାନଙ୍କ ପାଇଁ ଚୌକିଦାର-ହରକରା-ଆୟା-ରାନ୍ଧୁଣୀ-ଖାନସମା ପରି ଶ୍ରମିକ ସଂଗ୍ରହ ହୁଏ । ଅନ୍ୟପକ୍ଷରେ ସେମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରି ଉନ୍ନତଭାବେ ଗଢ଼ାଯାଏ ଖ୍ରୀଷ୍ଟଧର୍ମର ବ୍ୟାବହାରିକ ପ୍ରଭାବ ବଳରେ । ସେମାନଙ୍କୁ ନୂତନ ପରିଚୟ ପତ୍ର ଦିଆଯାଏ । ସ୍ୱଭାବତଃ ଏହି ଦେଶୀୟ ଗ୍ରାମୀଣ ଖ୍ରୀଷ୍ଟାନମାନଙ୍କର ଜୀବନ ପରିବେଶ ସୀମିତ ପରିସର ଅନ୍ତର୍ଭୁକ୍ତ ଓ ସୀମାବଦ୍ଧ ପ୍ରକୃତିର । ବଙ୍ଗଳାର ବିଶାଳ ଓ ବୈଚିତ୍ର୍ୟମୟ ଗ୍ରାମ୍ୟଜୀବନର ଜଣେ ଗ୍ରାମବାସୀ ବିଭିନ୍ନ ଜନଗୋଷ୍ଠୀ ତଥା ସାଧାରଣ ଜନଗଣର Panoramic ଆୟତନ । ତାହାର ଅବସ୍ଥାନ-ଅସ୍ତିତ୍ୱର ସାମଗ୍ରିକ ରୂପ ଓ ତାତ୍‌ପର୍ଯ୍ୟରୁ ‘ଫୁଳମନି ଓ କରୁନାର ବିବରନ’ର ପାତ୍ର-ପାତ୍ରୀମାନଙ୍କ ଜୀବନ ଓ ପରିବେଶ ବିଚ୍ଛିନ୍ନ । ଏହି ଦୃଷ୍ଟିରୁ ଏମାନେ ଆଂଶିକ ବା ଖଣ୍ଡିତ ଅସ୍ୱାଭାବିକ ବା କୃତ୍ରିମ ଦେଖାଯାଆନ୍ତି । ଏଠାରେ କେତେକ ପ୍ରଶ୍ନ ଉଠେ, ଜୀବନର ମୂଳସ୍ରୋତରୁ ସେମାନେ ବିଚ୍ଛିନ୍ନ ହେଲେ କାହିଁକି ? ସେଇ ସ୍ରୋତକୁ ପୁଣି ଥରେ ଫେରିଯିବାକୁ ସେମାନଙ୍କର ଆଗ୍ରହ ଅଛି କି ନାହିଁ ? ସେମାନେ ଯେଉଁ ନୂଆ ଜୀବନ ବା ପରିଚୟ ପାଇଛନ୍ତି, ତାହା ସେମାନଙ୍କର ଅସ୍ତିତ୍ୱ ରକ୍ଷା ଓ ପ୍ରସାର ପକ୍ଷେ ନିର୍ଭରଯୋଗ୍ୟ ହେବ କି ନାହିଁ ? ଯଦି ନହୁଏ ତେବେ କିପରି ସେମାନେ ସେମାନଙ୍କର ଈପ୍‌ସିତ ଲକ୍ଷ୍ୟରେ ଉପନୀତ ହୋଇପାରିବେ ? ଏଇ ସମସ୍ତ ମୌଳିକ ଓ ଜରୁରୀ ପ୍ରଶ୍ନ ହାନାଙ୍କର ଗ୍ରନ୍ଥରେ ଉତ୍‌ଥାପିତ ହୋଇନାହିଁ । ଫୁଲମନି, କରୁଣା, ପ୍ୟାରୀ, ସୁନ୍ଦରୀ, ରାଣୀ ପ୍ରଭୃତି ରମଣୀ, ପ୍ରେମଚାନ୍ଦ, ମଧୁ, ସାଧୁ, ବଂଶୀ, ନବୀନ ପ୍ରଭୃତି ପୁରୁଷ ଚରିତ୍ରମାନେ ଆଂଶିକ ଓ କୃତ୍ରିମ । କାରଣ ସମଗ୍ର ଓ ସ୍ୱାଭାବିକ ଜୀବନ ପରିବେଶରୁ ସେମାନେ ବିଚ୍ଛିନ୍ନ । ନୂତନ ଜୀବନର ଅମର୍ଯ୍ୟାଦାରେ ଏମାନେ ପ୍ରତିଷ୍ଠିତ କିମ୍ୱା ଅଭ୍ୟସ୍ତ ପରିବେଶରୁ ଜୋର୍‍କରି ଟାଣିଆଣି ଏମାନଙ୍କୁ ଅନ୍ୟ ଏକ ନୂତନ ଜାଗାରେ ଆରୋପିତ କରିବା ଫଳରେ ହୋଇଯାଇଛନ୍ତି ମ୍ଳାନ । ଏମାନେ ସଜୀବ ମଣିଷ ନୁହନ୍ତି । କଣ୍ଡେଇ ପରି ନିର୍ବିକାର ଏବଂ ପ୍ରାଣହୀନ ଜଡ଼ । ଗୋଟିଏ ମୃତକଳ୍ପ ମଣିଷର ଶରୀରବିଶେଷ । ପ୍ରକୃତ ପକ୍ଷେ ହାନା ନୂତନ ଜୀବନର ଉଦ୍ଭବ ଓ କ୍ରମବିକଶିତ ପରିଣାମର ସମସ୍ୟା ସଂପର୍କରେ ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି । ଉଦ୍ଦେଶ୍ୟମୂଳକ ପ୍ରକ୍ରିୟାରେ ବା ଯାନ୍ତ୍ରିକ ପଦ୍ଧତିରେ ଉତ୍ପନ୍ନ ଧାଡ଼ି ଧାଡ଼ି ଫଶିଲ ଦେଇ ସେ ସଜାଇଛନ୍ତି ତାଙ୍କ ‘ଫୁଲମନି ଓ କରୁନାର ବିବରନ’ ମ୍ୟୁଜିୟମ । ଏଠାରେ ଉପନ୍ୟାସର ଜୀବନର ସାମଗ୍ରିକତା, ଜୀବନର ପ୍ରାଣସ୍ପନ୍ଦନ ପ୍ରତ୍ୟାଶାର ଅତୀତ ।

 

‘ଫୁଲମନି ଓ କରୁନାର ବିବରନ’ର ପରିବେଶ ମୃତ । ଚରିତ୍ରମାନେ ମୃତକଳ୍ପ । ଆଉ କାହାଣୀ ସଂପର୍କରେ ହାନା ନିଜେ କହିଛନ୍ତି, ଏହା ମଧ୍ୟରେ ଅଛି ‘little story fictitious on the whole, but founded upon facts.’ ଅର୍ଥାତ୍- ଏହାର ତଥାକଥିତ କାହାଣୀ ବା ଗଳ୍ପଟି ଛୋଟ । ସବୁଗୁଡ଼ାକ ହେଉଛି କାଳ୍ପନିକ ଅଥଚ ତଥ୍ୟଭିତ୍ତିକ-କିନ୍ତୁ ଏହାର facts ବା ତଥ୍ୟର ଉତ୍ସ କେଉଁଠି ? ଏହାର ଭିତ୍ତି କ’ଣ ? ଉତ୍ତରରେ ସ୍ପଷ୍ଟ ହୁଏ । ହାନା ନିଜ ଆଖିରେ ଦେଖିଥିବା କିଛି ଘଟଣା । ଅନ୍ୟଗୁଡ଼ାକ ମିସନାରୀ ମହିଳାମାନଙ୍କଠାରୁ ଶୁଣିଥିବା ଗଳ୍ପ । ବର୍ତ୍ତମାନ ହାନା ଜୀବିତ ନାହାନ୍ତି, କିନ୍ତୁ ହାନାଙ୍କ ଏଇ ଗ୍ରନ୍ଥଟି ମୌଳିକ ରଚନା ନୁହେଁ । ଗୋଟିଏ ଅଳ୍ପ ଖ୍ୟାତି ଅର୍ଜନ କରିଥିବା ଇଂରେଜୀ ଗ୍ରନ୍ଥ ‘The Week’ର ଭାବାନୁବାଦ । ସେ ସମୟର ଓରିଏଣ୍ଟାଲ ବ୍ୟାପ୍‌ଟିଷ୍ଟରେ ଗୋଟିଏ ରିପୋର୍ଟରୁ ଏକଥା ଜଣାଯାଇଛି । ରିପୋର୍ଟରେ ଥିଲା, ଇଂରେଜୀ ଗ୍ରନ୍ଥ ‘The Week’ରୁ ଏହାର ଉପକରଣ ତଥ୍ୟାବଳୀ ଯଥେଷ୍ଟ ପରିମାଣରେ ଧାର କରି ବଙ୍ଗାଳୀ ଖ୍ରୀଷ୍ଟାନମାନଙ୍କ ଜୀବନ ସଙ୍ଗେ ସହଂତି ରଖି ସେମାନଙ୍କ ସାହିତ୍ୟରେ ସଯତ୍ନ ଦକ୍ଷତାରେ ନିଆଯାଇଛି । ତେଣୁ ‘ଫୁଲମନି ଓ କରୁନାର ବିବରନ’କୁ ଏହାର ମୌଳିକ ବୃତ୍ତାନ୍ତ ବା ଉପାଖ୍ୟାନ ମଧ୍ୟ କୁହାଯାଇ ପାରିଲା ନାହିଁ, ମୌଳିକ ଉପନ୍ୟାସ କହିବା ତ ଦୂରର କଥା ।

 

।। ୩ ।।

ଉପନ୍ୟାସ ଯୋଗ୍ୟତା ଅଥଚ ମୌଳିକତା ଦାବୀ କରିପାରେ ବଙ୍ଗଳାର ପ୍ରଥମ ଉପନ୍ୟାସ ‘ଆଲାଲେର ଘରେର୍‌ ଦୁଲାଲ’ । ଟେକଚାନ୍ଦ ଠାକୁର ଛଦ୍ମ ନାମ ପ୍ୟାରୀଚାନ୍ଦ ମିତ୍ରଙ୍କ ଲିଖିତ ଆଲାଲେର ଘରେର୍‌ ଦୁଲାଲର ପ୍ରଥମ ଛବିଶ ସତେଇଶଟି ଅଧ୍ୟାୟ ରାଧାନାଥ ଶିକଦାର-ସଂପାଦିତ ମାସିକ ପତ୍ରିକାରେ ୧୮୫୫ ରୁ ୧୮୫୭ ମସିହାରେ ଏହା ପ୍ରକାଶିତ । ଏହା ସହିତ ଆଉ ତିନୋଟି ଅଧ୍ୟାୟ ଯୋଗ କରାଯାଇ ମୋଟ ତିରିଶି ଅଧ୍ୟାୟରେ ସଂପୂର୍ଣ୍ଣ । ଏହି ଉପନ୍ୟାସ ଗ୍ରନ୍ଥ ଆକାରରେ ପ୍ରକାଶିତ ହୋଇଥିଲା ୧୮୫୮ ମସିହାରେ । ଗ୍ରନ୍ଥର ଇଂରେଜୀ ମୁଖବନ୍ଧରେ ‘ଆଲାଲେ’କୁ ଅଭିହିତ କରାଯାଏ ‘Original Novel in Bengali being the first work of the kind.’ ରୂପରେ । ଏହାର ବଙ୍ଗଳା ଭୂମିକାରେ ଉଲ୍ଲେଖ ଅଛି ଏହା ହେଉଛି ଉପନ୍ୟାସ । ବର୍ତ୍ତମାନ ଆଲୋଚନାରେ ‘ଆଲାଲେ’ର ଭୂମିକାଟି ବିଶେଷ ପ୍ରାସଙ୍ଗିକ ହେବ । ସେଥିରୁ କିଛି ଅଂଶ ଏଠାରେ ଉଦ୍ଧୃତ କରାଗଲା- “ଅନ୍ୟାନ୍ୟ ପୁସ୍ତକ ଅପେକ୍ଷା ଉପନ୍ୟାସ ପଢ଼ିବାକୁ ପ୍ରାୟ ସବୁ ଲୋକଙ୍କ ମନରେ ସ୍ୱଭାବତଃ ଅନୁରାଗ ଜନ୍ମେ । କିନ୍ତୁ ଯେଉଁଠି ଏ ଦେଶର ଅଧିକାଂଶ ଲୋକ କୌଣସି ପୁସ୍ତକ ଆଦି ପଢ଼ିବା ପାଇଁ ସମୟ ଦେଇ ପାରନ୍ତି ନାହିଁ, ସେ ସ୍ଥାନରେ ଉକ୍ତ ଗ୍ରନ୍ଥର ଆବଶ୍ୟକତା ଅଧିକ । ଏହିପରି ବିବେଚନାରୁ ଏ କ୍ଷୁଦ୍ର ପୁସ୍ତକ ଖଣ୍ଡିକ ରଚନା କରାଗଲା । ଏହାର ତାତ୍‌ପର୍ଯ୍ୟ କଣ ପଢ଼ିଲେ ଜାଣି ହେବ । ଏ ପ୍ରକାରର ବହି ଲେଖିବାର ପ୍ରଣାଳୀ ଏଦେଶରେ ପ୍ରଚଳିତ ନାହିଁ । ଏହାର ପ୍ରଥମ ଉଦ୍ୟମରେ ଅବଶ୍ୟ ଦୋଷ ଥିବା ସମ୍ଭାବନା ।....ଗ୍ରନ୍ଥର ନିର୍ଘଣ୍ଟ ଦେଖିଲେ ହିଁ ଗଳ୍ପଗୁଡ଼ିକର ଆଭାସ ଓ ଅନ୍ୟାନ୍ୟ ଗଠନଶୈଳୀ ଜଣାଯିବ ।”

 

ଏ ସମସ୍ତ ଉଲ୍ଲେଖନରୁ ଉପନ୍ୟାସ ସଂପର୍କରେ ପ୍ୟାରୀଚାନ୍ଦଙ୍କର କେତେକ ଧାରଣା ଥିବା ସନ୍ଧାନ ମିଳେ । ‘ଆଲାଲେ’ ରଚନା ହେବାର ଚାରିବର୍ଷ ପରେ କନ୍‌ଟରଙ୍କର ‘Romance of History’ ଗ୍ରନ୍ଥର ଅବଲମ୍ବନରେ ଭୂଦେବ ମୁଖୋପାଧ୍ୟାୟଙ୍କର ‘ଐତିହାସିକ ଉପନ୍ୟାସ’ ନାମକ ଗ୍ରନ୍ଥ (୧୮୬୨-୬୩)ରେ ରଚିତ । ସେ କ୍ଷେତ୍ରରେ ରୋମାନ୍‍ସ ଏବଂ ଉପନ୍ୟାସକୁ ଏକ ବୋଲି ଧରାଯାଇଛି । କିନ୍ତୁ ଭୂଦେବଙ୍କର ପୂର୍ବସୂରୀ ପ୍ୟାରୀଚାନ୍ଦଙ୍କ ମତରେ, ରୋମାନ୍‍ସ ନୁହେଁ, ନଭେଲ ଓ ଉପନ୍ୟାସ ସମାର୍ଥକ । ତାଙ୍କର ‘ଆଲାଲେ’, ରୋମାନ୍‍ସ ନୁହେଁ ନଭେଲ ବା ଉପନ୍ୟାସ-। ଉପନ୍ୟାସ ସମ୍ୱନ୍ଧରେ ଏପରି ଧାରଣା ଆଧୁନିକ । ବଙ୍ଗଳାରେ ଏପର୍ଯ୍ୟନ୍ତ ଆଧୁନିକ ନଭେଲର ପରିଚୟାତ୍ମକ ଏକାର୍ଥବାଚୀ ପରିଭାଷା ହେଲା ଉପନ୍ୟାସ । (୧) ପ୍ୟାରୀଚାନ୍ଦ ହେଉଛନ୍ତି ଏହାର ସଚେତନ ପ୍ରବର୍ତ୍ତକ । ତାଙ୍କର ଆଲାଲେ ବଙ୍ଗଳାର ପ୍ରଥମ ଆଧୁନିକ ଉପନ୍ୟାସ । (୨) ପ୍ରାୟ ପ୍ରତ୍ୟେକ ପାଠକଙ୍କର ସ୍ୱାଭାବିକ ଅନୁରାଗ ରହିଛି ଏହି ଉପନ୍ୟାସ ପ୍ରତି । ପ୍ୟାରୀଚାନ୍ଦଙ୍କ ମତରେ ତାଙ୍କ ଉପନ୍ୟାସ ଅନୁରାଗ ଶିଳ୍ପ । (୩) ଉପନ୍ୟାସର ଗଳ୍ପ କହିଲେ ପ୍ୟାରୀଚାନ୍ଦ ବୁଝେଇବାକୁ ଚାହାନ୍ତି ଏହାର ପ୍ଳଟ୍‌କୁ । ପାରସ୍ପରିକ ସମ୍ପର୍କହୀନ ଭିନ୍ନ ଭିନ୍ନ ବା ସ୍ୱୟଂ ସମ୍ପୂର୍ଣ୍ଣ ଅନେକ ଗଳ୍ପ ଅର୍ଥାତ୍‌ storiesର ସଂକଳନକୁ ନୁହେଁ । ବିଶେଷ ତାତ୍‌ପର୍ଯ୍ୟ ପରିଦୃଷ୍ଟ ଉଦ୍ଦେଶ୍ୟରେ ପରିକଳ୍ପିତ ପାରସ୍ପରିକ ସମ୍ପର୍କରେ ଆବଦ୍ଧ ଏକାଧିକ ଗଳ୍ପର ଧାରାବାହିକତାରେ ସମନ୍ୱିତ ଗଠିତ ପ୍ଳଟ୍‌କୁ । ଅନ୍ୟୋନ୍ୟାଶ୍ରିତ ଗଳ୍ପଗୁଡ଼ିକର କ୍ରମାଭିମୁଖୀ ବିନ୍ୟାସ ମାଧ୍ୟମରେ ଆଦି-ମଧ୍ୟ-ଅନ୍ତ ଯୁକ୍ତ ପ୍ଳଟ ତିଆରି କରିବାର ଚିନ୍ତା ଏହା ଭିତରେ ନିହିତ । (୪) ଅନ୍ୟାନ୍ୟ ଗଠନ ପ୍ରଣାଳୀରୁ ଜଣାଯାଏ, ଉପନ୍ୟାସର ବିଭିନ୍ନ ଆଙ୍ଗିକ ଓ ପ୍ରାୟୋଗିକ ଗଠନ କୌଶଳରେ ସେ ଅବହିତ ଥିଲେ । (୫) କଥା-ସାହିତ୍ୟର ବିଶିଷ୍ଟ ଧାରା, ବଙ୍ଗଳା ପ୍ରକାର ଭେଦରେ ଯାହା ଉପନ୍ୟାସ, ଏହି ପ୍ରକାରର ପୁସ୍ତକ ଲେଖନ ପ୍ରଣାଳୀ ଯେତେବେଳେ ଏ ଦେଶରେ ପ୍ରଚଳନ ନଥିଲା ସେ ସମୟରେ ସେହି ସମୟର ରଚନା ଆଲାଲୋ ଦେଖାଯାଏ, ପ୍ୟାରୀଚାନ୍ଦ ଉପନ୍ୟାସର ବୈଶିଷ୍ଟ୍ୟ ଓ ସଚେତନତାରୁ ସେ ‘ଆଲାଲେ’ର ପ୍ରୟାସୀ ଥିଲେ । ଏପରି ଗୋଟିଏ ଅନୁରାଗ ଶିଳ୍ପ ରଚନା ଯାହା ଏ ଦେଶରେ ପ୍ରଚଳିତ ନଥିଲା ‘ଆଲାଲେ’ ସେଇ ସଚେତନ ପ୍ରୟାସର ପ୍ରଥମ ଫଳ ବା ବଙ୍ଗଳାର ପ୍ରଥମ ମୌଳିକ ଉପନ୍ୟାସ । ଯାହା ଭିତରେ ପ୍ରଧାନତଃ ସ୍ୱୀକୃତ ହୋଇଥିଲା ଉପନ୍ୟାସ ଉନ୍ମେଷ ପର୍ଯ୍ୟାୟରେ ଅବଲମ୍ବିତ ପ୍ଳଟ ଓ ତାର ଗଠନ-ଉପଯୋଗୀ ଗଠନ ପ୍ରାଣାଳୀର ଗୁରୁତ୍ୱ ।

 

ନୂତନ ଯୁଗରେ ନୂତନ କଥାଶିଳ୍ପ ଉପନ୍ୟାସକୁ ଗ୍ରହଣ କରି ନେଇ, ସେ ପ୍ରକାର ଶିଳ୍ପ କର୍ମ ରଚନାରେ ପ୍ରବୃତ୍ତ ହେବା ପ୍ୟାରୀଚାନ୍ଦଙ୍କର ବଂଶଗତ ବୃତ୍ତିଗତ ମାନସିକ ପ୍ରବଣତା ଓ ଯୋଗ୍ୟତା ଥିଲା । ପ୍ୟାରୀଚାନ୍ଦ ଥିଲେ ଆଧୁନିକ ପ୍ରଶାସନ, ବାଣିଜ୍ୟ ଓ ଜୀବିକାରେ ସମ୍ପୂର୍ଣ୍ଣ ନୂତନ ଧାରଣାରେ ନିୟନ୍ତ୍ରିତ ନଗର କଲିକତାର ନବୀନ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାରର ସନ୍ତାନ । ସେ ବିଗତ ଶତକର ତୃତୀୟ ଦଶକରେ ହିନ୍ଦୁ କଲେଜର ଛାତ୍ର, ଡିରୋଜିୟାନ ଅଫ ବେଙ୍ଗଲ ଗୋଷ୍ଠୀର ଭାବି ଶିଷ୍ୟ, ମ୍ୟୁନିସ୍‌ପାଲିଟି ବିଶ୍ୱବିଦ୍ୟାଳୟ ହାଇକୋର୍ଟ ସହ ସମ୍ପର୍କ, ବିଭିନ୍ନ ପ୍ରଦେଶର ଜନକଲ୍ୟାଣ ମୂଳକ ପ୍ରତିଷ୍ଠାନର ସକ୍ରିୟ କର୍ମୀ ହିସାବରେ ସୁପରିଚିତ ଥିଲେ । ସମସାମୟିକ ପତ୍ରିକାର ସମ୍ପାଦକ ହିସାବରେ ମଧ୍ୟ ପ୍ୟାରୀଚାନ୍ଦ ଥିଲେ ଆଧୁନିକତା ଓ ସାଂପ୍ରତିକତା ସମ୍ୱନ୍ଧରେ ଅଧିକ ସଚେତନ । ସରକାରୀ ପବ୍ଳିକ୍‌ ଲାଇବ୍ରେରୀ କର୍ମ ସୂତ୍ରରେ ସେ ପରିଚିତ ଥିଲେ ଡିଫୋ, ସୁଇଫ୍‌ଟି, ରିଚାର୍ଡ଼ସନ, ଫିଲ୍‌ଡିଂ, ସ୍ମାଲ୍‌ଟଷ୍ଟାଟ, ସ୍ମଟ, ଅଷ୍ଟିନ୍‌, ଡିକେନସ୍‌, ଥାକେରୀ ଇତ୍ୟାଦିଙ୍କ ଉପନ୍ୟାସ ସହିତ । ମଧ୍ୟବିତ୍ତ ଶିକ୍ଷିତ ବୁଦ୍ଧିଜୀବୀ କର୍ମୀ ହିସାବରେ ଇଂରେଜ ଉପନ୍ୟାସ ସହିତ ପରିଚୟ ରହିବା ସ୍ୱାଭାବିକ । ଏହାଫଳରେ ପ୍ୟାରୀଚାନ୍ଦଙ୍କର ଅଭିଳାଷ ମଧ୍ୟ ହୋଇଥିବ ଜଣେ ନଭେଲିଷ୍ଟ ବା ଔପନ୍ୟାସିକ ହେବାକୁ । ସେ କିନ୍ତୁ ଭବାନୀ ଚରଣଙ୍କ ପରି ରକ୍ଷଣଶୀଳ ପ୍ରତିକ୍ରିୟାରେ ଏକାନ୍ତ ଆକ୍ରମଣାତ୍ମକ କିମ୍ୱା ହାନାଙ୍କ ପରି ଶ୍ରେଣୀ ଉଦ୍ଦେଶ୍ୟମୂଳକ ନୀତିରେ ଭାଗୀଦାର ହୋଇପାରି ନାହାନ୍ତି । ଜୀବନକୁ ଅନୁଭବ ଓ ବିଚାର କରିବାର ପ୍ରବୃତ୍ତି, ପରିବେଶ ଓ ନିୟମର ଅଧୀନ ଜୀବନ ପ୍ରବାହ ସଙ୍ଗେ ଆନନ୍ଦମୟ ବାସନାର ସଂଯୋଗ ଫଳରେ ଏହାର ଭଲ ମନ୍ଦ ଉଭୟ ଦିଗକୁ ସେ ଅପକ୍ଷପାତ ଦୃଷ୍ଟିରେ ଦେଖିଛନ୍ତି । ଜୀବନରେ ନିହିତ ଥିବା ସତ୍ୟକୁ ସହାନୁଭୂତି ସହ ଉପଲବ୍‌ଧି କରିବାର ଦାୟିତ୍ୱବୋଧ ଥିଲା ପ୍ୟାରୀଚାନ୍ଦଙ୍କର । ଏହି ମନୋଧର୍ମ ବା ମନନ ପ୍ରୟାସର ନାନ୍ଦନିକ ଅଭିଜ୍ଞାନ ହେଲା ‘ଆଲାଲେର ଘରେର୍‌ ଦୁଲାଲ’ । ଆଧୁନିକ ନଗର ଭିତ୍ତିକ ଜୀବନ, ସମସାମୟିକ ବିଭିନ୍ନ ମଧ୍ୟବିତ୍ତ ବୁଦ୍ଧିଜୀବୀ ଓ ବୃତ୍ତିଧାରୀଙ୍କର କ୍ରିୟାଗତ ବୈଚିତ୍ର ଓ ଜଟିଳତା ରଚନାଟିରେ ପରିବେଷିତ । ମୂଳତଃ ରଚନାଟିର ଲକ୍ଷ୍ୟ ଅନ୍ୟ ବିଷୟ ପ୍ରତି ଥିଲେ ମଧ୍ୟ ଆଧୁନିକ ନଗର-କୈନ୍ଦ୍ରିକ ବାସ୍ତବ ଜୀବନ ପ୍ରାଧାନ୍ୟ ପାଇଛି ।

 

ଏହାର ମୁଖବନ୍ଧରେ ‘ଆଲାଲେ’କୁ ବଙ୍ଗଳାରେ ଲିଖିତ ପ୍ରଥମ ମୌଳିକ ଉପନ୍ୟାସ ରୂପେ ଅଭିହିତ କରି କୁହାଯାଇଥିଲା, ‘‘It chiefly treats of the pernicious effects of allowing children to be improperly brought up with remarks on the existing system of education, on self-formation and religious culture and in illustrative of the condition of Hindu society, manners, custom, and partly of the state of things in the Moffussie’ ଏଥିରୁ ଜଣାଯାଏ ଏହାର ବିଷୟ ଥିଲା ବହୁମୁଖୀ, କିନ୍ତୁ ସବୁ ବିଷୟ ପ୍ରତି ସମାନ ଗୁରୁତ୍ୱ ଦିଆଯାଇ ପାରି ନାହିଁ । ଅସଂଗତ ଉପାୟରେ ସନ୍ତାନମାନଙ୍କୁ ବଡ଼ ହେବାକୁ ଦିଆଗଲେ, ତାଦ୍ୱାରା କି କ୍ଷତି ହୁଏ ‘ଆଲାଲେ’ ଉପନ୍ୟାସରେ ଦେଖାଇବା ହେଲା ପ୍ୟାରୀଚାନ୍ଦଙ୍କର ମୂଳ ଲକ୍ଷ୍ୟ । ଉପଲକ୍ଷ୍ୟ ହେଉଛି ପ୍ରଚଳିତ ଶିକ୍ଷା ବ୍ୟବସ୍ଥା, ଆତ୍ମଗଠନ ଓ ଧର୍ମୀୟ ସଂସ୍କୃତି, ହିନ୍ଦୁ ସମାଜର ଅବସ୍ଥା ଓ ଆଚାର ପ୍ରଥା ସହିତ ମଫସଲି ଜୀବନ ପ୍ରସଙ୍ଗ ସଂପର୍କିତ ଧାରଣା ପରିବେଷଣ । ବସ୍ତୁତଃ ଏହି ମୁଖ୍ୟ ଓ ଗୌଣ ବିଷୟ ଗୁଡ଼ିକର ପରିଷ୍ଫୁଟ ପାଇଁ ‘ଆଲାଲେ’ ଗ୍ରନ୍ଥର ବିନ୍ୟସ୍ତ ଗଳ୍ପଗୁଡ଼ିକ ପରିକଳ୍ପିତ ହୋଇଥିଲା । ଏଥିରୁ ଅନୁମିତ ଏହା ଭିତରେ ପ୍ରଚଳିତ ଧାରଣା ହେଉଛି, ‘ଅସତ୍‌ ସଙ୍ଗେ ସର୍ବନାଶ’ । ନୂତନ ସମୟର ନୂତନ ନଗର କଲିକତାରେ ହଠାତ୍‌ ଧନୀ ବାବୁରାମ ବାବୁର ଗୋଟିଏ ସନ୍ତାନ ମତିଲାଲ କୁସଙ୍ଗରେ ପଡ଼ି କିପରି ନଷ୍ଟ ହୋଇଗଲା-ଏହାହିଁ କଣ ‘ଆଲାଲେ’ର ଏକମାତ୍ର ବିଷୟବସ୍ତୁ ବା ବକ୍ତବ୍ୟ । ସମ୍ଭବତଃ ଏଇ ଅବ୍ୟାପ୍ତ ଓ ଅତି ସରଳକୃତ ଧାରଣାର ସୃଷ୍ଟି ହୋଇଛି ରଚନାଟିର ନାମକରଣରୁ । ନତୁବା ହୋଇପାରେ ଏହାର ‘Preface’ର ବିଶେଷ ଗୋଟିଏ ଉଲ୍ଲେଖନରୁ (It chiefly treats of the pernicious effects) ଯେଉଁଠାରେ ଏହା ଗୋଟିଏ ପ୍ରକାରାନ୍ତରେ ଚିହ୍ନିତ କରାଯାଇଥିଲା । କିନ୍ତୁ ‘ଆଲାଲେ’ର ବକ୍ତବ୍ୟ ବା ବିଷୟବସ୍ତୁ ସଂପର୍କରେ ଏ ଧାରଣା ଶେଷ କଥା ନୁହେଁ । ଏହାର ବିଷୟ ବିବେଚନା କଲେ ଦେଖାଯାଏ, ମତିଲାଲର ଅଧଃପତନର ଆନୁପୂର୍ବିକ ପ୍ରସଙ୍ଗ ଏଥିରେ ଯେପରି ଥିଲା, ସେହିପରି ଅଛି । ଏହା ବ୍ୟତୀତ ତାହାର ଉତ୍ତରଣ ପ୍ରସଙ୍ଗ ପାଖାପାଖି ବାବୁରାମ ବାବୁର ପୁଅ ମତିଲାଲର ଅନୁଜ ରାମଲାଲର କ୍ରମଶଃ ଭଲରୁ ଭଲତର ହୋଇ ଉଠିବାର ପ୍ରସଙ୍ଗ ମଧ୍ୟ ରହିଛି । ପ୍ରସଙ୍ଗ ଗୁଡ଼ିକର ବିନ୍ୟସ୍ତ ଦୃଷ୍ଟିରୁ ଦେଖିଲେ, ଉତ୍ତରଣ ବା ଭଲ ଆଦର୍ଶ ପ୍ରତିଷ୍ଠା ବିଷୟବସ୍ତୁର ମୂଳ ଲକ୍ଷ୍ୟ । ‘ଆଲାଲେ’ର ସମାପ୍ତ ଘଟିଛି ବିଷୟଗତ ପରିଣାମରେ । ବିଷୟବସ୍ତୁର ପ୍ରାଧାନ୍ୟ ଦୃଷ୍ଟିରୁ ଆଦି-ମଧ୍ୟ-ଅନ୍ତଯୁକ୍ତ ବିଷୟର ଅବତାରଣା କରାଯାଇଛି । ଆହୁରି ମଧ୍ୟ ଦେଖାଯାଏ, ବ୍ୟାଖ୍ୟାତ୍ମକ ଶୈଳୀରେ ପରିଦୃଷ୍ଟ ହୁଏ ମତିଲାଲ ଓ ରାମଲାଲ ପରିଣାମର ଉଭୟ କ୍ଷେତ୍ରରେ ବ୍ୟକ୍ତି ମନର ପ୍ରବଣତା ସହ କୁସଙ୍ଗ ବା ସୁସଙ୍ଗ ତଥା ସମାଜ ପରିବେଶ ସହିତ ଜଡ଼ିତ ସେମାନଙ୍କର ଅବନତି ଓ ଉନ୍ନତିର କାରଣ । ସେଇ ସୂତ୍ର ଅନୁସାରେ ଠକ ଚାଚା ଓରଫ ମୋକାଜାନ ମିଆଁ, ତାହାରି ପରି ଆଲୋକର ଅନ୍ତରାଳରେ ଲିପ୍ତଥିବା ଅନେକ ପାତ୍ର-ପାତ୍ରୀମାନଙ୍କର ବିଚିତ୍ର କାର୍ଯ୍ୟକଳାପ ବର୍ଣ୍ଣିତ, ଯାହା ସର୍ବଦା ବ୍ୟକ୍ତିଗତ ପ୍ରବଣତା କିମ୍ୱା ସାମାଜିକ ପରିବେଶ ପ୍ରଭାବର ଫଳ । ଯେଉଁମାନେ ମନ୍ଦକାର୍ଯ୍ୟରେ ପ୍ରବୃତ୍ତ ହୋଇ ଶେଷ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ, ସେମାନଙ୍କ ମଧ୍ୟରୁ ବେଣୀବାବୁ, ବେଚାରାମ ବାବୁ ଏବଂ ବରଦା ବାବୁମାନଙ୍କର ପ୍ରସଙ୍ଗ ଅନ୍ତର୍ଭୁକ୍ତ-। ଅନ୍ୟ ପକ୍ଷରେ ଯେଉଁମାନେ ସାମାଜିକ ପରିବେଶର ଫଳ ଅଥଚ ମାନସିକତାରେ ସେମାନେ ଭଲ ହେବାପାଇଁ ଉପାୟ ସନ୍ଧାନରେ ଆଗ୍ରହୀ ଅର୍ଥାତ୍‌ ଯେଉଁମାନଙ୍କର ଲକ୍ଷ୍ୟ ଥିଲା ଭଲ ହେବା ପ୍ରତି ନିବଦ୍ଧ, ସେମାନଙ୍କ ପ୍ରସଙ୍ଗ ବିଶ୍ଳେଷିତ । ମୋଟ ଉପରେ, କ୍ରମାଗତ ମନ୍ଦ ହେବା, ମନ୍ଦରୁ ଭଲ ହେବାର ଆକାଂକ୍ଷା, ସେଥିପାଇଁ ଉପାୟ ଖୋଜିବା, ଏବଂ ମନ୍ଦରୁ ଭଲ ହେବା ଭଲରୁ ଭଲତର ହେବାକୁ କେନ୍ଦ୍ରକରି ଆବର୍ତ୍ତିତ ହୋଇଛି ‘ଆଲାଲେ’ର ଯାବତୀୟ ପ୍ରସଙ୍ଗ ତଥା ଗଳ୍ପସମୂହ । ଅତଏବ ଆଲାଲେର ସମୂହ ବକ୍ତବ୍ୟ ଆବର୍ତ୍ତିତ । ଏହାର ବିଷୟ ଜୀବନର ଭଲ ମନ୍ଦ ମିଶି ପ୍ରସ୍ତୁତ ହୋଇଛି ଏବଂ ସ୍ଥାପିତ ହୋଇଛି ଜୀବନର ସାମଗ୍ରିକତା ଭିତ୍ତିରେ ।

 

ପ୍ରତ୍ୟେକଟି କ୍ଷେତ୍ରରେ ମନ୍ଦ ହେବା, ମନ୍ଦରୁ ଭଲ ହେବା, ଭଲରୁ ଭଲତର ହେବା, ଭିନ୍ନ ଭିନ୍ନ ବ୍ୟକ୍ତିର କିମ୍ବା ବ୍ୟକ୍ତି ବିଶେଷର । ‘ଆଲାଲେ’କୁ ଥିମ୍‌ ଭାବେ ଗ୍ରହଣ କରାଯାଏ । ଗୃହୀତ ଥିମ୍‌ ଅନୁଯାୟୀ ପରିକଳ୍ପିତ ହୋଇଛି ଏହାର ବିଷୟ । ପରିକଳ୍ପିତ ବିଷୟ ରୂପାନ୍ତର ପ୍ରୟୋଜନରେ ଅବଲମ୍ବନ ହୋଇଛି ତଥାକଥିତ ଗଳ୍ପ ସମୂହ । ଏହା ଦୃଷ୍ଟିରୁ ‘ଆଲାଲେ’ର ଗଳ୍ପ ସମୂହ ପରସ୍ପର ସଂପର୍କହୀନ, ଅନେକ ଗଳ୍ପ ସ୍ୱୟଂ ସମ୍ପୂର୍ଣ୍ଣ ନୂହେଁ । ସୁତରାଂ ‘ଆଲାଲେ’ ମଧ୍ୟ ସେହି ଜାତୀୟ ଗୁଡ଼ିଏ ଗଳ୍ପର ସଂକଳନ ମଧ୍ୟ ନୁହେଁ । ବସ୍ତୁତଃ ‘ଆଲାଲେ’ର ତଥାକଥିତ ଗଳ୍ପଗୁଡ଼ିକ ନିର୍ଦ୍ଦିଷ୍ଟ ଥିମେଟିକ୍‌ ବିଷୟ ରୂପାୟନ ପକ୍ଷେ ପ୍ରାସଙ୍ଗିକ ଏବଂ ସେହି ପ୍ରୟୋଜନରୁ ନିର୍ବାଚିତ ଓ ଉପଯୋଗୀ ନ୍ୟାୟରେ ବିନ୍ୟସ୍ତ ହୋଇଛି ଗଳ୍ପସମୂହ । ଏହାର ପ୍ଳଟ୍‌ ବା ସମଗ୍ର କାହାଣୀ ଅନେକ ଗୁଡ଼ାଏ ଗଳ୍ପର ସମାହାର-। ବ୍ୟକ୍ତିଗତ ପ୍ରବଣତା ଓ କୁସଙ୍ଗ ପରିବେଶ ପ୍ରଭାବରେ ମତିଲାଲର ଧାରାବାହିକ ଅଧଃପତନ, ଚୂଡ଼ାନ୍ତ ବିପର୍ଯ୍ୟୟ ପରିସ୍ଥିତିରେ ତା’ର ବିଷଣ୍ଣତା, ଆତ୍ମଗ୍ଳାନୀ ଓ ଦୁଃଖବୋଧ, ଏବଂ ଉତ୍ତରଣର ପ୍ରୟାସ ପରିଶେଷରେ ସାର୍ଥକତା ଲାଭ-ତା ଜୀବନର ଏହି ପର୍ଯ୍ୟାୟ ପରଂପରାର ଗଳ୍ପଗୁଡ଼ାକ ନେଇ ଗଢ଼ି ଉଠିଛି ‘ଆଲାଲେ’ର ମୂଳ କାହାଣୀ । ‘ମତିଲାଲ୍‌’ର ଉତ୍ତରଣ ପ୍ରସଙ୍ଗ ଦେଇ ଏହାର ସମାପ୍ତି ଘଟିଛି । ଆଦି-ମଧ୍ୟ-ଅନ୍ତ ସମନ୍ୱିତ ବୃତ୍ତଧର୍ମୀ ମୂଳ କାହାଣୀକୁ ଆୟତନ ଗତ ବିଶାଳତା ଓ ବୈଚିତ୍ର୍ୟ ଜନିତ ଜଟିଳତା ଦେଇଛି ଅନ୍ୟାନ୍ୟ ଉପକାହାଣୀ । ଏଗୁଡ଼ିକ ମଧ୍ୟରେ ବିଶେଷ ଉଲ୍ଲେଖଯୋଗ୍ୟ ହେଲା-ବାଙ୍କୁରାମ ଓ ତା’ର ସ୍ତ୍ରୀ କନ୍ୟା ଓ ଅନୁଚରମାନଙ୍କର ବୈଷୟିକ, ପାରିବାରିକ କାର୍ଯ୍ୟକଳାପ । ଠକ ଚାଚା-ଠକ ଚାଚିର ସକ୍ରିୟତା, ବେଣୀ-ବେଚାରାମ- ବରଦାରା-ମଲାଲର ମନନଶୀଳତା ଇତ୍ୟାଦି ଦ୍ରଷ୍ଟବ୍ୟ । ଏହି ସମସ୍ତ ଉପବୃତ୍ତୀୟ କାହାଣୀ କେତେବେଳେ ଏକକ ବା ସମବେତ ଭାବରେ ମୂଳକାହାଣୀ ସଂସ୍ପର୍ଶରେ ଆସି କ୍ରମାଗତ ଗଢ଼ିଚାଲିଛନ୍ତି ସମଗ୍ର କାହାଣୀର ପ୍ରାଣବନ୍ତ ଅବୟବ । ଯାହାର ନାମାନ୍ତର ଦେଶକାଳ-ନିର୍ଭର ବାସ୍ତବ ଜୀବନ ଅର୍ଥାତ୍ ଜୀବନ-ସତ୍ୟର ସାମଗ୍ରିକ ଆଧାର । ଏହିପରି ଭାବରେ ଗଳ୍ପସମୂହର ସମନ୍ୱୟରେ ରଚିତ ହୋଇଛି ‘ଆଲାଲେ’ର ସମଗ୍ର କାହାଣୀ ଶିଳ୍ପ ।

 

ଆଲାଲେର କାହାଣୀ ସଙ୍ଗଠନ ପ୍ରଚଳିତ ଆଦି-ମଧ୍ୟ-ଅନ୍ତଯୁକ୍ତ ପରମ୍ପରାର ସରଳ ମୂର୍ତ୍ତିଠାରୁ ଟିକିଏ ସ୍ୱତନ୍ତ୍ର । କିଛି ପରିମାଣରେ ଗୁଚ୍ଛଧର୍ମୀ ବୋଲି ଜଟିଳ ଧରଣର । ରବର୍ଟ ଲିଡେଲଙ୍କର ପ୍ରଦତ୍ତ ଗୋଟିଏ ସୂତ୍ର ଅନୁସାରେ, ‘କାହାଣୀ ଠାରୁ ଚରିତ୍ରକୁ କେବଳ କୃତ୍ରିମ ଭାବେ ପୃଥକ କରିବା ସମ୍ଭବ । ଅର୍ଥାତ୍‌ କାହାଣୀ ବା ଚରିତ୍ର ସ୍ୱାଭାବିକ ଭାବରେ ବିଭାଜ୍ୟ ନୁହେଁ । ଅବିଭାଜ୍ୟ ଏହାର ପ୍ରସାରିତ ନ୍ୟାୟ ଦୃଷ୍ଟିରୁ କୁହାଯାଏ । ‘ଆଲାଲେ’ର କାହାଣୀ ଜଟିଳ ବୋଲି ଚରିତ୍ର ମଧ୍ୟ ଜଟିଳ ହେବାକୁ ବାଧ୍ୟ । ସେହି ଅନୁସାରେ ଏହାର କାହାଣୀ ପରି ଚରିତ୍ର ଗଠନରେ ଜଟିତଳା ପରିଦୃଷ୍ଟ । ଏଥିରେ ଏପରି ହେବା ସ୍ୱାଭାବିକ । ମତିଲାଲର ଉତ୍‌ଥାନ-ପତନ ପାଇଁ, ତାହାର ମାନସିକ ପ୍ରବଣତା ଓ ସକ୍ରିୟତାକୁ ଦାୟୀ କରାଯାଇଛି । ଏହା ସହିତ ବିଭିନ୍ନ ସାମାଜିକ ବ୍ୟକ୍ତି ଓ ପରିବେଶରେ ଦାୟିତ୍ୱକୁ ଯୁକ୍ତ କରାହୋଇଛି । ଅନ୍ୟାନ୍ୟ ଚରିତ୍ର ସହିତ ସୂତ୍ରଟି ଅଳ୍ପ ବେଶି ଖାପ ଖାଏ । ପ୍ରତ୍ୟେକ ଚରିତ୍ର ନିଜର ପରିଣାମ ପାଇଁ ଦାୟୀ । ପରିଣାମରେ ତର-ତମ ପ୍ରଭେଦ ଅଛି । ଗୋଟି ସାମାଜିକ ପରିବେଶ ଓ ଜୀବନ ବ୍ୟବସ୍ଥା ଅନ୍ତର୍ଗତ ବା ସଂଯୁକ୍ତରୁ ସେମାନେ ଅନ୍ୟୋନ୍ୟ-ନିର୍ଭର ହୋଇଛନ୍ତି । ଯେପରି ସେମାନେ ଦାୟୀ ଜଣେ ଅନ୍ୟ ଜଣଙ୍କ ପାଇଁ । ଏମାନଙ୍କୁ ଜଣକରୁ ଅନ୍ୟଜଣକୁ ସହଜରେ ପୃଥକ କରାଯାଇ ପାରିବ ନାହିଁ । ଜୋର କରି ପୃଥକ କରାଗଲେ, ପ୍ରତ୍ୟେକଟି ଦେଖାଯିବ ଅସମ୍ପୂର୍ଣ୍ଣ । ଅର୍ଥାତ୍‌ ସ୍ୱଭାବରେ ଏବଂ ସ୍ୱଭାବିକତାରେ ସେମାନେ ଅବିଭାଜ୍ୟ । ଆଧୁନିକ ସମାଜ ବିଜ୍ଞାନୀ ଓ ଉପନ୍ୟାସର ଗଠନ କୌଶଳ ବ୍ୟାଖ୍ୟାକାର ମୋ ଅନୁସରଣରେ ଏକମତ ହୋଇ କହିଲେ, ‘‘ଆନ୍ତର୍ବ୍ୟକ୍ତିକ ଓ ଆନ୍ତଃସାମାଜିକ ସମ୍ପର୍କ । ସମ୍ପର୍କର ବାହାରେ ଏହି ସ୍ୱତଃସ୍ଫୂର୍ତ୍ତ ବାସ୍ତବତା ପ୍ରମାଣ କରେ ତା ଭିତରର ପ୍ରକୃତ ସତ୍ୟକୁ ।

 

ବ୍ୟକ୍ତି ସାଧାରଣ କିମ୍ବା ବ୍ୟକ୍ତିବିଶେଷ ଯିଏ ଅନ୍ୟମାନଙ୍କର ପରିଣାମ ପାଇଁ ଦାୟୀ ଉପନ୍ୟାସରେ ସେଇ ବ୍ୟାଖ୍ୟା ଦିଆ ହୋଇଛି । ଏପରିକି ବିଶିଷ୍ଟ ବ୍ୟକ୍ତିବିଶେଷର ମାନସିକ ପ୍ରବଣତା, ଯାହା ତା’ର ନିଜସ୍ୱ ପରିଣାମ ପାଇଁ ଦାୟୀ, ସେ ବ୍ୟାଖ୍ୟା ମଧ୍ୟ କରା ହୋଇଛି । ଉପନ୍ୟାସର ବିଭିନ୍ନ କ୍ଷେତ୍ରରେ ପ୍ୟାରୀଚାନ୍ଦ ଉଲ୍ଲେଖ କରିଛନ୍ତି-‘‘ଦୁଷ୍କର୍ମ କରିଲେ କାହାର ମନ ସୁସ୍ଥିର ଥାକେ ? ଅନ୍ୟେର୍‌ କାଛେ ଚାତୁରିର୍ ଦ୍ୱାରା ଦୁଷ୍କର୍ମ ଢାକା ହଇତେ ପାରେ ବଟେ; କିନ୍ତୁ କୋନ କର୍ମଇ ମନେର୍‌ ଅଗୋଚର ଥାକିନା ।’’ (ପୃ ୩୪) ‘‘କୁମତି ଓ ସୁମିତି ମନ୍‌ ଥେକେ ଉତ୍‌ପନ୍ନ ହୟ, ସୁତରାଂ ମନେର୍‌ ସହିତ ତାହା ଦିଗେର୍‌ ସମ୍ବନ୍ଧ, ’’ (ପୃ-୪୦) ‘‘ମନ୍‌ ବିଗଡ଼େ ଗେଲେ ଲୋହାର ବାଡ଼ ଦେଲେଓ ଥାମେନା ।’’ (ପୃ-୪୧) ‘‘ପ୍ରଥମ ପ୍ରଥମ କୁମତିର୍‌ ଦମନ ନା ହଇଲେ କ୍ରମେ କ୍ରମେ ବେଡ଼େ ଉଠେ, ପରେ ଏକେବାରେ ପଶୁବତ୍‌ ହଇୟା ପଡ଼େ ।’’ (ପୃ-୪୨) ‘‘ବିପଦେ ନା ପଡ଼ିଲେ ମନ୍‌ ସ୍ଥିର୍‌ ହୟ ନା’’. (ପୃ-୫୩) ‘‘ଚିତ୍ତ୍‌କେ ଶ୍ରଦ୍ଧା କରିତେ ଗେଲେ ଅଗ୍ରେ ନମ୍ରତା ଆବଶ୍ୟକ’’ (ପୃ-୯୯) ‘‘ସଦୁପଦେଶ୍‌ ଓ ସତ୍‌ ସଙ୍ଗେ ସୁମତି ଜନ୍ମେ’’, (ପୃ-୧୨୪) ‘‘ଦୁରବସ୍ଥାୟେ ପଡ଼ିୟା କ୍ରମାଗତ ଏକାକୀ ଚିନ୍ତା କରାତେ ତାହାର ମନେର୍‌ ଗତି ବିଭିନ୍ନ ହଇତେ ଲାଗିଲ’’, (ପୃ-୧୨୫) ଇତ୍ୟାଦି । ଏଥିରୁ ଜଣାଯାଏ ବ୍ୟକ୍ତି ମନର ଗଠନ ଓ ସ୍ୱରୂପ ସମ୍ପର୍କରେ ଲେଖକ ସଚେତନ ଥିଲେ । ବ୍ୟକ୍ତି ଜୀବନର ପରିଣାମ ପାଇଁ ତାର ଦାୟିତ୍ୱ, ମନ ଶୋଧନର ଉପାୟ ପ୍ରଭୃତି ପ୍ରତି ତାଙ୍କର ଗୁରୁତ୍ୱ ଥିଲା । ଏହି ସଚେତନତାରୁ ସେ କରିଥିଲେ ‘ଆଲାଲେ’ର ଚରିତ୍ର ଗଠନ । ଏହି ଦୃଷ୍ଟିରୁ ‘ଆଲାଲେ’ ର ଚରିତ୍ର ଗଠନ ମନସ୍ତତ୍ତ୍ୱ ସମ୍ମତ । ଏହା ବ୍ୟତୀତ ଉପନ୍ୟାସର ମୁଖବନ୍ଧଠାରୁ ଶେଷପର୍ଯ୍ୟନ୍ତ ବିଭିନ୍ନ ଉପଲକ୍ଷ୍ୟରେ ସମାଜର ବାସ୍ତବ ପ୍ରସଙ୍ଗଗୁଡ଼ିକ ବାରମ୍ବାର ପରିବେଷିତ ହୋଇଛି । ଏହାର ଅର୍ଥ ବାସ୍ତବ ସମାଜ ସମ୍ବନ୍ଧରେ ଉଲ୍ଲେଖ କରିବା ବା ବିସ୍ତୃତ ପରିଚୟ ଦେବା ନୁହେଁ । ବ୍ୟକ୍ତି ବା ଗୋଷ୍ଠୀର ଜୀବନ ଓ ପରିଣାମର ଅନ୍ୟତମ କାରଣ ହିସାବରେ ପ୍ରୟୋଗ କରାଯାଇଛି । ଉପନ୍ୟାସର ସମାଜ ବାସ୍ତବତା ଏହି ଭାବରେ ପ୍ରାସଙ୍ଗିକ ଓ ଅବିଚ୍ଛିନ୍ନ ସମ୍ପର୍କରେ ଆବଦ୍ଧ । ଗୋଟିଏ ଦିଗରେ ବ୍ୟକ୍ତି ମନର ପ୍ରବଣତା ଓ ସକ୍ରିୟତା ଏବଂ ଅନ୍ୟ ଦିଗରେ ଆନ୍ତର୍ବ୍ୟକ୍ତିକ ଓ ଆନ୍ତଃସାମାଜିକ ସମ୍ପର୍କ, ପୁନଶ୍ଚ ମନୋବାସ୍ତବତା ଓ ସମାଜ ବାସ୍ତବତା । -ଏଇ ଦୁଇ ପ୍ରଧାନ ଉପାୟରେ ଉପନ୍ୟାସର ଚରିତ୍ର ଗଠନ କରାଯାଇଛି ।

 

ଆନ୍ତର୍ବ୍ୟକ୍ତିକ ଓ ଆନ୍ତଃସାମାଜିକ ସମ୍ପର୍କର ଅସ୍ତିତ୍ୱ ଓ ଅବସ୍ଥାନ ପୂର୍ଣ୍ଣ କରି ରଖେ ପରିବାର, ଗୋଷ୍ଠୀଧର୍ମ, ଅର୍ଥନୀତି, ରାଜନୀତି ଓ ସେମାନଙ୍କ ପରସ୍ପର-ସାକ୍ଷେପ ପରିବେଶ । ଆଧୁନିକ କଥା ସାହିତ୍ୟ ବିଚାରରେ ଯେଉଁଠାରେ ଯେତେବେଳେ ଘଟଣା ଘଟେ ଅର୍ଥାତ୍‌ କ୍ରିୟାର ନିର୍ଦ୍ଦିଷ୍ଟ ସ୍ଥାନ କାଳ ବଳରେ ତାହା ଅଭିହିତ କରାଯାଏ । ଏହା କେତେବେଳେ ମାନସିକ ବା ପ୍ରାକୃତିକ ବା ମିଶ୍ର ଧରଣର ହୋଇଥାଏ । ସବୁ ଗୁଡ଼ିକ ହିଁ ନିୟମର ଫଳ, ପରିବେଶ ମଧ୍ୟ ନିୟମର ଫଳ । ଏହା ବ୍ୟତୀତ ଯେଉଁ ଉପନ୍ୟାସର କାହାଣୀ ଓ ଚରିତ୍ର ପ୍ରାସଙ୍ଗିକ ତାହାର ପରିବେଶ ମଧ୍ୟ ପ୍ରାସଙ୍ଗିକ ହେବ । କାରଣ ସେହି କାହାଣୀ ଓ ଚରିତ୍ର ପରିବେଶ ସହିତ ସଂଯୁକ୍ତ ବା ଅନୁସୃତ । ‘ଆଲାଲେ’ର ପରିବେଶ ବା କ୍ରିୟାଗତ ସ୍ଥାନ କାଳ ସେ ସମୟର କଲିକତା ଏବଂ ତାହାର ପାଖାପାଖି ଅଞ୍ଚଳ ଯାହା ଦ୍ରୁତ ଗତିରେ ନଗରାୟିତ ହୋଇଚାଲିଥିଲା । ପୁରାତନ ଓ ନୂତନ ମଧ୍ୟରେ ଚାଲିଥିଲା ସୁତୀବ୍ର ସଂଘର୍ଷ । ଆଲୋଡ଼ିତ ଜଟିଳ କୁଟିଳ ପରିବର୍ତ୍ତନୀୟ ଏବଂ ଅସ୍ଥିର ଅନିଶ୍ଚିତ ଘଟଣାବଳୀର ସମୟ ସୀମା ହେଲା ୧୭୭୫ ଠାରୁ ୧୮୨୫ । ଊନବିଂଶ ଶତକର ପ୍ରଥମ ଦୁଇ ଦଶକରେ ଜୀବନ ସମ୍ପର୍କିତ ଦୃଷ୍ଟି ଭଙ୍ଗିରେ ସମୀକରଣ, ସମୀଭବନ ଏବଂ ସମତା ସମନ୍ୱୟର ଥିଲା ସେତେବେଳେ ଅନେକ ଭବିଷ୍ୟତର । ଗୋଟିଏ ପ୍ରଚଣ୍ଡ ବିକ୍ଷିପ୍ତତାର ମଧ୍ୟରେ ଛିନ୍ନ ଭିନ୍ନ ହୋଇଥିଲା ସେ ସମୟ, ପରିବେଶ ଓ ଜୀବନ ସାମଗ୍ରୀ । ଏହି ସମୟର ସୃଷ୍ଟି ‘ଆଲାଲେ’ ... । ଏ ସମୟର ବାସ୍ତବ ଜୀବନର ସତ୍ୟକୁ ଅତ୍ୟନ୍ତ ବିଶ୍ୱସ୍ତତାର ସହିତ ଉପନ୍ୟାସରେ ସଂପୃକ୍ତ କରିଯାଇଛି । ପରିବେଶର ଏହି ମାନସିକତା ତାର ଅନ୍ତର୍ଗତ ବ୍ୟକ୍ତି ମନ ବା ଜନଗୋଷ୍ଠୀକୁ ନିୟନ୍ତ୍ରିତ କରିଥିଲା । ଏଠାରେ ପ୍ରଶ୍ନ ଉଠେ, ତାହା କି ବ୍ୟକ୍ତି ଓ ଜନ ସମଷ୍ଟି ପରିବେଶର ମାନସିକତା । ଏଥିପାଇଁ ଯୁକ୍ତି ଥାଏ । କିନ୍ତୁ ଏହି ଯୁକ୍ତି ଥାଏ ବୋଲି ଏଥିରେ ପରସ୍ପର ନିର୍ଭରତାର ପ୍ରସଙ୍ଗଟିକୁ ଜୋଡ଼ି ଦିଆ ଯାଇଛି ।

 

ଏଠାରେ ଆଉ ଗୋଟିଏ କଥା ଉଠେ, ଯେତେବେଳେ ବଡ଼ ବଜାରରେ ବାଲି ଓ ବେଣୀ ବାବୁ ପାଖରେ ଶୁଣାଯାଏ ବେଚାରାମ ବାବୁର ପ୍ରଶ୍ନ, ‘‘ଜୀବନେର୍‌ ତାତ୍‌ପର୍ଯ୍ୟ କି ? ତାର ଉଦ୍ଦେଶ୍ୟ ବା ବିଧେୟ କି ? କୋଥାୟେ ତାର ସାର୍ଥକତା ? (ପୃ-୫୨) କହିବା ବାହୁଲ୍ୟ ଏହି ମନନଶୀଳ ପ୍ରଶ୍ନ କାତରତା ଆତ୍ମସଙ୍କଟ ଜାତ, ଅନୁସନ୍ଧାନର ହିଁ ନାମାନ୍ତର । ଯାହା ସେହି ପରିବେଶର ହିଁ ମାନସିକ ସତ୍ୟ । ଯାହା ଥିଲା ସେହି ଯୁଗର ଜିଜ୍ଞାସା । ଦେଶ କାଳ ନିର୍ଭର ଜୀବନ ସାମଗ୍ରିକତାର ଯାହା ଥିଲା ଯଥାର୍ଥ ପରିଚାୟକ । ଊନବିଂଶ ଶତକ ଆଗରେ ଥିବା ସେଇ ଝଞ୍ଜା-କ୍ଷୁବ୍‌ଧ-ଜୀବନ ସମୁଦ୍ରର ପ୍ରବଳ ଆଲୋଡ଼ନ ଭିତରୁ ଉଠି ଆସିଥିଲେ ପ୍ୟାରୀଚାନ୍ଦ ମିତ୍ର-ଯିଏ ଆଧୁନିକ ସମୟର ମଧ୍ୟବିତ୍ତ ବୁଦ୍ଧିଜୀବୀ ନାଗରିକ, ଯାହାର ଦେହ ମନରେ ଥିଲା ବାସ୍ତବ ଜୀବନ ବା ଜୀବନ ବାସ୍ତବତାର ଅସ୍ତିତ୍ୱ । ଆଉ ଯାହାର ହାତରେ ଥିଲା ସେଇ ବାସ୍ତବ ଜୀବନର ସତ୍ୟରେ ନିର୍ମିତ ‘ଆଲାଲେର ଘରେର ଦୁଲାଲ’, ଯାହାର ପ୍ରଧାନ ପରିଚୟ ବଙ୍ଗଳାର ସର୍ବ ପ୍ରଥମ ମୌଳିକ ଉପନ୍ୟାସ ।

 

ଅନୁବାଦ :

କାଳିନ୍ଦୀ ସାହୁ

ଓଡ଼ିଆ ବିଭାଗ

ଶାନ୍ତିନିକେତନ-୭୩୧୨୩୫

 

* ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ବିଶ୍ୱଭାରତୀ ଓଡ଼ିଆ ବିଭାଗରେ ଆୟୋଜିତ ଉପନ୍ୟାସ ଶତବାର୍ଷିକୀ ବିଷୟକ ଆଲୋଚନା-ଚକ୍ରରେ ଉପସ୍ଥାପିତ ପ୍ରବନ୍ଧର ଓଡ଼ିଆ ରୂପାନ୍ତର ।

 

***

 

ପ୍ରଥମ ତାମିଲ ଉପନ୍ୟାସ : ‘ପ୍ରତାପ ମୁଦାଲିୟର ଚରିତ୍ତିରମ’

ଡଃ ସି. ମୁଥ୍‌ଥାୟ

 

ଭାରତୀୟମାନଙ୍କ ଜୀବନ ଓ ସାହିତ୍ୟରେ ଊନବିଂଶ ଶତାବ୍ଦୀ ନବଜାଗରଣ ଯୁଗ । ସେ ସମୟରେ ଭାରତୀୟ ସାହିତ୍ୟିକଗଣ ନୂତନଚିନ୍ତା ଓ ଶୈଳୀରେ ସାହିତ୍ୟକୁ ବିଭିନ୍ନ ଧାରାରେ ଉନ୍ନୀତ କରିଥିଲେ । ତାମିଲି ସାହିତ୍ୟ ପାଇଁ ସେତେବେଳେ ଉପନ୍ୟାସ, କ୍ଷୁଦ୍ରଗଳ୍ପ ଥିଲା ଏକ ନବଦିଗନ୍ତ । ସୃଷ୍ଟିରେ ପ୍ରାଚୁର୍ଯ୍ୟ ନଥିଲା, କିନ୍ତୁ ସାହିତ୍ୟର ଶୈଳୀରେ ଥିଲା ନୂତନତା । ସେ ସମୟ ଥିଲା ସେତେବେଳେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ, କାରଣ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରାଚୀନ ତାମିଲି କ୍ଳାସିକ ରଚନାଠାରୁ ସାହିତ୍ୟିକମାନଙ୍କର ମୋହ ଛାଡ଼ି ଆସୁଥିଲା ଏବଂ ଆଧୁନିକ ତାମିଲି ଗଦ୍ୟ ସାହିତ୍ୟ ରଚନା ପାଇଁ ପଥ ପରିଷ୍କାର ହେଉଥିଲା । ଏହି ନୂତନ ପରିବର୍ତ୍ତନର ପ୍ରଥମ ବାର୍ତ୍ତାବହ ହେଉଛି ବେଦନାୟକମ୍‌ ପିଲ୍ଲାଇଙ୍କର ‘ପ୍ରତାପ ମୁଦାଲିୟର ଚରିତ୍ତିରମ୍‌’ ଉପନ୍ୟାସ । ଏହାର ମୁଖବନ୍ଧରେ ଉପନ୍ୟାସ ଲେଖିବାର କାରଣ ଅନୁସନ୍ଧାନ ସମ୍ପର୍କରେ ସେ କହନ୍ତି ‘‘ଉପନ୍ୟାସ ଲେଖିବାରେ ମୋର ଉଦ୍ଦେଶ୍ୟ ହେଉଛି ତାମିଲ ଗଦ୍ୟ ସାହିତ୍ୟର ଅଭାବ ପୂରଣ ନିମିତ୍ତ ଏହି ଅଭାବ ଯାହା ଜନସାଧାରଣଙ୍କର ଆବଶ୍ୟକ ଏବଂ ଗ୍ରହଣୀୟ । ଅନ୍ୟପକ୍ଷରେ ଏହା ମଧ୍ୟ ଦେବ ସର୍ବାଧିକ ନୈତିକତା ସମ୍ବଳିତ ବାସ୍ତବ ଦୃଷ୍ଟାନ୍ତ, ଯାହା ମୋର ପୂର୍ବବର୍ତ୍ତୀ କାବ୍ୟ ରଚନା ଗୁଡ଼ିକରେ ନିହିତ । ଯଥା-ନିତିନୁଲ, ପେନମଦିମାଲାଇ, ଦେବମାତା ଅନ୍ଦାଦି, ଥିରୁବରୁଲ ଅନ୍ଦାଦି, ଥିରୁବରୁଲ ମାଲାଇ, ସତ୍ୟବେଦ କୀର୍ତ୍ତନାଇ, ସର୍ବସମୟ ସାମରସ କିର୍ତ୍ତନାଇ, ଦେବତୋଥିର ମାଲଇ, ଚିଦାନ୍ଦ ସଂକିରକମ୍‌, ପେରିୟ ନାୟକୀ ଆମାପାଦିକମ୍‌, ପୋମାଇକ୍‌ କଲ୍ୟାନମ୍‌, ଇତ୍ୟାଦି । (ପ୍ର. ଚ. ମୁଖବନ୍ଧ ପୃ-୭)

 

ତାଙ୍କର ଉପନ୍ୟାସର ପୂର୍ବବର୍ତ୍ତୀ ରଚନା ସମୂହ ଥିଲା କାବ୍ୟ ରଚନା । ଏଥିରେ ପ୍ରଦର୍ଶିତ ନୀତି ଆଦର୍ଶର ବିଶ୍ଳେଷଣ ପାଇଁ ଗଦ୍ୟ ଉପନ୍ୟାସ ଥିଲା ପ୍ରଶସ୍ତ କ୍ଷେତ୍ର, ଯାହା ସର୍ବ ପ୍ରଥମ ସଦୁପଯୋଗ କରିବାର ସୁଯୋଗ ଲାଭ କରିଛନ୍ତି ବେଦନାୟକମ ପିଲ୍ଲାଇ । ‘‘ସେ ଭାବୁଥିଲେ ପଦ୍ୟଠାରୁ ଗଦ୍ୟ ପଢ଼ିବା ଦ୍ୱାରା ଲୋକମାନେ ହେବେ ବେଶୀ ସଭ୍ୟ ଉନ୍ନତ ଏବଂ ଶୃଙ୍ଖଳିତ । (ପ୍ର. ଚ. ୨୧୨) ‘‘ଆଲୋଚ୍ୟ ଉପନ୍ୟାସର ନାୟିକା ମାଧ୍ୟମରେ ତାମିଲ୍‍ରେ ଗଦ୍ୟଉପନ୍ୟାସର ତୁରନ୍ତ ପ୍ରୟୋଜନୀୟତାକୁ ଦର୍ଶେଇଛନ୍ତି’’ । (ପ୍ର. ଚ. ପୃ-୨୧୨)

 

ଆଧୁନିକ ତାମିଲ ଉପନ୍ୟାସର ପିତା ;

ସଚ୍ଚୋଟ ଏବଂ ସାଧୁ ପ୍ରକୃତିର ଲୋକ ମାୟାରାମ ମୁନସୀଫ ସାମୁଏଲ ବେଦନାୟକମ୍‌ ପିଲ୍ଲାଇଙ୍କୁ କୁହନ୍ତି ଏପର୍ଯ୍ୟନ୍ତ ଆଧୁନିକ ତାମିଲି ଉପନ୍ୟାସର ପିତା । (Tamil culture, vol-X, nc-2-31 ଦ୍ରଷ୍ଟବ୍ୟ) ବେଦନାୟକମ୍‌ ପିଲ୍ଲାଇ ପ୍ରଥମେ ଆଞ୍ଚଳିକ ଭିତ୍ତିଅନୁସାରେ ଗଦ୍ୟ ବ୍ୟବହାର କରିନାହାନ୍ତି । କିନ୍ତୁ ତାମିଲ ଉପନ୍ୟାସ କ୍ଷେତ୍ରରେ ପ୍ରଥମେ ପ୍ରବେଶ କରିବା ନିଶ୍ଚିତ । ପ୍ରଥମ ଉପନ୍ୟାସ ‘‘ପ୍ରତାପ ମୁଦାଲିୟର ଚରିତ୍ତିରମ୍‌’’ ମୁଖବନ୍ଧରେ ସେ କୁହନ୍ତି- ‘‘I am not a rare that a similar work of prosaic fiction in Tamil has ever been presented to the public-I therefore flatter myself that this work will prove both interesting and instructive to all readers, (ପ୍ର. ଚ. ମୁଖବନ୍ଧ ପୃ-୭)

 

 

‘ପ୍ରତାପ ମୁଦାଲିୟର ଚରିତ୍ତିରମ’ ଉପନ୍ୟାସର ଲୋକପ୍ରିୟତା :

ସାମୁଏଲ ବେଦନାୟକମ୍‌ ପିଲ୍ଲାଇ (୧୮୨୬-୮୯) ପ୍ରତାପ ମୁଦାଲିୟର ଚରିତ୍ତିରମ୍‌’ର ଆଦି ସ୍ରଷ୍ଟା (The Life and the Adventures of ‘Pratapa Mudaliyar Charittiram’ ଏହାର ପ୍ରଥମ ପ୍ରକାଶନ (୧୮୭୯) । ସ୍ୱଳ୍ପ ସମୟସୀମା ମଧ୍ୟରେ ଏହାର ବହୁଳ ପ୍ରକାଶନ କରାଯାଇଥିଲା । ଲେଖକଙ୍କର ଜୀବନ କାଳରେ ଏହାକୁ ମଧ୍ୟ ଅନୁବାଦ କରାଯାଇଥିଲା ଇଂରାଜୀକୁ । କିନ୍ତୁ ଏହା ଆଜି ଦୁଷ୍‌ପ୍ରାପ୍ୟ । ଉପନ୍ୟାସଟିର ଜନପ୍ରିୟତା ବା ସାଫଲ୍ୟ ପାଇଁ ଅଛି ଅନେକ କାରଣ । ତଲପୁରାନା, କୋଭାଇ ଏବଂ ପ୍ରପନ୍ତମାନେ ସେତେବେଳେ ଥିଲେ ଶ୍ରେଣୀକୈନ୍ଦ୍ରିକ ଓ ଆଳସ୍ୟ ପରାୟଣ । ଜନସାଧାରଣଙ୍କର ରୁଚି କ’ଣ, ସେଥିପ୍ରତି ସେମାନଙ୍କର ଦୃଷ୍ଟି ନଥିଲା । କିନ୍ତୁ ବେଦନାୟକମ୍‌ ପିଲ୍ଲାଇଙ୍କର ଲକ୍ଷ୍ୟଥିଲା, ସେ ତାମିଲରେ ଭଲ ଗ୍ରନ୍ଥ ଖଣ୍ଡିଏ ରଚନା କରିବେ ଏବଂ ତାହା ସହିତ ଯାହା ତାଙ୍କ ଦେଶ ଜନସାଧାରଣଙ୍କର ଆଧୁନିକ ରୁଚିକୁ, ଖାପ ଖାଉଥିବ । ଏହି ନୂତନ ଦୃଷ୍ଟିଭଙ୍ଗୀରୁ ସେ ହୋଇ ପାରିଲେ ବିପୁଳ ବିଜୟର ଅଧିକାରୀ । ଯେଉଁ ନୂତନ ଶୈଳୀର ଲେଖା ସେ ତାମିଲରେ ଆରମ୍ଭ କଲେ, ତାହାର ନାମ ଦେଲେ ଗଦ୍ୟ ଉପନ୍ୟାସ । ତାମିଲରେ ସେତେବେଳେ ଥିଲା କାବ୍ୟଯୁଗ । ହଠାତ୍‌ କାବ୍ୟାଳୟରେ ଗଦ୍ୟର ପ୍ରବେଶ ଥିଲା ସମ୍ପୂର୍ଣ୍ଣ ନୂଆ । ଏଇ ନୂତନ ପରିବର୍ତ୍ତନ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କଲା । ଗଦ୍ୟର ମୂଲ୍ୟ ଜନସାଧାରଣ ବୁଝିବା ଫଳରେ ଏହା ପ୍ରତ୍ୟେକଙ୍କ ହୃଦୟକୁ ଛୁଇଁ ପାରିଲା । ଏହା ମଧ୍ୟରେ ଥିଲା ପ୍ରଶସ୍ତ କ୍ଷେତ୍ର, ସେ ସମୟର ଦୁର୍ବଳତାକୁ ଲୋକମାନଙ୍କ ଆଗରେ ପ୍ରକଟ କରିବା ପାଇଁ । ବାସ୍ତବରେ ସେମାନଙ୍କ ପାଇଁ ଏହା ଥିଲା ଏକ ନୂତନ ଅଭିଜ୍ଞତା । ବେଦନାୟକମ୍‌ ପିଲ୍ଲାଇଙ୍କ ପୂର୍ବରୁ ତାମିଲ ସାହିତ୍ୟରେ ବହୁଳ ପ୍ରଚଳନ ଥିଲା ଅତିଶୟ କଳ୍ପନା ପ୍ରସୂତ ଲେଖା ଓ ଖାଲି ରୋମାନସ୍ । କିନ୍ତୁ ବାସ୍ତବ ଉପାଦାନକୁ ସାହିତ୍ୟରେ ଅନ୍ତର୍ଭୁକ୍ତ କରିବାର ଦ୍ୱାରା ଉନ୍ମୋଚନ କଲେ ବେଦନାୟକମ୍‌ ପିଲ୍ଲାଇ । ଉପନ୍ୟାସଟି ଏହିସବୁ କାରଣରୁ ସର୍ବାଧିକ ଜନପ୍ରିୟ ହୋଇ ପାରିଥିଲା ।

 

ପ୍ରତାପ ମୁଦାଲିୟର ଚରିତ୍ତିରମ :

‘ପ୍ରତାପ ମୁଦାଲିୟର ଚରିତ୍ତିରମ୍‌’ର ପ୍ରକାଶକାଳ ୧୮୭୯ । ଉପନ୍ୟାସଟିର ଶୈଳୀ ଆତ୍ମଜୀବନୀ ମୂଳକ । ଏଥିରେ ଉପସ୍ଥାପିତ ପ୍ରତ୍ୟେକ ବର୍ଣ୍ଣିତ ଦୃଶ୍ୟ ଦକ୍ଷିଣ ଭାରତର । ନାୟକ ଏହାର ଉଚ୍ଚଶିକ୍ଷିତ ଏବଂ ଭଦ୍ର । ଉପନ୍ୟାସରେ ବର୍ଣ୍ଣିତ ହୋଇଛି ନାୟକର ଜନ୍ମ, ପୈତୃକ ଶିକ୍ଷା, ବିବାହ ଏବଂ ନିଜସ୍ୱ ଜୀବନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ବିବରଣ । ବର୍ଣ୍ଣନାରେ ଅଛି ହାସ୍ୟରସିକତାର ବିଭିନ୍ନଦିଗ ଏବଂ ନୈତିକଶିକ୍ଷାର ମୂଲ୍ୟ ଉପରେ ମନ୍ତବ୍ୟ ଇତ୍ୟାଦିର ସମ୍ମିଶ୍ରିତ ରୂପ । ଉପନ୍ୟାସଟି ତିନୋଟି ଅଂଶରେ ବିଭକ୍ତ । ପ୍ରଥମ ଅଂଶରେ ନାୟକର ପିଲାବେଳର କଥା । ଦ୍ୱିତୀୟ ଅଂଶରେ ତାଙ୍କ ଜୀବନରେ କନକସବାଇ ଟାଉନ୍‌ରେ ଘଟିଥିବା ଘଟଣାବଳୀର ଚିତ୍ର ଏବଂ ତୃତୀୟ ଅଂଶରେ ବର୍ଣ୍ଣିତ ନାୟକ ନାୟିକାର ଜଙ୍ଗଲୀ ଜୀବନ କଥା ।

 

ଶୁକୁନ ସୁନ୍ଦରୀ ଚରିତ୍ତିରମ୍‌ :

‘ଶୁକୁନ୍‌ ସୁନ୍ଦରୀ ଚରିତ୍ତିରମ୍‌’ ସେଇ ଜଣେ ଲେଖକଙ୍କର ଦ୍ୱିତୀୟ ଉପନ୍ୟାସ । ଏହାର ରଚନାକାଳ ୧୮୮୭ । ‘ପ୍ରତାପ ମୁଦାଲିୟର ଚରିର୍ତ୍ତରମ୍‌’ ପରି ଏହାର ସେତେ ଜନପ୍ରିୟତା ନାହିଁ । କାରଣ ଏ ଉପନ୍ୟାସଟି ସହିତ ଲେଖକଙ୍କର ଅନ୍ୟ ରଚନାଗୁଡ଼ିକ ମଧ୍ୟ, ଦୀର୍ଘ ଆଭାସ ନୀତି-ଗଳ୍ପଦ୍ୱାରା ଆଚ୍ଛାଦିତ । ଲେଖକ ଯେଉଁ ଯୁଗରେ ବାସକରେ, ସେ ତା’ର ପାରିପାର୍ଶ୍ୱିକ ଅବସ୍ଥାରୁ ବହିର୍ଭୂତ ନୁହେଁ । ସମାଜ ସହିତ ଯେକୌଣସି ବାଟରେ ତା’ର ସଂପୃକ୍ତି ଅନିବାର୍ଯ୍ୟ । ଏହି କାରଣରୁ ସମସାମୟିକ କିମ୍ବା ଅତୀତର ସାମାଜିକ ଚିତ୍ର ତା ଉପନ୍ୟାସରେ ଦେଖା ଦେବା ସ୍ୱାଭାବିକ । ତାଙ୍କ ଉପନ୍ୟାସରେ ସମସାମୟିକ ସାମାଜିକ ଚିତ୍ର ପ୍ରତିଫଳନ ସମ୍ପର୍କରେ ‘ପ୍ରତାପ ମୁଦାଲିୟର ଚରିତ୍ତିରମ୍‌’ ମୁଖବନ୍ଧରେ ସେ ଏ କଥା ସ୍ପଷ୍ଟ କରିଛନ୍ତି । This work contains faithful pictures of the National characters, domestic life, habits and manners of the people in South India, interspersed with many amusing incidents and interesting stories (P. C. Preface-P. 8)

 

ତେଣୁ ଅନୁଦେଶ ଓ ଆମୋଦ ଉଦ୍ଦେଶ୍ୟରେ ତାତ୍‌କାଳିକ ସମାଜ-ସମସ୍ୟା ପ୍ରସଙ୍ଗ ଆରୋପଣ ବେଦନାୟକମ୍‌ ପିଲ୍ଲାଇ ଇଚ୍ଛାନୁସାରେ କରିଛନ୍ତି ।

 

୧) ହାସ୍ୟ :

ବେଦନାୟକମ୍‌ ପିଲ୍ଲାଇ ଊନବିଂଶ ଶତାବ୍ଦୀର ଜଣେ ଉଲ୍ଲେଖନୀୟ ହାସ୍ୟଶିଳ୍ପୀ । ଉପନ୍ୟାସର ହାସ୍ୟରସାତ୍ମକ ପ୍ରସଙ୍ଗ ପାଠକକୁ କେବଳ ହସାଏ ନାହିଁ ବରଂ ସୁଯୋଗ ଦିଏ ଭାବିବାକୁ । ପ୍ରତାପ ମୁଦାଲିୟର ଚରିତ୍ତିରମ କାହାଣୀ ହାସ୍ୟରସ ମିଶ୍ରିତ । ଉପନ୍ୟାସର ପ୍ରାରମ୍ଭରୁ ଗୋଟିଏ ଦୃଶ୍ୟରେ ହାସ୍ୟରସର ଅବତାରଣା ଅଛି । ଏହିପରି ଦୁର୍ଘଟଣାଗ୍ରସ୍ତ ଜଣେ ନବାବକୁ ସାହାଯ୍ୟ କରିଛନ୍ତି ନାୟକର ଅଜା । ତା’ର ପ୍ରତିବଦଳରେ ସେ ଗୁରୁତର ଅପରାଧରେ ଦଣ୍ଡିତ ହୋଇଛନ୍ତି । (ପ୍ର.ଚ. ପୃ-୧-୨) ଦ୍ୱିତୀୟ ଅଂଶରେ ନାୟକର ପିଲାବେଳର ସାହସିକ କର୍ମଗୁଡ଼ିକ ହାସ୍ୟରସାତ୍ମକ । (ପ୍ର. ଚ. ପୃ-୮-୧୨) ଉପନ୍ୟାସରେ ହାସ୍ୟ ସୃଷ୍ଟିପାଇଁ ସେ ନିଜେ ମନରୁ ଗଢ଼ିଛନ୍ତି ଚରିତ୍ର ଏବଂ ଘଟଣାବଳୀ ।

 

୨) ଶାସନ :

ବେଦନାୟକମ୍‌ ପିଲ୍ଲାଇଙ୍କର ପ୍ରଥମ ଉପନ୍ୟାସ ରଚନା କାଳରେ ସମଗ୍ର ଭାରତବର୍ଷ ଥିଲା ବ୍ରିଟିଶମାନଙ୍କ ଶାସନ ଅଧୀନରେ । ତେଣୁ ସେ ଉପନ୍ୟାସର ବିଭିନ୍ନ ଦୃଶ୍ୟରେ ବ୍ରିଟିଶ ଶାସନ ସଂପର୍କରେ ଦୃଷ୍ଟାନ୍ତ ଦେଇଛନ୍ତି । (ପ୍ର. ଚ. -ପୃ-୧୩) ଏବଂ (ସୁ. ସୁ ପୃ-୧୫-୭୭) ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଫ୍ରେଞ୍ଚ ଏବଂ ପର୍ତ୍ତୁଗୀଜ୍‌ମାନଙ୍କର କଥା । (ସୁ, ସୁ. ପୃ ୪୪)

 

୩) ଇଂରେଜୀ ଶିକ୍ଷା :

ସେତେବେଳେ ଇଂରେଜୀ ଶିକ୍ଷାକୁ ପ୍ରୋତ୍ସାହନ କରାଯାଉଥିଲା । ଶିକ୍ଷାନୁଷ୍ଠାନମାନଙ୍କରେ ମାଧ୍ୟମ ନିର୍ଦ୍ଦେଶ ଥିଲା ଇଂରେଜୀ ଭାଷା । ଏହାର ପ୍ରାଧାନ୍ୟ ବିସ୍ତୃତ ଥିଲା ଭାରତୀୟମାନଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ । ବିଚାରାଳୟର ଭାଷାଥିଲା ଇଂରେଜୀ, ପ୍ରଶାସନିକ ଭାଷା ମଧ୍ୟ ଥିଲା ଇଂରେଜୀ । ଚାକିରୀ, ଅର୍ଥ, ଉଦ୍ଦେଶ୍ୟରେ ଅଧିକାଂଶ ଲୋକ ମନ ବଳାଉଥିଲେ ଇଂରେଜୀଶିକ୍ଷା ପାଇଁ । ଧନିଘରର ପିଲାମାନଙ୍କର ପାଠ ପଢ଼ା ପଢ଼ି ପ୍ରତି ଗୁରୁତ୍ୱ ନଥିଲା । (ପ୍ର. ଚ. ପୃ-୩) ।

 

୪) ସହଶିକ୍ଷା :

ବେଦନାୟକମ୍‌ ପିଲ୍ଲାଇ ସହଶିକ୍ଷାର ସୁବିଧା ଉପଲବ୍‌ଧି କରିଥିଲେ । ଉପନ୍ୟାସରେ ଏହା ପରୀକ୍ଷିତ । ଜଣେ ଗୃହ ଶିକ୍ଷକଙ୍କ ନିକଟରେ ସ୍ୱଳ୍ପ ବିଦ୍ୟା ଶିକ୍ଷା କରନ୍ତି କନକ ସବାଇ ଓ ପ୍ରତାପ ମୁଦାଲିୟର । ନାୟିକା ଗାଂନାମ୍‌ବାଲା ସେମାନେ ଯେତେବେଳେ ଏକାଠି ପଢ଼ନ୍ତି ଉଭୟ ଭଲ ପାଠ ପଢ଼ିଲେ । ଯଦିଓ ସହଶିକ୍ଷାର ପ୍ରଚଳନ ନୀତି ଆଭ୍ୟାସିକ ଅବସ୍ଥାରେ ଥିଲା, ତଥାପି ବୟୋବୃଦ୍ଧି ବୟସରେ ଝିଅ ପୁଅ ଏକ ସ୍ଥାନରେ ବସି ପଢ଼ିବାପାଇଁ ସେମାନଙ୍କୁ ନିର୍ଦ୍ଦେଶ ନ ଥିଲା । (ପ୍ର. ଚ. ପୃ-୪୬)

 

୫) ମାତୃଭାଷା ପ୍ରତି ଗୁରତ୍ୱ :

ଇଂରେଜୀ ଶିକ୍ଷାର ପ୍ରସାର ଦିନକୁ ଦିନ ବୃଦ୍ଧି ପାଉଥିଲା । ଫଳରେ ଅଧିକାଂଶ ଲୋକ ଅବହେଳା ପ୍ରଦର୍ଶନ କରୁଥିଲେ ସେମାନଙ୍କ ମାତୃଭାଷା ପ୍ରତି । (ପ୍ର, ଚ, ପୃ-୧୨୩) ଜାତୀୟ ଭାଷାପ୍ରତି ଥିଲା ଲୋକଙ୍କର ଅତ୍ୟଧିକ ଅବଜ୍ଞା । ମାତୃଭାଷାର ଗୁରୁତ୍ୱ କେବଳ ଅଳ୍ପ କେତେକ ଲୋକ ହୃଦୟଙ୍ଗମ କରୁଥିଲେ ।

 

୬) ସରକାରୀ ଭାଷାଭାବେ ତାମିଲ:

ତାମିଲି ଭାଷାକୁ ପ୍ରଶାସନିକ ଉଦ୍ଦେଶ୍ୟରେ ଉତ୍ସାହିତ କରୁଥିଲେ ବେଦନାୟକମ୍‌ ପିଲ୍ଲାଇ (ପ୍ର, ଚ, ପୃ-୨୦୬- ୨୦୯) ଇଂରେଜମାନଙ୍କୁ ତାଙ୍କ ସମୟରେ ସେ ପଦମର୍ଯ୍ୟାଦା ଦେବା ପାଇଁ ଭଲ ପାଉନଥିଲେ । ଜନସାଧାରଣଙ୍କ ଭାଷା ପ୍ରଶାସନିକ ଭାଷା ହେବା ଉଚିତ । ସେ ଏ କଥା ସଦା ଆନ୍ତରିକତା ସହ ଚିନ୍ତା କରୁଥିଲେ ।

 

୭) ଜାତି ଏବଂ ଧର୍ମ :

ଊନବିଂଶ ଶତାବ୍ଦୀ ଭାରତରେ ଧର୍ମ ଏବଂ ଜାତି ବିଭିନ୍ନ ଭାଗରେ ବିଭକ୍ତ ହୋଇଥିଲା । ବିଭିନ୍ନ ଜାତି ମଧ୍ୟରେ ଥିଲା ବିଭିନ୍ନ ଜାତି ଓ ଉପଜାତିର ଅନ୍ତର୍ଭୁକ୍ତ । ସେମାନଙ୍କ ମଧ୍ୟରେ ବ୍ରାହ୍ମଣ ଏବଂ ଅନ୍ୟାନ୍ୟ ଜାତି ସାଧାରଣରେ ଏଇ ଦୁଇଭାଗରେ ବିଭକ୍ତ । (ପ୍ର, ଚ, ପୃ-୨୬) ହିନ୍ଦୁମାନେ ମୁସଲିମମାନଙ୍କୁ ଛୁଉଁ ନଥିଲେ । ପ୍ରାରମ୍ଭରୁ ପ୍ରତାପ ମୁଦାଲିୟର ଚିରତ୍ତିରମ୍‌ ଉପନ୍ୟାସରେ ଗୋଟିଏ ଘଟଣାର ଦ୍ରଷ୍ଟବ୍ୟ । (ପ୍ର, ଚ, ପୃ-୧-୨) ଭାରତରେ ବ୍ରିଟିଶ୍‌ ଶାସନ ପ୍ରତିଷ୍ଠା ଫଳରେ ହେଲା ଖ୍ରୀଷ୍ଟଧର୍ମର ବହୁଳ ପ୍ରସାର । ଇଂରେଜମାନେ ବ୍ରାହ୍ମଣ ଅବ୍ରାହ୍ମଣ ଉଭୟ ବାଳିକାମାନଙ୍କୁ ଦୁଇ ବର୍ଷ ବୟସରୁ ଶିକ୍ଷା ପ୍ରଦାନ କରୁଥିଲେ । (ସୁ, ସୁ, ଚ, ପୃ-୫୬) ।

 

୮) ବିବାହ :

ବୈବାହିକ ସମ୍ବନ୍ଧ ସ୍ଥାପନ କରାଯାଉଥିଲା ବର କନ୍ୟାଙ୍କର ବିନା ପରାମର୍ଶରେ । ପିତାମାତାଙ୍କର ମତ ଉପରେ ପ୍ରାଧାନ୍ୟ ଦିଆ ଯାଉଥିଲା । ପୁରୁଷମାନଙ୍କ କ୍ଷେତ୍ରରେ କେବଳ ଅଳ୍ପ କେତେକ ସେମାନଙ୍କ ଇଚ୍ଛା ସାବ୍ୟସ୍ତ କରୁଥିଲେ । ନାରୀମାନଙ୍କ କ୍ଷେତ୍ରରେ ବିବାହ ପାଇଁ ସେମାନେ ବାଧ୍ୟ ହେଉଥିଲେ ପିତାମାତା ନିର୍ଦ୍ଦିଷ୍ଟ କରିଥିବା ବରପାତ୍ରକୁ (ପ୍ର, ଚ, ପୃ -୫୩) ଦୁଇ ବିବାହ ପକ୍ଷଙ୍କ ମଧ୍ୟରେ ସେତେବେଳେ କଳିମନାନ୍ତର ଥିଲା ସାଧାରଣ । (ପ୍ର, ଚ, ପୃ-୫୩) ପାଶ୍ଚାତ୍ୟ ପ୍ରଭାବ ବିବାହ ପ୍ରଥା ଉପରେ ପଡ଼ିବାରୁ ଏହାର ପାରଂପାରିକ ଗୁରୁତ୍ୱ ହ୍ରାସ ପାଇଲା । ପାଶ୍ଚାତ ମାନଙ୍କ ମତରେ, ‘ବିବାହ ଅର୍ଥ କିଛି ନୁହେଁ, ଏହା କେବଳ ଜଣେ ପୁରୁଷ ଆଉ ସ୍ତ୍ରୀ ମଧ୍ୟରେ ଚୁକ୍ତିବଦ୍ଧତା । କିନ୍ତୁ ପାଶ୍ଚାତ୍ୟ ମନୋଭାବ ହେଲା ଏ ଦେଶରେ ଉପେକ୍ଷିତ (ପ୍ର, ଚ, ପୃ-୫୪) ।

୯) ବାଲ୍ୟବିବାହ :

ସେ ସମୟରେ ବାଲ୍ୟବିବାହ ଥିଲା ସାଧାରଣ । ବାଲ୍ୟବିବାହଦ୍ୱାରା ସୃଷ୍ଟି ହୋଇଥିବା ଅଳ୍ପ କେତେକ ଦୋଷତ୍ରୁଟିକୁ ଚିହ୍ନିତ କରାଯାଇଛି ଉପନ୍ୟାସରେ । ଏହା ମଧ୍ୟରୁ ଅଳ୍ପବୟସରୁ ମାତୃତ୍ୱ ଲାଭ । ବାଲ୍ୟବିଧବା ଇତ୍ୟାଦି ଦ୍ରଷ୍ଟବ୍ୟ । (ସୁ, ଚ, ପୃ-୫୯) ।

 

୧୦) ବିଧବା ପୁନର୍ବିବାହ :

ବ୍ରିଟିଶ ସରକାର ଲୋକମାନଙ୍କୁ ପ୍ରବର୍ତ୍ତାଉଥିଲେ ୧୮୫୬ ଖ୍ରୀଷ୍ଟାବ୍ଦରେ Widow-Reform Act ପ୍ରଚଳନ କରିବାପାଇଁ । କିନ୍ତୁ ସେତେବେଳେ ଏହି ନିୟମ ପ୍ରତି ଭୀଷଣ ପ୍ରତିରୋଧ କରାଯାଇଥିଲା । ପ୍ରତାପ ମୁଦାଲିୟର ଚରିତ୍ତିରମ୍‌ରେ ବ୍ରାହ୍ମସମାଜର ଗୋଟିଏ ପ୍ରସଙ୍ଗ ଅଛି । ବିଧବା ପୁନର୍ବିବାହ ଉଦ୍ଦେଶ୍ୟର ବ୍ରାହ୍ମସମାଜ ପକ୍ଷରୁ ପ୍ରଚାର ଚାଲିଥିବା କଥା ଏଥିରେ କୁହାଯାଇଛି ।

 

୧୧) ସତୀ ପ୍ରଥା :

ଆଇନ ବଳରେ ସତୀପ୍ରଥା ନିଷେଧ କରାଗଲା ୧୮୨୯ ଡିସେମ୍ବର ମାସରେ ବଙ୍ଗଳାରେ ଓ ୧୮୩୦ ଫେବୃୟାରୀ ମାଡ୍ରାସରେ । ସେମାନେ ଏଇ ନୀତିକୁ କ୍ୱଚିତ୍‌ କେମିତି ଅଭ୍ୟାସ କରୁଥିଲେ । ପ୍ରତାପ ମୁଦାଲିୟର ଉପନ୍ୟାସ କହେ ‘‘ସେତେବେଳେ ଅସଂଖ୍ୟ ବିଶ୍ୱସ୍ତ ଏକ ପ୍ରତିବ୍ରତା ପତ୍ନୀ ନିଜର ଇଚ୍ଛା ଅନୁସାରେ ସତୀହେବାକୁ ପ୍ରତିଶ୍ରୁତବଦ୍ଧ ହୁଅନ୍ତି । (ପ୍ର, ଚ, ପୃ-୮୭) ‘ସୁକୁନ ସୁନ୍ଦରୀ ଚରିତ୍ତିରମ୍‌’ ଉପନ୍ୟାସରେ ଜଣେ ଯୁବତୀର ଭାବନା ତତ୍‌କାଳୀନ ସମାଜର ପାଠକ ମନରେ ଗଭୀର ରେଖାପାତ କରେ । ଯେତେବେଳେ ସେ ଅକପଟରେ କହିଛି ତା ମାଆ ଆଗରେ ‘ସେ ଯଦି ଆଗ ମରିଯାଏ ତା’ର ସ୍ୱାମୀ କଣ ତା ପାଇଁ ସତୀ ହେବାକୁ ପ୍ରସ୍ତୁତି ହୋଇ ଥାଆନ୍ତା କି ? (ସୁ, ଚ, ପୃ -୬୦-୬୧) ଅଜଣାନ୍ତରେ ଏ ଝିଅଟିର ପ୍ରଶ୍ନ ସେତେବେଳର ଅନ୍ଧ କୁସଂସ୍କାରଚ୍ଛନ୍ନ ଜନସମାଜକୁ ଏହାଥିଲା ଏକ ଦୃଢ଼ ଚେତାବନୀ ।

 

୧୨) ବିମାତାର ନିଷ୍ଠୁରତା

ବିମାତାର ନିଷ୍ଠୁର ଆଚରଣ (ପ୍ର, ଚ, ପୃ-୧୫୦-୧୫୭) ଦ୍ରଷ୍ଟବ୍ୟ । ଶାଶୁ ଏବଂ ଭାଉଜର ଅତ୍ୟାଚାର (ପ୍ର, ଚ, ପୃ -୬୭ -୭୦)ର ପ୍ରସଙ୍ଗ ଅନ୍ତର୍ଗତ ।

 

୧୩) ଚାକରମାନଙ୍କ ପ୍ରତି ଦୁର୍ବ୍ୟବହାର :

ଚାକରମାନଙ୍କୁ ବେଳେ ବେଳେ କ୍ରୀତଦାସଙ୍କ ଭଳି ନିର୍ଯ୍ୟାତନା ଦିଆଯାଉଥିଲା । (ପ୍ର, ଚ, ପୃ-୧୧୩ ଦ୍ରଷ୍ଟବ୍ୟ) ।

 

୧୪) ନାରୀ ଶାସନ :

ନାରୀର ବୁଦ୍ଧି, ଦକ୍ଷତା, ସାହସିକତା ଓ ବଦାନ୍ୟତା ଉପନ୍ୟାସରେ ପାଠକର ଦୃଷ୍ଟି ଆକର୍ଷଣ କରେ । ଏଥିରୁ ବୁଝାଯାଏ ନାରୀ ସାମର୍ଥ୍ୟପ୍ରତି ଲେଖକଙ୍କର ଥିଲା ଦୃଢ଼ ବିଶ୍ୱାସ ଏବଂ ତାଙ୍କ ଭାବନାରେ ଥିଲା ବିସ୍ତୃତ ଓ ସଂପ୍ରସାରିତ ନାରୀଶାସନର ରୂପ । ଉପନ୍ୟାସରେ ଏହା ପ୍ରମାଣିତ । ବିକ୍ରମ ପୁରୀରେ ଗାଁନାମବାଲାଥିଲା ଅସ୍ଥାୟୀଭାବେ ଶାସନ ଦାୟିତ୍ୱରେ ନିୟୋତ୍ରିତା । ଦ୍ୱିତୀୟ ଉପନ୍ୟାସର ଶେଷରେ ନାୟିକା ରାଣୀ ପଦରେ ଅଧିଷ୍ଠିତ ହେଲେ । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ବେଦନାୟକମ୍‌ ପିଲ୍ଲାଇଙ୍କର ନାରୀର ପଦମର୍ଯ୍ୟାଦା ପ୍ରତି ସମ୍ମାନ ଥିଲା ।

 

୧୫) ରାଜସ୍ୱ

ସରକାର ଜନ୍ମ, ମୃତ୍ୟୁ, ବିବାହ ଓ ପଶୁପାଳନ ପାଇଁ ମଧ୍ୟ କର ସଂଗ୍ରହ କରୁଥିଲେ । ଏସମସ୍ତ କରଧନକୁ ଲେଖକ ଅନ୍ୟାୟ ଘୋଷଣା କରିଥିଲେ । ସେ ଚାହୁଁଥିଲେ ଶାସକଙ୍କର କର ବୃଦ୍ଧି ବଦଳରେ ଖର୍ଚ୍ଚ କାଟ କରାଯାଉ । (ପ୍ର, ଚ, ପୃ- ୧୮୯-୧୯୮)

 

୧୬) ଦୁର୍ନୀତି :

ରାଜ୍ୟର ମାଜିଷ୍ଟ୍ରେଟ, ଆଡଭୋକେଟ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଫିସରମାନଙ୍କ ଦୁର୍ନୀତି ଉପନ୍ୟାସରେ ବିଶ୍ଳେଷିତ । ଲେଖକ ରାଜ୍ୟର ଜଣେ ଜିଲ୍ଲା ମୁନସୀଫ୍‌ ଥିଲେ । ଏହି କାରଣରୁ ଯେଉଁମାନେ ଦୁର୍ନୀତିଗ୍ରସ୍ତ ତାଙ୍କୁ ଅଜଣା ନଥିଲା । ‘‘ତାଙ୍କ ମତରେ, ସବୁ ଜଜ୍‌ ଏବଂ ସାକ୍ଷୀମାନେ ଥିଲେ ମିଛୁଆ ଏବଂ ପ୍ରତାରକ, (ସୁ, ଚ, ପୃ -୧୪୭-୧୪୯) ମନ୍ଦିରର ଟ୍ରଷ୍ଟୀ ଏବଂ ଅଶିକ୍ଷିତ ବ୍ୟବସାୟୀ ମଧ୍ୟ ଥିଲେ ଦୁର୍ନୀତିଗ୍ରସ୍ତ । (ପ୍ର, ଚ, ପୃ-୪୭-୧୪୯) ମୋଟ ଉପରେ ଦୁର୍ନୀତି ସେତେବେଳେ ଏକ ସାଧାରଣ କଥା ଏବଂ ପ୍ରତ୍ୟେକ ଲୋକର ଥିଲା ଅନୁଭୂତିସିଦ୍ଧ ।

 

୧୭) ଗ୍ରାମ୍ୟ ପରିଷଦ :

ଗ୍ରାମ୍ୟବିବାଦ ଉଦ୍ଦେଶ୍ୟରେ ବେଦନାୟକମ୍‌ ପିଲ୍ଲାଇ ଗ୍ରାମ୍ୟପରିଷଦ ବନ୍ଦୋବସ୍ତ ପାଇଁ ସୁପାରିସ କରିଥିଲେ । (ପ୍ର, ଚ, ପୃ-୧୧୭)

 

 

୧୮) ସୁଶାସନ ଓ ଏହାର ଦାୟିତ୍ୱ :

ଲେଖକ କେତେକ ଗଠନମୂଳକ ସଂସ୍ଥାର ପ୍ରସ୍ତାବ ଆଣିଥିଲେ ଶାସନ କ୍ଷେତ୍ରରେ । ତାଙ୍କ ମତରେ କୃଷିର ବିକାଶ, ଅଧିକ ଚିକିତ୍ସାଳୟ ସ୍ଥାପନ, ପ୍ରାଚୀନ ସଂସ୍କୃତି ସୁରକ୍ଷା, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ମାଗଣା ଶିକ୍ଷା ପଦ୍ଧତି, ନୂତନ ସ୍କୁଲ, ଶିଳ୍ପଭିତ୍ତିକ ଶିକ୍ଷା କେନ୍ଦ୍ର, ଧର୍ମଶାଳା ପ୍ରଭୃତି ପ୍ରଥମେ ସରକାର ହାତକୁ ନେବା ଉଚିତ । (ପ୍ର, ଚ, ପୃ-୧୮୨-୧୮୩)

 

ଗୋଟିଏ ନୂଆଧାରା ଫିଟାଇଲେ ବେଦନାୟକମ୍‌ ପିଲ୍ଲାଇ ତାମିଲ ସାହିତ୍ୟରେ । ବସ୍ତୁତଃ କୁହାଯାଏ ଆଧୁନିକ ତାମିଲ ସାହିତ୍ୟରେ ଆରମ୍ଭ ପ୍ରତାପ ମୁଦାଲିୟର ଚରିତ୍ତିରମ୍‌ ଉପନ୍ୟାସର ଜନ୍ମଠାରୁ । ସାଧାରଣତର ତାମିଲ ସାହିତ୍ୟ ଇତିହାସରେ ଏହା ଗୋଟିଏ ମାଇଲ ସ୍ତମ୍ଭ ସଦୃଶ । ତାମିଲ ଉପନ୍ୟାସ ସାହିତ୍ୟର ଇତିହାସର ଏହାର ସ୍ଥାନ ସର୍ବୋଚ୍ଚ । ତାମିଲ ଗଦ୍ୟ ରଚନାରେ ଏହା ପ୍ରାଥମିକ ପ୍ରୟାସ ହେଲେ ମଧ୍ୟ କଳା ସୃଷ୍ଟିର ସଫଳତା ଦୃଷ୍ଟିରୁ ସ୍ୱୟଂ ସମ୍ପୂର୍ଣ୍ଣ । ପୃଥିବୀର ଅନ୍ୟକେତେକ ବିଶିଷ୍ଟ ଉପନ୍ୟାସ ଗୁଡ଼ିକ ମଧ୍ୟରେ ଏହାର ସ୍ଥାନ ଅନ୍ୟତମ ଏଥିରେ ନିଃସନ୍ଦେହ ।

 

Books Consulted

୧.

ସାମୁଏଲ ବେଦନାୟକମ୍‌ ପିଲ୍ଲାଇ-ପ୍ରତାପ ମୁଦାଲିୟର ଚରିତ୍ତିରମ୍‌, ମାଡ଼୍ରାସ, ୮୭୯୫ (ତାମିଲ)

୨.

ସାମୁଏଲ ବେଦନାୟକମ୍‌ ପିଲ୍ଲାଇ-‘ସୁକୁନ ସୁନ୍ଦରୀ ଚରିତ୍ତିରମ୍‌ । ମାଡ଼୍ରାସ୍‌-୧୯୫୯ (ତାମିଲି)

କା. ନା. ସୁବ୍ରମନିୟମ୍‌-‘ମୁଦଲ ଆଇଁଦୁ ନାବଲ୍‌ କଲ୍‌’ (ପ୍ରଥମ ପାଞ୍ଚଟି ତାମିଲି ଉପନ୍ୟାସ) ତାମିଲ ମାଡ଼୍ରାସ୍‌, ୧୯୫୭

ଦା. ବେ. ବୀର ସାମି-ତାମିଲି ନାବଲ୍‌ ମୁନୋଟମ’ (ପ୍ରଥମ ତାମିଲି ଉପନ୍ୟାସ ଅଧ୍ୟୟନ) (ମାଡ଼୍ରାସ, ୧୯୭୩)

-Kamil V. Zvelelil-Tamil literature (English, Nederland 1973).

-ଭି. ଆଇ ସୁବ୍ରମନିୟନ୍‌-‘‘ତେରନାଇବୁ କଟୁରେ କଲ’’ (Tamilotogy ଉପରେ ଗବେଷଣା ପ୍ରବନ୍ଧ, ତାମିଲ, ମାଡ୍ରାସ, ୧୯୭୭)

୭.

-Tamil Culture-vol, X, No 2

ପ୍ର ଚ-ପ୍ର ତାପ ମୁଦାଲିୟର ଚରିତ୍ତିରମ୍‌ ।

ସ. ଚ,- ସୁକୁନ ସୁନ୍ଦରୀ ଚରିତ୍ତିରମ୍‌ ।

 

ଭାଷାନ୍ତର :

ଶ୍ରୀ କାଳିନ୍ଦୀ ସାହୁ

ଓଡ଼ିଆ ବିଭାଗ, ଶାନ୍ତିନିକେତନ

 

* ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ବିଶ୍ୱଭାରତୀ ଓଡ଼ିଆ ବିଭାଗରେ ଆୟୋଜିତ ଉପନ୍ୟାସ ଶତବାର୍ଷିକୀ ବିଷୟକ ଆଲୋଚନାଚକ୍ରରେ ଉପସ୍ଥାପିତ ପ୍ରବନ୍ଧର ଓଡ଼ିଆ ରୂପାନ୍ତର ।

***

 

ମରାଠୀ ଭାଷାର ପ୍ରଥମ ଉପନ୍ୟାସ

ଶ୍ରୀମତୀ ବୀଣା ଆଲାସେ

 

ମରାଠୀ ଭାଷାରେ ଉପନ୍ୟାସକୁ ‘କାଦମ୍ବରୀ’ କୁହାଯାଏ । ଉକ୍ତ ସମାର୍ଥବୋଧକ ଶବ୍ଦ ବାଣଭଟ୍ଟ ରଚିତ ବିଶିଷ୍ଟ ସଂସ୍କୃତ ଗଳ୍ପ ଗ୍ରନ୍ଥର ନାମାନୁସରଣ ମାତ୍ର । ମୁଁ ନିଶ୍ଚିତ ନୁହେଁ, ତଥାପି ମୋ ଜାଣିବାରେ କୌଣସି ଏକ ନିର୍ଦ୍ଦିଷ୍ଟ ସାହିତ୍ୟିକ ସୃଷ୍ଟିର ନାମାନୁସାରେ ଏକ ସାହିତ୍ୟିକ ବିଭାବର ନାମକରଣ, ଏହାହିଁ ସମ୍ଭବତଃ ଏକମାତ୍ର ଉଦାହରଣ । ସେ ଯାହାହେଉ ୧୯୫୭ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ବାବା ପଦ୍ମନ୍‌ଜୀଙ୍କ ‘ଯମୁନା-ପର୍ଯ୍ୟଟନ’ ମରାଠୀ ଭାଷାର ପ୍ରଥମ ଉପନ୍ୟାସ । ଏହା ଏକ ସାମାଜିକ ଉପନ୍ୟାସ । ଉପନ୍ୟାସଟିର ସୂକ୍ଷ୍ମ ଅନୁଶୀଳନର ଅବ୍ୟବହିତ ପୂର୍ବରୁ ମହାରାଷ୍ଟ୍ରର ସମକାଳୀନ ସାହିତ୍ୟିକ ଚିତ୍ର ଓ ଚରିତ୍ର ଉପରେ ତଡ଼ିତ୍‌ ଦୃଷ୍ଟିପାତ କରାଯିବା ଉଚିତ । କାରଣ ଉପନ୍ୟାସଟିର ସମକାଳୀନ ପୃଷ୍ଠଭୂମି, ଏହାର ପ୍ରକୃତ ମୂଲ୍ୟାୟନରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ, ତାତ୍‌କାଳିକତା’ର ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱ କେତେଦୂର ଯଥାର୍ଥବାଦୀ ଥିଲା, ତାହାର ଧାରଣା ଦେଇ ପାରିବ । ସାଂପ୍ରତିକ କାଳରେ, ସାହିତ୍ୟ ଓ ସାହିତ୍ୟ ଅଧ୍ୟୟନର ଧାରା ବେଶ୍‌ ସମୃଦ୍ଧ ଓ ପୁଷ୍ଟ । ଏହା ସର୍ବବାଦୀ ସ୍ୱୀକୃତ । ତେଣୁ ପୃଷ୍ଠଭୂମି ଓ ସୃଷ୍ଟି କେଉଁଟି ପ୍ରାଥମିକ ଗୁରୁତ୍ୱ ପାଇବ ତାହା ନିର୍ଦ୍ଧାରଣ କରିବା ଯେମିତି ଜଟିଳ ସେମିତି ବିତର୍କିତ । ମୋ ମତରେ କୌଣସି ସୃଷ୍ଟିର ଉପୋଦ୍‌ଘାତ ସର୍ବଦା ତାତ୍‌କାଳିକତାର ପୃଷ୍ଠଭୂମି ଉପରୁ ବିଚାର୍ଯ୍ୟ ହେବା ଉଚିତ । ଶଂସିତ ପ୍ରବନ୍ଧର କ୍ଷୁଦ୍ର ପରିସର ମଧ୍ୟରେ ବିସ୍ତୃତ ଆଲୋଚନାର ସ୍ୱାଧୀନତା ସଙ୍କୁଚିତ । ତେବେ ମୁଁ ଯଥାସାଧ୍ୟ ଉପନ୍ୟାସଟିର ତାତ୍‌କାଳିକ ପୃଷ୍ଠଭୂମି ଉପରେ ସଂକ୍ଷେପଭାବେ ଦୃଷ୍ଟିପାତ କରିଛି ।

 

ମରାଠୀ ଉପନ୍ୟାସରେ, ପାଶ୍ଚାତ୍ୟ ପ୍ରଭାବର ପ୍ରାକ୍‌କାଳରେ ସମ୍ଭବତଃ ୧୮୫୦ ଖ୍ରୀଷ୍ଟାବ୍ଦ ବେଳକୁ, ଆମ ସାହିତ୍ୟ ଏକ ପକ୍ଷରେ ସଂସ୍କୃତ ନାଟ୍ୟକାର ମାନଙ୍କ ଦ୍ୱାରା ଓ ଅନ୍ୟପକ୍ଷରେ ପାର୍ଶୀ ଓ ଆରବୀ ସାହିତ୍ୟ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ‘ଆରବିଆନ ନାଇଟସ୍‌’ ଏବଂ ପାର୍ଶୀ ଗଳ୍ପ, ‘ଗୁଲସନୋୱାର’ ‘ହାତିମ୍‌ତାଇ’, ‘ଗୁଲେବ୍‌ କବାଲି’, ‘ବହାର ଦାନିସ୍‌’, ଇତ୍ୟାଦି ପ୍ରାଥମିକ ପର୍ଯ୍ୟାୟର ମରାଠୀ ଲେଖକ ଓ ପାଠକ ଗୋଷ୍ଠୀକୁ ଆକର୍ଷିତ କରିଥିଲା । ଉପରୋକ୍ତ ଗଳ୍ପଗୁଡ଼ିକ, ଅବାସ୍ତବ ଓ ଅତିରଞ୍ଜନ ଧର୍ମୀ ରୋମାନସ୍‌ ପର୍ଯ୍ୟାୟର । ପ୍ରାଥମିକ ପର୍ଯ୍ୟାୟର ଅଧିକାଂଶ ଔପନ୍ୟାସିକ, ନାୟକର ପ୍ରେମ ଓ ଦୁଃସାହସିକ ପ୍ରସଙ୍ଗ ଗର୍ଭିତ ବିଷୟ ଉପସ୍ଥାପନାରେ ଏକାନ୍ତ ଭାବେ ଅନୁକରଣ ପ୍ରୟାସୀ ଥିଲେ । ପ୍ରତ୍ୟେକଟି ଉପନ୍ୟାସ ଶୁଦ୍ଧ ତତ୍‌ସମ ଶବ୍ଦ ବହୁଳ ଆଳଙ୍କାରିକ ଭାଷାରେ ରଚିତ । ଲକ୍ଷ୍ମଣ ଶାସ୍ତ୍ରୀ ହାଲବେଙ୍କ ‘ମୁକ୍ତ ମାଳା’, ଏନ୍‌ : ଏସ୍‌ : ରିସ୍‌ବୁଦ୍‌ଙ୍କ ‘ମନଜୁଘୋଷା’ ମରାଠୀ ଭାଷାରେ ରଚିତ ଏହିପରି ଉପନ୍ୟାସଗୁଡ଼ିକ ମଧ୍ୟରୁ ଅନ୍ୟତମ । ଉପରୋକ୍ତ ଉପନ୍ୟାସଦ୍ୱୟ ଉନ୍ମୁକ୍ତ ସଂସ୍କୃତ ଭାଷାରେ ରଚିତ ଓ ନାନାବିଧ ଅତିବାସ୍ତବ ରୋମାଣ୍ଟିକ ଗଳ୍ପଗୁଡ଼ିକର ମିଶ୍ରଣ ପରି ପ୍ରତୀତ ହୁଏ । ଅର୍ବାଚୀନ ପେଶୱା ଶାସନ ଓ ଐଶ୍ୱର୍ଯ୍ୟଶାଳୀ ଶିବାଜୀଙ୍କ ରାଜତ୍ୱ କାଳ, ଲେଖକମାନଙ୍କୁ ଅବାସ୍ତବ ଓ ଅତିକଳ୍ପିତ ରୋମାଣ୍ଟିକ ପ୍ରସଙ୍ଗ ଆଧାରିତ, ତଥା ବୀରତ୍ୱ ଓ ଦୁଃସାହସିକ କଥାବସ୍ତୁ କୈନ୍ଦ୍ରିକ ଉପନ୍ୟାସ ସୃଷ୍ଟିର ପ୍ରେରଣା ଯୋଗାଇଥିଲା । ଉଦାହରଣସ୍ୱରୂପ- ମୁକ୍ତମାଳାର ନାୟକ ବସନ୍ତ ମାଧବର ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ନିର୍ମିତ ବିମାନ ଥିଲା, ଯାହା ସାହାଯ୍ୟରେ ସେ ବାତାୟନ ମଧ୍ୟ ଦେଇ ପ୍ରେମିକାର ଶୟନକକ୍ଷ ମଧ୍ୟରେ ପ୍ରବେଶ କରିପାରୁଥିଲା । ନାୟକର ଆବଶ୍ୟକତା ଅନୁଯାୟୀ ଉକ୍ତ ବିମାନଟିର ଆକୃତିରେ ପରିବର୍ତ୍ତନ ଆଣିବା ସମ୍ଭବପର ଥିଲା ଓ ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠିକୁ ଉକ୍ତ ବିମାନ ନାୟକର ଇଛା ଅନୁସାରେ ଯାଇପାରୁ ନଥିଲା । ଊନବିଂଶ ଶତକର ମଧ୍ୟବର୍ତ୍ତୀ ସମୟର ସାହିତ୍ୟିକ ରୁଚି ଓ ରହସ୍ୟଧର୍ମୀ ଅବାସ୍ତବ ରୋମାନସ୍‌ର ବଳିଷ୍ଠ ପ୍ରଭାବ କେତେ ଶକ୍ତିଶାଳୀ ଥିଲା, ତାହା ଉପରୋକ୍ତ ଉଦାହରଣରୁ ବେଶ୍‌ ସ୍ପଷ୍ଟ ହୋଇଉଠେ ।

 

ସେହି ଊନବିଂଶ ଶତକର ମଧ୍ୟପର୍ବରେ ମରାଠୀ ସାହିତ୍ୟରେ ପାଶ୍ଚାତ୍ୟ ସାହିତ୍ୟ ଓ ଦର୍ଶନର ପ୍ରଭାବ ଉପଲବ୍‌ଧ ହୁଏ । ଏହି ପ୍ରଭାବ ଥିଲା ଦ୍ୱିପାର୍ଶ୍ୱିକ । ଗୋଟାଏ ଦିଗରେ ମିଶନାରୀ ଧର୍ମୀୟ ସାହିତ୍ୟ । ଯାହାର ପ୍ରଭାବରେ ଆଲୋଚ୍ୟ ଭୂଖଣ୍ଡର ବ୍ୟକ୍ତିଚେତନାରେ ଏକ ଅଭୁତପୂର୍ବ ପରିବର୍ତ୍ତନ ଦେଖାଗଲା । ପ୍ରତ୍ୟେକେ ନିଜସ୍ୱଧର୍ମୀୟ ପରିମଣ୍ଡଳ ଭିତରେ ନିଜ ନିଜର ସ୍ଥିତି ବିଷୟରେ ଚିନ୍ତା କରିବାକୁ ପ୍ରୋତ୍ସାହିତ ହେଲେ । କେତେକ ଧର୍ମାନ୍ତର ଗ୍ରହଣକଲେ ଓ ଆଉ କେତେକ କୁସଂସ୍କାର ଜଡ଼ିତ କ୍ଷୟିଷ୍ଣୁ ହିନ୍ଦୁ ସମାଜ ବ୍ୟବସ୍ଥାକୁ ସମାଲୋଚନା କରିବାରେ ଲାଗିଲେ । ଅନ୍ୟ ଦିଗରେ ଜନ୍‌ ଷ୍ଟୁଆର୍ଟ ମିଲ୍‌ ସ୍ପେନ୍‌ସର, ହୁଲମ୍‌ ପ୍ରଭୃତି ପ୍ରଗତିଶୀଳ ମାନବବାଦୀ ଲେଖକ ମାନଙ୍କ ବଳିଷ୍ଠ ପ୍ରଭାବ ତତ୍‌କାଳୀନ ମରାଠୀ ପ୍ରାବନ୍ଧିକମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କଲା । ପରୋକ୍ଷ ଭାବେ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ତତ୍‌କାଳୀନ ମରାଠୀ ଚେତନାର ପ୍ରତିବେଦକ । ତେବେ ଏବଂ ବିଧ ପ୍ରସଙ୍ଗଗୁଡ଼ିକ ଏଠାରେ ଆମର ଆଲୋଚ୍ୟ ନୁହେଁ । ସମକାଳୀନ ପ୍ରଗତିଶୀଳ ସାମାଜିକ-ଦର୍ଶନ କିନ୍ତୁ ପ୍ରାଥମିକ ପର୍ଯ୍ୟାୟର ଔପନ୍ୟାସିକମାନଙ୍କୁ ପ୍ରଭାବିତ କରିପାରି ନଥିଲା । ଇଂରେଜୀ ଭାଷାର ଔପନ୍ୟାସିକ ସ୍କଟ ଏବଂ ରେନୋଲଡ଼ସ୍‌ ସେହି ସମୟରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ । ଏହାଛଡ଼ା ଅନୁବାଦ ଓ ଅନୁକୃତି ଉଦ୍ଦେଶ୍ୟରେ ନିର୍ବାଚିତ ଲେଖକମାନଙ୍କ ଭିତରେ ମେରି କୋରେଲ୍ଲି, ହଲ କାନେ, ଆଲେକ୍‌ଜାଣ୍ଡାର ଡୁମାସ, ଚାର୍ଲସ୍‌ ଗ୍ରାଭିସ, ବୁଲୱାର ଲିଟନ, ଚାର୍‌ଲୋଟ ବ୍ରୋନ୍‌ଟେ ଇତ୍ୟାଦି ଥିଲେ ପ୍ରତିନିଧି ସ୍ଥାନୀୟ । କେବଳ ରୋନୋଲଡସ୍‌ଙ୍କ କୃତିର ଅନୁବାଦ ସଂଖ୍ୟା ପଚିଶରୁ ଊର୍ଦ୍ଧ୍ୱ । ଏଥିରୁ ଏହା ସ୍ପଷ୍ଟ ହୁଏ ଯେ, ସେତେବେଳକୁ ଆମର ଲେଖକମାନଙ୍କର ରୁଚି ଏତେ ଉନ୍ନତ ଅବସ୍ଥାକୁ ଆସିନଥିଲା । କାରଣ ଉପରୋକ୍ତ ଅନୂଦିତ ଓ ଅନୁକୃତ ଲେଖା ଓ ଲେଖକ ସେହି ସମୟରେ ନିଜ ନିଜର ସାହିତ୍ୟିକ ପରିମଣ୍ଡଳରେ ପ୍ରଥମ ଶ୍ରେଣୀର ସୃଷ୍ଟି ଓ ସ୍ରଷ୍ଟା ଭାବରେ ପରିଗଣିତ ହେଉନଥିଲେ ବି ତାହାର ବଳିଷ୍ଠ ପ୍ରଭାବ ଆମ ସାହିତ୍ୟ ଉପରେ ବେଶ୍‌ ସୁସ୍ପଷ୍ଟ ଥିଲା । ପ୍ରକୃତ ପକ୍ଷେ ଉପରୋକ୍ତ ପ୍ରଭାବର ସେମିତି କିଛି ଭବିଷ୍ୟତ ଫଳଶ୍ରୁତି ନଥିଲା ।

 

ଉପର୍ଯ୍ୟୁକ୍ତ ପୃଷ୍ଠଭୂମିର ଆଧାରଶିଳା ଉପରେ ୧୮୫୭ ଖ୍ରୀଷ୍ଟାବ୍ଦରେ ରଚିତ ହୁଏ ବାବା ପଦ୍ମନ୍‌ଜୀଙ୍କ ଉପନ୍ୟାସ ‘ଯମୁନା-ପର୍ଯ୍ୟଟନ’ । ବାବା ପଦ୍ମନ୍‌ଜୀ ଜଣେ ଧର୍ମାନ୍ତରିତ ଖ୍ରୀଷ୍ଟୀୟାନ ହୋଇଥିଲେ ମଧ୍ୟ, ସମାଜ ସଂସ୍କାର କ୍ଷେତ୍ରରେ ସେ ଥିଲେ ଜଣେ ଉଗ୍ରଉଦ୍ୟକ୍ତା । ‘ଯମୁନା-ପର୍ଯ୍ୟଟନ’ ଉପନ୍ୟାସ ତୃତୀୟ ପୁରୁଷୀୟ ବର୍ଣ୍ଣନା ଶୈଳୀରେ ଲିଖିତ । ଉପନ୍ୟାସଟି ଯମୁନା ନାମ୍ନୀ ଜଣେ ମହିଳାର ବିବାହିତ ଓ ପ୍ରାକ୍‌ବିବାହିତ ଜୀବନରେ ଘଟିତ ସଂଘାତ ଓ ସଂଘର୍ଷର ରେଖା ଚିତ୍ର ପ୍ରଦାନ କରେ । ସମୟକ୍ରମେ ଯମୁନାର ମା’ ତା’ର ବିବାହ ସ୍ଥିରକରେ । ବିବାହରେ ତା’ର ଆନ୍ତରିକ ସମ୍ମତି ନଥିଲେ ମଧ୍ୟ, ଆବଶ୍ୟକୀୟ ବାସ୍ତବତାର ତାଡ଼ନାରେ ସେ ବିନାୟକ ନାମକ ଏକ ଯୁବକକୁ ବିବାହ କଲେ । ଏହିପରି ଏକ ସନ୍ଧିକ୍ଷଣରେ, ଜନୈକ ପଡ଼ୋଶୀଙ୍କ ମୃତ୍ୟୁରେ ତା’ର ସ୍ତ୍ରୀ କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କରିବା ଘଟଣା ତାକୁ ବିଚଳିତ କରିଦିଏ । ପଡ଼ୋଶୀର ସ୍ତ୍ରୀ ଜଣକ ବିଧବା ହେବାପରେ ତତ୍‌କାଳୀନ ସମାଜରେ ପ୍ରଚଳିତ ଲଣ୍ଡା ହେବାର ପ୍ରଥା ଓ ତାର ପରିଣତି କଥାଭାବି ଆତ୍ମହତ୍ୟା କରିଥିବା ଘଟଣା ଯମୁନାର ଆଖିଆଗରେ ଘଟିଯାଏ । ଉପରୋକ୍ତ ଘଟଣା ପରେ ଯମୁନା ବିବାହ ବନ୍ଧନକୁ ଉଦାର ଦୃଷ୍ଟିରେ ଦେଖିବାକୁ ଲାଗେ । ସେ ଅନୁଭବ କରେ ସ୍ୱାମୀ ବିନା ସ୍ତ୍ରୀର ଜୀବନ ନିରର୍ଥକ । ଯମୁନା ଓ ତା’ର ପତି, ତାପରେ ନାଗପୁରସ୍ଥ ଜନୈକ ବନ୍ଧୁଙ୍କ ଘରକୁ ଯାଆନ୍ତି । ନାଗପୁରସ୍ଥ ସେହି ବ୍ୟକ୍ତିଜଣକ ବିନାୟକର ବନ୍ଧୁ । ଏହି ସମୟରେ ସେ ଅନ୍ୟଜଣେ ଯୁବା ବିଧବାଙ୍କୁ ଭେଟେ । ବିଧବା ଜଣକଠାରୁ ସ୍ୱାମୀ ମୃତ୍ୟୁ ପରେ, ସେ କେମିତି ବଞ୍ଚିବାର ନ୍ୟୁନତମ ଆବଶ୍ୟକତାରୁ ବଞ୍ଚିତା ହୋଇ ଦୁଃସ୍ଥ ଭାବେ ଦିନ କାଟୁଛି ତାହା ଶୁଣେ । କୈଶୋରରେ ଯମୁନା ଏକ ମିଶନାରୀ ସ୍କୁଲରେ କିଛିଦିନ ପାଠ ପଢ଼ିଥାଏ । ତେଣୁ ଏହିପରି ଏକ ମର୍ମନ୍ତୁଦ ବୈଧବ୍ୟର ଯନ୍ତ୍ରଣାଭରା ସନ୍ତୁଳନର କାହାଣୀ ଶୁଣିବା ମାତ୍ରେ, ତା’ ଆଖି ଆଗରେ ଭାସି ଉଠେ ଯୀଶୁଙ୍କର ସେହି ପ୍ରେମ ଓ ମାନବବାଦୀ, ଅଭୟପ୍ରଦାୟୀ ରୂପଚିତ୍ର । ସେ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ଊର୍ଦ୍ଧ୍ୱସ୍ଥ ସେହି ମହାନ ଜ୍ୟୋତି ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କରିବାପାଇଁ ବିଧବାଜଣକୁ ଅନୁରୋଧ କରେ ଓ ଆଶ୍ୱାସନା ଦିଏ ।

 

ନାଗପୁର ରହଣି କାଳରେ ଯମୁନା, ଆଉଜଣେ ଯୁବାବିଧବାର ଧର୍ମଯାଜକଙ୍କ ସହ ପଳାୟନ ଘଟଣା ଦେଖେ । ସେହି ବିଧବା ଜଣକ ବିନାୟକ ବନ୍ଧୁର ଭଉଣୀ । ବିଧବାଟି ଜୈବିକ କ୍ଷୁଧାର ତାଡ଼ନାରେ ଧର୍ମଯାଜକର କାମୋଦୀପ୍ତ ବାସନାର ଶିକାର ହୁଏ ଓ ସେଠାରୁ ପଳାଇଯିବା ପାଇଁ ବାଧ୍ୟ ହୁଏ ।

 

ଏହାପରେ ଯମୁନା ଓ ତା’ର ସ୍ୱାମୀ, ନାଗପୁରରୁ ପନ୍‌ଧାରପୁର ଅଭିମୁଖେ ଯାତ୍ରାକରନ୍ତି-। ପନ୍‌ଧାରପୁର ମହାରାଷ୍ଟ୍ରର କାଶୀ ଭାବେ ପରିଚିତ । ସେଇଠି ଯମୁନା, ବହୁସଂଖ୍ୟକ ବିଧବା ଦେବଦର୍ଶନ ଓ ପାପପ୍ରକ୍ଷାଳନ ଉଦ୍ଦେଶ୍ୟରେ ଆସି ଧର୍ମ ନାମରେ କିପରି ଭ୍ରଷ୍ଟା ହେଉଛନ୍ତି ଦେଖେ-। ଯୁବାବିଧବାମାନଙ୍କୁ ଆଉଥରେ ବିବାହ ଦେବାର ବ୍ୟବସ୍ଥା ହିନ୍ଦୁ ସମାଜରେ ପ୍ରଚଳିତ ନଥିବାରୁ, ସେମାନଙ୍କୁ ଏହିପରି ଅପମାନଜନକ ଭ୍ରଷ୍ଟଜୀବନ ବରିନେବାକୁ ବାଧ୍ୟ କରାଯାଉଛି ।

 

ବିନାୟକ ଓ ଯମୁନା ପନ୍‌ଧାରପୁର ଛାଡ଼ିବା ପରେ ସାତାର ଓ ଜେଜୁରି ଅଭିମୁଖେ ଯାତ୍ରା କରନ୍ତି । ଉପରୋକ୍ତ ସ୍ଥାନଦ୍ୱୟ ମହାରାଷ୍ଟ୍ରର ଦୁଇ ବିଶିଷ୍ଟ ଧର୍ମପୀଠ । ହଠାତ୍‌ ସେମାନଙ୍କ ଯାତ୍ରା କାଳରେ ଏକ ଦୁର୍ଘଟଣା ଘଟେ । ଦୁର୍ଭାଗ୍ୟବଶତଃ ବିନାୟକର ମୃତ୍ୟୁ ହୁଏ ଓ ଯମୁନା ନିଜେ ବିଧବାଟିଏ ପାଲଟି ଯାଏ । ପାରମ୍ପରିକ ପ୍ରଥାନୁଯାୟୀ ତାକୁ ବୈଧବ୍ୟର ଭୟଙ୍କର ବାସ୍ତବତା ସହ ମୁକାବିଲା କରିବାକୁ ପଡ଼ିବ-ଲଣ୍ଡିତ ହେବାକୁ ପଡ଼ିବ । ଯମୁନା କିନ୍ତୁ ଏହିପରି ଏକ ଅମାନୁଷିକ ପରମ୍ପରାକୁ ସ୍ୱୀକାର କରିନେଲା ଭଳି ନାରୀ ନୁହେଁ । ସେ ଦୃଢ଼ସ୍ୱରରେ ଏହାର ପ୍ରତିବାଦ କରିବ । କାରଣ ସେ ଶିକ୍ଷିତା ଓ ଯୀଶୁଙ୍କର ମହାନ ମାନବବାଦୀ ବାଣୀରେ ଉଦ୍‌ବୁଦ୍ଧ ତା’ର ପ୍ରାଣ । ତେଣୁ ସେ ଧର୍ମାନ୍ତରିତ ହେବାକୁ ପସନ୍ଦ କରେ । ଏହାପରେ ସେ ମାନସିକ ଶାନ୍ତି ଫେରିପାଏ । ପରିଶେଷରେ ଯମୁନା ନିଷ୍ପାପମନରେ ଜଣେ ଖ୍ରୀଷ୍ଟୀୟାନଙ୍କୁ ବିବାହ କରେ ।

 

ସଂକ୍ଷେପରେ ଏହାହିଁ ‘ଯମୁନା-ପର୍ଯ୍ୟଟନ’ ଉପନ୍ୟାସର ଗଳ୍ପରେଖା ।

 

ବର୍ତ୍ତମାନ ଆମକୁ ଦେଖିବାକୁ ହେବ ଯେ ଯମୁନା ପର୍ଯ୍ୟଟନ ଊନବିଂଶ ଶତକରେ ଏତେ ପ୍ରଭାବଶାଳୀ ହେବା ପଛରେ କେଉଁ ହେତୁବାଚୀ ପ୍ରସଙ୍ଗ ଜଡ଼ିତ ଓ କେଉଁଥିପାଇଁ ଏହା ମରାଠୀ ଭାଷାର ପ୍ରଥମ ଉପନ୍ୟାସର ଆସନ ଦାବୀ କରେ :

 

୧)

ଉପନ୍ୟାସଟି ସମସାମୟିକ ସମାଜରେ ପ୍ରଚଳିତ ବିଧବା-ବିବାହ ପରି ଏକ ଜ୍ୱଳନ୍ତ ସାମାଜିକ ସମସ୍ୟା ଉପରେ ଆଧାରିତ । ସମଗ୍ର ଉପନ୍ୟାସରେ ପ୍ରଚଳିତ ସମାଜ ବ୍ୟବସ୍ଥାରେ ବିଧବାମାନଙ୍କ ପ୍ରତି ଉଦ୍ଦିଷ୍ଟ ନିଷ୍ଠୁର ବିଧିବିଧାନ ଓ ସେଥିରୁ ମୁକ୍ତିପ୍ରୟାସୀ ବିଧବାମାନଙ୍କ ଆର୍ତ୍ତଚିତ୍କାର ଓ ସମସାମୟିକତାର ପରିପ୍ରେକ୍ଷୀରେ ଅତି ଜୀବନ୍ତ ଓ ବାସ୍ତବାଦୀ ହୋଇପାରିଛି । ଏଣୁ ବିଷୟବସ୍ତୁ ଓ ବକ୍ତବ୍ୟ ଦୃଷ୍ଟିରୁ ଉପନ୍ୟାସଟି ଆଧୁନିକ ଉପନ୍ୟାସ ଭାବେ ପରିଗଣିତ ହୁଏ ।

 

୨)

ବିଧବା-ପୁନର୍ବିବାହ ଆଇନ୍‌ ୧୮୫୬ରେ ପ୍ରଚଳିତ ହୁଏ । ଠିକ୍‌ ତା’ର ପରବର୍ଷ ଉପନ୍ୟାସଟି ରଚିତ ହୁଏ । ଏହିଥିରୁ ଉପନ୍ୟାସଟିରେ ମୁଖ୍ୟତଃ ବାସ୍ତବବାଦୀ ସ୍ପର୍ଶ ଅନୁଭୂତ ହୁଏ ।

 

୩)

ନାରୀ-ଚରିତ୍ର କୈନ୍ଦ୍ରିକ ଉପନ୍ୟାସ ହୋଇଥିବାରୁ ଏହାର ଗୁରୁତ୍ୱ ବେଶୀ । ସମକାଳୀନ ଅତିରଞ୍ଜନ ଧର୍ମୀ ରୋମାନସ୍‌ଗୁଡ଼ିକ ନାୟକ କୈନ୍ଦ୍ରିକ ଥିବା କଥା ଆଗରୁ କହିଛି । ରୋମାଣ୍ଟିକ ଗଳ୍ପଗୁଡ଼ିକରେ ନାୟିକା କେବଳ ନାୟକକୁ ପ୍ରେମ କରିବା ଓ ତା’ର ଦୁଃସାହସିକ କାର୍ଯ୍ୟରେ ଆନନ୍ଦ ପ୍ରକାଶ କରିବା ଉଦ୍ଦେଶ୍ୟରେ ଆସିଥାଏ । ଏହାଛଡ଼ା ତା’ର ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନଥାଏ । ଶଂସିତ ଉପନ୍ୟାସ ଯମୁନା-ପର୍ଯ୍ୟଟନରେ ନାୟିକା କିନ୍ତୁ ସମଗ୍ର କାହାଣୀର କେନ୍ଦ୍ରବିନ୍ଦୁ ।

 

୪)

ସମଗ୍ର ଉପନ୍ୟାସରେ ଯମୁନା କେବଳ ଏକ କେନ୍ଦ୍ରୀୟ ଚରିତ୍ର ନୁହେଁ, ସେ ଜଣେ ଶିକ୍ଷିତା ଓ ସମ୍ବେଦନଶୀଳା ନାରୀ, ଯିଏକି ପରିବର୍ତ୍ତିତ ସମୟ ଓ ଅବସ୍ଥାର ଦାବୀ ଅନୁସାରେ ନିଜସ୍ୱ ସିଦ୍ଧାନ୍ତ ଅନୁକୂଳ କାର୍ଯ୍ୟପନ୍ଥା ଗ୍ରହଣ କରିପାରେ । ଅତଏବ ଯମୁନା, ଉପନ୍ୟାସଟିରେ ଗୋଟାଏ ରୂପର ବିପଣୀ ନୁହେଁ ବରଂ ସମକାଳୀନ ନାରୀ ସମାଜର ଜଣେ ପ୍ରତିନିଧିସ୍ଥାନୀୟା ପ୍ରଗତିବାଦୀ ମହିଳା ।

 

ଉପରୋକ୍ତ ହେତୁବାଦୀ ପ୍ରସଙ୍ଗଗୁଡ଼ିକ ଆଧାର କରି, ଆଧୁନିକ ପ୍ରଗତିବାଦୀମାନେ ‘ଯମୁନା–ପର୍ଯ୍ୟଟନ’କୁ ପ୍ରଥମ ବାସ୍ତବବାଦୀ ସାମାଜିକ ଉପନ୍ୟାସ ଭାବେ ଚିହ୍ନିତ କରନ୍ତି । କିନ୍ତୁ ବାବା ପଦ୍ମନ୍‌ଜୀ ଯେ ଗୃହୀତଧର୍ମର ଭାବାଦର୍ଶ ଦ୍ୱାରା ପ୍ରଭାବିତ ଥିଲେ ଏଥିରେ ସନ୍ଦେହ ନାହିଁ । ଉପନ୍ୟାସଟିର ଛତ୍ରେ ଛତ୍ରେ ସେ ଯୀଶୁଙ୍କର ମହାନ ଉଦାରତା ଓ କରୁଣାମୟ ରୂପର ଜୟଗାନ କରିବା ସଙ୍ଗେ ସଙ୍ଗେ ଅବକ୍ଷୟମାଣ ହିନ୍ଦୁ ସମାଜ ବ୍ୟବସ୍ଥାରୁ ମୁକ୍ତିର ଉପାୟ ଭାବେ ଓ ସମସ୍ତ ସାମାଜିକ ସମସ୍ୟାର ସମାଧାନର ସୂତ୍ରଭାବେ ଖ୍ରୀଷ୍ଟଧର୍ମ ଗ୍ରହଣ ହିଁ ଏକମାତ୍ର ପନ୍ଥା ବୋଲି ଘୋଷଣା କରିଛନ୍ତି ।

 

ଏହିପରି ‘ଯମୁନା-ପର୍ଯ୍ୟଟନ’ ପାଠକ ଗୋଷ୍ଠୀର ଚେତନାରାଜ୍ୟରେ ଖ୍ରୀଷ୍ଟଧର୍ମ ପ୍ରଚାରର ଛାପ ଆଙ୍କି ଯାଇଛି । ଉପନ୍ୟାସର ଗତି ମୁଖରତା ସହ, ଏହାର ସ୍ୱର କ୍ରମେ ଉପଦେଶଧର୍ମୀ ହୋଇପଡ଼ିଛି । ଉପସ୍ଥାପିତ ବାସ୍ତବବାଦୀ ଚିତ୍ର ଏତେ ଶକ୍ତିଶାଳୀ ନୁହେଁ । ଚରିତ୍ର ଚିତ୍ରଣ ଦୃଷ୍ଟିରୁ ଉପନ୍ୟାସଟି ଦୁର୍ବଳ ହୋଇଥିବାରୁ ଏହାକୁ ଏକ ଭଲ ଉପନ୍ୟାସ ବୋଲି କହିହେବ ନାହିଁ । ବିନାୟକର ଦୁର୍ଘଟଣାଜନିତ ମୃତ୍ୟୁ ଓ ଯମୁନାର ପୁନର୍ବିବାହ ପରି ଘଟଣା, ଔପନ୍ୟାସିକର ସ୍ୱମତବାଦର ପ୍ରଚାର ଓ ହଠାତ୍‌ ଏକ ଅନ୍ତିମ ପରିଣତି ଟାଣିବା ଉଦ୍ଦେଶ୍ୟରେ ଆରୋପିତ । ଏହା ଫଳରେ ଉପନ୍ୟାସଟିର କଳାସୌଷ୍ଟବ ବହୁଭାବେ ବ୍ୟାହତ ହୋଇଛି । ତଥାପି କିନ୍ତୁ, ମରାଠୀ ସାହିତ୍ୟରେ ‘ଯମୁନା ପର୍ଯ୍ୟଟନ’ ପ୍ରଥମ ବାସ୍ତବବାଦୀ ଉପନ୍ୟାସ ଭାବେ ସର୍ବଜନସ୍ୱୀକୃତି ଲାଭ କରିଛି ।

 

‘ଯମୁନା ପର୍ଯ୍ୟଟନ’ ମରାଠୀ ଭାଷାର ପ୍ରଥମ ସାମାଜିକ ଉପନ୍ୟାସ ହେଲେହେଁ, ତଥାପି ସେତେବେଳକୁ ସ୍ୱଦେଶୀୟ ପରିମଣ୍ଡଳରେ ସମାଜ ବାସ୍ତବବାଦୀ ଭାବଚେତନାର ସମୃଦ୍ଧି ଓ ବିସ୍ତୃତି ଉଦ୍ଦେଶ୍ୟରେ ଆଉ ଜଣେ ଦକ୍ଷ ସ୍ରଷ୍ଟାର ଅପେକ୍ଷା ଉପଲବ୍‌ଧ ହେଉଥିଲା । ହରିନାରାୟଣ ଆପ୍‌ତେ, ଏହି ଅପେକ୍ଷାର ସାର୍ଥକ ଫଳଶ୍ରୁତି । ସେ ୧୮୮୫ରେ ଲେଖା ଆରମ୍ଭ କରନ୍ତି । ସେହି ବର୍ଷ ପ୍ରକାଶିତ ହୁଏ ତାଙ୍କର ପ୍ରଥମ ଉପନ୍ୟାସ । ପରବର୍ତ୍ତୀ ପଚିଶ ବର୍ଷ ମଧ୍ୟରେ ସେ କୋଡ଼ିଏରୁ ଉର୍ଦ୍ଧ୍ୱ ଉପନ୍ୟାସ ଲେଖିଛନ୍ତି । ବାବା ପଦ୍ମନ୍‌ଜୀ ପ୍ରଥମ ଔପନ୍ୟାସିକର ମର୍ଯ୍ୟାଦା ପାଇଲେ ମଧ୍ୟ, ମରାଠୀ ଉପନ୍ୟାସକୁ କଳାତ୍ମକ ରୂପ ଦେବାର ଆପ୍ତେଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । ସେ ଉପନ୍ୟାସର ରଚନା କୌଶଳ ଉପରେ ବିବିଧ ପରୀକ୍ଷାନିରୀକ୍ଷା କରି, ମରାଠୀ ପାଠକ ସମାଜରେ, ଉତ୍ତମ ଉପନ୍ୟାସ ପଠନର ରୁଚିବୋଧ ସୃଷ୍ଟି କରି ପାରିଥିଲେ । କିଏ ପ୍ରକୃତ ପକ୍ଷେ ପ୍ରଥମ ଔପନ୍ୟାସିକ, ଏହି ବିତର୍କିତ ପ୍ରସଙ୍ଗଠୁ ଓହରି, ନିରପେକ୍ଷ ଭାବେ ବିଚାର କଲେ, ଦେଖାଯିବ ଯେ, ମରାଠୀ ଉପନ୍ୟାସର ପରବର୍ତ୍ତୀ ଉପନ୍ୟାସଧାରା, ଯାହା ଏଯାବତ୍‌ ପ୍ରଲମ୍ବିତ, ବିଶେଷ ଭାବେ ହରିନାରାୟଣ ଆପ୍ତେଙ୍କ ପରି ପ୍ରତିନିଧି ସ୍ଥାନୀୟ ଔପନ୍ୟାସିକଙ୍କଠାରେ ଋଣୀ ।

 

ଭାଷାନ୍ତର :

ଶ୍ରୀ ସୁବାସ ଚନ୍ଦ୍ର ସାହୁ

ଓଡ଼ିଆ ବିଭାଗ, ଶାନ୍ତିନିକେତନ

 

* ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ବିଶ୍ୱଭାରତୀ ଓଡ଼ିଆ ବିଭାଗରେ ଆୟୋଜିତ ଉପନ୍ୟାସ ଶତବାର୍ଷିକୀ ବିଷୟକ ଆଲୋଚନାଚକ୍ରରେ ଉପସ୍ଥାପିତ ପ୍ରବନ୍ଧର ଓଡ଼ିଆ ରୂପାନ୍ତର ।

 

***

 

ହିନ୍ଦୀର ସର୍ବପ୍ରଥମ ମୌଳିକ ଉପନ୍ୟାସ ‘‘ପରୀକ୍ଷା ଗୁରୁ’’

ଡଃ ହରିଶଚନ୍ଦ୍ର ମିଶ୍ର

 

ଏକ ମତ ଅନୁଯାୟୀ ଜ୍ଞାନୀ ଲାଲା ଶ୍ରୀନିବାସ ଦ୍ୱାରା ଲେଖା ହୋଇଥିବା ‘‘ପରୀକ୍ଷା ଗୁରୁ’’କୁ ଆମେ ହିନ୍ଦୀର ସର୍ବପ୍ରଥମ ମୌଳିକ ଉପନ୍ୟାସରୂପେ ମାନୁ । ଏହା ୧୮୮୨ ମସିହାର ରଚନା ଅଟେ । ଏହା ସାଂସ୍କୃତିକ ଏବଂ ଜାତୀୟତାବାଦର ସଂଘର୍ଷମୂଳକ ଉପନ୍ୟାସ, ଯାହାକି ୪୧ ଭାଗରେ ବିଭାଜିତ ହୋଇଅଛି ଏବଂ ଏହାର ପୃଷ୍ଠା ସଂଖ୍ୟା ୨୪୬ ଅଟେ । ନିଜ ରଚନା ଅନୁସାରେ ଏହା ପୂରା ପ୍ରଥମ ଉପନ୍ୟାସ ଅଟେ । ପ୍ରତ୍ୟେକ ଭାଗରେ ଭିନ୍ନ ଭିନ୍ନ ନାମ ଦିଆଯାଇଅଛି ଯେପରି ସୌଦାଗରର ଦୋକାନ, ସଂଗତିର ଫଳ, ଇତ୍ୟାଦି । ଏଥିରେ ମଦନମୋହନର ଚରିତ୍ରକୁ କେନ୍ଦ୍ର କରି ଅନେକ ଗପର ମିଶ୍ରଣରେ ଉପନ୍ୟାସଟି ସୁନ୍ଦର ଭାବରେ ରଚନା କରାଯାଇଅଛି । ଯଦିବା ଜୀବନର ସମସ୍ତ ଘଟଣାଗୁଡ଼ିକ ଏକ ଧାରାବାହିକ ଗତିରେ ଲେଖାଯାଇଅଛି, ତଥାପି ପ୍ରତ୍ୟେକ ଭାଗର ଆରମ୍ଭରେ କେହିନା କେହି କବି, ଲେଖକ କିମ୍ବା ନୀତିମୂଳକ ଗ୍ରନ୍ଥର ନୀତିବାକ୍ୟକୁ ଲେଖି ଉପନ୍ୟାସଟି ରଚନା କରିଛନ୍ତି । ବେଳେ ବେଳେ ଏପରି ଅନୁଭୂତ ହୁଏ ସତେଯେପରି ଉପନ୍ୟାସକାର ସେହି ସିଦ୍ଧାନ୍ତଗୁଡ଼ିକ ଓ କିଛି ପ୍ରବାଦ ଓ ରୂଢ଼ିକୁ ପ୍ରମାଣିତ କରିବା ପାଇଁ ଏହି ବିଶେଷ ବିଷୟଗୁଡ଼ିକୁ ଗ୍ରହଣ କରିଛନ୍ତି । ଏହି ନୀତିମୂଳକ କବିତା ଏବଂ ସମ୍ବାଦ ତଥା ପ୍ରବାଦ ପାଇଁ ନିଜ ଉପଦେଶାତ୍ମକ ଉକ୍ତିରୁ ଓହରି ଯାଇଅଛନ୍ତି । ଭାରତୀୟ ଏବଂ ବିଦେଶୀ ବିଦ୍ୱାନଙ୍କର ଦାର୍ଶନିକ, ତଥା ନୀତିଜ୍ଞ ମାନଙ୍କର କହିଥିବା ତଥ୍ୟ ସହିତ କଥାର ବିକାଶ ହୁଏ । ଜଣାପଡ଼େ ଯେ ଉପନ୍ୟାସକାର ନିଜ ତଥ୍ୟଗୁଡ଼ିକୁ ସଂଳାପ ମାଧ୍ୟମରେ କିଛି ବର୍ଣ୍ଣନା କରି ଶେଷରେ ଜୀବନର କିଛି ମୂଳତଥ୍ୟ ପ୍ରସ୍ତୁତ କରନ୍ତି । ସଂଶ୍ଳିଷ୍ଟ ଜୀବନରେ ଜଟିଳ ବିକାଶ ମାଧ୍ୟମରେ ସାଂସ୍କୃତିକ ମୂଲ୍ୟଗୁଡ଼ିକର ଅବସ୍ଥିତି ତଥା ରଚନାରେ ପ୍ରସ୍ତୁତ ନ କରି ସାଂସ୍କୃତିକ ଏବଂ ସାମାଜିକ ସଂଘର୍ଷରେ ବେଢ଼ି ସୃଷ୍ଟି କରନ୍ତି, ଯେଉଁଥିରେ କି ପୂର୍ବବର୍ତ୍ତୀ ଭାରତୀୟମାନଙ୍କର ଭିନ୍ନ ଚିନ୍ତାଧାରାକୁ ସବୁ ସମୟରେ ଦୂର କରିବାକୁ ଚେଷ୍ଟା କରି ଥାଆନ୍ତି । ଏଥିରେ ପ୍ରମୁଖ ଓ ଏକମାତ୍ର ଭୂମିକା ରୂପରେ ବ୍ରଜକିଶୋରଙ୍କର ଅଟେ । ବ୍ରଜକିଶୋର ଅନେକ ସମୟରେ ଦେଶୀ ଏବଂ ବିଦେଶୀ କଥାଗୁଡ଼ିକ ଜରିଆରେ ମଦନ ମୋହନଙ୍କର ଭିନ୍ନ ଚିନ୍ତାଧାରାକୁ ଦୂର କରିବା ପାଇଁ ଚାହାନ୍ତି କିନ୍ତୁ ଏଥିରେ କୃତକାର୍ଯ୍ୟ ହୋଇ ପାରିନାହାନ୍ତି । ତଥାପି ମଦନ ମୋହନଙ୍କର ଭିନ୍ନ ଚିନ୍ତାଧାରାକୁ ଦୂର କରିବାପାଇଁ ଚେଷ୍ଟା ଚାଲୁ ରହିଅଛି ।

 

‘ପରୀକ୍ଷା ଗୁରୁ’ ଉପନ୍ୟାସର କଥାବସ୍ତୁ ଏକ ବ୍ୟକ୍ତି ଏବଂ ଭାରତୀୟ ସମାଜରେ ବର୍ଣ୍ଣିତ ବ୍ୟକ୍ତିର ବ୍ୟକ୍ତିତ୍ୱ ସହିତ ଆଗେ ବଢ଼ିଅଛି । ଗୁଲାମଗିରି କରି ଏକ ଯୁବକ ଲାଲା ମଦନମୋହନ ବ୍ରିଟିଶ ଅଫିସରଙ୍କ ଅଫିସରେ କାର୍ଯ୍ୟକରେ । କୃତ୍ରିମ ଆଚରଣ ପାଇଁ ତା’ର ସମସ୍ତ ଧନସମ୍ପଦ ନଷ୍ଟ ହୋଇ ଯାଇଅଛି ଏବଂ ସେ ଉଧାର କରି ଜୀବନ ବିତାଇବାକୁ ଯାଇଛି । ସେ ଏହି କର୍ମ ପାଇଁ ସତ୍‌ ଓ ଭଲ ଲୋକଙ୍କଠାରୁ ଦୂରେଇ ଯାଇଅଛି । ସର୍ବଦା ମିଥ୍ୟା, ସ୍ୱାର୍ଥ ଏବଂ ଚାଟୁକାର ରୂପରେ ଦର୍ଶାଯାଇଅଛି । ମୁନ୍‌ଶୀ ଚୁନ୍ନିଲାଲ, ଶିକ୍ଷକ ଶମ୍ଭୁଦୟାଲ, ପଣ୍ଡିତ ପୁରୁଷୋତ୍ତମ ଦାସ, ହାକିମ ଅହମ୍ମଦ ହୁସୈନ, ବାବୁ ବୈଦ୍ୟନାଥ ଆଦି ମଦନମୋହନର ଚାଟୁକାରି କାମ କରନ୍ତି । ବ୍ରଜକିଶୋର ମଦନ ମୋହନର ଏକ ସତ୍ୟବାଦୀ ଏବଂ ନିଷ୍ଠାପର ଓକିଲ ଅଟେ । ମଦନ ମୋହନର କାର୍ଯ୍ୟକୁ ସେ କୃତଜ୍ଞ ଭାବରେ କରିଥାଏ ଏବଂ ନିଜର ସ୍ପଷ୍ଟବାଦୀ ଗୁଣ ଓ ମିଠା କଥାରେ ମଦନ ମୋହନକୁ ଠିକ୍‌ ରାସ୍ତାକୁ ଆଣିବାପାଇଁ ଚାହେଁ । କିନ୍ତୁ ମଦନ ମୋହନକୁ ତା’ର ସ୍ପଷ୍ଟବାଦିତା ଭଲ ଲାଗେନାହିଁ । ଦିନେ ମଦନମୋହନ ବ୍ରଜକିଶୋରକୁ ବାହାର କରିଦେଲା, କିନ୍ତୁ ନିଜର ଆତ୍ମବଳ ଓ ଧୈର୍ଯ୍ୟ ହେତୁ ବ୍ରଜକିଶୋର ମଦନମାହନ ଉପରେ ବିରକ୍ତ ହେଲା ନାହିଁ, ବରଂ ସେ ମଦନ ମୋହନର ମଙ୍ଗଳପାଇଁ କାମନା କଲା । ଦୂରରେ ରହି ମଧ୍ୟ ମଦନମୋହନକୁ ଠିକ୍‌ ରାସ୍ତାକୁ ଆଣିବାପାଇଁ ସେ ସର୍ବଦା ଚେଷ୍ଟା କରୁଥାଏ । ଏଥିରେ ମଧ୍ୟ ମଦନ ମୋହନର ଭାରତୀୟ ପତିବ୍ରତା ସ୍ତ୍ରୀ ବ୍ରଜକିଶୋରକୁ ସାହାଯ୍ୟ କରେ କାରଣ ସେ ତାହାର ଧର୍ମ-ଭଉଣୀ ଅଟେ ।

 

ଜଣେ ବ୍ୟବସାୟୀ ମଦନମୋହନ ଠାରୁ ଅପମାନିତ ଓ ଅସମ୍ମାନିତ ହୋଇ ଟଙ୍କା ପାଇଁ କୋର୍ଟରେ ମଦନମୋହନ ନାମରେ କେଶ ଦାଖଲ କରିଦେଲା । ସମସ୍ତ ଶର୍ଦ୍ଦାରମାନଙ୍କୁ ପ୍ରମାଣିତ କରିଦେଲା ଯେ ମଦନ ମୋହନ ଦିନକୁ ଦିନ ଦେବାଳିଆ ହୋଇଯାଉଛି । ଯାହା ଫଳରେ କିଛି ଦବା ପାଇଁ ତାହା ପାଖରେ ନାହିଁ । ଏଥିପାଇଁ ସମସ୍ତ ବ୍ୟବସାୟୀ ନିଜର ପ୍ରାପ୍ୟ ପାଇବାପାଇଁ ଲାଗି ପଡ଼ନ୍ତି । ଏବେ କେହି ଧାର ଦେଲେନାହିଁ ଏବଂ ତାହାର ଯେତେ ଚାଟୁକାର ଥିଲେ ସେମାନେ ମଧ୍ୟ ସାଙ୍ଗ ଛାଡ଼ି ଚାଲିଗଲେ । ବ୍ରଜକିଶୋରର ଚେଷ୍ଟା ଫଳରେ ବ୍ୟବସାୟୀମାନଙ୍କ ଟଙ୍କା ମିଳିଲା ଓ ମଦନ ମୋହନକୁ ଜେଲ୍‌ରୁ ମୁକ୍ତି ମିଳିଲା । ଏହିଭଳି ବ୍ରଜକିଶୋରର ସତ୍ୟବାଦିତା ଏବଂ ମଦନ ମୋହନର ଭୁଲ ଏକ ଲମ୍ବା ପରୀକ୍ଷା ରୂପରେ ଆଗକୁ ଆସେ । କୁହାଯାଏ ଯେ ଯେଉଁ କଥା ଶହେବାର କହିବା ପରେ ମଧ୍ୟ ବୁଝା ପଡ଼େ ନାହିଁ, ତାହା ଥରେ ପରୀକ୍ଷାରେ ଠି୍କ୍‌ ରୂପରେ ବସିଯାଏ, ତେଣୁ ଲୋକ ଏହାକୁ ପରୀକ୍ଷାର ଗୁରୁ କହନ୍ତି । ମଦନ ମୋହନକୁ ନିଜର ଭିନ୍ନ ଚିନ୍ତାଧାରା ଫଳରେ ବାରମ୍ବାର ଧୋଖା ଖାଇବାକୁ ପଡ଼ିଥାଏ ଏବଂ ବ୍ରଜକିଶୋରକୁ ବାରମ୍ବାର ନିଜର ସତ୍ୟତାର ପରୀକ୍ଷା ଦେବାକୁ ପଡ଼େ । ବ୍ରଜକିଶୋର ଯେବେ ପରୀକ୍ଷାରେ ପାସ୍‌ହୁଏ ତେବେ ମଦନ ମୋହନର ଶିକ୍ଷାର ଅନ୍ତ ହୁଏ । ଶେଷପର୍ଯ୍ୟନ୍ତ ଲେଖକ ମଦନମୋହନର ଭିନ୍ନ ଚିନ୍ତାଧାରାକୁ ଦର୍ଶାଇ ଅଛନ୍ତି-‘‘ଆପଣ କହିବା ଫଳରେ ଏହି ଧନ୍ଦାରେ ମୁଁ ନିଃସନ୍ଦେହ ଅନେକ କଥାରେ ଆଶ୍ଚର୍ଯ୍ୟ ହୋଇଅଛି ଓ ସାମାନ୍ୟ କଥାର କିଛି ଅଂଶ ମାନେ ମଧ୍ୟ ବୁଝାପଡ଼ି ଅଛି । କିନ୍ତୁ ସମସ୍ତଙ୍କ କଥାର ମିଳନ ଠିକ୍‌ ଭାବରେ ମିଳି ନାହିଁ ଏବଂ ଗ୍ରହଣ ପାଇଁ କିଛି କାରଣ ବିଚାରକୁ ଆସେ ନାହିଁ । ଯଦି ଆପଣ ଦୟାକରି ଏହି ସବୁ କଥାଗୁଡ଼ିକର ଅର୍ଥ ବୁଝାଇ ଦିଅନ୍ତେ, ତେବେ ଆପଣ ମୋର ବହୁତ ଉପକାର କଲେ ବୋଲି ମୁଁ ମାନିବି ।’’ ଲାଲା ମଦନ ମୋହନ କହିଲା ।

 

ଠିକ୍‌ ଭାବରେ କହିବାକୁ ଗଲେ ‘‘ପରୀକ୍ଷା ଗୁରୁ’’ ସାମାଜିକ ଯଥାର୍ଥ ଚେତନାର ପ୍ରଥମ ଉପନ୍ୟାସ ଅଟେ । ଏଥିପାଇଁ କହିବା ସଠିକ୍‌ ହେବ ଯେ ହିନ୍ଦୀ ଉପନ୍ୟାସର ଆରମ୍ଭ ସାମାଜିକ ଯଥାର୍ଥ ଚିତ୍ରଣରେ ଆରମ୍ଭ ହୋଇଅଛି । ଏହି ଧାରା ଅନୁସାରେ ହିନ୍ଦୀ ନିଜ ଜଗତରେ ଉପନ୍ୟାସ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିଛି । ହିନ୍ଦୀ ଉପନ୍ୟାସର ଯଥାର୍ଥ ରୂପକୁ ଚିହ୍ନିବାକୁ ହେଲେ ଉପନ୍ୟାସର ଭିତର ଏବଂ ବାହାର ଦୁଇ ପାର୍ଶ୍ୱକୁ ପରଖିବାକୁ ହୁଏ । ବାହାର ପାର୍ଶ୍ୱକୁ ଦେଖିଲେ ଅନେକ ସାମାଜିକ କ୍ରିୟା-କଳାପ, ଘଟଣା, ସମସ୍ୟା ଆଦିର ସଜୀବ ଚିତ୍ରଣ ପ୍ରସ୍ତୁତ ଦେଖିବାକୁ ପଡ଼େ ଏବଂ ଭିତର ପାର୍ଶ୍ୱର ଦର୍ଶନ ଏହି ସମସ୍ତ ଜୀବନର ଅନେକ ସୋପାନ ମଧ୍ୟରେ କେନ୍ଦ୍ରିତ ବିନ୍ଦୁ ଗୁଡ଼ିକରୁ ହୋଇଥାଏ । ଏହି କଥାକୁ ଏହିପରି କୁହାଯାଇ ପାରେ ଯେ ଏହି ସାମାଜିକ ଘଟଣା, ସମସ୍ୟା ଏବଂ ଗତିବିଧିମାନଙ୍କର ଏକ ଆନ୍ତରିକ ବିନ୍ଦୁ ଥାଏ । ଯାହା ଉପର ଜୀବନ ନିର୍ଭର କରିଥାଏ । ପରୀକ୍ଷା ଗୁରୁରେ ଏହି ବିନ୍ଦୁର ଦର୍ଶନ କରାଯାଇ ପାରେ, କିନ୍ତୁ ଗୁଣି ମଧ୍ୟ ଏଥିରେ ଭିତରେ ଛପା ହୋଇଥିବା ଆନ୍ତରିକତାର ଅଭାବ ଦେଖିବାକୁ ମିଳେ । ସାମାଜିକ ଯଥାର୍ଥ ଚିତ୍ରଣ ଉପରେ ଏହି ଯେଉଁ ସାହିତ୍ୟ ରଚନା କରାଯାଇଅଛି, ସେ ସେହି ମୁଖର ଦର୍ଶନ ଉପରେ ଆଧାରିତ ହୋଇଅଛି । ସ୍ୱତନ୍ତ୍ରତାର ଲଢ଼େଇ ସମୟରେ ମଦନ ମୋହନ ଏପରି ଏକ ପାତ୍ରର ଆବଶ୍ୟକତା ନାହିଁ । ବ୍ରିଟିଶମାନଙ୍କ ଶୋଷଣରୁ ବଞ୍ଚିବା ପାଇଁ ଭାରତୀୟ ନାଗରିକମାନଙ୍କର କର୍ତ୍ତବ୍ୟ ଥିଲା । ଏଥିରେ ଯେଉଁ ବ୍ୟକ୍ତି ଦୂରେଇଯାଇ ଇଂରେଜମାନଙ୍କ ଅଧୀନରେ ଚାଟୁକାରିତା କାର୍ଯ୍ୟ କରୁଥିଲା, ସେ ଏହି ସମାଜରୁ କଟାଯାଉଥିଲା । ତାକୁ ଠିକ୍‌ ରାସ୍ତା ଉପରକୁ ଆଣିବା ପାଇଁ ସମସ୍ତଙ୍କର ଆବଶ୍ୟକତା ଥିଲା । ଦେଶ ଓ ସମାଜର ପୀଡ଼ା, ଯେଉଁଠାରୁ ସନ୍ତ୍ରାସବାଦୀମାନଙ୍କୁ ଦୂର କରିବାର ଆବଶ୍ୟକ ଅଟେ, ଜାଗରୁକ ରାଜନୀତିଜ୍ଞ ଏବଂ ସାମାଜିକ ଦୃଷ୍ଟିର ଆବଶ୍ୟକ ଅଟେ-। ସେ ସମୟରେ ମଦନ ମୋହନ ଯେପରି ପାତ୍ର ଦେଶର ମଙ୍ଗଳ ଚାହୁଁ ନଥିଲା ।

 

ତତ୍‌କାଳୀନ ରାଜନୀତିଜ୍ଞ, ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ମୂଲ୍ୟର ଦଶା ପ୍ରତି ଉଦ୍‌ବେଗର ଝଡ଼ନେଇ ଏହି ଉପନ୍ୟାସର ରଚନା କରାଯାଇଅଛି । ଗୁରୁତା ଠାରୁ ଦୂରେଇ ଯାଇ ଭାରତୀୟ ସମାଜର ଦାୟୀ ସ୍ୱରୂପ ମନୁଷ୍ୟକୁ କ୍ଷୁଦ୍ରତା ଆଡ଼କୁ ଜନସମାଜ ଆଡ଼କୁ ପ୍ରେରିତ ହେବାପାଇଁ ଏହି ଉପନ୍ୟାସର ମାଧ୍ୟମରେ ଦର୍ଶାଇ ଦିଆ ଯାଇଅଛି, କାରଣ ଆଧୁନିକ ଜୀବନର ଜଟିଳତା ଓ ସଂଶ୍ଳିଷ୍ଟତାର ଚିତ୍ରଣ କବିତାଦ୍ୱାରା ବର୍ଣ୍ଣିତ ହୋଇପାରୁ ନଥିଲା । ତେଣୁ ଗଦ୍ୟସାହିତ୍ୟର ସାହାଯ୍ୟ ନିଆଗଲା । ନାଟକ ଅପେକ୍ଷା ଉପନ୍ୟାସର ଭାଷା ସମ୍ପୂର୍ଣ୍ଣ ରୂପରେ ସାମର୍ଥ୍ୟ ଅଟେ । କାରଣ ନାଟକ ଗୁଡ଼ିକରେ ଭାଷାରେ କ୍ରିୟା ଅଧିକ ରହିଥାଏ । ଜୀବନର ସମସ୍ତ ପ୍ରକାର ଚରିତ୍ର ଓ ଚରିତ୍ର ବିଶେଷମାନଙ୍କର ଗୁଣଗୁଡ଼ିକର ବର୍ଣ୍ଣନା କରାଯାଇପାରେ । ତେଣୁ ଉପନ୍ୟାସକୁ ଆଧୁନିକ ମହାକାବ୍ୟ ମଧ୍ୟ କୁହାଯାଏ । ‘ପରୀକ୍ଷା ଗୁରୁ’ରେ ଏକ ବ୍ୟକ୍ତିର ସମାଜ ମଧ୍ୟରେ ବିବିଧ ଜୀବନ ମୂଳକ ଘଟଣାର ସମସ୍ୟା ଏବଂ ଜଟିଳତାର ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଅଛି । ଏଥିରେ ଗଦ୍ୟର ଭାଷାଗୁଡ଼ିକ ଏପରି ଭାବରେ ସଂଯୋଗ କରାଯାଇଅଛି, ଯାହାକି ସମସ୍ତଙ୍କର ଆଦର ହୋଇପାରିଛି ଓ ଏହା ଗଳିଗଳିରେ ମଧ୍ୟ ଘୂରିପାରୁଛି, ଅର୍ଥାତ ସମସ୍ତେ ଏହାକୁ ସୁନ୍ଦର ରୂପରେ ଗ୍ରହଣ କରିପାରିଛନ୍ତି । ଏହି ଉପନ୍ୟାସରେ ଯଥାର୍ଥ ମୂଳକ ଚିତ୍ରଣ ଏତେ ଗଭୀର ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇ ପାରିନାହିଁ । ଏଥିପାଇଁ ଏଥିରେ କଳାତ୍ମକର ଶିଥିଳତା ଦେଖିବାକୁ ମିଳେ । ତଥାପି ଏହା ମୌଳିକ ଉପନ୍ୟାସର ଏକ ପ୍ରଥମ ଓ ସ୍ୱତନ୍ତ୍ର ଦୃଷ୍ଟାନ୍ତ । ଏହି ଉପନ୍ୟାସରେ ଉପନ୍ୟାସକାର ସାମାଜିକ ପରିବେଶକୁ ପୂର୍ଣ୍ଣରୂପରେ ଦର୍ଶାଇବା ପାଇଁ ଚେଷ୍ଟା କରିଛନ୍ତି । ସମାଜରେ ବ୍ୟାପିଥିବା ଦୋଷ ଓ ପରୋପକାରୀ ଭାବନାକୁ ମଧ୍ୟ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଅଛନ୍ତି । ଏକ ବିଶିଷ୍ଟ ଘଟଣା ମାଧ୍ୟମରେ ଜୀବନର ବ୍ୟାପକ ସ୍ତରର ବାସ୍ତବିକତାକୁ ଆମ ଆଗରେ ପ୍ରକାଶ କରିବାପାଇଁ ମଧ୍ୟ ଉପନ୍ୟାସକାର ଚେଷ୍ଟା କରିଅଛନ୍ତି ।

 

ଏହି ଉପନ୍ୟାସରେ ଲାଲା ମଦନ ମୋହନର ନୂଆ ଓ ପୁରୁଣା ଓ ବିଭିନ୍ନ ପ୍ରକାରର ବିବୃତି ମଧ୍ୟରେ ବଶୀଭୂତର ଦୃଶ୍ୟ ମଧ୍ୟ ନିଆଯାଇଅଛି । ବ୍ରଜ କିଶୋରକୁ ଏକ ନୂତନ ଚିନ୍ତାଧାରାର ପ୍ରତୀକ ରୂପେ ଆମ ଆଗରେ ଦଣ୍ଡାୟମାନ କରାଯାଇଅଛି । ତାଙ୍କ ପାଖରେ ଉଭୟ ପୂର୍ବ ଓ ପଶ୍ଚିମ ଧାରାର ବ୍ୟକ୍ତିତ୍ୱ ଭରପୁର ଥିଲା । ସେ ମଧ୍ୟ ସେକ୍‌ସପିୟର, ବାୟରନ୍‌, ଉଇଲିୟମ କୁପର ଆଦି ପଶ୍ଚିମ କବିଗଣମାନଙ୍କ ମାନବୀୟ ଚିନ୍ତାଧାରାରେ ସମତୁଲ ହୋଇପାରିଛନ୍ତି । ସେ ମଧ୍ୟ ଗୀତା, ଉପନିଷଦ୍‌, ପୁରାଣ, ମହାଭାରତ, ରାମାୟଣ, ହିତୋପଦେଶ ଆଦି ଭାରତୀୟ ଗ୍ରନ୍ଥ ତଥା ବାଲ୍ମୀକି, କାଳିଦାସ, ଭର୍ତ୍ତୃହରି, କବିର ତୁଳସୀଦାସ ଆଦି ମହାନ୍‌ ଲେଖକଙ୍କର ଚିନ୍ତନଶୈଳୀକୁ ଆତ୍ମସାତ କରିଅଛନ୍ତି । ତାଙ୍କର ଅପାର ସହିଷ୍ଣୁତା ଭାବ ଅଛି । ସତ୍‌-ଉଦ୍ଦ୍ୟେଶର କ୍ରମ ମଧ୍ୟ ଅଛି । ଦୟାଅଛି, ପ୍ରେମ ଅଛି, ତାହା ସହିତ ମଧ୍ୟ ପୂର୍ବ ଓ ପଶ୍ଚିମ ଇତିହାସକାର ମହାପୁରୁଷମାନଙ୍କର ଦର୍ଶନ ଶୈଳୀକୁ ଦର୍ଶା ଯାଇଅଛି । ଏହିପରି ପାତ୍ର ଆମ ସମାଜ ଓ ଦେଶରେ ଅନେକ ମିଳିବେ ଯେଉଁମାନେ କି ଯଥାର୍ଥବାଦିତାକୁ ଚିହ୍ନିବାରେ ବଞ୍ଚିତ ହେବେ ଓ ଆଉ ମଧ୍ୟ ଅନେକ ଅଛନ୍ତି ଯାହା ତାଙ୍କ ପାଖରେ ଅନେକ ମାନବୀୟ ଗୁଣ ମଧ୍ୟ ଭରପୁର ଅଛି । ସେହି ପାତ୍ରମାନଙ୍କ ମଧ୍ୟରୁ ମଦନ ମୋହନ ମଧ୍ୟ ଜଣେ ଯିଏକି ଭାରତୀୟ ସମାଜରେ ଜଣେ ଗୋଖଲେ ଚରିତ୍ରରେ ଭରପୂର ଅଟନ୍ତି-। ଯାହାକୁ କି ଭବିଷ୍ୟତର କିଞ୍ଚିତ ମାତ୍ର ଚିନ୍ତା ମଧ୍ୟ ନାହିଁ । ବ୍ରଜକିଶୋର ଜଣେ ଆତ୍ମଜ୍ଞାନୀ, ବିଚାରକ ତଥା ସଚେଷ୍ଟ ଆତ୍ମବଳୀ ବ୍ୟକ୍ତି ଅଟନ୍ତି । ଏହି ଦୁଇ ମୁଖ୍ୟ ଚରିତ୍ର ଉପନ୍ୟାସର ଆଧାର ସ୍ଥଳୀ ଅଟନ୍ତି ।

 

ଏହି ଉପନ୍ୟାସରେ ଯଥାର୍ଥମୂଳକ ଉପଦେଶ ମଧ୍ୟ ଦେଖିବାକୁ ମିଳେ । ନିଜେ ଔପନ୍ୟାସିକ ରଚନା ମଧ୍ୟରେ ଉପଦେଶର ଆସରକୁ ପ୍ରସ୍‌ଫୁଟିତ କରାଯାଇଅଛି । ପ୍ରାୟ ଅଧିକାଂଶ ସ୍ଥାନରେ କିଛି ନା କିଛି ନୀତିମୂଳକ ବାଣୀ ମଧ୍ୟ ଉପନ୍ୟାସକାର ଅତି ସୁନ୍ଦର ଭାବରେ ଦେଇ ଅଛନ୍ତି । ସମସ୍ତ ବିଷୟରେ ଆରମ୍ଭରେ କିଛି ନା କିଛି ନୀତିସୂଚକ କଥା ସେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଅଛନ୍ତି । ସମସ୍ତ ବିଷୟ ଆରମ୍ଭରେ ନୀତିର ଆଧାର ନେଇ ଶେଷରେ ଏକ ବାସ୍ତବିକତା ରୂପଧାରଣ କରି ଶେଷ ହୋଇଯାଇଅଛି ।

 

ଏହି ଉପନ୍ୟାସଟି ଭାରତୀୟ ସାମାଜିକ ଚେତନାର ଯଥାର୍ଥ ରୂପନେଇ ଆରମ୍ଭ ହୋଇଛି ଓ ଭାରତୀୟ ସମସ୍ୟାଗୁଡ଼ିକ ଏଥିରେ ସୁନ୍ଦର ଭାବରେ ସତ୍ୟରୂପ ନେଇ ବର୍ଣ୍ଣିତ ହୋଇଅଛି । ସ୍ୱତନ୍ତ୍ରତା ସଂଗ୍ରାମ ଓ ସାମାଜିକତାର ଆଗ୍ରହରେ ଏହି ଉପନ୍ୟାସଟି ଯୁଗ ଉପଯୋଗୀ ମଧ୍ୟ ହୋଇପାରିଛି । ବ୍ରଜକିଶୋରର ଚରିତ୍ର ଭାରତୀୟ ଆର୍ଥିକ ଏବଂ ସାମାଜିକ ଶୋଷଣର ଏକ ପ୍ରତିଛବି ରୂପରେ ଆମ ଆଗରେ ଠିଆ କରାଯାଇଅଛି । ସେ ଜାଣିଥିଲେ ଏହି କାରିଗରୀର ନିରର୍ଥକ ବସ୍ତୁ ବଦଳରେ ହିନ୍ଦୁସ୍ଥାନୀ ନିଜ ସମ୍ପତ୍ତିକୁ ବୃଥାରେ ହଜାଇ ଦେଇଅଛି । ତାହାର ପ୍ରତିଫଳରେ ଘଟିଥିବା ଘଟଣା ଗୁଡ଼ିକ ଆମ ଆଗରେ ଏକ ପ୍ରଶ୍ନବାଚୀ ତଥା ଦୋଷୀରୂପରେ ରୂପାୟିତ କରାଯାଇଅଛି । ଏହି ସବୁ କାରଣ ହେତୁ ଏବେ ମଧ୍ୟ ଦେଶରେ ଅନେକ ହାନି ଓ ଦୁର୍ଦ୍ଦଶା ଦେଖାଯାଉଛି । ଭବିଷ୍ୟତରେ ମଧ୍ୟ ଏହା ଏହିପରି ଭାବରେ ଚାଲିବ । ଏଣୁ ଦେଶର ନାଗରିକ ସେହି ହୀନ ଶ୍ରେଣୀର ଲୋକଙ୍କୁ ଦେଶର ଅବନତିର ପ୍ରଥମ କାରଣ ରୂପେ ସ୍ୱୀକାର କରିଥାଆନ୍ତି । ସେହି ହୀନ ଶ୍ରେଣୀର ଲୋକମାନେ ମୁଖ୍ୟତଃ ଅନ୍ଧଭାବରେ ପରର ଚାଟୁକାର କାମ କରନ୍ତି ଓ ମିଥ୍ୟା ଅହଂକାରରେ ଲିପ୍ତ ରହନ୍ତି । ପ୍ରାରମ୍ଭିକ ପରିପ୍ରେକ୍ଷୀରେ ଏହି ଉପନ୍ୟାସଟି ଏକ ସ୍ୱଚ୍ଛ ଯଥାର୍ଥ ରୂପ ନେଇ ଆରମ୍ଭ ହୋଇଛି ଓ ସମାନ୍ତର ଗତି ନେଇ ସମାପ୍ତ ମଧ୍ୟ ହୋଇଛି ।

 

(ଲେଖକଙ୍କ ଦ୍ୱାରା ଅନୂଦିତ)

ରିଡ଼ର, ହିନ୍ଦୀ ବିଭାଗ

ବିଶ୍ୱଭାରତୀ

 

* ଓଡ଼ିଶା ସାହିତ୍ୟ ଏକାଡେମି ସହଯୋଗରେ ବିଶ୍ୱଭାରତୀ-ଓଡ଼ିଆ ବିଭାଗର ଆୟୋଜିତ ଉପନ୍ୟାସ ଶତବର୍ଷିକୀ ବିଷୟକ ଆଲୋଚନା-ଚକ୍ରରେ ଉପସ୍ଥାପିତ ପ୍ରବନ୍ଧର ଓଡ଼ିଆ ରୂପାନ୍ତର ।

 

***

 

Unknown

‘‘ଦଣ୍ଡିଙ୍କ ‘ଦଶକୁମାର ଚରିତ’ରେ ଉପନ୍ୟାସ-କଳା’’

ଡଃ : ଗୋପବନ୍ଧୁ ମିଶ୍ର

 

‘‘ଗଦ୍ୟରେ ଲିଖିତ କଥାସାହିତ୍ୟ ହେଉଛି ଉପନ୍ୟାସ । ସଂଜ୍ଞାଟି ଇଂରାଜୀରେ ଅତ୍ୟନ୍ତ ଶିଥିଳଭାବେ ବ୍ୟବହୃତ ଓ କଥାସାହିତ୍ୟ କ୍ଷେତ୍ରରେ ହୋଇଥିବା ନୂତନ ପରୀକ୍ଷା ନିରୀକ୍ଷା ସବୁକୁ ଅନ୍ତସ୍ଥ କରିବାକୁ ଯାଇ ବାରମ୍ବାର ଅଭିବ୍ୟକ୍ତ ହୋଇଛି । ଅଷ୍ଟାଦଶ ଶତାବ୍ଦୀ ବେଳକୁ ପ୍ରଥମ କରି ଇଂରାଜୀ ସାହିତ୍ୟରେ ‘ରୋମାନ୍‌ସ’ ପରିବର୍ତ୍ତେ ଏହି ଶବ୍ଦଟି ପ୍ରଚଳିତ ହୋଇଥିଲା’’ (୧) । ସଂସ୍କୃତରେ ସାହିତ୍ୟର ଏହି ଗଦ୍ୟପ୍ରାରବ୍‌ଧକୁ କୁହାଯାଏ ଗଦ୍ୟକାବ୍ୟ ବା କାହାଣୀ । ଗଦ୍ୟର ପରିଭାଷା ମଧ୍ୟ ପ୍ରଦତ୍ତ ହୋଇଛି-ବୃତ୍ତଗନ୍ଧୋଜ୍‌ଝିତଂ ଗଦ୍ୟ, ଅର୍ଥାତ ଯାହା ପଦ୍ୟ ନୁହେଁ, ତାହା ଗଦ୍ୟ । ଗଦ୍ୟ ପୁଣି ଦ୍ୱିବିଧ-କଥା ଓ ଆଖ୍ୟାୟିକା । ଖ୍ରୀଷ୍ଟଜନ୍ମର ବହୁପୂର୍ବରୁ ସଂସ୍କୃତରେ ଉନ୍ନତ ଧରଣର ଆଖ୍ୟାୟିକା ବିଦ୍ୟମାନ ଥିଲା । କାତ୍ୟାୟନଙ୍କ ‘‘ବାର୍ତ୍ତିକରେ’ ଆଖ୍ୟାୟିକାର ବିଶେଷ ଆଲୋଚନା କରାଯାଇଛି (୨); ଏବଂ ପାତଞ୍ଜଳି ଆଖ୍ୟାୟିକା ସଂପର୍କରେ ଆଲୋଚନା କରିବାକୁ ଯାଇ ଜାଣିଥିବା ତିନିଗୋଟି ଆଖ୍ୟାୟିକାର ନାମ ଉଲ୍ଲେଖ କରିଛନ୍ତି, ସେଗୁଡ଼ିକ ହେଲା-ବାସବଦତ୍ତା, ସୁମନୋତ୍ତରା ଓ ଭୈମାରଥୀ (୩) । କିନ୍ତୁ ଏସବୁ ପ୍ରାଚୀନ କୃତିଗୁଡ଼ିକର ବିଷୟବସ୍ତୁ ବା ଶୈଳୀ ସଂପର୍କରେ ଆମେ ସଂପୂର୍ଣ୍ଣ ଅଜ୍ଞ । ‘ବୃହତ୍‌ କଥା’ର ଶୀର୍ଷକ ତଥା ‘ପଞ୍ଚତନ୍ତ୍ର’ ଯାହାକୁ ତନ୍ତ୍ରାଖ୍ୟାୟିକା ରୂପେ ମଧ୍ୟ ଅଭିହିତ କରାଯାଏ, ତାହାର ଏକକ ଗଳ୍ପ ପ୍ରତି ପ୍ରଯୁଜ୍ୟ ହୋଇଥିବା ‘କଥା’ ଶବ୍ଦ ‘କଥା’ ଓ ଆଖ୍ୟାୟିକାର ସମାନତାର ସୂଚନା କରୁଛି ଓ କୌଣସି ଶିଳ୍ପଗତ ବିଶେଷତ୍ୱ ପ୍ରଦର୍ଶନ ନ କରି ନିଶ୍ଚିତ ରୂପେ କାହାଣୀ ଅର୍ଥ ହିଁ ବହନ କରୁଛି । ବାସବଦତ୍ତା ପରେ ଆମେ ଆହୁରି ଦୁଇଗୋଟି କାହାଣୀର ସୂଚନା ପାଇଁ-ବରରୁଚିଙ୍କ ଚାରୁମତୀ ଓ ଶ୍ରୀପାଳିତଙ୍କ ତରଙ୍ଗବତୀ । ଚାରୁମତୀ ବ୍ୟତୀତ ଭୋଜ ତାଙ୍କ ପ୍ରଣୀତ ‘ଶୃଙ୍ଗାର ପ୍ରକାଶ’ରେ ମନୋବତୀ ଓ ‘ଷଟ୍‌କର୍ଣ୍ଣୀହରଣ’ର ନାମୋଲ୍ଲେଖ କରିଛନ୍ତି, ଯାହା ପ୍ରଥମଶତାବ୍ଦୀ ବେଳକୁ ରଚିତ ହୋଇଥିବା ସମ୍ଭବ ।

 

ସଂସ୍କୃତ କାହାଣୀ ସର୍ବପ୍ରଥମେ ଦଣ୍ଡି, ସୁବନ୍ଧୁ ଓ ବାଣଭଟ୍ଟଙ୍କ କୃତିସମୂହରେ ପୂର୍ଣ୍ଣବିକଶିତ ରୂପେ ଆତ୍ମପ୍ରକାଶ କରେ । ସପ୍ତମ ଶତାବ୍ଦୀର ଶେଷପାଦରେ ରଚିତ ଦଣ୍ଡିଙ୍କ ‘ଦଶକୁମାର ଚରିତ’ ସୁବନ୍ଧୁ ଓ ବାଣଭଟ୍ଟଙ୍କ କାହାଣୀଠାରୁ ଯଥେଷ୍ଟ ଭିନ୍ନ । ଆଧୁନିକ ଉପନ୍ୟାସର ସମକକ୍ଷ ନହେଲେ ମଧ୍ୟ ଏଥିରୁ ଉପନ୍ୟାସର ଲକ୍ଷଣ ସବୁ ସ୍ୱତନ୍ତ୍ରରୂପେ ଆବିଷ୍କାର କରାଯାଇପାରେ ।

 

ବାସ୍ତବୋପମ କାଳ୍ପନିକ ଚରିତ୍ର :

ଲେଖକ ଯେତେବେଳେ ଉପନ୍ୟାସ ରଚନା କରିବାକୁ ଯାଏ, ତାର ଲକ୍ଷ୍ୟଥାଏ କେତେକ କାଳ୍ପନିକ ଚରିତ୍ରଙ୍କ ଜୀବନରୁ କେତୋଟି ଘଟଣାକ୍ରମ ଉଦ୍‌ଭାବନ କରି ସେଗୁଡ଼ିକୁ ଏହିଭଳି ଭାବେ ପ୍ରକାଶ କରିବା, ତାହା ଯେପରି ପାଠକମନରେ ଏହି କ୍ରମଧାରଣା ସୃଷ୍ଟି କରିପାରିବ ଯେ ସେହି ପାତ୍ରପାତ୍ରୀମାନେ ବାସ୍ତବ ଓ ଘଟଣା ସବୁ ବାସ୍ତବରେ ଘଟିଥିଲା । ଦଣ୍ଡିଙ୍କ କାହାଣୀଟି ଏଇଭଳି-ମୁଖ୍ୟନାୟକ ରାଜବାହନଙ୍କ ସଖା ଓ ସହକର୍ମୀ ସାତ ଜଣ ରାଜକୁମାର ପ୍ରତ୍ୟେକ ନିଜ ନିଜ ଅଭିଯାନ କାଳରେ ପ୍ରଦର୍ଶନ କରିଥିବା ଦକ୍ଷତା ତଥା ରାଜକନ୍ୟାଙ୍କ ପାଣିଗ୍ରହଣ ପ୍ରଭୃତି ଅଭିଜ୍ଞତା ବିବୃତ୍ତ କରିଛନ୍ତି । ରାଜବାହନ ଓ ତାଙ୍କ ସୁହୃଦମାନଙ୍କ ବିବରଣୀ ସମ୍ପୂର୍ଣ୍ଣ କାଳ୍ପନିକ । ଚରିତ୍ର ଓ ଘଟଣାର କାଳ୍ପନିକ ଚିତ୍ରଣ ପାଠକ ମନରେ ସାଧାରଣୀକୃତ ହୁଏ, ଫଳରେ ପାଠକମାନଙ୍କୁ ଏହି କାଳ୍ପନିକତା ବାସ୍ତବ ଓ ତଥ୍ୟାତ୍ମକ ରୂପେ ଅନୁଭୂତ ହୁଏ ।

 

 

କଥା-ସାହିତ୍ୟୋପଯୋଗୀ ଗଦ୍ୟ :

ସଂସ୍କୃତ ଅଳଙ୍କାର ଶାସ୍ତ୍ର ଓ ଭାଷ୍ୟ ଗ୍ରନ୍ଥଗୁଡ଼ିକରେ ଏକ ବିଶେଷ ଧରଣର ବିଶ୍ଳେଷଣାତ୍ମକ ବା ତର୍କନିଷ୍ଠ ଗଦ୍ୟ ପରିଲକ୍ଷିତ ହୁଏ । ମାତ୍ର ସମଗ୍ର ସଂସ୍କୃତ-ସାହିତ୍ୟର ଇତିହାସରେ ପଦ୍ୟ ହିଁ ସାଧାରଣ ଅଭିବ୍ୟକ୍ତିରେ ମାଧ୍ୟମ ହୋଇ ରହିଆସିଛି । ଗଦ୍ୟର ଅସ୍ତିତ୍ୱ ଥିଲେ ମଧ୍ୟ ତାହାର ପ୍ରବୃତ୍ତିସମୂହ ସଚେତନଭାବେ ପଦ୍ୟର ପ୍ରତିସ୍ପର୍ଦ୍ଧୀ ହେବା ସଙ୍ଗେ ସଙ୍ଗେ ପଦ୍ୟର ଛନ୍ଦ ଓ ଅଳଙ୍କାରକୁ ମଧ୍ୟ ଆପଣେଇ ଦେଇଛି । ଦଣ୍ଡିଙ୍କ ଶୈଳୀ ଓ ଭାଷା ତାଙ୍କର ସମାନୁପାତିକ ନିୟନ୍ତ୍ରଣ କ୍ଷମତାଯୋଗୁଁ ଅତିକଥନ ଭଳି ଅବକ୍ଷୟୀ ଦୋଷରୁ ମୁକ୍ତ ରହିଛି । ନିଃସନ୍ଦେହରେ ସେ ଜଣେ ସାଦାସିଧା ଲେଖକ, କିନ୍ତୁ ତାଙ୍କ ଭାଷାରେ ଶିଥିଳତା ନାହିଁ; ଏହା ବରଂ ପ୍ରାଣପ୍ରାଚୁର୍ଯ୍ୟପୂର୍ଣ୍ଣ ଏବଂ ସ୍ୱତଃ ଉତ୍ସାହିତ । ଦଣ୍ଡିଙ୍କୁ ପ୍ରଭାବଶାଳୀ, ସ୍ୱତଃସ୍ଫୂର୍ତ୍ତ ଗଦ୍ୟଶୈଳୀର ଅସାମାନ୍ୟ ଅଧିକାରୀ ଭାବେ ଶ୍ରେଷ୍ଠ ଆସନ ଦିଆଯାଇଥାଏ (୪) । ଅଳଂକୃତଭାଷା ଓ କାବ୍ୟିକ ଛଟା ଦଶକୁମାର ଚରିତର ଖୁବ୍‌ କମ୍‌ ସ୍ଥଳରେ ଦେଖିବାକୁ ମିଳେ ।

 

ବାସ୍ତବ ଜୀବନର ପ୍ରତିଛବି :

ଚରିତ୍ରମାନଙ୍କୁ ବାସ୍ତବ ଓ ଜୀବନ୍ତ କରିବାପାଇଁ ଉପନ୍ୟାସକାର ସେମାନଙ୍କ ଚିନ୍ତାଧାରା, ବକ୍ତବ୍ୟ, ଚଳଣି ଓ ଈପ୍‌ସିତ କାର୍ଯ୍ୟ ଅନୁଯାୟୀ ‘ଘଟଣା ମଧ୍ୟରେ’ ଉପସ୍ଥାପିତ କରିବା ଦରକାର । ତେଣୁ ସେମାନେ କାର୍ଯ୍ୟ କରୁ କରୁ ଅବଲୀଳାକ୍ରମେ (ବାସ୍ତବ ଜୀବନ ଭଳି) ଅନ୍ୟ କେତୋଟି ଘଟଣା ଘଟାଇ ପାରିବେ ।

 

ଏ ଦୃଷ୍ଟିରୁ ‘ଦଶକୁମାର ଚରିତ’ ବାସ୍ତବ ଜୀବନର ଚରିତ୍ର, ତେଣୁ ଏହାକୁ ଯଥାର୍ଥରେ ହୀନ ଚରିତ୍ରମାନଙ୍କ କାହାଣୀ ରୂପେ ଅଭିହିତ କରାଯାଇଛି । ଏହା ତେଣୁ କିଛି ପରିମାଣରେ ଶୁଦ୍ରକଙ୍କ ମୃଚ୍ଛକଟିକ ସହିତ ତୁଳନୀୟ, କାରଣ ଏହା ଅସତ୍‌ପାତ୍ରପୂର୍ଣ୍ଣ ନାଟକ । ଦଶକୁମାର ଚରିତ ଏଭଳି ଗୌଣ ଚରିତ୍ର ଓ ନିକୃଷ୍ଟ ବିଷୟବସ୍ତୁର ପୁଙ୍ଖାନୁପୁଙ୍ଖ ଓ ଚିତ୍ର ବହୁଳ ଉଦ୍‌ଘାଟନ ମଧ୍ୟରୁ ଉପାଦାନ ଗ୍ରହଣ କରିଛି । ଗଦ୍ୟକାବ୍ୟ ଯେ ଉତ୍ତମ ବିଷୟ (ସଦାଶ୍ରୟ) ଓ ଏହାର ନାୟକ ଉଚ୍ଚକୂଳ ଜାତ ବା ମହାତ୍ମା ହେବା ଉଚିତ ଏଭଳି ନିର୍ଦ୍ଦେଶକୁ ଦଣ୍ଡି ନିଶ୍ଚିତରୂପେ ଅବଜ୍ଞା କରିଛନ୍ତି । ଜୁଆଖେଳ, ସିନ୍ଧିଚୋରୀ, ଧୂର୍ତ୍ତତା, ପ୍ରତାରଣା, ହିଂସା, ହତ୍ୟାକାଣ୍ଡ, ଅପହରଣ ଓ ଅବୈଧ ଯୌନକାରବାର ପ୍ରଭୃତି ଏକ ବା ଏକାଧିକ ବିଷୟ ହେଉଛି ପ୍ରତ୍ୟେକ କାହାଣୀର ମୁଖ୍ୟ ଘଟଣା । ‘ଦଶକୁମାର ଚରିତ’ କାଳ୍ପନିକ କଥା କିନ୍ତୁ ଏହା ଆଧୁନିକ ୟୁରୋପର ରୋମାନ୍‌ସ ସହ ତୁଳନୀୟ, ଯହିଁରେ ମହାନଗରୀର ତୁଚ୍ଛ ଓ ନିକୃଷ୍ଟ ଲୋକଙ୍କ ଜୀବନ୍ତ ଚିତ୍ର ରହିଛି । ଏହା ସ୍ପଷ୍ଟତଃ ବ୍ୟଙ୍ଗ ସୃଷ୍ଟି ନହେଲେ ମଧ୍ୟ ଚରିତ୍ରଚିତ୍ରଣ ଓ ଘଟଣା ତଥା ଦୃଶ୍ୟବର୍ଣ୍ଣନା ପ୍ରଭୃତି ସମଗ୍ର କ୍ଷେତ୍ରରେ ମୂଳ ଭାବଟି ଉଲ୍ଲେଖନୀୟ ଭାବେ ବ୍ୟଙ୍ଗାତ୍ମକ ।

 

ବାସ୍ତବଜୀବନର ପ୍ରତିନିଧି

ଉପନ୍ୟାସର ଗୋଟିଏ ଆରମ୍ଭ ବିନ୍ଦୁ ଓ ପରିସମାପ୍ତି ରହିବା ଆବଶ୍ୟକ ଏବଂ ସେଥିପାଇଁ ଉପନ୍ୟାସ ରଚନାବେଳେ ଲେଖକମନରେ କିଛି ଆକୃତି, ଯୋଜନା ବା ନକ୍‌ସା ଥିବା ଆବଶ୍ୟକ । ଦଶକୁମାର ଚରିତ ଦୁଇଭାଗ ବିଶିଷ୍ଟ । ପ୍ରଥମଟି ପୂର୍ବପୀଠିକା, ଏଥିରେ ପାଞ୍ଚୋଟି ଉଚ୍ଛ୍ୱାସ ଓ ଦ୍ୱିତୀୟଟି ଉତ୍ତରପୀଠିକା ଆଠଗୋଟି ଉଚ୍ଛ୍ୱାସ ବିଶିଷ୍ଟ । ଏହାର ପ୍ରାରମ୍ଭ ମଗଧ ଅନ୍ତର୍ଗତ ପୁଷ୍ପପୁରୀର ସମ୍ରାଟ ରାଜହଂସଙ୍କ ପରିଚୟ ପ୍ରଦାନ ମଧ୍ୟରୁ ଏବଂ ରାଜହଂସଙ୍କ ପୁତ୍ର ରାଜବାହନଙ୍କ ଯୁକ୍ତରାଜ୍ୟ ପୁଷ୍ପଗିରି ଓ ଉଜ୍ଜୟିନୀରେ ଶାସନରେ ଏହାର ପରିସମାପ୍ତି । ରାଜବାହନଙ୍କ ତତ୍ତ୍ୱାବଧାନରେ ଅନ୍ୟ ରାଜକୁମାରମାନେ ମଧ୍ୟ ସ୍ୱ-ଅଧିକୃତ ରାଜ୍ୟଗୁଡ଼ିକରେ ନ୍ୟାୟୋଚିତ ରାଜତ୍ୱ କଲେ ଓ ‘ଇନ୍ଦ୍ରସୁଖ ଲାଭ କଲେ’ (୬) ।

 

‘ଦଶକୁମାର ଚରିତ’ ଶୀର୍ଷକ ଅନୁସାରେ ଆମେ ଦଶଜଣ ରାଜକୁମାରଙ୍କ ଅଭିଯାନ କାହାଣୀ ଆଶା କରିବା କଥା । କିନ୍ତୁ ଦଣ୍ଡିଙ୍କ କୃତିର ବାର୍ତ୍ତମାନିକ ଅବସ୍ଥାରେ ଉତ୍ତରପୀଠିକାର ଆଠଗୋଟି ଉଚ୍ଛ୍ୱାସ ମଧ୍ୟରେ ଆଠଜଣ ରାଜକୁମାରଙ୍କଠାରେ ଆକସ୍ମିକ ଭାବେ ସୀମିତ । ତେଣୁ ପୂର୍ବପୀଠିକାରେ କେବଳ ମୂଳକଥା ଥିଲା, ତା ନୁହେଁ, ବରଂ ମିଳୁନଥିବା ରାଜକୁମାରଙ୍କ କାହାଣୀ ମଧ୍ୟ ନିହିତ ଥିଲା । ଦଶକୁମାର ଚରିତରେ ଦୃଶ୍ୟଗୁଡ଼ିକ ପ୍ରକୃତରେ ମହାନଗରୀ ଆଧାରିତ, ଯେଉଁଠି ବିଭିନ୍ନ ଦେଶ ଓ ବିଭିନ୍ନ ସମାଜ-ଆଗତ ନାଗରିକମାନେ ଏକତ୍ରିତ ହୋଇଥାନ୍ତି । ଏପରିକି ବହିର୍ବିଶ୍ୱର ଦେବତା, ରାଜପୁତ୍ର ଓ ବ୍ରାହ୍ମଣମାନଙ୍କୁ ସାଧାରଣ ଭାବେ ଚର୍ଚ୍ଚାକରାଯାଇଛି । ଅନ୍ୟାୟକାର୍ଯ୍ୟର ବିଚାରପାଇଁ ଦେବତାମାନଙ୍କ ଅବତାରଣଃ କରାଯାଇଛି, ବ୍ରାହ୍ମଣମାନଙ୍କ ସ୍ୱର୍ଣ୍ଣାସକ୍ତି, କୁକୁଡ଼ା ଯୁଦ୍ଧ ପ୍ରତି ଆଗ୍ରହ ହାସ୍ୟପ୍ରଦ ପରିବେଶ ସୃଷ୍ଟିକରିଛି (୭) ।

 

ଜନ୍‌ ବଚ୍ଚନଙ୍କ ମତରେ ‘‘ସାଧାରଣ ଜୀବନକୁ ନେଇ ହିଁ କଥାସାହିତ୍ୟର ସୃଷ୍ଟି । କିନ୍ତୁ ଉପନ୍ୟାସ ସାଧାରଣଜୀବନରେ ଏ ଭିତ୍ତିଭୂମିଠାରୁ ଦୂରେଇ ନଯାଇ କୌଣସି ପ୍ରକାରେ ତାକୁ ଉର୍ଦ୍ଧାୟିତ କରିଥାଏ । ଗୋବରଗଦାରେ ପଦ୍ମଭଳି, ଘୁଷୁରି ନାକରେ ନୋଳି ଭଳି, ଭୀରୁ ହୃଦୟରେ ସାହାସ ଭଳି, କୁତ୍ସିତ ସ୍ଥାନରେ ସୌନ୍ଦର୍ଯ୍ୟ ସୃଷ୍ଟିକରି ଉପନ୍ୟାସ ଜୀବନକୁ ବିସ୍ମୟ ରୋମାଞ୍ଚକର ଓ ନୂତନତାର ଏକ ବାୟୁମଣ୍ଡଳ ପ୍ରଦାନ କରିଥାଏ, ଆମପାଇଁ । ମିଇଟନ୍‌ ବା ଦାନ୍ତେଙ୍କ ପରି କବି ଆମ୍ଭମାନଙ୍କ ତୁଚ୍ଛାତିତୁଚ୍ଛ ଜୀବନର କୁମ୍ଭୀପାକ ମଧ୍ୟରେ ସ୍ୱର୍ଗୀୟ ଆନନ୍ଦ ଆଣି ଦେଇଥାନ୍ତି; ଜଣେ ଶ୍ରେଷ୍ଠ ଔପନ୍ୟାସିକ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ସ୍ୱର୍ଗୀୟ ସୁଷମା ଭରିଦେଇଥାନ୍ତି ।’’ ଦଶକୁମାର ଚରିତରେ ବାସ୍ତବତାର କଣ୍ଟାବୁଦା ସହିତ ପ୍ରଣୟ-ଗୋଲାପର ହୋଇପାରିଛି କୁଶଳ ସମନ୍ୱୟ । ସୁବନ୍ଧୁଙ୍କ କଷ୍ଟସାଧ୍ୟ ରଚନା ବାସବଦତ୍ତା ଏବଂ ବାଣଭଟ୍ଟଙ୍କ କାଦମ୍ବରୀ ଅତିରିକ୍ତ ଆବେଗମୟ ପ୍ରବୃତ୍ତି ଓ ନଗ୍ନତା କାହାଣୀ ବା ତାର ସ୍ୱର୍ଗୀୟ ସମ୍ଭାବନା ପ୍ରତି ସ୍ୱଳ୍ପ ଗୁରୁତ୍ୱ ଦେଇଥାଏ-। ଅପର ପକ୍ଷରେ ଦଶକୁମାର ଚରିତ କୌତୁକଯୁକ୍ତ ହୋଇଛି ଏବଂ ସମସାମୟିକ ସମାଜର କେତେକ ଦିଗପ୍ରତି ବ୍ୟଙ୍ଗାତ୍ମକ ଦୃଷ୍ଟି ନିକ୍ଷେପ କରିଛି । ଗୌଣ ଚରିତ୍ର ସହିତ ବହୁବିଧ ଚରିତ୍ରକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଲେଖକଙ୍କ ଚରିତ୍ର ଚିତ୍ରଣରେ ଦକ୍ଷତା ବିଷୟ ପ୍ରତି ସଚେତନ କରାଇଦିଏ-। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚିତ୍ରଣର ଏ ବାସ୍ତବତା ରଚନାର କଳାତ୍ମକଦିଗଟିକୁ ଆଦୌ ପ୍ରତିହତ କରୁନାହିଁ । ରଚନାର ବର୍ଣ୍ଣାଢ଼୍ୟ ବର୍ଣ୍ଣନା ମଧ୍ୟରୁ ଅଭ୍ୟନ୍ତରୀଣ ଭାବସୌନ୍ଦର୍ଯ୍ୟ ଆଡ଼କୁ, ସ୍ଥୂଳ ଧାରଣାରୁ ସୂକ୍ଷ୍ମ ଉପଲବ୍‌ଧି ଆଡ଼କୁ ଓ କାଳ୍ପନିକତା ମଧ୍ୟରୁ ତଥ୍ୟ ଆଡ଼କୁ ଆମେ ଅତିକ୍ରମକରି ଆଗେଇଯାଉ । ଏସବୁ ଉପନ୍ୟାସର ମୁଖ୍ୟ ଲକ୍ଷଣ ହୋଇପାରେ ଏବଂ ସେଥିପାଇଁ ଦଶକୁମାର ଚରିତର ଯେତିକି ଅଂଶ ବର୍ତ୍ତମାନ ପ୍ରାପ୍ତ ହୋଇଛି, ବିଶ୍ୱାସନୀୟ ଭାବେ ଉପନ୍ୟାସଗୁଣ ବହନ କରିଥିବା ଏକ ଗଦ୍ୟକାବ୍ୟ ।

 

ସଂଦର୍ଭ ସୂଚୀ :

୧.

ଏନ୍‌ ସାଇକ୍ଳୋପେଡ଼ିଆ ବ୍ରିଟାନିକା, ୧୫୩ ଖଣ୍ଡ, ଲଣ୍ଡନ ୧୭୬୮ ।

୨.

ପାଣିନି ସଂପର୍କରେ ‘ବାର୍ତ୍ତିକ’ ୪/୩/୮୭

‘‘ଅଧିକୃତ୍ୟ କୃତେ ଗ୍ରନ୍ଥେ

ଲୁବାଖ୍ୟାୟି କାସ୍ୟେ ବହୁଳମ୍‌’’

୩.

ପାଣିନିଙ୍କ ସଂପର୍କରେ ମହାଭାଷ୍ୟ, ୪/୩/୮୭

‘‘ବାସବଦତ୍ତା ସୁମନୋତ୍ତରା ନ ଚ ଭବତି ଭୈମାରଥୀ’’

୪.

-‘‘ଦଣ୍ଡିନଃ ପଦଲାଳିତ୍ୟମ୍‌’’

ଉଦାହରଣ-ଦଶକୁମାର ଚରିତମ୍‌, ପୂର୍ବପୀଠିକା, ପ୍ରଥମ ଉଚ୍ଛ୍ୱାସ :-

‘‘ତନ୍ତ୍ର ବୀରଭଟ ପାଟଲୋତ୍ତରଙ୍ଗ ତୁରଙ୍ଗ କୁଞ୍ଜର-ମକରଭୀଷଣ-

ସକଳରିପୁଗଣକଟକ ଜଳନିଧି ମନ୍ଥନ ମନ୍ଦରାୟମାନସ ମୁଦ୍ଦଣ୍ଡ-ଭୁଜଦଣ୍ଡଃ’’

୫.

ଦଶକୁମାର ଚରିତମ୍‌, ପୂର୍ବପୀଠିକା, ପ୍ରଥମ ଉଚ୍ଛ୍ୱାସ ।

୬.

ତତ୍ରୈବ, ଉତ୍ତରପୀଠିକା, ଉପସଂହାର ।

୭.

ତତ୍ରୈବ, ଉତ୍ତରପୀଠିକା, ପଞ୍ଚମ ଉଚ୍ଛ୍ୱାସ

 

ଅନୁବାଦ : ଶ୍ରୀ ସତ୍ୟ ଷଡ଼ଙ୍ଗୀ

ବିଭାଗୀୟ ମୁଖ୍ୟ, ସଂସ୍କୃତ ବିଭାଗ

ମହାରାଜା ମହାବିଦ୍ୟାଳୟ,

ଆରା, ବିହାର

 

* ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ବିଶ୍ୱଭାରତୀ ଓଡ଼ିଆ ବିଭାଗରେ ଆୟୋଜିତ ଉପନ୍ୟାସ ଶତବାର୍ଷିକୀ ବିଷୟକ ଆଲୋଚନା-ଚକ୍ରରେ ଉପସ୍ଥାପିତ ପ୍ରବନ୍ଧର ଓଡ଼ିଆ ରୂପାନ୍ତର ।

 

***

 

ଓଡ଼ିଆ ଭାଷାରେ ପ୍ରଥମ ଉପନ୍ୟାସ

ଡଃ କୃଷ୍ଣଚରଣ ବେହେରା

 

ଓଡ଼ିଆ ଭାଷାରେ ପ୍ରଥମ ଉପନ୍ୟାସ ନିର୍ଦ୍ଦିଷ୍ଟ ଭାବେ ନିର୍ଣ୍ଣୟ କରିବାରେ କେତେକ ଅସୁବିଧା ରହିଛି । ବିଷୟଟି ସେତେ ସରଳ ନୁହେଁ, ଏ ପ୍ରବନ୍ଧର ଶିରୋନାମାରୁ ଯେତେ ତାହା ସରଳ ମନେ ହେଉଛି ।

 

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ପାରମ୍ପରିକ ସଂଜ୍ଞା ବା ସ୍ୱରୂପ-ପ୍ରକୃତି ଅନୁଯାୟୀ ଉପନ୍ୟାସ ଆମ ଭାଷାରେ ରଚିତ ହୋଇଥିଲେ ହେଁ, ତତ୍‌ପୂର୍ବରୁ ଆମର କେତେକ କଥାଗ୍ରନ୍ଥରେ ଉପନ୍ୟାସର ଲକ୍ଷଣମାନ ଅତ୍ରତତ୍ର ପ୍ରକାଶ ପାଇଥିବାର ଦେଖାଯାଏ । ବିଭିନ୍ନ ଲୋକକାହାଣୀ, ରୁଦ୍ରସୁଧାନିଧି, ଚତୁରବିନୋଦ କଥା, ହାସ୍ୟକଲ୍ଲୋଳ ପ୍ରଭୃତି ରଚନା ଏବଂ କେତେକ ଅଣଓଡ଼ିଆ କଥାଗ୍ରନ୍ଥର ଅନୁବାଦ-ଅନୁସରଣ ମଧ୍ୟରେ ଉପନ୍ୟାସର ଲକ୍ଷଣ ଓ ଉପାଦାନ ବିକ୍ଷିପ୍ତ ଭାବରେ ପ୍ରକଟିତ ହୋଇଥିବା ବିଷୟ ଏହି ଆଲୋଚକର, ‘ଓଡ଼ିଆ ଉପନ୍ୟାସ’ (୧୯୬୮) ଗ୍ରନ୍ଥରେ ପ୍ରଦର୍ଶିତ ହୋଇଛି । ଏବେ ଆବିଷ୍କୃତ ହୋଇଥିବା ଅନ୍ୟ ଏକ ପ୍ରାଚୀନ କଥାଗ୍ରନ୍ଥରେ ମଧ୍ୟ ସେହି ବିଭାବ ଲକ୍ଷ୍ୟ କରାଯାଇପାରେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୭୭ରେ ପ୍ରକାଶିତ ଏବଂ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ଦ୍ୱାରା ସଂପାଦିତ ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର ନୀଳାମ୍ବର ବିଦ୍ୟାଧର-କୃତ ‘‘ପ୍ରସ୍ତାବ ଚିନ୍ତାମଣି’’ କଥାଗ୍ରନ୍ଥଟି କଥା ବୋଲାଯାଉଛି । ଶ୍ରୋତୃମଣ୍ଡଳୀ ବା ପାଠକସମାଜର ମନୋବାଞ୍ଛା ପୂରଣକାରୀ ମଣି ସଦୃଶ ପ୍ରସ୍ତାବ ବା ପ୍ରସଙ୍ଗ ହେଉଛି ‘ପ୍ରସ୍ତାବ ଚିନ୍ତାମଣି’ । ତତ୍‌ ପୂର୍ବରୁ କବି ଦୀନକୃଷ୍ଣ ଦାସ ‘ପ୍ରସ୍ତାବସିନ୍ଧୁ’ ନାମକ ଏକ ପଦ୍ୟ ଗ୍ରନ୍ଥ ରଚନା କରିଥିଲେ । ‘ପ୍ରସ୍ତାବସିନ୍ଧୁ’ରେ ଦୀନକୃଷ୍ଣ ‘‘ଚାଣକ୍ୟଶାସ୍ତ୍ରରେ ଯେତେକ ବାଣୀ, ସବୁ ପ୍ରସ୍ତାବ ଠୁଳ କଲି ଆଣି’’ ବୋଲି କହି ନୀତି-ଉପଦେଶ ଦେବାର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ, ନୀଳାମ୍ବର ବିଦ୍ୟାଧର ‘ପ୍ରସ୍ତାବ ଚିନ୍ତାମଣି’ରେ ଚମତ୍କାର ରସୋତ୍ତୀର୍ଣ୍ଣ ଗଳ୍ପଟିଏ କହିବାକୁ ଉଦ୍ୟମ କରିଛନ୍ତି । ଭାବନଗର ରାଜ୍ୟର ରାଜା ବିକ୍ରମକେଶରୀଙ୍କ ବଡ଼ପୁଅ ସ୍ମରସୁନ୍ଦର । ସେହି ରାଜ୍ୟର ମନ୍ତ୍ରୀଙ୍କ ପୁଅ ଗୁଣନିଧି ବକ୍‌ସିଙ୍କ ସହ ଯୁବରାଜ ସ୍ମରସୁନ୍ଦରଙ୍କର ‘‘ଏକପ୍ରାଣ ପ୍ରୀତି ଦେହମାତ୍ର ଭିନ୍ନ’’-। ସେମାନେ ଦିନେ ପାରିଧି ଓ ବଣଭୋଜି କରିବାକୁ ଯାଇଥିଲେ । ବଣରେ ନାଚଗୀତ ମଜଲିସ୍‌ ଚାଲିଥିବାବେଳେ ଝଡ଼ତୋଫାନ ହେଲା । ଯୁବରାଜ ଓ ମନ୍ତ୍ରୀପୁଅ ଦୁହେଁ ହାତ ଧରାଧରି ହୋଇ ବହୁ ଦୂର ଚାଲିଗଲେ ଏବଂ ବାଟବଣା ହୋଇ ଅନ୍ୟ ଏକ ରାଜ୍ୟ ସୁଧାନଗ୍ର ସୀମାରେ ପହଞ୍ଚିଲେ । ସେଠାରେ ଏକ ମାଲୁଣି ଘରେ ରହିଲେ । ମାଲୁଣି-ଝିଅ କାମାକ୍ଷୀ ସେ ରାଜ୍ୟର ରାଜାଝିଅ ମଞ୍ଜୁଳାପ୍ରଭାଙ୍କ ‘‘ଫୁଲଲାଗୁଆଣି’’ । ତାହାରି ସାହାଯ୍ୟରେ ସ୍ମରସୁନ୍ଦର, ରାଜାଝିଅଙ୍କ ସହିତ ଗୋପନ ପ୍ରୀତି କରିବାରେ ଲାଗିଲେ । ଗନ୍ଧର୍ବ ବିଧିରେ ଦୁହେଁ ବିଭା ହେଲେ । କିନ୍ତୁ ଛଦ୍ମବେଶରେ ଲୁଚି ଲୁଚି ଉଆସ ଭିତରକୁ ରାଜାଝିଅଙ୍କ ପାଖକୁ ଯିବା-ଆସିବା କରିବା ସ୍ମରସୁନ୍ଦରଙ୍କ ପକ୍ଷରେ କଷ୍ଟକର ହେବାରୁ ଦୁହେଁ ଉପାୟ ଖୋଜିଲେ । ଉପାୟ ସ୍ଥିର ହେଲା-ରାଜାଝିଅଙ୍କୁ ମିଛ ଭୂତ ଲାଗିବ; ବହୁ ଗୁଣିଆ ଝଡ଼ାଇ ପାରିବେ ନାହିଁ । ସ୍ମରସୁନ୍ଦର ଗୁଣିଆ ହୋଇ ଆସି ଭୂତ ଝଡ଼ାଇବେ । ଶେଷରେ ସ୍ମରସୁନ୍ଦରଙ୍କ ଅସଲ ପରିଚୟ ଜଣାପଡ଼ିବ ଏବଂ ଦୁହିଙ୍କ ମଧ୍ୟରେ ଡାକପୁକାରରେ ବିବାହ ସମ୍ଭବ ହେବ । ଏହି ଉପାୟ ଅନୁଯାୟୀ କାର୍ଯ୍ୟ କରାଗଲା । ରାଜାଝିଅ-ରାଜାପୁଅଙ୍କର ବିବାହ ହେଲା । ସେ ରାଜ୍ୟର ମନ୍ତ୍ରୀଝିଅଙ୍କ ସହିତ ମନ୍ତ୍ରୀପୁଅ ଗୁଣନିଧିଙ୍କର ମଧ୍ୟ ବିବାହ ହୋଇଗଲା ।

 

ଏହି ସ୍ୱଳ୍ପଜ୍ଞାତ ଓ ସ୍ୱଳ୍ପାଲୋଚିତ କାହାଣୀଟି ଘଟଣାପ୍ରଧାନ, ଚରିତ୍ରପ୍ରଧାନ ନୁହେଁ । ଗଳ୍ପ-ଗୁମ୍ଫନ ବା ଚରିତ୍ର ଚିତ୍ରଣରେ ଏହାର ବିଶେଷତ୍ୱ ନାହିଁ । ବିଶେଷତ୍ୱ ରହିଛି-ଏହାର ବର୍ଣ୍ଣନା ବୈଚିତ୍ର୍ୟରେ, କଥନଭଙ୍ଗୀରେ ଏବଂ ଭାଷାପ୍ରୟୋଗରେ । ଏହାର ବାସ୍ତବ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନାବିଭବର ପରିଚୟ ଦେବା ପାଇଁ ଭାବନଗ୍ର ରାଜାଙ୍କ ଗଡ଼ ଓ ତତ୍‌ସଂଲଗ୍ନ ହାଟ ବର୍ଣ୍ଣନାରୁ କିୟଦଂଶ ଏଠାରେ ଉଦ୍ଧାର କରାଯାଇଛି-‘‘ସେ କଟକ କଥା କି ବର୍ଣ୍ଣିବା ! ପ୍ରଥମୁ ଅଜୟ ନାମ ପର୍ବତ ଧନୁ ଆକାର ହୋଇ ବେଢ଼ିଅଛି । ତହିଁ ମଧ୍ୟରେ ଶଏ ହାତ ଗଭୀର ହୋଇ, ଏ ରୂପେ ଓସାର ହୋଇ ଜଳି ବଳୟ ଆକାର ହୋଇ ବେଢ଼ିଅଛି । ଏ ଜଳି ଦେଖିଲେ ଭୟ ମାଡ଼ଇ । ପାଣି କଜଳ କଳାରୁ ଅଧିକ । ଏଥିରେ କୁମ୍ଭୀରମାନ ଢେଙ୍କି ସମାନ ହୋଇ ଭେଳା ଭେଳା ହୋଇ ଅଛନ୍ତି-। ଦୁଷ୍ଟ ସାପମାନଙ୍କର ଚଉଦ ପୁରୁଷ ଘର ଏ । ବଡ଼ ବଡ଼ ମାଛମାନ ଅଛନ୍ତି । ଯୋକ ଯେତେ ଇଷ୍ଟ-। x x ଏ ଗଡ଼ରେ ଭାଡ଼ି ଚାରିଗୋଟା ଅଛି । ଲୋହା ଟମକମାନ ହିଁ ଛ ଗୋଟା ଲେଖାରେ ଅଛି । ଏ କାନ୍ଥିମାନଙ୍କରେ ବାହିକେ ତଳ ଉପର ହୋଇ ପଣେ ବାରଣ୍ଡା ଯୋଡ଼ାଏ ଲେଖାଏଁ ଭଣ୍ଡୀମାନ କଟା ହୋଇଛି । x x ଗଡ଼ ଦ୍ୱାର ଅଠରହାତ ଉଚ୍ଚ, ଚଉଦ ହାତ ପ୍ରମାଣେ ଦ୍ୱାରବନ୍ଧ, ବାରହାତ ଉଚ୍ଚରେ ପାଞ୍ଚହାତ ଓସାର ପ୍ରମାଣ ହୋଇ କବାଟ ଦୁଇଟା ଲାଗିଛି । ଛନ୍ଦାମାନଙ୍କରେ ଅଡ଼ଟାମାନଙ୍କ ପରି ଲୁହା ଠୁଳମାନ ଲାଗି ଚିତ୍ର କମରେ କବାଟ ଜଉ ସାଜ ହୋଇଛି । ଦେଢ଼ହାତ ପ୍ରମାଣେ ଏଥି ମଧ୍ୟରେ ଚୋରି କବାଟ ଅଛି । ଏହାର ମହିମା କି କହିବା । ମାଛିକି ଶାଙ୍କୋଳି, ପିମ୍ପୁଡ଼ିକି ହାତୀ, ଏପରି ଦ୍ୱାର ଆକଟୀ ଶହ ସଂଖ୍ୟାରେ ପଠାଣ ଜଗିଆ ଅଛନ୍ତି । x x ଏମନ୍ତ ଯୋଉଁ ସର୍ବସୁଲଭ ନାମ ପାଟଣା ଏ ନିଜ ଗଡ଼କୁ ପାଏ ବାଟ ଅନ୍ତର । ଏଥିରେ ନିତ୍ୟ ବଜାର ବସଇ । କି କି ଦ୍ରବ୍ୟ ବିକାକିଣା ହୁଅଇ ଶୁଣ । ସାରୁ, ବାଇଗଣ, ଆଳୁ, କଦଳୀ, ପାଣିକଖାରୁ, ଲାଉ, କାକୁଡ଼ି, ଚଲଣା, ତରଭୁଜ, କଣ୍ଟିଆଳି କାକୁଡ଼ି, କୁଆମଇତା, ମୁହୁରଳା, ସାପୁଆ, କାଙ୍କଡ଼, କଲରା, ଜହ୍ନି ଝଟା, ତୋରଡ଼ା, ମକା, ମୁଗୁନାଛୁଇଁ, ଭେଜି କନ୍ଦମୂଳ, କରବା, ମସିଆ ପିଠୋଳ, ଚେରଙ୍ଗା, ଜ୍ଞାନସଣ୍ଢା, ଭୂଇଁକଖାରୁ, ଇତ୍ୟାଦି ଫଳମାନଙ୍କୁ ଯେଉଁ ଫଳ ଯେଉଁ ଦିନର ଯେ ଯାହା ବିକିବାକୁ ଯୋଗ୍ୟ ସେ ତାହା ବିକୁ ଅଛନ୍ତି । x x ଏ ରୂପେ ସକାଳୁ ବେଳ ପହରେ ପର୍ଯ୍ୟନ୍ତେ ବଜାର ବସଇ, ବେଳ ଦୁଇଘଡ଼ି ଥାଏ ରାତି ପହରେ ପର୍ଯ୍ୟନ୍ତ ବଜାର ବସଇ । ଦୀପମାନ କୁକୁଡ଼ା ଘରା କରି ଧାଡ଼ି ଧାଡ଼ି କରି ଜାଳିଥାନ୍ତି । ଲୋକଙ୍କ ଯିବା ଆସିବା କାରବାରରେ କିଣାବିକା କରିବାର କର ଆଡ଼ିଆଇ ନୁହଇ । ତୁଣ୍ଡ ଶବଦରେ ପାଖେ ଥିଲେ କାନକୁ କଥା ନ ଶୁଭଇ । ଏହିଥିରେ ସୋମବାର ଦିନ ହାଟ ବସଇ । ଏ ହାଟକୁ ଦେଶ ବିଦେଶ ନାନା ପ୍ରକାର ସ୍ଥାନମାନଙ୍କରୁ ସ୍ତ୍ରୀ ପୁରୁଷ ବୃଦ୍ଧ ବାଳକ ବହୁତ ଲୋକ ଆସନ୍ତି । ଏ ହାଟରେ ବାପ ମା ଛାଡ଼ି ସବୁ ମିଳଇ । କାରବାରୀ ତଳ ଦିନ କାରବାର କରି କଉଡ଼ି ମାଡ଼ି ବସିଥିବା ଲୋକଙ୍କୁ ଦେଖିଲା । ଦୂରୁ ଦେଖି ଧାଇଁଯାଇ ବୋଲୁଛି-କିହୋ ବହୁତ ଦିନେ ଦେଖିଲାଇ, ଏବେ ଆମ୍ଭ ବାକି କଉଡ଼ି ତେତକ ଏହିଠାରେ ଦେଇକରି ଯା ! ଜାଣିଲାଇ ତୋର ଭଲଲୋକ ପଣ । ଏହିରୂପେ ସିନା ଭଲ ଲୋକ ସଙ୍ଗତେ କାରବାର କରି । ସେ କହୁଛି-କି ହେଲା, ତହିଁକି କାରବାରଠାରେ ଏ ରୂପେ ଆଗପଛ ହୋଉଥାଏ । x x x ଏ ସମୟରେ ତା ମା ଅଇଲା ବୋଇଲା-ବାବୁ ହାଟବାଟ ବେଳେ କାହିଁକି ଜଞ୍ଜାଳ କରୁଛୁ ? ତହିଁକି ସେ ବୋଲୁଛି-ଡାହାଣୀ, ରାଣ୍ଡୀ, ପୁଅ କଉଡ଼ି ଖାଇ ଚାରିମାସ ହେଲା ମାଡ଼ି ବସିଛି । ଏ ଧାଇଁ ଆସିଛି, କଉଡ଼ି ଦେଇ ଯା, ନ ଦେଲେ ବୀର ବିକ୍ରମ କେଶରୀ ରାଜା ରାଜ୍ୟରେ ବୁଝାମଣା ନାହିଁ କି ? ପାତ୍ରର ପାଣ୍ଡୋଇ ରାଣଟି ଆଜ ହିଁ ଦେଇଯିବୁ । ଏମନ୍ତ ବୋଲି ଦୁହିଁଙ୍କର କଳିଗୋଳ ହେଲେ । କଳି କରୁ କରୁ ମାଡ଼ ମରାମରି ହେଲେ, ବିଧା ଚାପୋଡ଼ା, କାନମୋଡ଼ା, କହୁଣୀ ଖୁନ୍ଦା ମୁଖି, ଗୋଇଠା, ଧକା, ତଣ୍ଟିଆ, ଲାତ, ଆଣ୍ଠୁଆ ମୁଣ୍ଡିଆ, ବାଳଝିକଣା, ତଣ୍ଟିଚିପା ଏମନ୍ତରେ ଆଠମାଡ଼ ଷୋଳ କହୁଣୀ ମରାମରି ହୋଇ, ବେକ ଧରାଧରି ହୋଇ ଭୂଇଁରେ ପଡ଼ିଲେ, କାମ୍ବୁଡ଼ା କାମ୍ବୁଡ଼ି ଛିଣ୍ଡା ଛିଣ୍ଡି ରାମ୍ପୁଡ଼ା ରାମ୍ପୁଡ଼ି ଗଡ଼ାଗଡ଼ି ହେଲେ ।’’ ଇତ୍ୟାଦି ।

 

‘ପ୍ରସ୍ତାବ ଚିନ୍ତାମଣି’ର କଥନଭଙ୍ଗୀ ଅଭିନବ । ଏଥିରେ ସର୍ବତ୍ର ସ୍ୱଚ୍ଛନ୍ଦ ସାବଲୀଳତା ବିଦ୍ୟମାନ । ମଝିରେ ମଝିରେ ଲେଖକଙ୍କର ଶ୍ରୋତା-ସମ୍ବୋଧନ ‘ଶୁଣ ହେ କଉତୁକୀମାନେ, କଥକ-ଶ୍ରୋତୃ ମଣ୍ଡଳୀ ସଂପର୍କ ସୂଚିତ କରୁଛି । ଚରିତ୍ରମାନଙ୍କର ସଂଳାପ ଓ ଚିଟାଉ ସମାବେଶରେ ଶୈଳୀ ମଧ୍ୟ ବୈଚିତ୍ର୍ୟମଣ୍ଡିତ ହୋଇଛି । ନୀଳାମ୍ବର ବିଦ୍ୟାଧର କାହାଣୀ ମଧ୍ୟରେ ସରଳ ସର୍ବଜନବୋଧ୍ୟ ଭାଷା ବ୍ୟବହାର କରିଛନ୍ତି ।

 

ଭାଷାରେ କୁତ୍ରାପି କ୍ଳିଷ୍ଟତା ନ ଥିଲେ ହେଁ, ରାଜ୍ୟର ଦକ୍ଷିଣାଞ୍ଚଳୀୟ ବାକ୍‌ ଭଙ୍ଗୀ ଓ ବିଭିନ୍ନ ଶବ୍ଦ ସ୍ୱାଭାବିକ ଭାବରେ ଏଥିରେ ପ୍ରବେଶ କରି ଯାଇଛି । ପୁଣି କାହାଣୀ ମଧ୍ୟରେ କିଛି ରାଜକୀୟ ବା ସାମନ୍ତ ବଂଶୀୟ ଶବ୍ଦ ମଧ୍ୟ ବ୍ୟବହୃତ ହୋଇଛି । ଉଦାହରଣ ସ୍ୱରୂପ-‘‘ଏମନ୍ତ ହୋଇ ପାରିଧି ସରିଲା । ସମସ୍ତେ ଆସି କହିଥିବା ଠିକଣାରେ ପ୍ରବେଶ ହେଲେ । ରଜାପୁଅଙ୍କ ଛାମୁରେ ସମସ୍ତେ ଜନ୍ତୁମାନ ଆଣି ପକାଇଲେ । x x ଦେଖି ରାଜାପୁଅ ବଡ଼ ସନ୍ତୋଷ ହେଲେ । ମିତକୁ ବୋଇଲେ, ମିତ ଏଥୁଁ ମିରିଗ ଦୁଇଟା, ସ୍ୱୟମ୍ବର ଗୋଟାଏ, ବାରିହା ଗୋଟାଏ ଠେକୁଆ ପୁଞ୍ଜାଏ ଲୋକ କରି ଦଦାଇଙ୍କ ଛାମୁକୁ ଦେଇ ପଠିଆଅ । ଚାରିଲଗା ଶଗଡ଼ ଖଣ୍ଡେ, ଖରଡ଼ି ଖଣ୍ଡେ ପାଇଁ ଦେବର୍ତ୍ତାଙ୍କଠାକୁ ଜଣେ ଯାଉ ! ଏ ବାଘ ଦୁଇଟା ବୁହାଇ ଛାମୁରେ ନେଇ ଦେଖାନ୍ତୁ । ଆମ୍ଭେ ଭୋଜି ସରିଯିବା ସରିକିତି ରାତି ହୋଇଥିବା ଶୁଣି ମନ୍ତ୍ରୀପୁଅ ସବୁ ସେହି ରୂପେ କଲା । x x ରଜାପୁଅ ସେଠାରେ ଏକ ଚାଚଡ଼ା ଗୋଟାଏ ଅଛି, ତଳେ ଝର ଦଶୁଟା ସେଣାରେ ବହି ଯାଉଛି, ସେଠାରେ ବେହରଣ କଲେ । ସେଠାରେ ଯେ ଯୋଉ ରୂପେ ଜନ୍ତୁମାନ ମାଇଲେ, ସବୁ ରାଜାଙ୍କ ପୁଅ ଛାମୁରେ କହୁଅଛନ୍ତି । କେ ବୋଲୁଛି-ଦେଉ, ମହାପ୍ରଭୁ, ମୁଁ ଏମନ୍ତ ମାରିଲି, ତେମନ୍ତ ଧରିଲି । ତାଙ୍କ ଡୋଙ୍ଗରେ ଜନ୍ତୁ ବାହାରିଲା, ମାରି ନ ପାରିଲେ । କାଣ୍ଡୁଟାଏ ବିନ୍ଧିଲେ ଯେ ପାଞ୍ଚ ହାତରୁ ଫୁଟିଗଲା । କେ ବୋଲୁଛି-ସେ ଅସାର । ତେଣୁକି ନୁହଇ ସେ । ଅଣଉତ ହେବାରୁ ଅବା ବିନ୍ଧି ପାରି ନ ଥିବେ । ଶୁଣି ରଜାପୁଅ ଅଳପ ହସିଲେ । ମନ୍ତ୍ରୀପୁଅ ବୋଇଲା- ଦେଉ, ବେଳ ଆସି ଛ ଘଡ଼ି ହେଲାନି, ସବୁଦିନେ ଏତେବେଳକୁ ଯୋଗାଣ ବଢ଼ି ଯାଏନି । ଏବେ ଝଗଡ଼ ବଢ଼ୁ । ଗହଣ ଭାର ମହାପ୍ରଭୁ ତ ଆସି ପ୍ରବେଶ ହେଲେନି । ମର୍ଦ୍ଦନ ସାମଗ୍ରୀ ହିଁ ମଧ୍ୟ ଅଇଲାନି । ଝଗଡ଼ ବଢ଼ିଥିଲେ ଶ୍ରୀମହାପ୍ରସାଦ ସେବା ବଢ଼ିବେ ।’’ ଇତ୍ୟାଦି ।

 

ଏହି ସବୁ କାରଣରୁ ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର ‘ପ୍ରସ୍ତାବ ଚିନ୍ତାମଣି’ ଊନବିଂଶ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧରେ ରଚିତ ହୋଇଥିବା ଆଧୁନିକ କଥାସାହିତ୍ୟର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ପଡ଼ିଛି ।

 

।। ୧ ।।

ତଥାପି ‘ପ୍ରସ୍ତାବ ଚିନ୍ତାମଣି’କୁ ପ୍ରଥମ ଓଡ଼ିଆ ଉପନ୍ୟାସ ବୋଲି କହିହେବ ନାହିଁ । କାରଣ, ଏଥିରେ ଉପନ୍ୟାସ-ସୁଲଭ ବିସ୍ତୃତ କଥାଭାଗ ବା ଗୁଂଫିତ ଘଟଣାବଳୀ ସ୍ଥାନ ଲାଭ କରିନାହିଁ, ଚରିତ୍ର ଚିତ୍ରଣ କ୍ଷେତ୍ରରେ କୌଣସି ବୈଶିଷ୍ଟ୍ୟ ମଧ୍ୟ ପ୍ରକଟିତ ହୋଇନାହିଁ । ସ୍ୱରୂପ ପ୍ରକୃତି ଦୃଷ୍ଟିରୁ ଏହାକୁ କାହାଣୀ ବା ବଡ଼ ଗଳ୍ପ ବୋଲାଯାଇପାରେ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଅନୂଦିତ ଉପନ୍ୟାସ ‘ଫୁଲମଣି’ ଓ କରୁଣାର ବିବରଣ’ ବିଷୟ ବିଚାର୍ଯ୍ୟ । ମୂଳ ବଙ୍ଗଳା ଉପନ୍ୟାସଟି ହାନା କାଥେରିନ୍‌ ମ୍ୟଲେନ୍‌ସ୍‌ଙ୍କ ଦ୍ୱାରା ରଚିତ ହୋଇ ୧୮୫୨ ମସିହାରେ ପ୍ରକାଶିତ ହୋଇଥିଲା । ରେଭରେଣ୍ଡ୍‌ ଜେ. ଷ୍ଟବିନସ୍‌ଙ୍କ ଦ୍ୱାରା ଏହା ଓଡ଼ିଆରେ ଅନୂଦିତ ହୋଇ ୧୮୫୭-୫୮ ମସିହାରେ କଟକସ୍ଥ ଓଡ଼ିଶା ମିସନ୍‌ ପ୍ରେସ୍‌ରୁ ପ୍ରକାଶ ପାଇଥିଲା । ୧୮୭୧ରେ ଗ୍ରନ୍ଥଟିର ଦ୍ୱିତୀୟ ମୁଦ୍ରଣ ସେହି ମିସନ୍‌ ପ୍ରେସରେ କରାଯାଇଥିଲା । ଖ୍ରୀଷ୍ଟିଆନ୍‌ ସାହିତ୍ୟ ରୂପେ ଏହା ରଚିତ ଏବଂ ଓଡ଼ିଆ ସମେତ ବାରଟି ଭାରତୀୟ ଭାଷାରେ ସେତେବେଳେ ଏହା ଅନୂଦିତ ହୋଇ ପ୍ରକାଶ ପାଇଥିଲା । ଏହାର କଥାବସ୍ତୁ ସଂକ୍ଷେପରେ ଏହିପରି-ବଙ୍ଗାଳୀ ଖ୍ରୀଷ୍ଟିଆନ୍‌ମାନଙ୍କର ଏକ ଗ୍ରାମରେ ଲେଖିକାଙ୍କର ଫୁଲମଣି ଓ କରୁଣାଙ୍କ ସହିତ ପରିଚୟ ହେଲା । ଫୁଲମଣି ଅଶିକ୍ଷିତା ଗାଉଁଲୀ ସ୍ତ୍ରୀ ଲୋକ ହେଲେ ହେଁ ଧର୍ମପ୍ରାଣା ଓ ସଚ୍ଚରିତ୍ରା । ତାହାର ସ୍ୱାମୀ ପ୍ରେମଚାନ୍ଦ ପାଦ୍ରୀସାହେବଙ୍କ ପାଖରେ ହରକରା କାର୍ଯ୍ୟ କରେ । ସୁନ୍ଦରୀ, ସତ୍ୟବତୀ, ସାଧୁ ଓ ପ୍ରିୟନାଥ ନାମରେ ତାହାର ଦୁଇଝିଅ ଏବଂ ଦୁଇ ପୁଅ । ପରିବାରର ଆର୍ଥିକ ସ୍ୱଚ୍ଛଳତା ନ ଥିଲା । ତଥାପି ଫୁଲମଣି ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରିଛି ଏବଂ ପିଲାମାନଙ୍କୁ ତଦନୁଯାୟୀ ଗଢ଼ିଛି । ବହୁ ବାଧା, ପ୍ରତିବାଦ ମଧ୍ୟରେ ବଡ଼ ଝିଅ ସୁନ୍ଦରୀକୁ କଲିକତା ପଠାଇଛି ଜଣେ ଡାକ୍ତର ସାହେବଙ୍କ ଘରେ ଆୟା କାର୍ଯ୍ୟ କରିବା ପାଇଁ । କଲିକତାରେ ଡାକ୍ତର ସାହେବଙ୍କ ମାଳୀର ଭଦ୍ର ଧାର୍ମିକ ପୁତ୍ର ଚନ୍ଦ୍ରକାନ୍ତକୁ ଭଲ ପାଇ ସୁନ୍ଦରୀ ବିବାହ କରିଛି ଏବଂ ତାହାର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଛି । ଫୁଲମଣି ଓ କରୁଣା ଚରିତ୍ର ମଧ୍ୟରେ ବୈସାଦୃଶ୍ୟ ରହିଛି । କରୁଣା ଧାର୍ମିକା ଓ କର୍ମତତ୍ପରା ନୁହେଁ । କେତେଗୁଡ଼ିଏ ମନ୍ଦ ଅଭ୍ୟାସ ଯୋଗୁଁ ସ୍ୱାମୀ ଓ ଦୁଇପୁତ୍ରଙ୍କ ସହ ସେ ଅତି ଦୁଃଖ ଦାରିଦ୍ର୍ୟ ମଧ୍ୟରେ କାଳ କଟାଉଥିଲା । ସ୍ୱାମୀ ତାହାର ମଦ୍ୟପ, ବେଶ୍ୟାସକ୍ତ । ସେ ମଧ୍ୟ ଜୁଆଖେଳେ ଓ କରୁଣା ସହିତ ଦୁର୍ବ୍ୟବହାର କରେ । କରୁଣା ନିଜର ଦୁଇପୁଅଙ୍କୁ ମଣିଷ କରି ଗଢ଼ିବା ପାଇଁ ମୂଳରୁ କୌଣସି ଚେଷ୍ଟା କରି ନଥିଲା । ଫଳରେ ବଡ଼ ପୁଅ ବଂଶୀ ନିଜ ବାପ ଭଳି ଚରିତ୍ର ଭ୍ରଷ୍ଟ ହୋଇ ନାନା କୁକାର୍ଯ୍ୟ କରିବାରେ ଲାଗିଲା ଏବଂ ଦିନେ ଚୋରି କରିବାକୁ ଯାଇ ଦୈବାତ୍‌ ପୋଖରୀରେ ପଡ଼ି ବୁଡ଼ିମଲା । ଲେଖିକା ଓ ଫୁଲମଣିଙ୍କ ପ୍ରଭାବରେ କରୁଣାର ଚରିତ୍ରଗତ ପରିବର୍ତ୍ତନ ଘଟିଲା ଏବଂ ସେ ଜଣେ ସଚ୍ଚା ଖ୍ରୀଷ୍ଟିୟାନ୍‌ରେ ପରିଣତ ହେଲା । ତାହାର ସାନ ପୁଅ ନବୀନ ଲେଖିକାଙ୍କ ଘରେ ଚାକର ରୂପେ ଭଲରେ ରହିଛି ଏବଂ ତାହାର ଦୁଶ୍ଚରିତ୍ର ସ୍ୱାମୀର ମଧ୍ୟ ପରିବର୍ତ୍ତନ ଘଟିଛି । ସେହି ଖ୍ରୀଷ୍ଟିୟାନ୍‌ ଗ୍ରାମରେ ଆଉ ଗୋଟିଏ ଦମ୍ପତ୍ତିର ଜୀବନ-ଚିତ୍ର ଉପନ୍ୟାସରେ ପ୍ରଦାନ କରାଯାଇଛି । ସୁନ୍ଦରୀର ପଢ଼ାସାଙ୍ଗ ରାଣୀ ମଧୁକୁ ବିବାହ କରିଥିଲା । ମଧୁ, କରୁଣାର ସ୍ୱାମୀ ଭଳି ଥିଲା ମଦ୍ୟପ ଓ ଅସତ୍‌-ଚରିତ୍ର ବ୍ୟକ୍ତି । ସେ ଅକାଳରେ ମରିଯିବାରୁ ଲେଖିକା ଓ ଫୁଲମଣି ଦୁହେଁ ବିଧବା ରାଣୀ ପ୍ରତି ସାହାଯ୍ୟ ସହାନୁଭୂତି ପ୍ରକାଶ କରିଛନ୍ତି । ଶେଷରେ ରାଣୀ କଲିକତାର ଜଣେ ଶିକ୍ଷିତ ଖ୍ରୀଷ୍ଟିୟାନ୍‌ ଯୁବକକୁ ବିବାହ କରି ସୁଖରେ ରହିଛି ।

 

ଉପନ୍ୟାସଟି ମଧ୍ୟରେ ଖ୍ରୀଷ୍ଟଧର୍ମ ପ୍ରଚାରର ଆଭିମୁଖ୍ୟ ସୁପରିସ୍ଫୁଟ । ବହୁ ସ୍ଥଳରେ କଥା କଥାକେ ଖ୍ରୀଷ୍ଟ ଧର୍ମଗ୍ରନ୍ଥରୁ ଉଦ୍ଧୃତି ଏବଂ ଧର୍ମସମ୍ବନ୍ଧୀୟ ମନ୍ତବ୍ୟ ବା ଉପଦେଶ ପ୍ରଦାନ କରାଯାଇଛି । ତଥାପି ଉପନ୍ୟାସର ସାଧାରଣ ପ୍ରଚଳିତ ସଂଜ୍ଞା ଓ ସ୍ୱରୂପ-ପ୍ରକୃତି ଅନୁଯାୟୀ ଏହା ରଚିତ ହୋଇଛି । ଏଥିରେ ଗୋଟିଏ ମୁଖ୍ୟ କାହାଣୀ ବା ମେନ୍‌ ପ୍ଳଟ ଏବଂ ଦୁଇଟି ଗୌଣ କାହାଣୀ ବା ସବ୍‌ ପ୍ଳଟ୍‌ ସନ୍ନିବେଶିତ । ସେହି ପ୍ଳଟ୍‌ମାନଙ୍କରେ ସାନ ବଡ଼ ବିଭିନ୍ନ ଘଟଣା ସଂଯୋଜିତ । କିନ୍ତୁ ଏହା ଏକ ଘଟଣା ପ୍ରଧାନ ଉପନ୍ୟାସ ନୁହେଁ । ଏଥିରେ ଫୁଲମଣି, କରୁଣା, ରାଣୀ, ସୁନ୍ଦରୀ, ପ୍ରେମଚାନ୍ଦ, କରୁଣାର ସ୍ୱାମୀ ପ୍ରଭୃତି ମୁଖ୍ୟ ଚରିତ୍ର ଏବଂ ପ୍ରାୟ ପନ୍ଦରଟି ଗୌଣ ଚରିତ୍ର ସ୍ଥାନ ଲାଭ କରିଛି । ସ୍ୱୟଂ ଲେଖିକା ମଧ୍ୟ ଉପନ୍ୟାସର ଏକ ଚରିତ୍ର; ଆତ୍ମକଥା ରୀତିରେ ସେ ସମଗ୍ର ଉପନ୍ୟାସଟି ରଚନା କରିଛନ୍ତି । ଚରିତ୍ର ସମୂହର ବିଶେଷତଃ ମୁଖ୍ୟ ଚରିତ୍ରଗୁଡ଼ିକର ଯଥାଯଥ ବିକାଶ ବା ବିବର୍ତ୍ତନ ଉପନ୍ୟାସରେ ପ୍ରଦର୍ଶିତ ହୋଇଛି । ତେଣୁ ଏହାକୁ ଚରିତ୍ର ପ୍ରଧାନ ଉପନ୍ୟାସ ବୋଲିବା ଯଥାର୍ଥ ହେବ । ଏଥିରେ ଗ୍ରାମ୍ୟସମାଜର ବାସ୍ତବ, ପୁଙ୍ଖାନୁପୁଙ୍ଖ ଓ କଳାନୁଗ ବର୍ଣ୍ଣନା ପ୍ରଦତ୍ତ ହୋଇଛି ଏବଂ ତଦନୁସାରୀ ସାଧାରଣ ଲୋକ ପ୍ରଚଳିତ ଭାଷା ବ୍ୟବହାର କରାଯାଇଛି । ପାଠକ-ସମ୍ବୋଧିତ ରୀତି ମଧ୍ୟ ଉପନ୍ୟାସରେ ପରିଲକ୍ଷିତ ହୁଏ । ପରବର୍ତ୍ତୀ କାଳରେ ରଚିତ ଫକୀର ମୋହନଙ୍କ ଉପନ୍ୟାସରେ ଗ୍ରାମ୍ୟଜୀବନ-ଚିତ୍ରଣ ତଥା ଗଦ୍ୟଶୈଳୀ ପ୍ରୟୋଗର ଏହା ଯେ ଏକ ପଥିକୃତ ପ୍ରୟାସ, ଏଥିରେ ସନ୍ଦେହ ନାହିଁ ।

 

ପ୍ରକୃତ ଅର୍ଥରେ ‘ଫୁଲମଣି ଓ କରୁଣାର ବିବରଣ’କୁ ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସ ବୋଲାଯାଇ ପାରେ । କିନ୍ତୁ ଆମକୁ ମନେ ରଖିବାକୁ ହେବ-ଏହା ଏକ ଅନୂଦିତ କୃତି; ମୌଳିକ ରଚନା ନୁହେଁ । ଏଠାରେ ଏହା ଉଲ୍ଲେଖନୀୟ ଯେ-‘ଆଲାଲେର ଘରେର୍‌ ଦୁଲାଲ୍‌’ (୧୮୫୮) ଉପନ୍ୟାସ ପ୍ରକାଶ ପାଇବାର ଛଅ ବର୍ଷ ପୂର୍ବରୁ ପ୍ରକାଶିତ ମୂଳ ବଙ୍ଗଳା ରଚନା ‘ଫୁଲମନି ଓ କରୁନାର ବିବରନ’କୁ କେତେକ ସମୀକ୍ଷକ ବଙ୍ଗଳା ସାହିତ୍ୟର ପ୍ରଥମ ଉପନ୍ୟାସ ରୂପେ ଚିହ୍ନିତ କରଥାଆନ୍ତି । ମାତ୍ର ଏହାର ଓଡ଼ିଆ ଅନୁବାଦ ଭାଗ୍ୟରେ ବୋଧହୁଏ ଗ୍ରୀକ୍‌ ପୁରାଣ ପରିକଳ୍ପିତ ଦେବରାଜ ଜିଉସ୍‌ଙ୍କର କନ୍ୟା ସେହି ନଅ ଜଣ ‘ମିଉଜ୍‌’ଙ୍କର (Muses) ମାନ୍ୟତା ନାହିଁ, ରହିଛି ରୂପ-ଗୁଣରେ ସ୍ୱୀକୃତି ଲାଭ କରି ନ ଥିବା ବିଚାରୀ ‘ସିଣ୍ଡେରେଲା’ (Cinderella)ର ଅପବାଦ ।

 

।। ୩ ।।

ରାମଶଙ୍କର ରାୟ (୧୮୫୭-୧୯୩୧) ‘ସୌଦାମିନୀ’ (୧୮୭୮), ‘ବିବାସିନୀ’ (୧୮୯୧) ପ୍ରଭୃତି କଥାକୃତି ମାଧ୍ୟମରେ ଉପନ୍ୟାସ ରଚନାର ପ୍ରାଥମିକ ପ୍ରୟାସ କରିଥିଲେ । କଟକରୁ ପ୍ରକାଶିତ ଯେଉଁ ‘ଉତ୍କଳ ମଧୁପ’ ପତ୍ରିକାରେ ‘ସୌଦାମିନୀ’ ଧାରାବାହିକ ଭାବରେ ପ୍ରକାଶିତ ହେଉଥିଲା, ତହିଁରେ ରଚନାଟିକୁ ‘ଉପନ୍ୟାସ’ ଅଭିଧାରେ ଚିହ୍ନିତ କରାଯାଇଛି । ସେହିପରି ମୟୂରଭଞ୍ଜରୁ ପ୍ରକାଶିତ ‘ଉତ୍କଳ ପ୍ରଭା’ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଉଥିବା ‘ବିବାସିନୀ’କୁ ମଧ୍ୟ ‘ଉପନ୍ୟାସ’ ବୋଲି ନାମିତ କରାଯାଇଛି । କିନ୍ତୁ ଉମେଶଚନ୍ଦ୍ର ସରକାର (୧୮୫୭-୧୯୧୪) ଆପଣା କଥାଗ୍ରନ୍ଥ ‘ପଦ୍ମମାଳୀ’କୁ (୧୮୮୯-୮୯) ଇଂରାଜୀରେ Historical Romance ବୋଲି କହିଥିଲେହେଁ, ଓଡ଼ିଆରେ ନାମ ଦେଇଛନ୍ତି-‘‘ଐତିହାସିକ ଉପନ୍ୟାସ’ । ଏଥିରୁ ଜଣାପଡ଼େ ଯେ-ସେତେବେଳେ ଆମର କଥାକାରମାନେ ‘ଉପନ୍ୟାସ’ ନାମଧେୟ ନୂତନ ସାହିତ୍ୟ ଶୈଳୀକୁ ମୁକ୍ତ ଓ ଶିଥିଳ ଭାବେ ବ୍ୟବହାର କରୁଥିଲେ, ଅଥବା ଉପନ୍ୟାସ ଓ ରୋମାନ୍‌ସ ମଧ୍ୟରେ ଥିବା ପାର୍ଥକ୍ୟ ସେମାନଙ୍କ ନିକଟରେ ସ୍ପଷ୍ଟ ହୋଇ ନଥିଲା । ଏପରିକି, ତତ୍‌କାଳୀନ ଆଲୋଚକ ତଥା ପତ୍ରପତ୍ରିକାର ସଂପାଦକମାନେ ଏହି ପାର୍ଥକ୍ୟ ସଂପର୍କରେ ସଚେତନ ଥିବାର ଜଣାପଡ଼େ ନାହିଁ । ‘ପଦ୍ମମାଳୀ’ ସଂପର୍କରେ ମନ୍ତବ୍ୟ ପ୍ରଦାନ କରି ‘ବାଲେଶ୍ୱର ସମ୍ବାଦ ବାହିକା’ ୧୯୮୯ ମସିହା ମେ ମାସ ୨ତାରିଖ ସଂଖ୍ୟାରେ ଲେଖିଥିଲେ-‘‘ପ୍ରକୃତ ଘଟଣା ସମ୍ବଳିତ କୌଣସି ଉପନ୍ୟାସ ଅବଧି ଓଡ଼ିଆ ଭାଷାରେ ପ୍ରଚାରିତ ହୋଇ ନଥିବାରୁ ଉମେଶବାବୁଙ୍କ ଏହି ପ୍ରଥମ ଉଦ୍ୟମଟି ବିଶେଷ ପ୍ରଶଂସନୀୟ । ଏହି ଖଣ୍ଡିକୁ ଓଡ଼ିଶାର ପ୍ରଥମ Novel କହିଲେ, ଅତ୍ୟୁକ୍ତି ହେବ ନାହିଁ ।’’

 

ଆମର ଆଧୁନିକ କଥାସାହିତ୍ୟର ସେହି ପ୍ରାରମ୍ଭିକ ଅବସ୍ଥାରେ ‘‘ଉପନ୍ୟାସ’ କଥାଟିର ବିଭ୍ରାନ୍ତିକର ପ୍ରୟୋଗ ମଧ୍ୟ ଆଖିରେ ପଡ଼ିଥାଏ । ୧୮୯୦ ମସିହାରେ କଟକ ପ୍ରିଟିଙ୍ଗ୍‌ କମ୍ପାନୀରୁ ‘ସତୀ ଉପନ୍ୟାସ’ ନାମକ ଖଣ୍ଡିଏ ଗ୍ରନ୍ଥ ପ୍ରକାଶିତ ହୋଇଥିଲା । ଏହାର ଲେଖକ-ଭଗବାନ ଚରଣ ଦାସ ଓ ମଦନମୋହନ ପଟ୍ଟନାୟକ । ଏହା ଆଦୌ ଉପନ୍ୟାସ ନୁହେଁ, ସତର ଗୋଟି ଛାନ୍ଦ-ବିଶିଷ୍ଟ ଏକ ପାରମ୍ପରିକ କାବ୍ୟ ମାତ୍ର । ସେହି କଟକ ପ୍ରିଟିଙ୍ଗ୍‌ କମ୍ପାନୀରୁ ୧୯୦୧ ମସିହାରେ ‘ପ୍ରବନ୍ଧ ଅଖଣ୍ଡଚନ୍ଦ୍ର ବା କାଦମ୍ବରୀ ଉପନ୍ୟାସ’ ନାମକ ଗ୍ରନ୍ଥଟିଏ ମଧ୍ୟ ପ୍ରକାଶ ପାଇଥିଲା । ଏହାର ଲେଖକ-ସୟଦ୍‌ ଉମର୍‌ ଅଲ୍ଲୀ । ଗ୍ରନ୍ଥଟି ପ୍ରବନ୍ଧ ନୁହେଁ, କି ଉପନ୍ୟାସ ନୁହେଁ; ବାଣଭଟ୍ଟଙ୍କ ‘କାଦମ୍ବରୀ’ର ତାହା ଓଡ଼ିଆ ପଦ୍ୟାନୁବାଦ । ଏପରିକି, ପ୍ରାଥମିକ ସ୍ତରରେ ବିଭିନ୍ନ ସ୍ଥଳରେ ଆମର ଗଳ୍ପ ଓ ଉପନ୍ୟାସ ମଧ୍ୟରେ ଥିବା ଭେଦରେଖା ନିଶ୍ଚିହ୍ନ ହୋଇ ଯାଇଥିବାର ଦେଖାଯାଏ । ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ ପ୍ରକାଶ ପାଇଲା ପରେ ମଧ୍ୟ ୧୯୦୯ ମସିହାରେ ‘ମୁକୁର’ ପତ୍ରିକା ଚତୁର୍ଥ ଭାଗ ବିଭିନ୍ନ ସଂଖ୍ୟାର ବିଜ୍ଞାପନରେ ତାଙ୍କରି ‘ପୁନର୍ମୂଷିକୋଽଭବ’ ଗଳ୍ପଟିକୁ ‘ଉପନ୍ୟାସ’ ବୋଲି ଚିହ୍ନିତ କରାଯାଇଛି । ଅପନ୍ନା ପଣ୍ଡାଙ୍କର ‘କଳାବତୀ’ (୧୯୦୨), ବ୍ରଜବନ୍ଧୁ ମିଶ୍ରଙ୍କର ‘ବସନ୍ତମାଳତୀ’ (୧୯୦୨), ମୃତ୍ୟୁଞ୍ଜୟ ରଥଙ୍କର ‘ଅଦ୍ଭୁତ ପରିଣାମ’ (୧୯୧୫), କୁନ୍ତଳାକୁମାରୀ ସାବତଙ୍କର ‘ଭ୍ରାନ୍ତି’ (୧୯୨୩), ‘ପରଶମଣି’ (୧୯୨୪), ‘କାଳୀବୋହୁ’ (୧୯୨୫), ‘ନଅତୁଣ୍ଡୀ’ (୧୯୨୫) ପ୍ରଭୃତି ସ୍ୱରୂପ-ପ୍ରକୃତିରେ କାହାଣୀ ବା ବଡ଼ ଗଳ୍ପ ହୋଇଥିଲେହେଁ ‘ଉପନ୍ୟାସ’ ନାମରେ ପରିଚିତ ହୋଇଛି । ଆମର ବିଭିନ୍ନ ସମାଲୋଚକଙ୍କ ଦୃଷ୍ଟିରେ ବି ଗଳ୍ପ-ଉପନ୍ୟାସ ମଧ୍ୟରେ ଥିବା ଏହି ପାର୍ଥକ୍ୟ ଧରାପଡ଼ି ନାହିଁ ।

 

ବସ୍ତୁତଃ ‘ସୌଦାମିନୀ’, ‘ପଦ୍ମମାଳୀ’, ବା ବିବାସିନୀ’ ଉପନ୍ୟାସ-ଧର୍ମ ଅପେକ୍ଷା ରୋମାନ୍‌ସବହନ କରିଛି ବେଶି । ପ୍ରାଥମିକ ସ୍ତରରେ ଏହି ଆଧୁନିକ କଥାକୃତି ସମୂହ ସାଧାରଣତଃ ଶିଥିଳ ଭାବେ ‘ଉପନ୍ୟାସ’ ନାମରେ ଚିହ୍ନିତ ହେଲେ ମଧ୍ୟ ଏଗୁଡ଼ିକ ଭିତରୁ ରୋମାନ୍‌ସର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼େ । ଏହି କଥାକୃତିଗୁଡ଼ିକ ରୋମାନ୍‌ସ ଭଳି ଘଟଣାପ୍ରଧାନ; କାହାଣୀରେ ରୋମାଞ୍ଚକର ଘଟଣା, ଦୁଃସାହସିକ ଅଭିଯାନ, ବୀରତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ଓ ଅଭିଜାତ ଶ୍ରେଣୀରେ ପ୍ରେମବ୍ୟାପାର ସ୍ଥାନ ଲାଭ କରିଛି । ରୋମାନ୍‌ସ ସୁଲଭ ରହସ୍ୟମୟ କୁହେଳିକାଚ୍ଛନ୍ନ ପରିବେଶ, ବର୍ଣ୍ଣବହୁଳତା; ସ୍ଥଳବିଶେଷରେ ଅସାଧାରଣତ୍ୱ ଏବଂ ଦୁର୍ଜନର ଗ୍ଳାନି ବା ପରାଜୟ ତଥା ସଜ୍ଜନର ପୁରସ୍କାର-ଲାଭ କ୍ରମରେ ପ୍ରଚ୍ଛନ୍ନ ଭାବେ ଏକ ନୈତିକ ଆଦର୍ଶର ଉପସ୍ଥାପନ ଏଗୁଡ଼ିକ ମଧ୍ୟରେ ପରିଲକ୍ଷିତ ହୁଏ । ଉପନ୍ୟାସର ଅବିମିଶ୍ର ବାସ୍ତବତା ଏହି କଥାଗ୍ରନ୍ଥ ସମୂହରେ ମିଳେ ନାହିଁ । ବାସ୍ତବିକ, ରୋମାନ୍‌ସ ଓ ଉପନ୍ୟାସର ଆଭିମୁଖ୍ୟ ପୃଥକ୍‌; ଦୁଇଟିର ସ୍ୱାଦ ମଧ୍ୟ ସ୍ୱତନ୍ତ୍ର । କେହି କାହାରି ବିପକ୍ଷ ବା ବିରୋଧୀ ନୁହେଁ । ବରଂ ରୋମାନ୍‌ସ, ଉପନ୍ୟାସର ଆବାହକ ବା ପଥପ୍ରଦର୍ଶକ ବୋଲି ସମୀକ୍ଷକମାନଙ୍କର ମତ । ଏହା ଉପନ୍ୟାସର ମୂଳଦୁଆ ସ୍ଥାପନ କରିଛି । ବିଶ୍ୱର ବିଭିନ୍ନ ସାହିତ୍ୟରେ ଉପନ୍ୟାସର ବିକାଶ ପୂର୍ବରୁ ବହୁସଂଖ୍ୟକ ରୋମାନ୍‌ସ ରଚିତ ହୋଇଥିବାର ଦେଖାଯାଏ । ଆମ ସାହିତ୍ୟ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିନାହିଁ । *

 

* ଏ ପ୍ରସଙ୍ଗରେ ଦ୍ରଷ୍ଟବ୍ୟ-ଓଡ଼ିଆ ଉପନ୍ୟାସ (ପରିମାର୍ଜିତ ୨ୟ ସଂସ୍କରଣ-୧୯୮୧), ପ୍ରକାଶକ-ଫ୍ରେଣ୍ଡସ୍‌ ପବ୍ଳିସର୍ସ, ବିନୋଦବିହାରୀ, କଟକ-୨, ପୃଷ୍ଠା ୧୦୧-୧୫୯

 

।। ୪ ।।

ବର୍ତ୍ତମାନ ଫକୀରମୋହନ ସେନାପତିଙ୍କ (୧୮୪୩-୧୯୧୮) ଦ୍ୱାରା ରଚିତ ‘ଛମାଣ ଆଠଗୁଣ୍ଠ’ କଥାକୃତିଟି ବିଚାର୍ଯ୍ୟ । ୧୮୯୭ ମସିହାରେ ‘ଉତ୍କଳ ସାହିତ୍ୟ’ ପତ୍ରିକା ପୃଷ୍ଠାରେ ଏହା ‘ଉପନ୍ୟାସ’ ଅଭିଧାରେ ଚିହ୍ନିତ ହୋଇ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା ଏବଂ ପ୍ରାୟ ପାଞ୍ଚ ବର୍ଷପରେ ୧୯୦୨ ମସିହାରେ ଗ୍ରନ୍ଥାକାରରେ ପ୍ରକାଶିତ ହୋଇଥିଲା । ଅବିମିଶ୍ର ବାସ୍ତବତା ହିଁ ‘ଛମାଣ ଆଠଗୁଣ୍ଠ’ର ପ୍ରାଣ; ଗଳ୍ପ-ଗୁମ୍ଫନ, ଘଟଣା-ବୟନ, ଚରିତ୍ର ଚିତ୍ରଣ, ଦୃଶ୍ୟ ବା ସମାଜ ବର୍ଣ୍ଣନା-ପ୍ରତ୍ୟେକଟି ବାସ୍ତବତା ଭିତ୍ତିରେ କରାଯାଇଛି । ଏହାର କଥାବସ୍ତୁ ଜଟିଳ ଓ ଯୌଗିକ; ଗୋଟିଏ ମେନ୍‌ ପ୍ଳଟ୍‌ ଏବଂ ଗୋଟିଏ କି ଯୋଡ଼ିଏ ସବ୍‌ ପ୍ଳଟ୍‌ ତହିଁରେ ସନ୍ନିବେଶିତ । ପୂର୍ଣ୍ଣମାତ୍ରାରେ ଏହା ଚରିତ୍ରପ୍ରଧାନ; କି ମୁଖ୍ୟ କି ଗୌଣ ସମସ୍ତ ଚରିତ୍ର ଏଥିରେ ବିସ୍ତୃତ ଓ ଯଥାଯଥ ଭାବରେ ଚିତ୍ରଣ କରାଯାଇଛି । ଊନବିଂଶ ଶତାବ୍ଦୀ ଶେଷ ଭାଗର ଉତ୍କଳୀୟ ସମାଜ ଓ ଜନଜୀବନର ଯଥାର୍ଥ ମନୋଜ୍ଞ ଚିତ୍ର ଏଥିରେ ପ୍ରଦତ୍ତ ହୋଇଛି । ମୁଖ୍ୟତଃ ସାଧାରଣ ଲୋକ ପ୍ରଚଳିତ ଗଦ୍ୟ ଭାଷାରେ ଏବଂ ଏକ ଅଭିନବ ତିର୍ଯ୍ୟକ୍‌ ଭଙ୍ଗୀରେ ଫକୀର ମୋହନ ସମୁଦାୟ କଥାଗ୍ରନ୍ଥଟି ରଚନା କରିଛନ୍ତି । ସର୍ବୋପରି ‘ଛମାଣ ଆଠଗୁଣ୍ଠ’ ଏକ ମୌଳିକ ସୃଷ୍ଟି; ଅନୂଦିତ ବା ଅନୁସୃତ ରଚନା ନୁହେଁ । ଉପନ୍ୟାସର ସାଧାରଣ ପ୍ରଚଳିତ ସଂଜ୍ଞା ଓ ସ୍ୱରୂପ-ପ୍ରକୃତି ଦୃଷ୍ଟିରୁ ବିଚାର କଲେ, ଏହାକୁ ଓଡ଼ିଆ ଭାଷାରେ ପ୍ରକୃତ ଉପନ୍ୟାସ ବୋଲାଯାଇପାରେ ।

 

ଏକ ନିର୍ଦ୍ଦିଷ୍ଟ ସାରସ୍ୱତ ଶୈଳୀ ବା ଶିଳ୍ପ-ରୀତି ଭାବରେ ଉପନ୍ୟାସ ସୃଷ୍ଟି ପାଇଁ ଏ ଦେଶରେ କେତେକ ପରସ୍ଥିତି ଆବଶ୍ୟକ ହେଉଥିଲା । ଊନବିଂଶ ଶତାବ୍ଦୀର ବ୍ରିଟିଶ୍‌ ରାଜତ୍ୱ କାଳରେ ସେହି ଆବଶ୍ୟକତା ପୂରଣ ହେବାରେ ଲାଗିଲା । ପୂର୍ବରୁ ଆମ ସମାଜର ଥିଲେ ମୁଖ୍ୟତଃ ଦୁଇଟି ଶ୍ରେଣୀ-ଜମିଦାର ଓ ଚାଷୀ-ପ୍ରଜା । ଊନବିଂଶ ଶତାବ୍ଦୀରେ ଆଉ ଏକ ସ୍ୱତନ୍ତ୍ର ଶ୍ରେଣୀ ‘ଚାକିରିଜୀବୀ’ ମଥା ଟେକିଲେ; ଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ମଧ୍ୟବିତ୍ତ ସମାଜର ସୃଷ୍ଟି ହେଲା । କ୍ରମେ ନଗରକୈନ୍ଦ୍ରିକ ବସ୍ତୁତାନ୍ତ୍ରିକ ଜୀବନ ପ୍ରଭାବ ବିସ୍ତାର କଲା ଏବଂ ପାଶ୍ଚାତ୍ୟ ଶିକ୍ଷା-ଦୀକ୍ଷାର ପ୍ରସାର ଫଳରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ପ୍ରତିଷ୍ଠା ହେଲା । ମୁଦ୍ରଣ-ଶିଳ୍ପର ପ୍ରବର୍ତ୍ତନ ଏବଂ ପତ୍ରପତ୍ରିକାର ପ୍ରକାଶ ମଧ୍ୟ ହୋଇଥିଲା ସେତିକିବେଳେ । ଏହି ପରିସ୍ଥିତିରେ ଓଡ଼ିଆ ଉପନ୍ୟାସ ସୃଷ୍ଟି ସମ୍ଭବ ହେଲା ।

 

ଶେଷରେ, ବଙ୍ଗଳାର ପ୍ରଥମ ମୌଳିକ ଉପନ୍ୟାସ ‘ଆଲାଲେର୍‌ ଘରେର୍‌ ଦୁଲାଲ୍‌’ ଏବଂ ତାହାର ଲେଖକ ଟେକଚାନ୍ଦ ଠାକୁର ଓରଫ୍ ପ୍ୟାରୀଚାନ୍ଦ ମିତ୍ରଙ୍କ (୧୮୧୪-୮୩) ସଂପର୍କରେ ଏକଦା ସାହିତ୍ୟିକ ବଙ୍କିମଚନ୍ଦ୍ର ଯେଉଁପରି ମନ୍ତବ୍ୟ ପ୍ରକାଶ କରିଥିଲେ, ‘ଛମାଣ ଆଠଗୁଣ୍ଠ’ ଏବଂ ତାହାର ଲେଖକ ଫକୀର ମୋହନଙ୍କ ବିଷୟରେ ସେହି ରୀତିରେ ବୋଲାଯାଇ ପାରେ ଯେ-ସାହିତ୍ୟର ପ୍ରକୃତ ଉପାଦାନ ଆମରି ଘର ଭିତରେହିଁ ରହିଛି, ସେଥିପାଇଁ ଆମକୁ ସଂସ୍କୃତ ଓ ଇଂରାଜୀ ସାହିତ୍ୟରୁ ଭିକ୍ଷା ମାଗିବାକୁ ପଡ଼ିବ ନାହିଁ । ଜୀବନରେ ତଥା ସାହିତ୍ୟରେ ଆପଣା ଘରର ସାମଗ୍ରୀ ଯେତେ ସୁନ୍ଦର, ପରର ସାମଗ୍ରୀ ସେତେ ସୁନ୍ଦର ବୋଧ ହୁଏନା । ଯଦି ସାହିତ୍ୟ ଦ୍ୱାରା ଓଡ଼ିଶାକୁ ଉନ୍ନତ କରିବାକୁ ପଡ଼େ, ତାହାହେଲେ ସେହି ଓଡ଼ିଶାର କଥା ଘେନି ହିଁ ସାହିତ୍ୟ ସୃଷ୍ଟି କରିବାକୁ ହେବ । ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ ରଚନା କରି ଫକୀରମୋହନ ପ୍ରଥମେ ଏହି କଥାହିଁ ଦେଖାଇଦେଲେ ।

 

ରେଭେନ୍‌ସା କଲେଜ

କଟକ

 

* ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ବିଶ୍ୱଭାରତୀର ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ୧୯୮୮ ଫେବୃୟାରୀ ୨୦-୨୧ ତାରିଖରେ ଶାନ୍ତିନିକେତନଠାରେ ଅନୁଷ୍ଠିତ ‘‘ଓଡ଼ିଆ ଉପନ୍ୟାସର ଶତବର୍ଷ ଓ ଭାରତୀୟ ଭାଷାମାନଙ୍କରେ ପ୍ରଥମ ଉପନ୍ୟାସ’’ ଶୀର୍ଷକ ସଂପାନରେ ପଠିତ ।

 

***

 

ଓଡ଼ିଆ ଐତିହାସିକ ଉପନ୍ୟାସ

(ସ୍ୱାଧୀନତା ପୂର୍ବବର୍ତ୍ତୀ)

ଡଃ ଦେବେନ୍ଦ୍ର ମହାନ୍ତି

 

ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସର ସୃଷ୍ଟି ଊନବିଂଶ ଶତାବ୍ଦୀର ଶେଷଭାଗରେ ହୋଇଥିବାର ଜଣାଯାଏ । ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ଭାବରେ ପଦ୍ମମାଳୀ ଗୃହୀତ । ପଦ୍ମମାଳୀ ଯଥାର୍ଥରେ ଏକ ଐତିହାସିକ ରୋମାନ୍‌ସ । ୧୮୮୮ ମସିହାରେ ପଦ୍ମମାଳୀ ଆତ୍ମପ୍ରକାଶ କରିଥିବାରୁ ସେହି ସମୟକୁ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିର ସମୟରୂପେ ଧରାଯାଇଅଛି । ପଦ୍ମମାଳୀ ପ୍ରକାଶିତ ହେବା ପୂର୍ବରୁ ଓଡ଼ିଆ ଉପନ୍ୟାସ ସୃଷ୍ଟି ନିମନ୍ତେ କେତେକ ଉଦ୍ୟମ ଦେଖାଦେଇଥିଲା । ମାତ୍ର ସେସବୁ ଉଦ୍ୟମ ପରିପୂର୍ଣ୍ଣତା ଲାଭ କରିବାକୁ ଅସମର୍ଥ ହେବାରୁ ଓଡ଼ିଆ ଉପନ୍ୟାସ ସାହିତ୍ୟର ଇତିହାସରେ ସେଗୁଡ଼ିକର ଗୁରୁତ୍ୱ ବିବେଚିତ ହୋଇନାହିଁ । ତେଣୁ ୧୮୮୮ ମସିହାଠାରୁ ଓଡ଼ିଆ ଉପନ୍ୟାସ ତଥା ଐତିହାସିକ ଉପନ୍ୟାସ ସୃଷ୍ଟି ଲାଗି ଦେଖାଦେଇଥିବା ଉଦ୍ୟମର ସମୟକୁ ଓଡ଼ିଆ ଉପନ୍ୟାସ ସୃଷ୍ଟିର ସମୟ ଭାବରେ ଓଡ଼ିଆ ସାହିତ୍ୟର ଇତିହାସରେ ସ୍ୱୀକାର କରାଯାଇଅଛି ।

 

୧୮୮୮ ମସିହାରେ ପଦ୍ମମାଳୀର ଆତ୍ମପ୍ରକାଶ ପୂର୍ବରୁ ୧୮୭୮ ମସିହାରେ ରାମଶଙ୍କର ରାୟ ସୌଦାମିନୀ ନାମରେ ଏକ ଐତିହାସିକ ଉପନ୍ୟାସ ରଚନା କରିବାର ଉଦ୍ୟମ କରିଥିଲେ । ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ । ତଥାପି ଏହାକୁ ଆଲୋଚନାର ପରିସରଭୁକ୍ତ କରାଯାଇପାରେ । ଲେଖକ ଏହାକୁ ଏକ ଐତିହାସିକ ଉପନ୍ୟାସର ମର୍ଯ୍ୟାଦାରେ ଭୂଷିତ କରିବାପାଇଁ ସମର୍ଥ ହୋଇପାରି ନାହାନ୍ତି । ଏହାର ଐତିହାସିକ ଉପାଦାନ ନିତାନ୍ତ ଅସ୍ପଷ୍ଟ । କଥାବସ୍ତୁର ଉପସ୍ଥାପନା ରୀତି ନିତାନ୍ତ ଅବାସ୍ତବ । ଉପନ୍ୟାସର ସମଗ୍ର କଳେବର ମଧ୍ୟରେ ଅତିରଞ୍ଜନ ଓ ଅବାସ୍ତବତା ପୂରି ରହିଛି । ଲେଖକ ଗ୍ରହଣ କରିଥିବା କଥାବସ୍ତୁର ଐତିହାସିକ ସତ୍ତା ନାହିଁ । ଚିତୋରର ସୁନ୍ଦରୀ ରାଣୀ ପଦ୍ମିନୀଙ୍କୁ ପାଇବା ପାଇଁ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜି ଚିତୋର ଆକ୍ରମଣ କରିଥିଲେ ବୋଲି ଏକ କିମ୍ବଦନ୍ତୀ ପ୍ରଚଳିତ । ମାତ୍ର ଏହା ଐତିହାସିକ ଘଟଣା ନୁହେଁ । ଲେଖକ ଏହି କିମ୍ବଦନ୍ତୀର କଥାବସ୍ତୁକୁ ନିଜ କଳ୍ପନା ଅନୁସାରେ ପରିବର୍ତ୍ତିତ କରିଛନ୍ତି । ଜୟସିଂହ ଓ କାଳ୍ପନିକ ନାୟିକା ସୌଦାମିନୀଙ୍କ ପ୍ରେମ ଉପାଖ୍ୟାନ ଏହି ଉପନ୍ୟାସର ମୁଖ୍ୟ ବିଷୟବସ୍ତୁ । ଲେଖକ ନିଜର ରଚନାକୁ ଐତିହାସିକ ମର୍ଯ୍ୟାଦା ଦେବାକୁ ଯାଇ କେତେକ ଐତିହାସିକ ସ୍ଥାନ ଓ ଚରିତ୍ରର ନାମୋଲ୍ଲେଖ ମାତ୍ର କରିଛନ୍ତି । ଲେଖକଙ୍କର ଏପ୍ରକାର ଉଦ୍ୟମ ଫଳବତୀ ହୋଇ ପାରିନାହିଁ । ସବୁଠାରୁ ବଡ଼କଥା ହେଲା, ଏହି ଉପନ୍ୟାସରେ ବାସ୍ତବତା ପ୍ରତି କୌଣସି ଦୃଷ୍ଟି ଦିଆଯାଇ ନାହିଁ । ଉପନ୍ୟାସ ରଚନାର ନିୟମ ଏଥିରେ ବ୍ୟାହତ ।

 

୧୮୭୭-୭୮ ମସିହାରେ ରାମଶଙ୍କର ରାୟ ସୌଦାମିନୀର ଊନବିଂଶ ପରିଚ୍ଛେଦ ପର୍ଯ୍ୟନ୍ତ ଲେଖି ଉତ୍କଳ ମଧୁପ ପତ୍ରିକାରେ ପ୍ରକାଶ କରିଥିଲେ । ମାତ୍ର ଉତ୍କଳ ମଧୁପର ପ୍ରକାଶନ ବନ୍ଦ ହୋଇଯିବାରୁ ସୌଦାମିନୀ ସେହି ଊନତ୍ରିଂଶ ପରିଚ୍ଛେଦରେ ଅସଂପୂର୍ଣ୍ଣ ଭାବରେ ରହିଗଲା । ତା’ପରେ ସୌଦାମିନୀର ରୂପ ଅନ୍ଧକାର ମଧ୍ୟରୁ ଆଲୋକକୁ ଆସିପାରିଲା ନାହିଁ । ରାମଶଙ୍କର ରାୟଙ୍କ ଗ୍ରନ୍ଥାବଳୀରେ ମଧ୍ୟ ତାହା ସ୍ଥାନ ପାଇନାହିଁ । ସୌଦାମିନୀ ପ୍ରକାଶ ପାଇବାର ଦଶବର୍ଷ ପରେ ପ୍ରକାଶ ପାଏ ପଦ୍ମମାଳୀ । ପଦ୍ମମାଳୀର କଥାବସ୍ତୁ ଇତିହାସ ସମ୍ମତ । ଲେଖକ ସୁଦୂର ଅତୀତର କୌଣସି ଘଟଣାକୁ ନ ନେଇ ତାଙ୍କର ନିକଟ ଅତୀତ ବା ଊନବିଂଶ ଶତାବ୍ଦୀର ପ୍ରଥମ ଭାଗର ଏକ ଘଟଣାକୁ ଅବଲମ୍ବନ କରି ଉପନ୍ୟାସର କଥାବସ୍ତୁ ଗଢ଼ିଛନ୍ତି (୧) । ଉପନ୍ୟାସରେ ଲେଖକଙ୍କର କଳ୍ପନା-ପ୍ରବଣତା କମ୍‌ନାହିଁ । ଏହା ଏକ ଐତିହାସିକ ଘଟଣାର ଅବଲମ୍ବନରେ ରଚିତ ହେଲେ ହେଁ ଏହାକୁ ଏକ ପ୍ରେମମୂଳକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇପାରେ । (୨) ପଦ୍ମମାଳୀ ଉପରେ ବିଭିନ୍ନ ସମୟରେ ଓଡ଼ିଆ ସାହିତ୍ୟରେ ବହୁ ଆଲୋଚନା ପ୍ରକାଶିତ । ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ହୋଇଥିବାରୁ ଆଲୋଚକମାନେ ବହୁସ୍ଥଳରେ ପଦ୍ମମାଳୀକୁ ତନ୍ନ ତନ୍ନ କରି ପରୀକ୍ଷା କରିଛନ୍ତି । ଲେଖକ ଉପନ୍ୟାସର କଥାବସ୍ତୁ ପାଇଁ ଯେଉଁ ମୁଖ୍ୟଘଟଣା ଗ୍ରହଣ କରିଛନ୍ତି ତାହା ଅତ୍ୟନ୍ତ କ୍ଷୀଣ ଓ ଦୁର୍ବଳ । କେତେକ ସ୍ଥଳରେ ଇତିହାସ ସହିତ କଳ୍ପନା ମିଶିଯାଇଛି-। ପରୀକ୍ଷିତ ସିଂହଙ୍କ ସହିତ ପଦ୍ମମାଳୀର ଓ ବଳବନ୍ତ ରାୟଙ୍କ ସହିତ ଜୟନ୍ତୀର ପ୍ରେମ-ଉପାଖ୍ୟାନ ବର୍ଣ୍ଣନାରେ ଲେଖକ ଅତ୍ୟନ୍ତ ପାରଦର୍ଶୀ । ମାତ୍ର ସେ ସମୟର ସାମାଜିକ, ଅର୍ଥନୈତିକ ଓ ସାମାଜିକ ଚିତ୍ର ଅଙ୍କନ କରିବାରେ ଲେଖକଙ୍କର କୌଣସି ଆଗ୍ରହ ଦେଖା ଦେଇ ନାହିଁ । ଲେଖକ ନିଜେ ସେ ସମୟରେ ଢେଙ୍କାନାଳ ରାଜ୍ୟର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ । ଗଡ଼ଜାତର ପ୍ରଜାମାନଙ୍କ ଉପରେ ରାଜକର୍ମଚାରୀମାନେ କିପରି ପ୍ରତିପତ୍ତି ବିସ୍ତାର କରୁଥିଲେ ତାହା ତାଙ୍କର ପ୍ରତ୍ୟକ୍ଷ ଅନୁଭୂତିରେ ଥିଲା । କେତେକ ରାଜକର୍ମଚାରୀଙ୍କର ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ଅଂଶବିଶେଷ ଉପରେ ଲେଖକ ଆଲୋକପାତ କରିଛନ୍ତି । (୩)

 

ଲେଖକ ନିଜେ ଐତିହାସିକ ଉପନ୍ୟାସ ରଚନା କରିବାର ଉଦ୍ୟମ କରି ଅନ୍ୟମାନଙ୍କୁ ଏହି ଦିଗରେ ଉଦ୍ୟମୀ ହେବାକୁ ଉତ୍ସାହ ଦେଇଛନ୍ତି । ଏ ବିଷୟରେ ଲେଖକ ମତପ୍ରକାଶ କରିଛନ୍ତି, ‘‘ଉତ୍କଳ ଦେଶର ଇତିହାସ ପର୍ଯ୍ୟାଲୋଚନା କଲେ ଭାବୁକ-ଯୁବକ ଐତିହାସିକ ଉପନ୍ୟାସ ଲେଖିବାକୁ ଉପକରଣର ଅଭାବ ଦେଖିବେ ନାହିଁ । ଆମ୍ଭେ କେବଳ ଏହି କ୍ଷୁଦ୍ର ଆୟତନ ଓ ଅପେକ୍ଷାକୃତ ଅଖ୍ୟାତନାମା ରାଜ୍ୟର ସ୍ୱଳ୍ପବ୍ୟାପୀ ଘଟଣା ଅବଲମ୍ବନ କରି ଏ ଗ୍ରନ୍ଥ ରଚନା କରିଅଛୁଁ (୪) ।’’ ନୀଳଗିରି ଓ ପାଞ୍ଚଗଡ଼ ଉପରେ ହୋଇଥିବା ଆକ୍ରମଣ ଏକ ଐତିହାସିକ ଘଟଣା-। ଲେଖକ ଏହି ଘଟଣାକୁ ମୁଖ୍ୟବିଷୟ ଭାବରେ ଗ୍ରହଣ କରିଛନ୍ତି, ମାତ୍ର କଥାବସ୍ତୁର ଗତି ପ୍ରେମୋପାଖ୍ୟାନ ଆଡ଼କୁ ଚାଲିଯାଇଛି । ଇତିହାସ ଓ କଳ୍ପନାର ସୁସଂଯତ ମିଶ୍ରଣ ଲେଖକଙ୍କ ପକ୍ଷରେ ସମ୍ଭବ ହୋଇପାରିନାହିଁ । ପଦ୍ମମାଳୀ ଓଡ଼ିଆ ସାହିତ୍ୟର ପ୍ରଥମ ଐତିହାସିକ ଉପନ୍ୟାସ ଭାବରେ ସ୍ୱୀକୃତ, ମାତ୍ର ଏ ସ୍ୱୀକୃତି ସଙ୍ଗେ ସଙ୍ଗେ ଆଲୋଚକଙ୍କର ଟିପ୍‌ପଣୀ ହେଉଛି, ‘‘ଏହାକୁ ଉପନ୍ୟାସ ନ କହି ଘଟଣା, ଇତିହାସ ଓ ବହୁ ଚରିତ୍ରପୂର୍ଣ୍ଣ ଏକ ଦୀର୍ଘ କାହାଣୀ କହିଲେ ଅସମୀଚୀନ ହେବ ନାହିଁ । (୫)’’

 

ଲେଖକ ଉମେଶ ଚନ୍ଦ୍ର ସରକାର ଇତିହାସରୁ କଥାବସ୍ତୁ ଆହରଣ କରି ଉପନ୍ୟାସ ରଚନା କରିବା ପାଇଁ ବିଶେଷ ଆଗ୍ରହୀ ଥିବାର ଅନ୍ୟ ଏକ ଦୃଷ୍ଟାନ୍ତ କେନ୍ଦୁଝର ବିଦ୍ରୋହ । ଏହାକୁ ଏକ ଅସମ୍ପୂର୍ଣ୍ଣ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇପାରେ । ୧୮୬୧ ମସିହା ମାର୍ଚ୍ଚ ମାସରେ କେନ୍ଦୁଝରର ଅପୁତ୍ରିକ ରାଜା ଗଙ୍ଗାଧର ନାରାୟଣ ଭଞ୍ଜଙ୍କ ମୃତ୍ୟୁପରେ ସିଂହାସନ ଲାଗି ବିବାଦ ଦେଖା ଦେଇଥିଲା । ରାଜାଙ୍କର ଫୁଲବିବିଙ୍କର ଦୁଇପତ୍ର ଧନୁର୍ଜୟ ଓ ଚନ୍ଦ୍ରଶେଖରଙ୍କ ମଧ୍ୟରୁ ଧନୁର୍ଜୟଙ୍କୁ ବେଦାନ୍‌ ଅଭିଷିକ୍ତ କରିଥିଲେ । ମାତ୍ର ମୟୂରଭଞ୍ଜର ରାଜା କେନ୍ଦୁଝର ରାଣୀଙ୍କ ସହାୟତାରେ ତାଙ୍କର ନାତି ବୃନ୍ଦାବନଙ୍କୁ କେନ୍ଦୁଝର ରାଜାଙ୍କ ପୋଷ୍ୟପୁତ୍ର ଭାବରେ ଘୋଷଣା କଲେ । ସରକାର ଧନୁର୍ଜୟଙ୍କ ପକ୍ଷ ସମର୍ଥନ କଲେ । ୧୮୬୭ ମସିହାରେ ଧନୁର୍ଜୟ ସାବାଳକ ହେଲେ ଓ ଗାଦିରେ ବସିଲେ । ରାଣୀ ଏଥିରେ ଅସନ୍ତୁଷ୍ଟ ହୋଇ ଭୂୟାଁ ଓ ଜୁଆଙ୍ଗମାନଙ୍କୁ ମତାଇ ବିଦ୍ରୋହ କଲେ । ବିଦ୍ରୋହୀ ନେତା ରଚନା ନାୟକ ଓ ନନ୍ଦନାୟକ ରାଜାଙ୍କୁ ବନ୍ଦୀ କରି ଦେବାନଙ୍କୁ ହତ୍ୟାକଲେ । ଅନ୍ୟ ଗଡ଼ଜାତର ରାଜାମାନେ ଧନୁର୍ଜୟଙ୍କୁ ସମର୍ଥନ କରି ଯୁଦ୍ଧ ଡାକରା ଦେଲେ । ବଣେଇ, ପାଲଲହଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ ଉଦୟପୁରର ରାଜାମାନେ ଯୁଦ୍ଧଲାଗି ସୈନ୍ୟ ପ୍ରେରଣ କଲେ । ସରକାର ବିଦ୍ରୋହ ଦମନ କଲେ ଓ ଛଅଜଣ ବିଦ୍ରୋହୀ ନେତାଙ୍କୁ ପ୍ରାଣଦଣ୍ଡ ଦେଲେ । (୬)

 

ଏହି ଘଟଣାକୁ ଅବଲମ୍ବନ କରି ଲେଖକ ‘ଉଦାସୀ’ ଛଦ୍ମ ନାମରେ ମୁକୁର ପତ୍ରିକାରେ ସାତଗୋଟି ପରିଚ୍ଛେଦ ପର୍ଯ୍ୟନ୍ତ ଉପନ୍ୟାସ ରଚନା କରି ପ୍ରକାଶ କରାଇଥିଲେ । ଉପନ୍ୟାସଟି ଅସମାପ୍ତ । ଲେଖକଙ୍କର କଳ୍ପନା ପ୍ରବଣତା ଏହି ରଚନା ମଧ୍ୟରେ ପ୍ରକଟିତ । ଏହି ଘଟଣାରେ ଧନୁର୍ଜୟ ଭଞ୍ଜ ଓ ରତ୍ନାକର ସିଂହଙ୍କ କନ୍ୟା ଚିତ୍ରଲେଖାର ପ୍ରେମ ଉପାଖ୍ୟାନକୁ ଲେଖକ ଯୋଡ଼ିଦେଇଛନ୍ତି । ଏହାର ରଚନାରୀତି ପଦ୍ମମାଳୀର ଅନୁରୂପ ।

 

ରାମଶଙ୍କର ରାୟଙ୍କର ବିବାସିନୀର ସୃଷ୍ଟି ୧୮୯୧ ମସିହାରେ । ଏହି କ୍ରମାନ୍ୱୟରେ ଉତ୍କଳପ୍ରଭା ପତ୍ରିକାରେ ପ୍ରକାଶ ପାଇଥିଲା । ରାମଶଙ୍କର ମୁଖ୍ୟତଃ ଜଣେ ନାଟ୍ୟକାର ଥିଲେ ହେଁ ଓଡ଼ିଆ ସାହିତ୍ୟରେ ଉପନ୍ୟାସର ଅଭାବ ଅନୁଭବ କରି ଏହାକୁ ରଚନା କରିଥିଲେ । ଏଥିପାଇଁ ସେ ଇତିହାସରୁ କଥାବସ୍ତୁ ଗ୍ରହଣ କରିଥିଲେ । ଏଥିରେ ବର୍ଣ୍ଣିତ ଘଟଣା ୧୭୬୮ ମସିହାର କଥା । ଇଂରେଜମାନଙ୍କର ଓଡ଼ିଶା ଅଧିକାରର ୩୫ ବର୍ଷ ପୂର୍ବେ ମରହଟ୍ଟା ଶାସନର ପତନ ସମୟର କଥା ଏଥିରେ ବର୍ଣ୍ଣିତ । ଲେଖକ ଏହି ଉପନ୍ୟାସରେ ନିକଟ ଅତୀତର ଏକ ଘଟଣାକୁ ରୂପାୟିତ କରିବା ସମୟରେ ଯାହାସବୁ ବର୍ଣ୍ଣନା କରିଛନ୍ତି ସେ ସବୁରେ ଐତିହାସିକ ସତ୍ୟତା ବହୁ ପରିମାଣରେ ଥିବାର କଥା । ମାତ୍ର ସ୍ଥଳବିଶେଷରେ ଲେଖକଙ୍କର ବର୍ଣ୍ଣନା ବାହୁଲ୍ୟ ଓ ଭାବପ୍ରବଣତା ଇତିହାସର ସତ୍ୟକୁ ଲୁଚାଇ ଦେଇଛି । ଶମ୍ଭୁଜୀ ଗଣେଶଙ୍କ ନିର୍ମମ ଓ କୁଟିଳ ରାଜ୍ୟଶାସନର ବର୍ଣ୍ଣନା ମରହଟ୍ଟା କାଳ ସହିତ ଚିହ୍ନିତ କରିବାଲାଗି ସହାୟକ ହୋଇପାରି ନାହିଁ । ଏହାଦ୍ୱାରା ତାଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ କୌଣସି ପ୍ରକାରରେ ପ୍ରକାଶ ପାଇନାହିଁ । କଳାବତୀର ବୈଧବ୍ୟ, ଚୌଧୁରୀଙ୍କ କୃପଣତା ଓ ଶୋଚନୀୟ ମୃତ୍ୟୁ, ରଘୁନାଥ ଓ ରସକଳାଙ୍କ ବିବାହ, ରଘୁନାଥଙ୍କ ପତ୍ନୀବିୟୋଗ ପ୍ରଭୃତି ଘଟଣାରେ କୌଣସି ଐତିହାସିକ ସ୍ୱାକ୍ଷର ନାହିଁ । ଏପ୍ରକାର ଘଟଣା ଯେ କୌଣସି କାଳରେ ଘଟିପାରେ । ମାତ୍ର ମରହଟ୍ଟା ସମୟର ଐତିହାସିକ ସ୍ୱାକ୍ଷର ବହନ କରିବା ପାଇଁ ଏଗୁଡ଼ିକର କୌଣସି ସ୍ୱାତନ୍ତ୍ର୍ୟ ନାହିଁ । ତଥାପି, ଦାସଖାଡ଼ଙ୍ଗାଙ୍କ ମୃତ୍ୟୁ ମରହଟ୍ଟା ସୁବାଦାରଙ୍କର ବିଚାର ବିଭ୍ରାଟର ଏକ ଐତିହାସିକ ପ୍ରମାଣ । ଲେଖକ ଯେଉଁ ସମୟର ଚିତ୍ର ଅଙ୍କନ କରିଛନ୍ତି ତାହା ତାଙ୍କ ନିଜ ସମୟର ଏକ ଶତାବ୍ଦୀ ପୂର୍ବବର୍ତ୍ତୀ । ମରହଟ୍ଟା ଶାସନର ନିର୍ମମ ଚିତ୍ର ଓ ଦୁର୍ଭିକ୍ଷର କରାଳଚିତ୍ର ଉପନ୍ୟାସରେ ବର୍ଣ୍ଣିତ । ମାତ୍ର ଲେଖକ ଏହି ଉପନ୍ୟାସରେ ଯେଉଁ ଘଟଣା ଉପସ୍ଥାପିତ କରିଛନ୍ତି ତାହା ଐତିହାସିକ ଦୃଷ୍ଟିକୋଣରୁ କୌଣସି ପ୍ରକାରରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

 

ପୌଷ ପୂର୍ଣ୍ଣିମାରୁ ଆଷାଢ଼ ପୂର୍ଣ୍ଣିମା ଏକ ସୀମିତ ସମୟ ମଧ୍ୟରେ ଉପନ୍ୟାସଟିର କଥାବସ୍ତୁ ପରିକଳ୍ପିତ । ଏହି ସମୟ ମଧ୍ୟରେ ଦୁର୍ଭିକ୍ଷର କରାଳଚିତ୍ର ଓ ଦୁର୍ଭିକ୍ଷର କରାଳଛାୟାରୁ ମୁକ୍ତିର ଚିତ୍ର ଅଙ୍କିତ । ଏଥିରେ ଇତିହାସର ଇଙ୍ଗିତ ହେଉଛି, ମରହଟ୍ଟା କୁଶାସନ ଯୋଗୁଁ ଦୁର୍ଭିକ୍ଷର ଦାଉରେ ଜନସାଧାରଣଙ୍କର ଦୁର୍ଦ୍ଦଶାର ଚିତ୍ର । ମାତ୍ର ଏହି ଚିତ୍ର ଅତ୍ୟନ୍ତ ସୀମିତ । ଆଲୋଚନା ପ୍ରସଙ୍ଗରେ କୁହାଯାଇଛି, ‘‘ଏକମାତ୍ର ଐତିହାସିକ ପୁରୁଷ ଶମ୍ଭୁଜୀ ଗଣେଶଙ୍କ ନିଷ୍ଠୁର ଅତ୍ୟାଚାର, ପ୍ରଜାମାନଙ୍କ ପ୍ରତି ଔଦାସିନ୍ୟ ଓ ଅବିଚାରର କାହାଣୀ ଦୁଇଟି ପାରିକୁଦରେ ବର୍ଣ୍ଣିତ । ସମଗ୍ର ଉପନ୍ୟାସରେ ଶମ୍ଭୁଜୀ ଗଣେଶ ଅପାଙ୍‍କ୍ତେୟ ଓ ଅନାବଶ୍ୟକ । ରଘୁନାଥ ଓ କଳାବତୀଙ୍କ ଦାମ୍ପତ୍ୟ ଜୀବନର ସମୃଦ୍ଧ ଚିତ୍ର, ଡକାୟତ ଦଳପତିଙ୍କର କଳାବତୀ ପ୍ରତି ଆକର୍ଷଣ, ରସକଳା ଓ କଳାବତୀଙ୍କର ସ୍ନେହ ସମ୍ଭାଷଣ, ରାଧାଗୋବିନ୍ଦଙ୍କର ଅର୍ଥଗୃଧ୍ନତା, ହନୁମାନ ଦାସ ଓ ଗିରିଧାରୀ ଦାସଙ୍କର ମହତ ଲକ୍ଷ୍ୟ, ବାହାବଳୀନ୍ଦ୍ର ଓ ବଳୀୟାର ସିଂହଙ୍କର ପ୍ରଭୁଭକ୍ତି ଓ ଅଭୂତପୂର୍ବ ଶକ୍ତି ସାହସ ପ୍ରଭୃତି ଅଶେଷ ରୋମାଣ୍ଟିକ ଘଟଣା ଏବଂ ପରିବେଶ ମଧ୍ୟରେ ଶମ୍ଭୁଜୀ ଗଣେଶଙ୍କ ଐତିହାସିକ ସଭା ନିତାନ୍ତ କ୍ଷୀଣ ଓ ବିଶେଷତ୍ୱ ବର୍ଜିତ, ଓଡ଼ିଶାର ନୈସର୍ଗିକ ସୌନ୍ଦର୍ଯ୍ୟ ରାଜ୍ୟରେ ସମ୍ପୂର୍ଣ୍ଣ ଅବାଞ୍ଛିତ । ରଘୁନାଥ, କଳାବତୀ, ରସକଳାଙ୍କୁ ନେଇ କଳ୍ପିତ ଉପନ୍ୟାସରେ ଇତିହାସର ଉପଯୋଗିତା ସମ୍ବନ୍ଧରେ ସଂଶୟର ଅବକାଶ ରହିଛି’’ (୭) । ଏ ବିଷୟରେ ଆଲୋଚକ ଡକ୍ଟର ନଟବର ସାମନ୍ତରାୟ ମତପ୍ରଦାନ କରିଛନ୍ତି, ‘‘ମରହଟ୍ଟା ସୁବାଦାର ଶମ୍ଭୁଜୀ ଗଣେଶକ କୁଶାସନକୁ ଉପନ୍ୟାସ-ରୂପ ଦେବା ଥିଲା ତାଙ୍କର ମୌଳିକ ଲକ୍ଷ୍ୟ’’ (୮) । ବିବାସିନୀର ଭାଷାର କ୍ଳିଷ୍ଟତା ଓ ଅସ୍ୱଚ୍ଛନ୍ଦ ପ୍ରକାଶ ଏହାର ମର୍ଯ୍ୟାଦାକୁ ବହୁଭାବରେ କ୍ଷୁଣ୍ଣ କରିଛି । ଏବିଷୟରେ ମଧ୍ୟ ବହୁ ଆଲୋଚକ ଏକମତ । ସେ ଯାହାହେଉ, ବିବାସିନୀକୁ ଆଂଶିକ ଭାବରେ ଏକ ଐତିହାସିକ ଉପନ୍ୟାସ ରୂପେ ଗ୍ରହଣ କରାଯାଇପାରେ ।

 

ବିବାସିନୀ ପରେ ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସ ଭାବରେ ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନ ଦାବୀ କରେ ଫକୀର ମୋହନଙ୍କର ଲଛମା ଉପନ୍ୟାସ । ଏହାର ଆତ୍ମପ୍ରକାଶର ସମୟ ହେଉଛି ୧୯୦୧ ମସିହା । ଫକୀର ମୋହନ ତିନୋଟି ସାମାଜିକ ଉପନ୍ୟାସ ରଚନା କରିଥିବା ସ୍ଥଳେ ଗୋଟିଏ ମାତ୍ର ଐତିହାସିକ ଉପନ୍ୟାସ ରଚନା କରିଛନ୍ତି । ଲଛମା ଉପନ୍ୟାସ ରଚନା କରିବା ପୂର୍ବରୁ ତାଙ୍କର ଇତିହାସ ପ୍ରତି ଆତ୍ମୀୟତା ପ୍ରକଟିତ । ତାଙ୍କର ଚାରିଗୋଟି ଉପନ୍ୟାସରେ ଓଡ଼ିଶାର ସାଂସ୍କୃତିକ ଇତିହାସ ରୂପଲାଭ କରିଥିବା କଥା ଆଲୋଚକମାନେ ପ୍ରକାଶ କରିଛନ୍ତି । ଲଛମା ଉପନ୍ୟାସ ରଚନା କରିବା ନିମନ୍ତେ ସେ ଟଡ୍‌ଙ୍କର ରାଜସ୍ଥାନ, ଓଡ଼ିଶା ଓ ବଙ୍ଗଳାର ଇତିହାସ ଏବଂ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଦ୍ୱାରା ବିଶେଷ ଭାବରେ ଉତ୍ସାହିତ ହୋଇଥିଲେ । ଲଛମାକୁ ଏକ ମର୍ଯ୍ୟାଦାମଣ୍ଡିତ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇଥାଏ । ଲେଖକ ଇତିହାସର କଙ୍କାଳରୁ କଥାବସ୍ତୁ ଆହରଣ କରି ନିଜ କଳ୍ପନାକୁ ସେଥିରେ ଏପରି ଭାବରେ ସଂଯୋଜିତ କରିଦେଇଛନ୍ତି ଯେ ତାହା ଅପୂର୍ବ ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇଅଛି । ଏହି ଉପନ୍ୟାସରେ ବର୍ଗୀମାନଙ୍କ ଅତ୍ୟାଚାର, ନିଷ୍ଠୁର ନରହତ୍ୟା ଓ ଲୁଣ୍ଠନର ବାସ୍ତବଚିତ୍ର ଅଙ୍କିତ । ଡକ୍ଟର ମନ୍ମଥନାଥ ଦାସଙ୍କ ମତରେ ‘‘ଲଛମା ଉପନ୍ୟାସ ସତ୍ୟ; କିନ୍ତୁ ଲଛମାର ପୃଷ୍ଠାରେ ଐତିହାସିକ ସତ୍ତା ନିହିତ ଅଛି, ଏଥିରେ ସନ୍ଦେହ ନାହିଁ । ବର୍ଗୀ ରାଜତ୍ୱର ଚାଳିଶ ପଚାଶ ବର୍ଷ ପରେ ସୁଦ୍ଧା ଓଡ଼ିଆ ପ୍ରାଣରୁ ବର୍ଗୀପ୍ରତି ଘୃଣା ଯାଇନଥିଲା । ଲଛମା ସେ ଘୃଣାର ଗୋଟିଏ ଅଙ୍ଗ । ଲଛମା ବର୍ଗୀ ଅମଳର ଜୀବନ୍ତ ଚିତ୍ର’’ (୯)

 

ଲଛମା ଉପନ୍ୟାସରେ ଐତିହାସିକ ଚରିତ୍ର ଅପେକ୍ଷା କାଳ୍ପନିକ ଚରିତ୍ରର ମହତ୍ତ୍ୱ ଓ ବାସ୍ତବତା ଅଧିକ ଭାବରେ ପ୍ରକଟିତ । ଲଛମା, ମହାଦେବୀ, ଜଗାଫତେସିଂର ମା, ବାଦଲସିଂ ଓ ବୈରୀଗଞ୍ଜନ ମାନଧାତା ପ୍ରଭୃତି କାଳ୍ପନିକ ଚରିତ୍ର । ଏହି ଚରିତ୍ରଗୁଡ଼ିକୁ ଫକୀର ମୋହନ ଏପରି ଭାବରେ ଉପସ୍ଥାପିତ ଓ ଚିତ୍ରିତ କରିଛନ୍ତି ଯେ, ଏଗୁଡ଼ିକ ସମୟ ଓ ପରିବେଶ ସହିତ ସଂପୂର୍ଣ୍ଣ ଭାବରେ ସାମଞ୍ଜସ୍ୟ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି । ସମାଜ ପ୍ରତି ଫକୀର ମୋହନଙ୍କର ଗଭୀର ଅନ୍ତର୍ଦୃଷ୍ଟି ନଥିଲେ ଏହା ସମ୍ଭବ ହୋଇପାରିନଥାନ୍ତା । ଲେଖକ ବାଦଲସିଂକୁ ଏକ କାଳ୍ପନିକ ଚରିତ୍ର ଭାବରେ ଗ୍ରହଣ କରିଥିଲେହେଁ ତାକୁ ଐତିହାସିକ ମର୍ଯ୍ୟାଦାରେ ଭୂଷିତ କରିଛନ୍ତି ।

 

ମୋଗଲ ମରହଟ୍ଟା ସଂଘର୍ଷ-ନବାବ ଆଲିବର୍ଦ୍ଧିଖାଁଙ୍କ ସହିତ ମରହଟ୍ଟା ସେନାପତି ଭାସ୍କର ପଣ୍ଡିତଙ୍କର ନିରବଚ୍ଛିନ୍ନ ସଂଗ୍ରାମର ବିବରଣୀ, ଲଛମାରେ ମୁଖ୍ୟଭାବରେ ଉପସ୍ଥାପିତ । ବାଦଲସିଂ ନିଜର ବୀରତ୍ୱ, ବୁଦ୍ଧି ଓ ସାହସ ବଳରେ ନବାବଙ୍କର ପ୍ରୀତିଭାଜନ ହୋଇଛି । ନିଜ ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ ସେ ଭାସ୍କର ପଣ୍ଡିତଙ୍କୁ ଗୁପ୍ତ ଭାବରେ ହତ୍ୟା କରିବାପାଇଁ ନବାବଙ୍କ ସହିତ ଗୁପ୍ତ ପରାମର୍ଶ କରିଛି । ନବାବ ତା’ର ପରାମର୍ଶରେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଫଳରେ ସେ ତା’ର ଉଦ୍ଦେଶ୍ୟ ମୁତାବକ ଭାସ୍କର ପଣ୍ଡିତଙ୍କୁ ନିଜ ଛାଉଣୀକୁ ଆଣି ହତ୍ୟା କରିବା ଘଟଣା ଇତିହାସ ସମ୍ମତ (୧୦) । ଏଠାରେ ଦେଖିବାର କଥା, ଫକୀର ମୋହନ ଐତିହାସିକ ତଥ୍ୟ ବା ଘଟଣାର ପରିବର୍ତ୍ତନ କରିନାହାନ୍ତି । ବାଦଲ ସିଂକୁ ଐତିହାସିକ ମର୍ଯ୍ୟାଦାରେ ମଣ୍ଡିତ କରିବାପାଇଁ କଳ୍ପନା ଓ ବାସ୍ତବତା ମଧ୍ୟରେ ସାମଞ୍ଜସ୍ୟ ରକ୍ଷାକରି ତାଦ୍ୱାରା ଐତିହାସିକ କାର୍ଯ୍ୟକୁ ସଂପନ୍ନ କରାଇଛନ୍ତି । ଏହାଦ୍ୱାରା ଲେଖକ ଉପନ୍ୟାସ ବର୍ଣ୍ଣିତ ଘଟଣା ସହିତ ସ୍ଥାନ, କାଳ ଓ ପାତ୍ରର ସମତା ରକ୍ଷାକରି ପାରିଛନ୍ତି । ବାଦଲସିଂର ଚରିତ୍ର ଚିତ୍ରଣ ଲେଖକଙ୍କର ଅନନ୍ୟ ପ୍ରତିଭାର ପରିଚାୟକ । ବାଦଲସିଂ ଚରିତ୍ର ଏକ ରୋମାନ୍‌ସ-ଧର୍ମୀ ନାୟକରେ ପରିଣତ ହୋଇଅଛି । ରାୟବଣିଆ ଦୁର୍ଗ ଓ ଦୁର୍ଗସ୍ୱାମୀଙ୍କର ଐତିହାସିକ ସତ୍ତା ନିଶ୍ଚିତ ଭାବରେ ସତ୍ୟ, ମାତ୍ର ବୈରୀଗଞ୍ଜନ ମାନଧାତା ଫକୀର ମୋହନଙ୍କ ହାତଗଢ଼ା ଚରିତ୍ର । ଫକୀର ମୋହନଙ୍କ ବର୍ଣ୍ଣନା କୌଶଳ ତାଙ୍କୁ ଏକ ସର୍ବକାଳୀନ ଚରିତ୍ରରେ ପରିଣତ କରିଅଛି । ଆଲିବର୍ଦ୍ଦିଖାଁ ଐତିହାସିକ ଚରିତ୍ର । ତାଙ୍କ ଚରିତ୍ର ସେକାଳର ରାଜକୀୟ ବିଳାସବ୍ୟସନ, ଆଡ଼ମ୍ବର ଆଦି ମଧ୍ୟମରେ ପ୍ରକାଶିତ । ସେ ଥିଲେ ଗୁଣଗ୍ରାହୀ ଓ ଯୁଦ୍ଧନୀତି ବିଶାରଦ । ତଥାପି ଲେଖକ ତାଙ୍କ ଯୁଦ୍ଧ କୌଶଳ ବର୍ଣ୍ଣନା ନକରି ଯୁଦ୍ଧକ୍ଷେତ୍ରରୁ ସେ କିପରି ପଳାୟନ କରିଥିଲେ ତାହା ବର୍ଣ୍ଣନା କରିଛନ୍ତି । ଏହା ମୁସଲମାନଙ୍କ ପ୍ରତି ଲେଖକଙ୍କର ଆନ୍ତରିକ ଘୃଣାର ଫଳ । ସେ ସମୟରେ ଲେଖକ ମରହଟ୍ଟା ଓ ମୁସଲମାନ ଉଭୟଙ୍କୁ ଘୃଣା ଚକ୍ଷୁରେ ଦେଖିଛନ୍ତି । ଭାସ୍କର ପଣ୍ଡିତଙ୍କ ଚରିତ୍ରର ଦୁର୍ବଳତା ଲେଖକ ପ୍ରକାଶ କରିଛନ୍ତି । ଅର୍ଥଲାଭର ଲୋଭ ଫଳରେ ସେ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି । ଚରିତ୍ରଗୁଡ଼ିକର ଉତ୍ତମ ଉପସ୍ଥାପନ ଓ ଚିତ୍ରଣ ଲେଖକଙ୍କର ଚିନ୍ତାଶକ୍ତିର ପରିଚାୟକ । ମିର୍‌ହବିବ୍‌, ମୁସ୍ତାଫା ଖାଁ, ଶିଭଶଙ୍କର ମାଲବୀର ଓ ଜାନକୀରାମ ପ୍ରଭୃତି ଚରିତ୍ରଗୁଡ଼ିକୁ ମଧ୍ୟ ଐତିହାସିକ ଦୃଷ୍ଟିକୋଣରୁ ବିଚାର କରାଯାଇପାରେ ।

 

ଲଛମା ଉପନ୍ୟାସରେ ବର୍ଣ୍ଣିତ ଘଟଣା ଐତିହାସିକ ସତ୍ୟ ଉପରେ ଆଧାରିତ । ଇତିହାସ ଅନୁସାରେ ୧୭୪୦ ଖ୍ରୀଷ୍ଟାବ୍ଦରେ ଆଲିବର୍ଦ୍ଦିଖାଁ ବଙ୍ଗ, ବିହାର ଓ ଓଡ଼ିଶାର ନବାବ ହେଲେ । ତାଙ୍କ ରାଜତ୍ୱରେ ବଙ୍ଗଳା ଓ ଓଡ଼ିଶାରେ ଦୁର୍ଦ୍ଦିନ ଆସିଲା । ତାଙ୍କ ରାଜତ୍ୱର ପ୍ରାୟ ପଚାଶବର୍ଷ ପୂର୍ବରୁ ବର୍ଗୀମାନଙ୍କର ଅକଥନୀୟ ଅତ୍ୟାଚାର, ମୁସଲମାନ ଓ ବର୍ଗୀଙ୍କର ନିରବଚ୍ଛିନ୍ନ ସଂଗ୍ରାମ, ଦୁଇଟିର ଘାତ ପ୍ରତିଘାତରେ ହତଭାଗ୍ୟ ଓଡ଼ିଆମାନଙ୍କର ଅକଥନୀୟ ଦୁର୍ଦ୍ଦଶା, ଅବଶେଷରେ ୧୭୫୧ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ମରହଟ୍ଟାମାନଙ୍କର ହସ୍ତଗତ ହେବା ବିଷୟ ଇତିହାସରେ ବର୍ଣ୍ଣିତ । (୧୧) ତେଣୁ ଲଛମା ଉପନ୍ୟାସରେ ବର୍ଣ୍ଣିତ ବର୍ଗୀ ଅତ୍ୟାଚାର ଲେଖକଙ୍କର କାଳ୍ପନିକ କାହାଣୀ ନୁହେଁ । ଏହା ଇତିହାସର କଥା । ଲେଖକଙ୍କ ବର୍ଣ୍ଣନା ମଧ୍ୟରେ ଘଟଣାର ପ୍ରବାହରେ କୌଣସି ସ୍ଥଳରେ ଇତିହାସ ବିକୃତ ହୋଇନାହିଁ ।

 

ଲଛମା ଉପନ୍ୟାସରେ ବର୍ଣ୍ଣିତ ସମର ବୃତ୍ତାନ୍ତ ଲେଖକଙ୍କର ସମୟ ସଚେତତାର ଅନ୍ୟ ଏକ ଦୃଷ୍ଟାନ୍ତ । ଯୁଦ୍ଧକୌଶଳ ଓ ଯୁଦ୍ଧରେ ବ୍ୟବହୃତ ଅସ୍ତ୍ର ଶସ୍ତ୍ରର ବର୍ଣ୍ଣନା ଇତିହାସ ଅନୁସାରେ ଲଛମା ଉପନ୍ୟାସରେ ଲେଖକଙ୍କର ଭାଷା ପ୍ରୟୋଗରେ ଯାଦୁକାରୀ ଶକ୍ତି ପ୍ରମାଣିତ । ଏକ ସଫଳ ଉପନ୍ୟାସର ମର୍ଯ୍ୟାଦାରେ ଲଛମା ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ।

 

ଔପନ୍ୟାସିକ ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ବୀର ଓଡ଼ିଆର କଥାବସ୍ତୁ ଇତିହାସରୁ ଗୃହୀତ । ମୁସଲମାନ ରାଜତ୍ୱ ସମୟରେ ଶାସକମାନଙ୍କର ଅକଥନୀୟ ଅତ୍ୟାଚାର; ଧର୍ମବିଦ୍ୱେଷ ଓ ଉତ୍କଳୀୟ ବୀରମାନଙ୍କର ବୀରତ୍ୱ ଏହି ଉପନ୍ୟାସରେ ବର୍ଣ୍ଣିତ । ନାଏବ୍‌ ନାଜିମ୍‌ ସୁଜାଉଦ୍ଦିନଙ୍କର ଜାରଜ ସନ୍ତାନ ମହମ୍ମଦ ତକୀଖାଁର ଅତ୍ୟାଚାରରେ ଉତ୍କଳର ଯୁବତୀମାନଙ୍କର ସତୀତ୍ୱ ଭୂଲୁଣ୍ଠିତ ହେଉଥିଲା । ଲେଖକ ଏହିପରି ଏକ ଦୁଃସମୟର ଚିତ୍ର ଅଙ୍କନ କରିଛନ୍ତି ।

 

ଚପଳା ନାମ୍ନୀ ଜଣେ କିଶୋରୀ ପ୍ରତି ମହମ୍ମଦ ତକିଖାଁର ଅତ୍ୟାଚାର, ତା’ର ଜଣେ ଦୁଷ୍କର୍ମର ସାଥୀ ବିନୋଦର ଅଶୋଭନୀୟ ବ୍ୟବହାର, ଚପଳାର ପିତାଙ୍କୁ ନଦୀ ଗର୍ଭରେ ନିକ୍ଷେପ କରିବା ଘଟଣାରୁ ଉପନ୍ୟାସର ଆରମ୍ଭ । ତକିଖାଁର କବଳରୁ ଚପଳାକୁ ରକ୍ଷା କରିବାକୁ ଯାଇ କୃଷ୍ଣଚନ୍ଦ୍ର ତକିଖାଁର ଶତ୍ରୁରେ ପରିଣତ ହୋଇଛନ୍ତି । ପିତୃହତ୍ୟାର ପ୍ରତିଶୋଧ ନେବାପାଇଁ ଚପଳା ପ୍ରତିଜ୍ଞା କରିଛି ଓ ସେହି ଅନୁସାରେ ଉପନ୍ୟାସର ପରବର୍ତ୍ତୀ ଘଟଣାଗୁଡ଼ିକ ନିୟନ୍ତ୍ରିତ ହୋଇଅଛି ।

 

ଉପନ୍ୟାସର ନାୟକ କୃଷ୍ଣଚନ୍ଦ୍ର ଐତିହାସିକ ଚରିତ୍ର ଭାବରେ ଉପସ୍ଥାପିତ ହେଲେହେଁ ଔପନ୍ୟାସିକ ତାଙ୍କୁ ଐତିହାସିକ ଓ କାଳ୍ପନିକ ଉଭୟ ରୀତିରେ ଗଢ଼ିଛନ୍ତି । ଫକୀର ସା ଆଲମ୍‌, ରାଣୀ କମଳସୁନ୍ଦରୀ, ଦେୱାନ ଗୋପାଳ ବିଷୋୟୀ ପ୍ରଭୃତି ଚରିତ୍ର ପରିବେଶ ଅନୁସାରେ ଚିତ୍ରିତ । ବିନୋଦ ଓ ଗୌରୀର ଜୀବନବୃତ୍ତାନ୍ତ ପୌରାଣିକ ଆଖ୍ୟାନ ଦ୍ୱାରା ପ୍ରଭାବିତ । ଔପନ୍ୟାସିକ ଅନେକ ସ୍ଥଳରେ ଐତିହାସିକ ଗୌରବୋଜ୍ଜ୍ୱଳ ଘଟଣାର ଉଦ୍ଧାର କରିଛନ୍ତି । ଲେଖକ ବହୁ ସ୍ଥଳରେ ଇତିହାସକୁ ଅନୁସରଣ କଲେହେଁ ବର୍ଣ୍ଣନା-ପାଟବ ଉପନ୍ୟାସର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି ।

 

ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ଅନ୍ୟଏକ ଉପନ୍ୟାସ କମଳ କୁମାରୀ । ହିନ୍ଦୁବିଦ୍ୱେଷୀ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କର ଯୋଧପୁର ରାଜା ଯଶୋବନ୍ତସିଂହଙ୍କ ପ୍ରତି ପ୍ରତାରଣା, ଆଉରଙ୍ଗଜେବଙ୍କ ଚକ୍ରାନ୍ତରେ ଯଶୋବନ୍ତସିଂହ ପୁତ୍ରର ମୃତ୍ୟୁ ସମ୍ବାଦରେ ପ୍ରାଣତ୍ୟାଗ, ଯୋଧପୁରକୁ କରଗତ କରିବାପାଇଁ ବାଦଶାହଙ୍କର ଚକ୍ରାନ୍ତର ବ୍ୟର୍ଥତା, ଯଶୋବନ୍ତଙ୍କର ବନ୍ଧୁ ଦୁର୍ଗାଦାସଙ୍କର ଚତୁରତା, ଉଦୟପୁରର ରାଣା ରାଜସିଂହଙ୍କ ଅଧିନାୟକତ୍ୱରେ ଅନ୍ୟାନ୍ୟ ରାଜପୁତ ବୀରମାନଙ୍କର ମୋଗଲ ବାଦଶାହଙ୍କ ବିରୁଦ୍ଧରେ ସଂଗ୍ରାମ, ମୋଗଲ ସମ୍ରାଟଙ୍କ ମହିଷୀ ଉଦିପୁରୀ ରୂପନଗରର ରାଜକନ୍ୟା କମଳକୁମାରୀଙ୍କର ଚନ୍ଦ୍ରାବତୀଙ୍କୁ ପ୍ରେରିତ ପତ୍ରପାଠ, କମଳକୁମାରୀଙ୍କୁ ଦାସୀରୂପେ ପାଇବାପାଇଁ ଉଦିପୁରୀଙ୍କର ଅଭିଳାଷ, ରୂପନଗର ବିରୁଦ୍ଧରେ ଆଉରଙ୍ଗଜେବଙ୍କର ଯୁଦ୍ଧଯାତ୍ରା, ଉଦୟପୁର, ଯୋଧପୁର ଓ ରୂପନଗର ବାଦଶାହଙ୍କ କବଳରୁ ମୁକ୍ତହେବା, ଉଦୟପୁର ରାଣା ରାଜସିଂହ କମଳକୁମାରୀଙ୍କୁ ମହିଷୀରୂପେ ଗ୍ରହଣ କରିବା, ଯଶୋବନ୍ତଙ୍କର ଶିଶୁପୁତ୍ର ଅଜିତ ଯୋଧପୁରର ସିଂହାସନରେ ଅଭିଷିକ୍ତ ହେବା ଓ ଆଉରଙ୍ଗଜେବଙ୍କର ରାଜପୁତାନା ଆକ୍ରମଣ ବ୍ୟର୍ଥହେବା ପ୍ରଭୃତି ବିଷୟ ଏଥିରେ ବର୍ଣ୍ଣିତ ।

 

କମଳକୁମାରୀ, ରାଜସିଂହ, ଯଶୋବନ୍ତ ସିଂହ, ଉଦିପୁରୀ, ଆଉରଙ୍ଗଜେବ ପ୍ରଭୃତି ସଂପୂର୍ଣ୍ଣ ଭାବରେ ଐତିହାସିକ ଚରିତ୍ର । ଲେଖକ ସେମାନଙ୍କର ଚରିତ୍ରଗତ ବୈଶିଷ୍ଟ୍ୟ ଯଥାସାଧ୍ୟ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି । ରାଜପୁତ ଜାତିର ଇତିହାସର ଅବତାରଣା କରିବାରେ ଲେଖକ ନିଜର କୃତିତ୍ୱ ପ୍ରଦର୍ଶନ କରିଛନ୍ତି । କମଳାକୁମାରୀ ଉପନ୍ୟାସରେ ଇତିହାସ ଓ ଗଳ୍ପ ଦୁଇଗୋଟି ବିଭାବର ସମ୍ମିଳିତ ସୌନ୍ଦର୍ଯ୍ୟ ପ୍ରକାଶ ପାଇଥିବା ପରିଲକ୍ଷିତ ।

 

ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ଅନ୍ୟ ଏକ ଐତିହାସିକ ଉପନ୍ୟାସ ପଦ୍ମିନୀ । ଚିତୋରର ରାଣା ଭୀମସିଂହଙ୍କ ମହିଷୀ ପଦ୍ମିନୀଙ୍କର ଅଲୌକିକ ସୌନ୍ଦର୍ଯ୍ୟ ଓ ଆଲ୍ଲାଉଦ୍ଦିନ ଖିଲ୍‍ଜିଙ୍କର ତାଙ୍କ ପ୍ରତି ଲୋଲୁପ ଦୃଷ୍ଟିର ଘଟଣା ଏହି ଉପନ୍ୟାସରେ ବର୍ଣ୍ଣିତ । ପଦ୍ମିନୀଙ୍କର ସତୀତ୍ୱ ରକ୍ଷାଲାଗି ଅଗ୍ନିପ୍ରବେଶର ବର୍ଣ୍ଣନା ଆଦର୍ଶବାଦ ପ୍ରତିଷ୍ଠା ଦିଗରେ ସହାୟକ ।

 

ଗୋଦାବରୀଶ ମହାପାତ୍ରଙ୍କର ରାଜଦ୍ରୋହୀ ଏକ ଐତିହାସିକ ଉପନ୍ୟାସ ହେଲେହେଁ ଏଥିରେ ଇତିହାସର ସ୍ୱର ଅତ୍ୟନ୍ତ କ୍ଷୀଣ । ଲେଖକ ଏହାକୁ ଏକ ଭାବସମୃଦ୍ଧ ଉପନ୍ୟାସ ଭାବରେ ସୃଷ୍ଟି କରିଛନ୍ତି । ‘‘ଓଡ଼ିଶାର ଆଭ୍ୟନ୍ତରିଣ ଓ ରାଜନୈତିକ ପରିସ୍ଥିତିରେ କୁଟିଳ ଚକ୍ରାନ୍ତ ଓ ହୀନ ଷଡ଼ଯନ୍ତ୍ରରେ କୁହୁଡ଼ିଗଡ଼ର ରାଜଭକ୍ତ ସାମନ୍ତରାଜା ବୀରବର ଦୁର୍ଜୟମାନ ଚମ୍ପତିରାୟ କିପରି ସର୍ବସ୍ୱାନ୍ତ ହୋଇ ମନୁଷ୍ୟ-ବିଦ୍ୱେଷୀ ହୋଇପଡ଼ିଲେ ଓ ରାଜାଙ୍କର ବିଚାର ବିମୂଢ଼ତାରେ ରାଜ୍ୟ ତ୍ୟାଗକରି ରାଜଦ୍ରୋହୀ ହେଲେ, ପୁଣି ତାଙ୍କରି ପୁତ୍ର ଭାଗ୍ୟର ବିଡ଼ମ୍ବନାରେ ହାସ୍ୟକର ମନୁଷ୍ୟ ସାଜି ତାଙ୍କ ଜୀବନ ସହିତ କିପରି ଜଡ଼ିତ ହୋଇଛି, ରାଜଦ୍ରୋହୀ ଉପନ୍ୟାସ ତା’ର ବିବରଣୀ ମାତ୍ର-। ଔପନ୍ୟାସିକ ୧୬୨୨, ୧୬୪୫ ଓ ୧୬୬୦ ସାଲ; ଏହିପରି ବିଭିନ୍ନ ସମୟ-ସଙ୍କେତ ମଧ୍ୟରେ କଥାବସ୍ତୁକୁ ସଜାଇଛନ୍ତି । ସମୟର ଏହି ସୂଚନାରୁ ଜଣାଯାଏ, ଏହା ଖୋର୍ଦ୍ଧା ରାଜା ନରସିଂହ ଦେବ, ବଳଭଦ୍ର ଦେବ ଓ ମୁକୁନ୍ଦ ଦେବଙ୍କ ସମୟର କଥା । ଏହାଛଡ଼ା ଅନ୍ୟାନ୍ୟ ସମସ୍ତ ଚରିତ୍ର ଓ ଘଟଣା କାଳ୍ପନିକ କିମ୍ବା କିମ୍ବଦନ୍ତୀ ’’ (୧୨) ।

 

୧୯୩୩ ମସିହାରେ ମୁକୁନ୍ଦଦାଶଙ୍କର କଳାପାହାଡ଼ ଉପନ୍ୟାସ ପ୍ରକାଶିତ । ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ହରିଚନ୍ଦନ ଓ ବଙ୍ଗଳାର ନବାବ ସୁଲେମାନ୍‌ କାର୍‌ରାନିଙ୍କ ରାଜତ୍ୱ ସମୟରେ କଳାଚାନ୍ଦଙ୍କ ଜୀବନର ଘାତ-ପ୍ରତିଘାତ-ପୂର୍ଣ୍ଣ ଘଟଣା ଉପରେ ଏହି ଉପନ୍ୟାସର କଥାବସ୍ତୁ କଳ୍ପିତ । ମୁକୁନ୍ଦଦେବଙ୍କୁ ପରାସ୍ତ କରି, ହିନ୍ଦୁ ଦେବବେଦୀଙ୍କ ମନ୍ଦିର ଉପରେ ଆକ୍ରମଣ କରି କଳାପାହାଡ଼ ଓଡ଼ିଶାର ଜନସାଧାରଣଙ୍କୁ ଆତଙ୍କିତ କରିଦେଇଥିଲା । ଉପନ୍ୟାସରେ ତାହାର ବିସ୍ତୃତ ବର୍ଣ୍ଣନା ନାହିଁ, ଆଭାସ ମାତ୍ର ଅଛି । କଳାପାହାଡ଼ର ଧର୍ମ ବିରୁଦ୍ଧରେ ସଂଗ୍ରାମ ଏହି ଉପନ୍ୟାସରେ ମୁଖ୍ୟ ଅଂଶ ଗ୍ରହଣ କରିଅଛି । ଉପନ୍ୟାସରେ ସ୍ଥଳବିଶେଷରେ ବେଦ ଉପନିଷଦାଦି ଗ୍ରନ୍ଥ ସମୂହରୁ ତାତ୍ତ୍ୱିକ ବ୍ୟାଖ୍ୟା ଦିଆଯାଇ ହିନ୍ଦୁଧର୍ମର ମହତ୍ତ୍ୱ ପ୍ରତିପାଦନ କରିବା ନିମନ୍ତେ ଚେଷ୍ଟା କରାଯାଇଅଛି । ଉପନ୍ୟାସର କଳେବର ମଧ୍ୟରେ ସେ ସମୟର ଦେଶର ଅବସ୍ଥା ବର୍ଣ୍ଣିତ । ଦେଶରେ ଅରାଜକତା, ଯୁଦ୍ଧ, ଅତ୍ୟାଚାର, ଲୁଣ୍ଠନର ସୀମା ନଥିଲା । କଳାପାହାଡ଼ ଚରିତ୍ର ଲେଖକଙ୍କ ହାତରେ ଏକ ବିଦ୍ୱାନ, ଗୁଣୀ ଓ ସାହସୀ ଚରିତ୍ର ଭାବରେ ପ୍ରତିପାଦିତ । ହିନ୍ଦୁଧର୍ମକୁ ଫେରିଆସିବା ପାଇଁ କଳାପାହାଡ଼ଙ୍କ ପ୍ରାଣର ଅଦମ୍ୟ ପିପାସା ଉପରେ ଲେଖକ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । କଳାପାହାଡ଼ ଚରିତ୍ର ପ୍ରତି ଲେଖକ ଅତ୍ୟନ୍ତ ସମ୍ବେଦନଶୀଳ । ଏହି ଉପନ୍ୟାସରେ ଇତିହାସ ଅପେକ୍ଷା ଆଦର୍ଶର ଅବତାରଣା ଅଧିକ ।

 

ଚକ୍ରଧର ମହାପାତ୍ରଙ୍କ ରଚିତ ବଳାଙ୍ଗୀକୁ ଏକ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇଥାଏ । ଏହି ଉପନ୍ୟାସର କଥାବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ଭାଗରେ ମରହଟ୍ଟା ବର୍ଗୀମାନଙ୍କର ଅତ୍ୟାଚାର ଏବଂ ଦ୍ୱିତୀୟ ଭାଗରେ ନରସିଂହପୁର ରାଜ୍ୟ ଉପରେ ଅନୁଗୋଳ ଓ ଦଶପଲ୍ଲାର ଆକ୍ରମଣ ବର୍ଣ୍ଣିତ । ନରସିଂହପୁରର ରାଜା ଏହି ଆକ୍ରମଣର ପ୍ରବଳ ପ୍ରତିରୋଧ କରିଥିବାର କଥା ବର୍ଣ୍ଣିତ । ଏଥିରେ ଇତିହାସ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିବା ପରି ମନେହୁଏ ନାହିଁ । ଲେଖକ ଐତିହାସିକ ଉପନ୍ୟାସ ରଚନାର ଆଦର୍ଶ ଉପରେ ଅଧିକ ଗୁରୁତ୍ୱ ଆରୋପ କରିଛନ୍ତି । ଇତିହାସ ନାମରେ ପ୍ରଚଳିତ କିମ୍ବଦନ୍ତୀକୁ ଲେଖକ କଥାବସ୍ତୁ ଭାବରେ ଗ୍ରହଣ କରି ଦେଶର ଭବିଷ୍ୟତ ବଂଶଧରମାନଂକ ପ୍ରାଣରେ ଜାତୀୟ ଭାବ ଉଦ୍ରେକ କରିବା ପାଇଁ ଚେଷ୍ଟିତ ହୋଇଛନ୍ତି । ଫଳରେ ଏହି ଉପନ୍ୟାସ ଐିତିହାସିକ ହେବା ପରିବର୍ତ୍ତେ କାହାଣୀଧର୍ମୀ ହୋଇପଡ଼ିଛି ।

 

ତାରିଣୀଚରଣ ରଥଙ୍କର ଅନ୍ନପୂର୍ଣ୍ଣା ଏକ ଐତିହାସିକ ଉପନ୍ୟାସ ଭାବରେ ବିଦିତ । ଲେଖକ ଷୋଡ଼ଶ ଶତାବ୍ଦୀର ଓଡ଼ିଶାର ରାଜନୈତିକ ପୃଷ୍ଠଭୂମି ଉପରେ କଥାବସ୍ତୁର ରୂପାୟନ କରିଛନ୍ତି । ପ୍ରତାପରୁଦ୍ରଙ୍କ କନ୍ୟା ଅନ୍ନପୂର୍ଣ୍ଣାଙ୍କ କଥା ଏଥିରେ ବର୍ଣ୍ଣିତ । ଅନ୍ନପୂର୍ଣ୍ଣାଙ୍କର ଆଉ ଦୁଇଗୋଟି ନାମ ମିଳିଥାଏ ଜଗନ୍ମୋହିନୀ ଓ ତୁକା । ଲେଖକ ତୁକା ନାମଟିକୁ ଗ୍ରହଣ କରୁଛନ୍ତି । ପ୍ରତାପରୁଦ୍ରଦେବ କୃଷ୍ଣଦେବରାୟଙ୍କ ଦ୍ୱାରା ଯୁଦ୍ଧରେ ପରାଜିତ ହେବାପରେ ତାଙ୍କ କନ୍ୟାଙ୍କୁ କୃଷ୍ଣଦେବରାୟଙ୍କୁ ସମର୍ପଣ କଲେ । କୃଷ୍ଣଦେବରାୟଙ୍କ ସହିତ ଅନ୍ନପୂର୍ଣ୍ଣାଙ୍କର ବିବାହ ବିଷୟରେ ଇତିହାସରୁ କୌଣସି ସଙ୍କେତ ମିଳେନାହିଁ । ଏହା କେବଳ କିମ୍ବଦନ୍ତୀର କଥା । ଲେଖକ କିମ୍ବଦନ୍ତୀକୁ ଇତିହାସ ଭାବରେ ଗ୍ରହଣ କରି କଥାବସ୍ତୁର ରୂପାୟନରେ ସଫଳତା ଲାଭ କରି ପାରି ନାହାନ୍ତି । ଚୈତନ୍ୟଦେବଙ୍କ ଓଡ଼ିଶା ଆଗମନ ଫଳରେ ଓଡ଼ିଶାରେ ବୈଷ୍ଣବଧର୍ମର ପ୍ଳାବନ ଖେଳିଗଲା । ପ୍ରତାପରୁଦ୍ରଦେବ ବୈଷ୍ଣବଧର୍ମ ଗ୍ରହଣ କଲେ । ସାରା ରାଜ୍ୟରେ ବୈଷ୍ଣବ ଧର୍ମର ପ୍ରସାର ଫଳରେ ଓଡ଼ିଶାର ଅଧଃପତନ ଘଟିଲା-ଏହାକୁ ଏପର୍ଯ୍ୟନ୍ତ ଓଡ଼ିଶାର ଐତିହାସିକମାନେ ଏକ ସତ୍ୟ ଭାବରେ ଗ୍ରହଣ କରିନାହାନ୍ତି । ତଥାପି ଲେଖକ ଏହାକୁ ଏକ ଦାରୁଣ ସତ୍ୟ ଭାବରେ ଗ୍ରହଣ କରିଛନ୍ତି । କୃଷ୍ଣଦେବରାୟ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର ପ୍ରଭୃତି ଚରିତ୍ରଗୁଡ଼ିକ ପ୍ରତି ଲେଖକ ସଚେତନ । ଏହି ଉପନ୍ୟାସରେ ଲେଖକ ଭାଷାର ସାମ୍ୟରକ୍ଷା କରିବାରେ ସମର୍ଥ ହୋଇ ପାରିନାହାନ୍ତି ।

 

‘ବନ୍ଦୀର ମାୟା’ ଗୋଦାବରୀଶ ମହାପାତ୍ରଙ୍କର ଅନ୍ୟ ଏକ ଐତିହାସିକ ଉପନ୍ୟାସ । ଏଥିରେ ମରହଟ୍ଟାଙ୍କ ସହିତ ଓଡ଼ିଆ ପାଇକର ଯୁଦ୍ଧ, ବୀରବାଳା ଫୁଲର ମରହଟ୍ଟାମାନଙ୍କ ପ୍ରତି ବିଶେଷ ଘୃଣାଭାବ, ମରହଟ୍ଟା ବନ୍ଦୀ ଦେବନାଥ ସହିତ ଫୁଲର ପ୍ରଣୟ ଓ ଶେଷରେ ମହାନଦୀର ଅତଳ ଗର୍ଭରେ ଫୁଲର ଆତ୍ମବିସର୍ଜନ ବର୍ଣ୍ଣିତ । ଏହି ଉପନ୍ୟାସରେ ତିକ୍ତତା କିପରି ପ୍ରଣୟଦ୍ୱାରା ମଧୁରତାରେ ପରିଣତ ହୁଏ, ତାହା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଅଛି । ଯୁଦ୍ଧର ଭୟଙ୍କର ପରିବେଶ ଚିତ୍ରଣ ନ କରି ଲେଖକ ପ୍ରେମର ପରାକାଷ୍ଠା ବର୍ଣ୍ଣନାରେ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଜାତୀୟବାଦୀ ଚେତନା ଜାଗ୍ରତା କରିବା ନିମିତ୍ତ ଏହା ଏକ କାଳ୍ପନିକ ଆଖ୍ୟାୟିକାର ଗୌରବ ପାଇପାରେ, ମାତ୍ର ଏହାକୁ ଏକ ଐତିହାସିକ ଉପନ୍ୟାସର ମର୍ଯ୍ୟାଦା ଦେବାକୁ ଆଲୋଚକ ପଶ୍ଚାତ୍‌ପଦ ହୋଇଥାଏ ।

 

ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ଅନ୍ୟ ଏକ ଐତିହାସିକ ଉପନ୍ୟାସ ‘ଭାବରେ ପୀୟୁଷ’ ପ୍ରବାହ ସୁବିଦିତ । ପ୍ରାଂନ୍‌ସ୍‌ର ଅଦ୍ୱିତୀୟ ସମ୍ରାଟ ନେପୋଲିଅନ୍‌ଙ୍କ ବୀରତ୍ୱ ଓ ଦେଶପ୍ରେମ ଏଥିରେ ବର୍ଣ୍ଣିତ-। ଲେଖକ ନେପୋଲିଅନ୍‌ଙ୍କର ସମସାମୟିକ ସାମାଜିକ ପଟ୍ଟଭୂମିରେ କେତେକ କାଳ୍ପନିକ ଚରିତ୍ର ସୃଷ୍ଟିକରି ସେମାନଙ୍କୁ ଯେପରି ଭାବରେ ଐତିହାସିକ ମର୍ଯ୍ୟାଦାରେ ଭୂଷିତ କରିଛନ୍ତି, ତାହା ତାଙ୍କର ଅସାମାନ୍ୟ ଚିନ୍ତାଧାରାର ପରିଚାୟକ । ଏହି ଉପନ୍ୟାସଟି ଲେଖକଙ୍କର ମୌଳିକ ସୃଷ୍ଟି ନୁହେଁ । ଡକ୍ଟର ହ୍ୟୁଗୋଙ୍କର ବିଶ୍ୱପ୍ରସିଦ୍ଧ ଉପନ୍ୟାସ ‘ଲ ମିଜରେବ୍ଳ’ର କଥାବସ୍ତୁର ଅବଲମ୍ବନରେ ଲେଖକ ଏହାକୁ ରଚନା କରିଛନ୍ତି । କାଳ୍ପନିକ କାହାଣୀ ଓ ଇତିହାସ ଏଥିରେ ସମାନ୍ତର ଭାବରେ ଗତିଶୀଳ-। ଲେଖକ ଏହି ଦୁଇଗୋଟି ବିଭାବକୁ ଅତ୍ୟନ୍ତ ଦକ୍ଷତାର ସହିତ ସଂଯୋଜିତ କରିଛନ୍ତି ।

 

ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ‘ବୀରାଙ୍ଗନା’ ଉପନ୍ୟାସରେ ମହାରାଷ୍ଟ୍ରର ହୋଲ୍‌କାର ରାଜବଂଶର ଇତିହାସ କେତେକାଂଶରେ ଉନ୍ମୋଚିତ । ରାଣୀ ଅହଲ୍ୟାବାଈ ସ୍ୱାମୀ ଶ୍ୱଶୁର ଓ ପୁତ୍ରଙ୍କର ମୃତ୍ୟୁରେ ଗଭୀର ବିଷାଦ ମଧ୍ୟରେ ଭାଙ୍ଗି ପଡ଼ି ନଥିଲେ । ପ୍ରଜାମାନଙ୍କର ହିତସାଧନ ଉଦ୍ଦେଶ୍ୟରେ ସେ ସିଂହାସନ ଆରୋହଣ କରିଥିଲେ । ତାଙ୍କର ଶାସନ ଅତ୍ୟନ୍ତ ସୂଚାରୁରୂପେ ଚାଲିଥିଲା । ମାତ୍ର ଈର୍ଷାନ୍ୱିତ ରାଜକର୍ମଚାରୀମାନେ ଏଥିରେ ପ୍ରତିବନ୍ଧକ ସୃଷ୍ଟିକଲେ । ଅହଲ୍ୟାବାଈଙ୍କର ଦୃଢ଼ ପ୍ରତିରୋଧ ବିଫଳ ହେଲା । ପ୍ରଧାନ ଅମାତ୍ୟ ଗଙ୍ଗାଧର ଯଶୋବନ୍ତ ରାଓ ବିଦ୍ରୋହକୁ ତେଜିଦେଲେ । ରାଜ୍ୟରେ ବିଶୃଙ୍ଖଳା, ଲୁଣ୍ଠନ ଓ ଅରାଜକତା ବଢ଼ିଚାଲିଲା । ଏହି ବିଶୃଙ୍ଖଳା ମଧ୍ୟରେ କମଳାବାଈଙ୍କ ସହିତ ଯଶୋବନ୍ତ ରାଓଙ୍କର ବିବାହ ହେଲା । ଉପନ୍ୟାସର ଚରିତ୍ରଗୁଡ଼ିକରେ ପ୍ରାଣପ୍ରାଚୁର୍ଯ୍ୟର ସତ୍ତା ନାହିଁ । ଗଳ୍ପାଂଶ ଗତିମୁଖର ନୁହେଁ । ଲେଖକ ଉପନ୍ୟାସର ପରିଣତି ଅତି ସହଜ ଭାବରେ ଉପସ୍ଥାପିତ କରିଛନ୍ତି । ଦୌଲତ ରାଓଙ୍କର ମନ୍ଦକାର୍ଯ୍ୟ ନିମନ୍ତେ ତାଙ୍କର ଶିରଚ୍ଛେଦନ ଏବଂ ରାଣୀ ଓ କମଳାବାଈଙ୍କର ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇବା ଘଟଣା ଲେଖକଙ୍କର ଆଦର୍ଶବାଦ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ପ୍ରମାଣିତ କରିଥାଏ ।

 

ବକ୍‌ସି ଜଗବନ୍ଧୁଙ୍କର ବିପ୍ଳବାତ୍ମକ ଜୀବନର ଅଂଶବିଶେଷକୁ ଅବଲମ୍ବନ କରି ଚକ୍ରଧର ମହାପାତ୍ର ‘ରୋଡ଼ଙ୍ଗବକ୍‌ସି’ର ପରିକଳ୍ପନା କରିଛନ୍ତି । ଇତିହାସର ମୂଳକଥାକୁ ରକ୍ଷା କରି ଲେଖକ ଏହି ଉପନ୍ୟାସଟିକୁ ରଚନା କରିଥିଲେ ହେଁ ଉପନ୍ୟାସର କଳାଧର୍ମ ଏଥିରେ ବହୁଭାବରେ ବ୍ୟାହତ-। ଚରିତ୍ରମାନଙ୍କର ଅନ୍ତର୍ନିହିତ ଭାବଧାରା ପ୍ରତି ଲେଖକ ସଚେତନ ନୁହନ୍ତି । ଅତୀତର ଗୌରବମୟ ପରଂପରାକୁ ପାଠକମାନଙ୍କର ଦୃଷ୍ଟି ସମକକ୍ଷରେ ଉପସ୍ଥାପିତ କରିବା ପାଇଁ ସେ ବିଶେଷ ଭାବରେ ଆଗ୍ରହ ପ୍ରକାଶ କରିଛନ୍ତି । ଓଡ଼ିଆ ପାଇକ ରମଣୀର ଆତ୍ମତ୍ୟାଗ ଓ ବୀରତ୍ୱର ଚିତ୍ର ଏଥିରେ ଅଙ୍କିତ । ବଙ୍ଗୀୟ ରାଜକର୍ମଚାରୀମାନଙ୍କର କୁଶାସନ ଓ ମନ୍ଦପ୍ରକୃତି ଯୋଗୁଁ ଉତ୍କଳୀୟମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିଲେ । ସେମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିଚାଲିଲା । ଫଳରେ ବିଦ୍ରୋହର ସୂତ୍ରପାତ ହେଲା । ଓଡ଼ିଶାର ଏହି ପାଇକ ଆନ୍ଦୋଳନକୁ ଭାରତୀୟ ଜାତୀୟ ଆନ୍ଦୋଳନର ଅୟମାରମ୍ଭ ଭାବରେ ଇତିହାସ ମୁକ୍ତ କଣ୍ଠରେ ସ୍ୱୀକାର କରିଅଛି-। ବକ୍‌ସି ଜଗବନ୍ଧୁଙ୍କର ପାରିବାରିକ ଜୀବନ ଏଥିରେ ଯେପରି ଭାବରେ ଚିତ୍ରିତ ତାହା ଇତିହାସ ଆଧାରିତ ହୋଇନଥିବାରୁ ଦୁର୍ବଳ ହୋଇ ପଡ଼ିଛି । ଲେଖକ ତାଙ୍କର ବର୍ଣ୍ଣନାରେ ଐତିହାସିକ ପରିବେଶ ସୃଷ୍ଟି କରିବାରେ କେତେକ ପରିମାଣରେ ସମର୍ଥ ହୋଇଛନ୍ତି । ବକ୍‌ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଚରଣ ପଟ୍ଟନାୟକ, ବିଚାରପତି କୁଲର, କୃଷ୍ଣଚନ୍ଦ୍ର ପ୍ରଭୃତି ଚରିତ୍ର ଇତିହାସର ଚାରଣଭୂମିରେ ବିଚରଣ କରୁଛନ୍ତି । ତଥାପି କେତେକ ସ୍ଥଳରେ ଇତିହାସ ଲେଖକଙ୍କର କଳ୍ପନାଜାଲରେ ରୁନ୍ଧି ହୋଇ ପଡ଼ିଛି । ଜୟୀରାଜଗୁରୁଙ୍କର ସମାଧି ପାଖରେ ବକ୍‌ସିଙ୍କର ଶେଷ ନିଃଶ୍ୱାସ ତ୍ୟାଗ, ରତ୍ନମଣି ଓ ଚାନ୍ଦମଣିଙ୍କର ଚିତାଗ୍ନିରେ ପ୍ରବେଶ ପ୍ରଭୃତି ଘଟଣା ଲେଖକଙ୍କର କଳ୍ପନାର ଉପାଦାନ । ଏହାକୁ ଏକ ପ୍ରଚାର ଧର୍ମୀ ଐତିହାସିକ ଉପାଖ୍ୟାନ ଭାବରେ ଗ୍ରହଣ କରାଯାଇପାରେ, ମାତ୍ର ଏକ ଶୁଦ୍ଧ ଐତିହାସିକ ଉପନ୍ୟାସ ଭାବରେ ନୁହେଁ ।

 

୧୯୪୨ ମସିହାରେ ଜାତୀୟ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଦେଶ-ସେବକ ବିବୁଧେନ୍ଦୁ ମିଶ୍ର ଏକ କ୍ଷୁଦ୍ର ପରିସର ମଧ୍ୟରେ ରଚନା କରିଛନ୍ତି ୧୯୪୨ । ଏହା ଲେଖକଙ୍କର ଅନୁଭୂତିର କଥା । ଏଥିରେ ଘଟଣାର ବଳିଷ୍ଠତା ନାହିଁ । ସ୍ୱାଧୀନତା ଆନ୍ଦୋଳନର ଆଦର୍ଶରେ ଯୁବପ୍ରାଣକୁ ଉଦ୍‌ବୁଦ୍ଧ କରିବାର ପ୍ରଚେଷ୍ଟାରେ ଲେଖକ ଯେଉଁ ଚରିତ୍ରଗୁଡ଼ିକୁ ଏଥିରେ ଉପସ୍ଥାପିତ କରିଛନ୍ତି ସେଗୁଡ଼ିକ କାଳ୍ପନିକ ହେଲେହେଁ ସେମାନଙ୍କୁ ମୁକ୍ତିସଂଗ୍ରାମରେ ପ୍ରତ୍ୟକ୍ଷ କରାଇଛନ୍ତି । ସମୀର ବାବୁ ସତ୍ୟବାଦୀ-ଚିନ୍ତାଧାରାର ଦୃଷ୍ଟାନ୍ତ, ରୁଦ୍ର ଜଣେ ସ୍ପଷ୍ଟବାଦୀ ନିର୍ଭୀକ ବକ୍ତା, ପ୍ରସାଦ ଜଣେ ଜୀବନବାଦୀ କର୍ମୀ, ବୀର ଭାଗ୍ୟର ଅନ୍ୱେଷଣରତ, ବିନ ଜଣେ ନିଷ୍ଠାପର ବିପ୍ଳବୀ, ନଟ ଜଣେ କର୍ତ୍ତବ୍ୟ ପରାୟଣ କର୍ମୀ, କିଶୋର ଓ ସୀତା ଜୀବନର ବହୁ ଜଟିଳ ସମସ୍ୟାର ସମ୍ମୁଖୀନ-ଏଇମାନଙ୍କୁ ନେଇ ଶ୍ରୀଯୁକ୍ତ ମିଶ୍ର ଗଢ଼ିଛନ୍ତି ୧୯୪୨ର କଥାବସ୍ତୁ । ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଅନୁଭୂତିସିଦ୍ଧ ଜାତୀୟବାଦୀ ଉପନ୍ୟାସ ଭାବରେ ଏହା ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବୀକରେ ।

 

୧୮୧୭ ମସିହାରେ ଘଟିଯାଇଥିବା ପାଇକ ବିଦ୍ରୋହର ବିଷୟବସ୍ତୁକୁ କେନ୍ଦ୍ରକରି ଗୋଦାବରୀଶ ମିଶ୍ର ‘ଅଠର ଶହ ସତର’ ଉପନ୍ୟାସ ରଚନା କରିଛନ୍ତି । ମୋଗଲ ମରହଟ୍ଟା ଶାସନ ସମୟରୁ ଓଡ଼ିଶାର ଦୁର୍ଭାଗ୍ୟର ଆରମ୍ଭ । ଏହି ଦୁର୍ଭାଗ୍ୟ ପୁଣି ଚରମସୀମାରେ ଉପନୀତ ହୋଇଛି ଇଂରେଜ ଶାସନ ସମୟରେ । ଲେଖକ ଓଡ଼ିଶାର ତତ୍କାଳୀନ ସାମାଜିକ ତଥା ରାଜନୈତିକ ପରିବେଶ ଅଙ୍କନ କରିବାରେ ସମର୍ଥ ହୋଇଛନ୍ତି । ମୁକୁନ୍ଦଦେବଙ୍କର ଭୀରୁତାକୁ ଲେଖକ ପ୍ରାଞ୍ଜଳ ଭାବରେ ପ୍ରକାଶ କରିଛନ୍ତି । ରାଜା ଦେଶର ମାନସମ୍ମାନ ଅପେକ୍ଷା ନିଜ ଜୀବନ ରକ୍ଷାପାଇଁ ଅତ୍ୟନ୍ତ ସାବଧାନ ଥିଲେ । ଫଳରେ ସେ ଯେତେବେଳେ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କଲେ ସେତେବେଳେ ସେ ବନ୍ଦୀ ହେଲେ । ମାତ୍ର ଖୋର୍ଦ୍ଧାର ମନ୍ତ୍ରୀ ଜୟକୃଷ୍ଣ ମହାପାତ୍ର ରାଜଗୁରୁ ଇଂରେଜଙ୍କ ବିରୁଦ୍ଧରେ ବିଦ୍ରୋହ କରି ପ୍ରାଣଦଣ୍ଡ ପାଇଲେ । ବକ୍‌ସିଜଗବନ୍ଧୁ ଯେପରି ଭାବରେ ବିପ୍ଳବର ନେତୃତ୍ୱ ନେଇଥିଲେ ତାହା ତାଙ୍କର ଦେଶପ୍ରେମର ଓ ସ୍ୱାଧୀନତା ପିପାସାର ଜ୍ୱଳନ୍ତ ଉଦାହରଣ । ଇଂରେଜଙ୍କ ବିରୁଦ୍ଧରେ ବିପ୍ଳବ କରି ପରାଜିତ ହେଲେ ବକ୍‌ସି । ମାତ୍ର ତାଙ୍କର ବୀରତ୍ୱ ଏବେ ବି ଅପରାଜିତ । ବକ୍‌ସି ସେଦିନ ସ୍ୱପ୍ନ ଦେଖିଥିଲେ, ସେଦିନଠାରୁ ଏକ ଶତାବ୍ଦୀର ବ୍ୟବଧାନରେ ଆସିବ ସ୍ୱାଧୀନତାର ଆନ୍ଦୋଳନ । ସେ ଆନ୍ଦୋଳନକୁ ପରାହତ କରିବାର ଆଉ ଇଂରେଜଙ୍କ ପକ୍ଷରେ ସମ୍ଭବ ହେବ ନାହିଁ । ୧୮୧୭ ମସିହାରେ ବକ୍‌ସି ସ୍ୱାଧୀନତା ପାଇଁ ବିପ୍ଳବ କରି ପରାଜୟର ଗ୍ଳାନି ମଧ୍ୟରେ ଆଶାବାଦର ଯେଉଁ ବୀଜ ବପନ କରିଥିଲେ ତାହା ତାର ଏକଶତାବ୍ଦୀ ପରେ ୧୯୧୭ ମସିହାରେ ଫଳ ପ୍ରସୂ ହେଲା । ଲେଖକ ଇତିହାସ ପ୍ରତି ଯେତେଦୂର ସମ୍ଭବ ସଜାଗ ରହିଛନ୍ତି । ଘଟଣା, ପରିବେଶ ଓ ଚରିତ୍ର ସମସ୍ତେ ଗତି କରୁଛନ୍ତି ଜାତୀୟଭାବର ଉନ୍ମେଷ ଉଦ୍ଦେଶ୍ୟରେ । ମୁକୁନ୍ଦଦେବ, ବକ୍‌ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଚରଣ ପଟ୍ଟନାୟକ ପ୍ରଭୃତି ଚରିତ୍ର ଐତିହାସିକ । ମାତ୍ର ଏମାନଙ୍କ ବ୍ୟତୀତ କେତେକ କାଳ୍ପନିକ ଚରିତ୍ର ମଧ୍ୟ ଲେଖକ ଗଢ଼ିଛନ୍ତି, ଯେଉଁମାନେ କି ଘଟଣା ଓ ପରିବେଶର ଐତିହାସିକତାକୁ ପ୍ରତିଷ୍ଠିତ କରିବାରେ ସହାୟକ ହୋଇଛନ୍ତି । ସନାତନ, ବିମଳା, ସଦାଶିବ, ଗଣପତି, ଘନଶ୍ୟାମ, ଗୋପାଳ ପ୍ରଭୃତି ଚରିତ୍ର ଏହି ଶ୍ରେଣୀର । କେବଳ ବିପ୍ଳବର କାହାଣୀଟିଏ ପରିବେଷଣ କରିବା ଲେଖକଙ୍କର ଉଦ୍ଦେଶ୍ୟ ନୁହେଁ, ଅତୀତ ଇତିହାସର ଯଥାର୍ଥ ଚିତ୍ର ଉନ୍ମୋଚନ କରି ଦେଶବାସୀଙ୍କୁ ସେହି ଆଦର୍ଶରେ ଅନୁପ୍ରାଣିତ କରି ସେମାନଙ୍କ ମନରେ ବିପ୍ଳବର ଧାରାକୁ ଉଜ୍ଜୀବିତ କରି ରଖିବା ଲେଖକଙ୍କର ପ୍ରକୃତ ଉଦ୍ଦେଶ୍ୟ-। ଗୋଦାବରୀଶ ମିଶ୍ର ନିଜେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ସ୍ୱାଧୀନତାର ପିପାସା ତାଙ୍କ ହୃଦୟରେ ବଳବତୀ ଥିଲା । ତେଣୁ ସେ ଅନୁଭବ କରିପାରିଥିଲେ ବକ୍‌ସିଙ୍କ ପ୍ରାଣର ଆକୁଳତା । ଜଣେ ସାର୍ଥକ ସ୍ରଷ୍ଟା ଭାବରେ ସେ ‘ଅଠର ଶହ ସତର’ ଉପନ୍ୟାସରେ ଜାତୀୟ ଭାବର ଉନ୍ମେଷ ଲାଗି ଯେଉଁ ଉଦ୍ୟମ କରିଛନ୍ତି ତାହା ଏକାନ୍ତ ଅନବଦ୍ୟ ।

 

‘ଅଠର ଶହ ସତର’ ଉପନ୍ୟାସ ଡିକେନ୍‌ସଙ୍କର ‘ଏ ଟେଲ ଅଫ୍‌ ଟୁ ସିଟିଜ୍‌’ର ଛାୟାରେ ରଚିତ ବୋଲି ଆଲୋଚକମାନେ ମତ ପ୍ରକାଶ କରିଅଛନ୍ତି । ଏହା ଏକ ଇଂରାଜୀ ଉପନ୍ୟାସର ଛାୟାରେ ରଚିତ ହେଲେହେଁ ଏହାର ସ୍ୱାତନ୍ତ୍ର୍ୟ ସ୍ୱୀକୃତି ଲାଭ କରିଅଛି । ଏ ବିଷୟରେ ଆଲୋଚକଙ୍କର ମତ ହେଉଛି, ‘1817’ by Godavarish Mishra is an adaptation of Dickens’s ‘A Tale of Two cities.’ But it is an adaptation with a difference. In A Tale of Two cities history is largely a tragic background and the reader’s attention is focussed on the personal tragedy of a few characters. In 1817 history actively shapes the destiny of most of the characters. This indicates a maturer historical consciousness of the author” (୧୩) ଏହି ଦୃଷ୍ଟିରୁ ‘ଅଠର ଶହ ସତର’ ଉପନ୍ୟାସର ସ୍ୱାତନ୍ତ୍ର୍ୟ ବିଚାର କରିବାର କଥା-

 

ସ୍ୱାଧୀନତା ପ୍ରାପ୍ତିର ପୂର୍ବକାଳରେ ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସ ରଚନା କରିବା ଦିଗରେ ଯେ ପ୍ରବଳ ପ୍ରଚେଷ୍ଟା ଦେଖାଦେଇଥିଲା ଏହା ସ୍ୱୀକାର୍ଯ୍ୟ । ଓଡ଼ିଆ ଉପନ୍ୟାସ ସାହିତ୍ୟର ଅଭ୍ୟୁଦୟ କାଳରେ ଐତିହାସିକ ରୋମାନ୍‌ସ ହିଁ ଐତିହାସିକ ଉପନ୍ୟାସ ଭାବରେ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏଥିପାଇଁ ଲେଖକମାନଙ୍କ ଉପରେ ଇଂରାଜୀ ତଥା ପଡ଼ୋଶୀ ସାହିତ୍ୟର ପ୍ରଭାବ ସ୍ପଷ୍ଟ ଭାବରେ ଅନୁଭୂତ ହୋଇଥାଏ । ଊନବିଂଶ ଶତାବ୍ଦୀର ଶେଷ ଭାଗରୁ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ସମୟ ମଧ୍ୟରେ ଓଡ଼ିଆ ସାହିତ୍ୟର ଐତିହାସିକ ଉପନ୍ୟାସ ରଚନାର ଧାରା ଅବ୍ୟାହତ ରହିଥିବାର ଦେଖାଯାଏ । ଏଥିପାଇଁ ଲେଖକଙ୍କର ଇତିହାସ ପ୍ରତି ଗଭୀର ଅନୁରକ୍ତି ଏକମାତ୍ର କାରଣ ହୋଇ ନପାରେ । ଭାରତର ଜାତୀୟ ଆନ୍ଦୋଳନ ଏଥିପାଇଁ ବହୁଭାବରେ ଦାୟୀ । ଦେଶର ଅତୀତ, ବିଶେଷତଃ ସୁସମୃଦ୍ଧ ଅତୀତକୁ ଦେଶବାସୀଙ୍କ ମନଭିତରେ ଖେଳାଇଦେଇ ସେମାନଙ୍କ ମନରେ ଜାତୀୟ ପ୍ରୀତି ଓ ବିପ୍ଳବର ବହ୍ନିଶିଖା ପ୍ରଜ୍ୱଳିତ କରିବା ନିମନ୍ତେ ଲେଖକମାନେ ଅଧିକ ଯତ୍ନଶୀଳ ହୋଇଛନ୍ତି । ସେଥିପାଇଁ ଅଧିକାଂଶ ରଚନାରେ ଇତିହାସ ତୁଳନାରେ ଭାବାତ୍ମକତା ବିଶେଷ ଭାବରେ ପରିଲକ୍ଷିତ । ଅଧିକାଂଶ ଲେଖକ ଆଦର୍ଶବାଦର ଅବତାରଣା ଉପରେ ପ୍ରାଧାନ୍ୟ ଆରୋପ କରିଅଛନ୍ତି । ଏପ୍ରକାର ଆଦର୍ଶବାଦର ପ୍ରତିଷ୍ଠା ଲାଗି ଲେଖକମାନେ ଐତିହାସିକ ଘଟଣା ଭିତରକୁ କାଳ୍ପନିକ ଚରିତ୍ରମାନଙ୍କୁ ସ୍ୱତଃ ପ୍ରବେଶାଧିକାର ଦେଇଛନ୍ତି । ସେମାନେ ଅଧିକାଂଶ ସ୍ଥଳରେ ଇତିହାସକୁ ବିକୃତ କରିନାହାନ୍ତି ।

 

ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା ପ୍ରାପ୍ତିର ପୂର୍ବବର୍ତ୍ତୀ କାଳରେ ଯେଉଁ ଐତିହାସିକ ଉପନ୍ୟାସ ଗୁଡ଼ିକ ରଚିତ ସେଗୁଡ଼ିକର ଓଡ଼ିଶା ଇତିହାସ ବା ଓଡ଼ିଶାରେ ପ୍ରଚଳିତ କିମ୍ବଦନ୍ତୀଗୁଡ଼ିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଅଛି । ଭାରତ ଇତିହାସ ବା ପୃଥିବୀ ଇତିହାସର କୌଣସି କଥାବସ୍ତୁ କ୍ୱଚିତ ଗୃହୀତ ହେବାର ଦେଖାଯାଏ । ଲେଖକମାନେ ଏ ପ୍ରକାର ଉପନ୍ୟାସ ରଚନା କରିବା ସମୟରେ ଗଳ୍ପାଂଶର ବଳିଷ୍ଠତା ପ୍ରତି ବିଶେଷ ଦୃଷ୍ଟି ରଖିଛନ୍ତି । ଅଧିକାଂଶ ସ୍ଥଳରେ ଇତିହାସର ସତ୍ତା ମଧ୍ୟକୁ ପ୍ରେମୋପାଖ୍ୟାନ ପଶିଆସିଛି, କେବଳ କଥାଭାଗର ରସାଳ ପରିବେଷଣ ପାଇଁ । ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟି ମାତ୍ର ଏକଶହ ବର୍ଷ ତଳର କଥା । ସେହି ସମୟଠାରୁ ସ୍ୱାଧୀନତା ପ୍ରାପ୍ତି ସମୟ ମଧ୍ୟରେ ବ୍ୟବଧାନ ମାତ୍ର ଷାଠିଏ ବର୍ଷ । ଏହି ସମୟ ମଧ୍ୟରେ ଓଡ଼ିଆ ଐତିହାସିକ ଉପନ୍ୟାସ ଯେପରି ଭାବରେ ତାର ସୃଷ୍ଟି ପଥରେ ଅଗ୍ରସର ହୋଇଅଛି, ତାହା ସାହିତ୍ୟର ଇତିହାସ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଘଟଣା ଭାବରେ ଗୃହୀତ ।

 

ପାଦ ଟୀକା:

ଓଡ଼ିଶା ଇତିହାସ : ଡକ୍ଟର ହରେକୃଷ୍ଣ ମହତାବ, କଟକ, ୧୯୪୮, ପୃ-୩୭୪ ।

ଓଡ଼ିଆ ଉପନ୍ୟାସ ସାହିତ୍ୟ : ଚିନ୍ତାମଣି ଦାଶ, ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ପୃ-୭ ।

୩.

ଓଡ଼ିଆ ଐତିହାସିକ ଉପନ୍ୟାସ : ଡକ୍ଟର ରେଖା ମହାନ୍ତି, କଟକ, ୧୯୮୪, ପୃ-୯୨ ।

୪.

ପଦ୍ମମାଳୀ : ଉମେଶ ଚନ୍ଦ୍ର ସରକାର, କଟକ, ୧୯୬୨, ପୃ-ଭୂମିକା-୨ ।

୫.

ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ : ସଂ-ପଠାଣି ପଟ୍ଟନାୟକ, ଭୋଳାନାଥ ରାଉତ, କଟକ, ୧୯୬୯, ପୃ-୪୦ ।

୬.

ପ୍ରାଚୀନ ଉତ୍କଳ : ଜଗବନ୍ଧୁ ସିଂହ, ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୧୯୫୯, ପୃ-୬୩୪ ।

୭.

ଓଡ଼ିଆ ଐତିହାସିକ ଉପନ୍ୟାସ : ଡକ୍ଟର ରେଖା ମହାନ୍ତି, କଟକ, ୧୯୮୪, ପୃ-୧୧୧ ।

୮.

ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ: ଡକ୍ଟର ନଟବର ସାମନ୍ତରାୟ, ଭୁବନେଶ୍ୱର, ୧୯୬୪, ପୃ-୫୦୮.

୯.

ଐତିହାସିକ ଫକୀର ମୋହନ : ଡକ୍ଟର ମନ୍ମଥନାଥ ଦାସ, ଫକୀର ମୋହନ ପରିକ୍ରମା ବାଲେଶ୍ୱର, ୧୯୫୫, ପୃ-୩୨ ।

୧୦.

ଓଡ଼ିଶା ଇତିହାସ : ଡକ୍ଟର ହରେକୃଷ୍ଣ ମହତାବ, ପୃ-୨୪୦ ।

୧୧.

ଐତିହାସିକ ଫକୀର ମୋହନ : ଡକ୍ଟର ମନ୍ମଥନାଥ ଦାସ, ଫକୀର ମୋହନ ପରିକ୍ରମା, ବାଲେଶ୍ୱର, ୧୯୫୫, ପୃ-୩୮ ।

୧୨.

ଓଡ଼ିଆ ଐତିହାସିକ ଉପନ୍ୟାସ : ଡକ୍ଟର ରେଖା ମହାନ୍ତି, କଟକ, ୧୯୮୪, ପୃ-୧୬୮ ।

୧୩.

The Historical Novel in Oriya, Sri J.K. Nayak, Cuttack-1982, P-95

 

 

ମୁଖ୍ୟ ଅଧ୍ୟାପକ

ଓଡ଼ିଆ ବିଭାଗ,

ଖ୍ରୀଷ୍ଟ ମହାବିଦ୍ୟାଳୟ କଟକ-୮

 

***

 

ଓଡ଼ିଆ ଐତିହାସିକ ଉପନ୍ୟାସ

(ସ୍ୱାଧୀନତା ପରବର୍ତ୍ତୀ)

ଡଃ ରେଖା ମହାନ୍ତି

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ଅଭ୍ୟୁଦୟ କାଳ ହେଉଛି ୧୮୮୮ ସାଲ । ଉମେଶ ଚନ୍ଦ୍ର ସରକାରଙ୍କ ରଚିତ ପଦ୍ମମାଳୀ ହେଉଛି ପ୍ରଥମ ଓଡ଼ିଆ ଉପନ୍ୟାସ । ଓଡ଼ିଆ ଐତିହାସିକ ଉପନ୍ୟାସ ଭାବରେ ପଦ୍ମମାଳୀ ମଧ୍ୟ ପ୍ରଥମ ସ୍ଥାନ ଦାବୀ କରେ । ଆଲୋଚକମାନେ ପଦ୍ମମାଳୀକୁ ଏକ ଶୁଦ୍ଧ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ ନକରି ଏକ ଐତିହାସିକ ରୋମାନ୍‌ସ ଭାବରେ ଗ୍ରହଣ କରିଥାଆନ୍ତି । ପଦ୍ମମାଳୀ ପ୍ରକାଶ ପାଇବା ପରେ ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ପରିଲକ୍ଷିତ । ତଥାପି ଭାରତର ସ୍ୱାଧୀନତା ପ୍ରାପ୍ତିର ପୂର୍ବବର୍ତ୍ତୀ ସମୟରେ ଯେଉଁ କେତେକ ଐତିହାସିକ ଉପନ୍ୟାସ ରଚିତ ହୋଇଥିଲା, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଐତିହାସିକ ରୋମାନ୍‌ସ ଭାବରେ ଗୃହୀତ ।

 

ସ୍ୱାଧୀନତା ପ୍ରାପ୍ତିର ପୂର୍ବବର୍ତ୍ତୀ କାଳରେ ଯେଉଁ କେତେଗୋଟି ଉଲ୍ଲେଖଯୋଗ୍ୟ ଐତିହାସିକ ଉପନ୍ୟାସ ପ୍ରକାଶିତ ହୋଇଥିଲା ସେଗୁଡ଼ିକର ସଂଖ୍ୟା ସୀମିତ ହେଲେହେଁ ଗୁଣାତ୍ମକ ଦୃଷ୍ଟିରୁ ସେଗୁଡ଼ିକର ମୂଲ୍ୟ ସ୍ୱୀକୃତ । ଉମେଶଚନ୍ଦ୍ର ସରକାରଙ୍କର ପଦ୍ମମାଳୀ, ରାମଶଙ୍କର ରାୟଙ୍କର ବିବାସିନୀ, ଫକୀର ମୋହନ ସେନାପତିଙ୍କର ଲଛମା, ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ବୀର ଓଡ଼ିଆ, କମଳ କୁମାରୀ, ପଦ୍ମିନୀ, ଗୋଦାବରୀଶ ମହାପାତ୍ରଙ୍କର ରାଜଦ୍ରୋହୀ, ମୁକୁନ୍ଦ ଦାଶଙ୍କର କଳାପାହାଡ଼, ଚକ୍ରଧର ମହାପାତ୍ରଙ୍କର ବଳାଙ୍ଗୀ, ତାରିଣୀ ଚରଣ ରଥଙ୍କର ଅନ୍ନପୂର୍ଣ୍ଣା, ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ପୀୟୂଷ ପ୍ରବାହ, ବୀରାଙ୍ଗନା, ଚକ୍ରଧର ମହାପାତ୍ରଙ୍କର ଚୋଡ଼ଙ୍ଗ ବକ୍‌ସି, ଗୋଦାବରୀଶ ମିଶ୍ରଙ୍କର ଅଠର ଶହ ଶତର ପ୍ରଭୃତି ଉପନ୍ୟାସ, ଓଡ଼ିଆ ଉପନ୍ୟାସ ସାହିତ୍ୟରେ ବିଶେଷ ଖ୍ୟାତିସମ୍ପନ୍ନ । ଏହି ଉପନ୍ୟାସଗୁଡ଼ିକର ସ୍ଥଳବିଶେଷରେ ଇତିହାସର ଘଟଣା ସହିତ ଲେଖକଙ୍କର କଳ୍ପନା ଯେଉଁଠାରେ ସଂଯୋଗ ରକ୍ଷା କରି ପାରିଛି, ସେଠାରେ ଉପନ୍ୟାସର ମହତ୍ତ୍ୱ ସ୍ୱୀକୃତି ଲାଭ କରିଅଛି । ଏ ପ୍ରକାର ଐତିହାସିକ ଉପନ୍ୟାସ ରଚନା ଦ୍ୱାରା ଲେଖକମାନେ ଦେଶବାସୀଙ୍କୁ ଦେଶର ଅତୀତ ଇତିହାସ ସହିତ ପରିଚିତ କରାଇ ସେମାନଙ୍କ ପ୍ରାଣରେ ଦେଶପ୍ରେମ ଭାବଧାରାକୁ ଜାଗ୍ରତ କରାଇ ଅଛନ୍ତି । ଦେଶ ଯେତେବେଳେ ପରାଧୀନତାର ଶୃଙ୍ଖଳରେ ଆବଦ୍ଧ ଥିଲା, ସେତେବେଳେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ପିପାସା ବୃଦ୍ଧି କରିବା ନିମିତ୍ତ ଲେଖକମାନେ ଯଥେଷ୍ଟ ଉପାଦାନ ପରିବେଷଣ କରିଅଛନ୍ତି ।

 

ଦେଶ ସ୍ୱାଧୀନତା ପାଇବା ପରେ ଯେ ଦେଶବାସୀଙ୍କ ଅନ୍ତରରେ ଆଉ ଦେଶପ୍ରେମ ଭାବଧାରା ଉଦ୍ରେକ କରିବାର ଆବଶ୍ୟକତା ନାହିଁ, ସେ କଥା କୁହାଯାଇ ନପାରେ । ଅତୀତରେ ସୁମମୃଦ୍ଧ ଇତିହାସକୁ ଲୋକଲୋଚନ ଗୋଚର କରାଇ ତାହାଦ୍ୱାରା ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ପ୍ରେରଣା ଯୋଗାଇଦେବା ନିମନ୍ତେ ଔପନାସିକମାନେ ସବୁବେଳେ ତତ୍ପର । ଔପନ୍ୟାସିକମାନଙ୍କର ଏହି ଉଦ୍ଦେଶ୍ୟ କେତେ ଦୂର ସଫଳତା ଅର୍ଜନ କରିଅଛି, ତାହା ବର୍ତ୍ତମାନ ନ କହିଲେ ମଧ୍ୟ ଭବିଷ୍ୟତ କହିବ ।

 

ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ବିଭୂତି ପଟ୍ଟନାୟକଙ୍କ ରଚିତ ‘ସୁଲତାନା’ ଉପନ୍ୟାସ ପାଠକମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିଥାଏ । ଏହି ଉପନ୍ୟାସର କଥାବସ୍ତୁ ପାଇଁ ଲେଖକ ଡକ୍ଟର ଜାକରିୟା, ରମେଶଚନ୍ଦ୍ର ମଜୁମଦାର ଓ ପ୍ରଫେସର ଏ.ବି.ଏମ୍‌. ହବିବୁଲ୍ଲାଙ୍କ ନିକଟରେ ଋଣୀ-। ଏହିମାନଙ୍କର ଐତିହାସିକ ତଥ୍ୟକୁ ଭିତ୍ତି ଭାବରେ ଲେଖକ ଗ୍ରହଣ କରିଛନ୍ତି । ମୁସଲମାନ ରାଜତ୍ୱ କାଳରେ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଏହି ଉପନ୍ୟାସରେ ବର୍ଣ୍ଣିତ ।

 

ଦାସବଂଶର ପ୍ରତିଷ୍ଠାତା ଥିଲେ କୁତବୁଦ୍ଦିନ୍ ଆଇବାକ୍‌ । ଦିଲ୍ଲୀର ସିଂହାସନ ଆରୋହଣ କରି ସେ ସୁଲତାନ ବୋଲାଇଲେ । ମାତ୍ର ମୁସଲମାନ ଶାସନର ଖ୍ୟାତିବୃଦ୍ଧି କରିଥିଲେ ତୁତ୍‌ମିସ୍‌ । ଇଲତୁତ୍‌ମିସଙ୍କର ଜ୍ୟେଷ୍ଠପୁତ୍ର ରୁକ୍‌ଉଦ୍ଦିନ ଫିରୋଜ । ସେ ଥିଲେ ଜଣେ ଦୁର୍ବଳମନା ଭୋଗବିଳାସୀ । ଶାସନକାର୍ଯ୍ୟ ତାଙ୍କ କ୍ଷମତାର ବର୍ହିଭୂତ ଭାବି ଇଲତୁତ୍‌ମିସ ତାଙ୍କ ପରେ ଦିଲ୍ଲୀ ସିଂହାସନରେ ଉତ୍ତରାଧିକାରିଣୀ ଭାବରେ କନ୍ୟା ରେଜିୟାକୁ ମନୋନୀତ କରିଥିଲେ । ମାତ୍ର ଶାହାତୁର୍କାନ ଓ ରକ୍ଷଣଶୀଳ ଅମୀରମାନଙ୍କର ଦୃଢ଼ ପ୍ରତିବାଦ ଓ ହୀନ ଷଡ଼ଯନ୍ତ୍ର ଫଳରେ ରେଜିୟାଙ୍କ ପରିବର୍ତ୍ତେ ସିଂହାସନର ଉତ୍ତରାଧିକାରୀ ହେଲେ ରୁକ୍‌ଉଦ୍ଦିନ । ରୁକ୍‌ଉଦ୍ଦିନ ସୁଲତାନ ହେବାପରେ ତାଙ୍କର ବିଳାସ-ବ୍ୟସନ ଅତିମାତ୍ରାରେ ବଢ଼ି ଚାଲିଲା । ଶାସନ କାର୍ଯ୍ୟରେ ତାଙ୍କର ଦକ୍ଷତାର ଅଭାବ ଦେଖି ଅମୀରମାନେ ରେଜିୟାଙ୍କ ସିଂହାସନ ପ୍ରାପ୍ତି ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କଲେ । ରେଜିୟା ଦିଲ୍ଲୀର ସୁଲତାନ ହେଲେ । ମାତ୍ର ତିନି ବର୍ଷ ଛଅ ମାସ ସମୟ ଶାସନ କରିବା ନିମନ୍ତେ ତାଙ୍କ ଭାଗ୍ୟ ଅନୁକୂଳ ଥିଲା । ଏହି ସ୍ୱଳ୍ପକାଳ ମଧ୍ୟରେ ସେ ନିଜର ଶାସନଗତ ଦକ୍ଷତା ଏପରି ଭାବରେ ପ୍ରମାଣିତ କରିଥିଲେ ଯାହା ଇତିହାସରେ ଅମରାକ୍ଷରରେ ଲିପିବଦ୍ଧ ହୋଇ ରହିଛି-। ରେଜିୟା ପ୍ରମାଣିତ କରିଥିଲେ ଯେ ଶାସନ କାର୍ଯ୍ୟରେ ପୁରୁଷ ଅପେକ୍ଷା କୌଣସି ଅଂଶରେ ନାରୀ ନ୍ୟୂନ ନୁହେଁ । ରେଜିୟାଙ୍କର ଶାସନଗତ ଦକ୍ଷତା ଅମୀରମାନଙ୍କ ଈର୍ଷା ଓ କ୍ଷୋଭର କାରଣ ହେଲା । ଅଶ୍ୱରକ୍ଷକ ଆବିସ୍‌କିୟା ଭୃତ୍ୟ ୟାକୁବ୍‌ ପ୍ରତି ରେଜିୟାଙ୍କର ପକ୍ଷପାତ ବ୍ୟବହାର ଏକ ଅକ୍ଷମଣୀୟ ଅପରାଧ ରୂପେ ବିବେଚିତ ହେଲା । ଫଳରେ ରାଜ୍ୟରେ ଚାରିଆଡ଼େ ବିଦ୍ରୋହର ଅଗ୍ନି ଜଳି ଉଠିଲା । ରେଜିୟାଙ୍କର ରଣ କୌଶଳ ବିଦ୍ରୋହୀ ଅମୀରମାନଙ୍କୁ ପରାଜିତ କଲା । ମାତ୍ର ରେଜିୟା ପରାଜିତା ହେଲେ ଭାତିନ୍ଦାର ଶାସକ ଆଲୁତିନିୟାଙ୍କ ନିକଟରେ । ଆଲତୁନିୟା ରେଜିୟାଙ୍କର ରୂପରେ ମୁଗ୍‌ଧ ହୋଇଥିଲେ । ୟାକୁବ୍‌ଙ୍କ ମୃତ୍ୟୁରେ ରେଜିୟା ହତୋତ୍ସାହ ହୋଇ ପଡ଼ିଲେ । ଆଲତୁନିୟାଙ୍କ ସହିତ ତାଙ୍କର ବିବାହ ହେଲା । ଆଲତୁନିୟା ଓ ରେଜିୟାଙ୍କ ମିଳନ ପରେ ପୁଣି ଅମୀରମାନେ ବିଦ୍ରୋହୀ ହୋଇ ଉଠିଲେ । ବିଦ୍ରୋହର ଦମନ ପାଇଁ ଆଲତୁନିୟା ଓ ରେଜିୟା ମିଳିତ ପ୍ରଚେଷ୍ଟା କଲେ । ଫଳରେ ଯୁଦ୍ଧରେ ପ୍ରାଣ ହରାଇଲେ ଆଲତୁନିୟା ଓ ଆତତାୟୀର ଶରାଘାତରେ ପ୍ରାଣ ହରାଇଲେ ରେଜିୟା । ରେଜିୟାଙ୍କ ଜୀବନର ଏହି ଅଭୂତପୂର୍ବ ସଫଳତା ଓ ବିଫଳତାର କାହାଣୀ ରୂପ ଲାଭ କରିଛି ‘ସୁଲତାନା’ ଉପନ୍ୟାସରେ ।

 

ଇତିହାସର କଥାବସ୍ତୁ ଏହି ଉପନ୍ୟାସରେ ଅପରିବର୍ତ୍ତିତ ରହିଛି । କଳାର ପ୍ରୟୋଜନରେ ଘଟଣାର ଅନୁକ୍ରମ ଓ ପରିଣାମ କୌଣସି ସ୍ଥଳରେ କ୍ଷୂର୍ଣ୍ଣ ବା ବିକୃତ ହୋଇନାହିଁ । ଚରିତ୍ରଗୁଡ଼ିକର ସଫଳ ରୂପାୟନ ପାଇଁ ଲେଖକ ଐତିହାସିକ ସତ୍ୟର ଅପଳାପ କରି ନାହାନ୍ତି । ଇତିହାସ ପୃଷ୍ଠାରୁ ଚରିତ୍ର ଅଧ୍ୟୟନ କରି ଶିଳ୍ପୀ-ସୁଲଭ ଅଭିଜ୍ଞ ଚେତନାରେ ସେ ସବୁର ବାସ୍ତବ ଓ ସ୍ୱାଭାବିକ ଚିତ୍ରତା ଅତ୍ୟନ୍ତ ସତର୍କ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଲେଖକ ସଫଳତା ଅର୍ଜନ କରିଛନ୍ତି ।

 

ପ୍ରଖ୍ୟାତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କ୍ଷେତ୍ରରେ ଏକ ଅବିସ୍ମରଣୀୟ ସୃଷ୍ଟି । ଲେଖକ ଇତିହାସ ଓ ଉପନ୍ୟାସର ତାତ୍ପର୍ଯ୍ୟ ଉପଲବ୍‌ଧି କରି ଇତିହାସର ପ୍ରାଣପିଣ୍ଡ ଉପରେ ଉପନ୍ୟାସର ଅଙ୍ଗନ୍ୟାସ କରିଛନ୍ତି । ଐତିହାସିକ ଉପନ୍ୟାସର ଆଦର୍ଶ ରୂପ ଗଠନରେ ଓଡ଼ିଆ ସାହିତ୍ୟ କାହିଁକି ଅନ୍ୟାନ୍ୟ ସାହିତ୍ୟରେ ମଧ୍ୟ ନୀଳଶୈଳର ସମତୁଲ୍ୟ ଉପନ୍ୟାସ ବିରଳ । ସୁଜାଖାଁଙ୍କର ସୁଶାସନର ସ୍ୱସ୍ତିକର ପରିବେଶରେ ଅଭ୍ୟସ୍ତ ହେବାର ଅବ୍ୟବହିତ ପୂର୍ବରୁ ଇତିହାସର ପୁରୁଷ ତକିଖାଁଙ୍କର ଅତ୍ୟାଚାର ଜର୍ଜରିତ ଭ୍ରୂକୁଟୀର ଶିକାର ହୋଇଛି ଉତ୍କଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନର ପୀଠଭୂମି ଶ୍ରୀ ଜଗନ୍ନାଥ କ୍ଷେତ୍ର ଓ ଶ୍ରୀ ମନ୍ଦିର । ରାଜନୈତିକ ଅତ୍ୟାଚାର ସହିତ ପ୍ରକୃତି ମଧ୍ୟ ଦାଉ ସାଧିଛି ଉତ୍କଳ ଉପରେ, ପ୍ରକୃତିର କ୍ରୂର ଅଭିଶାପରେ ପୁଣି ଇତିହାସର ପୁନରାବୃତ୍ତି ଘଟିବ । ମଣିଷ ମାଉଁସ ମଣିଷ ଖାଇବ; ଏହାହିଁ ଉତ୍କଳର ଇତିହାସ-ଜୀବନ୍ତ ଇତିହାସ ।

 

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାର ରାଜନୈତିକ ପରିସ୍ଥିତିର ବିସ୍ତୃତ ପରିଚୟ ଲେଖକ ପ୍ରଦାନ କରିଛନ୍ତି । ପୂର୍ବ ସ୍ମୃତିର ରୋମନ୍ଥନରେ ଅତୀତର ଗବାକ୍ଷଦ୍ୱାର ଉନ୍ମୁକ୍ତ କରି ଇତିହାସ ଆଲୋକରେ ନୀଳଶୈଳର ପୃଷ୍ଠା ଆଲୋକିତ ହୋଇଛି । ଅତୀତର ଅନ୍ଧକାରତଳୁ ଇତିହାସ ମୁଣ୍ଡ ଟେକିଛି । କଳାପାହାଡ଼ ଚମ ଦଉଡ଼ିରେ ବାନ୍ଧି ଜଗନ୍ନାଥଙ୍କୁ ଟାଣି ନେଇଥିଲା ଗୌଡ଼ଦାଣ୍ଡରେ । ଅତୀତର ସେହି ମର୍ମ୍ମାନ୍ତକ ଜାତୀୟ ଓ ଧର୍ମୀୟ ଅଧଃପତନ ଓ ଅପମାନର ପୁନରାବୃତ୍ତି ନଘଟାଇବା ପାଇଁ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବ ଓରଫ୍‌ ହାଫିଜ୍‌ କାଦର ବେଗଙ୍କର ଜୀବନମୂର୍ଚ୍ଛା ସଂଗ୍ରାମ ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ । ଦୁଃଖର କଷାଘାତରେ ରାମଚନ୍ଦ୍ର ଦେବ କ୍ଷତବିକ୍ଷତ, ଶୋକର ଉଚ୍ଛ୍ଵାସରେ ଆତ୍ମା ତାଙ୍କର ବିଭ୍ରାନ୍ତ, ତଥାପି ଲକ୍ଷ୍ୟ ଓ ସଂକଳ୍ପର ମହାମେରୁ ପରି ଅଟଳ, ସ୍ଥିର ଓ ଦୃଢ଼ । ଇତିହାସର ପୃଷ୍ଠାରୁ ଲେଖକ ଏପରି ଏକ ନରପତିଙ୍କୁ ନିର୍ବାଚନ କରିଛନ୍ତି ଯାହାଙ୍କ ଚରିତ୍ର ଦ୍ୱୈତସତ୍ତା ଓ ବ୍ୟକ୍ତିତ୍ୱର ବହୁ ବିଚିତ୍ର ଅଧ୍ୟାୟରେ ପୂର୍ଣ୍ଣ । ଓଡ଼ିଶା ଇତିହାସରେ କୌଣସି ଗଜପତି ବିଧର୍ମୀ ହୋଇନଥିଲେ-ରାମଚନ୍ଦ୍ର ଦେବ ଏକମାତ୍ର ବ୍ୟତିକ୍ରମ । ମୁସଲମାନ ଧର୍ମଗ୍ରହଣ କରି ଜଗନ୍ନାଥଙ୍କ ପ୍ରତି ଏପରି ଆନ୍ତରିକ ଆକୂତି ଓ ଭକ୍ତି ଅର୍ଘ୍ୟର ଅର୍ପଣ ଆହୁରି ବିସ୍ମୟକର ! ରେଜିୟା ବେଗମ୍‌ଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ପ୍ରବଳ, ଅଥଚ ଲଳିତା ପାଟଦେଈଙ୍କ ପ୍ରତି ଅବିଚାର କରିବାର ତିଳେମାତ୍ର ମନୋବୃତ୍ତି ତାଙ୍କର ନଥିଲା । ଏସବୁ ବିଚାରରେ ରାମଚନ୍ଦ୍ର ଦେବ ଥିଲେ ଓଡ଼ିଶା ଇତିହାସର ଚମକପ୍ରଦ ଆକର୍ଷଣୀୟ ଚରିତ୍ର ।

 

ଓଡ଼ିଶା ଭୂମିରେ ବ୍ୟକ୍ତିଠାରୁ ଦେବତାର ମୂଲ୍ୟ ବେଶୀ । ଶ୍ରୀଜଗନ୍ନାଥଙ୍କ ପବିତ୍ରତା ଓ ମାନରକ୍ଷା ପାଇଁ ବୈଦେଶିକ ଆକ୍ରମଣରୁ ଯୁଗେଯୁଗେ ଧର୍ମପ୍ରାଣ ବ୍ୟକ୍ତିମାନେ ମୃତ୍ୟୁର ଆଶଙ୍କାକୁ ଜୟକରି ଶ୍ରୀଜଗନ୍ନାଥଙ୍କୁ ନିରାପଦ ସ୍ଥାନରେ ଗୋପନ କରିଛନ୍ତି । ଲେଖକଙ୍କର ଏହି ଐତିହାସିକ ଉପନ୍ୟାସ ରଚନାର ପ୍ରଧାନ ଅଭିପ୍ରାୟ ଶ୍ରୀଜଗନ୍ନାଥଙ୍କୁ ମହତ୍ତ୍ୱ ଧାର୍ମିକ ଦୃଷ୍ଟିକୋଣର ଉଚ୍ଛ୍ୱାସ ଆବେଗ ମଧ୍ୟରେ ପ୍ରତିଷ୍ଠିତ ନକରି ରାଜନୈତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କୁ ଯେପରି ଗୌରବ ଓ ପ୍ରତିଷ୍ଠା ପ୍ରଦାନ କରାଯାଇଅଛି, ତାର ଏକ ସ୍ୱୟଂ-ସଂପୂର୍ଣ୍ଣ ଆଲେଖ୍ୟ ରଚନା । ଇତିହାସର ଦୀର୍ଘ ବିବରଣୀ ମଧ୍ୟରେ ନୁହେଁ, ରାମଚନ୍ଦ୍ର ଦେବଙ୍କ ଯନ୍ତ୍ରଣା ଜର୍ଜରିତ ବହୁ ଘଟଣା ବିଘଟିତ ଜୀବନର ଦୀର୍ଘ ପ୍ରସ୍ତୁତି ମଧ୍ୟରେ ସେହି ଅପରାଜେୟ ବିଶ୍ୱସଂସ୍କୃତିର ଧାରକ ଶ୍ରୀଜଗନ୍ନାଥଙ୍କ ମହତ୍ତ୍ୱ ବର୍ଣ୍ଣନାରେ ଲେଖକ ଯଶସ୍ୱୀ ।

 

ଔପନ୍ୟାସିକ ଇତିହାସ ଓ କିମ୍ବଦନ୍ତୀକୁ ଐତିହାସିକ ସମ୍ମାନଦେଇ ‘ନୀଳଶୈଳ’ର ଆଙ୍ଗିକ ସୌନ୍ଦର୍ଯ୍ୟ ଓ ଆତ୍ମିକ ନିଷ୍ଠାକୁ ଗଢ଼ି ତୋଳିଛନ୍ତି । ନୀଳଶୈଳରେ ଇତିହାସର ଛାୟାପଟରେ ଐତିହାସିକ ଓ କାଳ୍ପନିକ ନରନାରୀଙ୍କର ଜୀବନ ବୈଚିତ୍ର୍ୟ ମଧ୍ୟଦେଇ ବିସ୍ତୃତ ଓ ବିବର୍ଣ୍ଣ ଯୁଗକୁ ପ୍ରାଣବନ୍ତ କରି ତୋଳିବାରେ ଔପନ୍ୟାସିକଙ୍କର ସଫଳତା ଅସାମାନ୍ୟ । ଇତିହାସକୁ ଆଶ୍ରୟ କରି ଉପନ୍ୟାସ ରଚନା କରିବା ଏକ ଲକ୍ଷ୍ୟ, ପୁଣି ଉପନ୍ୟାସ ଅବଲମ୍ବନରେ ଅତୀତ ସହିତ ବର୍ତ୍ତମାନର ନିବିଡ଼ ସଂଯୋଗ ସ୍ଥାପନ କରିବା ଅନ୍ୟତମ ଅଭିପ୍ରାୟ । ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସ ଭାବରେ ନୀଳଶୈଳ ଏକ ବିରାଟ ସାଫଲ୍ୟ ।

 

ମୋଗଲ ଶାସକଙ୍କ ବିରୁଦ୍ଧରେ ବାରମ୍ବାର ବିଦ୍ରୋହ କରିବାରୁ ରାମଚନ୍ଦ୍ର ଦେବଙ୍କୁ ସିଂହାସନ ହରାଇବାକୁ ପଡ଼ିଥିଲା । ପରିଣାମରେ ରାଜ୍ୟଭ୍ରଷ୍ଟ ରାମଚନ୍ଦ୍ରଦେବ ସ୍ୱୀୟ ସାମନ୍ତ ନରସିଂହପୁର ରାଜାଙ୍କ ନିକଟରେ ଆଶ୍ରିତ ଥିବା ସମୟରେ ପ୍ରାଣତ୍ୟାଗ କରିଥିଲେ (୧) । ଶୁଷ୍କ ଇତିହାସକୁ ବର୍ଜନ କରି ତାର ଭାବସତ୍ତାକୁ ଗ୍ରହଣକରି ରାମଚନ୍ଦ୍ରଦେବଙ୍କର ନିଃସଙ୍ଗ ବେଦନାକୁ ଉପନ୍ୟାସରେ ସ୍ୱୀକୃତି ଦିଆଯାଇଛି ।

 

ଏହି ଉପନ୍ୟାସରେ ନାରୀ ଚରିତ୍ର ଚିତ୍ରଣରେ ଲେଖକ ଅଦ୍‌ଭୂତ କୃତିତ୍ୱର ଅଧିକାରୀ । ତକିଖାଁଙ୍କର ଭଗିନୀ ଓ ସୁଜାଖାଁଙ୍କର କନ୍ୟା ରିଜିୟା ବେଗମ୍‌ ଏକ ଐତିହାସିକ ଚରିତ୍ର । ରଜିୟା ବେଗମ୍‌ ମୁର୍ଶିଦ୍‌କୁଲିଖାଁଙ୍କ କନ୍ୟା, ତାଙ୍କ ନାମଥିଲା ସୌରିଆ (୨) । ଅନ୍ୟତ୍ର ତାଙ୍କୁ ରିଜିଆ (ରେଜିଆ) ନାମରେ ଅଭିହିତ କରାଯାଇଅଛି । କିନ୍ତୁ ଔପନ୍ୟାସିକ ରିଜିୟାଙ୍କୁ ସୁଜାଉଦ୍ଦିନ ଖାଁଙ୍କ କନ୍ୟା ମହମ୍ମଦ ତକିଖାଁଙ୍କ ଭଗିନୀ ରୂପେ ବର୍ଣ୍ଣନା କରିଛନ୍ତି-ଏହା ଐତିହାସିକ ତଥ୍ୟନିର୍ଭର ନୁହେଁ । ନୀଳଶୈଳରେ ରିଜିୟା ଶାନ୍ତ, ସଂଯତ, ମଧୁର କିନ୍ତୁ ନିଷ୍ପ୍ରାଣ ଓ ନିର୍ଜୀବ । ସରଦେଈ ପରି ଦୁଇଟି ଆଖିର ଅତଳତାର ରହସ୍ୟ ଓ ଗଭୀର ଉତ୍ତାପରେ ଉପନ୍ୟାସକୁ ଉତ୍ତପ୍ତ କରିବାର କ୍ଷମତା ନାହିଁ-ନିର୍ବାକ୍‌ । ମାତ୍ର ନୀରବତାର ନିର୍ମୋକ ତଳେ ନିଃସଙ୍ଗ ବିଷଣ୍ଣତାର ଯେଉଁ ବ୍ୟଥାହତ ମୂର୍ତ୍ତି ଔପନ୍ୟାସିକ ଗଢ଼ିଛନ୍ତି ତାହା ସହଜରେ ଲିଭିବାର ନୁହେଁ । ତାଙ୍କର ସଂଯମ, ପ୍ରତୀକ୍ଷାର ଅବ୍ୟକ୍ତ ଯନ୍ତ୍ରଣା, ଜଗନ୍ନାଥଦର୍ଶନ ପାଇଁ ବ୍ୟାକୁଳତା, ତୀକ୍ଷ୍‌ଣ ଧୀମତ୍ତା ପ୍ରଭୃତି ରିଜିୟାଙ୍କୁ କଲ୍ୟାଣୀ ନାରୀର ମହିମାରେ ମଣ୍ଡିତ କରିଅଛି । ରିଜିୟା ବେଗମ୍‌ ହିନ୍ଦୁର କନ୍ୟା, ତାଙ୍କର ନାମ ଜବା । ମାଆଙ୍କର ଅନ୍ତିମ ଇଚ୍ଛାଥିଲା ଜଗନ୍ନାଥ ଦର୍ଶନ-ଏସବୁ ଜଗନ୍ନାଥଙ୍କର ମହିମା ପ୍ରଖ୍ୟାପନ ନିମିତ୍ତ ଔପନ୍ୟାସିକଙ୍କର ମୁଗ୍‌ଧ ଭାବ ବିଳାସ । ବାଲୁଗାଁ ପେଣ୍ଠର ସରଦେଈ ଚଟିଘର ନାମକୁ କେନ୍ଦ୍ରକରି ଲୋକଶ୍ରୁତିର କିଛି କାହାଣୀ ସମ୍ବଳ କରି ସରଦେଈର ଜୀବନ କାହାଣୀ ଗଢ଼ା । ନୀଳଶୈଳର ଏକ ଆକର୍ଷଣୀୟ ଓ ବହୁ ଚର୍ଚ୍ଚିତ ଚରିତ୍ର ସରଦେଈ । ଏହି ଚରିତ୍ର ବାସ୍ତବ ବା ଅବାସ୍ତବ ।

 

ଐତିହାସିକ ବା ଅନୈତିହାସିକ-ଏହା ଏକ ବିବଦମାନ ପ୍ରଶ୍ନ । ଯଥାର୍ଥରେ ସରଦେଈ ଚରିତ୍ର କାଳ୍ପନିକ, କିନ୍ତୁ ଔପନ୍ୟାସିକଙ୍କର ସର୍ବଶ୍ରେଷ୍ଠ କଳା ସୃଷ୍ଟି ରୂପେ ଅତ୍ୟନ୍ତ ସଜୀବ ଓ ପ୍ରାଣବନ୍ତ-। ଐତିହାସିକ ଚରିତ୍ରର ନିବିଡ଼ତମ ସାନିଧ୍ୟରେ ଏହା ବାସ୍ତବ ଓ ଜୀବନ୍ତ । ସରଦେଈ ଗ୍ରାମ୍ୟ ନବବଧୂର ବ୍ରୀଡ଼ାନତ ସଲ୍ଲଜ କୁଣ୍ଠିତ ଭଙ୍ଗୀ ମଧ୍ୟଦେଇ ନିର୍ଲ୍ଲଜ ଆକର୍ଷଣର ଚତୁର ଅଭିବ୍ୟକ୍ତି ପର୍ଯ୍ୟନ୍ତ ପ୍ରସାରିତ । ଏହି ନାରୀ ଚରିତ୍ରରେ ନିୟତି-ତାଡ଼ିତ ମାନବ ଭାଗ୍ୟର ନିଦାରୁଣ ପରିଶୋଧ ବର୍ଣ୍ଣିତ ହୋଇଅଛି ରୋମାନ୍‌ସ ଓ ଇତିହାସର ଭାରସାମ୍ୟରେ, ସୂକ୍ଷ୍ମ ମନସ୍ତାତ୍ତ୍ୱିକ ଦ୍ୱନ୍ଦ୍ୱ ଓ ନାଟକୀୟ ଚମତ୍କାରିତା ମାଧ୍ୟମରେ । ପାଟମହାଦେଈ ଲଳିତାଦେଈ ଏକ ବ୍ୟକ୍ତିତ୍ୱମୟୀ ନାରୀଚରିତ୍ର ।

 

ଲକ୍ଷ୍ମୀ ପରମଗୁରୁ, ବେଣୁ ଭ୍ରମରବର, ବଡ଼ ପରୀଚ୍ଛା ଗୌରୀ ରାଜଗୁରୁ, ଜଗୁନି ପ୍ରଭୃତି ଚରିତ୍ର ଲେଖକଙ୍କର ସ୍ୱଭାବ ସୁଲଭ ଭଙ୍ଗୀରେ ଚିତ୍ରିତ । ଆଳଙ୍କାରିକ ରୀତିରେ ଭାଷାର ସ୍ୱାଭାବିକ ଅଥଚ ବଳିଷ୍ଠ ପ୍ରକାଶ ଲେଖକଙ୍କର ଅନନ୍ୟ ପ୍ରତିଭାର ପରିଚାୟକ । ଘଟଣା ନିର୍ବାଚନ ଓ ପରିବେଷଣରେ ଲେଖକଙ୍କର ଶିଳ୍ପୀ ସୁଲଭ ଭାବ-ବୃତ୍ତି ସହଜରେ ଲକ୍ଷିତ । ବର୍ଣ୍ଣାଢ଼୍ୟ ରୂପର ଏକ ସ୍ଥାୟୀ ରଚନା ଲେଖକଙ୍କର ଅନ୍ୟତମ ଲକ୍ଷ୍ୟ ।

 

ନୀଳଶୈଳର ଐତିହାସିକ ଚେତନା ଓ ଔପନ୍ୟାସିକ ଶୈଳୀକୁ ଭିନ୍ନଭାବରେ ପ୍ରତିପାଦନ କରିବା ସମ୍ଭବ ନୁହେଁ । କେଉଁଠାରେ ଘଟଣା କାଳ୍ପନିକ, ପୁଣି କେଉଁଠାରେ ଐତିହାସିକ ତାହା ସହଜରେ ନିର୍ଣ୍ଣିତ ହୋଇପାରେ ନାହିଁ । ଇତିହାସ ଓ ଉପନ୍ୟାସ ପରସ୍ପରକୁ କୋଳାଗ୍ରତ କରି ପରସ୍ପରର ପରିପୂରକ ହୋଇପଡ଼ିଛନ୍ତି । ଏଥିରେ ଇତିହାସକୁ ସୁଖପାଠ୍ୟ ଉପନ୍ୟାସରେ ପରିଣତ କରିବାରେ ଚମତ୍କାର ଶୈଳୀ ଅନୁସୃତ । ଉପନ୍ୟାସର କଳାଧର୍ମକୁ ମୁହୂର୍ତ୍ତକ ପାଇଁ ବିସ୍ତୃତ ନହୋଇ ଇତିହାସର ସଂକୀର୍ଣ୍ଣ ଶଯ୍ୟାକୁ ପରିପାଟୀ କରି ସଜାଇ ଦେବାରେ ସୁରେନ୍ଦ୍ରଙ୍କପରି ଶିଳ୍ପୀ ବିରଳ ।

 

ତଥାପି ନୀଳଶୈଳକୁ ସମାଲୋଚନାର ମାନଦଣ୍ଡରେ ମାପି ସମାଲୋଚକ ମତ ପ୍ରଦାନ କରିଛନ୍ତି : ‘‘Reduced to its bare essentials NilaSaila reveals a very limited world of action.

 

Very little rarely happens in this novel inspite of its considerable length. Much of the historical matter that could have furnished exciting to the novel are kept in the background and brought in as extended reminiscence and flash-backs. Most action, that is to say already taken place before the novel begins.’’ (୩)

 

ଆଲୋଚକ ନୀଳଶୈଳର ଚରିତ୍ରମାନଙ୍କ ଆଲୋଚନା ପ୍ରସଙ୍ଗରେ ରାମଚନ୍ଦ୍ରଦେବ, ଭାଗୀରଥୀ କୁମାର, ସରଦେଈ ପ୍ରଭୃତିଙ୍କ ଚରିତ୍ର ଆଲୋଚନା କରିଛନ୍ତି । ଗୌଣ ଚରିତ୍ରମାନଙ୍କ ସମ୍ବନ୍ଧରେ ତାଙ୍କର ମତ ହେଉଛି । ‘‘The rest of the characters are treated from the outside. Characters like Takikhan, Aminchand, the Queen and Bhagirathi Kumar are only described in good length and some of them degenerate into caricatures’’ (୪)

 

ଆଲୋଚନାର ଦୃଷ୍ଟିଭଙ୍ଗୀ ସର୍ବତ୍ର ସମାନ ହେବା ଆଶାକରାଯାଇ ନପାରେ । ତେଣୁ ଏଠାରେ ଆଲୋଚକଙ୍କର ଏପ୍ରକାର ଦୃଷ୍ଟିକୋଣକୁ ତାଙ୍କର ବ୍ୟକ୍ତିଗତ ମତ ଭାବରେ ଗ୍ରହଣ କରାଯାଇପାରେ । ଏ ସବୁ ସତ୍ତ୍ୱେ ନୀଳଶୈଳ ଓଡ଼ିଆ ଐତିହାସିକ ଉପନ୍ୟାସ ଜଗତରେ ଏକ ଅମ୍ଳାନ କୀର୍ତ୍ତିସ୍ତମ୍ଭ ଭାବରେ ଗୃହୀତ ।

 

ବାମା ଚରଣ ମିତ୍ରଙ୍କର ‘ଚନ୍ଦ୍ର ଓ ଚମ୍ପା’ ବୌଦ୍ଧଯୁଗର ତମସାଚ୍ଛନ୍ନ ଇତିହାସର ଭିତ୍ତି ଉପରେ ଆଧାରିତ ଏକ କାଳ୍ପନିକ ଆଖ୍ୟାୟିକା । ଚନ୍ଦ୍ର ଓ ଚମ୍ପାର କଥାଭାଗ ଏକ ଅଲୌକିକ ଓ ଅବିଶ୍ୱାସ୍ୟ କାହାଣୀ ଉପରେ ଆଧାରିତ । ଏହାର ଅନ୍ତରାଳରେ ଧର୍ମକଥା ରହି ଥିବାରୁ ଏହା ବହୁ ଅଂଶରେ ବାସ୍ତବ ପରିବେଶଠାରୁ ଦୂରେଇ ଯାଇଛି । ଲେଖକଙ୍କର ଧାରଣା ବୌଦ୍ଧଯୁଗର ଧର୍ମ ଓ ଦର୍ଶନରେ ସେ ଯୁଗର ଇତିହାସ ଲିପିବଦ୍ଧ ହୋଇଥିବାରୁ ତହିଁରେ ବାସ୍ତବ ଓ କଳ୍ପନାର ସମନ୍ୱୟ ଦେଖାଯାଇଥାଏ । ସେହି ସମୟର ପରିପ୍ରେକ୍ଷୀରେ ଅଲୌକିକ ଘଟଣାର ସମାବେଶ ଲେଖକଙ୍କ ପକ୍ଷରେ ଅସ୍ୱାଭାବିକ ନୁହେଁ ବୋଲି ଚିନ୍ତା କରାଯାଇ ପାରେ ।

 

ଇତିହାସର ଅନ୍ତରାଳରେ ଧର୍ମକଥାର ଅବତାରଣା କେତେକ ପରିମାଣରେ ଆଦର୍ଶ ବାୟୁମଣ୍ଡଳ ସ୍ଥାପନ କରିବାରେ ସହାୟକ ହୋଇଥାଏ । ମାତ୍ର ଚମ୍ପାର ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଓ ତାଙ୍କର କଥା ଅନୁସାରେ ସୋମଦତ୍ତଙ୍କ କର୍ତ୍ତବ୍ୟନିଷ୍ଠ ସର୍ବକନିଷ୍ଠ ପୁତ୍ର ମହାସାରଙ୍କ ଆଦେଶରେ ଚଳତ୍‌ଶକ୍ତି ଫେରିପାଇବାର ଅଲୌକିକ କାହାଣୀରେ ଇତିହାସ ଅପେକ୍ଷା ଧର୍ମପ୍ରବଣତା ଅଧିକ । ଆମ ଦେଶରେ ଐତିହାସିକ ଉପନ୍ୟାସ ସଙ୍ଗେ ପୌରାଣିକ ଉପନ୍ୟାସ ରଚିତ ହେବାର ପରମ୍ପରା ଥିଲା । ପୌରାଣିକ ଓ ଐତିହାସିକ ପ୍ରବଣତାକୁ ନେଇ ଏକ ଜାତୀୟ ଉପନ୍ୟାସ ରଚନା କରାଯାଉଥିଲା ଏବଂ ତାହାକୁ ଧର୍ମମୂଳକ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଉଥିଲା (୫) । ତେଣୁ ‘ଚନ୍ଦ୍ର ଓ ଚମ୍ପା’କୁ ଏକ ଧର୍ମମୂଳକ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇପାରେ ।

 

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଗ୍ରୀକ୍‌ ସୁନ୍ଦରୀ ହେଲେନା, ଖାରବେଳ, ବିମ୍ବିସାର ପ୍ରମୁଖ ଅତୀତ ଇତିହାସର ସ୍ମରଣୀୟ ଚରିତ୍ର । ଏମାନଙ୍କ ବ୍ୟତୀତ ପତଞ୍ଜଳି, ସାତବର୍ଣ୍ଣି, ବୃହଦ୍ରଥ, ପୁଷ୍ୟମିତ୍ର, ପ୍ରଭୃତିଙ୍କୁ ଔପନ୍ୟାସିକ କଥାବସ୍ତୁରେ ରୂପାୟିତ କରି ସେହି ସମୟର ଘଟଣା ବର୍ଣ୍ଣନା କରିଛନ୍ତି । ଚନ୍ଦ୍ରଚମ୍ପା, ମଧୁକର ମହାକାଞ୍ଚନ, ମହାଶାଳ, ମହାସାଗର ପ୍ରଭୃତି କାଳ୍ପନିକ ଚରିତ୍ରଗୁଡ଼ିକର ଆଖ୍ୟାୟିକା ଖାରବେଳ ଓ ପୁଷ୍ୟମିତ୍ରଙ୍କର ରାଜତ୍ୱ କାଳରେ ବର୍ଣ୍ଣିତ । ଉପନ୍ୟାସ ବର୍ଣ୍ଣିତ କାଳର ରାଜନୀତି, ଧର୍ମନୀତି ଓ ସମାଜନୀତିର ବର୍ଣ୍ଣନା ବହୁ ଅଂଶରେ ଆଦର୍ଶପୂର୍ଣ୍ଣ ନୀତିର ସୂଚନା ଦେଇଅଛି । ଏହି ଉପନ୍ୟାସରେ ଇତିହାସ ଓ ଉପନ୍ୟାସ ଉଭୟର ମର୍ଯ୍ୟାଦା ରକ୍ଷିତ ହୋଇପାରିଅଛି ।

 

ଶାନ୍ତି ମହାପାତ୍ରଙ୍କ ରଚିତ ନୁରୁଜାହାନ୍‌ ଏକ ଐତିହାସିକ ଘଟଣା-ଭିତ୍ତିକ ଉପନ୍ୟାସ । ଐତିହାସିକ ଚରିତ୍ରଘଟଣା ଓ ପରିବେଶ ପ୍ରତି ଅତ୍ୟନ୍ତ ସଜାଗ ଓ ସଚେତନ ରହି ଔପନ୍ୟାସିକ ନୁରୁଜାହାନ୍‌ର ରୂପରେଖ ଅଙ୍କନ କରିଛନ୍ତି । ସେ ନିଜେ ଇତିହାସର ଛାତ୍ରୀଥିବାରୁ ଓ ମଧ୍ୟଯୁଗୀୟ ଭାରତୀୟ ଇତିହାସ ପ୍ରତି ତାଙ୍କର ବିଶେଷ ଦୃଷ୍ଟି ଥିବାରୁ ବିଭିନ୍ନ ଐତିହାସିକ ତଥ୍ୟ ସମ୍ବଳିତ ରଚନା ତାଙ୍କୁ ଅନୁପ୍ରାଣିତ କରିଅଛି । (୬) ତାଙ୍କର ଧାରଣା ‘‘ବିନା ପ୍ରମାଣରେ ଐତିହାସିକ ସତ୍ୟକୁ ଅବମାନନା ଓ ଉପେକ୍ଷା କରିବାର ଅଧିକାର କୌଣସି ପରବର୍ତ୍ତୀ ଲେଖକର ନାହିଁ । ଏ କଥାକୁ ସଂପୂର୍ଣ୍ଣଭାବରେ ଗ୍ରହଣ କରାଯାଇ ପାରିନାହିଁ । କାରଣ ଐତିହାସିକ ଓ ଔପନ୍ୟାସିକଙ୍କର ଉଦ୍ଦେଶ୍ୟରେ ସୀମା ନିର୍ଦ୍ଧାରଣ କରିବାକୁ ଯାଇ ଜଣେ ପ୍ରଖ୍ୟାତନାମା ଔପନ୍ୟାସିକ ମତ ପ୍ରଦାନ କରି ଅଛନ୍ତି । ଐତିହାସିକଙ୍କର ଉପାଦାନ ସେହିସବୁ ଜୀର୍ଣ୍ଣ ରେକର୍ଡ, ଯାହା ସବୁ ସମୟରେ ସତ୍ୟ ଭାଷଣ କରେନା । ଯେପରି ଋଷର ଜାରଙ୍କ ଅମଳର ଇତିହାସ ଷ୍ଟାଲିନଙ୍କ ଅମଳରେ ବାତିଲ ହୋଇଗଲା । ପୁଣି ଷ୍ଟାଲିନଙ୍କ ଅମଳର ଇତିହାସ କୃଶ୍ଚେଭଙ୍କ ଅମଳରେ ଆସି ମିଥ୍ୟାରେ ପରିଣତ ହେଲା । କିନ୍ତୁ ଐତିହାସିକ ପାଖରେ ସେହିସବୁ ନଥିପତ୍ରର ଯାହା ମୂଲ୍ୟ ଔପନ୍ୟାସିକ ପାଖରେ ତାର ମୂଲ୍ୟ କଣା କଉଡ଼ିଏ । କାରଣ ଏକମାତ୍ର ସତ୍ୟର ଅନୁସନ୍ଧାନ ମଧ୍ୟରେ ଔପନ୍ୟାସିକଙ୍କର ସାର୍ଥକତା । (୭) ନୁରୁଜାହାନରେ ସତ୍ୟର ଅନୁସନ୍ଧାନ ପାଇଁ ଅବକାଶ ନାହିଁ । ବିଭୂତି ପଟ୍ଟନାୟକଙ୍କ ରଚିତ ସୁଲତାନା ପରି ଏହା ଇତିହାସ ନିର୍ଭର ! ଉଭୟେ ଇତିହାସର ଉଚ୍ଚଶିକ୍ଷା ଲାଭ କରିଥିବାରୁ ବିଭିନ୍ନ ଐତିହାସିକ ମତାମତକୁ ବିଚାର କରି ଓ ଇତିହାସକୁ ଅନୁସରଣ କରି ରେଜିୟା ଓ ନୁରୁଜାହାନଙ୍କ ପରି ବ୍ୟକ୍ତିତ୍ୱମୟୀ ନାରୀ ଚରିତ୍ରକୁ ଉପନ୍ୟାସ ପୃଷ୍ଠାରେ ଉନ୍ମୋଚିତ କରିଛନ୍ତି ।

 

ବର୍ତ୍ତମାନ କାଳରେ ରଚିତ ଐତିହାସିକ ଉପନ୍ୟାସର ଏହି ଦିଗ ସଂପର୍କରେ ଆଲୋଚନା କରିବାକୁ ଯାଇ ଆଲୋଚକ ମତପ୍ରଦାନ କରନ୍ତି, ‘‘Historical romances as they are written even today conform to this broad pattern. They either seek to use history as a romantic background which would give their characters on exotic appeal or try to use the novel as a medium for teaching history; consequently the fact fiction dictionary remains largely unresolved. Santi Mahapatra’s Nur Jahan published in 1972 may provide an illustration. In her preface she claims that like a specialist, she has gone through the pages of Mogul history to a collect materials for his novel. Her job has been that of imaginative recasting of the dry facts of history into a moving novel. But in reality, she presents a set of historical events connected with the nature of protagonist. These events do not constitute a process and in consequence it appeals primarily as a romantic tale about the life of Nur Jahan, not as a historical novel (୮)’’.

 

ନୁରୁଜାହାନ ଉପନ୍ୟାସରେ ମୋଗଲ ସାମ୍ରାଜ୍ୟର ତିନିପୁରୁଷର କଥା ବର୍ଣ୍ଣିତ । ଏଥିରେ ପ୍ରତ୍ୟେକ ଚରିତ୍ର ଐତିହାସିକ ମର୍ଯ୍ୟାଦାରେ ପ୍ରତିଷ୍ଠିତ । କାଳ୍ପନିକ ଚରିତ୍ର ସମାବେଶ ପାଇଁ କୌଣସି ଅବକାଶ ନାହିଁ । ନୁରୁଜାହାନଙ୍କ ଜୀବନ କାହାଣୀ ଏକ ଚମକପ୍ରଦ ଉପନ୍ୟାସ । ତେଣୁ ବାସ୍ତବର ଚମତ୍କାରିତା ଓ ଆକର୍ଷଣକୁ ଅତିକ୍ରମ କରି କଳ୍ପନାର ଆଶ୍ରୟ ନେବାର ଆବଶ୍ୟକତା ନାହିଁ । ଇତିହାସକୁ ପଦେ ପଦେ ଅନୁସରଣ କରି ନୁରୁଜାହାନ୍‌, ଆକବର, ଜାହାଙ୍ଗୀର, ସାହାଜାହାନ ପ୍ରଭୃତିଙ୍କ ଚରିତ୍ର, ପ୍ରକୃତି ଓ କାର୍ଯ୍ୟକଳାପର ପରିଚୟ ଲାଭ ଅତ୍ୟନ୍ତ ଆକର୍ଷଣୀୟ ଓ ଚମକପ୍ରଦ । ଇତିହାସ ସମୃଦ୍ଧି ଓ ଐତିହାସିକ ଉପନ୍ୟାସର ସଫଳତା ଏହି ଦୃଷ୍ଟିରୁ ପ୍ରମାଣିତ । ଇତିହାସକୁ ପ୍ରତି ପଦକ୍ଷେପରେ ଅନୁସରଣ କରି ଉପନ୍ୟାସର ଆଲେଖିକା ଅଙ୍କିତ ହେଲେ ହେଁ ଏହି ଉପନ୍ୟାସରେ ମୋଗଲ ଯୁଗର ପ୍ରାଣସ୍ପନ୍ଦନ ମୂର୍ତ୍ତି ହୋଇ ଉଠି ନାହିଁ । ଭାଷା ପ୍ରୟୋଗରେ ମୋଗଲ ଯୁଗର ରୀତି ନୀତି ପ୍ରତି ଦୃଷ୍ଟି ନ ଦେଇ ଲେଖିକା ବିଶେଷ ଭାବରେ ନିଜର ମନୋଭାବକୁ ପ୍ରକାଶ କରିଛନ୍ତି ।

 

‘ବସନ୍ତ କୁମାର ସାମଲ’ଙ୍କ ଶାଳବତୀ ଏକ ଇତିହାସାଶ୍ରିତ ରୋମାନ୍‌ସ । ବୌଦ୍ଧଯୁଗର ଇତିହାସର ପ୍ରକୃତ ରୂପରେଖର ପରିଚୟଲାଭ ସମ୍ଭବ ନୁହେଁ ! ମହାବଂଶ ବା ବିଭିନ୍ନ ପିଟକରୁ କିମ୍ବା କୌଣସି ସ୍ତୂପରୁ ଯେଉଁ ତଥ୍ୟ ମିଳେ ତାହାରି ଆଧାର ଉପରେ ବୁଦ୍ଧଙ୍କ ସମୟର ଇତିହାସ ଗଢ଼ିଉଠିଛି । ଆମ୍ରପାଲୀ, ଶାଳବତୀ ପ୍ରମୁଖ ରାଜନର୍ତ୍ତକୀମାନଙ୍କୁ କେନ୍ଦ୍ରକରି ଯେଉଁସବୁ ଉପାଖ୍ୟାନ ରଚିତ ତାହା ପୂରାପୂରି କାଳ୍ପନିକ ବା ମିଥ୍ୟା ନ ହୋଇ ପାରେ ।

 

ଶାଳବତୀରେ କଳା ନୈପୁଣ୍ୟ ରୀତିରେ ତିନିଗୋଟି କାହାଣୀର ସଂଯୋଜନ କରାଯାଇ ଅଛି । ଏକ ପକ୍ଷରେ ଶାଳବତୀ ବିମ୍ବିସାରଙ୍କ ପ୍ରଣୟୋପାଖ୍ୟାନ, ଅଜାତଶତ୍ରୁ ଓ ବଜ୍ରାଙ୍କର ରୋମାଣ୍ଟିକ ଜୀବନଚର୍ଯ୍ୟ, ଅନ୍ୟପକ୍ଷରେ ବୁଦ୍ଧଦେବଙ୍କର ରୋମାଣ୍ଟିକ ଭାବାନୁତା-ବର୍ଜିତ ବୈରାଗ୍ୟ-ପିହିତ ଶୁଦ୍ଧ ନୀତିମୟ ଜୀବନଦର୍ଶନ ଓ ଜୀବକଙ୍କର ଅଦ୍ୱିତୀୟ ଚିକିତ୍ସା ପାରଦର୍ଶିତା ତଥା ତ୍ୟାଗପୂତ ଜନସେବା । ଏତେଗୁଡ଼ିଏ ବିଷୟକୁ ପରସ୍ପର ସହିତ ନିବିଡ଼ ଯୋଗସୂତ୍ରରେ ଗୁମ୍ଫିତ କରିବାର କଳାକୌଶଳ ଉପନ୍ୟାସର ସାର୍ଥକ ପରିପ୍ରକାଶ !

 

ବୌଦ୍ଧଯୁଗର ଅସମାନ୍ୟା ରୂପବତୀ ରାଜନର୍ତ୍ତକୀ ଶାଳବତୀର ଦୁଃଖ, ବେଦନା, ଯନ୍ତ୍ରଣା ଓ ଯାତନାକୁ ନେଇ କାହାଣୀର ପରିକଳ୍ପନା । ବିମ୍ବିସାର ଓ ଶାଳବତୀଙ୍କର ପ୍ରେମ ପ୍ରଣୟର ରୋମାଣ୍ଟିକ କାହାଣୀ ରଚନା ଏହି ଉପନ୍ୟାସ ରଚନାର ଲକ୍ଷ୍ୟ ନୁହେଁ । ଲେଖକଙ୍କର ଉଦ୍ଦେଶ୍ୟ ହେଉଛି ପାପତାପକ୍ଳିଷ୍ଟ ମଣିଷ ମନରେ ଶୁଦ୍ଧ ଚେତନାର ପରିସ୍ଫୁଟନ, ତୃଷ୍ଣାକାତର କାମନା-ବିଦଗ୍‌ଧ ମନୁଷ୍ୟ ହୃଦୟରେ ତ୍ୟାଗ ଓ ବୈରାଗ୍ୟର ପ୍ରଶାନ୍ତ ସ୍ଥୈର୍ଯ୍ୟ ଉଦ୍ଦୀପନ । ସେଥିପାଇଁ ଶାଳବତୀର ପ୍ରାରମ୍ଭ ରୋମାଣ୍ଟିକ ଜୀବନଚର୍ଯ୍ୟାରେ ଓ ପରିସମାପ୍ତି କାମନାର ବିନାଶ ଓ ନିର୍ବାଣର ମହାନ ତତ୍ତ୍ୱ ଉପଲବ୍‌ଧିରେ !

 

ଏଥିରେ ବୌଦ୍ଧକାଳୀନ ଭାରତର ସାମାଜିକ, ରାଜନୈତିକ ଓ ଧାର୍ମିକ ପରିସ୍ଥିତିର ସଫଳ ଚିତ୍ର ପ୍ରସ୍ତୁତ କରାଯାଇଅଛି । ନଗରବଧୂ ନିୟୋଗର ପ୍ରଥା, ନ୍ୟାୟ ବ୍ୟବସ୍ଥାର କଠୋର ଅନୁବର୍ତ୍ତନ, କଳାର ବିଶେଷ ମହତ୍ତ୍ୱ ଓ ସମ୍ମାନ, ବୈଶାଳୀ ସହିତ ଯୁଦ୍ଧର ବର୍ଣ୍ଣନ ପ୍ରଭୃତିରେ ସେ କାଳର ଆଭ୍ୟନ୍ତରୀଣ ପରିସ୍ଥିତିର ସଫଳ ଅଧ୍ୟୟନ ପ୍ରତିଫଳିତ । ଦେଶଭିତରେ ଥିବା ବୌଦ୍ଧ ବିହାର ଉପରେ ଶାସନଗତ ନିୟନ୍ତ୍ରଣ ନ ଥିଲା । ରାଜନର୍ତ୍ତକୀକୁ ଗଣଭୋଗ୍ୟା କରିବାରେ ସମୂହ ଦାବୀରୁ ଜଣାଯାଏ, ସମାଜରେ ସୁରା ଓ ନାରୀର ବ୍ୟାପକ ଆଦର ଥିଲା । ଯୌନ ପବିତ୍ରତାକୁ ଅଧିକ ମହତ୍ତ୍ୱ ଦିଆଯାଉ ନ ଥିଲା । ଏ ସମସ୍ତ ବିବରଣ ଐତିହାସିକ ବାତାବରଣ ନିର୍ମାଣରେ ସହାୟକ । ମାତ୍ର ଲେଖକ ସେ କାଳର ବେଶଭୂଷା ଓ ବୌଦ୍ଧଯୁଗର ପରିବେଶ ପରିପାଟୀ ରଚନାରେ ସତର୍କତା ଅବଲମ୍ବନ କରି ନାହାନ୍ତି । ଭାଷା ପ୍ରୟୋଗରେ ମଧ୍ୟ ବହୁ ସ୍ଖଳନ ସେ ଯୁଗର ପରିବେଶ ସୃଷ୍ଟିରେ ଅନ୍ତରାୟ ହୋଇଅଛି ।

 

ଗୋପୀନାଥ ପଣ୍ଡାଙ୍କର ‘ପାଟଳୀପୁତ୍ରର ନଗର ବଧୂ’କୁ ଏକ ଐତିହାସିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇ ପାରେ । ଉପନ୍ୟାସର କଥାବସ୍ତୁ ସଂପର୍କରେ ଲେଖକ ମତ ପ୍ରଦାନ କରିଛନ୍ତି, ‘‘ପ୍ରସ୍ତୁତ ଉପନ୍ୟାସଟି ଇତିହାସ ଓ ଐତିହାସିକ ଗାଥାର ଆଧାର ସହ କଳ୍ପନାର ସମାବେଶ’’ (୯) । ଏହି ଉପନ୍ୟାସଟି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନେଇ ରଚିତ । ଅତୀତ ଭାରତର ବହୁ ଗୁପ୍ତରତ୍ନର ଉଦ୍ଧାର ସଙ୍ଗେ ସଙ୍ଗେ ଚିନ୍ତା ଚେତନାରେ ଭାରତ କେତେ ସମୃଦ୍ଧ; ସେ ସମ୍ବନ୍ଧରେ ପ୍ରତ୍ନତାତ୍ତ୍ୱିକ ଗବେଷଣାର ଅନ୍ତ ନାହିଁ । ଆଧୁନିକ ସଭ୍ୟ ଜଗତରେ ଗଣତନ୍ତ୍ରର ପ୍ରତିଷ୍ଠାତା ଭାବରେ ବ୍ରିଟିଶ୍‌ ଜାତି ଗୌରବାନ୍ୱିତ; କିନ୍ତୁ ଭାରତର ଅତୀତ ଇତିହାସ ଆଲୋଡ଼ନ କଲେ ଜଣାଯାଏ ଭାରତର କେତେକ ରାଜ୍ୟରେ ବହୁ ପୂର୍ବରୁ ଗଣତନ୍ତ୍ରର ବ୍ୟବସ୍ଥା ପ୍ରଚଳିତ ଥିଲା । (୧୦) ବୈଶାଳୀ ଗଣତନ୍ତ୍ରର ପ୍ରଜାପତିଙ୍କ କନ୍ୟା, ଧ୍ରୁବଦେବୀ ଓ ପାଟଳୀପୁତ୍ରର ନଗରବଧୂ ନୟନା ଦେବୀଙ୍କ ମିଳିତ ଉଦ୍ୟମରେ ସେଠାରେ ସ୍ଥାପିତ ହୋଇଥିଲା ଆଦର୍ଶ ଗଣତନ୍ତ୍ର । ଏହି ଉପନ୍ୟାସର ପ୍ରସ୍ତୁତି ସେହି ଆଦର୍ଶ ଭିତ୍ତିରେ । ଉପନ୍ୟାସର କଥାବସ୍ତୁ କାହାଣୀଧର୍ମୀ । ଚନ୍ଦ୍ରଗୁପ୍ତଙ୍କର ଚରିତ୍ର ଇତିହାସରେ ଯେପରି ଭାବରେ ବର୍ଣ୍ଣିତ, ଉପନ୍ୟାସରେ ତାର ସଂପୂର୍ଣ୍ଣ ବିପରୀତ ମନେହୁଏ । ନୟନା ଦେବୀଙ୍କୁ ଦିଦି ବୋଲି ସମ୍ବୋଧନ କରି ତାଙ୍କର ପାଦସ୍ପର୍ଶ କରିବା ପ୍ରଭୃତି କାର୍ଯ୍ୟ ଚନ୍ଦ୍ରଗୁପ୍ତଙ୍କ ଚରିତ୍ରର ମୂଳ ସତ୍ତାକୁ ନଷ୍ଟ କରି ଦେଇଛି । ଏଥିରେ ଚନ୍ଦ୍ରଗୁପ୍ତ ଜଣେ ପ୍ରେମିକ, ସଙ୍ଗୀତଜ୍ଞ, ସୁରସିକ, ନମ୍ର, ବିନୟୀ, ପିତୃମାତୃ ଭକ୍ତ, ଜ୍ୟେଷ୍ଠଭ୍ରାତାଙ୍କ ପ୍ରତି ଶ୍ରଦ୍ଧାନ୍ୱିତ, ବିଳାସ ପ୍ରତି ବୀତସ୍ପୃହ ଓ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଏକାନ୍ତ ଆଗ୍ରହୀ । କେବଳ ଶକ ରାଜାଙ୍କୁ ଛଦ୍ମବେଶରେ ଯାଇ ହତ୍ୟା କରିବା ଓ ଧ୍ରୂବ ଦେବୀଙ୍କୁ ବିବାହ କରିବା ତାଙ୍କ ପକ୍ଷରେ ଐତିହାସିକ ଚରିତ୍ରୋପଯୋଗୀ ହୋଇଅଛି ବୋଲି କୁହାଯାଇ ପାରେ ।

 

ଭାଷା ପ୍ରୟୋଗରେ ଲେଖକ ଆଦୌ ସତର୍କ ନୁହନ୍ତି । କେବଳ ଅତୀତର ଦୁଇ ଚାରିଜଣ ଐତିହାସିକ ବ୍ୟକ୍ତିଙ୍କ ନାମର ଉଲ୍ଲେଖରେ କୌଣସି ଉପନ୍ୟାସ ଐତିହାସିକ ଉପନ୍ୟାସର ସ୍ୱୀକୃତିଲାଭ କରିପାରେ ନାହିଁ । ଅତୀତ କାଳର ଭାଷା, ଆଚାର, ବିଚାର, ପରିବେଶ ଓ ଘଟଣାର ଯଥାଯଥ ପ୍ରୟୋଗରେ ଐତିହାସିକ ଉପନ୍ୟାସ ରଚିତ ହୁଏ । ପାଟଳୀପୁତ୍ରର ନଗର ବଧୂରେ ଗୋଟିଏ ଦୁଇଟି ଘଟଣା ଓ ସମୁଦ୍ରଗୁପ୍ତ, ରାମଗୁପ୍ତ, ଧ୍ରୁବ ଦେବୀଙ୍କ ନାମ ବ୍ୟତୀତ ଅନ୍ୟ କୌଣସି ବିଷୟ ଐତିହାସିକ ନୁହେଁ ।

 

ସୁରେନ୍ଦ୍ର ମହାନ୍ତିଙ୍କର ନୀଳାଦ୍ରି ବିଜୟ ଉପନ୍ୟାସରେ ଶ୍ରୀ ଜଗନ୍ନାଥଙ୍କର ଚିଲିକା ମଧ୍ୟରୁ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବୃତ୍ତାନ୍ତ ଶୈଳ୍ପିକ ଶୋଭନୀୟତା ମଧ୍ୟରେ ବର୍ଣ୍ଣିତ । ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଉପନ୍ୟାସର କଥାବସ୍ତୁ ଇତିହାସ ଓ କଳ୍ପନାର ମିଶ୍ର ଅନୁଭୂତିରେ ଗ୍ରଥିତ । ସ୍ୱୟଂ ଜଗନ୍ନାଥ ଏହାର ନାୟକ । ଜାତିଚ୍ୟୁତ, ସଂସ୍କୃତି ସର୍ବସ୍ୱ, ବିଷଣ୍ଣ ସଂଗ୍ରାମୀ ପୁରୁଷ ରାମଚନ୍ଦ୍ର ଦେବଙ୍କୁ ନୀଳଶୈଳରେ ନିଃଶେଷିତ କରି ଦେଖାଇ ଦେବା ପରେ ନୀଳାଦ୍ରି ବିଜୟରେ ରାମଚନ୍ଦ୍ର ଦେବଙ୍କ ବ୍ୟକ୍ତିତ୍ୱର ନୂତନ ଦିଗ ଉଦ୍‌ଘାଟନ ପାଇଁ ଅନ୍ୟ କୌଣସି ସମ୍ଭାବନା ନଥିଲା । ନୀଳଶୈଳର ଭାଗ୍ୟ ବିଡ଼ମ୍ବିତ, ବିଷଣ୍ଣ ବିଧୁର ରାମଚନ୍ଦ୍ରଦେବ ନୀଳାଦ୍ରି ବିଜୟରେ ବହୁ ଅପମାନିତ ଲାଞ୍ଚିତ, ସାଧାରଣ ବ୍ୟକ୍ତିର ପରିଚୟ ନେଇ ବ୍ୟକ୍ତ । ନୀଳାଦ୍ରି ବିଜୟର ନାୟକ ଶ୍ରୀଜଗନ୍ନାଥ-ସେଥିପାଇଁ ଏଥିରେ ଓଡ଼ିଆ ସଂସ୍କୃତିର ବୀଜମନ୍ତ୍ର ଜପ କରିଛନ୍ତି ଲେଖକ ଆମୂଳଚୂଳ । ସଂସ୍କୃତିର କର୍ଣ୍ଣଧାର ରୂପେ ରାମଚନ୍ଦ୍ରଦେବ, ଲକ୍ଷ୍ମୀ ପରମଗୁରୁ, ବିଷ୍ଣୁ ପଶ୍ଚିମ କବାଟ, ଷଣ୍ଢସୁଆର ପ୍ରଭୃତି ଉପନ୍ୟାସର ପୃଷ୍ଠାରେ ଇତିହାସ-ସୌଷ୍ଠବ ପ୍ରଦାନ କରିଛନ୍ତି ।

 

ଉପନ୍ୟାସର ଆରମ୍ଭରୁ ଶେଷପର୍ଯ୍ୟନ୍ତ କେବଳ ବର୍ଣ୍ଣନାର ସମ୍ଭାର । ଔପନ୍ୟାସିକଙ୍କର ସୁଚତୁର ଶିଳ୍ପବିନ୍ୟାସ ସାଂସ୍କୃତିକ ପରିବେଶ ମଧ୍ୟରେ ପରିବ୍ୟାପ୍ତ । ଓଡ଼ିଆ ସଂସ୍କୃତିର ଏକ ଦର୍ପିତ ଇତିହାସର ଉପନ୍ୟାସ ନୀଳାଦ୍ରି ବିଜୟ । ଇତିହାସକୁ ଅବଜ୍ଞା କରିନାହାନ୍ତି ଔପନ୍ୟାସିକ । ଔପନ୍ୟାସିକ ସେ କାଳର ପରିବେଶ ରଚନା କରିଛନ୍ତି ନିପୁଣ କଥାମାଳା ସଜାଇ, ମାତ୍ର ନୀଳାଦ୍ରୀ ବିଜୟ ଉପନ୍ୟାସର ସରସ ରୂପାୟନରେ ବ୍ୟାପ୍ତ ଓ ଉପଭୋଗ୍ୟ ହୋଇପାରିନାହିଁ । ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟର ବିଶ୍ୱୈକ-ପ୍ରାଣତାର ଗୋଟିଏ, ଗୋଟିଏ ପଟ ଉତ୍ତୋଳନରେ, ଭକ୍ତି ଓ ବିଶ୍ୱାସର ମହାର୍ଘ ଅର୍ପଣରେ ନୀଳାଦ୍ରି ବିଜୟର ପ୍ରତ୍ୟେକ ପୃଷ୍ଠା ବର୍ଣ୍ଣ-ସମୃଦ୍ଧା ହୋଇଉଠିଛି । ଜଗନ୍ନାଥଙ୍କର ପୂଜାପଦ୍ଧତିର ବିସ୍ତୃତ ବର୍ଣ୍ଣନା ଉପନ୍ୟାସକୁ ଭାରାକ୍ରାନ୍ତ କରିବା ସଙ୍ଗେ ସଙ୍ଗେ ଲେଖକଙ୍କର ସ୍ୱାଧୀନତାକୁ ଖର୍ବ କରି ଦେଇଛି ।

 

ନୀଳାଦ୍ରି ବିଜୟରେ ତ୍ରିକୋଣ ପ୍ରେମର ଦ୍ୱନ୍ଦ୍ୱହିଁ ରାମଚନ୍ଦ୍ରଦେବଙ୍କ ଦୁଃଖ ଦୁର୍ଦ୍ଦଶା ପାଇଁ ଦାୟୀ । ଇତିହାସର ତଥ୍ୟ ଯାହା ହେଉନା କାହିଁକି ଲଳିତା ଦେଈଙ୍କ କ୍ରୋଧ, କ୍ରୂରତା, ପ୍ରତିଶୋଧପରାୟଣ ମନୋବୃତ୍ତି ବିସ୍ତୃତ ଭାବରେ ଏଥିରେ ବର୍ଣ୍ଣିତ । ପୁଣି ତ୍ରିକୋଣ ପ୍ରେମର ଆଉ ଗୋଟିଏ ବୈଶିଷ୍ଟ୍ୟ-ଯେଉଁଠାରେ ଗୋଟିଏ ପୁରୁଷ ପ୍ରତି ଦୁଇଟି ନାରୀର ଆସକ୍ତି-ଜଣେ ସରଳ, ସାଦାସିଧା, ଅନ୍ୟଜଣେ ଜଟିଳ, କ୍ରୂର, ସ୍ୱାର୍ଥପର ଓ ପ୍ରତିଶୋଧ ବହ୍ନିରେ ପ୍ରଜ୍ଜ୍ୱଳିତା । ଔପନ୍ୟାସିକ ଐତିହାସିକତାକୁ ଆଗ୍ରହ୍ୟ କରି ଏହିସବୁ ପ୍ରେମ କାହାଣୀର ବିସ୍ତୃତ ଅଂଶ ଯୋଡ଼ିଦେଇ ନାହାନ୍ତି । ଐତିହାସିକ ଘଟଣାକୁ ସୂତ୍ର ରୂପେ ଧରି ଲଳିତା ଦେଈ ଓ ରିଜିୟାଙ୍କ କାହାଣୀକୁ ଲେଖକ ବିକୃତ କରିଛନ୍ତି । ଏହି ଘଟଣା ଇତିହାସର ଜଡ଼ସ୍ତୂପରେ ପ୍ରାଣ ସଞ୍ଚାର କରିବା ସଙ୍ଗେ ସଙ୍ଗେ ଇତିହାସର ଶୂନ୍ୟତା ପୂରଣରେ ଯଥେଷ୍ଟ ସାହାଯ୍ୟ କରିଅଛି । ନୀଳାଦ୍ରି ବିଜୟର ବୈଶିଷ୍ଟ୍ୟ ପୁରୀ ମନ୍ଦିର ସେବକମାନଙ୍କ ବୋଲିରେ ନିହିତ, ଯେଉଁଠାରେ ରସାଳ ପ୍ରାଣର ଏକ ମୌଳିକତା ପରିଲକ୍ଷିତ (୧୧) । ବହୁ ପରିଶ୍ରମ କରି ପତ୍ରପତ୍ରିକା ଓ ମନ୍ଦିରର ଉଦ୍ୟୋକ୍ତା ମାନଙ୍କଠାରୁ ଶବ୍ଦାବଳୀ ସଂଗ୍ରହ କରି ଲେଖକ ଐତିହାସିକ ପରିବେଶ ସୃଷ୍ଟିକରିବା ସଙ୍ଗେ ସଙ୍ଗେ ପ୍ରାୟ ବିଲୁପ୍ତ ଭାଷାକୁ ସବୁଦିନପାଇଁ ଲିପିବଦ୍ଧ କରି ଅଛନ୍ତି । ନୀଳାଦ୍ରି ବିଜୟର ଉଚ୍ଚାଙ୍ଗ ସୃଷ୍ଟି ପରିକଳ୍ପନା ସତ୍ତ୍ୱେ ଏହା ନୀଳଶୈଳର ଏକ କ୍ଳାନ୍ତିକର ରୋମନ୍ଥନ କହିଲେ ଅସମୀଚୀନ ହେବନାହିଁ ।

 

୧୯୮୩ ମସିହାରେ ପ୍ରକାଶିତ ଡକ୍ଟର ନୃସିଂହ ଚରଣ ପଣ୍ଡାଙ୍କ ରଚିତ ‘ଚଣ୍ଡାଶୋକ’ ଏକ ଐତିହାସିକ ଉପନ୍ୟାସ ଭାବରେ ଗୃହୀତ । ଏହି ଉପନ୍ୟାସରେ ଲେଖକ ଅଶୋକଙ୍କ ଜୀବନର ବୌଦ୍ଧଧର୍ମ ଗ୍ରହଣ କରିବା ପୂର୍ବବର୍ତ୍ତୀ ସମୟର ଚିତ୍ର ଅଙ୍କିତ । ଅଶୋକଙ୍କ ଜନ୍ମ, ବାଲ୍ୟଜୀବନ ଓ ଯୌବନର ଚିତ୍ର ଏପରି ଭାବରେ ଅଙ୍କିତ ଯେ ଲେଖକ ସ୍ଥଳ ବିଶେଷରେ ଇତିହାସ ବର୍ଣ୍ଣିତ ଘଟଣାକୁ ପଛରେ ପକାଇ କଳ୍ପନାର ମାୟାଜାଲ ସୃଷ୍ଟିକରିବାକୁ ଉଚିତ ମନେ କରିଛନ୍ତି । ପାଠକଙ୍କ ପାଇଁ ଏ ପ୍ରକାର କଳ୍ପନା ଯେତେ ଅତିରଞ୍ଜିତ ହେଲେ ହେଁ ପାଠକକୁ କ୍ଷଣିକ ଆନନ୍ଦ ଦେଇଥାଏ, ମାତ୍ର ଏହା ଇତିହାସର ସତ୍ୟକୁ ଅବମାନନା କରେ । ଅଶୋକଙ୍କର ବାଲ୍ୟଜୀବନର କରୁଣତା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଅଶୋକଙ୍କର ମାତା ବିନ୍ଦୁସାରଙ୍କର ପ୍ରେମିକା ଥିଲେ, ରାଣୀ ନ ଥିଲେ । ସେ ଥିଲେ ଜଣେ ବ୍ରାହ୍ମଣ କନ୍ୟା, ଅଶୋକ ବାଲ୍ୟାବସ୍ଥାରୁ ବିନ୍ଦୁସାରଙ୍କର ରାଣୀମାନଙ୍କର ଷଡ଼ଯନ୍ତ୍ରର ଶିକାର ହୋଇଥିଲେ । ସେ ଥିଲେ ଅତିମାତ୍ରାରେ ଦୁର୍ଦ୍ଦାନ୍ତ । ରାଣୀମାନଙ୍କର ଚକ୍ରାନ୍ତ ଜାଣିବା ପରେ ସେ ନିଜର ଆତ୍ମୀୟମାନଙ୍କୁ ହତ୍ୟାକରି ସିଂହାସନରେ ନିଜକୁ ପ୍ରତିଷ୍ଠିତ କରିଥିଲେ । କଳିଙ୍ଗ ଯୁଦ୍ଧର ପରିବେଶ ତାଙ୍କ ଚରିତ୍ରରେ ପରିବର୍ତ୍ତନ ଆଣିଥିଲା । ତା’ପରେ ଚଣ୍ଡାଶୋକ ପରିଣତ ହୋଇଥିଲେ ଧର୍ମାଶୋକରେ ।

 

ଲେଖକ ଅଶୋକଙ୍କ ଯୌବନ କାଳରେ ତାଙ୍କୁ କେନ୍ଦ୍ରିତକରି ଯେଉଁ ପ୍ରେମ ଓ ପ୍ରଣୟର ଚିତ୍ର ଅଙ୍କନ କରିଛନ୍ତି ତାହା ପ୍ରାୟ ସର୍ବତ୍ର ଅଶ୍ଳୀଳତା-ଦୋଷଦୁଷ୍ଟ ।

 

ପ୍ରେମ ଓ ପ୍ରଣୟର କାହାଣୀକୁ ଲେଖକ ଅଧିକ ସତର୍କତାର ସହିତ ବର୍ଣ୍ଣନା କରିବା ଉଚିତ ଥିଲା । ଅଶୋକଙ୍କ ସମକାଳୀନ ସାମାଜିକ ରାଜନୈତିକ ତଥା ଅର୍ଥନୈତିକ ଚିତ୍ର ଅଙ୍କନ କରିବାକୁ ଯାଇ ଲେଖକ ବିଶେଷ ସଫଳତା ଅର୍ଜନ କରିଛନ୍ତି ବୋଲି କୁହାଯାଇ ନ ପାରେ । ଏହାକୁ ଏକ ସାର୍ଥକ ଐତିହାସିକ ଉପନ୍ୟାସର ମର୍ଯ୍ୟାଦା ଦେବାକୁ ଆଲୋଚକ କୁଣ୍ଠା ପ୍ରକାଶ କରିବା ସ୍ୱାଭାବିକ-

 

୧୯୮୫ ମସିହାରେ ପ୍ରକାଶିତ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ‘କୃଷ୍ଣାବେଣୀର ସନ୍ଧ୍ୟା’ ଉପନ୍ୟାସରେ ଓଡ଼ିଆ ଇତିହାସର ଏକ ବିପର୍ଯ୍ୟସ୍ତ ଘଟଣା ଉପସ୍ଥାପିତ । ଇତିହାସରେ ଯେଉଁମାନେ ନିନ୍ଦିତ, ବିତର୍କିତ ଚରିତ୍ର ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଲେଖକ ସେମାନଙ୍କ ଜୀବନ ଚରିତକୁ ତାଙ୍କ ଲେଖନୀରେ ରୂପାୟିତ କରିବା କଥା ଭୂମିକାରେ ଉଲ୍ଲେଖ କରିଛନ୍ତି । ଲେଖକଙ୍କ ଦୃଷ୍ଟିରେ ପ୍ରତାପରୁଦ୍ର ଦେବ ସେହିପରି ଏକ ଚରିତ୍ର । ଲେଖକଙ୍କ ଭାଷାରେ ‘‘ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ଶୁଦ୍ଧାଭକ୍ତି-ସମନ୍ୱିତ ବୈଷ୍ଣବଧର୍ମରେ ସମ୍ରାଟ ପ୍ରତାପରୁଦ୍ର ଦୀକ୍ଷିତ ହେବାରୁ ତାଙ୍କଠାରେ ଯେଉଁ ସ୍ଥାଣୁତ୍ୱ ପ୍ରକାଶ ପାଇଲା, ସେଥିପାଇଁ ଆଗଙ୍ଗକୃଷ୍ଣା-କାବେରୀ ପରିବ୍ୟାପ୍ତ ଉତ୍କଳ ସାମ୍ରାଜ୍ୟର ପତନ ଘଟିଲା ବୋଲି ସେମାନେ ଦର୍ଶାଇଥାନ୍ତି । ମାତ୍ର ଇତିହାସର ଅତିରଞ୍ଜିତ ସରଳୀକରଣ ବ୍ୟତୀତ ଏହା ଅନ୍ୟ କିଛି ନୁହେଁ’’ (୧୨) ।

 

ଇତିହାସ ଓ କିମ୍ବଦନ୍ତୀର ମିଶ୍ରିତ କଥା ଜଗନ୍ମୋହିନୀ ଓ କୃଷ୍ଣଦେବରାୟଂକ ମିଳନ । ଲେଖକ ଇତିହାସର କକାଂଳ ଉପରେ ପ୍ରଲେପ ଦେଇଛନ୍ତି କୃଷ୍ଣଦେବରାୟକଂ ସହିତ ସାକ୍ଷାତର ପୂର୍ବରୁ ତାଙ୍କ ପ୍ରତି ଜଗନ୍ମୋହିନୀକଂର ପ୍ରେମଜନିତ ଦୁର୍ବଳତା । ବୀଣାବାଦିକା ଜଗମାମ୍ବାଂକ ବୀଣା ଖୋଳରୁ ଖସିପଡ଼ିଥିବା କୃଷ୍ଣଦେବରାୟଙ୍କ ଚିତ୍ର ଦେଖି ରାଜଜେମା ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ-। ତା’ପରେ ଯେତେବେଳେ ପ୍ରତାପରୁଦ୍ରଦେବ ପରାଜୟ ସ୍ୱୀକାର କଲେ ସେତେବେଳେ ରାଜଜେମା ପ୍ରେରିତା ହୋଇଥିଲେ କୃଷ୍ଣଦେବରାୟଂକ ନିକଟକୁ । ଲେଖକ ପର୍ତ୍ତୁଗୀଜ ଐତିହାସିକ ନୁନେଜଂକ ବିବରଣୀ ଉପରେ ବହୁଭାବରେ ନିର୍ଭର କରିଛନ୍ତି । ପ୍ରତାପରୁଦ୍ରଂକ ପୁତ୍ର ବୀରଭଦ୍ରଂକ ପରାଜୟ ଓ ଆତ୍ମହତ୍ୟା ଘଟଣା ଐତିହାସିକ ସତ୍ୟ ।

 

ଚୈତନ୍ୟଦେବଙ୍କ ଉତ୍କଳ ଆଗମନ ରାୟରାମାନନ୍ଦଂକର ଶୁଦ୍ଧାଭକ୍ତି-ମାର୍ଗ ଅନୁସରଣ ବିଷୟକୁ ଲେଖକ ଅତ୍ୟନ୍ତ ଦକ୍ଷତାର ସହିତ ଚିତ୍ରଣ କରିଥିଲେ ହେଁ ପ୍ରତାପରୁଦ୍ର ଦେବଂକ ଭକ୍ତ ଜୀବନ ବିଷୟରେ କୌଣସି ତଥ୍ୟ ଦେଇନାହାନ୍ତି । ଉପନ୍ୟାସରେ ବର୍ଣ୍ଣିତ ଘଟଣା ମଧ୍ୟରେ ଚୈତନ୍ୟଦେବଂକ ସହିତ ପ୍ରତାପରୁଦ୍ରଦେବଂକର ସାକ୍ଷାତ ଘଟି ନାହିଁ । ଲେଖକ ଐତିହାସିକ ଚରିତ୍ରମାନଙ୍କୁ ନିଜ ବର୍ଣ୍ଣନା ଚାତୁରୀରେ ଉପସ୍ଥାପିତ କରିଛନ୍ତି । ଉପନ୍ୟାସର କଳେବର ମଧ୍ୟରେ ଘଟଣା ଓ ବର୍ଣ୍ଣନାର ଏକରୂପତା ପାଠକ ପକ୍ଷରେ କ୍ଳାନ୍ତିକର ହୋଇଥାଏ । ତିମରସୁ ବ୍ୟାସତୀର୍ଥ କଞ୍ଚୁକୀ ସୋମେଶ୍ୱର ଭଟ୍ଟ ମହାପାତ୍ର, ତିରୁ ମଲ୍ଲରାୟ ପ୍ରଭୃତି ଚିରିତ୍ରଗୁଡ଼ିକ ନିଜ ନିଜର ପରିସର ମଧ୍ୟରେ ସମୃଦ୍ଧ । ଐତିହାସିକ ଚରିତ୍ର ବ୍ୟତିରେକେ ଲେଖକ ଅନ୍ୟ କେତେକ କାଳ୍ପନିକ ଚରିତ୍ର ସୃଷ୍ଟିକରିଛନ୍ତି କଥାବସ୍ତୁର ପରିପୁଷ୍ଟି ନିମନ୍ତେ ।

 

ଉପନ୍ୟାସଟି ସୁଖପାଠ୍ୟ ହୋଇପାରିବ ନାହିଁ, କାରଣ ଘଟଣା ବର୍ଣ୍ଣନାରେ ଇତିହାସର ଏକାନ୍ତ ଅନୁସରଣ ସ୍ଥଳବିଶେଷରେ ଭାରାକ୍ରାନ୍ତ ହୋଇପଡ଼ିଛି । ରାଜଜେମା ଜଗନ୍ମୋହିନୀଙ୍କୁ ଲେଖକ ଯେତେବେଳେ ତାଙ୍କ ସଖୀମାନଙ୍କ ଗହଣରେ ଉପସ୍ଥାପିତ କରିଛନ୍ତି, ସେତେବେଳେ ସେମାନଙ୍କର କଥୋପକଥନ ଯେକୌଣସି ଯାତ୍ରା ବା ସୁଆଙ୍ଗର ଅନୁରୂପ ପରିସ୍ଥିତିକୁ ଅତିକ୍ରମ କରି ପାରିନାହିଁ । ମହାରାଣୀ ପଦ୍ମାଳୟାଙ୍କ ଚରିତ୍ରର କୌଣସି ଦିଗ ପ୍ରକାଶ ଲାଗି ଅବକାଶ ନାହିଁ । ପ୍ରତାପରୁଦ୍ରଙ୍କୁ ଲେଖକ ସବୁତକ ସହାନୁଭୂତି ଦେଇ ଉପସ୍ଥାପିତ କରିଛନ୍ତି ।

 

୧୯୮୭ ମସିହାରେ ପ୍ରକାଶିତ ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ୟତମ ଐତିହାସିକ ଉପନ୍ୟାସ ‘ଆଜୀବକର ଅଟ୍ଟହାସ’ ପାଠକମାନଂକର ଦୃଷ୍ଟି ଆକର୍ଷଣ କରିଥାଏ । ଉପନ୍ୟାସଟିରେ ଆଜୀବକ ସଂପ୍ରଦାୟର କୌଣସି କଥାବସ୍ତୁ ବର୍ଣ୍ଣିତ ହୋଇ ନଥିଲେ ହେଁ ବୌଦ୍ଧଧର୍ମର ବିଭାଜନର ଇତିହାସରେ ଆଜୀବକ ସଂପ୍ରଦାୟର ପ୍ରଭାବ ସୂଚିତ !

 

ବୁଦ୍ଧଂକ ମହାପରିନିର୍ବାଣର ଏକଶତ ବର୍ଷପରେ ବୌଦ୍ଧଧର୍ମ ଅବକ୍ଷୟ ପଥରେ ଗତିକଲା-। ଏହି ଅବକ୍ଷୟ ସତେ ଯେପରି ଆଜୀବକମାନଙ୍କର ଅଟ୍ଟହାସର କାରଣ ହୋଇଥିଲା ! ଲେଖକ ଉପନନ୍ଦ ଓ କ୍ଷେମାଙ୍କୁ ତାଙ୍କ ଉପନ୍ୟାସର ନାୟକ ନାୟିକା ଭାବରେ ଗ୍ରହଣକରି ସେମାନଙ୍କର ପ୍ରବୃତ୍ତିଗତ ଦୁର୍ବଳତା ମାଧ୍ୟମରେ ବୌଦ୍ଧଧର୍ମର ଶେଷ ପରିଣତିର ଚିତ୍ର ଅଙ୍କନ କରିଛନ୍ତି । ଉପନନ୍ଦ ଓ ଯେମା ଯେଉଁ ମହାବନବିହାରରୁ ବିତାଡ଼ିତ ହୋଇଥିଲେ ସେମାନେ ପୁଣି ଦିନେ ସେହି ମହାବନବିହାରର କର୍ତ୍ତୃତ୍ୱ ଲାଭ କରିଥିଲେ । ଅଶୋକଙ୍କ ପ୍ରଭାବରେ ବୌଦ୍ଧଧର୍ମର ବୃଦ୍ଧ ବୟସ୍କ ଆଚାର୍ଯ୍ୟମାନଙ୍କର ମତ ଧର୍ମସଭାରେ ଖଣ୍ଡିତ ହେବାପରେ ଯୁବକ ଶ୍ରମଣମାନଙ୍କର ପ୍ରବୃତ୍ତିଗତ ଆଚରଣ ବୃଦ୍ଧମାନଙ୍କୁ ନୈରାଶ୍ୟ ଜର୍ଜରିତ କରିଥିଲା ଓ ବୌଦ୍ଧ ବିହାରମାନଙ୍କରେ ସେମାନଙ୍କର ଆଉ ସ୍ଥାନ ନଥିଲା । ଆଚାର୍ଯ୍ୟ କାଶ୍ୟପ, ଉପନନ୍ଦ ଓ କ୍ଷେମାଙ୍କୁ ମହାବନବିହାରରୁ ନିର୍ବାସନ କରିଥିଲେ, ମାତ୍ର ଶେଷରେ ମହାବନବିହାରରେ ଉପନନ୍ଦଙ୍କ ପ୍ରାଧାନ୍ୟ ଓ କର୍ତ୍ତୃତ୍ୱ ଫଳରେ ଉପନନ୍ଦ ବିହାର ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ । ଯୁବକ ଶ୍ରମଣମାନେ ବୌଦ୍ଧଧର୍ମର ନୀତିନିୟମକୁ ଭାଙ୍ଗିଲେ । ପ୍ରବୃତ୍ତି ପରିଚାଳିତ ଶ୍ରମଣମାନଙ୍କ ନୀତିରେ ତନ୍ତ୍ରଯାନ, ମନ୍ତ୍ରଯାନ ଆଦି ମତବାଦ ଗଢ଼ି ଉଠିଲା । ଯୁଗବଦ୍ଧ ଭାବରେ ସାଧନାର ମାର୍ଗ ପ୍ରସାରିତ ହେଲା । ମହାଯାନ ବୌଦ୍ଧଧର୍ମର ଶ୍ରମଣମାନଙ୍କର ଯୁଗବଦ୍ଧ ଉପାସନାକୁ ଲେଖକ ଉପନନ୍ଦ ଓ କ୍ଷେମା ଚରିତ୍ର ମାଧ୍ୟମରେ ଅତ୍ୟନ୍ତ ଦକ୍ଷତାର ସହିତ ଚିତ୍ରଣ କରିଛନ୍ତି । ଏଠାରେ ଲେଖକଙ୍କର ଦକ୍ଷତାକୁ ପ୍ରଶଂସା କରିବା ପାଇଁ ଭାଷା ଯଥେଷ୍ଟ ନୁହେଁ ।

 

ଲେଖକଙ୍କର ଅନ୍ୟ ଏକ ବୈଶିଷ୍ଟ୍ୟ ଏଠାରେ ସ୍ୱୀକାରଯୋଗ୍ୟ । ଅଶୋକଙ୍କର ବୌଦ୍ଧଧର୍ମ ଗ୍ରହଣ ଓ ବୌଦ୍ଧଧର୍ମ ପ୍ରଚାର ନିମନ୍ତେ ଯେଉଁସବୁ ଉଦ୍ୟମକୁ କିମ୍ବଦନ୍ତୀ ତଥା ଇତିହାସ ଅତ୍ୟନ୍ତ ଉଚ୍ଚସ୍ଥାନ ଦେଇଅଛି ତାହା ଯଥାର୍ଥ ସତ୍ୟ ନୁହେଁ । ବୌଦ୍ଧଧର୍ମର ବିଭାଜନରେ ଅଶୋକ ସମର୍ଥନ କରିଥିଲେ, ତରୁଣ ଗୋଷ୍ଠୀର ମତବାଦକୁ । ରାଜନୀତିର କୂଟଚକ୍ରାନ୍ତ ମଧ୍ୟରେ ଅଶୋକଙ୍କ ଚରିତ୍ରର ମହତ୍ତ୍ୱ ନଷ୍ଟ ହୋଇ ଯାଇଛି । ରାଜନୈତିକ ଫାଇଦା ଉଠାଇବା ପାଇଁ ବୌଦ୍ଧଧର୍ମକୁ ସେ ବ୍ୟବହାର କରିଛନ୍ତି ଏକ ଅସ୍ତ୍ର ରୂପରେ । ଅଶୋକ ତାଙ୍କର ରାଜକର୍ମଚାରୀ ଓ ତାଙ୍କ ଶାସନନୀତିର ଯେଉଁ ଚିତ୍ର ଲେଖକ ଅଙ୍କନ କରିଛନ୍ତି, ତାହା ଆଧୁନିକ ଜଗତର ରାଜନୀତିର ପରିଚୟ ଦେଇଥାଏ-। ବୈଶାଳୀ ଉପକଣ୍ଠରେ ଅଶୋକଙ୍କ ପୃଷ୍ଠପୋଷକତାରେ ଯେଉଁ ଧର୍ମାଧିବେଶନ ଅନୁଷ୍ଠିତ ହୋଇଥିଲା ଓ ସେଥିରେ ବୃଦ୍ଧ ଓ ତରୁଣ ଶ୍ରମଣମାନଙ୍କର ଧର୍ମସଂପର୍କୀୟ ନୀତିଗତ ଆଲୋଚନା ଯେପରି ଭାବରେ ଲେଖକ ବର୍ଣ୍ଣନା କରିଛନ୍ତି ତାହା ଆଧୁନିକ କାଳର ଶାସନ କ୍ଷମତାରେ ଥିବା କୌଣସି ଏକ ରାଜନୈତିକ ଦଳର ସ୍ୱତନ୍ତ୍ର ଅଧିବେଶନରେ ଆଲୋଚିତ ଓ ଗୃହୀତ ପ୍ରସ୍ତାବ ସହିତ ସାମ୍ୟ ରକ୍ଷା କରିଅଛି ।

 

ଭାଷା ପ୍ରୟୋଗ କ୍ଷେତ୍ରରେ ଲେଖକ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ । ଏହି ଉପନ୍ୟାସରେ ସେ ନିଜର ଭାଷାପ୍ରୟୋଗ ଚାତୁରୀ ପ୍ରମାଣିତ କରିଛନ୍ତି । ଏପରି ଏକ କଥାବସ୍ତୁକୁ ଉପନ୍ୟାସ ରୂପେ ପ୍ରଦାନ କରିବାରେ ସମଗ୍ର ଭାରତୀୟ ସାହିତ୍ୟରେ କୌଣସି ଉଦ୍ୟମ ହୋଇନଥିବା କଥା ଲେଖକ ଦାବୀ କରିଛନ୍ତି । ଲେଖକଙ୍କର ଏ ପ୍ରକାର ଦାବୀ ଗ୍ରହଣଯୋଗ୍ୟ । ‘ଆଜୀବକର ଅଟ୍ଟହାସ’ ସୁରେନ୍ଦ୍ର ମହାନ୍ତିଙ୍କ ସୃଷ୍ଟିସଂପଦ ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟର ଐତିହାସିକ ଉପନ୍ୟାସ ରଚନାର ଉଦ୍ୟମ ବିଶେଷ ଆଶାଜନକ ମନେହୁଏ । ତଥାପି ଓଡ଼ିଆ ସାହିତ୍ୟରେ ଉପନ୍ୟାସ ରଚନାର ଉଦ୍ୟମ ଯେତିକି ପରିମାଣରେ ଆଶା କରାଯାଇ ପାରେ ତାହା ହୋଇ ପାରିନାହିଁ । ଅଧୁନା ଓଡ଼ିଆ ଉପନ୍ୟାସ ସାହିତ୍ୟ ଏକ ସଂକଟ ମଧ୍ୟରେ ଗତିଶୀଳ । ଏ ପ୍ରକାର ସଂକଟର ବିଭିନ୍ନ କାରଣ ରହିଛି-। ଐତିହାସିକ ଉପନ୍ୟାସ ରଚନା ଲାଗି ଇତିହାସର ପଠନ ଓ ଗବେଷଣାରେ ଆବଶ୍ୟକତା ସ୍ୱୀକାର୍ଯ୍ୟ । ଓଡ଼ିଶାର ଇତିହାସ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ସଂକଳିତ ହୋଇ ପାରିନାହିଁ । ଓଡ଼ିଶାର ଲେଖକମାନେ ଭାରତର ଇତିହାସ ପ୍ରତି ସଚେତନ ମନୋଭାବ ପ୍ରକାଶ କରିବାରେ ଆଗ୍ରହ ବିଶେଷ ଭାବରେ ପରିଦୃଷ୍ଟ ହେଉନାହିଁ । ଏପରି ସ୍ଥଳେ ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସର ବହୁଳତା ଆଶା କରିବା ସ୍ୱାଭାବିକ ନୁହେଁ । ତଥାପି ଓଡ଼ିଆ ସାହିତ୍ୟର ଲେଖକମାନେ ଅତୀତ ପ୍ରତି ଶ୍ରଦ୍ଧାଭାବ ପୋଷଣ କରି ଇତିହାସ ଓ କିମ୍ବଦନ୍ତୀରୁ କଥାବସ୍ତୁ ଗ୍ରହଣ କରି ତା’ର ରୂପାୟନ କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି । ବହୁସ୍ଥଳରେ ଏ ପ୍ରକାର ରଚନା ଐତିହାସିକ ରୋମାନ୍‌ସରେ ପରିଣତ ହେଉଅଛି । ସେ ଯାହାହେଉ ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସ ରଚନାର ଉଦ୍ୟମ ଅଧିକରୁ ଅଧିକ ହେବାର ଆଶା ରଖାଯାଇପାରେ ।

 

ପାଦଟୀକା:

୧.

ଖୁରୁଧା ଇତିହାସ : କେଦାର ନାଥ ମହାପାତ୍ର, ଭୁବନେଶ୍ୱର, ୧୯୬୯, ପୃ-୧୮୯ ।

୨.

ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ : ଚକ୍ରଧର ମହାପାତ୍ର, କଟକ, ୧୯୬୯, ପୃ-୨୩୦ ।

୩.

The Historical Novel In Oriya : Sri J. K. Nayak, Cuttack, 1982, Page - 102.

୪.

Do - page-110.

୫.

ଐତିହାସିକ ଉପନ୍ୟାସ : ବିଜିତ କୁମାର ଦତ୍ତ, ପୃ-୧୬୫ ।

୬.

ନୁରୁଜାହାନ : ଶାନ୍ତି ମହାପାତ୍ର, କଟକ, ୧୯୭୨ ପୃ-୧ (ପ୍ରାରମ୍ଭିକ) ।

୭.

ବେଗମ୍‌ ମେରୀ ବିଶ୍ୱାସ : ବିମଳ ମିତ୍ର, ଭୂମିକା, ପୃ-୬ ।

୮.

The Historical Novel In Oriya : Sri J. K. Nayak, Cuttack, 1982, Page - 96.

୯.

ପାଟଳିପୁତ୍ରର ନଗରବଧୂ : ଗୋପୀନାଥ ପଣ୍ଡା, କଟକ, ୧୯୭୮, ପୃ-୧ (ପ୍ରାକ୍‌କଥନ) ।

୧୦.

ଏଯ୍ନ-ପୃ-୧ (ପ୍ରାକ୍‌କଥନ) ।

୧୧.

ନୀଳାଦ୍ରି ବିଜୟ : ସୁରେନ୍ଦ୍ର ମହାନ୍ତି, କଟକ, ୧୯୮୦, ପୃ-ଭୂମିକା (ଖ) ।

୧୨.

କୃଷ୍ଣାବେଣୀରେ ସନ୍ଧ୍ୟା ‘ସୁରେନ୍ଦ୍ର ମହାନ୍ତି, କଟକ, ୧୯୮୫, ପୃ-ଭୂମିକା ୧ ।

***

 

Unknown

ଓଡ଼ିଆ ରାଜନୈତିକ ଉପନ୍ୟାସ

ଅଧ୍ୟାପକ ବିଜୟ କୁମାର ମହାନ୍ତି

 

ସାହିତ୍ୟର ମୁଖ୍ୟ ଉପାଦାନ ହେଉଛି ଜୀବନ । କିନ୍ତୁ ଉପନ୍ୟାସ ମାଧ୍ୟମରେ ଜୀବନର ଘନିଷ୍ଠତା ଏବଂ ଅନ୍ତରଙ୍ଗତା ଯେପରି ପରିପୁଷ୍ଟ ହୁଏ - ଅନ୍ୟ କୌଣସିଥିରେ ତାହା ସମ୍ଭବ ନୁହେଁ । ଉପନ୍ୟାସର ପରିସୀମା ବ୍ୟାପ୍ତ । ତା’ଭିତରେ ସମାଜ ଓ ଜୀବନର ଅତି ସୂକ୍ଷ୍ମ ସତ୍ତାମାନ ରୂପପାଇ ଜୀବନ ଚେତନା ଏବଂ ଜୀବନ ବୋଧର ମୂଲ୍ୟାୟନ କରେ । ଦେଶ, କାଳ ଓ ସମାଜ ସହିତ ତାଳ ପକାଇ ଔପନ୍ୟାସିକ ଏକ ନିର୍ଦ୍ଦିଷ୍ଟ ଦିଗ୍‌ଦର୍ଶନର ଅଭୀପ୍‌ସା ନେଇ କିଛିଟା ସତ୍ୟର ଉଦ୍‌ଘୋଷଣା କରେ । ସୁଦୂର ପ୍ରସାରୀ ସ୍ୱାଧୀନ ଚିନ୍ତା ଓ ଚେତନାର ପ୍ରମୂର୍ତ୍ତ ପ୍ରକାଶ ମଧ୍ୟରେ ଉପନ୍ୟାସ ସ୍ରଷ୍ଟା ସାମାଜିକ କମିଟ୍‌ମେଣ୍ଟକୁ ଅଙ୍ଗୀକାର କରେ । ତେଣୁ ପ୍ରତ୍ୟେକ ଦେଶର ଉପନ୍ୟାସ ଯୁଗୀୟଚେତନା ଓ ପରମ୍ପରାର ବାସ୍ତବାଲେଖ୍ୟ ସୃଷ୍ଟି କରିବାରେ ସମର୍ଥ ହୋଇଥାଏ ।

 

ଦେଶର ଶିକ୍ଷା, ସଭ୍ୟତା, ସଂସ୍କୃତି, ରାଜନୀତି ଓ ଅର୍ଥନୀତି ଜୀବନର ସ୍ଥିତି ଓ ଚେତନାର ମୂଲ୍ୟବୋଧକୁ ରୂପାୟିତ କରିଥାଏ । ତେଣୁ କେତେବେଳେ ଏହା ପାରମ୍ପରିକ ସାମାଜିକ ଜୀବନବୋଧର ମୂଲ୍ୟାୟନ କରିଥାଏ ତ କେତେବେଳେ ଜୀବନର ସ୍ଥିତିପାଇଁ ସଂଗ୍ରାମର ବାର୍ତ୍ତା ବହନ କରିଥାଏ । ସାମାଜିକ ସ୍ଥାଣୁତ୍ୱ ବିରୁଦ୍ଧରେ, ପରାଧୀନତା ବିରୁଦ୍ଧରେ ଅଥବା ରାଷ୍ଟ୍ର କିମ୍ବା ଗୋଷ୍ଠୀ ବିରୁଦ୍ଧରେ ଆଲୋଡ଼ନ, ଜାଗରଣ ଏବଂ ବୈପ୍ଳବିକ ସ୍ୱର ସୃଷ୍ଟିକରି ପୃଥିବୀର ପ୍ରତ୍ୟେକ ଦେଶର ଉପନ୍ୟାସ କାଳଜୟୀ ହୋଇପାରିଛି ।

 

ସବୁକାଳରେ ସମାଜର ରାଜନୈତିକ ଚିନ୍ତା ଚେତନା ଓ ଅସ୍ଥିରତା ବ୍ୟକ୍ତି ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ତେଣୁ ସମାଜ ଏବଂ ଜୀବନର ବାସ୍ତବ ପ୍ରତିଛବି ବହନ କରୁଥିବା ଉପନ୍ୟାସ ଭିତରେ ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ରୂପାୟିତ ହୋଇଥାଏ । ପ୍ରତ୍ୟେକ ପରିବର୍ତ୍ତିତ ସମୟରେ ଏହା ଭିନ୍ନ ରୂପ, ଭିନ୍ନ ସ୍ୱର ନେଇ ଉପନ୍ୟାସର ଆଙ୍ଗିକ ଏବଂ ଆତ୍ମିକ ମୂଲ୍ୟବୋଧ ପ୍ରତିଷ୍ଠା କରିଥାଏ । ଉପନ୍ୟାସର ଜନ୍ମ ସମୟରୁ ଏହା ରାଜନୈତିକ ସ୍ୱର ବହନ କରିଛି । ଶ୍ରେଣୀ ବିଭେଦ, ବ୍ୟକ୍ତିବାଦ ଏବଂ ସ୍ୱାଧୀନତା ଦାବୀ ଉପରେ ମୁଖ୍ୟତଃ ଗୁରୁତ୍ୱ ଆରୋପ କରି ଇଂରାଜୀ, ଫରାସୀ ଏବଂ ରୁଷ ଉପନ୍ୟାସ ପ୍ରଥମ ଅବସ୍ଥାରୁ ହିଁ କ୍ରାନ୍ତିକାରୀ ଆଲୋଡ଼ନ ସୃଷ୍ଟି କରିବାକୁ ସମର୍ଥ ହୋଇଥିଲା । ମାକ୍‌ସିମ୍‌ ଗର୍କିଙ୍କ ‘‘ଦି ମଦର’’ କିମ୍ବା ଟଲଷ୍ଟୟଙ୍କ ‘ଓ୍ୱାର ଏଣ୍ଡ ପିସ୍‌’ର ବୈପ୍ଳବିକ ରାଜନୈତିକ ମୂଲ୍ୟବୋଧ ବିଶ୍ୱସାହିତ୍ୟକୁ ପ୍ରଲୁବ୍‌ଧ କରିଥିଲା ।

 

ରାଜନୈତିକ ଉପନ୍ୟାସ ଏବଂ ରାଜନୈତିକ ଚେତନା ସମ୍ବଳିତ ଉପନ୍ୟାସ-ଏ ଉଭୟର ଅନ୍ତଃସ୍ୱର ଭିନ୍ନ ଭିନ୍ନ ରୂପରେ ଏକ ହୋଇଥିଲେ ମଧ୍ୟ ଏମାନଙ୍କ ବହିଃରୂପ ସ୍ୱତନ୍ତ୍ର । ରାଜନୈତିକ କଥାବସ୍ତୁକୁ ଆଧାର କରି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟର ସୂଚନା ରାଜନୈତିକ ଉପନ୍ୟାସରେ ସ୍ପଷ୍ଟ ହୋଇଥାଏ । କିନ୍ତୁ ବ୍ୟକ୍ତିର ରାଜନୈତିକ ଚେତନାବୋଧ ବ୍ୟକ୍ତି ସଚେତନତା ଯେ କୌଣସି ସାମାଜିକ ଉପନ୍ୟାସରେ ମଧ୍ୟ ପ୍ରକଟିତ ହୋଇଥାଏ । ଭାରତର ବିଭିନ୍ନ ପ୍ରାନ୍ତୀୟ ଉପନ୍ୟାସରେ ତତ୍କାଳୀନ ରାଜନୀତିର ସମ୍ୟକ ଚିତ୍ର ସୃଷ୍ଟି ହେଲାପରି, ଓଡ଼ିଆ ଉପନ୍ୟାସରେ ମଧ୍ୟ ରାଜନୀତିର ଚିତ୍ର ବିଭିନ୍ନ ସ୍ୱର, ବିଭିନ୍ନ ରୂପ ଏବଂ ଚେତନା ମଧ୍ୟରେ ରୂପାୟିତ ହୋଇଛି । ମୋଗଲ, ମରହଟ୍ଟା ଶାସନଠାରୁ ଆରମ୍ଭକରି ଇଂରେଜ ଶାସନ ଏବଂ ସ୍ୱାଧୀନତା ପରବର୍ତ୍ତୀ ରାଜନୀତିର ସମ୍ୟକ ଚିତ୍ର ଓଡ଼ିଆ ଉପନ୍ୟାସରେ ଉର୍ଜ୍ଜ୍ୱସ୍ୱଳ ହୋଇ ଉଠିଛି ।

 

ସ୍ୱାଧୀନତା ସଂଗ୍ରାମ, ତାର ଇତିହାସ, ସ୍ୱାଧୀନତାପ୍ରାପ୍ତି, ସ୍ୱାଧୀନତା ପରବର୍ତ୍ତୀ ରାଜନୀତିର ସ୍ୱର ଓ ସ୍ୱରୂପ କେତେବେଳେ ସର୍ବଭାରତୀୟ ରାଜନୈତିକ ଚେତନା ଭିତରେ ସାମିଲ ହୋଇ ଯାଇଛି ତ କେତେବେଳେ ପ୍ରାଦେଶିକ ରାଜନୀତିର ସ୍ୱତନ୍ତ୍ର ରୂପ ପ୍ରକାଶନରେ ସଫଳ ହୋଇଛି । ଓଡ଼ିଆ ଉପନ୍ୟାସର ଆଦ୍ୟସୃଷ୍ଟି ଉମେଶଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’, ରାମଶଙ୍କରଙ୍କ ‘ବିବାସିନୀ’, ଗୋପାଳବଲ୍ଲଭଙ୍କ ‘ଭୀମାଭୂୟାଁ’, ଫକୀର ମୋହନଙ୍କ ‘ଛ’ମାଣ ଆଠଗୁଣ୍ଠ’, ‘ମାମୁଁ’, କୁନ୍ତଳାକୁମାରୀଙ୍କ ‘ରଘୁ ଅରକ୍ଷିତ’, ‘ନଅତୁଣ୍ଡୀ’, ପ୍ରଭୃତି ଉପନ୍ୟାସ ସାମାଜିକ ଭିତ୍ତିଭୂମି ଉପରେ ପର୍ଯ୍ୟବେସିତ ହୋଇଥିଲେ ମଧ୍ୟ ତତ୍କାଳୀନ ରାଜନୈତିକ ଚିତ୍ର, ରାଜନୀତି ଜନିତ ସାମାଜିକ ତ୍ରୁଟି ବିଚ୍ୟୁତି ଆଲୋଡ଼ନ ପ୍ରଭୃତିର ସମ୍ୟକ ଉପସ୍ଥାପନ କରିବାରେ ସମର୍ଥ ହୋଇଛି । ରାଜନୈତିକ ଚେତନା ସମ୍ବଳିତ ଉପନ୍ୟାସ ଭାବେ ଏଗୁଡ଼ିକୁ ଗ୍ରହଣ କରାଯାଇପାରେ ।

 

ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ଘଟାନ୍ତର’, ‘ଅଭାଗିନୀ’, ‘୧୮୧୭’ ଉପନ୍ୟାସ ତିନୋଟିର ମୌଳିକ ଉତ୍ସ ବିଦେଶୀ ସାହିତ୍ୟରୁ ଆହରଣ ହୋଇଥିଲେ ମଧ୍ୟ ଏହାର ରଚନା ଶୈଳୀ, ଗଳ୍ପ ପରିବେଷଣ କୌଶଳ, ସାମାଜିକ ପରିବେଶ ଓ ଚରିତ୍ରର ବାସ୍ତବତା-ଏ ଉପନ୍ୟାସଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଉତ୍କଳୀୟ କରିଦେଇଛି । ଜାତୀୟବାଦୀ ଭାବଧାରା, ଇଂରେଜ ଶାସନର ଚିତ୍ର, ଉତ୍କଳର ଅତୀତ ଗୌରବ ପୃଷ୍ଠା ଉନ୍ମୋଚନ କରି ଲେଖକ ତାଙ୍କ ଉପନ୍ୟାସଗୁଡ଼ିକୁ ସାମାଜିକ ସ୍ତରରୁ ରାଜନୈତିକ ସ୍ତରକୁ ନେଇ ଜାତୀୟ ବେଦନାର ମାର୍ମିକ ସ୍ୱରରେ ଅନୁରଣିତ କରିଛନ୍ତି । ତାଙ୍କର ‘୧୮୧୭’ ଉପନ୍ୟାସଟି ସଂପୂର୍ଣ୍ଣ ଭାବରେ ରାଜନୈତିକ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ । ଇଂରେଜମାନଙ୍କର ଓଡ଼ିଶା ଦଖଲର ମାତ୍ର ୧୩ ବର୍ଷପରେ ୧୮୧୭ ମସିହାରେ ସମଗ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ୱାଧୀନତାର ଅଗ୍ନିଯୁଗ ସୃଷ୍ଟିକରି ଯେଉଁ ପାଇକ ବିଦ୍ରୋହ ସମଗ୍ର ଭାରତରେ ଚହଳ ପକାଇଥିଲା ଏବଂ ଇଂରେଜ ଶାସକଙ୍କ ଆସନ ଟଳମଳ କରାଇ ତାଙ୍କୁ ତ୍ରସ୍ତ କରି ଦେଇଥିଲା-ସେହି ଐତିହାସିକ ପାଇକ ବିଦ୍ରୋହ ହିଁ ଏ ଉପନ୍ୟାସର ମୂଳପିଣ୍ଡ । ଖୋର୍ଦ୍ଧାରେ ପାଇକମାନଙ୍କର ବିଦ୍ରୋହ, ବିଦ୍ରୋହୀ ସେନାଧ୍ୟକ୍ଷ ବକ୍‌ସିଜଗବନ୍ଧୁଙ୍କ ମହତ୍ତ୍ୱ, ମାଣିତ୍ରୀଗଡ଼ ଶାସକମାନଙ୍କର ଅତ୍ୟାଚାର ଏବଂ ପରୋପକାରୀ ସଦାଶିବଙ୍କ ଦୀର୍ଘ ୧୮ ବର୍ଷ କାରାଗାର ଓ ମୁକ୍ତି-ଏହିପରି ଅଜସ୍ର ଘଟଣା ପ୍ରବାହରେ ଏ ଉପନ୍ୟାସ ଋଦ୍ଧିମନ୍ତ । ଇଂରେଜମାନଙ୍କ ସହିତ ବିପ୍ଳବୀମାନଙ୍କର ସଂଗ୍ରାମ, ଦେଶର ଅତ୍ୟାଚାରୀ ଶାସକମାନଙ୍କ ଉପରେ ପ୍ରତିଶୋଧ, ହତ୍ୟା, ଇଂରେଜଶାସକଙ୍କ ଅମାନୁଷିକ ଦମନଲୀଳା, ପାଇକ ବିଦ୍ରୋହର ଅବସାନ ପ୍ରଭୃତିର ବାସ୍ତବାଲେଖ୍ୟ ବହନକରି ଏ ଉପନ୍ୟାସ ସୁଖପାଠ୍ୟ ହୋଇପାରିଛି-

 

ଓଡ଼ିଶାରେ ମୁସଲମାନ ରାଜତ୍ୱ ୧୫୬୮ରେ ଏବଂ ମରହଟ୍ଟା ରାଜତ୍ୱ ୧୭୫୧ରେ ଆରମ୍ଭ ହୋଇଥିଲା । ଓଡ଼ିଶାର ଭାଗ୍ୟରବି ଦୀର୍ଘଦିନ ଧରି ଅସ୍ତମିତ ହୋଇଥିଲେ ମଧ୍ୟ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାରକରି ଖୋରଧା ଦଖଲକରି ପାରିନଥିଲେ । ଖୋରଧା ଦଖଲ କରିବାକୁ ସେମାନଙ୍କୁ ଆହୁରି ବର୍ଷେ ସମୟ ଲାଗିଯାଇଥିଲା । ମୋଗଲ, ମରହଟ୍ଟା ଶାସନ କାଳରେ ଓଡ଼ିଶାର ଶ୍ରୀହୀନତା ଯାହାଥିଲା ଇଂରେଜ ଶାସନ ସମୟରେ ତାହା ଅନେକ ଗୁଣରେ ଅନେକ ରୂପରେ ପରିବୃଦ୍ଧି ହୋଇଥିଲା । ମାତ୍ର ବାରବର୍ଷ ମଧ୍ୟରେ ଖୋରଧାର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସଂକଟର କରାଳଛାୟା ସମଗ୍ର ଖୋରଧା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଲା । ଇଂରେଜ ଶାସକ ଫ୍ଳେଚର୍‌ ସାହେବଙ୍କ ଅମାନୁଷିକ ବର୍ବରୋଚିତ କାର୍ଯ୍ୟକଳାପ, ରାଜସ୍ୱନୀତି, ଏବଂ କୂଟଚକ୍ରାନ୍ତ ଓଡ଼ିଶାବାସୀଙ୍କୁ ଉତ୍‌କ୍ଷିପ୍ତ କରିଥିଲା । ଦଳିତ, ଅବହେଳିତ, ନିଷ୍ପେଷିତ ଜୀବନଧରି ବଞ୍ଚିବା ଅପେକ୍ଷା ବିପ୍ଳବୀ ସାଜି ଦେଶୋଦ୍ଧାର ପାଇଁ ଖଣ୍ଡାୟତ ପାଇକମାନଙ୍କ ହୃଦୟରେ ଦୁର୍ବାର ଶପଥ ଜାଗିଉଠିଲା । ବିପ୍ଳବର ନେତା ବକ୍‌ସିଜଗବନ୍ଧୁ ପୁରୀଯାଇ ଗୋପନରେ ପୁରୀ ମୁକୁନ୍ଦଦେବଙ୍କ ସଙ୍ଗେ ପରାମର୍ଶ କଲେ । ରାଜ୍ୟ ରକ୍ଷାପାଇଁ ବିପ୍ଳବ କରିବାକୁ ମୁକୁନ୍ଦଦେବଙ୍କ ପରାମର୍ଶ ଏବଂ ତାଙ୍କର ଦୃଢ଼ ମନୋବଳ ବକ୍‌ସିଙ୍କ ପ୍ରାଣରେ ନୂତନ ଉନ୍ମାଦନା ଭରିଦେଇଥିଲା । ଇଂରେଜମାନଙ୍କୁ ନିଶ୍ଚିହ୍ନ କରିଦେବାକୁ ବକ୍‌ସି ନେଲେ ଆଗ୍ନେୟ ଶପଥ । ବକ୍‌ସିଙ୍କ ବୀରତ୍ୱ ସାଙ୍ଗଠନିକ ନେତୃତ୍ୱରେ ଖୋରଧାରେ ବାଜିଉଠିଲା ଗଣବିପ୍ଳବର ପାଞ୍ଚଜନ୍ୟ । ଖୋର୍ଦ୍ଧାର ପାଇକମାନଙ୍କ ସହିତ ଯୋଗଦେଲେ ଘୁମୁସରର ୪୦୦ କନ୍ଧପାଇକ, ବାଣପୁରର ୩ଶହ କନ୍ଧ ସେନାନୀ ଏବଂ କୁଜଙ୍ଗ, କନିକା ରାଜାଙ୍କ ସୈନ୍ୟ । ଦଳବେହେରାଙ୍କ ୧୮ ଶହ ପାଇକ ମଧ୍ୟ ସଂଗ୍ରାମରେ ଲମ୍ଫ ପ୍ରଦାନ କଲେ । ପୁରୀ, ପିପିଲି, ବାଣପୁରଠାରେ ଇଂରେଜମାନଙ୍କ ସହିତ ପାଇକମାନଙ୍କର ତୁମୁଳ ସଂଗ୍ରାମହେଲା । କଟକ, ପୁରୀ, ବାଲେଶ୍ୱରରେ ଏ ବିଦ୍ରୋହ ପ୍ରବଳ ହୋଇଉଠିଲା । ପ୍ରଥମେ ଇଂରେଜ ସରକାର ତ୍ରସ୍ତ ହୋଇଥିଲେ ମଧ୍ୟ ପରେ ବାହାରୁ ପ୍ରଚୁର ସୈନ୍ୟ ମଗାଇ ଏ ବିଦ୍ରୋହକୁ ଦମନ କରିଥିଲେ । ବିଚାର ହୋଇ ଅନେକ ବିଦ୍ରୋହୀଙ୍କୁ ଫାଶୀ, ଦ୍ୱୀପାନ୍ତର ଓ ଜେଲଦଣ୍ଡ ଦିଆଗଲା ।

 

୧୮୧୭ରେ ଆରମ୍ଭ ହୋଇଥିବା ସ୍ୱାଧୀନତା ସଂଗ୍ରାମର ପ୍ରଥମ ପର୍ବ ସମାଧି ନେଲା । ମୁକୁନ୍ଦଦେବ, ବକ୍‌ସି ଜଗବନ୍ଧୁ, ଜୟୀ ରାଜଗୁରୁ ପ୍ରଭୃତି ରାଜନୈତିକ ସଂଗ୍ରାମୀମାନେ ଏବଂ ଦୀନବନ୍ଧୁ, ତା’ର ପତ୍ନୀ ଚମ୍ପା, ସନାତନ, ମଦନ, ନୃସିଂହ, ସଦାଶିବ ପ୍ରଭୃତି ବିଦ୍ରୋହର ସହଯୋଗୀ ଚରିତ୍ରମାନେ ଜଣେ ଜଣେ ସ୍ୱାଧୀନତାର ଅଗ୍ରଦୂତ ଭାବରେ ଉପନ୍ୟାସର ପୃଷ୍ଠା ମଣ୍ଡନ କରିଛନ୍ତି । ଦେଶପ୍ରୀତି, ଜାତୀୟତା, ଆତ୍ମୋତ୍ସର୍ଗର ଉନ୍ନତ ଚିତ୍ର ମାଧ୍ୟମର ଗୋଟାଏ ବୀର ଜାତିର ମାନବୀୟ ମର୍ଯ୍ୟାଦାବୋଧ ହିଁ ଏ ଉପନ୍ୟାସର ଆତ୍ମିକ ପରିଚୟ । ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାବହରୂପେ ‘୧୮୧୭’ ଉପନ୍ୟାସଟି ଗୋଦାବରୀଶଙ୍କ ଏକ ସଫଳକୃତୀ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ହାସ୍ୟରସର ବିମଳ ପ୍ରବହମାନତା ଭିତରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକମାତ୍ର ଅସଂପୂର୍ଣ୍ଣ ଉପନ୍ୟାସ ଏକ ଯୁଗାନ୍ତକାରୀ ଆଲୋଡ଼ନ । ରାଜନୈତିକ ଘଟଣା ବିନ୍ୟାସରେ ଏହା ଗୁମ୍ଫିତ ହୋଇନଥିଲେ ମଧ୍ୟ ଉଗ୍ରଜାତୀୟତାବାଦ, ଦେଶପ୍ରାଣତା ଏବଂ ସନ୍ତ୍ରାସବାଦର ସୂଚନା ହିଁ ଏହାର ଅନ୍ତଃସ୍ୱର । ବଙ୍ଗଚ୍ଛେଦ ପରେ ଇଂରେଜମାନଙ୍କୁ ଦେଶରୁ ସମୂଳେ ଧ୍ୱଂସ କରିବାପାଇଁ ବଙ୍ଗବାସୀଙ୍କ ପ୍ରାଣରେ ଜାଗିଥିଲା ଦୁର୍ବାର ଆଗ୍ନେୟ ଶପଥ । ୧୯୦୮ ମସିହାରେ ବଙ୍ଗଳାରେ ବୋମାଯୁଗର ଅୟମାରମ୍ଭ ହୋଇଥିଲା । ସଶସ୍ତ୍ର ସଂଗ୍ରାମ ଦ୍ୱାରା ଭାରତର ସ୍ୱାଧୀନତା ହାସଲ କରିବାକୁ ଯେଉଁମାନେ ଶପଥ ନେଲେ, ସେମାନେ ପରିଚିତ ହେଲେ ସନ୍ତ୍ରାସବାଦୀ ଭାବରେ । ଗାନ୍ଧିଜୀ କିମ୍ବା ଭାରତୀୟ ଜାତୀୟ କଂଗ୍ରେସ ସେମାନଙ୍କୁ ଜାତୀୟ ସଂଗ୍ରାମୀର ସ୍ୱୀକୃତି ଦେଇ ନ ଥିଲେ ମଧ୍ୟ ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଆଗ୍ନେୟ ଅନୁଷ୍ଠାନ ହୋଇ ଉଠିଥିଲେ । ସତ୍ୟ, ଅହିଂସା ମାର୍ଗରେ ଭାରତର ସ୍ୱାଧୀନତା ସଂଗ୍ରାମ ପରିଚାଳିତ ହେଉଥିଲେ ମଧ୍ୟ ବିପ୍ଳବୀମାନଙ୍କଦ୍ୱାରା ପ୍ରତ୍ୟକ୍ଷ ସଂଗ୍ରାମ ଅନେକ ସ୍ଥାନରେ ପରିଦୃଷ୍ଟ ହେଉଥିଲା । ଇଂରେଜମାନଙ୍କର ଗୁଳି ଗୋଳା, ବଂଧୁକ, କମାଣ ବିରୁଦ୍ଧରେ ବିପ୍ଳବୀମାନେ ସଶସ୍ତ୍ର ମୁକ୍ତିସଂଗ୍ରାମର ଆୟୋଜନ କରୁଥିଲେ । ଢାକା, କୁମିଲ୍ଲା, ଚଟ୍ଟଗ୍ରାମ, କଲିକତା ଓ ମେଦିନୀପୁରରେ ବିପ୍ଳବୀମାନଙ୍କର ସଶସ୍ତ୍ର ଆକ୍ରମଣ ଇଂରେଜମାନଙ୍କର ସୁଦୃଢ଼ ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲା-

 

୧୯୨୭-୨୮ ମସିହାରେ ଭାରତର ଯୁବସମାଜ ଜବାହରଲାଲ ନେହେରୁ ଏବଂ ସୁଭାଷଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତୀୟ ସଂଗ୍ରାମରେ ଯୋଗଦେବାକୁ ପ୍ରସ୍ତୁତ ହୋଇଥିଲେ । ବିଭିନ୍ନ ସଂଗଠନ ମାଧ୍ୟମରେ ଯୁବଶକ୍ତିକୁ ସ୍ୱାଧୀନତା ସଂଗ୍ରାମରେ ଏକୀଭୂତ କରିବାଥିଲା ସୁଭାଷ ବୋଷ ଏବଂ ଜବାହରଲାଲ ନେହେରୁଙ୍କ ଲକ୍ଷ୍ୟ । ସେଇ ଆହ୍ୱାନରେ ଉଦ୍‌ବୁଦ୍ଧ ହୋଇ ଲକ୍ଷ୍ମୀକାନ୍ତ ତାଙ୍କ ‘କଣା ମାମୁଁ’ ଉପନ୍ୟାସ ମଧ୍ୟରେ ଯୁବଶକ୍ତି ସଂଗଠନ ଓ ଯୁବଶକ୍ତିର ସ୍ୱାଧୀନଚେତା ମନୋଭାବ ସୃଷ୍ଟି, ଆତ୍ମୋତ୍ସର୍ଗ ଏବଂ ପ୍ରତ୍ୟକ୍ଷ ସଂଗ୍ରାମ ପାଇଁ ଯୁବଶକ୍ତିର ପ୍ରସ୍ତୁତି ପ୍ରଭୃତିର ପ୍ରତ୍ୟକ୍ଷ ଅବତାରଣା କରିଛନ୍ତି । କଣା ମାମୁଁଙ୍କର ପ୍ରକୃତ ପରିଚୟ ସଂଗୁପ୍ତ ରଖି ଲେଖକ ଉକ୍ତ ଚରିତ୍ରର ନିର୍ଭୀକ ସାହସିକତା, ଉଗ୍ର ଜାତୀୟ ଚେତନା, ସାଂଗଠନିକ ନେତୃତ୍ୱ, ସଂଗ୍ରାମୀ ମନୋବଳ, ଆତ୍ମୋତ୍ସର୍ଗ ପ୍ରଭୃତିର ସୂଚନା ଦେଇଛନ୍ତି । ପ୍ରତ୍ୟକ୍ଷ ସଂଗ୍ରାମରେ ବିଶ୍ୱାସ କରୁଥିବା ‘କଣାମାମୁଁ’ଙ୍କ ଉଦ୍ଦେଶ୍ୟ ଥିଲା ପୁରପଲ୍ଲୀରେ ଦେଶୋଦ୍ଧାର ପାଇଁ ସଚ୍ଚୋଟ ଯବାନ ସୃଷ୍ଟି କରିବା । ଇଂରେଜ ସରକାରଙ୍କ ଦୃଷ୍ଟିର ଅନ୍ତରାଳରେ ରହି ଛଦ୍ମ ଭାବରେ ସନ୍ତ୍ରାସବାଦୀମାନେ ଭାରତର ଅନେକ ପୁରପଲ୍ଲୀରେ ଏହିପରି ଯୁବସଂଗଠନକୁ ପ୍ରତ୍ୟକ୍ଷ ସଂଗ୍ରାମ ପାଇଁ ପ୍ରସ୍ତୁତ କରାଉଥିଲେ । ସେହି ବିପ୍ଳବୀମାନଙ୍କର ମନୋଭାବକୁ ଲେଖକ କଣାମାମୁଁଙ୍କ ମୁହଁରେ ପ୍ରକାଶ କରିଛନ୍ତି-‘‘ଏ କାମ କରିବାପାଇଁ ସନ୍ନ୍ୟାସୀ ହେବାକୁ ପଡ଼ିବ । ଚିତା, ଚୈତନ୍ୟ, ଜଟା, ଗେରୁଆ ନୁହେଁ-ଯାହାକୁ କହନ୍ତି ଅସଲ ତ୍ୟାଗୀ । କାମଟା ସହଜ ନୁହେଁ, ଜୀବନ ନେବାକୁ ହେବ ଆଉ ଜୀବନ ଦେବାକୁ ହେବ ।’’ ଇଂରେଜମାନଙ୍କୁ ପିଟି, ବାଡ଼େଇ, ରକ୍ତନଦୀ ବୁହାଇ ସ୍ୱାଧୀନତା ଆଣିବାକୁ କଣାମାମୁଁଙ୍କର ଆଗ୍ନେୟ ଆହ୍ୱାନକୁ ସତେ ଯେପରି ଲକ୍ଷ୍ମୀକାନ୍ତ ଗ୍ରହଣ କରି କଣାମାମୁଁ ଉପନ୍ୟାସ ମାଧ୍ୟମରେ ସଶସ୍ତ୍ର ମୁକ୍ତିସଂଗ୍ରାମର ଆହ୍ୱାନ ଦେଇଥିଲେ ଓଡ଼ିଶାର ଯୁବ ଗୋଷ୍ଠୀକୁ । ଭାରତର ରାଜନୈତିକ ଆନ୍ଦୋଳନ ପୃଷ୍ଠଭୂମିରେ ‘କଣାମାମୁଁ’ ଉପନ୍ୟାସ ଏକ ଉଗ୍ର ରାଜନୈତିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ହୋଇ ସ୍ୱକୀୟ ମର୍ଯ୍ୟାଦାରେ ଦୀପ୍ତିମନ୍ତ ହୋଇ ରହିଛି ।

 

ସବୁଜ ଗୋଷ୍ଠୀର ସ୍ୱପ୍ନ-ବିଳାସତାକୁ ପରିହାର କରି ଦେଶର ରାଜନୈତିକ ସଂକଟ ମୁହୂର୍ତ୍ତରେ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଲେଖନୀ ବାସ୍ତବାଭିମୁଖୀ ହୋଇ ଉଠିଥିଲା । ପ୍ରତ୍ୟକ୍ଷ ଭାବରେ ସେ ଜାତୀୟମୁକ୍ତି ଆନ୍ଦୋଳନରେ ସାମିଲ ହୋଇ ନ ଥିଲେ ମଧ୍ୟ ଦେଶ ଓ ଜାତି ପାଇଁ ତାଙ୍କ ପ୍ରାଣରେ ଗଭୀର ଶ୍ରଦ୍ଧା ଥିଲା । ଅସହଯୋଗ ଆନ୍ଦୋଳନ ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀ ଏବଂ ଜାତୀୟ କଂଗ୍ରେସର ଆହ୍ୱାନକୁ ସେ ଗଭୀର ସମ୍ମାନ ଦେଇ ତ୍ୟାଗ, ଅହିଂସା ଏବଂ ଜାତୀୟ ମୁକ୍ତି ଆନ୍ଦୋଳନର ବାର୍ତ୍ତାକୁ ସାହିତ୍ୟ ମାଧ୍ୟମରେ ପ୍ରସାର ଏବଂ ପ୍ରଚାର କରିବା ପାଇଁ ଚେଷ୍ଟିତ ହୋଇଥିଲେ । ତାଙ୍କର ‘ମୁକ୍ତାଗଡ଼ର କ୍ଷୁଧା’ ଏବଂ ‘ଅମର ଚିତା’ର କଥାବସ୍ତୁ ଭାରତୀୟ ଜାତୀୟ ମୁକ୍ତି ଆନ୍ଦୋଳନର ପୂର୍ବବର୍ତ୍ତୀ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ଓଡ଼ିଶାର ଜନଜୀବନକୁ ବିପର୍ଯ୍ୟସ୍ତ କରି ଓଡ଼ିଶାର ଆର୍ଥିକ, ସାମାଜିକ ସ୍ଥିତିକୁ ବିକଳ ବିଦଗ୍‌ଧ କରି ୧୮୬୬ ମସିହାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷର ପୃଷ୍ଠଭୂମିରେ ଏ ଦୁଇଟି ଉପନ୍ୟାସର ଘଟଣାବଳୀ ଗୁମ୍ଫିତ । ଏଥିରେ ଇଂରେଜ ସରକାରଙ୍କ ଅମାନୁଷିକ ରାଜନୀତି, ନୀତିହୀନତା, ଦେଶର ରାଜନୈତିକ ଅସ୍ଥିରତା ମୂକ ଜନତାଙ୍କ ବଞ୍ଚିବା ପାଇଁ କରୁଣ ଆବେଦନ, ଆଲୋଡ଼ନ ଏବଂ ବିଦ୍ରୋହ ପ୍ରଭୃତିର ବାସ୍ତବ ଚିତ୍ର ଲେଖକ ପ୍ରଦାନ କରିଛନ୍ତି । ନ’ ଅଙ୍କ ଦୁର୍ଭିକ୍ଷର ଅଶ୍ରୁଳ ପୃଷ୍ଠା ଭିତରେ ତତ୍କାଳୀନ ରାଜନୈତିକ ଚିତ୍ରର ବାସ୍ତବତା ଏ ଉପନ୍ୟାସ ଦୁଇଟିକୁ ସାମାଜିକ ସ୍ତରରୁ ରାଜନୈତିକ ସ୍ତରକୁ ଉନ୍ନୀତ କରିଛି ।

 

୧୯୨୧ ରୁ ୧୯୩୦ ମସିହା ମଧ୍ୟରେ ସାରା ଭାରତରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ଅହିଂସା ଅସହଯୋଗ ଆନ୍ଦୋଳନ ବ୍ୟାପକ ହୋଇଉଠିଥିଲା-ତାହାରି ପ୍ରେରଣାରେ କାଳିନ୍ଦୀ ଚରଣଙ୍କ ‘ମାଟିର ମଣିଷ’ ଏବଂ ‘ଲୁହାର ମଣିଷ’ର ଜନ୍ମ । କିନ୍ତୁ ‘ଲୁହାର ମଣିଷ’ ସଂପୂର୍ଣ୍ଣଭାବେ ରାଜନୈତିକ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ‘ମାଟିର ମଣିଷ’ ଉପନ୍ୟାସଟି ସାମାଜିକ ତଥା ପାରିବାରିକ ଘଟଣାବଳୀ ଉପରେ ଆଧାରିତ । ତଥାପି ନାୟକ ବରଜୁ ପଧାନର ସ୍ୱଦେଶପ୍ରୀତି, ଜାତିପ୍ରାଣତା, ସତ୍ୟ ଓ ଆଦର୍ଶବାଦିତା, ତ୍ୟାଗ, ତିତିକ୍ଷା ଓ ଅହିଂସା ନୀତି-ତାକୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ବାର୍ତ୍ତାବହ ରୂପେ ପ୍ରତିଷ୍ଠିତ କରିଛି । ସେଇ ତ୍ୟାଗପୂତ, ସ୍ୱାଧୀନଚେତା ମାଟିର ମଣିଷ ବରଜୁ ଗାଁ ଛାଡ଼ି ହରିପୁର ଗାଁରେ ଅବସ୍ଥାନ କରୁଥିବା ସମୟରେ ସ୍ୱରାଜ୍ୟ ଆନ୍ଦୋଳନ ଭିତରେ ନିଜର ମନ, ପ୍ରାଣ, ଚିନ୍ତା ଓ ଚେତନାକୁ ହଜାଇ ଦେଇଛି । କଂଗ୍ରେସ କର୍ମୀ ଜୟକୃଷ୍ଣ ବାବୁ, ନାଥବାବୁ, ଅର୍ଜୁନ ବାବୁଙ୍କ ପ୍ରରୋଚନାରେ ସେ ନିଜକୁ ସାମିଲ କରି ଦେଇଛି ଜାତୀୟ ଆନ୍ଦୋଳନ ଭିତରେ । ଗାଉଁଲି ମଣିଷ ବରଜୁ ପଧାନ ଅରଟରେ ସୂତାକାଟି ଖଦଡ଼ ପିନ୍ଧିଛି-। କଂଗ୍ରେସର ବାର୍ତ୍ତା ପ୍ରଚାର କରିଛି । ହରିପୁର ହାଟ କଂଗ୍ରେସ ସଭାରେ ମାଟିର ମଣିଷ ବରଜୁ ଜୀବନରେ ପ୍ରଥମଥର ପାଇଁ ମୁହଁ ଖୋଲିଛି ବିରାଟ ଜନତାଙ୍କ ଆଗରେ । ସ୍ୱତଃସ୍ଫୂର୍ତ୍ତ ଭାବରେ ତା’ କଣ୍ଠରୁ ଝରି ଆସିଛି ବଜ୍ର ଗମ୍ଭୀର ସ୍ୱାଧୀନତାର ବାଣୀ, ଜାତୀୟମୁକ୍ତି ସଂଗ୍ରାମ ପାଇଁ ଆଗ୍ନେୟ ଆହ୍ୱାନ । ଅନ୍ୟ ନେତାମାନଙ୍କ ସହିତ ଗିରଫ ହୋଇଛି ବରଜୁ ପଧାନ । ନିଜ ସ୍ତ୍ରୀ ହାରାବୋଉ ହାତରୁ ବୀର ସୈନିକର ଗୌରବ ଟୀକା ମଥାରେ ନେଇ ଗୌରାଙ୍ଗ ହାତରୁ କନିଅର ଫୁଲମାଳ ବେକରେ ପିନ୍ଧି ସେ ହସି ହସି ଜେଲ ଯାଇଛି । ମାଟିର ମଣିଷ ବରଜୁ ପଧାନ ରୂପାନ୍ତରିତ ହୋଇଛି ଲୁହାର ମଣିଷରେ । ‘ଲୁହାର ମଣିଷ’ ଉପନ୍ୟାସରେ ଅତି ସାଧାରଣ ଚିରିତ୍ର ରାଜୀବ ଲେଙ୍କା, ନୂପୁରୀ ବାରିକାଣୀ, ଗୌରାଙ୍ଗ ପ୍ରଭୃତିଙ୍କ ଭିତରେ ଯେଉଁ ଜାତୀୟ ଚେତନା ଏବଂ ରାଜନୈତିକ ସନ୍ଦେଶ ସୃଷ୍ଟି ହୋଇଛି, ତାହା ଯୁଗ-ଚେତନାର ପ୍ରତିସ୍ପନ୍ଦନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକ ସଫଳ ରାଜନୈତିକ ଉପନ୍ୟାସ ଭାବେ ‘ଲୁହାର ମଣିଷ’ ସର୍ବଜନାଦୃତ ହୋଇ ପାରିଛି-

 

୧୯୩୦ ରୁ ୧୯୪୦ ମସିହା ମଧ୍ୟରେ ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ପ୍ରଗତିବାଦୀ ଚିନ୍ତାଧାରା ସମଗ୍ର ଭାରତୀୟ ସାହିତ୍ୟକୁ ପ୍ରଭାବିତ କରିଥିଲା । ୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତରେ ସର୍ବତ୍ର ସ୍ୱାଧୀନତା ଦିବସ ପାଳନ, ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀଙ୍କ ‘ଦାଣ୍ଡୀଯାତ୍ରା’ ଗଣଜାଗରଣ ସୃଷ୍ଟିକରି ଜାତୀୟ ଆନ୍ଦୋଳନକୁ ଅଧିକ ସକ୍ରିୟ କରିଥିଲା । ଏହି ପରିପ୍ରେକ୍ଷୀରେ ରାମପ୍ରସାଦ ସିଂହଙ୍କ ଉପନ୍ୟାସକୁ ବିଚାର କରାଯାଇ ପାରେ । ସାମ୍ୟବାଦୀ ଚିନ୍ତା ଓ ଚେତନାକୁ ଗ୍ରହଣ କରି ସେ ଏକ ନୂତନ ସମାଜର ପରିକଳ୍ପନା କରିଥିଲେ । ତାଙ୍କର ‘ହୋମ ଶିଖା’, ‘ସମାପ୍ତି’, ‘ରକ୍ତରେଖା’, ‘ପ୍ରତିହିଂସା’, ‘ମରିଚିକା’, ‘ମରୁର ସାଥୀ‘, ସଂଧ୍ୟା ଦୀପ’, ଓ ‘ଛିନ୍ନମସ୍ତା’ ପ୍ରଭୃତି ଉପନ୍ୟାସର କଥାବସ୍ତୁ ଭିତରେ ପ୍ରେମ, ପ୍ରଣୟ, ପ୍ରତାରଣା, ଦେଶପ୍ରୀତି, ଗଡ଼ଜାତର ଅନ୍ଧାରୀ ଶାସନ, ଜମିଦାରଙ୍କ କ୍ରୂରତା, ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ଉଦ୍ୟମ, ଅହିଂସା ଅସହଯୋଗ ଆନ୍ଦୋଳନର ବାର୍ତ୍ତା, ସାମ୍ୟବାଦୀ ଭାବଧାରା, ଗାନ୍ଧୀବାଦ ଏବଂ ବୈପ୍ଳବିକ ଚେତନା ପରିସ୍ପନ୍ଦିତ ହୋଇଛି । କିନ୍ତୁ ଏ ସବୁ ଉପନ୍ୟାସମାନଙ୍କରେ ରାଜନୈତିକ ପୃଷ୍ଠଭୂମି ଦୁର୍ବଳ ହୋଇ ସାମାଜିକ ପୃଷ୍ଠଭୂମି ସୁଦୃଢ଼ ହୋଇଛି । କେବଳ ରାଜନୈତିକ ଚେତନାର ସ୍ଫୁରଣ ଘଟାଇ ଏମାନେ ସାମାଜିକ ଉପନ୍ୟାସର ସ୍ଥାନ ଅଧିକାର କରିଛନ୍ତି । କିନ୍ତୁ ତାଙ୍କର ‘ପୂଜାର ବଳି’ (୧୯୩୧) ଉପନ୍ୟାସଟି ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ଉତ୍କଳ ପ୍ରାଦେଶିକ କମିଟି ଦ୍ୱାରା ସ୍ଥିରୀକୃତ ଆଇନ ଅମାନ୍ୟ ଆନ୍ଦୋଳନ ଗୋପବନ୍ଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ଓଡ଼ିଶାରେ ଆରମ୍ଭ ହୋଇଥିଲା । ଏମାନେ ପ୍ରଥମ ଦଫାରେ ୨୧ ଜଣ ସତ୍ୟାଗ୍ରହୀଙ୍କୁ ସଙ୍ଗରେ ଧରି ବିପୁଳ ଉଦ୍ଦୀପନା ମଧ୍ୟରେ କଟକ ସ୍ୱରାଜ୍ୟ ଆଶ୍ରମଠାରୁ ବାଲେଶ୍ୱର ଜିଲ୍ଲା ଇଞ୍ଚୁଡ଼ିକୁ ଯାତ୍ରା କଲେ ୧୯୩୦ ମସିହା ଏପ୍ରିଲ ମାସ ୬ ତାରିଖ ସକାଳେ ।

 

ମଦନ ମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ୨ୟ ଦଫାରେ ୨୦ ଜଣ ସତ୍ୟାଗ୍ରହୀ ଏପ୍ରିଲ ୯ ତାରିଖରେ ଯାତ୍ରା କରିଥିଲେ । ଲୁଣମାଟି ସଂଗ୍ରହ ଏବଂ ଆଇନ ଅମାନ୍ୟ କରିବାକୁ ସତ୍ୟାଗ୍ରହୀମାନଙ୍କୁ ପୋଲିସ ଗିରଫ କଲେ ମଧ୍ୟ ଦିନକୁ ଦିନ ଏହା ପ୍ରବଳ ହୋଇ ଉଠିଥିଲା । ୧୪ ଓ ୧୫ ତାରିଖ ଦିନ ସ୍ୱେଚ୍ଛାସେବକମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ପୋଲିସର ନିର୍ମମ ଅତ୍ୟାଚାର ସହି ମଧ୍ୟ ଆଇନ ଅମାନ୍ୟ କରିଥିଲେ । ଏପ୍ରିଲ ୨୦ ତାରିଖ ଦିନ ଶ୍ରୀମତୀ ରମା ଦେବୀ, ତାଙ୍କ କନ୍ୟା ଅନ୍ନପୂର୍ଣ୍ଣା, ମାଳତୀ ଦେବୀ ପ୍ରଭୃତି ବାଲେଶ୍ୱରର ଶ୍ରୀଜଙ୍ଗ ଓ ତୁଣ୍ଡରାଠାରେ ସେ ଗ୍ରାମର ଶହ ଶହ ମହିଳାଙ୍କୁ ସଙ୍ଗରେ ନେଇ ଲବଣ ସଂଗ୍ରହ କରି ଆଇନ ଅମାନ୍ୟ କରିଥିଲେ-। ଇଞ୍ଚୁଡ଼ିଠାରେ ହୋଇଥିବା ଏହି ଲବଣ ସତ୍ୟାଗ୍ରହ ପୃଷ୍ଠଭୂମିରେ ରଚିତ ‘ପୂଜାର ବଳି’ ଉପନ୍ୟାସରେ ରାଜନୈତିକ ସତ୍ତା ସ୍ପଷ୍ଟ ଓ ଜୀବନ୍ତ । ‘ଅନନ୍ତ’ର ଦେଶପ୍ରେମ ଏବଂ ଆତ୍ମୋତ୍ସର୍ଗ, ‘କୁମ’ର ଦେଶ ପ୍ରୀତି, ସତ୍ୟାଗ୍ରହୀ ମହିଳା ଓ ଶିଶୁମାନଙ୍କ ଉପରେ ପୋଲିସର ଅମାନୁଷିକ ଅତ୍ୟାଚାର ଏବଂ ଅନେକ ସତ୍ୟାଗ୍ରହୀଙ୍କ ଆତ୍ମବଳିର ଅଶ୍ରୁଳ କଥା ଉପସ୍ଥାପନରେ ଏ ଉପନ୍ୟାସ ଜୀବନ୍ତ । ଏକ ସାର୍ଥକ ରାଜନୈତିକ ଉପନ୍ୟାସ ଭାବେ ଏହା ରସୋତ୍ତୀର୍ଣ୍ଣ ଏବଂ ବାସ୍ତବାନୁରଞ୍ଜିତ ।

 

ଇଂରେଜଶାସନ ସମୟରେ ଗଡ଼ଜାତ ରାଜାମାନେ ଇଂରେଜ ସରକାରଙ୍କ କୃପା ଲାଭ କରି ନିରଙ୍କୁଶ ଶାସନ ଚଳାଇ ଥିଲେ । ମନୋମୁଖୀ କରଧାର୍ଯ୍ୟ, ବେଠି, ମାଗଣ, ରସଜ ପ୍ରଭୃତି ଅନ୍ୟାୟ ଅତ୍ୟାଚାରର ଶରବ୍ୟ ହୋଇ ନିରୀହ ପ୍ରଜାମାନେ ଜୀବନ୍ତ-ଯନ୍ତ୍ରଣା ଭୋଗ କରୁଥିଲେ ମଧ୍ୟ ସାମୟିକ ଭାବେ ପ୍ରଜାମାନେ ରାଜଶକ୍ତି ବିରୁଦ୍ଧରେ ବିପ୍ଳବୀ ହୋଇ ଉଠୁଥିଲେ । ୧୮୬୨-୬୩ରେ କେନ୍ଦୁଝର ବିଦ୍ରୋହ, ୧୯୧୮ରୁ ୨୮ ମସିହା ମଧ୍ୟରେ ବାମଡ଼ା ଗଡ଼ଜାତରେ ୪ଥର ପ୍ରଜା ବିଦ୍ରୋହ, ୧୯୧୩ରେ ଦଶପଲ୍ଲା ବିଦ୍ରୋହ, ୧୯୧୧ ରେ ତାଳଚେର ବିଦ୍ରୋହ, ୧୯୧୭ ରେ ମୟୂରଭଞ୍ଜ ଆନ୍ଦୋଳନ, ୧୯୨୨ ରେ ଢେଙ୍କାନାଳ ଆନ୍ଦୋଳନ ଏବଂ ୧୯୨୮ ରେ ନୀଳଗିରି ପ୍ରଜା ଆନ୍ଦୋଳନ ରାଜଶକ୍ତି ଓ ଇଂରେଜ ସରକାର ବିରୁଦ୍ଧରେ ଯଥେଷ୍ଟ ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ ରାଜଶକ୍ତି ଏବଂ ଇଂରେଜମାନଙ୍କ ଦ୍ୱାରା ସେସବୁ ଦମନ କରାଯାଇଥିଲା ।

 

୧୯୩୮ ମସିହା ବେଳକୁ ଭଗବତୀ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଢେଙ୍କାନାଳ ସମେତ ଅନ୍ୟାନ୍ୟ ଗଡ଼ଜାତମାନଙ୍କରେ ପ୍ରଜା ଆନ୍ଦୋଳନ ବ୍ୟାପକ ହୋଇଥିଲା । ଏହି ଆନ୍ଦୋଳନ ଭାରତର ସ୍ୱାଧୀନତା ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଶାରେ ନୂତନ ଜାଗରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା । ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’ ଏବଂ ‘ଅବ୍ୟାପାର’ ଉପନ୍ୟାସ ଦୁଇଟିକୁ ସ୍ୱାଧୀନତା ପୂର୍ବବର୍ତ୍ତୀ ରାଜନୈତିକ ଉପନ୍ୟାସ ଭାବରେ ଗ୍ରହଣ କରାଯାଇ ପାରେ । ‘ପ୍ରତିଭା’ ଉପନ୍ୟାସରେ ଗାନ୍ଧିଜୀଙ୍କ ଅହିଂସା ଅସହଯୋଗ ଆନ୍ଦୋଳନର ଆହ୍ୱାନ ନବୀନ ଓ ପ୍ରବୀଣଙ୍କଠାରେ ଯେପରି ଉଦ୍ଦୀପ୍ତ ହୋଇଛି, ଉପନ୍ୟାସର ଶେଷ ପର୍ଯ୍ୟାୟରେ ପ୍ରତିଭା ପ୍ରଜା ମେଳିରେ ଯୋଗଦାନ କରି ଉପନ୍ୟାସର ସ୍ୱରକୁ ରାଜନୈତିକ ଦୃଷ୍ଟିକୋଣରୁ ଆହୁରି ଦୃଢ଼ କରିଛି । ଜାତୀୟ ସଙ୍କଟ ମୁହୂର୍ତ୍ତରେ ପ୍ରତିଭା ବିପ୍ଳବିନୀ ସାଜିଛି । ଗୋଟିଏ ପକ୍ଷରେ ସ୍ୱାଧୀନତା ଆନ୍ଦୋଳନ ଏବଂ ଅପର ପକ୍ଷରେ ରାଜଶକ୍ତିର ଅନ୍ୟାୟ ବିରୁଦ୍ଧରେ ପ୍ରଜାମେଳି-ଏ ଉଭୟ ରାଜନୈତିକ ପୃଷ୍ଠଭୂମି ଉପରେ ‘ପ୍ରତିଭା’ ଏକ ସାର୍ଥକ ସୃଷ୍ଟି ରୂପେ ବିବେଚିତ । ‘ଅବ୍ୟାପାର’ ଉପନ୍ୟାସଟି ମଧ୍ୟ ସେହିପରି ଗଡ଼ଜାତ ରାଜାଙ୍କର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆନ୍ଦୋଳନ, ଆନ୍ଦୋଳନ ଦମନ ପାଇଁ ରାଜଶକ୍ତି ଓ ଗୋରା ସୈନିକଙ୍କର ବୀଭତ୍ସ ଅତ୍ୟାଚାର, ଦେଶ ଓ ଜାତି ପାଇଁ ଆତ୍ମୋତ୍ସର୍ଗ, ସ୍ୱାଧୀନତା ଆନ୍ଦୋଳନ ଏବଂ ଗାନ୍ଧୀବାଦ ପ୍ରଭୃତି ଉପରେ ପର୍ଯ୍ୟବସିତ । ‘ଟାଉଟର’ ଉପନ୍ୟାସରେ ଲେଖକ ଅହିଂସ ନୀତି ଓ ଆଦର୍ଶ, କଂଗ୍ରେସବାର୍ତ୍ତା, ଚରଖା ଏବଂ ଦେଶପ୍ରାଣତାର ଅନେକ ବାସ୍ତବ ସ୍ୱାକ୍ଷର ସୃଷ୍ଟି କରିଛନ୍ତି । କଥାବସ୍ତୁ ସାମାଜିକ ଭିତ୍ତିଭୂମି ଉପରେ ଗଢ଼ି ଉଠିଥିଲେ ମଧ୍ୟ ଡକ୍ଟର ମହତାବଙ୍କର ପ୍ରାୟ ପ୍ରତ୍ୟେକ ଉପନ୍ୟାସରେ ରାଜନୈତିକ ସ୍ୱର ପ୍ରକଟିତ ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ଡକ୍ଟର ହରେକୃଷ୍ଣ ମହତାବଙ୍କର ‘ତୃତୀୟ ପର୍ବ’ ଏବଂ ‘୧୯୭୫’ ଉପନ୍ୟାସ ଦୁଇଟି ରାଜନୈତିକ ପୃଷ୍ଠଭୂମି ଉପରେ ଆଧାରିତ । ୧୯୭୩-୭୪ ମସିହା ବେଳକୁ ଭାରତର ଆର୍ଥନୀତିକ ସଙ୍କଟ ଏବଂ ରାଜନୈତିକ ବିପର୍ଯ୍ୟୟ ଯେଉଁ ସ୍ତରରେ ପହଞ୍ଚିଲା-ତାହା ସମଗ୍ର ଦେଶରେ ଏକ ବିପ୍ଳବାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ୧୯୭୫ ମସିହା ଜୁନ୍‌ ମାସରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶରେ ହଠାତ୍‌ ଯେଉଁ ‘ଜରୁରୀକାଳୀନ ପରିସ୍ଥିତି’ ଜାରି କଲେ ତାହା ଦେଶର ବୁଦ୍ଧିଜୀବୀ, ଆଇନଜ୍ଞ, ରାଜନୀତିଜ୍ଞ ଏପରିକି ସାଧାରଣ ଜନତାଙ୍କୁ ହତବାକ୍‌ କରି ଦେଇଥିଲା । ରାଜନୈତିକ ଅସ୍ଥିରତାର ତ୍ରୁଟି ବିଚ୍ୟୁତି ସ୍ୱାଧୀନତାର ସ୍ୱପ୍ନଭଙ୍ଗ କରି ଦେଶରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା ତାହାର ଏକ ସୂକ୍ଷ୍ମ ଏବଂ ସାର ନିର୍ଯ୍ୟାସ ଡକ୍ଟର ମହତାବଙ୍କର ଏ ଦୁଇଟି ଉପନ୍ୟାସ । ଜରୁରୀକାଳୀନ ଅବସ୍ଥା ଜାରି ସମୟରେ ଏବଂ ଏହାର ପୂର୍ବ ସମୟର ଘଟଣା ଉପରେ ଏହା ପର୍ଯ୍ୟବସିତ । ଏଥିରେ ସାହିତ୍ୟିକ ମୂଲ୍ୟବୋଧ ଖଣ୍ଡିତ ହୋଇଥିଲେ ମଧ୍ୟ ବାସ୍ତବ ରାଜନୈତିକ ଘଟଣା ସମାବେଶରେ ଏହା ପରିପୁଷ୍ଟ । ଦେଶର ରାଜନୈତିକ, ସାମାଜିକ ଏବଂ ଆର୍ଥନୀତିକ ପରିସ୍ଥିତିର ପ୍ରତ୍ୟକ୍ଷ ଅନୁଭବକାରୀ ଡକ୍ଟର ମହତାବଙ୍କ ଜୀବନର ଛିନ୍ନ ପୃଷ୍ଠା ବହନ କରି ‘ତୃତୀୟ ପର୍ବ’ ଉପନ୍ୟାସଟି ବାସ୍ତବ ହୋଇଛି ।

 

୧୯୭୫ ମସିହାର ରାଜନୀତି, ଓଡ଼ିଶା ତଥା ଅନ୍ୟ ପ୍ରଦେଶର ଅବସ୍ଥା, ବିପ୍ଳବୀ ବଙ୍ଗଳାର ସନ୍ତ୍ରାସବାଦ, ହରିଚରଣଙ୍କୁ ମନ୍ତ୍ରୀପଦରୁ ବହିଷ୍କାର, ତାଙ୍କର ଦଳଗଠନ, ସ୍ୱାଧୀନତା ସଂଗ୍ରାମୀ ବାଳକୃଷ୍ଣ, ଜଗଦୀଶ ଏବଂ ଶରତଙ୍କ ଜୀବନର ଗତିପଥ, ତତ୍କାଳୀନ ରାଜନୀତିର ସ୍ୱର ଓ ସ୍ୱରୂପ, ‘ମିସା’ ଆଇନ ବଳରେ ସ୍ୱାଧୀନତା ସଂଗ୍ରାମୀ ତିନି ଜଣଙ୍କର ଗିରଫ ପ୍ରଭୃତି ‘୧୯୭୫’ ଉପନ୍ୟାସର ମୁଖ୍ୟ କଥା । ‘ତୃତୀୟ ପର୍ବ’ର ସ୍ୱାଧୀନତା ସଂଗ୍ରାମୀ, ସ୍ୱାଧୀନଚେତା ରାମଶଙ୍କର କିମ୍ବା ‘୧୯୭୫’ର ବାଳକୃଷ୍ଣ ପ୍ରଭୃତି ଏକ ଏକ ବଳିଷ୍ଠ ରାଜନୈତିକ ଚରିତ୍ରଭାବେ ଉପନ୍ୟାସ ଦୁଇଟିକୁ ବାସ୍ତବ କରି ପାରିଛନ୍ତି । ସ୍ଥୂଳତଃ କହିବାକୁ ଗଲେ ଡକ୍ଟର ମହତାବଙ୍କ ଜୀବନରେ ୧୯୭୫ ମସିହା ଯେଉଁ ବ୍ୟଥା, ବେଦନା, ଅବସାଦ, ଚିନ୍ତା ଓ ଯନ୍ତ୍ରଣା ରଖି ଦେଇଥିଲା-ସେ ସବୁର ପୁଷ୍କଳ ପରିପ୍ରକାଶ ହିଁ ‘ତୃତୀୟ ପର୍ବ’ ଏବଂ ‘୧୯୭୫’ ଉପନ୍ୟାସ ଦୁଇଟି ।

 

ନିତ୍ୟାନନ୍ଦ ମହାପାତ୍ରଙ୍କର ‘ଭଙ୍ଗାହାଡ଼’ ଓ ‘ହିଡ଼ମାଟି’ ଉପନ୍ୟାସ ଦ୍ୱୟ ୧୯୪୬ ମସିହାରେ ପରିକଳ୍ପିତ ହୋଇଥିଲେ ମଧ୍ୟ ୧୯୪୮ ରେ ଏହା ଆତ୍ମପ୍ରକାଶ ଲାଭ କରିଥିଲା । ଗ୍ରାମ୍ୟଜୀବନର ଏକ ସାଧାରଣ ପରିବାରର ଜୀବନ ଓ ତତ୍କାଳୀନ ସମାଜଭିତ୍ତିକ ଘଟଣାରେ ଉପନ୍ୟାସଦ୍ୱୟ ସୃଷ୍ଟି ହୋଇଥିଲେ ମଧ୍ୟ ଏଥିରେ ରାଜନୈତିକ ସ୍ୱର ପ୍ରକଟିତ । ସ୍ୱାଧୀନତା ପୂର୍ବବର୍ତ୍ତୀ ରାଜନୈତିକ ଘନଘଟା ଲେଖକଙ୍କୁ ଯେଉଁ ଉପାଦାନ ଯୋଗାଇ-ଥିଲା-ସ୍ୱାଧୀନତା ପରବର୍ତ୍ତୀ କାଳରେ ତାହାର ରୂପ ବଦଳି ଯାଇଥିଲା । ତେଣୁ ସଂପୂର୍ଣ୍ଣ ରାଜନୈତିକ ଘଟଣାବଳୀ କିମ୍ବା ନିର୍ଦ୍ଦିଷ୍ଟ ରାଜନୈତିକ ଲକ୍ଷ୍ୟ ଏଥିରେ ବ୍ୟାହତ ହୋଇଛି । ୨ୟ ବିଶ୍ୱଯୁଦ୍ଧ ସମୟର ଉତ୍କଳୀୟ ସମାଜ ଓ ଜୀବନ, ସ୍ୱାଧୀନତା ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ ତଥା ସାମ୍ୟବାଦୀ ବୈପ୍ଳବିକ ଚେତନା ଭିତରେ ଏ ଉପନ୍ୟାସ ଦ୍ୱୟ ଲେଖକଙ୍କ ସଂଗ୍ରାମୀ ପ୍ରାଣର ଭାଷା ପ୍ରକାଶ କରିଛି । ଏ ଉପନ୍ୟାସ ଦ୍ୱୟ ସଂପୂର୍ଣ୍ଣ ରାଜନୈତିକ ଉପନ୍ୟାସ ନ ହୋଇ ସାମାଜିକ-ରାଜନୈତିକ ଉପନ୍ୟାସ ଭାବରେ ଗ୍ରହଣୀୟ ।

 

ସ୍ୱାଧୀନତା ପ୍ରାପ୍ତିପରେ ଦେଶର ରାଜନୈତିକ ବିପର୍ଯ୍ୟୟ, ଗଣତନ୍ତ୍ରର ସ୍ଥାଣୁତ୍ୱ, ନିର୍ବାଚନ ଇସ୍ତାହାର, ଆର୍ଥନୀତିକ ସଙ୍କଟ ଫଳରେ ସ୍ୱାଧୀନତାର ସ୍ୱପ୍ନଭଙ୍ଗ ଘଟିଛି । ଅନେକ ହତାଶା, କାରୁଣ୍ୟ, ଯନ୍ତ୍ରଣା, ବୈରାଗ୍ୟ, ବୈକଲ୍ୟ ଏବଂ ବୈପ୍ଳବିକ ଚେତନା ଭିତରେ ସ୍ୱାଧୀନତାର ମୂଲ୍ୟବୋଧ ବିକଳାଙ୍ଗ ହୋଇଛି । ଜୀବନ ଖଣ୍ଡିତ ହୋଇଛି । ଏହାର ପ୍ରଭାବ ଅନେକ ଲୋକଙ୍କ ମନ ଭିତରେ ଗଭୀର ରେଖାପାତ କରିଛି । ଓଡ଼ିଆ ସାହିତ୍ୟର ବଳିଷ୍ଠ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧ ଦିଗନ୍ତ’ ୧୯୨୧ ମସିହାଠାରୁ ୧୯୫୨ ମସିହା ପର୍ଯ୍ୟନ୍ତ ଓଡ଼ିଶା ରାଜନୀତି ତଥା ଭାରତୀୟ ରାଜନୀତିର ପୃଷ୍ଠଭୂମିରେ ପର୍ଯ୍ୟବସିତ । ସ୍ୱାଧୀନତା ପାଇଁ ଭାରତୀୟ ଜାତୀୟ ସଂଗ୍ରାମର ପ୍ରତିଟି ପଦକ୍ଷେପ, ଏବଂ ତାହାର ବ୍ୟାପକତାର ଶିହରଣ ଘେନି ଏ ଉପନ୍ୟାସର ଚରିତ୍ର ଯେତିକି ଜୀବନ୍ତ, ସ୍ୱାଧୀନତା ପରବର୍ତ୍ତୀ ରାଜନୀତି ଓ ସମାଜର ବିଡ଼ମ୍ବିତ ସ୍ୱପ୍ନର ରୂପାୟନ ଭିତରେ ଏ ଉପନ୍ୟାସର ସ୍ୱର ଏବଂ ଚରିତ୍ର ସେତିକି ବାସ୍ତବ । ସ୍ୱାଧୀନତା ସଂଗ୍ରାମୀ ନିଧି ଦାସ ଜୀବନର ପ୍ରତିଟି ପୃଷ୍ଠା ଦେହରେ ଦୀର୍ଘ ୩୦ ବର୍ଷର ରାଜନୀତିର ବାସ୍ତବ ଅନୁରଣନ ସୃଷ୍ଟି କରିଛନ୍ତି । ଭାରତର ସ୍ୱାଧୀନତା ଆନ୍ଦୋଳନ, ସ୍ୱାଧୀନତା ପ୍ରାପ୍ତି, ସ୍ୱାଧୀନତା ପରେ ପ୍ରଥମ ସାଧାରଣ ନିର୍ବାଚନ, ଦଳୀୟ ରାଜନୀତି, ନିର୍ବାଚନ ଇସ୍ତାହାର, ରାଜନୀତିର କପଟାଚାର, ପ୍ରତାରଣା, ଲୁଣ୍ଠନ ଶୋଷଣ, ଯୁବପ୍ରାଣର ବୈପ୍ଳବିକ ଚେତନା ପ୍ରଭୃତିର ନିର୍ଭୀକ ସମୀକ୍ଷାରେ ‘ଅନ୍ଧଦିଗନ୍ତ’ ଯଥାର୍ଥରେ ଭାରତୀୟ ରାଜନୈତିକ ଦିଗ୍‌ବଳୟର ଏକ ଛାୟାନ୍ଧକାରର ଚିତ୍ର ଉପସ୍ଥାପନ କରିବାରେ ସମର୍ଥ ହୋଇଛି ।

 

ଓଡ଼ିଆ ରାଜନୈତିକ ଉପନ୍ୟାସ କ୍ଷେତ୍ରରେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶକୁନ୍ତଳା’ ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ । ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ଜାତୀୟ ଜୀବନର ଅନେକ ହତାଶା, ବିମର୍ଷ, ବିପର୍ଯ୍ୟୟ ଏବଂ ଲକ୍ଷ୍ୟଭ୍ରଷ୍ଟ ରାଜନୈତିକ ଓ ସାମାଜିକ ଆନ୍ଦୋଳନର ପୃଷ୍ଠଭୂମିରେ ଏ ଉପନ୍ୟାସ ସମୃଦ୍ଧ । ଭାରତୀୟ ସନାତନ ବିଚାରବୋଧ ଓ ଜଗନ୍ନାଥ ସଂସ୍କୃତିର ମହାନୁଭବତାର ସ୍ପର୍ଶ ଭିତରେ ରାଜନୈତିକ ଅସ୍ଥିରତାର ଚିତ୍ର ଏଥିରେ ପ୍ରକଟିତ । ସମାଜ ସଂସ୍କାର, ଧର୍ମ ଓ ସଂସ୍କୃତି ନାମରେ ବ୍ୟଭିଚାର ଜାତୀୟ ସଂସ୍କୃତିର ହତ୍ୟା, ରାଜନୀତି ନାମରେ ବ୍ୟକ୍ତିସତ୍ତାର ପ୍ରତିଷ୍ଠା, ସ୍ଥିତିବାଦୀ ଦର୍ଶନ ଭିତରେ ବଞ୍ଚିବାର ଦାବୀ ପ୍ରଭୃତି ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଥିଲେ ମଧ୍ୟ ଭାରତରେ ସଂଘଟିତ ନକସାଲାଇଟ୍‌ ଆନ୍ଦୋଳନର ପୃଷ୍ଠଭୂମିରେ ‘ଶକୁନ୍ତଳା’ ଉପନ୍ୟାସର କଥାବସ୍ତୁ ସ୍ପନ୍ଦିତ ହୋଇଛି । ମାର୍କସ୍‌, ଲେନିନ୍‌ ଓ ମାଓଙ୍କ ସହ ଗାନ୍ଧିଜୀ କିମ୍ବା ମାଧୁର୍ଯ୍ୟବାଦୀଙ୍କ ସମନ୍ୱୟରେ ନକ୍‌ସଲାଇଟ୍‌ ବିପ୍ଳବର ନୂତନ ଦିଗନ୍ତ ଏଥିରେ ପ୍ରକଟିତ ହୋଇଛି । ବାୟା, କୁଶା ପରି ଯୁବକମାନଙ୍କର ପ୍ରତିକ୍ରିୟାତ୍ମକ ବୈପ୍ଳବିକ ବାମପନ୍ଥୀ ଚେତନାର ସ୍ୱପ୍ନ ସମାଜ କିମ୍ବା ଆଇନକାନୁନର ସମର୍ଥନ ଲାଭ କରି ନପାରି ଦୁର୍ବଳ ହୋଇଛି । ଏ ଉପନ୍ୟାସର ରାଜନୈତିକ ମତବାଦ ଅନେକ କ୍ଳୀଷ୍ଟ ପରିକଳ୍ପନା ମଧ୍ୟରେ ଅନେକ ସମୟରେ ପ୍ରଚ୍ଛନ୍ନ ରହିଥିଲେ ମଧ୍ୟ ପରିଣତିରୁ ଅନୁମାନ କରାଯାଇ ପାରେ ଯେ ହିଂସାତ୍ମକ ମାର୍ଗ ଅପେକ୍ଷା ଅହିଂସା ମାର୍ଗରେ ସମାଜ-ରାଜନୈତିକ ପରିବର୍ତ୍ତନ ସଂପର୍କରେ ଲେଖକ ନିଜର ମତବାଦକୁ ସାବସ୍ତ୍ୟ କରିଛନ୍ତି ।

 

ସ୍ୱାଧୀନତା ପ୍ରାପ୍ତିର ଦୀର୍ଘ ୩୦ ବର୍ଷ ପରେ ରାଜନୀତିର ସ୍ୱର ଓ ସ୍ୱରୂପ ଗଣତନ୍ତ୍ରର ବିପର୍ଯ୍ୟୟ, ବ୍ୟକ୍ତି ସ୍ୱାତନ୍ତ୍ର୍ୟ, ନିର୍ବାଚନ ଏବଂ ଭୋଟଦାନ ସମ୍ପର୍କରେ ନାଗରିକଙ୍କର ଅଜ୍ଞତା ଉପରେ ଆଧାରିତ ବ୍ରଜମୋହନ ମହାନ୍ତିଙ୍କ ‘ନିଶବ୍ଦ ଆକାଶ ଅନ୍ଧ ପୃଥିବୀ’ (୧୯୭୭) ସାଂପ୍ରତିକ ରାଜନୀତିର ବାସ୍ତବ ରୂପ ପରିବେଷଣରେ ସମର୍ଥ ହୋଇ ପାରିଛି । ସେହିପରି ଗଣେଶ୍ୱର ମିଶ୍ରଙ୍କ ‘ନେତା’ ଉପନ୍ୟାସଟି ମଧ୍ୟ ରାଜନୈତିକ ପୃଷ୍ଠଭୂମିରେ ଲିଖିତ । ନିର୍ବାଚନ ସର୍ବସ୍ୱ ରାଜନୀତି, ରାଜନୈତିକ ନେତାମାନଙ୍କ କପଟାଚାର, ଅହଂବୋଧ, ଶୋଷଣ ଦୁର୍ନୀତି ଏବଂ ସମାଜବାଦ ନାମରେ ବ୍ୟକ୍ତିବାଦ ତଥା ସ୍ୱାଧୀନତାର ସ୍ୱପ୍ନ ଭଙ୍ଗ ପ୍ରଭୃତି ଅନେକ ବାସ୍ତବତାର ଭିତ୍ତିଭୂମି ଉପରେ ଏ ଉପନ୍ୟାସଟି ସୁସମୃଦ୍ଧ । ପରିଦୃଶ୍ୟମାନ ନିତିଦିନିଆ ରାଜନୈତିକ ଘଟଣାବଳୀର ପରିବେଷଣ ଏବଂ ଗୋବର୍ଦ୍ଧନ କିମ୍ବା ଭଗୀରଥ ପ୍ରଭୃତି ଚରିତ୍ର ଚିତ୍ରଣ ପାଠକଙ୍କ ପାଖରେ ଅନେକ ପରିଚିତ ମନେ ହୁଅନ୍ତି ।

 

ଉପସଂହାରରେ ଏତିକି କୁହାଯାଇ ପାରେ ଭାରତୀୟ ବିଭିନ୍ନ ପ୍ରାନ୍ତୀୟ ଭାଷାର ଉପନ୍ୟାସ ପରି ଓଡ଼ିଆ ଭାଷାରେ ରାଜନୈତିକ ଉପନ୍ୟାସ ସ୍ୱାଧୀନତା ପୂର୍ବରୁ ସାଂପ୍ରତିକ କାଳ ପର୍ଯ୍ୟନ୍ତ ରାଜନୀତିର ବିଭିନ୍ନ ସଂକଟ ସଂଘର୍ଷ ଏବଂ ପରିବର୍ତ୍ତିତ ରୂପ ଉପରେ ଆଧାରିତ ହୋଇ ତାର ସ୍ୱାତନ୍ତ୍ର୍ୟ ବଜାୟ ରଖିଛି ।

 

 

ଓଡ଼ିଆ ବିଭାଗ

ବି. ଜେ. ବି. କଲେଜ

ଭୁବନେଶ୍ୱର

 

***

 

ସହର ଓ ଶିଳ୍ପାଞ୍ଚଳ ପୃଷ୍ଠଭୂମିରେ ରଚିତ ସ୍ୱାଧୀନତା-

ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସ

ପ୍ରାଧ୍ୟାପକ ଭୋଳାନାଥ ରାଉତ

 

୧୭୮୯ ମସିହାର ଫରାସୀ ବିପ୍ଳବ, ୧୮୩୭ ମସିହାର ଇଂଲଣ୍ଡର ଶିଳ୍ପ ବିପ୍ଳବ, ୧୯୧୭ ମସିହାର ଋଷ ବିପ୍ଳବ, ୧୯୧୪ ରୁ ୧୯୧୮ ମସିହାର ପ୍ରଥମ ବିଶ୍ୱଯୁଦ୍ଧ, ୧୯୩୯-୪୫ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ୧୯୪୨ ମସିହାର ଅଗଷ୍ଟ ବିପ୍ଳବ ଭାରତୀୟ ସ୍ୱାଧୀନତାର ପୃଷ୍ଠଭୂମିର ସଂଗ୍ରାମର ଅଗ୍ନିଯୁଦ୍ଧ । ରାଜତନ୍ତ୍ର ତଥା ସାମନ୍ତ ଗୋଷ୍ଠୀଙ୍କ ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ଯୁଗେ ଯୁଗେ ସମାଜ ସକ୍ରିୟ ହୋଇଛି ଏବଂ ଏହି ରାଜନୈତିକ ଆନ୍ଦୋଳନରୁ ବିଶ୍ୱର ଭାବରାଜ୍ୟରେ କ୍ରାନ୍ତିଶୀଳ ଆଭିମୁଖ୍ୟ ସୃଷ୍ଟି ହୋଇଛି । ଫରାସୀ ବିପ୍ଳବ ଓ ଋଷ ବିପ୍ଳବ ରାଜତନ୍ତ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଚିର-ଅତ୍ୟାଚାରିତ ଓ ଜର୍ଜରିତ ପ୍ରଜାପୁଞ୍ଜ ମଧ୍ୟରେ ଯେଉଁ ଆଶ୍ୱାସନାର ବାଣୀ ଦେଇଥିଲା, ୧୯୧୪ରୁ ଆରମ୍ଭ ହୋଇ ୧୯୪୫ରେ ଶେଷ ହୋଇଥିବା ଦୁଇ ଦୁଇଟା ବିଶ୍ୱଯୁଦ୍ଧର ଲୋମହର୍ଷଣକାରୀ ସମୟ ଓ ବିଜ୍ଞାନର ଅଭିନବ ମାରଣାସ୍ତ୍ର ଉଦ୍‌ଭାବନ ମଣିଷ ମନରେ ସୃଷ୍ଟି କରିଥିଲା ଦୟନୀୟ ହତାଶାବୋଧ । ମଣିଷ ବଞ୍ଚି ରହିବାପାଇଁ ତା’ର ଅବିରାମ ସଂଗ୍ରାମ କରିଛି ତା’ରି ଭିତରେ, ଋଷିଆର ପ୍ରତିଷ୍ଠିତ ବଲସେଭିକ୍‌ ଶାସନ ବ୍ୟବସ୍ଥା ଧନୀ ସଂପ୍ରଦାୟର ଯଥେଚ୍ଛାଚାରକୁ ଲୋପ କରି ଦଳିତ ଜନସଂଘର ଆଶା ଭରସାକୁ ଉତ୍ତୋଳିତ କରିପାରିଥିଲା । ତଥାପି ଜୀବନ ପ୍ରତି ଗଭୀର ହତାଶା, ଅବିଶ୍ୱାସ, ପ୍ରଗତି ନାମରେ ରକ୍ତପାତ ଓ ଯୁଦ୍ଧର ବିଭୀଷିକା ବହୁ ମାନବବାଦୀ ସାହିତ୍ୟିକଙ୍କୁ ବଞ୍ଚିବା ପାଇଁ ଦୁର୍ବାର ଅଭିଯାତ୍ରାର ସଙ୍ଗୀତ ଶୁଣେଇବାକୁ ପ୍ରେରଣା ଯୋଗାଇଥିଲା । ଗୋଟିଏ ହାତରେ ବିଶ୍ୱଧ୍ୱଂସୀ ଆଣବିକ ବୋମା ଓ ଅନ୍ୟ ହାତରେ ଶାନ୍ତି ଓ ମୈତ୍ରୀ ମନ୍ତ୍ରର ପୋଥି ଧାରଣ କରିଥିଲା ଏ ମଣିଷ । ଦୁଇଟା ଶତାବ୍ଦୀ ବିଶ୍ୱଜନ ମାନସରେ ଯେଉଁ ପ୍ରକ୍ରିୟା ସୃଷ୍ଟି କରିଥିଲା ତାହା ସାମାଜିକ ଜୀବନଧାରାକୁ ବହୁଭାବରେ ପ୍ରଭାବିତ କରିଥିଲା । ଊନବିଂଶ ଶତକର ଚତୁର୍ଥ ଦଶନ୍ଧିରେ ୟୁରୋପରେ ଶିଳ୍ପ ବିପ୍ଳବ ସଂଘଠିତ ହୋଇ ସାମାଜିକ ସ୍ଥିତିରେ ଅନେକ ପରିବର୍ତ୍ତନ ଆଣିଥିଲା । ଶିଳ୍ପ ବିପ୍ଳବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଚୁର ଉତ୍ପାଦନ ଓ ସୁଗମ ପରିବହନର ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିବା । ଏହି ଦୃଷ୍ଟିଭଙ୍ଗୀରୁ କୁଟୀର ଶିଳ୍ପ ବା ପାରିବାରିକ ଶିଳ୍ପର ପତନ ଘଟିଲା ଏବଂ ମଣିଷ ତା’ର ଶାରୀରିକ ବ୍ୟକ୍ତି ଉପରୁ କ୍ରମଶଃ ଆସ୍ଥା ହରାଇବାକୁ ବସିଲା । ପାରିବାରିକ ଶିଳ୍ପ ବୃହତ୍‌ କଳକାରଖାନାର ପ୍ରତିଷ୍ଠା ଯୋଗୁ ଆଉ ତିଷ୍ଠି ପାରିଲା ନାହିଁ । ଶିଳ୍ପ ତନ୍ତ୍ରର ପ୍ରତିଷ୍ଠା ଯୋଗୁ ପାରିବାରିକ ଶିଳ୍ପରେ ନିୟୋଜିତ ବ୍ୟକ୍ତି ବିଶେଷ ପ୍ରତିଷ୍ଠିତ କଳକାରଖାନାମାନଙ୍କରେ ଏକତ୍ରୀତ ହେଲେ ଏବଂ ପାରିବାରିକ ମାଲିକାନାକୁ ତ୍ୟାଗ କରି ଶ୍ରମିକ ଭାବରେ ରହିବାକୁ ବାଧ୍ୟ ହେଲେ । ଏହି ବିପ୍ଳବ ସୃଷ୍ଟିକଲା ମାଲିକ ଓ ଶ୍ରମିକ ନାମକ ଦୁଇଟି ସମାଜ । ୟୁରୋପରେ ଶିଳ୍ପ ବିକାଶ ହେବା ସଙ୍ଗେ ସଙ୍ଗେ ତାହା ବିଶ୍ୱବଜାରକୁ ପ୍ରଭାବିତ କଲା ଏବଂ ଉତ୍ପାଦିତ ପଦାର୍ଥମାନଙ୍କୁ ବିଶ୍ୱର ସମସ୍ତ ଅଞ୍ଚଳକୁ ପ୍ରେରଣ କରିବାକୁ ସ୍ଥିର କରିବାରୁ ସୃଷ୍ଟି କଲା ଷ୍ଟିମ୍‌ ଇଞ୍ଜିନ ଏବଂ ବୃହତ ପରିବହନ ସଂସ୍ଥା । ଏହି ବିପ୍ଳବ ୟୁରୋପରେ ପାରିବାରିକ ଉତ୍ପାଦକ ସଂସ୍ଥା ଗୁଡ଼ିକର ଧ୍ୱଂସ କରିବା ସଙ୍ଗେ ସଙ୍ଗେ ଗ୍ରାମ୍ୟଭିତ୍ତିକ ଅର୍ଥନୀତିକୁ ଭାଙ୍ଗିଦେଲା ଏବଂ ସାମନ୍ତବାଦୀ ସମାଜରେ ଏକ କୁଠାରଘାତ କଲା । ସାମନ୍ତବାଦୀ ସମାଜ ଭାଙ୍ଗିଗଲେ ମଧ୍ୟ ଏ ବିପ୍ଳବ ମାଧ୍ୟମରେ ଏକ ‘ବୁର୍ଜୟା’ ଗୋଷ୍ଠୀ ସମାଜରେ ସୃଷ୍ଟି ହେଲେ । ଏମାନେ ହେଲେ ପୁଞ୍ଜିପତି ଧନୀକ ଗୋଷ୍ଠୀ ଯେଉଁମାନେ ଅଧିକ ପରିମାଣରେ କଳକାରଖାନା, ବ୍ୟବସାୟ ତଥା ବ୍ୟାଙ୍କମାନଙ୍କରେ ଅଧିକ ପୁଞ୍ଜି ଖଟାଇବାକୁ ସକ୍ଷମ ହେଲେ । ଭୂମି ମାଲିକ ତଥା ସାମନ୍ତମାନେ ଭାଙ୍ଗି ପଡ଼ିବାରୁ କୃଷିଭିତ୍ତିକ ଅର୍ଥନୀତି ବ୍ୟବସାୟିକ ତଥା ଶିଳ୍ପଭିତ୍ତିକ ଅର୍ଥନୀତିରେ ପରିଣତ ହୋଇଗଲା ଏବଂ ପୁଞ୍ଜିଲଗାଣ ଜରିଆରେ ‘ବୁର୍ଜୟାମାନେ’ ସମାଜରେ ପ୍ରତିଷ୍ଠା ଲାଭ କଲେ ।

 

କୃଷିଭିତ୍ତିକ ସମାଜ ଭାଙ୍ଗି ପଡ଼ିବାରୁ ଶିଳ୍ପଭିତ୍ତିକ ସମାଜ ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ଶିଳ୍ପାଞ୍ଚଳକୁ କେନ୍ଦ୍ର କରି ନୂଆ ନୂଆ ସହର ଗଢ଼ି ଉଠିଲା ଏବଂ ଗ୍ରାମ୍ୟଜୀବନ ପରିତ୍ୟାଗ କରି ଜୀବିକାର୍ଜନ କରିବା ଲାଗି ବହୁ ସଂଖ୍ୟାରେ ଶ୍ରମିକ ଶିଳ୍ପାଞ୍ଚଳ ପୃଷ୍ଠଭୂମିରେ ଗଢ଼ିଉଠିଥିବା ସହରମାନଙ୍କରେ ଆସି ଏକତ୍ରୀତ ହେଲେ । ନୂତନ ସହରରେ ଅଧିକ ସଂଖ୍ୟକ ଜନ ସମାଗମ ହେତୁ ଗୃହ, ଖାଦ୍ୟ, ପାନୀୟ ଜଳର ଅଭାବ ଯୋଗୁ ନାନା ଅସ୍ୱାସ୍ଥ୍ୟକର ପରିବେଶରେ ସମାଜ ବୁଡ଼ିଗଲା । ମଣିଷ ପଶୁପକ୍ଷୀଙ୍କ ଭଳି ଅଧିକ ସଂଖ୍ୟକ ସଂକୀର୍ଣ୍ଣ ପରିବେଶରେ ବସବାସ କରି ରହିବାକୁ ଲାଗିଲା । ଏହାଦ୍ୱାରା ସେ ଅସ୍ୱାସ୍ଥ୍ୟକର ପରିବେଶ ଭିତରକୁ ପଶିଆସିଲା । ସହରଗୁଡ଼ିକ କୋଳାହଳମୟ ହୋଇଯିବା ସଙ୍ଗେ ସଙ୍ଗେ ଗୋଟାଏ କିମ୍ଭୂତ କିମାକାର ଜୀବନ ନେଇ ଏମାନେ ବଞ୍ଚିବାକୁ ଆରମ୍ଭ କଲେ । ସମାଜ ଏବଂ ପରିବାର ମଧ୍ୟରେ ଆତ୍ମକୈନ୍ଦ୍ରିକ ଭାବ ସୃଷ୍ଟି ହେଲା ଏବଂ ଅର୍ଥ ହିଁ ସମସ୍ତ କ୍ରିୟାର ମାନଦଣ୍ଡ ଭାବରେ ଠିଆ ହେଲା । ବହୁସଂଖ୍ୟକ ମଣିଷ ଗୋଟିଏ ସ୍ଥାନରେ ବାସ କରିବା ଯୋଗୁ ସ୍ଥାନଟି ଆବର୍ଜ୍ଜନାରେ ପରିଣତ ହୋଇଗଲା ଏବଂ ମୁଖ୍ୟତଃ ମାଲିକ ଓ ଶ୍ରମିକ ଦୁଇଟି ଗୋଷ୍ଠୀରେ ସମାଜ ପରିଣତ ହୋଇଯିବାପରେ ମାଲିକ ତଥା ପୁଞ୍ଜିପତି ଗୋଷ୍ଠୀ ସହରର କେନ୍ଦ୍ର ସ୍ଥଳରେ ବାସ କରୁଥିବାବେଳେ ଶ୍ରମିକ ସହରର ଶେଷ ଭାଗରେ ଆବର୍ଜ୍ଜନାମୟ ସ୍ଥାନମାନଙ୍କରେ ସେମାନଙ୍କର ବସତି ସ୍ଥାପନ କଲେ । ଯେଉଁ ଆଶା ଓ ଆକାଂକ୍ଷା ନେଇ ଶ୍ରମିକମାନେ ଗ୍ରାମ୍ୟ ମାନଙ୍କରୁ ସହରକୁ ଚାଲି ଆସିଥିଲେ ଉପଯୁକ୍ତ ପରିମାଣରେ ଭରଣ ପୋଷଣ ପାଇଁ ଅର୍ଥ ନପାଇବାରୁ ଦାରିଦ୍ର୍ୟରେ ପ୍ରପୀଡ଼ିତ ହେଲେ ଏବଂ ପୁଞ୍ଜିପତିମାନଙ୍କର ଶୋଷଣରେ ଅତିଷ୍ଠ ହୋଇ ମଦ୍ୟପାନ ତଥା ବିଭିନ୍ନ ପ୍ରକାର କୁକର୍ମରେ ମନୋନିବେଶ କଲେ । ଏହି ଆବର୍ଜ୍ଜନାମୟ ପରିବେଶରେ ବାସ କରୁଥିବା ଶ୍ରମିକମାନେ ମଧ୍ୟ ଉପଯୁକ୍ତ ଶିକ୍ଷା ଓ ଅବସର ବିନୋଦନରୁ ବଞ୍ଚିତ ହେଲେ । କେବଳ ସେତିକି ନୁହେଁ କଳକାରଖାନାମାନଙ୍କରେ ପୁଞ୍ଜିପତିମାନେ ଅଧିକ ପରିମାଣରେ ମେସିନ୍‌ ଉପରେ ନିର୍ଭର କରିବାକୁ ଆରମ୍ଭ କରିବାରୁ ଶ୍ରମିକମାନଙ୍କୁ ଉପେକ୍ଷା କଲେ, ଏହାଦ୍ୱାରା ଅଧିକ ପରିମାଣରେ ବେକାରୀ ସମସ୍ୟା ବୃଦ୍ଧିପ୍ରାପ୍ତ ହେଲା । ଅପର ପକ୍ଷରେ ପୁଞ୍ଜିପତି ତଥା ମାଲିକମାନେ ଅଧିକ ପୁଞ୍ଜି ଲାଭ କରିବାରୁ ଅଧିକ ବିଳାସୀ ହୋଇ ଉଠିଲେ । ଏମାନଙ୍କର ପ୍ରାଚୁର୍ଯ୍ୟମୟ ଜୀବନ ଶ୍ରମିକମାନଙ୍କୁ ଅତିଷ୍ଠ କଲା, ଫଳରେ ସମାଜରେ ମୁଖ୍ୟତଃ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇ ଶ୍ରେଣୀ ସଂଘର୍ଷର ସୂତ୍ରପାତ ହେଲା । ଏହି ପ୍ରକ୍ରିୟା କେବଳ ୟୁରୋପରେ ସୀମିତ ହୋଇ ନରହି ତାହା ସମଗ୍ର ବିଶ୍ୱକୁ ବ୍ୟାପ୍ତ ହେଲା ।

 

ଶିଳ୍ପ ବିପ୍ଳବ ଯେ ସାମାଜିକ ସ୍ତରରେ କେବଳ ପରିବର୍ତ୍ତନ ଆଣିଥିଲା ତାହା ନୁହେଁ, ଏହା ମଧ୍ୟ ଅର୍ଥନୈତିକ ବିକାଶରେ କେତେକ ପ୍ରଭାବ ବିସ୍ତାର କରିଥିଲା । ଶିଳ୍ପବିପ୍ଳବ ଶିଳ୍ପଭିତ୍ତିକ ପୁଞ୍ଜି ସୃଷ୍ଟି କରିବାରୁ ମାଲିକ ଏବଂ ଶ୍ରମିକମାନଙ୍କ ମଧ୍ୟରେ ବିଭାଗୀକରଣ ସୃଷ୍ଟି କରି ଅଧିକ ପରିମାଣରେ ପୁଞ୍ଜିପତିମାନଙ୍କର ପ୍ରଭାବ ସମାଜରେ ପ୍ରତିଷ୍ଠିତ କଲା ଏବଂ ଶ୍ରମିକମାନଙ୍କୁ ଶୋଷଣ କରିବାକୁ ଆରମ୍ଭ କଲା । ପୁଞ୍ଜି ଏବଂ ଲଗାଣ କ୍ଷମତା ଅଳ୍ପସଂଖ୍ୟକ ବ୍ୟକ୍ତିବିଶେଷଙ୍କ ନିକଟରେ ଠୁଳୀଭୂତ ହେଲା । ବହୁସଂଖ୍ୟକ ଶ୍ରମିକ ଗୋଷ୍ଠୀ ଦାରିଦ୍ର୍ୟ ତଥା ଅନାହାରରେ କାଳାତିପାତ କରିବାକୁ ଲାଗିଲେ । ଦରିଦ୍ର ଦିନକୁ ଦିନ ଦରିଦ୍ର ଏବଂ ଧନୀ ଦିନକୁ ଦିନ ଅଧିକ ଧନୀରେ ପରିଣତ ହେଲା । ପାରମ୍ପରିକ ସମାଜିକ ସଂହତିର ମୂଲ୍ୟବୋଧ ନଷ୍ଟ ହୋଇ ବ୍ୟକ୍ତିକୈନ୍ଦ୍ରିକ ତଥା ଅର୍ଥ-ସର୍ବସ୍ୱ ପରିବେଶ ସମାଜରେ ସୃଷ୍ଟି ହେଲା । ଶ୍ରେଣୀ ବିଭେଦ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଅଧିକ ପରିମାଣରେ ସ୍ୱାତନ୍ତ୍ର୍ୟ-ଭିତ୍ତିକ (Specialisation) ଶ୍ରମର ଉଦ୍ଭବ ହେଲା । କୁଶଳୀ ଶ୍ରମିକ ସୃଷ୍ଟି କରିବାରେ ମାଲିକମାନେ ଆଗ୍ରହୀ ହେବାରୁ ଅଣକୁଶଳୀ ଶ୍ରମିକ ଅଧିକ ପରିମାଣରେ ବେକାର ହୋଇ ଉଠିଲେ । ଏଭଳି ଗୋଟିଏ ଗୋଟିଏ ଦେଶ ଗୋଟିଏ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରିବାରେ ଅଧିକ ମନୋନିବେଶ କଲେ । ଆଞ୍ଚଳିକ ବୈଶିଷ୍ଟ୍ୟ ଯୋଗୁଁ ଯେଉଁ ଯେଉଁ ଅଞ୍ଚଳରେ ଯେଉଁ କଞ୍ଚାମାଲ ଥିଲା ସେହି ସେହି ସ୍ଥାନରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାକୁ ପୁଞ୍ଜିପତି ରାଷ୍ଟ୍ରମାନେ ଆଗ୍ରହ ପ୍ରକାଶ କରିବାରୁ ସେମାନଙ୍କୁ ରାଜନୈତିକ ଦୃଷ୍ଟିରୁ ନୂତନ ସାମ୍ରାଜ୍ୟ ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଲା । ଇଂଲଣ୍ଡ ଭଳି ପୁଞ୍ଜିପତି ରାଷ୍ଟ୍ରମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ସେମାନଙ୍କର ସାମ୍ରାଜ୍ୟ ସ୍ଥାପନ କରିବାକୁ ଇଚ୍ଛା କଲେ ଏବଂ ଅନୁନ୍ନତ ରାଷ୍ଟ୍ରମାନେ ଅର୍ଥନୈତିକ ଦୃଷ୍ଟିକୋଣରୁ ସେମାନଙ୍କ ଆହ୍ୱାନ ନିକଟରେ ପରାସ୍ତ ହୋଇ ସେମାନଙ୍କର ବଶତାସ୍ୱୀକାର କରିବାକୁ ବାଧ୍ୟ ହେଲେ । ଏହି ପରିପ୍ରେକ୍ଷୀରେ ପୁଞ୍ଜିପତି ରାଷ୍ଟ୍ରମାନଙ୍କ ମଧ୍ୟରେ ଅଧିକ ପ୍ରତିଯୋଗିତା ଘଟିବାରୁ ଏବଂ ବିଶ୍ୱବଜାରକୁ ନିଜର ନିୟନ୍ତ୍ରଣରେ ରଖିବାକୁ ଏମାନେ ଇଚ୍ଛା କରିବାରୁ ନିଜ ନିଜ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେବା ସଙ୍ଗେ ସଙ୍ଗେ ଦୁଇ ଦୁଇଟା ବିଶ୍ୱଯୁଦ୍ଧକୁ ଟାଣି ଆଣିଲେ । ଏହି ବିଶ୍ୱଯୁଦ୍ଧ ଯେଉଁ ମାରଣାସ୍ତ୍ରମାନ ଉଦ୍ଭାବନ କଲା, ତାହା ବିଶ୍ୱ ସଭ୍ୟତାକୁ ଧ୍ୱଂସ କରି ଦେବାକୁ ମଧ୍ୟ ପଶ୍ଚାତ୍‌ପଦ ହେଲା ନାହିଁ । ଏକ ପକ୍ଷରେ ବିଶ୍ୱରେ ମାରଣାସ୍ତ୍ରର ପ୍ରତିଯୋଗିତା ସଂଘଠିତ ହେଉଥିବାବେଳେ ଶିଳ୍ପ ବିପ୍ଳବ ଜନିତ ସମାଜରେ ଯେଉଁ ଶ୍ରେଣୀ ସଂଘର୍ଷ ମୁଣ୍ଡଟେକି ଥିଲା ତାହାର ପରିସମାପ୍ତି ପାଇଁ ସମାଜବାଦର ପରିକଳ୍ପନା ସମାଜତତ୍ତ୍ୱବିଦ୍‌ମାନଙ୍କ ପାଇଁ ଏକ ପ୍ରଧାନ ଅସ୍ତ୍ର ଭାବରେ ଆସିବାକୁ ଆରମ୍ଭ କଲା । ସମବଣ୍ଟନ (equal distribution) ଅଭାବରୁ ଯେଉଁ ପ୍ରକ୍ରିୟା ସୃଷ୍ଟି ହୋଇଥିଲା ତାହାର ସମାଧାନ ଲାଗି ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିବା ମାର୍କ୍‍ସ ଆଦି ପ୍ରଚେଷ୍ଟା କରିଥିଲେ । ମାର୍କ୍‍ସ ଅନୁଭବ କଲେ ପୁଞ୍ଜିପତି ପୁଞ୍ଜିର ବିନିଯୋଗରେ ସମଗ୍ର ସମାଜ ଏବଂ ରାଜନୀତିକୁ ନିଜର କରାୟତ୍ତ କରୁଛନ୍ତି ଏବଂ ପୁଞ୍ଜିବିନିଯୋଗ କରୁଥିବା ସମସ୍ତ ଲାଭାଂଶର ସେମାନେ ମାଲିକ ହୋଇ ଉଠୁଛନ୍ତି । ଏମାନଙ୍କ ଜରିଆରେ ଶ୍ରମିକମାନଙ୍କ ଶ୍ରମକୁ ଶୋଷଣ କରାଯାଉଛି ଏବଂ ଶ୍ରମିକମାନେ ସେମାନଙ୍କର ଉପଯୁକ୍ତ ନାନା ପ୍ରାପ୍ୟରୁ ବଂଚିତ ହେଉଅଛନ୍ତି । ପ୍ରାଣାନ୍ତକ ପରିଶ୍ରମ କରି ମଧ୍ୟ ସେମାନଙ୍କୁ ପେଟପୁରା ଗଣ୍ଡେ ଖାଇବାକୁ, ଲୁଗାଖଣ୍ଡେ ପିନ୍ଧିବାକୁ ଏବଂ ମୁଣ୍ଡଗୁଞ୍ଜି ରହିବାକୁ ଖଣ୍ଡେ ଘର ମିଳିଲା ନାହିଁ । ମାନବୀୟ ଦୃଷ୍ଟିକୋଣରୁ ସେମାନଙ୍କ ବିଶ୍ଳେଷଣ ଶ୍ରମିକମାନଙ୍କୁ ପ୍ରଭାବିତ କଲା ଏବଂ ୠଷର ସମାଜିକ ବିପ୍ଳବ ଏବଂ ଶ୍ରେଣୀ ସଂଘର୍ଷରୁ ଯେଉଁ ଫଳ ମିଳିଲା ତାହା ବିଶ୍ୱର ସମସ୍ତ ରାଷ୍ଟ୍ରକୁ ପ୍ରାୟତଃ ପ୍ରଭାବିତ କରିଥିଲା । ସମାଜ ଓ ରାଜନୈତିକ କ୍ଷେତ୍ରରେ ଏହାର ଉପଯୋଗିତାକୁ ଜନନେତା ଲେନିନ୍‌ ପରୀକ୍ଷା ଓ ପ୍ରମାଣିତ କରିଦେଲା ପରେ ସ୍ୱାଭାବିକଭାବେ ସମଗ୍ର ପୃଥିବୀର ଅଗ୍ରଗାମୀ ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ଏହା ପ୍ରଭାବିତ କଲା । ଏକ ସୌଖିନ, ଧନତାନ୍ତ୍ରିକ ସଭ୍ୟତା ଓ ତା’ର ପୀଡ଼ନ ତଥା ଶୋଷଣ ବିରୁଦ୍ଧରେ ତତ୍‌କାଳୀନ ସାହିତ୍ୟିକ ଗୋଷ୍ଠୀ ଋଷରେ ସ୍ୱରଉତ୍ତୋଳନ କଲେ, ଯଦ୍ଦ୍ୱାରା ତଥାକଥିତ ଏଷ୍ଟାବ୍ଳିସମେଣ୍ଟ ଭାଙ୍ଗିପଡ଼ିବାକୁ ଲାଗିଲା । କେବଳ ସେତିକି ନୁହେଁ ଯେଉଁ ଯୁଦ୍ଧଖୋର ଫାସିଷ୍ଟ ଗୋଷ୍ଠୀ ନିଜର ପ୍ରଭୃତ୍ୱ ବିସ୍ତାର କରିବାକୁ ସଚେଷ୍ଟ ଥିଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଲେଖକମାନେ ସଚେତନ ହୋଇ ଉଠିଲେ । ଏହି ସମୟରେ ଫ୍ରଏଡଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଅଧିକ ଉପଯୋଗୀ ଏବଂ ବାସ୍ତବବାଦୀ ହୋଇ ଉଠିଥିଲା । ମଣିଷର ଅନ୍ଧାରୀ ମନକୁ ଜୀବନର ଏକାନ୍ତ ଦୃପ୍ତ ରହସ୍ୟ ଭାବରେ ଫ୍ରଏଡ ପ୍ରମାଣ କରି ଦେବାରୁ ସମାଜର ସରହଦ ଭିତରେ ବାସ କରୁଥିବା ମଣିଷର ବ୍ୟକ୍ତିତ୍ୱଟି ତା’ର ସମସ୍ତ ସଚେତନା ଓ ପ୍ରବୃତ୍ତିଗତ ବୈଶିଷ୍ଟ୍ୟ ଏକ ନୂତନ ରୂପରେ ଆତ୍ମପ୍ରକାଶ କଲା । ସମାଜର ଆଚରଣ ତା ପାଇଁ ଭଦ୍ରତାର ଏକ ମୁଖ୍ୟ ଭାବରେ ପ୍ରତିପନ୍ନ ହେଲା । କ୍ରମେ ସମାଜ, ଧର୍ମ, ନୀତି ଇତ୍ୟାଦି ତା ନିକଟରେ ମଳିନ ହୋଇଗଲା । ମାର୍କ୍‍ସ, ଫ୍ରଏଡ, ବିଶ୍ୱ ମହାଯୁଦ୍ଧ ସହିତ ବିଭିନ୍ନ ବିପ୍ଳବକୁ କେନ୍ଦ୍ରକରି ବିଂଶ ଶତାବ୍ଦୀରେ ଗଢ଼ି ଉଠିଥିବା ସାହିତ୍ୟ ସମଗ୍ର ପୃଥିବୀକୁ ପ୍ରଭାବିତ କରିବାକୁ ଲାଗିଲା ।

 

ବିଶ୍ୱର ଜନମାନସରେ ଏହି ପରିପ୍ରେକ୍ଷୀରେ ଏକ ତୁମୁଳ ଆନ୍ଦୋଳନ ସଂଘଟିତ ହୋଇଥିଲା କେବଳ ଭାରତୀୟ ଜନମାନସରେ ମହାତ୍ମା ଗାନ୍ଧୀଙ୍କର ସ୍ୱାଧୀନତାର ଡାକରା ଭାରତୀୟ ଜନଜୀବନକୁ ଭିନ୍ନ ଭାବରେ ପ୍ରଭାବିତ କରିଥିଲା । ତାଙ୍କର ଜାତୀୟ ସ୍ୱାଭିମାନ ଆକୁମାରୀ ହିମାଚଳ ଖେଳି ଯାଇଥିଲା । ଏହି ସ୍ୱାଭିମାନର ଅନ୍ତିମ ରକ୍ତାକ୍ତ ପରିଣତି ଅଗଷ୍ଟ ବିପ୍ଳବ (୧୯୪୨) ଗାନ୍ଧିଜୀଙ୍କର ଇଂରେଜମାନଙ୍କୁ ଭାରତଛାଡ଼ (quit-India) ଡାକରା ଭାରତୀୟଙ୍କୁ ସ୍ୱାଧୀନ ହେବାପାଇଁ ଏକ ନୂତନ ଆହ୍ୱାନ ଦେଇଥିଲା । ଏହି ସମୟରେ ଦେଖାଇଦେଇଥିଲା ଆତ୍ମରକ୍ଷା ପାଇଁ ଇଂରେଜମାନଙ୍କର ଶେଷ ସଂଗ୍ରାମ । ରାଜା ଜମିଦାରମାନଙ୍କର ସ୍ଥିତିରକ୍ଷାପାଇଁ ଶେଷ ପ୍ରଚେଷ୍ଟା । ଭାରତବର୍ଷରେ ଏହିପରି ଏକ ଅବସ୍ଥା ସୃଷ୍ଟି ହୋଇଥିଲା ବେଳେ ଓଡ଼ିଶା ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ସ୍ୱର ଉତ୍ତୋଳନ କରିଥିଲା । ୧୯୦୩ରୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ଆନ୍ଦୋଳନ ୧୯୩୬ ମସିହାରେ ଆଂଶିକ ସଫଳତା ଲାଭକରିଥିଲା ଏବଂ ସେତେବେଳର ଓଡ଼ିଆ ବର୍ତ୍ତମାନର ଛଅଗୋଟି ଜିଲ୍ଲାର ଭୌଗୋଳିକ ସୀମାକୁ ନେଇ ଗଠିତ ହୋଇଥିଲା । ୧୯୪୮ରେ ଏହା ତେରଟି ଜିଲ୍ଲାକୁ ବିସ୍ତାରିତ ହେଲା, ଭାଷା-କୈନ୍ଦ୍ରିକ ଜାତୀୟତାବୋଧକୁ ନେଇ ଊନବିଂଶ ଶତକର ଶେଷ ତିନିପାଦର ଜନଜାଗୃତି ଉତ୍କଳ ପ୍ରଦେଶ ଗଠନପାଇଁ ତାହା ସୀମା-କୈନ୍ଦ୍ରିକ ଜାତୀୟତା ବୋଧରେ ପରିଣତ ହୋଇ ଯାଇଥିଲା । ୧୯୨୧ରୁ ସ୍ୱରାଜ ନିଜର ଜାତୀୟତାବୋଧ କ୍ରମେ ଉତ୍କଳର ଜନସମାଜରେ ଉତ୍କଳମଣି ଗୋପବନ୍ଧୁ ଏବଂ ସତ୍ୟବାଦୀ ଗୋଷ୍ଠୀଙ୍କଦ୍ୱାରା ପ୍ରବେଶ କରିଥିଲା ଏବଂ ତାଙ୍କ ପୂର୍ବରୁ ଅପ୍ରତିଦ୍ୱନ୍ଦୀ ଜନନେତା ଉତ୍କଳଗୌରବ ମଧୁସୂଦନ କ୍ରମେ ମହାଭାରତୀୟ ସ୍ରୋତରୁ ଅଲଗା ହୋଇଯାଇଥିଲେ । ୧୯୩୬ ପରଠାରୁ ତୀବ୍ରଭାବରେ ପ୍ରଜାଆନ୍ଦୋଳନର ସୂତ୍ରପାତ ଓ ଦେଶୀୟ ରାଜତନ୍ତ୍ର ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା । କୃଷକ, ଶ୍ରମିକମାନଙ୍କର ଗୁରୁତ୍ୱ ସମାଜରେ ଦେଖାଦେବା ସଙ୍ଗେସଙ୍ଗେ ଶିକ୍ଷାପ୍ରତି ସମାଜରେ ଏକ ନୂଆ ଆଗ୍ରହ ସୃଷ୍ଟି ହୋଇଥିଲା । ଉଚ୍ଚ ଶିକ୍ଷାର ବିସ୍ତାରପାଇଁ ନୂତନ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ୧୯୪୩ରେ ପ୍ରତିଷ୍ଠା ହେଲା ଏବଂ ୧୯୩୬ ମସିହାରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ନବଯୁଗ ସାହିତ୍ୟ ସଂସଦର ସୃଷ୍ଟି ହୋଇଥିଲା । ମାର୍କ୍‍ସବାଦୀ ଶ୍ରେଣୀ ସଂଗ୍ରାମ ଓ ଦ୍ୱନ୍ଦାତ୍ମକ ବସ୍ତୁବାଦୀ ଚିନ୍ତାଧାରାର ଆହ୍ୱାନ ଗୋଟିଏ ଦିଗରେ ସମାଜକୁ ଆନ୍ଦୋଳିତ କରୁଥିବାବେଳେ ଅନ୍ୟପକ୍ଷରେ ଗାନ୍ଧିଜୀଙ୍କ ସତ୍ୟ ଧର୍ମ, ଅହିଂସା ଜରିଆରେ ସ୍ୱାଧୀନ ହେବା ନିମିତ୍ତ ଆହ୍ୱାନ ଏକ ମିଶ୍ରିତ ପ୍ରତିକ୍ରିୟା ଉତ୍କଳୀୟ ସମାଜରେ ସୃଷ୍ଟି କରିଥିଲା । ଏହା ପୂର୍ବରୁ ଶିକ୍ଷା ସହିତ ଚାକିରୀର ଘନିଷ୍ଠ ସଂପର୍କ ୧୮୪୪ ସାଲରେ ଏକ ସରକାରୀ ନୀତି ରୂପେ ଗୃହୀତ ହେବାରୁ ଲୋକେ ଆଧୁନିକ ଶିକ୍ଷାପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । ଦେଶରେ ସ୍ୱଳ୍ପ ଶିକ୍ଷା ପ୍ରସାର ଓ ଉପଯୁକ୍ତ ଶିକ୍ଷିତ ଲୋକର ଅଭାବ ପରିଦର୍ଶନ କରି ଦେଶୀୟ ଲୋକଙ୍କ ସାମୂହିକ ସ୍ୱାର୍ଥ ସଂରକ୍ଷଣ ପାଇଁ ରେଭେନ୍‌ସା ପ୍ରଭୃତି ଓଡ଼ିଶାର କମିଶନରମାନେ ପାର୍ଶି ଓ ଓଡ଼ିଆ ଭାଷାରେ ଶିକ୍ଷିତମାନଙ୍କୁ ଅମଲାକର୍ମ ଏପରିକି ଉଚ୍ଚ ସରକାରୀ କର୍ମରେ ନିଯୁକ୍ତ କରୁଥିଲେ, ତେଣୁ ଏହି ସମୟରୁ ଗୋଟିଏ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ସମାଜରେ ସୃଷ୍ଟି ହୋଇସାରିଥିଲେ । ୧୮୭୦ ମସିହାର ଭାଷା ବିଲୋପ ଆନ୍ଦୋଳନ ଦେଶରେ ଏକ ସୁସ୍ଥ ଜନମତ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା । ନଅଙ୍କ ଦୁର୍ଭିକ୍ଷର (୧୮୬୬) କରାଳ ଛାୟା ଓଡ଼ିଶା ସମାଜରେ କମ୍‌ ପ୍ରଭାବ ପକାଇ ନାହିଁ । ନିଜକୁ ବଞ୍ଚେଇ ରଖିବାପାଇଁ ଯୋଦ୍ଧା ଭାବରେ ଅବତୀର୍ଣ୍ଣ ହେବାକୁ ଓଡ଼ିଆଙ୍କ ମନରେ ନବଜାଗରଣ ସୃଷ୍ଟି କରିଥିଲା ।

 

ରେଭେନ୍‌ସା କଲେଜର ସୃଷ୍ଟି ଆଧୁନିକ ଶିକ୍ଷିତ ଯୁବ ତଥା ସାହିତ୍ୟିକ ଗୋଷ୍ଠୀ ସୃଷ୍ଟିକରିବାରେ ଏକ ଯୁଗାନ୍ତକାରୀ ପ୍ରେରଣା ପ୍ରଦାନ କରିଥିଲା; ରେଭେନ୍‌ସା କଲେଜର ବିକାଶ ଇତିହାସ ସହିତ ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ ବିକାଶ ସଂଶ୍ଳିଷ୍ଟ ହୋଇଉଠିଥିଲା । ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର, ମିଶନାରୀମାନଙ୍କର ଖ୍ରୀଷ୍ଟଧର୍ମ ପ୍ରଚାର ମଧ୍ୟ ଓଡ଼ିଶାର ସାମାଜିକ ଜୀବନରେ ଏକ ସ୍ୱତନ୍ତ୍ର ଆବହାଓ୍ୱା ସୃଷ୍ଟି କରିଥିଲା । ସାହିତ୍ୟର ବର୍ଣ୍ଣ-ବୈଚିତ୍ର୍ୟ ପରିବର୍ତ୍ତନ ପାଇଁ ଲୋକଙ୍କ ଅଭିରୁଚି ସେମାନଙ୍କ ବୈଷୟିକ ଉନ୍ନତି ଓ ଜୀବନବୋଧର ଏକ ବିପ୍ଳବ ପ୍ରୟୋଜନ ହୁଏ । ବିଗତ ଶତାବ୍ଦୀରେ ବିପ୍ଳବର ଯେଉଁ ଚିତ୍ର ବଙ୍ଗଭୂମିରେ ଦେଖାଦେଇଥିଲା, ତାହା କେତେକାଂଶରେ ଓଡ଼ିଶାକୁ ବ୍ୟାପୃତ ହେଲା । ମୁଦ୍ରାଯନ୍ତ୍ର ପ୍ରତିଷ୍ଠା, ପତ୍ରିକା ସଂପାଦନ, ଜାତିର ଯଥାର୍ଥ ଦାବୀ ଉପସ୍ଥାପନ ଓ ସାଂସ୍କୃତିକ ଅନୁଷ୍ଠାନ ପରିଚାଳନା ଇତ୍ୟାଦି କରିବାରେ କେତେକ ମଧ୍ୟବିତ୍ତ ଶିକ୍ଷିତ ଗୋଷ୍ଠୀ ଆଗଭର ହୋଇ ଆସିଥିଲେ । ଗମନାଗମନର ବ୍ୟାପକ ସୁବିଧା ପାଇଁ ଜାଗୃତି ନ’ଅଙ୍କ ଦୁର୍ଭିକ୍ଷ ପରେ ଅଧିକ ଅନୁଭୂତ ହେଲା, ଯାହାର ସୃଷ୍ଟି ହିଁ ସାହିତ୍ୟ ବିକାଶ ନିମିତ୍ତ ଏକ ମାଧ୍ୟମ ହୋଇଉଠିଲା । ୧୮୦୩ରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓଡ଼ିଶାର ଶିକ୍ଷିତ ଯୁବକଙ୍କୁ ଅଧିକ ଐକ୍ୟବଦ୍ଧ କରିବାକୁ ସାହାଯ୍ୟ କଲା ।

 

ଆଧୁନିକ ଶିକ୍ଷାର ପ୍ରସାର ହେତୁ ଏକ ନୂତନ ଜୀବନବୋଧ ତଥା ନବୀନର ପିପାସା ଲୋକ ଚିତ୍ତରେ ଦେଖାଦେଲା । ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ କଲେ ସେମାନେ ମଧ୍ୟ ପାଶ୍ଚାତ୍ୟ ରୁଚି, ସଭ୍ୟତା ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ । ଏମାନେ ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ପ୍ରତି ଏତେ ଅଭ୍ୟସ୍ତ ହୋଇ ପଡ଼ିଥିଲେ ଯେ, ସେମାନେ ଭାରତୀୟ ପରମ୍ପରାରୁ ବିଚ୍ୟୁତ ହୋଇ ଉଠିଲେ ଏବଂ ଅନେକ ସମୟରେ ନୀତିଅନୀତି ବିଚାର ଭ୍ରଷ୍ଟତା ତାଙ୍କ ମଧ୍ୟରେ ସୃଷ୍ଟି ହେଲା । ଏକ ସହରୀଜୀବନ ସହିତ ପାଶ୍ଚାତ୍ୟ ପରିବେଶର ଭୋଗବିଳାସ ପ୍ରତି ଆକୃଷ୍ଟ ହୋଇଉଠିଲେ ଏବଂ ତାହାହିଁ ଆଧୁନିକ ବୋଲି ସେମାନେ ଗ୍ରହଣକଲେ । ଏହିଭଳି ଏକ ଚିତ୍ତ-ସଂଘର୍ଷ ସମୟରେ ଏକ ସହରୀ ସଭ୍ୟତା ସୃଷ୍ଟି ହୋଇଥିଲା ଏବଂ ଆଧୁନିକ ଓଡ଼ିଆ ସାହିତ୍ୟ ଜନ୍ମ ନେଇଥିଲା । ବ୍ୟାପକ ଶିଳ୍ପକାରଖାନା ସେତେବେଳେ ନାହିଁ କହିଲେ ଚଳେ । ମାତ୍ର କାଭାଁ ଯେଉଁ କେତୋଟି ଶିଳ୍ପ ପ୍ରତିଷ୍ଠା ହୋଇଥିଲା, ସେଠାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସମ୍ଭବ କେତେକାଂଶରେ ହୋଇ ପାଶ୍ଚାତ୍ୟ ଯୁଗରୁଚିର ଅଭିନବରୂପ ପ୍ରକାଶିତ ହୋଇଥିଲା । ବ୍ୟାପକ ଶିଳ୍ପ ଆନ୍ଦୋଳନ ବା ପ୍ରସାର ଓଡ଼ିଶାରେ ତତ୍‌କାଳୀନ ସମାଜରେ ଘଟିନଥିବାରୁ ସ୍ୱାଧୀନତା ପୂର୍ବବର୍ତ୍ତୀ ସମାଜରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସମାନ ଭାବରେ ସମ୍ଭବ ହୋଇପାରି ନଥିଲା ଏବଂ ସହରୀ ଜୀବନର ବ୍ୟାପକତା କ୍ୱଚିତ୍‌ ପରିଦୃଷ୍ଟ ହୋଇଥିଲା । ଏହି ପ୍ରାୟ ଆଧୁନିକ ସାହିତ୍ୟ ସୃଷ୍ଟିର ପ୍ରାକ୍‌କାଳ ହୋଇଥିବାରୁ ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟ ଗଣ୍ଡି ଭିତରୁ ସହଜରେ ବାହାରିଆସି ଶିଳ୍ପ ତଥା ସହରୀଭିତ୍ତିକ ସାହିତ୍ୟ ସୃଷ୍ଟି କରିବା ଆଧୁନିକ ଶିକ୍ଷିତ ଗୋଷ୍ଠୀ ପକ୍ଷରେ ବିଶେଷ ସମ୍ଭବ ହୋଇ ପାରିନଥିଲା । ଏହି ସମୟରେ ରାଧାନାଥ, ମଧୁସୂଦନ ଓ ଫକୀରମୋହନ ଏହି ତିନିଜଣ ସାହିତ୍ୟ ସାଧକଙ୍କର ନିରଳସ ଅଧ୍ୟବସାୟ ଯୋଗୁଁ ଆଧୁନିକ ସାହିତ୍ୟର ତିନୋଟି ବିଶିଷ୍ଟ ଦିଗ ଉନ୍ମୋଚିତ ହୋଇଥିଲା । କାବ୍ୟ, ଗୀତି-କବିତା ଓ ଗଳ୍ପ ଉପନ୍ୟାସର ମାଧ୍ୟମରେ ଏଯୁଗୀୟ ଚେତନା ପରିପ୍ରକାଶ ଲାଭ କରିଥିଲା । ରାମଶଙ୍କର ପ୍ରଭୃତି ନାଟକ ରଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ଏହି ଯୁଗରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଯେଉଁ କ୍ରମବିକାଶ ଘଟିଥିଲା । ସେଥିରେ ଶିଳ୍ପାଞ୍ଚଳ ଓ ସହରର ପୃଷ୍ଠଭୂମିରେ ଯେଉଁ ଉପନ୍ୟାସ ଗୁଡ଼ିକ ରଚନା ହୋଇଥିଲା ତାହା ଏ ପ୍ରବନ୍ଧର ଆଲୋଚନାର ବିଷୟ ।

 

ଭାରତର ସ୍ୱାଧୀନତା (୧୯୪୭) ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସର ଉନ୍ମେଷ ଦୀର୍ଘ ଷାଠିଏ ବର୍ଷ ପୂର୍ବରୁ ଘଟିଛି । ଉମେଶଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ ୧୮୮୮ ମସିହାରେ ରଚିତ । ଏହାର ବିଷୟବସ୍ତୁ ଐତିହାସିକ ରୋମାନ୍‌ସ ଉପରେ ପର୍ଯ୍ୟବସିତ । ରାମଶଙ୍କର ପଦ୍ମମାଳୀ ରଚନା ପୂର୍ବରୁ, ସୌଦାମିନୀ ନାମକ ଏକ ଉପନ୍ୟାସ ଉତ୍କଳମଧୁପ ମାସିକ ପତ୍ରରେ ୧୮୭୭-୭୮ ମସିହାରେ ପ୍ରକାଶ କରିଥିଲେ । ଏହା ସଂପୂର୍ଣ୍ଣ ରୂପେ ପ୍ରକାଶିତ ହୋଇ ନଥିବାରୁ ପଦ୍ମମାଳୀକୁ ପ୍ରଥମ ଉପନ୍ୟାସ ଭାବରେ ଗ୍ରହଣ କରାଯାଇଥାଏ । ଅବଶ୍ୟ ରାମଶଙ୍କର ତାଙ୍କ ରଚିତ ବିବାସିନୀକୁ ପ୍ରଥମ ଓଡ଼ିଆ ଉପନ୍ୟାସ ବୋଲି ତାଙ୍କ ଗ୍ରନ୍ଥାବଳୀର ମୁଖବନ୍ଧରେ ପ୍ରକାଶ କରିଛନ୍ତି । ସେ ମଧ୍ୟ ‘ଉନ୍ମାଦିନୀ’ ନାମକ ଏକ ଅପୂର୍ଣ୍ଣାଙ୍ଗ ଉପନ୍ୟାସ ଇନ୍ଦ୍ରଧନୁ ନାମକ ମାସିକ ପତ୍ରିକାରେ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି । ବିବାସିନୀର ପ୍ରକାଶ ୧୮୯୧ ବୋଲି ଐତିହାସିକମାନେ ମତବ୍ୟକ୍ତ କରିଥାନ୍ତି । ମାତ୍ର ୧୮୮୫ ମସିହାରେ ଶରତଚନ୍ଦ୍ର ମୁଖୋପାଧ୍ୟାୟଙ୍କ ସଂପାଦିତ ‘ପ୍ରଦୀପ’ ମାସିକ ପତ୍ରିକାରେ ଧାରାବାହିକଭାବେ ଦୁଇଟି ଉପନ୍ୟାସ ‘ଅନାଥିନୀ’ ଓ ‘ମଠର ସମ୍ବାଦ’ ପ୍ରକାଶିତ ହୋଇଥିବାର କଥା ଅଧ୍ୟାପକ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି ତାଙ୍କ ଆଧୁନିକ ଓଡ଼ିଆ ସାହିତ୍ୟର ଏକ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି । ଦୁଇଟିଯାକ ଉପନ୍ୟାସ ଶ୍ରୀ ଛଦ୍ମ ନାମରେ ଚିହ୍ନିତ ଥିବାରୁ ଏହାର ପ୍ରକୃତ ଲେଖକ କିଏ ତାହା ଜାଣିବା କଷ୍ଟକର । ‘ମଠର ସମ୍ବାଦ’ ଉପନ୍ୟାସର ଛଅଟି ପରିଚ୍ଛେଦରେ ଓକିଲ ବାବୁ, ଡାକ୍ତର ବାବୁ, ଇଂରାଜୀ ଶିକ୍ଷାପ୍ରାପ୍ତ ଯୁବକ, ଡେପୁଟି ସରକାରୀ କର୍ମଚାରୀ, ସବ୍‌ଜାନତା ଶିକ୍ଷିତ ବାବୁ ପ୍ରଭୃତି ଚରିତ୍ର ଚିତ୍ରିତ ହୋଇଅଛି । ଏହି ପତ୍ରିକାରେ ଅନାଥିନୀର ପାଞ୍ଚଟି ପରିଚ୍ଛେଦଟି ପ୍ରକାଶିତ ହୋଇଥିଲା । ୧୮୮୫ ରେ ପ୍ରଦୀପ ପତ୍ରିକା ପ୍ରକାଶନ ବନ୍ଦ ହୋଇଯିବାରୁ ଏ ଦୁଇଟି ଉପନ୍ୟାସ ପୂର୍ଣ୍ଣାଙ୍ଗ ରୂପ ପାଇ ପାରିଲା ନାହିଁ । ଅବଶ୍ୟ ଡକ୍ଟର କୃଷ୍ଣ ଚରଣ ବେହେରା ମଠର ସମ୍ବାଦକୁ ଏକ ବଡ଼ ଗଳ୍ପ ବୋଲି କହି ଅଛନ୍ତି । ୧୮୯୮ ସାଲରୁ ଫକୀର ମୋହନ ‘ଛମାଣ ଆଠଗୁଣ୍ଠ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ କରିଥିଲେ । ଲଛମା ୧୯୦୫ ସାଲରୁ ‘ଅପୂର୍ବ ମିଳନ’ ନାମରେ ପ୍ରକାଶିତ ହୋଇଥିଲେ ହେଁ ୧୯୧୪ ସାଲରେ ପୁସ୍ତକ ଆକାରରେ ପ୍ରକାଶିତ ହେଲା । ମାତ୍ର ଏହାର ବହୁ ପରେ ପ୍ରକାଶିତ ହୋଇଥିଲା ‘ମାମୁଁ’ (୧୯୧୩) ଓ ପ୍ରାୟଶ୍ଚିତ (୧୯୧୫) । ୧୮୪୧-୮୦ ସାଲ ଭିତରେ ଓଡ଼ିଆ ଗଣଜୀବନରେ ଦୁଇଟି ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ଗୋଟିଏ ହେଲା ‘‘ପତନୋନ୍ମୁଖୀ ସାମନ୍ତବାଦର ଆଧୁନିକ ଶିକ୍ଷାଲାଭ ପ୍ରତି ଆଗ୍ରହ ଓ ଏହାର ମାଧ୍ୟମରେ ପଲ୍ଲୀ ଓ ସହର ମଧ୍ୟରେ ଯୋଗସୂତ୍ର ସ୍ଥାପନ, ଜମିଦାର ପ୍ରତାପ ଉଦିତ ମଲ୍ଲଙ୍କ ଉଚ୍ଚଶିକ୍ଷା ଲାଭ ଓ ସହରବାସୀ ଦାଶରଥୀ ଦାସଙ୍କ କନ୍ୟା ଚାନ୍ଦମଣିଙ୍କ ସହ ବିବାହ ଏବଂ ଅନ୍ୟଟି ହେଲା ନୂତନ ଜମିଦାରଙ୍କ ସହ ଏକ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଅଭ୍ୟୁଦୟ ଓ ଚାକିରୀ ଏବଂ କ୍ଷମତା ବଳରେ ଏଇ ଶ୍ରେଣୀ ଦ୍ୱାରା ଜନତାର ଶୋଷଣ ନଟବର ଦାସଙ୍କ ସରକାରୀ ଚାକିରୀ ଓ ଏଇ ସୁବିଧା ବଳରେ ଭଣଜାର ସଂପତ୍ତି ଅପହରଣ ଅଭିଳାଷ ଏହାର ଉଦାହରଣ ‘ମାମୁଁ’ରେ ସୁସ୍ପଷ୍ଟ । ସାମାଜିକ କୁସଂସ୍କାର ଦୂରୀକରଣ ଓ ଜାତୀୟ ସାହିତ୍ୟର ଉନ୍ନତି ସାଧନ ପ୍ରଭୃତି ବିଷୟରେ ୧୮୮୧-୧୯୨୦ ସାଲ ଭିତରେ ଯେଉଁ ଶିକ୍ଷିତ ଶ୍ରେଣୀ ନେତୃତ୍ୱ ନେଇଥିଲା ତାହାର ପ୍ରତିନିଧି ହେଉଛନ୍ତି ପ୍ରାୟଶ୍ଚିତର ସଦାନନ୍ଦ, କମଳ ଲୋଚନ ଓ ରାଜୀବ ଲୋଚନ । ଜାତ୍ୟାଭିମାନ ଲୋକର ପ୍ରତିନିଧି ହେଉଛନ୍ତି ଜମିଦାର ବୈଷ୍ଣବ ଚରଣ ପଟ୍ଟନାୟକ । ‘ଭୋଜିସଭା’, ‘ଉତ୍କଳ ଭାଷା ବିବର୍ଦ୍ଧିନୀ ସଭା’ ହେଉଛନ୍ତି ସମସାମୟିକ ଜାତୀୟ ଆନ୍ଦୋଳନର ପ୍ରତୀକ ମାତ୍ର । ସହରୀ ଜୀବନର ଅନ୍ୟାନ୍ୟ ଦୁର୍ଗୁଣଗୁଡ଼ିକ ମଧ୍ୟ ତାଙ୍କର ‘ମାମୁଁ’ ଏବଂ ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସରେ ଚିତ୍ରିତ ହୋଇଛି । ଗୋପାଳ ବଲ୍ଲଭ ଦାସଙ୍କର ‘ଭୀମାଭୂୟାଁ’ ପ୍ରକାଶିତ ହେଲା ୧୯୦୮ ସାଲରେ । ଗଞ୍ଜାମର ଶ୍ରୀ ଅପର୍ଣ୍ଣା ପଣ୍ଡା ୧୯୦୨ ସାଲରେ ‘କଳାବତୀ’ ନାମକ ଉପନ୍ୟାସ ପାରଳାଖେମଣ୍ଡିର ଗଜପତି ପ୍ରେସରେ ମୁଦ୍ରିତ କରିଥିଲେ । ଶ୍ରୀ ଅପର୍ଣ୍ଣା ପଣ୍ଡା ଫକୀର ମୋହନଙ୍କ ସମକାଳୀନ । କଳାବତୀ ୧୪ଟି ପରିଚ୍ଛେଦରେ ପ୍ରକାଶିତ ହୋଇଥିଲା । ଉପନ୍ୟାସର କଥାବସ୍ତୁ ହେଲା-ମଧ୍ୟପ୍ରଦେଶ ରାୟପୁର ନଗରର ରାମସିଂହଙ୍କ କନ୍ୟା କଳାବତୀ । ସେ କାଳରେ ଭାରତର ରାଜଧାନୀ କଲିକତା ନଗରୀରେ ସେ ବି. ଏ ପାଶ୍ କରିଥିଲେ । କଳାବତୀ ନିଜର ସଖୀ ଇନ୍ଦୁମତୀଙ୍କ ସହିତ ଭାରତ ଭ୍ରମଣ କରିଥିଲେ । ସେ କଲିକତା, ଓଡ଼ିଶା, ମାନ୍ଦ୍ରାଜ, ବମ୍ବେ ଇତ୍ୟାଦି ସ୍ଥାନଗୁଡ଼ିକ ଦର୍ଶନ କରିଥିଲେ । ନଦୀଆ ଓ ବୃନ୍ଦାବନରେ ମହନ୍ତମାନଙ୍କର ବ୍ୟଭିଚାର, କଲିକତାରେ ବ୍ରାହ୍ମଧର୍ମ ପ୍ରଚାର ଏବଂ ପାଶ୍ଚାତ୍ୟ ସଭ୍ୟତା ପ୍ରତି ଆଗ୍ରହ, ବମ୍ବେ ନଗରୀରେ ଆଧୁନିକ ସଭ୍ୟତାର ପ୍ରଭାବ ଇତ୍ୟାଦି ବର୍ଣ୍ଣିତ । ଓଡ଼ିଶାରେ ଇନ୍ଦ୍ରଧନୁ ଓ ବିଜୁଳି ବିବାଦ ପ୍ରତି କଳାବତୀ ମଧ୍ୟ ଲକ୍ଷ୍ୟ କରି ଅଛନ୍ତି । ପରେ ସେ ସ୍ୱଦେଶକୁ ଫେରିଆସି ବିବାହ କରି ସୁଖରେ କାଳାତିପାତ କରି ଅଛନ୍ତି । କଳାବତୀର ଭ୍ରମଣ ଛଳରେ ଲେଖକ ଭାରତୀୟ ସାମାଜିକ ଜୀବନର ଚିତ୍ର ପରିବେଷଣ କରିଅଛନ୍ତି । ନନ୍ଦ କିଶୋର ବଳଙ୍କ ଅସଂପୂର୍ଣ୍ଣ ‘କନକଲତା’ ପରବର୍ତ୍ତୀ ସମୟ ୧୯୨୫ରେ ପ୍ରକାଶିତ ହୋଇଛି । ଔପନ୍ୟାସିକ ରାମଚନ୍ଦ୍ର ଆଚାର୍ଯ୍ୟ ବୀର ଓଡ଼ିଆ, କମଳ କୁମାରୀ, ପୀୟୂଷ ପ୍ରବାହ, ବୀରାଙ୍ଗନା, ପ୍ରଣୟ ପ୍ରବାହ ଇତ୍ୟାଦି ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରୁ ରଚନା କରିଥିଲେ । ତାରିଣୀ ଚରଣଙ୍କ ଐତିହାସିକ ଉପନ୍ୟାସ ଅନ୍ନପୂର୍ଣ୍ଣା ୧୯୨୨ ମସିହାରେ ରଚିତ ହୋଇଥିଲେ ହେଁ ଏହା ୧୯୩୪ରେ ପ୍ରକାଶିତ ହୋଇଥିଲା । ୧୯୧୫ ମସିହାରେ ‘ଅଦ୍ଭୁତ ପରିଣାମ’ ଉପନ୍ୟାସ ରଚନା କରିଥିଲେ ମୃତ୍ୟୁଞ୍ଜୟ ରଥ । ଏହି ଉପନ୍ୟାସରେ କଟକର ଖ୍ରୀଷ୍ଟିୟାନ ବସତି ପିଟନ ସାହିରେ ରେଭେରେଣ୍ଡ ଫିଲିପ୍‌ ଚନ୍ଦ୍ର ରାଉତ ବାସ କରୁଥିଲେ । ସେ ଥିଲେ ଜଣେ ଦେଶୀୟ ଖ୍ରୀଷ୍ଟଧର୍ମ ପ୍ରଚାରକ । ସେ ଲୀଳାବତୀ ନାମ୍ନୀ ଜଣେ ଅସହାୟା ବାଳିକାକୁ ଆଶ୍ରୟ ଦେଇଥିଲେ । ସେ ପାଦ୍ରୀଙ୍କ କୋଠିରେ ମୋହନ ନାମକ ଜଣେ ଶିକ୍ଷିତ ଯୁବକଙ୍କର ସାକ୍ଷାତ ହୋଇଥିଲା । ତାହାର ଅହେତୁକ ଆକର୍ଷଣରେ ମୋହନ, ଜାତି, ଧର୍ମ, ସମାଜ ଏବଂ ନିଜର ପ୍ରିୟ ପଲ୍ଲୀ ଗ୍ରାମକୁ ପ୍ରତ୍ୟାଖ୍ୟାନ କରି ଲୀଳାବତୀକୁ ବିବାହ କରିବା ପାଇଁ ସ୍ଥିର କରିଥିଲା । ପରବର୍ତ୍ତୀ ସମୟରେ ମୋହନ ନାମ ପରିବର୍ତ୍ତନ କରି ଜଗମୋହନ ନାମରେ ପରିଚିତ ହୋଇଛି ଏବଂ ଲୀଳାବତୀକୁ ବିବାହ କରିବାକୁ କୁଣ୍ଠାବୋଧ କରିଛି । ପାଳକ ପିତା ଫିଲିପ୍ ଅଦାଲତରେ ଆଶ୍ରୟ ଗ୍ରହଣ କରି ମୋହନକୁ ବିବାହ କରିବାକୁ ବାଧ୍ୟ କରିଅଛନ୍ତି । ଶେଷରେ ଖ୍ରୀଷ୍ଟୀୟାନ ବିଧିରେ ଗୀର୍ଜାରେ ମୋହନ ଲୀଳାବତୀକୁ ବିବାହ କରିଛି । ମାତ୍ର ପରବର୍ତ୍ତୀ ସମୟରେ ସେ ପୁଅ ଓ ସ୍ତ୍ରୀ ଲୀଳାବତୀଙ୍କୁ ସମୁଦ୍ରକୁ ପେଲି ଦେଇଛି । ପୁଅ ଦୁଇଟି ସମୁଦ୍ର ଭିତରେ ମରି ଯାଇଥିବା ବେଳେ ଲୀଳାବତୀ ବଞ୍ଚି ଅଦାଲତରେ ଆଶ୍ରୟ ନେଇ ମୋହନଙ୍କୁ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ କରିଛି । ଖ୍ରୀଷ୍ଟୀୟାନ ଧର୍ମର ପ୍ରଭାବରେ ସେକାଳର ଓଡ଼ିଆ ଯୁବକ ଉଚ୍ଛୃଙ୍ଖଳ ଓ ସମାଜ ବିରୋଧି ହୋଇ ପଡ଼ୁଥିଲେ ବୋଲି ଔପନ୍ୟାସିକ ସୂଚନା ପ୍ରଦାନ କରିଅଛନ୍ତି । ନୂତନ ସହରୀ ସଭ୍ୟତା ପାଶ୍ଚାତ୍ୟାଭିମୁଖୀ ହୋଇ ଯେଉଁ ଭ୍ରଷ୍ଟତା ସୃଷ୍ଟି କରୁଥିଲା ତାହା ଉପନ୍ୟାସରେ ଦର୍ଶାଇ ଦିଆଯାଇଛି-

 

ଚିନ୍ତାମଣି ମହାନ୍ତି ରୂପା ଚୁଡ଼ି, ଟଙ୍କା ଗଛ; ଯୁଗଳ ମଠ, ବୁଲା ଫକୀର, ଶନିସପ୍ତା ଇତ୍ୟାଦି କେତୋଟି ଉପନ୍ୟାସ ରଚନା କରିଥିଲେ । (୧୯୨୦ ରୁ ୧୯୪୦) ତାଙ୍କ ଉପନ୍ୟାସଗୁଡ଼ିକ ତତ୍‌କାଳୀନ ସାମାଜିକ ପରିବେଶକୁ ନେଇ ରଚିତ । ‘ଟଙ୍କା ଗଛ’ ଉପନ୍ୟାସରେ ସେ ସାହେବଙ୍କ ଜୀବନ ଧାରା ଓ ମଧୁ ସହିତ ତାଙ୍କ ସଂପର୍କର ଯେଉଁ ଚିତ୍ର ଦେଇଛନ୍ତି ତାହା କେତେକାଂଶରେ ସହରୀ ଜୀବନର ପୃଷ୍ଠଭୂମିରେ ଗଢ଼ି ଉଠିଛି । ବୁଲା ଫକୀର ଉପନ୍ୟାସରେ କଲିକତା ସହରର କେତେକ ଆଭାସ ମିଳିଥାଏ ।

 

କୁନ୍ତଳା କୁମାରୀ ସାବତ ଭ୍ରାନ୍ତି, (୧୯୨୩), ନଅତୁଣ୍ଡୀ (୧୯୨୫) କାଳୀବୋହୁ, ପରଶମଣି, ଏବଂ ରଘୁ ଅରକ୍ଷିତ ଇତ୍ୟାଦି ଉପନ୍ୟାସ ରଚନା କରିଥିଲେ । କୁନ୍ତଳା କୁମାରୀ ତାଙ୍କ ଉପନ୍ୟାସରେ ଉଚ୍ଚ ମଧ୍ୟବିତ୍ତ ଏବଂ ନିଚ୍ଚ ମଧ୍ୟବିତ୍ତ ପରିବାରର ଚିତ୍ର ଅଙ୍କନ କରିଅଛନ୍ତି । ସେ ତାଙ୍କର ଉପନ୍ୟାସରେ ଜମିଦାର ଗୋଷ୍ଠୀଙ୍କର ଚିତ୍ର ଦେଲାବେଳେ ତାହାଙ୍କୁ ଅଧିକ ଇଂରେଜ ପ୍ରଭାବିତ ଢାଞ୍ଚାର ବେଶ, ପୋଷାକ, ଚାଲିଚଳନରେ ସଜ୍ଜିତ ନ କରି ଖାଣ୍ଟି ଓଡ଼ିଆ କଲାବେଳେ ଚାକିରୀ କରୁଥିବା ଶିକ୍ଷିତ ଗୋଷ୍ଠୀଙ୍କ ମଧ୍ୟରେ ନୂତନ ସଭ୍ୟତା ଯେଉଁ ଚାକଚକ୍ୟ ଦେଇଛି ତାହା ଦର୍ଶାଇଛନ୍ତି । ବର୍ମା, ବଙ୍ଗଳା, ଉତ୍କଳୀୟ ସହରୀ ଜୀବନର ଚିତ୍ର ତାଙ୍କ ଉପନ୍ୟାସରେ ବିରଳ ନୁହେଁ-। ମାତ୍ର ସତେ ଯେପରି ସ୍ୱାଧୀନତା ଆନ୍ଦୋଳନର ପ୍ରବଳ ଆହ୍ୱାନ ତାଙ୍କ ଜୀବନର ମହାସ୍ରୋତ ।

 

ଔପନ୍ୟାସିକ ଗୋଦାବରୀଶ ମିଶ୍ର ରଚନା କରିଛନ୍ତି ତାଙ୍କର ‘ଅଭାଗିନୀ’ ୧୯୨୨ ମସିହାରେ । ଅନ୍ୟ ତିନୋଟି ଉପନ୍ୟାସ ରଚିତ ହୋଇଛି ୧୯୪୬ ରୁ ୧୯୫୧ ମଧ୍ୟରେ । ‘ଅଭାଗିନୀ’ ଫରାସୀ ଔପନ୍ୟାସିକ Victor Hugoଙ୍କ Lesmiserable ପୁସ୍ତକର ଅନୁସରଣରେ ରଚିତ । ବିପଥଗାମୀ ପାଣୁ ନାୟକ ଚରିତ୍ର ଚିତ୍ରଣ କଲାବେଳେ ସେ ସହରୀ ସଭ୍ୟତାର କେତେକ କୁପ୍ରଭାବ ତା ଜୀବନରେ ଅଙ୍କନ କରିଅଛନ୍ତି । ତାଙ୍କର ଅନ୍ୟାନ୍ୟ କୃତି ହେଲା, ‘ଘଟାନ୍ତର’, ‘ନିର୍ବାସିତ’, ‘ଅଠରଶହ ସତର’ ଇତ୍ୟାଦି । ନିର୍ବାସିତର ରଚନା କାଳ ସ୍ୱାଧୀନତାର ସନ୍ଧିକ୍ଷଣରେ ହୋଇଥିଲେ ହେଁ ଏହାର ପରିକଳ୍ପନାର ସମୟ ସ୍ୱାଧୀନତା ପୂର୍ବବର୍ତ୍ତୀ । ନିର୍ବାସିତର କଥାଭାଗ ଏକ ବୈଦେଶିକ ଉପନ୍ୟାସର ଅନୁସରଣରେ ଲିଖିତ ହୋଇଥିଲେ ହେଁ ଏହାର ସମୀକରଣ କୌଶଳ ଏକାନ୍ତ ନିଜସ୍ୱ । ଏହି ଉପନ୍ୟାସର ବିଷୟବସ୍ତୁ ମଧ୍ୟରେ ସତେଯେମିତି ବକ୍‌ସି ଜଗବନ୍ଧୁଙ୍କ ଆବାହନୀର ଏକ ପ୍ରତ୍ୟୁତ୍ତର ମିଳିଛି । ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରି ବୈଦେଶିକ ଶାସନରୁ ମୁକ୍ତ ହେବାକୁ ସ୍ୱହସ୍ତ ନିର୍ମିତ ଜାହାଜରେ ଓଡ଼ିଆ ଇଞ୍ଜିନିୟର ହରିହର, ଲକ୍ଷପତି ସଦାନନ୍ଦ ଓ ତାଙ୍କର ସହଧର୍ମିଣୀ, ରାଜକୁମାର ଗଙ୍ଗାଧର ଏବଂ ରାଜକୁମାରୀ ବିମଳା ଓ ବ୍ରିଟିଶ ସରକାରଙ୍କର ବେତନଭୋଗୀ ଜଣେ କର୍ମଚାରୀ ମଧ୍ୟ ପୂର୍ବଭାରତୀୟ ଦ୍ୱୀପପୁଞ୍ଜ ଆଡ଼େ ଯାତ୍ରା କରିଛନ୍ତି । ଏହି ଉପନ୍ୟାସ ଯେତିକି ବିଦ୍ରୋହର ପୃଷ୍ଠଭୂମିରେ ରଚିତ ଏହାର ବିଷୟବସ୍ତୁ ସେତିକି ଶିଳ୍ପଭିତ୍ତିକ । ମେଜର ହରିହର ବେହେରାଙ୍କ ଗୋପାଳପୁର ନିକଟବର୍ତ୍ତୀ ଉଆସରେ ରହି ଗୋଟିଏ ନୂଆ ଧରଣର ଉଡ଼ାଜାହାଜ ତିଆରି କରିବାର ସଫଳତା ଏ ଉପନ୍ୟାସର ଏକ ବିଶେଷ ଆକର୍ଷଣୀୟ ବିଷୟ, ଶିଳ୍ପ ବିପ୍ଳବପରେ ଗମନାଗମନ ସୁବିଧା ନିମିତ୍ତ ଯେଉଁ ନୂତନ ଉଦ୍ଭାବନ ତିଆରିର ସୂତ୍ରପାତ ହୋଇଥିଲା ଔପନ୍ୟାସିକ ତାହାର ଏକ ପରୀକ୍ଷା କରିଛନ୍ତି ତାଙ୍କର ନିର୍ବାସିତ ଉପନ୍ୟାସରେ । ଓଡ଼ିଶାରେ ସେତେବେଳେ ଜାହାଜ କାରଖାନା ନାହିଁ । ହୁଏତ ବିଦେଶୀ ଉପନ୍ୟାସର ପ୍ରଭାବରେ ସେ ଏହା ରଚନା କରି ପାରିଥାନ୍ତି, ମାତ୍ର ଏ ଚେଷ୍ଟା ଯେ ସ୍ୱାଧୀନତା ପୂର୍ବବର୍ତ୍ତୀ ପରିବେଶରେ ଓଡ଼ିଶାରେ ନୂତନ ଏକଥା ସ୍ୱୀକାର କରିବାକୁ ହେବ ।

 

ଗୋଦାବରୀଶ ମହାପାତ୍ରଙ୍କ ରାଜଦ୍ରୋହୀ (୧୯୨୫), ରକ୍ତପାତ (୧୯୩୦) ପ୍ରେମପଥେ (୧୯୩୨), ବନ୍ଦୀର ମାୟା (୧୯୩୪) ବିଦ୍ରୋହ (୧୯୩୮), ରେ ରଚିତ ହୋଇଥିଲା । ପ୍ରେମପଥେ ଓ ବିଦ୍ରୋହ ଉପନ୍ୟାସଦୁଇଟିରେ ଲେଖକ ବିଂଶଶତକର ପ୍ରଥମ ଦଶକରେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷାର ଦ୍ରୁତ ପ୍ରସାର ଫଳରେ ଯୁବ ପ୍ରାଣରେ ଯେଉଁ ବିଦ୍ରୋହ ଦେଖାଦେଇ ପରଂପରାଗତ ପବିତ୍ର ଅନୁଷ୍ଠାନ ଗୁଡ଼ିକୁ ଅସ୍ୱୀକାର କରି ସହରୀ ଜୀବନ ସହିତ ସମାଜ ଜୀବନକୁ ଯେଭଳି ବିଷାକ୍ତ କରିଅଛନ୍ତି, ତାହାହିଁ ଏଥିରେ ବର୍ଣ୍ଣନା କରାଯାଇଛି । ‘ବାସନ୍ତୀ’ ଉପନ୍ୟାସର ସୃଷ୍ଟି ସବୁଜ ସମିତିଦ୍ୱାରା ୧୯୩୧ ମସିହାରେ । ବଙ୍ଗଳାର ବାସୋୟାରୀ ଉପନ୍ୟାସ ରଚନାପଦ୍ଧତି ଆଦର୍ଶରେ ଏହା ରଚିତ । ‘ବାସନ୍ତୀ’ ଉପନ୍ୟାସ ନୂତନ ସଭ୍ୟତାର ଏକ ଝଲକ; ଧର୍ମ ଓ ସମାଜର ସଂସ୍କାର ଆଣିବା, ସମାଜ ରଚନାରେ ନାରୀ ଓ ପୁରୁଷ ଉଭୟଙ୍କୁ ସମାନ ସ୍ଥାନ ଦେବା ଓ ସବୁ ପ୍ରକାର ପ୍ରାଚୀନ କୁସଂସ୍କାର ଏଡ଼ାଇ ଜାତିକୁ ଏକ ନୂତନ ରୂପରେ ଗଢ଼ିଦେବା ବାସନ୍ତୀ ସ୍ରଷ୍ଟାମାନଙ୍କର ଲକ୍ଷ୍ୟ ।

 

କାଳିନ୍ଦୀ ଚରଣ ମାଟିର ମଣିଷ, ମୁକ୍ତାଗଡ଼ର କ୍ଷୁଧା, ଅମର ଚିତା, ଲୁହାର ମଣିଷ, ଆଜିର ମଣିଷ ଇତ୍ୟାଦି ଉପନ୍ୟାସ ରଚନା କରିଛନ୍ତି । ମାଟିର ମଣିଷ ଓ ଲୁହାର ମଣିଷ ରଚନା ଯଥାକ୍ରମେ ୧୯୩୦ ଓ ୧୯୪୬, ଏ ଉଭୟ ଉପନ୍ୟାସରେ କାଳିନ୍ଦୀ ଚରଣ ଭାରତୀୟ ମୁକ୍ତି ସଂଗ୍ରାମରେ ସାଧାରଣ ପଲ୍ଲୀ ମଣିଷର ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ବୈଷ୍ଣବ ଚରଣ ଦାସଙ୍କ ‘ମନେମନେ’ (୧୯୨୬), ଉପେନ୍ଦ୍ର କିଶୋର ଦାସଙ୍କ ମଲାଜହ୍ନ (୧୯୨୮) ଦୁଇଟି ମନସ୍ତାତ୍ତ୍ୱିକ କ୍ରାନ୍ତିକାରୀ ଉପନ୍ୟାସ । ଉପନ୍ୟାସ ଦୁଇଟି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳର ରଚନା । ଏ ଦୁଇଟିଯାକ ଉପନ୍ୟାସର ପୃଷ୍ଠଭୂମି ଗ୍ରାମ୍ୟଜୀବନ, ମାତ୍ର କିଛି ସମୟ ପାଇଁ ଏମାନେ ସହରରେ କେବଳ ଆଶ୍ରୟ ଗ୍ରହଣ କରିଛନ୍ତି । ମାତ୍ର ସହରୀ ଜୀବନର ଛାପ ଏମାନଙ୍କୁ ସ୍ପର୍ଶ କରିପାରି ନାହିଁ । ହେଲେ ବିଗତ ଶତାବ୍ଦୀର ମନସ୍ତତ୍ୱବିଦ୍‌ମାନେ ଯେଉଁ ମନୋବିଶ୍ଳେଷଣର ସମୀକ୍ଷା କରିଥିଲେ, ତାହାହିଁ ଏ ଦୁଇ ଔପନ୍ୟାସିକଙ୍କୁ ବହୁଭାବରେ ପ୍ରଭାବିତ କରିଅଛି ।

 

ସଚ୍ଚିଦାନନ୍ଦ ରାଉତରାୟଙ୍କର ଚିତ୍ରଗ୍ରୀବ ୧୯୩୬ ମସିହାର ସୃଷ୍ଟି । ଏହି ଉପନ୍ୟାସର ପୃଷ୍ଠଭୂମି କଲିକତା ନଗରୀ । ବାସ୍ତବତାର ପ୍ରଥମ ସ୍ୱର ଲିପି ତୋଳିଛନ୍ତି ସେ ଏ ଉପନ୍ୟାସରେ ଯେଉଁଥି ପାଇଁ ତାଙ୍କର ଘୋଷଣାଥିଲା-‘‘ପ୍ରତ୍ୟେକ ସଭ୍ୟତା ପକ୍ଷରେ ବାଲ୍ମୀକିଙ୍କର ଲେଖନୀ ପୂର୍ବରୁ ଦସ୍ୟୁ ରତ୍ନାକରର ଗଦାଟା ଆଗ ଦରକାର । ଆଗେ ମଣିଷକୁ ଶରୀର ଆଡ଼ୁ ବଞ୍ଚିବାକୁ ହେବ । ଦସ୍ୟୁ ସେହି ଶାରୀରିକ ଶକ୍ତିର ପ୍ରତୀକ । ମଣିଷ ଆଗେ ବଞ୍ଚୁ ତା’ପରେ ସେ କବିତା ଲେଖିବ, ସ୍ୱପ୍ନ ଦେଖିବ, ଅଭିସାର କରିବ କିମ୍ବା ବଂଶୀ ବଜାଇବ । x x x x x ଯେଉଁଠି ସଂଘର୍ଷ ନାହିଁ, ବୈଚିତ୍ର୍ୟ ନାହିଁ, ସେଠି ଜୀବନ ନାହିଁ । ପୃଥିବୀ ହିଁ ଜୀବନର ତୀର୍ଥକ୍ଷେତ୍ର; କାରଣ ସେଠି ଉତ୍ତାପ ଅଛି, ସଂଘର୍ଷ ଅଛି, ଅଛି ଜୀବନର ପୂର୍ଣ୍ଣତମ ବିକାଶ ପକ୍ଷରେ ଯେଉଁ ଜିନିଷଟା ସର୍ବାପେକ୍ଷା ବେଶୀ ଦରକାର, ସେହି ଆଘାତ । ମଣିଷ ଚିରଦିନ ସେଠି ମଣିଷ । ଯୁଗ-ଚେତନାର ଏକ ସନ୍ଦିକ୍ଷଣରେ ଚିତ୍ରଗ୍ରୀବର ସୃଷ୍ଟି । ସେଠି ଭାରତୀୟ ଚଳନି ଓ ସଂସ୍କୃତି ପାଇଁ ଯେତିକି ମୋହ ତା’ଠାରୁ ଅଧିକ ସଚେତନ ହୋଇଛି ଯୁବଗୋଷ୍ଠୀ ତାର କୁସଂସ୍କାରକୁ ଦୂରୀଭୂତ କରି ଏକ ସଂସ୍କାରିତ ବାସ୍ତବଧର୍ମୀ ସମାଜଗଠନ କରିବା ନିମିତ୍ତ । ଏଠି ସ୍ୱାଧୀନତା ପାଇଁ ନବ ଉନ୍ମାଦନା ଯେତିକି ପ୍ରକାଶ ପାଇଛି ମାର୍କସ୍‌ ମଧ୍ୟ କମ୍‌ ପ୍ରଭାବ ପକାଇ ନାହାନ୍ତି ।

 

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘କଣାମାମୁଁ’ର ସୃଷ୍ଟି ୧୯୩୭ ମସିହାରେ । ଜାତୀୟ ସ୍ୱାଭିମାନୀ ଭାବଧାରାର ଏହା ଏକ ମର୍ମଲିପି । ବିଦେଶୀ ଭାବ, ଭାଷା, ପୋଷାକ ଓ ଖେଳ ପ୍ରତି ଏଥିରେ ଅଛି ଜାତୀୟ ଘୃଣା । ଇଂରେଜୀ କସରତ ଓ ଖେଳ ମଣିଷକୁ କରିଛି ହୀନବଳ । ଇଂରେଜ ଶିକ୍ଷା ଓ ସଭ୍ୟତାପୁଷ୍ଟ ଯୁବଗୋଷ୍ଠୀ ପ୍ରତି ଥିଲା ଏହା ଏକ ଆହ୍ୱାନ । ନିରୀହ ପ୍ରଜାମାନଙ୍କ ଉପରେ ପୁଲିସମାନଙ୍କର ଅତ୍ୟାଚାର ଓ ନିଷ୍ପେଷଣ, ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିବାଥିଲା ଏ ଉପନ୍ୟାସର ଉଦ୍ଦେଶ୍ୟ । ରାମପ୍ରସାଦଙ୍କ ହୋମଶିଖା (୧୯୩୭), ସମାପ୍ତି, ପୂର୍ବରାଗ (୧୯୪୪), ମରିଚୀକା (୧୯୪୬), ଜଗତ୍‌ବନ୍ଧୁ ମହାପାତ୍ରଙ୍କ ଭଙ୍ଗାସଂସାର (୧୯୪୬) ପ୍ରାଣକୃଷ୍ଣ ସାମଲଙ୍କ ନୀଳକମଳ (୧୯୩୮) ସହଯାତ୍ରିଣୀ (୧୯୪୫) ହାତୀକା ଦାନ୍ତ (୧୯୪୭), ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଗୋଟିଏ ଗୋଟିଏ ଆଲେଖ୍ୟ । ହରେକୃଷ୍ଣ ମହତାବଙ୍କର ‘ପ୍ରତିଭା’, ‘ଅତ୍ୟାଚାର’, ଲକ୍ଷ୍ମୀଧର ନାୟକଙ୍କ ‘ସର୍ବହରା’, ‘ହାୟରେ ଦୁର୍ଭାଗା ଦେଶ’ (୧୯୪୭), ଜ୍ଞାନୀନ୍ଦ୍ର ବର୍ମାଙ୍କର ‘ଭୂମିକା’ (୧୯୪୭), କାହ୍ନୁ ଚରଣଙ୍କର ‘ହା ଅନ୍ନ’ (୧୯୩୨), ଶାସ୍ତି (୧୯୪୬) ଗୋପୀନାଥଙ୍କର ‘ପରଜା’ (୧୯୪୬), ‘ହରିଜନ’ (ଯାହାର ପ୍ରକାଶ କାଳ ୧୯୪୮ ମାତ୍ର ପ୍ରସ୍ତୁତି ସମୟ ଏହା ପୂର୍ବର) ଗୋଟିଏ ଗୋଟିଏ ଦିଗନ୍ତକାରୀ ଉପନ୍ୟାସ ।

 

ହରିଜନରେ ସେ ମାର୍କ୍‍ସୀୟ ସମାଜ ଦର୍ଶନର ପ୍ରଭାବ ସହିତ, ଯୌନ ଜିଜ୍ଞାସା ଓ ବିପର୍ଯ୍ୟସ୍ତ ଜୀବନର କରୁଣ ଆତ୍ମଲିପି ପ୍ରକାଶ କରିଛନ୍ତି । ମାର୍କସୀୟ ଦ୍ୱନ୍ଦ୍ଵାତ୍ମକ ବସ୍ତୁବାଦ ସହିତ ଗାନ୍ଧୀବାଦର ଏକ ଚମତ୍କାର ସମନ୍ୱୟ ସ୍ଥାପିତ ହୋଇଛି । ସହରର ସଭ୍ୟ ଅଭିଜାତ ସମାଜର ଶୋଷଣ ଓ ଉପଭୋଗ ଲାଳସାର ତୀବ୍ରତାକୁ ଓ ନିମ୍ନ ଜାତିର ଦୁର୍ବଳ ସର୍ବହରା ନାରୀର ଅନ୍ତରର ଜିଜ୍ଞାସାକୁ ରୂପାୟିତ କରିବାରେ ଗୋପୀନାଥ ସକ୍ଷମ ହୋଇଛନ୍ତି । ରାମପ୍ରସାଦ ତାଙ୍କ ଉପନ୍ୟାସରେ ଚାକିରିଆ ଗୋଷ୍ଠୀର ଅତିମାତ୍ରାରେ ଇଂରେଜୀ ପ୍ରୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ‘‘ଓକିଲ, ମାଷ୍ଟର, ପ୍ରଫେସରମାନଙ୍କର ଚାକିରୀ ଉଡ଼ାଜାହାଜ ପଡ଼ିଆରେ କାମ କରୁଥିବା ପାତ୍ରମାନଙ୍କଠାରୁ ହୀନ । ଏମାନଙ୍କର ହୀନ ଅର୍ଥ ଉପାର୍ଜନ ମନୋବୃତ୍ତି ଓ ସୁରାସାକୀ ଗ୍ରହଣ ଜାତୀୟ ଜୀବନରେ ଭ୍ରଷ୍ଟତା ସୃଷ୍ଟି କରିଛି । ଗାନ୍ଧୀ ଜଣେ ରାଜଦ୍ରୋହୀ ଏବଂ ତାଙ୍କର ଆଦର୍ଶ ମୂଲ୍ୟହୀନ ଏ କଥା ଅରୁଣା ପରି ଶିକ୍ଷିତା ଝିଅ (ମରିଚୀକା) କହିବାକୁ କୁଣ୍ଠାବୋଧ କରିଥିବାରୁ ସେ ଅଧିକ ମର୍ମାହତ ହୋଇଛନ୍ତି । ଏମାନଙ୍କ ଜୀବନ ଯାପନର ପୃଷ୍ଠଭୂମି ଥିଲା ସହର । ଏମାନେ ଜୀବନକୁ ଏକ ସହରୀ ସଭ୍ୟତା ଭିତରେ ଗଢ଼ିନେଇ ବିଭ୍ରାନ୍ତକର ସମାଜ ଗଠନ ଲାଳସା ରଖିଥିଲେ ।’’

 

କମଳାକାନ୍ତଙ୍କ ସୃଷ୍ଟିରେ ବୋଉ, ଭାଉଜ, ଇତ୍ୟାଦି କେତୋଟି ସୃଷ୍ଟି ଆଖି ଆଗକୁ ଆସିଲେ ମଧ୍ୟ ସେ ମୁଖ୍ୟତଃ ଗ୍ରାମ ସଙ୍ଗଠନର ସ୍ୱପ୍ନ ଦେଖିଛନ୍ତି । କାହ୍ନୁ ଚରଣଙ୍କ କୃତି ‘ହା ଅନ୍ନ’ ଓ ‘ଶାସ୍ତି’ ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାର ଉପନ୍ୟାସ ହୋଇଥିଲେ ହେଁ ସେଠି ଗାନ୍ଧୀବାଦ ଓ ସର୍ବୋଦୟ ଅଧିକ ଗୁରୁତ୍ୱ ଲାଭ କରିଛି । ସେଠି ଲଙ୍ଗଳ ଯାହାର ଭୂମି ତାହାର କଥା ଉଲ୍ଲିଖିତ ହୋଇଥିଲେ ମଧ୍ୟ ମାର୍କ୍‍ସଙ୍କଠାରୁ ଗାନ୍ଧୀ ଅଧିକ ସମ୍ମାନିତ । ମାତ୍ର ଫ୍ରଏଡୀୟ ଦର୍ଶନରେ ତାଙ୍କର ନାୟକ ନାୟିକା ଯେତିକି ପ୍ରଭାବିତ ତାଠାରୁ ସେ ଅଧିକ ଭାବରେ ସମାଜର ଶୋଷଣ ଅତ୍ୟାଚାରର ତୀବ୍ରରୂପ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି ।

 

ରାୟବାହାଦୂର ଜଗତବନ୍ଧୁ ମହାପାତ୍ରଙ୍କ ବିସର୍ଜନ (ଦ୍ୱିତୀୟ ମୁଦ୍ରଣ, ୧୯୪୬) ସହର ଓ ଶିଳ୍ପାଞ୍ଚଳ ପୃଷ୍ଠଭୂମିରେ ରଚିତ ଏକ ଉପନ୍ୟାସ ଭାବରେ ବିବେଚିତ ହୋଇପାରେ । ଏହାର କଳାଗତ ଧର୍ମର ଅଧିକ ବିଶେଷତ୍ୱ ନ ଥିଲେ ମଧ୍ୟ ବିଷୟବସ୍ତୁ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଶିଳ୍ପ ବିପ୍ଳବ ପରେ ଯେଉଁ ଶ୍ରମିକ ସମାଜ ସହର ଆଡ଼କୁ ଧାଇଁଛନ୍ତି, ସେମାନଙ୍କ ମଧ୍ୟରେ ଅଧିକ ଥିଲେ ଗରିବ ଓ ହରିଜନ ଶ୍ରେଣୀର ଲୋକେ । ସେମାନେ କଳକାରଖାନାରେ କାମ କରିବାଠାରୁ ଆରମ୍ଭ କରି ଯାନବାହନ ଚଳାଇବାରେ ଅଧିକ ଭାଗ ନେଇ ମୁଖ୍ୟତଃ ସହରୀତଳି ଜୀବନଯାପନ କରୁଥିଲେ । ଆକାରରେ କ୍ଷୁଦ୍ର ହେଲେ ହେଁ ଅଛବ ଗୋଷ୍ଠୀର ସାଧାରଣ ବୈଚିତ୍ର୍ୟହୀନ ସହରୀ ଜୀବନ ଯାତ୍ରାରୁ ବିସର୍ଜନର କଥାବସ୍ତୁ ଗ୍ରହଣ କରାଯାଇଛି । ନିଜର ପାରିବାରିକ ଗୁଜୁରାଣ ମେଣ୍ଟାଇବାରେ ଅକ୍ଷମ ହୋଇ ମଦ୍ୟପାନ ଜରିଆରେ ରାମ ସାମଲ ନିଜକୁ ଭୁଲିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ନିଜ ସ୍ତ୍ରୀ ପ୍ରତି ଅତ୍ୟାଚାର କରିଛି । ତା ସହିତ ଅଧସ୍ତନ ପୋଲିସ କର୍ମଚାରୀମାନଙ୍କ ଜୁଲମ ବସ୍ତି ଜୀବନର କାରୁଣ୍ୟକୁ ଅଧିକ ଜ୍ୱାଳାମୟ କରିଛି । ଚକ୍ରଧର ମହାପାତ୍ରଙ୍କ ‘ଗୋବରଗୋଟେଇ’ର ପ୍ରକାଶକାଳ (୧୯୩୦) ତତ୍‌କାଳୀନ ଓଡ଼ିଆ ସମାଜର ରକ୍ଷଣଶୀଳତା ବିରୁଦ୍ଧରେ ଅଭିଯାନ ଆରମ୍ଭ କରି ନୂତନ ସଂସ୍କାର ପ୍ରବର୍ତ୍ତନ କରିବା ଥିଲା ଏ ଉପନ୍ୟାସର ବିଷୟବସ୍ତୁ । ବ୍ରିଟିଶ ଶାସନ କାଳରେ ପୋଲିସ୍‌ର ଜୁଲମ୍‌ ଏବଂ ଶିକ୍ଷାନୁଷ୍ଠାନରେ ଖ୍ରୀଷ୍ଟୀୟାନ ଧର୍ମ ପ୍ରଚାର ପ୍ରଭୃତି କେତେକ ଘଟଣାର ପରିଚୟ ଫୁଟି ଲେଖକଙ୍କର ସ୍ୱାଧୀନ ମତବାଦର ପୋଷକତା କରିଛି । ମିସନ୍‌ ସ୍କୁଲର ପ୍ରିନ୍‌ସପାଲ ପିତୁଳାପୂଜା ବିରୁଦ୍ଧରେ ଯୁକ୍ତିକରି ମଣି ଦ୍ୱାରା ପରାସ୍ତ ହୋଇ ହିନ୍ଦୁଧର୍ମ ଗ୍ରହଣ ଲେଖକଙ୍କର ଧର୍ମ ସମ୍ପର୍କୀୟ ଉଦାର ମନୋଭାବର ପରିଚୟ ପ୍ରଦାନ କରିଛି । ଉପନ୍ୟାସଟି ମୁଖ୍ୟତଃ ସହର ପୃଷ୍ଠଭୂମିରେ ରଚିତ ।

 

ହରେକୃଷ୍ଣ ମହତାବଙ୍କର ପ୍ରତିଭା, ଅବ୍ୟାପାର ଇତ୍ୟାଦିରେ ଓଡ଼ିଶାର ରାଜନୀତିକ ଓ ସାମାଜିକ ଜାଗରଣର ଚିତ୍ର ରହିଛି । ଗାନ୍ଧୀବାଦର ଏ ସବୁ ନୂତନ ପରୀକ୍ଷା କରିଛି । ଔପନ୍ୟାସିକ ଅନନ୍ତପ୍ରସାଦ ପଣ୍ଡାଙ୍କର ‘କୁଲି’ ବିଶ୍ୱଯୁଦ୍ଧ ସମୟ ଚିନ୍ତା ଓ ଚେତନା ଉପରେ ପରିପୁଷ୍ଟ । ମିଲିଟାରୀ ହେଡକ୍ୱାର୍ଟର ଏବଂ ଏରୋଡ୍ରମ ତିଆରି ସମୟରେ ଇଞ୍ଜିନିୟର ଏବଂ କଣ୍ଟ୍ରାକ୍ଟରମାନଙ୍କର କିଭଳି ଶ୍ରମିକ ଶ୍ରେଣୀର ଯୁବତୀମାନଙ୍କ ଉପରେ ଯୌନ ଲାଳସା ଚରିତାର୍ଥ କରିବାପାଇଁ ଲୋଲୁପଦୃଷ୍ଟି ତାହା ଏଥିରେ ବର୍ଣ୍ଣିତ । ବିଶ୍ୱଯୁଦ୍ଧଜନିତ ଆତଙ୍କ ମଧ୍ୟରେ ସାମାନ୍ୟ ଟିକିଏ ଶାରୀରିକ କ୍ଷୁଧା ନିବାରଣ କରିବା ପାଇଁ ସଂଘର୍ଷରେ ଜର୍ଜରିତ ଶିକ୍ଷିତ ମଣିଷ କିଭଳି ଲଜ୍ଜାହୀନ ହୋଇପାରେ ତାହା ଲେଖକ ଉପସ୍ଥାପିତ କରିଛନ୍ତି ।

 

ନିତ୍ୟାନନ୍ଦ ମହାପାତ୍ରଙ୍କର ସ୍ୱାଧୀନତା ପୂର୍ବବର୍ତ୍ତୀ ଉପନ୍ୟାସ ଶିଳ୍ପରେ ଗ୍ରାମ୍ୟ ସଙ୍ଗଠନ ଏବଂ ସ୍ୱାଧୀନତା ପାଇଁ ବ୍ୟାକୁଳତା ସହିତ ଗ୍ରାମ୍ୟ ଜୀବନରେ ଶୋଷଣ ତଥା ଅତ୍ୟାଚାରିତ ମଣିଷର ଚିତ୍ର ଅଧିକ ସୁସ୍ପଷ୍ଟ । ଶୋଷଣହୀନ ସମାଜ ପ୍ରତିଷ୍ଠା ପାଇଁ ସେ ବିଶେଷ ଆଗ୍ରହୀ । ତାଙ୍କର ଉପନ୍ୟାସ ‘ଭୁଲ’ (୧୯୩୬) ହିଡ଼ମାଟି ଓ ଭଙ୍ଗାହାଡ଼ (୧୯୪୬ ରୁ ପରିକଳ୍ପିତ ଓ ୧୯୪୮ରେ ପ୍ରକାଶିତ) ବିଶ୍ୱଯୁଦ୍ଧକାଳୀନ ଉତ୍କଳର ସାମାଜିକ ଚିତ୍ର, ଗାନ୍ଧୀଙ୍କର ଅସହଯାଗ ଆନ୍ଦୋଳନର ବାର୍ତ୍ତା ଏବଂ ବ୍ୟକ୍ତି ସତ୍ତାସହ ସମାଜର ସଂଘର୍ଷର ଚିତ୍ର ଦେବାରେ ଅଧିକ ବ୍ୟଗ୍ର ହୋଇ ଉଠିଛି । ପ୍ରାଣକୃଷ୍ଣ ସାମଲଙ୍କ ନୀଳକମଳ (୧୯୩୯) ଏକ ସହରଭିତ୍ତିକ ଉପନ୍ୟାସ । ଯେଉଁଥିରେ ସେ ସମାଜର ବିପ୍ଳବର ଆନୟନ କରିଛନ୍ତି ଜଣେ ଉତ୍କଳୀୟ ଯୁବକ ସହିତ ଜଣେ ବଙ୍ଗୀୟ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବିବାହ ଦେଇ । ତାଙ୍କର ଅନ୍ୟତମ ଉପନ୍ୟାସ ‘ସହଯାତ୍ରିଣୀ’ ୧୯୪୫ରେ ସୃଷ୍ଟି । ଦିଲ୍ଲୀରେ ଅଧ୍ୟୟନ କରୁଥିବା ଦୁଇଟି ଯୁବକ ଓ ଯୁବତୀଙ୍କ ପ୍ରେମଜନିତ ସହରୀ ଜୀବନ ଏଥିରେ ପ୍ରତିଫଳିତ । ମନସ୍ତାତ୍ତ୍ୱିକ ଜୀବନଧାରା ଏହି ଉପନ୍ୟାସରେ ଅଧିକ ପ୍ରକଟିତ ହୋଇଥିବାରୁ ଏହା ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବ । ଜ୍ଞାନୀନ୍ଦ୍ର ବର୍ମାଙ୍କ ଶତାବ୍ଦୀର ସ୍ୱପ୍ନଭଙ୍ଗ, ଲାଲଘୋଡ଼ା, ଭୂମିକା ଓ ଶେଷ ଅଭିସାର, ସ୍ୱାଧୀନତା ପୂର୍ବବର୍ତ୍ତୀ ରଚନା । ତାଙ୍କର ଶତାବ୍ଦୀର ସ୍ୱପ୍ନଭଙ୍ଗ ବମ୍ବେ ସହରରେ ଗଢ଼ିଉଠିଥିବା ବାରାଙ୍ଗନା ବ୍ୟବସାୟର ଏକ ସ୍ପଷ୍ଟ ସୂଚନା ଦେଇଛି । ମହେଶ ଓ ବାରଙ୍ଗନା ସିପ୍ରା ମଧ୍ୟରେ ଗଢ଼ିଉଠିଥିବା ସଂପର୍କ ଏଥିରେ ସ୍ଥାନ ପାଇଛି । ଏହି ସଂପର୍କ ଯଦିଓ ମହେଶ ଓ ସିପ୍ରା ପକ୍ଷରେ ଆକସ୍ମିକ ଥିଲା ତଥାପି ଓଡ଼ିଆ ଝିଅ ସିପ୍ରା ପକ୍ଷରେ ଆକସ୍ମିକ ଥିଲା । ତଥାପି ଓଡ଼ିଆ ଝିଅ ସିପ୍ରା କିଭଳି କଲିକତା ନଗରୀରେ ଆଦ୍ୟ ଯୌବନ କଟାଇ ବମ୍ବେ ନଗରୀକୁ ସ୍ଥାନାନ୍ତରିତ ହୋଇ ଥିଲା ତାହା ଉପନ୍ୟାସରେ ବର୍ଣ୍ଣନା କରାଯାଇଛି । ସିପ୍ରାର ନୃତ୍ୟ ଶିକ୍ଷକଙ୍କ ଉପଭୋଗରୁ ଅନ୍ତଃସତ୍ତ୍ୱା ସିପ୍ରାକୁ ତା’ର ପିତା ଜଣେ ଧନୀକ ବ୍ୟବସାୟୀକୁ ବିକ୍ରୟ କରି ଦେଇଥିଲେ । ସିପ୍ରା ବମ୍ବେ ସହରକୁ ଆସି ନର୍ତ୍ତକୀ ଜୀବନ ଆରମ୍ଭ କରିଥିଲା । ସେତେବେଳକୁ ନୃତ୍ୟଶିକ୍ଷକ ସିପ୍ରାର ସମସ୍ତ ଅର୍ଥ ଆତ୍ମସାତ କରି ତାକୁ ପରିତ୍ୟାଗ କରିଥିଲେ । ମାତ୍ର ମହେଶ ଏସବୁ ଜାଣି ମଧ୍ୟ ସିପ୍ରାକୁ ବିବାହ କରି ତା’ର ଜନ୍ମ ମାଟି ଓଡ଼ିଶାକୁ ଫେରି ଆସିଥିଲେ । ଉଦାରତା ହିଁ ମାନବିକତା ଏବଂ ମାନବିକତା ହିଁ ମାନବର ଶ୍ରେଷ୍ଠ ଧର୍ମ, ଏହା ଉପନ୍ୟାସରେ ବର୍ଣ୍ଣିତ ହୋଇଛି ।

 

ମାତ୍ର ଏଠାରେ ଗୋଟିଏ ବିଷୟ ପ୍ରତି ସୂକ୍ଷ୍ମ ଦୃଷ୍ଟି ନିକ୍ଷେପ କଲେ ଦେଖାଯାଏ ଶିଳ୍ପ ବିପ୍ଳବ ଏବଂ ଦୁଇ ଦୁଇଟା ବିଶ୍ୱଯୁଦ୍ଧପରେ ସାମାଜିକ ମୂଲ୍ୟବୋଧର ଯେଉଁ ଅବକ୍ଷୟ ଘଟିଥିଲା ତା’ର ଦୃଷ୍ଟାନ୍ତ ଏଥିରେ ପ୍ରତିଫଳିତ । ବମ୍ବେଭଳି ଭୋଗବାଦୀ ଶିଳ୍ପ-ସଭ୍ୟତାରେ ଉତ୍କର୍ଷ ସାଧନ କରିଥିବା ସହରମାନଙ୍କରେ ଜୀବନକୁ ଉପଭୋଗ କରିବା ପାଇଁ ଯେଉଁ ବିଳାସୀ ବୁର୍ଜୁୟା ଗୋଷ୍ଠୀ ସୃଷ୍ଟି ହୋଇଥିଲେ ସେମାନେ ସାମାଜିକ ଜୀବନରେ ଗୋଟିଏ ଗୋଟିଏ ଦୃଷ୍ଟବ୍ରଣ ଭାବରେ ପ୍ରତ୍ୟୟମାନ ହେଲେ । ଲାଲଘୋଡ଼ା ଜ୍ଞାନୀନ୍ଦ୍ର ବାବୁଙ୍କର ଏକ ପଲ୍ଲୀ ସଂଗଠନମୂଳକ ଉପନ୍ୟାସ । ଏଥିରେ ‘ଲାଲଘୋଡ଼ା’ ଜାଗୃତିର ‘କଦମ’ର ଖୁରାଘାତରେ ପୁରାତନର ରକ୍ଷଣଶୀଳତା ମାଟିରେ ମିଶିଯାଇଛି-। ବିଶ୍ୱଯୁଦ୍ଧର ପ୍ରଭାବ କିଭଳି ଜନପଦକୁ ଗ୍ରାସି ଯାଇଛି ତାହା ଭୂମିକାରେ ବର୍ଣ୍ଣିତ । ରାଜା, ଜମିଦାର ମାନେ ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ କିଭଳି ନିଜର ରାଜ୍ୟ ଏବଂ ଇଲାକାରେ ବିଳାସମୟ ଜୀବନଯାପନ କରୁଥିଲେ ତାହା ଶେଷ ‘ଅଭିସାର’ରେ ଉଲ୍ଲିଖିତ ।

 

ସୁରେନ୍ଦ୍ର ମହାନ୍ତିଙ୍କର ‘କଲେଜ ବୟ’ର ପ୍ରକାଶ କାଳ ୧୯୪୭ । ମାତ୍ର ଏହି ଉପନ୍ୟାସର ବିଷୟବସ୍ତୁ ସ୍ୱାଧୀନତା ପୂର୍ବବର୍ତ୍ତୀ ପୃଷ୍ଠଭୂମିରେ ଏକ ସହରଜୀବନକୁ ନେଇ ଗଢ଼ିଉଠିଛି । ପରାଧୀନ ଭାରତର ଇଂଗ୍ରେଜ ସଂସ୍କୃତି ଓ ରୁଚି ପ୍ରତି ଆକୃଷ୍ଟ ନବ୍ୟ ଶିକ୍ଷିତମାନେ ଭାରତୀୟ ସଂସ୍କୃତି, ରୁଚି, ଓ ପରମ୍ପରା ମୂଳରେ ଯେତେବେଳେ କୁଠାରଘାତ କରିଛନ୍ତି ତା ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ଲେଖକ ଆଗଭର ହୋଇଛନ୍ତି । ଲକ୍ଷ୍ୟହୀନ ଉଚ୍ଛୃଙ୍ଖଳ ଜୀବନ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଆଦର୍ଶରେ ପରିଚାଳିତ କରିବାର ଦାୟିତ୍ୱରେ ନିଜେ ଯେତିକି ବହନ କରିବାପାଇଁ ବ୍ୟଗ୍ର ହୋଇଛନ୍ତି ସହରୀ ଜୀବନଯାପନ କରୁଥିବା ତତ୍‌କାଳୀନ ଶିକ୍ଷିତ ସମାଜରେ ଭାରତୀୟ ସଂସ୍କୃତି, ରୁଚି ଇତ୍ୟାଦି ଯେଉଁ ଅନର୍ଥ ବିଶ୍ଳେଷଣ ହୋଇଛି ତା’ପ୍ରତି ସଜାଗ ରହିବା ପାଇଁ ସେ ସମାଜକୁ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ତାଙ୍କ ‘କଲେଜ ବୟ’ର ପରିକଳ୍ପନା ହୋଇଥିବାରୁ ବ୍ରିଟିଶ ସାମ୍ରାଜ୍ୟବାଦ ଖିଆଲ ଓ ଜୁଲମ ବିରୁଦ୍ଧରେ ଯେଉଁ ତୀବ୍ର ଆନ୍ଦୋଳନ ଭାରତୀୟ ଜନଜୀବନରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା ତା’ର ନିର୍ଯାସ ଏଥିରେ ଦେଖିବାକୁ ମିଳେ ।

 

ଔପନ୍ୟାସିକ ଲକ୍ଷ୍ମୀଧର ନାୟକଙ୍କର ସ୍ୱାଧୀନତା ପୂର୍ବରୁ ଦୁଇଟି ଉପନ୍ୟାସ ସହର ପୃଷ୍ଠଭୂମିରେ ରଚିତ । ପ୍ରଥମଟି ‘ଉଦ୍‌ଭ୍ରାନ୍ତ’ (୧୯୩୪) ଏବଂ ଦ୍ୱିତୀୟଟି ‘ଭୁଲିଲ ସତେ ସଖି’ । ଉଦ୍‌ଭ୍ରାନ୍ତରେ ମାନବିକତା ଅପେକ୍ଷା ସାମୟିକ ପ୍ରେମୋଚ୍ଛ୍ୱାସ ଗୁରୁତ୍ୱଲାଭ କରିଛି । ବିଶ୍ୱାସ ମଣିଷକୁ ଦେବତା କରେ । ଆଉ ବିଶ୍ୱସଘାତକତା ମଣିଷକୁ ରାକ୍ଷସ କରେ । ଏହାରି ମଧ୍ୟରେ ସଂଘର୍ଷ ଘଟିଲେ ଜୀବନରେ ସଂହତି ବାଧାପ୍ରାପ୍ତ ହୁଏ । ଉପନ୍ୟାସର ବିଷୟବସ୍ତୁ କଟକ ସହରରୁ ଆରମ୍ଭ ହୋଇ କଲିକତା ନଗରୀ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି । ସହରର ହୋଟେଲ ମାନଙ୍କରେ ସୁରାସାକୀର ଯେଉଁ ପ୍ରାବଲ୍ୟ ଥିଲା ତାହା ଲେଖକ ସୂଚନା ଦେଇଛନ୍ତି, କଲିକତାରୁ ରେଙ୍ଗୁନକୁ କୁଲି ଚାଲାଣର ଚିତ୍ର ମଧ୍ୟ ଏ ଉପନ୍ୟାସରେ ରହିଛି । ବିଶ୍ୱଯୁଦ୍ଧ ଏବଂ ଶିଳ୍ପସଭ୍ୟତାର ସହରୀ-ଜୀବନ ଯେଉଁ ଉଦ୍‌ଭ୍ରାନ୍ତ ଅବସ୍ଥାକୁ ଆସିଛି ତା’ର ଚିତ୍ର ଏ ଉପନ୍ୟାସରେ ଚିତ୍ରିତ ହୋଇଛି । ତାଙ୍କର ଅନ୍ୟ ଉପନ୍ୟାସ ‘ଭୁଲିଲ ସତେ ସଖି’ ପାଶ୍ଚାତ୍ୟ ସଭ୍ୟତା ପରିପୁଷ୍ଟ ସହରୀ ଜୀବନ ନେଇ ରହିଥିବା ଏକ ଆଧୁନିକ ପରିବାରକୁ କେନ୍ଦ୍ରକରି ରଚିତ, ପ୍ରଥମ ମହାଯୁଦ୍ଧ ପରବର୍ତ୍ତୀ କାଳରେ ଆଧୁନିକ ଚେତନାରେ ଉଦ୍‌ବୁଧ ଯେଉଁ ଇଂରେଜ ଶିକ୍ଷିତ ଯୁବସମାଜ କ୍ରମଶଃ ଶକ୍ତିଶାଳୀ ହେଉଥିଲା ତାହାରି ଗୈଳ୍ପିକ ପ୍ରକାଶ ବା ଅଭିବ୍ୟକ୍ତି ହେଉଛି ଏହି ଉପନ୍ୟାସ । କଟକ ରେଭେନ୍‌ସା କଲେଜରୁ ବିଷୟବସ୍ତୁ ଆରମ୍ଭ, କଟକରେ ନାୟକ ନାୟିକାଙ୍କ ଜୀବନଧାରା ଆରମ୍ଭ ଏବଂ ପରିସମାପ୍ତି ଘଟିଛି ସୁଦୂର ସିମିଳାରେ । ଏହାକୁ କଲେଜ ଜୀବନର ଏକ ଶସ୍ତା ଓ ଅଗଭୀର ପ୍ରେମଚିତ୍ର ବୋଲି କୁହାଯାଇପାରେ । ଓଡ଼ିଶା ପରି ରାଜ୍ୟରେ ସଂପୂର୍ଣ୍ଣ ପାଶ୍ଚାତ୍ୟ ସଭ୍ୟତା ପୃଷ୍ଠଭୂମିରେ ସଲୀଳା ପରି ଯୁବତୀ ଲାଳିତା ହେବା ଏକ ବ୍ୟତିକ୍ରମ ।

 

ଔପନ୍ୟାସିକ ଉପେନ୍ଦ୍ରପ୍ରସାଦ ମହାନ୍ତିଙ୍କ ରାଜାରାଣୀ ଓ ହରିଶଙ୍କର ସ୍ୱାଧୀନତା ପୂର୍ବବର୍ତ୍ତୀ କାଳର ସାମାଜିକ ଓ ସଂସ୍କାରମୂଳକ ଉପନ୍ୟାସ । ରାଜାରାଣୀରେ ବିଧବା ବିବାହର ଚିତ୍ର ଅଙ୍କିତ ହୋଇଥିଲା ବେଳେ ହରିଶଙ୍କରରେ ଅସବର୍ଣ୍ଣ ବିବାହର ଚିତ୍ର ରହିଛି । ସ୍ୱାଧୀନତା ପୂର୍ବବର୍ତ୍ତୀ ଯୁଗ ଶିକ୍ଷିତମାନଙ୍କ ମନରେ ଯେଉଁ ସଂସ୍କାର ଲିପ୍‌ସା ଦେଇଥିଲା ତାହାର ପୂର୍ଣ୍ଣ ପରିଚୟ ଲେଖକ ଦେଇପାରିଛନ୍ତି । କଟକର ଧନାଢ଼୍ୟ ଖ୍ୟାତିସଂପନ୍ନ ମର୍ଯ୍ୟଦାଶାଳୀ ଓକିଲଙ୍କ ସହରୀ ଜୀବନର ପୃଷ୍ଠଭୂମିରେ ରାଜାରାଣୀ ଉପନ୍ୟାସର ଗଳ୍ପଭାଗ ସୃଷ୍ଟି । ସେହିଭଳି ହରିଶଙ୍କରରେ ମଧ୍ୟ ସହରୀ ଜୀବନର ଚିତ୍ର ରହିଛି ।

 

ସ୍ୱାଧୀନତାର ପ୍ରାକ୍‌କାଳରେ ଯେଉଁ ଭାବଚେତନା ସମଗ୍ର ବିଶ୍ୱକୁ ବିଚଳିତ କରିଥିଲା ଭାରତୀୟ ସାହିତ୍ୟରେ ତା’ର ସ୍ଫୁରଣ ଘଟିଥିଲେ ମଧ୍ୟ ଓଡ଼ିଶାରେ ତାହାର ନିଛକ ରୂପ ପ୍ରକାଶିତ ହେବାରେ ଅନେକ ବାଧା ରହିଥିଲା । ପ୍ରଥମତଃ ଓଡ଼ିଶା ଭାରତୀୟ ଦରବାରରେ ତାହାର ସ୍ୱତନ୍ତ୍ରସ୍ଥାନ ପ୍ରତିଷ୍ଠା କରିବାକୁ ସଂଗ୍ରାମ କରୁଥିବା ବେଳେ ଶାସକ ଇଂରେଜ ଗୋଷ୍ଠୀ ଓଡ଼ିଆମାନଙ୍କ ପ୍ରତି ବିଦ୍ୱେଷ ଭାବ ପ୍ରଦର୍ଶନ କରିଥିବାରୁ ଓଡ଼ିଶା ତାହାର ନାଯ୍ୟ ଦାବୀରୁ ବଞ୍ଚିତ ଥିଲା । ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ବିଚ୍ଛିନ୍ନ ଥିବାବେଳେ ରାଜନୈତିକ ଦୃଷ୍ଟି କୋଣରୁ ତତ୍‌କାଳୀନ ସମାଜରେ ଏକ ମିଶ୍ର ପ୍ରକ୍ରିୟା ସୃଷ୍ଟି ହୋଇଥିଲା । ଆର୍ଥିକ ଦୃଷ୍ଟିକୋଣରୁ ଓଡ଼ିଶା ଅନୁନ୍ନତ ଥିବାରୁ ଶିଳ୍ପପତି ତଥା ପୁଞ୍ଜିପତି ଗୋଷ୍ଠୀ ସୃଷ୍ଟି ହେବାର କୌଣସି ସୂଚନା ନଥିଲା । ଏହି ପରିପ୍ରେକ୍ଷୀରେ ଯେଉଁ କେତେଟା ଶିଳ୍ପ ପ୍ରତିଷ୍ଠାନ ହୁଏତ ସମ୍ଭବ ହୋଇ ପାରିଥିବ ଏବଂ ସହରୀ ଜୀବନର ଧାରାରେ ଅନ୍ୟ ରାଜ୍ୟମାନଙ୍କ ଭଳି ଓଡ଼ିଶାର ସହରଗୁଡ଼ିକ ସଂପୂର୍ଣ୍ଣରୂପେ ଗଢ଼ି ଉଠିନଥିବାରୁ ସେହି ପୃଷ୍ଠଭୂମିରେ ଯେଉଁ ସାହିତ୍ୟ ସୃଷ୍ଟି ହେଉଥିଲା ସେଥିରେ ସଂପୂର୍ଣ୍ଣ ଭାବେ ଶିଳ୍ପବିପ୍ଳବ ଓ ପାଶ୍ଚାତ୍ୟ ସହରୀ ଜୀବନର ଉତ୍କଟ ପ୍ରଭାବ ଦୃଷ୍ଟିଗୋଚର ହେଲା ନାହିଁ । ଓଡ଼ିଶା ଏକ କୃଷିଭିତ୍ତିକ ଗ୍ରାମ୍ୟବହୁଳ ସାମନ୍ତ-ଗୋଷ୍ଠୀ ପ୍ରଭାବିତ ରାଜ୍ୟ ହୋଇଥିବାରୁ ପାଶ୍ଚାତ୍ୟ ଢାଞ୍ଚାରେ ସହରୀ ଜୀବନ ନେବାକୁ ତାହାକୁ ଅନେକ ସମୟ ନେଇଥିଲା ଏବଂ ସ୍ୱାଧୀନତା ପରବର୍ତ୍ତୀ ସମାଜରେ ତାହାର ପୂର୍ଣ୍ଣରୂପ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଯେଉଁ ଓଡ଼ିଆ ଉପନ୍ୟାସଗୁଡ଼ିକ ସୃଷ୍ଟି ହୋଇଥିଲା ତାହା ଶିଳ୍ପଭିତ୍ତିକ ହେବା ନିମିତ୍ତ ଉପଯୁକ୍ତ ପରିବେଶ ପାଇନାହିଁ ଏବଂ ପଲ୍ଲୀକୈନ୍ଦ୍ରିକ ସମାଜର ପ୍ରଭାବରୁ ମୁକ୍ତ ହୋଇ ସଂପୂର୍ଣ୍ଣରୂପେ ସହରୀ ପୃଷ୍ଠଭୂମିରେ ଗଢ଼ିଉଠିବାକୁ ସକ୍ଷମ ହୋଇନାହିଁ । ହୁଏତ ସଂପୂର୍ଣ୍ଣ ସହରୀ ପୃଷ୍ଠଭୂମିରେ ଫତୁରାନନ୍ଦଙ୍କର ‘ନାକଟା ଚିତ୍ରକର’ ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ପ୍ରକାଶିତ ହେବାର ସୁଯୋଗ ପାଇଲା । ଏହିଭଳି ଏକ ମିଶ୍ର ବାୟୁମଣ୍ଡଳରେ ତତ୍‌କାଳୀନ ଉପନ୍ୟାସଗୁଡ଼ିକ ସୃଷ୍ଟି ହୋଇଥିବାକୁ ଉଭୟ ଭାବଜଗତର ଏକ ସମ୍ମିଳିତ ରୂପ ଗ୍ରହଣ କରିଅଛି ।

 

ସହାୟକ ଗ୍ରନ୍ଥସୂଚୀ :

The Making of Literature : R. A. Scott James.

୨.

A History of Europe (The Industrial Revolution).

୩.

ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ : ଅଭ୍ୟୁଦୟ ସାହିତ୍ୟ ସମାଜ ।

୪.

ସବୁଜରୁ ସାଂପ୍ରତିକ : ଡକ୍ଟର ନିତ୍ୟାନନ୍ଦ ଶତପଥୀ ।

୫.

କୋଣାର୍କ (ଉତ୍କଳ ଦିବସ ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କ) ।

୬.

ରାମଶଙ୍କର ଗ୍ରନ୍ଥାବଳୀ ।

୭.

ସୁରେନ୍ଦ୍ର ବିଚିତ୍ରା ।

୮.

ଓଡ଼ିଆ ସାହିତ୍ୟର ଇତିହାସ : ଡକ୍ଟର ନଟବର ସାମନ୍ତରାୟ ।

୯.

ଓଡ଼ିଆ ଉପନ୍ୟାସ : ଡକ୍ଟର କୃଷ୍ଣ ଚରଣ ବେହେରା ।

୧୦.

ଫକୀର ମୋହନ ସମୀକ୍ଷା : ସୁରେନ୍ଦ୍ର ମହାନ୍ତି ।

 

 

ଅଧ୍ୟକ୍ଷ

ଆଦିକବି ସାରଳାଦାସ ମହାବିଦ୍ୟାଳୟ

ତିର୍ତ୍ତୋଲ, କଟକ

 

***

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ସମାଜ-ଚେତନା

ଡଃ ଶ୍ୟାମସୁନ୍ଦର ମିଶ୍ର

 

ସମାଜ ହେଉଛି ନିତ୍ୟପରିବର୍ତ୍ତନଶୀଳ ଏକ ମହାନ୍ ଅନୁଷ୍ଠାନ । ଏହା ନିରତ ଗତିମୁଖର ମହାନଦୀର ସ୍ରୋତ, ଯେ କି ନିଜ ସାଥିରେ ବହୁ ଭାବ, କଳ୍ପନା, ଦର୍ଶନ ଓ ଚିନ୍ତାଧାରାକୁ ବୋହି ନେଇ ଚାଲିଥାଏ । କେତେକ ମୌଳିକ ଦର୍ଶନ ଓ ଚିନ୍ତନ ଏହି ସ୍ରୋତରେ ବହି ନ ଯାଇ ଦାନାବାନ୍ଧି ପ୍ରସ୍ତରୀଭୂତ ହୋଇ ସ୍ରୋତର ବିଭିନ୍ନ ସ୍ଥଳରେ ମୁଣ୍ଡ ଟେକି ରହେ ଏବଂ ସର୍ବଦା ପରବର୍ତ୍ତୀ ପୁରୁଷପାଇଁ ଆକର୍ଷଣୀୟ ହୋଇଥାଏ । ସେହିସବୁକୁ ଆମେ କହୁ ଚିରନ୍ତନ ସାହିତ୍ୟ । ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଉପନ୍ୟାସର ରୀତି ମଧ୍ୟ ଏହିପରି । ତେବେ ଉପନ୍ୟାସ ଲିଖନ ପଦ୍ଧତି ହେଉଛି ପାଶ୍ଚାତ୍ୟ ସାହିତ୍ୟର ଭାରତୀୟ ସାହିତ୍ୟମାନଙ୍କୁ ଏକ ଦାନ । ସେଠାରେ ଉପନ୍ୟାସର ସଂଜ୍ଞା ନିର୍ଦ୍ଦେଶ କରି କୁହାଯାଇଛି, “Novel means more realistic piece of prose fiction which is written as a serious imitation of reality.” ବାସ୍ତବତାକୁ ପଦେ ପଦେ ଅନୁକରଣ କରୁଥିବା ଗଦ୍ୟ ଆଖ୍ୟାୟିକାକୁ ଯଦି ଉପନ୍ୟାସ କୁହାଯାଏ, ଓଡ଼ିଆ ସାହିତ୍ୟର ଆଦ୍ୟ-ଉପନ୍ୟାସଗୁଡ଼ିକରେ ଠିକ ତାହା ହୋଇପାରି ନାହିଁ ।

 

ଓଡ଼ିଆ ଭାଷାରେ ପ୍ରଥମ ଉପନ୍ୟାସଗୁଡ଼ିକ ରଚିତ ହୋଇଥିଲା ସାଧାରଣତଃ ଦୁଇଟି ଉଦ୍ଦେଶ୍ୟକୁ ନେଇ । ପ୍ରଥମତଃ ଓଡ଼ିଆରେ ଗଦ୍ୟ ରଚନାର ଅଭାବ ଦୂର କରିବା ଏବଂ ଦ୍ୱିତୀୟତଃ ସମାଜ ସଂସ୍କାର କରିବା । ପଦ୍ମମାଳୀ, ବିବାସିନୀ ବା ଭୀମା ଭୂୟାଁ ପ୍ରଭୃତି ଉପନ୍ୟାସରେ ତାହାହିଁ ହୋଇଛି । ଦ୍ୱିତୀୟ ଉଦ୍ଦେଶ୍ୟଟିର ସମାଜ ସହିତ କିଛି ସଂପୃକ୍ତି ରହିଥିଲେ ମଧ୍ୟ ସେଥିରେ ସମାଜର ଅବିକଳ ଅନୁସରଣ ନାହିଁ । ଓଡ଼ିଆ ଗ୍ରାମ୍ୟଜୀବନର ସମ୍ପୂର୍ଣ୍ଣ ରୂପାୟନ କେବଳ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଓ ‘ମାମୁଁ’ ଉପନ୍ୟାସରେ ହିଁ ପ୍ରଥମେ ଦେଖାଯାଇଛି ।

 

ଉପନ୍ୟାସର ଲିଖନ ପଦ୍ଧତି ପାଶ୍ଚାତ୍ୟ ସାହିତ୍ୟରୁ ନିଆଯାଇଥିଲେ ମଧ୍ୟ ଅଷ୍ଟାଦଶ ଓ ଊନବିଂଶ ଶତକରେ ଇରୋପୀୟ ଉପନ୍ୟାସମାନଙ୍କରେ ପ୍ରତିଫଳିତ ସମାଜ-ଚେତନା ଊନବିଂଶ ଶତକର ମଧ୍ୟଭାଗରେ ରଚିତ ଭାରତୀୟ ଉପନ୍ୟାସମାନଙ୍କର ସମାଜ-ଚେତନାଠାରୁ ସଂପୂର୍ଣ୍ଣ ଭିନ୍ନ-। ୟୁରୋପରେ ସଂଘଟିତ ଶିଳ୍ପ ବିପ୍ଳବ, ରେନେସାଁ ବା ସାଂସ୍କୃତିକ ପୁନରଭ୍ୟୁତ୍‌ଥାନ, ନଗର ଜୀବନର ଦ୍ରୁତ ଅଗ୍ରଗତି, ଉଦ୍ଭାବନ, ଆବିଷ୍କାର, ସାମୁଦ୍ରିକ ବାଣିଜ୍ୟ ବିସ୍ତାର, ରାଜ-ଶାସନ ବିରୁଦ୍ଧରେ ସଂଗ୍ରାମ, ଗଣତନ୍ତ୍ରର ଅଭ୍ୟୁଦୟ ସେ ଦେଶର ଜନଚେତନାକୁ ଯେପରି ଉଦ୍‌ବେଳିତ କରିଥିଲା, ସେଠାରେ ଉପନ୍ୟାସସମୂହ ସେହି ଉଦ୍‌ବେଳନକୁ ସଠିକ୍‌ ଭାବରେ ରୂପାୟିତ କରିଥିଲେ । ଭାରତରେ କିନ୍ତୁ ସେ ଧରଣର ଶିଳ୍ପ ବିପ୍ଳବ ହୋଇନାହିଁ । ପାଶ୍ଚାତ୍ୟ ବୈଷୟିକ ଜ୍ଞାନକୁ ଅନୁସରଣ କରି ଆମେ ନଗରମାନଙ୍କରେ ଶିଳ୍ପଗଠନ କରିଛୁ । ପାଶ୍ଚାତ୍ୟ ଗଣତନ୍ତ୍ରର ଅନୁକରଣରେ ଆମେ ଆମର ଶାସନ ସଂସ୍ଥା ଗଠନ କରିଛୁ । ସ୍ୱାଧୀନତା ଲାଭ ପାଇଁ ସେସବୁ ଦେଶବାସୀଙ୍କ ପରି ଆମେ ଏତେ ତ୍ୟାଗ ମଧ୍ୟ ସ୍ୱୀକାର କରିନାହୁଁ । ତେଣୁ ଶିଳ୍ପ, ନଗର ସଭ୍ୟତା, ବିଜ୍ଞାନ ବା ପ୍ରଖର ଜାତୀୟତାର ଚିତ୍ର ବିଂଶ ଶତକର ପ୍ରଥମ ଦଶକ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସରେ ଦେଖିବାକୁ ମିଳେ ନାହିଁ ।

 

ଏହି ସମୟରେ ଜାତୀୟତା କ୍ଷେତ୍ରରେ ପଡ଼ୋଶୀ ବଙ୍ଗଳା ଉପନ୍ୟାସରେ ଯେଉଁ ଚେତନା ପ୍ରବାହିତ ହେଉଥିଲା ଓଡ଼ିଶାରେ ତାର କ୍ଷୀଣ ଆଭାସ ମଧ୍ୟ ଦେଖାଯାଉ ନଥିଲା । ସେ ସମୟରେ ଔପନ୍ୟାସିକମାନେ ଥିଲେ ହୁଏତ ସରକାରୀ ଚାକିରିଆ କିମ୍ବା ସରକାରଙ୍କ ନିକଟରେ ଅନୁଗ୍ରହ ଭିକ୍ଷୁ । କେନ୍ଦୁଝର ମେଳିରେ ନେତା ଧରଣୀଧରକୁ ଧରାଇବା ପାଇଁ ଉଦ୍ୟମ କରିଥିବା ଫକୀରମୋହନ କେବେହେଲେ ନିଜ ଉପନ୍ୟାସ ବର୍ଣ୍ଣିତ ସମାଜରେ ଜାତୀୟତାର ଚିତ୍ର ଦେଇ ପାରନ୍ତେ ନାହିଁ ।

 

ସତ୍ୟବାଦୀର ଲେଖକବୃନ୍ଦ ଓଡ଼ିଶାରେ ଉଗ୍ର ଜାତୀୟଚେତନାର ବାର୍ତ୍ତାବହ ଥିଲେ । ସେମାନଙ୍କ ଉପନ୍ୟାସ ପାଇଁ ସମ୍ଭବତଃ ତତ୍‌କାଳୀନ ସମାଜ ମଧ୍ୟରୁ ସମାଜଗଠନ ଓ ଜାତୀୟ ଚେତନାର ଖୋରାକ ପାଇଲେ ନାହିଁ । ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଅତୀତକୁ ଆଖି ଆଗରେ ରଖି ଓ ଭବିଷ୍ୟତର ସୁସ୍ଥ ସମାଜ ଗଠନର ପ୍ରେରଣା ନେଇ ସେମାନେ ପାଶ୍ଚାତ୍ୟ ଉପନ୍ୟାସରୁ ବିଷୟବସ୍ତୁ ଆହରଣ କଲେ ଏବଂ ସେସବୁର ଉତ୍କଳୀକରଣ କରି ଲେଖିଲେ- ଶାପମୋଚନ, ଅଭାଗିନୀ, ୧୮୧୭, ଘଟାନ୍ତର (ଗୋଦାବରୀଶ ମିଶ୍ର) । ଏଗୁଡ଼ିକର ବିଷୟବସ୍ତୁ ଯଥାକ୍ରମେ Up from Slavery, La Miserables, A Tale of two Cities, Dr. Jackel and Mr. Hydeରୁ ଆହୃତ । ଏହାଛଡ଼ା ଗୋଦାବରୀଶ ମହାପାତ୍ରଙ୍କ ରକ୍ତପାତ (Vendetta) ଶ୍ରୀଧର ମହାପାତ୍ରଙ୍କ ରକ୍ତ ଗୋଲାପ (Prisoner of Zenda), କାହ୍ନୁଚରଣ ମହାନ୍ତିଙ୍କ ବାଲିରାଜା (Count of Montecristo) ପ୍ରଭୃତି ମଧ୍ୟ ଏହି ଶ୍ରେଣୀୟ ରଚନା ।

 

ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ୟୁରୋପ, ଆମେରିକା, ରୁଷିଆ ଓ ପଡ଼ୋଶୀ ଭାଷାମାନଙ୍କରୁ ପୂର୍ଣ୍ଣାଙ୍ଗ ଅନୁବାଦ କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ବ୍ୟକ୍ତିମାନେ ହେଲେ ଉଦୟନାଥ ଷଡ଼ଙ୍ଗୀ, ଗୋଲକ ବିହାରୀ ଧଳ, ଅନନ୍ତ ପଟ୍ଟନାୟକ, ଜ୍ଞାନୀନ୍ଦ୍ର ବର୍ମା, ଧନେଶ୍ୱର ମହାପାତ୍ର, ଗୋରାଚାନ୍ଦ ମିଶ୍ର, ଲାଲା ନଗେନ୍ଦ୍ର କୁମାର, ପ୍ରଫୁଲ ଚନ୍ଦ୍ର ଦାସ, ଲକ୍ଷ୍ମୀ ନାରାୟଣ ମହାନ୍ତି, ରବି ସିଂ, ସୁନନ୍ଦ କର ପ୍ରଭୃତି । ଏହିସବୁ ଅନୁବାଦଦ୍ୱାରା କେବଳ ଯେ ପଡ଼ୋଶୀ ଓ ବିଦେଶୀ ସମାଜ ଓ ସଂସ୍କୃତିର ଦ୍ୱାର ଓଡ଼ିଶା ପାଇଁ ଉନ୍ମୁକ୍ତ ହେଲା ତାହା ନୁହେଁ, ସାମାଜିକ ଅବସ୍ଥାର ପ୍ରତିଫଳନ ପାଇଁ ସାହିତ୍ୟ ଯେ କି ବିଚିତ୍ର ମାଧ୍ୟମ, ତାହା ଓଡ଼ିଶାର ତରୁଣ ଲେଖକମାନଙ୍କର ଗୋଚରକୁ ଆସିଲା । ସ୍ୱାଧୀନତା ପୂର୍ବରୁ ବାହାରର ଗୋଟିଏ ମାତ୍ର ସାମାଜିକ ଚେତନା ଓ ଦର୍ଶନବାଦ ଓଡ଼ିଆ ସାହିତ୍ୟରେ ପ୍ରବେଶ ଲାଭ କରିଥିଲା । ତାହା ହେଉଛି ମାର୍କ୍‍ସବାଦ । ତାହାରି ଅନୁସରଣରେ କାଳନ୍ଦୀଚରଣ ପାଣିଗ୍ରାହୀ, ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ ପ୍ରମୁଖ ନିଜ ଗଳ୍ପ ଉପନ୍ୟାସମାନଙ୍କରେ ଉତ୍କଳୀୟ ଗ୍ରାମ୍ୟଜୀବନରେ କୃଷକ ଆନ୍ଦୋଳନ ଓ ଶ୍ରେଣୀ ସଂଘର୍ଷର ଚିତ୍ର ପ୍ରଦାନ କଲେ । ବାଲ୍ୟ ବିବାହ, ବିଧବା ବିବାହ, ଯୌତୁକ ପ୍ରଥା, ନାରୀଶିକ୍ଷା, ଜାତି ପ୍ରଥା ବା ଅନ୍ୟ ଧାର୍ମିକ କୁସଂସ୍କାର ବିଷୟ ସ୍ଥାନେ ସ୍ଥାନେ ପ୍ରସଙ୍ଗକ୍ରମେ ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଉପନ୍ୟାସମାନଙ୍କରେ ସ୍ଥାନ ପାଉଥିଲା ।

 

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଆଉ ଦୁଇଟି ନୂତନ ଚିତ୍ର ଉପନ୍ୟାସରେ ଦେଖାଦେଲା-। ପ୍ରଥମଟି ହେଉଛି ଗ୍ରାମାଞ୍ଚଳରେ ଲୋକମାନଙ୍କର ଦୁଃଖଦୁର୍ଦ୍ଦଶା । ଦ୍ୱିତୀୟ ମହାଯୁଦ୍ଧ ଓ କ୍ରମାଗତ ମରୁଡ଼ି ଫଳରେ ଓଡ଼ିଶାରେ ସଂଘଟିତ ଦୁର୍ଭିକ୍ଷର ଚିତ୍ର କାଳିନ୍ଦୀ ଚରଣଙ୍କଠାରୁ ଆରମ୍ଭ କରି କାହ୍ନୁ ଚରଣଙ୍କ ଉପନ୍ୟାସରେ ଦୃଷ୍ଟିଗୋଚର ହୁଏ । ଦ୍ୱିତୀୟଟି ହେଉଛି ସ୍ୱାଧୀନତା ଆନ୍ଦୋଳନ-। ସତ୍ୟବାଦୀ ଗୋଷ୍ଠୀର ଲେଖକବୃନ୍ଦ ସେମାନଙ୍କ ସାହିତ୍ୟ ମଧ୍ୟରେ ଉଗ୍ର ଉତ୍କଳୀୟତାର ଯେଉଁ ଜନଚେତନା ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ତାହା ହଠାତ୍‌ ମାନ୍ଦା ପଡ଼ିଯାଇଥିଲା । ଅସହଯୋଗ, ଲୁଣମରା, ସ୍ୱଦେଶୀ ଓ ଭାରତଛାଡ଼ ମଧ୍ୟରେ ତାହାର କିଞ୍ଚିତ୍‌ ପୁନଃପ୍ରକାଶ ହେଲା । ଅବଶ୍ୟ କେତେକ ପଡ଼ୋଶୀ ରାଜ୍ୟର ସାହିତ୍ୟରେ ଏହି ଆନ୍ଦୋଳନର ପ୍ରତିଫଳନ ଯେତେ ବ୍ୟାପକ ଓ ତୀବ୍ର, ଓଡ଼ିଶାରେ ତାହା ହୋଇନାହିଁ । ଦୁର୍ବଳ ନେତୃତ୍ୱ ଫଳରୁ ହେଉ ବା ଲୋକଶିକ୍ଷାର ଅଭାବ ଫଳରୁ ହେଉ, ଏହି ଆନ୍ଦୋଳନ ଓଡ଼ିଆ ସମାଜର ମଜ୍ଜାକୁ ସ୍ପର୍ଶ କରି ପାରିଲା ନାହିଁ । ତେଣୁ ସ୍ୱାଧୀନତା ପୂର୍ବ ଉପନ୍ୟାସମାନଙ୍କରେ ତାହାର ବିଶେଷ ଚିତ୍ରଣ ଦେଖିବାକୁ ମିଳେ ନାହିଁ, ବରଂ ଓଡ଼ିଶାରେ ଏହି ଆନ୍ଦୋଳନ ଓ ଆନ୍ଦୋଳନରେ ଭାଗ ନେଇଥିବା ଲୋକଙ୍କ ଦୋଷ ଦୁର୍ବଳତାକୁ ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କ ‘ଅସହଯୋଗୀର ଆତ୍ମକଥା’ ଉପନ୍ୟାସରେ ବ୍ୟକ୍ତ କରିଛନ୍ତି । ସ୍ୱାଧୀନତା-ପୂର୍ବ ଓଡ଼ିଆ ଉପନ୍ୟାସ ଥିଲା ମୁଖ୍ୟତଃ ଗଳ୍ପଧର୍ମୀ । ସମାଜ ସଂସ୍କାର, ପାରଂପରିକ ମୂଲ୍ୟବୋଧ ଓ କେତେକ ସ୍ଥଳରେ ସମାଜବାଦୀ ଚେତନା ଥିଲା ଏହାର ମୁଖ୍ୟ ଆଦର୍ଶ । ବ୍ୟକ୍ତିର ଗଭୀର ମନୋରାଜ୍ୟକୁ ପ୍ରବେଶ କରିବାର ପ୍ରଚେଷ୍ଟା ସେଥିରେ ନଥିଲା ।

 

ସ୍ୱାଧୀନତା ପରେ ପରେ ଓଡ଼ିଆ ଉପନ୍ୟାସର ଗତିଧାରା ବହୁଧା ବିଭକ୍ତ ହୋଇଗଲା । ସ୍ୱାଧୀନତା ଲାଭ ଓ ମହାଯୁଦ୍ଧର ପ୍ରଭାବ ଏ ଦେଶରେ ଜାତୀୟ ଚେତନାକୁ ସୁଦୃଢ଼ କଲା ଓ ବାହ୍ୟ ଜଗତ ସହ ଭାରତୀୟମାନଙ୍କୁ ଘନିଷ୍ଠତର କଲା । ଓଡ଼ିଶା ସମେତ ସମସ୍ତ ଭାରତୀୟ ସାହିତ୍ୟର ଦିଗନ୍ତ ପ୍ରସାରିତ ହେଲା । ସ୍ୱାଧୀନୋତ୍ତର ଓଡ଼ିଆ ଉପନ୍ୟାସରେ ତିନୋଟି ସାମାଜିକ ବୈଶିଷ୍ଟ୍ୟ ଦେଖାଯାଏ । ପ୍ରଥମଟି ହେଲା ସମାଜର ବାହ୍ୟ ପରିବର୍ତ୍ତନ, ଦ୍ୱିତୀୟଟି ସାମାଜିକ ସମସ୍ୟାବଳିର ଚିତ୍ର ଓ ତୃତୀୟଟି ମଣିଷର ମନୋରାଜ୍ୟର ବିଶ୍ଳେଷଣ । ବାହ୍ୟ ପରିବର୍ତ୍ତନ ହେଲା ଶିଳ୍ପ ଅଭିବୃଦ୍ଧିରେ, ନଗରମାନଙ୍କର ବିସ୍ତାରରେ, ଗ୍ରାମାଞ୍ଚଳରେ ନଗର ଜୀବନର ପ୍ରଭାବରେ ଏବଂ ନବ ଶିକ୍ଷିତ ଗୋଷ୍ଠୀର ବେଶଭୂଷା ଓ ଆଚାର ବ୍ୟବହାର ମଧ୍ୟରେ । ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ନଗର ଜୀବନ ଥିଲା ଅତ୍ୟନ୍ତ ସୀମିତ ଏବଂ ଉପନ୍ୟାସରେ ତାହାର ବର୍ଣ୍ଣନା ପ୍ରାୟ ନଥିଲା । ସ୍ୱାଧୀନତାର ଅବ୍ୟବହିତ ପରେ ରଚିତ ଫତୁରାନନ୍ଦଙ୍କ ‘ନାକଟା ଚିତ୍ରକର’ ଉପନ୍ୟାସରେ କଟକ ନଗରର ସାମାଜିକ ଜୀବନର ଏକ ସାମୂହିକ ଚିତ୍ର ପ୍ରଥମେ ଦେଖାଯାଏ । ସାହି ବସ୍ତିର ଅଶିକ୍ଷିତ ଓ ବୁଦ୍ଧିଜୀବୀ ଜନତାର ଚାଲିଚଳଣ, ଜୀବନର ଆଭିମୁଖ୍ୟ ଓ ଆଶା ଆକାଙ୍‌କ୍ଷାକୁ ଫତୁରାନନ୍ଦ ବ୍ୟଙ୍ଗାତ୍ମକ ରୀତିରେ ହେଲେ ମଧ୍ୟ ପ୍ରଥମ କରି ଉପନ୍ୟାସରେ ସ୍ଥାନ ଦେଇଛନ୍ତି ।

 

ପ୍ରାୟ ସେହି ସମୟର ଆଉ ଖଣ୍ଡିଏ ଉପନ୍ୟାସ ହେଉଛି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘କଣାମାମୁଁ’ । ଆଧୁନିକ ସଭ୍ୟତାର କେନ୍ଦ୍ର ନଗରମାନଙ୍କର ପ୍ରଭାବ ଗ୍ରାମବାସୀଙ୍କ ଉପରେ କିପରି କ୍ରମଶଃ ପରିବ୍ୟାପ୍ତ ହେଲା ତାହା ଏହି ଉପନ୍ୟାସରେ ସୁନ୍ଦର ଭାବରେ ପ୍ରଦର୍ଶିତ । ଏହି ଉପନ୍ୟାସର ଆଉ ଗୋଟିଏ ବିଶେଷତ୍ୱ ହେଉଛି ଲେଖକ ତାଙ୍କର ପ୍ରଧାନ ଚରିତ୍ର ମାଧ୍ୟମରେ ଗ୍ରାମ ସଂଗଠନ ଓ ଯୁବନେତୃତ୍ୱର କଳ୍ପନା ଏଥିରେ ପ୍ରଥମ କରି କରିଛନ୍ତି । ସ୍ୱାଧୀନତାର ପ୍ରଥମ ଦଶନ୍ଧି ମଧ୍ୟରେ ନାରୀ ପୁରୁଷ ସଂପର୍କ ଓ ସେହିପରି ପାରମ୍ପରିକ ବିଷୟବସ୍ତୁ ଉପରେ ଅନେକ ଗୁଡ଼ିଏ ଉପନ୍ୟାସ ପ୍ରକାଶ ଲାଭ କଲା । ଏ କ୍ଷେତ୍ରରେ ଅଗ୍ରଣୀ ହୋଇଥିଲେ ଶ୍ରୀ କାହ୍ନୁଚରଣ ମହାନ୍ତି ଓ ଶ୍ରୀ ଲକ୍ଷ୍ମୀଧର ନାୟକ । ଏମାନଙ୍କ ଉପନ୍ୟାସର ସରଳ ବିଷୟବସ୍ତୁ ଓ ସୁବୋଧ୍ୟ ଭାଷାବିନ୍ୟାସ ସାଧାରଣ ପାଠକ ଚିତ୍ତକୁ ମୁଗ୍‌ଧ କରୁଥିଲା ଏବଂ ସେଥିରେ ଅନୁପ୍ରେରିତ ହୋଇ ସେମାନେ ବହୁ ସଂଖ୍ୟକ ଉପନ୍ୟାସ ରଚନାରେ ସମର୍ଥ ହୋଇଛନ୍ତି । ସେଇ ଧାରାର କିଞ୍ଚିତ୍‌ ସଂସ୍କାର ଓ ଆଧୁନିକୀକରଣ କରି ଶ୍ରୀ ବିଭୂତି ପଟ୍ଟନାୟକ ଓ ଶ୍ରୀମତୀ ପ୍ରତିଭା ରାୟ ପ୍ରମୁଖ ଅନେକ ଔପନ୍ୟାସିକ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ।

 

ସ୍ୱାଧୀନତା ପରେ ଦେଶର ସାମାଜିକ ବ୍ୟବସ୍ଥା କ୍ରମେ ଜଟିଳରୁ ଜଟିଳତର ହେବାକୁ ଲାଗିଲା । ତା ସାଙ୍ଗକୁ ପାଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ସରକାରଙ୍କର ବିଭିନ୍ନ ସଂଗଠନ ପ୍ରୟାସ, ଜମିଦାରୀ ଉଚ୍ଛେଦ, ଶିଳ୍ପ ଉନ୍ନୟନ, ଜାତୀୟକରଣ, ଜନ୍ମ ନିୟନ୍ତ୍ରଣ, ଭୂସଂସ୍କାର, ନିର୍ବାଚନ ଆଦି ରାଜନୀତିକ କାର୍ଯ୍ୟକଳାପ ଏବଂ ଜାତୀୟ ସଂହତି, ଧର୍ମ- ନିରପେକ୍ଷତା ଓ ହରିଜନ ଉପଜାତି ଉନ୍ନୟନ ଆଦି ନବ ପ୍ରଚଳିତ ସାମାଜିକ ବ୍ୟବସ୍ଥା ଅନେକ ଦ୍ୱନ୍ଦ୍ୱ ଓ ସମସ୍ୟା ସୃଷ୍ଟି କଲା । ସମସାମୟିକ ବହୁ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଏହି ସମସ୍ୟାବଳିର ବିଶ୍ଳେଷଣ ଓ ପ୍ରତିକାରର ସୂଚନା ଅଛି । ଏ କ୍ଷେତ୍ରରେ ଗୋପୀନାଥ ମହାନ୍ତି ସବୁଠାରୁ ସଫଳ ହୋଇଛନ୍ତି । ତାହାଙ୍କର ପରଜା, ଅମୃତର ସନ୍ତାନ, ଦାଦି ବୁଢ଼ା ପ୍ରଭୃତି ଉପନ୍ୟାସ ଓଡ଼ିଶାର ବନବାସୀ ସମାଜର ନିଖୁଣ ଚିତ୍ର ପରିବେଷଣ କରିବା ସଙ୍ଗେ ସଙ୍ଗେ ସାଧାରଣ ଜନତା ସହ ସେମାନଙ୍କୁ ନିକଟତର କରିବାରେ ସହାୟକ ହୋଇଛି । ମହାତ୍ମା ଗାନ୍ଧୀଙ୍କ ହରିଜନ ଆନ୍ଦୋଳନ ଏକ ସର୍ବଭାରତୀୟ ସମସ୍ୟା ଉପରେ ପ୍ରତିଷ୍ଠିତ । ଦେଶର ସବୁ ପ୍ରାନ୍ତୀୟ ସାହିତ୍ୟରେ ଏହି ଆନ୍ଦୋଳନର ବିଭିନ୍ନ ରୂପ ରହିଛି । ହିନ୍ଦି କଥାକାର ମୁଲକ୍‌ରାଜ ଆନନ୍ଦଙ୍କ ପରି ଗୋପୀନାଥ ମହାନ୍ତି ମଧ୍ୟ ଏ କ୍ଷେତ୍ରରେ ପ୍ରଭୂତ ସଫଳତା ଲାଭ କରିଛନ୍ତି । ତାଙ୍କର ‘ହରିଜନ’ ଉପନ୍ୟାସ ମଧ୍ୟରେ ଅଧଃପତିତ ସମାଜକୁ ସଂଗ୍ରାମୀ କରାଇବାରେ ଯଥେଷ୍ଟ ଉପାଦାନ ରହିଛି ।

 

ଚାକିରୀ-ସର୍ବସ୍ୱ ଅମଲାତନ୍ତ୍ର ଓଡ଼ିଶାର ନଗର ଜୀବନରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିସାରିଲାଣି । ସ୍ୱାଧୀନତା ପୂର୍ବ କାଳରେ ଜଣେ ଇଂରେଜ ପ୍ରଶାସକ ଶ୍ରୀ ଏଚ୍‌ ଇ ବିଲ୍‌ଙ୍କ ‘ଇଣ୍ଡିଆନ ଇଙ୍କ୍‌’ ଉପନ୍ୟାସରେ ଏହାର ପ୍ରାଥମିକ ସ୍ତରର ଆଭାସ ମିଳେ । ‘କୃପାସିନ୍ଧୁ ମହାନ୍ତି’ ଚରିତ୍ର ମଧ୍ୟରେ ସେ ଅମଲା ସମାଜର ଯେଉଁ ନଗ୍ନ ବାସ୍ତବ ଚିତ୍ର ଅଙ୍କନ କରିଥିଲେ, ଗୋପୀନାଥ ମହାନ୍ତି ‘ଦାନା ପାଣି’ ଉପନ୍ୟାସରେ ‘ବଳିଦତ୍ତ’ ଚରିତ୍ର ମଧ୍ୟରେ ସେହି ନମୁନାର ଏକ ନୂତନ ସଂସ୍କରଣକୁ ସୁନ୍ଦରରୂପେ ଚିତ୍ରଣ କରିଛନ୍ତି ।

 

ଏ ଶତାବ୍ଦୀର ତୃତୀୟ ଦଶକରୁ ଔପନ୍ୟାସିକ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କର ଗତ ଦଶନ୍ଧି ମଧ୍ୟରେ ପ୍ରକାଶିତ କେତୋଟି ଉପନ୍ୟାସ ତାଙ୍କ ସାହିତ୍ୟିକ ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିଛି । ନିତ୍ୟାନନ୍ଦଙ୍କ ପ୍ରତ୍ୟେକ ଉପନ୍ୟାସରେ କିଛିନା କିଛି ପରୀକ୍ଷା ନିରୀକ୍ଷା ଓ ଅଭିନବତ୍ୱର ସ୍ୱାଦ ମିଳେ । ତରୁଣ ବୟସରେ ଲିଖିତ ‘ଜୀଅନ୍ତା ମଣିଷ’ ଓ ‘ଜୀବନର ଲକ୍ଷ୍ୟ’ ଉପନ୍ୟାସ ଦୁଇଟିରେ ବ୍ୟକ୍ତିଗତ ମଣିଷର ଅନ୍ତରର ଓ ଅବଚେତନର ଭାବରାଜିକୁ ବିଶ୍ଳେଷଣ କରିବାର ଯେଉଁ ପ୍ରଚେଷ୍ଟା ରହିଛି ତାହା ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ବୋଧହୁଏ ପ୍ରଥମ ଉଦ୍ୟମ । ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ଉପନ୍ୟାସ ଗୋଟିଏ ସାମାଜିକ ବିଷୟ ଉପରେ ଲିଖିତ । ଗୋଟାଏ ଜଡ଼ ରକ୍ଷଣଶୀଳ, ଅନ୍ଧ ଧର୍ମଧ୍ୱଜୀ ସମାଜକୁ ପରିବର୍ତ୍ତିତ କରିବା ପାଇଁ କେତେକ ସଂଗ୍ରାମୀ ବ୍ୟକ୍ତିଙ୍କର ଚରମ ତ୍ୟାଗ ଆବଶ୍ୟକ ପଡ଼େ । ଲେଖକ ଏହି ଉପନ୍ୟାସରେ ‘ଦୁଃଖୀ ଦାଶ’ର ସଂଗ୍ରାମୀ ଚରିତ୍ର ଭିତରେ ସେହି ଦିଗଟି ଦର୍ଶାଇଛନ୍ତି । ନିତ୍ୟାନନ୍ଦଙ୍କ ସ୍ୱାଧୀନତା ପୂର୍ବ ଉପନ୍ୟାସଗୁଡ଼ିକ ପ୍ରଧାନତଃ ପ୍ରେମମୂଳକ ଓ ବ୍ୟକ୍ତିକୈନ୍ଦ୍ରିକ ହୋଇଥିବା ବେଳେ, ସ୍ୱାଧୀନତା ପରେ ବୟସର ବୃଦ୍ଧି ସଙ୍ଗେ ସେ ଅଧିକ ସମାଜ ସଚେତନ ହୋଇଛନ୍ତି । ନିଜେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ଦେଶର ଭବିଷ୍ୟତ ସମ୍ପର୍କରେ ଜନସାଧାରଣଙ୍କ ଅନେକ ସୁନେଲି ଆଶା ଓ ଆକାଙ୍‌କ୍ଷାକୁ ସେ ନିଜେ ଅନୁଭବ କରିଥିଲେ । ସ୍ୱାଧୀନତାର ବହୁବର୍ଷପରେ ମଧ୍ୟ ସେ ଆଶାର ସଂପୂର୍ଣ୍ଣ ରୂପାୟନ ହେଲା ନାହିଁ । ସମାଜ ମଧ୍ୟରେ ଥିବା ସେହି ନୈରାଶ୍ୟ ଓ ଅପୂରଣ ଆକାଙ୍‌କ୍ଷାର ଏକ ଜ୍ୱଳନ୍ତ ଚିତ୍ର ବହନ କରେ ‘ଘରଡିହ’ ପ୍ରଭୃତି ତାଙ୍କର ଏବର କେତେକ ଲେଖା । ନିତ୍ୟାନନ୍ଦଙ୍କ ଅନ୍ୟ ଏକ ସାର୍ଥକ ଓ ମୌଳିକ ଉପନ୍ୟାସ ହେଉଛି ‘ନାହଂ ତିଷ୍ଠାମି ବୈକୁଣ୍ଠେ’ । ଏହାର ଭିତ୍ତି ଆଧୁନିକ ସମାଜ ନୁହେଁ, କିନ୍ତୁ ସାମାଜିକ ଶିକ୍ଷାପାଇଁ ଏହା ଉଦ୍ଦିଷ୍ଟ । ଚୈତନ୍ୟଙ୍କ ପରମଭକ୍ତ ଯବନ ହରିଦାସଙ୍କ ଜୀବନୀକୁ ଭିତ୍ତିକରି ରଚିତ ଏହି ଚରିତ ଉପନ୍ୟାସଟିରେ ବୈଷ୍ଣବୀୟ ଭକ୍ତି ଓ ତ୍ୟାଗ ମାଧ୍ୟମରେ କିପରି ସୁସ୍ଥ ସମାଜ ଗଠନ କରାଯାଇପାରେ ତାହାର ଉଦାହରଣ ଦିଆଯାଇଛି ।

 

କାହ୍ନୁ ଚରଣଙ୍କ ପରବର୍ତ୍ତୀ ଉପନ୍ୟାସମାନଙ୍କ ମଧ୍ୟରେ ‘ଶାସ୍ତି’ ଓ ‘ଝଞ୍ଜା’ ଶ୍ରେଷ୍ଠ ବୋଲି ମନେକରାଯାଏ । ‘ଶାସ୍ତି’ରେ ସ୍ୱାଧୀନୋତ୍ତର ଓଡ଼ିଶାର ସାମାଜିକ ଚିତ୍ର ନାହିଁ, କିନ୍ତୁ ‘ଝଞ୍ଜା’ ସେ ଦୃଷ୍ଟିରୁ ତାଙ୍କର ଏକ ସାର୍ଥକ ସୃଷ୍ଟି । ତାଙ୍କର ସବୁ ଉପନ୍ୟାସ ଭଳି ଏଥିରେ ମଧ୍ୟ ନାରୀ ଚରିତ୍ରର ପ୍ରାଧାନ୍ୟ ଅନୁଭୂତ ହୁଏ । ନାରୀ ତାର ବ୍ୟକ୍ତିଗତ ଆକର୍ଷଣ ମାଧ୍ୟମରେ ସମାଜକୁ ବଶୀଭୂତ କରି ଅସାଧ୍ୟ ସାଧନ କରିପାରେ ଏଇଟା ହିଁ କ୍ଷଣପ୍ରଭା ଚରିତ୍ର ମଧ୍ୟରେ ସେ ଦର୍ଶାଇଛନ୍ତି । କିନ୍ତୁ ସମାଜଗଠନ ନାମରେ ଉପନ୍ୟାସର ଶେଷାଂଶରେ ସର୍ବସ୍ୱଦାନ ଓ ସ୍ୱାର୍ଥପରର ହୃଦୟ ପରିବର୍ତ୍ତନର ଅତି- ଆଦର୍ଶବାଦର ଯେଉଁ ଉଲ୍ଲେଖ ସେ କରିଛନ୍ତି, ତାହା ଜିଜ୍ଞାସୁ ପାଠକମନରେ ପ୍ରଶ୍ନବାଚୀ ସୃଷ୍ଟି କରେ ।

 

ପାଶ୍ଚାତ୍ୟ ଦେଶ ଆଗତ ବିଭିନ୍ନ ଚିନ୍ତାଧାରା ମଧ୍ୟରେ ଫ୍ରୟଡୀୟ ମନସ୍ତତ୍ତ୍ୱ ସମସ୍ତ ଭାରତୀୟ ସାହିତ୍ୟକୁ ବିଂଶ ଶତକର ପ୍ରାରମ୍ଭରୁ ପ୍ରଭାବିତ କରି ଆସିଛି । ଓଡ଼ିଆ ଔପନ୍ୟାସିକମାନଙ୍କ ମଧ୍ୟରୁ ଅନେକ ଏହି ଦିଗରେ ଅତୀତରେ ଲେଖନୀ ଚାଳନା କରିଛନ୍ତି । ରାଜକିଶୋର ପଟ୍ଟନାୟକ, ମହାପାତ୍ର ନୀଳମଣି ସାହୁ ପ୍ରଭୃତି ଲେଖକଗଣ ଏହି ଧରଣର ମନସ୍ତାତ୍ତ୍ୱିକ ପ୍ରାଧାନ୍ୟ ଦେଇଥିବାବେଳେ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଜଳନ୍ତା ନିଆଁ’, କାହ୍ନୁ ଚରଣଙ୍କ ‘ଶାସ୍ତି’, ‘ତୁଣ୍ଡବାଇଦ’ ପ୍ରଭୃତିରେ ଏହାର ପ୍ରଚ୍ଛନ୍ନ ପ୍ରଭାବ ଅନୁଭୂତ ହୁଏ । ଆଜିର କେତେକ ତରୁଣ ଔପନ୍ୟାସିକଙ୍କ ଲେଖାରେ ମଧ୍ୟ ଫ୍ରୟେଡ୍‌ ପ୍ରଭାବ ବିସ୍ତାର କରିଛନ୍ତି । ଏହାର ଚରମ ପ୍ରକାଶ ହୋଇଛି ଶ୍ରୀ କୃଷ୍ଣ ପ୍ରସାଦ ମିଶ୍ରଙ୍କ ‘ମୃଗତୃଷ୍ଣା’, ‘ସିଂହକଟି’ ପ୍ରଭୃତି ଉପନ୍ୟାସରେ, ଯେଉଁଥିରେ ଯୌନ ବୁଭୁକ୍ଷା ସମାଜର ଉଚ୍ଚସ୍ତରରେ ଥିବା ବିବେକୀ ମଣିଷକୁ ଭ୍ରାତୃହନ୍ତା ରାକ୍ଷସରେ ପରିଣତ କରିଥିବାର ଚିତ୍ର ରହିଛି ।

 

ଇତିହାସକୁ ଉପନ୍ୟାସ ମାଧ୍ୟମରେ ପ୍ରୟୋଗ କରି ତଦ୍ଦ୍ୱାରା ସାମାଜିକ ଜାଗରଣର ପ୍ରଚେଷ୍ଟା ସତ୍ୟବାଦୀ ଗୋଷ୍ଠୀ ପ୍ରଥମେ ଆରମ୍ଭ କରିଥିବା ପୂର୍ବେ କୁହାଯାଇଛି । କିନ୍ତୁ ସେମାନେ ଓଡ଼ିଶାର ବାସ୍ତବ ଇତିହାସକୁ ଅନୁକରଣ କରିବାର ସାହସ ବା ପ୍ରଚେଷ୍ଟା କରିନପାରି ପାଶ୍ଚାତ୍ୟ ଉପନ୍ୟାସମାନଙ୍କର କଳ୍ପନାକୁ ଅନୁସରଣ କରିଥିଲେ । ଓଡ଼ିଶାର ଇତିହାସ ଅବଲମ୍ବନରେ ପ୍ରଥମ ସାର୍ଥକ ଉପନ୍ୟାସ ହେଉଛି ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’ । ଓଡ଼ିଆ ସମାଜର ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ରକ୍ଷା କରିବାପାଇଁ ରାଜା ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ତ୍ୟାଗ ଓ ସଂଗ୍ରାମ, ଯାହାକି ଏଥିରେ ବର୍ଣ୍ଣିତ, ତାହା ହୁଏତ ତଥ୍ୟଗତ ସଂପୂର୍ଣ୍ଣ ବାସ୍ତବତା ନୁହେଁ, କିନ୍ତୁ ରଚନାଶୈଳୀ ଦୃଷ୍ଟିରୁ ଏହା ଏ ଯୁଗର ଅନ୍ୟତମ ଶ୍ରେଷ୍ଠ ଉପନ୍ୟାସ । ଶ୍ରୀ ମହାନ୍ତି ଇତିହାସର ଆହୁରି ଅଭ୍ୟନ୍ତରକୁ ପ୍ରବେଶ କରି ବୁଦ୍ଧଯୁଗକୁ ମଧ୍ୟ ନିଜ ଲେଖନୀରେ ରୂପାୟିତ କରିବାର ଚେଷ୍ଟା କରିଛନ୍ତି । ବାମାଚରଣ ମିତ୍ରଙ୍କର ‘ଚନ୍ଦ୍ର ଓ ଚମ୍ପା’ ପ୍ରଭୃତି କେତେକ ଉପନ୍ୟାସ ମଧ୍ୟ ଏହି ଶ୍ରେଣୀୟ, ଯେଉଁଥିରେ ଇତିହାସର କ୍ୟାନଭାସ ଉପରେ କଳ୍ପନାର ବହଳ ପ୍ରଲେପ ଦେଖିବାକୁ ମିଳେ । ସୁରେନ୍ଦ୍ର ମହାନ୍ତିଙ୍କର ଅନବଦ୍ୟ ଚରିତ ଉପନ୍ୟାସ ‘ଶତାବ୍ଦୀର ସୂର୍ଯ୍ୟ’ କିନ୍ତୁ ଅଧିକତର ତଥ୍ୟଭିତ୍ତିକ-। ଊନବିଂଶ ଶତକର ସମ୍ବାଦପତ୍ର ଓ ଅନ୍ୟାନ୍ୟ ଦଲିଲର ବିଷୟବସ୍ତୁ ସଂଗ୍ରହ କରି ସେ ସେହି ସମୟର ଏକ ନିଖୁଣ ସାମାଜିକ ଚିତ୍ର ଦେବାର ପ୍ରୟାସ କରିଛନ୍ତି ।

 

ଆଧୁନିକ ଓଡ଼ିଶାର ଅନ୍ୟ ଦୁଇଜଣ ପ୍ରତିନିଧି ଶ୍ରେଣୀୟ କଥାକାର ଓ ଔପନ୍ୟାସିକ ହେଉଛନ୍ତି ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ଶ୍ରୀ ଚନ୍ଦ୍ରଶେଖର ରଥ । ‘ନର କିନ୍ନର’ ବା ‘ଅସୂର୍ଯ୍ୟ ଉପନିବେଶ’ରେ ଏହି ଲେଖକଦ୍ୱୟ ଆଧୁନିକତମ ଉପନ୍ୟାସ ଲିଖନ ଶୈଳୀର ଅନେକ ଟେକ୍‌ନିକ୍‌ ପ୍ରୟୋଗ କରିଛନ୍ତି ଏବଂ ବୌଦ୍ଧିକ ପାଠକର ଚିନ୍ତନ ପାଇଁ ଅନେକ ସ୍ୱାଦ ପରିବେଷଣ କରିଛନ୍ତି । ଏମାନଙ୍କ ଉପନ୍ୟାସରେ ସମାଜର ସାମୂହିକ ଚିତ୍ର ନାହିଁ କିନ୍ତୁ ସମାଜର ବିଭିନ୍ନ ସ୍ତରରେ ଥିବା ବ୍ୟକ୍ତିବିଶେଷର ସମସ୍ୟା ଓ ଭାବାନୁଭୂତିର ଟିକିନିଖି ବିଶ୍ଳେଷଣ କରିବାରେ ସେମାନେ ସମର୍ଥ ହୋଇଛନ୍ତି । ‘ଅସୂର୍ଯ୍ୟ ଉପନିବେଶ’ର ସୁଜାତା, ତାର ସ୍ୱାମୀ ବା ପିତା ମାୟାଧର ରାୟ ହେଉଛନ୍ତି ସେହି ଭଳି ଗୋଟିଏ ଗୋଟିଏ ଚରିତ୍ର । ଏଇ ଗୋଷ୍ଠୀର ଆଉ କେତେକ ପ୍ରତିଭାଶାଳୀ ଔପନ୍ୟାସିକ ଅଛନ୍ତି ଯେଉଁମାନଙ୍କ ବୌଦ୍ଧିକ ସ୍ତର ସମୁନ୍ନତ କିନ୍ତୁ ସାଧାରଣ ସମାଜଠାରୁ ଭିନ୍ନ ।

 

ଗତ ତିନି ଦଶନ୍ଧି ଧରି ରାଜନୀତି ଓଡ଼ିଆ ସମାଜ ବା ସାହିତ୍ୟକୁ ବିଶେଷ ଭାବରେ ପ୍ରଭାବିତ କରିଛି । ଏଠାରେ ରାଜନୀତିର ଅର୍ଥ ହେଉଛି ରାଜନୀତି ନାମରେ ଆମ ସମାଜ ମଧ୍ୟରେ ଯାହା କିଛି କାର୍ଯ୍ୟକଳାପ ଚାଲିଛି । ଏ ଧରଣର ଚିତ୍ର ଉପନ୍ୟାସ ଅପେକ୍ଷା ଗଳ୍ପରେ ବହୁଳ ଭାବରେ ପରିଲକ୍ଷିତ । ବାମାଚରଣ ଓ ଫତୁରାନନ୍ଦଙ୍କ ଗଳ୍ପରେ ଏହାର ଅନେକ ଚିତ୍ରଣ ରହିଛି । ଉପନ୍ୟାସରେ ରାଜନୀତିର ସଂପୂର୍ଣ୍ଣ ଚିତ୍ର ଦେବାରେ ସୁରେନ୍ଦ୍ର ମହାନ୍ତି ‘ଅନ୍ଧଦିଗନ୍ତ’ରେ ସଫଳ ହୋଇଛନ୍ତି । ଏଇ ପ୍ରବନ୍ଧର ଲେଖକ ସ୍ୱୀୟ ‘ଯୋଗଜନ୍ମା’ ଉପନ୍ୟାସରେ ଗ୍ରାମାଞ୍ଚଳରେ ଗଢ଼ିଉଠୁଥିବା ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପରେ ଧୂର୍ତ୍ତ ରାଜନୀତିଜ୍ଞମାନଙ୍କ ଉତ୍ପୀଡ଼ନର ବାସ୍ତବ ଚିତ୍ର ଦେବାପାଇଁ ପ୍ରୟାସ କରିଛି ।

 

ରହସ୍ୟ ରୋମାଞ୍ଚ ଓଡ଼ିଶାର ପ୍ରାୟତଃ ଶାନ୍ତ ନିଷ୍କମ୍ପ ସାମାଜିକ ବ୍ୟବସ୍ଥାରେ ସହଜ ନ ଥିଲା କିମ୍ବା ଏବେ ମଧ୍ୟ ବିଶେଷ ନାହିଁ, କିନ୍ତୁ ଓଡ଼ିଶାର ତରୁଣ ପାଠକ ଶ୍ରେଣୀର ଆଗ୍ରହ ଓ ରୁଚିକୁ ଖୋରାକ ଯୋଗାଇବା ପାଇଁ ସ୍ୱାଧୀନତା ପୂର୍ବରୁ ଶ୍ରୀ ଗୋବିନ୍ଦ ତ୍ରିପାଠୀଙ୍କ ପରି ବୌଦ୍ଧିକ ଲେଖକ ମଧ୍ୟ ‘ଚତୁର ଗଦାଧର’, ‘ଗୋଇନ୍ଦା ଗଦାଧର’ ପ୍ରଭୃତି ରହସ୍ୟ ସନ୍ଧାନୀ ଉପନ୍ୟାସ ଲେଖିବାର ଲୋଭ ସମ୍ବରଣ କରିପାରି ନଥିଲେ । ସ୍ୱାଧୀନତା ପରେ ବିଭିନ୍ନ ସିରିଜ୍ ମାଧ୍ୟମରେ ଏ ଧରଣର ଉପନ୍ୟାସ ସୃଷ୍ଟି ଏକ ବ୍ୟବସାୟିକ ଉଦ୍ୟମରେ ପରିଣତ ହୋଇପାରିଛି ।

 

ସମାଜ ସହ ପ୍ରତ୍ୟକ୍ଷ ସମ୍ପର୍କ ନ ଥାଇ ଉପନ୍ୟାସ ରଚନାର ସେହିପରି ଆଉ ଏକ ପ୍ରଚେଷ୍ଟା ହେଉଛି ବୈଜ୍ଞାନିକ ଉପନ୍ୟାସ । ଏ ଯୁଗର ନବୀନତମ ଆବିଷ୍କାର ଓ ଉଦ୍ଭାବନକୁ ଭିତ୍ତିକରି ଓ କିଛି ପରିମାଣରେ ପାଶ୍ଚାତ୍ୟ ରଚନାମାନଙ୍କର ଅନୁସରଣ କରି ପ୍ରଫେସର ଗୋକୁଳାନନ୍ଦ ମହାପାତ୍ରଙ୍କ ପରି କେତେକ ଲେଖକ ଏ କ୍ଷେତ୍ରରେ ଜନଶିକ୍ଷାମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି । ତଥାପି ଓଡ଼ିଆ ସମାଜ ମଧ୍ୟରୁ ‘ସରଲକ୍ ହୋମସ୍‌’ ପରି ଜଣେ ଗୋଇନ୍ଦା ଆବିଷ୍କାର କରିବା କିମ୍ବା ଏଚ୍‌ ଜି-ୱେଲ୍‍ସଙ୍କ ପରି ଜଣେ ବିଜ୍ଞାନୀ ସାହିତ୍ୟିକ ସୃଷ୍ଟି ହେବା ଆହୁରି ବାକି ଅଛି ।

 

ସମସ୍ତ ଅଭାବ ଓ ଦୁର୍ବଳତା ସତ୍ତ୍ୱେ ଓଡ଼ିଶା ଅଗ୍ରଗତି ପଥରେ ଚାଲିଛି ଏବଂ ସେହି ପଥରେ ସୃଷ୍ଟି ହୋଇ ଚାଲିଛି ବହୁ ଜଟିଳ ସମସ୍ୟା । ଦଳୀୟ ରାଜନୀତିର ପେଞ୍ଚପାଞ୍ଚ, ଜନସାଧାରଣଙ୍କ ଆଶା ଆକାଙ୍‌କ୍ଷାର ଅଭାବନୀୟ ଅଭିବୃଦ୍ଧି ଓ ଭାବପ୍ରବଣତା ଏହିସବୁ ସମସ୍ୟାର ମୂଳ ଉତ୍ସ । ଏହି ବ୍ୟାଧି କେବଳ ନଗର ବା ନବଗଠିତ ଶିଳ୍ପାଞ୍ଚଳରେ ନୁହେଁ, ଗ୍ରାମବାସୀ ଓ ନିରୀହ ସରଳ ବନବାସୀଙ୍କ ଭିତରେ ମଧ୍ୟ ପରିବ୍ୟାପ୍ତ ହେବାକୁ ଆରମ୍ଭ କଲାଣି । କେତେକ ଶ୍ରେଣୀର ଲୋକଙ୍କୁ ଏହା ହିଂସ୍ର ଓ ଅପରାଧୀ କରାଉଛି । ସମାଜର ଏହି ଅଂଶକୁ ଶ୍ରୀ ଅନାଦି ସାହୁ ଏବଂ ଅନ୍ୟ କେତେକ ସମସାମୟିକ ଲେଖକ ଉପନ୍ୟାସରେ ରୂପ ଦେବା ଆରମ୍ଭ କରିଛନ୍ତି । ନିଜ ଆରକ୍ଷୀ ଜୀବନର ଅଭିଜ୍ଞତାରୁ ମୌଳିକ ତଥ୍ୟ ସଂଗ୍ରହ କରି ଶ୍ରୀ ସାହୁ କେତୋଟି ସାର୍ଥକ ଉପନ୍ୟାସ ପ୍ରଣୟନ କରିଛନ୍ତି । ବଡ଼ବଡ଼ ସହରମାନଙ୍କରେ ପ୍ରତିଦ୍ୱନ୍ଦ୍ୱୀ ମାଫିଆ ଗୋଷ୍ଠୀର ଚିତ୍ର ଦେଇ ‘ଜଙ୍ଗଲି ସହର’, ଶିଳ୍ପାଞ୍ଚଳମାନଙ୍କରେ କୂଟ ରାଜନୀତି ଓ ସାଂପ୍ରଦାୟିକତାର ଶୀକାର ହୋଇଥିବା ଜନତାର କରୁଣ ଚିତ୍ର ଦେଇ ‘ଶୋଣିତ ଫଲ୍‌ଗୁ’ ଏବଂ ଦୁର୍ଗମ ପଲ୍ଲୀ ଓ ଅରଣ୍ୟ ପ୍ରଦେଶରେ ସଂଘଟିତ ହେଉଥିବା ରାଜନୀତିକ ସନ୍ତ୍ରାସବାଦ ଅବଲମ୍ବନରେ ଲିଖିତ ‘ମୁଣ୍ଡ ମେଖଳା’ ତାଙ୍କର କେତୋଟି ପ୍ରାମାଣିକ କୃତି ।

 

ଓଡ଼ିଆ ସାହିତ୍ୟରେ ଆଧୁନିକ ଉପନ୍ୟାସ କ୍ରମେ ପାଠକ ସମାଜଠାରୁ ଦୂରେଇ ଯାଉଥିବା ଭଳି ମନେହୁଏ । ବେଳେବେଳେ ଏହା ଅତ୍ୟଧିକ ବୌଦ୍ଧିକ ଚିନ୍ତନ ବା ପ୍ରଚାର-ସର୍ବସ୍ୱତାଦ୍ୱାରା ଭାରାକ୍ରାନ୍ତ ହୋଇ ପାଠକକୁ ବିମୁଖ କରୁଛି । ପାଠକ ଭାବୁଛି ଲେଖକ ଆତ୍ମକୈନ୍ଦ୍ରିକ ହୋଇ ତାହାର ରୁଚିବୋଧ ଓ ବୌଦ୍ଧିକ ସ୍ତର ପ୍ରତି ଅବହେଳା କରୁଛି । ତା’ର ମନୋରଞ୍ଜନ ବ୍ୟାହତ ହେଉଛି । ତା’ର ମନକୁ ଧରି ରଖିପାରିବା ଭଳି କଥା ଉପନ୍ୟାସଠାରେ ରହୁନାହିଁ । ଏହି ଅବସ୍ଥା ଉପନ୍ୟାସ ସାହିତ୍ୟ ଓ ସର୍ବୋପରି ଭାରତୀୟ ସାହିତ୍ୟ ପ୍ରତି ଏକ ବିପଦ । ଆଧୁନିକ ଉପନ୍ୟାସର ଆଲୋଚନା ବେଳେ ଭଲ ଉପନ୍ୟାସଟିଏ କିପରି ବାଛିବ ସେ ପ୍ରସଙ୍ଗରେ କୁହାଯାଇଛି-

 

“What should you, the reader, look from the novel ? You should look, first of all, for entertainment. No matter how serious a novelist’s purpose, his first task is to make his work interesting to his audience. This statement does not mean that the book must be pleasant, but it does mean that it should be written with sufficient skill to hold your attention”.

 

(The American Educator Encyclopedia Vol-9, Page 228)

 

ଉପରୋକ୍ତ ମତାମତ ଉପନ୍ୟାସ ରଚନାର ଏକମାତ୍ର ଅଭ୍ରାନ୍ତ ଆଦର୍ଶ ରୂପେ ଗୃହୀତ ନ ହୋଇପାରେ, କିନ୍ତୁ ସାଧାରଣ ପାଠକକୁ ସାଙ୍ଗରେ ନେଇ ଉପନ୍ୟାସ ଅଗ୍ରଗତି କରୁ, ସମାଜ ଏହା ଆଶା କରିବା ଅସ୍ୱାଭାବିକ ହେବ ନାହିଁ ।

 

 

ରେଭେନ୍‌ସା କଲେଜ

କଟକ

 

***

 

ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସ

ଡଃ : ଲାବଣ୍ୟ ନାୟକ

 

ଊନବିଂଶ ଶତାବ୍ଦୀର ଶେଷଭାଗ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ସାମାଜିକ ଜୀବନରେ ଶ୍ରେଣୀ ସଂଙ୍ଘର୍ଷ ଦେଖା ଦେଲା । ଫ୍ରଏଡ୍‌, କାର୍ଲମାକ୍‌ସ, ଆଇନଷ୍ଟାଇନ୍, ମାକ୍‌ସ ଫ୍ଳାଙ୍କ୍‌ଙ୍କର ଚିନ୍ତା ଓ ଚେତନା ପାରଂପରିକ ସମାଜକୁ କିଛି ପରିମାଣରେ ପ୍ରଭାବିତ କଲା ଓ ତାହାର ସଙ୍କେତ ସାହିତ୍ୟରେ ପ୍ରତିଫଳିତ ହେଲା । ସାହିତ୍ୟିକ ତଥା ସମାଲୋଚକମାନେ ଅନୁଭବ କଲେ ଯେ ମାନବର ଚେତନା ମନର ଟିକିନିଖି ବା ସାମଗ୍ରିକ ରୂପାୟନ କରିଦେଲେ କେବଳ ଚଳିବ ନାହିଁ-। ଚେତନ ମନର ବାହାରେ ମାନବର ଅବଚେତନ ମନ ବୋଲି ଯେ ଗୋଟିଏ ଅବସ୍ଥା ରହିଛି ତାହାକୁ ଅସ୍ୱୀକାର କରାଯାଇ ନପାରେ । ମାନବ ଚେତନାର ସାମଗ୍ରିକ ବିକାଶ ଘଟେ ଆତ୍ମବିସ୍ତାର ଓ ଅନ୍ତର୍ଲୀନ ମାଧ୍ୟମରେ । ତେଣୁ ମାନବ ମନର ସୂକ୍ଷ୍ମତର ଅନୁଭୂତିଗୁଡ଼ିକୁ ସାହିତ୍ୟରେ ରୂପାୟିତ କରିବାପାଇଁ ପାଶ୍ଚାତ୍ୟ ଲେଖକଗଣ ତତ୍ପର ହୋଇ ଉଠିଲେ । ଏଇ ପରିପ୍ରେକ୍ଷୀରେ ମନସ୍ତାତ୍ତ୍ୱିକ ଉପନ୍ୟାସର ସୃଷ୍ଟି ।

 

କିନ୍ତୁ କୌଣସି ସୃଷ୍ଟି ଆକସ୍ମିକ ହୁଏ ନାହିଁ । ବିଧିବଦ୍ଧ ଭାବରେ ମନସ୍ତାତ୍ତ୍ୱିକ ଉପନ୍ୟାସ ସୃଷ୍ଟି ହେବାର ବହୁ ପୂର୍ବରୁ ବିଭିନ୍ନ ସାହିତ୍ୟରେ ଏହାର ସଂକେତ ମିଳି ସାରିଥିଲା । ପୃଥିବୀର ପ୍ରଥମ ଉପନ୍ୟାସ ଜାପାନୀ ମହିଳା ମୁରାସାକୀଙ୍କଦ୍ୱାରା ରଚିତ ‘ଗେନ୍‌ଜୀ କାହାଣୀ’ (ଖ୍ରୀ ୧୦୦୦)ରେ ମନସ୍ତାତ୍ତ୍ୱିକ ଅନ୍ତର୍ଦୃଷ୍ଟିର ସୂଚନା ମିଳିସାରିଥିଲା । ଯେ କୌଣସି ଦେଶର ଉପନ୍ୟାସ ସାହିତ୍ୟର ଇତିହାସ ବିଷୟ ଆଲୋଚନା କଲେ ଜଣାଯାଏ ଯେ ଉପନ୍ୟାସ ସୃଷ୍ଟି ହେବାର ବହୁବର୍ଷ ପରେ ମନସ୍ତାତ୍ତ୍ୱିକ ଉପନ୍ୟାସ ରଚିତ ହୋଇଛି । ମାତ୍ର ‘ଗେନ୍‌ଜୀ କାହାଣୀ’ ପ୍ରଥମ ଉପନ୍ୟାସ ହୋଇ ମଧ୍ୟ ମନସ୍ତତ୍ତ୍ୱ ଉପାଦାନ ଗ୍ରହଣ କରିଥିବାରୁ ପ୍ରଶଂସାର୍ହ । ଏହାର ବିଶ୍ଳେଷଣାତ୍ମକ ଗୁଣ ଦୃଷ୍ଟିରୁ ବିଚାର କଲେ ଜଣାଯାଏ, ଫ୍ରଏଡ୍‌ଙ୍କଠାରୁ ମୁରାସାକୀ ଅଧିକ ଅଗ୍ରଗଣ୍ୟ ଏବଂ ଏଇଥିପାଇଁ ସେ ପ୍ରାଉଷ୍ଟଙ୍କ ସହିତ ସମାନ ଏବଂ ଲରେନ୍‌ସ ଇତ୍ୟାଦି ସମାଲୋଚକମାନଙ୍କଠାରୁ ଲେଖିକାଙ୍କର ସ୍ଥାନ ଆହୁରି ଉଚ୍ଚରେ ।

 

ପାଶ୍ଚାତ୍ୟ ଜଗତର କଥା ବିଚାର କଲେ ଜଣାଯାଏ ଦାର୍ଶନିକ ଉଇଲିୟମ୍‌ ଜେମ୍‌ସ୍‌ ଊନବିଂଶ ଶତାବ୍ଦୀର ଶେଷ ଭାଗରେ Principles of Psychology ଗ୍ରନ୍ଥରେ ମାନବର ଚେତନା ପ୍ରବାହ ବିଷୟରେ ଉଲ୍ଲେଖ କରନ୍ତି । ଏତଦ୍‌ବ୍ୟତୀତ ଫ୍ରଏଡ୍‌ (୧୮୫୬-୧୯୩୯), ଆଡ୍‌ଲର (୧୮୭୦-୧୯୩୭) ଓ କାର୍ଲଜଙ୍ଗ୍‌ (୧୮୭୫-୧୯୬୧) ପ୍ରଭୃତି କେତେ ଜଣଙ୍କର ଆବିର୍ଭାବ ଓ ବୈଜ୍ଞାନିକ ଧାରାରେ ମାନବ ମନର ଗବେଷଣା ଲବ୍‌ଧ ତଥ୍ୟ ପ୍ରକାଶ ହେତୁ ସାହିତ୍ୟ କ୍ଷେତ୍ରରେ ତାହାର ପ୍ରଭାବ ଅନୁଭୂତ ହେଲା । ଏହି ସମୟରେ ଯେଉଁ କେତେଜଣ କଥାଶିଳ୍ପୀଙ୍କ ମନରେ ନୂତନ ଭାବର ଉଦ୍ରେକ ହୋଇଥିଲା, ସେମାନଙ୍କ ମଧ୍ୟରେ ହେନ୍‌ରୀ ଜେମ୍‌ସ୍‌ ଅନ୍ୟତମ । ଖ୍ରୀ ୧୮୮୮ରେ ପ୍ରକାଶିତ ତାଙ୍କ ‘Partial Portraits’ ଗ୍ରନ୍ଥରେ ସେ ଉପନ୍ୟାସ ସଂପର୍କୀୟ କେତେକ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ । ସେଥିରେ ସେ ଔପନ୍ୟାସିକମାନଙ୍କର ଶିଳ୍ପାଦର୍ଶ ଓ ରଚନାରୀତି ସଂପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍‌ଥାପନ କରିଥିଲେ ।

 

ପ୍ରକୃତ ପକ୍ଷରେ କହିବାକୁ ଗଲେ ମାର୍ସେଲ୍‌ ଫ୍ରସତ୍‌ଙ୍କ ‘‘Remembrance of Things Past’’ (୧୯୧୩), ମାର୍କିନ୍‌ କଥାକାର ହେନ୍‌ରି ଜେମସଙ୍କ Golden Bowl (୧୯୧୪), ଡରୋଥି ରିଚାର୍ଡ୍‌ସନଙ୍କ ‘‘Pilgrimage’’ (୧୯୧୫) ଓ ଜେମ୍‌ସ ଜୟେସ୍‌ଙ୍କ ‘‘A Portrait of the Artist as a Youngman’’ ଉପନ୍ୟାସଗୁଡ଼ିକରେ ମନସ୍ତାତ୍ତ୍ୱିକ ଅଧ୍ୟୟନର ପରିଚୟ ମିଳିଲା ଓ ପରବର୍ତ୍ତୀ ଉପନ୍ୟାସମାନଙ୍କରେ ଏହା ଅଧିକ ପରିପୁଷ୍ଟି ଲାଭ କଲା । ଏ ଧରଣର ଉପନ୍ୟାସ, ବାସ୍ତବବାଦୀ ଉପନ୍ୟାସକୁ ବିରୋଧ କଲା । କାରଣ ଏ ଲେଖକଗଣ ଅନୁଭବ କଲେ ଯେ ବାସ୍ତବବାଦୀ ଔପନ୍ୟାସିକମାନେ ବହୁ ଦୂରରୁ ଓ ବସ୍ତୁର ବାହାରୁ ଚିତ୍ର ଅଙ୍କନ କରନ୍ତି କେବଳ । ଏହାଦ୍ୱାରା ମାନବଜୀବନର ସତ୍ୟ ଉଦ୍‌ଘାଟିତ ନ ହୋଇ ବରଂ ଆବର୍ଜନା ସୃଷ୍ଟି ହୁଏ । ମାନବର ଚେତନ ଓ ଅବଚେତନ ମନ ମଧ୍ୟରେ ଯେଉଁ ଲୁଚକାଳି ଖେଳ ଚାଲିଛି ତାହାର କଣ ଜୀବନ କ୍ଷେତ୍ରରେ କୌଣସି ଭୂମିକା ନାହିଁ ? ଚେତନ ମନଠାରୁ ଅବଚେତନ ମନର ସ୍ୱରୂପ ଅଲଗା । ବେଳେବେଳେ ଅବଚେତନ ମନ ଚେତନ ମନ ପାଖରେ ଧରାପଡ଼େ । ପ୍ରକାଶ୍ୟରେ ଯାହା କରେ ବା କହେ ତାହା ତାର ଅନ୍ତର ଭିତରର କାର୍ଯ୍ୟ ନୁହେଁ । ଅନ୍ତର ଭିତରେ ଥିବା ଅବଦମିତ ଇଚ୍ଛାଗୁଡ଼ିକ ଚେତନ ରାଜ୍ୟକୁ ଫେରି ଆସିବାକୁ ଇଚ୍ଛା କରନ୍ତି । ମାନବ କିନ୍ତୁ ତା’ର ଅନ୍ତର ଭିତରେ ବିଚରଣ କରୁଥିବା ଈର୍ଷା ଅବଶୋଷ, ଅନୁତାପ ଇତ୍ୟାଦି କୁଟିଳ ମନୋଭାବକୁ ସଂଗୁପ୍ତ ରଖବାରେ ପ୍ରଯତ୍ନ କରେ । ଫ୍ରଏଡ୍‌ଙ୍କର ମତାନୁସାରେ ମାନବର ବିଭିନ୍ନ କ୍ରିୟାକଳାପ ତା’ର ମଗ୍ନଚୈତନ୍ୟ ସଂପୃକ୍ତ କାମପ୍ରବୃତ୍ତିର ପ୍ରେରଣାରୁ ସୃଷ୍ଟି । ଏହି କାମ ପ୍ରବୃତ୍ତିର ଦୁର୍ବାର ଶକ୍ତିକୁ ଏଡ଼ାଇ ଦିଆଯାଇ ନପାରେ । ପୁଣି ପ୍ରତ୍ୟେକ ବ୍ୟକ୍ତିର ସ୍ୱାଭାବିକ ମୂଳ ପ୍ରବୃତ୍ତି ହେଉଛି ଅହଂସ୍ଥାପନ-। ତେଣୁ କାମଇଚ୍ଛା ସହିତ ଈର୍ଷା ଅବଶ୍ୟ ରହିବ । ଏ ଦୁଇଟିକୁ ଦମନ କରିବା ସହଜ ବ୍ୟାପାର ନୁହେଁ । ମନୋବୈଜ୍ଞାନିକମାନେ ମାନବ ମନର ଏହି ଅବଦମିତ ପ୍ରବୃତ୍ତିର ସ୍ୱରୂପକୁ ବିଭିନ୍ନ ତତ୍ତ୍ୱଦ୍ୱାରା ପ୍ରକାଶ କରିବାରେ କିଛି ପରିମାଣରେ ସଫଳ ହୋଇଛନ୍ତି । ତେଣୁ ମନୋବିଜ୍ଞାନର ଇଦ୍‌, ଇଗୋ, ଲିବିଡୋ ପ୍ରଭୃତି ତତ୍ତ୍ୱଗୁଡ଼ିକର ପ୍ରତିଫଳନ ମନସ୍ତାତ୍ତ୍ୱିକ ଉପନ୍ୟାସରେ ଦେଖିବାକୁ ମିଳିଲା ।

 

ପ୍ରାଚୀନ କାଳରେ ବା ପ୍ରାଥମିକ ଅବସ୍ଥାରେ ସାହିତ୍ୟରେ ମନସ୍ତତ୍ତ୍ୱର ଚିତ୍ର ଭିନ୍ନ ରୂପରେ ଦେଖାଯାଉଥିଲା । ଯାହାକୁ କି ଆମେ ମନସ୍ତତ୍ତ୍ୱ ନ କହି ମାନସିକ ଅବସ୍ଥାର ଚିତ୍ର କହିପାରୁ । ମନସ୍ତାତ୍ତ୍ୱିକ ଚିତ୍ରରେ ମନୋବୈଜ୍ଞାନିକମାନଙ୍କର ଗବେଷଣା ଲବ୍‌ଧ କିଛି ତଥ୍ୟ ବା ତତ୍ତ୍ୱର କଥା ନିହିତ । ମାତ୍ର ମାନସିକ କ୍ରିୟାର ଚିତ୍ର କହିଲେ କେବଳ ମନର ବିଭିନ୍ନ ଅବସ୍ଥାର କଥା ହିଁ ବୁଝାଏ । କୃଷ୍ଣଙ୍କର ଅବର୍ତ୍ତମାନରେ ଗୋପାଙ୍ଗନାମାନଙ୍କର ବିରହ ବ୍ୟଥାରେ ସେମାନଙ୍କର ତତ୍‌କାଳୀନ ମନର ଅବସ୍ଥା ହିଁ ସୂଚିତ ହୁଏ । ପ୍ରାଥମିକ ଉପନ୍ୟାସ ଗୁଡ଼ିକରେ ପ୍ରାୟତଃ ମାନସିକ ଅବସ୍ଥାର ଚିତ୍ର ହିଁ ଅଙ୍କନ କରାଯାଇଛି । କେତେବେଳେ କେମିତି ମନରେ ଦେଖା ଦେଇଥିବା ଦ୍ୱନ୍ଦ୍ୱର ଚିତ୍ର ପ୍ରକଟିତ ହୋଇଛି ସିନା ମନଗହନର ବିଭିନ୍ନ କୋଣ ଅନୁକୋଣକୁ ଆଲୋକିତ କରାଯାଇ ପାରିନାହିଁ । ସେଥିପାଇଁ ପ୍ରାଥମିକ ଯୁଗର ଔପନ୍ୟାସିକଗଣ ବିଶେଷ ଗୋଟିଏ ଗୋଟିଏ ଗୁଣରେ ଚରିତ୍ରକୁ ମଣ୍ଡିତ କରୁଥିଲେ । ବର୍ତ୍ତମାନ ଉପନ୍ୟାସରେ ସେ ପଦ୍ଧତି ଅପାଂକ୍ତେୟ ହୋଇଛି । ସାହିତ୍ୟ ଉପରେ ମନସ୍ତତ୍ତ୍ୱର ପ୍ରଭାବ ପ୍ରବନ୍ଧରେ ଜୋର୍ଡ (G. E. M. Joad) କହନ୍ତି ଯେ କେତେଗୁଡ଼ିଏ ଭାସମାନ ବ୍ୟକ୍ତିତ୍ୱର ସମାହାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଗଠିତ । ବ୍ୟକ୍ତିତ୍ୱକୁ ସ୍ୱତନ୍ତ୍ର ସରହଦ ଭିତରେ ସୀମାରେଖା କାଟି ଚିହ୍ନିତ କରାଯାଇ ନପାରେ । ଏପରି ସ୍ଥଳେ ମନୋବୈଜ୍ଞାନିକଙ୍କର ତତ୍ତ୍ୱ ସାହିତ୍ୟ ରାଜ୍ୟରେ ପ୍ରବେଶ କରିଛି । ସାଂପ୍ରତିକ ଗଳ୍ପ, ଉପନ୍ୟାସରୁ ଏହାର ସ୍ପଷ୍ଟ ପରିଚୟ ମିଳିଥାଏ । ଉପନ୍ୟାସକୁ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଦେଖାଯାଏ ଯେ ଏହା ଅନ୍ୟାନ୍ୟ ଉପନ୍ୟାସଠାରୁ କେତେକ ଦିଗରୁ ପୃଥକ୍ ।

 

ମନସ୍ତାତ୍ତ୍ୱିକ ଉପନ୍ୟାସ ପ୍ରଥମତଃ ଶୈଳୀ-ପ୍ରଧାନ । ଚରିତ୍ରମାନଙ୍କ ଗହନ ମନର କଥା ପ୍ରକାଶିତ ହେଉଥିବାରୁ ଏଥିରେ ଲେଖକ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ ନ କରି ପୃଷ୍ଠଭୂମିରେ ରହିଥିବା ପରି ଅଭିନୟ କରନ୍ତି । ଅନ୍ୟପ୍ରକାର କହିଲେ ଲେଖକଙ୍କର ଟୀକା ଟିପ୍‌ପଣୀର ସାହାଯ୍ୟ ନ ନେଇ ଚରିତ୍ରମାନେ ନିଜକଥା ନିଜେ ହିଁ ପ୍ରକାଶ କରିଥାନ୍ତି । ସେଇଥିପାଇଁ ଚରିତ୍ରମାନେ ନିଜ ଅତୀତରେ ସ୍ମୃତିଚାରଣ କରିବା, ଭବିଷ୍ୟତ ପାଇଁ ଦିବାସ୍ୱପ୍ନରେ ମଜ୍ଜିଯିବା କିମ୍ବା ଭାବାଚ୍ଛନ୍ନତାର ଆଶ୍ରୟ ନେଇଥିବା ପରିଲକ୍ଷିତ ହୁଏ । ତେଣୁ ମନସ୍ତାତ୍ତ୍ୱିକ ଉପନ୍ୟାସରେ ଏହି ‘ଅନ୍ତରୀଣ ସଂଳାପ’ ଶୈଳୀ ହିଁ ଗୃହୀତ ହୋଇଥାଏ । ତେଣୁ କେତେକ ମନସ୍ତାତ୍ତ୍ୱିକ ଉପନ୍ୟାସ ଆତ୍ମ-କଥନ ରୀତିରେ ରଚିତ ହୋଇ ଥାଏ ।

 

ପୁଣି ଏଇ ଚରିତ୍ରମାନେ ମାନସିକ ଦ୍ୱନ୍ଦ୍ୱର ଶିକାର ହୋଇଥିବା ଦେଖାଯାଏ । ତାଙ୍କ ସମ୍ମୁଖରେ ଏକାଧିକ କର୍ମ କର୍ତ୍ତବ୍ୟ ଭାବରେ ପ୍ରତିଭାତ ହୁଏ । ଫଳରେ କର୍ତ୍ତବ୍ୟ ବିରୋଧରେ ଉପନୀତ ହୋଇ ଚରିତ୍ରଗଣ ଦ୍ୱନ୍ଦ୍ୱର ଦୋଳାରେ ଦୋଳାୟିତ ହୁଅନ୍ତି । ଏହା ପୁଣି ବାହ୍ୟ ସଂଘର୍ଷ ନ ହୋଇ ଅର୍ନ୍ତଦ୍ୱନ୍ଦ ହୋଇଥିବାରୁ ଚରିତ୍ରମାନଙ୍କର ଆଭ୍ୟନ୍ତରୀଣ ରୂପ ପ୍ରକଟିତ ହେବାରେ ସାହାଯ୍ୟ କରେ ।

 

ମନସ୍ତାତ୍ତ୍ୱିକ ଉପନ୍ୟାସ ସାଧାରଣତଃ ପରୋକ୍ଷ ରୀତିରେ ଅଭିବ୍ୟଞ୍ଜିତ ହୋଇଥାଏ । କାରଣ ମନ ଗହନର ଗୋପନ କଥାଗୁଡ଼ିକୁ ସିଧା ସଳଖ ପ୍ରକାଶ କରିବାରେ କଳାଗତ ଗୌରବ ସଂରକ୍ଷିତ ହୋଇପାରେ ନାହିଁ । ତେଣୁ ଏହାର ଭାଷା ସଂଯୋଜନାରେ ମଧ୍ୟ ସାଙ୍କେତିକତା ଦେଖାଯାଏ । ମନସ୍ତାତ୍ତ୍ୱିକ ଉପନ୍ୟାସ ହୋଇ ନଥିଲେ ପ୍ରତୀକାତ୍ମକ ଭାଷା ବିନ୍ୟାସର ପ୍ରୟୋଜନ ହେବନାହିଁ ଏପରି ମନେ କରିବା ଅବଶ୍ୟ ଠିକ୍ ନୁହେଁ । କିନ୍ତୁ ମନସ୍ତାତ୍ତ୍ୱିକ ଉପନ୍ୟାସରେ ପ୍ରାୟତଃ ବ୍ୟଞ୍ଜନାଧର୍ମୀ ଭାଷା ଓ ରୂପକଳ୍ପର ପ୍ରୟୋଗ ହୋଇଥିବା ଲକ୍ଷ୍ୟ କରାଯାଏ ।

 

ମନସ୍ତାତ୍ତ୍ୱିକ ଉପନ୍ୟାସରେ ଭାଷା, ଶୈଳୀ, ଓ ସଂଯୋଜନା ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ଗଳ୍ପ ଅଂଶଟି ଗୌଣ ମନେ ହୁଏ । କାହାଣୀ ଦୃଷ୍ଟିରୁ ଏ ଧରଣର ଉପନ୍ୟାସକୁ ପଢ଼ି ବସିଲେ ପାଠକକୁ ନିରାଶ ହେବାକୁ ପଡ଼େ ।

 

ସଫଳ ମନସ୍ତାତ୍ତ୍ୱିକ ଉପନ୍ୟାସରେ ପାଠକ ପ୍ରଥମରୁ ହିଁ ଚରିତ୍ରର ମନ ପାଖରେ ପହଞ୍ଚେ ଓ କେତେବେଳେ କେମିତି ବିଷୟ ଜଗତକୁ ଆସି ପୁଣି ବିଷୟୀ ପାଖକୁ ଫେରିଯାଏ । ଉପନ୍ୟାସ ପାଠ ଶେଷରେ ପାଠକ ଉପଲବ୍‌ଧି କରେ ଯେ ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚରିତ୍ରମାନଙ୍କର ମନୋରାଜ୍ୟରେ ହିଁ ବିଚରଣ କରୁଥିଲା । ଏପରି ଉପନ୍ୟାସଗୁଡ଼ିକରେ ସାଧାରଣତଃ ଚରିତ୍ରର ବହୁଳତା ପରିଦୃଷ୍ଟ ହୁଏ ନାହିଁ । ଅଳ୍ପ କେତୋଟି ଚରିତ୍ର ହେଲେ ମଧ୍ୟ ସେମାନଙ୍କ ମନର କଥା ନିଖୁଣ ଭାବରେ ପ୍ରକାଶ କରି ପାରିଲେ ଉପନ୍ୟାସର ସଫଳତା ପ୍ରତିପାଦିତ ହୋଇପାରେ ।

 

ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଏହି ମନୋବୈଜ୍ଞାନିକ ଶୈଳୀର ପ୍ରୟୋଗ ଅର୍ବାଚୀନ । ବୈଷ୍ଣବ ଚରଣ ଦାସଙ୍କ ରଚିତ ‘ମନେ ମନେ’ (୧୯୨୬) ଓଡ଼ିଆ ସାହିତ୍ୟର ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ ଭାବରେ ଗୃହୀତ । ଏହି ପୂର୍ବରୁ ମନସ୍ତାତ୍ତ୍ୱିକ ଉପାଦାନ ଉପନ୍ୟାସମାନଙ୍କରେ ଅତ୍ରତତ୍ର ପ୍ରକାଶିତ ହୋଇଛି । ଫକୀର ମୋହନଙ୍କ ଉପନ୍ୟାସମାନଙ୍କରେ ମଧ୍ୟ ଏହାର ସାମାନ୍ୟ ସୂଚନା ଦେଖିବାକୁ ମିଳେ । ଚାନ୍ଦମଣିର ବିବାହ ପ୍ରସଙ୍ଗ ଗୃହରେ ଆଲୋଚିତ ହେଉଥିବା ବେଳେ, ମାର୍ଜାର ଶିଶୁ ପ୍ରତି ଚାନ୍ଦମଣୀର କ୍ରିୟାକଳାପ ଅର୍ଦ୍ଧ ରାତ୍ରିରେ ମଙ୍ଗରାଜ ଓ ଚମ୍ପାଙ୍କ ମନ୍ତ୍ରଣା ସାନ୍ତାଣୀଙ୍କ ପ୍ରତିକ୍ରିୟା କିମ୍ବା ପୁନିଅଁ ପର୍ବରେ ପିଠାପଣା ଘରେ ତିଆରି କଲେ ସାରିଆ ମନର ଆଲୋଡ଼ନ ବିଷୟରେ ଫକୀର ମୋହନଙ୍କ ପ୍ରତୀକାତ୍ମକ ବର୍ଣ୍ଣନାରୁ ଚରିତ୍ରମାନଙ୍କର ମନସ୍ତାତ୍ତ୍ୱିକ ପ୍ରତିକ୍ରିୟାର କିଛି ସୂଚନା ମିଳେ । କିନ୍ତୁ ଏହି ଚିତ୍ର ବିସ୍ତୃତ ନୁହେଁ । ଭୀମାଭୂୟାଁ (୧୯୦୮)କୁ ଏହି ପରିପ୍ରେକ୍ଷୀରେ ସ୍ମରଣ କରାଯାଇପାରେ । ଭୀମା ଚିନାମାଳୀ ପ୍ରତି ପ୍ରଣୟାସକ୍ତ ହେବା ଓ ନିଜେ ବିବାହ କରି ନ ପାରି ତା’ର ବଡ଼ଭାଇ ବିବାହ କରିବା ପ୍ରସଙ୍ଗରେ ତା’ ମନରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏତଦ୍‌ବ୍ୟତୀତ ରାଜାଙ୍କଦ୍ୱାରା ଦଣ୍ଡିତ ହୋଇ ଭୀମାର ବାପା ଓ ବଡ଼ଭାଇ ନିହତ ହେବା ଉଦ୍ଦେଶ୍ୟରେ ବନ୍ଦି ହେବା ଘଟଣାରେ ଭୀମା ମନରେ ତୀବ୍ର ଦ୍ୱନ୍ଦ୍ୱ ଦେଖା ଦେଇଛି । ଚିନାମାଳୀର ବିବାହ ପରେ ରାଜଜେମା ପ୍ରତି ଭୀମା ମନର ଆକର୍ଷଣ ପୁନଶ୍ଚ ତାକୁ ଦ୍ୱନ୍ଦ୍ୱରେ ଉପନୀତ କରାଇଛି । ଏହା ଯୌନ-ଚେତନା ସମ୍ବଳିତ ମନୋଭାବର ପରିପ୍ରକାଶ ହେଲେ ହେଁ, ବର୍ଣ୍ଣନା ବଳିଷ୍ଠ ଓ ପରିଚ୍ଛନ୍ନ ନୁହେଁ । କିନ୍ତୁ ଏହି ଦ୍ୱନ୍ଦ୍ୱର ତୀବ୍ରତା ଅନୁଭୂତ ହୁଏ କାହ୍ନୁଚରଣଙ୍କ ‘ଶାସ୍ତି’ ଉପନ୍ୟାସରେ । ସନିଆକୁ ଗ୍ରହଣ କରିବାପାଇଁ ଧୋବୀ ମନର ବ୍ୟାକୁଳତା ଚେତନ ମନରେ ଭିନ୍ନରୂପ ଗ୍ରହଣ କରିଛି । ଫଳରେ ତା’ର ମନର ମଣିଷକୁ ପାଖରେ ପାଇ ମଧ୍ୟ ସଚେତନ ମନ ତାକୁ ପ୍ରତ୍ୟାଖ୍ୟାନ କରିଛି । ମୌନ ପିପାସାର ଏକ ସଂଜ୍ଞା କିନ୍ତୁ ଭିନ୍ନ ସ୍ୱର ଦେଖିବାରୁ ମିଳେ ‘କା’ ରେ । ବନ୍ଧ୍ୟା ନନ୍ଦିକା ବଂଶ ରକ୍ଷା ପାଇଁ ସ୍ୱାମୀକୁ ଅନୁରୋଧ କରେ ଦ୍ୱିତୀୟା ପତ୍ନୀ ଗ୍ରହଣ କରିବା ପାଇଁ । ମାତ୍ର ଲଳିତା ବିବାହ କରି ଆସିବା ପରେ ନନ୍ଦିକା ସ୍ୱାମୀଙ୍କର ସ୍ନେହ ସୋହାଗରୁ ବଂଚିତ ହୁଏ । ଚେତନ ମନରେ ନନ୍ଦିକା ଲଳିତାର ବାସର ଗୃହକୁ ସ୍ୱାମୀକୁ ପଠାଇ ଦେଇ ପାରେ ସିନା, ମାତ୍ର ନବଦମ୍ପତିଙ୍କର ପ୍ରେମାଳାପ କାନରେ ବାଜିଲେ ସହଜ ଭାବରେ ଗ୍ରହଣ କରିପାରେ ନାହିଁ । ଚେତନ ମନର ତ୍ୟାଗ, ଅବଚେତନ ମନର ଈର୍ଷାରେ ପରିଣତ ହୁଏ । ନନ୍ଦିକା ଦେହ ଓ ମନରେ ଶତ ବୃଚ୍ଛିକର ଦଂଶନ ଅନୁଭବ କରେ ଓ ଲଳିତା ପ୍ରତି ହିଂସ୍ର ପ୍ରତିକ୍ରିୟା ଫୁଟି ଉଠେ । ପ୍ରାଣୀ ଯୌନ କ୍ଷୁଧାର ଶିକାର ହେବା ଓ ତତ୍‌ ସଂପର୍କୀୟ ଈର୍ଷା କିମ୍ବା ପ୍ରତିଦ୍ୱନ୍ଦିତାର ବଶବର୍ତ୍ତୀ ହେବା ମନସ୍ତତ୍ତ୍ୱର ଏକ ଅନ୍ଧାରୀ ଦିଗ ।

 

ମନସ୍ତତ୍ତ୍ୱର ବିଚାର ମାଧ୍ୟମରେ ଏହା କେତେକାଂଶରେ ସ୍ପଷ୍ଟ ହୋଇ ଉଠିଛି ଶାନ୍ତନୁକୁମାର ଆଚାର୍ଯ୍ୟଙ୍କ ‘ନରକିନ୍ନର’ ଉପନ୍ୟାସରେ । ଗୋଟିଏ କ୍ୟାନ୍‌ଟିନ୍‌ରେ ରହୁଥିଲେ ମଧ୍ୟ ଗୋଟିଏ ଗୋଦରୀ ବୁଢ଼ୀ ପାଇଁ ବୀର ସାମଲ, ନଜିର ମିଆଁ ଓ ଜର୍ଜ ମନରେ ଈର୍ଷାର ଅଗ୍ନି ସ୍ଫୂଲିଙ୍ଗ ଦିକିଦିକି ହୋଇ ଜଳି ଉଠେ । ବିଭୂତି ପଟ୍ଟନାୟକଙ୍କ କେଶବତୀ କନ୍ୟା ଫ୍ରଏଡୀୟ ଚିନ୍ତାଧାରା ଉପରେ ପର୍ଯ୍ୟବସିତ । ‘ମନେ ମନେ’ (୧୯୨୬) ଓ ‘ଜୀଅନ୍ତା ମଣିଷ’ (୧୯୪୫) ସାଂପ୍ରତିକ ଯୁଗର ସୃଷ୍ଟି ନହେଲେ ମଧ୍ୟ ଏ ପରିପ୍ରେକ୍ଷୀରେ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛନ୍ତି । ରଙ୍ଗୀର ଅବଚେତନ ମନର କଥା ପ୍ରଳାପ ମାଧ୍ୟମରେ ପ୍ରକଟିତ ହୋଇ ଯାଇଛି । ଅନ୍ତର ଭିତରେ ଥିବା ନୀଳୁ ପ୍ରତି ରଙ୍ଗୀର ଆସକ୍ତି ଓ ଦୁର୍ବଳତାର ଭାବରାଜି ସଂଗୁପ୍ତ ହୋଇ ରହିପାରି ନାହିଁ । ଏ ସମୁଦାୟ ବର୍ଣ୍ଣନାରୁ ଯୌନ ସମ୍ବନ୍ଧୀପ୍ତ ଏକ ପ୍ରତିକ୍ରିୟାର ସନ୍ଧାନ ମିଳେ । ଏହି ରୂପ ଅନ୍ୟାନ୍ୟ ବହୁ ଔପନ୍ୟାସିକଙ୍କ ଲେଖାରେ ଦେଖିବାକୁ ମିଳେ । କାହ୍ନୁଚରଣଙ୍କ ‘ଢେଉଢ଼େଉକା’ (୧୯୬୩) ମହାପାତ୍ର ନୀଳମଣି ସାହୁଙ୍କ ‘ଧରା ଓ ଧାରା’ (୧୯୬୧) ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଜୀଅନ୍ତା ମଣିଷ’ ଓ ‘ପୀରତି ପଥ ଖସଡ଼ା’ କୃଷ୍ଣପ୍ରସାଦ ମିଶ୍ରଙ୍କ ‘ନେପଥ୍ୟେ’କୁ ଦୃଷ୍ଟାନ୍ତ ସ୍ୱରୂପ ଗ୍ରହଣ କରାଯାଇପାରେ ।

 

ଚପଳା, ଭିକାରୀର ସେବା କରିବାବେଳେ ମନ ଭିତରେ ଜାଗି ଉଠିଛି ରୋଗ ଯନ୍ତ୍ରଣା ଜର୍ଜରିତ ତା’ ସ୍ୱାମୀର ସ୍ମୃତି । ମନସ୍ତତ୍ତ୍ୱର ଏହି ଧାରାଟି ବଳିଷ୍ଠ ରୂପ ନେଇ ଚେତନା ପ୍ରବାହରେ ପରିଣତ ହୋଇଛି ପରବର୍ତ୍ତୀ ସମୟରେ । ଚପଳା ଭିକାରୀକୁ ଆସ୍ତେ ଆସ୍ତେ ଆପଣାର କରିନେଲାବେଳେ ତା’ ମନରେ ଜାତ ହୋଇଥିବା ଦ୍ୱନ୍ଦ୍ୱରେ ଅସ୍ଥିର ହୋଇ କଥୋପକଥନ କରିଛି ନିଜ ସହିତ ଓ ରୋମନ୍ଥନ କରିଛି ଅତୀତକୁ । ‘‘କିନ୍ତୁ ସେ ଦିନ ? ସେ ଦିନ ମୁଁ କିଛି ଅପରାଧ କରିନାହିଁ । ମୋର ଏହି ହୃଦୟଟା ମୋତେ ପ୍ରତାରିତ କରିଛି । ମୁଁ ସତ କହୁଛି, ଭଗବାନଙ୍କୁ ସାକ୍ଷୀ ରଖି କହୁଛି । ମୁଁ ତା’ ଚାହିଁନାହିଁ ।’’ (ଜୀଅନ୍ତା ମଣିଷ-ପୃ ୧୦୧) । ‘ଢେଉ ଢେଉକା’ରେ ହଳଧରଙ୍କ ପକେଟ୍‌ ଭିତରେ ରମାର ବଧୂ ବେଶର ଫଟୋଟି ସହସ୍ର ଛୁଞ୍ଚିର ଦଂଶନ ଯନ୍ତ୍ରଣା ଦେଇଛି । ଅପର ପକ୍ଷରେ ହଳଧରଙ୍କ କପାଳର ଅସ୍ପଷ୍ଟ ସିନ୍ଦୂର ଗାରକୁ ଲକ୍ଷ୍ୟ କରି ଜୟଶ୍ରୀଙ୍କର ଯେଉଁ ପ୍ରତିକ୍ରିୟା ଜାତ ହୋଇଛି ତାହା ସାର୍ବଜନୀନ ନାରୀର ମନସ୍ତତ୍ତ୍ୱ ଛଡ଼ା ଅନ୍ୟ କିଛି ନୁହେଁ । ‘ଧରା ଓ ଧାରା’ରେ ଯୌନ କ୍ରିୟାର ସଫଳ ଚିତ୍ର ଅଙ୍କନ ହୋଇଛି ଆର୍ତ୍ତବାବୁ, ବିଳାସବତୀ, ନିଖିଳ, ମୀରା, ଜୟନ୍ତ ଚରିତ୍ର ମାଧ୍ୟମରେ । ଆର୍ତ୍ତବନ୍ଧୁଙ୍କ ଚରିତ୍ରରେ ଯୌନ କ୍ରିୟାର ରୂପ ଯେତେ ପ୍ରକାଶିତ ହୋଇ ନାହିଁ ଅଧିକ ପ୍ରକଟିତ ହୋଇଛି ମନସ୍ତତ୍ତ୍ୱର ରୂପଟି । କେବଳ ଯୌନ କ୍ଷୁଧାର ପରିତୃପ୍ତି ଆର୍ତ୍ତବାବୁଙ୍କର ଉଦ୍ଦେଶ୍ୟ ହୋଇଥିଲେ ବିଳାସବତୀଙ୍କ ସହ ତାଙ୍କର ଆନ୍ତରିକତା ବୃଦ୍ଧି ଘଟି ନ ଥାନ୍ତା । ‘‘ରାହୁର ଛାୟା’’ ଆତ୍ମସଂଳାପ ଧର୍ମୀ ଏକ ଉପନ୍ୟାସ । ଏଥିରେ ଲେଖକ ଅତୀତ ସ୍ମୃତି ଓ ତତ୍‌ ସଂପର୍କୀୟ ପରିବେଶର ଘନ ଘନ ରୋମନ୍ଥନ କରି ଉପନ୍ୟାସଟିରେ ନାଟକୀୟତା ସୃଷ୍ଟି କରିଛନ୍ତି । ଏ ରୋମନ୍ଥନରେ ଭାବର ବିସ୍ତୃତି ଅପେକ୍ଷା ଗଭୀରତା ଅଧିକ ପ୍ରକଟିତ ହୋଇଛି । ଏହି ମନସ୍ତାତ୍ତ୍ୱିକତା ଚେତନା ପ୍ରବାହର ରୂପ ଧାରଣ କରି ସଫଳତା ଲାଭ କରିଛି ‘ଲୟ ବିଲୟ’ ଉପନ୍ୟାସରେ । କହିବା ନିଷ୍ପ୍ରୟୋଜନ ଯେ ‘ରାହୁର ଛାୟା’ ଓ ‘ଲୟବିଲୟ’ ଉପନ୍ୟାସରେ ମନସ୍ତାତ୍ତ୍ୱିକତା ଓ ଚେତନା ପ୍ରବାହର ଉପାଦାନ ସନ୍ନିବେଶିତ ।

 

ମନୋବିଶ୍ଳେଷଣର ଅର୍ନ୍ତଦୃଷ୍ଟି ମନସ୍ତାତ୍ତ୍ୱିକ ଉପନ୍ୟାସକୁ ସଫଳ କରିଥାଏ । ରାଜକିଶୋର ପଟ୍ଟନାୟକଙ୍କ ‘ଚଲାବାଟ’, ‘ପ୍ରେମିକାର ଡାଏରୀ’, ‘ପ୍ରୀତିର ବଣିଜ’, ‘ସଞ୍ଚବତୀ’ ପରି କେତେକ ଉପନ୍ୟାସ ଏହି ପ୍ରସଙ୍ଗରେ ସ୍ମରଣୀୟ । ପ୍ରେମିକ ପ୍ରେମିକାଙ୍କ ମନଶ୍ଚିତ୍ର ଏ ଉପନ୍ୟାସ ଗୁଡ଼ିକର ବିଷୟବସ୍ତୁ କହିଲେ ଅତ୍ୟୁକ୍ତି ହେବନାହିଁ । ଚଲାବାଟର ଅମରେନ୍ଦ୍ର ମନକୁ ଦୃଢ଼ କରି ଏକ ସମୟରେ ସ୍ଥିର କରେ ରୀତା ସହିତ ତାର ମାନସିକ ସମ୍ପର୍କ ରଖିବା ପାଇଁ । କିନ୍ତୁ ପର ମୁହୂର୍ତ୍ତରେ ସେ ଅନୁଭବ କରେ, ‘‘ମନଥିବା ଲୋକ ଯେମିତି ଭାବିବା ବନ୍ଦ କରି ପାରିବା ନାହିଁ, ବୁଦ୍ଧିଥିବା ଲୋକ ଯେମିତି ଆଗପଛର ବିଚାରକୁ ବନ୍ଦ କରି ପାରିବ ନାହିଁ, ସେମିତି ହୃଦୟ ଥିବା ଲୋକ ଭଲ ପାଇବାକୁ ବନ୍ଦ କରି ପାରିବନାହିଁ (ଚଲାବାଟ-ପୃ-୯୮) । ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ନର କିନ୍ନର ’ ଓ ‘ଶତାବ୍ଦୀର ନଚିକେତା’ରେ ମନର ସୂକ୍ଷ୍ମ ବିଶ୍ଳେଷଣ ନିମନ୍ତେ ଲେଖକ ପ୍ରୟାସୀ ହୋଇଥିବା ଲକ୍ଷ୍ୟ କରାଯାଏ । ‘ଶତାବ୍ଦୀର ନଚିକେତା’ରେ ବର୍ତ୍ତମାନର ଚିନ୍ତାଧାରା ସହିତ ଅତୀତର ସମଧର୍ମୀ ଧାରଣା ସ୍ମୃତିପଥାରୂଢ଼ ହୋଇଛି । ‘ଅମାବାସ୍ୟାର ଚନ୍ଦ୍ର’ରେ ମଧ୍ୟ ମନୀଷାକୁ ଗ୍ରହଣ କରିବା ପ୍ରସଙ୍ଗରେ କାଉଲ୍‌ଠାରେ ଦେଖା ଦେଇଛି ଦ୍ୱନ୍ଦ୍ୱ । ପୁନଶ୍ଚ ମନୀଷା ସଙ୍ଗରେ କଥୋପକଥନ ହେବା ସମୟରେ ଲେଖକ ନିଜ ସହିତ ହିଁ ସଂଳାପରତ ଅଛନ୍ତି ।

 

ମନସ୍ତାତ୍ତ୍ୱିକ ଉପନ୍ୟାସଗୁଡ଼ିକରେ ପରୋକ୍ଷ ରୀତି ତଥା ପ୍ରତୀକାତ୍ମକ ଭାଷାର ପ୍ରୟୋଗ କରାଯାଉ ଥିବାରୁ ଓଡ଼ିଆ ଉପନ୍ୟାସରେ ତାହାର ଯଥେଷ୍ଟ ଉଦାହରଣ ମିଳେ । ଏଇ ପ୍ରତୀକାତ୍ମକ ଭାଷାର ପ୍ରୟୋଗ ଆମେ ବିଶେଷ ଭାବେ ‘ଲୟ ବିଲୟ’ରେ ଦେଖିବାକୁ ପାଉ । ସମୁଦ୍ର ପାଣିକୁ ପିଠି କରି ବସି ଗାଧୋଉଥିବା କୁକୁରଟିର ବର୍ଣ୍ଣନା କିମ୍ବା ସମୁଦ୍ର ବାଲିରେ ଅଙ୍କା ହୋଇଥିବା ଛବିର ବର୍ଣ୍ଣନା ଏହାର ପରିଚୟ ପ୍ରଦାନ କରେ । ଶତାବ୍ଦୀର ନଚିକେତାରେ ସୁକୁମାରୀର ପୋଷାକ ଦେଖି ବିଭୁପ୍ରସାଦ ଚମକି ଉଠିଛି । ଲେଖକ ଏହାକୁ ପ୍ରତୀକାତ୍ମକ ଭାବରେ ଗ୍ରହଣ କରିଛନ୍ତି । ‘‘ସେ ଚମକି ଉଠିଲା, ଠିକ୍‌ ଯେମିତି ପରୀ ରାଇଜ ଗଳ୍ପର ରାଜକୁମାରୀ ସେଦିନ ଚମକି ଉଠିଥିବ, ଯେଉଁଦିନ ସେ ଆବିଷ୍କାର କରିଥିବ ସର୍ବ ପ୍ରଥମେ-ଗଳ୍ପ ବର୍ଣ୍ଣିତ ତା’ର ଅଭିଶାପଗ୍ରସ୍ତ ବ୍ରାହ୍ମଣୀ ବେଙ୍ଗ ସ୍ତ୍ରୀଟିକୁ-ଯେ ଆପଣା ବେଙ୍ଗ ଖୋଳପାଟି ଭିତରୁ ବହୁ ସନ୍ତର୍ପଣରେ ବାହାରି ପଡ଼ି ଦିବ୍ୟ ସୁନ୍ଦରୀ ନାରୀ ମୂର୍ତ୍ତିଟିଏ ହୋଇ ଦିନେ ଏକାନ୍ତରେ ବୁଲୁ ବୁଲୁ ପୁରୁଷଟିର ଆଖିରେ ହଠାତ୍ ଧରା ପଡ଼ି ଯାଇଥିବ ।’’ (ପୃ ୧୫୧)

 

ଏପରି ଉପନ୍ୟାସଗୁଡ଼ିକ ଶୈଳୀ ଭିତ୍ତିକ ହୋଇ ଥିବାରୁ ଚରିତ୍ରମାନଙ୍କର ପୂର୍ଣ୍ଣାଙ୍ଗ ଜୀବନର କାହାଣୀ ପ୍ରକାଶ କରିବା ପ୍ରୟୋଜନ ହୁଏନାହିଁ । ବିସ୍ତୃତ ଜୀବନ କାଳ ମଧ୍ୟରୁ କେତୋଟି ଦିନର ଘଟଣା ଜରିଆରେ ସମୁଦାୟ ଜୀବନର ପ୍ରତିଫଳନ କରାଯାଇ ପାରେ । ତେଣୁ ‘ଢେଉ ଢେଉକା’ ମାତ୍ର ଚାରି ଦିନର ଘଟଣା ଓ ‘ଲୟ ବିଲୟ’ ତିନି ଦିନର ଘଟଣା ଉପରେ ପର୍ଯ୍ୟବସିତ । ‘ସଞ୍ଜବତୀ’ରେ କାଦମ୍ବରୀର ଗୋଟିଏ ଦିନର କୋତୋଟି ମୁହୂର୍ତ୍ତର ଭାବନା ମଧ୍ୟରେ ଅତୀତର ଅନୁଭୂତି ଉଦ୍‌ଭାସିତ ହୋଇ ଉଠିଛି । ସେଇ କ୍ରମରେ ତା’ ମନରେ ମଣିଷ-ବିନୟ ଭାଇ, ଜଗତ୍‌ ବାବୁ, ପୁଲିନ ବାବୁ ଇତ୍ୟାଦି ଗୋଟିକ ପରେ ଗୋଟିଏ ଆବିର୍ଭୂତ ହୋଇଛନ୍ତି ।

 

ମନସ୍ତାତ୍ତ୍ୱିକ ଉପନ୍ୟାସର ସୃଷ୍ଟି ଅର୍ବାଚୀନ । ଓଡ଼ିଆ ଉପନ୍ୟାସ ରାଜ୍ୟରେ ମନସ୍ତାତ୍ତ୍ୱିକ ଉପନ୍ୟାସର ସଂଖ୍ୟା ଅପ୍ରତୁଳ ହେଲେ ହେଁ ମାନ ଦୃଷ୍ଟିରୁ ନ୍ୟୂନ ନୁହେଁ । ମନସ୍ତାତ୍ତ୍ୱିକ ଉପନ୍ୟାସର ବିକଶିତ ଓ ଆଧୁନିକତମ ବିଭାବ ହେଉଛି ‘ଚେତନା ପ୍ରବାହ’ ପଦ୍ଧତି । ଏହାପାଇଁ ସ୍ୱତନ୍ତ୍ର ଆଲୋଚନାର ଅବକାଶ ରହିଛି ।

 

 

ପ୍ରାଧ୍ୟାପିକା

ଓଡ଼ିଆ ବିଭାଗ

ରେଭେନ୍‌ସା କଲେଜ, କଟକ

 

***

 

Unknown

ଓଡ଼ିଆ ଉପନ୍ୟାସରେ ବ୍ୟକ୍ତି ଚେତନା

(ସ୍ୱାଧୀନତା ପୂର୍ବବର୍ତ୍ତୀ)

ଡଃ : ରବୀନ୍ଦ୍ର କୁମାର ପ୍ରହରାଜ

 

ଊନବିଂଶ ଶତାବ୍ଦୀର ଭାରତୀୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅନ୍ୟତମ ଅଗ୍ରଗଣ୍ୟ, ଐତିହାସିକ ଓ ବିଶିଷ୍ଟ ରାଜକର୍ମଚାରୀ ରମେଶଚନ୍ଦ୍ର ଦତ୍ତ ବଙ୍ଗ-ସାହିତ୍ୟ ଓ ସଂସ୍କୃତିରେ ଘଟିଥିବା ଆଧୁନିକତାର ସଂକ୍ରମଣ ସମ୍ବନ୍ଧରେ ତଦୀୟ ‘‘Cultural Heritage of Bengal’’ ଗ୍ରନ୍ଥରେ ଯେଉଁ ଅଭିମତ ପ୍ରଦାନ କରିଛନ୍ତି, ତାହା ଯେ କୌଣସି ଭାରତୀୟ ପ୍ରାନ୍ତୀୟ ସାହିତ୍ୟ ବିଶେଷତଃ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଏକାନ୍ତ ପ୍ରଣିଧାନଯୋଗ୍ୟ ମନ୍ତବ୍ୟ ।

 

ସେ ଲେଖିଛନ୍ତି : ‘‘The Conquest of Bengal by the English was not only a political revolution but ushered in a greater revolution thoughts and ideas, in religion and society. x x x x x In habits, in tastes, in feeling, freedom and vigour and patriarchal institutions, our literature therefore has undergone a corresponding change. The classical Sanskrit taste has given place to the European. From the stories of gods and goddesses, Kings and queens, Princes and princesses, we have learned to descend to the humble walks of life, to sympathize with a common citizen or even a common peasant. From an admiration of a symmetrical uniformity we have descended to an appreciation of the strength and freedom of individuality. From admiring the grandeur and glory of the great, we now willingly turn to appreciate the liberty and resistance in the lowly.’’

 

ଭାରତୀୟ ସାହିତ୍ୟ କ୍ଷେତ୍ରରେ ପୁନର୍ନବା (Renaissance)ର ଏ ଯେଉଁ ଆଦ୍ୟକାଳୀନ ପ୍ରକୃତି ଓ ପ୍ରବୃତ୍ତିର ଆକଳନ କରାଯାଇଛି, ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ତାହା ସର୍ବାଂଶରେ ପ୍ରଯୁଜ୍ୟ । ବସ୍ତୁତଃ ବ୍ୟକ୍ତିର ମର୍ଯ୍ୟାଦା ଓ ମହତ୍ତ୍ୱ, ସଂସାର ଓ ସମାଜର ବ୍ୟାପକ ପ୍ରେକ୍ଷାପଟରେ ତା’ର ନିଜସ୍ୱ ଭୂମି ଓ ଭୂମିକା, ଅଭିଜ୍ଞତା ଓ ଅନୁଭୂତି, କ୍ରିୟା ଓ ପ୍ରତିକ୍ରିୟାର ପ୍ରତ୍ୟକ୍ଷ ଅନୁଶୀଳନ-ପ୍ରବୃତ୍ତିରୁ ପ୍ରତ୍ୟେକ ଭାଷାରେ ଉପନ୍ୟାସର ସୂତ୍ରପାତ ହୋଇଛି । ସେଥିପାଇଁ ଉପନ୍ୟାସର ସାଧନପରିସର ଯେଭଳି ବ୍ୟାପକ, ସେଭଳି ବହୁମୁଖୀ । ଔପନ୍ୟାସିକ ମଧ୍ୟ ପ୍ରଥମରୁ ହିଁ କୌଣସି ରୀତିସିଦ୍ଧତାକୁ ଆଶ୍ରୟ କରି ନଥିବାର ପ୍ରଧାନ କାରଣ ହେଉଛି ତାଙ୍କର ସାଧନ-ସାମଗ୍ରୀର ବିବିଧତା, ବିପୁଳତା ଓ ବିସ୍ତୃତି । ସମାଜ ଓ ଶାସନର ରଥଚକ୍ରତଳେ ପରିପିଷ୍ଟ ହୋଇ ଆସିଥିବା ମଣିଷର ଜୀବନଧାରାକୁ ଅନୁଧ୍ୟାନ କରିବାକୁ ଯାଇ ସାହିତ୍ୟିକ ଅଭିବ୍ୟକ୍ତି ଗଦ୍ୟରେ ପ୍ରକଟିତ ହେବାପରେ ଗତ ଦୁଇ ଶତାବ୍ଦୀ ଧରି ଏହା ଉପନ୍ୟାସ ସ୍ତରକୁ ଉନ୍ନୀତ ହେବା ଯୋଗୁଁ ସାହିତ୍ୟିକ-ବିଚାର-ମାନଦଣ୍ଡରେ ଏହାର ବିଭିନ୍ନ ବିଭାବକୁ ନିରୀକ୍ଷଣ କରିବାର ଅବକାଶ ସୃଷ୍ଟି ହୋଇଛି ।

 

ଉପନ୍ୟାସଗତ ଅଭିବ୍ୟକ୍ତି ଯେ ମୁଖ୍ୟତଃ ବ୍ୟକ୍ତିକୁ ଆଶ୍ରୟ କରି ଆସିଛି, ଏହା ବୋଲିବା ବାହୁଲ୍ୟ ହେଲେ ବି କ୍ରମବିବର୍ତ୍ତିତ ବାହ୍ୟ ତଥା ଅନ୍ତରଙ୍ଗ ପରିବେଶରେ ବ୍ୟକ୍ତି ଯେଭଳି ପ୍ରଭାବିତ ହୋଇଛି, ବ୍ୟକ୍ତିକୁ ଅଭିବ୍ୟକ୍ତ କରିବାକୁ ଯାଇ ଉପନ୍ୟାସ ତଦନୁରୂପ ପ୍ରଭାବିତ ହେଇଥିବା ଅନ୍ୟତମ ଲକ୍ଷ୍ୟଣୀୟ ବିଷୟ ହୋଇଥିବାରୁ ସେ ସଂପର୍କରେ ଆଲୋଚନାର ଆବଶ୍ୟକତା ଅନୁଭୂତ ହେବା ଅବଶ୍ୟମ୍ଭାବୀ । ଉପନ୍ୟାସର ଏହି ବ୍ୟକ୍ତି-ଅଭିବ୍ୟକ୍ତିର ଆତ୍ମିକ-ଅଭିଯାନ ଭିତରେ ଫୁଟି ଉଠିଛି ଚେତନାର ଯେଉଁ ସ୍ଫୁଲିଙ୍ଗ, ଗତିପ୍ରବାହର ଅନ୍ତରାଳରେ ଝରି ଯାଇଛି ଆଦର୍ଶ-ଆବେଦନର ଯେଉଁ ଅନ୍ତଃସଲିଳା ଫଲ୍‌ଗୁ, ତାହାକୁ ବ୍ୟକ୍ତି-ଚେତନା ଭାବରେ ଚିହ୍ନିତ କରାଯିବା ଅଧିକ ସମୀଚୀନ ମନେ ହୁଏ । ଉପନ୍ୟାସ, ଯେ କୌଣସି ଭାଷା-ସାହିତ୍ୟର ହେଉନା କାହିଁକି, ତାହାର ସର୍ବଦ୍ୟରୂପ କାହାଣୀ ବୟାନରେ ପର୍ଯ୍ୟବସିତ ହୋଇଥିବାରୁ ବ୍ୟକ୍ତି-ଚେତନାର ପ୍ରକାଶ ପ୍ରାଧାନ୍ୟ ଆହରଣ କରି ନଥିବା ପରିଲକ୍ଷିତ ହେବା ସ୍ୱାଭାବିକ । ଆଦ୍ୟକାଳୀନ ଓଡ଼ିଆ ଉପନ୍ୟାସମାନଙ୍କରେ କାହାଣୀର ବଳିଷ୍ଠତା ଓ ବହୁମୁଖୀନତା ମଧ୍ୟରେ ବ୍ୟକ୍ତି-ଚେତନାର ବ୍ୟାପକ ସଂଚାରଣ ଘଟି ପାରି ନଥିଲେ ହେଁ ଏହାର ଔଜଲ୍ୟ ଦୁଷ୍ପ୍ରେକ୍ଷ ନୁହେଁ ।

 

ପ୍ରାକ୍‌ ସ୍ୱାଧୀନତା କାଳର ଓଡ଼ିଆ ଉପନ୍ୟାସ ସୁବିପୁଳ ନ ହେଲେ ହେଁ ସଂଖ୍ୟାନ୍ୟୂନ ବିବେଚିତ ହୁଏ ନାହିଁ । ସୃଷ୍ଟିଗତ ବିବିଧତା ଦୃଷ୍ଟିରୁ ମଧ୍ୟ ଏହା ନଗଣ୍ୟ ନୁହେଁ । ଏହାର ସୃଜନ ପରିସର ଯଥାସମ୍ଭବ ଉନ୍ମୁକ୍ତ । ବାସ୍ତବ ଜୀବନର ଯାବତୀୟ କ୍ରିୟା-ପ୍ରତିକ୍ରିୟା, ଅଭିଜ୍ଞତା-ଅନୁଭୂତିକୁ ସମ୍ବଳ କରି ସୁପରିକଳ୍ପିତ ଆଦର୍ଶ-ଆବେଦନର ରୂପାୟନ ମାଧ୍ୟମରେ ଔପନ୍ୟାସିକ ବ୍ୟକ୍ତି ବା ଚରିତ୍ରର ପ୍ରତିଫଳନ ଘଟାଇଥାନ୍ତି । ମାତ୍ର କାହାଣୀର ସ୍ଥୂଳ କଳେବର ମଧ୍ୟରୁ ଉପନ୍ୟାସ ଜନ୍ମଲାଭ କରିଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ‘‘କିଏ କହୁଛି ଓ କାହିଁକି କହୁଛି’’ ଅପେକ୍ଷା ‘‘କଣ କୁହାଯାଉଛି’’ ଅଧିକ ଗୁରୁତ୍ୱ ଆହରଣ କରିଥିବା ଜଣାଯାଏ । ମନେହୁଏ, ସତେ ଯେପରି ଘଟଣା ବ୍ୟାଖ୍ୟାନର ସ୍ରୋତ ମୁଖରେ ଚରିତ୍ର ବା ବ୍ୟକ୍ତି ଏକ ଉପଳଖଣ୍ଡ ମାତ୍ର । ଭାଗ୍ୟ-ଭଗବାନ, ପ୍ରକୃତି-ବିକୃତି, ଧର୍ମ-ଅଧର୍ମ, ପାପ-ପୁଣ୍ୟ ଓ ସୁଖ-ଦୁଃଖର ସ୍ୱଭାବ ସୁଲଭ ରୀତି-ପ୍ରବୃତ୍ତିକୁ ବରଣ କରି ମଣିଷର ଜୀବନ-ଯାତ୍ରା କିଭଳି ସମାହିତ ହୋଇ ଚାଲିଛି, ତାହାରି ଗଦ୍ୟରୂପ ଉପନ୍ୟାସର ହୋଇଛି ସ୍ୱରୂପ-ଧର୍ମ । ଏହି ଗତାନୁଗତିକ ପୁନରାବୃତ୍ତିର ଊର୍ଦ୍ଧ୍ୱକୁ ଉଠି, ସେଥିରୁ ମୁକ୍ତି ପାଇ ବ୍ୟକ୍ତି ଯେ ନୂତନ କିଛି ସ୍ୱପ୍ନ, କିଛି ପ୍ରତ୍ୟୟ ପାଇପାରେ, ତାହାର ସୂଚନା ପ୍ରଥମକାଳୀନ ଉପନ୍ୟାସରେ ପ୍ରାୟଶଃ ଉପଲବ୍‌ଧି ହୁଏ ନାହିଁ । ଏ କ୍ଷେତ୍ରରେ ପ୍ରଧାନ ବାଧକ, (ବିଶେଷତଃ ଓଡ଼ିଆ ଉପନ୍ୟାସ ସଂପର୍କରେ) ବୋଧହୁଏ, ସର୍ବମୟ ପରାଧୀନତା ।

 

ଓଡ଼ିଆ ଉପନ୍ୟାସର ସୃଜନ-ଶଙ୍ଖ ବାଜିଥିଲା ସେହି କାଳରେ, ଯେଉଁ କାଳରେ ସ୍ୱାଧୀନତାର ସ୍ୱପ୍ନ ଥିଲା ଦୂରପରାହତ । ରାଜକୀୟ ଆଡ଼ମ୍ବର, ଅତ୍ୟାଚାର ଓ ପ୍ରାକୃତିକ ଦୁର୍ଗତି ଦୁଃସ୍ଥିତି ସହିତ ବ୍ୟକ୍ତିର ଜୀବନଚର୍ଯ୍ୟା ଏଭଳି ଜଡ଼ିତ ଥିଲା ଯେ ସାଧାରଣ ମଣିଷର ଅଭ୍ୟୁନ୍ନତି ଲାଗି ନୂତନ କିଛି ଆଶାର ସଙ୍କେତ, ନୂଆ କିଛି ପନ୍ଥାର ନିର୍ଦ୍ଦେଶ ସାହିତ୍ୟିକ ବିଶେଷତଃ ଉପନ୍ୟାସକାରଙ୍କ ଠାରୁ ସୁଲଭ୍ୟ ନଥିଲା । ଆମେ ଦେଖୁଁ, ପ୍ରଥମ ଓଡ଼ିଆ ଉପନ୍ୟାସର ନାୟିକା ସଦ୍‌ବଂଶ କୁଳକାମିନୀ ହେଲେ ହେଁ ନିଃସହାୟା, ପରପୀଡ଼ନଗ୍ରସ୍ତା । ଆବଦ୍ଧ ପରିସର ମଧ୍ୟରୁ ମୁକ୍ତିଲାଭ ପାଇଁ ତା’ର ନିଜସ୍ୱ ପ୍ରଚେଷ୍ଟା କିଛି ନାହିଁ, ଘଟଣା ପ୍ରବାହରେ ଆତ୍ମସମର୍ପିତା ପଦ୍ମମାଳୀ ଏକାନ୍ତ ଅସହାୟା ଅବଳା । ଈଶ୍ୱର ତା’ର ସହାୟ । ବ୍ୟକ୍ତି ଭିତରେ ଯାହାକିଛି ପ୍ରକୃତ୍ତିଦତ୍ତ ସଦ୍‌ଭାବନା ଓ ପରୋପକାର-ପ୍ରବୃତ୍ତିର ସନ୍ଧାନ କରାଯାଇପାରେ, ସେତିକି ମାତ୍ର ସମ୍ବଳ କରି ଔପନ୍ୟାସିକ ଉମେଶ ଚନ୍ଦ୍ର ସରକାର ପରିଣତିର ଖସଡ଼ା ପ୍ରସ୍ତୁତ କରିଛନ୍ତି । ସେଥିରେ ଚିରାଚରିତ ବିଧାନ ଅନୁଯାୟୀ ସାଧୁତାର ଜୟ ଓ ପାପାଚାରର ପରାଜୟ ବିଷୟ ଘୋଷଣା କରାଯାଇଛି । ଘଟଣାର ବିପୁଳ ପ୍ରାଧାନ୍ୟ ଭିତରେ ବ୍ୟକ୍ତିର ଭୂମିକା ପ୍ରଭାବ ବିସ୍ତାର କରି ପାରି ନାହିଁ । ତେଣୁ ଚେତନାର ଗୌଣତା ବା ଲଘୁତା ପରିସ୍ଫୁଟ ହୋଇଯାଇଛି । ଇତିହାସର ଚୌହଦୀ ମଧ୍ୟରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଆବଦ୍ଧ ତଥା ଅବିକଶିତ ରହିଯାଇଛି । ପରବର୍ତ୍ତୀ ଉପନ୍ୟାସ ‘ବିବାସିନୀ’ରେ ମରହଟ୍ଟା ଶାସନ ବିରୁଦ୍ଧରେ ବିଦ୍ରୋହର ସ୍ୱର ଉତ୍ତୋଳିତ ହୋଇଥିଲେ ହେଁ ବ୍ୟକ୍ତିକୁ ଆଶ୍ରୟ କରି ତୀବ୍ରତା ଆହରଣ କରିପାରି ନାହିଁ । ରଘୁନାଥ, ହନୁମାନ ଦାସ ଓ ଡୁମନ୍‌ ସର୍ଦ୍ଦାର ଡକାୟତି ମାଧ୍ୟମରେ ଅନ୍ୟାୟ ଅତ୍ୟାଚାର ପ୍ରତିରୋଧ କରିବାକୁ କୃତସଂକଳ୍ପ ଓ କିଛି ପରିମାଣରେ କୃତକାର୍ଯ୍ୟ ହୋଇଥିଲେ ହେଁ ଘଟଣାର ଘାତ ପ୍ରତିଘାତ ତଥା ସଂଘର୍ଷମୟ ମୁହୂର୍ତ୍ତରେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରି ପାରି ନାହାନ୍ତି । କଳାବତୀର ବୈଧବ୍ୟଜନିତ ମାନସିକ ବେଦନାର ଦୀର୍ଘ ବିଶ୍ଳେଷଣ ଦାର୍ଶନିକ ଅନୁଚିନ୍ତନରେ ସୀମାବଦ୍ଧ ହୋଇଯାଇଛି । ବ୍ୟକ୍ତି ଚେତନା ପ୍ରସ୍ଫୁଟନର ସମସ୍ତ ଅବକାଶ ଲେଖକଙ୍କର ନିଜସ୍ୱ ଅଭିବ୍ୟକ୍ତିରେ ଭାରାକ୍ରାନ୍ତ ହୋଇ ପଡ଼ିଥିବାରୁ ସ୍ୱାଭାବିକ ଚିତ୍ରଣ ଘଟି ପାରି ନାହିଁ ।

 

ଆଦର୍ଶ ପ୍ରତିଷ୍ଠାର ପୂର୍ବ ପରିକଳ୍ପିତ ଭାବଧାରାକୁ ପୁଷ୍ଟ କରିବାକୁ ଯାଇ ରାମଶଙ୍କର, କଳାବତୀ ଓ ରଘୁନାଥଙ୍କର ମିଳନାକାଂକ୍ଷା ଚରିତାର୍ଥ ହେବାକୁ ଦେଇ ନାହାନ୍ତି । ଯେଉଁ ପତ୍ରଟି ଲେଖି କଳାବତୀ ସ୍ୱର୍ଣ୍ଣ କରାଟିରେ ଥୋଇ ନଦୀଗର୍ଭରେ ଝାସ ଦେଇଛି, ସେ ପତ୍ରଟିରେ ତା’ର ସ୍ୱଭାବ ସୁନ୍ଦର ନିଜସ୍ୱ ନାରୀମନର ସଂଗୁପ୍ତ କାମନା ପରିବର୍ତ୍ତେ ଗାର୍ହସ୍ଥ୍ୟ ଜୀବନ ଓ ପାତିବ୍ରତ୍ୟର ମହତ୍ତ୍ୱ ସଂପର୍କୀୟ ଦୀର୍ଘ ଶାସ୍ତ୍ରୀୟ ଉପଦେଶ ପ୍ରକାଶ ପାଇଛି ମାତ୍ର । ଅବଶ୍ୟ ଏହା ସ୍ୱୀକାର କରିବାକୁ ହେବ ଯେ ବ୍ୟକ୍ତି ଚେତନାରେ ଉଲ୍ଲେଖନୀୟ କ୍ରାନ୍ତିର ସଂକ୍ରମଣ ‘ବିବାସିନୀ’ରେ ଘଟି ନଥିଲେ ହେଁ ସମାଜ-ସଂଶ୍ଳିଷ୍ଟ ବ୍ୟକ୍ତି ଜୀବନର ସ୍ଥିତାବସ୍ଥା, ପ୍ରଭାବ ଓ ପରିଣତିର ପ୍ରତିଫଳନ ପ୍ରଦାନର ନିଷ୍ଠାପର ପ୍ରୟାସ ଏହିଠାରୁ ଆରମ୍ଭ ହୋଇଯାଇଛି । ଭୂୟାଁ ଆଦିବାସୀ ଚରିତ୍ରମାନଙ୍କ ସହ ରାଜନ୍ୟ ସଂପ୍ରଦାୟର ଭୃତ୍ୟ-ପ୍ରଭୁ ସଂପର୍କ ମଧ୍ୟଦେଇ ପ୍ରଣୟର ସ୍ୱରୂପ ନିର୍ଦ୍ଧାରଣ କରିବାରେ ‘ଭୀମାଭୂୟାଁ’ ଉପନ୍ୟାସରେ ଅସଫଳ ଉଦ୍ୟମ କରାଯାଇଛି । ସବଳର ଅନୁଗ୍ରହ ନିକଟରେ ଦୁର୍ବଳର ଆତ୍ମସମର୍ପଣ ହିଁ ଏଥିରେ ପ୍ରମୁଖ ବକ୍ତବ୍ୟ ହୋଇପଡ଼ିଥିବାରୁ ବ୍ୟକ୍ତି-ଚେତନାର ସ୍ୱତନ୍ତ୍ରତା ପରିସ୍ଫୁଟିତ ହୋଇନାହିଁ । ପରିସ୍ଥିତିଗତ ଚେତନାଶୀଳତାର ସାଧ୍ୟାନୁରୂପ ଉପଯୋଗ କରିଥିଲେ ହେଁ ଔପନ୍ୟାସିକ ଗୋପାଳବଲ୍ଲଭ ଚରିତ୍ରମାନଙ୍କର ଅନ୍ତରଙ୍ଗ ବିଭାବକୁ ସ୍ପଷ୍ଟତର ରୂପ ଦେଇ ପାରି ନାହାନ୍ତି । ରୋମାନ୍‌ସଧର୍ମୀ କଥାବସ୍ତୁର କ୍ରମପ୍ରବାହ ସହ ପାରଂପାରିକ ନୀତି-ଚେତନା ସମତାଳରେ ସକ୍ରିୟ ରହିଥିବା ହେତୁ ବ୍ୟକ୍ତିଚେତନାରେ ସ୍ୱାଭାବିକତା ପରିବର୍ତ୍ତେ କୃତ୍ରିମ ତଥା ଶାସ୍ତ୍ରୀୟ ଆରୋପଣ ପରିଦୃଷ୍ଟ ହୋଇଛି । ନାୟିକା ରାଜ-ଜେମାର ଆଦେଶ ଓ ଅଭିଳାଷ ଅନୁଯାୟୀ ନାୟକ ଭୀମାଭୂୟାଁ ଇନ୍ଦ୍ରିୟ ଦମନ କରି ହୋଇଛି ‘ନିର୍ବିକାର ନିର୍ମମ ପ୍ରେମମୟ ପୁରୁଷ’-। ବ୍ୟକ୍ତିର ବ୍ୟକ୍ତିତ୍ୱ ନୀତି-ଆଦର୍ଶ-ପରଂପରାର ଅସୀଧାରରେ ବିକର୍ତ୍ତିତ ହୋଇ ଯାଇଛି । ଏକ ଅସମ ସାମାଜିକ ପରିବେଶରୁ ନାୟକ, ନାୟିକାଙ୍କୁ ଆହରଣ କରି ଅଣାଯାଇଥିଲେ ହେଁ ପ୍ରଣୟପୀଠରେ ସେମାନଙ୍କର ସକଳ ଅଭୀପ୍‌ସାକୁ ବଳି ଦିଆଯାଇଛି । ସେମାନେ ସ୍ୱକୀୟ ଚେତନାର ପରିପ୍ରକାଶ ଲାଗି ସାମାନ୍ୟତମ ଅବକାଶ ପାଇ ପାରି ନାହାନ୍ତି ।

 

ମାତ୍ର ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଫକୀର ମୋହନଙ୍କର ସମାଜ ଚେତନାମୂଳକ ଉପନ୍ୟାସତ୍ରୟୀ-ଛମାଣ, ଆଠଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ୍ତର ଆବିର୍ଭାବ ବହୁ ସମ୍ଭାବନାର ପ୍ରତିଶ୍ରୁତି ବହନ କରିଥିଲେ ହେଁ ଏଗୁଡ଼ିକରେ ବ୍ୟକ୍ତିର ଅନ୍ତରୀଣ ବ୍ୟକ୍ତିତ୍ୱର ବିକାଶ ଘଟି ପାରିନାହିଁ । ଏଥିର ଚରିତ୍ର ସକଳ ଘଟଣାପ୍ରବାହର କ୍ରୀଡ଼ନକ ସ୍ୱରୂପ କେତେବେଳେ ସ୍ୱଚ୍ଛନ୍ଦ ରୀତିରେ, କେତେବେଳେ ଟାଣି ହୋଇ ପରିଣାମଗତ ସମାପ୍ତି ଦିଗକୁ ଗତି କରିଛନ୍ତି । କୌଣସି କୌଣସି ଚରିତ୍ର ସେଭଳି ଲକ୍ଷ୍ୟଣୀୟ ଦ୍ୱନ୍ଦ୍ୱ ବା ସଙ୍କଟ ଭିତର ଦେଇ ଆପଣାକୁ ପ୍ରତିଷ୍ଠିତ କରି ପାରିନାହିଁ । ଆପଣାକୁ ଭିନ୍ନ ଭିନ୍ନ ପରିବେଶରେ ଆବିଷ୍କାର କରିବା ବା ଅନ୍ୟ ଭାଷାରେ କହିଲେ ଆପଣା ଆପଣାର ଅନ୍ତଃସତ୍ତା (Inner being) କୁ ଲକ୍ଷ୍ୟ କରିବାର ଚମତ୍କାର ସୁଯୋଗ ଘଟିଥିଲେ ହେଁ ତାହାର ଉପଯୋଗ କରାଯାଇ ପାରି ନାହିଁ । ଘଟଣାମାନଙ୍କର କ୍ରମପରିଣାମ ସଂଘଟନ କରିବାକୁ ଯାଇ ଫକୀରମୋହନ ଉପନ୍ୟାସର ମୁଖ୍ୟଚରିତ୍ର ରାମଚନ୍ଦ୍ର ମଙ୍ଗରାଜ, ନଟବର ଦାସ କିମ୍ବା କୁଅଁର ଗୋବିନ୍ଦଚନ୍ଦ୍ର ପ୍ରଭୃତିଙ୍କୁ ନିୟତି ହସ୍ତରେ ସମର୍ପଣ କରିଦେଇଛନ୍ତି । ସମାଜ ଜୀବନର ପ୍ରମୁଖ ସମସ୍ୟାମାନଙ୍କୁ ଉତ୍ତୋଳନ କଲାବେଳେ ବ୍ୟକ୍ତିଜୀବନକୁ ଆଚ୍ଛନ୍ନ କରିଥିବା ଅର୍ଥାଗମ, ପ୍ରତିପତ୍ତି ଓ ପ୍ରଭୁତ୍ୱ-ପ୍ରତିଷ୍ଠା-ପ୍ରବୃତ୍ତି ସହିତ ଅତ୍ୟାଚାର ଜର୍ଜ୍ଜରିତ, ସୁଧଖୋର ମହାଜନର ଚକ୍ରାନ୍ତରେ ସର୍ବସ୍ୱ ବିରହିତ, ନିରୀହ, ସରଳବିଶ୍ୱାସୀର ଚିତ୍ତ-ବିକ୍ଷୋଭର ପରିଚୟ ଦେବାକୁ ଯାଇ ଫକୀରମୋହନ ଚରିତ୍ରମାନଙ୍କୁ ସେମାନଙ୍କର ନିଜ ନିଜ ସଂପର୍କରେ ଅବହିତ ହେବାକୁ ନଦେଇ ନିଜସ୍ୱ ମତାମତ ମାଧ୍ୟମରେ ବ୍ୟାଖ୍ୟାତ କରିଛନ୍ତି । ମାନବକୃତ ଅନିଷ୍ଟ ଦ୍ୱାରା ସର୍ବହରା ଭଗୀଚନ୍ଦକୁ ସେ ପାଗଳ ବନାଇଛନ୍ତି, ଚାନ୍ଦମଣିକୁ ବାକ୍‌ଶକ୍ତିହୀନ କରିଛନ୍ତି ଓ ଗୋବିନ୍ଦ ଚନ୍ଦ୍ରକୁ ସନ୍ନ୍ୟାସୀ ସଜାଇଛନ୍ତି । ପ୍ରତିରୋଧର ତୀବ୍ରତା ଯୋଗୁଁ ନୁହେଁ ପଶ୍ଚାତ୍ତାପର ଦହନ ଭିତରେ ତାଙ୍କର ଖଳ ଚରିତ୍ର ମଙ୍ଗରାଜ, ନଟବର ଓ ସଙ୍କର୍ଷଣ ମହାନ୍ତି ପ୍ରମୁଖ ଘଟଣାର ପ୍ରେକ୍ଷାପଟରୁ ବିଦାୟ ନେଇଛନ୍ତି ।

 

ରାମଶଙ୍କର ହୁଅନ୍ତୁ ବା ଫକୀରମୋହନ ହୁଅନ୍ତୁ ଏମାନଙ୍କଦ୍ୱାରା ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରାଣ ପ୍ରତିଷ୍ଠା ଘଟିଲା ବେଳେ ବ୍ୟକ୍ତି ନୁହେଁ, ସମାଜ ହିଁ ଏମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା । ସର୍ବମୟ ପରାଧୀନତାର ଧୂମକୁଣ୍ଡଳୀ ମଧ୍ୟରେ ବ୍ୟକ୍ତିତ୍ୱ ଥିଲା ଅସ୍ପଷ୍ଟ, ଗତାନୁଗତିକ ଓ ନିସ୍ତେଜ; ମାତ୍ର ସମାଜ-ଜୀବନ ଥିଲା ବିଡ଼ମ୍ବୀତ । ଜମିଦାର-ପ୍ରଜା, ମହାଜନ-ଖାତକ, ଧନୀ-ସର୍ବହରା, ଜାତି-ବର୍ଣ୍ଣକୁ ମୁଖ୍ୟତଃ ଅବଲମ୍ବନ କରି ସମାଜ-ଜୀବନରେ ଯେଉଁ ଜ୍ଜ୍ଵାଳା-ଯନ୍ତ୍ରଣା, ଅଶାନ୍ତି-ଅସନ୍ତୋଷର ବାତାବରଣ ଘୋଟି ରହିଥିଲା, ସେ ସବୁର ନିରାକରଣ ଲାଗି ଏମାନଙ୍କ ଭିତରେ ଯେଉଁ ସ୍ୱତଃପ୍ରେରଣା ସୃଷ୍ଟି ହୋଇଥିଲା, ସେଥିରୁ ଜନ୍ମ ନେଇଥିଲା ଏମାନଙ୍କର ବହୁବିଶ୍ରୁତ ଉପନ୍ୟାସରାଜି । ଯୁଗ ଯୁଗ ଧରି ଜମାଟ ବାନ୍ଧିଥିବା ଅନ୍ଧବିଶ୍ୱାସ, କୁସଂସ୍କାର ଓ ତଦ୍‌ଜନିତ ବିଭ୍ରାନ୍ତି ପ୍ରତି ଏମାନେ ଯେତିକି ସଚେତନ ହେଲେ ବ୍ୟକ୍ତି ମାନସର ବା ଚେତନାର ଅଭିବ୍ୟକ୍ତି ଲାଗି ସେତିକି ଅବକାଶ ପ୍ରାପ୍ତ ହେଲେ ନାହିଁ । ସମୂହ ଜୀବନର ବୃହତ୍ତର ସମସ୍ୟା ସକଳ ଯେଉଁ ମାନବବୋଧଗତ ସଙ୍କଟ ଉପଜାତ କରୁଥିଲା, ସେ ସବୁକୁ ଆବରଣମୁକ୍ତ କରିବା ଥିଲା ଏମାନଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ସେଥିପାଇଁ ବ୍ୟକ୍ତି ପ୍ରାଣର ଅନୁଭୂତି ଏମାନଙ୍କ ପାଇଁ ଗୌଣ ଓ ସମୂହ-ଜୀବନର ଗତି ତଥା ପରିଣତି ମୁଖ୍ୟ ହୋଇ ଉଠିଛି । ଓଡ଼ିଆ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ଯାହା ଘଟିଛି, ଅନ୍ୟାନ୍ୟ ଭାରତୀୟ ପ୍ରାନ୍ତୀୟ ସାହିତ୍ୟର ପ୍ରଥମ କାଳୀନ ଉପନ୍ୟାସମାନଙ୍କରେ ତାହାର ଅବିକଳ ପ୍ରତିଛବି ଏକାନ୍ତ ଲକ୍ଷ୍ୟଣୀୟ । ବଙ୍ଗଳା ସାହିତ୍ୟର ପ୍ରଥମ ପ୍ରଭାବଶାଳୀ ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ମୁଖ୍ୟତଃ ଏକ କାହାଣୀକାର ଭାବରେ ଆତ୍ମପ୍ରକାଶ କରିଛନ୍ତି । ଡେଫୋ ଓ ଡିକେନ୍‌ସଙ୍କ ଅନୁସରଣରେ ସେ ପ୍ରଥମ ପୁରୁଷ ବ୍ୟବହାର କରି ‘ଇନ୍ଦିରା’ ଶୀର୍ଷକ ଯେଉଁ ଉପନ୍ୟାସ ରଚନା କରିଛନ୍ତି ସେଥିରେ କାହାଣୀ ବୟାନକୁ ଚରିତ୍ର ରୂପାୟନ ଅପେକ୍ଷା ସମଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିବା ଲକ୍ଷିତ ହୁଏ । ମୁନ୍‌ଶୀ ପ୍ରେମଚାନ୍ଦ୍‌ଙ୍କର ଆଦ୍ୟକାଳୀନ ଉପନ୍ୟାସମାନଙ୍କ ମଧ୍ୟରେ ପ୍ରଭାବଶାଳୀ ଉପନ୍ୟାସ ‘ବରଦାନ’ ଯାହା ୧୯୧୨ ରେ ‘ଜଲ୍‌ୱା-ଏ-ଇଝାର୍‌’ ଶିରୋନାମାରେ ଉର୍ଦ୍ଦୂ ଉପନ୍ୟାସରୂପେ ପ୍ରଥମ ଆତ୍ମପ୍ରକାଶ କରିଥିଲା, ସେଥିରେ ମଧ୍ୟ ସମାଜ ଚେତନା ହିଁ ଥିଲା ସର୍ବମୁଖ୍ୟ ଆବେଦନ ।

 

ପାଶ୍ଚାତ୍ୟ ଅନୁସୃତ ଶିକ୍ଷା ବ୍ୟବସ୍ଥାର କ୍ରମପ୍ରସାର ଘଟିବା ପରେ ପରେ ଉପନ୍ୟାସ ରଚନା କ୍ଷେତ୍ରରେ ପାଶ୍ଚାତ୍ୟ ପ୍ରଭାବ ଯେ ବରିତ ହେଲା, କେବଳ ସେତିକି ନୁହେଁ, ବ୍ୟକ୍ତି ଜୀବନରେ ବୃତ୍ତିଜନିତ ସମସ୍ୟା, ପାରଂପରିକ ଚିନ୍ତାଧାରା ଓ ଚଳଣି ସଂପର୍କରେ ନାନା ପ୍ରଶ୍ନବାଚୀ, ନାନା ଦ୍ୱନ୍ଦ୍ୱ, ଜାତୀୟତାବୋଧର ଜାଗରଣ ସଙ୍ଗେ ସଙ୍ଗେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତା ଲାଗି ଉଦ୍ଦାମ ପ୍ରବଣତା କ୍ରମଶଃ ସମାଜ ଚେତନାକୁ ପଛରେ ରଖି ବ୍ୟକ୍ତି ଚେତନାର ପ୍ରାଧାନ୍ୟ ପ୍ରତିଷ୍ଠା ଲାଗି ଔପନ୍ୟାସିକମାନଙ୍କୁ ଅନୁପ୍ରାଣନା ଯୋଗାଇଲା । ସମାଜଚାଳିତ ବ୍ୟକ୍ତିକୁ ସମାଜଠାରୁ ସ୍ୱତନ୍ତ୍ର ଦୃଷ୍ଟିରେ ଲକ୍ଷ୍ୟ କରିବାକୁ ଯାଇ ଔପନ୍ୟାସିକଗଣ ସ୍ଥୂଳ-ସୂକ୍ଷ୍ମ ଅନୁଭୂତିମାନଙ୍କୁ ଚରିତ୍ରମାନଙ୍କଠାରେ ଆରୋପଣ କରି ସାହିତ୍ୟ ରାଜ୍ୟରେ ଏକ ନୂତନ ପରୀକ୍ଷଣ ଓ ଅନୁଶୀଳନ ଆରମ୍ଭ କରିଦେଲେ । ଉପନ୍ୟାସ ଓ ଗଳ୍ପ-ସାହିତ୍ୟ ଭିତର ଦେଇ ଇଂରାଜୀ, ଫରାସୀ ତଥା ଆମେରିକୀୟ ସାହିତ୍ୟର ଆତ୍ମାବିଷ୍କାର ଉଦ୍ୟମ ଭାରତୀୟ ଔପନ୍ୟାସିକମାନଙ୍କୁ ପ୍ରଭାବିତ କରୁଥିବା ହେତୁ ବୌଦ୍ଧିକ ରାଜ୍ୟରେ ଏକ ସାଂସ୍କୃତିକ ବିପ୍ଳବର ପଦଧ୍ୱନି ସ୍ପଷ୍ଟ ହୋଇ ଉଠିଲା । ଆତ୍ମାଭିବ୍ୟକ୍ତିର ସ୍ୱର ହେଲା ବଳିଷ୍ଠ ଓ ଉଦାତ୍ତ । ରବୀନ୍ଦ୍ରନାଥଙ୍କର ‘ଗୋରା’ ଉପନ୍ୟାସରେ ସାଂସ୍କୃତିକ ଚେତନାଜନିତ ସଂଘର୍ଷର ଦୃଢ଼ ସୂତ୍ରପାତ ଘଟିବା ଏ ସମୟର କଥା-ସାହିତ୍ୟ କ୍ଷେତ୍ରର ଏକ ପ୍ରଣିଧାନଯୋଗ୍ୟ ଘଟଣା । ଏଥି ଭିତରେ ଭାରତୀୟ କଥା-ସାହିତ୍ୟକାରମାନଙ୍କ ଭଳି ଓଡ଼ିଆ ସାହିତ୍ୟ ରାଜ୍ୟରେ ମଧ୍ୟ ଦ୍ୱୈତବାଦୀ ଚିନ୍ତାଧାରା ପରିସ୍ଫୁଟ ହୋଇଥିଲା । କେତେକ ଅତୀତ ଗୌରବକୁ ଝୁରି ହେଲା ବେଳେ ଅନ୍ୟ କେତେକ ବର୍ତ୍ତମାନକୁ ଆଖି ଆଗରେ ରଖି ଭବିଷ୍ୟତର ପରିକଳ୍ପନା କରିବାକୁ ଶ୍ରେୟ ଜ୍ଞାନ କଲେ-। ରାମଚନ୍ଦ୍ର ଆଚାର୍ଯ୍ୟ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ଚକ୍ରଧର ମହାପାତ୍ର, କାହ୍ନୁଚରଣ ମହାନ୍ତି ପ୍ରମୁଖ ଔପନ୍ୟାସିକମାନଙ୍କର କଥାକୃତିରେ ଏ ଭଳି ଚିତ୍ତ-ସଂଘର୍ଷ ଲକ୍ଷ୍ୟଣୀୟ ରୂପାୟନ ବରଣ କଲା । ଏମାନେ ଓ ଏମାନଙ୍କ ଅନୁରୂପ ଅନ୍ୟମାନେ ବଙ୍କିମଚନ୍ଦ୍ରଙ୍କ ଭଳି ସର୍ବପ୍ରଥମେ ଅତୀତ ପ୍ରତି ଉନ୍ମୁଖ ହୋଇ ସେଥିରୁ ପ୍ରେରଣା ଆହରଣ କରି ବର୍ତ୍ତମାନର ସମସ୍ୟା ଓ ତଜ୍ଜନିତ ସଙ୍କଟର ମୁହାଁମୁହିଁ ହେବାକୁ ଶକ୍ତି ଲାଭ କଲେ ।

 

......ପାଶ୍ଚାତ୍ୟ ଦର୍ଶନ, ମନସ୍ତତ୍ତ୍ୱ ଓ ସମାଜତତ୍ତ୍ୱ ପ୍ରତିପାଦିତ ବୌଦ୍ଧିକ ଚେତନାକୁ ସ୍ଵଦେଶ ଓ ସ୍ୱଭାବ ମଧ୍ୟରେ ଖୋଜିବାପାଇଁ ଔପନ୍ୟାସିକମାନେ ଉଦ୍‌ବୁଦ୍ଧ ହୋଇ ଉଠିବା ଫଳରେ ବ୍ୟକ୍ତି ପ୍ରାଧାନ୍ୟକୁ ସ୍ୱୀକୃତି ଦିଆଗଲା । ଅନ୍ୟ ପକ୍ଷରେ ସାମ୍ୟବାଦର ଭାଷ୍ୟକାର କାର୍ଲମାକ୍‌ସ, ଯୌନଭିତ୍ତିକ ମନସ୍ତତ୍ତ୍ୱର ପ୍ରବର୍ତ୍ତକ ସିଗ୍‌ମଣ୍ଡ୍ ଫ୍ରଏଡ୍‌ ଓ ଅହିଂସ-ସତ୍ୟାଗ୍ରହର ଉଦ୍‌ଗାତା ମୋହନ ଦାସ ଗାନ୍ଧୀଙ୍କର ଅଖଣ୍ଡନୀୟ ପ୍ରଭାବ ୧୯୨୦ ମସିହା ପରଠାରୁ ଅନତିକ୍ରମଣୀୟ ହୋଇ ଉଠିବା ଫଳରେ ମାନସିକ ଦ୍ୱନ୍ଦ୍ୱ ସମାଧାନର ବଳିଷ୍ଠ ସୂତ୍ରଟିଏ ମିଳିଗଲା, ବୌଦ୍ଧିକ ଚିନ୍ତନ-ରାଜ୍ୟରେ ଝନ୍‌ଜା ପ୍ରବାହ ସୃଷ୍ଟ ହେଲା ଓ ନୈତିକ ଚେତନାର ବିମୁକ୍ତ ଘଟିଗଲା । ଭୌତିକ ବିଜ୍ଞାନର ଅଚିନ୍ତନୀୟ ପ୍ରୟୋଗ ଓ ସିଦ୍ଧି ପାରମ୍ପରିକ ଜୀବନଚର୍ଯ୍ୟାରେ ଅଭୂତପୂର୍ବ ପରିବର୍ତ୍ତନ ଆନୟନ କରିବାରୁ ଆତ୍ମସଚେତନତାର ପରିବ୍ୟାପ୍ତି ପ୍ରଖର ହୋଇ ଉଠିଲା । ଧର୍ମାନ୍ଧତାର ନିର୍ମୋକ ଅପସାରିତ ହେବାରୁ ବ୍ୟକ୍ତିର ସ୍ଥିତି ନବମୂଲ୍ୟାୟନରେ ପ୍ରତିଷ୍ଠ ହେବାର ଆବଶ୍ୟକତା କ୍ରମଶଃ ତୀବ୍ରଭାବେ ଅନୁଭୂତ ହେଲା । ଆଧୁନିକ ଶିକ୍ଷାପ୍ରାପ୍ତ, ବିଶ୍ୱସାହିତ୍ୟର ଧାରା ସହ କ୍ରମଶଃ ସୁପରିଚିତ ହୋଇ ଉଠୁଥିଲା ବେଳେ ଭାରତୀୟ ତଥା ଉତ୍କଳୀୟ କଥାଶିଳ୍ପୀଙ୍କ ମାନସରାଜ୍ୟକୁ ଆଚ୍ଛନ୍ନ କଲା ସ୍ୱାଧୀନତା ଆନ୍ଦୋଳନର ଆଦର୍ଶ ଓ ତଜ୍ଜନିତ ଭାବ-ବିକ୍ଷୋଭ । ରାଜା-ଜମିଦାରମାନଙ୍କର ପ୍ରଭୃତ୍ୱ ଜନିତ ଅତ୍ୟାଚାର, ସୁଧଖୋର ମହାଜନମାନଙ୍କର ଅର୍ଥଲିପ୍‌ସା ଓ ତଥାକଥିତ ସମାଜପତିମାନଙ୍କର ମନୋମୁଖୀ କୁସଂସ୍କାରଗ୍ରସ୍ତ ବିଚାରଧାରା ଯୋଗୁଁ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହେଉଥିଲା ବେଳେ ସ୍ୱାଧୀନତାର ଆହ୍ୱାନ, ଜାତୀୟତାବୋଧର ଜାଗୃତି ଔପନ୍ୟାସିକମାନଙ୍କୁ ପ୍ରଭାବିତ କରିଥିବାରୁ ସେମାନେ ସେମାନଙ୍କର ଦୃଷ୍ଟିଭଙ୍ଗୀରେ ଅଧିକରୁ ଅଧିକ ମାନବବାଦୀ ହେବାର ପ୍ରେରଣା ଲାଭ କଲେ । ଇଂରେଜଶାସନ ଓ ଅଧିକାର ବିରୁଦ୍ଧରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ସେମାନଙ୍କର ଲେଖନୀ ବିଦ୍ରୋହାତ୍ମକ ହୋଇ ଉଠିଲା । ସେଥିପାଇଁ ଓଡ଼ିଆ ଉପନ୍ୟାସର ପ୍ରଥମ ପର୍ଯ୍ୟାୟରେ ଯେଉଁ କେତେକ ସ୍ଥଳ, ସାଧାରଣରେ ଅନୁଭବ୍ୟ ସମାଜଗତ ସମସ୍ୟାମାନ ରୂପାୟିତ ହୋଇଥିଲା, ସେ ଗୁଡ଼ିକର ଭିନ୍ନ ଭିନ୍ନ ଦିଗ ପ୍ରତି ଅବହିତ ରହି ଫକୀରମୋହନଙ୍କ ପରବର୍ତ୍ତୀ କେତେକ ଔପନ୍ୟାସିକ ଲୋକପ୍ରିୟତା ଆହରଣ କରିଥିଲେ ହେଁ ବ୍ୟକ୍ତିଚେତନାର ପ୍ରକଟନ କ୍ଷେତ୍ରରେ ସେଭଳି ଉଲ୍ଲେଖନୀୟ ସିଦ୍ଧି ଅର୍ଜନ କରିପାରି ନଥିଲେ ।

 

ଫକୀରମୋହନଙ୍କ ଦ୍ୱାରା ଓଡ଼ିଆ ଉପନ୍ୟାସର ଦୃଢ଼ ଭିତ୍ତି ନିର୍ମିତ ହେବା ପରେ ଯେଉଁମାନେ ସେଥିରେ ସୁରମ୍ୟ ହର୍ମ୍ୟମାନ ନିର୍ମାଣ କରିବାକୁ ପ୍ରୟାସୀ ହୋଇଥିଲେ ସେମାନଙ୍କ ମଧ୍ୟରେ ‘କନକଲତା’ର ରଚୟିତା ନନ୍ଦକିଶୋର ବଳ, ‘ପରଶମଣି’, ‘ନଅତୁଣ୍ଡୀ’, ‘ଭ୍ରାନ୍ତି’ ଓ ‘ରଘୁଅରକ୍ଷିତ’ର ସ୍ରଷ୍ଟା କୁନ୍ତଳା କୁମାରୀ ସାବତ, ‘ଟଙ୍କାଗଛ’, ‘ରୂପାଚୁଡ଼ି,’ ‘ଯୁଗଳମଠ’, ‘ବୁଲା ଫକୀର’, ‘ଶନିସପ୍ତା’ର ପ୍ରଣେତା ଚିନ୍ତାମଣି ମହାନ୍ତି, ‘ଅଭାଗିନୀ’, ‘ଅଠର ଶହ ସତର’, ‘ଘଟାନ୍ତର’, ନିର୍ବାସିତ’ର ଲେଖକ ଗୋଦାବରୀଶ ମିଶ୍ର, ‘ରାଜଦ୍ରୋହୀ’, ‘ପ୍ରେମ ପଥେ’, ‘ବନ୍ଦୀର ମାୟା’, ‘ବୀର ଯୁବକ’, ‘ବିଦ୍ରୋହ’ର ଉପନ୍ୟାସକାର ଗୋଦାବରୀଶ ମହାପାତ୍ର, ‘ବଳାଙ୍ଗୀ’ ଓ ‘ଗୋବର ଗୋଟେଇ’ର ସ୍ରଷ୍ଟା ଚକ୍ରଧର ମହାପାତ୍ର ପ୍ରମୁଖ ସମାଜ-ସମସ୍ୟାଗତ ଆଭିମୁଖ୍ୟ ପାଇଁ ସ୍ମରଣୀୟ ମନେ ହୁଅନ୍ତି ।

 

ଯେଉଁ ଔପନ୍ୟାସିକବୃନ୍ଦ ସେମାନଙ୍କ ଉପନ୍ୟାସ-କୃତି ମାନଙ୍କରେ ସମାଜ-ସମସ୍ୟା ସହ ବ୍ୟକ୍ତି-ସମସ୍ୟାକୁ ଏକୀଭୂତ କରିବାକୁ ଯାଇ ଆଙ୍ଗିକ ତଥା ଆତ୍ମିକରେ ଅଭିନବ ବ୍ୟଞ୍ଜନା ପ୍ରଦାନ କରିଥିଲେ ସେମାନଙ୍କର କୃତିତ୍ୱ ଏ ପ୍ରସଙ୍ଗରେ ଏକାନ୍ତ ଉଲ୍ଲେଖନୀୟ । ଏଥି ମଧ୍ୟରୁ ‘ସବୁଜ-ସାହିତ୍ୟ-ସମିତି’ ପ୍ରକାଶିତ, ‘ବାସନ୍ତୀ’ରେ ବ୍ୟକ୍ତି ଚେତନାର ପ୍ରଥମ ତଥା ପ୍ରଭାବଶାଳୀ ଆଲେଖ୍ୟ ପ୍ରତି ଦୃଷ୍ଟି ଆକର୍ଷିତ ହୁଏ । ଉଚ୍ଚଶିକ୍ଷିତା ବାସନ୍ତୀକୁ ସଂଗ୍ରାମ କରିବାକୁ ପଡ଼ିଛି ପରିବେଶ ସହ, ସ୍ୱାମୀ-ଶାଶୁ ପ୍ରଧାନ ପରିବାର ଓ ବୃହତ୍ତର ଦୃଷ୍ଟିରୁ ସମାଜ ସହ । ପୁରୁଷ-ପ୍ରାଧାନ୍ୟକୁ ପ୍ରତିହତ କରିବାକୁ ଯାଇ ବାସନ୍ତୀ ଯେଉଁ ମାନସିକ ଜ୍ୱାଳା ବରଣ କରି ନେଇଛି, ସେଥିରୁ ସେ ମୁକ୍ତି ପାଇଛି ସେତିକିବେଳେ, ଯେତେବେଳେ ତା’ର ବିଚାର-ବିବେଚନା ଓ ବୌଦ୍ଧିକ ଚେତନା ନିକଟରେ ସ୍ୱାମୀ ଦେବବ୍ରତ ପରାହତ ବୋଧ କରିଛି । ସେମାନଙ୍କର ଦାମ୍ପତ୍ୟ-ଜୀବନ-ଆକାଶରୁ ସନ୍ଦେହ, ଈର୍ଷା ଓ ହୀନମନ୍ୟତାର ମେଘପଟଳ ଅପସାରିତ ହୋଇ ଉଦୟ ହୋଇଛି ପ୍ରେମ, ବୁଝାମଣା ଓ ବ୍ୟକ୍ତିସତ୍ତାନୁଭବର ନୂତନ ଚନ୍ଦ୍ରିକା । ବ୍ୟକ୍ତି ଚେତନାର ଅଭିବ୍ୟକ୍ତି ‘ବାସନ୍ତୀ’ରେ କିଭଳି ଘଟିଛି, ଗୋଟିଏ ଦୃଷ୍ଟାନ୍ତରୁ ତାହାର ପରିଚୟ ମିଳିପାରେ । ପ୍ରଚଣ୍ଡ ମାନସିକ ଯନ୍ତ୍ରଣା ଭୋଗୁଥିଲାବେଳେ ବାସନ୍ତୀର ପ୍ରତିକ୍ରିୟାକୁ ପ୍ରକାଶ କରାଯାଇ କୁହାଯାଇଛି, ‘‘ଆଚ୍ଛା, ତାଙ୍କୁ ମୁଁ ପଚାରେ, ସେ ଯେତେ ଉପେକ୍ଷା କଲେ, ତାଙ୍କ ବୋଉ ମୋତେ କେତେବେଳେ ଲକ୍ଷ୍ମୀ, କେତେବେଳେ ଡାଆଣୀ କହିଲେ ସବୁ ତାଙ୍କୁ ସାଜେ, କିନ୍ତୁ ତାଙ୍କର ଦାସୀ, ଚାକର ପର୍ଯ୍ୟନ୍ତ ମତେ ଅପମାନ କରିବାକୁ କିଏ ? ଏ ଅପମାନ ତ ମୁଁ କ୍ଷମା କରିବି ନାହିଁ । ନା-ମୁଁ କଠିନ ହେବି, ନିଷ୍ଠୁର ହେବି, ଅପମାନ ନିକଟରେ, ଅନ୍ୟାୟ ସମ୍ମୁଖରେ । ମୋ ଅଧିକାର ମୁଁ ଷୋଳଅଣା ବୁଝି ନେବି । ଦୁର୍ବଳ ହେବି ନାହିଁ-ଦୁର୍ବଳ ହେବି ନାହିଁ ।”

 

କେବଳ ‘ବାସନ୍ତୀ’ ନୁହେଁ, ସ୍ୱାଧୀନତା ପୂର୍ବବର୍ତ୍ତୀ ଅଧିକାଂଶ ଓଡ଼ିଆ ଉପନ୍ୟାସରେ ନାରୀବ୍ୟକ୍ତିତ୍ୱର ନବ ନବ ଦିଗନ୍ତ ଉନ୍ମୋଚନକୁ ଔପନ୍ୟାସିକମାନେ ସେମାନଙ୍କ ଉପନ୍ୟାସମାନଙ୍କର ସର୍ବମୁଖ୍ୟ ସାଧନ ଭାବେ ବ୍ୟବହାର କରିବାକୁ ଯାଇ ବ୍ୟକ୍ତି-ଚେତନାର ପ୍ରତିଫଳନ ଘଟାଇଛନ୍ତି । ରକ୍ଷଣଶୀଳ ସାମାଜିକ ବିଧି-ବ୍ୟବସ୍ଥା ମଧ୍ୟରେ ନାରୀର ଅସ୍ତିତ୍ୱ ଯେତେବେଳେ ଥିଲା ଦୁଃସ୍ଥିତ ଓ ଦୁର୍ଗତିଗ୍ରସ୍ତ, ଅବହେଳିତ ଓ ଅବଜ୍ଞାତ, ପୁରୁଷ ପ୍ରାଧାନ୍ୟଜନିତ ଯଥେଚ୍ଛାଚାରର ସେ ଯେତେବେଳେ ଥିଲା ଶରବ୍ୟା, ସେତେବେଳେ ସମାଜର ଏହି ଦୁର୍ବଳତମ ଅଙ୍ଗଟି ଲୋଡ଼ୁଥିଲା ସହାନୁଭୂତି ଓ ସମବେଦନା ରୂପକ ପରିପୁଷ୍ଟି । ଓଡ଼ିଆ କଥାକାର ଯଥାସମୟରେ, ସମସ୍ୟାଗୁଡ଼ିକୁ ତୋଳିନେଲା ସାଧନ-ସାମଗ୍ରୀରୂପେ ଏବଂ ସେହି ସୂତ୍ରରେ କିଛି ଲକ୍ଷ୍ୟଣୀୟ ଭାବେ ବ୍ୟକ୍ତି ଚେତନାର ଅଭିବ୍ୟକ୍ତି ଫିଟି ପଡ଼ିଲା ଓଡ଼ିଆ ଉପନ୍ୟାସମାନଙ୍କରେ । ଶିକ୍ଷାଗତ ଅଭିବୃଦ୍ଧି, ବିଶ୍ୱ ସାହିତ୍ୟ ତଥା ସମସ୍ୟାମାନଙ୍କର ଅନୁଧ୍ୟାନ ଓ ଅନୁଶୀଳନରୁ କ୍ରମଶଃ ହୃଦୟର ଯେଉଁ ବିସ୍ତୃତି ଓ ମାନସରାଜ୍ୟର ଯେଉଁ ବିମୁକ୍ତି ଘଟିବାକୁ ଲାଗିଲା, ସେଥିରେ ପରମ୍ପରାଲାଳିତ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହେବାକୁ ବାଧ୍ୟ ହେଲା । ସେହି ଦୃଷ୍ଟିଭଙ୍ଗୀ ନେଇ ଔପନ୍ୟାସିକ ଲକ୍ଷ୍ୟ କଲା ନାରୀକୁ, ତା’ର ପ୍ରେମପ୍ରଣୟାବିଷ୍ଟ ଅନ୍ତର୍ମନକୁ । ଗୋଦାବରୀଶ ମହାପାତ୍ର ତାଙ୍କର ‘ପ୍ରେମ ପଥେ’ ଉପନ୍ୟାସରେ ହରି ଚରଣଙ୍କ ଦ୍ୱାରା ପ୍ରତ୍ୟାଖାତା ବାଗ୍‌ଦତ୍ତା କନକକୁ ପୁନର୍ବିବାହ କରାଇ ପାରି ନଥିଲେ ହେଁ ପରବର୍ତ୍ତୀ ଉପନ୍ୟାସ ‘ବିଦ୍ରୋହ’ର ନାୟିକା ବାଲ୍ୟବିଧବା ଗଉରୀକୁ ବିଦ୍ରୋହିଣୀ କରି ଗଢ଼ିଛନ୍ତି । ସେ ବ୍ରଜକୁ ଆପଣାର କରି ଅସ୍ପୃଶ୍ୟତା ନିବାରଣ ଶୋଭାଯାତ୍ରାରେ ଯୋଗ ଦେଇଛି । ତା’ର ଯୁବତୀ ବିମାତା ସଧବା ରମା ହାତରୁ କାଚ କାଢ଼ି ବିଧବା ବେଶ ଧାରଣ କରିଛି । ଉପନ୍ୟାସ ଦୁଇଟିର ସ୍ତରେ ସ୍ତରେ ବିଶେଷତଃ ପତ୍ର ଗୁମ୍ଫନ ଶୈଳୀ (Epistolary Method) ରେ ‘ପ୍ରେମ ପଥେ’ ଉପନ୍ୟାସଟି ସମୁଦାୟ ବିନ୍ୟସ୍ତ ହୋଇଥିବାରୁ (ଷ୍ଟିପାଂନ୍ ଜୁଇଗ୍‌ଙ୍କର ‘A Letter from an Unknown Woman’) ଅନୁରୂପ ବ୍ୟକ୍ତିଚେତନାର ବ୍ୟାପକ ଅଭିବ୍ୟକ୍ତି ଘଟିପାରିଛି । ନାୟିକା କନକ ମୁହଁରେ ଔପନ୍ୟାସିକ ଜ୍ୱାଳାମୟୀ ପ୍ରତିକ୍ରିୟା ଫୁଟାଇ କହିଛନ୍ତି, ‘‘ଏ ଦେଶର ନାରୀ ମହାଜନର ଝରକାହୀନ ଧାନକୋଠି ପରି ସମାଜର କୋଠି ଘରେ ନରଗଢ଼ା ଶାସ୍ତ୍ର-ଆଇନ୍‌ରେ ବନ୍ଧା । ଆଉ ନର ? ସେ ଚିରମୁକ୍ତ, ତାର ଦାବୀ ତୁଣ୍ଡବାଦ୍ୟ ।’’

 

.......ନାରୀ ଜୀବନରେ ପ୍ରେମ, ପ୍ରଣୟ ଓ ଯୌନ ଆବେଦନକୁ ଘଟଣା, ପରିବେଶ ଓ ପରିସ୍ଥିତି ମଧ୍ୟରେ ରୂପ ଦେବା ଲାଗି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରୁ ଓଡ଼ିଆ ଉପନ୍ୟାସରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାରୁ ବ୍ୟକ୍ତି-ଚେତନାର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂକ୍ରମଣ ଲାଗି ପଥ ଉନ୍ମୁକ୍ତ ହୋଇ ଯାଇଥିବାର ମନେ ହୁଏ । ସମାଜସ୍ତରରୁ ବ୍ୟକ୍ତିସ୍ତରକୁ ଓହ୍ଲାଇ ଆସି ଔପନ୍ୟାସିକ ଏହାକୁ ଆବିଷ୍କାର କରିଛି । ସ୍ରଷ୍ଟା ଭେଦରେ ଏ ଆବିଷ୍କାର ସାର୍ଥକ ହୋଇଛି, ବିଫଳତାରେ ମଧ୍ୟ ପର୍ଯ୍ୟବସିତ ହୋଇଛି । ମନସ୍ତାତ୍ତ୍ୱିକ ଭିତ୍ତିରେ ରଚିତ ବୈଷ୍ଣବ ଚରଣ ଦାସଙ୍କର ‘ମନେ ମନେ’ ରେ ବ୍ୟକ୍ତି-ଚେତନାର ଏକାନ୍ତ ଅନ୍ତରଙ୍ଗ ଅଭିବ୍ୟକ୍ତି ଓଡ଼ିଆ ଉପନ୍ୟାସ ରାଜ୍ୟରେ ଏକ ବିଲକ୍ଷଣ କୃତିତ୍ୱର ପ୍ରଥମ ସ୍ପର୍ଶ ବହନ କରେ । ପଲ୍ଲୀରୁ ନଗର ଓ ନଗରରୁ ପଲ୍ଲୀକୁ ଆଧୁନିକ ଜୀବନଧାରାର ପରିବ୍ୟାପ୍ତ ପ୍ରବାହ ମଧ୍ୟ ଦେଇ ଯୁବକ ଯୁବତୀମାନଙ୍କଠାରେ ପ୍ରଣୟ ଚେତନାର ଯେଉଁ ନିଗୁଢ଼ ଓ ସ୍ୱୟଂସମ୍ବେଦ୍ୟ ଆବେଦନ ଘନୀଭୂତ ହୋଇ ଉଠୁଥିଲା ତାହାରି ସ୍ଥୂଳ ରୂପାୟନ ଯେତେବେଳେ ତତ୍କାଳୀନ ଓଡ଼ିଆ ଉପନ୍ୟାସମାନଙ୍କୁ ପ୍ରାୟ ସର୍ବତୋଭାବେ ଆଚ୍ଛନ୍ନ କରୁଥିଲା, ‘ମନେ ମନେ’ ସେହି ଧାରାରେ ଯେଉଁ ନୂତନ ଆଭିମୁଖ୍ୟ ସଂଯୋଗ କରିଥିଲା, ତାହା ବ୍ୟକ୍ତି ଚେତନା ବୋଲି ହିଁ ଚିହ୍ନିତ କରାଯାଇପାରେ । ଏହି ଉପନ୍ୟାସର ନାୟକ ନୀଳୁ ଓ ନାୟିକା କନକ ଆବାଲ୍ୟ ପରିଚିତ କ୍ରୀଡ଼ା ସାଥୀ ଭାବରେ ପରସ୍ପର ପ୍ରତି ମନୋରାଜ୍ୟରେ ଏକାନ୍ତ ପ୍ରଣୟାସକ୍ତ ହୋଇଥିଲା ବେଳେ କନକର ନିଧିବାବୁଙ୍କ ସହ ବିବାହ ଆମନ୍ତ୍ରଣ କରି ଆଣିଛି ଯାବତୀୟ ବିପର୍ଯ୍ୟୟ । ଉଭୟଙ୍କ ହୃଦୟରେ ମୂଳରୁ ପରସ୍ପର ପ୍ରତି ଜମାଟ ବାନ୍ଧିଥିବା ଆକର୍ଷଣ ସମୟ, ଘଟଣା ଓ ସାକ୍ଷାତ କ୍ରମେ ଚେତନା ରାଜ୍ୟରେ ରୂପ ପରିଗ୍ରହ କଲାବେଳେ କନକର ନଣନ୍ଦ ରଙ୍ଗୀର ଆବିର୍ଭାବ ଘଟିଛି ମଧ୍ୟପଥରେ । ନୀଳୁ ପ୍ରତି ରଙ୍ଗୀର ଆସକ୍ତି ବ୍ୟକ୍ତି-ଚେତନାର ଅନ୍ୟ ଏକ ଦିଗନ୍ତ ଉନ୍ମୋଚନ କରି ଦେଇଛି । ସମସ୍ତ କ୍ରିୟା-ପ୍ରତିକ୍ରିୟା ମାନସ ରାଜ୍ୟରେ ଘଟୁଥିଲା ବେଳେ ସେ ସବୁର ବାଚନିକ ଅଭିବ୍ୟକ୍ତିରେ ଯାହା କିଛି ବୈଚିତ୍ର୍ୟ ଫୁଟି ଉଠିଛି, ତାହାକୁ ମନସ୍ତତ୍ତ୍ୱ ଦୃଷ୍ଟିରୁ ଅବଚେତନର ପର୍ଯ୍ୟାୟଭୁକ୍ତ କରାଗଲେ ହେଁ ବୃହତ୍ତର ଦୃଷ୍ଟିରେ ବ୍ୟକ୍ତି-ଚେତନାର ଅଙ୍ଗୀଭୂତ କରିବାକୁ ହେବ । ଦୃଷ୍ଟାନ୍ତ ସ୍ୱରୂପ କେତେକ ସ୍ଥଳରୁ କିଛି ଅଂଶ ଉଦ୍ଧାର କରି ଲକ୍ଷ୍ୟ କରାଯାଇ ପାରେ । କନକର ବିବାହ ପରେ ନୀଳୁର ପ୍ରତିକ୍ରିୟା ଘଟିଛି ଏହିପରି-‘‘ଛି, ଛି, କନକକୁ ସେ ଭଉଣୀ ଛଡ଼ା ଆଉ କିଛି ବୋଲି ତ କେଭେଁ ଭାବି ନାହାନ୍ତି, ତେବେ ତାଙ୍କର ଏ ଦୁର୍ଦ୍ଦଶା କାହିଁକି ! x x x ସେ ତୋର ଭଉଣୀ ବୋଲି ତୋର ତାର ସମ୍ବନ୍ଧ ନୁହେଁ-ଠିକ୍ ବିପରୀତ, ତୋର ତାର ସମ୍ବନ୍ଧ ମଧ୍ୟ ମିଥ୍ୟା ନୁହେଁ-ବାସ୍ତବ ସତ୍ୟ । ସେ ସମ୍ବନ୍ଧ ଏ ଜଗତର ଭାଇ, ଭଉଣୀ ସମ୍ବନ୍ଧ ଠାରୁ ଢେର ଉପରେ, X X X । ତାହା ମୂଳରେ ସେହି ଅନନ୍ତ ପ୍ରେମ–X X X ମେଘ କଟିଗଲା । ଏତେବେଳେ ନୀଳୁ ବାବୁ ବୁଝିଲେ, ସେ କେଉଁଠି ! X X X ପ୍ରେମର ପ୍ରଧାନ ପ୍ରତିବନ୍ଧକ ବିବାହ ତ ଯାଇଛି, ତେବେ ଆଉ କାହିଁକି ଏ ଦୁର୍ବଳତା ।’’ ନୀଳୁଠାରେ ସଂପୂର୍ଣ୍ଣ ଆସକ୍ତା ଅଥଚ ବାହାରେ ନିଜର ଆସକ୍ତିର ସୂଚନା ପର୍ଯ୍ୟନ୍ତ ଦେବାକୁ ସଂକୁଚିତା ରଙ୍ଗୀର ଅବସ୍ଥାର ଚିତ୍ର ଦିଆଯାଇଛି ଏହିପରି–‘‘ନିଜ ମନକୁ ସେ ଯଥାସମ୍ଭବ ଶାସନ କରୁଛି, କହୁଛି, ‘‘ସେ ଆସିଲେ କେତେ ନ ଆସିଲେ କେତେ-ତାର ସେଥିରେ କଣ ଅଛି !’’ କିନ୍ତୁ ବାଇୟା ମନ କି ଭୁଲେ ! X X X ସମୟ ସମୟରେ ଏପରି ବି ହୁଏ, ଯାହାର ଆସିବା ପାଇଁ ଏତେ ଭୟ ତାହାରି ଆସିବା ସମୟ ହେଲେ ସେ ଚକିତ ଉତ୍ସୁକ ଭାବରେ ଭୀତି ବିହ୍ଵଳ ଆଶାନ୍ୱିତ ଚରଣରେ ଏ ଘର, ସେ ଘର ବି ହେଉଥାଏ । ଚାହିଁ ଚାହିଁ ଯେତେବେଳେ ନିରାଶ ହୁଏ, ସେତେବେଳେ ମର୍ମାନ୍ତିକ ଅନୁତାପରେ ନିଜକୁ ତିରସ୍କାର କରେ, ଶାସନ କରେ । ଏତିକି ସୌଭାଗ୍ୟ ତାର ଯେ, ତାର ଏ ମନୋଭାବ ବାହାରେ ପ୍ରକାଶ ହୋଇ ପଡ଼େ ନାହିଁ । ସେ ଯୋଗେ ସେ ଠକି ଶିଖିଲାରୁ ନିଜକୁ ନିଜେ ପ୍ରସ୍ତୁତ କରି ରଖିଛି, କିନ୍ତୁ ନୀଳୁ ଚିନ୍ତା ତାକୁ କୌଣସିମତେ ଛାଡ଼ିବାକୁ ନାହିଁ ।’’ ଦାମ୍ପତ୍ୟ ଜୀବନରେ ଅବହେଳା ଓ ଅପମାନର ଜ୍ୱାଳାକୁ ସହ୍ୟ କରି ନ ପାରି କନକ ଯେତେବେଳେ ଆତ୍ମହତ୍ୟାର ସଂକଳ୍ପ କରିଛି ତାର ଚିନ୍ତାଧାରା ପ୍ରକାଶ ପାଇଛି ଏହିପରି–‘‘ତାର ମନେ ପଡ଼ିଲା, ସେ କିପରି ତା ସଂକଳ୍ପରୁ ଅବ୍ୟାହତି ପାଇଥିଲା ନୀଳୁ ଭାଇ କଥା ଭାବି ! ସେତେବେଳେ ସେ ଭାବିଥିଲା, ବାହା ହେଲେ ନୀଳୁ ଭାଇ ସହିତ ତାର ସମ୍ୱନ୍ଧର ଅଣୁମାତ୍ର ତାରତମ୍ୟ ହେବ ନାହିଁ । ସ୍ନେହର ଅବସାନ ତ ହେବ ନାହିଁ, ତା ଛଡ଼ା ବିବାହ ଦ୍ୱାରା ତାର ଓ ନୀଳୁ ଭାଇର ଯେଉଁ ସମ୍ୱନ୍ଧ, ସେଥିରେ କୌଣସି ପରିବର୍ତ୍ତନ ବି ହେବ ନାହିଁ । ଏହି ବିଶ୍ୱାସରେ ସିନା ସେ ସହଜ ମୃତ୍ୟୁକୁ ଛାଡ଼ି ବିବାହକୁ ବରି ନେଇଥିଲା । ଆଜି ତାର ମନେ ହେଲା, ଯଦି ବିବାହ ପରା ମୃତ୍ୟୁ ସେ ସେହ୍ନର କିଛି କରି ନାହିଁ, ତା’ ହେଲେ ଅସଲ ମରଣ ବି ତାର କିଛି କରି ପାରିବ ନାହିଁ ତ ! ତେବେ ସେ ବୃଥା ଏ ଜୀବନ ଆଉ ରଖିବ କାହିଁକି ।’’ ଘଟଣାର ସେପରି କିଛି ଆକର୍ଷଣୀୟ ଗତି ଭଙ୍ଗୀ ନଥାଇ ମଧ୍ୟ ଚରିତ୍ରମାନଙ୍କର ମାନସିକ କ୍ରିୟା-ପ୍ରତିକ୍ରିୟାକୁ ପ୍ରଧାନ ଅବଲମ୍ବନ ରୂପେ ଗ୍ରହଣ କରାଯାଇ ‘ମନେ ମନେ’ ଭଳି ଉପନ୍ୟାସର ନିର୍ମାଣ ଓଡ଼ିଆ ଉପନ୍ୟାସରେ ଆଧୁନିକତା ସଂକ୍ରମଣର ବାର୍ତ୍ତାହିଁ ପ୍ରଦାନ କରେ । କନକର ଆତ୍ମହତ୍ୟାକୁ ଏଡ଼ାଇ ଦିଆଯାଇ ରଙ୍ଗୀ ଓ ନୀଳୁଙ୍କର ବିବାହ ବନ୍ଧନ ଘଟାଯିବାର ସମ୍ଭାବନା ଥିଲେ ମଧ୍ୟ ପ୍ରଣୟ-ପୀଠରେ ଆତ୍ମ-ବଳିଦାନ ନ ଦିଆଗଲେ ପ୍ରଣୟର ଶ୍ରେଷ୍ଠତା ପ୍ରତିପାଦିତ ହେବାରେ କିଛି ଲଘୁତା ରହିଯାଇ ପାରିବାର ଆଶଙ୍କା ବୋଧହୁଏ, ବିୟୋଗାନ୍ତକ ପରିଣତି ଲାଗି ଏକ ମାତ୍ର ଏହି ଉପନ୍ୟାସର ରଚୟିତା ବୈଷ୍ଣବ ଚରଣ ଦାସଙ୍କୁ ପ୍ରଭାବିତ କରିଛି ।

 

‘ମନେ ମନେ’ ଭଳି ଉପେନ୍ଦ୍ର କିଶୋର ଦାସଙ୍କର ଏକମାତ୍ର ଉପନ୍ୟାସ ‘ମଲା ଜହ୍ନ’ ଅନୁରୂପ ପ୍ରଣୟାବେଶକୁ ଆଶ୍ରୟ କରି ଗଢ଼ି ଉଠିଥିବା ବ୍ୟକ୍ତିଚେତାଧର୍ମୀ ଅନ୍ୟ ଏକ ସଫଳତର ସୃଷ୍ଟି । ଗୋଦାବରୀଶ ମହାପାତ୍ରଙ୍କର ‘ପ୍ରେମପଥେ’ର ଆଙ୍ଗିକ କୌଶଳ ଅର୍ଥାତ୍ ପ୍ରଥମ ପୁରୁଷର ଆତ୍ମକଥନ ଶୈଳୀରେ ବିନିର୍ମିତ ଏହି ଉପନ୍ୟାସଟିରେ ନାୟିକା ‘ସତୀ’ (ସତ୍ୟଭାମା)ର ଜୀବନାନୁଭୂତିକୁ ଆବେଗାତ୍ମକ ନାଟକୀୟ ରୂପ ପ୍ରଦାନ କରିବାକୁ ଯାଇ ଔପନ୍ୟାସିକ ପ୍ରାୟ ସର୍ବତ୍ର ବ୍ୟକ୍ତିଚେତନାକୁ ଘଟଣାପ୍ରବାହ ଅପେକ୍ଷା ପ୍ରାଧାନ୍ୟ ଦେଇଥିବାରୁ ସେ ସମୟକୁ ଚାହିଁ ‘ମଲାଜହ୍ନ’ ଲକ୍ଷ୍ୟଣୀୟ ବିଶିଷ୍ଟତାରେ ସମୁଜ୍ଜ୍ୱଳ ଏକ ଅନୁପମ କୃତି, କହିବାକୁ ହେବ । ଆଶୈଶବ କ୍ରୀଡ଼ାସଙ୍ଗୀ ଲୋକନାଥ ଓ ସତୀ ମଧ୍ୟରେ ବଢ଼ି ଉଠିଥିବା ପ୍ରଣୟାସକ୍ତି ବିବାହରେ ପର୍ଯ୍ୟବସିତ ନ ହେବା ଫଳରେ ଉଭୟଙ୍କ ଜୀବନରେ ଆସିଛି ନାନା ଦ୍ୱନ୍ଦ୍ୱ, ନାନା ଘନଘଟା । ସତୀ ଅସହାୟା ହୋଇ ପଡ଼ିଲାବେଳେ ତା ପାଖରେ ଠିଆ ହୋଇଛି ତାର ଏକାନ୍ତ ପ୍ରେମାସ୍ପଦ ନାଥନନା । ନରହରି ମିଶ୍ରଙ୍କ ଜମିଦାରୀ ବିଭବ ଓ ପ୍ରତିପତ୍ତି ସତୀର ଦେହ କିମ୍ବା ମନ କାହାରିକୁ ଜୟ କରିପାରି ନାହିଁ । ସେ ଅନମନୀୟ ଦୃଢ଼ତାର ସହ ଦୁଃଶ୍ଚରିତ୍ର ସ୍ୱାମୀ ଓ ତା’ର ସ୍ଥୂଳ ତଥା ଅଶ୍ଳୀଳ ପ୍ରଣୟ ନିବେଦନକୁ ପ୍ରତ୍ୟାଖ୍ୟାନ କରିବା ଫଳରେ ଘଟଣାକ୍ରମେ ହୋଇଛି ପତି ପରିତ୍ୟକ୍ତା, ପ୍ରତ୍ୟାଖ୍ୟାତା । ସମାଜର ରକ୍ତଚକ୍ଷୁ ସମକ୍ଷରେ ସେ ହୁଏତ ଶେଷ ପର୍ଯ୍ୟନ୍ତ ତିଷ୍ଠି ପାରି ନାହିଁ; ମାତ୍ର ରୋମାଣ୍ଟିକ୍ ପ୍ରଣୟ ଚେତନାରେ ଜୁଡ଼ୁବୁଡ଼ୁ ହୋଇ ସେ ହୋଇଛି ଆତ୍ମସ୍ଥା । ବ୍ୟକ୍ତିଚେତନାରେ ଯାହା କିଛି ଦ୍ୱନ୍ଦ୍ୱର ଅବତାରଣା କରାଯାଇଛି ତାହା ପରିସ୍ଥିତି ଓ ପରିବେଶ ପାଇଁ ହିଁ ଉଦ୍ଦିଷ୍ଟ । ଉଦାହରଣ ସ୍ୱରୂପ ସତୀର ଆତ୍ମାଭିବ୍ୟକ୍ତିର କେତେକ ଉଦ୍ଧୃତି ‘ମଲାଜହ୍ନ’ରୁ ଉପସ୍ଥାପନ କରାଯାଉଛି–‘‘ମତେ ବି ଭାରି ଅଡ଼ୁଆ ଲାଗିଲା ସେଠି ବସି ରହିବାକୁ । ମୋ ଘରେ ଆସି କବାଟ କିଳି ଶୋଇଲି । ଭାବିଲି, ଦୁହିଁଙ୍କ ରୁଚି ଭିତରେ ଯୋଉଠି ଏତେ ପ୍ରଭେଦ, ସେଠି କୋଉ କାଳେ କ’ଣ ୟାଙ୍କର ମୋର ପଡ଼ିବ ? ପହିଲୁ ଦିନୁ ପ୍ରତି କାମରେ ଏ କଥା ଜାଣି ସୁଦ୍ଧା ଆଜି କାହିଁକି ଏମିତି ଯାଚି ହୋଇ ଗଲି ଏ ଅପମାନ ସହିବାକୁ ?” ଏଭଳି ଅନମନୀୟତା ସହ ଅନ୍ୟତ୍ର କୋମଳ ବିଦ୍ରୋହର ସ୍ଫୁଲିଙ୍ଗ ଲକ୍ଷ୍ୟ କରାଯାଇପାରେ-‘‘ଭାବିଲି, ସବୁଠୁଁ ନିଉଛଣା, ସବୁଠୁଁ ହତଭାଗ୍ୟ ଆମର ଏଇ ସ୍ତ୍ରୀ ଜାତିଟା । ଯୌବନର ଶିଉଳିପରା ବାଟରେ ଚାଲିଲାବେଳେ ଏଇ ଜାତିର ଟିକେ ଗୋଡ଼ ଥରିବାକୁ ଯେପରି ସମାଜ ଜଗି ବସିଥାଏ ହଜାରେ ଆଖି ମେଲି ସବୁବେଳେ । ଦେଖା ପଡ଼ିଲେ ଆଉ ରକ୍ଷା ନାହିଁ । ସାଙ୍ଗେସାଙ୍ଗେ ତା ପ୍ରତି ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଯାଏ । କିନ୍ତୁ ପୁରୁଷ, ଛାଡ଼ ସେ କଥା । ସେ ତ ଆଉ ଆମ ପରି ନୁହନ୍ତି ।’’

 

ପୁନଶ୍ଚ ସତୀର ଆତ୍ମଦହନର ପ୍ରତିଲିପିରୁ ଗୋଟିଏ ଏହିପରି : ‘‘ଭାବିଲି, ଏଇ ଅସୀମ ଅମାପ ସୁହାଗ ଗୁଡ଼ାକ ଏ ସ୍ନେହରଙ୍କ ପ୍ରାଣରେ ଏମିତି ଅଯାଚିତ ଭାବରେ ଓଜାଡ଼ି ଦେଇ ତ ମତେ ସାରିଛ ତମେ । ଏଇ ସୀମାତୀତ ସ୍ନେହର ମଧୁର ମୋହ କଟାଇ ପାରିଲି ନାହିଁ ବୋଲି ତ ସ୍ୱାମୀ, ଶାଶୁଘର ମତେ ସବୁ ବିଷପରି ଲାଗିଲା । ଗାଁରେ ଏତେ ଅପମାନ, ଏତେ କଳଙ୍କର ବୋଝ ମୁଣ୍ଡାଇ ସୁଦ୍ଧା ତୁନି ହୋଇ ପଡ଼ିଛି ଏଇ ଟିକକ ଲୋଭରେ । କିନ୍ତୁ ଆଉ ନୁହେଁ । ଆଖି ଆଗରେ ମୋରି ଲାଗି ତମର ଏ ହୀନିମାନ ମୁଁ ଆଉ ଦେଖି ପାରିବି ନାହିଁ । ଆଉ ନୁହେଁ-ଏଇ ଶେଷ ।’’ ବ୍ୟକ୍ତି ଚେତନାର ଅନ୍ୟ ଏକ ସ୍ୱଭାବ ସୁନ୍ଦର ଆଲେଖ୍ୟ ମଧ୍ୟ ଏ ପ୍ରସଙ୍ଗରେ ଉଦ୍ଧାର କରାଯିବା ସମୀଚୀନ ହେବ, ଯଥା : ‘‘ଭାବିଲି, ଜୀବନଟା ଭରି ମୋର ବି ଏମିତି ବତାସ ପବନ ବୋହୁଚି ଦୀନରାତି । ବାହା ହେଲାଦିନୁ ଆଜିଯାଏ ଏ ଦି’ ବର୍ଷ ଭିତରେ କେଉଁଠି ଟିକିଏ ଶାନ୍ତି ତ ମୋ ଜୀବନରେ ଘଟିଲା ନାହିଁ ? X X X ବାହା ହେଲାବେଳେ ସମସ୍ତିଙ୍କ ସ୍ୱାମୀ କ’ଣ ଯେଝା ମନ ଅନୁସାରେ ଗଢ଼ା ହୋଇଥାନ୍ତି ? ଜୀବନ ଭରି ସ୍ତ୍ରୀକୁ ମୁଣ୍ଡରେ ବସାଇ ଚଳନ୍ତି । ସ୍ୱାମୀର ରୁଚି, ସ୍ୱାମୀର ଅବସ୍ଥା ସଙ୍ଗେ ନିଜକୁ ଜୋର କରି ଚଳେଇନେବା ତ ଆମ ସମାଜର ଧର୍ମ । ନାରୀ ଜନ୍ମର ସେଇତକରେ କୁଆଡ଼େ ସାର୍ଥକତା । ସ୍ୱାମୀ ପଛେ ଚରିତ୍ରହୀନ, ବ୍ୟାଧିଗ୍ରସ୍ତ ହେଉ, ସ୍ତ୍ରୀ କିନ୍ତୁ ପରମ ନିର୍ବିକାର ଭାବରେ ଦେବତା ବୋଲି ତାଙ୍କୁ ପୂଜା କରିଯିବ, ଏଇତ ଆମ ଶାସ୍ତ୍ରକାର ଋଷିଙ୍କର ଦୃଢ଼ ଅନୁଶାସନ ! X X X ସେତେବେଳେ ଭାବିଲି, ଭଲ ହୋଇଚି, ସ୍ତ୍ରୀ ହେବାର ଏଇ ନକଲି ଅଭିନୟ ମୋର ଶେଷ ହୋଇଯାଇଚି । X X X ଜୀବନସାରା ଯାହାକୁ ସ୍ୱାମୀ ବୋଲି ମନର ସବୁ କାମନାଟିକ ପାଦରେ ତାର ଢାଳି ଦେଇ ନିଶ୍ଚିନ୍ତ ହେବି ବୋଲି ହୃଦ ବାନ୍ଧିଥିଲି, ସେ ଯେ ମୋ ପାଖରେ ଥାଇ ନ ଥିଲା ପରି ।’’ ବ୍ୟକ୍ତି–ଚେତନାର ଉତ୍କୂଳ ପ୍ରବାହ ସମଗ୍ର ‘ମଲାଜହ୍ନ’ ଉପନ୍ୟାସକୁ ଏକ କୋମଳ କାରୁଣ୍ୟରେ ଅଭିଷିକ୍ତ କରିଥିବାରୁ ଏହାର ଜନପ୍ରିୟତା ବହୁଭାବରେ ପ୍ରତିଷ୍ଠିତ ହୋଇଯାଇଛି ମଞ୍ଚ-ରୂପାୟନରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ ।

 

ସାମାଜିକ ପୃଷ୍ଠଭୂମିରେ ନିତାନ୍ତ ଅସହାୟ, ନିତାନ୍ତ ଅବହେଳିତ ଓ ସମୟ ବିଶେଷରେ ନିହାତି ଅରକ୍ଷ ଥିଲା ଯେଉଁ ନାରୀଟି, ପୁରୁଷ–ନିର୍ଭରତାକୁ ଏକାନ୍ତ ସମ୍ବଳ କରି ମାତୃତ୍ୱ, ପତ୍ନୀତ୍ୱ, କନ୍ୟାତ୍ୱ, ଭଗ୍ନୀତ୍ୱ ପ୍ରଣୟିନୀତ୍ୱ ଓ ସର୍ବୋପରି ବ୍ୟକ୍ତିତ୍ୱଟିଏ ନେଇ ତଥାପି ଯେ ସେ ତିଷ୍ଠି ରହିଥିଲା । ତାକୁ ହିଁ ଲକ୍ଷ୍ୟକରି, ଉପଲକ୍ଷ୍ୟ ସଜାଇ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସମାନଙ୍କରେ ଯେପରି ସମ୍ଭାବନାମୟ ମାନବିକ ଆବେଦନର ଉତ୍ତାଳ ତରଙ୍ଗ ଭାଙ୍ଗି ପଡ଼ିଥିଲା, ସେଥିରେ ସହଯୋଗ ଦେଇଥିଲେ ଅନେକ । ଗୋଦାବରୀଶ, ବୈଷ୍ଣବଚରଣ, ଉପେନ୍ଦ୍ର କିଶୋର ଯାହା କହିବାକୁ ଯାଇ କହିପାରି ନାହାନ୍ତି, ଅସହାୟା ନାରୀଟିର ଅନ୍ତର୍ମନକୁ ଆବରଣମୁକ୍ତ କରିଦେଇ ସମାଜର ତାଡ଼ନା–ସ୍ରୋତରେ ଭସାଇ ଦେବାକୁ ବାଧ୍ୟ ହୋଇଛନ୍ତି; ତାକୁ ନିର୍ଦ୍ଦିଷ୍ଟ କୌଣସି କୂଳରେ ନେଇ ଲଗାଇ ପାରି ନାହାନ୍ତି, ଔପନ୍ୟାସିକ ରାମପ୍ରସାଦ ସିଂହ ପ୍ରମୁଖ ଆଗେଇ ଆସିଛନ୍ତି ତାହା କହିବାକୁ । ‘ପ୍ରତିହିଂସା’ ଭଳି ମନସ୍ତାତ୍ତ୍ୱିକ ଉପନ୍ୟାସ ରଚନାରେ ହାତ ଦେଇ ରାମପ୍ରସାଦ ଏକ ସମୟରେ କହି ବସିଛନ୍ତି, ‘‘ହିନ୍ଦୁ ତାହାର ପୁତ୍ରକୁ ସ୍ତ୍ରୀଟିଏ ଦେଇ ନିଶ୍ଚିନ୍ତ । X X X ସେତେବେଳେ ବିବାହିତ ଲୋକର କର୍ତ୍ତବ୍ୟ ହୋଇପଡ଼େ, ସେହି ଅଜଣା, ଅଚିହ୍ନା ସ୍ତ୍ରୀଟିକୁ ସହଧର୍ମିଣୀ ରୂପେ ଗ୍ରହଣ କରିବା, ସ୍ତ୍ରୀର ସମସ୍ତ ଦାବୀ ଦେବା ଓ ଭଲପାଇବା ।’’

 

ସେଥିପାଇଁ ବିବାହ ଅନୁଷ୍ଠାନର ଅସାରତା ଦର୍ଶାଇ ‘‘ମରୁର ସାଥୀ’’ ଉପନ୍ୟାସର ନାୟିକା ଲୀଳାକୁ ବିବାହିତ ସ୍ୱାମୀ ମଦନଙ୍କୁ ଛାଡ଼ି ବନ୍ଧୁ ସୁରେନ୍‌ଙ୍କଠାରେ ମନର ମଣିଷର ସନ୍ଧାନ କରିବାରେ ସମର୍ଥନ ଜଣାଇ ସେ କହିଛନ୍ତି, ‘‘ହାତଗଣ୍ଠିଟା ତ ଗୋଟାଏ ବାହ୍ୟ ଅନୁଷ୍ଠାନ । ସେହି ଅନୁଷ୍ଠାନ ତ ମନ ସହିତ ମନ, ହୃଦୟ ସହିତ ହୃଦୟ ଯୋଡ଼ି ଦେଇ ପାରେନା–କେବଳ ହାତ ସହିତ ହାତ ଯୋଡ଼ିଦିଏ । ଏଇ ହାତ ଓ ମନ ଭିତରେ ଯେତିକି ପ୍ରଭେଦ–ବାହ୍ୟିକ ବିବାହ ସହିତ ମାନସିକ ପରିଣୟର ସେତିକି ପ୍ରଭେଦ ।’’ ଉଚ୍ଚଶିକ୍ଷାର କ୍ରମିକ ପ୍ରସାର ସହିତ ହୃଦୟର ବିସ୍ତାରଣ ସମତାଳରେ ଗତି କରିଥିବାରୁ ନାରୀକୁ ସମସ୍ତ ଆନ୍ତରିକ ସ୍ନେହ, ସମବେଦନା ଓ ବୁଝାମଣା ମାଧ୍ୟମରେ ଏ ସମୟର ଅଧିକାଂଶ ଔପନ୍ୟାସିକ ଲକ୍ଷ୍ୟ କରିଛନ୍ତି । ବ୍ୟକ୍ତି ଚେତନାର ସ୍ଥୂଳ-ସୂକ୍ଷ୍ମ ପରିଚୟ ଭେଦରେ ସେମାନଙ୍କର ଆତ୍ମିକ ସ୍ୱର ବଳିଷ୍ଠତା ଆହରଣ କରିଛି । ସ୍ୱାଧୀନତା ଆନ୍ଦୋଳନର ପ୍ରଭାବ, ଗାନ୍ଧିଜୀଙ୍କର ଆଦର୍ଶ, କୁସଂସ୍କାର, ରକ୍ଷଣଶୀଳତା ଓ ଧର୍ମାନ୍ଧତାରେ ଆଚ୍ଛନ୍ନ ସମାଜ-ଜୀବନର ଦୁଃସ୍ଥିତି ଓ ଦୁର୍ଭୋଗ ଆଦି ବହୁ ଆହ୍ୱାନର ସମ୍ମୁଖୀନ ହେବାକୁ ଯାଇ ଔପନ୍ୟାସିକ ବ୍ୟକ୍ତିଠାରେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧର ସନ୍ଧାନ କରିବାକୁ ଶ୍ରେୟ ମଣିଛି । ସେ ବିଧବା ବିବାହ ସପକ୍ଷରେ ଦୃଢ଼ ସ୍ୱର ଉତ୍ତୋଳନ କରିଛି । ଆତ୍ମକଥନ ରୀତିର ପ୍ରୟୋଗ ମାଧ୍ୟମରେ ବିଧବା ବିଶେଷତଃ ବାଲ୍ୟବିଧବାଟିର କାରୁଣ୍ୟ–ଉଚ୍ଛଳ ଆତ୍ମିକ ଦହନର ଚିତ୍ର ଉତ୍ତୋଳନ କରିବାକୁ ଯାଇ ଗୋବିନ୍ଦ ତ୍ରିପାଠୀ ଲେଖିଛନ୍ତି ‘ପ୍ରମାଦ’ ଉପନ୍ୟାସ (୧୯୨୫) । ‘ପ୍ରମାଦ’ର ପ୍ରଭାବ କ୍ରମଶଃ ପରବର୍ତ୍ତୀ ଔପନ୍ୟାସିକମାନଙ୍କୁ ଆଚ୍ଛନ୍ନ କରିଥିବାରୁ କାହ୍ନୁଚରଣଙ୍କ ଲେଖନୀରୁ ସୃଷ୍ଟିଲାଭ କରିଛି ‘ନିଷ୍ପତ୍ତି’ । ‘ନିଷ୍ପତ୍ତି’ର ନାୟିକା ହାରାମଣିର ଚେତନାରେ ବିଦ୍ରୋହର ଅଗ୍ନିକଣା ଛାଇ ଦେଇ କାହ୍ନୁଚରଣ କହିଛନ୍ତି : ‘‘ମାଆଙ୍କର ଅନୁପସ୍ଥିତିରେ ତାଙ୍କର ଉପଦେଶଗୁଡ଼ିକର ପ୍ରକୃତ ମୂଲ୍ୟ ବୁଝିବାକୁ ମନେ ମନେ ବହୁ ତର୍କ ସେ କରିଛି । ସଂସାରରେ କିଏ କାହାର ? ମା, ଝିଅ ଦିହେଁ ଦେଉଳେ ପଶିଲେ, ଯେଝା ଶୁଭ ଯେଝା ମନାସିଲେ । X X X ଉପଦେଶ ଦେବା ଅତି ସହଜ, ମାତ୍ର ଉପଦେଶକୁ ମାନି ଚଳିବା ଦୁରୂହ । ସମସ୍ତେ କହିବେ ବିଧବା, ବିଧବା, ତାର ଆନନ୍ଦରେ ଅଧିକାର ନାହିଁ, ଶୁଭ କାର୍ଯ୍ୟରେ ସେ ହାତ ଦେଇ ପାରିବ ନାହିଁ । ସେ ଅଲୋଡ଼ା, ଅଖୋଜା । ଭଲ ଲୁଗା ପିନ୍ଧିବ ନାହିଁ, ଗହଣା ନାଇବ ନାହିଁ । ହସି କରି ପଦେ କଥା କହିବାର ଅଧିକାର ନାହିଁ । କାହା ଆଡ଼କୁ କଣେଇ ଚାହିଁଲେ ମହାପାପ ।

 

ଏଇତ ବିଧବାର ଜୀବନ ! x x x ଘରର ସବୁ କାମ ତୁଲାଇବେ, ବଜାର, ହାଟ କରିବେ, ଅଟଳ ବ୍ରହ୍ମଚର୍ଯ୍ୟ ପାଳନ କରି ମାଳା କୋଥଳି ଧରି କୃଷ୍ଣ ନାମ ଜପି ନିଷ୍ପାପ ହୋଇ ସମୟ କଟାଇବେ । ନାରୀ ବେଳକୁ ଏ କଠୋର ନିୟମ । ପୁରୁଷ ପାଇଁ ନିୟମ ନାହିଁ । ସେ ସ୍ୱାଧୀନ । ସେ ପବିତ୍ର । ସେ ଚିରଦିନ ଶୁଦ୍ଧ ଓ ନିର୍ମଳ । ବ୍ୟଭିଚାର, ପୁରୁଷ ପକ୍ଷରେ ଅସୁନ୍ଦର ନୁହେଁ ।

 

ଏ ବଡ଼ିମା କାହା ଯୋଗୁଁ ? ସମାଜର ଅର୍ଦ୍ଧାଧିକ ନାରୀ । ସେମାନେ ପୁରୁଷର ଅତ୍ୟାଚାର ସହି ପୁରୁଷକୁ ଦେବତା ପରି ମାନି ଆସିଛନ୍ତି । ମନେ କରିଛନ୍ତି, ପୁରୁଷ ପ୍ରଭୁ । ଏଇଥିପାଇଁ ତ ପୁରୁଷର ଗର୍ବ ! x x x ଜୀବନ ଦେଇ, ରକ୍ତ ଦେଇ ସେ କଣ ପୁରୁଷକୁ ସବଳ କରେ ତାହାରି ଉପରେ ଅତ୍ୟାଚାର କରିବାକୁ, ତାହାରି ବିପକ୍ଷରେ କଠୋର ନିୟମ ବାନ୍ଧି ନୀତିର ଦ୍ୱାହି ଦେଇ ନିୟମର କାଳସର୍ପ ଗଳାରେ ଲମ୍ୱାଇବାକୁ ? ନାରୀ କ’ଣ ବିଦ୍ରୋହ କରି ଜାଣିବ ନାହିଁ ? ପୁରୁଷର ଅତ୍ୟାଚାରର ପ୍ରତିଶୋଧ ନେଇ ପାରିବ ନାହିଁ ?’’

 

କାହ୍ନୁଚରଣ ‘ନିଷ୍ପତ୍ତି’ରେ ବିଧବା ବିବାହ କରାଇଛନ୍ତି । ‘ପଳାତକ’ରେ ମଧ୍ୟ ଘଟଣାଚକ୍ର ମଧ୍ୟଦେଇ ବିଧବାକୁ ବାରାଙ୍ଗନା ସଜାଇ, ତାର ଦେହ ମନକୁ ନିଷ୍କଳୁଷ ରଖି ତା’ର ପୁନର୍ବିବାହ ଘଟାଇଛନ୍ତି । ‘ଅଦେଖା ହାତ’ରେ ଗୀତାକୁ ସମାଜପତିଙ୍କ ଚକ୍ରାନ୍ତରୁ ଉଦ୍ଧାର କରି କୂଳରେ ଲଗାଇଛନ୍ତି । ଗୋବିନ୍ଦ ତ୍ରିପାଠୀ ଆହୁରି ଆଗକୁ ଯାଇ ‘ପତିତାର ଆତ୍ମକଥା’ରେ କୁଳ କାମିନୀକୁ ପତିତା କରାଇ ପୁନର୍ବାର ସ୍ୱାମୀ ସହ ମିଳିତା କରାଇ ଦେଇଛନ୍ତି । ପତିତା ପତ୍ନୀକୁ ଗ୍ରହଣ କରିବାକୁ ଯାଇ ସ୍ୱାମୀ କହିଛି, ‘‘ବ୍ରାହ୍ମଣ ଦୈବ ଦୁର୍ବିପାକରୁ ଚଣ୍ଡାଳର କାର୍ଯ୍ୟ କରିବାକୁ ବାଧ୍ୟ ହେଲେ ମଧ୍ୟ ଯେପରି ଚଣ୍ଡାଳ ହୁଏ ନାହିଁ, ସେହିପରି କେବଳ ଦେହ ଅର୍ପଣ କଲେ କେହି ବେଶ୍ୟା ହୁଏ ନାହିଁ । ଯେ ମନେମନେ ହୃଦୟ ମଧ୍ୟରେ ପୁରୁଷରୁ ପୁରୁଷାନ୍ତରର ସହବାସ ଇଚ୍ଛା କରେ, ସେଇ ଏକା ବେଶ୍ୟା–ସେଇ ଏକା ବ୍ୟଭିଚାରିଣୀ ।’’ କେବଳ ସେତିକି ନୁହେଁ, ଚକ୍ରଧର ମହାପାତ୍ର ‘ଗୋବର ଗୋଟେଇ’ରେ ଅସବର୍ଣ୍ଣ ବିବାହ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରି, ତାହା ସମ୍ପନ୍ନ କରାଇଛନ୍ତି ।

 

ହରେକୃଷ୍ଣ ମହତାବ ‘ପ୍ରତିଭା’ ଉପନ୍ୟାସରେ ନାୟିକା ପ୍ରତିଭାକୁ ଶ୍ୱଶୁରାଳୟରୁ ଟାଣି ଆଣି ସ୍ୱାଧୀନତା ଆନ୍ଦୋଳନରେ ସାମିଲ୍‌ କରାଇଛନ୍ତି । କମଳାକାନ୍ତ ଦାଶଙ୍କର ‘ଜୀବନ ସଉଦା’ର ଗୌରୀ, ପ୍ରାଣକୃଷ୍ଣ ସାମଲଙ୍କ ‘ନୀଳକମଳ’ର ବଙ୍ଗୀୟା ନାୟିକା କମଳ ଓ ‘ସହଯାତ୍ରିଣୀ’ର ମନୀଷା ପ୍ରତ୍ୟେକ ଅଭୂତପୂର୍ବ ବ୍ୟକ୍ତିଚେତନାର ସ୍ପର୍ଶରେ ବିଦ୍ରୋହିଣୀ ସାଜିଛନ୍ତି, ଆପଣା ଆପଣାର ଅଧିକାର ସାବ୍ୟସ୍ତ କରିଛନ୍ତି । ସ୍ୱାଧୀନତା ପୂର୍ବରୁ ପ୍ରସ୍ତୁତ ହୋଇଥିବା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘କଣାମାମୁଁ’ରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ବଳିଷ୍ଠ ଆବାହନୀ ପ୍ରଦାନ କରାଯାଇଛି । ଉପନ୍ୟାସ ବର୍ଣ୍ଣିତ ଚରିତ୍ରମାନଙ୍କର ମନୋବିଶ୍ଳେଷଣ ଭଙ୍ଗୀକୁ ବ୍ୟକ୍ତିଚେତନାର ସୂକ୍ଷ୍ମ ରୂପାୟନ ଭାବେ ଗ୍ରହଣ କରାଗଲେ ଔପନ୍ୟାସିକ ରାଜକିଶୋର ପଟ୍ଟନାୟକଙ୍କର ‘ପଞ୍ଜୁରୀ ପକ୍ଷୀ’, ‘ସିନ୍ଦୂରଗାର’, ‘ପ୍ରେମର ନିୟତି’ ‘ସପନକୁହୁଡ଼ି’ ଉପନ୍ୟାସମାନଙ୍କର ସିଦ୍ଧି ଅନନ୍ୟ ସାଧାରଣ ବୋଲିବାକୁ ହେବ । ମାତ୍ର ପ୍ରେମ ସମ୍ପର୍କରେ ଉଭୟ ଚେତନ ଓ ଅବଚେତନ ସ୍ତରର କ୍ରିୟା-ପ୍ରତିକ୍ରିୟାକୁ ଅଭିବ୍ୟକ୍ତି ପ୍ରଦାନ କରିବାକୁ ଯାଇ ସେ ଚରିତ୍ରମାନଙ୍କଠାରେ ବିବିଧତାର ସନ୍ଧାନ କରି ପାରିନାହାନ୍ତି ।

 

ପତ୍ରଲିଖନ ଶୈଳୀରେ ଶିଳ୍ପାୟିତ ‘ପଞ୍ଜୁରି ପକ୍ଷୀ’ରେ ପ୍ରେମ ସମ୍ପର୍କିତ ବ୍ୟକ୍ତିଚେତନାର ପରିଚୟ ଲାଭ କରାଗଲା ବେଳେ ‘ପ୍ରେମର ନିୟତି’ରୁ ଔପନ୍ୟାସିକଙ୍କର ପ୍ରେମ ସମ୍ପର୍କୀୟ ତାତ୍ତ୍ୱିକ ବ୍ୟାଖ୍ୟାର କାବ୍ୟଧର୍ମୀ ସ୍ୱରୂପ ଉପଲବ୍‌ଧ ହୋଇଥାଏ । ‘ପ୍ରେମର ନିୟତି’ରେ ଭଲପାଇବା ସମ୍ପର୍କରେ ସେ କହିଛନ୍ତି, ‘‘ସବୁ ସୁଖ ମଣିଷ ଏମିତି ଖୋଜେ । ସେ ପାଇବା ପାଇଁ ପାଗଳ ହୁଏ । ପାଇଲେ ଭୁଲିଯାଏ । ପାଇବାକୁ ମନକରି ନ ପାଇଲେ ଦୁଃଖ ହୁଏ । ଆଉ ପାଇ ସାରିଲେ ମନରୁ ଏକାବେଳକେ ପୋଛି ହୋଇଯାଏ । ଏହି ସବୁ ଏକାଠି କରିଦେଲେ ଯାହା ହୁଏ, ତାହାକୁ କୁହାଯାଏ-‘ଭଲ ପାଇବା’ ।’’ ସେହିଥିରେ ଅନୁରୂପ ସୈଦ୍ଧାନ୍ତିକ ମନ୍ତବ୍ୟ ଦେଇ ସେ ପୁଣି କହିଛନ୍ତି, ‘‘ସାରା ପୃଥିବୀରେ ଯେତେ ‘ଭଲ ପାଇବା’ର ଅଭିସାର ହୋଇଛି ତାହାର ମୂଳରେ ଅଛି ଏଇ ଦାନ ପ୍ରତିଦାନ । ଯେଉଁଠି ମଣିଷ ପ୍ରତିଦାନ ପାଏ ନାହିଁ, ସେଠି ‘ଭଲ ପାଇବା’ ଖୁବ୍‌ ଶୀଘ୍ର ସରିଯାଏ ।’’

 

କେବଳ ସମାଜ ସମ୍ବନ୍ଧିତ ସମସ୍ୟା ବା ବ୍ୟକ୍ତି ସମ୍ପର୍କକୁ ଘେନି ଉପନ୍ୟାସ ନିର୍ମାଣର ପରମ୍ପରା ବା ଆଦର୍ଶକୁ ନମାନି ଯେଉଁମାନେ ଅନ୍ୟାନ୍ୟ ଅନାଲୋକିତ ଦିଗ ପ୍ରତି ପ୍ରଥମେ ଅବହିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ର ତାଙ୍କର ଦୃଷ୍ଟିଭଙ୍ଗୀଗତ ସ୍ୱତନ୍ତ୍ରତା ହେତୁ ସ୍ମରଣୀୟ । ‘ଭୁଲ୍’ ଓ ଜୀବନର ଲକ୍ଷ୍ୟ’ ଏହି ଦୁଇଟି ତାଙ୍କର ପ୍ରାକ୍‌ ସ୍ୱାଧୀନତା କାଳର ଉପନ୍ୟାସ । ପ୍ରଣୟରୁ ଉଦ୍ଭବ ହୋଇ ନାନା ଦିଗକୁ ବିସ୍ତୃତି ଲାଭ କରିଥିବା କାଳ୍ପନିକ ଅବସ୍ଥା ବିଶେଷ ମଧ୍ୟରେ ବାସ୍ତବତାର ସ୍ପର୍ଶ ପ୍ରଦାନ କରିବାକୁ ଯାଇ ନିତ୍ୟାନନ୍ଦ ମହାପାତ୍ର ବ୍ୟକ୍ତିଚେତନାର ଅଭିବ୍ୟକ୍ତି ଘଟାଇଛନ୍ତି । ‘ଭଲ ପାଇବା ପାଇଁ ଜୀବନ’ ନୁହେଁ ‘ଜୀବନ ପାଇଁ ଭଲ ପାଇବା’ ହୋଇଛି ପ୍ରଥମରୁ ତାଙ୍କର ଆତ୍ମିକ ବକ୍ତବ୍ୟ । ବ୍ୟକ୍ତିଗତ ଗୌରବ ଲାଭ ଜୀବନର ଲକ୍ଷ୍ୟ ନୁହେଁ । ‘‘ଜୀବନ-ସ୍ରୋତର ପ୍ରବାହ ଅବିରାମ କରିବା ପାଇଁ ଏବଂ ସେଇ ଅବିରାମ ପ୍ରବାହକୁ ଗୌରବମୟ କରିବା ପାଇଁ ଜୀବନର ସୃଷ୍ଟି । ମନୁଷ୍ୟ କାଳକୁ ଜୟକରି ପାରେ ନାହିଁ କାରଣ ସେ ମାନବିକ ଜୀବନ ପ୍ରବାହକୁ ଆପଣାର ଜୀବନ କାଳ ଭିତରେ ଆବଦ୍ଧ କରି ସଂକୀର୍ଣ୍ଣ କରିଦିଏ ବୋଲି ।’’ ମନୁଷ୍ୟ ହିଁ ନିଜର ଜୀବନକୁ ସୁଖ ବା ଦୁଃଖମୟ କରିଥାଏ । ସେଥିପାଇଁ ତାଙ୍କର ବକ୍ତବ୍ୟ ହେଉଛି : ‘‘ଜୀବନର ସଉଦାକୁ ସାବଧାନରେ ଆଣି ସାବଧାନରେ ରାନ୍ଧିବାଢ଼ି ବସିଲେ ଖରାପ ଲାଗିବ ନାହିଁ ।’’

 

ଏ ଯାବତ୍‌ ଓଡ଼ିଆ ଉପନ୍ୟାସମାନଙ୍କରେ ଗୋଦାବରୀଶ ମହାପାତ୍ରଙ୍କଠାରୁ କାହ୍ନୁଚରଣ ବା ନିତ୍ୟାନନ୍ଦ ମହାପାତ୍ରଙ୍କ ପର୍ଯ୍ୟନ୍ତ ବ୍ୟକ୍ତିଚେତନାର ଯେଉଁ ସ୍ଫୁରଣ ଲକ୍ଷ୍ୟ କରାଯାଏ ତାହା ପ୍ରତିଷ୍ଠିତ, ଆଚରିତ, ମାନ୍ୟତାପ୍ରାପ୍ତ ସାମାଜିକ ତଥା ଧର୍ମୀୟ ବିଧି ବ୍ୟବସ୍ଥା ବିରୁଦ୍ଧରେ ବ୍ୟକ୍ତି ଚିତ୍ତର ବିଦ୍ରୋହ ଓ ସଂସ୍କାର-ପ୍ରବଣତାକୁ ହିଁ ଅଧିକତର ଭାବେ ପରିସ୍ଫୁଟନ କରିବାର ପ୍ରୟାସ ମଧ୍ୟରେ ସୀମାବଦ୍ଧ ଥିବାର ଜଣାଯାଏ । ବ୍ୟକ୍ତି ଯେ ତା’ର ପ୍ରତ୍ୟେକଟି ଅନୁଭୂତି ମଧ୍ୟ ଦେଇ ଏକ ଏକ ନୂତନ ଏକାନ୍ତ ଅନ୍ତର୍ନିହିତ ଚେତନାର ଦିଗନ୍ତକୁ ଉଦ୍‌ଭାସିତ କରି କରି ଜୀବନ ପଥରେ ପାଦ ପରେ ପାଦ ପକାଇ ଗତି କରି ଚାଲେ ଓ ଚେତନାର ସେହି ଉଦ୍‌ଭାସନ ମଧ୍ୟରେ ନିଜପାଇଁ ଚିରନ୍ତନ ବା କ୍ଷଣିକ ଅବବୋଧର ଆବିଷ୍କାର ଘଟାଇଥାଏ, ଓଡ଼ିଆ ଉପନ୍ୟାସରେ ସାମଗ୍ରିକ ସଫଳତା ଓ ଚରିତାର୍ଥତାର ସହ ସର୍ବପ୍ରଥମେ ଗୋପୀନାଥ ମହାନ୍ତିଙ୍କ କୃତିରେ ଏହା ଉପଲବ୍‌ଧ ହୋଇଥାଏ । ‘ଦାଦିବୁଢ଼ା’ ବ୍ୟତୀତ ସ୍ୱାଧୀନତା ପୂର୍ବବର୍ତ୍ତୀ ତାଙ୍କର ଅନବଦ୍ୟ ଆଦିବାସୀ ଜୀବନ-କାବ୍ୟ ‘ପରଜା’ ଉପନ୍ୟାସ ବ୍ୟକ୍ତିଚେତନାର ବହୁବ୍ୟାପ୍ତ ବିନିଯୋଗରେ ବିନିର୍ମିତ ଏକ କାଳଜୟୀ ସୃଷ୍ଟି ଭାବରେ ଏକାନ୍ତ ପ୍ରଣିଧାନ୍ୟ । ଏହି ଉପନ୍ୟାସ-ବର୍ଣ୍ଣିତ ଚରିତ୍ର, ଘଟଣା ଓ ପରିବେଶ ସେ ଯାବତ୍‌ ଥିଲା ଅଖ୍ୟାତ, ଅପରିଚିତ ଓ ଅଜ୍ଞାତ । କୋରାପୁଟ ପାର୍ବତ୍ୟ ବନଭୂମିର ଅଧିବାସୀ ଆଦିବାସୀ ପରଜା ଜନଗୋଷ୍ଠୀର ଜୀବନଚର୍ଯ୍ୟାର ପୃଷ୍ଠଭୂମିରେ ବ୍ୟକ୍ତିଚେତନାର ବହୁରଙ୍ଗୀ ରୂପନ୍ୟାସରେ ସମୃଦ୍ଧ ଉପନ୍ୟାସ ‘ପରଜା’ର ସିଦ୍ଧି ଅନୁପମ କହିବାକୁ ହେବ । ଘଟଣା, ପରିବେଶ ଓ ପରିସ୍ଥିତିକୁ ଆଶ୍ରୟ ବା କେନ୍ଦ୍ରକରି ବ୍ୟକ୍ତିର ସ୍ଥୂଳ ବା ବାହ୍ୟ ପ୍ରତିକ୍ରିୟାକୁ ପରିଚିତ କରାଇବାରେ ଔପନ୍ୟାସିକ ଯେତିକି ସିଦ୍ଧିର ପ୍ରୟୋଗ ଘଟାଇଛନ୍ତି, ତାହାର ଅନ୍ତର୍ମନର ନିଗୂଢ଼ ଅନୁଭୂତିମାନଙ୍କୁ ଚେତନା ରୂପରେ ସେତିକି କଳାକୁଶଳତାର ସହ ଅଭିବ୍ୟକ୍ତ କରିଥିବାରୁ ‘ପରଜା’ର ବିଲକ୍ଷଣତା ସ୍ପଷ୍ଟ ବାରି ହୋଇ ପଡ଼େ । ଦ୍ୟାବା-ପୃଥିବୀର ଅନନ୍ତ ପ୍ରସାରତା ଭିତରେ ଅସୀମକୁ ନେଇ ବ୍ୟକ୍ତିର ଚେତନାଶୀଳ ଅନୁଭୂତିକୁ ଔପନ୍ୟାସିକ କି ଭଳି ପ୍ରକାଶ କରିଛନ୍ତି, ‘ପରଜା’ରୁ ତାହାର କେତେକ ଦୃଷ୍ଟାନ୍ତ ଲକ୍ଷ୍ୟ କରାଯାଇ ପାରେ । ‘‘ଘର ଆଗର କୁଦ ଉପରେ ଜିଲି ଗାଲରେ ହାତ ଦେଇ ବସି ବସି ଫଗୁଣର ରାତି ଆକାଶକୁ ଦେଖେ, ଆପଣାକୁ ଭୁଲିଯାଏ । କେତେବେଳେ ତା’ର କଣିକାର ସ୍ୱପ୍ନ ଆକାଶର ବିସ୍ତୃତିରେ ଆପଣାକୁ ବିଛାଇ ନେଇ ମଧ୍ୟ ପ୍ରସାର ପାଇଁ ସ୍ଥାନ ପାଏ ନାହିଁ, ଗ୍ରହ-ତାରା-ଚନ୍ଦ୍ର ବ୍ୟାପୀ ଦୂରକୁ ଦୂରକୁ ଲମ୍ବିଯାଏ……କେତେବେଳେ ପୁଣି ଖସି ଆସେ, ସୂକ୍ଷ୍ମ କାକର ଟୋପାଠାରୁ ଆହୁରି ସୂକ୍ଷ୍ମତର ହୋଇ, ଦେଖେ ସେ କେହି ନୁହେଁ, ତା’ର ଏଠି ଅବସ୍ଥିତି କେଉଁ ଅନ୍ଧାରି କଣରେ, ସାତତାଳ ହିମାଳୟ ତଳେ ଧୂଳି ସେ, କିଛି ନୁହେଁ । କେତେ କଥା ମନେ ପଡ଼େ, ପୁଣି ଉଡ଼ି ଚାଲିଯାଏ, ଭସା ମେଘପରି, ଆଉ ଆଖି ବାନ୍ଧି ହୋଇ ରହେ ମଥା ଉପରର ଚାନ୍ଦିନୀ ରାତିରେ, ଯେଉଁଠି ବନ୍ଧନ ନାହିଁ, ମୁକ୍ତି ନାହିଁ, ଅଛି ବିସ୍ତୃତି…..’’ ବାପ, ଭାଇ ଗୋତି ଚାଲିଗଲାର କେତେ ମାସ ପରେ ନିଃସମ୍ବଳ ହୋଇ ପଡ଼ିଥିବା ଜିଲିର ବ୍ୟକ୍ତି-ପୁରୁଷ କିଭଳି ଚେତନାର ସ୍ପର୍ଶରେ କାତର ହୋଇ ପଡ଼ୁଛି ତାହାର ଅନବଦ୍ୟ ଅଭିବ୍ୟକ୍ତି ଫୁଟି ଉଠିଛି ଏହିପରି-‘‘ସେ ଦୁଃଖୀ, ଅନ୍ଧାର ତା’ର ଆଶ୍ରୟ । କିନ୍ତୁ ଜଗତର ଲକ୍ଷେ ଆଖି ଯେପରି ସବୁ କବାଟ ଛାତ ଫୁଟାଇ ତା’ର ଧାନ ମାଣ୍ଡିଆର ଶୂନ୍ୟ କୁପାକୁ ନିରେଖି ଦେଖିବାକୁ ଚାହେଁ, ତା’ର ଅନ୍ଧାରି ଅସ୍ତିତ୍ୱରେ ଲକ୍ଷେ ଛିଦ୍ର ଫୁଟାଇ ଆଲୁଅ ପୂରେଇ ଦେବାକୁ ଚାହେଁ, ଯେଉଁ ଆଲୁଅର ବିଷରେ ହାଡ଼ରୁ ମାଂସ ଝଡ଼ି ପଡ଼େ, ଆଉ ଝଡ଼ି ପଡ଼େ ପ୍ରାଣର ସବୁ ବଉଳ, ସବୁ ସୁବାସ-ସବୁ ଚାଲିଯାଇ ପ୍ରାଣ ଶୂନ୍ୟ ହୁଏ, ଜ୍ୟେଷ୍ଠର ଡାଙ୍ଗ ସରୁ ସରୁ ଦର୍‌ହପୋଡ଼ା ଡଙ୍ଗର ପରି । ପରିସ୍ଥିତିକୁ ପାରି ହେବାକୁ ଯେତେ ଚେଷ୍ଟା କଲେ ବି ଅବଶୋଷ ମେଣ୍ଟାଇ ନପାରି ଜିଲି ତା’ର ଚେତନାର ଚୌହଦୀ ଭିତରେ କି ଭଳି ହାଉ ହାଉ ଜଳି ଉଠୁଛି ତାହାର ଅନ୍ୟତମ ଆଲେଖ୍ୟ ଏହିପରି-ସାହୁକାରର ରକ୍ଷିତା ହେବା ଲାଗି ଜିଲି ମନ ସ୍ଥିର କଲାବେଳର ଚୈତନ୍ୟ ସ୍ତରର ଅନୁଭୂତି ଏ-‘‘ଯେପରି କି ସେ ଫୁଲ ବେଶ ହୋଇ ସୁନ୍ଥା ପକେଇ ଭଲ ଖଦି ପିନ୍ଧି ହାତ ହଲେଇ ପଶି ଯାଇଛି ଗୋଟାଏ ଅନ୍ଧାରୁଆ କୋଠରୀ ଭିତରକୁ, ମେଲା ବାହା ଦୁଇଟାରେ ବାନ୍ଧି ପକେଇ ଦେଖିଛି, ଗୋଟାଏ କଙ୍କାଳ, ସେ ସୁନାରେ ଛାଉଣୀ ହୋଇଛି, କିନ୍ତୁ କେଡ଼େ ଥଣ୍ଡା ସେ ! ତାର ଥଣ୍ଡା ଯେପରି ଆପଣା ଦେହର ସବୁ ଉଷୁମ ନିଭେଇ କାକର କରି ଦେଇ ପଶି ଯାଉଛି ଛାତି ଭିତରକୁ ବୋଲି । ହାତ ଖୋଲି ନେଇ ପଛକୁ ହଟି ଯାଉଛି ଜିଲି, କିନ୍ତୁ ପଳେଇ ପାରୁ ନାହିଁ, ଆଖି ବାନ୍ଧି ହୋଇ ରହୁଛି ସେଇ ସୁନା ତବଜା ଉପରେ, ସେ କାକର କିନ୍ତୁ ସେ ସୁନା ।’’ ‘ପରଜା’ ଉପନ୍ୟାସ ସାରା ଏମିତି କେତେ ଯେ ଚେତତାର ଆଲେଖ୍ୟ ପରସ୍ପର ସହିତ ପ୍ରତିଯୋଗିତା କଲାପରି ଖୁନ୍ଦି ହୋଇ ରହିଛି, ତା’ର ଠିକଣା ନାହିଁ । ବସ୍ତୁତଃ ‘ପରଜା’ ଠାରୁ ହିଁ ଯଥାର୍ଥ ଆଧୁନିକ ଉପନ୍ୟାସର ପ୍ରାରମ୍ଭ ଘଟିଛି ବୋଲି ବ୍ୟକ୍ତି-ଚେତନାର ପ୍ରସ୍ତୁତି ଓ ପରିବେଷଣଗତ କଳାତ୍ମକ ପ୍ରୟୋଗ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ କରାଯିବାରେ ଦ୍ୱିଧା ଜାତ ହୁଏ ନାହିଁ ।

 

ଉପନ୍ୟାସଗତ ସାହିତ୍ୟିକ ଅଭିବ୍ୟକ୍ତିକୁ ଆଶ୍ରୟ କରି ସମାଜ ଲାଗି ହେଉ, ବା ବ୍ୟକ୍ତି ଲାଗି ହେଉ ଓଡ଼ିଆ ସାହିତ୍ୟରେ ଯେଉଁ ବିଦ୍ରୋହାତ୍ମକ କ୍ରାନ୍ତିର ଉଦ୍‌ବୋଧନ ଫକୀରମୋହନଙ୍କ ଠାରୁ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳର ଅନ୍ୟୂନ ଶତାଧିକ ଉପନ୍ୟାସ ଭିତର ଦେଇ ନାନା ରୀତିରେ, ପ୍ରୋୟୋଗଗତ ନାନା ବିଲକ୍ଷଣତାରେ ଋଦ୍ଧିମନ୍ତ ପ୍ରକାଶ ଲାଭ କରିଥିଲା ସେଥିରେ ବ୍ୟକ୍ତି ଚେତନା-ରୂପାୟନ ଅନ୍ୟତମ ସାଧନ ରୂପେ ଗୃହୀତ ହୋଇଥିବା ଅନସ୍ୱୀକାର୍ଯ୍ୟ । କାରଣ ବ୍ୟକ୍ତି-ଚେତନା କସ୍ମିନ୍‌ କାଳେ ଏକ ନିରବଲମ୍ବ ସ୍ୱଂୟ ପ୍ରକାଶ ବିଭାବ ନୁହେଁ । ବ୍ୟକ୍ତି ସହ ସମାଜର, ବ୍ୟକ୍ତି ସହ ଅନ୍ୟ ବ୍ୟକ୍ତିର, ବ୍ୟକ୍ତି ସହ ପରିସ୍ଥିତିର ଓ ସର୍ବୋପରି ବ୍ୟକ୍ତି ସହ ଆପଣାର ସଂଘର୍ଷ ଓ ବୁଝାମଣା ଭିତରେ ହିଁ ଏହି ବ୍ୟକ୍ତିଚେତନା ବା ବ୍ୟକ୍ତିବାଦୀ ଚେତନାର ଉନ୍ମେଷ ଓ ଉତ୍ତରଣ ସନ୍ନିହିତ ରହି ଆସିଛି । ସ୍ୱାଧୀନତା ପୂର୍ବବର୍ତ୍ତୀ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଓଡ଼ିଆ ଉପନ୍ୟାସରେ ଏହାର ବର୍ଣ୍ଣୋଜ୍ଜ୍ୱଳ ପ୍ରକାଶନ ପରବର୍ତ୍ତୀ କାଳକୁ ପ୍ରଭାବାନ୍ଵିତ କଲାଭଳି ଉପାଦାନମାନଙ୍କରେ ଯେ ସମୃଦ୍ଧ, ଏହା ଏକାନ୍ତ ସୁପ୍ରେକ୍ଷ ।

 

 

ବକ୍‌ସି ଜଗବନ୍ଧୁ ବିଦ୍ୟାଧର ସାନ୍ଧ୍ୟ ମହାବିଦ୍ୟାଳୟ,

ଭୁବନେଶ୍ୱର,-୧୪

 

***

 

ଓଡ଼ିଆ ଉପନ୍ୟାସରେ ହାସ୍ୟରସ

ଡଃ କୁଳମଣି ରାଉତ

 

ଗତ ଶତାବ୍ଦୀ ହେଉଛି ଓଡ଼ିଶାରେ ପାଶ୍ଚାତ୍ୟ ସାହିତ୍ୟ, ବିଜ୍ଞାନ ଓ ସଭ୍ୟତାର ପ୍ରସାରର କାଳ । ଇଂରେଜମାନଙ୍କର ଓଡ଼ିଶା ଅଧିକାର ଓ ଅପଶାସନ ଫଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖଣ୍ଡିତ ବିପ୍ଳବମାନ ମୁଣ୍ଡ ଟେକି ଉଠିଲା । ଏହାକୁ ବିଦ୍ରୋହର ନାମ ଦେଇ ଇଷ୍ଟ ଇଣ୍ଡିଆ କମ୍ପାନୀ ନିର୍ମମ ଭାବରେ ଦମନ କଲେ । କଳାପାଣି, ଫାଶୀ, ଜେଲ୍‌ ନଜରବନ୍ଦୀ ଓ ସଂପତ୍ତି ବାଜ୍ୟାପ୍ତି ତାହାର ପରିଣତି ହେଲା । ଖ୍ରୀ୧୮୫୭ ରେ ସମଗ୍ର ଦେଶରେ ଜଳି ଉଠିଥିବା ବିପ୍ଳବର ବହ୍ନିକୁ ‘ସିପାହୀ-ବିଦ୍ରୋହ’ କହି, ତାକୁ ମଧ୍ୟ ସେମାନେ ନିଶ୍ଚିହ୍ନ କରି ଦେଲେ । ଏହି ରାଜନୈତିକ କ୍ରାନ୍ତିର ନିଷ୍ଫଳ ପରିଣତିର ପ୍ରତିକ୍ରିୟା ଓଡ଼ିଶାର ସଚେତନ ରାଜନୀତିଜ୍ଞ, ସମାଜ ସଂସ୍କାରକ, ଡିପୋଟି, ସବ୍‌ଡିପୋଟି, ଓକିଲ ଯୁଗପୁରୁଷଙ୍କ ମସ୍ତିସ୍କକୁ ଭାରାକ୍ରାନ୍ତ କରି ଦେଇଥିଲା । ସତ୍ୟ ଓ ସ୍ୱାଧୀନତାରୁ ବଞ୍ଚିତ ଓଡ଼ିଆମାନେ ବିଦେଶୀ ପ୍ରଶାସକ ଓ ପ୍ରତିବେଶୀ ଅମଲାମାନଙ୍କ ତୁଳନାରେ ବହୁ ପଛରେ ପଡ଼ି ରହିଥିଲେ । ଆଉ କୌଣସି ସଂଘର୍ଷ କରିବାକୁ ସେମାନଙ୍କର ନୈତିକ ବଳ ନଥିଲା । ବରଂ ପ୍ରତ୍ୟକ୍ଷରେ ଇଂରେଜ ଶାସକଙ୍କୁ ସନ୍ତୁଷ୍ଟ ଓ ସମ୍ମାନିତ କରି ଆପଣାର ଦାବି ହାସଲ ପାଇଁ ସେମାନେ ପ୍ରୟାସୀ ହୋଇଥିଲେ ।

 

ଓଡ଼ିଶା ହୋଇ ଯାଇଥିଲା ପ୍ରତିବେଶୀମାନଙ୍କର ଉପନିବେଶ ଇଲାକା । ନଅଙ୍କ ଦୁର୍ଭିକ୍ଷରେ ଆଠଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ପୁଣି ଏକ ପ୍ରତିବନ୍ଧକ ସୃଷ୍ଟି କରିଦେଲା । ବିଦ୍ୟାଳୟମାନଙ୍କ ପାଇଁ ଓଡ଼ିଆରେ ପୁସ୍ତକ ପ୍ରକାଶ ପାଉ ନ ଥିବାରୁ, ଓଡ଼ିଶାରୁ ଓଡ଼ିଆ ଭାଷା ସାହିତ୍ୟ ଉଠାଇ ଦେଇ ତତ୍‌ପରିବର୍ତ୍ତେ ଅନ୍ୟ ଗୋଟିଏ ପ୍ରତିବେଶୀ ସାହିତ୍ୟ ପ୍ରବର୍ତ୍ତନ କରାଇବାରେ ବେଦନାଦାୟକ ପ୍ରସ୍ତାବ ଏ ରାଜ୍ୟରେ ତିକ୍ତ ମନୋଭାବ ସୃଷ୍ଟି କଲା । ପ୍ରାକୃତିକ ପ୍ରତିକୂଳ ପରିବେଶ, ଦୈବୀଦୁର୍ବିପାକ, ମନୁଷ୍ୟକୃତ ଦୁର୍ଭିକ୍ଷ ଓ ଶାସକ ଗୋଷ୍ଠୀର ଖିଆଲୀ ନୀତି ଓଡ଼ିଆମାନଙ୍କ ମୁଖରୁ ହାସ୍ୟ ଲିଭାଇ ଦେଲା ।

 

ଶିକ୍ଷାକୁ ଭାରତର ଏକ ଜାତୀୟ ସମସ୍ୟା ଭାବରେ ଇଂରେଜମାନେ ଗ୍ରହଣ କଲେ । ମାକ୍‌ଲେ’ଙ୍କ ଶିକ୍ଷାନୀତି ପ୍ରବର୍ତ୍ତିତ ହେଲା । ଜୀବିକାର୍ଜ୍ଜନ ପାଇଁ ଲୋକେ ଆଧୁନିକ ଶିକ୍ଷାକୁ ଧୀରେ ଧୀରେ ଗ୍ରହଣ କରିଗଲେ । ଓଡ଼ିଶାର ସ୍କୁଲମାନଙ୍କରେ ଓ କଲେଜରେ ଇଂରେଜୀ ଭାଷା ସାହିତ୍ୟ ଓ ୟୁରୋପୀୟ ବିଜ୍ଞାନର ଶିକ୍ଷା ପ୍ରଦତ୍ତ ହେଲା । ଏହି କାଳରେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଓଡ଼ିଶାର ବରପୁତ୍ରମାନେ ଉଦ୍ୟମ ଆରମ୍ଭ କରିଥିଲେ । ପାରମ୍ପରିକ ଓଡ଼ିଆ ବା ସଂସ୍କୃତ ସାହିତ୍ୟ-ତତ୍ତ୍ୱରୁ ମୁହଁ ଫେରାଇ ସେମାନେ ପାଶ୍ଚାତ୍ୟ ସାହିତ୍ୟାଦର୍ଶକୁ ଗ୍ରହଣ କଲେ । ଯୁଗ ଯୁଗ ଧରି ଓଡ଼ିଶା ମାଟିରେ ଗଦ୍ୟ ବିଭାଗଟି ଆଦୌ ଗୁରୁତ୍ୱ ଲାଭ କରି ନ ଥିଲା । ଗଦ୍ୟ ନାମରେ ଯାହା ପ୍ରଚଳିତ ଥିଲା, ତାହା ପଦ୍ୟର ଏକ ଅବିକଶିତ ରୂପ ବା ଅସରଳ-କବିତା । ଏହି କାଳରେ ସମ୍ବାଦପତ୍ରର ପ୍ରକାଶନ, ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ ମଧ୍ୟରେ ଗଦ୍ୟ ବିଭାଗଟି କ୍ରମଶଃ ବିକାଶ ଲାଭ କଲା । କଥା-ସାହିତ୍ୟ, ପ୍ରବନ୍ଧ, ନାଟକ, ରମ୍ୟରଚନା ପ୍ରଭୃତିକୁ କୁକ୍ଷିଗତ କରି ଗଦ୍ୟ-ସାହିତ୍ୟ ଶୋଭାଶ୍ରୀ ବିମଣ୍ଡିତ ହେଲା ।

 

ହାନୀ କାଥେରିନ୍‌ ମ୍ୟୁଲେନ୍‌ସଙ୍କ ଦ୍ୱାରା ରଚିତ ‘ଫୁଲମନି ଓ କରୁନାର ବିବରନ୍‌’କୁ ରେଭରେଣ୍ଡ୍‌ ଷ୍ଟବିନ୍‌ସ ଓଡ଼ିଆରେ ଅନୁବାଦ କରିଛନ୍ତି (ଖ୍ରୀ ୧୮୭୧) । ମଧୁସୂଦନ ରାଓ ‘ପ୍ରଣୟର ଅଦ୍ଭୁତ ପରିଣାମ’ (ଖ୍ରୀ ୧୮୭୩) ଓ ରାଧାନାଥ ରାୟ ‘ଇତାଲୀୟ ଯୁବା’ (ଖ୍ରୀ ୧୮୭୪) ଇଂରାଜୀରୁ ଅନୁବାଦ କରିଛନ୍ତି । ଏହି କଥା ସାହିତ୍ୟରେ ହାସ୍ୟରସର ସଂଯୋଗ ହୋଇ ପାରିନାହିଁ-। ଉମେଶଚନ୍ଦ୍ର ସରକାର ‘ପଦ୍ମମାଳୀ’ (ଖ୍ରୀ ୧୮୮୮) ଉପନ୍ୟାସ ଲେଖିଛନ୍ତି । ବାଲେଶ୍ୱର ସମ୍ବାଦବାହିକା କହନ୍ତି : ‘‘ଏହି ଖଣ୍ଡିକ ଓଡ଼ିଶାର ପ୍ରଥମ ନଭେଲ୍‌ କହିଲେ ଅତ୍ୟୁକ୍ତି ହେବନାହିଁ ।’’ ଏହାକୁ ଉପନ୍ୟାସ ଭାବରେ ଗ୍ରହଣ କରିବାରେ ବିଦ୍ୱାନମାନଙ୍କ ମଧ୍ୟରେ ବିତର୍କ ଲକ୍ଷ୍ୟ କରାଯାଇଛି-। ଯେତେଦୂର ମନେହୁଏ, ଏହାକୁ ପ୍ରଥମ ଉପନ୍ୟାସ ରୂପେ ସ୍ୱୀକାର କରାଯାଇ, ଏବେ ଉପନ୍ୟାସର ଶତବାର୍ଷିକୀ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି ।

 

‘ପଦ୍ମମାଳୀର’ କଥାବସ୍ତୁ ‘ଐତିହାସିକ-ଘଟଣା-ବଲମ୍ବିତ’, ଏହାର ମୌଳିକ ଆବେଦନ କାଳ୍ପନିକ-କାବ୍ୟବର୍ଣ୍ଣିତ-ଶୃଙ୍ଗାର । ଏଥିରେ ପ୍ରସଙ୍ଗକ୍ରମେ ଅଙ୍ଗରସ ଭାବରେ ହାସ୍ୟ ସଂଯୋଜିତ ହୋଇଅଛି । ହାସ୍ୟ ଶୃଙ୍ଗାରରୁ ଉଦ୍ଭବ ବୋଲି ଭାରତୀୟ ବାଙ୍ମୟରେ ସ୍ୱୀକୃତ । ଏହାକୁ ଉମେଶ୍ଚନ୍ଦ୍ର ଗ୍ରହଣ କରି ନେଇଛନ୍ତି । ଜଗବନ୍ଧୁ ପଟ୍ଟନାୟକଙ୍କ କନ୍ୟା ସମ୍ବନ୍ଧରେ ମଠର ମହନ୍ତ ଜିଜ୍ଞାସା କରିବାରୁ ପରୀକ୍ଷିତ କହିଛନ୍ତି ଯେ, ପଦ୍ମମାଳୀ ଯେପରି ସୁନ୍ଦରୀ ସେହିପରି ବୁଦ୍ଧିମତୀ । ନାୟକଠାରୁ ନାୟିକାର ପ୍ରଶଂସା ଶୁଣି ମହନ୍ତ ତାଙ୍କୁ ଥଟ୍ଟା କରି କହିଛନ୍ତି : ‘‘କି ତୁମ୍ଭେ ଏତେଶୀଘ୍ର ତାହାର ପକ୍ଷପାତୀ ହେଲଣି ।’’ (ଚତୁର୍ଥ ସଂସ୍କରଣ, ପୃ-୨୪) ଏହା ବ୍ୟଙ୍ଗ ବୋଲି ଲେଖକ ସୂଚାଇଛନ୍ତି । ଶୁଦ୍ଧ ହାସ୍ୟ ଓ କଟୁ ଆଲୋଚନାରୁ ବ୍ୟଙ୍ଗର ଉଦ୍ଭବ ହୋଇଥାଏ । ଏହାକୁ ଶୁଦ୍ଧ ହାସ୍ୟ ବୋଲା ଯାଇପାରେ ।

 

ପରାଜିତ ବ୍ୟକ୍ତି କ୍ରୋଧର ବଶବର୍ତ୍ତୀ ହୋଇ ଅନେକ ସମୟରେ ସାହାଯ୍ୟକାରୀ-ନିରୀହ-ବ୍ୟକ୍ତିକୁ ପ୍ରଚଣ୍ଡ ଆଘାତ କରି ମାନସିକ ତୃପ୍ତି ଲାଭ କରିଥାଏ ଏବଂ ନିଜର କାୟିକ କ୍ଳେଶକୁ ଭୁଲି ଯାଇଥାଏ । ଏଥିରୁ ଏକ ପ୍ରକାର ବେଦନାଦାୟକ ସୁଖ ମିଳେ, ଶ୍ରୋତା ବା ପାଠକ ହସିଦିଏ । ଏହା ଓଡ଼ିଆ ସାହିତ୍ୟର ଆଦି-ଯୁଗୀୟ ବା ପୁରାଣଯୁଗର ଆଖ୍ୟାୟିକାମାନଙ୍କରେ ପରିଲକ୍ଷିତ ହୋଇଥାଏ । ବନ୍ଧନରୁ ମୁକ୍ତ ହୋଇ ଦୁର୍ଯ୍ୟୋଧନ ବିନା କାରଣରେ ନିଜର ମୁକ୍ତିଦାତା ବଳବନ୍ତରାୟକୁ ଦୁଇ ବଜ୍ରମୁଷ୍ଟି ପ୍ରହାର କରି ନିଜର କ୍ରୋଧ ଶାନ୍ତ କରାଇଛି । (ପଦ୍ମମାଳୀ, ପୃଷ୍ଠା-୪୯) ସରଳ ବା ନିର୍ବୋଧ ବ୍ୟକ୍ତି ବଳବନ୍ତ ରାୟ ନିଜର ଏହି ଲାଞ୍ଛନା ଓ ଅପମାନକୁ ସେନାପତି ନିକଟରେ ବର୍ଣ୍ଣନା କଲାବେଳେ (ପୃ ୫୫-୫୬), ହାସ୍ୟରସର ଉଦ୍‌ବୋଧନ କରାଯାଇଛି । ପୁଣି ମଧ୍ୟଯୁଗୀୟ କାବ୍ୟ ବର୍ଣ୍ଣିତ ହାସ୍ୟ ପରି, ପରାଜିତ ବ୍ୟକ୍ତି ଜୟନ୍ତୀ ଓ ବଳବନ୍ତରାୟ ସୁଯୋଗକ୍ରମେ ଦୁର୍ଯ୍ୟୋଧନଠାରୁ ପ୍ରତିଶୋଧ ନେଲାବେଳେ (ପୃଷ୍ଠା-୧୬୨ ଓ ୧୬୩) ପାଠକମାନଙ୍କ ହୃଦୟରେ ଲେଖକ ହାସ୍ୟରସର ଉଦ୍‌ବୋଧନ କରାଇଛନ୍ତି ।

 

ଦୁର୍ଯ୍ୟୋଧନ ପରି ଜଣେ ବିଶିଷ୍ଟ ଦିଓ୍ୟାନଙ୍କ ଅଧଃପତନ ଓ ନିର୍ଯ୍ୟାତନା (ପୃଷ୍ଠା-୧୬), ଏ ସମ୍ବାଦ କାହାକୁ ନ କହିବାକୁ କହି ପ୍ରତ୍ୟେକ ଅପରକୁ ସର୍ତକ କରାଇଦେବା (ପୃଷ୍ଠା ୬୦-୬୨)-ଏହା ଓଡ଼ିଆ ସାହିତ୍ୟରେ ହାସ୍ୟ ସୃଷ୍ଟି କରିବାର ସେହି ପ୍ରାଥମିକ-କୌଶଳ । ଗୋଟିଏ ବାକ୍ୟର ଯଦି ଦୁଇଟି ଅର୍ଥ ପ୍ରକାଶିତ ହୁଏ, ତାହା ଅଳଙ୍କାର ଶାସ୍ତ୍ରରେ ଶ୍ଳେଷ ଅଳଙ୍କାର ଭାବେ ଗୃହୀତ । ଜଗନ୍ନାଥ ପଟ୍ଟନାୟକଙ୍କ ସାଦର ବ୍ୟବହାରରେ ଲକ୍ଷ୍ମଣ ପଣ୍ଡା ଅତ୍ୟନ୍ତ ତୃପ୍ତ ହୋଇଛନ୍ତି ବୋଲି କହିଲାବେଳେ, ଶ୍ରୀହରି ଏହାକୁ ଶ୍ଳେଷ ବୋଲି ମନ୍ତବ୍ୟ ଦେଇଛନ୍ତି । (ପୃଷ୍ଠା-୫୮) ଆଦି-ଯୁଗୀୟ ଯାତ୍ରା ବା ଗୀତାଭିନୟରେ ସ୍ୱଗତୋକ୍ତି ହାସ୍ୟର ଏକ ଉପାଦାନ ଭାବେ ଗୃହୀତ । ପଦ୍ମମାଳୀଙ୍କ ପ୍ରତି ପରୀକ୍ଷିତଙ୍କ ଆକର୍ଷଣ ସମ୍ବନ୍ଧରେ ମହନ୍ତଙ୍କ ସ୍ୱଗତୋକ୍ତି (ପୃଷ୍ଠା-୨୪) ପାଠକଙ୍କ ମନରେ ମୃଦୁ ହାସ୍ୟ ସୃଷ୍ଟି କରାଇଛି । ଉଦ୍ଦେଶ୍ୟର ବିପରୀତ ବିଷୟ ଉପସ୍ଥାପନ ଦ୍ୱାରା ବକ୍ରୋକ୍ତି ପ୍ରୟୋଗ କରାଯାଏ । ପଦ୍ମମାଳୀକୁ ଦୁର୍ଯ୍ୟୋଧନ ହରଣ କରିନେଇ ଥିଲେ ହେଁ, ଦୁର୍ଯ୍ୟୋଧନ ଅସହାୟା ପଦ୍ମମାଳୀକୁ ରକ୍ଷା କରିଛନ୍ତି ବୋଲି ଲକ୍ଷ୍ମଣ ପଣ୍ଡା କହିଛନ୍ତି । ଶ୍ରୀହରି ବକ୍ରୋକ୍ତି ପ୍ରୟୋଗ କରି କହିଛନ୍ତି : ‘‘ତଦ୍ଦ୍ୱାରା ଦୁର୍ଯ୍ୟୋଧନ ଦାସ ପ୍ରକୃତ ବନ୍ଧୁର କାର୍ଯ୍ୟ କରି ଅଛନ୍ତି ଓ ଆପଣାର ମହତ୍‌ ଚରିତ୍ରର ପରିଚୟ ଦେଇଅଛନ୍ତି ଏବଂ ତଜ୍ଜନ୍ୟ ଆମ୍ଭେମାନେ ତାଙ୍କଠାରେ ଋଣୀ ହୋଇ ରହିଲୁ ।’’ (ପୃଷ୍ଠା-୮୮) ଏହା ସେହି ମଧ୍ୟଯୁଗୀୟ ଅଳଙ୍କାରର ଏକ ବିଶେଷ ରୂପ ।

 

ରାଜବୈଦ୍ୟଙ୍କର ମୂର୍ଖତା ବର୍ଣ୍ଣନାରେ ରମେଶଚନ୍ଦ୍ର ପ୍ରହସନରେ ବ୍ୟବହୃତ ଶିଷ୍ଟ, କଲ୍ୟାଣକାରୀ ଓ ସାର୍ବଜନୀନ ହାସ୍ୟର ପ୍ରୟୋଗ କରିଛନ୍ତି । ବିରାଡ଼ି ଲାଞ୍ଜରେ ବନ୍ଧାଥିବା ରେଶମ ସୂତାକୁ ଧରି ପାଟ ମହାଦେଈଙ୍କର ବାତ-କଫ ନାଡ଼ୀ ପ୍ରବଳ ହୋଇଅଛି (ପୃଷ୍ଠା ୮୧-୮୨) ବୋଲି କହିବା ଦ୍ୱାରା ରାଜବୈଦ୍ୟଙ୍କର ନିର୍ବୋଧତାରୁ ପ୍ରହସନାତ୍ମକ ହାସ୍ୟ ସୃଷ୍ଟି ହୋଇଅଛି । ପୁଣି ଦେଶୀୟ କବିରାଜମାନଙ୍କର ବାଗ୍‌ବିତଣ୍ଡା ଓ ଅଯଥା ତର୍କରୁ ଲେଖକ ହାସ୍ୟର ଉଦ୍ଭବ କରାଇଛନ୍ତି-। (ପୃଷ୍ଠା ୭୫-୭୬) ।

 

ଗତ ଶତାବ୍ଦୀରେ ଅର୍ବାଚୀନ ନବ୍ୟଶିକ୍ଷିତ ବାବୁମାନେ ପାଶ୍ଚାତ୍ତ୍ୟ ସଭ୍ୟତା ସମ୍ପର୍କରେ ଆସି ପ୍ରାଚୀନର ସକଳ ସୁଗୁଣକୁ ମଧ୍ୟ ତ୍ୟାଗ କରିବାକୁ ଆରମ୍ଭ କରିଛନ୍ତି । ସଭ୍ୟତା ନାମରେ ସେମାନେ ଆପଣାର ପିତୃ ପ୍ରପିତାମହଙ୍କୁ ମଧ୍ୟ ନାକ ଟେକିଛନ୍ତି । ଏମାନେ ଉମେଶଚନ୍ଦ୍ରଙ୍କର ସମାଲୋଚନାର ଶରବ୍ୟ ହୋଇଛନ୍ତି । ସେମାନଙ୍କୁ ଆକ୍ଷେପ କରି ସେ କହିଛନ୍ତି ‘‘ଆମ୍ଭେମାନେ ଯେଉଁ ସମୟର ଇତିହାସ ଲେଖିବାକୁ ପ୍ରବୃତ୍ତ ହୋଇଅଛୁ, ସେ ସମୟରେ ଦୁଇ ପତ୍ର ଇଂରାଜୀ ପଢ଼ା କୁଳ-ଧର୍ମ-ଭ୍ରଷ୍ଟ ଅଧୁନାତନ ପ୍ରଗଳ୍‌ଭ ଯୁବକମାନଙ୍କର ନୀତିଜ୍ଞାନ ପ୍ରଚଳିତ ନ ଥିଲା । ସେ ସମୟରେ ଲୋକମାନେ ସେମାନଙ୍କର ପିତା ପିତାମହଙ୍କୁ ମୂର୍ଖ ବୋଲି ଘୋଷଣା କରିବାକୁ ଶିଖିନଥିଲେ ।’’ (ପୃଷ୍ଠା ୪୩) ପରମ୍ପରା ପ୍ରଚଳିତ କୁସଂସ୍କାରକୁ ତର୍ଜ୍ଜନୀ ନିର୍ଦ୍ଦେଶ କରିବାକୁ ସେ ଆଦୌ ଭୁଲି ନାହାନ୍ତି । ସେହିପରି ଅନ୍ଧବିଶ୍ୱାସୀ ପ୍ରାଚୀନପନ୍ଥୀମାନେ ଆଧୁନିକ ଚିକିତ୍ସା ପଦ୍ଧତିକୁ ଗ୍ରହଣ ନ କରିଥିବାରୁ ଔପନ୍ୟାସିକ ବିଦ୍ରୂପ କରିଛନ୍ତି । ପଦ୍ମମାଳୀର ଚିକିତ୍ସା ପାଇଁ ବାଲେଶ୍ୱର ସିଭିଲ୍ ସର୍ଜନଙ୍କୁ ଅଣାଇବା ପାଇଁ କେତେକ ହିତାକାଂକ୍ଷୀ ବନ୍ଧୁ କହିବାରୁ, ଅନ୍ୟ କେତେକ କୁସଂସ୍କାରଗ୍ରସ୍ତ ବନ୍ଧୁ କହିଛନ୍ତି :-‘‘ଗୋ ଶୂକର-ଖାଦକ ମ୍ଳେଚ୍ଛ ସାହେବ ଚର୍ମପାଦୁକା ସହିତ ହିନ୍ଦୁଗୃହସ୍ଥର ପବିତ୍ର ଅନ୍ତଃପୁର ମଧ୍ୟରେ ପ୍ରବେଶ କରି, କୁଳକନ୍ୟାକୁ ତାହାର ବିଲାତ ଚକ୍ଷୁରେ ଦେଖି ମଦ୍ୟ ଓ ମାସଂର ବ୍ୟବସ୍ଥା ଦେବ, ଏହା କି କେବେ ମଞ୍ଜୁର କରାଯାଇପାରେ ।’’ (ପୃଷ୍ଠା ୭୪-୭୫) ଫଳରେ ସିଭିଲ ସର୍ଜ୍ଜନ ଆସିବାର ନୋହିଲା । ନବୀନ ଓ ପ୍ରାଚୀନମାନଙ୍କର ଏତାଦୃଶ ଅନ୍ଧବିଶ୍ୱାସକୁ ଲେଖକ ବିଦ୍ରୂପର ଶାଙ୍କୁଚ ପ୍ରହାର କରିଛନ୍ତି ।

 

କୃପଣ ମନୁଷ୍ୟ ଚରିତ୍ର ବ୍ୟତିକ୍ରମ । ରାମଶଙ୍କର ରାୟ ‘ବିବାସିନୀ’ (ଖ୍ରୀ ୧୮୯୧-୯୫) ରେ ‘କୃପଣର ସଂସାର’ ଓ ଗୋବର୍ଦ୍ଧନ ଦାସ’ ପରିଚ୍ଛେଦରେ ରାଧାଗୋବିନ୍ଦ ଚୌଧୁରୀ ଓ ଗୋବର୍ଦ୍ଧନଙ୍କ ଚରିତ୍ର ମଧ୍ୟରେ ଅର୍ଥଲିପ୍‌ସା ଓ ମନୁଷ୍ୟତାହୀନ ଆଚରଣ ପ୍ରଦର୍ଶାଇ ହାସ୍ୟ ସୃଷ୍ଟି କରାଇଛନ୍ତି । ଓଡ଼ିଶାରେ ଦୁର୍ଭିକ୍ଷ ଦେଖା ଦେଇଥିଲେ ହେଁ ରାଧାଗୋବିନ୍ଦ ମିଥ୍ୟା ରିପୋର୍ଟ ଦେଇ ଲେଖିଛନ୍ତି : ‘‘ଇନ୍ଦ୍ର ଯେପରି ସଚରାଚର ପାଳି ଥାନ୍ତି ସେହିପରି ଏ ବର୍ଷ ଦେଶକୁ ପାଳିଅଛନ୍ତି । ଲୋକଙ୍କର କୌଣସି ଅଭାବ ନାହିଁ । ପ୍ରଚୁର ଧାନ ଫସଲ ଉତ୍ପନ୍ନ କରି ଲୋକେ ନିଶ୍ଚିନ୍ତ ହୋଇ ରହି ଅଛନ୍ତି ଏବଂ ଅନ୍ୟାନ୍ୟ ବର୍ଷ ଯେପରି ଧାନ କାଟି ଅମଳ କରିବାକୁ ଅଧିକ ଦିନ ଗତ ହୁଏ, ଏ ବର୍ଷ ସେପରି ନ ହୋଇ ଲୋକେ ତତ୍ପର ହୋଇ ଧାନ କଟାକଟି କରି ଅମଳ ଶେଷ କରିଅଛନ୍ତି । ଏଥିରୁ ସ୍ପଷ୍ଟ ଦେଖାଯାଏ ଯେ ଲୋକେ ଆଳସ୍ୟ ତ୍ୟାଗ କରି ଆପଣା ସଂପତ୍ତି ରକ୍ଷା କରିବାରେ ବିଶେଷ ଯତ୍ନବାନ ହୋଇଅଛନ୍ତି । ଏହାଠାରୁ ଆଉ ସୁଖର ବିଷୟ କି ଅଛି ?’’ (ରାମଶଙ୍କର ଗ୍ରନ୍ଥାବଳୀ, ପୃଷ୍ଠା ୩୫୮) ନିଜର ସ୍ୱାର୍ଥ ପାଇଁ, ସୁବେଦାରଙ୍କୁ ସୁହାଇଲା ପରି, ଚୌଧୁରୀଏ ନିରୋଳା ମିଛ ସମ୍ବାଦ ନାଗପୁର ପ୍ରେରଣ କରାଇବା ପାଇଁ ପ୍ରସ୍ତୁତ କରିଛନ୍ତି ।

 

‘‘ଭୀମା ଭୂୟାଁ’ରେ (ଖ୍ରୀ ୧୮୯୮) ଗୋପାଳ ବଲ୍ଲଭ ଦାସ ବେବର୍ତ୍ତାଙ୍କ ଚରିତ୍ର ସମ୍ପର୍କରେ ସୂଚନାତ୍ମକ ଇଙ୍ଗିତ ଦେଇ ହାସ୍ୟ ସୃଷ୍ଟି କରିଛନ୍ତି ।’’ ପୁଣି ପଣ ପଣ ଧାଈ ମୁଦୁସୁଲିଙ୍କ ମଧ୍ୟରୁ କେତେ ବେବର୍ତ୍ତାଙ୍କ ଉଆସ ଛାଡ଼ି ଚାଲି ଯାଇଛନ୍ତି ଓ ଯାଉଛନ୍ତି । ସେମାନେ କେତେ କଥା କହି ବୁଲୁଛନ୍ତି । କିନ୍ତୁ କେହି ଶପଥ କି ସତ୍ୟ ପ୍ରତିଜ୍ଞା କରି କିଛି କହୁ ନାହିଁ । ସୁତରାଂ ସେ କଥା କେତେଦୂର ବିଶ୍ୱାସଯୋଗ୍ୟ ବୋଲାଯାଇ ନ ପାରେ । ଏପରି କଥା ଅନେକ ସତ ହୋଇଥାଏ, ଅନେକ ବି ମିଛ ହୋଇଥାଏ ।’’ (ତୃତୀୟ ମୁଦ୍ରଣ-ପୃଷ୍ଠା ୧୮) ବେବର୍ତ୍ତାଙ୍କ ଚରିତ୍ରରେ ଘୋର ସନ୍ଦେହ ରହିଛି, ତାହା ହିଁ ଲେଖକଙ୍କର ବକ୍ତବ୍ୟ ।

 

ଜୀବନରେ ଦୁଃଖ ଭୋଗିଥିବା ମଣିଷଟା ହିଁ ହାସ୍ୟର ମର୍ଯ୍ୟାଦା ବୁଝେ, ହାସ୍ୟ ସୃଷ୍ଟି କରିପାରେ । ଓଡ଼ିଆ ହାସ୍ୟରସ ସୃଷ୍ଟିରେ ଏହା ଏକ ଅବିସମ୍ବାଦିତ ସତ୍ୟ । ଫକୀର ମୋହନଙ୍କଠାରୁ ଫତୁରାନନ୍ଦ ପର୍ଯ୍ୟନ୍ତ ପ୍ରତ୍ୟେକ ନିଜ ନିଜ ଜୀବନ ନାଟକର ଟ୍ରାଜିକ୍‌-ନାୟକ । ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ହାସ୍ୟରସର ସାର୍ଥକ ରୂପାୟନ ଫକୀର ମୋହନଙ୍କ ଦ୍ୱାରା ସମ୍ଭବ ହୋଇଛି । ଅର୍ଥକୁ ଅନର୍ଥ କରି ହାସ୍ୟ ସୃଷ୍ଟି କରିବାରେ ସେ ନିପୁଣ କଳାକାର । ମଙ୍ଗରାଜଙ୍କ ସହିତ ପୁତ୍ରମାନଙ୍କ ସଂପର୍କ ବର୍ଣ୍ଣନାରେ ହିତୋପଦେଶ, ଚମ୍ପାର ରୂପ ବର୍ଣ୍ଣନାରେ କାଳିଦାସ ଓ ଓକିଲଙ୍କ ସମ୍ବନ୍ଧରେ ଚାଣ୍ୟକ୍ୟଙ୍କ ଶ୍ଳୋକର (ଛମାଣ ଆଠଗୁଣ୍ଠ) ବିକୃତ ଅର୍ଥ କରି ସେ ଓଡ଼ିଆରେ ପ୍ରଥମେ ଅନର୍ଥୀକରଣ ସୃଷ୍ଟି କରିଛନ୍ତି । ଜମାଦାରଙ୍କ ଦାଢ଼ିରେ ଶଙ୍ଖଚିଲ ମଳତ୍ୟାଗ କରିବା (ଖୁଣି ତଦାରଖୀ) ଓ ମଙ୍ଗରାଜଙ୍କୁ ଜେଲରେ ଡମମାନେ ବାଡ଼େଇବା କିମ୍ବା ପାଗଳ ଭଗିଆ ତାଙ୍କର ନାକ କାମୁଡ଼ି ନେବା ଦ୍ୱାରା (ଅପୂର୍ବ ମିଳନ), ବ୍ୟକ୍ତିବିଶେଷଙ୍କ ଗୌରବହାନି ହୋଇ ହାସ୍ୟ ସୃଷ୍ଟି ହୋଇଅଛି । ପୁଣି ପୋଲିସ ଆଗରେ ମିଥ୍ୟା ସାକ୍ଷ୍ୟ ଦେଇ ଚମ୍ପା କହିଛି, ‘‘ମୁଁ ସାରିଆକୁ ଚିହ୍ନେ ନାହିଁ, ତା ଘର ଏ ଗାଁରେ ନୁହେଁ, ସେ ଆମ ଦୁଆରେ ମରିନାହିଁ, ଆଉ କୁଆଡ଼େ ମରିଯାଇ ଆମ ଦୁଆରେ ପଡ଼ିଥିଲା, ତାକୁ ଜର ହୋଇଥିଲା, ମରିଗଲା ।’’ (ଖୁଣି ତଦାରଖୀ) ପୁଣି ଓଡ଼ିଶାର କରଣମାନଙ୍କ ଧୂର୍ତ୍ତତା ଓ ଫନ୍ଦିବାଜ ସମ୍ବନ୍ଧରେ ପୁଅକୁ ଉପଦେଶ ଦେଇ, ଆଲିମିଆଁ ପଣକିଆ ଡାକି ନିଜର ଅଜ୍ଞତା ପ୍ରକାଶ କରିବା ଦ୍ୱାରା (ଜମିଦାର ସେଖ୍‌ ଦିଲଦାର ମିଆଁ) ହାସ୍ୟ ଉତ୍ପନ୍ନ ହୋଇଛି ।

 

ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଫକୀର ମୋହନ ସର୍ବପ୍ରଥମେ ଲାଳିକାର ପ୍ରୟୋଗ କରିଛନ୍ତି । ଚମ୍ପାର ରୂପ ବର୍ଣ୍ଣନା (ଚମ୍ପା), ଚଣ୍ଡିପାଠ (ବୁଢ଼ୀମଙ୍ଗଳା), ସଂସ୍କାରବର୍ଜିତ ବ୍ରାହ୍ମଣମାନଙ୍କ ପ୍ରସଙ୍ଗରେ ଭାଗବତର ନବାକ୍ଷରୀ ବୃତ୍ତ (ଭଗିଆ ଓ ସାରିଆ) ଲାଳିକା ପ୍ରୟୋଗରେ ବିମଳ ହାସ୍ୟ ସୃଷ୍ଟି ହୋଇଅଛି । ଆକ୍ଷେପୋକ୍ତି ମାଧ୍ୟମରେ ହାସ୍ୟ ସୃଷ୍ଟି ତାଙ୍କ ସୃଷ୍ଟିର ବୈଚିତ୍ର୍ୟ । ପୁଲିସ୍ ନିକଟରେ ସାକ୍ଷ୍ୟ ଦେଇ ମରୁଆ କହିଛି : ‘‘ମୁଁ ବୃନ୍ଦାବନ ଯିବା ସକାଶେ ବାବାଜୀଙ୍କ ସାଙ୍ଗରେ ଦିନେ ରାତିରେ ପଳାଇ ଆସି କଟକ ତେଲେଙ୍ଗା ବଜାରରେ ଥିଲି । ସାଆନ୍ତେ ମାମଲା କରିବା ସକାଶେ କଟକ ଯାଇ ଥିଲେ । ତାଙ୍କ ସାଙ୍ଗରେ ଆସି ଏହି ଘରେ ଅଛି ।’’ ସାଆନ୍ତଙ୍କର ମାମଲା କରିବା ସକାଶେ କଟକ ଯାଇ ତେଲେଙ୍ଗା ବଜାରକୁ ଯିବା ଏବଂ ମରୁଆକୁ ସଙ୍ଗରେ ଆଣିବା ମଧ୍ୟରେ ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରର ଅନ୍ଧାରି ଦିଗଟି ଉଦ୍ଭାସିତ ହୋଇଛି ।

 

‘ମାମୁଁ’ ଉପନ୍ୟାସରେ ଉଦ୍ଦେଶ୍ୟର ବିପରୀତ ବିଷୟ ଉପସ୍ଥାପନ କରି ଫକୀରମୋହନ ଚମତ୍କାର ବିନୋଦ ଉପସ୍ଥାପନ କରିଛନ୍ତି । ବିଶାଖା କୌଣସି କାମ ନ କରି ସଂଧ୍ୟାବେଳକୁ ଅସୁସ୍ଥତାର ବାହାନା କରି ଶାଶୁ ଘରେ ଶୋଇପଡ଼ନ୍ତି । ଅଥଚ ଦୀର୍ଘଦିନ ଏପରି ରୋଗାକ୍ରାନ୍ତ ହୋଇ ମଧ୍ୟ ତାଙ୍କର କୌଣସି ଖାଦ୍ୟ ଅରୁଚି ହୋଇ ନ ଥିଲା । ପୁଣି ଢଗଢ଼ମାଳି ପ୍ରୟୋଗ କରାଇ ସେ ପରିବେଶଗତ ଆମୋଦ ଓ ଉଲ୍ଲାସ ପ୍ରତିପାଦନ କରିଛନ୍ତି । (ନାଜର ଦମ୍ପତ୍ତିଙ୍କ କଟକ ଯାତ୍ରା) ମେନକାଦେଈ, ଦାଶରଥି ଓ ସରସ୍ୱତୀଙ୍କ ମଧ୍ୟରେ ଯେଉଁ ଟାହି ଟାପରା ଓ ପରିହାସ (ନାଜରଙ୍କ ବସାର ହାଲଚାଲ) ନିର୍ମଳ ହାସ୍ୟର ଉଦାହରଣ । ତୋଷାମଦଦ୍ୱାରା ନାକଫୋଡ଼ିଆମା ବିଶାଖାଙ୍କ ପରି କୃପଣସ୍ୱଭାବ ନାରୀଠାରୁ ଚାଉଳ ଇତ୍ୟାଦି ନେଇଛି । (ନାକ ଫୋଡ଼ିଆ ମା) ବିବାହ ପ୍ରସ୍ତାବ ଆଲୋଚନାବେଳେ ଚାନ୍ଦମଣି ନ ଶୁଣିବାର ଅଭିନୟ କରି ଛଳ କ୍ରୋଧ ପ୍ରକାଶ କରି ବିରାଡ଼ି ଛୁଆକୁ ପିଟିବା (ଚାନ୍ଦମଣିଙ୍କ ବିବାହ ପ୍ରସ୍ତାବ) ଦ୍ୱାରା ଶୁଦ୍ଧ ହାସ୍ୟ ବିକସିତ ହୋଇଛି । ଦର୍ଶନ ଶାସ୍ତ୍ର ସମ୍ବନ୍ଧୀୟ ଆଲୋଚନାରେ ପଣ୍ଡିତ ରଙ୍ଗାଭଟଲା ଭେଙ୍କଟା ପାନ୍ତୁଲଙ୍କ ମୁଖରେ ଓଡ଼ିଆ ଉଚ୍ଚାରଣରେ ଶ୍ୱାସାଘାତ ଓ ବଳାଘାତ (ପଣ୍ଡିତ ସଭା) ହାସ୍ୟରସ ଉଦ୍‌ବୋଧନରେ ସହାୟକ ହୋଇ ପାରିଛି ।

 

ଫକୀର ମୋହନ ପ୍ରଥମେ ଓଡ଼ିଆ ଉପନ୍ୟାସରେ ହାସ୍ୟକୁ ଏକ ସାର୍ଥକ ରୂପ ପ୍ରଦାନ କରିଛନ୍ତି । ମଣିଷର ଦୋଷ ଦୁର୍ବଳତାକୁ ଏହା ଧରା ପକାଇଦିଏ । ଅସାମାଜିକ ମଣିଷଟା ହୋଇଯାଏ ଏହାର ଶରବ୍ୟ । ଅଧାପାଠୁଆ ପାଶ୍ଚାତ୍ତ୍ୟ ସଭ୍ୟତା ଅନ୍ଧାନୁସରଣ କରୁଥିବା ବ୍ୟକ୍ତିମାନଙ୍କର ଭାଷଣକୁ ଲକ୍ଷ୍ୟ କରାଯାଉ :- ‘ଜଣେ ସଭ୍ୟ ଲମ୍ବୋଦର ଦାସେ ଛିଡ଼ା ହୋଇ କହିଲେ, ‘‘ଉଁ-ଉଁ-ହେ ସଭ୍ୟବୃନ୍ଦମାନେ, ଏବଂ ସଭାପତି (ନାହିଁ, ଉଛୁଣିକା ନାହିଁ) କେବଳ ସଭ୍ୟମାନେ, ଉଁ-ଉଁ ଏହି ପ୍ରସ୍ତାବକୁ ମୁଁ Second ଅର୍ଥାତ୍ ଦୁତୀୟ କଲି ।’’ ବାବୁ ମୁକୁନ୍ଦରାମ ମହାନ୍ତିଏ ଦଣ୍ଡାୟମାନ ହୋଇ କହିଲେ, ‘‘ମୁଁ ଦୁତୀୟକୁ support ଅର୍ଥାତ୍ ସାହାଯ୍ୟ କଲି ।’’ (ପ୍ରାୟଶ୍ଚିତ୍ତ / ଭୋଜିସଭା) ଏ ସମାଲୋଚନା ହାସ୍ୟ ଉଦ୍ଦୀପନକାରୀ । ହାସ୍ୟ ବିହୀନ ବ୍ୟଙ୍ଗ ଅପବାଦ-ସୂଚକ-ଭାଷଣରେ ପରିଣତ ହୋଇଯାଏ । ସାହିତ୍ୟିକ ଆବେଦନ ଓ ସ୍ୱରୂପ ହରାଇଲେ ଏହା ବିଦୂଷକୀୟ ଉପହାସର ରୂପ ଗ୍ରହଣ କରେ । ଫକୀର ମୋହନଙ୍କ ଉପନ୍ୟାସମାନଙ୍କରେ ସଂସ୍କାରବିହୀନ ମଣିଷ, ତାର ଚାଲିଚଳଣ, କ୍ରିୟାକଳାପ, ଅନ୍ଧବିଶ୍ୱାସ ଓ ଧର୍ମାନ୍ଧତାକୁ ରୂପକ, ବ୍ୟକ୍ତିଗତ ସମାଲୋଚନା, ଲଘୁ କବିତା, ଲାଳିକା, ଅନୁସରଣ ମଧ୍ୟରେ ପ୍ରକାଶ ପାଇଛି । ଏଥିରେ ବ୍ୟଙ୍ଗ୍ୟ ମଣିଷ ହୃଦୟର ବିଦ୍ରୂପାତ୍ମକ ପ୍ରବଣତାକୁ ଉତ୍ସାହିତ କରିଛି । ଏଥିରେ ରହିଛି ବିନୋଦ ଓ ତିରସ୍କାର ଅବା ଘୃଣା ଅସ୍ୱସ୍ତି ବନାମ ଜଟିଳତା । ଊନବିଂଶ ଶତାବ୍ଦୀର ଭାରତୀୟ ସମାଜ ଓ ମଣିଷ ମୁଖରୁ ମୁଖା ନିକାଲି ଦେଇ ଏହା ତାର ଅସଲ ସ୍ୱରୂପ ଉଦ୍‌ଘାଟନ କରିଛି, ତାର କ୍ରିୟାକଳାପକୁ ସମୀକ୍ଷା କରିଛି । ଯୁଗ ଯୁଗ ଧରି ସମାଜର ଅଳନ୍ଧୁକୁ ଦୂର କରାଇବା ପାଇଁ ମଣିଷ (ହୋଇପାରେ ସେ ଜଣେ ବା ଏକାଧିକ) ଯେଉଁ ସଂଗ୍ରାମ କରି ଆସିଛି, ସ୍ୱୈରବାଦ କିମ୍ବା ଅନୁଭୂତ ଆଦର୍ଶବାଦକୁ ଜବରଦସ୍ତ ଅନ୍ୟ ଉପରେ ଲଦି ଦେବାର ଯେଉଁ ପରିକଳ୍ପନା ଥିଲା, ବ୍ୟଙ୍ଗ୍ୟ ତାକୁ ମାଫ୍ କରି ପାରିନାହିଁ । ସଭ୍ୟତା ନାମରେ ମଦ୍ୟପାନ, ନୈଶଭ୍ରମଣ, ବାଈନାଚ ଉପଭୋଗ, ବେଶ୍ୟାଗୃହ ଗମନ ଯେପରି ଅଶୁଭ ଓ ଅକଲ୍ୟାଣକର; ପରମ୍ପରା ନାମରେ ବୃଦ୍ଧବିବାହ, ବାଲ୍ୟ କନ୍ୟା ବିବାହ, ସଂକୀର୍ଣ୍ଣ ଜାତିଆଣ ଭେଦ, ପୌରୋହିତ୍ୟ ପ୍ରଥା, ବହୁ ଦେବଦେବୀ ପୂଜା ଓ ଧର୍ମାନ୍ଧତା ଇତ୍ୟାଦି ତତୁଲ୍ୟ ଅଶିବ ଓ ଅନୈତିକ । ଫକୀର ମୋହନ ଉପନ୍ୟାସମାନଙ୍କରେ ଆପଣା ସମୟ ଓ ସମାଜକୁ ଲିପିବଦ୍ଧ କରି ଜଣେ ସମାଜ-ବିଧାୟକ ଭାବରେ ସଂସ୍କାର ପ୍ରୟାସୀ ହୋଇଛନ୍ତି ।

 

ବେଳେବେଳେ ଉପନ୍ୟାସରେ ଲାଳିକା ସୃଷ୍ଟି କରିବା ପାଇଁ ହାସ୍ୟୋଦ୍ଦିପକ ଚରିତ୍ର ସୃଷ୍ଟି କରାଯାଏ । ଶ୍ରୀ କାଳିନ୍ଦୀଚରଣ ପାଣୀଗ୍ରାହୀଙ୍କ ‘ଲୁହାର ମଣିଷ’ ଉପନ୍ୟାସରେ ପଦିଆ ଚରିତ୍ରଟି ଏହାର ପ୍ରକୃଷ୍ଟ ଉଦାହରଣ । ନିଜର ରୂପ, ଚାଲିଚଳନ ଓ ଅଙ୍ଗଭଙ୍ଗୀରେ ସେ ହାସ୍ୟ ସୃଷ୍ଟି କରାଇଛି-। ‘‘ତାହାର ଆଖି ଯୋଡ଼ିକ ନାକ ଉପରକୁ ଉଠିଆସି ନାକଟା ଭିତରକୁ ପଶିଯାଇଛି । ଛାମୁଦାନ୍ତ ତଳ ଉପର ଚାରିଟା ଲେଖାଏଁ ଭାଙ୍ଗିଯାଇ ପାଖ ଦାନ୍ତଗୁଡ଼ାକ ହଲିଲାଣି । ମୁହଁଟାର ପ୍ରକାର ଏପରି ହୋଇଛି ଯେ ସେ ତାକୁ ଯେତେ ଶୁଖାଇବାକୁ ଗଲେ ବି ଯେ କେହି ଚାହିଁଲେ ହସିବ ।’’ (ଲୁହାର ମଣିଷ, ପୃଷ୍ଠା-୫, ଖ୍ରୀ ୧୯୮୫)

 

ସଚ୍ଚି ରାଉତରାୟଙ୍କ ‘ଚିତ୍ରଗ୍ରୀବ’ ଏକ ଉଲ୍ଲେଖନୀୟ କୃତି । ଏହି ଆଣ୍ଟି-ନଭେଲର ବ୍ୟଙ୍ଗ୍ୟ ମଣିଷର ମାନସିକ ଶୂନ୍ୟତାରୁ ସୃଷ୍ଟି । ଅର୍ଦ୍ଧ ପାଗଳ, ଖିଆଲି ଗଣେଶ ପ୍ରେମିକଟିଏ । ସୌରେନ୍ଦ୍ର, ଗଗନ ଓ ମୃଗାଙ୍କ ପରି ଗଣେଶ କେବଳ ଚରିତ୍ରଟିଏ ନୁହେଁ, ବରଂ ନାୟକ । ଅତୃପ୍ତି ଓ ସୀମାହୀନ ପ୍ରତୀକ୍ଷାର ସେ ଏକ ଅଫୁରନ୍ତ ଉତ୍ସ । ଏକ ପରିହାସ ଭରା ପରିବେଶ ମଧ୍ୟରୁ ସେ ସଂଗୃହୀତ । ବୁଦ୍ଧିଜୀବୀମାନଙ୍କର ମାନସିକଶୂନ୍ୟତା, ଆବେଗମୟ ପ୍ରବଣତା ଓ କାଳ୍ପନିକ ଶ୍ରଦ୍ଧାରୁ ଗଣେଶ ଚରିତ୍ରଟି ଉତ୍‌ପ୍ରେରିତ । ସମାଜ ସଂସ୍କାର ଓ ଅର୍ଥନୀତି ନିୟନ୍ତ୍ରିତ ଜୀବନର ତ୍ରୁଟି ଶୋଧନ ନିମିତ୍ତ ସଚ୍ଚିବାବୁ କଠୋର ବ୍ୟଙ୍ଗ୍ୟ ବା ସାର୍‌କାଜମ୍‌ (Sarcasm)ର ପ୍ରୟୋଗ କରିଛନ୍ତି ।

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘କଣାମାମୁଁ’ରେ ନାୟକର ରୂପ ବର୍ଣ୍ଣନାରେ ଯେପରି ହାସ୍ୟ ପରିବେଶ କରିଛନ୍ତି, ସେହିପରି ତାଙ୍କର କ୍ରିୟାକଳାପ, ବିଶେଷ କରି ମୁନସିଙ୍କୁ ମାଡ଼ ଦେଲାବେଳେ ଯେଉଁ ବିଦ୍ରୂପଜନିତ ଅଟ୍ଟହାସ୍ୟ ସୃଷ୍ଟି ହୋଇଛି, କିମ୍ବା ଗ୍ରାମର ଯୁବକମାନେ ପୋଖରୀରୁ ମାଛଚୋରୀ କଲାବେଳେ ଧରାପଡ଼ିଯିବା ଅବସ୍ଥାରୁ ରକ୍ଷାପାଇବାରେ, ସଙ୍କୋଚ ସମ୍ଭ୍ରମ ଜନିତ ମୃଦୁଳ-ବ୍ୟଙ୍ଗ୍ୟ ସୃଷ୍ଟି ହୋଇଛି । ଉପସ୍ଥାପନ ରୀତିରେ ନୂତନତା, ବାଗ୍-ବୈଦଗ୍‌ଧ୍ୟ, ଉପସ୍ଥିତ-ବୁଦ୍ଧି ଓ ଚଟୁଳ ଚାତୁର୍ଯ୍ୟୋକ୍ତି ତାଙ୍କ ହାସ୍ୟରସର ମହତ୍ତ୍ୱ । ପୁଣି ବିଚାର ରହିତ ଶୁଦ୍ଧ ଅନୁକରଣ ଅନେକ ସମୟରେ ବିଦ୍ରୂପ ମିଶ୍ରିତ ଉପହାସ ଉଦ୍ରେକ କରାଇଥାଏ । ‘କଣାମାମୁଁ’ରେ ବର୍ଣ୍ଣିତ ‘ରାମ ବନବାସ’ ନାଟକରେ ସୀତା ପାର୍ଟ କରୁଥିବା ପିଲାଟି ପ୍ରଂପଟିଂ ଶୁଣି ରାମଙ୍କୁ ‘ଦେ’ ଖଣ୍ଡେ ବିଡ଼ି’ କହି ଏହିପରି ଉପହସିତ ହୋଇଅଛି । (କାନ୍ତସାହିତ୍ୟମାଳା, ପୃଷ୍ଠା-୧୧୪୭, ଖ୍ରୀ ୧୯୬୪) ।

 

ବିଂଶ ଶତାବ୍ଦୀର ପ୍ରାରମ୍ଭରେ କାର୍ଲମାର୍କସ୍‌ ଚିନ୍ତାଧାରା ପ୍ରଣୋଦିତ ରୁଷୀୟ ବିପ୍ଳବ ଓ ସାମ୍ୟବାଦୀ ଚିନ୍ତାଧାରା ଅଧିକାଶଂ ସାହିତ୍ୟ ପରି ଓଡ଼ିଶାରେ ବାମପନ୍ଥୀ ଚିନ୍ତାଧାରା ସୃଷ୍ଟି କରିଛି । ଦୁର୍ବଳ ମଣିଷର ଚିନ୍ତାଧାରାରୁ ଜନ୍ମନେଇଥିଲା ଈଶ୍ୱର-ବିଶ୍ୱାସ । ଅଫିମ-ନିଶା ପରି ଧର୍ମବିଶ୍ୱାସ ହେଉଛି ଭୀରୁ-ମାନବର ଏକ ମାନସିକ ଦୁର୍ବଳତା । ବିଶ୍ୱାସକୁ ପୃଥିବୀରୁ ନିର୍ବାସିତ କରାଯାଇଛି । ଔପନ୍ୟାସିକ ରାମପ୍ରସାଦ ସିଂହ, କମଳାକାନ୍ତ ଦାସ ଓ ଜଗବନ୍ଧୁ ମହାପାତ୍ରଙ୍କ ଉପନ୍ୟାସମାନଙ୍କରେ କଟୁ ଆଲୋଚନା ସହିତ ସଂସ୍କାର ସୁଲଭ ପ୍ରୟାସ ଲକ୍ଷ୍ୟ କରାଯାଏ ।

 

ଚଳିତ ଶତାବ୍ଦୀ ବିଜ୍ଞାନର ଯୁଗ । ଏକ କ୍ଷୁଧାର୍ତ୍ତ ସିଂହ ପରି ଧରଣୀ ବକ୍ଷରେ ତାର ଉତ୍‌କ୍ଷେପ । ମଣିଷ ଓ ସମାଜକୁ ବିଜ୍ଞାନ ନିୟନ୍ତ୍ରଣ କରୁଛି । ବିଜ୍ଞାନ-ଶକ୍ତିର ଅଧିକାରୀ ମାନବ ସ୍ୱପ୍ନ ଦେଖିଛି ସର୍ବଶକ୍ତିମାନ ହେବାକୁ । ସେହି ଯନ୍ତ୍ର-ଦାନବ ନିକଟରେ ନିଜକୁ କୁର୍ବାନ୍ କରି ଭାରତର କୃଷକ ହୋଇଯାଇଛି ଲୁହାର-ମଣିଷ । ସେ ଐଶ୍ୱର୍ଯ୍ୟ ପାଇଛି, ବିଳାସ ମଧ୍ୟ କମ ପାଇନାହିଁ, ମାତ୍ର ତୃପ୍ତି ଓ ଶାନ୍ତି କାହିଁ ? ଉପରସ୍ଥ କର୍ମକର୍ତ୍ତାଙ୍କୁ ମନନେବା ପାଇଁ, ‘ଦାନପାଣି’ ପାଇଁ ବଳିଦତ୍ତ ହୁଏତ ସରୋଜିନୀକୁ ଉପହାର ଦେଇ ପ୍ରମୋସନ୍ ପାଇପାରେ, କିନ୍ତୁ ତାର ପରିଣତି କଣ ? ଏହିପରି ମଣିଷ-ଜୀବନଟା ଗୋଟାଏ ଅମୁହାଁ ଦେଉଳ, ଯେଉଁଥିରେ ପଥ ନାହିଁ, ଦ୍ୱାର ସବୁଦିନ ପାଇଁ ଅବରୁଦ୍ଧ । ମଣିଷର ଜୀବନ ଏବେ ଉତ୍ପାଟିତ । ସେ ସନିଆଁ ପରି ଧୋବି ଦାନରେ (ଶାସ୍ତି-କାହ୍ନୁଚରଣ) ଶୁଖିଲା ଗଛ ଉପରେ ମୂଳ ବିହୀନ ନିର୍ମୁଳି ଲତାଟିଏ । ଏଠାରେ ଯେଉଁ ହାସ୍ୟ ଉପସ୍ଥାପନ କରାଯାଇଛି, ସେଠାରେ ଦୟା, କରୁଣା ଓ ଉଦାରତାର-ଅଭାବ ଥାଏ, ନୈତିକତା ଆଦୌ ନଥାଏ । ହାସ୍ୟ ପ୍ରତୀକ ଆଧାରିତ ହୋଇ ସମାଜ-ବିଷୟ-ଗର୍ଭିତ ହୋଇଯାଇଛି ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧର ପରମାଣୁ ବୋମା ମାଡ଼ରେ ଯେଉଁମାନେ ମୃତ୍ୟୁ ବରଣ କଲେ, ସେମାନେ୍‌ ଭାଗ୍ୟବାନ । ଯେଉଁମାନେ ଆହତ ହୋଇ ବଞ୍ଚିରହି, ତଥାପି ମୃତ୍ୟୁର ଦାରୁଣ ସ୍ପର୍ଶ ଲାଭ କରୁଛନ୍ତି, ସେମାନେ ପ୍ରତି ମୁହୂର୍ତ୍ତରେ ଆଣବିକ ବିସ୍ଫୋରଣର ଦୁଃସ୍ୱପ୍ନ ଦେଖି ଚାଲିଛନ୍ତି । ଔପନ୍ୟାସିକ ଏଥିରୁ ମୁକ୍ତ ନୁହେଁ । ଉପନ୍ୟାସମାନଙ୍କରେ ଏ ଭୟ ଅଙ୍କିତ ପରିକଳ୍ପନାର ରୋମନ୍ଥନ ହେଲା । ପ୍ରତ୍ୟକ୍ଷ ଭାବରେ ନ ହେଲେ ବି ଚିତ୍ରକଳ୍ପ, ପ୍ରତୀକବାଦ ବା ରୂପକ ମାଧ୍ୟମରେ ଏ ଭୟ ରୂପାୟିତ ହେଲା ।

 

ଫ୍ରଏଡ୍‌ଙ୍କ ମନସ୍ତତ୍ତ୍ୱ ସମ୍ବନ୍ଧୀୟ ତଥ୍ୟ, ଅବଚେତନ ମନର ସ୍ୱୀକୃତି ଆମ ସାହିତ୍ୟର ଉପନ୍ୟାସମାନଙ୍କରେ ପ୍ରତିଫଳିତ ହେଲା । ଚେତନା-ପ୍ରବାହ-ଧର୍ମୀ ଉପନ୍ୟାସମାନଙ୍କରେ ଏହାର ଗଭୀର ପ୍ରଭାବ ଲକ୍ଷ୍ୟ କରାଯାଇଛି । ଯୌନ ସମ୍ବନ୍ଧୀୟ ଭାବାବେଗ ମଧ୍ୟରେ ଭୋଗର ଲାଳସା ଯେତେ ବେଶି ତ୍ରୀବ, ଅନ୍ୟ ପ୍ରତି ଈର୍ଷା, ଘୃଣା ଓ କ୍ରୋଧ ସେତେବେଶି ପ୍ରଖର । ମଣିଷ ଏବେ ଅଶାନ୍ତ । ସେ ଯାହା ପାଇଲେ ଖୁସି ହୁଅନ୍ତା ବୋଲି ଭାବେ, ତାହା ପାଇ ସାରିଲା ପରେ ତଥାପି ଅଭାବବୋଧ ଅନୁଭବ କରେ । ମଣିଷର ମନ ଏବେ ରୁଗ୍‌ଣ । ଔପନ୍ୟାସିକ ଉପେନ୍ଦ୍ର କିଶୋର ଦାସ, କମଳାକାନ୍ତ, ନିତ୍ୟାନନ୍ଦ, ରାଜକିଶୋର ଓ ଗୋପୀନାଥଙ୍କ କୃତିମାନଙ୍କରେ ବ୍ୟଙ୍ଗ୍ୟର ସ୍ୱରୂପ ଲକ୍ଷ୍ୟ କରାଯାଏ । ବ୍ୟଙ୍ଗ୍ୟ ମାନବୀୟ-ଜଟିଳ-ଜୀବନ-ସନ୍ଦର୍ଭର ଏକ ନୂତନ ଅର୍ଥବୋଧ ପ୍ରଦାନ କରିଥାଏ । ନେତିବାଦୀ-ବ୍ୟକ୍ତିତ୍ୱ (ନିଗେଟିଭ୍ ପର୍ସନାଲିଟି) ବ୍ୟଙ୍ଗ୍ୟର ଜନକ । ଏହାଦ୍ୱାରା ଲେଖକ ସାମାଜିକ ଜୀବନରେ ସଂସ୍କାରକର ଭୂମିକା ଗ୍ରହଣ କରେ, ମଣିଷ ଚରିତ୍ରର ଦୁର୍ବଳତାକୁ ସୂଚାଇ ଦିଏ ।

 

ଦ୍ୱିତୀୟ ବିଶ୍ୱମହାଯୁଦ୍ଧ ପରେ ସମଗ୍ର ୟୁରୋପ ଧ୍ୱଂସସ୍ତୂପରେ ପରିଣତ ହେଲା । ଲଣ୍ଡନ୍‌ର ବ୍ରିଜ୍‌ଟା କେବଳ ଭାଙ୍ଗି ପଡ଼ିଲା ନାହିଁ, ଧ୍ୱଂସର ଅବଶେଷ ହେଲା ଏକ ଓଏଷ୍ଟ୍‌ଲାଣ୍ଡ । ପୃଥିବୀର ଦୁଇଜଣ ବ୍ୟକ୍ତି ପରସ୍ପରକୁ ବୁଝିବାକୁ ଅନିଚ୍ଛୁକ । କାରଣ ପ୍ରତ୍ୟେକ ଅନ୍ୟଠାରୁ ଭିନ୍ନ ପରିବେଶରେ ରହି ଅଛି । ଚିଡ଼ିଆଖାନାର ତାର ବାଡ଼ ମଧ୍ୟରେ ରହିଥିବା ପଶୁଟା ଯେପରି ପାଖରେ ଅନ୍ୟ ତାର ଜାଲି ମଧ୍ୟରେ ଥିବା ପଶୁଟିର ମନୋଭାବକୁ ବୁଝିପାରେ ନାହିଁ, ଏବେ ସାମାଜିକ ପ୍ରାଣୀ ମନୁଷ୍ୟମାନଙ୍କର ସେହି ଅବସ୍ଥା । ରେଖା ରମେଶର ମନ କଥା ବୁଝିପାରିନି, ସେ ବିବାହ କରିଛି ଡାକ୍ତର ପ୍ରଶାନ୍ତଙ୍କୁ । ରମେଶ ଭାବୁଥାଏ-‘‘ବାହାର ପ୍ରତି କଣ ସମସ୍ତଙ୍କର ନଜର, ଭିତରକୁ କଣ କାହାରି ନଜର ପଡ଼େ ନାହିଁ ? ଅସୁନ୍ଦର ହେବା କଣ ଜଗତରେ ଅଭିଶାପ ? ଅସୁନ୍ଦର କଣ ଆତତାୟୀଠାରୁ ହୀନ ? ଅସୁନ୍ଦର ହୃଦୟରେ କଣ ନିଆଁ ଲାଗେ ନାହିଁ ? (ନାକଟା ଚିତ୍ରକର, ଫତୁରାନନ୍ଦ, ଖ୍ରୀ ୧୯୬୧, ପୃ ୧୭୪) ରୂପ ପାଗଳ ଦୁନିଆରେ ନାକଟା ଚିତ୍ରକରର ଅନ୍ତରରେ ଯେଉଁ ଦହନ ଓ ଜ୍ୱାଳା, ବେଦନା ଓ ଅତୃପ୍ତି, ଈର୍ଷା ଓ ଅଭିମାନ ଏବଂ ହୀନମନ୍ୟତା ଓ କାତରତା ପ୍ରକାଶିତ ହୋଇଛି, ତାହା ଚିତ୍ରମଧ୍ୟରେ ପ୍ରତିଫଳିତ । ଚିତ୍ରଟି ପ୍ରତୀକ । ଏହା ମଧ୍ୟରେ ବ୍ୟଙ୍ଗ୍ୟର ଯେଉଁ ଶାଣିତ କଠୋର ରୂପ ପ୍ରକଟିତ, ତାହା ଯୁଗଯନ୍ତ୍ରଣା ଜର୍ଜ୍ଜରିତ ଅଭାବୀ ମଣିଷ ପାଇଁ ଉଦ୍ଦିଷ୍ଟ-

 

ଯୁଦ୍ଧ ବିଧ୍ୱସ୍ତ ପୃଥିବୀର ପ୍ରତ୍ୟେକ ମଣିଷର ଜୀବନ କାହାଣୀ ଓ ଜୀବନର ଅବବୋଧ ହେଉଛି ସର୍କସର ଏକ ଜୋକ୍‌ରର ଜୀବନାଦର୍ଶ । ନିଜର ଶତ ଦୁଃଖ, ଅଭାବବୋଧ ଓ ବେଦନା ମଧ୍ୟରେ ମଣିଷ ଏବେ ‘ଜୋକର’ ସାଜିଛି ଜୀବିକାର୍ଜନ ପାଇଁ । ମୁହଁକୁ ନାନା ରଙ୍ଗରେ ରଞ୍ଜିତ କରି, ମୁଣ୍ଡରେ ଲମ୍ବା ଟୋପି ପିନ୍ଧି, ରୂପକୁ କୁରୂପ କରି, ରଙ୍ଗବେରଙ୍ଗି ପ୍ୟାଣ୍ଟସାର୍ଟ୍‌ ପିନ୍ଧି ହାତରେ ଖଣ୍ଡେ ଫଟା ବାଉଁଶ ଧରି ସେ ବାହାରେ । ଦର୍ଶକମାନେ ତାକୁ ଦେଖି ହସନ୍ତି, ହସନ୍ତି ଦାନ୍ତ ନେଫେଡ଼ି, ଠୋ ଠୋ ହୋଇ । ସେମାନଙ୍କୁ ହସାଇବା ତାର କାମ-ସେ ଜୋକର, ସର୍କସ୍‌ର ବହୁ ତାଲିମ ପ୍ରାପ୍ତ ପଶୁମାନଙ୍କ ପରି ସେ ବି ଗୋଟାଏ ପଶୁ, ସେଇ ତାର ପରିଚୟ । ନିଜେ କାନ୍ଦି ଅନ୍ୟକୁ ସେ ହସାଇବ । ନିଜର ବେଶଭୂଷା, ବାଗ୍‌ବୈଦଗ୍‌ଧ୍ୟ ଓ ନିର୍ବୋଧତା ଦ୍ୱାରା ଅନ୍ୟମାନଙ୍କୁ ହସାଇବା ତାର ଏକମାତ୍ର କର୍ତ୍ତବ୍ୟ । ଦେବ୍ରାଜ ଲେଙ୍କାଙ୍କର ‘ଜୋକର’ ସାଂପ୍ରତିକ ପ୍ରତ୍ୟେକ ଦୁଃଖୀମାନବର ଜୀବନର ଅବବୋଧ । ଲେଖକ ଏଥିରେ ଜଟିଳ ବ୍ୟଙ୍ଗ୍ୟର ପିରାମିଡ ସୃଷ୍ଟି କରିଛନ୍ତି ।

 

ସ୍ୱାଧୀନୋତ୍ତର କାଳରେ ଭାରତୀୟ ଯୁବସମାଜ ଆଶା କରିଥିଲା ଏ ଦେଶ ସେମାନଙ୍କୁ ଜୀବନଧାରଣ କ୍ଷେତ୍ରରେ ସ୍ୱାବଲମ୍ୱନଶୀଳ କରାଇବ, ସୁସ୍ଥ ସମ୍ମାନଜନକ ଜୀବିକାର୍ଜନର ପଥ ନିର୍ଦ୍ଦେଶ କରାଇବ । ନେତା ଦେଶସେବକ ହୋଇ ରହିବେ । ବିସ୍ଫୋରିତ ଜନଶକ୍ତିର ବିନିଯୋଗହେବ । ସବୁ ମିଥ୍ୟା ପ୍ରମାଣିତ ହେଲା । ଯୁବପ୍ରାଣ ବିକ୍ଷୁବ୍‌ଧ ହେଲା । ତାର ଏକ ବ୍ୟଙ୍ଗ୍ୟାତ୍ମକ ମନ୍ତବ୍ୟ ହେଉଛି ‘ଅନ୍ଧଦିଗନ୍ତ’ । ଶ୍ରୀ ସୁରେନ୍ଦ୍ର ମହାନ୍ତି ବ୍ୟଙ୍ଗ୍ୟ ମାଧ୍ୟମରେ ଦେଶସେବା ନାମରେ ଭାରତରେ ଯେଉଁ ଜାଲିୟାତି ଓ ଧପ୍‌ପାବାଜି ଚାଲିଛି, ତାହାର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରିଛନ୍ତି ।

 

ଆଧୁନିକ ମଣିଷ ଗୋଟାଏ ସିସିଫସ୍ । ସାମ୍ପ୍ରତିକ ଜୀବନ ଆଯୌକ୍ତିକତା, ଉଦ୍ଭଟତା ଓ ଅର୍ଥବିହୀନତାରେ ପରିପୂର୍ଣ୍ଣ । ଆତ୍ମହତ୍ୟା କରିବାକୁ ସେ ବାଧ୍ୟ କିମ୍ବା ପାଗଳ ହୋଇ ଇତସ୍ତତଃ ଘୂରିବୁଲୁଛି । ଚେତନା ପ୍ରବାହ, ସ୍ଥିତିବାଦୀ ଦର୍ଶନ ଏବଂ ହତାଶା ଓ ବେଦନାବୋଧ ମଣିଷର ଚିନ୍ତାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ହସ ତା ମୁହଁରେ ଲିଭିଯାଇଛି । ଆଧ୍ୟାତ୍ମିକ ଶୂନ୍ୟତାରୁ ମଣିଷ ଜୀବନରେ ଟ୍ରାଜେଡିର ସୃଷ୍ଟି ହୋଇଛି । ଏବେ ରୋମାନ୍‌ସ ଅର୍ଥହୀନ । ପ୍ରଣୟ କହିଲେ ଦେହର ମିଳନକୁ ବୁଝାଏ । ଅନ୍ୟକୁ ଦୁଃଖଦେଇ ମନୁଷ୍ୟ ଏକ ବନ୍ୟ ଆନନ୍ଦ ପାଏ । ଏହି ସାଡିଷ୍ଟିକ୍ ପ୍ଳେଜ୍‌ର ବକ୍ରୋକ୍ତି ଓ ଶ୍ଳେଷ ମଧ୍ୟରେ ଉପସ୍ଥାପିତ । ମହାପାତ୍ର ନୀଳମଣି ସାହୁଙ୍କର ‘ଧରା ଓ ଧାରା’, ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ନରକିନ୍ନର’, ‘ଶତାବ୍ଦୀର ନଚିକେତା’ କିମ୍ୱା ଗୋବିନ୍ଦ ଦାସଙ୍କର ‘ଅମାବାସ୍ୟାର ଚନ୍ଦ୍ର’ରେ ହାସ୍ୟବ୍ୟଙ୍ଗ୍ୟର ଏକ ଅଧୁନା ରୂପ ଅଣ୍ଡର୍ ଷ୍ଟେଟ୍‌ମେଣ୍ଟ୍ ପରିଲକ୍ଷିତ ।

 

ବିଶ୍ୱଯୁଦ୍ଧର ମୁଖବ୍ୟାଦାନ ମଧ୍ୟରୁ ଛିଟିକି ପଡ଼ି ମଣିଷ ହୋଇ ଯାଇଛି ଗୋଟାଏ ସହିଂସ୍ର ପଶୁ । ନିଜର ସ୍ଥିତି ପାଇଁ ସେ ସମାଜର ସମସ୍ତଙ୍କର ଗଳାଚିପିବାକୁ ଆରମ୍ଭ କରିଛି । ସାଂପ୍ରତିକ ମଣିଷ ମନରେ ଅନେକ ସନ୍ଦେହର କୁଜ୍‌ଝଟିକା, ବହୁବେଶି ଅବିଶ୍ୱାସର ଚାରା ରୋପିତ ହୋଇ ସାରିଛନ୍ତି । ମଣିଷ ମନର ଏହି ଅନ୍ଧାରୀ କୋଣରେ ଏ ପର୍ଯ୍ୟନ୍ତ ବୁଦ୍ଧିର ସୂର୍ଯ୍ୟାଲୋକ ପ୍ରବେଶ କରିପାରିନି । ଏହିପରି ମଣିଷର ଦୁଇଟିମାତ୍ର କାର୍ଯ୍ୟ-ସମ୍ୱାଦପତ୍ର ପଠନ ଓ ରମଣ । ଶ୍ରୀ ଚନ୍ଦ୍ର ଶେଖର ରଥ ‘ଅସୂର୍ଯ୍ୟ-ଉପନିବେଶ’ରେ ହିପୋକ୍ରାଟ ମଣିଷର ସ୍ୱରୂପ ଉଦ୍‌ଘାଟନ କରିଛନ୍ତି । ଆଜିର ମଣିଷ ରାଜନୀତିଜ୍ଞଙ୍କ ପରି ଦୋ’ନମ୍ବରୀ । ସବୁ ଅନ୍ୟାୟ ଅସତ୍ୟ ଓ ଅନାଚାର ମଧ୍ୟରେ ଅର୍ଥଗ୍ରୁଧ୍ନୁ ସାଜି, ନିଜର ଭୋଗ ବିଳାସକୁ ସେ ଚରିତାର୍ଥ କରୁଛି । ବଡ଼ ବଡ଼ ସଭା ସମିତିରେ ସେ ଫୁଲମାଳ ପିନ୍ଧି ଭିକ୍ଟୋରିଆନ୍ ଇଣ୍ଟେଲିଜେନସି୍‌ଆ ସାଜି ଦୀର୍ଘ ଭାଷଣ ଦେଇପାରେ । ମଣିଷର ଏହି କୁତ୍ସିତ ସ୍ୱରୂପକୁ କଟୁ ଆଲୋଚନା, ବକ୍ରୋକ୍ତି (ଆଇରନି) ଓ ଶ୍ଳେଷ (ଜେଷ୍ଟ୍) ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ ଶ୍ରୀ ରଥ ।

 

ଓଡ଼ିଆ ଉପନ୍ୟାସ ସୃଷ୍ଟିର ଏହି ଗୋଟିଏ ଶତାବ୍ଦୀ ମଧ୍ୟରେ ଲକ୍ଷ୍ୟ କରାଯାଇଛି ଯେ ଓଡ଼ିଆ ଉପନ୍ୟାସରେ ହାସ୍ୟ ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନ ଲାଭ କରିଛି । ଫକୀରମୋହନଙ୍କ କୃତିମାନଙ୍କରେ ଓ ପରବର୍ତ୍ତୀ କାଳରେ ହାସ୍ୟର ବିଭିନ୍ନ ବିଭାଗ ଯଥା ବକ୍ରୋକ୍ତି (ଆଇରନି), ଶ୍ଳେଷ (ଜେଷ୍ଟ୍), ପ୍ରହସନ (ଫାର୍ସ୍), ସ୍ମିତହାସ୍ୟ (ହ୍ୟୁମର୍), ବାଗ୍‌ବୈଦ୍‌ଗଧ୍ୟ (ଉଇଟ୍‌), ବ୍ୟଙ୍ଗ୍ୟ (ସାଟାୟାର୍‌) ଓ ବକ୍ରୋକ୍ତି ଓ ଶ୍ଳେଷର ମିଶ୍ରିତ ସ୍ୱରୂପ (ଅଣ୍ଡର ଷ୍ଟେଟ୍‌ମେଣ୍ଟ) ଉପସ୍ଥାପିତ । ଓଡ଼ିଆ ସାହିତ୍ୟରେ ପାରମ୍ପରିକ ହାସ୍ୟର ବିଭିନ୍ନ ବିଭାଗ ଯଥା, ବକ୍ରୋକ୍ତି, ଶ୍ଳେଷ, ବ୍ୟାଜୋକ୍ତି, ବ୍ୟାଜସ୍ତୁତି, ଛଳୋକ୍ତି, ଆକ୍ଷେପୋକ୍ତି, ବିରୋଧାଭାସ, ପରିହାସ, ଥଟ୍ଟା, ଟିକଲ, ରହସ୍ୟ, ଅନୁକରଣ ଓ କୌତୁକ ପ୍ରଭୃତି ରୂପାୟିତ ହୋଇଛି ।

 

ଓଡ଼ିଆ ଉପନ୍ୟାସର ଅସାମାଜିକ ମଣିଷଟା ହିଁ ହୋଇଯାଇଛି ହାସ୍ୟର ଶରବ୍ୟ । ସୁସ୍ଥ-ସାମାଜିକ ପରଂପରା ପ୍ରତିଷ୍ଠା କରିବା ହାସ୍ୟର ଚିରନ୍ତନ ଲକ୍ଷ୍ୟ । ଏହା ବ୍ୟକ୍ତିକୁ ଆଘାତ ଦେଇ ନଷ୍ଟ କରି ଦେଇ ନାହିଁ, ବରଂ ତା ମଧ୍ୟରେ ରହିଥିବା ଚିରନ୍ତନ ମାନବିକତାର ମୂଲ୍ୟବୋଧକୁ ଜାଗ୍ରତ କରାଇ ଦେଇ ବିରୋଧୀ ସମୀମତାକୁ ଧ୍ୱଂସ କରିଦେଇଛି । ଏହା ମଣିଷକୁ ଅଧିକରୁ ଅଧିକତର ସୁନ୍ଦର, ଶ୍ରୀସମ୍ପନ୍ନ ଓ ସମ୍ମାନିତ କରିଦେଇଛି । ସତ୍ୟାଧାରିତ ଦୃଷ୍ଟି କୋଣରୁ କୁହାଯାଇ ପାରେ ଯେ ଏହି ହାସ୍ୟରସ ସର୍ବଦା ଦୁର୍ବଳମନା ମାନବର ନୁହେଁ, ବରଂ ନିର୍ବୋଧତାର, ହୀନମନ୍ୟତାର ଅନ୍ୱେଷଣ କରିଛି । ଅନନ୍ତ ସୃଷ୍ଟି ସହିତ ମାନବର କ୍ଷୁଦ୍ରତମ ସଂସାରକୁ ତୁଳନା କରି ହାସ୍ୟ ମାନବେତର ଦୁର୍ବଳତାକୁ ଆଘାତ କରି ଆସିଛି । ସାଂପ୍ରତିକ ଉପନ୍ୟାସମାନଙ୍କରେ ହାସ୍ୟବଙ୍ଗ୍ୟର ଏହି ସୂକ୍ଷ୍ମ-କୋମଳବୃତ୍ତି-ପୂର୍ଣ୍ଣ ବିଭିନ୍ନ ବିଭାଗର ଜଟିଳ ପିରାମିଡର ପରିଚୟ ମିଳିଛି ।

 

 

କ୍ଷେତ୍ରବାସୀ ଡି.ଏ. ଭି. କଲେଜ,

ନିରାକାରପୁର

 

***

 

Unknown

ଓଡ଼ିଆ ଉପନ୍ୟାସରେ ପୌରାଣିକତା

ଡଃ ହରିହର କାନୁନଗୋ

 

ପୁରାଣର ଆକ୍ଷରିକ ଅର୍ଥ ପ୍ରାଚୀନ-ଚିରନ୍ତନ । କିନ୍ତୁ ବ୍ୟାବହାରିକ ବିଶେଷ ଅର୍ଥରେ ଏହା ଲିଖିତ ସାହିତ୍ୟର ବର୍ଗ ବିଶେଷ । ପୁରାଣ ସଂପର୍କୀତ କଥା ବା କାହାଣୀକୁ ପୌରାଣିକ ଉପାଖ୍ୟାନ କୁହାଯାଏ । କେବଳ ଏହି ଉପାଖ୍ୟାନର ସାର୍ବଜନୀନ ଓ ସର୍ବକାଳୀନ ମୂଲ୍ୟ ଥିବାରୁ ତାହା ବାରମ୍ୱାର ସାହିତ୍ୟର ବିଭିନ୍ନ ଯୁଗରେ ପୁନଃପ୍ରତିଷ୍ଠିତ ହୋଇଥାଏ । ଏହିଭଳି ବାରମ୍ୱାର କଥିତ ହେଉଥିବା ପୁରାଣର ଉପାଖ୍ୟାନକୁ ପରବର୍ତ୍ତୀ ସାହିତ୍ୟର ପୌରାଣିକତା ବୋଲି ଆଖ୍ୟା ଦିଆଯାଇପାରେ ।

 

ପୁରାଣ ଓ ପୌରାଣିକ କିମ୍ୱଦନ୍ତୀ ବା ଉପାଖ୍ୟାନ ପ୍ରାଚୀନ ସଂସ୍କୃତି ଓ ସାହିତ୍ୟର ଭିତ୍ତିଭୂମି । ଯୁଗେ ଯୁଗେ ପୌରାଣିକ ଉପାଖ୍ୟାନ ସବୁ ପ୍ରାଚୀନତାର ପରିଚ୍ଛଦ ପରିଧାନ କରି ଆବିର୍ଭୂତ ହେଲେ ହେଁ ଏହାର ଏକ ଚିରନ୍ତନ ଆତ୍ମପ୍ରକାଶ ରହିଛି । ସେଇଥିପାଇଁ ରାମାୟଣରେ ସୀତାଙ୍କ ଉପରେ ରାମଚନ୍ଦ୍ରଙ୍କ ବାରମ୍ୱାର ସନ୍ଦେହ ଓ ସୀତା ନିଜ ସତୀତ୍ୱର ପରାକାଷ୍ଠା ଦେଖାଇବାକୁ ଅଗ୍ନିରେ ପ୍ରବେଶ ଏବଂ ରାବଣର ବଳପୂର୍ବକ ସୀତାଙ୍କୁ ଅପହରଣ ଏହି ସବୁ କେବଳ ଆଖ୍ୟାୟିକା ନୁହେଁ, ବରଂ ଏହା ଯୁଗ ଯୁଗ ଧରି ମଣିଷ ମନର ଅନ୍ତନିର୍ହିତ ପ୍ରବୃତ୍ତିର ପରିପ୍ରକାଶ । ତେଣୁ ମାନବିକ ପ୍ରବୃତ୍ତିର ଅସଲ ସ୍ୱରୂପକୁ ଉନ୍ମୋଚିତ କରି ମହାକାବ୍ୟରେ ଯେଭଳି ପ୍ରକାଶ ପାଏ, ଠିକ୍ ସେହିଭଳି ଔପନ୍ୟାସିକ ମଣିଷର ମନଗହୀରର ପ୍ରବୃତ୍ତିକୁ ବିଭିନ୍ନ ଘଟଣା ମାଧ୍ୟମରେ ଗୁନ୍ଥି ଦେବା ଅବକାଶରେ ନାନା କିମ୍ୱଦନ୍ତୀ ମାଧ୍ୟମରେ ସେ ଗୋଟିଏ ଜାତିର ସମସ୍ୟା, ଆଦର୍ଶ, ଧର୍ମ ଧାରଣା, ଚିନ୍ତାଚେତନା ତଥା ବହୁ ଐତିହାସିକ ତଥ୍ୟର ସୂଚନା ଦେଇଥାନ୍ତି । ଯେଉଁ ସାହିତ୍ୟ ଯେତେ ପରିମାଣରେ ପୌରାଣିକତାର ଉପାଖ୍ୟାନରେ ରସାଣିତ, ସେ ସାହିତ୍ୟ ସେତିକି ସମୃଦ୍ଧ । ଇତିହାସ ସହିତ ପୌରାଣିକ କଥା ବିନ୍ୟାସର ପ୍ରୟୋଗ ଉପନ୍ୟାସ ସାହିତ୍ୟରେ ବାସୁକନ ଅନନ୍ୟ । ଉପନ୍ୟାସର ପୌରାଣିକ କଥାବିନ୍ୟାସର ପ୍ରୟୋଗ ଫଳରେ ପ୍ରାଚୀନ ପରଂପରାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଉଚ୍ଚତର ମୂଲ୍ୟବୋଧର ପ୍ରତିଷ୍ଠା କରେ । ମିଥ୍‌ ଓ ପୁରାଣ ମଧ୍ୟରେ ପାର୍ଥକ୍ୟ ରହିଛି । ଗବେଷକ ମାଲିନୋସ୍କିଙ୍କର ମତାନୁସାରେ ମିଥ୍‌ର ଜନ୍ମ ପୁରାଣରୁ ନୁହେଁ, ବରଂ ପୌରାଣିକ ରଚନା ସବୁ ବହୁ ମିଥ୍, ଲୋକକଥା, ଆଖ୍ୟାୟିକା ଓ କିମ୍ବଦନ୍ତୀରୁ ଜନ୍ମ ଲାଭ କରିଛି ।

 

ପୁରାଣ ଶବ୍ଦଟି ମଧ୍ୟରେ ମିଥ୍‌ର ଗତି ପ୍ରକୃତି ଯଥାର୍ଥ ଭାବେ ପ୍ରକାଶିତ ନହୋଇ ବରଂ ପୁରାଣ ଭାବ ପୁରାତନ ପ୍ରଭୃତି ପୁରାଣର ଅର୍ଥ ଗୁଡ଼ିକ ସହ ମିଥ୍‌ର ଏକ ଚାରିତ୍ରିକ ଲକ୍ଷଣର ସାମଞ୍ଜସ୍ୟ ଦେଖାଯାଏ । ପୁରାଣ ଅପେକ୍ଷା ମିଥ୍ ପ୍ରାଚୀନତର ଓ ବ୍ୟାପକତର । କିନ୍ତୁ ପୁରାଣ କଥାର ମୂଳଭାବ ‘ମିଥ୍‌’ ମଧ୍ୟରେ ନିହିତ । କିନ୍ତୁ ସାଧାରଣତଃ ମିଥ୍ କହିଲେ ପ୍ରାଗୈତିହାସିକ ଯୁଗର ଗଳ୍ପକାହାଣୀ କଥା ମନକୁ ଆସେ । ତେଣୁ ପୁରାଣରେ ଆଂଶିକ ମିଥ୍ ଓ ଆଂଶିକ ଇତିହାସର ସୂଚନା ମିଳେ । ପୁରାଣର ସଂଜ୍ଞା ପ୍ରସଙ୍ଗରେ ବାୟୁ ପୁରାଣରେ ଉଲ୍ଲେଖ ଅଛି-

 

‘‘ଇତିହାସ ପୁରାଣାଭ୍ୟଂ ବେଦ ସମୁପ ବୃଂହୟତେ

ବିଭେତ୍ୟଳ୍ପ ଶ୍ରୁତାବ୍ୱେଦୋ ମାମୟଂ ପ୍ରହରିଷ୍ୟତି ।’’

 

ଏଠାରେ ଇତିହାସରେ ଥିବା ପୁରାଣର ଲକ୍ଷଣକୁ ଉପଲବ୍‌ଧି କରାଯାଇଅଛି । କିନ୍ତୁ ଅନ୍ୟ ଅର୍ଥରେ ମିଥ୍‌କୁ ମାନବ ସଂସ୍କୃତିର ଆଦିମ ଇତିହାସ ଭାବରେ ନୃତତ୍ତ୍ୱବିଦ୍‌ ମାନେ ମତ ଦିଅନ୍ତି । ରାମାୟଣ ରଚନା ହେବା ପୂର୍ବରୁ ଲୋକ-ସମାଜରେ ପ୍ରଚଳିତ ବିକ୍ଷିପ୍ତ ରାମାୟଣ ଆଖ୍ୟାୟିକାକୁ ଆଦିମ ପୁରାଣ କଥାଭାବରେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ମତକୁ ମିଥ୍ ଭାବରେ ଗ୍ରହଣ କରାଯାଇଛି । ପୁରାଣ ଏବଂ ଇତିହାସର ଧାରଣା ମିଥ୍‌ର ପ୍ରାଗୈତିହାସିକ ଓ ପ୍ରାକ୍‌ ପୌରାଣିକ ଧାରଣାର ପରିଚୟ ଦିଏ । ମଣିଷର ଶାଶ୍ୱତ ଅନୁଭୂତିକୁ ମହାଭାରତ, ରାମାୟଣ ଓ ପୁରାଣାଦି ଉପାଖ୍ୟାନ ଗୁଡ଼ିକ ମାଧ୍ୟମରେ ଉପନ୍ୟାସରେ ପ୍ରୟୋଗ କରାଯାଇ ଚିରନ୍ତନ ମୂଲ୍ୟବୋଧର ପରିପ୍ରକାଶ ଘଟିଥାଏ । ପୁଣି ପୌରାଣିକ ଉପାଖ୍ୟାନଗୁଡ଼ିକୁ କେବଳ ପ୍ରତୀକ ବା ରୂପକଳ୍ପ ଭାବରେ ପ୍ରକାଶ ନକରି ଔପନ୍ୟାସିକ ପୌରାଣିକତାର ସାମଗ୍ରିକ ଭିତ୍ତିଭୂମିକୁ ଚରିତ୍ର ମାଧ୍ୟମରେ ପ୍ରକାଶ କଲେ ତାହା ଆମ ସଂସ୍କୃତିର ଛାପ ଗ୍ରହଣ କରି ଏକ ନୂତନ ଆଭିମୁଖ୍ୟ ସୃଷ୍ଟି କରେ । କିନ୍ତୁ ଘଟଣା ପ୍ରଧାନ ଉପନ୍ୟାସରେ ଘଟଣାର ପ୍ରାଚୁର୍ଯ୍ୟ ଥାଏ ସତ କିନ୍ତୁ ମଣିଷ ଜୀବନର ସ୍ପନ୍ଦନ ନଥାଏ । ମଣିଷ ଜୀବନକୁ ବହୁ ଭାବରେ ପ୍ରଭାବିତ କରେ ତାର ମନସ୍ତତ୍ତ୍ୱ ଓ ମାନସିକ ଦ୍ୱନ୍ଦ୍ୱ । ଏହି ମନସ୍ତତ୍ତ୍ୱ ଆମର ପ୍ରାଚୀନ ପୁରାଣ ଓ କିମ୍ବଦନ୍ତୀକୁ ଆଶ୍ରୟ କରି ଗଢ଼ି ଉଠିଛି ।

 

ଏହି ପୁରାଣର କଥାବସ୍ତୁ ଓ ଚରିତ୍ରକୁ ଆଧାର କରି ରଚିତ ହୋଇଥିବା ଉପନ୍ୟାସକୁ ପୌରାଣିକ ଉପନ୍ୟାସ କୁହାଯାଏ । କିନ୍ତୁ ପୌରାଣିକ ଉପନ୍ୟାସ ବ୍ୟତୀତ ଅନ୍ୟାନ୍ୟ ସାମାଜିକ, ଐତିହାସିକ ଉପନ୍ୟାସ ପ୍ରଭୃତିରେ ବହୁ ଘଟଣା ପ୍ରବାହର ବର୍ଣ୍ଣନା ପ୍ରସଙ୍ଗରେ ପୁରାଣର ଉପାଖ୍ୟାନକୁ ସଂଯୋଜନା ମଧ୍ୟ କରାଯାଇଥାଏ । ପୌରାଣିକ ଉପାଖ୍ୟାନର ପ୍ରୟୋଗ ଓଡ଼ିଆ ଉପନ୍ୟାସରେ ବହୁଳ ଭାବରେ ପରିଲକ୍ଷିତ ହୁଏ । ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ସାହିତ୍ୟରେ ବହୁ ପୌରାଣିକ ଉପନ୍ୟାସ ରଚିତ ହୋଇଛି । ବଙ୍ଗଳା ସାହିତ୍ୟରେ ରାଜେନ୍ଦ୍ରଲାଲ ମିତ୍ରଙ୍କ ‘ପାଞ୍ଚଜନ୍ୟ’ ସୁନିଲ ଗଙ୍ଗୋପାଧ୍ୟାୟଙ୍କ ‘ରାଧାକୃଷ୍ଣ’ ଏବଂ ‘ଶକୁନ୍ତଳା’, ଦୀପକଚନ୍ଦ୍ରଙ୍କ ‘ଦ୍ରୌପଦୀ ଚିରନ୍ତନୀ’, ‘ମହାବିଶ୍ୱେ ମଧୁବୈଟକ, ‘ରାବଣ କହେ ନିଜନାମ୍’ ଓ ‘ଶ୍ରୀକୃଷ୍ଣ ପୁରୁଷୋତ୍ତମ’ ଏବଂ ସମରେଶ ବସୁଙ୍କ ‘ଶାମ୍ବ’ ପ୍ରଭୃତି ପୌରାଣିକ ଉପନ୍ୟାସଗୁଡ଼ିକ ସର୍ବଭାରତୀୟ ଉପନ୍ୟାସ ସାହିତ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ଓଡ଼ିଆ ସାହିତ୍ୟରେ ପୌରାଣିକ ଉପନ୍ୟାସ ଭାବରେ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ଏବଂ ସୁକାମିନୀ ନନ୍ଦଙ୍କ ‘ରାଈ ବିନୋଦିନୀ’ ଏ କ୍ଷେତ୍ରରେ ବିଚାର୍ଯ୍ୟ । ଏହି ପ୍ରବନ୍ଧରେ ମିଥ୍ ଉପରେ ଗୁରୁତ୍ୱ ଦିଆ ନଯାଇ ପୌରାଣିକ ଉପାଖ୍ୟାନ ବା କମ୍ବଦନ୍ତୀ ଉପରେ ଗୁରୁତ୍ଵ ଦିଆଯାଇଛି । ଓଡ଼ିଆ ଉପନ୍ୟାସରେ ପୌରାଣିକତାର ସୂଚନା ଉପରେ ଆଲୋକପାତ କରାଯାଇଛି ।

 

ଏହି ପରିପ୍ରେକ୍ଷୀରେ ମହାଭାରତର କଥାବସ୍ତୁ ଉପରେ ଆଧାରିତ ଏବଂ ଆଧୁନିକ ଢଙ୍ଗରେ ରଚିତ ଔପନ୍ୟାସିକ ପ୍ରତିଭା ରାୟଙ୍କର ‘ଯାଜ୍ଞସେନୀ’ ଉପନ୍ୟାସ ଏକ ନୂତନ ସୃଷ୍ଟି । ଯଜ୍ଞକୁଣ୍ଡରୁ ଜାତ ଦ୍ରୁପଦରାଜକନ୍ୟା ଯାଜ୍ଞସେନୀ ଦ୍ରୌପଦୀଙ୍କର କୃଷ୍ଣଙ୍କ ସହ ମିଳନ ପାଇଁ ଆଗ୍ରହ, କୃଷ୍ଣଙ୍କର ସଖା ଦୁତୀକୃଷ୍ଣ ପାଣ୍ଡବବୀର ଅର୍ଜୁନଙ୍କ ଲାଖବିନ୍ଧା ସ୍ୱୟମ୍ବରରେ ପାଇବା ପାଇଁ ଆବେଗ ଓ ଉତ୍କଣ୍ଠା ପ୍ରଭୃତି ପୌରାଣିକ ଉପାଖ୍ୟାନାଗୁଡ଼ିକ ଏହି ଉପନ୍ୟାସରେ ବେଶ୍ ହୃଦୟସ୍ପର୍ଶୀ । ଶେଷରେ ବୀର ଅର୍ଜୁନ ପୃଥିବୀରେ ସତ୍ୟ ପ୍ରତିଷ୍ଠା ଓ ଧର୍ମରକ୍ଷା ନିମନ୍ତେ ଲାଖବିନ୍ଧାରେ ବିଜୟଲାଭ କରିଛନ୍ତି । କର୍ମ ଓ ସାଧନା ହିଁ ମନୁଷ୍ୟର ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରିଥାଏ । ପୁଣି ପାଣ୍ଡବ ପାଞ୍ଚଭାଇଙ୍କ ଭିତରେ ଭ୍ରାତୃବିବାଦର ଅବସାନ ଏବଂ ସମସ୍ତଙ୍କର ଧର୍ମରକ୍ଷା ତଥା ଦୁରାଚାରୀ ଶହେଭାଇ କୌରବଙ୍କୁ ଦମନ କରିବାପାଇଁ କୃଷ୍ଣା ହିଁ ହୋଇଛନ୍ତି ପାଣ୍ଡବ ପାଞ୍ଚଭାଇଙ୍କର ଅର୍ଦ୍ଧାଙ୍ଗିନୀ । ପୁଣି ମହାମୁନି ପରାଶରଙ୍କ ବଳାତ୍କାରରେ ଧୀବରକନ୍ୟା ମତ୍ସ୍ୟଗନ୍ଧାଙ୍କଠାରୁ କୃଷ୍ଣ ଦ୍ୱୈପାୟନଙ୍କ ଜନ୍ମ ଓ ଯୋଜନଗନ୍ଧାରେ ପରିଣତ ହେବା, ଅସହାୟା ଅମ୍ବାର ଆତ୍ମାହୂତି, ଅମ୍ବିକା ଓ ଅମ୍ବାଳିକାଙ୍କ ଦୁଃଖମୟ ଜୀବନ ବୃତ୍ତାନ୍ତ, ନାରଦଙ୍କ ଦ୍ୱାରା ସୁନ୍ଦ ଓ ଉପସୁନ୍ଦଙ୍କ କାହାଣୀ ଯୁଧିଷ୍ଠିରଙ୍କ ସମ୍ମୁଖରେ ବର୍ଣ୍ଣନା, ଖାଣ୍ଡବ ବନ ଦହନରେ ‘ମୟ’ ରାକ୍ଷସର ସୃଷ୍ଟି, ଖାଣ୍ଡବ ପ୍ରସ୍ଥ ନିର୍ମାଣ, ଓ କୁନ୍ତୀଙ୍କ ଧର୍ମପୁତ୍ର ବର୍ଣ୍ଣର ଜନ୍ମ ଚରିତ ପ୍ରଭୃତି ପୌରାଣିକ ଘଟଣାଗୁଡ଼ିକ ଯାଜ୍ଞସେନୀ ଚରିତ ମାଧ୍ୟମରେ ଔପନ୍ୟାସିକ ପ୍ରକାଶ କରିଛନ୍ତି । ବନବାସ କାଳରେ ପାଣ୍ଡବବୀର ଅର୍ଜୁନ ଉଲୁପି, ଚିତ୍ରାଙ୍ଗଦା, ଆର୍ଯ୍ୟାନାରୀ ଓ ସୁଭଦ୍ରାଙ୍କୁ ବିବାହ, ଯୁଧିଷ୍ଠିରଙ୍କ ଦ୍ୱାରା ରାଜସୂୟ ଯଜ୍ଞର ଆୟୋଜନ, ମଗଧରାଜ ଜରାସନ୍ଧର ମୃତ୍ୟୁ, ଶ୍ରୀକୃଷ୍ଣଙ୍କ ଦ୍ୱାରା ଶିଶୁପାଳ ନିହତ ହେବା ପ୍ରଭୃତି ପୌରାଣିକତାର ପୃଷ୍ଠଭୂମି ଉପରେ ଏହି ଉପନ୍ୟାସଟି ଜୀବନ୍ତ ହୋଇ ଉଠିଛି । ମହାଭାରତୀୟ ପରଂପରା ଓ ସଂସ୍କୃତି ତଥା ଆର୍ଯ୍ୟ କୂଳର ରୀତିନୀତିକୁ ଔପନ୍ୟାସିକ ସାମାଜିକ ଚଳଣି ଓ ପରଂପରା ଭିତରେ ରୂପାୟିତ କରିଛନ୍ତି ।

 

ବିନାଯୁଦ୍ଧେ କୌରବମାନେ ପାଣ୍ଡବମାନଙ୍କୁ ପାଞ୍ଚଖଣ୍ଡି ଗ୍ରାମ ଦେଇ ନାହାନ୍ତି । ଫଳରେ ଉଭୟଙ୍କ ଭିତରେ ଦେଖା ଦେଇଛି ସଂଘର୍ଷ । କୁରୁପାଣ୍ଡବଙ୍କର ସଂଘର୍ଷ ଧର୍ମ ଅଧର୍ମର, ଆଦର୍ଶ ଅନାଦର୍ଶର, ନ୍ୟାୟ ଓ ଅନ୍ୟାୟର, ସତ୍ୟ ଅସତ୍ୟର ସଂଘର୍ଷ । ଧର୍ମ, ଆଦର୍ଶ ଓ ଶାନ୍ତି ତଥା ମାନବିକ କଲ୍ୟାଣ ସାଧନ ନିମନ୍ତେ ପାଣ୍ଡବମାନେ ହୋଇଛନ୍ତି ଦୃଢ଼ପ୍ରତିଜ୍ଞ । ସତ୍‌କର୍ମର କ୍ଷେତ୍ର ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ହେବ ଧର୍ମର ବିଜୟ । ପୁଣି ହେବ ପୁରୁଷକାରର ଜୟ ଏବଂ ଅହଂକାରର ହେବ ପରାଜୟ । ଏକ ପକ୍ଷରେ ଦୈବୀ ଶକ୍ତି ପ୍ରତି ଗଭୀର ଆସ୍ଥା ଓ ଅନ୍ୟପକ୍ଷରେ ସ୍ୱାର୍ଥପରତା ଓ ଅହଂକାରର ବିକଟତା । ମହାଭାରତ ମହାସମରରେ ହୋଇଛି ଧର୍ମ ଓ ନ୍ୟାୟର ବିଜୟ । ମହାଭାରତ ଯୁଦ୍ଧ ଥିଲା ରାଜ୍ୟ ପାଇଁ ଯୁଦ୍ଧ, ରକ୍ତପାତ ଓ ମୃତ୍ୟୁ । ହସ୍ତିନା ଓ ଇନ୍ଦ୍ରପ୍ରସ୍ଥ ରାଜ୍ୟ ଭିତରେ ସୁସଂପର୍କ ସ୍ଥାପନ ପାଇଁ ଔପନ୍ୟାସିକାଙ୍କର ଇଙ୍ଗିତ ଏ କ୍ଷେତ୍ରରେ ଉଲେଖନୀୟ । ପୁଣି ଏହି ମହାଭାରତର କୃଷ୍ଣଚେତନା, ଆଧ୍ୟାତ୍ମିକ ଓ ଧାର୍ମିକ ମନୋଭାବ ଏହି ପୃଥବୀରେ ପରିଲକ୍ଷିତ ହେଉ ଏବଂ କଳିଯୁଗର ଅଶାନ୍ତ ହୃଦୟକୁ ସର୍ବଦା ଶାନ୍ତକରୁ, ଏହା ହିଁ ହେଉଛି ଲେଖିକାଙ୍କର ମନୋଭାବ ।

 

ଏହି ଉପନ୍ୟାସରେ କର୍ମ, ଜ୍ଞାନ ଓ ଭକ୍ତି ଓ ଶକ୍ତିର ପ୍ରତୀକ ଯାଜ୍ଞସେନୀ ନିର୍ଯ୍ୟାତନା ଓ ମାନସିକ ସଂକଟ ଭିତରେ ଗତି କରିଥିଲେ ମଧ୍ୟ ଆପଣାର ମନୋବଳ ହରାଇ ନାହାନ୍ତି । ପୁଣି କୁରୁପାଣ୍ଡବଙ୍କର ଦୁଇ ରାଜଧାନୀ ହସ୍ତିନା ଓ ଇନ୍ଦ୍ରପ୍ରସ୍ଥ ଭିତରେ ସୁସଦ୍‌ଭାବ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଔପନ୍ୟାସିକା ବ୍ୟଗ୍ର ହୋଇ ଉଠିଛନ୍ତି । ତେଣୁ ଦୁଇଟି ରାଜଧାନୀ ଭିତରେ ସମନ୍ୱୟ ଓ ସଂହତି ଆଣିବାପାଇଁ ମହାଭାରତର କଥାବସ୍ତୁ ଓ ଚରିତ୍ରର ଏଭଳି ଅବତାରଣା ବାସ୍ତବିକ ଉଲ୍ଲେଖନୀୟ । ମହାଭାରତ ଭଳି ମହାସମରରେ ପରାଜିତ ଓ ବିଜୀତ ଉଭୟ ପକ୍ଷରେ ଘୋର କ୍ଷତି ହୋଇଥାଏ । ତେଣୁ ଯୁଦ୍ଧ ଆଦୌ ସୃହଣୀୟ ନୁହେଁ । କାରଣ ଯୁଦ୍ଧ ଓ ପ୍ରତିହିଂସାର ବିଦ୍ରୋହାଗ୍ନି ମଣିଷକୁ ସର୍ବଦା ମୃତ୍ୟୁମୁଖକୁ ଟାଣି ନିଏ । ମର୍ତ୍ତ୍ୟଭୂମିରେ ଶାନ୍ତିପ୍ରତିଷ୍ଠାପାଇଁ ଲେଖିକାଙ୍କର ଏଭଳି ଆହ୍ୱାନ ପ୍ରଣିଧାନଯୋଗ୍ୟ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଆର୍ଯ୍ୟ ଓ ଅନାର୍ଯ୍ୟର ପାର୍ଥକ୍ୟକୁ ଦୂରୀଭୂତ କରି ସମଗ୍ର ଭାରତଭୂମିରେ ଶାନ୍ତି, ପ୍ରୀତି, ମୈତ୍ରୀ ଓ ସଂହତିର ଦୃଢ଼ ସ୍ଥାପନା ନିମନ୍ତେ ସେ ଉଦ୍ୟମ କରିଛନ୍ତି । ଯେଭଳି-ସୁବର୍ଣ୍ଣ ପୁଷ୍ପ ଦ୍ୱାରା ଇନ୍ଦ୍ରପ୍ରସ୍ଥକୁ ରାସ୍ତା ନିର୍ମାଣ କରାଇ ଆର୍ଯ୍ୟ ଓ ଅନାର୍ଯ୍ୟ ଭିତରେ ସମନ୍ୱୟ ସ୍ଥାପନ ଏବଂ କାମ୍ୟକ ବନର ଶବରପଲ୍ଲୀରେ ସମସ୍ତେ ଏକତ୍ର ଭୋଜନ କରିବା ଓ ଯାଜ୍ଞସେନୀ ସେମାନଙ୍କୁ ପରଶିବା ସଙ୍ଗେସଙ୍ଗେ ସେମାନଙ୍କ ସୁଖ ଦୁଃଖରେ ସମଭାଗୀ ହେବା ଇତ୍ୟାଦି ଲୋକାଚାର ଭିତରେ ନୀତି, ଧର୍ମ ଓ ଆଦର୍ଶର ପ୍ରତିଷ୍ଠା ହୋଇଛି । କଳିଯୁଗରେ ସମରଶଂକିତ ଅଶାନ୍ତ ବିପନ୍ନ ବିଶ୍ୱମାନବର ହୃଦୟରେ ଯାଜ୍ଞସେନୀଙ୍କର ସେହି ଶାନ୍ତିର ପବିତ୍ର ମୋହନ ବଂଶୀସ୍ୱର ସର୍ବଦା ଅନୁରଣିତ ହେଉ, ଏହା ହିଁ ହେଉଛି ଶାନ୍ତିକାମୀ ଔପନ୍ୟାସିକାଙ୍କର ‘ଯାଜ୍ଞସେନୀ’ ଉପନ୍ୟାସର ବୈଶିଷ୍ଟ୍ୟ ।

 

ଓଡ଼ିଶାର ଗଙ୍ଗବଂଶୀ ରାଜା ବୀର ଅନଙ୍ଗ ଭୀମଦେବଙ୍କ ପୁତ୍ର ପରାକ୍ରମଶାଳୀ, ଯୋଦ୍ଧା, ଧର୍ମପ୍ରାଣ ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ବିଶ୍ୱବିଖ୍ୟାତ ପଦ୍ମକ୍ଷେତ୍ର, ଅର୍କକ୍ଷେତ୍ର (କୋଣାର୍କ) ସୂର୍ଯ୍ୟ ମନ୍ଦିର ନିର୍ମାଣରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରଂପରା ତଥା ଶିଳ୍ପଭାସ୍କର୍ଯ୍ୟର ନୈପୁଣ୍ୟ ପ୍ରଦର୍ଶନ ନିମନ୍ତେ ପ୍ରତିଟି ଶିଳାଖଣ୍ଡ ଯେଭଳି ଜୀବନ୍ତ ସେହିଭଳି ବିସ୍ମୟକର । ସେହି ପଦ୍ମକ୍ଷେତ୍ରରେ ପ୍ରତିଷ୍ଠିତ ଶିଳାଖଣ୍ଡର ମହନୀୟତାକୁ ପ୍ରତିପାଦନ କରିବାକୁ ଯାଇ ଔପନ୍ୟାସିକା ପ୍ରତିଭା ରାୟ ଏହି ଉପନ୍ୟାସର ନାମକରଣ କରିଛନ୍ତି ‘ଶିଳାପଦ୍ମ’ । ଏଥିରେ ଇତିହାସର ଘଟଣାଗୁଡ଼ିକୁ ଲୋକାଚାର ଭିତରେ ଯେଭଳି ବର୍ଣ୍ଣନା କରାଯାଇଛି, ସେହିଭଳି ପ୍ରାଚୀନ କିମ୍ବଦନ୍ତୀ ଓ ପୁରାଣକୁ ବାରମ୍ବାର ଉଜ୍ଜୀବିତ କରି ପୌରାଣିକତାର ମହତ୍ତ୍ୱ ପ୍ରତିପାଦିତ କରାଯାଇଛି । ପୌରାଣିକ ଘଟଣାର ଆଲୋଚନା ପ୍ରସଙ୍ଗରେ ଚାରି ହଜାର ବର୍ଷ ତଳର ମହାଭାରତରେ ବର୍ଣ୍ଣିତ ଦ୍ୱାପର ଯୁଗର ନାୟକ ଶ୍ରୀକୃଷ୍ଣଙ୍କର ଅଭିଶାପରେ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଏବଂ ନାରଦଙ୍କ ଆଦେଶାନୁସାରେ ଅନୁତପ୍ତ, କଥିତ ଶାମ୍ବ କୋଣାର୍କ ମୈତ୍ରେୟବନରେ ସୂର୍ଯ୍ୟଙ୍କୁ ଉପାସନା କରି ରୋଗମୁକ୍ତ ହେବା ଘଟଣାଟି ପୌରାଣିକତା ଉପରେ ପ୍ରତିଷ୍ଠିତ । ପରଦିନ ବ୍ରାହ୍ମମୁହୁର୍ତ୍ତରେ ଶାମ୍ବ ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବାବେଳେ ସୂର୍ଯ୍ୟଦେବଙ୍କର ପଥର ମୂର୍ତ୍ତିଟିଏ ନଦୀରୁ ପାଇ ମନ୍ଦିର ନିର୍ମାଣ କରି ମୂର୍ତ୍ତି ପ୍ରତିଷ୍ଠା କରିବା ଏକ ଐତିହାସିକ ଘଟଣା ହେଲେ ମଧ୍ୟ ଏଥିରେ ପୌରାଣିକ ଉପାଖ୍ୟାନର ଅବତାରଣା ବାସ୍ତବିକ ଉଲ୍ଲେଖନୀୟ ।

 

ଆଲୋଚନା ପ୍ରସଙ୍ଗରେ କୋଣାର୍କ ନିକଟସ୍ଥ ପୁଣ୍ୟତୋୟା ପ୍ରାଚୀନଦୀର ପ୍ରାଚୀନତା ସଂପର୍କରେ ଉଲ୍ଲେଖ କରିବାକୁ ଯାଇ ଔପନ୍ୟାସିକା ‘ପ୍ରାଚୀମାହାତ୍ମ୍ୟ’ ଗ୍ରନ୍ଥର ସୂଚନା ଦେଇଛନ୍ତି । ପ୍ରାଚୀ ମାହାତ୍ମ୍ୟ ଅନୁସାରେ ଏହି ଚିରସ୍ରୋତା ନଦୀ ସରସ୍ୱତୀ ଅର୍କତୀର୍ଥ ବାଟଦେଇ ସମୁଦ୍ର ସହ ମିଳିତ ହେବା ପ୍ରସଙ୍ଗ ବ୍ରହ୍ମପୁରାଣ, ଶାମ୍ବପୁରାଣ, କପିଳ ସଂହିତା ଓ ଚୈତନ୍ୟ ଚରିତାମୃତରେ ବର୍ଣ୍ଣିତ ହେବା ସଙ୍ଗେ ସଙ୍ଗେ କୋଣାର୍କର ମଧ୍ୟ ନାମୋଲ୍ଲେଖ ହୋଇଛି । ସେହି ପ୍ରାଚୀ ଓ ଚନ୍ଦ୍ରଭାଗା ଏହି ଉପନ୍ୟାସରେ ଜଣେ ଜଣେ ଚରିତ୍ର ।

 

କୋଣାର୍କ ମନ୍ଦିର ନିର୍ମାତା ନରସିଂହଦେବଙ୍କ ପିତା ଅନଙ୍ଗ ଭୀମଦେବଙ୍କର ଶୈବ ଓ ବୈଷ୍ଣବ ଧର୍ମ ପ୍ରତି ପ୍ରଗାଢ଼ ନିଷ୍ଠା ଓ ଗଭୀର ଆନୁଗତ୍ୟ ତଥା ଅଗାଧ ଭକ୍ତି ଓ ବିଶ୍ୱାସ ଥିବା ସତ୍ତ୍ୱେ, ଓଡ଼ିଆମାନଙ୍କର ପରମ ଆରାଧ୍ୟ ଦେବତା ଅତି ଆପଣାର ଶ୍ରୀଜଗନ୍ନାଥଙ୍କଠାରେ ମଧ୍ୟ ତାହାଙ୍କ ମନପ୍ରାଣ ସର୍ବଦା ଢଳି ପଡ଼ିଥିଲା । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଠାରେ ଗଙ୍ଗବଂଶୀ ରାଜାଙ୍କର ଆନୁଗତ୍ୟ ଓ ସମର୍ପଣ ଯୋଗୁଁ ଶ୍ରୀଜଗନ୍ନାଥ ଆଜି କେବଳ ଓଡ଼ିଶାରେ ନୁହନ୍ତି ସାରା ବିଶ୍ୱରେ ପ୍ରତିଷ୍ଠିତ, ପୂଜିତ ହେବା ସଙ୍ଗେ ସଙ୍ଗେ ବିଶ୍ୱବାସୀଙ୍କୁ ସର୍ବଦା ଉଦ୍‌ବୁଦ୍ଧ କରୁଛି । ସମଗ୍ର ଓଡ଼ିଶାରେ ବୌଦ୍ଧ, ଜୈନ, ଶୈବ ଓ ବୈଷ୍ଣବ ଧର୍ମର ମହନୀୟତା ପ୍ରତିପାଦିତ ହୋଇଥିଲେ ମଧ୍ୟ ସେହି ଜଗତ୍‌ ପୂଜ୍ୟ ଜଗନ୍ନାଥଙ୍କଠାରେ ସର୍ବଧର୍ମର ସମନ୍ୱୟ ଘଟିଛି । ଇତିହାସରେ ଉଲ୍ଲଖିତ ଘଟଣାଗୁଡ଼ିକର ବର୍ଣ୍ଣନା ପ୍ରସଙ୍ଗରେ ପୌରାଣିକ କିମ୍ବଦନ୍ତୀର ଅବତାରଣା ପାଠକମାନଙ୍କୁ ମୋହିତ କରିଥାଏ । ଆମେରିକାର ସ୍ଥପତି ଚାର୍ଲସ ଏହି ଜଗନ୍ନାଥଙ୍କର କିମ୍ଭୂତକିମାକାର ଶରୀରକୁ ଦେଖି ମନେ ମନେ ଯେତେ ଭାବିଲେ ମଧ୍ୟ ମୁଗ୍‌ଧ କଣ୍ଠରେ ପ୍ରାଚୀ ଭାବୋଦ୍‌ବେଳିତ ହୋଇ ପ୍ରଭୁଙ୍କର ସୌନ୍ଦର୍ଯ୍ୟରେ ମୋହାବିଷ୍ଟ ହୋଇ ପଡ଼ିଛି ।

 

ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦର କାନ୍ତ କୋମଳ ପଦାବଳୀ ରାଧାକୃଷ୍ଣଙ୍କ ପବିତ୍ର ପ୍ରେମଧାରା ହୃଦୟରୁ ହୃଦୟକୁ ପ୍ରବାହିତ ହୋଇଥାଏ । ସେହି ଗୀତଗୋବିନ୍ଦର ରାଗସଙ୍ଗୀତରେ ମଜ୍ଜିଯାଇ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣ ଲୀଳାର ଅଭେଦତ୍ୱ ଭିତରେ ରାଜା ନରସିଂହ ନିଜକୁ ହଜେଇ ଦେଇଛନ୍ତି । ମାଳୀ କନ୍ୟାର ବଂଶଧରମାନେ ମାହାରୀ ଭାବରେ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ପରେ ଗୀତଗୋବିନ୍ଦ ଗାନ କରିବା ବିଧି ଏବେ ସୁଦ୍ଧା ପ୍ରଚଳିତ । ଜୟଦେବ ଚରିତର ଅବତାରଣା ପ୍ରସଙ୍ଗରେ ରାଧାକୃଷ୍ଣ ପ୍ରେମଲୀଳାର ପବିତ୍ର ଗାଥା କବିଙ୍କର ମନେ ନପଡ଼ିବାରୁ ନଦୀକୁ ସ୍ନାନ ପାଇଁ ଯିବା ସମୟରେ ଅନ୍ତର୍ଯ୍ୟାମୀ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ଆପଣାର ଦୁର୍ବଳତା ପ୍ରକାଶ କରନ୍ତେ ସ୍ୱୟଂ ଜଗନ୍ନାଥ ଜୟଦେବ ରୂପରେ ଆସି ସ୍ୱହସ୍ତରେ ପୂରଣ କରିଛନ୍ତି ଗୀତଗୋବିନ୍ଦର ‘ଦେହି ପଦପଲ୍ଲବ ମୁଦାରମ୍’ । ଉପନ୍ୟାସର ଘଟଣା ପ୍ରବାହ ଭିତରେ ଶ୍ରୀଜଗନ୍ନାଥତତ୍ତ୍ୱ, ରାଧାକୃଷ୍ଣ ପ୍ରେମଲୀଳା, ଗୀତଗୋବିନ୍ଦ ପଦ୍ୟାବଳୀର ଆବୃତ୍ତି ତଥା କବି ଜୟଦେବଙ୍କ ଚରିତ ବୃତ୍ତାନ୍ତ ଭଳି ବହୁ ପୌରାଣିକ ଆଖ୍ୟାନ ଏଥିରେ ସଂଯୋଜିତ ହୋଇଛି ।

 

କୋଣାର୍କ ମନ୍ଦିର ନିର୍ମାଣରେ ଓଡ଼ିଆ ଶିଳ୍ପୀଙ୍କର ଗୌରବ ପ୍ରଖ୍ୟାପନ ନକରିବା ପ୍ରସଙ୍ଗରେ ଲେଖିକା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା କାଳରେ ନିଜ ବଂଶରେ କେହି ନରହୁ ବୋଲି ପ୍ରଭୁ ଜଗନ୍ନାଥଙ୍କୁ ବର ମାଗିବା କିମ୍ବଦନ୍ତୀଟିର ଅବତାରଣା କରିଛନ୍ତି । ଯୁଦ୍ଧକ୍ଷେତ୍ରରେ ଓଡ଼ିଆ ବୀରମାନଙ୍କର ବୀଜୟ ପଛରେ ଓଡ଼ିଆ ଜାତିର ତ୍ରାଣକର୍ତ୍ତା, ଧର୍ମ, ସଂସ୍କୃତି ତଥା ଆଧ୍ୟାତ୍ମିକ ବିକାଶର ସଙ୍କେତ ପ୍ରଭୁ ଜଗନ୍ନାଥଙ୍କର ପ୍ରଛନ୍ନ ଇଙ୍ଗିତ ଓ ଆଶୀର୍ବାଦ ତଥା ଅଲୌକିକ ମହିମା ଏ କ୍ଷେତ୍ରରେ ଉଲ୍ଲେଖନୀୟ । ପତିତପାବନ ଜଗନ୍ନାଥଙ୍କର ଘୋଷଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରାର ସ୍ମୃତିକୁ ମନେରଖିବା ପାଇଁ ରାଜା ନରସିଂହଦେବଙ୍କ ଦ୍ୱାରା ପଦ୍ମକ୍ଷେତ୍ରରେ ରଥ ଦେଉଳ ନିର୍ମାଣ ହେଉଛି ଆଧ୍ୟାତ୍ମିକତାର ଆଉ ଏକ ସଙ୍କେତ । ‘ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ’ ଚିନ୍ତାଧାରାରର ସଫଳ ରୂପାୟନ ଏ କ୍ଷେତ୍ରରେ ପରିଲକ୍ଷିତ । ଏହି ଉପନ୍ୟାସରେ ଇତିହାସ, ପୁରାଣ ଓ କିମ୍ବଦନ୍ତୀର ସମନ୍ୱୟର ପ୍ରତିଫଳନ ହୋଇଛି । ଉତ୍କଳୀୟ ଶିଳ୍ପକଳାର ଚାତୁରୀ ଏଥିରେ ପ୍ରକଟିତ ହେବାର ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକତାର ସ୍ଫୁରଣ ଏଠାରେ ଉଲ୍ଲେଖନୀୟ-

 

ଏତଦ୍‌ବ୍ୟତୀତ ମହାଭାରତ, ଭଗବତ୍‌ ଗୀତା ଓ ଚିତ୍ତବୋଧ ପୁରାଣ ତଥା ଭାଗବତରୁ ରାଧାକୃଷ୍ଣଙ୍କର ଅଲୌକିକ ଲୀଳାକୁ ଲୋକାଚାର ଭିତରେ ରୂପାୟିତ କରି ଔପନ୍ୟାସିକା ସୁକାମିନୀ ନନ୍ଦ ରଚନା କରିଛନ୍ତି ‘ରାଈ ବିନୋଦିନୀ’ ପୌରାଣିକ ଉପନ୍ୟାସ । ବୃନ୍ଦାବନର ରାଜା ବୃଷଭାନୁଙ୍କ ରାଣୀ ଚଞ୍ଚଳାଙ୍କ ମାନସକନ୍ୟା ଈଶ୍ୱର ପ୍ରଦତ୍ତ ରାଧିକା ବା ରାଈଙ୍କ ଜନ୍ମ । ରାଧା ଅଯୋନି ସମ୍ଭୁତା ପଦ୍ମକେଶରରୁ ଜାତ ହେଲେ ମଧ୍ୟ ଶାରୀରିକ ଓ ମାନସିକ ଦୁଃଖରୁ ବାଦ୍ ପଡ଼ି ନାହାନ୍ତି । ଦେବ ଅଂଶରେ ଜାତ ହୋଇ ମଧ୍ୟ ମର୍ତ୍ତ୍ୟର ସାଧାରଣ ମାନବୀ ଭଳି ଭୋଗିଛନ୍ତି ଅଶେଷ ଦୁଃଖ । ସତେ ଯେମିତି ମାନସିକ ଦୁଃଖର ଆଉ ତୁଳନା ନାହିଁ । ତାଙ୍କର ମାତା ଚଞ୍ଚଳାଙ୍କ ମୃତ୍ୟୁପରେ ମାତୁଳାଳୟ ବର୍ଷଣଠାରେ ପାଳିତା ହୋଇଛନ୍ତି ଆଈଙ୍କଦ୍ୱାରା । ରାଧାଙ୍କ ସହିତ କୃଷ୍ଣ ନିଜର ଶାଶ୍ୱତ ଚିରନ୍ତନ ବା ସ୍ୱର୍ଗୀୟ ମିଳନକୁ ପ୍ରତିଷ୍ଠା କରିବା ପାଇଁ ତାଙ୍କର ଏ ସବୁ ଲୀଳାଖେଳାର ଅବତାରଣା । ଆଈଙ୍କ ମୃତ୍ୟୁ ପରେ ବିମାତା କପିଳାଙ୍କ ସ୍ନେହଶ୍ରଦ୍ଧାର ଅଭାବରେ ମାନସିକ ସଙ୍କଟରେ ରାଧିକାଙ୍କ ଜୀବନ ହୋଇଛି ବିପର୍ଯ୍ୟସ୍ତ । ବିବାହଯୋଗ୍ୟା ହେବାପରେ କପିଳାଙ୍କ ପରାମର୍ଶରେ ପିତା ବୃଷଭାନୁ ବିବାହ କରାଇଛନ୍ତି ନଂପୁସକ ଚନ୍ଦ୍ରସେଣାଙ୍କୁ । କିନ୍ତୁ ପୂର୍ବ ଅଭିଶାପରେ ଚନ୍ଦ୍ରସେଣା ଲାଭ କରିଛନ୍ତି ଶ୍ରୀକୃଷ୍ଣଙ୍କର ପ୍ରାଣପ୍ରିୟା ରାଧିକାଙ୍କୁ । ଚନ୍ଦ୍ରସେଣାଙ୍କ ପ୍ରତି ତାଙ୍କର କୌଣସି ଆସକ୍ତିଭାବ ଦେଖାଦେଇନି । ବରଂ ଚନ୍ଦ୍ରସେଣା ସ୍ୱପ୍ନାଦେଶ ଅନୁସାରେ ରାଧିକାଙ୍କୁ ଦେବୀ ଭାବରେ ପୂଜା କରିଛନ୍ତି । କାରଣ ତ୍ରେତୟା ଯୁଗରେ ଚନ୍ଦ୍ରସେଣା ଥିଲେ ହନୁମାନ । ସାମାନ୍ୟ ଟିକେ ଖାଦ୍ୟର ଦୁର୍ବଳତା ନେଇ ଏଭଳି କଷ୍ଟ ସେ ଭୋଗିବେ ଏକଥା କିଏ ଜାଣେ ? ତଥାପି ଦେବୀ ରାଧିକାଙ୍କର ମନପ୍ରାଣ ଢଳି ପଡ଼ିଛି ସର୍ବଦା ସେହି କଳାକାହ୍ନୁ ନୀଳମଣି ଶ୍ୟାମସୁନ୍ଦର କୃଷ୍ଣଙ୍କ ପ୍ରତି ।

 

ଏଣେ କୃଷ୍ଣ ଗୋପପୁରରେ ଯଶୋଦାଙ୍କ କୋଳରେ ବଢ଼ିବା ସଙ୍ଗେସଙ୍ଗେ ସେ ରାକ୍ଷସରାଜ କଂସର କୁମନ୍ତ୍ରଣା ଓ କୁପ୍ରଚେଷ୍ଟାକୁ ବିଫଳ କରି ଆପଣାର ଅପୂର୍ବ ଅଲୌକିକ ଲୀଳା-ପୁତନା ରାକ୍ଷସୀ ବଧ, ପ୍ରଳମ୍ୱାସୁର ବଧ ଓ ଶକଟାସୁର ବଧ ପ୍ରଭୃତି ପ୍ରଦର୍ଶନ କରି ଚାଲିଛନ୍ତି । ପୁଣି ଗୋପପୁରରୁ ବୃନ୍ଦାବନକୁ କୃଷ୍ଣ ଚାଲିଆସିବାପରେ ଧେନୁକାସୁର, ବକାସୁର, ଯାମଳାର୍ଜ୍ଜୁନ ଭଞ୍ଜନ, ଭୟଙ୍କର ଦୁର୍ଦ୍ଦାନ୍ତ ହସ୍ତୀ ପିଠିରେ ପ୍ରାଣପ୍ରିୟା ରାଧିକାଙ୍କୁ ବସାଇ ଗିରି ଗୋବର୍ଦ୍ଧନ ଭ୍ରମଣ, କାଳିନ୍ଦୀ ହ୍ରଦରେ କାଳୀୟ ନାଗ ଦଳନ, ଅଜଗର ସାପ ନିଧନ, ଶଙ୍ଖଚୂଡ଼ ନାଗର ମୃତ୍ୟୁ ଏବଂ ଗୋବର୍ଦ୍ଧନ ପର୍ବତକୁ କାଣି ଆଙ୍ଗୁଠିରେ ସାତଦିନ ପର୍ଯ୍ୟନ୍ତ ଟେକିଧରି ଗୋପବାସୀଙ୍କୁ ଆଶ୍ରୟ ଦେବା ଆଦି କୃଷ୍ଣଙ୍କର ଅଲୌକିକତା ଏବଂ ଐଶୀ ଶକ୍ତିର ପଟାନ୍ତର ନାହିଁ । ସେ ତ ଗର୍ବଗଞ୍ଜନ ଭାବଗ୍ରାହୀ ବନମାଳୀ, ସେ ତ ଅବତାର । ତାଙ୍କୁ ବା କୋଉ କଥା ଅଜଣା ? ଏତଦ୍‌ ବ୍ୟତୀତ ମାମୁଁ କଂସର ନିମନ୍ତ୍ରଣରେ ଧନୁଉତ୍ସବ ଦେଖିବା ପାଇଁ ମଥୁରା ଯିବା ବାଟରେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ପର୍ଶରେ କୁବ୍‌ଜା ନାରୀ ଦିବ୍ୟସୁନ୍ଦରୀରେ ପରିଣତ ହେବା, କଂସ-ରଜକ ନିହତ ହେବା, କୃଷ୍ଣଙ୍କ ପଥରୋଧ କରିବାରୁ କୁବଳୟା ହସ୍ତୀର ମୃତ୍ୟୁ ଘଟିବା, ମଥୁରାଧିପତି କଂସ ଭଣଜା ଦୁହିଁଙ୍କୁ ଦେଖି ମଞ୍ଚାରୁ ପଡ଼ି ପ୍ରାଣତ୍ୟାଗ କରିବା ଏବଂ ଦ୍ରୌପଦୀଙ୍କ ବସ୍ତ୍ର ହରଣ ବେଳେ ନୂତନ ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିବା ଆଦି ଐଶ୍ୱରିକ ଲୀଳାଖେଳାର ବର୍ଣ୍ଣନା ଏହି ଉପନ୍ୟାସରେ ହୋଇଛି ଜୀବନ୍ତ ଓ ମର୍ମସ୍ପର୍ଶୀ-। ଯୁଗେ ଯୁଗେ ଭଗବାନ ଦୁଷ୍ଟଜନଙ୍କୁ ସଂହାର କରି ସନ୍ଥଜନଙ୍କୁ ପରିପାଳନ ତଥା ଧର୍ମ, ନୀତି, ନ୍ୟାୟ ଓ ଆଦର୍ଶର ପ୍ରତିଷ୍ଠା ନିମନ୍ତେ ଅବତାର ଧାରଣ କରିଥାନ୍ତି । କଂସର ମୃତ୍ୟୁପରେ ଦ୍ୱାରକାଧିପତି ଶ୍ରୀକୃଷ୍ଣ ରୁକ୍ମିଣୀ, ସତ୍ୟଭାମା ଆଦି ଅଷ୍ଟପାଟବଂଶୀଙ୍କୁ ବିବାହ କରି ଶେଷରେ ପ୍ରଭାସତୀର୍ଥ ଯଜ୍ଞର ଆୟୋଜନ କରିଛନ୍ତି । ଏହି ପ୍ରଭାସ ଯଜ୍ଞରେ ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇ ଧାଇଁ ଆସିଛନ୍ତି ଗୋପପୁରର ଗୋପବାଳକ ସମେତ ମାତା ଯଶୋଦା ଏବଂ ପ୍ରାଣପ୍ରିୟା ରାଧିକା । ନାରଦଙ୍କ ବିଚିତ୍ର ମନ୍ତ୍ରଣାରେ ଯଶୋଦା ଏବଂ ଗୋପାଳମାନେ ଯଜ୍ଞସ୍ଥଳକୁ ଯାଇପାରି ନାହାନ୍ତି । ମନରେ ସେମାନଙ୍କର ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା । ଦେବକୀ ଓ ଯଶୋଦାଙ୍କ ଭିତରେ ସୃଷ୍ଟି ହୋଇଛି କୃଷ୍ଣଙ୍କୁ କେନ୍ଦ୍ରକରି କଳହ । ନାରଦଙ୍କ ପରାମର୍ଶରେ ପୁଣି ମାତା ଯଶୋଦାଙ୍କଠାରୁ ପୁତ୍ର ଶ୍ରୀକୃଷ୍ଣ ସ୍ତନ୍ୟପାନ କରନ୍ତେ ଦେବକୀଙ୍କର ଗର୍ବ ଅହଙ୍କାର ଭଙ୍ଗ ହୋଇଛି । ଶେଷରେ ସତୀରମଣୀ ରାଧିକାଙ୍କୁ ପାଇ ଶ୍ରୀକୃଷ୍ଣ ଆହୁରି ଆନନ୍ଦିତ ହୋଇଛନ୍ତି । ଜଗତରେ ରାଧାଙ୍କର ସତୀତ୍ୱର ପରାକାଷ୍ଠା ଦର୍ଶନ ପାଇଁ ଶ୍ରୀକୃଷ୍ଣଙ୍କର ଏଭଳି ପ୍ରଭାସଯଜ୍ଞର ଆୟୋଜନ । କାରଣ ରାଧାକୃଷ୍ଣଙ୍କର ମିଳନ ଯୁଗ ଯୁଗର ମିଳନ । ସତ୍ୟଯୁଗରେ ସେ ଥିଲେ କୃଷ୍ଣଙ୍କର ପ୍ରାଣପ୍ରିୟା ଲକ୍ଷ୍ମୀ, ତ୍ରେତୟା ଯୁଗରେ ସୀତା ଏବଂ ଦ୍ୱାପର ଯୁଗରେ ସେ ହୋଇଛନ୍ତି ଅତି ଆପଣାର ରାଧିକା-ରାଈ । ତେଣୁ ଦ୍ୱାପର ଯୁଗରେ ରାଧାକୃଷ୍ଣଙ୍କର ପ୍ରେମ ଓ ମିଳନ ଶାଶ୍ୱତ, ଅନାବିଳ ଓ ନୈସର୍ଗିଗ । ଯୁଗେ ଯୁଗେ ରାଧାକୃଷ୍ଣ ନାମର ମହନୀୟତା ପ୍ରକଟିତ । ସେ ହୋଇଛନ୍ତି ଚିର ଆନନ୍ଦମୟୀ-ରାଈ ବିନୋଦିନୀ । ସବୁ ଯୁଗରେ ନାରୀ ସର୍ବଦା ଭୋଗ କରିଥାଏ ଦୁଃଖ । ତାର ତ୍ୟାଗ ପୃଥିବୀ ବକ୍ଷରେ ହୁଏ କାଳଜୟୀ । ସୁଖ ଭୋଗ ଭିତରେ ନାରୀ ଚିରସ୍ମରଣୀୟା ହୋଇ ପାରେନାହିଁ । ସତୀ ନାରୀର ମନ ସର୍ବଦା ପବିତ୍ର, ମହନୀୟ ଓ ନିର୍ଦ୍ଦିଷ୍ଟ ଆର୍ଦଶରେ ପ୍ରତିଷ୍ଠିତ । ଉଭୟଙ୍କର ଅମୂଲ୍ୟ ମିଳନରେ ସ୍ନେହ, ପ୍ରେମ ଓ ଆର୍ଦଶର ମହନୀୟତା ପ୍ରତିପାଦିତ ହୋଇଛି । ଶେଷରେ ରାଧିକା ବିଚ୍ଛେଦ ଦୁଃଖ ଓ ବିରହ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପ୍ରାଣର ଏକମାତ୍ର ପ୍ରିୟ ଶ୍ରୀକୃଷ୍ଣଙ୍କ ଦେହରେ ଲୀନ ହୋଇଯାଇଛନ୍ତି ଏବଂ ସତୀଧର୍ମର ମହତ୍ତ୍ୱ ତଥା ଭଲ ପାଇବାର ସ୍ମୃତି ଯୁଗ ଯୁଗ ଧରି ଭକ୍ତପ୍ରାଣକୁ ଆଲୋକିତ କରିଛି ଓ କରୁଛି ମଧ୍ୟ । ରାଧାକୃଷ୍ଣଙ୍କର ଅଲୌକିକ ଯୁଗଳ ରୂପ ଓ ଜ୍ୟୋତିର ଚିରନ୍ତନ ପ୍ରକାଶ ଓ ମହିମାର ବର୍ଣ୍ଣନା ଏହି ଉପନ୍ୟାସରେ ହୋଇଛି ଜୀବନ୍ତ ଓ ହୃଦୟସ୍ପର୍ଶୀ ।

 

ପୌରାଣିକ ଉପନ୍ୟାସ ଗୁଡ଼ିକର ତାତ୍ତ୍ୱିକ ଆଲୋଚନା ପରେ ପୌରାଣିକ କିମ୍ବଦନ୍ତୀ ଓ ଉପାଖ୍ୟାନଗୁଡ଼ିକୁ କେନ୍ଦ୍ରକରି ସାମାଜିକ ଓ ଐତିହାସିକ ଉପନ୍ୟାସଗୁଡ଼ିକ ମଧ୍ୟ ଓଡ଼ିଆ ସାହିତ୍ୟରେ ପରିଲକ୍ଷିତ । ଏହି ପରିପ୍ରେକ୍ଷୀରେ ଔପନ୍ୟାସିକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ ଓ ‘ଅମରଚିତା’ ଉପନ୍ୟାସ ଦୁଇଟି ଆଲୋଚନା କରାଯାଉ । ‘ମାଟିର ମଣିଷ’ର କଥାବସ୍ତୁ କୃଷିଜୀବୀ ଏକାନ୍ନବର୍ତ୍ତୀ ପରିବାରର ସ୍ୱାଭାବିକ ଜୀବନକାହାଣୀ ହେଲେ ହେଁ ଏଥିରେ ପ୍ରଚ୍ଛନ୍ନ ଆଧ୍ୟାତ୍ମିକତାବୋଧ ବିଦ୍ୟମାନ । କେତେକ ସମାଲୋଚକ ଏଥିରେ ଗାନ୍ଧୀବାଦର ପ୍ରଭାବ ପରିଲକ୍ଷିତ ହୋଇଛି ବୋଲି ମତ ଦିଅନ୍ତି । କିନ୍ତୁ ଏହି ଉପନ୍ୟାସର ଘଟଣା ପ୍ରବାହ ଓଡ଼ିଶାର ମାଟି ଓ ପାଣିପବନର ଏକ ମୂର୍ତ୍ତିମନ୍ତ ଆଲେଖ୍ୟ ହୋଇଥିବାରୁ କୌଣସି ମତବାଦ ପ୍ରଭାବର ପ୍ରଶ୍ନ ଉଠେନାହିଁ । ଏଥିରେ କେବଳ ରହିଛି ଜଗନ୍ନାଥ ଦାସଙ୍କ ଭାଗବତର ପ୍ରଭାବ ଯାହା ଏହି ଓଡ଼ିଆ ଜାତିକୁ ଯୁଗେ ଯୁଗେ ପ୍ରଭାବିତ କରି ଆସିଛି । ଉପନ୍ୟାସରେ ଭାଗବତ ପଙ୍‌କ୍ତିଗୁଡ଼ିକର ସଂଯୋଜନା ଏଭଳି ଭାବରେ ହୋଇଛି ପଢ଼ିଗଲା ବେଳେ ଜଣାପଡ଼େ ଯେ ବରଜୁର ଦୈନନ୍ଦିନ ଜୀବନଯାତ୍ରାରେ ଭାଗବତର ପ୍ରଭାବ ତାକୁ ଏକ ଧାର୍ମିକ ପୁରୁଷ କରି ଗଢ଼ି ତୋଳିଛି । ଶୋଷଣ ପୀଡ଼ିତ ଗଣମାନସ କିପରି ଉଦାସୀନ ବା ଭାଗ୍ୟବାଦୀ ହୋଇପଡ଼େ ବରଜୁ ଚରିତ୍ର ହେଉଛି ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ସରଳ ଗ୍ରାମ୍ୟ ଜୀବନରେ ମନୁଷ୍ୟର କେବେହେଲେ ଅନ୍ତର୍ନିହିତ ଶକ୍ତିର ବିଶ୍ୱାସ ଜନ୍ମେନାହିଁ । ବରଂ ସେ ସରଳ, ନିଷ୍କପଟ ଓ ନିରକ୍ଷର କଷ୍ଟସହିଷ୍ଣୁ ହୋଇ ଭାଗ୍ୟବାଦୀ ହୋଇଉଠେ । ଭଗବାନଙ୍କ ଉପରେ ବିଶ୍ୱାସ ରଖି ଭାଗବତକାରଙ୍କ ଭାଷା କଥା କଥାକେ ସେ ପ୍ରୟୋଗ କରିବା ପାଇଁ ବାଧ୍ୟ ହୁଏ ।

 

ଯେପରି-‘‘କରି କରାଉ ଥାଏ ମୁହିଁ ।

ମୋ ବିନୁ ଅନ୍ୟ ଗତି ନାହିଁ’’

 

ଯାହାକୁ ରଖିବେ ଅନନ୍ତ ।

କି କରିପାରେ ବଳବନ୍ତ ।’’

 

ମାଟିର ମଣିଷ ଉପନ୍ୟାସଟି ଅସହାୟ ମଣିଷ-ଶିଶୁର ଚିତ୍କାରରେ ଉଦ୍‌ବେଳିତ । ଏଥିରେ ଗାଁଗଣ୍ଡାର ଖଳଚରିତ୍ରମାନଙ୍କ ଆଚରଣ ଅତି ପ୍ରଚ୍ଛନ୍ନ ଭାବରେ ଅବତାରଣା କରାଯାଇଛି । ପୁଣି ନିରୀହ ଲୋକମାନେ ଏଥିରେ କ୍ଷତିଗ୍ରସ୍ତ ହେବା ସଙ୍ଗେସଙ୍ଗେ ସେମାନଙ୍କର ନିତିଦିନିଆ ସଂସାର ଉଜୁଡ଼ିଯାଏ । ସେଇଥିପାଇଁ ଛକଡ଼ି ଓ ରତ୍ନମଣି ଉପନ୍ୟାସର ସ୍ୱାଭାବିକ ଚରିତ୍ର ହେଲେ ହେଁ ବରଜୁ ଚରିତ୍ର ମହତ୍ତର ଉଚ୍ଚଆଦର୍ଶରେ ଅନୁପ୍ରାଣିତ ଓ ଏହି ଜୀବନାଦର୍ଶ ଭାଗବତ ପଙ୍‌କ୍ତିରେ ରସାଣିତ । ଅବଧୂତଙ୍କର ଚବିଶ ଗୁରୁ ମଧ୍ୟରୁ ଅଜଗର ସାପ ଗୋଟିଏ ଗୁରୁ । ବରଜୁର ଜୀବନଧାରା ଥିଲା ସେହିଭଳି ଏକ ନିର୍ଲିପ୍ତ ଅବଧୂତର ଜୀବନଧାରା । ‘‘କର୍ମ କର୍ଷଣ ଦେହ ସହେ । ଅରଣ୍ୟେ ଅଜଗର ପ୍ରାୟେ ।।’’ ସଂସାରରେ ଏହିପରି କେତେ କେତେ ବରଜୁ ପ୍ରଧାନ ଅଛନ୍ତି, ଯେଉଁମାନେ ଆଦର୍ଶର ରଜ୍ଜୁରେ ନିଜକୁ ବାନ୍ଧି ରଖିଥାନ୍ତି । ସେଇଟି ପ୍ରଶ୍ନ ଉଠେ ବରଜୁ କ’ଣ ସତରେ ପୁରାଣ-ଭିତ୍ତିକ ଆଦର୍ଶ ଚରିତ୍ର ? ଯେଉଁ ଆଦର୍ଶ ଆମ୍ଭମାନଙ୍କ ସମ୍ମୁଖରେ ଆଦର୍ଶ ହୋଇ କେବଳ ରହିଯାଏ । ବରଂ ଛକଡ଼ି ଓ ନେତ୍ରମଣି ହେଉଛନ୍ତି ସ୍ୱାଭାବିକ ଚରିତ୍ର । ପୌରାଣିକ ଚରିତ୍ରର ଗୌରବରେ ବରଜୁ ଯେଭଳି ଗରୀୟାନ, ଛକଡ଼ି ଆଉ ନେତ୍ରମଣି ଏହି ଉପନ୍ୟାସରେ ସ୍ଵାଭାବିକ ଚରିତ୍ର ଭାବରେ ସେହିଭଳି ଗରୀୟାନ । ପୁଣି ଔପନ୍ୟାସିକ ପାଣିଗ୍ରାହୀଙ୍କ ‘ଅମରଚିତା’ ଉପନ୍ୟାସରେ ଶୁଭକାନ୍ତ ଚରିତ୍ରକୁ ଏକ ନିସ୍ପୃହ ନିର୍ବିକାର ଦାର୍ଶନିକ ଭାବରେ ଚିତ୍ରଣ କରିଛନ୍ତି । ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇ ମଧ୍ୟ ଭୟ ନାହିଁ ଦୁଃଖ ନାହିଁ । କାରଣ ସେ ଉପଲବ୍‌ଧି କରିଛନ୍ତି ଭଗବତ ଗୀତାର ସେହି ମହାନ୍‌ ବାଣୀ-

 

‘‘ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା

ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୂହ୍ୟତେ ।’’

 

(ଅମରଚିତା ପୃ-୧୬୮) ଲେଖକଙ୍କର ଆଧ୍ୟାତ୍ମିକ ଭାବଧାରା ଗୀତା, ବାଇବେଲର ଉଦ୍ଧୃତି ଭିତରେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହୋଇପାରିଛି ।

 

ପୌରାଣିକତାର ଅବଲମ୍ବନରେ ଓଡ଼ିଆ ଉପନ୍ୟାସ ଯେପରି ରସାଣିତ, ସେହିପରି ହୋଇଛି ଗୌରବାନ୍ୱିତ । ପୌରାଣିକ କଥା ପରି ଇତିହାସର ଘଟଣା ପ୍ରବାହ ଓ ଅତୀତର କିମ୍ବଦନ୍ତୀଗୁଡ଼ିକ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସରେ ଅତି ସଫଳ ଭାବରେ ରୂପାୟିତ । ‘ନୀଳଶୈଳ’ ଉପନ୍ୟାସରେ ପରମ ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥଙ୍କର ଜୟଯାତ୍ରା ସହିତ ତାଙ୍କର ଅସହାୟତା, ଗୌରବଗାଥା ସହିତ ବିଧର୍ମୀ ନିକଟରେ ତାଙ୍କର ପରାଜୟ, ଠାକୁର ରାଜା ରାମଚନ୍ଦ୍ରଦେବ ବିଧର୍ମୀ ହୋଇ ହାଫିଜ୍‌କାଦାର ବେଗ୍‌ରେ ପରିଣତ ହେବା ସତ୍ତ୍ୱେ ଜଗନ୍ନାଥ ଦର୍ଶନର ତୃଷ୍ଣା ନ ମେଣ୍ଟିବା ଏବଂ ମନ୍ଦିରରୁ ତିନି ଠାକୁରଙ୍କର ବାରମ୍ବାର ପଳାୟନ ଓ ତାହା ସହିତ ସରଦେଈର ଠାକୁରଙ୍କ ନିକଟରେ ଅସୀମ ଭକ୍ତି ଓ ତ୍ୟାଗକୁ ଔପନ୍ୟାସିକ ମହାନ୍ତି ପୌରାଣିକ ପୁଟ ଦେଇ ଯେଭଳି ବର୍ଣ୍ଣନା କରିଛନ୍ତି, ତାର ପଟାନ୍ତର ନାହିଁ । ଠିକ୍ ସେହିଭଳି ‘କୃଷ୍ଣାବେଣୀରେ ସନ୍ଧ୍ୟା’ ଉପନ୍ୟାସଟି ପୌରାଣିକ ତଥା ଐତିହାସିକ କିମ୍ବଦନ୍ତୀ ଭିତ୍ତିକ ଉପାଖ୍ୟାନ ଦୃଷ୍ଟିରୁ ଏକ ଗୌରବମୟ ସୃଷ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ‘ନୀଳଶୈଳ’ରେ ଜଗନ୍ନାଥଙ୍କ ଦର୍ଶନାଭିଳାଷୀ ଯାତ୍ରୀମାନଙ୍କ ଉପରେ ଡକାୟତମାନଙ୍କ ଆକ୍ରମଣକୁ ଯେଭଳି ଲେଖକ ବିଶଦ ଭାବରେ ବର୍ଣ୍ଣନା କରି ସେଥିରେ ନାନା ପୌରାଣିକ ଉପାଖ୍ୟାନର ସଂଯୋଜନା କରିଛନ୍ତି, ତାହା ବାସ୍ତବିକ ଅନନ୍ୟ ଓ ହୃଦୟସ୍ପର୍ଶୀ । ଏଥିରେ ଐତିହାସିକ କିମ୍ବଦନ୍ତୀର ସଫଳ ରୂପାୟନ ଲେଖକଙ୍କୁ ଚିରସ୍ମରଣୀୟ କରିପାରିଛି ।

 

ସୁରେନ୍ଦ୍ର ମହାନ୍ତିଙ୍କ ପରି ଆଉଜଣେ ପ୍ରତିଭାସଂପନ୍ନ ଲେଖକ ବଳରାମ ପଟ୍ଟନାୟକ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଦୃଷ୍ଟି ପଥାରୂଢ଼ ହୁଅନ୍ତି । ତାହାଙ୍କ ସଦ୍ୟ ପ୍ରକାଶିତ ‘ଅନାଦି ଅନନ୍ତ’ ଉପନ୍ୟାସ ପଢ଼ିଗଲା ବେଳେ ଦିଶିଯାଏ ଏକ ଲୁପ୍ତପ୍ରାୟ ମହାନ୍‌ ସଂସ୍କୃତିର ପଦଚିହ୍ନ । ଏହି ଉପନ୍ୟାସରେ କୌଣସି ଏକ କାହାଣୀ ବିଧିବଦ୍ଧ ଭାବରେ ଗତିକରି ନାହିଁ । ବରଂ ବହୁ ବହୁ ବିଚ୍ଛିନ୍ନ ଘଟଣା ଓ କାହା ସହିତ କାହାର ସମ୍ପର୍କ ନଥିବା ଅଗଣିତ ଚରିତ୍ରମାନଙ୍କର ସମ୍ମିଶ୍ରଣ ହିଁ ଏହି ଉପନ୍ୟାସର ଶରୀର । ଔପନ୍ୟାସିକ ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି- ‘‘ବେଢ଼ା ପରିକ୍ରମା କରି ସବୁ ଦେବଦେବୀଙ୍କୁ ମୁଣ୍ଡିଆଟିଏ ଲେଖା ନ ମାରିଲେ ଜଗନ୍ନାଥ ଦର୍ଶନ ଯେଭଳି ସ୍ୱୟଂସଂପୂର୍ଣ୍ଣ ହୁଏ ନାହିଁ, ମୋ ଉପନ୍ୟାସ ଲେଖାର ବନ୍ଧଣି ଠିକ୍ ସେହିଭଳି ।’’ ଏହି ଉପନ୍ୟାସରେ କଥାବସ୍ତୁ ଅପେକ୍ଷା କଥାବସ୍ତୁର ଉପସ୍ଥାପନା ହେଉଛି ଗୁରୁତ୍ୱପୂର୍ଣ୍ଣ । ପୁରୀ ଧାମର ସୁଆର ସେବକ ଗୋଷ୍ଠୀ, ଦଇତାପତି ଓ ପୂଜାପଣ୍ଡାଙ୍କଠାରୁ ଆରମ୍ଭ କରି ଛପନ ଭୋଗୀଙ୍କ ଛପନ କିସମର ପିଠାପଣା, ମହାପ୍ରସାଦର ମହମହ ବାସନା, ସାହିଯାତ୍ରାର ନାଗାମେଢ଼, ଖଣ୍ଡାଖେଳ, ରାବଣ ପର୍ଶୁରାମ ଓ ହନୁମାନ ଆଦି ପୌରାଣିକ ବୀରମାନଙ୍କର ବୀରତ୍ୱ ପ୍ରଦର୍ଶନ ସାଙ୍ଗକୁ ତାଙ୍କର ମନେ ପଡ଼ିଯାଇଛି ନୀଳାଚଳଧାମର ଅଧୀଶ୍ୱର ଶ୍ରୀଜଗନ୍ନାଥଙ୍କ ଉପରେ ବହୁବାର ଉତ୍‌ପୀଡ଼ନର କାହାଣୀ । ପତିତପାବନଙ୍କ ସମ୍ମୁଖରେ ହାତଯୋଡ଼ି ଠିଆ ରହିଛନ୍ତି କେତେ କେତେ ଚିହ୍ନା ଅଚିହ୍ନା, ଜଣା ଅଜଣା, ଧନୀ ନିର୍ଦ୍ଧନ ଗରିବ ଅସହାୟଙ୍କ ଠାରୁ ଆରମ୍ଭକରି ସନ୍ଥ ମହାପୁରୁଷଙ୍କ ପର୍ଯ୍ୟନ୍ତ-ସମସ୍ତେ ଯେମିତି ତାଙ୍କର କରୁଣାପ୍ରାର୍ଥୀ ।

 

ଶ୍ରୀମନ୍ଦିରରେ ବଡ଼ସିଂହାର ବେଳେ ବିଭୀଷଣଙ୍କର ଜଗନ୍ନାଥ ଦର୍ଶନ ଓ ତାଙ୍କର କଙ୍କଣ ପାଠଯୋଷୀ ମହାପାତ୍ରଙ୍କ ଘରେ ଅଦ୍ୟାବଧି ପୂଜା ପାଇବା, ମନ୍ଦିର ଉତ୍ତର ଦ୍ୱାରରେ ବସାବାନ୍ଧିଥିବା ଚେମେଣିମାନଙ୍କୁ କୋଇଲି ବୈକୁଣ୍ଠରେ ଦେବଦେବୀଙ୍କର ବାହାନ ଭାବରେ ଚିତ୍ରିତ କରିବା, ମନ୍ଦିର ତୋଳା ହେଲାବେଳେ ପଥର ବୁହାଳିମାନେ କୂର୍ମ ପାଲଟିଯିବା ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଅବସ୍ଥାନ କରିବା, ନରେନ୍ଦ୍ର ପୋଖରୀ ଖୋଳାହେଲାବେଳେ ଯେଉଁ କେତେଜଣ ମଜୁରିଆ ମୃତ୍ୟୁବରଣ କରିଥିଲେ ସେହିମାନଙ୍କ ପ୍ରେତାତ୍ମା ଏବେ ମଧ୍ୟ ନରେନ୍ଦ୍ର ପୋଖରୀରେ ଲୁଚିରହି ସବୁବର୍ଷ ଦିଅଁଙ୍କ ଚାପବେଳେ ଜଣେ ଅଧେ ପହଁରିବା ବେଳେ ହଠାତ୍ ମୃତ୍ୟୁବରଣ କରିବା ଆଦି ପୌରାଣିକ କିମ୍ବଦନ୍ତୀଗୁଡ଼ିକ ଏହି ଉପନ୍ୟାସରେ ଅତି ଜୀବନ୍ତ ଭାବରେ ରୂପାୟିତ । ପୁରୀ ସାହିଯାତ୍ରାରେ ବହୁ ପୌରାଣିକ କାହାଣୀର ଉପସ୍ଥାପନା ଲେଖକଙ୍କ ଦୃଷ୍ଟିରେ ହୋଇଛି ମହାନ୍ । ଅଷ୍ଟଭୁଜା ଦୁର୍ଗାଙ୍କର ମେଢ଼ନୃତ୍ୟ, ରାବଣର ରଣହୁଙ୍କାର ଓ ତାର କୁରାଳନେତ୍ର ଚାଳନା, ଭାଇରେ କୁମ୍ଭକର୍ଣ୍ଣ ପୁତ୍ରରେ ମେଘନାଦ ଡାକରା, ହନୁମାନ ଅଙ୍ଗଦଆଦି ବୀରମାନଙ୍କର ପରାକ୍ରମ, ରାମ ଲକ୍ଷ୍ମଣ ଓ ସୀତାଙ୍କର ଅନୁଗମନ, ମର୍କଟମାନଙ୍କ ସହିତ ରାମଚନ୍ଦ୍ରଙ୍କର ଲଙ୍କା ଦର୍ଶନ, ରାବଣର ମହାଦେବଙ୍କ ସହିତ କୈଳାସ ପର୍ବତ ଉତ୍ତୋଳନ ଆଦି ବହୁବହୁ ପୌରାଣିକ ଘଟଣା ଏହି ସାହିଯାତ୍ରାରେ ବର୍ଣ୍ଣିତ ହୋଇଅଛି ।

 

ବଳରାମ ପଟ୍ଟନାୟକଙ୍କ ପରେ ଚନ୍ଦ୍ରଶେଖର ରଥ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଆଉ ଏକ ଉଲ୍ଲେଖନୀୟ ପ୍ରତିଭା ଭାବରେ ଆଲୋଚନାର ପରିସରକୁ ଆସନ୍ତି । ତାହାଙ୍କ ରଚିତ ‘ଯନ୍ତ୍ରାରୂଢ଼’ ଉପନ୍ୟାସଟି ଆନୁଷ୍ଠାନିକ ଏବଂ ପାରମ୍ପରିକ ମୂଲ୍ୟବୋଧ (Institutional & Traditional Values) ଉପରେ ରଚିତ ଏକ ସାମାଜିକ ଉପନ୍ୟାସ । ବାକ୍‌ସର୍ବସ୍ୱ ପଣ୍ଡିତ ନୀଳକଣ୍ଠ ତ୍ରୀପାଠୀ, ଅତି ଉଚ୍ଚକୋଟୀର ଅନୁଭବ ଥିବା ଜ୍ଞାନସମ୍ପନ୍ନ ବ୍ୟକ୍ତି ଦେବତୁଲ୍ୟ ନିର୍ମାୟା ପୁରୁଷ ଗଙ୍ଗାଧର ଶତପଥୀ ଓ ତାହାଙ୍କ ଗୁରୁ ସିଦ୍ଧପୁରୁଷ ବୃନ୍ଦାବନର ସାଧୁ ଏବଂ ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜାରୀ କୃପାସିଦ୍ଧା ସନାତନ ଦାସ ପ୍ରଭୃତି ଏହି ଚାରୋଟି ଜ୍ଞାନ, ଚେତନା ଓ ସିଦ୍ଧି ସ୍ତରର ପରିପ୍ରକାଶ ହିଁ ହେଉଛି ଯନ୍ତ୍ରାରୂଢ଼ ଉପନ୍ୟାସ । ଏହି ଉପନ୍ୟାସରେ ଭାରତୀୟ ଦର୍ଶନ, ଭାରତୀୟ ସନାତନ ଧର୍ମବିଶ୍ୱାସ, ଭାରତୀୟ ମହାପୁରାଣର ଚରିତ୍ର ଏବଂ ଘଟଣା ନୂତନ ରୂପରେ ସମସାମୟିକ ତାତ୍ପର୍ଯ୍ୟ ବହନ କରି ଜୀବନ୍ତ ହୋଇ ଉଠିଛି । ଯେପରି ଗଙ୍ଗା ତୀରରେ ସ୍ନାନ କରିବାର ଅନୁଭବ, ଶିବଦର୍ଶନ, ବୃନ୍ଦାବନରେ ଅନୁଭବ, ଯମୁନା ନଦୀରେ ସ୍ନାନ କରିବା ପୂର୍ବ ଓ ପର ଅବସ୍ଥା, ସେଠିକାର କୁଞ୍ଜବନ, ଅକ୍ରୂର ଏବଂ ଗୋପୀ ଏମାନେ ସମସ୍ତେ ପୁନର୍ଜୀବିତ ହୋଇ ଏହି ଉପନ୍ୟାସରେ ପ୍ରାଣ ସଞ୍ଚାର କରିଛନ୍ତି । ସନାତନ ଧର୍ମ ଓ ଦର୍ଶନ ଉପନ୍ୟାସର ପ୍ରତି ଛତ୍ରେଛତ୍ରେ ପ୍ରତିଫଳିତ । ରାମାୟଣରେ ବର୍ଣ୍ଣିତ ‘ସୁବର୍ଣ୍ଣ ସୀତା କି ବଚନ କହେ’ ସତେ ଏହି ଉପାଖ୍ୟାନଟି ଯେମିତି ପୁନର୍ଜୀବିତ ହୋଇ ଉଠିଛି । ଏତଦ୍‌ବ୍ୟତୀତ ରାମଙ୍କର ସୀତା ବିଚ୍ଛେଦ ସନାତନ ଦାସଙ୍କ ପତ୍ନୀ ବିୟୋଗ ସହିତ ଏକୀଭୂତ ହୋଇଯାଇଛି । ପୁଣି ଯମୁନା ନଦୀରେ ସ୍ନାନ କରୁଥିବା ବେଳେ ସେ ସ୍ୱୟଂ ଗୋପୀ ହୋଇଯାଉଛନ୍ତି । ମହାଭାରତର ଆଖ୍ୟାନ ଓ ଚରିତ୍ରଗୁଡ଼ିକ ବାରମ୍ବାର ଏହି ଉପନ୍ୟାସରେ ଅନୁରଣିତ ହୋଇଛି । କେବଳ ରାମାୟଣ ମହାଭାରତ ନୁହେଁ ଭଗବଦ୍‌ ଗୀତା ଓ ଭାଗବତ ତଥା ଉପନିଷଦର ଦର୍ଶନ ଓ ତତ୍ତ୍ୱଗୁଡ଼ିକ ମଧ୍ୟ ପ୍ରତ୍ୟକ୍ଷ ଜୀବନରେ ଉପନ୍ୟାସ ଚରିତ୍ର ମାଧ୍ୟମରେ ପ୍ରଯୁକ୍ତ ଓ ପ୍ରତିଷ୍ଠିତ ହୋଇପାରିଛି । ପୁରାଣରେ ବର୍ଣ୍ଣିତ ବିଭିନ୍ନ ଓ ବହୁ ପୁରାତନ ମନ୍ଦିରର ଶିଳ୍ପକଳା, ଭାସ୍କର୍ଯ୍ୟ ଆହରଣ କରି ତାକୁ ଏକ ସ୍ୱତନ୍ତ୍ର ସ୍ଥାପତ୍ୟର ମୂଲ୍ୟ ପ୍ରଦାନ କରିବାରେ ଔପନ୍ୟାସିକ ରଥ ସଫଳତା ଲାଭ କରିଛନ୍ତି । ଅତଏବ ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ଜୀବନକୁ ପ୍ରଭାବିତ କରୁଥିବା ଚିରନ୍ତନ ମୂଲ୍ୟବୋଧ ଓ ବିଶ୍ୱାସ ତଥା ପରମ୍ପରା ଏହି ଉପନ୍ୟାସରେ ପୁନର୍ବାର ଜାଗ୍ରତ ହୋଇଥିବାରୁ ଏହାକୁ ଉପନ୍ୟାସର ପୌରାଣିକତା ବୋଲି କୁହାଯାଇପାରେ ।

 

ଔପନ୍ୟାସିକ ରଥଙ୍କର ସମ୍ପୂର୍ଣ୍ଣ ଦାର୍ଶନିକ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ଆଉ ଏକ ନୂତନ ଉପନ୍ୟାସ ‘ନବଜାତକ’ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ମୌଳିକ ସୃଷ୍ଟି । ବିଭିନ୍ନ ଆଧ୍ୟାତ୍ମିକସ୍ତରର ଚେତନାକୁ ରୂପ ଓ ଚରିତ୍ର ମାଧ୍ୟମରେ ସେ ଜୀବନ୍ତ କରି ଗଢ଼ିଛନ୍ତି ଏହି ଉପନ୍ୟାସରେ । ଭାରତୀୟ ଦର୍ଶନର ସ୍ୱଳ୍ପମାତ୍ର ସ୍ପର୍ଶରେ ବହୁ ବିଶ୍ୱ ବିଶ୍ରୁତ ଉପନ୍ୟାସ ରଚିତ ହୋଇଛି । ଯେପରି-Summer Set Maughamଙ୍କର ‘Razor’s Edge (କ୍ଷୁରଧାର), Herman Hesse ଙ୍କର ‘ସିଦ୍ଧାର୍ଥ’ ଏବଂ Richard Bach ଙ୍କର ‘Than Thou Living Stone Seagull’ ଇତ୍ୟାଦି ଉପନ୍ୟାସରେ ଭାରତୀୟ ଦର୍ଶନର ସ୍ୱଳ୍ପମାତ୍ର ସ୍ପର୍ଶ ପରିଲକ୍ଷିତ ହୋଇଥାଏ । କିନ୍ତୁ ଭାରତୀୟ ସାହିତ୍ୟରେ ଦର୍ଶନ-ଭିତ୍ତିକ ଉପନ୍ୟାସର କ୍ୱଚିତ୍ ସଫଳ ରୂପାୟନ ସମ୍ଭବ ହୋଇଛି । ରାଜାରାଓଙ୍କର ‘Serpent and the rope’, କମଳ ମାର୍କଣ୍ଡେଙ୍କର ‘Nectar in the Seeve’ (ଚାଲୁଣିରେ ଅମୃତ) ପ୍ରଭୃତି ଉପନ୍ୟାସରେ ଭାରତୀୟ ଦର୍ଶନର କୌଣସି ପ୍ରଭାବଶାଳୀ ବା ସାମୂହିକ ରୂପାୟନ ହୋଇପାରିନାହିଁ ।

 

ଏହି ‘ନବଜାତକ’ ଉପନ୍ୟାସଟି ସମଗ୍ର ଭାରତୀୟ ଦର୍ଶନର ତୁଙ୍ଗଭୂମି ସ୍ପର୍ଶ କରିଥିଲେ ମଧ୍ୟ ଏହାକୁ ଦାର୍ଶନିକ ଉପନ୍ୟାସ ନକହି ବରଂ କଥାଛଳରେ ଦାର୍ଶନିକ ବା ଯୋଗଶାସ୍ତ୍ର ସମ୍ବନ୍ଧୀୟ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ । ଭାରତୀୟ ଦର୍ଶନର ଚିରନ୍ତନ ମୂଲ୍ୟବୋଧ ସାମୂହିକ ଭାବରେ ଏଥିରେ ପ୍ରତିଷ୍ଠିତ ହୋଇଥିବାରୁ ଏହାକୁ ଉପନ୍ୟାସର ପୌରାଣିକତା ରୂପେ ଗ୍ରହଣ କରାଯାଇପାରେ । ପୁଣି ଜୈନ ଓ ବୌଦ୍ଧ ଦର୍ଶନ (ନାସ୍ତିକବାଦ), ସନାତନ, ଶୈବ, ବେଦାନ୍ତଦର୍ଶନ, ଖ୍ରୀଷ୍ଟୀୟ ଦାର୍ଶନିକ ତତ୍ତ୍ୱ ଏବଂ ସର୍ବୋପରି ଶ୍ରୀ ଅରବିନ୍ଦଙ୍କର ପୂର୍ଣ୍ଣାଙ୍ଗ ଯୋଗ ଏବଂ ରୂପାନ୍ତର ଦର୍ଶନ (ଅତିମାନସ ଦର୍ଶନ) ପ୍ରଭୃତି ଏହି ଉପନ୍ୟାସରେ ଉଲ୍ଲିଖିତ ହୋଇଛି । ଏତଦ୍‌ବ୍ୟତୀତ ଏହି ଉପନ୍ୟାସର ଚରିତ୍ର ଭାବରେ ବୃହତ୍ (ବାୟବ୍ୟପୁରୁଷ), ଦୀକ୍ଷିତଭିକ୍ଷୁ (ତଇଜସ/ତେଜପୁରୁଷ), ସୁବୋଧ ଓ ସୁନନ୍ଦ ପ୍ରଭୃତି ନାମଗୁଡ଼ିକ ବୌଦ୍ଧ ପରମ୍ପରାରୁ ଆନୀତ । ଅତଏବ ଉପନ୍ୟାସର କ୍ଷୁଦ୍ର କଳେବର ଏହି ସମସ୍ତକୁ ଧାରଣ କରି ଅତି ସାନ୍ଧ୍ର ଓ ଗଭୀର ପର୍ଯ୍ୟାୟକୁ ଉନ୍ନୀତ ହୋଇ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ନୂତନ ଆଲୋକ ପ୍ରଦାନ କରିପାରିଛି ।

 

ପରବର୍ତ୍ତୀ ଔପନ୍ୟାସିକ ମହାପାତ୍ର ନୀଳମଣି ସାହୁ ଗୌଡ଼ୀୟ ବୈଷ୍ଣବ ଧର୍ମର ଦାର୍ଶନିକ ଚିନ୍ତାଧାରାକୁ ସାମାଜିକ ପୃଷ୍ଠଭୂମି ଉପରେ ପ୍ରତିଷ୍ଠା କରି ରଚନା କରିଛନ୍ତି ଉପନ୍ୟାସ ‘ତାମମୀ ରାଧା’ । ଉପନ୍ୟାସର ନାୟକ ସାଧୁଚରଣ ପୁରାଣ, ଭାଗବତ ନାମ-ସଂକୀର୍ତ୍ତନ ଓ ଭଜନ ମାଧ୍ୟମରେ ନାନା ସାମାଜିକ ସମସ୍ୟାର ଆଲୋଚନା ପ୍ରସଙ୍ଗରେ ଲୋକମାନଙ୍କ ମନରେ ଧର୍ମବିଶ୍ୱାସ ଓ ଧାରଣାକୁ ଦୃଢ଼ୀଭୂତ କରାଇଛନ୍ତି । ସତେ ଯେମିତି ସେ ଅନୁଭବ କରିଛନ୍ତି ମହାତ୍ମାଜୀଙ୍କ ସେହି ନୀତି ଓ ଆଦର୍ଶର ଆହ୍ୱାନ । ହଇଜା ମହାମାରୀ ବିରୁଦ୍ଧରେ ସଂଗ୍ରାମ କରି ମଣିଷ ମନରୁ ଭୟସବୁ ଦୂରୀଭୂତ କରି ପାରିଛନ୍ତି ।

 

ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ‘ଶକୁନ୍ତଳା’ ଓ ତାର ନାମକରଣକୁ ନୂତନ ପ୍ରୟୋଗବାଦୀ ଉପନ୍ୟାସର ନାମକରଣରେ ଗୋଟିଏ ‘ମିଥ୍‌’ ବୋଲି କୁହାଯାଇପାରେ । ଔପନ୍ୟାସିକଙ୍କ ମତରେ, ‘‘ଦେଶର ଛବି ମଣିଷର ଛବି ଇତିହାସରେ ନାହିଁ, ଅଛି ସାହିତ୍ୟରେ-ଅଛି ପୁରାଣରେ ।’’ (ଶକୁନ୍ତଳା ପୃ-୧୭୧) ଭାରତବର୍ଷରେ ସଂଘଟିତ ନକ୍‌ସାଲାଇଟ୍‌ ଆନ୍ଦୋଳନ, ମାର୍କସ୍‌ ଲେଲିନ୍ ମାଓସେତୁଙ୍ଗଙ୍କ ସହିତ ଅହିଂସା ଓ ପ୍ରେମଧର୍ମର ବିଷୟବସ୍ତୁକୁ ଉପଜୀବ୍ୟ କରି ଏକ ବୈପ୍ଳବିକ ପୃଷ୍ଠଭୂମିରେ ଲେଖକ ଯେଉଁ ସାଂସ୍କୃତିକ ଆନ୍ଦୋଳନର ଅବତାରଣା କରିଛନ୍ତି ତାହା ଅନନ୍ୟ ସାଧାରଣ ହେଲେ ହେଁ ଏହା ଏହି ମାଟିର ଇତିବୃତ୍ତ ବୋଲି ମନେ ହୁଏ ନାହିଁ । ପ୍ରୟୋଗାତ୍ମକ ସାହିତ୍ୟ ସୃଷ୍ଟି କରିବା ଆଳରେ ଔପନ୍ୟାସିକ କେବଳ ବିଭିନ୍ନ ଆନ୍ତର୍ଜାତିକ ସାହିତ୍ୟରୁ ରସ ଆସ୍ୱାଦନ କରି ପାଠକ ଆଗରେ କେବଳ ଉପସ୍ଥାପିତ କଲେ ତାହା ଯଥେଷ୍ଟ ନୁହେଁ, ବରଂ ତାକୁ ଏହି ମାଟିର ପାଣି ପବନ ସାଙ୍ଗରେ ମିଶାଇ ନଦେଲେ ତାହା ବିଦେଶାଗତ ଭଳି ମନେହୁଏ । ଏହି କଥାବସ୍ତୁକୁ ଭାରତୀୟତା ପ୍ରଦାନ କରିବାପାଇଁ ଶ୍ରୀ ଆଚାର୍ଯ୍ୟ ପୌରାଣିକ ଶକୁନ୍ତଳା ଚରିତ୍ରକୁ ପ୍ରତୀକ ଭାବରେ ବ୍ୟବହାର କରିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ଧର୍ମବିଶ୍ୱାସକୁ ବ୍ୟବହାର କରି ସେ ମାର୍କସବାଦୀ ଚିନ୍ତାଧାରାର ବିରୋଧ କରିବାପାଇଁ ପୌରାଣିକ ଶକୁନ୍ତଳା ଚରିତ୍ରକୁ ଆଲୋଚନା ପରିସରଭୁକ୍ତ କରିଛନ୍ତି ।

 

ହୁଗୁଳୀ ନଦୀ ନିକଟବର୍ତ୍ତୀ ଗଙ୍ଗାସାଗର, ଆହ୍ଳାବାଦ, ବନାରସ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଗୋମୁଖ (ଗଙ୍ଗାର ଉତ୍ପତ୍ତିସ୍ଥଳ), ହରଦ୍ୱାର, ଋଷିକେଶ, ବଦ୍ରୀନାଥ ଓ କେଦାରନାଥ ଇତ୍ୟାଦି ପବିତ୍ର ତୀର୍ଥର ଅନୁଭୂତିକୁ ଆଧାର କରି ଔପନ୍ୟାସିକ ବିଭୂତି ପଟ୍ଟନାୟକ ରଚନା କରିଛନ୍ତି ଭ୍ରମଣ ଉପନ୍ୟାସ ‘ତୀରେ ତୀରେ ତୀର୍ଥ’ । ଏହି ଉପନ୍ୟାସରେ ଐତିହାସିକ ତଥ୍ୟ, କିମ୍ୱଦନ୍ତୀ, ଭୌଗୋଳିକ ଅବସ୍ଥିତି ତଥା ପୌରାଣିକ ଉପାଖ୍ୟାନଗୁଡ଼ିକ ହୋଇଛି ଋଦ୍ଧିମନ୍ତ । ହରଦ୍ଵାର ବା ହରିଦ୍ଵାର ସମ୍ପର୍କରେ ପୌରାଣିକ ଉପାଖ୍ୟାନର ଉଲ୍ଲେଖ କରିବାକୁ ଯାଇ ଲେଖକ କହିଛନ୍ତି ଯେ ସମୁଦ୍ର ମନ୍ଥନ ବେଳେ ଯେତେବେଳେ ଅମୃତ ବାହାରିଛି ସେତେବେଳେ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ଦେଖାଦେଇଛି କଳହ । ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ଗୋଟିଏ ଛଦ୍ମବେଶୀ କାକ ରୂପରେ ସେଠାରେ ପହଞ୍ଚି ସେହି ଅମୃତଭାଣ୍ଡକୁ ନେଇ ସ୍ୱର୍ଗରେ ପହଞ୍ଚିବା ପୂର୍ବରୁ ଭାରତବର୍ଷର ଯେଉଁ ଯେଉଁ ସ୍ଥାନରେ ବିଶ୍ରାମ ନେଇଥିଲେ ସେହି ସେହି ସ୍ଥାନରେ ପୂର୍ଣ୍ଣ ଅମୃତଭାଣ୍ଡରୁ କିଛି କିଛି ଅମୃତ ଉଛୁଳି ପଡ଼ିଥିବାରୁ ପରବର୍ତ୍ତୀ କାଳରେ ତାହା ତୀର୍ଥଭୂମିରେ ପରିଣତ ହୋଇଛି । ସେହି ତୀର୍ଥଭୂମିରେ ଅଦ୍ୟାବଧି କୁମ୍ଭମେଳା ଅନୁଷ୍ଠିତ ହେଉଛି । କିନ୍ତୁ ବିଶେଷକରି ହରଦ୍ୱାର ଓ ଆହ୍ଲାବାଦର କୁମ୍ଭମେଳା ଭାରତ ବିଖ୍ୟାତ । ସେହି କୁମ୍ଭମେଳାର ମାହାତ୍ମା ଓ ବୈଶିଷ୍ଟ୍ୟ ଏହି ଉପନ୍ୟାସରେ ହୋଇଛି ଗୁରୁତ୍ୱପୂର୍ଣ୍ଣ । ପୁଣି ହରଦ୍ୱାରର ବୈଶିଷ୍ଟ୍ୟ ପ୍ରତିପାଦନରେ ପୌରାଣିକ ଉପାଖ୍ୟାନର ଅବତାରଣା ବେଶ୍ ହୃଦୟସ୍ପର୍ଶୀ । ଭୀମଗୋଡ଼ା ସ୍ଥାନରେ ମହାବଳୀ ଭୀମ ଗଙ୍ଗାସ୍ନାନ କରିବା, ହରଦ୍ୱାରଠାରୁ ପାଣ୍ଡବବୀର ଅର୍ଜୁନ ନାଗକନ୍ୟା ଉଲୁପିଙ୍କୁ ବିବାହ କରିବା, ଇତ୍ୟାଦି ଉପାଖ୍ୟାନଗୁଡ଼ିକ ଏ କ୍ଷେତ୍ରରେ ଉଲ୍ଲେଖନୀୟ । ଗଙ୍ଗାର ଜଳଧାରା ମଧ୍ୟରେ ସମଗ୍ର ଭାରତୀୟ ଧର୍ମଧାରା ପ୍ରବାହିତ ହେବା ସଙ୍ଗେସଙ୍ଗେ ଭାରତବାସୀଙ୍କୁ ଯୁଗ ଯୁଗ ଧରି ଏକତା ସୂତ୍ରରେ ସତେ ଯେମିତି ବାନ୍ଧି ରଖିଛି ।

 

ହରଦ୍ୱାରଠାରୁ ବଦ୍ରୀନାଥ ଯିବା ବାଟରେ ପଡ଼େ ଦେବପ୍ରୟାଗ, ରୁଦ୍ରପ୍ରୟାଗ, ନନ୍ଦପ୍ରୟାଗ, କର୍ଣ୍ଣପ୍ରୟାଗ ଓ ବିଷ୍ଣୁ ପ୍ରୟାଗ ଆଦି ପବିତ୍ର ପଞ୍ଚପ୍ରୟାଗ । ମହର୍ଷି ବିଶ୍ୱାମିତ୍ର, କିନ୍ନରୀ ପୁଷ୍ପମାଳା, ଶତପୁତ୍ରର ଜନନୀ ଗାନ୍ଧାରୀ, ସୂତ ପୁତ୍ର ବୀର କର୍ଣ୍ଣ, କୁମାରୀ ମାତା କୁନ୍ତୀ ଓ ଦେବୀ ଜନନୀ ପାର୍ବତୀ ତଥା ଦେବ ଦେବ ମହାଦେବ ଆଦି ବିଭିନ୍ନ ପୌରାଣିକ ଚରିତ୍ରମାନଙ୍କର ତପଭୂମି ଭାବରେ ଏହି ପ୍ରୟାଗ ସବୁ ବହୁ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିଛି । ଆବହମାନ କାଳରୁ ଭାରତବର୍ଷର ବିଭିନ୍ନ ପ୍ରାନ୍ତୀୟ ଲୋକମାନଙ୍କ ମଧ୍ୟରେ ଐକ୍ୟ ସ୍ଥାପନ କରିବା ପାଇଁ ଏହି ସବୁ ତୀର୍ଥଭୂମି ପ୍ରାଧାନ୍ୟ ଲାଭ କରିଛି । ଗଙ୍ଗାତୀରରେ ଅବସ୍ଥିତ ସକଳ ତୀର୍ଥରେ ପ୍ରଚଳିତ ପୌରାଣିକ ଉପାଖ୍ୟାନକୁ ଔପନ୍ୟାସିକ ଆଧୁନିକ ସ୍ରଷ୍ଟାର ଦୃଷ୍ଟିଭଙ୍ଗୀ ନେଇ ଉପନ୍ୟାସର ଆଙ୍ଗିକରେ ବର୍ଣ୍ଣନା କରିଛନ୍ତି । ଏହା କେବଳ ତଥ୍ୟ ସମୃଦ୍ଧ ଭ୍ରମଣ ବୃତ୍ତାନ୍ତ ନୁହେଁ କିମ୍ବା ଶୁଷ୍କ ପୌରାଣିକ କାହାଣୀର ପୁନରାବୃତ୍ତି ନୁହେଁ ବରଂ ଏହା ପୌରାଣିକ ଉପାଖ୍ୟାନ, ପୌରାଣିକ ଚରିତ୍ର ଓ ପୁରାଣ ପ୍ରାଚୀନ ତୀର୍ଥଭୂମିମାନଙ୍କର ବର୍ଣ୍ଣନାରେ ମହାନ୍ ହୋଇ ଉଠିଛି ।

 

ଅତଏବ ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡ଼େ ଯେ ପୌରାଣିକ କାହାଣୀ, ଚରିତ୍ର ଓ ବିଭିନ୍ନ ଉପଖ୍ୟାନକୁ ନେଇ ରଚିତ ଯାଜ୍ଞସେନୀ ଓ ରାଈ ବିନୋଦିନୀ ପ୍ରଭୃତି ପୌରାଣିକ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି । ପୌରାଣିକତାର ପୃଷ୍ଠଭୂମିରେ ରଚିତ ଏହି ଉପନ୍ୟାସ ଗୁଡ଼ିକ ପାଠକମାନଙ୍କୁ ଧର୍ମ, ନୀତି, ନ୍ୟାୟ, ନିଷ୍ଠା ଓ ଆଦର୍ଶ ମାର୍ଗରେ ଗତି କରିବା ପାଇଁ ପ୍ରେରଣା ଯୋଗାଇଥାଏ । ଠିକ୍ ସେହିଭଳି ଅନ୍ୟାନ୍ୟ ସାମାଜିକ ଐତିହାସିକ ଓ ଭ୍ରମଣ ଉପନ୍ୟାସଗୁଡ଼ିକରେ ଘଟଣା ପ୍ରସଙ୍ଗରେ ପୌରାଣିକ କିମ୍ବଦନ୍ତୀ ଓ ଉପାଖ୍ୟାନଗୁଡ଼ିକର ଅବତାରଣା ଫଳରେ ଉପନ୍ୟାସର ଆଙ୍ଗିକ ଓ ଆତ୍ମିକ ସୌନ୍ଦର୍ଯ୍ୟର ବୃଦ୍ଧି ଘଟେ । ତେଣୁ ଓଡ଼ିଆ ଉପନ୍ୟାସରେ ପୌରାଣିକତାର ବର୍ଣ୍ଣନା ବାସ୍ତବିକ ଓଡ଼ିଆ ଉପନ୍ୟାସକୁ ସମୃଦ୍ଧ କରିବା ସଙ୍ଗେସଙ୍ଗେ ଓଡ଼ିଶାର ପ୍ରାଚୀନ ସାହିତ୍ୟ, ଇତିହାସ, ସଂସ୍କୃତି, ପରମ୍ପରା, ଧର୍ମ, ଦର୍ଶନ ଓ କିମ୍ବଦନ୍ତୀର ପ୍ରତିଷ୍ଠା ସମାଜରେ ସମ୍ଭବପର ହୋଇଥାଏ । ସର୍ବଭାରତୀୟ ସ୍ତରରେ ଅନ୍ୟାନ୍ୟ ଉପନ୍ୟାସ ସାହିତ୍ୟ ଭଳି ପୌରାଣିକତାଯୁକ୍ତ ଓଡ଼ିଆ ଉପନ୍ୟାସ ସାହିତ୍ୟ ଉନ୍ନତ, ରୁଚିସମ୍ପନ୍ନ ଓ ଗବେଷଣାଧର୍ମୀ ତଥା ଯୁଗୋପଯୋଗୀ ହୋଇପାରିଛି ।

 

 

ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗ

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ

ପାରଳାଖେମୁଣ୍ଡି, ଗଞ୍ଜାମ

 

***

 

ସମସାମୟିକ ଭାରତୀୟ ଉପନ୍ୟାସରେ ପଦ୍ମମାଳୀର ସ୍ଥାନ

ଡ: ବାଉରୀବନ୍ଧୁ କର

 

ଭାରତୀୟ ସାହିତ୍ୟରେ ‘ଉପନ୍ୟାସ’ ପାଶ୍ଚାତ୍ୟ ସାହିତ୍ୟ ପ୍ରଭାବର ନିଦର୍ଶନ । ଏକ ପରମ୍ପରାହୀନ ସୃଷ୍ଟି ରୂପେ ଏହାର ଆବିର୍ଭାବ ଅପ୍ରତ୍ୟାଶିତ । କେବଳ ଭାରତ କାହିଁକି ବିଶ୍ୱର କୌଣସି ଦେଶରେ ପୁରାତନ ସାହିତ୍ୟରେ ଉପନ୍ୟାସ ରଚନାର ନମୁନା ଦେଖିବାକୁ ମିଳେ ନାହିଁ । ଅଷ୍ଟାଦଶ ଶତକର ଆଦିପାଦରେ ଏହାର ଜନ୍ମ । ଏହା ଭାରତୀୟ ସାହିତ୍ୟରେ ଊନବିଂଶ ଶତକରେ ନିଜର ଆତ୍ମପରିଚୟ ଦେଇଛି । ମଣିଷର ଜୀବନକୁ ନେଇ ଉପନ୍ୟାସମାନ ଗଢ଼ି ଉଠିଛି-। ସାମାଜିକ ପରିବେଷ୍ଟନୀରୁ ମଣିଷର ମୁକ୍ତି ଓ ବ୍ୟକ୍ତି ସ୍ୱାଧୀନତା ଅନେକତ୍ର ଉପନ୍ୟାସରେ ପ୍ରକାଶିତ-। ଔପନ୍ୟାସିକ ପକ୍ଷେ ଜୀବନର ଜଟିଳ ରହସ୍ୟ ସନ୍ଧାନ ବଡ଼କଥା । ସେଥିପାଇଁ ସେ ଇତିହାସ, ବୈଦିକ ପରମ୍ପରା ଭିତରେ ଜୀବନର ଚିରନ୍ତନ ସ୍ରୋତ ସନ୍ଧାନ କରିବାକୁ କୁଣ୍ଠିତ ନୁହେଁ । ସେଥିପାଇଁ ଉପନ୍ୟାସ ଜୀବନ ପରି ଅସୀମ ଓ ବ୍ୟାପକ ।

 

ଊନବିଂଶ ଶତାବ୍ଦୀ ଭାରତୀୟ ଶିକ୍ଷା, ସଂସ୍କୃତି ଓ ସାହିତ୍ୟର ଇତିହାସରେ ଅତୀବ ଗୁରୁତ୍ୱପୂର୍ଣ୍ଣ । ଇଂରେଜମାନେ ଏ ଦେଶକୁ ଆସିବା ସହିତ ଏଠାରେ ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ । ଭାରତରେ ପାଶ୍ଚାତ୍ୟ ଶିକ୍ଷାକୁ ରାଜା ରାମମୋହନ ରାୟଙ୍କ ପରି ବିଶିଷ୍ଟ ସମାଜ-ସଂସ୍କାରକମାନେ ସ୍ୱାଗତ କରିଥିଲେ । ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ଫଳରେ ଭାରତୀୟମାନଙ୍କ ସାମାଜିକ ଜୀବନରେ ପରିବର୍ତ୍ତନର ସୂତ୍ରପାତ ହୋଇଥିଲା । ମିଶନାରୀମାନଙ୍କ ଆଗମନ ଓ ଶ୍ରୀରାମପୁରରେ କଲେଜ ପ୍ରତିଷ୍ଠା ଦ୍ୱାରା ଏ ଦେଶବାସୀଙ୍କ ମନରେ ଏକ ନବୀନ ଉଦ୍ଦୀପନା ସୃଷ୍ଟି ହୋଇଥିଲା । ଉଚ୍ଚ ଶିକ୍ଷାଲାଭ କରି ଯେଉଁ ଶିକ୍ଷିତ ଗୋଷ୍ଠୀ ଆତ୍ମପ୍ରକାଶ କରିଥିଲେ, ସେମାନେ ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପ୍ରଦର୍ଶନ କଲେ ସ୍ୱକୀୟ ସ୍ୱାତନ୍ତ୍ର୍ୟ । ପ୍ରାଚୀନ ପରମ୍ପରାରେ ପ୍ରଥାସିଦ୍ଧ ରୀତିରେ କାବ୍ୟ କବିତା ନଲେଖି ଏହି ଶିକ୍ଷିତ ଗୋଷ୍ଠୀ ରଚନା କଲେ-ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ସମାଲୋଚନା । ପତ୍ରପତ୍ରିକା ପୃଷ୍ଠାରେ ପ୍ରଥମକରି ଏହି ଲେଖା ଗୁଡ଼ିକ ପ୍ରକାଶିତ ହେଲା ଓ ପାଠକର ଆଦର ଅନୁଯାୟୀ ଏହା ସମୟକ୍ରମେ ପୁସ୍ତକ ଆକାରରେ ରୂପଲାଭ କଲା । ବିଶେଷ କରି ଭାରତୀୟ ସାହିତ୍ୟମାନଙ୍କରେ ଊନବିଂଶ ଶତକରେ ସାହିତ୍ୟର ଏସବୁ ନୂତନ ବିଭାଗଗୁଡ଼ିକରେ ଚାଲିଲା ପରୀକ୍ଷା । ବଙ୍ଗଳା ସାହିତ୍ୟ ଉପନ୍ୟାସ ରଚନାରେ ଅନ୍ୟାନ୍ୟ ଭାଷା ସାହିତ୍ୟ ତୁଳନାରେ ଅଗ୍ରଜ ଭୂମିକା ଗ୍ରହଣ କଲା ।

 

ଇଂରାଜୀ ଶିକ୍ଷା, ସଭ୍ୟତାର ଆଲୋକରେ ସମଗ୍ର ଭାରତବର୍ଷରେ ପ୍ରଥମେ ବଙ୍ଗଦେଶ ଆଲୋକିତ ହୋଇଥିଲା । କଲିକତା ମହାନଗରୀ ଥିଲା ଶିକ୍ଷା, ସଂସ୍କୃତି ଓ ସାହିତ୍ୟର ପୁଣ୍ୟପୀଠ । ଊନବିଂଶ ଶତକର ଆଦି ପାଦରେ ଇଂରାଜୀ ଶିକ୍ଷିତ ବାବୁମାନଙ୍କ ଆଚାର-ବ୍ୟବହାର ପ୍ରଭୃତି ସାଧାରଣ ଜନତାଙ୍କ ପାଇଁ ଆଦୌ ରୁଚିକର ନଥିଲା । ଏକ ପକ୍ଷରେ ପ୍ରାଚୀନ ପରମ୍ପରା, ଅପର ପକ୍ଷରେ ନବୀନ ଚିନ୍ତାଧାରା ମଧ୍ୟରେ ଏକ ସଂଘର୍ଷ କେତେକଙ୍କ ମାନସିକ ଭାବନାକୁ କରିଥିଲା ଭାରାକ୍ରାନ୍ତ । ଏହି ମାନସିକ ଆନ୍ଦୋଳନର ପ୍ରତିରୂପ ତତ୍‌କାଳର ବହୁ ଉପନ୍ୟାସରେ ଉତ୍କୀର୍ଣ୍ଣ । ଶିକ୍ଷିତ ବାବୁମାନେ ଇଂରାଜୀ ଶିକ୍ଷା, ସଭ୍ୟତାର ଦ୍ୱାହି ଦେଇ ସମାଜରେ ନାନା ପ୍ରକାରର ଅଘଟଣ ଘଟାଇବା ସହିତ ନିମ୍ନ ଶ୍ରେଣୀର ଜନସାଧାରଣଙ୍କୁ ପ୍ରତାରଣା କରୁଥିଲେ । ଏ ସବୁକୁ ବିଦ୍ରୂପାତ୍ମକ ଶୈଳୀରେ ବଙ୍ଗଳାର ଅନ୍ୟତମ ଲେଖକ ପ୍ରମଥନାଥ ଶର୍ମା ଓରଫ୍ ଭବାନୀଚରଣ ମୁଖୋପାଧ୍ୟାୟ ଲେଖିଥିଲେ ତାଙ୍କର ‘ନବବାବୁ ବିଳାସ’ ପୁସ୍ତକରେ । ୧୮୨୩ ମସିହାରେ ପ୍ରକାଶିତ ଏହି ପୁସ୍ତକକୁ କେତେକ ବଙ୍ଗଳା ସାହିତ୍ୟର ଆଦି ପର୍ଯ୍ୟାୟର ଉପନ୍ୟାସର ଗୌରବ ଦେଇଥାନ୍ତି । କିନ୍ତୁ ଏ ପୁସ୍ତକଟିକୁ ଉପନ୍ୟାସ ଅପେକ୍ଷା ଏକ ବିଦ୍ରୂପାତ୍ମକ ମୁକ୍ତ ଗଦ୍ୟ ରଚନା କହିବା ଅଧିକ ସମୀଚୀନ ହେବ । ପରବର୍ତ୍ତୀ ସମୟରେ ପ୍ୟାରୀଚାନ୍ଦ ମିତ୍ର ଓରଫ୍‌ ଟେକଚାନ୍ଦ ଠାକୁର ସମକାଳୀନ ସାମାଜିକ ଜୀବନକୁ ଭିତ୍ତି କରି ୧୮୫୮ ମସିହାରେ ରଚନା କଲେ ବଙ୍ଗଳା ସାହିତ୍ୟର ପ୍ରଥମ ଉପନ୍ୟାସ ‘ଆଲାଲେର ଘରେର ଦୁଲାଲ’ । ଏହି ଉପନ୍ୟାସଟି ବଙ୍ଗଳା ଭାଷା କାହିଁକି ସମଗ୍ର ଭାରତରେ ପ୍ରାଦେଶିକ ଭାଷାମାନଙ୍କରେ ପ୍ରକାଶିତ ପ୍ରଥମ ଉପନ୍ୟାସ । ଏହି ଉପନ୍ୟାସ ସମ୍ପର୍କରେ ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ଦେଇ L.S.S O’Malley କହନ୍ତି, ‘‘A lead in the revolt against the Sankritized style was given by Piari Chand Mitra (1814-83), who wrote under the nom-deplume of Tekchand Thakur and in 1858 published a novel called ‘Allaler Gharer Dulal,’ which has been held to be comparable with the works of Fielding and Moliere. It eschewed the pedantic language which was regarded as the Cachet of good writing and aimed at simplicity of diction’’. (୧) ପ୍ୟାରୀଚାନ୍ଦ ସାଧାରଣ ସମସ୍ୟାକୁ ନେଇ ଉପନ୍ୟାସରେ ଯେଉଁ ଧାରାକୁ ଗୁରୁତ୍ୱ ଦେଲେ, ତାହାକୁ ବଙ୍କିମଚନ୍ଦ୍ର ସୁନ୍ଦର ରୂପେ ନିଜର ଉପନ୍ୟାସରେ ବ୍ୟକ୍ତ କଲେ । ଆଙ୍ଗିକ, ଚରିତ୍ର ଚିତ୍ରଣ, ସାମାଜିକ ସମସ୍ୟାର ବିଶ୍ଳେଷଣ ଦିଗରେ ବଙ୍କିମ ଚନ୍ଦ୍ର ବଙ୍ଗଳା ଉପନ୍ୟାସ ସାହିତ୍ୟରେ ଦେଲେ ନିଜର ଅନନ୍ୟ ସାଧାରଣ କୃତିତ୍ୱର ପରିଚୟ-। ତାଙ୍କର ‘ଦୁର୍ଗେଶ ନନ୍ଦିନୀ’ (୧୮୬୫), ‘କପାଳ କୁଣ୍ଡଳା’ (୧୮୬୬), ‘ମୃଣାଳିନୀ’ (୧୮୬୯), ‘ବିଷବୃକ୍ଷ’ (୧୮୭୩), ‘କୃଷ୍ଣକାନ୍ତେର ଉଇଲ, (୧୮୭୮), ‘ଦେବୀ ଚଉଧୁରାଣୀ’ (୧୮୮୪), ‘ସୀତାରାମ’ (୧୮୮୭) ପ୍ରଭୃତି ଉପନ୍ୟାସରେ ସଂସ୍କାର ପ୍ରୟାସ ମନୋବୃତ୍ତି, ଐତିହ୍ୟ ଚେତନା, ଆଧ୍ୟାତ୍ମିକ ଅବବୋଧ, ଜାତୀୟ ଆନ୍ଦୋଳନର ‘ବନ୍ଦେ ମାତରମ୍’ ଧ୍ୱନି, ବିଶେଷ ସଫଳରୂପ ନେଇଛି । ସମାଜର ନିମ୍ନ ଶ୍ରେଣୀ ପ୍ରତି ସହାନୁଭୂତି ମୂଳକ ଅନୁକମ୍ପା ଦେଖାଇବାରେ ତାଙ୍କର ପ୍ରବଳ ଶ୍ରଦ୍ଧା ପରିଲକ୍ଷିତ । ବଙ୍କିମଚନ୍ଦ୍ରଙ୍କ ଲେଖନୀରେ ବଙ୍ଗଳା ଉପନ୍ୟାସ ହେଲା ବହୁଜନାଦୃତ । ଊନବିଂଶ ଶତକରେ ବଙ୍ଗଳାର ଅନ୍ୟତମ ବିଶିଷ୍ଟ ଔପନ୍ୟାସିକ ଭାବରେ ରମେଶଚନ୍ଦ୍ର ଦତ୍ତଙ୍କ ନାମ ଉଲ୍ଲେଖଯୋଗ୍ୟ । ସେ ଅତୀତ ବିଭବ କାହାଣୀକୁ ଉପନ୍ୟାସରେ ରୂପ ଦେଇ ଯେଉଁ ଜାତୀୟତାବୋଧର ଦୃଷ୍ଟାନ୍ତ ରଖିଯାଇଛନ୍ତି, ତାହା ବାସ୍ତବରେ ଅଭିନନ୍ଦନୀୟ । ତାଙ୍କର ‘ବଙ୍ଗ ବିଜେତା’ (୧୮୭୪) ‘ମାଧବ କଙ୍କଣ’ (୧୮୭୭), ‘ମହାରାଷ୍ଟ୍ର ଜୀବନ ପ୍ରଭାତ’ (୧୮୭୮), ‘ରାଜପୁତ୍ ଜୀବନ ସନ୍ଧ୍ୟା’ (୧୮୭୯) ପ୍ରଭୃତି ଉପନ୍ୟାସରେ ଜାତି ପ୍ରତି ଗଭୀର ମମତା, ବିପ୍ଳବୀ ମନୋଭାବ ଓ ଅତୀତ ପ୍ରତି ଅଜସ୍ର ମୋହ ଲକ୍ଷଣୀୟ । ସେ ବଙ୍ଗଳାର ପଲ୍ଲୀ ଜୀବନଚର୍ଯ୍ୟାକୁ ନେଇ ‘ସଂସାର’ (୧୮୮୬), ‘ସମାଜ’ (୧୮୯୩) ନାମରେ ଲେଖିଛନ୍ତି ଦୁଇଟି ସାମାଜିକ ଉପନ୍ୟାସ । ବିଧବାମାନଙ୍କ ସମସ୍ୟା, ଛୁଆଁ ଅଛୁଆଁ ଭେଦଭାବର ପ୍ରାଚୀର ଲଙ୍ଘନ କରି ଏକ ସୁନ୍ଦର ବାସ୍ତବବାଦୀ ସମାଜ ଗଠନର ପରିକଳ୍ପନା ତାଙ୍କର ଏଇ ଦୁଇଟି ଉପନ୍ୟାସରେ ପ୍ରକାଶିତ । ଏମାନଙ୍କ ବ୍ୟତୀତ ଊନବିଂଶ ଶତକରେ ବଙ୍ଗଳା ଉପନ୍ୟାସ ସାହିତ୍ୟରେ ଲାଲ ବିହାରୀ ଦେ, ପ୍ରଭାତ କୁମାର ମୁଖୋପାଧ୍ୟାୟ ନିଜର ପଦଚିହ୍ନ ରଖିଯାଇଛନ୍ତି । କିନ୍ତୁ ବଙ୍କିମଚନ୍ଦ୍ରଙ୍କ ପରି ପ୍ରତିଭାଶାଳୀ ଔପନ୍ୟାସିକଙ୍କ ପ୍ରଚଣ୍ଡ ଜ୍ୟୋତିରେ ଅନ୍ୟମାନେ ନିଷ୍ପ୍ରଭ ହୋଇଯାଇ କେବଳ ସାହିତ୍ୟ ଇତିହାସର ସାମଗ୍ରୀ ରୂପେ ବଞ୍ଚିଛନ୍ତି କହିଲେ ଯଥାର୍ଥ ହେବ ।

 

(୧) History of Bengal, Bihar & Orissa under British Rule-(1925) L.S.S. O’Malley Calcutta, Bengal Secretariate Book Depot. Page-738-739.

 

ଊନବିଂଶ ଶତକରେ ଭାରତର ଅନ୍ୟାନ୍ୟ ଭାଷାମାନଙ୍କରେ ମଧ୍ୟ କେତେଗୁଡ଼ିଏ ଉପନ୍ୟାସ ରଚିତ ହୋଇଥିଲା । ତେଲୁଗୁ ଭାଷାରେ ୧୮୭୮ ମସିହାରେ ପ୍ରକାଶିତ ହୋଇଥିଲା ବୀରେଶ ଲିଙ୍ଗମ୍‌ଙ୍କ ‘ରାଜଶେଖର ଚରିତ୍ରମ୍’ । ଏହି ଉପନ୍ୟାସଟି ଆନ୍ଧ୍ର ସମାଜର ସାମାଜିକ ପୃଷ୍ଠଭୂମି ଉପରେ ରଚିତ ହୋଇଥିଲେ ସୁଦ୍ଧା ଏଥିରେ ଇଂରେଜୀ ଉପନ୍ୟାସ ‘ଭିକାର ଅଫ୍‌ ଓଏକ୍‌ ଫିଲଡ୍‌’ର ପ୍ରଭାବ ଅନୁମିତ ହୁଏ । ତାମିଲ ସାହିତ୍ୟରେ ପ୍ରଥମ ଉପନ୍ୟାସ ହେଉଛି ବେଦ ନାୟକ ପିଲାଇଙ୍କ ଲିଖିତ ‘ପ୍ରତାପ ମୁଦାଲିୟର ସରିଥିରାମ’ । ଏହି ଉପନ୍ୟାସଟି ୧୮୭୬ ମସିହାରେ ପ୍ରକାଶିତ । ୧୮୭୭ ମସିହାରେ ସେ ‘ସୁଗୁଣ ସୁନ୍ଦରୀ’ ନାମରେ ଆଉ ଏକ ଉପନ୍ୟାସ ରଚନା କରିଥିଲେ । ମରାଠୀ ଭାଷାରେ ଉପନ୍ୟାସ ରଚନାର ଶୁଭାରମ୍ଭ ହୋଇଛି ୧୮୫୭ ମସିହାରେ । ବାବାତାହ୍ମାଦିଙ୍କ ବିରଚିତ ‘ଯମୁନା ପର୍ଯ୍ୟଟନ’ ହେଉଛି ଏହି ଭାଷାର ପ୍ରଥମ ଉପନ୍ୟାସ । ବିଧବାମାନଙ୍କ ସାମାଜିକ ସମସ୍ୟାର ଆଧାରରେ ଏହା ରଚିତ । ପରବର୍ତ୍ତୀ କାଳରେ ୧୮୭୧ ମସିହାରେ ଗୁଞ୍ଜିକର ‘ମଛନ୍‌ଗଡ଼’ ନାମରେ ଏକ ଐତିହାସିକ ଉପନ୍ୟାସ ରଚନା କରିଥିଲେ । ପ୍ରକୃତ ପକ୍ଷେ ମରାଠୀ ଉପନ୍ୟାସ ରଚନାରେ ହରିନାରାୟଣ ଆପ୍ତେ ଜଣେ ସଫଳ ଔପନ୍ୟାସିକ । ମରହଟ୍ଟା ଜାତିର ବୀରତ୍ୱ, ଏକତା, କର୍ମନିଷ୍ଠା, ସ୍ଵଦେଶ ପ୍ରୀତିର ଅବିକୃତ ପ୍ରତିଲିପି ହେଉଛି ତାଙ୍କର ଉପନ୍ୟାସ ସମୂହ । ତାଙ୍କ ସମ୍ପର୍କରେ M. V. Rajadhyaksha ଅଭିମତ ପ୍ରକାଶ କରି ଲେଖିଛନ୍ତି, ‘‘The novel achieved abrupt maturity in Hari Narayan Apte (1864-1916) who, beginning with Madhli Sthiti (1885), wrote a few novels probing middle class life-the best of them being Pan Lakshyat Kon Gheto (1890-93), the moving story of a child-widow-before the historical romance claimed the major part of his interest. This reflected a shift in the writer and in his reader as well. Apte tempered his youthful ardour for social reform, imbibed from Agarkar, with a groping, after Ranade, for a compromise between reform and tradition’’. (Contemporary Indian Literature, Fourth Edition 1981, Page-154). ସୁତରାଂ ଆପ୍ତେ ଉପନ୍ୟାସ ମାଧ୍ୟମରେ ମରହଟ୍ଟା ସମାଜରେ ସଂସ୍କାର ଆନୟନରେ ହୋଇଥିଲେ ସହାୟକ । ମାଲୟାଲାମ୍‌ ସାହିତ୍ୟରେ ୧୮୮୭ ମସିହାରେ ଆପ୍‌ପୁନେଡ଼ୁନ୍ ଗାଡ଼ିଙ୍କ ‘କୁନ୍ଦଲତା’ ହେଉଛି ପ୍ରଥମ ଉପନ୍ୟାସ । ପରେ ଜନସାଧାରଣଙ୍କ କଥିତ ଭାଷାକୁ ନେଇ ୧୮୮୯ ମସିହାରେ ପ୍ରକାଶ ପାଇଥିଲା ଚାନ୍ଦୁ ମେନନ୍‌ଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଇନ୍ଦୁଲେଖା’ । ସମସାମୟିକ ସାମାଜିକ ସମସ୍ୟାମାନଙ୍କୁ ସେ ଏହି ଉପନ୍ୟାସରେ ରୂପ ଦେଇଛନ୍ତି । ଅସମୀୟା ସାହିତ୍ୟରେ ଆଦି ଔପନ୍ୟାସିକ ରୂପେ ପଦ୍ମନାଥ ଗୋହନ ସ୍ମରଣୀୟ । ତାଙ୍କର ଭାନୁମତୀ (୧୮୯୩) ହେଉଛି ଅସମୀୟା ସାହିତ୍ୟର ପ୍ରଥମ ଉପନ୍ୟାସ । ମାତ୍ର ୧୮୯୫ ମସିହାରେ ପ୍ରକାଶିତ ରଜନୀକାନ୍ତ ବର୍ଦ୍ଦୋଳାଇଙ୍କ ‘ମିରଜିଆରୀ’ ଅସମୀୟା ସାହିତ୍ୟର ଏକ ବିଶିଷ୍ଟ ଉପନ୍ୟାସ । ହିନ୍ଦୀ ସାହିତ୍ୟରେ ଊନବିଂଶ ଶତକରେ ସେପରି କୌଣସି ଉଲ୍ଲେଖନୀୟ ଉପନ୍ୟାସ ସୃଷ୍ଟି ହୋଇନାହିଁ । ହିନ୍ଦୀ ଉପନ୍ୟାସର ବିଶିଷ୍ଟ ସାଧକ ହେଉଛନ୍ତି ମୁନ୍‌ସି ପ୍ରେମଚାନ୍ଦ । ତାଙ୍କର ଉପନ୍ୟାସଗୁଡ଼ିକ ବିଂଶ ଶତକରେ ରଚିତ ।

 

ଭାରତର ବିଭିନ୍ନ ଭାଷାରେ ଊନବିଂଶ ଶତକରେ ରଚିତ ଉପନ୍ୟାସମାନଙ୍କ ମଧ୍ୟରୁ ଅଧିକାଂଶ ଥିଲା ଐତିହାସିକ । ଇତିହାସରୁ ବିଭବ କାହାଣୀ ସଂଗ୍ରହ କରି ଜାତିକୁ ଉଦ୍‌ବୋଧନ ଦେବାରେ ଏ ଶତକର ଔପନ୍ୟାସିକମାନେ କୁଣ୍ଠାବୋଧ କରିନଥିଲେ । ଅନ୍ୟ ଯେଉଁ କତିପୟ ଉପନ୍ୟାସ ସାମାଜିକ ଜୀବନକୁ ଭିତ୍ତି କରି ଗଢ଼ି ଉଠିଥିଲା, ସେସବୁରେ ଭାରତୀୟ ଗ୍ରାମ୍ୟଜୀବନର ହୃଦୟଗ୍ରାହୀ ଚିତ୍ର ପରିଲକ୍ଷିତ । ଓଡ଼ିଆ ଉପନ୍ୟାସ ସାହିତ୍ୟର ଆଦି ପର୍ଯ୍ୟାୟରେ ଏଇ ଦୁଇଧାରା ସ୍ପଷ୍ଟ । ଓଡ଼ିଆ ଭାଷାରେ ରଚିତ ପ୍ରଥମ ଉପନ୍ୟାସ ‘ପଦ୍ମମାଳୀ’ ହେଉଛି ଏକ ଐତିହାସିକ ଉପନ୍ୟାସ । ରାମଶଙ୍କର ରାୟଙ୍କର ମଧ୍ୟ ଏକ ଐତିହାସିକ ଉପନ୍ୟାସ ‘ବିବାସିନୀ’ ଓଡ଼ିଆ ଉପନ୍ୟାସ ସାହିତ୍ୟର ଆଦି ପର୍ବରେ ରଚିତ । ‘ପଦ୍ମମାଳୀ’ ଉପନ୍ୟାସର ରଚୟିତା ହେଉଛନ୍ତି ଉମେଶଚନ୍ଦ୍ର ସରକାର ଓ ଏହାର ପ୍ରକାଶନ ସମୟ ୧୮୮୮ । ସେତେବେଳକୁ ପଡ଼ୋଶୀ ବଙ୍ଗ ସାହିତ୍ୟରେ ବଙ୍କିମଚନ୍ଦ୍ର ଉପନ୍ୟାସ ଲେଖି ଖ୍ୟାତିର ଚହଳ ପକାଇ ଦେଇଥିଲେ । ତାଙ୍କର ପ୍ରଭାବଶାଳୀ ଉପନ୍ୟାସ ‘ଆନନ୍ଦ ମଠ’ର କବିତା ‘ବନ୍ଦେ ମାତରଂ’ ଧ୍ୱନିରେ ସମଗ୍ର ଭାରତ ପ୍ରକମ୍ପିତ ହୋଇଥିଲା । ଏହିପରି ପରିବେଶରେ ଉମେଶଚନ୍ଦ୍ର ସରକାର ରଚନା କରିଥିଲେ ତାଙ୍କର ଐତିହାସିକ ଉପନ୍ୟାସ ‘ପଦ୍ମମାଳୀ’ ଏଥିରେ ଭାରତୀୟ ଜାତୀୟ ଆନ୍ଦୋଳନର ପଦଧ୍ୱନି ନାହିଁ, କିମ୍ୱା କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟା ନାହିଁ । କିନ୍ତୁ ଊନବିଂଶ ଶତକରେ ଗଡ଼ଜାତ ଅଞ୍ଚଳରେ ପ୍ରଜାମାନେ ଯେଉଁ ଶୋଷଣ, ନିର୍ଯ୍ୟାତନାର ସମ୍ମୁଖୀନ ହୋଇଥିଲେ, ତାର ହୃଦୟ ବିଦାରକ ଇତିହାସ ହେଉଛି ‘ପଦ୍ମମାଳୀ’ ଉପନ୍ୟାସ ।

 

ଊନବିଂଶ ଶତକର ଗଡ଼ଜାତ ରାଜ୍ୟ ନୀଳଗିରି ହେଉଛି ଉପନ୍ୟାସର ଏକ ମୁଖ୍ୟ ସ୍ଥାନ । ନୀଳଗିରି ରାଜକର୍ମଚାରୀମାନଙ୍କର ପାଞ୍ଚଗଡ଼ ଆକ୍ରମଣ, ନାରୀ ଧର୍ଷଣ ଓ ବହୁବିଧ ଅତ୍ୟାଚାରର ଚିତ୍ର ‘ପଦ୍ମମାଳୀ’ ଉପନ୍ୟାସର ପ୍ରତ୍ୟେକ ପର୍ଯ୍ୟାୟରେ ପରିଦୃଷ୍ଟ । ୧୮୩୫ ମସିହା ଶିବରାତ୍ରିଠାରୁ ଅଗଷ୍ଟ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ନୀଳଗିରି ପାଞ୍ଚଗଡ଼ର ମେଳି, ହରିହର ଭ୍ରମରବରବାବୁଙ୍କ ନୀଳଗିରି ଆକ୍ରମଣ, କାପ୍ତିପଦାର ରାଜା ପରୀକ୍ଷିତ ସିଂହଙ୍କ ଦ୍ୱାରା ପଦ୍ମମାଳୀ ଉଦ୍ଧାର ପ୍ରଭୃତି ସଂଘଟିତ ହୋଇଛି । ନୀଳଗିରିର ଦେୱାନ କାମାନ୍ଧ ଦୁର୍ଯ୍ୟୋଧନ ଦାସଙ୍କ ପାଞ୍ଚଗଡ଼ ଆକ୍ରମଣ ଓ ପରୀକ୍ଷିତ ସିଂହ ଓ ଭ୍ରମରବରଙ୍କ ନୀଳଗିରି ପୁନଃ ଆକ୍ରମଣ ଇତ୍ୟାଦି ଘଟଣା ଇତିହାସ ସମର୍ଥିତ । ସେ ସମୟର ମାଜିଷ୍ଟ୍ରେଟ୍ ହେନେରୀ ରିକେଟ୍‌ସ ଏଇ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିଥିଲେ । ଉପନ୍ୟାସଟି ଇତିହାସର ଘଟଣାକୁ ଅବଲମ୍ବନ କରି ରଚିତ ହେଲେ ସୁଦ୍ଧା ଏଥିରେ ପ୍ରେମ-ପ୍ରଣୟ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସୁତରାଂ, ଏ ଉପନ୍ୟାସଟିକୁ ହିଷ୍ଟୋରିକାଲ ରୋମାନ୍‌ସ କୁହାଯିବା ଯଥାର୍ଥ ହେବ ।

 

‘‘ପଦ୍ମମାଳୀ’ ଉପନ୍ୟାସରେ ଏକ ପକ୍ଷରେ ନାରୀ ଉପଭୋଗର ଦୂର୍ବାର ଲାଲସା, ଅପର ପକ୍ଷରେ ଶାଶ୍ୱତ ପ୍ରେମର ଐଶ୍ୱର୍ଯ୍ୟ ପ୍ରକଟିତ । ଦୁର୍ଯ୍ୟୋଧନ ଦାସ ପରି କାମୁକ, ଲମ୍ପଟ ସବୁଠାରେ ଖୋଜି ବୁଲୁଛି ନାରୀ । ତା’ ପାଇଁ ନାରୀ ହେଉଛି, କେବଳ ଉପଭୋଗର ସାମଗ୍ରୀ । କିନ୍ତୁ ପରୀକ୍ଷିତ ସିଂହ ନାରୀକୁ ମର୍ଯ୍ୟାଦା ପ୍ରଦାନ କରି ତାକୁ ଆପଣାର କରିଛି । ଦେଉଳିଆ ମଠର ପବିତ୍ର ପରିବେଶ ହୋଇଛି ପଦ୍ମମାଳୀ ଓ ପରୀକ୍ଷିତଙ୍କ ପ୍ରେମର ପ୍ରକୃଷ୍ଟ କ୍ଷେତ୍ର । ସେମାନଙ୍କ ମନର ଭାବନା, ବିରହ, ଘନଘନ ଆଶ୍ଳେଷ, ମାନସିକ ଦ୍ୱନ୍ଦ୍ଵ ରୀତିଯୁଗୀୟ ଢଙ୍ଗରେ ଔପନ୍ୟାସିକ ବର୍ଣ୍ଣନା କରିଛନ୍ତି । ମଠର ମହନ୍ତ ରାମାନୁଜ ହରିହର ଦାସ, ପରୀକ୍ଷିତ ସିଂହ ଓ ପଦ୍ମମାଳୀଙ୍କ ମିଳନରେ ହୋଇଛନ୍ତି ସହାୟକ । ପରିଶେଷରେ, ସେ ନାୟିକାର ନାମ ଅନୁଯାୟୀ ଉପନ୍ୟାସଟିର ନାମକରଣ କରିଛନ୍ତି ‘ପଦ୍ମମାଳୀ’ ।

 

‘ପଦ୍ମମାଳୀ’ ଉପନ୍ୟାସର ଘଟଣା ବିନ୍ୟାସ ରୀତି ନାଟକୀୟ । ପ୍ରଥମରୁ ନାଟକୀୟ ଉତ୍କଣ୍ଠା ସୃଷ୍ଟିକରି ନାୟକର ନାମକୁ ବହୁ ପୃଷ୍ଠା ପର୍ଯ୍ୟନ୍ତ ଔପନ୍ୟାସିକ ଗୋପନ ରଖିଛନ୍ତି । ବଙ୍କିମ ଚନ୍ଦ୍ର ତାଙ୍କର ଅଧିକାଂଶ ଉପନ୍ୟାସରେ ଏଇ ପନ୍ଥା ଅବଲମ୍ବନ କରିଛନ୍ତି । ମନେହୁଏ ଉମେଶଚନ୍ଦ୍ର ସରକାର ତାଙ୍କ ଉପନ୍ୟାସଟି ରଚନା କଲାବେଳେ ବଂକିମଚନ୍ଦ୍ରଙ୍କୁ ଆଦର୍ଶ ରୂପେ ଗ୍ରହଣ କରି ତାଙ୍କରି ମାର୍ଗ ଅନୁସରଣ କରିଛନ୍ତି । ପୁଣି ବଙ୍କିମଚନ୍ଦ୍ର ତାଙ୍କ ଉପନ୍ୟାସରେ ଅନେକତ୍ର ଚରିତ୍ର ମୁହଁରେ ସାର୍ବଜନୀନ ସତ୍ୟର ଅବତରଣା କରୁଥିଲେ । ଉମେଶଚନ୍ଦ୍ର ‘ପଦ୍ମମାଳୀ’ର ବହୁସ୍ଥଳରେ ସମାଜ, ଜୀବନ, ରାଜନୀତି ସମ୍ପର୍କରେ ମଧ୍ୟ ଏ ଧରଣର ଚିରନ୍ତନ ଉକ୍ତିକୁ ବ୍ୟକ୍ତ କରିଛନ୍ତି । ଏଠାରେ ପ୍ରସଙ୍ଗକ୍ରମେ ଘଣ୍ଟଶିଳା ଗଡ଼ନାୟକଙ୍କର ‘ରାଜଧର୍ମ’ ସଂପର୍କୀୟ ଉକ୍ତିକୁ ଉଦ୍ଧାର କରାଯାଇପାରେ । ଘଣ୍ଟଶିଳା ଗଡ଼ନାୟକ ରାଜଧର୍ମ ସଂପର୍କରେ ଯେଉଁ ଅଭିମତ ଦେଇଛନ୍ତି, ତାହା ସାର୍ବକାଳୀନ ବାର୍ତ୍ତା । ତାହା ଏହିପରି : ‘‘ପ୍ରଜାନେଇ ରାଜା, ଯେଉଁ ରାଜ୍ୟରେ ପ୍ରଜାମାନଙ୍କର ଧନ, ପ୍ରାଣ, ମାନ, ମହତ୍ତ୍ୱର ରକ୍ଷାନାହିଁ, ଈଶ୍ୱର କେଭେଁ ସେ ରାଜ୍ୟର ମଙ୍ଗଳ କରିବେ ନାହିଁ । ଆଉ ଯେଉଁ ଦୁଷ୍ଟ ବୁଦ୍ଧି ସେ ସବୁର ମୂଳ ତାହା ମୁଣ୍ଡରେ ରାଧା ଚଡ଼କ ପଡ଼ିବ ।’’ (ପଦ୍ମମାଳୀ-୨୬ଶ ପରିଚ୍ଛେଦ) ପଦ୍ମମାଳୀ ଉପନ୍ୟାସରେ ଏଇ ଧରଣର ଉକ୍ତିମାନଙ୍କର ବିପୁଳ ସମ୍ଭାର ଅବଶ୍ୟ ଉପଲଭ୍ୟ ।

 

ଊନବିଂଶ ଶତକରେ ଭାରତୀୟ ଭାଷାମାନଙ୍କରେ ରଚିତ ଉପନ୍ୟାସଗୁଡ଼ିକ ପାଠକର ମନୋରଞ୍ଜନ ପାଇଁ ଥିଲେ ଅତ୍ୟନ୍ତ ସଚେତନ । ପାଠକର ମନ ଛୁଇଁବା ପରି ପରିହାସ, ଅବାସ୍ତବ ରୋମାଞ୍ଚ କର ଘଟଣାବଳୀର ବର୍ଣ୍ଣନାରେ ଔପନ୍ୟାସିକମାନେ ନିଷ୍ଠା ପ୍ରଦର୍ଶନ କରୁଥିଲେ । ଏ ହେତୁ ଉପନ୍ୟାସର ଘଟଣାମାନଙ୍କ ସହିତ କୌଣସି ସମ୍ପର୍କ ନଥିବା କେତେକ ବିଷୟକୁ ଔପନ୍ୟାସିକମାନେ ଅଙ୍ଗୀଭୂତ କରୁଥିଲେ । ଏପରିକି ବଙ୍କିମଚନ୍ଦ୍ରଙ୍କ ପରି ପ୍ରସିଦ୍ଧ ଔପନ୍ୟାସିକ ଏଥିରୁ ବର୍ତ୍ତିନାହାନ୍ତି । ଏଠାରେ ‘ପଦ୍ମମାଳୀ’ ଉପନ୍ୟାସରୁ ମହନ୍ତଙ୍କ ରୂପବର୍ଣ୍ଣନା ଅଂଶଟି ଦେଖନ୍ତୁ । ‘‘ମହନ୍ତଙ୍କର ପ୍ରାୟ ଅଶୀତି ବର୍ଷ ହୋଇଥିଲା । କିନ୍ତୁ ତାହାଙ୍କର ଦର୍ଶନେନ୍ଦ୍ରିୟର ତୀକ୍ଷ୍ମତା ବର୍ଦ୍ଧନ କରିବା ସକାଶେ ସଲମନ କମ୍ପାନୀ (Soloman & Co) ଭାରତବର୍ଷକୁ ଆସିନଥିଲେ କିମ୍ୱା ତାହାଙ୍କର ପାକଶକ୍ତିରେ ସାହାଯ୍ୟ କରିବା ପାଇଁ କୌଣସି ଆମେରିକାନ୍ ଡେଣ୍ଟିଷ୍ଟ (American Dentist) ଆସିନଥିଲେ । ମହନ୍ତ ଗୌରବର୍ଣ୍ଣ । ଅଶୀତି ବର୍ଷରେ ସୁଦ୍ଧା ତାହାଙ୍କର ଗାତ୍ର ଚର୍ମ ପଳିତ ପ୍ରାପ୍ତ ହୋଇନଥିଲା ।’’ ପଦ୍ମମାଳୀରେ ଏପରି ଅନାବଶ୍ୟକ ବର୍ଣ୍ଣନାଗୁଡ଼ିକ କେବଳ କାହାଣୀକୁ ଅଯଥା ସ୍ଫୀତିକୃତ କରିଛି ।

 

‘ପଦ୍ମମାଳୀ’ ଉପନ୍ୟାସର ଭାଷା ଅନେକାଂଶରେ ସାଧୁଭାଷା । ଊନବିଂଶ ଶତକରେ ସଂସ୍କୃତ ଶବ୍ଦର ବହୁଳ ବ୍ୟବହାର ଗଦ୍ୟର ଭାଷାରେ ସର୍ବତ୍ର ସୁଲଭ ଥିଲା । ଏ ଧରଣର ଗଦ୍ୟର ପ୍ରବଳ ପ୍ରଭାବରୁ ଔପନ୍ୟାସିକ ଉମେଶଚନ୍ଦ୍ର ମୁକ୍ତ ନଥିଲେ । ବଙ୍ଗଳା ସାହିତ୍ୟରେ ବିଶେଷ କରି ବିଦ୍ୟାସାଗର ସଂସ୍କୃତ ଭାଷାର ବ୍ୟାପକ ବ୍ୟବହାର କରି ଗଦ୍ୟରଚନା କରୁଥିଲେ । ବଙ୍କିମଚନ୍ଦ୍ର ସାଧାରଣ ଜନତାର ଭାଷା ସହ ସଂସ୍କୃତ ଶବ୍ଦମାନଙ୍କୁ ମିଶାଇ ଏକ ପ୍ରକାର ଗୁରୁ ଲଘୁ ଭାଷାରେ ବଙ୍ଗଳା ଗଦ୍ୟକୁ ଦେଲେ ନୂତନ ଜୀବନ୍ୟାସ । ଉମେଶଚନ୍ଦ୍ର ବଙ୍କିମଚନ୍ଦ୍ରଙ୍କ ଉପନ୍ୟାସ ଶୈଳୀକୁ ଅନୁକରଣ କରିଛନ୍ତି ସତ୍ୟ, କିନ୍ତୁ ତାଙ୍କର ଭାଷା ବିନ୍ୟାସ କୌଶଳକୁ ଅନୁସରଣ କରିପାରିନାହାନ୍ତି-। ବରଂ ତାଙ୍କ ଉପନ୍ୟାସରେ ସର୍ବତ୍ର ବିଦ୍ୟାସାଗରଙ୍କ ଶିଷ୍ଟ-ଶବ୍ଦ ବହୁଳ ଗଦ୍ୟରୀତିର ଅଦ୍ଭୂତ ପରିପ୍ରକାଶ ଦେଖିବାକୁ ମିଳେ । ସଂସ୍କୃତ ବହୁଳ ଶବ୍ଦର ଗୁରୁଗମ୍ଭୀର ସମାବେଶରେ ତାଙ୍କ ଗଦ୍ୟ ହୋଇଛି, ଏହିପରି : ‘‘ଗୋଶୂକର ଖାଦକ ମ୍ଳେଚ୍ଛ ସାହେବ ଚର୍ମ ପାଦୁକା ସହିତ ହିନ୍ଦୁ ଗୃହସ୍ଥର ପବିତ୍ର ଅନ୍ତଃପୁର ମଧ୍ୟରେ ପ୍ରବେଶ କରି କୁଳକନ୍ୟାକୁ ତାହାର ବିଲାତି ଚକ୍ଷୁରେ ଦେଖି ମଦ୍ୟ ଓ ମାଂସର ବ୍ୟବସ୍ଥା ଦେବା ଏହା କେବେହେଁ ମଞ୍ଜୁର କରାଯାଇପାରେ ?’’ ଏ ଧରଣର ବାକ୍ୟରେ ଦେଶଜ ଶବ୍ଦ ତୁଳନାରେ ସଂସ୍କୃତ ଶବ୍ଦମାନଙ୍କର ପ୍ରୟୋଗ ଯଥେଷ୍ଟ ଅଧିକ ।

 

‘ମିରଜିଆରୀ’ ଉପନ୍ୟାସରେ ଅସମୀୟା ଲେଖକ ରଜନୀକାନ୍ତ ମଧ୍ୟ ବହୁ ସ୍ଥଳରେ ତତ୍ସମ ଶବ୍ଦମାନଙ୍କୁ ଗୁରୁତ୍ୱ ଦେଇଛନ୍ତି । ଭାରତୀୟ ଭାଷାମାନଙ୍କରେ ଯେଉଁ ସମୟରେ ଉପନ୍ୟାସ ଜନ୍ମ ନେଇଛି, ସେତେବେଳକୁ ଗଦ୍ୟ-ସାହିତ୍ୟର ଯଥେଷ୍ଟ ବିକାଶ ହୋଇନଥିଲା । ସୁତରାଂ, ଉପନ୍ୟାସରେ ପ୍ରବନ୍ଧ ସୁଲଭ ଭାଷା, ନୀତି ଉପଦେଶର ବିସ୍ତୃତ ବିବରଣୀ, ଆଳଙ୍କାରିକ ଶୈଳୀ ବିଶେଷ ରୂପେ ପ୍ରାଧାନ୍ୟଲାଭ କରିଥିଲା । ତେଲଗୁ ଓ ତାମିଲ ସାହିତ୍ୟର ଆଦି ପର୍ଯ୍ୟାୟର ଉପନ୍ୟାସଗୁଡ଼ିକ ଥିଲା, ରୀତିକାବ୍ୟ ପରି କ୍ଳିଷ୍ଟ । ଉମେଶଚନ୍ଦ୍ର ଓଡ଼ିଆ ସାହିତ୍ୟର ଆଦି ଔପନ୍ୟାସିକ ହୋଇଥିବାରୁ, ସେ ତାଙ୍କ ଆଗରେ କୌଣସି ଗଦ୍ୟଭାଷାର ଆଦର୍ଶ ନଦେଖି, ଏପରି ସଂସ୍କୃତ ବହୁଳ ଆଳଙ୍କାରିକ ଗଦ୍ୟରେ ‘ପଦ୍ମାମାଳୀ’ ଉପନ୍ୟାସ ରଚନା କରିଛନ୍ତି ।

 

ଊନବିଂଶ ଶତକରେ ଭାରତୀୟ ଭାଷାମାନଙ୍କରେ ରଚିତ ଉପନ୍ୟାସଗୁଡ଼ିକ ଗୋଟିଏ ଗୋଟିଏ ଆଦର୍ଶ ନେଇ ଆତ୍ମପ୍ରକାଶ କରିଥିଲା । ଧର୍ମ ବା ସତ୍ୟର ଜୟ ଓ ପାପର ଶାସ୍ତି ଏହା ଥିଲା ସେ ସମୟର ଉପନ୍ୟାସମାନଂକର ସବୁଠାରୁ ବଡ଼ ଆଦର୍ଶ । ସଂସାରରେ ଘଟୁଥିବା ଯାବତୀୟ ଅନ୍ୟାୟ (Problem or evil)କୁ ଦେଖାଇ, ଜନସାଧାରଣଙ୍କ ନିକଟରେ ଲୋଭୀ, ହିଂସ୍ରକ, ସ୍ୱାର୍ଥପର କୁଚକ୍ରୀ ଗୋଷ୍ଠୀକୁ ସମୁଚିତ ଦଣ୍ଡବିଧାନ କରିବାକୁ ଊନବିଂଶ ଶତକର ବହୁ ଔପନ୍ୟାସିକ ଶ୍ରେୟ ମଣିଛନ୍ତି । ସଂସାରକୁ ନୈତିକତାର ବାଣୀ ଶୁଣାଇବା ଲେଖକ ପକ୍ଷରେ ଥିଲା ଅନେକାଂଶରେ ଗୋଟିଏ ବଡ଼ କଥା । ଇତିହାସର କାହାଣୀକୁ ନେଇ ତା ଭିତରେ ସାମାଜିକ ଜୀବନକୁ ପ୍ରଭାବିତ କରିବା ପରି ପ୍ରସଙ୍ଗମାନ ଔପନ୍ୟାସିକମାନେ ଖଞ୍ଜି ଦେଉଥିଲେ । ବଙ୍ଗଳା ସାହିତ୍ୟର ଅନ୍ୟତମ ଔପନ୍ୟାସିକ ରମେଶଚନ୍ଦ୍ର ଦତ୍ତ ଇତିହାସ ଭିତରେ ମାନବଜୀବନକୁ ଉଦ୍‌ବୁଦ୍ଧ କରିବାପରି ବହୁ ପ୍ରସଙ୍ଗର ଅବତାରଣା କରିଛନ୍ତି । ଉମେଶଚନ୍ଦ୍ର ତାଙ୍କର ବିବାସିନୀ ଉପନ୍ୟାସରେ ଇତିହାସର ଘଟଣା ଭିତରେ ତତ୍କାଳୀନ ସାମାଜିକ ଜୀବନ ଧାରା ସମ୍ବନ୍ଧରେ ବହୁ ଜଣା-ଅଜଣା ବିଷୟକୁ ସ୍ଥାନ ଦେଇଛନ୍ତି । ମନେହୁଏ ‘ପଦ୍ମମାଳୀ’ ଉପନ୍ୟାସରେ ତତ୍କାଳୀନ ସାମାଜିକ ଜୀବନ ଧାରାର ଏସବୁ ପରିପ୍ରକାଶ ମୂଳରେ ଦୁଇଟି କାରଣ ଥାଇପାରେ । ପ୍ରଥମତଃ ଲେଖକ ଥିଲେ ଗଡ଼ଜାତର ଜଣେ ପଦସ୍ଥ କର୍ମଚାରୀ । ଦ୍ୱିତୀୟତଃ ଲେଖକ ଜଣେ ବଙ୍ଗୀୟ । ଏ ଦୃଷ୍ଟିରୁ ସେ ରମେଶଚନ୍ଦ୍ର ଦତ୍ତଙ୍କ ଉପନ୍ୟାସମାନ ଅଧ୍ୟୟନ କରିଥିବା କିଛି ବିଚିତ୍ର ନୁହେଁ । ଏକ ପକ୍ଷରେ ଗଡ଼ଜାତରେ ଚାକିରୀ ଜନିତ ସ୍ୱୀୟ ଅନୁଭୂତି ଓ ଅଭିଜ୍ଞତା, ଅପର ପକ୍ଷରେ ରମେଶଚନ୍ଦ୍ର ଦତ୍ତଙ୍କ ପ୍ରଭାବରେ ପ୍ରଭାବିତ ହୋଇ ଉମେଶଚନ୍ଦ୍ର ତାଙ୍କ ‘ପଦ୍ମମାଳୀ’ରେ ତତ୍କାଳୀନ ସାମାଜିକ ଜୀବନ ସମ୍ପର୍କରେ ନାନା କଥା କହିଛନ୍ତି । ଏସବୁକୁ ନେଇ ଊନବିଂଶ ଶତକର ସାମାଜିକ ଇତିହାସ ରଚନା କରାଯାଇପାରେ । ସୁତରାଂ, ପଦ୍ମମାଳୀକୁ ଏକାଧାରରେ ଐତିହାସିକ ଉପନ୍ୟାସ ଓ ଊନବିଂଶ ଶତକ ଆଦି ପାଦର ସାମାଜିକ ଇତିହାସ କୁହାଯାଇପାରେ ।

 

ଯେଉଁ ସମୟରେ ଗଦ୍ୟର ଏକାନ୍ତ ଅସଦ୍ଭାବ, ସବୁକିଛି ଚିରାଚରିତ ପନ୍ଥାରେ ଗତିଶୀଳ, ସେ ସମୟରେ ଉମେଶଚନ୍ଦ୍ର ସରକାର ଉପନ୍ୟାସ ରଚନା କରି ଯଥାର୍ଥରେ ନିଜର ବିସ୍ମୟକର ପ୍ରତିଭାର ପରିଚୟ ଦେଇଛନ୍ତି । ପୁଣି ଜଣେ ବଙ୍ଗୀୟ ବ୍ୟକ୍ତି ପକ୍ଷରେ ଏ ଦିଗରେ ଉଦ୍ୟମ ଆହୁରି ଆଶ୍ଚର୍ଯ୍ୟର ବିଷୟ । ‘ପଦ୍ମମାଳୀ’ ପ୍ରଥମ ସଂସ୍କରଣର ଭୂମିକାରେ ନିଜର ଲେଖନୀୟ ଅଭିଭାଷଣରେ ସେ ଏକଥା ସ୍ୱୀକାର କରିଛନ୍ତି । ‘‘ଉତ୍କଳ-ସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ସ୍ୱକପୋଳକଳ୍ପିତ ଗ୍ରନ୍ଥ ରଚନା କରିବାର ଉଦ୍ୟମକୁ ଅସୀମ ସାହସିକତାର କାର୍ଯ୍ୟ ବୋଲିବାକୁ ହେବ । ଆମ୍ଭେ ଏହି ଅସୀମ ସାହସିକତାର କାର୍ଯ୍ୟ ଅନୁଷ୍ଠାନ କରୁଅଛୁ । ଉତ୍କଳ ଭାଷାନଭିଜ୍ଞ ଆମ୍ଭେ ହାସାସ୍ପଦ ହେବୁ ଜାଣି ସୁଦ୍ଧା, ଏ ଅନୁଷ୍ଠାନରେ ବ୍ରତୀ ହୋଇଅଛୁ । ବ୍ରତ ସଫଳ ହେଉ ବା ନିଷ୍ଫଳ ହେଉ ଆମ୍ଭେ ଆଉ ପଶ୍ଚାତପଦ୍‌ ହୋଇନପାରୁ । ଜନସମାଜର ପ୍ରୀତି ସମ୍ପାଦନ ଓ ଉତ୍କଳ ସାହିତ୍ୟର ଗୌରବ ବର୍ଦ୍ଧନକୁ ଲକ୍ଷ୍ୟ କରି ଅକୃତକାର୍ଯ୍ୟ ହେଲେ ହେଁ ଏପରି ମହତ୍‌ କାର୍ଯ୍ୟର ଅନୁଷ୍ଠାନ କରିଥିଲୁଁ, ଏହା ଆମର ନୈରାଶ୍ୟ ସମୟରେ ଶାନ୍ତି ପ୍ରଦାନ କରିବ ।’’ (ପଦ୍ମମାଳୀ-ପ୍ରଥମ ସଂସ୍କରଣର ଭୂମିକା-୧୯ ଅକ୍ଟୋବର ୧୮୮୮) ଲେଖକଙ୍କ ଏଇ ମନ୍ତବ୍ୟରୁ ଉପନ୍ୟାସ ରଚନା ପ୍ରତି ତାଙ୍କର ନିଷ୍ଠା ଓ ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧା ସହଜରେ ଅନୁମାନ କରାଯାଇପାରେ । ‘ପଦ୍ମମାଳୀ’ ରଚନାରେ ସେ ହୁଏତ ବଙ୍ଗୀୟ ଭାଷା ଶୈଳୀର ହୋଇଛନ୍ତି ଏକାନ୍ତ ଅନୁକାରୀ । ସ୍ଥଳ ବିଶେଷରେ ଉପନ୍ୟାସରେ ଆନୁଷଙ୍ଗିକ ଶବ୍ଦ ପ୍ରୟୋଗ କରିବାରେ ସେ ହୋଇଛନ୍ତି ଅସମର୍ଥ । କିନ୍ତୁ ଓଡ଼ିଆରେ ସଂପୂର୍ଣ୍ଣ ଉପନ୍ୟାସଟିଏ ଲେଖି ପାଠକ ଆଗରେ ଥୋଇବା ପାଇଁ ଯୁବକ ଉମେଶଚନ୍ଦ୍ରଙ୍କର ସେଦିନର ଯେଉଁ ଆଗ୍ରହ, ତାହା ଯଥାର୍ଥରେ ପ୍ରଶଂସନୀୟ । ଯେଉଁ ସମୟରେ ଭାରତୀୟ ଭାଷାମାନଙ୍କରେ ଉପନ୍ୟାସ ରଚନାର ଶୁଭାରମ୍ଭ, ସେଇ ସମୟରେ ରମେଶଚନ୍ଦ୍ର ଭାରତର ଅନ୍ୟତମ ପ୍ରସିଦ୍ଧ ଭାଷା ଓଡ଼ିଆରେ ଉପନ୍ୟାସ ରଚନା କରି ସ୍ୱକୀୟ ନୂତନ ଚିନ୍ତାଧାରାର ପରିଚୟ ଦେଇଛନ୍ତି । ପରମ୍ପରା ପ୍ରତି ଦୃଷ୍ଟି ନଦେଇ ଏକ ବିସ୍ତୀର୍ଣ୍ଣ ଭୂମିରେ ସେ ନିର୍ମାଣ କରିଛନ୍ତି ନିଜର ସାହିତ୍ୟ-ସୌଧ । ସ୍ୱକୀୟ ପ୍ରତିଭାରେ ଗଭୀର ଆତ୍ମପ୍ରତ୍ୟୟ ପୋଷଣ କରି ଉମେଶଚନ୍ଦ୍ର ସମସ୍ତ ପ୍ରତିକୂଳ ପରିସ୍ଥିତିରେ ‘ପଦ୍ମମାଳୀ’ ରଚନା କରି ଓଡ଼ିଆ ଉପନ୍ୟାସ ସାହିତ୍ୟର ଅଗ୍ରଦୂତ ଭୂମିକାରେ ସମ୍ମାନିତ ହୋଇଛନ୍ତି ।

 

ସହାୟକ ଗ୍ରନ୍ଥସୂଚୀ:

(1)

Contemporary Indian Literature : Sahitya Akademi (1981).

(2)

History of Bengal, Bihar & Orissa Under British Rule (1925) : L. S. S. O’Malley.

(3)

The Orissa Historical Research Journal : vol-XI, No-2

(4)

A Critical History of English Literature : David Daiches, volume-IV (1985 edition)

 

 

ପ୍ରଧ୍ୟାପକ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

 

***

 

Unknown

ଓଡ଼ିଆ ଉପନ୍ୟାସରେ ଆଦିବାସୀ ସମାଜ : ଏକ ଦୃଷ୍ଟିପାତ

ଡଃ ବୈଷ୍ଣବ ଚରଣ ସାମଲ

 

ଓଡ଼ିଶାରେ ଆଦିବାସୀ ଏକ ପ୍ରାଚୀନତମ ଅଧିବାସୀ । ସଭ୍ୟତାର ବିକାଶ ପୂର୍ବରୁ ସେମାନଙ୍କର ଏହି ଭୂମି-ଖଣ୍ଡରେ ଥିଲା ଜୀବନ-ପ୍ରବାହ । ସଭ୍ୟତାର କ୍ରମ ବିକାଶ ହୋଇଥିଲେ ହେଁ ଆଦିବାସୀ ସମାଜ ତଥାପି ପୂର୍ବପରି ଆପଣାର ଜୀବନ-ଚର୍ଯା ଓ ସଂସ୍କୃତିକୁ ଧରି ରଖିଥବା ଦେଖାଯାଏ । ଓଡ଼ିଶାରେ ଯେ କେବଳ ଆଦିବାସୀ ସମାଜ ବିଦ୍ୟମାନ ତାହା ନୁହେଁ, ସମଗ୍ର ବିଶ୍ୱରେ ବିଭିନ୍ନ ଦେଶରେ ଆଦିବାସୀମାନେ ଅବସ୍ଥାନ କରନ୍ତି । ପ୍ରକୃତି ସହିତ ଆଦିବାସୀମାନଙ୍କର ସମ୍ପର୍କ ଘନ ନିବିଡ଼ । ନାନା ପ୍ରତିକୂଳ ପ୍ରାକୃତିକ ପରିବେଶ ଭିତରେ ମଣିଷ ନିଜକୁ ମନେ କରେ ଏକାନ୍ତ ଅସହାୟ । ତାର ଅଜ୍ଞତା ହେତୁ ସେ ଭୟକରେ ଅଦୃଶ୍ୟ ଅଜ୍ଞେୟ ଶକ୍ତିକୁ । ଏହି କାରଣରୁ ତା’ ଭିତରେ କେମିତି ଗୋଟାଏ ଦାସ ମନୋଭାବ ପ୍ରକାଶ ପାଏ ଆପେ ଆପେ । ପ୍ରାଚୀନ ସଂସ୍କୃତିରେ ପ୍ରକୃତି ପ୍ରତି ମଣିଷର ପ୍ରକାଶ ପାଇଥିଲା ତିନୋଟି ଭାବଧାରା । ପ୍ରଥମତଃ ସେ ପ୍ରକୃତିକୁ ଭଲ ପାଉଥିଲା ପ୍ରାଣ ଭରି । ତେଣୁ ସେ ପ୍ରକୃତି କୋଳରେ ରହିବାକୁ ସୁଖ ମଣୁଥିଲା । ପ୍ରକୃତି ପ୍ରତି ତାର ଥିଲା ସହଜାତ ମାୟା ଓ ମମତା, ସ୍ନେହ ଓ ଆଦର । ଦ୍ୱିତୀୟତଃ ସେ ପ୍ରକୃତି ସହିତ ସହାବସ୍ଥାନ କରୁଥିଲା । ପ୍ରକୃତି ଯେମିତି ତାର ବନ୍ଧୁ ଓ ଆତ୍ମୀୟ । ତୃତୀୟତଃ ପ୍ରକୃତି ସହିତ ତାର ମଧ୍ୟ ପ୍ରକାଶ ପାଉଥିଲା ବୈରତା । ଏଥିପାଇଁ ପ୍ରକୃତି ସହିତ ସଂଗ୍ରାମ କରି ବିଜୟୀ ହେବାକୁ ତା’ର ସୃଷ୍ଟି ହେଉଥିଲା ଦୁର୍ବାର ଆକାଂକ୍ଷା । ବିସ୍ମୟ ଓ ଭୀତି, ସୌହାର୍ଦ୍ଦ୍ୟ ଓ ସହାବସ୍ଥାନ, ବିଜୟ ବାସନା ଓ ସଂଘର୍ଷ ସେହି ମଣିଷ ଭିତରେ ଯୁଗପତ୍‌ ପ୍ରକାଶ ପାଉଥିଲା । ଏସବୁ ସତ୍ତ୍ଵେ ପ୍ରକୃତି ସହିତ ସାଧାରଣ ଆଦିବାସୀ ଜୀବନ ହୋଇଯାଇଥିଲା ଏକ ଏବଂ ଅଭିନ୍ନ । ଜଙ୍ଗଲ ପ୍ରକୃତି ଭିତରେ ସେ ଥିଲା ଏକ ଅବିଚ୍ଛେଦ୍ୟ ଚରିତ୍ର । ଏବେ ସଭ୍ୟତାର ଆଲୋକ ସ୍ପର୍ଶ କରି ମଧ୍ୟ ଆଦିବାସୀର ପ୍ରକୃତି ସହିତ ଅଛି ଗଭୀର ଆନ୍ତରିକତା, ଏକ ଅବ୍ୟକ୍ତ ଏକତ୍ୱ ଓ ଦୃଢ଼ ଘନିଷ୍ଠ ଯୋଗସୂତ୍ର ।

 

ଆଦିବାସୀ ଓ ପ୍ରକୃତି ଯୁଗ୍ମ ସହଯାତ୍ରୀ । ଜଙ୍ଗଲ ଆଦିବାସୀର ଜନ୍ମ ଓ ବାସଭୂମି । ଆକାଶର ବଉଦ, ବଣ ପାହାଡ଼, ଗଛଲତା, ଝୋଲାର କଳ କଳ ନାଦ-ସବୁ ତା’ ପାଇଁ ଜୀବନ୍ତ । ମହାମାରୀ ଓ ମଡ଼କର କୋକୁଆ ଭୟ, ଜଙ୍ଗଲି ରାତ୍ରିର ନିଃସଙ୍ଗ ବେଦନା-ସବୁ ତା’ ପାଇଁ ଅନୁଭୂତି-। ଆଦିମାନବ ଆର୍ଥନୀତିକ ବିକାଶର ଯେଉଁ ଅବସ୍ଥାରେ ଥାଉନା କାହିଁକି ଜଙ୍ଗଲକୁ ସେ ଉପେକ୍ଷା କରିପାରେ ନାହିଁ । ସଦାସର୍ବଦା ସେ ଜଙ୍ଗଲରେ ଅଧିବାସ କରୁଥିବା ଅତିପ୍ରାକୃତ ବିପଦର ସମ୍ମୁଖୀନ ହୁଏ । (୧) ଆଦିବାସୀଙ୍କ ବିଶ୍ୱାସ ଯେ ମଣିଷ ଓ ଜୀବଜଗତର ସ୍ୱାସ୍ଥ୍ୟ, ଶସ୍ୟର ଉତ୍ତମ ଅମଳ, ଜଙ୍ଗଲ ଜାତ ପଦାର୍ଥର ଯୋଗାଣ ସବୁ କିଛି ଅତିପ୍ରାକୃତ ଶକ୍ତିର ଇଚ୍ଛା ଉପରେ ନିର୍ଭରଶୀଳ-। ଆଦିମ ମଣିଷ ପୁନର୍ବାର ବିଶ୍ୱାସ କରେ ଯେ ଏହି ଶକ୍ତିଗୁଡ଼ିକ ସ୍ୱଭାବତଃ ହିଂସାପରାୟଣ । ସେମାନେ ଅତିଶୟ ସ୍ୱାର୍ଥପର, ଲୋଭୀ, ଭୟଙ୍କର । ଦୟା ଓ ନ୍ୟାୟ ପ୍ରଭୃତି ଉଚ୍ଚତର ଗୁଣାବଳୀ ବିବର୍ଜିତ । (୨) ଏହି ଅତିପ୍ରାକୃତ ଶକ୍ତିସମୂହ ଦ୍ୱାରା ଆଦିମ ମଣିଷ ସବୁବେଳେ ପରିବେଷ୍ଟିତ । ଏମାନେ ଅଦୃଶ୍ୟ ହୋଇଥିଲେ ହେଁ ଆବଶ୍ୟକ ସମୟରେ ଦେଖା ଦିଅନ୍ତି । ବ୍ୟାଧି ଓ ମୃତ୍ୟୁ ଏମାନଙ୍କଠାରୁ ଉଦ୍‌ଭବ । ଏମାନଙ୍କ କ୍ରୋଧ ଫସଲ ଧ୍ୱଂସ କରିଦିଏ । ଏମାନେ ଚାହିଁଲେ ଫଳ ଗଛ ଶୁଖିଯାଏ, ଝରଣା ଶୁଖିଯାଏ, ସବୁ କୌତୁକ ଲୋପ ପାଏ । ଏହି ଶକ୍ତି ହାତରେ ମଣିଷ ହୋଇଯାଏ ଅସହାୟ ଜୀବ । (୩) ଏହାସତ୍ତ୍ୱେ ମହୁଲ ଓ ଶଲପ ମଦନିଶା, ପୁଷ୍‌ପରବ, ଚଇତ ପରବ ଓ ନାଚଗୀତ ସବୁଥିରେ ସେ ଅନୁଭବ କରେ ପ୍ରକୃତିର ଛନ୍ଦ । ସୂର୍ଯ୍ୟ, ଚନ୍ଦ୍ର, ବଣ, ପାହାଡ଼, ଫୁଲ, ନଈ: ସବୁ ତା’ ପାଖରେ ଦେବତା । କେତେବେଳେ ସେ ପ୍ରକୃତି ସହିତ ମୁହାଁମୁହିଁ ସଂଘର୍ଷ କରେ । କେତେବେଳେ ସେ ନିଜକୁ ସମର୍ପି ଦିଏ ଅସହାୟ ଭାବରେ ପ୍ରକୃତି କୋଳରେ । କେତେବେଳେ ସେ ପ୍ରକୃତିକୁ ଦେବତା ଭାବି ପୂଜା କରେ । କେତେବେଳେ ସେ ପ୍ରକୃତିକୁ ଚାହିଁ ରହେ ଭୟ ସଂତ୍ରସ୍ତ ଭାବରେ । ସବୁ ବିପଦ ଆପଦ ସତ୍ତ୍ୱେ ଜଙ୍ଗଲ ତାର ଆପଣାର, ଅତିପ୍ରାକୃତ ଶକ୍ତି ତା’ର ସକଳ ବିଶ୍ୱାସର ଆଧାର ।

 

୧.

The Cultural Heritage of India : Vol IV-Page-431.

See : Religious Belief of the Indian Tribes : by. Tarak Chandra Das.

 

୨.

In primitive belief, health of men and animals, welfare of Crops, and supply of wild products depend on the whims of supernatural beings. Primitive man believes that by nature these beings are malevolent. x x x They are extremely selfish, greedy, vicious & devoid of all the higher qualities like mercy, justice, etc.

See : Cultural Heritage of India : Page-431

 

୩.

I bid-Page-431.

 

ଆଦିବାସୀଙ୍କର ଧର୍ମ ସମ୍ବନ୍ଧୀୟ ଭାବଧାରା ସହିତ ସଭ୍ୟ ସମାଜର ଚିନ୍ତାଧାରାର କେତେକ ସାଦୃଶ୍ୟ ପରିଲକ୍ଷିତ ହୁଏ । ସଭ୍ୟ ସମାଜ ପରି ସେମାନେ ମଧ୍ୟ ବିଭିନ୍ନ ଦେବତାଙ୍କୁ ପୂଜା କରନ୍ତି । ଏହାସତ୍ତ୍ୱେ ସେମାନେ ବିଶ୍ୱାସ କରନ୍ତି ଏକ ସର୍ବଶକ୍ତିମାନ ଦେବତାକୁ । ସେମାନଙ୍କର ଧରଣା ଯେ ସେହି ସର୍ବଶକ୍ତିମାନ ଦେବତା ଦୁଷ୍ଟ ଓ ଶୟତାନମାନଙ୍କୁ ବିନାଶ କରନ୍ତି । ସେମାନେ ପୁଣି ପୂର୍ବପୁରୁଷମାନଙ୍କ ଆତ୍ମାକୁ (Ancestor Spirit) ପୂଜା କରନ୍ତି । ଗ୍ରାମଦେବତୀଙ୍କୁ ମଧ୍ୟ ସେମାନେ ଉପାସନା କରନ୍ତି । ସେମାନଙ୍କର ବିଶ୍ୱାସ ସରଳ । ଧର୍ମ ସରଳ, ଉପାସନା ପଦ୍ଧତି ସରଳ, ଭକ୍ତି ମଧ୍ୟ ସରଳ । ଧର୍ମଦେବତାଙ୍କ ପ୍ରତି ସେମାନଙ୍କର ଅଟଳ ବିଶ୍ୱାସ । ତଳେ ମାଆ ଧର୍‌ତକୀ ଓ ଉପରେ ଧର୍ମୁ ଦେବତା ସେମାନଙ୍କ ଶୁଚିପୂତ ବିଶ୍ୱାସର ଆଧାର । ତେଣୁ ସେମାନେ ସତ୍ୟଭ୍ରଷ୍ଟ ହୁଅନ୍ତି ନାହିଁ । ସତ୍ୟ ଓ ଧର୍ମ ପାଇଁ ଜୀବନବ୍ୟାପୀ ସେମାନେ ଦୁଃଖ ଓ ଯନ୍ତ୍ରଣାକୁ ବରି ନିଅନ୍ତି । ସେଥିରେ ସେମାନଙ୍କର ଆନନ୍ଦ । ମିଥ୍ୟା ଓ ଅଧର୍ମ ସେମାନଙ୍କ ପାଖରେ ଅସହ୍ୟ । ସତ୍ୟ, ଧର୍ମ, ଆଦର୍ଶ ଓ ନୈତିକତା ପାଇ ସେମାନଙ୍କ ଜୀବନରେ ସୃଷ୍ଟି ହୋଇଛି ବାରମ୍ବାର ବିପର୍ଯ୍ୟୟ ଏବଂ ଅଧର୍ମୀ, ମିଥ୍ୟାବାଦୀ ଶୋଷକ ସଭ୍ୟସମାଜ ଦ୍ୱାରା ସେମାନେ ବାରମ୍ବାର ହୋଇଛନ୍ତି ପ୍ରତାରିତ ଓ ଉତ୍‌ପୀଡ଼ିତ, ତଥାପି ସେମାନେ ସତ୍ୟ ଓ ଧର୍ମକୁ ଛାଡ଼ି ନାହାନ୍ତି । ଆଦିବାସୀର ସମସ୍ୟା-ତାର ବିବାହ ଓ ଏଥିପାଇଁ ଝୋଲା ଟଙ୍କା ସଂଗ୍ରହ । ଝୋଲା ଟଙ୍କା ପାଇଁ ସାହୁକାର ଘରୁ ଋଣ ଓ ଗୋତି ଜୀବନ ତାର ଜୀବନ ବିପର୍ଯ୍ୟୟର କାରଣ । ମଦ୍ୟପାନ ଓ ପୋଡ଼ୁଚାଷ ତା’ର ଦୁଃଖର ହେତୁ । ପ୍ରେମ ଓ ଶିକାର ତାର ପୌରୁଷର ନିଦର୍ଶନ । ତାର ଜୀବନର ସମସ୍ୟା ଖାଦ୍ୟ, ବସ୍ତ୍ର, ବାସ, ଚାଷ ଓ ବିବାହ । ସରଳତା ଓ ଧର୍ମ ଭୀରୁତା ତାର ବିପର୍ଯ୍ୟୟର ପଥ-। ସଂଘ ଜୀବନ ତାର ଆଦର୍ଶ । ଏହି ସଂଘ ଜୀବନରେ ଗାଁ ନାୟକ ମୁଖ୍ୟ, ଜାନି ବା ପୁରୋହିତ ମନ୍ତ୍ରଦାତା । ସେମାନଙ୍କ ବିଚାର ଓ ନିର୍ଦ୍ଦେଶ ଶିରୋଧାର୍ଯ୍ୟ । ସେମାନଙ୍କ ଜୀବନରେ ପୁଣି କାଳିସୀ ବା ବେଜୁଣୀର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ ।

 

ଆଦିବାସୀ ସମାଜର ଜୀବନଧାରାକୁ ନେଇ ସାହିତ୍ୟ ସୃଷ୍ଟି କରିବା ଆଧୁନିକତମ ଚିନ୍ତାଧାରା । ଊନବିଂଶ ଶତାବ୍ଦୀରୁ ମାନବ ବନ୍ଦନାର ଯେଉଁ ନୂତନ ଧରା ଓ ଧାରା ପ୍ରକଟିତ ହୋଇ ଆସିଲା, ପତିତ ଓ ନିମ୍ନ ଜାତିଙ୍କ ପ୍ରତି ଯେଉଁ ନୂତନ ସହାନୁଭୂତି ଦେଖାଦେଲା, ତାହାହିଁ ଲେଖକମାନଙ୍କୁ ଆଦିବାସୀ ଜୀବନଧାରାକୁ ନେଇ ସାହିତ୍ୟ ସୃଷ୍ଟି କରିବାକୁ ଦେଲା ପ୍ରେରଣା । ଅତୀତ ବା ମଧ୍ୟଯୁଗୀୟ ସାହିତ୍ୟରେ ସାମନ୍ତୀୟ ରୁଚି ଓ ବିଳାସ ମୁଖ୍ୟଥିବାରୁ ଆଦିବାସୀ ବା ନିମ୍ନ ଜାତି ସେଠି ଥିଲେ ଅବହେଳିତ । କଦବା କେତେବେଳେ ଆଦିବାସୀ ଚରିତ୍ର (ଶବର, କିରାତ, ପୁଳିନ୍ଦ) ସାହିତ୍ୟ ଭିତରେ ପ୍ରକାଶ ପାଇଥିଲେ ହେଁ ସେସବୁ ଯେପରି ଉଚ୍ଚ ବଂଶଜ ସାମନ୍ତମାନଙ୍କର ଥିଲେ ଅନୁକମ୍ପାର ପାତ୍ର । ଆଧୁନିକ ଯୁଗରେ ହିଁ ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ଆଦିବାସୀ ସମାଜପ୍ରତି ସ୍ୱତନ୍ତ୍ର ଭାବଧାରା ପ୍ରକାଶ ପାଇଲା । ବିଶେଷତଃ ଊନବିଂଶ ଶତାବ୍ଦୀରେ କେତେକ ଜର୍ମାନ ଓ ଇଂରେଜ ବିଦ୍ୱାନ ବିଭିନ୍ନ ଆଦିବାସୀ ଅଞ୍ଚଳକୁ ଯାଇ ସେମାନଙ୍କ ସମାଜ, ସଂସ୍କୃତି ଓ ଧର୍ମ ବିଷୟରେ ଅଧ୍ୟୟନ କରି ଯେଉଁ ସବୁ ପୁସ୍ତକ ପ୍ରଣୟନ କଲେ ତାହାହିଁ, ପରବର୍ତ୍ତୀକାଳରେ ଏ ଦେଶର ଲୋକମାନଙ୍କୁ ସେମାନଙ୍କ ସମାଜ ଓ ଜୀବନ-ଜିଜ୍ଞାସା ସମ୍ପର୍କରେ ସାହିତ୍ୟ ସୃଷ୍ଟି କରିବା ପାଇଁ ପ୍ରେରଣା ଦେଲା ।

 

ଓଡ଼ିଶା ଆଦିବାସୀ ବହୁଳ ଅଞ୍ଚଳ । ସମଗ୍ର ଲୋକସଂଖ୍ୟାର ଶତକଡ଼ା ୨୪.୦୭ ଭାଗ ଆଦିବାସୀ । ଶବର, ଜୁଆଙ୍ଗ, କନ୍ଧ, କୋହ୍ଲ, ପରଜା, ଗଦ୍‌ବା, ସାନ୍ତାଳ, କୋୟା, ଭୂୟାଁ, ଗଣ୍ଡ, ହୋ, ଉରାଙ୍ଗ, ଖରିଆ, କିସାନ, ସୌରା, ବିନ୍‌ଝାଳ ଆଦି ୬୨ ପ୍ରକାର ଆଦିବାସୀ ସଂପ୍ରଦାୟ ଓଡ଼ିଶାରେ ବାସ କରନ୍ତି । ପ୍ରତ୍ୟେକଙ୍କର ଭାଷା ଭିନ୍ନ, ସାମାଜିକ ପଦ୍ଧତି ଭିନ୍ନ, ଧର୍ମ ଧାରଣା ଭିନ୍ନ । ଅଥଚ ସମସ୍ତଙ୍କ ଭିତରେ ଏକ ଅପୂର୍ବ ସାମଞ୍ଜସ୍ୟ ଅଛି, ତାହା ହେଉଛି ସେମାନଙ୍କର ଶୁଚିପୂତ ବିଶ୍ୱାସ । ସମସ୍ତଙ୍କର ସମସ୍ୟା ପ୍ରାୟ ସମାନ । ଏହି ସମସ୍ୟା ସାମାଜିକ ଓ ପାରିବାରିକ ଜୀବନରେ ବୈବାହିକ ସମସ୍ୟା ଏବଂ ଆର୍ଥନୀତିକ ସମସ୍ୟା । ସମସ୍ତେ ଶୋଷଣର ସମ୍ମୁଖୀନ । ଓଡ଼ିଆ ସାହିତ୍ୟରେ ବିଶେଷତଃ ଓଡ଼ିଆ ଉପନ୍ୟାସରେ ଏହି ସମସ୍ୟାଗୁଡ଼ିକୁ ବାସ୍ତବ ଭାବରେ ପ୍ରକାଶ କରାଯାଇଥିବା ଲକ୍ଷ୍ୟ କରାଯାଏ । ବିଭିନ୍ନ ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରୁ କନ୍ଧ, ପରଜା, ସାନ୍ତାଳ ଓ ଭୂୟାଁମାନଙ୍କ ସମ୍ପର୍କରେ ଓଡ଼ିଆ ଉପନ୍ୟାସଗୁଡ଼ିକରେ କିଛି କିଛି ବର୍ଣ୍ଣିତ । ସେମାନଙ୍କ ଜୀବନଧାରା, ଧର୍ମ ବିଶ୍ୱାସ ଓ ସାମାଜିକ ରୀତିନୀତି ସମ୍ବନ୍ଧରେ ଗଭୀର ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତିହିଁ ସେମାନଙ୍କୁ ନେଇ ଜୀବନ୍ତ ସାହିତ୍ୟ ସୃଷ୍ଟି କରିପାରେ । ସେମାନଙ୍କର ସମସ୍ୟାଗୁଡ଼ିକୁ କଳାତ୍ମକ ରୂପ ଦେଇପାରେ । ଏପରି ଏକ ଅବହେଳିତ ସମାଜକୁ ଓଡ଼ିଆ ଔପନ୍ୟାସିକମାନେ ସାହିତ୍ୟ-ଦରବାରକୁ ନେଇ ଆସିଛନ୍ତି । ସେମାନଙ୍କ ଜୀବନ-ସଂଗ୍ରାମ, ଶୁଚିପୂତ ବିଶ୍ୱାସ, ଜୀବନ-ବିପର୍ଯ୍ୟୟ ଓ ପ୍ରେମ-କାରୁଣ୍ୟକୁ ବାସ୍ତବ ରୂପ ପ୍ରଦାନ କରିଛନ୍ତି । ଗୋପାଳବଲ୍ଲଭ ଦାସଙ୍କ ରଚିତ ‘ଭୀମା ଭୂୟାଁ’ ସେହି ରୂପ ଓ ରୂପାୟନର ପ୍ରଥମ ଉପନ୍ୟାସ ପ୍ରଥମ ଗଦ୍ୟ ମହାକାବ୍ୟ (Prose epic) ।

 

‘ଭୀମା ଭୂୟାଁ’-ଆଦିବାସୀ ଜୀବନର ପ୍ରଥମ ଅର୍ଘ୍ୟ :

ପଦ୍ମମାଳୀ (୧୮୮୮), ବିବାସିନୀ (୧୮୯୧), ଛମାଣ ଆଠଗୁଣ୍ଠ (୧୮୯୭) ଓ ଲଛମା (୧୯୦୩) ଉପନ୍ୟାସ ପରେ ଭୀମାଭୂୟାଁ । (୧୯୦୮) ଉପନ୍ୟାସ ପ୍ରକାଶ ପାଏ । ଭୂୟାଁମାନଙ୍କର ଐକ୍ୟ ଓ କେନ୍ଦୁଝର ରାଜାଙ୍କ ସହିତ ବିଦ୍ରୋହ ଘଟଣାକୁ କେନ୍ଦ୍ରକରି ଇତିପୂର୍ବରୁ ଉମେଶଚନ୍ଦ୍ର ସରକାରଙ୍କ ଦ୍ୱାରା ରଚିତ ‘କେନ୍ଦୁଝର ବିଦ୍ରୋହ’ (୧୯୦୬) ଉପନ୍ୟାସ ପ୍ରକାଶ ପାଇ ସାରିଥିଲା । ତେବେ ଏହା ଆଦିବାସୀ ଭୂୟାଁ ସଂପ୍ରଦାୟର ଜୀବନ-ଜିଜ୍ଞାସା ଓ ସମାଜ ଜିଜ୍ଞାସାର ଚିତ୍ର ନୁହେଁ । କ୍ଷମତା-ସିଂହାସନ ପାଇ ବିଦ୍ରୋହ ଏହି ଉପନ୍ୟାସର ପ୍ରାଣ-ଉତ୍ସ । ଅନ୍ୟ ପକ୍ଷରେ ଆଦିବାସୀ ଜୀବନ-ଜିଜ୍ଞାସା, ସାମାଜିକ ରୀତିନୀତି ଇତ୍ୟାଦିକୁ ନେଇ ‘ଭୀମାଭୂୟାଁ’ ଉପନ୍ୟାସ ରଚିତ । ଏଥିରେ ଆଦିବାସୀ ସମାଜ ପ୍ରତି ଅଛି ମମତ୍ୱବୋଧ । ପ୍ରେମ ତ୍ୟାଗ ଓ ବିଦ୍ରୋହ-ଏହି ତ୍ରୟୀ ଭାବସତ୍ତା, ଉକ୍ତ ଉପନ୍ୟାସଟିକୁ ନୂତନ ମୂଲ୍ୟବୋଧ ପ୍ରଦାନ କରିଅଛି । ଗୋପାଳବଲ୍ଲଭ ଦାସ ଉଚ୍ଚ ଶିକ୍ଷିତ ଓ ପରମ୍ପରାବାଦୀ । ଡେପୁଟି ମାଜିଷ୍ଟ୍ରେଟ ଭାବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସେ ଓଡ଼ିଶା କମିଶନରଙ୍କ ପର୍ଶନାଲ ଆସିଷ୍ଟାଣ୍ଟ ଓ ଗଡ଼ଜାତ ସମୂହର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ହୋଇଥିଲେ । କେନ୍ଦୁଝର ରାଜା ନାବାଳକ ଅବସ୍ଥାରେ ଗାଦି ପାଇବାରୁ ସେ ସେଠାରେ ସୁପରିଣ୍ଟେଣ୍ଡେଣ୍ଟ ଭାବରେ କିଛିଦିନ କାର୍ଯ୍ୟ କରିଥିଲେ । ଏହି ଅବକାଶରେ ସେ ଭୂୟାଁମାନଙ୍କ ନିବିଡ଼ ସମ୍ପର୍କରେ ଆସିଲେ ଏବଂ ସେମାନଙ୍କର ଜୀବନଧାରାକୁ ନେଇ ରଚନା କଲେ ଉକ୍ତ ଉପନ୍ୟାସ (୪) । ସେ ଏହାକୁ କିନ୍ତୁ କେଉଁଠି ଉପନ୍ୟାସ କହି ନାହାନ୍ତି ।

 

୪.

ଦେଖ : ଭୀମା ଭୂୟାଁ ୨ୟ ସଂସ୍କରଣ ‘ମୁଖ ବନ୍ଧ’ (୧୯୬୪)- ଶ୍ରୀମତୀ ସରଳା ଦେବୀ ।

 

ସେ ଏହାକୁ ବାରମ୍ବାର କହିଛନ୍ତି-‘This little story’, ‘this little narrative’. (୫) ସେ କହନ୍ତି- ‘This little narrative makes no pretensions. It is a story for the Uriya-knowing people, and it has been written under the inspiration of my noble masters, the Honourable George Toynbee and Messrs. George Stevensons & the late Giraud Cook, officers who made untiring efforts for the good of the Uriyas and the cultivation of their literary language’ (୬) ଭକ୍ତକବି ମଧୁସୂଦନ ରାଓ ଏହି ଉପନ୍ୟାସଟିକୁ ପଢ଼ି ଏହାକୁ ’tale’ ଓ ‘romance’ କହିଅଛନ୍ତି-। ସେ ବିଶେଷ ଉପନ୍ୟାସ ପଢ଼ନ୍ତି ନାହିଁ ।

 

୫.

ଭୀମା ଭୂୟାଁ-Preface I, III

୬.

ଅତ୍ରୈବ- III

 

ଏହି ଉପନ୍ୟାସଟିକୁ ପଢ଼ି ସେ ଗଭୀର ଆନନ୍ଦ ପ୍ରକାଶ କରି ଗୋପାଳ ବଲ୍ଲଭଙ୍କ ନିକଟକୁ ପତ୍ର ଲେଖିଥିଲେ- ‘I have read your beautiful tale with sincere pleasure. I am not a frequent reader of works in fiction nor have I any predilection for such books. Indeed, I have often found such books as written in the present day, generally distasteful to me. The selection of the theme (the simple life of the primitive Bhuiyans of Keonjhar), the sympathy and fidelity with which the plot has been manipulated, the deep knowledge of human nature evident in the ingenious characterisation of the various persons, the truth & the freshness of the descriptions, whether of natural scenery or of human institutions and ceremonies, the pure and elegant diction redolent of the homely sweetness of Oriya undefield as also of the dignity of classical speech, and above all, the supremely wise spirit of reverence and charity with which the book is deeply impregnated mark it out as the best of all romances yet written in Oriya. (୭) ଶ୍ରୀମତୀ ସରଳା ଦେଈ ମଧ୍ୟ ବହୁ ବର୍ଷ ପରେ ଉକ୍ତ ଉପନ୍ୟାସର ଦ୍ୱିତୀୟ ସଂସ୍କରଣର ମୁଖବନ୍ଧରେ ଲେଖିଥିଲେ-‘ଏହି ଉପନ୍ୟାସଟିରେ ଲେଖକ ଆଦିବାସୀ ଜୀବନର ଯେଉଁ ଚିତ୍ର ଦେଇଅଛନ୍ତି, ତାହା ଉତ୍କଳର ସେ ଯୁଗରେ ଅନ୍ୟ କୌଣସି ଔପନ୍ୟାସିକଙ୍କ ଦ୍ୱାରା ସାଧିତ ହୋଇ ପାରି ନଥିଲା । ଆଦିବାସୀ ଜୀବନକୁ ନେଇ ଉତ୍କଳରେ ଏହା ହିଁ ସେ ଯୁଗର ପ୍ରଥମ ଉପନ୍ୟାସ ।’ (୮) ମାଘ ମାସର ମାଘ ପୋଡ଼ା ପର୍ବରୁ ଉପନ୍ୟାସର କଥାବସ୍ତୁ ଆରମ୍ଭ । ପର୍ବ ଉପଲକ୍ଷେ ଭୂୟାଁ ଧାଙ୍ଗଡ଼ା ଧାଙ୍ଗଡ଼ୀ, ବୁଢ଼ା ବୁଢ଼ୀଙ୍କର ଏକତ୍ର ସମାବେଶ, ଗୀତ, ନୃତ୍ୟ, ମଦ୍ୟ ପାନ ପରିବେଶକୁ ଆନନ୍ଦ ମୁଖର କରିଦିଏ । ଧାଙ୍ଗଡ଼ା ଧାଙ୍ଗଡ଼ୀ ଡାଳଭଙ୍ଗା ଗୀତ ଆଉ ଚାଙ୍ଗୁ ନାଚ ଭିତରୁ ନିଜ ନିଜକୁ ବର କନ୍ୟା ଭାବରେ ବାଛି ନିଅନ୍ତି । ଚାଙ୍ଗୁ ନାଚର ପ୍ରଧାନ ଉଦ୍ଦେଶ୍ୟ ବର କନ୍ୟା ବଛାବଛି । (୯)

 

୭.

ଭୀମା ଭୂୟାଁ : Preface page- IV

୮.

ଭୀମା ଭୂୟାଁ : ମୁଖ ବନ୍ଧ, ପୃ ‘ଗ’ ।

୯.

ଭୀମା ଭୂୟାଁ ପୃ : ୫ ।

 

‘ଭୀମା ଭୂୟାଁ’ ଉପନ୍ୟାସର ନାୟକ ଭୀମା । ନାୟିକା ରାଜଜେମା । ଉଭୟଙ୍କର ପ୍ରେମର ମହାନୀରବତା ହିଁ ଉପନ୍ୟାସର ମୁଖ୍ୟ ଭାବବସ୍ତୁ । ଏହି ପ୍ରେମରେ ଭୋଗ-ତୃଷ୍ଣା ନାହିଁ, ଅଛି ଆତ୍ମ-ସୁଖ-ବଳିଦାନ ଓ ତ୍ୟାଗର ଚରମ ଦୀପ୍ତି । ତିଳ ସରଦାରର ଝିଅ ଚିନାମାଳୀ ରୂପସୀ ଓ ଗୁଣବତୀ-। ସାଧୁ ସରଦାରର ପୁଅ ବାଣା ଓ ଭୀମା । ବାଣା ବଡ଼ । ଭୀମା ସାନ । ଉଭୟଙ୍କର ରୂପ ଓ ଗୁଣ ପ୍ରାୟ ସମାନ । ଚିନାମାଳୀ ଉଭୟଙ୍କୁ ଭଲପାଏ । କାହା ପ୍ରତି ସେ ଅଧିକ ଆସକ୍ତା ତାହା ଜାଣିବା କଷ୍ଟକର । ବଡ଼ ଭାଇ ବାଣା ସହିତ ଚିନାମାଳୀର ବିଭାଘର ହୋଇଗଲା । ଭୀମାର ଦେଖା ଦେଲା ଭାବାନ୍ତର । ସେ କ୍ରମେ ନୀରବ ହୋଇଗଲା । ଛାମୁ ପଟ୍ଟନାୟକଙ୍କ ସହିତ ସେ ଚାଲିଯାଇଛି ରାଜାଙ୍କ ନିକଟକୁ । ତାର ସିଦ୍ଧାନ୍ତ ଯେ ସେ ଅନ୍ତତଃ ଚୀନାମାଳୀକୁ ଆଉ ଦେଖିବ ନାହିଁ । ହରିଚନ୍ଦନ ମର୍ଦ୍ଦରାଜଙ୍କ ଅଧୀନରେ ଭୀମା ହେଲା ଜଣେ ସୈନିକ । ଏହି ନିଯୁକ୍ତିରେ ଜଗଦ୍ଦେବ ରାଜାଙ୍କ ନଅର ବିଶୋଇଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । ତ୍ରିଲୋଚନ ମହାପାତ୍ର ପରମ୍ପରାହୀନତାରୁ କ୍ରମେ ଅର୍ଥ ଓ କୌଶଳ ବଳରେ ମର୍ଦ୍ଦରାଜଙ୍କର ହେଲେ ବେବର୍ତ୍ତା । କ୍ଷମତା ବଳରେ ସେ ଧରାକୁ ସରା ମନେ କଲେ । ରାଜା ମଧ୍ୟ ତାଙ୍କ ସପକ୍ଷରେ । ନାନା ଅତ୍ୟାଚାର ଓ ଶୋଷଣରେ ପ୍ରଜାମାନେ ଅତିଷ୍ଠ । ସେହି ଅତ୍ୟାଚାରିତ ପ୍ରଜାମାନଙ୍କୁ ରକ୍ଷା କରିବା ପାଇଁ ହରିଚନ୍ଦନଙ୍କର ହେଲା ମର୍ଦ୍ଦରାଜଙ୍କ ବିରୋଧରେ ଯୁଦ୍ଧାଭିଯାନ । ଏହି ଯୁଦ୍ଧରେ ମର୍ଦ୍ଦରାଜଙ୍କ ସେନାବାହିନୀ ବିପର୍ଯ୍ୟସ୍ତ ହେଲେ । ବେବର୍ତ୍ତା ହେଲେ ବନ୍ଦୀ । ଏପରି ଏକ ଦୁର୍ଦ୍ଧର୍ଷ ସଂଗ୍ରାମରେ ଭୀମା ଆପଣାର ଅସୀମ ଶୌର୍ଯ୍ୟ ଓ ରଣ କୌଶଳ ଦେଖାଇ ବେବର୍ତ୍ତାଙ୍କୁ ବନ୍ଦୀ କରି ପାରିଥିଲା । ରାଜା ହରିଚନ୍ଦନ ଭୀମାର ସାହସ ଓ ରଣପଟୁତାରେ ମୁଗ୍‌ଧ ହୋଇ ତାକୁ ରଣଜିତ ପଦ ଦେଲେ । ବେବର୍ତ୍ତାଙ୍କ ଅପକର୍ମ ପାଇଁ ତାଙ୍କୁ ପ୍ରାଣଦଣ୍ଡ ଦେବାକୁ ଘୋଷଣା କଲେ । ଅନ୍ୟାନ୍ୟ ଶତ୍ରୁପକ୍ଷର ବନ୍ଦୀମାନଙ୍କର ରାତିକ ମଧ୍ୟରେ ମୁଣ୍ଡ କାଟ ହେବା ପାଇଁ ବିଭିନ୍ନ ସୈନିକମାନଙ୍କୁ ନିର୍ଦ୍ଦେଶ ଦେଇ ରାଜା ଚାଲିଗଲେ । ଭୀମା ଭାଗରେ ଯେଉଁମାନେ ପଡ଼ିଲେ ସେମାନଙ୍କ ମଧ୍ୟରେ ଥିଲେ ତାର ବାପା ଓ ବଡ଼ ଭାଇ ବାଣା । ସେମାନେ ମର୍ଦ୍ଦରାଜଙ୍କ ସପକ୍ଷରେ ଯୁଦ୍ଧ କରୁଥିଲେ । ଭୀମା ସେମାନଙ୍କୁ ଦେଖି ସ୍ତବ୍‌ଧ ହୋଇଗଲା । କଣ କରିବ ! ନିଜ ହାତରେ ବାପା ଓ ଭାଇଙ୍କୁ ସେ ହତ୍ୟା କରିବ କିପରି ? ସେ ଶୁଣିଲା ବଡ଼ ଭାଇର ପୁଅଟିଏ ହୋଇଛି । ଭୀମାର ଗଭୀର ମାନସିକ ପ୍ରତିକ୍ରିୟା ଦେଖା ଦେଲା । ଏକ ପକ୍ଷରେ ରାଜାଦେଶ ଏବଂ ଅନ୍ୟ ପକ୍ଷରେ ତାର ବାପା ଓ ଭାଇ । ଏକ ପକ୍ଷରେ ରଣଜିତ ପଦର ଗୌରବ, ଅନ୍ୟ ପକ୍ଷରେ ସ୍ନେହ ଓ ମମତାର ଆକର୍ଷଣ । ଦୀର୍ଘ ଦିନ ପରେ ବାପା ଓ ଭାଇଙ୍କ ସହିତ ଭୀମାର ମିଳନ । ଅଥଚ ସେ ଆନନ୍ଦ ପାଇଲା ନାହିଁ । ତାହାର ଏକମାତ୍ର ଚିନ୍ତା କିପରି ସେ ବାପା ଓ ଭାଇକୁ ରକ୍ଷା କରିବ । ତିନୋଟି ମଣିଷ ପରସ୍ପରକୁ ଅନାଇ କେବଳ କାନ୍ଦିବାକୁ ଲାଗିଲେ । ଅବଶେଷରେ ଭୀମା ଅନ୍ୟ ଦୁଇଟି କଟାମୁଣ୍ଡ ସଂଗ୍ରହ କରି ନିଜ ଭାଗରେ ପଡ଼ିଥିବା କଟାମୁଣ୍ଡ ସହିତ ମିଶାଇ ରଖି ଦେଲା ଓ ବାପା ଏବଂ ଭାଇକୁ ନିଜ ଘର ଭିତରେ ଲୁଚାଇ ରଖିଲା । ବାପା ଓ ଭାଇ ରକ୍ଷା ପାଇଗଲେ ସତ ମାତ୍ର ସେମାନେ ଭୀମାର ଘରୁ ବାହାରି ପଦାକୁ ଯାଇ ପାରିଲେ ନାହିଁ । କିଛି ଦିନ ଅନ୍ତେ ରାଜା ହରିଚନ୍ଦନ ହେଲେ ପୀଡ଼ାଗ୍ରସ୍ତ । ଯେତେ ଯାହା ଚିକିତ୍ସା କରାଗଲେ ମଧ୍ୟ ସେ ଭଲ ହେଲେ ନାହିଁ । ଭୀମା ରାଜାଙ୍କ ନିକଟକୁ ଯାଇ ଜନୈକ ବୁଢ଼ାଙ୍କର ଅଦ୍‌ଭୁତ ଚିକିତ୍ସା ପ୍ରଣାଳୀ କଥା କହିଲା । ରାଜାଙ୍କ ଆଦେଶରେ ଭୀମା ତାର ବାପାକୁ ବୈଦ୍ୟ ବେଶରେ ସଜାଇ ଆଣିଲା । ବୁଢ଼ା ରାଜାଙ୍କ ମୁଣ୍ଡରେ ଲେପ ଦେଇ ରାଜାଙ୍କୁ ଆରୋଗ୍ୟ କଲା । ରାଜାଙ୍କ ପୀଡ଼ା ସମୟରେ ଭୀମା ବାରମ୍ବାର ରାଜାଙ୍କ ନିକଟକୁ ଗଲା । ସେହି ଅବକାଶରେ ରାଜଜେମା ଭୀମାକୁ ଦେଖିଲେ । ଭୀମାର ବୀରତ୍ୱ ଓ ଐଶ୍ୱର୍ଯ୍ୟ କଥା ସେ ପୂର୍ବରୁ ଶୁଣିଥିଲେ । ଏବେ ସେ ଅନୁଭବ କଲେ ଭୀମାର ସେବା ଓ ପରୋପକାରିତା । ଉଭୟଙ୍କ ମଧ୍ୟରେ ନୀରବତା ଭିତରେ ସୃଷ୍ଟି ହେଲା ପ୍ରେମର ଦିବ୍ୟ ଫଲ୍‌ଗୁ । ଉଭୟ ଉଭୟଙ୍କ ପ୍ରତି ଗଭୀର ଭାବରେ ଆକୃଷ୍ଟ । ଅଥଚ କେହି କିଛି କହି ପାରନ୍ତି ନାହିଁ-। ଏଣେ ରାଜା ରୋଗମୁକ୍ତ ହୋଇ ବୃଦ୍ଧ ବୈଦ୍ୟକୁ ଉପହାର ଦେବାକୁ ଲୋକ ପଠାଇଲେ । ମାତ୍ର ଖୁଣ୍ଟିଆ ରାଜାଙ୍କ ନିକଟରେ ସତ୍ୟ ପ୍ରକାଶ କରିଦେଲା । ସେହି ବୈଦ୍ୟ ବୁଢ଼ା ଅନ୍ୟ କେହି ନୁହେଁ, ସେ ଭୀମାର ବାପା ଏବଂ ଶତ୍ରୁପକ୍ଷର ସୈନିକ । ଭୀମା ସେମାନଙ୍କୁ ହତ୍ୟା ନ କରି ଲୁଚାଇ ରଖିଥିଲା ।

 

ଭୀମା ମଧ୍ୟ ସମସ୍ତ ସତ୍ୟ କଥା ପ୍ରକାଶ କରିଛି । ନିଜର ବାପା ଓ ଭାଇକୁ ନିଜ ହାତରେ ସେ ମାରି ପାରି ନାହିଁ । ଏଥିପାଇଁ ସେ ଦଣ୍ଡ ପାଇବାକୁ ନିବେଦନ କରିଛି । ରାଜା କିନ୍ତୁ ବୁଢ଼ାକୁ କ୍ଷମା ଦେଲେ । ଦୁଇ ପୁଅଙ୍କ ମଧ୍ୟରୁ ଜଣକର ମୁଣ୍ଡକାଟ ପାଇଁ ଆଦେଶ ଦେଲେ । ଏହି ଆଦେଶରେ ବାପା, ବାଣା ଓ ଭୀମା ତିନିଜଣଯାକ କେବଳ କାନ୍ଦିବାକୁ ଲାଗିଲେ । ଭୀମା ସେମାନଙ୍କୁ ପ୍ରବୋଧନା ଦେଲେ ଓ ନିଜେ ଯାଇ ଶୁଳି ସ୍ଥାନରେ ଛିଡ଼ା ହେଲା । ବାପା ଓ ବଡ଼ ଭାଇ କାନ୍ଦି କାନ୍ଦି ଅଥୟ ହୋଇ ପଡ଼ିଲେ । ବାପା ଦଉଡ଼ି ଯାଇ ଭୀମାର ବେକ ଉପରେ ପଡ଼ିଗଲା । ଏତିକିବେଳେ ରାଜଜେମା ଉପସ୍ଥିତ ହୋଇ ପିତାଙ୍କୁ ଅନୁରୋଧ କଲେ ଭୀମା ସମେତ ତାର ବାପା ଓ ଭାଇଙ୍କୁ କ୍ଷମା ଦେବା ପାଇଁ । ରାଜା ସମସ୍ତଙ୍କୁ କ୍ଷମା ଦେଲେ । ଜେମାଙ୍କ ହୃଦୟରେ ଭୀମା ପ୍ରତି ଥିବା ନୀରବ ପ୍ରେମ କ୍ରମେ ପଲ୍ଲବିତ ହେବାକୁ ଲାଗିଲା । ସାମାଜିକ ବିଧି ଓ ବ୍ୟବସ୍ଥା ଅନୁଯାୟୀ ଉଭୟଙ୍କର ବିବାହ ହୋଇ ପାରିବ ନାହିଁ । ତେଣୁ କେବଳ ନୀରବ ବେଦନା ସାର ହେଲା । ଜେମା ହେଲେ ରୋଗଗ୍ରସ୍ତା । ଜେମାଙ୍କ ଅନୁରୋଧ କ୍ରମେ ରାଜା ଭୀମାକୁ ଡକାଇଲେ । ଜେମାଙ୍କ ମଥାମଣିକୁ ଭୀମାକୁ ଦିଆଗଲା । ଭୀମା ରଣଜିତ ଶାଢ଼ୀ କାଢ଼ି ଦେଲେ ଜେମାଙ୍କୁ । ସଖୀ ତାଙ୍କୁ କହିଲେ “ରଣଜିତ ସିଂହେ ! ଜେମା ଲୁକ୍‌କାୟିତ ଭାବରେ ରହିବେ । ତୁମ୍ଭେ ଯେବେ ଇନ୍ଦ୍ରିୟମାନ ଦମନ କରି ନିର୍ବିକାର ନିର୍ମଳ ପ୍ରେମମୟ ପୁରୁଷ ହୋଇ ଏହି ମଥାମଣି ଘେନି ଜେମାଙ୍କଠାରେ ଉପସ୍ଥିତ ହେବ, ତେବେ ଏହି ରଣଜିତ୍‌ ସିଂହ ଶାଢ଼ୀ ଜିତେନ୍ଦ୍ରିୟ ପଦର ଶାଢ଼ୀ କରି ଜେମାଙ୍କଠାରୁ ପୁନରାୟ ପାଇବ । ଆମ୍ଭ ଜେମାଙ୍କର ଏହି କଥା । ଏଣିକି ତୁମର ଯାହା ଇଚ୍ଛା ତାହା କର ।”-(୧୦)

 

୧୦.

ଭୀମାଭୂୟାଁ : ୩ୟ ସଂ (୧୯୭୩), ପୃ-୧୦୭ ।

 

ଭୀମା ସଙ୍ଗେ ସଙ୍ଗେ ରଣଜିତ ଶାଢ଼ୀ ଉତ୍ତାରି ସେଇ ଚାଲିଯାଇଛି । ଜେମା ମଧ୍ୟ ରାଜ ଐଶ୍ୱର୍ଯ୍ୟକୁ ତ୍ୟାଗ କରି ବୃନ୍ଦାବନରେ ଅବସ୍ଥାନ କରିଛନ୍ତି । ଅନ୍ତିମ ସମୟକୁ ଉଭୟଙ୍କର ସାକ୍ଷାତ ହୋଇଥିଲା । ମାତ୍ର ସେତେବେଳକୁ ଉଭୟ ପୂର୍ଣ୍ଣ ପ୍ରେମମୟ । ଏହି ପ୍ରେମ ତ୍ୟାଗ ଉପରେ ପ୍ରତିଷ୍ଠିତ । ଏହା ବୈଷ୍ଣବ ସୁଲଭ ପ୍ରେମର ପରିପ୍ରକାଶ । ଏଥିରେ ଦେହ- ତୃଷ୍ଣା ନାହିଁ; ଅଛି ଆତ୍ମା ସହିତ ଆତ୍ମାର, ହୃଦୟ ସହିତ ହୃଦୟର ଦିବ୍ୟ ମିଳନ । ଉଚ୍ଚ ସାମନ୍ତ ବଂଶୀୟା କନ୍ୟା ସହିତ ଆଦିବାସୀ ଯୁବକର ବିବାହ ସେତେବେଳକୁ ସମାଜରେ ଅନୁମୋଦିତ ନୁହେଁ । ତେଣୁ ଉଭୟଙ୍କ ମଧ୍ୟରେ ପ୍ରେମାନୁରାଗ ସୃଷ୍ଟି ହୋଇଥିଲେ ହେଁ ତାହା ଅପ୍ରକାଶ୍ୟ ଓ ଅପ୍ରକଟ । ନୀରବତା ମଧ୍ୟରେ ପ୍ରେମର ଗତି, ନୀରବତାରେ ପୂର୍ଣ୍ଣତା ଓ ସେହି ନୀରବତା ମଧ୍ୟରେ ଦୀପ୍ତି । ବାସ୍ତବତାରୁ ଏହା ଦୂରେଇ ଯାଇଛି । ଆଦର୍ଶବାଦରେ ହୋଇଛି ଦୀପ୍ତିମାନ । ଉକ୍ତ ଉପନ୍ୟାସରେ ଆଦିବାସୀ ସମାଜର ଓ ଚରିତ୍ରର ଚିତ୍ତସଂଘର୍ଷ ନାହିଁ । ଭୂୟାଁ ସମାଜର ସରଳତା, ଭୂୟାଁ ଧାଙ୍ଗଡ଼ା ଧାଙ୍ଗଡ଼ୀଙ୍କ ନୃତ୍ୟ-ଗୀତ-ସ୍ୱାଧୀନତା ଓ ନିଜ ନିଜର ବିବାହ-ସାଥୀ ନିର୍ବାଚନ ଭୂୟାଁ ସମାଜର ଆତିଥେୟତା, ସତ୍ୟବାଦିତା ଓ ଧର୍ମପ୍ରାଣତା ଇତ୍ୟାଦିର ଚିତ୍ର ରହିଛି । ଏହି ଦୃଷ୍ଟିରୁ ଓଡ଼ିଆ ସାହିତ୍ୟରେ ଏହା ପ୍ରଥମ ଆଦିବାସୀ ଜୀବନ-ଭିତ୍ତିକ ଉପନ୍ୟାସ ଭାବରେ ପରିଚିତ ।

 

ଆଦିବାସୀ-ଉପନ୍ୟାସ-ରଚନାରେ ଔପନ୍ୟାସିକ ଗୋପୀନାଥ :

ଗୋପାଳ ବଲ୍ଲଭ ଆଦିବାସୀ-ଜୀବନ ଓ ସମାଜ-ଭିତ୍ତିକ ଉପନ୍ୟାସର ପ୍ରଥମ ପ୍ରଣେତା । ଉପକୂଳବର୍ତ୍ତୀ ଅଞ୍ଚଳର ଜୀବନଧାରାରୁ ତାଙ୍କର ଦୃଷ୍ଟି ପ୍ରଥମ କରି ଜଙ୍ଗଲ-ସଭ୍ୟତା ମଧ୍ୟକୁ ଗତି କରିଛି । ଜଙ୍ଗଲର-ଜୀବନ-ସୁଷମା ଓ ସାରଲ୍ୟ ତାଙ୍କୁ ଆକୃଷ୍ଟ କରିଛି । ସେହି ଜୀବନର ସୁତୀବ୍ର ସଂଘର୍ଷ ଓ ସଂଘାତ ବିଷୟରେ ସେ ଅବହିତ ହୋଇ ପାରିନାହାନ୍ତି । ତେଣୁ ପ୍ରେମ ଓ ସଂଘାତ ହୋଇଯାଇଛି ତାଙ୍କ ଉପନ୍ୟାସର କେନ୍ଦ୍ରବିନ୍ଦୁ । ଏହି ପ୍ରେମ କିନ୍ତୁ ଆଦିବାସୀ ଜୀବନର ସହଜାତ ପ୍ରେମ ନୁହେଁ; ଏହା ବୈଷ୍ଣବୀୟ ଆଦର୍ଶନିଷ୍ଠ ପ୍ରେମ । ଏହି ପ୍ରେମରେ ପୂର୍ଣ୍ଣତା ପ୍ରକାଶ ପାଇଛି ସନ୍ନ୍ୟାସୀତ୍ୱରେ । ଗୋପୀନାଥ ମହାନ୍ତି ଉପନ୍ୟାସ ରଚନା କଲାବେଳକୁ ଆଦିବାସୀ ସମାଜ ଓ ପରିବେଶ ବଦଳିଯାଇଛି । ସେ ଦୃଷ୍ଟି ପକାଇଛନ୍ତି ଆଦିବାସୀ ସମାଜର ଆର୍ଥନୀତିକ ବ୍ୟଥା ଓ ବ୍ୟର୍ଥତା, ବିଷାଦ ଓ ବିପର୍ଯ୍ୟୟ ପ୍ରତି । ସେମାନଙ୍କର ଜୀବନର ସୁତୀବ୍ର ସଂଘର୍ଷ,ଘାତ ଓ ପ୍ରତିଘାତକୁ ସେ ଲକ୍ଷ୍ୟ କରିଛନ୍ତି । ପ୍ରକୃତି ସହିତ ସେମାନଙ୍କର ଜୀବନର ସମ୍ପର୍କକୁ ସେ ଅନୁଭବ କରିଛନ୍ତି । ଏକପକ୍ଷରେ ସେମାନଙ୍କର ସାରଲ୍ୟ ଓ ଧର୍ମବିଶ୍ୱାସ, ଅନ୍ୟ ପକ୍ଷରେ ତଜ୍ଜନିତ ଦୁଃଖ ଓ ଦୁର୍ଯ୍ୟୋଗ ତାଙ୍କର ସ୍ରଷ୍ଟା-ହୃଦୟରେ ଗଭୀର ରେଖାପାତ କରିଛି । ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ସେ ସେମାନଙ୍କ ଜୀବନ-ପୋଥିକୁ ଅଧ୍ୟୟନ କରିଛନ୍ତି ନିବିଡ଼ ଭାବରେ । ସେମାନଙ୍କ ସହିତ ମିଶିଛନ୍ତି । ସେମାନଙ୍କ ଭାଷାରେ କଥା କହିଛନ୍ତି । ସେମାନଙ୍କ ସହିତ ଏକତ୍ର ବସିଛନ୍ତି, ସୁଖ ଦୁଃଖ ହୋଇଛନ୍ତି, ଖାଇଛନ୍ତି । ସେମାନଙ୍କ ନୃତ୍ୟଗୀତରେ ଯୋଗ ଦେଇଛନ୍ତି । ସେମାନଙ୍କ ସାମାଜିକ ବିଧି ବିଧାନକୁ ଅଙ୍ଗେ ନିଭେଇଛନ୍ତି । ସେମାନଙ୍କର ଦୁଃଖର କାରଣଗୁଡ଼ିକୁ ବିଶ୍ଳେଷଣ କରିଛନ୍ତି । ଉପଭୋଗୀ ସଭ୍ୟ ମଣିଷ କିପରି ସେମାନଙ୍କୁ ନାନା ଭାବରେ ଶୋଷଣ କରେ ତାହାକୁ ସେ ମର୍ମେ ମର୍ମେ ଅନୁଶୀଳନ କରିଛନ୍ତି । ସେ ଦେଖାଇ ଦେଇଛନ୍ତି ଆଦିବାସୀ ଜୀବନରେ ଶୋଷଣ ସତ୍ୟ । ଏହି ଶୋଷଣର କାରଣ ଅଛି । ଏହି କାରଣ ଧର୍ମ, ପୌରୋହିତ୍ୟ ପ୍ରଥା ଓ ଶିକ୍ଷାର ଅଭାବ ।

 

ଆଉ ଏକ ବଳିଷ୍ଠ କାରଣ ହେଉଛି ସଭ୍ୟସମାଜଗଢ଼ା ଆଇନକାନୁନ । ଏହାରି ମଧ୍ୟରେ ଆଦିବାସୀର ଜୀବନ ବିପର୍ଯ୍ୟସ୍ତ, ତାର ଆର୍ଥନୀତିକ ସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ଏବଂ ସର୍ବୋପରି ତାର ପ୍ରେମ ମଧ୍ୟ ବିପର୍ଯ୍ୟସ୍ତ । ଔପନ୍ୟାସିକ ଗୋପୀନାଥ ବିଂଶ ଶତାବ୍ଦୀର ପଞ୍ଚମ ଦଶକ ବେଳକୁ ଏପରି ଏକ ବିପର୍ଯ୍ୟସ୍ତ ଓ ଅବହେଳିତ ସମାଜର ବାସ୍ତବ ଚିତ୍ର ଅଙ୍କନ କଲେ ଉପନ୍ୟାସରେ । ନିର୍ଦ୍ଦିଷ୍ଟ ଅନ୍ଧାରୀ ଇଲାକାରେ ମନ୍ମୟ ରୂପାୟନ ମଧ୍ୟରେ ସେ ଯେପରି ଫୁଟାଇଦେଲେ ବିଶ୍ୱଚେତନା । ଆଞ୍ଚଳିକତାର ସୀମିତ ସୀମା ମଧ୍ୟରେ ସେ ପ୍ରକାଶ କରି ଦେଲେ ଆନ୍ତର୍ଜାତିକ ଭାବ-ଭାବନା । ଖଣ୍ଡଜୀବନ ମଧ୍ୟରେ ସେ ଦେଖାଇ ଦେଲେ ଅଖଣ୍ଡ ଜୀବନର ଦୀପ୍ତି । ସମାଜ-ସଚେତନା ମଧ୍ୟ ଦେଇ ବ୍ୟକ୍ତିସଚେତନା ଓ ବ୍ୟକ୍ତି- ସ୍ୱାତନ୍ତ୍ର୍ୟର ସେ ହେଲେ ଆଦ୍ୟ ରୂପକାର । ଏହି କାରଣରୁ ଆଦିବାସୀ ଜୀବନ-ଭିତ୍ତିକ ତାଙ୍କର ଉପନ୍ୟାସ ଗୁଡ଼ିକ ଓଡ଼ିଆ ସାହିତ୍ୟରେ ହେଲା ଅନନ୍ୟ ଓ ଅଭିନବ ।

 

ବିଂଶ ଶତାବ୍ଦୀର ତୃତୀୟ ଦଶକରୁ ଭାରତବର୍ଷରେ ନିମ୍ନବର୍ଗ ଓ ନିମ୍ନଜାତିଙ୍କୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବା ଓ ବିଚାର କରିବାର ଭାବଧାରା ସୃଷ୍ଟିହେଲା । ଊନବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ, ଏପରିକି ବିଂଶ ଶତାବ୍ଦୀର ଆଦ୍ୟ ଦ୍ୱିଦଶକ ପର୍ଯ୍ୟନ୍ତ ନିମ୍ନବର୍ଗ ଓ ନିମ୍ନଜାତିଙ୍କ ପ୍ରତି ମାନବିକ ସମ୍ବେଦନା ସୃଷ୍ଟି ହୋଇଥିଲେ ହେଁ ଏହା ଥିଲା ସଂପୂର୍ଣ୍ଣ ଆଦର୍ଶବାଦ ଆଧାରିତ ଏବଂ ଭାଗ୍ୟ-ଭଗବାନ ଓ କର୍ମଫଳ-ହେତୁ-ନିର୍ଭର ଆଶ୍ୱସ୍ତି । ତୃତୀୟ ଦଶକରୁ ଗାନ୍ଧି-ପ୍ରବର୍ତ୍ତିତ ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷ ଭାବବାଦୀ ମାନବବାଦ ଓ ଚତୁର୍ଥ ଦଶକରୁ ମାର୍କସ-ପ୍ରବର୍ତ୍ତିତ ସର୍ବହରା ବୈପ୍ଳବିକ ମାନବବାଦ କ୍ରମେ ସାରସତ୍ୱ ଜଗତରେ ସୃଷ୍ଟିକଲା ନୂତନ ଚିନ୍ତା ଓ ଚେତନା । ଗାନ୍ଧିବାଦୀ ଦର୍ଶନରେ ନିମ୍ନଜାତି ଓ ଅବହେଳିତ ସମାଜ ପ୍ରତି ସହାନୁଭୂତି ପ୍ରକାଶ ପାଇଥିଲେ ହେଁ ସତ୍ୟ, ଧର୍ମ, ଅହିଂସା ଓ ହୃଦୟପରିବର୍ତ୍ତନ ଥିଲା ମୁଖ୍ୟ । ପ୍ରେମ ଓ ସହାନୁଭୂତିରେ ଉଚ୍ଚବର୍ଗ ଓ ଉଚ୍ଚଜାତି, ନିମ୍ନବର୍ଗ ଓ ନିମ୍ନଜାତିଙ୍କୁ ଉତ୍ତୋଳନ କରି ଆଣିବା ପାଇଁ ଥିଲା ପ୍ରେରଣା । ମାର୍କସବାଦୀ ଦର୍ଶନ କିନ୍ତୁ ଧର୍ମକୁ ସ୍ୱୀକାର କରେ ନାହିଁ । ଭାଗ୍ୟ ଓ କର୍ମଫଳକୁ ଅସ୍ୱୀକାର କରେ । ଉପଭୋଗୀ ଗୋଷ୍ଠୀର ବିନାଶ କରି ସର୍ବହରାର ଏକ ନାୟକତ୍ୱକୁ ଏହା ସ୍ୱୀକାର କରେ । ଏହି ଉଭୟ ଦର୍ଶନ ଭିତରେ ନାନା ବୈଷମ୍ୟ ଥିଲେହେଁ ଗୋଟିଏ କଥାରେ ଉଭୟ ଏକମତ-ତାହା ହେଉଛି ନିମ୍ନଜାତି ଓ ନିମ୍ନ ବର୍ଗକୁ ଆପଣାର କରିନେବା ଏବଂ ସେମାନଙ୍କ ମଧ୍ୟରେ ଥିବା ସକଳ ମାନବିକ ସମ୍ଭାବନାଗୁଡ଼ିକୁ ବିକାଶ କରିବା ।

 

ମାନବ ବନ୍ଦନାର ଏହି ଯେଉଁ ନୂତନ ପ୍ରାଣସ୍ପନ୍ଦନ ସୃଷ୍ଟି ହେଲା ତାହା ହିଁ ସେହି ସମୟର ଲେଖକମାନଙ୍କୁ ନିମ୍ନ ଜାତି ଓ ନିମ୍ନବର୍ଗଙ୍କୁ ନେଇ ସାହିତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଲା । ଆଦିବାସୀ ଓ ହରିଜନଙ୍କ ପ୍ରତି ପ୍ରକାଶ ପାଇଲା ଏକ ନୂତନ ଦୃଷ୍ଟିକୋଣ । ଔପନ୍ୟାସିକ ଗୋପୀନାଥ ମହାନ୍ତି ହେଲେ ଏହି ଦୃଷ୍ଟିକୋଣର ବଳିଷ୍ଠ ରୂପକାର । ଶିକ୍ଷା ସମାପ୍ତିପରେ ୧୯୩୯ ମସିହାରୁ ମାଜିଷ୍ଟ୍ରେଟ ଭାବରେ ଚାକିରିରେ ଯୋଗ ଦେଲେ ଏବଂ ସୌଭାଗ୍ୟବଶତଃ, କୋରାପୁଟ, ବରଗଡ଼, ଛତ୍ରପୁର, ଆସ୍କା ପ୍ରଭୃତି ସ୍ଥାନରେ ସେ ଚାକିରି କରି ଆଦିବାସୀ-ହରିଜନ-ଅବହେଳିତ ସମାଜ ସଂପର୍କରେ ଆସିଲେ । ସେହି ମଣିଷମାନଙ୍କ ସଂପର୍କରେ ଆସିବାରୁ ତାଙ୍କର ଚିନ୍ତାଧାରା ବଦଳିଗଲା । ଭାରତ ତଥା ଓଡ଼ିଶା ମାଟିର ବୁନିଆଦକୁ ସେ ଚିହ୍ନିବାକୁ ସକ୍ଷମ ହେଲେ । (୧୧) ସେ କହନ୍ତି, ସେମାନେ ପ୍ରକୃତିର ସନ୍ତାନ-ଶିଶୁପରି ସରଳ ନିଷ୍କପଟ । ପ୍ରକୃତିର ସମସ୍ତ ଐଶ୍ୱର୍ଯ୍ୟ ସଂପଦରୁ ସେମାନେ ବଞ୍ଚିତ । ସମାଜରେ ଅବହେଳିତ ନିର୍ଯ୍ୟାତିତ । ଚାକିରି ଜୀବନ କାଳରୁ ଅର୍ଥାତ ପ୍ରାୟ ୧୯୩୯ରୁ ଆଦିବାସୀମାନଙ୍କ ସହିତ ମୋର ସଂପର୍କ । ମୁଁ ସେମାନଙ୍କ ସହିତ ମିଶିଛି । ଏକା ସାଙ୍ଗରେ ବସି ମାଣ୍ଡିଆ ଯାଉ, ସୁଆଁ ଜାଉ ଆମ୍ବଟାକୁଆ ଜାଉ ଖାଇଛି । ଚଟେଇ ପାରି ଏକାଠି ବସି ସୁଖ ଦୁଃଖ ହୋଇଛି । ସେମାନେ ମଦ ପିଅନ୍ତି । ମୁଁ ପାରି ନାହିଁ । ମୋର ଘୃଣା ହୋଇ ନାହିଁ । ସେଥିପାଇଁ, ବରଂ ମୋର ଭଲ ପାଇବା ବଢ଼ିଛି-ପ୍ରତିଦାନରେ ପାଇଚି ମଧ୍ୟ ପ୍ରଚୁର । (୧୨) ସେ ଉପଲବ୍‌ଧି କରିଛନ୍ତି ନିରୀହ ଆଦିବାସୀମାନଙ୍କର ଦୁଃଖ ଓ ଯନ୍ତ୍ରଣା, ପ୍ରେମ ଓ କାରୁଣ୍ୟ । ସଭ୍ୟ ଓ ଶିକ୍ଷିତ ବ୍ୟକ୍ତିଙ୍କର ସେମାନଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାରକୁ ମଧ୍ୟ ସେ ଅନୁଭବ କରିଛନ୍ତି । ସେହି ଅନୁଭବକୁ ସେ ଚିତ୍ରିଛନ୍ତି ତାଙ୍କର ଉପନ୍ୟାସମାନଙ୍କରେ । ସେ କହନ୍ତି ‘‘ଦୁଃଖ ସମୁଦ୍ର ମନ୍ଥି ପାଇଛି ଆନନ୍ଦର ଅମୃତ, ଏତେ ଦିଗରୁ ଦେଖି ଆଙ୍କିବାକୁ ସୁଯୋଗ ଦିଏ ଲେଖା, ଭବିଷ୍ୟତକୁ ତାର ଗୋଟାଏ ମହାନ୍ ଉଦ୍ଦେଶ୍ୟ ଅଛି-ଯେ ମଣିଷ ନିଜକୁ ବୁଝିବ, ପରସ୍ପରକୁ ବୁଝିବ, ତେବେ ସେ ଆଉ ରାଗିପାରିବ ନାହିଁ, ଦୋଷ ଦେବ ନାହିଁ, ହିଂସା କରିବ ନାହିଁ । ଲେଖା ସେହି ଅସଂଖ୍ୟ ମାନବ ହୃଦୟକୁ ଯୋଖିବା ପାଇଁ ସେତୁ ବନ୍ଧ, ବାଲିବୁହାଳି । x x x ଏହି ଏତେ ପ୍ରକାର, ସବୁ ମୋର ସବୁ ମୋର । ମୁଁ ଗଢ଼ିଛି, ମୋର ଖଣ୍ଡ ଖଣ୍ଡ ବ୍ୟକ୍ତିତ୍ୱ ଏମାନେ, ତାଙ୍କର ଗଢ଼େଇରେ ନାହିଁ କେବଳ ମୋର ରକ୍ତମାଂସ । ଆହୁରି ଅଧିକ, ଆହୁରି ଅଧିକ । ମୋର ଆଘାତ ସବୁ ବାଣ୍ଟି ଦେଇଛି ଏମାନଙ୍କୁ । ସବୁ ଲୁହ, ଲହୁ, ଦୀର୍ଘଶ୍ୱାସ, ସବୁ ଆଶା, ସବୁ ସ୍ୱପ୍ନ, ମୋର ବାଣୀ, ମୋର ନିର୍ଦ୍ଦେଶ, ଏମାନେ ମୋର ମନ ଗହୀରର ମୁହୂର୍ତ୍ତକର ଶସ୍ୟ ସମ୍ଭାର । ଏମାନେ ମୋର ଇତିହାସ, ଜୀବନ ବଂଚି ମାନସ-ପୁତ୍ର ଗଢ଼ିଛି, ମୁଁ ଗଲେ ବି ଏମାନେ ରହିବେ । (୧୩)

 

୧୧.

ତଳିଆ ଲୋକଙ୍କ ସହିତ ମିଶି ମୋର ଆଖି ଖୋଲିଗଲା । ମଣିଷର ଆତ୍ମା ସହିତ ପରିଚିତ ହେଲି । ଭାରତ ତଥା ଓଡ଼ିଶା ମାଟିର ବୁନିୟାଦକୁ ଚିହ୍ନିଲି । ପ୍ରକୃତି ଓ ତାର ସନ୍ତାନର ଭାଷା ସହିତ ମୋର ଭାଷା ମିଶିଗଲା ।

 

ନବପତ୍ର-(୧୯୭୪) ୯ମ ବର୍ଷ/୩ୟ ସଂଖ୍ୟା ‘ଗୋପୀନାଥ ସାକ୍ଷାତ୍‌କାର’-ଶ୍ରୀ ବିଷ୍ଣୁ ରାଉତରାୟ ଓ ଶ୍ରୀ ହରେକୃଷ୍ଣ ଦାସ ।

 

୧୨.

ତତ୍ରୈବ-ପୃ ୧୬

୧୩.

ମୁଁ କାହିଁକି ଲେଖେ; ଡଗର ୧୪ଶ ବର୍ଷ/୪ର୍ଥ ସଂଖ୍ୟା-(ତା ୧୬-୮-୧୯୫୦)

 

ଗୋପୀନାଥ ଉପନ୍ୟାସ ରଚନା କରିବା ପୁର୍ବରୁ ନବଯୁଗ ସାହିତ୍ୟ ସଂସଦର ପ୍ରଗତିବାଦୀ ଆଭିମୁଖ୍ୟକୁ ଜାଣିଥିଲେ । ଗୋଡ଼ଦଳା ମଳିମୁଣ୍ଡିଆ ମଣିଷ ରୁଷ ସାହିତ୍ୟରେ ସମ୍ମାନ ପାଇଥିବା ସେ ପଢ଼ିଥିଲେ । ସେ ଅନୁଭବ କରିଥିଲେ ଦୁଃଖ ଦାରିଦ୍ର୍ୟ ଯେପରି କଳାଶକ୍ତିର ଭଣ୍ଡାର । (୧୪) ତେଣୁ ସେ ସ୍ଥାନିକ ପଟ୍ଟଭୂମିକୁ ଗୁରୁତ୍ୱ ଦେଲେ । ସେଇଥିରେ ଆଞ୍ଚଳିକ ସଂସ୍କୃତିକୁ ରୂପ ଦେଲେ । ତାରି ଭିତରେ ଯେମିତି ଗୋଟାଏ ସ୍ୱାଭିମାନବୋଧ ପ୍ରକଟିତ ହେଲା । ଆମ ଦେଶର ସାହିତ୍ୟ କାଞ୍ଜି-ତୋରାଣିରୁ ରସ ଟାଣି ବଞ୍ଚିବ, ମାଣ୍ଡିଆ ଯାଉ, କାକରା, ଆରିସା ପିଠାରେ ମୋଟେଇବ । ଏହି ଆକାଶ, ଏଇ ପବନ, ଏଇ ମଳିମୁଣ୍ଡିଆ ଉପାସିଆ ଜାତି-ଆମେ ଏଇ ବେଶରେ ବଟୁଆ ଖୋସି ଗାମୁଛା ପକାଇ ଜଗତ ଆଗରେ ଠିଆ ହେବା । (୧୫) ବିଶ୍ୱସାହିତ୍ୟ ନାଁରେ ଆମର ମୌଳିକତାଟିକୁ ହରାଇ ଦେବା ଉଚିତ୍ ନୁହେଁ । ଦେଖାଣିଆ ବଡ଼ଲୋକୀ ଅପେକ୍ଷା ଗରିବଗିରୀ ଆମର ବେଶୀ ଆପଣାର । ‘ଭଙ୍ଗା କାନ୍ଥ’ ଅଧାନୁଆଁ ଦାନ୍ତୁରା ଚାଳ ତଳେ ଖୁଦ ମଳୁଖରେ ଜୀବନ ସମ୍ଭାର ଭିତରେ ଶାଶ୍ୱତ ମଣିଷର ଯେଉଁ ପରଶ ମିଳେ, ତହିଁରେ ଷୋଳପଣ ସତ ଅଛି । ମଣିଷର ମୂଳ ଗୁଣ ବାହାରର ଆବରଣ ତଳେ ବଦଳି ପାରେ ନାହିଁ ।’’ (୧୬) ବଣ ଜଙ୍ଗଲ ଘେରା ମାଟି ମଣିଷର ଚିରନ୍ତନୀ ଭାବ ଲେଖକଙ୍କୁ ଆକୃଷ୍ଟ କରିଛି ଏହି କାରଣରୁ । ମାନସିକ ପ୍ରସ୍ତୁତି ସୃଷ୍ଟି ହୋଇଛି ସେମାନଙ୍କୁ ସାହିତ୍ୟଜଗତକୁ ଆଣିବା ପାଇଁ । ତେଣୁ ସେ କହନ୍ତି-ଏ ଦେଶର ସାରା ସାହିତ୍ୟ ହେବ ଦୁଃଖ ଅଭାବର-ଯେଉଁ ସାଧାରଣ ଜୀବନ ତାର ନିତିଦିନିଆ ଦେହଘଷରା, ପୁଣି ଅଜଣା ଅଚିହ୍ନା ବନ୍ଧାଗତ । ଗରିବର ଇତିହାସ, ଗୋଡ଼ଦଳା ମଳିମୁଣ୍ଡିଆର କଅଁଳ ମରମ ଭାବ, ଆଉ ଆଶା ଉଚ୍ଛ୍ୱାସ, ଅଭେକାର ଘର କରଣା, ସେତିକି ହେବ ସରସ୍ୱତୀଙ୍କର ପୂଜାର ବାସନା ଆରତି, ଅଜଣା ବଜାଳିର ଜୀବନ-ଭେଦି ବୀଣାର ସ୍ୱର । ସେତିକି ହେବ ଯୁଗ ଯୁଗର କଅଁଳ ଶାଉଁଳିଆ ସାବଜା ଘାସ । (୧୭) ଏହି ଦର୍ଶନ ଓ ବିଶ୍ୱାସ ଗୋପୀନାଥଙ୍କୁ ଆଦିବାସୀଙ୍କ ଜୀବନ ଓ ସମସ୍ୟାକୁ ନେଇ ଉପନ୍ୟାସ ରଚନା କରିବାକୁ ପ୍ରେରଣା ଦେଇଛି । ଆପଣାର କେନ୍ଦ୍ରକୁ ସେ ସଂପ୍ରସାରଣ କରି ଦେଇଛନ୍ତି ଆଦିବାସୀର ମହାଜୀବନ । ସମାଲୋଚକ ଚିତ୍ତରଞ୍ଜନ ଦାସ ତେଣୁ ଯଥାର୍ଥରେ କହନ୍ତି ‘‘ଗୋପୀନାଥ ମହାନ୍ତିଙ୍କ ଜୀବନ ହେଉଛି ମୂଳତଃ ଓ ସ୍ୱଭାବତଃ ଏହି ସ୍ନେହ ସାଉଁଟାର ଜୀବନ, ଏହି ସଂପ୍ରସାରଣର ଜୀବନ । ଏଠି ଗୋଟିଏ କେନ୍ଦ୍ର ଆପଣାକୁ ତଥାପି ସବୁ କେନ୍ଦ୍ର ଭିତରେ ଉକୁଟାଇ ଦେଇ ପାରେ ଏବଂ ପରିଧି ଆପଣାକୁ ଏକାବେଳକେ ଅନେକ ପରିଧି ରୂପେ କୁଣ୍ଡଳିତ କରିବାରେ ଲାଗିଥାଏ । ବିସ୍ଫାରିତ ହୃଦୟରେ କେବଳ ଅନାଇ ରହିବାକୁ ଇଚ୍ଛା ହୁଏ । (୧୮)

 

୧୪.

କଳାଶକ୍ତି [୧୯୭୩-ଅଗ୍ରଦୂତ, ବାଙ୍କାବଜାର, ପୃ ୬୪ ଦେଖ । ‘‘କୁଆଁତାରା’’ ସହକାର ୧୬ଶ ବର୍ଷ/୮ମସଂଖ୍ୟା ।

୧୫.

ତତ୍ରୈବ-ପୃ ୬୩ ।

୧୬.

ନାଲି ସଡ଼କର ଢିମା-ସହକାର, ୧୮ଶ ବର୍ଷ/୨ୟ ସଂଖ୍ୟା

ଦେଖ : କଳାଶକ୍ତି-ପୃ ୧୫୭ ।

୧୭.

ତତ୍ରୈବ-ପୃ ୧୫୮ ।

୧୮.

ଶ୍ରୀ ଗୋପୀନାଥ ମହାନ୍ତି ଓ ଗଳ୍ପକାରିତା-‘ନବପତ୍ର’ ୯ମ ବର୍ଷ ୩ୟ ସଂ. (୧୯୭୪) ପୃ ୫୦

 

୧୯୪୦ ରୁ ୧୯୪୫ ମସିହା ମଧ୍ୟରେ ଗୋପୀନାଥ କୋରାପୁଟରେ ଚାକିରିଜୀବନ ଅତିବାହିତ କରି ଆଦିବାସୀମାନଙ୍କର ଯେଉଁ ଜୀବନଧାରାକୁ ଲକ୍ଷ୍ୟ କରିଥିଲେ ତାର ଆଦ୍ୟ ଅର୍ଘ୍ୟ ‘ଦାଦି ବୁଢ଼ା’ (୧୯୪୪) । ସେହି ଅନୁଭବର ସଂଘର୍ଷମୟ ମହାକାବ୍ୟିକ ରୂପ ‘ପରଜା’ (୧୯୪୬) ଏବଂ ‘ଅମୃତର ସନ୍ତାନ’ (୧୯୪୯) । ୧୯୫୨ ରୁ ୧୯୫୫ ମସିହା ମଧ୍ୟରେ ଗୋପୀନାଥ ପୁନର୍ବାର କୋରାପୁଟରେ ଅବସ୍ଥାନ କଲେ । ଏହି ପରିବର୍ତ୍ତିତ ସମୟର ଚିତ୍ତ-ସଂଘର୍ଷର ରୂପାୟନ ‘ଶିବ ଭାଇ’ (୧୯୫୫) ଓ ‘ଅପହଞ୍ଚ’ (୧୯୬୧) । ‘ଦାଦି ବୁଢ଼ା’ ପରଜା ସମାଜର ସରଳ ଶୁଚିପୂତ ଧର୍ମ ବିଶ୍ୱାସର ଏକ ଜୀବନ୍ତ ରୂପାୟନ । ଏଥିରେ ଜୀବନର ତୀବ୍ର ସଂଘର୍ଷ ନାହିଁ, ଆର୍ଥନୀତିକ ସମସ୍ୟା ପୀଡ଼ିତ ମଣିଷର ସମସ୍ୟା ନାହିଁ, ଅଛି ଯୁଗ ଯୁଗର ଅନ୍ଧାରୀ ଧର୍ମ ବିଶ୍ୱାସ ଓ ତଜ୍ଜନିତ ଦୁଃଖ ଏବଂ ଯନ୍ତ୍ରଣା । ସୁରାନ ନଈ, ଜଙ୍ଗଲ ଓ ପାହାଡ଼କୁ ନେଇ ଲୁଲା ଗାଁ । ତାରି ଭିତରେ ପରଜା ଓ ଡମଙ୍କର ବସବାସ । ସେଇ ଗାଁରେ ପ୍ରଚଳିତ ଧର୍ମ ବିଶ୍ୱାସକୁ ନେଇ ପରଜା ସମାଜ ଓ ଖ୍ରୀଷ୍ଟିୟାନ ଧର୍ମ ଧାରଣାକୁ ନେଇ ଡମ ସାହି ଅବସ୍ଥିତ । ଧର୍ମ ଦୁଇଟି ହେଲେ ହେଁ ଉଭୟ ସଂପ୍ରଦାୟ ମଧ୍ୟରେ ସଂହତି ବିଦ୍ୟମାନ, ଯଦିଓ ଉଭୟ ସଂପ୍ରଦାୟ ମଧ୍ୟରେ ବୈବାହିକ ସମ୍ବନ୍ଧ ଅସମ୍ଭବ । ଖ୍ରୀଷ୍ଟିୟାନ ଡମମାନେ ଡୁମାରେ ବିଶ୍ୱାସ କରନ୍ତି ନାହିଁ , ମଣିଷ ତିଆରି ଦେବତାଙ୍କୁ ବିଶ୍ୱାସ କରନ୍ତି ନାହିଁ । ସେମାନଙ୍କ ଧର୍ମ ଧାରଣା ପରଜାଙ୍କ ଧର୍ମ ଧାରଣାଠାରୁ ଅଲଗା । ପରଜା ବିଶ୍ୱାସ କରେ ଦିଶାରୀ, ଜାନି ଓ ଗୁରୁମାଈକୁ । ସେମାନଙ୍କ କଥା ସେ ମାନି ନିଏ । ବଣରେ ନିଆଁ ଲାଗିଲେ ପରଜା କହେ ଡୁମା ଲଗେଇଚି, ଗାଁରେ ରୋଗ ହେଲେ ପରଜାର ବିଶ୍ୱାସ ଡୁମା ଯୋଗୁ ହେଉଛି, କାହାକୁ ବାଘ ନେଇ ଗଲେ ଡୁମା ନେଇଛି ବୋଲି ପରଜାର ଧାରଣା । ଯାହାକିଛି ହେଉଛି ସବୁ ସେହି ଡୁମାର ଲୀଳା । ସେଇ ରାତି କରିଛି, ଦିନ କରିଚି, ତାରା କରିଚି, ପାହାଡ଼ ଡଙ୍ଗର ସବୁ କରିଚି । ସେହି ନିଆଁ ଲଗାଏ, ବରଷା ମାରେ । ଏହି ବିଶ୍ୱାସ ପରଜାର ଯୁଗ ଯୁଗର । (୧୯) ଗୁରୁମାଈକୁ କାଳିସୀ ଲାଗିଲେ ସେ ନାଚେ । ସେ ଚେତେଇ ଦିଏ ଯେ ସେ ଦାଦିବୁଢ଼ା । ତାର ପୂଜା ହେଉ ନାହିଁ । ତା’ ପାଖରେ କୁକୁଡ଼ା, ପାରା, ଛେଳି ବଳି ଦିଆଯାଉ ନାହିଁ । ସେ ଗାଁକୁ ଧ୍ୱଂସ କରିଦେବ । ସମସ୍ତଙ୍କୁ ଖାଇଯିବ । ଗୁରୁମାଈ ବୁଢ଼ା ଖଜୁରୀ ଗଛକୁ କୁଣ୍ଢାଇ ଧରି ଚେତା ହରାଇ ଦେଇଛି ।

 

୧୯.

ଦାଦିବୁଢ଼ା, ୨ୟ ସଂସ୍କରଣ (୧୯୮୪), ପୃ ୪

 

ଏଥର ପରଜାଲୋକଙ୍କ ବିଶ୍ୱାସ ହୋଇଛି ସେହି ଖଜୁରି ଗଛ ଦାଦିବୁଢ଼ା । ଏଥର ସେହି ଖଜୁରି ଗଛକୁ କୋଡ଼ିଏ ଏକୋଇଶି ସ୍ଥାନରେ ଚୋଟ ଚୋଟ ହଣାଯାଇ ସାତବେଣ୍ଟିଆ କରାଗଲା । ସେହି ହଣା ସ୍ଥାନରେ ଧଳା, ନାଲି, କଳା ରଙ୍ଗ ବୋଳି ଦିଆଗଲା । ଗଛର ମୁଣ୍ଡରେ ଖଣ୍ଡେ ଧୋବ କନା ପଗଡ଼ି କରି ବାନ୍ଧି ଦିଆଗଲା । ଦାଦିବୁଢ଼ାର ହେଲା ପୂଜା ପାର୍ବଣ । ‘ଦାଦି-ବୁଢ଼ା’ ବଡ଼ ସୁଧାର ଠାକୁର । ଅତି ବିରକ୍ତ ନ ହେଲେ ସେ କୋପ ହୁଏ ନାହିଁ । ସେହି ପରା ଅନାଦି ପୂର୍ବ ପୁରୁଷ । ତାରି ସୃଷ୍ଟି, ଏସବୁ ତାରି ଖେଳ । ଯେ ଯାହା କହେ ଦାଦି-ବୁଢ଼ାର ତା, କାରଣ ତାର ପାଟି ଫିଟେ ନାହିଁ । (୨୦) ଦାଦି ବୁଢ଼ା ସବୁ ଦେଖେ । କିଛି କହେ ନାହିଁ । ତାରି ପାଖେ ପାଖେ ହୁଙ୍କା ବୁଢ଼ା ବଢ଼େ । ସେହି ଦାଦି ବୁଢ଼ା ପାଖରେ ଧାଂଡ଼ା ଓ ଧାଂଡ଼ୀ ମାନସିକ କରନ୍ତି ପରସ୍ପରକୁ ପାଇବା ପାଇଁ । ସେ ଯେମିତି ପ୍ରେମର ସାକ୍ଷୀ, ବିବାହର ସାକ୍ଷୀ, ରୋଗ ବ୍ୟାଧିର ସାକ୍ଷୀ, ବିପର୍ଯ୍ୟୟର ସାକ୍ଷୀ । ଦାଦିବୁଢ଼ାର ହଲ୍‌ଚଲ ନାହିଁ, ଗହଳ ଚହଳ ନାହିଁ । ସେ ସବୁବେଳେ ସ୍ଥିର । ତାକୁ ମଦ ଭୋଗ ଲଗାଯାଏ । ତାରି ପାଖରେ ମଦ ଖାଇ ସମସ୍ତେ ନାଚନ୍ତି । ଦାଦି ବୁଢ଼ା କେବଳ ନିଷ୍ପ୍ରଭ ଆଖିରେ ଚାହିଁ ରହେ । ସେହି ଦାଦିବୁଢ଼ା ପାଖରେ ମାନସିକ କରି ଗାଁର ମୁଖିଆ ରାମ ନାଇକ ନିଜର ଏକମାତ୍ର ପୁତ୍ର ଠେଙ୍ଗା ଜାନିକୁ ଜାନିର ଝିଅ ସାରିଆ ଦାନ୍‌ ସହିତ ବିବାହ ଦେବାକୁ ସଂକଳ୍ପ କଲା । ଅଥଚ ‘ଠେଙ୍ଗା ଜାନି ଖ୍ରୀଷ୍ଟିୟାନ ସାହିର ସନ୍ତୋଷ କୁମାରୀ ସହିତ ସୁଦୂର ଆସାମକୁ ଚାଲିଯାଇଛି ଉଦୁଲିଆ ନେଇ । ରାମ ନାଇକ ଭାଙ୍ଗି ପଡ଼ିଛି ଦୁଃଖରେ । ତାର ଘର ତୋଳା ଅଧା ରହିଛି । ବନ୍ଧୁ ଏଲିଓ ପ୍ରାଚୀନତାକୁ ଆଶ୍ୱାସନା ଦେଇଛି ।

 

୨୦.

ଦାଦି ବୁଢ଼ା-ପୃ ୧୦

 

ଗାଁ ଲୋକେ ବିଶ୍ୱାସ କରିଛନ୍ତି ଡମ୍ ଟୋକୀକୁ ନେଇ ପରଜା ଟୋକାର ଆସାମ୍ ପଳାଇଯିବା ଗାଁ ପକ୍ଷରେ ଓ ରାମ ନାଇକ ପକ୍ଷରେ ଅମଙ୍ଗଳ । ତେଣୁ ଦାଦି ବୁଢ଼ା ପାଖରେ ପୂଜା ହୋଇଛି । ସମସ୍ତେ ମଦ ଖାଇ ନାଚିଛନ୍ତି । ରାମ ନାଇକ କିନ୍ତୁ ଦାଦିବୁଢ଼ା ପାଖରେ କାନ୍ଦି କାନ୍ଦି ଜଣାଇଛି-‘ଦାଦି ବୁଢ଼ା’ ତୋର ମନରେ ଏଇଆ ଥିଲା ଦାଦିବୁଢ଼ା-କି ଦୋଷ କରିଥିଲି ମୁଁ ତୋର, ମୋର ସର୍ବନାଶ କଲୁ । ଯଦି କହୁଛୁ ଠେଙ୍ଗାଟି ମୋର ଖରାପ ଡୁମା, ଗୋଟିଏ ଭଲ ଡୁମା ପଠେଇଲୁ ନାହିଁ କାହିଁକି, ଦାଦି ବୁଢ଼ା ? ପାଳିଲି, ବଢ଼େଇଲି, ଏଡ଼େଟିରୁ ଏଡ଼ୁଟିଏ କଲି,-ଶେଷରେ ମୋରି ପୁଅକୁ ମୋରି ମୁହଁରେ ଗୋଇଠା ମରେଇ ନେଇ ଦୂର ଦେଶକୁ ବିଦା କରି ଦେଲୁରେ, ଦାଦିବୁଢ଼ା-ମୋର ଖାଇବା ଭାତରେ ଧୂଳି ଦେଲୁ । (୨୧) ସେହି ଦାଦିବୁଢ଼ା ଯେମିତି ସବୁ ସାନ୍ତ୍ୱନାର ହେତୁ । ସେ ଯେମିତି ସମସ୍ତଙ୍କୁ ଦୁଃଖ ଦିଏ ଆଉ ଦୁଃଖରୁ ଉଦ୍ଧାର କରେ । ତାରି କୃପାରୁ କାହାର ପୁଅ ହୁଏ, କାହାର ପୋଢ଼ ଭଲ ହୁଏ, କିଏ ଜେଲରୁ ରକ୍ଷା ପାଏ । ଇମିତି କେତେ ତାର ମହିମା । ପରଜା ଏହାକୁ ବିଶ୍ୱାସ କରେ ମାତ୍ର ଖ୍ରୀଷ୍ଟାନ ଡମ ଏହାକୁ ବିଶ୍ୱାସ କରନ୍ତି ନାହିଁ ।

 

୨୧.

ତତ୍ରୈବ-ପୃ ୭୯ ।

 

ପୁରୁଣା ଦିଶାରି ମରିଗଲା ପରେ ରୁଫଜାନି ହେଲା ନୂଆ ଦିଶାରି । ତାର ଆଦର ଗାଁରେ କମିଯିବାରୁ ସେ ଗୋଟାଏ କୌଶଳ କରିଛି । ବାଳମୁକୁଳା ଓ ଆଖି ଲାଲ କରି ସେ କହିଲା ଗାଁରେ ଅନାଚାର ବଢ଼ିଯାଇଛି । ନାଇକର ପୁଅ ପରଜା ଜାତି ହୋଇ ଡମୁଣୀକୁ ନେଇ ପଳେଇଚି । ନାଇକ ଜାତି ହୋଇ ନାହିଁ, ଭୋଜି ଭାତ ଦେଇ ନାହିଁ । ତେଣୁ ଗାଁରେ ନାନା ବିତ୍ପାତ ଦେଖା ଦେଉଛି । ରାମ ନାଇକ ପ୍ରାୟଶ୍ଚିତ ହେଲା ଓ ଭୋଜି ଭାତ ଦେଲା । ଗାଁରୁ ରୋଗ ଛାଡ଼ିଗଲା । ସେ ସମସ୍ତଙ୍କୁ କହିଲା ମେଘ, ବାଘ, ଅଧିକାରୀ ଓ ଦେବତାଙ୍କ ମନର କଥା କାହାକୁ ଜଣା ନଥାଏ । ଯେତେବେଳେ ଯାହା ସେମାନଙ୍କ ମନ ହୁଏ ତାହା ସେମାନେ କରନ୍ତି । ଦିନାକେତେ ଗଲାପରେ ଗାଁରେ ବାଘ ମାତିଲା । ଗୋଟିକ ପରେ ଗୋଟିଏ କେତେ ଲୋକଙ୍କୁ ବାଘ ନେଇଗଲା । ଗାଁସାରା ଆତଙ୍କ ଖେଳିଗଲା । ଶାମ ଗୁରୁମାଈ ନେଲା ଏହାର ସୁଯୋଗ । ସେ କାଳିସୀ ହୋଇ ଦାଦିବୁଢ଼ାର ବାଣୀ ଘୋଷଣା କଲା-‘ମୁଁ ସବୁଠୁ ବଡ଼ ଠାକୁର ଦାଦିବୁଢ଼ା, ସବୁ ମୁଁ ଗଢ଼େ, ସବୁ ମୁଁ ଭାଙ୍ଗେ, ଯେତେବେଳେ ଯୋଉଟା ହୁଏ ମୋର ମନ । ଯାହାକୁ ମୋର ମନ ହେଲା ଖାଇଦେଲି, ଯାହାକୁ ଇଚ୍ଛା ହେଲା ରଖିଲି, ମୋ ଇଚ୍ଛା, ମୋ ମନ, ମୁଁ ସବୁଠୁ ବଡ଼ ଠାକୁର ଦାଦିବୁଢ଼ା । x x x ତୁମେ ସବୁ ଏ ଗାଁ ଭାଙ୍ଗିଦେଇ ଏଠୁ ଉଠି ଚାଲିଯାଅ । ନଇଲେ ତୁମକୁ ଭଲ ହେବ ନାହିଁ । ତୁମକୁ ମୁଁ ସର୍ଜନ କରିଛି । ତୁମର ସୁଖ ହେଲେ ମୋର ସୁଖ, ସେଥିପାଇଁ ତୁମକୁ ଚେତେଇ ଦଉଚି, ଯାଅ ପିଲାମାନେ ଏ ଗାଁ ଛାଡ଼ିଦେଇ ଚାଲିଯାଅ । x x ଏ ଜାଗା ଛାଡ଼ି ଚାଲିଯାଅ । ଏଠିକି ମୋର ସାଙ୍ଗୀ ଦେବତାମାନେ ବୁଲଚାଲ ହେବେ । ବାଘ ଡୁମାମାନେ ରହିବେ । ଏଠି ତୁମକୁ ଭଲ ନାହିଁ । ଯେତେ ଚଞ୍ଚଳ ପାର ବାହାରି ଚାଲିଯାଅ ତୁମେ, ସେଠି ଅଧିକ ଭଲହେବ । ତୁମେ ଯେଣେ ଯାଅ, ତୁମ ସୁଖ ଦୁଃଖ ବୁଝିବାକୁ ସବୁବେଳେ ମୁଁ ଥିବି ତୁମ ପାଖେ । (୨୨) ଦାଦିବୁଢ଼ାର ନିର୍ଦ୍ଦେଶକୁ ପରଜା ସମାଜ ନ ମାନିବାର ଉପାୟ ନାହିଁ । ସମସ୍ତେ ଗାଁ ଛାଡ଼ି ଚାଲିଗଲେ ଆହୁରି ଉଚ୍ଚ ପାହାଡ଼ ଉପରକୁ । ପୁରୁଣା ଗାଁ ପଡ଼ି ରହିଲା । ସେଠି ସେଇମିତି ରହିଲା ଦାଦିବୁଢ଼ା ରୂପୀ ଖଜୁରିଗଛ । ହୁଙ୍କା ବୁଢ଼ା ମାଡ଼ି ବସିଲା ଦାଦିବୁଢ଼ାକୁ । ଦୁଇ ବୁଢ଼ା ହୋଇଗଲେ ଅଦ୍ୱୈତ ।

 

୨୨.

ଦାଦିବୁଢ଼ା-ପୃ ୯୪/୯୫ ।

 

ସମଗ୍ର ଉପନ୍ୟାସଟିରେ ଗୋଟିଏ କଥାକୁ ଲେଖକ ସ୍ପଷ୍ଟ କରିଦେଇଛନ୍ତି ତାହା ହେଉଛି ପରଜା ସମାଜର ସରଳ ଧର୍ମ ବିଶ୍ୱାସ ହୋଇଛି ତାର ସକଳ ବିପର୍ଯ୍ୟୟର କାରଣ । ଧର୍ମ, ମଣିଷଗଢ଼ା ଠାକୁର ଓ ପୌହିତ୍ୟ ପ୍ରଥା ହେଉଛି ତାର ଦୁଃଖ ଓ ଦୁର୍ଦ୍ଦଶାର କାରଣ । ଏଥି ସହିତ ଲେଖକ ଦେଖାଇ ଦେଇଛନ୍ତି ଭ୍ରାନ୍ତ ଜାତିଗତ ବାଧା ଓ ବନ୍ଧନ । ଏହି ଜାତିଗତ ବାଧାହିଁ ରାମ ନାଇକର ଜୀବନରେ ସୃଷ୍ଟି କରିଛି ଗୁରୁତର ଦୁଃଖ ଓ ଯନ୍ତ୍ରଣା । ଔପନ୍ୟାସିକ ଗୋପୀନାଥ ଏହି ସତ୍ୟକୁ ଅତି ସ୍ପଷ୍ଟ ଭାବରେ ଉକ୍ତ ଉପନ୍ୟାସରେ ଦେଖାଇ ଦେଇଛନ୍ତି ।

 

‘ପରଜା’ କିନ୍ତୁ ଗୋପୀନାଥ-ପ୍ରତିଭାର ଏକ ଅନନ୍ୟ ସୃଷ୍ଟି । ବିଶ୍ୱଯୁଦ୍ଧ ପରିପ୍ରେକ୍ଷୀରେ ୧୯୪୩ ମସିହାରେ ଏହା ରଚିତ ଓ ଯୁଦ୍ଧ ପରବର୍ତ୍ତୀ ସମୟରେ ୧୯୪୬ରେ ଏହା ପ୍ରକାଶିତ । ତେଣୁ ଏହା ଯୁଦ୍ଧୋତ୍ତର ଜୀବନର ମହାକାବ୍ୟ । ପ୍ରେମ ଓ ଶୋଷଣ-ଏହି ଦୁଇଟି ଭାବ ଉକ୍ତ ଉପନ୍ୟାସର ବଳିଷ୍ଠ ସ୍ୱରଲିପି । ଜୀବନର ସଂଘର୍ଷ ଓ ବଞ୍ଚିବାର ବାସନା ଏଥିରେ ସୁତୀବ୍ର ଉଚ୍ଚାରଣ-। ଓଡ଼ିଶା ସାମାଜିକ ଜୀବନ ଭୂମିକୈନ୍ଦ୍ରିକ ସଂଘର୍ଷ ଉପରେ ଗତିଶୀଳ । କୃଷି ନିର୍ଭର ସମାଜରେ ଜମି ପାଇଁ ଲଢ଼େଇ ଚିରନ୍ତନ । ‘ସେଇ ଲଢ଼େଇକୁ କେନ୍ଦ୍ର କରି ଚରିତ୍ର, ନାୟକ, ବୀର, ଖଳନାୟକମାନଙ୍କର ଆତଯାତ, ତାହା ଉପରେ ହିଁ ସମସ୍ତ ସାମାଜିକ, ସଂସ୍କୃତି, ସାହିତ୍ୟ, ହର୍ଷ, ବିଷାଦ, ପୂଜା ପାର୍ବଣ, ରାହାଜାନି, ଟାଉଟରି, ନିର୍ଭରଶୀଳ ।’ (୨୩) ଏହି ଜମି-ଲଢ଼େଇ ଛମାଣ ଆଠଗୁଣ୍ଠ, ଟଙ୍କାଗଛ, ମାଟିର ମଣିଷ, ଦାଦିବୁଢ଼ା, ହିଡ଼ମାଟି, ପରଜା, ଅମୃତର ସନ୍ତାନ ପ୍ରଭୃତି ଉପନ୍ୟାସରେ କ୍ରମସଂପ୍ରସାରିତ । ଗୋପୀନାଥଙ୍କ ‘ପରଜା’ ଉପନ୍ୟାସ ଏଇ ଲଢ଼େଇର ଏକ ଜୀବନ୍ତ ଆଲେଖ୍ୟ । ପରଜା ଓ କନ୍ଧଙ୍କର ଭୌଗୋଳିକ ସୀମାକୁ ଏହା ଅତିକ୍ରମ କରିଯାଇଛି । ‘ପ୍ରାକୃତିକ ଓଡ଼ିଶାର ଏପରି କୌଣସି ଅଞ୍ଚଳ ଆଜି ବାକୀ ନାହିଁ ଯେଉଁ ଅଞ୍ଚଳ ଭିତରକୁ ଗୋପୀନାଥ ମହାନ୍ତିଙ୍କର ସାହିତ୍ୟିକ ଅନୁପ୍ରବେଶ ଘଟିନାହିଁ ।’ (୨୪) ଇଂଲଣ୍ଡର ବିଖ୍ୟାତ ଔପନ୍ୟାସିକ କନ୍‌ରାଡ଼ ଓ ଆମେରିକାର ଔପନ୍ୟାସିକ ହେମିଙ୍ଗଓ୍ୱେଙ୍କ ପରି ସେ ଘଞ୍ଚ ଅରଣ୍ୟ ଭିତରେ ପଶିଛନ୍ତି-। କୋରାପୁଟର ଗିରିଜନମାନଙ୍କ ଭିତରେ ସେ ଖୋଜିଛନ୍ତି ସତ୍ୟକୁ । ପରଜା ଓ କନ୍ଧ-ଏହି ଦୁଇ ଉପଜାତିର ଅନୁଶୀଳନ ମଧ୍ୟ ଦେଇ ମଣିଷ ଜୀବନର ସତ୍ୟହିଁ ହେଉଛି ପ୍ରକଟିତ । ଏହି ସତ୍ୟ ହେଉଛି ଜମି ପ୍ରତି ଭକ୍ତି ଓ ଜମିପ୍ରତି ଲୋଭ । ଭକ୍ତି ହୋଇଛି ବିପର୍ଯ୍ୟୟରେ ପରିଣତ । ଲୋଭ ହୋଇଛି ଶୋଷଣରେ ରୂପାନ୍ତରିତ । ଆଉ ଏକ ସତ୍ୟ ହେଉଛି ଉପଭୋଗୀ ଗୋଷ୍ଠୀର ଉତ୍କଟ ଯୌନ ତୃଷ୍ଣା । ସେଠି ନୀତି ନାହିଁ କି ଆଦର୍ଶ ନାହିଁ; ଅଛି ଗୋଟାଏ ପୈଶାଚିକ ଉଲ୍ଳାସ । ଅନ୍ୟ ପକ୍ଷରେ ସର୍ବହରା ଆଦିବାସୀ ସମାଜର ଯୌନାବେଗ ଅଛି ମାତ୍ର ତାହା ସେହି ସମାଜ ସମର୍ଥିତ ଓ ଧର୍ମ ତଥା ଆଦର୍ଶ ସମର୍ଥିତ । ଏଥିପାଇଁ ସେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ମାତ୍ର ସେଥିରେ ତାର ଆନନ୍ଦ ।

 

୨୩.

ମନମୋହନ ମିଶ୍ର-‘ଓଡ଼ିଆ ଉପନ୍ୟାସରେ ଚରିତ ଓ ଚରିତ୍ର ’-

ଦେଖ : ନବପତ୍ର-୯ମ ବର୍ଷ/୩ୟ ସଂଖ୍ୟା-ପୃ ୧୩୧ ।

୨୪.

ତତ୍ରୈବ-ପୃ ୧୩୧ ।

 

ଆଦିବାସୀ ଜୀବନରେ ଅନ୍ୟ ଏକ ସତ୍ୟ ହେଉଛି ଅଦୃଷ୍ଟ ପ୍ରତି ଭୟ ଓ ସେହି ଅଜ୍ଞାନତା ପ୍ରସୂତ ଭୟ ପାଇଁ ପ୍ରକୃତିର ବିଭିନ୍ନ ସ୍ୱରୂପର ଉପାସନା । ଗ୍ରୀକ୍‌ ଟ୍ରାଜେଡିରେ ଅଲିମ୍ପସ୍ ଦେବତାମାନଙ୍କର ପ୍ରତାପ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ । କାରଣ ସେତେବେଳେ ମଣିଷ ନିଜ ଆଖି ଆଗରେ ପ୍ରକୃତିର ବିତ୍ପାତକୁ ଦେଖୁଥିଲା ଏବଂ ଏହାର କାରଣ ଦୈବ ବୋଲି ମାନି ନେଉଥିଲା । ‘‘ପ୍ରକୃତି ବା ଦେବତା ବା ଅଦୃଷ୍ଟ ଅର୍ଥାତ୍ ଅବାଙ୍‌ମାନସଗୋଚର ଏକ ଶକ୍ତିହିଁ ଥିଲା, ସେମାନଙ୍କ ପାଇଁ ନିୟାମକ । ଠିକ୍ ସେହିପରି ଗୋପୀନାଥ ମହାନ୍ତିଙ୍କ ‘ପରଜା’ ବା ‘ଅମୃତର ସନ୍ତାନ’ରେ ‘ଧର୍ମ’ ଓ ‘ଧରିତ୍ରୀ’ ଉପରେ ଆଦିବାସୀ ପରଜା ଓ କନ୍ଧର ନିର୍ବିଚାର ଓ ଯୁକ୍ତିହୀନ ଆତ୍ମାହିଁ ପ୍ରକୃତିର ଏହି ଅବୋଧ ଶକ୍ତି ଭୟର କାରଣ ।’’ (୨୫) ଗୋପୀନାଥ ଏ ବିଷୟରେ ସଚେତନ । ପ୍ରକୃତି, ସମାଜ ଓ ସଂସ୍କୃତି-ଏହି ତ୍ରୟୀ ସତ୍ତାର ସମଗ୍ରତାକୁ ସେ ଉପଲବ୍‌ଧି କରିଛନ୍ତି । ଏହି ତ୍ରୟୀ ସତ୍ତା ମଧ୍ୟରେ ଆଦିବାସୀ ପରଜା ଓ କନ୍ଧକୁ ରଖି ସେମାନଙ୍କର ପ୍ରତିପକ୍ଷ ଭାବରେ ଉପଭୋଗୀ ସଭ୍ୟ ସମାଜକୁ ରଖିଛନ୍ତି ଏବଂ ନିଜେ ହୋଇଯାଇଛନ୍ତି ଏସବୁର କେନ୍ଦ୍ର । ତାଙ୍କର ଏକାନ୍ତ ସମ୍ବେଦନଶୀଳ ବ୍ୟକ୍ତି-ପୁରୁଷଟି ଶୋଷକ ଓ ଶୋଷିତ ଉଭୟଙ୍କୁ ଆପଣାର କେନ୍ଦ୍ରକୁ ନେଇ ଆସିଛି ଏବଂ ସେଇଠୁ ସେମାନଙ୍କୁ ନୂଆ କରି ଉପନ୍ୟାସ ମଧ୍ୟକୁ ଛାଡ଼ି ଦେଇଛି । ତେଣୁ ପ୍ରତ୍ୟେକ ଚରିତ୍ର ହୋଇଯାଇଛନ୍ତି ଅତ୍ୟନ୍ତ ଆପଣାର । ଶ୍ରେଣୀଗତ ଚେତନାରୁ ପ୍ରତ୍ୟେକ ଚରିତ୍ର ଆଉ ଏକ ଊର୍ଦ୍ଧ୍ୱାୟିତ ସ୍ତରକୁ ଚାଲିଯାଇଛନ୍ତି । ଯେଉଁଠି ଆଦର୍ଶ ଓ ବାସ୍ତବତା ମିଶିଯାଇ ଆଉ ଏକ ନୂତନ ବାସ୍ତବତା ସୃଷ୍ଟି କରିଛି, ମଣିଷକୁ ମଣିଷ ଭାବରେ ଧରି ବିଚାରିବାର ପ୍ରବୃତ୍ତି ଦେଖା ଦେଇଛି । ତାଙ୍କରି ଭାଷାରେ-‘ସମାଜ ଚେତନାରେ ଜୁଡ଼ୁବୁଡ଼ୁ ହେଲେ ବି ମୁଁ କେବେ ଖାଲି ସମାଜଚେତନା ପ୍ରକଟ କରିବା ଉଦ୍ଦେଶ୍ୟରେ ଉଦ୍ୟମ କରି ନାହିଁ । ସତ୍ୟ ନାନା ଦିଗରୁ ନାନା ବାଗରେ ଦେଖାହୁଏ । ଏକାଠି ସବୁ କଥା ଗ୍ରହଣ କରି ତା’ପରେ ଅନୁସନ୍ଧାନ, ଖାଲି ଗୋଟାଏ ମତବାଦର ବାହକ ହୋଇ ନୁହେଁ । ସାହିତ୍ୟର କ୍ଷେତ୍ର କହିଲେ ମୁଁ ବୁଝେ ମାଟି ଆକାଶ ସମୟ ଓ ତହିଁରେ ନିହିତ ଚେତନା ଏକାଠି ହୋଇ ଗୋଟିଏ କ୍ଷେତ୍ର । ତହିଁରେ ‘ବୌଦ୍ଧିକତା’ ଅପରିହାର୍ଯ୍ୟ, ‘ରସ’ ଅପରିହାର୍ଯ୍ୟ, ‘ବାସ୍ତବଚେତନା’ ଅପରିହାର୍ଯ୍ୟ ।’ (୨୬) ଏଥିରୁ ଜଣାଯାଏ ଯେ ଗୋପୀନାଥ ବାସ୍ତବତାକୁ ଗ୍ରହଣ କରିଛନ୍ତି, ଆଦର୍ଶକୁ ଛାଡ଼ି ନାହାନ୍ତି । ସେଥିରେ ବୌଦ୍ଧିକ ବିଶ୍ଳେଷଣ କରିଛନ୍ତି ଏବଂ ତାରି ମଧ୍ୟ ଦେଇ ରସ ସୃଷ୍ଟି କରିଛନ୍ତି ।

 

୨୫.

ତତ୍ରୈବ-ପୃ ୧୦୮ ।

୨୬.

ମୁଁ କାହିଁକି ଲେଖେ-ଡଗର

 

‘ଦାଦିବୁଢ଼ା’, ‘ପରଜା’, ଓ ‘ଅମୃତର ସନ୍ତାନ’ ପରି ଉପନ୍ୟାସ ରଚନା କରିବା ପୂର୍ବରୁ ଗୋପୀନାଥ ଅଧ୍ୟୟନ କରିଥିଲେ ନରଓୟେର କ୍‌ନୁଟ୍ ହାମସନ୍ (Knut Humsun) ଓ ଯୋହାନ୍ ବୟର (Johan Bojer), ଫ୍ରାନ୍‌ସର ରୋମାଁରୋଲାଁ ଓ ରୁଷିଆର ଡଷ୍ଟୋୟେଭସ୍କିଙ୍କର ଉପନ୍ୟାସମାନ । ସେସବୁ ଉପନ୍ୟାସମାନଙ୍କରୁ ନିତ୍ୟବ୍ୟବହୃତ କଞ୍ଚା ଭାଷା ବ୍ୟବହାର କରିବା ଓ ତଦ୍ଦ୍ୱାରା ସୌନ୍ଦର୍ଯ୍ୟ ଫୁଟାଇବା, ବ୍ୟଙ୍ଗ ବିଦ୍ରୂପ ଶୈଳୀ ପ୍ରୟୋଗ କରିବା ଏବଂ ସର୍ବୋପରି ମଣିଷ ଭିତର ଦେଇ ମଣିଷକୁ ଆବିଷ୍କାର କରିବା ପ୍ରବୃତ୍ତିକୁ ସେ ଉପଲବ୍‌ଧି କରିଥିଲେ-। ଫରାସୀ ଔପନ୍ୟାସିକ ରେନେଁମାରାଙ୍କ ‘ବାପେୟାଲା’ ଉପନ୍ୟାସର କଥାବସ୍ତୁ ବନ୍ୟ ଜାତି ଓ ବନ୍ୟ ସଂସ୍କୃତିକୁ ନେଇ ପରିକଳ୍ପିତ । ସେହି ଉପଜାତିଙ୍କ ଉପରେ ସୁବିଧାବାଦୀ ଧନିକ ଗୋଷ୍ଠୀଙ୍କ ଅତ୍ୟାଚାର ଚିତ୍ରିତ । ‘ପରଜା’ ଉପନ୍ୟାସ ଠିକ୍‌ ଏହିପରି ବନ୍ୟ ଉପଜାତିଙ୍କ ଜୀବନ-ଚିତ୍ର ଓ ଜୀବନ-ସମସ୍ୟା ଉପରେ ଆଧାରିତ । ଏଥିରେ ମଧ୍ୟ ଧନିକ ଗୋଷ୍ଠୀର ଶୋଷଣ ବର୍ଣ୍ଣିତ । ପ୍ରେମଚାନ୍ଦଙ୍କର ‘ଗୋଦାନ’ (୧୯୩୬) ବର୍ଗ- ସନ୍ତୁଳନର ଏକ ମାର୍ମିକ ଆଲେଖ୍ୟ । ଏଥିରେ ବିପ୍ଳବ ଅଛି ମାତ୍ର ଏହି ବିପ୍ଳବ କ୍ରାନ୍ତିରେ ନୁହେଁ, ଶାନ୍ତିରେ ସନ୍ନିହିତ । କିନ୍ତୁ ପରଜା ଠିକ୍‌ ତାର ବିପରୀତ । (୨୭) ଗୋଦାନର ନାୟକ ହୋରି- ଜନୈକ କୃଷକ । ତାକୁ ଓ ତାର ପରିବାରକୁ କେନ୍ଦ୍ର କରି ଉପନ୍ୟାସର ଗତି । ସହି ସହି ସେ ମରିଯାଇଛି ମାତ୍ର ବିଦ୍ରୋହ କରି ପାରିନାହିଁ । ‘ପରଜା’ର କେନ୍ଦ୍ର ଶୁକ୍ରୁଜାନି ମଧ୍ୟ ଜଣେ ଆଦିବାସୀ କୃଷକ । ସେ ଓ ତାର ପରିବାର-ଦୁଇ ପୁଅ ମାଣ୍ଡିଆ ଓ ଟିକ୍ରା, ଦୁଇ ଝିଅ ଜିଲି ଓ ବିଲ୍ଲିକୁ ନେଇ ଉପନ୍ୟାସର ପ୍ରାଣପ୍ରବାହ । ଶୁକ୍ରୁଜାନି ମଧ୍ୟ ସହିଛି, ସହିଛି ମଧ୍ୟ ମାଣ୍ଡିଆ । କ୍ରମେ ସେମାନେ ହୋଇଛନ୍ତି ବିଦ୍ରୋହୀ । ତେଣୁ ଉପନ୍ୟାସର ଉପସଂହାର ହୋଇଛି କ୍ରାନ୍ତିରେ ।

 

୨୭.

ଡଃ ତାରିଣୀ ଚରଣ ଦାସ-ନୂତନ ସମୀକ୍ଷା (୧୯୬୬)- ପୃ ୯୩ ।

 

‘ପରଜା’ ଓଡ଼ିଆ ଉପନ୍ୟାସ ଜଗତରେ ଏକ ଅମୃତମୟ ଫଳ । ବନ୍ୟ ଜାତି ବନ୍ୟ ସଂସ୍କୃତି, ବନ୍ୟ ପରିବେଶକୁ ଆଧାର କରି ଏହା ରଚିତ । ତିନୋଟି ଗାଁ-ଶର୍‌ଶୁପଦର, ଥୋଟାଗୁଡ଼ା ଓ କଦମଝୋଲା । ଶରଶୁପଦର ଗାଁରେ ଆଦିବାସୀ ପରଜାଙ୍କ ଘର ଓ ସଂସାର । ଶୁକ୍ରୁଜାନିର ଘର ସେଇଠି । ସେଇ ଗାଁରେ ତାର ସ୍ତ୍ରୀ ସମ୍ବାରୀକୁ ବାଘ ଖାଇଛି । ସେଇଠି ତାର ନୁଆଁଣିଆ ଚାଳ ଘର-। ତାରି ଭିତରେ ସେ ଆଉ ତା’ର ଦୁଇ ପୁଅ ଏବଂ ଦୁଇ ଝିଅ । ସେଇଠି ଶୁକ୍ରୁଜାନି ସ୍ଵପ୍ନ ଦେଖିଛି-ଘର କରିବ, ଜମି କରିବ, ଫସଲ ଉତାରିବ ଓ ପୁଅ ଝିଅଙ୍କୁ ବାହା ଦେବ । ସେଇଠି ସେ ଜଙ୍ଗଲ ଜମାନଠାରୁ ଅନୁମତି ନେଇ ଜଙ୍ଗଲ କାଟି ଜମି କରିଛି । ସେଇଠି ତା’ର ଝିଅ ଜିଲି ଉପରେ ଜଙ୍ଗଲଜମାନର ଦୃଷ୍ଟି ପଡ଼ିଛି ଓ ତାକୁ ଉପଭୋଗ କରିବା ପାଇଁ ଚକ୍ରାନ୍ତ କରିଛି । ଶୁକ୍ରୁଜାନିର ପିତୃହୃଦୟ କ୍ରୋଧରେ ଜର୍ଜରିତ ହୋଇ ଉଠିଛି । ଜିଲିକି ନେବା ପାଇଁ ଆସିଥିବା ଗାଁର ନାଇକ ସାଲିଙ୍ଗି ପରଜାର ଗୋତି କାଉପରଜାକୁ ସେ ମାଡ଼ ଦେଇଛି । କାରଣ ‘ରାଗିଗଲେ ପରଜା ବଣର ଜନ୍ତୁ ।’ (୨୮) ଏହି ମାଡ଼ ଯେମିତି କାଉପରଜାକୁ ନୁହେଁ; ଜଙ୍ଗଲଜମାନକୁ । ଜମାନ ଫେରି ଯାଇଛି ମାତ୍ର ପୁଣି ଆସିଛି ସାଙ୍ଗରେ ବଡ଼ ଅଧିକାରୀଙ୍କୁ ନେଇ । ଜଙ୍ଗଲ କାଟିବା ଅପରାଧରେ ଶୁକ୍ରୁଜାନି ଦୋଷୀ ସାବ୍ୟସ୍ତ ହୋଇଛି । ତାକୁ ହୋଇଛି ଜୋରିମାନା । ଜୋରିମାନା ନଦେଲେ ସେ ଭୋଗିବ କାରାଦଣ୍ଡ । ସେଇ ଗାଁରେ ତିନିଜଣ ସାମାନ୍ୟ ଥିଲାବାଲା- ଗାଁ ନାଇକ ସାଲିଙ୍ଗି ପରଜା, ଚାଲାନ୍ ଢୋପୁ, ଚାଲାନ୍ ଓ ଫାଉଲି ଡମ୍ । ତିନିହେଁ ଆଗେଇ ଆସିଲେ ଶୁକ୍ରୁଜାନି ପାଖକୁ । ସମସ୍ତେ କହିଲେ- ‘ମେଘ, ବାଘ ଆଉ ଅଧିକାରୀ, ତିନିହେଁ ସମାନ । କାହାର ବଳ ଖଟିବ ସେଠି ? ତାଙ୍କ ପାଖେ ଗେଲ ଖେଳିଲେ କିଏ ସମ୍ଭାଳି ରହି ପାରିବ ?’ (୨୯) ଶୁକ୍ରୁଜାନିକୁ ସାଙ୍ଗରେ ନେଇ ସେମାନେ ଗଲେ ଥୋକାଗୁଡ଼ା ରାମବିଶୋଇ ସାହୁକାର ଘରକୁ । ଶୁକ୍ରୁଜାନି ଓ ସାନ ପୁଅ ଟିକ୍ରା ସାହୁକାର ଘରେ ଗୋତି ହେବେ । ସାହୁକାର ଦେଲା ସେମାନଙ୍କୁ ଶହେ ଟଙ୍କା । ସାଲିଙ୍ଗି ପରଜା, ଢୋପୁ ଚାଲାନ ଓ ଫାଉଲ ଡମ୍ ଶୁକ୍ରୁଠାରୁ ପଚାଶ ଟଙ୍କା ନେଇ ଅଧିକାରୀଙ୍କ ପାଖକୁ ଗଲେ ଏବଂ ସେମାନଙ୍କୁ ମାତ୍ର ପନ୍ଦର ଟଙ୍କା ଦେଇ ଅବଶିଷ୍ଟ ଟଙ୍କାକୁ ନିଜ ନିଜ ଭିତରେ ବାଣ୍ଟିନେଲେ । ମାତ୍ର ପନ୍ଦର ଟଙ୍କା ପାଇଁ ଶୁକ୍ରୁଜାନି ଓ ଟିକ୍ରା ହେଲେ ଗୋତି । ସଭ୍ୟ ସମାଜର ପ୍ରତୀକ ଜଙ୍ଗଲଜମାନ ଓ ଜଙ୍ଗଲ ଅଧିକାରୀ । ଦେଶିଆ ପରଜାଙ୍କୁ ସେମାନେ ଜଙ୍ଗଲ କାଟିବାକୁ ଅନୁମତି ଦେଇ ଲାଞ୍ଚ ନିଅନ୍ତି-। ସେମାନଙ୍କୁ ପୁଣି ଜଙ୍ଗଲ କାଟିବା ଅପରାଧରେ ଜୋରିମାନା ଦେବାକୁ ବାଧ୍ୟ କରନ୍ତି । ଏଥିରେ ମଧ୍ୟ ଲାଞ୍ଚ ନିଅନ୍ତି । ସେମାନେ ପୁଣି ଆଦିବାସୀ ଯୁବତୀଙ୍କୁ ଉପଭୋଗ କରିବାକୁ ଚକ୍ରାନ୍ତ କରନ୍ତି । ସେହି ଆଦିବାସୀ ସମାଜରେ ଯେଉଁମାନେ ମାମଲତକାର ବା ସଂପତ୍ତିବାନ ସେମାନେ ମଧ୍ୟ ଅଧିକାରୀଙ୍କ ସପକ୍ଷ ହୋଇ ସାଧାରଣ ନିରୀହ ଲୋକଙ୍କୁ ଶୋଷଣ କରନ୍ତି । ଶୁକ୍ରୁଜାନି ହେଲା ଶୋଷିତ । ଦିଆଲି ପର୍ବର ଆନନ୍ଦମୁଖର ପରିବେଶ ଭିତରେ ଶୁକ୍ରୁଜାନିର ପରିବାରରେ ଓହ୍ଲାଇ ଆସିଲା ଦୁଃଖର କଳା ବଉଦ । ସେ ଓ ସାନ ପୁଅ ଟିକ୍ରା ହେଲେ ଗୋତି ।

 

୨୮.

ପରଜା-୫ମ ସଂସ୍କରଣ (୧୯୭୨)-ପୃ ୨୧ ।

୨୯.

ତତ୍ରୈବ-ପୃ ୨୬ ।

 

ଗୋତୀ ଜୀବନରେ ସୁଖ ନାହିଁ, ଆନନ୍ଦ ନାହିଁ । ଦିନସାରା କେବଳ ଖଟଣି । ସେମାନଙ୍କ ଶ୍ରମକୁ ଶୋଷଣ କରେ ସାହୁକାର । ଶୁକ୍ରୁଜାନି ସାନ ପୁଅ ସହିତ ରାମ ବିଶୋଇ ଘରେ ଗୋତି ଖଟେ । ତଥାପି ତାର ଭରସା ବଡ଼ ପୁଅ ମାଣ୍ଡିଆ ଉପରେ । ମାଣ୍ଡିଆ ପରିଶ୍ରମ କରି ଫସଲ ଉତାରିବ । ସେମାନଙ୍କୁ ଗୋତିମୁକ୍ତ କରିବ । ତା’ପରେ ସେ ମାଣ୍ଡିଆକୁ ବାହାଦେବ ପୁରିଜାନିର ଝିଅ କାଜୋଡ଼ି ସହିତ, ବଡ଼ ଝିଅ ଜିଲିକୁ ବାହାଦେବ ବାଗ୍‌ଲା ସହିତ । ମାଣ୍ଡିଆ ବି ସ୍ୱପ୍ନ ଦେଖେ କାଜୋଡ଼ିକୁ । ‘ଶୁକ୍ରୁଜାନି ଫନ୍ଦା ଆକାଶକୁ ଥରେ ଚାହେଁ, ମାଟି ମେଞ୍ଚାଏ ଲଦି ଦିଏ, ସାଉକାରର କାନ୍ଥ ଉଠେ ।’ (୩୦) ରାମ ବିଶୋଇ ସାହୁକାର ଠିକ୍‌ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସର ରାମଚନ୍ଦ୍ର ମଙ୍ଗରାଜ ପରି । ସ୍ତ୍ରୀ ସହିତ ସମ୍ପର୍କ ନାହିଁ । ଏଣେ କେତେ ସ୍ତ୍ରୀଲୋକ ସେ ଭୋଗ କରୁଛି ତାର ସୁମାରି ନାହିଁ । ପୁଅମାନଙ୍କ ସହିତ ସଂପର୍କ ନାହିଁ ତାର ପ୍ରମତ୍ତ ଅଭିଳାଷ-ସେ ଜମି କରିବ, ତାର ଜମି ବଢ଼ିବ, ତାର ଗୋତି ସଂଖ୍ୟା ବଢ଼ିବ । ତା’ପରେ ସେ ଉପଭୋଗ କରିବ, ଯେତେ ଇଚ୍ଛା ସେତେ ନାରୀ ସମ୍ଭୋଗ କରିବ । ଏଇ ହେଉଛି ତାର ଦୁଇଟି କାମନା-ଜମି ଆଉ ନାରୀ । ଏଥିରେ ଯେମିତି ତାର ତୃପ୍ତି ନାହିଁ । ଶୁକ୍ରୁଜାନି ନୀରବ । ନୀରବ ମଧ୍ୟ ସମସ୍ତ ଗୋତି । ମୁଖର କେବଳ ରାମ ବିଶୋଇ ସାହୁକାର । ଅପର ପକ୍ଷରେ ମାଣ୍ଡିଆ ମଦ ରାନ୍ଧେ । ବେଶ୍ ଦି’ ପଇସା ରୋଜଗାର କରେ । ତାର ଇଚ୍ଛା ବାପା ଓ ଭାଇକୁ ସେ ଗୋତିମୁକ୍ତ କରିବ ଏବଂ ନିଜେ କାଜୋଡ଼ିକୁ ବିବାହ କରିବ । ମାତ୍ର ତାର ଆଶା ଧୂଳିସାତ ହୋଇଯାଏ । ପୁଷ ପରବର ଆନନ୍ଦ ମୁଖର ପରିବେଶ ମଧ୍ୟରେ ମାଣ୍ଡିଆ ଧରାପଡ଼େ ଅବକାରୀ ପାଇକ ଦ୍ୱାରା । ଚମରୁ ଡମ୍ ତାକୁ ଧରାଇ ଦିଏ । ରାମ ବିଶୋଇ ସାହୁକାର ପାଖରେ ସେ ପୁଣି ଗୋତି ହୁଏ । ଏଥର ବାପା ଓ ଦୁଇ ପୁଅ ହେଲେ ଗୋତି । ଘରେ ରହିଲେ ବିଲି ଆଉ ଜିଲି ଦୁଇ ଝିଅ ।

 

୩୦.

ତତ୍ରୈବ-ପୃ ୬୩ ।

 

ଗୋତିର ଜୀବନ ନିଜର ନୁହେଁ; ସାହୁକାରର । ସାହୁକାର ପାଇଁ ଗୋତି ମଇଁଷି ବରତ କରେ, ପଥର ତାଡ଼େ, ଜମିରେ ଫସଲ ଫଳାଏ, ଟୋକୀ ଖୋଜେ । ସାହୁକାର କେବଳ ଗୋତିକୁ ଖଟାଏ । ଗୋତିକୁ ଶୋଷଣ କରେ, ତାର ଜମିବାଡ଼ିକୁ ଶୋଷଣ କରେ । ଥରେ ଗୋତି ହୋଇଗଲେ ଆଉ ମୁକ୍ତି ମିଳେ ନାହିଁ । ପୁଅ ନାତି ପର୍ଯ୍ୟନ୍ତ ଗୋତି ହେବାକୁ ପଡ଼େ । ତଥାପି ସାହୁକାରର ଟଙ୍କା ପରିଶୋଧ ହୁଏ ନାହିଁ । ଆଦିବାସୀ ମଣିଷ ଖାଲି ଧର୍ମକୁ ଅନାଏ, ହାଇଁପାଇଁ ହୁଏ । ଅଥଚ କିଛି କରିପାରେ ନାହିଁ । ମାଣ୍ଡିଆ ଗୋତି ହେଲା । ତାର ପ୍ରେମରେ ଦେଖା ଦେଲା ବିପର୍ଯ୍ୟୟର ସଙ୍କେତ । କାଜୋଡ଼ିର ମନ କ୍ରମେ ଦୂରେଇ ଆସିଲା ଗୋତି ମାଣ୍ଡିଆ ଜାନିଠାରୁ । ଜିଲିର ପ୍ରେମିକ ବାଗ୍‌ଲା ପ୍ରତି ସେ ହେଲା ଆସକ୍ତା । ବାଗ୍‌ଲା ମଧ୍ୟ ଜିଲିଠାରୁ ଦୂରେଇ ଯିବାକୁ ଉଦ୍ୟମ କଲା । ‘ଦୁନିଆର ଯେତେ ଖେଳ ସବୁ ଖାଲିଥିବା ଲୋକଙ୍କୁ ଧରି । ଯେ ନାହିଁ ସେ ନାହିଁ, କାହାର ସେଥିରେ କିଛି ଯାଏ ଆସେ ନାହିଁ ।’ (୩୧) ଜିଲି ଆଉ ବିଲି ପାହାଡ଼ୀ ଝିଅ । ସେମାନଙ୍କ କଳ୍ପନା କ୍ରମେ ହଜିଗଲା । ଜିଲି ଅନୁଭବ କଲା ବାଗ୍‌ଲା ତା’ଠାରୁ ଦୂରେଇ ଯାଉଛି । ତା’ର ପ୍ରେମରେ ସୃଷ୍ଟି ହେଉଛି କ୍ରମେ ଶୂନ୍ୟତା । ଏଣେ ଘରେ ଯାହା କିଛି ସାଇତା ଥିଲା ତାହା ମଧ୍ୟ ସରିଆସିଲା । ସେ ଅନୁଭବ କଲା ‘ଜଗତର ଲକ୍ଷେ ଆଖି ଯେପରି ସବୁ କବାଟ ଛାତ ଫୁଟାଇ ତାର ଧାନ ମାଣ୍ଡିଆର ଶୂନ୍ୟ କୁପାକୁ ନିରେଖି ଦେଖିବାକୁ ଚାହେଁ, ତା’ର ଅନ୍ଧାରି ଅସ୍ତିତ୍ୱରେ ଲକ୍ଷେ ଛିଦ୍ର ଫୁଟାଇ ଆଲୁଅ ପୂରେଇ ଦେବାକୁ ଚାହେଁ ଯେଉଁ ଆଲୁଅର ବିଷରେ ହାଡ଼ରୁ ମାଂସ ଝଡ଼ିପଡ଼େ, ଆଉ ଝଡ଼ିପଡ଼େ ପ୍ରାଣର ସବୁ ବଉଳ, ସବୁ ସୁବାସସବୁ ଚାଲିଯାଇ ପ୍ରାଣ ଶୂନ୍ୟ ହୁଏ, ଜ୍ୟେଷ୍ଠର ଡାଙ୍ଗ ସରୁସରୁ ଦର୍‌ହପୋଡ଼ା ଡଙ୍ଗର ପରି ।’ (୩୨) ଜିଲିର ସଂସାର ଶୂନ୍ୟ । ଏକ ଗଭୀର ବେଦନାର ବୋଝ ଯେମିତି ତା’ ମୁଣ୍ଡ ଉପରେ ।

 

୩୧.

ପରଜା-ପୃ ୯୩ ।

୩୨.

ତତ୍ରୈବ-ପୃ ୧୦୦ ।

 

ଥିଲାବାଲା ବଡ଼ଲୋକମାନେ ଗରିବର ଦୁଃଖ ବୁଝନ୍ତି ନାହିଁ । ସେମାନେ କେବଳ ଆପଣା ସ୍ୱାର୍ଥ ଦେଖନ୍ତି । ଆପଣାର ଉପଭୋଗ ତୃଷ୍ଣାକୁ ଆହୁରି ତେଜେଇ ଦିଅନ୍ତି । ସେମାନଙ୍କ ଘର ବଢ଼େ, ଶୋଭା ବଢ଼େ । ଏଇ ଶୋଭାକୁ ବଢ଼ାଏ ନଥିଲାବାଲା ସର୍ବହରାଙ୍କ ଛୋଟ ଛୋଟ ନୁଆଣିଆ ଘର । ବଡ଼ ଘରର ସଂଖ୍ୟା ବଢ଼େ, ଦୌଲତଖାନା ବଢ଼େ । ସାନଘର ଛିଣ୍ଡିଯାଏ । ବଡ଼ ଘରର ଆଗରେ ନୂଆ ରାସ୍ତା ଫିଟେ, ବଗିଚା ଶୋଭାପାଏ । ସାନ ଘର ଆଗରେ ଜମାହୁଏ ଅଳିଆ ଆବର୍ଜନା । ସାନ ଘରର ଦେଶିଆ ପରଜା ଧର୍ମକୁ ଡରେ, ସାହୁକାରକୁ ଡରେ । ସାନ ଘରର ଲୋକେ କଣ ଟିକେ ଖୁଜୁବୁଜୁ ହେଲେ ବଡ଼ ଘରବାଲା ଆଇନର ସାହାଯ୍ୟ ନେଇ ସେମାନଙ୍କୁ ଜବତ କରିଦିଏ । ଧର୍ମ ସେହି ବଡ଼ଲୋକଙ୍କ ପାଇଁ । ପୌରୋହିତ୍ୟ ପ୍ରଥା ମଧ୍ୟ ତାଙ୍କରି ପାଇଁ । ଧର୍ମ, ଶାସନ ଓ ଆଇନ ସବୁ ବଡ଼ଲୋକର ରକ୍ଷା କବଚ । ସର୍ବହରାଙ୍କ ପାଇଁ ଏସବୁ ବେଡ଼ି । ଗରିବ କେବଳ ଚାହିଁରହେ । ‘ଧନୀର ଭାତଖିଆ ଦେଖେ, ହାକୁଟି ମାରିବା ଶୁଣେ । ଧନୀର କୁକୁର ଭାତ ଖାଏ, ଗରିବ ଡବ ଡବ ଆଖିରେ ଚାହିଁ ରହେ ।’ (୩୩) ଧନୀ ଓ ଦରିଦ୍ର ମଧ୍ୟରେ ଏହି ଭେଦକୁ ‘ପରଜା’ ଉପନ୍ୟାସରେ ଯେପରି ଦେଖାଇ ଦିଆଯାଇଛି ତାହା ବାସ୍ତବିକ ଅନନ୍ୟ ।

 

୩୩.

ପରଜା-ପୃ ୧୧୩ ।

 

ଜିଲି ନାଚକୁ ଯାଏ ନାହିଁ । ବିଲି କିନ୍ତୁ ନାଚେ । ସେହି ନାଚ ଭିତରେ ଦାରିଦ୍ର୍ୟର ପରାଜୟକୁ ଭୁଲିବାକୁ ଚେଷ୍ଟା କରେ । କାଉ ପରଜା ଜିଲିକୁ ନେଇ ମନେ ମନେ ସ୍ୱପ୍ନ ଦେଖେ । ମାଣ୍ଡିଆ କାଜୋଡ଼ି କଥା ଭାବି ଗୋତି ଜୀବନ କଟାଏ । ଚଇତ ପରବ ଉପଲକ୍ଷେ ଗୋତି ସାତ ଦିନ ପାଇଁ ଛୁଟି ପାଇ ଘରକୁ ଆସିଲେ । ଶୁକ୍ରୁଜାନି, ମାଣ୍ଡିଆ ଓ ଟିକ୍ରା ମଧ୍ୟ ଆସିଲେ ଘରକୁ । କେଇଦିନ ପାଇଁ ଘର ଭିତରେ ଟିକେ ଆନନ୍ଦ ଦେଖାଦେଲା । ଚଇତ ପର୍ବରେ ଭାଇ ଭଉଣୀ ସଭିଏଁ ନାଚିଲେ, ଗୀତ ଗାଇଲେ । ବାଗ୍‌ଲା କାଜୋଡ଼ିକୁ ଉଦୁଲିଆ ନେଇଗଲା । ମାଣ୍ଡିଆର ପ୍ରେମରେ ପଡ଼ିଲା ପୂର୍ଣ୍ଣଛେଦ । ଜିଲିର ଜୀବନରେ ଦେଖାଦେଲା ଘୋର ପରିବର୍ତ୍ତନ । ଘରେ ଦୁଇଝିଅଙ୍କୁ ଛାଡ଼ି ଶୁକ୍ରୁଜାନି ଦୁଇପୁଅଙ୍କୁ ଧରି ଫେରି ଆସିଲା ସାହୁକାରଙ୍କ ନିକଟକୁ । ପୁଣି ଆରମ୍ଭ ହେଲା ଗୋତି ଜୀବନ । ଗୋତି କଠୋର ପରିଶ୍ରମ କରେ । ସାହୁକାର ପାଇଁ ନିଜ ଜାତିଭାଇଙ୍କ ସହିତ ସଂଗ୍ରାମ କରେ । ଅଥଚ ସେ ସାହୁକାରର ଧନ ସଂପତ୍ତିରେ ଭାଗୀଦାର ହୁଏ ନାହିଁ । ସେ କେବଳ ଗୋଟିଏ କଥା ଜାଣେ-‘‘ତଳେ ବସୁମତୀ, ଉପରେ ଧରମ୍ ।’’

 

ଅଭାବ ଓ ଅନଟନ ଭିତରେ ପଡ଼ି ଜିଲି ଓ ବିଲି କଣ୍ଟ୍ରାକ୍ଟର ପାଖରେ କୁଲି କାମ କଲେ । ଟୋକା ଗୁମାସ୍ତା ପାଖରେ ଅର୍ଥ ବଦଳରେ ନାରୀତ୍ୱକୁ ଦାନ କଲେ । ଏହି କାର୍ଯ୍ୟରେ ମୋତି ଆଉ ରାମୀ ବୋଲି ଦୁଇଜଣ ଆଦିବାସୀ ବୁଢ଼ୀ ହିଁ ସେମାନଙ୍କୁ ଭୁଲାଇ ନିୟୋଜିତ କଲେ । ଯେତେବେଳେ ଶୁକ୍ରୁଜାନି ଜାଣିଲା ଯେ ତାର ଦୁଇ ଝିଅ କୁଲିକାମ କରିବାକୁ ଚାଲିଗଲେ, ସେତେବେଳେ ତାର ପିତୃ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି । ଅବଶେଷରେ ସେ ବାଧ୍ୟ ହୋଇ ନିଜର ଜମିକୁ ସାହୁକାରଙ୍କୁ ବନ୍ଧା ଦେଇ ନିଜେ ଗୋତିମୁକ୍ତ ହୋଇ ଘରକୁ ଫେରିଛି । ମାଣ୍ଡିଆ ଓ ଟିକ୍ରା ରହିଛନ୍ତି ଗୋତି । ଶୁକ୍ରୁ ଦୁଇଝିଅଙ୍କୁ ଘରକୁ ଫେରାଇ ଆଣିଛି । ନିଜେ ପୁଣି ପରିଶ୍ରମ କରିଛି । ନୂଆ ଜମି କରିଛି । ସାହୁକାର ତାର ଜମିରେ କରିଛି ଫଳ ବଗିଚା । ନନ୍ଦିବାଲି ବିବାହ କରିଛି ବିଲିକୁ । ସେ ରହିଛି ଶୁକ୍ରୁଜାନି ଘରେ । ସେ ମଧ୍ୟ ପରିଶ୍ରମ କରିଛି । ଜିଲିର କିନ୍ତୁ ଦେଖାଦେଇଛି ଗଭୀର ମାନସିକ ପ୍ରତିକ୍ରିୟା । ତାର ନାରୀତ୍ୱ ହାହାକାର କରି ଉଠିଛି । ଏହିପରି ଏକ ସମୟରେ ଆଦିବାସୀ ଯୁବକ ମଧୁଘାସିର ପ୍ରରୋଚନାରେ ଜିଲି ଯାଇଛି ରାମବିଶୋଇ ନିକଟକୁ ଗୋପନରେ । ଯେଉଁ ସାହୁକାର ତାର ବାପା, ଭାଇ, ଓ ତାର ସକଳ ବିପର୍ଯ୍ୟୟର କାରଣ, ସେହି ସାହୁକାର ନିକଟରେ ସେ ସମର୍ପଣ କରିଦେଲା ତାର ନାରୀତ୍ୱକୁ । ଗୋଟାଏ ଉପଭୋଗ ତୃଷ୍ଣା ଓ ମାତୃତ୍ୱର ଆକାଂକ୍ଷା ତାକୁ ଏପରି ଏକ ସିଦ୍ଧାନ୍ତ ନେବାକୁ ବାଧ୍ୟ କରିଛି । ଅବଶେଷରେ ସେ ସାହୁକାର ନିକଟରେ ରହିଯାଇଛି । ସାହୁକାର ତାକୁ ନେଇ ରହିଛି କଦମ୍ ଝୋଲାରେ ।

 

ଏଣେ ମାଣ୍ଡିଆ ଓ ଟିକ୍ରା ସାହୁକାରର ଗୋତି କାମ କରିଛନ୍ତି । ପ୍ରେମରେ ବିପର୍ଯ୍ୟୟ ମାଣ୍ଡିଆକୁ ଏକ ନୂତନ ଶିକ୍ଷା ଦେଇଛି । ନାରୀ ପ୍ରତି ତାର ସକଳ ଦୁର୍ବଳତା ଲୋପ ପାଇଛି । ତା’ ଭିତରେ ଶୋଷକ ସମାଜ ପ୍ରତି ଦେଖାଦେଇଛି କ୍ରମେ ଘୃଣା । ଯେତେବେଳେ ସାହୁକାର ତାର ସାନଭାଇ ଟିକ୍ରାକୁ ମଇଁଷି ଜଗିବା ପାଇଁ ବଣକୁ ପଠାଇଛି ସେତେବେଳେ ମାଣ୍ଡିଆ ରୋକଠୋକ୍ ମନା କରିଦେଇଛି । ବାଘେଇ ଜାଗାକୁ ଟିକ୍ରା ଏକୁଟିଆ ଯିବ ନାହିଁ । ସେ ଯିବ ଓ ଆହୁରି ମଧ୍ୟ ପାଞ୍ଚଜଣ ଗୋତି ଯିବେ । ସାହୁକାର ସେମାନଙ୍କୁ ଭର୍ତ୍ସନା କଲା । ତଥାପି ମାଣ୍ଡିଆ ନିଜ କଥାରେ ଅଟଳ । ଅନ୍ୟ ଗୋତିମାନେ ମାଣ୍ଡିଆକୁ ବୁଝାଇଲେ ସାହୁକାର ନାନା ହରକତ କରିବ । ମାଣ୍ଡିଆ କିନ୍ତୁ ସେତେବେଳକୁ ନିର୍ଭୀକ । ସେ ଗୋତି ହୋଇଛି । ଡରିମରିବାକୁ ତାର ଆଉ କଣ ଅଛି ? ସାହୁକାର ତାର କ’ଣ କରି ପକାଇବ ? ତାର ହାତ ଖାଲି ସୁଲୁ ସୁଲୁ ହୋଇ ଉଠିଛି । ଆଖି ଆଗରେ ଗୋଟାଏ ସ୍ୱାର୍ଥପର ଶଇତାନକୁ ଦେଖି ସେ କ୍ରୋଧରେ ଜଳି ଉଠେ । ତା’ର ବାହାର ମାଂସପେଶୀ ଫୁଲି ଉଠେ । ବଣରେ ସେ ମଦରାନ୍ଧେ । ଟିକ୍ରା ଜଗେ । ମଦ ବିକ୍ରୟ କରି ସେ ବେଶ୍ ପଇସା ରୋଜଗାର କରେ । ଯେଉଁ ମଦରାନ୍ଧି ସେ ଗୋତି ହୋଇଥିଲା ସେହି ମଦରାନ୍ଧି ସେ ଗୋତିମୁକ୍ତ ହେବାର ସ୍ୱପ୍ନ ଦେଖିଲା । ସେ ପୁଣି ସାନଭାଇ ଟିକ୍ରାକୁ କହିଲା-“ବୁଝିଲୁ ଟିକ୍ରା, ଆମର ଏତେ କଷ୍ଟ ଦୁଃଖ, କୋଉଦିନ ଖାଦି ଖେଟୁଛି (ଅଣ୍ଟୁଛି) କୋଉଦିନ ନାହିଁ, ଶଳା ସାହୁକାର ମଜ୍ଜା ମାରୁଛି, ଏବେ ପୁଣି ଆମ ବିଲ ଉପରେ କମଳା ତୋଟା ଲଗେଇ ଦେଲାଣି । ଏଡ଼େ ସାହସ ତାର-। ତୁ ମନେ ରଖି ଥା ଟିକ୍ରା, ଦିନେ ନା ଦିନେ ତାର ଏ ଦର୍ପ ଚୂନା ହେବ । ତାଂତର ଗ୍ୟାଳ୍‌ପ, ଜମିଟା ମାରିନେବ ବୋଲି ବସିଚି ମନେ ମନେ ।’’ (୩୪) ମାଣ୍ଡିଆ ପୁଣି ଶୁଣିଲା ତାର ଭଉଣୀ ଜିଲିକୁ ସାହୁକାର ରାମବିଶୋଇ ନେଇଯାଇଛି । ତା ଭିତରେ ଗୋଟାଏ କ୍ରୋଧ ଜାଗ୍ରତ ହୋଇ ଉଠେ । ଏଇ କ୍ରୋଧ ସର୍ବହରାର କ୍ରୋଧ, ଶୋଷିତର ଶୋଷକ ବିରୋଧରେ କ୍ରୋଧ, ମାଣ୍ଡିଆ ଟାଙ୍ଗିଆ ପଜାଏ । ସେଇ ଟାଙ୍ଗିଆ ପଜେଇବା ଭିତରେ ଯେମିତି ତାର ଅନାଗତ ପ୍ରତିଶୋଧ ନେବା କାମନା ଶାଣିତ ହୋଇ ଉଠେ । ତଥାପି ସବୁ କ୍ରୋଧକୁ ସେ ଅବଦମନ କରି ରଖେ । ମଦରାନ୍ଧି ଅର୍ଥ ସଞ୍ଚୟ କରେ । ସାନ ଭାଇ ଟିକ୍ରାକୁ ସାଙ୍ଗରେ ନେଇ ସେ ରାତିରେ ଆସି ବାପା ପାଖରେ ପହଞ୍ଚେ । ସମସ୍ତ ଟଙ୍କା ନେଇ ଶୁକ୍ରୁଜାନି ସାହୁକାର ପାଖକୁ ଯାଏ ମାତ୍ର ସାହୁକାର ଜମି ଫେରାଏ ନାହିଁ । ମାଣ୍ଡିଆ କହେ ଜବରଦସ୍ତ ସେମାନେ ଜମିରେ ଚାଷ କରିବେ । ମାତ୍ର ଶୁକ୍ରୁଜାନି ମନାକରେ-। ଯେତେବେଳେ ସାହୁକାର ପାଖରେ ସେମାନଙ୍କର ସମସ୍ତ ଅନୁନୟ ବିନୟ ବ୍ୟର୍ଥ ହୋଇଗଲା, ସେତେବେଳେ ଶୁକ୍ରୁଜାନି ସାହୁକାର ବିରୋଧରେ ମୋକଦ୍ଦମା କଲା । ସେ ମନେ ମନେ ଧର୍ମଙ୍କୁ ଡାକେ ଏବଂ କହେ-“ହେ ଦାଦି ବୁଢ଼ା, ହେ ଦର୍ମୁ, ହେ ଦରତନୀ ମା, ପାରାକୁକୁଡ଼ା ଯେତେ କହିବ ସେତେ ବଳି ଦେବି । ଆଉ ହଇରାଣ କରିବ ନାହିଁ । ମୁଁ ନିଦରବୀ ରଇତ ପିଲା । (୩୫) ଧର୍ମ କିନ୍ତୁ ଶୁକ୍ରୁଜାନିକୁ ରକ୍ଷା କରେ ନାହିଁ । ସବୁ ବ୍ୟର୍ଥ ହୋଇଯାଏ । ସାହୁକାର କୌଶଳ କରି ମକଦ୍ଦମାରେ ବିଜୟୀ ହୁଏ । ଶୁକ୍ରୁଜାନି ସେଇ ଧର୍ମକୁ ଡାକେ । ଦୁଃଖରେ ଭାଙ୍ଗିପଡ଼େ । ମାଣ୍ଡିଆ ଜାନି କିନ୍ତୁ ଦବିଯାଏ ନାହିଁ । ଭାଗ୍ୟ, କପାଳ, ଧରମ୍, ପ୍ରତି ତାର ଆସ୍ଥା ତୁଟିଯାଏ । ସେ କହେ- ‘ଓ ହୋ ଯୋଉ ଧରମ୍ ! ସାହୁକାର ଭୂମି ଚୋରିକରି ନେବାଟା ଏକା ଅସଲ ଧରମ୍ ! କାହିଁ ବାବା, ତୁମ ଧରମ ଫରମ୍ ତୁମେ ରଖିଥାଅ, ଆମେ ରଇତ ପିଲା, ଚାଷ କଲେ ଆମେ ଖାଇ ଜୀଇଁବୁ, ସେସବୁ ଆମର ଲୋଡ଼ା ନାହିଁ । ଦାବା ମଲା ସିନା, ଭୂମି ତ ମରି ନାହିଁ କି ଆମେ ମରି ନାହୁଁ ।’’ (୩୬) ବେକ କଟିଗଲେ ମଧ୍ୟ ସେ ଜମି ଛାଡ଼ିବୁ ନାହିଁ ବୋଲି ସ୍ପଷ୍ଟ କହି ଦେଇଛି । ତଥାପି ଶୁକ୍ରୁଜାନି ମାଣ୍ଡିଆ ଓ ଟିକ୍ରା ସାହୁକାର ପାଖକୁ ଯାଇ ତାର ଟଙ୍କା ଦେଇ ଗୋଡ଼ତଳେ ପଡ଼ିଗଲେ । କାନ୍ଦି କାନ୍ଦି ଜମି ଫେରାଇ ଦେବାକୁ ନିବେଦନ କଲେ । ଶୁକ୍ରୁଜାନି କହିଲା- ‘‘ତୁ ସାହୁକାର କେତେଟଙ୍କା ତୋଠିଁ, କେତେ ଭୂମି ତୋର, ଆମେ ନଥିଲା ନିଦରବୀ ଲୋକ, ସେତିକି ଆମର ଭାତ ଥାଳି, ବାପ ଗୋସେଇଁ ବାପାଙ୍କର କମେଇଁ, ତଳେ ଧରତନୀ ଅଛି, ଉପରେ ଧରମ୍, ଆମ ଜମି ଆମକୁ ଛାଡ଼ି ଦେ, ତୋ ଧରମରେ ଆମେ ଜୀଉଁ । (୩୭) ସାହୁକାର କିଛି ଶୁଣି ନାହିଁ । ବାପପୁଅ ତିନିଜଣଙ୍କ ମୁଣ୍ଡରେ ସେ ଗୋଇଠା ମାରିଛି । ସମସ୍ତଙ୍କୁ ଧମ୍‌କ ଦେଇଛି । ଜିଲି ଦୁଆର ମୁହଁରେ ଛିଡ଼ା ହୋଇ ସବୁ ଦେଖିଛି । ବାପ ପୁଅ ତିନିହେଁ ଜିଲିକୁ ଦେଖି ଡାକ ପକେଇଲେ । ସାହୁକାର କିନ୍ତୁ କହିଲା-ହଁ ଜିଲି । ଆଉ ଗୋଟାଏ ବିଲ ଅଛି ପରା ? ତାକୁ ବି ଆଣି ମତେ ଦେଇଯାଅ । ଜମି ନେଲି, ଗୋଟାଏ ଭଉଣୀକି ନେଲି । ଆହୁରି ଗୋଟାଏ ଭଉଣୀକି ନେବି, ଆଉ ଯେତେ ଯେତେ ବିଭା ହେବ ସମସ୍ତିଙ୍କି ନେବି, ଦାବା ଦରବାର ଲଗେଇ ଦେଇ କୋର୍ଟରୁ କୋର୍ଟ ରାଜ୍ୟଯାକ ବୁଲେଇବି, ଗୋତି ଖଟେଇ ଖଟେଇ ଜୀବନଯାକ ନାକକୁ ତଳେ ଘୋସାରୁଥିବି, ତେବେ ଯାଇ ମୋ ନାଁ ରାମଚନ୍ଦ୍ର ସାହୁକାର । (୩୮) ଏଥିର ବଣର ଜନ୍ତୁ ପରି ଗର୍ଜନ ଛାଡ଼ି ମାଣ୍ଡିଆ ଆଗକୁ ଚମକି ଗଲା । ହାତରେ ତାର ଟାଙ୍ଗିଆ । ସେ କହିଲା-‘‘ଅଧର୍ମ କରି ଭୂମି ନେଲୁ ସିନା ସାହୁକାର ଭୋଗ କରିପାରିବୁ ନାହିଁ, ଭୋଗ କରି ପାରିବୁ ନାହିଁ ।’’ (୩୯) ମାଣ୍ଡିଆର ଟାଙ୍ଗିଆ ପାହାର ପଡ଼ିଲା ସାହୁକାର ଉପରେ । ପାହାରକୁ ପାହାର ସେ ଦେଇ ଚାଲିଥାଏ । ବାପ ପୁଅ ତିନିଜଣଯାକ ମିଳିଗଲେ । ରକ୍ତରେ ଜୁଡ଼ୁବୁଡ଼ୁ ବାପପୁଅ ତିନିଜଣଯାକ କୁଣ୍ଢାକୁଣ୍ଢି ହୋଇ କାନ୍ଦିଲେ । ତାପରେ ପୋଲିଶ ଥାନାରେ ହାଜର ହୋଇ ସେମାନେ କହିଲେ-ଆମେ ମଣିଷ ମାରିଛୁଁ, ଆମକୁ ଯୋଉ ଦଣ୍ଡ ଅଛି ସେହି ଦଣ୍ଡ ଦିଅ ।’’ (୪୦)

 

୩୪.

ପରଜା-ପୃ ୩୩୬ ।

୩୫.

ପରଜା-ପୃ ୪୨୧ ।

୩୬.

ପରଜା-ପୃ ୪୩୭ ।

୩୭.

ତତ୍ରୈବ-ପୃ ୪୪୩ ।

୩୮.

ତତ୍ରୈବ-ପୃ ୪୪୪ ।

୩୯.

ତତ୍ରୈବ-ପୃ ୪୪୪ ।

୪୦.

ତତ୍ରୈବ-ପୃ ୪୪୫ ।

 

‘ପରଜା’ ଉପନ୍ୟାସର ଆରମ୍ଭ ଓ ଗତି ପ୍ରେମ ଓ ଶଠତାରେ, ଦାରିଦ୍ର୍ୟ ଓ ସହିଷ୍ଣୁତାରେ, କ୍ଷୁଧା ଓ ତୃଷ୍ଣାରେ, ଧର୍ମ ବିଶ୍ୱାସ ଓ ସାରଲ୍ୟରେ । ଏହାର ପରିଣତି ହୋଇଛି ବିଦ୍ରୋହ ଓ କ୍ରାନ୍ତିରେ-। ଅନ୍ୟାୟ ଓ ଅତ୍ୟାଚାରର ପ୍ରତିରୋଧ କରିବାକୁ ଯାଇ ସର୍ବସହିଷ୍ଣୁ ପରଜା ହୋଇଛି ବିଦ୍ରୋହୀ । ଶୋଷକକୁ ହତ୍ୟା କରିଛି । ଏହା ତାହାର ସ୍ୱାଭାବିକ ବିଦ୍ରୋହ । ଧର୍ମ, ସହିଷ୍ଣୁତା, ଅହିଂସା ଓ ଆଦର୍ଶବାଦର କ୍ଳୀବତ୍ୱ ଉପରେ ନଗ୍ନ ବାସ୍ତବତାର ଏହାହିଁ ବିଜୟ ଉଦ୍‌ଘୋଷଣ । ‘‘ଅତଃ ପରଜା ସହନଶୀଳତାର ପରାକାଷ୍ଠା, ସଭ୍ୟ ଉପନିବେଶ ଓ ବର୍ଗ ସଂଘର୍ଷର ପ୍ରତୀକ ଏବଂ ଦଳିତ ଅବହେଳିତ ମାନବ ଉପରେ ହେଉଥିବା ଚିର ଅମାନୁଷିକତା ଓ ବର୍ବରତାର ସ୍ୱାଭାବିକ ବିଦ୍ରୋହ । ଏହା କେବଳ ବନ୍ୟ ପରଜା ଜାତିର ଜୀବନ ନୁହେଁ, ଅପିତୁ ସମଗ୍ର ନିଷ୍ପେଷିତ ଅଜ୍ଞ ଅନୁନ୍ନତ ସମାଜର କରୁଣ କାହାଣୀ ।’’ (୪୧) ‘ପରଜା’ର ଉପସଂହାରରେ ଅଛି ଶୋଷିତର ପ୍ରତିହିଂସା, ଶୋଷକର ରକ୍ତ ସ୍ରୋତ ଓ ନୂତନ ସକାଳର ଲାଲ ସୂର୍ଯ୍ୟୋଦୟ । ଫ୍ରଏଡ଼ୀୟ ଯୌନ ଜିଜ୍ଞାସା ଓ ଚିତ୍ତ-ସଂଘର୍ଷ ଯେପରି ପରଜାର ଚରିତ୍ରମାନଙ୍କୁ ବ୍ୟସ୍ତ ବିବ୍ରତ ଓ ବିପର୍ଯ୍ୟସ୍ତ କରିଛି ସେହିପରି ମାର୍କସୀୟ ଶ୍ରେଣୀ ଦ୍ୱନ୍ଦ୍ଵ ଓ ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦୀ ଭାବଧାରାର ସ୍ୱାଭାବିକ ପ୍ରକ୍ରିୟା ଶୋଷିତ ଓ ବିପର୍ଯ୍ୟସ୍ତ ଚରିତ୍ରମାନଙ୍କୁ ବିପ୍ଳବୀ କରି ଦେଇଛି । ଯୌନ ଓ ପ୍ରେମର କ୍ରିୟା-ବିକ୍ରିୟା ଓ ପ୍ରଶାନ୍ତି ଆର୍ଥନୀତିକ ସ୍ଥିତି-ସଂଘର୍ଷ-ସମସ୍ୟା ଭିତରେ ବିଲୀନ ହୋଇଯାଇ ଶୁଣାଇଛି ବିପ୍ଳବର କ୍ରାନ୍ତି । ଯଦିଓ ଉପନ୍ୟାସର ଗତିପ୍ରବାହ ମଧ୍ୟରେ ସହିଷ୍ଣୁତାର ଚରମ ଅବସ୍ଥା ଦେଖାଇ ଦିଆଯାଇଛି । ତାହା କିନ୍ତୁ ଉପଭୋଗୀ ମଣିଷର ହୃଦୟକୁ ପରିବର୍ତ୍ତନ କରିପାରି ନାହିଁ । ବରଂ ଉପଭୋଗୀ ମଣିଷର ଶୋଷଣର ତୃଷ୍ଣା ଆହୁରି ବ୍ୟାପକ ହୋଇ ଉଠିଛି । ସେତିକିବେଳେ ସହିଷ୍ଣୁତାର ଆବରଣ ଭିତରୁ ଆଉ ଏକ ନୂତନ ଯୁଗ-ପୁରୁଷ ଆତ୍ମପ୍ରକାଶ କରିଛି, ଯିଏକି ଉପଭୋଗୀ ଶୋଷକ ଗୋଷ୍ଠୀର ହତ୍ୟାରେ ସର୍ବହରାର ମୁକ୍ତି ସଙ୍କେତ ଦେଇଛି । ଏହି ମଣିଷ ଅବଶ୍ୟ ଆଇନ ଦରବାରରେ ନିଜକୁ ସମର୍ପଣ କରିଦେଇଛି ତାର ବିଚାର ପାଇଁ । ତଥାପି ଗାନ୍ଧୀବାଦୀ ହୃଦୟପରିବର୍ତ୍ତନ ଭିତ୍ତିକ ଦର୍ଶନ ପ୍ରତି ‘ପରଜା’ ଏକ ଚାଲେଞ୍ଜ ନୁହେଁ କି ? ଶ୍ରେଣୀ ଦ୍ୱନ୍ଦ୍ୱର ଏପରି ଏକ ଚମତ୍କାର ଆଲେଖ୍ୟ ଓଡ଼ିଆ ସାହିତ୍ୟରେ ଆଉ କେବେ ଥିଲା କି ? ଆଦିବାସୀ ପରଜା ଆଞ୍ଚଳିକ ସୀମା ସରହଦ ଅତିକ୍ରମ କରି ଆନ୍ତର୍ଜାତିକ ଶୋଷିତ ସର୍ବହରା ସମାଜ ସହିତ ଏକାତ୍ମ ହୋଇ ଯାଇ ନାହିଁକି ? ପ୍ରକୃତି ଆଉ ପରଂପରା ଭିତରେ ଜୀବନ ବିତାଇ ଦମୁଁ, ଧର୍‌ତନୀ ଓ ଡୁମାର ବିଶ୍ୱାସରେ ବୁଡ଼ିରହି ତଥାପି ବ୍ୟକ୍ତି-ସ୍ୱାତନ୍ତ୍ର୍ୟ ପ୍ରତି ପରଜା କ’ଣ ସଚେତନ ହୋଇ ନାହିଁକି ? ଏହି ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ‘ପରଜା’ ତଥାପି ଅନତିକ୍ରମଣୀୟ, ତଥାପି ଏହାର ଉତ୍ତାପ ଏବେ ବି ଜଳୁଚି ଦିକି ଦିକି ହୋଇ । ଯେଉଁ କ୍ରାନ୍ତି ‘ପରଜା’ ଉପନ୍ୟାସ ଦେଖାଇଥିଲା ସେହି କ୍ରାନ୍ତି ଆହୁରି କେତେବାଟ ?

 

୪୧.

ଡଃ ତାରିଣୀ ଚରଣ ଦାସ-ନୂତନ ସମୀକ୍ଷା-ପୃ ୯୯ ।

 

ଗୋପୀନାଥଙ୍କ ‘ପରଜା’ ଉପନ୍ୟାସ ପରେ ‘ଅମୃତର ସନ୍ତାନ’ (୧୯୪୯) ଆତ୍ମପ୍ରକାଶ କରେ ଓ ଏହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରେ (୧୯୫୫) । ପରାଧୀନତାର ବନ୍ଧନ ଓ ସଙ୍ଘର୍ଷ ଭିତରେ ‘ପରଜା’ର ଜନ୍ମ । ସ୍ୱାଧୀନତା ଓ ସ୍ୱାଭିମାନର ପ୍ରଥମ ଅରୁଣାଲୋକରେ ‘ଅମୃତର ସନ୍ତାନ’ର ସୃଷ୍ଟି । ତେଣୁ ପରଜାରେ ଅଛି ଉତ୍ତାପ, ଅମୃତର ସନ୍ତାନରେ ଅଛି ଆଲୋକ । ପରଜାର ସଂଘର୍ଷ ଅମୃତର ସନ୍ତାନରେ ନାହିଁ । ପରଜାର ଅନ୍ତର୍ଦ୍ୱନ୍ଦ୍ୱ ଓ ଗତି ଅମୃତର ସନ୍ତାନରେ ନିଷ୍ପ୍ରଭ । ‘ଅମୃତର ସନ୍ତାନରେ ଲେଖକ ନିରପେକ୍ଷ ଓ ତଟସ୍ଥ ଦ୍ରଷ୍ଟା ମାତ୍ର ।’ (୪୨) ପରଜାରେ ଲେଖକ ଏକାତ୍ମ । ଏଥିରେ ତଟସ୍ଥତା ନାହିଁ, ଅଛି ତଲ୍ଲୀନତା । ‘ପରଜା’ ପରି ଅମୃତର ସନ୍ତାନରେ ସେହି ପ୍ରେମ ଓ ବିପର୍ଯ୍ୟୟ, ପ୍ରକୃତି ଓ ପରମ୍ପରା, ଧର୍ମ ଓ ଧରତନୀ ଅଛି ମାତ୍ର ‘ପରଜା’ର ଜୀବନ ସଂଗ୍ରାମ ଓ ଆର୍ଥନୀତିକ ସମସ୍ୟାର ସଂଘର୍ଷ ‘ଅମୃତର ସନ୍ତାନ’ର ନାହିଁ । ‘ପରଜା’ରେ ଗଦ୍ୟ ମହାକାବ୍ୟତ୍ୱ ଯେପରି ଶାଣିତ ସେହିପରି ‘ଅମୃତ ସନ୍ତାନ’ରେ ହୋଇ ପାରିନାହିଁ ।’ ‘ପରଜା’ ଯଥାର୍ଥବାଦୀ କଳାକୃତି ହେଲେହେଁ ଆଦର୍ଶବାଦୀ । ‘ଅମୃତର ସନ୍ତାନ’ରେ କିନ୍ତୁ ଆଦର୍ଶବାଦର ରସ-ରୂପାୟନ ମଧ୍ୟରେ ଯଥାର୍ଥବାଦର ହୋଇଛି ପ୍ରତିଷ୍ଠା । ସମାଲୋଚକ ତାରିଣୀ ଚରଣ ଦାସଙ୍କ ଭାଷାରେ-‘ଅମୃତର ସନ୍ତାନ’ରେ ବ୍ୟାପକ ଚିତ୍ରଣ ଅଛି, କିନ୍ତୁ ପରଜାର ତୀବ୍ରତା ନାହିଁ, ମାଧୁରୀ ନାହିଁ-ବିରାଟ ଶରୀର ଅଛି କିନ୍ତୁ ପ୍ରାଣର ଆବେଗ ନାହିଁ-କଥାବସ୍ତୁ ଅଛି, ଘଟଣା ଅଛି, କିନ୍ତୁ ହୃଦୟ ସ୍ପର୍ଶକାରୀ ବେଦନା ନାହିଁ । (୪୩) ଅମୃତର ସନ୍ତାନ ଉପନ୍ୟାସ କୋରାପୁଟର ଜନବହୁଳ କନ୍ଧ ସଂପ୍ରଦାୟର ସାମାଜିକ ଆଭିମୁଖ୍ୟ ଓ ଜୀବନ ଦର୍ଶନକୁ ନେଇ ରଚିତ ଏକ ଉପନ୍ୟାସ । ଏଥିରେ ପ୍ରକୃତିର ବହୁମୁଖୀ ଦିଗ ଓ ଦିଗନ୍ତ ବର୍ଣ୍ଣିତ । ପ୍ରକୃତି ସହିତ କନ୍ଧ ସମାଜର ଚାହାଣୀ, ଚଳଣି ଓ ଚମକ କିପରି ଘନିଷ୍ଠ ଭାବରେ ସଂପୃକ୍ତ ତାହା ବ୍ୟଞ୍ଜିତ । ନିଜେ ଲେଖକ କହନ୍ତି- ‘‘ଅମୃତର ସନ୍ତାନ କୋରାପୁଟର ଅତି ଆଦିମ କନ୍ଧକୁ ଘେନି । ତେଣୁ ସେଠି ସୁବିଧା ମିଳିଥିଲା, ମଣିଷ ସଭ୍ୟତାର ଆରମ୍ଭ ଯୁଗରେ ତାର ବିଶ୍ୱାସ, ବିଚାର, ସାମାଜିକ ଅନୁଷ୍ଠାନ, ସଂସ୍କୃତି ଆହରଣ ଓ ବିକୀରଣ ଆଦି କେତେଗୁଡ଼ିଏ ଦିଗ ପ୍ରତି ଟିକିଏ ଧ୍ୟାନ ଦେବାକୁ, ବ୍ୟକ୍ତି ଓ ଗୋଷ୍ଠୀ ସଂପର୍କ, ମନୁଷ୍ୟ ଓ ପ୍ରକୃତିର ସଂପର୍କ ଆଦି ବିଷୟରେ ଟିକିଏ ଭାବିବାକୁ, ନାନା ସମ୍ବନ୍ଧ ସମ୍ପର୍କ କାରଣ-ଫଳ କ୍ରିୟା, ପ୍ରତିକ୍ରିୟା ଓ ନିଦାନ ମୌଳିକ ପ୍ରବୃତ୍ତିର ଶକ୍ତି ଅନୁଧ୍ୟାନ କରି ମନୁଷ୍ୟର କିଛି ମୂଲ୍ୟାଙ୍କନ କରିବାକୁ । ବହିରେ ନାନା ରୂପେ ଆସି ଯାଇଛି ଅର୍ଥକୁ ପ୍ରକଟ କରିବା ପାଇଁ । କାରଣ ଯେତେହେଲେ ବି ଭାଷା ସବୁବେଳେ ଭାବକୁ ନିଅଣ୍ଟ । (୪୪)’’

 

୪୨.

ଡଃ ତାରିଣୀ ଚରଣ ଦାସ-ନୂତନ ସମୀକ୍ଷା-ପୃ ୧୦୧ ।

୪୩.

ତତ୍ରୈବ-ପୃ ୧୦୨

୪୪.

ଗୋପୀନାଥ ମହାନ୍ତି-ପ୍ରଜ୍ଞା, ଜାନୁୟାରୀ, ୧୯୭୫-ସାହିତ୍ୟିକ ଅଭିରୁଚି : ଆଦିବାସୀ ବିଷୟବସ୍ତୁ ପୃ ୩୯ ।

 

ଆଦିମ ଅଧିବାସୀ କନ୍ଧ ସମାଜର ଜୀବନ୍ତ ଭାଷ୍ୟ ‘ଅମୃତର ସନ୍ତାନ’ । ସମାଜ ସଚେତନତା ଓ ବ୍ୟକ୍ତି-ସ୍ୱାତନ୍ତ୍ର୍ୟର ଏହା ଏକ ମନ୍ମୟ ଆଲେଖ୍ୟ । ଜୀବନ ଓ ଜୀବନ-ସଂଗ୍ରାମ, ପ୍ରେମ ଓ ବୈଫଲ୍ୟ, ଧର୍ମ ଓ ଧର୍ମ-ସଙ୍କଟ, ଆଦର୍ଶ ଓ ବାସ୍ତବତାର ଏହା ଏକ ରସ-ରୂପାୟନ । ମାଣିଆପାୟୁ ଗ୍ରାମର କୁଳବୃଦ୍ଧ ଓ ସର୍ଦ୍ଦାର ସରବୁ ସାଓଁତା, ତାରି ସାନ ଭାଇ ଲେଞ୍ଜୁ କନ୍ଧ, ପୁଅ ଦିଉଡ଼ୁ, ବୋହୂ ପୁୟୁ ଏବଂ ଝିଅ ପୁବୁଲିକୁ ନେଇ କେତେ ଆଶା ଆକାଙ୍‌କ୍ଷା ସହିତ ଜୀବନ କଟାଉଥିଲା । ‘ପାହାଡ଼’ ପରି ଉଞ୍ଚ, ଆକାଶ ପରି ଉଦାର, ସରଳ କନ୍ଧିଆ ଭାଇଙ୍କର ସେ ଥିଲା ଆଶା ଆଉ ଭରସା । ସେ ଜାଣେ ‘ସର୍ବସହଣୀ ମା ଧରତନୀର ପୋର୍‌ହୁଆଁ ପୁଅ କନ୍ଧିଆ ଭାଇ ।’ (୪୫) । ଅଥଚ କନ୍ଧର ଦୁର୍ଭାଗ୍ୟ ଦିନକୁ ଦିନ ବଢ଼ୁଛି । ‘ତଳ ଜମିଗଲା, କନ୍ଧ ଚଢ଼ିଲେ ପର୍ବତରେ । ସେଠି ବି ସବୁ ପରର, ଆପଣାର ବୋଲି କିଛି ନାହିଁ । ଏଣିକି ପରର ବୋଝ, ପରର ଜୁଆଳି । ଦେହକୁ କାଟେ, ମନକୁ କାଟେ । କନ୍ଧର ରାଜ୍ୟ ସରିଛି, ତାର ଦେଶ ଛିନ୍ନ ଭିନ୍ନ । ହୁଏତ ଦିନେ ଲୋକ ଭୁଲିଯିବେ ଯେ କନ୍ଧ ବୋଲି କେହି କେବେ ଥିଲା । (୪୬) ପୁଞ୍ଜିବାଦୀ ମଣିଷ ସରଳ ନିଷ୍କପଟ କନ୍ଧଙ୍କୁ ଭୁଲାଇ ଶୋଷଣ କରେ । କନ୍ଧ ଯେଉଁ ଦରିଦ୍ରକୁ ସେଇ ଦରିଦ୍ର ହୋଇ ରହେ । ସେ ବିଶ୍ୱାସ କରେ ଦର୍ମୁ ଆଉ ଦର୍ତନୀ ଉପରେ । ମେରିଆ ବଳିଦିଏ, ପଶୁ ବଳିଦିଏ । ପାପ ପୁଣ୍ୟ କ’ଣ ସେ ଜାଣେ ନାହିଁ । ଗୋଟାଏ ଶୁଚିପୂତ ବିଶ୍ୱାସ । ସେହି ବିଶ୍ୱାସରେ ସେ ଜୀବନ କଟାଏ । ‘ହାଜି ହିଲାରେଟୁ, କ୍‌ତାନି ହିଲାରେଟୁ (କେହି ନଷ୍ଟ ନ ହେଉ, ବାଘ ନ ରହୁ), ଆବାରେ ମଣବେ, ବାଲାରେ ମଣବେ (ସମସ୍ତେ ସୁଖରେ ଥାଆନ୍ତୁ ଶାନ୍ତିରେ ଥାଆନ୍ତୁ) । କନ୍ଧର ବିଶ୍ୱାସ ସେ ମରିଯାଏ ନାହିଁ । ମରିଗଲେ ପୁଣି ଜନ୍ମ ହୁଏ । ଜୀବନ ସତ୍ୟ, ଜୀବନ ସୁନ୍ଦର । ଜୀବନ ଚାଲିଗଲେ ପୁଣି ଏହି ସୁନ୍ଦର ପୃଥିବୀରେ ଜନ୍ମ ହୁଏ ମଣିଷ ।

 

୪୫.

ଅମୃତର ସନ୍ତାନ-୨ୟ ପ୍ରକାଶ (୧୯୬୫) ପୃ ୨ ।

୪୬.

ତତ୍ରୈବ-ପୃ ୩ ।

 

ସରବୁ ସାଓଁତା ମରିଗଲା । ଭାଇ, ପୁଅ, ଝିଅ, ବୋହୂ ଓ ସାଇ ପଡ଼ିଶା କାନ୍ଦିଲେ । ତାପରେ ସବୁଦିନିଆ ଜୀବନ ଯାତ୍ରା ଆରମ୍ଭ ହୋଇଗଲା ପୁଣି । ପୁୟୁ ଜନ୍ମ ଦେଲା ପୁଅଟିଏ । ପୁଅର ନାଁ ଦେଲା ହାକିନା । ସବୁ ଦୁଃଖ, ଯନ୍ତ୍ରଣା ଓ ସ୍ୱାମୀର ଅନାଦର ଭିତରେ ସେ ଜୀବନ କଟାଇଲା । ଦିଉଡ଼ୁ ମଦ ପିଇ ତା’ ଉପରେ ଅତ୍ୟାଚାର କରେ । ବାପା ପରେ ସେ ହେଲା ଗାଁର ସାଓଁତା । ଦାଦା ଲେଞ୍ଜୁ କନ୍ଧ ଉପରେ ସେ ଅତ୍ୟାଚାର କରେ । ଲେଞ୍ଜୁ କନ୍ଧର ପତ୍ନୀକୁ ବାଘ ଖାଇ ଦେଇଥିଲା । ତେଣୁ ସେ ଆଉ ବିବାହ କରି ନଥିଲା । ଅଥଚ ତାର ଅନ୍ତର ଭିତରେ ନାରୀ ସାନ୍ନିଧ୍ୟ ପାଇଁ ଗୋଟାଏ ତୀବ୍ର ବାସନା ସୃଷ୍ଟି ହୋଇଥିଲା । ଏଇଥି ପାଇଁ ସେ ବାଳମୁଣ୍ଡାର ସ୍ତ୍ରୀ ସୋନା ଦେଈ ପାଖକୁ ଯାଏ, ମାତ୍ର ସୋନା ଦେଈ କେବଳ ତାକୁ ଜଳାଏ । ସେଠି ମଧ୍ୟ ସେ ହୁଏ ପରିତ୍ୟକ୍ତ । ଘରେ ତାର ସ୍ଥାନ ନାହିଁ । ଗାଁରେ ସ୍ଥାନ ନାହିଁ, ତେଣୁ ସେ ଗାଁ ଛାଡ଼ିଛି । ଅସହାୟ ଭାବରେ ଜୀବନ କାଟିଛି । ଦିଉଡ଼ୁର ଆକର୍ଷଣ ଆଉ ତାର ପତ୍ନୀ ଉପରେ ନାହିଁ । ସେ ତାକୁ ଅବହେଳା କରିଛି । ପୁୟୁ କାନ୍ଦି କାନ୍ଦି କହିଛି-‘ମନ ହେଉଛି ଆଉ କେଉଁଠୁ ସୁନା ମୁହିଁ କନିଆ ଆଣି ତୁମେ ବିଭା ହେଉନା, ମୁଁ କଣ ମନା କରୁଚି ନା ମୁଁ ତୁମ ବାଟରେ ବସିଛି, ତୁମେ ତ ଭେଣ୍ଡିଆ ଅଛ, ମୁଁ ସିନା ବୁଢ଼ୀ ହେଲିଣି, ଶୁଖିଲା ମୁହଁ ଆଉ ଅଙ୍ଗାର ଚମର କି ଦରକାର, କିଏ ତୁମକୁ ଡାକିଛି ସେଗୁଡ଼ାକୁ ଅନାଇଁ ମନ ଖରାପ କରିବାକୁ । (୪୭) ଦିଉଡ଼ୁ ବନ୍ଦିକାର ଗାଁର ପିଓଟିକୁ ଉଦୁଲିଆ ନେଇ ପଳାଇ ଆସିଛି । ନୂଆ ପତ୍ନୀ ସହିତ ଦିଉଡ଼ୁ ଆନନ୍ଦରେ ଜୀବନ କଟେଇଛି । ପୁୟୁର ଦେଖା ଦେଇଛି ତୀବ୍ର ମାନସିକ ଯନ୍ତ୍ରଣା । ସେ ପୁଅକୁ କୋଳରେ ଧରି ଘର ଛାଡ଼ିଛି, ଗାଁ ଛାଡ଼ିଛି । ସେ ଭାବିଛି-‘ଟିପି ଚଢ଼େଇର ବସା ଅଛି, ପିମ୍ପୁଡ଼ିର ଅଛି ଅଧାର । ତାକୁ ରହିବାକୁ ଥାନ ନାହିଁ ? (୪୮) ଦିସାରୀର କଥା ତାର ବାରମ୍ବାର ମନେ ପଡ଼ିଲା-‘ମରଣ ନାହିଁ, ଦୁଃଖ ନାହିଁ’ । ଉଦିଆନ୍‌ ସୂର୍ଯ୍ୟକୁ ଚାହିଁ ସେ ମଧ୍ୟ ମନେ ମନେ କହି ଉଠିଲା-‘ଜୀବନରେ ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ’ । (୪୯)

 

୪୭.

ତତ୍ରୈବ-ପୃ ୪୯୨ ।

୪୮.

ତତ୍ରୈବ-ପୃ ୭୫୫ ।

୪୯.

ତତ୍ରୈବ-ପୃ ୭୫୬ ।

 

ଲେଞ୍ଚୁ କନ୍ଧ ପୁତୁରା ଦ୍ୱାରା ନିର୍ଯ୍ୟାତିତ ହୋଇ ଘର ଛାଡ଼ି ଚାଲି ଯାଇଛି । ନିଜ ଉପରୁ ସେ ବିଶ୍ୱାସ ହରାଇ ନାହିଁ । ସୋନା ଦେଇ ତାକୁ ଆଶ୍ରୟ ଦେଇ ନାହିଁ । ପତ୍ନୀ ବିରହ ବିଧୁର ସେ ଯେପରି ଏକ ଶୋକାର୍ତ୍ତ ଚରିତ୍ର । ହାର୍ଗୁଣା ସାଓନ୍ତା ଗାଁରେ ସେ ଆଶ୍ରୟ ନେଲା । ବେଳେ ବେଳେ କେବଳ ତାର ବଡ଼ ଭାଇ ସରବୁ ସାଓଁନ୍ତା, ପତ୍ନୀ ରୁକ୍‌ନୀ ଓ ବୋହୂ ପୁୟୁ କଥା ମନେ ପଡ଼େ । ମାତ୍ର ସେ କିଛି କରିପାରେ ନାହିଁ । ଝିଆରୀ ପୁବୁଲି ହାର୍ଗୁଣାକୁ ବିବାହ ହେବାର ସ୍ଥିର ହୋଇଗଲା, ମାତ୍ର ସେ ଉଦୁଲିଆ ଚାଲିଗଲା ବେଶୁ କନ୍ଧ ସହିତ । ହିକୋକା ହାର୍ଗୁଣା ଧୀର ସ୍ଥିର ଓ ସୁଧାର । ନାରୀ ପ୍ରତି ଦୁର୍ବଳତା ନାହିଁ । ଅନ୍ୟକୁ ସେ ସାହାଯ୍ୟ କରେ । ଗୋଟାଏ ପ୍ରଚଣ୍ଡ ସ୍ୱାଭିମାନବୋଧ ଯେପରି ତାର ସୃଷ୍ଟି ହୁଏ ସବୁ କଥାରେ । ସମଗ୍ର ଉପନ୍ୟାସଟିରେ ଲେଖକ ଆଉ କେତୋଟି ଚରିତ୍ରକୁ ବର୍ଣ୍ଣନା କରିଛନ୍ତି । ଫତୁରୀ ବେଜୁଣୀ ବୁଢ଼ୀ, ବାରିକ ଭୁର୍ଷା ମୁଣ୍ଡା, ବାଳ ମୁଣ୍ଡା ଓ ତାର ସ୍ତ୍ରୀ ସେନା ଦେଈ, ପାଣ୍ଡ୍ରୁଡିସାରୀ, ପିଓଟିର ମାଆ, ଆଦି ଯେଉଁ ସବୁ ଚରିତ୍ର ଉକ୍ତ ଉପନ୍ୟାସ ପରିସର ମଧ୍ୟରେ ବର୍ଣ୍ଣିତ ସମସ୍ତେ ଯେପରି ଜୀବନ୍ତ ଓ କନ୍ଧ ସମାଜର ରୀତିନୀତି ଚାଲିଚଳଣୀର ପ୍ରତ୍ୟେକ ଯେମିତି ଅବିଚ୍ଛେଦ୍ୟ ଅଙ୍ଗ । ଆଦିବାସୀ ଚରିତ୍ରମାନଙ୍କ ସହିତ ଲେଖକ ପୁଣି ଏଥିରେ ପ୍ରସଙ୍ଗତଃ ସାହୁକାର, ଶୁଣ୍ଢି ମହାଜନ, ଫରେଷ୍ଟ ଅଫିସର (ଫାରାଷ୍ଟି) ଓ ଅନ୍ୟାନ୍ୟ ଧନୀ ଶୋଷକମାନଙ୍କର ବର୍ଣ୍ଣନା କରିଛନ୍ତି, ଯେଉଁମାନେ ଆଦିବାସୀମାନଙ୍କୁ ନାନା ଭାବରେ ଶୋଷଣ କରିଛନ୍ତି । ‘କନ୍ଧ କ୍ଷେତ ତିଆରି କରେ । ପଛେ ପଛେ ‘ସଭ୍ୟତା’ ଆସେ, ସାହୁକାର ଆସେ, ଧୋବଧୋଉଲିଆ ଆସନ୍ତି, ଦେଖନ୍ତି ଭଲ ଜମି, ସେତକ ହାତ କରନ୍ତି, କନ୍ଧ ଚଢ଼େ ଉପରକୁ ଉପରକୁ ।’ (୫୦) କନ୍ଧ ଯେଉଁ ଜମି କରିଥିଲା ଶ୍ରମଝାଳ ତୁଣ୍ଡରେ ମାରି ସେଠି ଆସ୍ଥାନ ଜମେଇ ବସନ୍ତି ସାହୁକାର, ଶୁଣ୍ଢି, ବ୍ରାହ୍ମଣ, ତେଲେଙ୍ଗା । ସେମାନେ ବାହାର ସଭ୍ୟତାର ଉତୁରା ପେଜ ପରି ଫୋପାଡ଼ି ହୋଇ ବଣକୁ ଆସିଥିଲେ ଲୋଟା କମଳ ଧରି । ଅଥଚ ସେମାନେ ହେଲେ କନ୍ଧ ଜମିର ଅଧିକାରୀ । କନ୍ଧ ହେଲେ ସେମାନଙ୍କର ଗୋତି, ସେମାନଙ୍କର ଚାକର । ମଦପାଣି ପେଇ, ସେମାନଙ୍କଠାରୁ ଟିପ ଚିହ୍ନ ନେଇ ସଭ୍ୟମଣିଷ ସେମାନଙ୍କୁ ଶୋଷଣ କରନ୍ତି । ସେମାନଙ୍କୁ ସୁଧରେ ଟଙ୍କା ଦେଇ ଫସଲ ସବୁ ନେଇ ଯାଆନ୍ତି । ଦିଉଡ଼ୁ ଓ ହାର୍ଗୁଣା ପରି ଯୁବକ ବଡ଼ଲୋକମାନଙ୍କର ଶୋଷଣ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ହାର୍ଗୁଣା ଜାନିକୁ କହିଛି -‘ X X ସାହୁକାର ଆମର ଶତ୍ରୁ, ପୁର୍ଷଆ ଯୋଗ ଆମର ଦରକାର । ଆମେ କମେଇବୁ ସେ ଖାଇବ, ଆମେ ଭୋକରେ ମରିବୁଁ ସେ ଦଉଲତ ସଜେଇବ, ତିନି ଫୋଲିଆରେ ସେ ହେବ ସାହୁକାର, ନିର୍ଦୋଷରେ ଆମେ ଗୋତି, ତାର କରଜ ବାପ ଅଜା ସାତ ପୁରୁଷରେ ସୁଝିବ ନାହିଁ, ଆମର ଗୋରୁଟିଏ ଜନମ ହେଲେ ତାର ମନେ ପଡ଼ିବ କଳନ୍ତର କଥା, ତାର ଛେଳିକୁ ବାଘ ଖାଇବ ଆମେ ହେବୁ ଭରଣା, ସେ ଆମର ଶତ୍ରୁ, ଆମର ଶତ୍ରୁ । ଦିଅ ପର୍ଷୁଆ ଯୋଗ, ଟୁଣୁ ହାୟମୁଁ (ହାଣ) ।’ (୫୧) ଯୁବକମାନେ ଯେତେବେଳେ ଏକତ୍ର ହୋଇ କହି ଉଠିଲେ ‘ଟୁଣୁ ହାୟମୁଁ-ଟୁଣୁ ହାୟମୁଁ, ସେତେବେଳେ ବୁଢ଼ାମାନେ ସତ୍ୟ ଓ ଧର୍ମର ଭୟ ଦେଖାଇ ସେମାନଙ୍କୁ ତିରସ୍କାର କରିଛନ୍ତି ଓ ଶୀତଳ କରି ଦେଇଛନ୍ତି । ‘ପରଜା’ ଉପନ୍ୟାସରେ ଯେପରି ଉତ୍ତାପ ଅଛି ସେପରି ଉତ୍ତାପ ‘ଅମୃତର ସନ୍ତାନ’ରେ ନାହିଁ; ବରଂ ଅଛି ଶୀତଳତା । ମାତ୍ର ଏଥିରେ ଅଛି ବ୍ୟକ୍ତି ସ୍ୱାତନ୍ତ୍ର୍ୟ । ସାମୂହିକ ଓ ପାରିବାରିକ ସାମାଜିକ ଜୀବନ ଧାରା ଭିତରେ ବ୍ୟକ୍ତି ଯେପରି ମୁକ୍ତ । ଏହି ମୁକ୍ତିବୋଧ ପ୍ରକାଶ ପାଇଛି ତାର ପ୍ରେମରେ, ବିବାହରେ, ଯୌନ ଜିଜ୍ଞାସାରେ, ଜୀବନ-ସଂଗ୍ରାମରେ ଓ ବିଚାରଧାରାରେ ।

 

୫୦.

ତତ୍ରୈବ-ପୃ ୮୦ ।

୫୧.

ତତ୍ରୈବ-ପୃ ୧୯୦ ।

 

ଷଷ୍ଠ ଦଶକରେ ପରିବର୍ତ୍ତିତ ସାମାଜିକ ମୂଲ୍ୟବୋଧକୁ ନେଇ ଓ ବିନୋବା ଭାବେଙ୍କର ଗ୍ରାମଦାନ ଆନ୍ଦୋଳନକୁ ନେଇ ଯେଉଁ ନବଚେତନା ପ୍ରକାଶ ପାଇଥିଲା ତାହାକୁ ଗୋପୀନାଥ ଅବଲମ୍ବନ କରି ରଚନା କରିଛନ୍ତି ‘ଶିବ ଭାଇ’ (୧୯୫୫) ଉପନ୍ୟାସ । ଏହି ଉପନ୍ୟାସରେ ବାସ୍ତବ ଜୀବନର ସଂଘର୍ଷ ନାହିଁ; ଅଛି ଆଦର୍ଶବାଦର ସ୍ୱରଲିପି । ମୁଣ୍ଡିଆଳ ଗାଁର ନନ୍ଦ କନ୍ଧର ଜ୍ୱାଇଁ ଶିବ ସେହି ଆଦର୍ଶର ଜ୍ୱଳନ୍ତ ନିଦର୍ଶନ । ‘ସେ ଅକ୍ଷର ଚିହ୍ନି ନାହିଁ, ସେ ଗୁରୁପାଖେ ଚେକା ମାଡ଼ି ବସି ନାହିଁ, ତାର ସରଳ ହୃଦୟ ଭିତରକୁ ମନକୁ ମନ ଭେଦିଯାଇଛି ମହାଭାବ; ତା ଯେପରି ସର୍ବବ୍ୟାପ୍ତ-।’ (୫୨) ସେ କହେ ବାଘ ମଣିଷକୁ ଧରି ଖାଏ । ମଣିଷ ହୃଦୟରେ ଥିବା ଧର୍ମକୁ କିମ୍ବା ଆତ୍ମାକୁ ଖାଇ ପାରେ ନାହିଁ । ସତ୍ୟ ଓ ଧର୍ମକୁ କେହି କିଛି କରିପାରନ୍ତି ନାହିଁ । ଧର୍ମ ଥିଲେ ଗାଁରୁ ଭୟ ଦୂରେଇ ଯାଏ । ଏ କଥା କେବଳ ଶିବ ଭାଇର ନୁହେଁ ସବୁ ଆଦିବାସୀ ମଣିଷର ବିଶ୍ୱାସ ହୋଇଛି । ଧର୍ମ, ଦେବତା ଓ ପୌରୋହିତ୍ୟ ପ୍ରଥାକୁ ନେଇ ଆଦିବାସୀ ସମାଜର ଯେଉଁ ବିପର୍ଯ୍ୟୟ କଥା ‘ପରଜା’ ‘ଦାଦିବୁଢ଼ା’ ଓ ଅମୃତର ସନ୍ତାନ’ରେ ଥିଲା ଏବଂ ଶେଷକୁ ଉପନ୍ୟାସର ଯେଉଁ ନାଲି ସୂର୍ଯ୍ୟର ସଙ୍କେତ ଦିଆଯାଇ ଥିଲା ତାହା ‘ଶିବଭାଇ’ ଉପନ୍ୟାସରେ ନାହିଁ । ଏହି ଉପନ୍ୟାସରେ ପୁଣି ଥରେ ଧର୍ମର ପ୍ରଭାବ ପଡ଼ିଛି । ଗାନ୍ଧିବାଦୀ ଦର୍ଶନକୁ ଏଥିରେ ପ୍ରତିଷ୍ଠା ଦିଆଯାଇଛି । ଶିବଭାଇ କହେ ଯେ ସ୍ୱୟଂ ଭଗବାନ ଯେପରି ତା’ ହୃଦୟ ଭିତରେ ବସି ସବୁ କହି ଦିଅନ୍ତି । ‘ମହାପୁରୁ ମୋ ହୃଦ ଭିତରେ କହିଦିଏ, ମୁଁ ସେହି କଥା ପଦାରେ କହେ । ଏମିତି ତାର ମହାପୁରୁ ତାକୁ କହିଥିଲେ, ଗାଁରେ କହିବାକୁ-କଳିଗୋଳ କର ନାହିଁ, ପରଧନକୁ ଲୋଭ କର ନାହିଁ, ମନ ଖାଅନାହିଁ ଗୋରୁ ମାର ନାହିଁ, ସବୁ ଜମି କୋଠ କରିଦିଅ, ଆଉ ଆବଶ୍ୟକ ଅନୁସାରେ ବାଣ୍ଟିନିଅ, ବେଶି କାମକର, ସୂତା କାଟ, ସଫା ହୁଅ, ପିଲାଙ୍କୁ ପାଠ ପଢ଼ାଇବାକୁ ଇସ୍କୁଲକୁ ପଠାଅ ।’ (୫୩) ଦାଢ଼ିଆ ବାବାଜୀ ବିନ ମହାପ୍ରୁଙ୍କ (ବିନୋବାଭାବେ) ନାମରେ ସବୁ ଜମି ଲେଖି ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି । ସେ ପୁଣି ସମସ୍ତଙ୍କ ଭିତରେ ଜମି ବାଣ୍ଟିଦେବେ । କେହି ଧନୀ କି ଗରିବ ରହିବେ ନାହିଁ ସମସ୍ତେ ହେବେ ସମାନ, ଭାଇ ଭାଇ । ଶିବ ଭାଇ ମରିଯାଇଛି ଅକାଳରେ । ଅଥଚ ତାର ବ୍ୟକ୍ତିତ୍ୱ ମରି ନାହିଁ । ସେହି ବ୍ୟକ୍ତିତ୍ୱ ଯେପରି ସମସ୍ତଙ୍କୁ ଏକ କରିଛି । ତାର ପତ୍ନୀ ମୁକ୍ତା, ଶାଳୀ ଚନ୍ଦ୍ରମା, ତାକୁ ବିବାହ କରିବାକୁ ଚାହିଁଥିବା ପାର୍ବତୀ, ଶିକ୍ଷୟତ୍ରୀ ମିସ୍‌ ଜେନିଫ୍‌ ଓ ଗାଁର ଆହୁରି ଅନେକ ହୋଇଛନ୍ତି ସର୍ବୋଦୟ କର୍ମୀ । ଏହିପରି ଏକ ଭାବବାଦୀ ଆଦର୍ଶ ଏହି ଉପନ୍ୟାସକୁ ମୋହାଚ୍ଛନ୍ନ କରି ରଖିଥିବା ଦେଖାଯାଏ । ଏହି ଆଦର୍ଶର ଆଦ୍ୟ ସଙ୍କେତ କାହ୍ନୁଚରଣଙ୍କର ‘ଶାସ୍ତି’ (୧୯୪୬) ଓ ‘ଝଞ୍ଜା’ (୧୯୪୯)ରେ ପ୍ରକଟିତ ହୋଇଥିଲା ଏବଂ ତାଙ୍କର ପରବର୍ତ୍ତୀ ଉପନ୍ୟାସ ‘ବଜ୍ରବାହୁ’ (୧୯୫୮) ମଧ୍ୟ ଏହି ଆଦର୍ଶର ପ୍ରତିଧ୍ୱନି । ସମଗ୍ର ‘ଶିବଭାଇ’ ଉପନ୍ୟାସରେ ଶୋଷଣହୀନ ଏକ ସାମ୍ୟ ସମାଜର ପରିକଳ୍ପନା କରାଯାଇଛି । ମାତ୍ର ଏହାର ପରିକଳ୍ପନା ହୃଦୟ ପରିବର୍ତ୍ତନ ଭିତ୍ତିରେ, ସତ୍ୟ-ଧର୍ମ ଓ ଅହିଂସା ଭିତ୍ତିରେ ହୋଇଥିବା ଦେଖାଯାଏ । ତେଣୁ ଏହି ଉପନ୍ୟାସ କଳାତ୍ମକ ବାସ୍ତବତା ଅପେକ୍ଷା କଳାତ୍ମକ ଭାବବାଦୀ ଆଦର୍ଶକୁ ବିଶେଷ ଭାବରେ ଗ୍ରହଣ କରିନେଇଛି ।

 

୫୨.

ଶିବଭାଇ-୨ୟ ସଂ (୧୯୮୧) ପୃ ୯୫ ।

୫୩.

ତତ୍ରୈବ୧-ପୃ ୯୬ ।

 

‘ଅପହଞ୍ଚ’ (୧୯୬୧) ଗୋପୀନାଥଙ୍କର ଆଦିବାସୀ ଜୀବନଧାରାର ଆଉ ଏକ ସ୍ୱାଭିମାନଦୀପ୍ତ ସୃଷ୍ଟି । ଗଣତନ୍ତ୍ର ପ୍ରତିଷ୍ଠା ହେଲା ପରେ ନିର୍ବାଚନ ରାଜନୀତି ନିର୍ବାଚିତ ପ୍ରତିନିଧିଙ୍କୁ କିପରି ଭୋଗପ୍ରମତ୍ତ କରି ଦେଇଛି, ନିର୍ଯ୍ୟାତିତ ଜନସାଧାରଣ ପୁନର୍ବାର ସେହି ଲୋକପ୍ରତିନିଧିଙ୍କୁ ନିର୍ବାଚନରେ ପରାସ୍ତ କରାଇ କିପରି ପ୍ରତିଶୋଧ ନେଇଛନ୍ତି, ତାର ବାସ୍ତବ ଚିତ୍ର ଏହି ଉପନ୍ୟାସରେ ପ୍ରତିଫଳିତ । ମେଲକା ବାଡ଼ିର ବୀମା କନ୍ଧ ପୁଅ ଟିମା ଯେତେବେଳେ ମିରିଗଶିଙ୍ଗା ସରକାରୀ ଚାହାଳିରେ ପାଠ ପଢ଼େ ସେତେବେଳେ ନିରୀହ ସରଳ ବିଶ୍ୱାସୀ କନ୍ଧମାନେ କେତେ ଆଶା ପୋଷଣ କଲେ । ଟିମା ପାଠପଢ଼ି ବଡ଼ ହେଲେ ସେମାନେ କେତେ ଉପକୃତ ହେବେ । ସାହୁକାର ଆଉ ସେମାନଙ୍କୁ ଠକି ପାରିବ ନାହିଁ । ଟିମାକୁ ସେମାନେ ମନେ କରୁଥିଲେ ଆଶା ଭରସା । ଟିମା ଗାଁ ଚାହାଳିରୁ ପାଠ ଶେଷ କରି ମେଲ୍‌କାବାଡ଼ିର ବଡ଼ ସ୍କୁଲରେ ପାଠ ପଢ଼ିଲା । ସେତେବେଳେ ତାର ନାଁ ହେଲା କେ. ଟିମାୟା ଦୋରା । ଏଥର ତାର ବେଶ ପୋଷାକ ବଦଳିଲା, ରୁଚି ବଦଳିଲା । କ୍ରମେ ସେ କନ୍ଧମାନଙ୍କୁ ଘୃଣା କଲା । କାରଣ ସେ ଶିକ୍ଷିତ । ସେ ଅନ୍ୟ ଆଦିବାସୀଙ୍କ ଠାରୁ ନିଆରା-। ସେ ଇଂରାଜୀ କହେ, ତେଲୁଗୁ କହେ, ସିଗାରେଟ ଟାଣେ, ଦେହରେ ଅତର ଲଗାଏ, ସିନେମା ଦେଖେ । ଆଦିବାସୀର ଆଚାର ବିଚାର ତାର ଆଉ ରହିଲା ନାହିଁ । ମାଟ୍ରିକ ପାଶ୍‌ କଲା ପରେ ସେ ଷାଠିଏ ଟଙ୍କାରେ ଚାକିରି କଲା । ସେ ବିବାହ କଲା ତେଲଗୁଭାଷୀ ଜାତପ ଦୋରା ପରିବାରରେ ଧୂଆଁପତ୍ର ବ୍ୟବସାୟୀ ନରସିଂଲୁ ତାର ଶ୍ୱଶୁର । ଯୌତୁକ ସେ ପାଇଲା ପ୍ରଚୁର । ସେହି ଯୌତୁକ ଟଙ୍କା ଦୁଇହଜାରକୁ ମୂଳଧନ କରି ତାର ବାପା ବୀମା କନ୍ଧ ହେଲା ସାହୁକାର । ତଥାପି କନ୍ଧମାନେ ଟିମାକୁ ଭୁଲି ନ ଥିଲେ । କେ. ଟିମାୟା. ଦୋରା ରହେ ଶ୍ୱଶୁର ଘରେ । ତାର ନାଁ ପୁଣି ହୋଇଗଲା କେ. ଟି. ଦୋରା । ସେ ନିର୍ବାଚନରେ ଜିତି ହେଲା ଲୋକ ପ୍ରତିନିଧି । ସେ ସହରରେ ରହିଲା । ଉପଭୋଗ ଭିତରେ ଜୀବନ କଟେଇଲା । ତାର ବାପା ହେଲା କ୍ରମେ ବଡ଼ ସାହୁକାର ଓ କଣ୍ଟ୍ରାକ୍ଟର-। ସେ ପୁଣି ହେଲା ଆଦର୍ଶ ଚାଷୀ । ତାର ଶୋଷଣ ଅନ୍ୟମାନଙ୍କଠାରୁ ବଳିଗଲା । ସରଳ ଆଦିବାସୀମାନଙ୍କ ମଧ୍ୟରେ ଦେଖା ଦେଲା ପ୍ରତିକ୍ରିୟା । ସେମାନଙ୍କ ଭିତରୁ ମଧ୍ୟ ବାହାରିଲେ କେତେକ ନେତା । ସେମାନେ ଆଦିବାସୀମାନଙ୍କୁ ସଂଗଠିତ କଲେ । ପୁନର୍ବାର ନିର୍ବାଚନରେ କେ ଟି, ଦୋରା ପରାସ୍ତ ହୋଇଗଲେ । ଏଥର ତାର ଆଧୁନିକ ହେବାର ନିଶା ଛାଡ଼ିଗଲା । ସେ ଅନୁତାପ କଲା । ଯେଉଁ ଆଦିବାସୀ ତା ଉପରେ ଭରସା ରଖିଥିଲେ ସେମାନଙ୍କୁ ପ୍ରତାରିତ କରିଥିବାରୁ ଗଭୀର ଦୁଃଖ ଅନୁଭବ କଲା । ସେପୁଣି ଗାଁକୁ ଫେରିଲା । ଆଦିବାସୀମାନଙ୍କ ସହିତ ମିଶିଲା । ସେମାନଙ୍କ ଭାଷାରେ କଥା କହିଲା । ସମସ୍ତଙ୍କୁ କହିଲା-‘‘ଆମର କେତେ ବଡ଼ ପେଟ କି ଆମେ ସବୁ ଖାଇବୁଁ ? ଆସ ସମସ୍ତିଙ୍କର ସବୁ ଜମି ଏକାଠି ମିଶେଇ ଦେବା, ଆହୁରି ଜମି କାଢ଼ିବା, ସମସ୍ତେ କାମ କରିବା, ସମସ୍ତେ ବାଣ୍ଟିବା ଆଉ ଖାଇବା ।’’ (୫୪) ଟିମା ଘରକୁ ଫେରିଲା । ଏଥର ଆଦିବାସୀମାନେ ତାଙ୍କୁ ସଙ୍ଖୋଳି ନେଲେ । ସେ ହେଲା ନୂଆ ମଣିଷ । ତାର ହେଲା ନବଜନ୍ମାନ୍ତର-। ଏହି ଉପନ୍ୟାସରେ ମଧ୍ୟ କନ୍ଧର ଆର୍ଥନୀତିକ ସମସ୍ୟା ଓ ବିପର୍ଯ୍ୟୟ ବର୍ଣ୍ଣିତ । ଏଥି ସହିତ ଅଛି ସର୍ବୋଦୟୀ ଭାବଧାରା, ଶୋଷକ ସାହୁକାରମାନଙ୍କର ଶୋଷଣ, ଶିକ୍ଷାପ୍ରତି କନ୍ଧର କ୍ରମ ଆଦର, ଶିକ୍ଷାଲାଭ କଲା ପରେ ଆଦିବାସୀ ମଣିଷର ପରିବର୍ତ୍ତନ ଓ ସହରୀ ସଭ୍ୟତା ପ୍ରତି ଆକର୍ଷଣ, ଆଧୁନିକତାର ପ୍ରଲୋଭନରେ ନିଜ ସମାଜ ପ୍ରତି ଅବହେଳା, ଆଦିବାସୀଙ୍କର ରାଜନୀତିକ ସଚେତନତା ଇତ୍ୟାଦି ନାନା ବିଷୟରେ ବର୍ଣ୍ଣନା । ତଥାପି ଏହା ସେହି ଆଦର୍ଶବାଦୀ ଧାରାକୁ ହିଁ ସୂଚେଇ ଦେଇଥାଏ । ନୃତାତ୍ତ୍ୱିକ ଓ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଯେଉଁ ଅନ୍ୱେଷା ‘ଦାଦିବୁଢ଼ା’ ଉପନ୍ୟାସରୁ ଆରମ୍ଭ ହୋଇଥିଲା ତାହା ‘ପରଜା’ ଉପନ୍ୟାସରେ ଆର୍ଥନୀତିକ ସମସ୍ୟା ଓ ଥିଲାବାଲା ଏବଂ ନଥିଲା ବାଲା (Haves and Have nots)ଙ୍କ ଦ୍ୱନ୍ଦ୍ୱ ଓ ସଂଘର୍ଷ ଭିତରେ ଭିନ୍ନ ଗତି ନେଇଥିଲା, ଯାହା ମଧ୍ୟରେ ବଞ୍ଚିବା ପାଇଁ ଥିଲା ଦୁର୍ବାର ଅଭିଳାଷ । ଏଥିରେ ଆର୍ଥନୀତିକ ବିପର୍ଯ୍ୟୟ ହିଁ ଥିଲା ପ୍ରେମ-ବିପର୍ଯ୍ୟୟର କାରଣ ଏବଂ ଏହି ଉଭୟବିଧ ବିପର୍ଯ୍ୟୟ ମଧ୍ୟରୁ ପ୍ରକାଶ ପାଇଥିଲା ସ୍ୱାଭିମାନବୋଧ ଓ ସ୍ୱାତନ୍ତ୍ର୍ୟବୋଧ । ‘ଅମୃତର ସନ୍ତାନ’ରେ ‘ଦାଦିବୁଢ଼ା’ ଓ ‘ପରଜା’ ଉପନ୍ୟାସ ପରି ମଧ୍ୟ ଯୌନ-ଜିଜ୍ଞାସା ପରଂପରା, ସଂସ୍କୃତି ଓ ଆଦର୍ଶର ସକଳ ବନ୍ଧନକୁ ଅତିକ୍ରମ କରି ବାସ୍ତବତାର ଉପାସନା କରିଛି । ଏହି ବାସ୍ତବତା ନିକଟରେ ବଳିପଡ଼ିଛି ସହିଷ୍ଣୁତା, ଆଦର୍ଶ ଓ ପ୍ରେମ । ତଥାପି ଆଦର୍ଶ ଲୋପ ପାଇଯାଇ ନାହିଁ । ଉପଭୋଗୀ ମଣିଷର ତୃଷ୍ଣାର ସମାନ୍ତରାଳ ଆଦର୍ଶ ବଞ୍ଚିବା ପାଇଁ ଉଦ୍ୟମ କରିଛି । ବାସ୍ତବତା ଭିତରେ ଏକ ଉପନିଷଦୀୟ ଭାବଭୂତି ଯେପରି ଶୀତଳ ଛାୟା ବିସ୍ତାର କରିଛି । ଏହି ଅନ୍ୱେଷା କିନ୍ତୁ ‘ଶିବ ଭାଇ’ ଅଥବା ‘ଅପହଞ୍ଚ’ ବେଳକୁ ରହି ନାହିଁ । ତେବେ ସାହୁକାର ମହାଜନ ଧନୀସଂପ୍ରଦାୟ ଓ ସରକାରୀ କର୍ମଚାରୀମାନଙ୍କର ଶୋଷଣର ଅବସାନ ପାଇଁ ଏହି ଉପନ୍ୟାସରେ ଏକ ସମାଜବାଦୀ ଆଭିମୁଖ୍ୟ ପ୍ରକାଶ ପାଇଛି । ଶୋଷଣହୀନ ସାମ୍ୟସମାଜ ଗଠନ ପାଇଁ ଏହି ଦୁଇଟିର ଅଛି ଆଶାନ୍ୱିତ ଆହ୍ୱାନ-। ଏହି ସମାଜ ଧର୍ମବିମୁକ୍ତ ସମାଜ ନୁହେଁ, ଉଦାର ମହିମାଯୁକ୍ତ ଧର୍ମନିଷ୍ଠ ସମାଜ । ‘ପରଜା’ର ରକ୍ତାକ୍ତ ପରିଣତିକୁ ଏହା ଗ୍ରହଣ କରି ନାହିଁ, ଗ୍ରହଣ କରିଛି ହୃଦୟ ପରିବର୍ତ୍ତନ ଭିତ୍ତିକ ମହତ୍ତର ଉଦାର ମାନବବାଦକୁ । ଗୋପୀନାଥଙ୍କର ଏହି ଜିଜ୍ଞାସା ଓ ଆତ୍ମୋପଲବ୍‌ଧି ବାସ୍ତବିକ ଓଡ଼ିଆ ସାହିତ୍ୟରେ ଅନନ୍ୟ ।

 

୫୪.

ଅପହଞ୍ଚ-ପୃ ୮୮ ।

 

ଅନ୍ୟାନ୍ୟ ଉପନ୍ୟାସରେ ଆଦିବାସୀ ଚିତ୍ର :

ଓଡ଼ିଆ ଉପନ୍ୟାସରେ ଗୋପୀନାଥ ମହାନ୍ତିକୁ ଛାଡ଼ିଦେଲେ ଆହୁରି କେତେଜଣ ଆଦିବାସୀ ସମାଜ ଓ ଜୀବନଧାରାକୁ ନେଇ ନାନା ଉପନ୍ୟାସମାନ ରଚନା କରିଅଛନ୍ତି । କାହ୍ନୁଚରଣଙ୍କର ‘ବନଗହନର ତଳେ’(୧୯୪୬) ଏକ କ୍ଷୁଦ୍ର ଉପନ୍ୟାସ ହେଲେ ହେଁ ଆଦିବାସୀ କନ୍ଧ ସମାଜର ମନ୍ମୟ ଚିତ୍ର ପ୍ରଦାନ କରିଥାଏ । ଚଇତ ପର୍ବର ଉଚ୍ଛଳ ନୃତ୍ୟ ଗୀତରୁ ଉପନ୍ୟାସର ଆରମ୍ଭ । ଧାଙ୍ଗଡ଼ା ଧାଙ୍ଗଡ଼ୀଙ୍କର ପରସ୍ପରକୁ ଭଲ ପାଇ ନିଜ ନିଜର ଜୀବନସାଥୀ ବାଛି ନେବାର ଏହା ଏକ ଅପୂର୍ବ ପରିବେଶ । ମାଗତା, ବାୟା ଓ ପୁଙ୍ଗୀ ଏବଂ ଲତା, ସୁନା ଓ ପୁଲ୍‌କି-ଏଇ ଛଅଜଣ ଧାଙ୍ଗଡ଼ା ଓ ଧାଙ୍ଗଡ଼ୀଙ୍କୁ ନେଇ ଉପନ୍ୟାସ ଗତିଶୀଳ । ମାଗତା ନାଇକର ପୁଅ-ଦୁର୍ବଳ ଓ ଚରିତ୍ରହୀନ । ବାୟା ପିତୃମାତୃ ହୀନ ଦରିଦ୍ର ଯୁବକ-ସରଳ, ସବଳ ଓ ଚରିତ୍ରବାନ । ପୁଙ୍ଗି ମଧ୍ୟ ଉତ୍ତମ ଧାଙ୍ଗଡ଼ା । ଲତା ମାଗତା ପ୍ରତି ଆକୃଷ୍ଟା, ମାତ୍ର ମାଗତା ତାକୁ ଗ୍ରହଣ କରେ ନାହିଁ । ତଥାପି ଲତା ତାର ପିତୃସତ୍ୟକୁ ପାଳନ କରି ଶେଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛି । ମାଗତା ଚାହିଁଛି ସୁନାକୁ ବିବାହ କରିବ । ତା’ର ବାପା ଗାଁଲୋକଙ୍କୁ ବସାଇ ଖାଇବାକୁ ଦେଇଛି । ଜାନିର ଝିଅ ସୁନାକୁ ସେ ବୋହୂ କରି ଆଣିବ । ମାତ୍ର ସୁନା ଏଥିରେ ରାଜି ହୋଇ ନାହିଁ । ସୁନା ଭଲ ପାଇଛି ବାୟାକୁ । ବାୟା କିନ୍ତୁ ଦରିଦ୍ର । ଝୋଲା ଟଙ୍କା ଦେବାକୁ ସେ ଅସମର୍ଥ । ପୁଙ୍ଗି ବିବାହ କରିଛି ପୁଲ୍‌କିକୁ । ସେ କିନ୍ତୁ ହୋଇଛି ଗୋତି । ମାଗତାର ଭଉଣୀ ସଂପର୍କୀୟା ପୁଙ୍ଗି । ଅଥଚ ସେ ସେ ପୁଲ୍‌କିକୁ ଉଦୁଲିଆ ନେଇଯିବାକୁ ଚାହିଁଛି । ବୁଦ୍ଧି ଡମ୍ବ ବାରିକ । ସେ କନ୍ଧ ଲୋକଙ୍କ ବିବେକ । କନ୍ଧ ସରଳ ଓ ଧର୍ମଭୀରୁ । ଡମ୍ବ କୁଟିଳ ଓ ଧର୍ମହୀନ । କନ୍ଧ ମିଛ କହିବାକୁ ପାପ ମନେ କରେ । ଡମ୍ବ ମିଛକୁ ଜୀବନର ଧର୍ମ ମନେ କରେ । କନ୍ଧ ଚୋରିକୁ ଘୃଣାକରେ । ଡମ୍ବ ଚୋରିକୁ ଜୀବିକା ମନେ କରେ । ବୁଦ୍ଧି ଡମ୍ବ ଧୂର୍ତ୍ତ । ତଥାପି କନ୍ଧ ତାକୁ ବିଶ୍ୱାସ କରେ । ସେ ସୁନା ଓ ବାୟାକୁ ପରାମର୍ଶ ଦେଇଛି । ବାୟାକୁ ଶିଖାଇ ବନମାଳୀ ସାହୁକାର ଘରୁ ଚୋରି କରିବା ପାଇଁ ସାଙ୍ଗରେ ନେଇଛି । ସୁନା ଓ ବାୟା ପାଇଁ ସେ ଜେଲ ଯିବାକୁ ପ୍ରସ୍ତୁତ ବୋଲି କହୁଛି । ତାରି କଥାରେ ବାୟା ଭୁଲିଛି । ଶେଷକୁ ସେ ପୋଲିଶ ହାତରେ ଧରାପଡ଼ି ଜେଲ ଯାଇଛି । ବୁଦ୍ଧି ଡମ୍ବ ତାକୁ ଚୋର ବୋଲି ପ୍ରମାଣିତ କରେଇଛି । ମାଗ୍‌ତାକୁ ଶିଖାଇ ବାୟା ବିରୋଧରେ ସାକ୍ଷୀ ଦିଆଇଛି । ସେ ପୁଣି ମାଗ୍‌ତା ଓ ପୁଲ୍‌କି ଭିତରେ ସମ୍ବନ୍ଧ ଯୋଡ଼ିଛି । ପୁଲ୍‌କିକୁ ନେଇ ସେ ଚାଲି ଯାଇଛି । ବାୟା ଜେଲ ଗଲା ପରେ ସୁନାକୁ ମାଗତା ବାହା ହୋଇଛି । ସୁନାର ନାରୀତ୍ୱ ବିକଳ ବିଳାପ କରି ଉଠିଛି । ସେ ଜନନୀ ହୋଇଛି । ଅଥଚ ସେ ବାୟାକୁ ଭୁଲି ନାହିଁ । ଅଢ଼େଇ ବର୍ଷ ପରେ ବାୟା ଫେରି ଆସିଛି । ମାଗ୍‌ତାକୁ ହାଣିବାକୁ ସେ ଆସିଲା ମାତ୍ରେ ସୁନାର ଅନୁରୋଧରେ ସେ ଫେରି ଯାଇଛି । ତାର ପୁଅକୁ ଲତା କୋଳକୁ ଟେକି ଦେଇ ବାୟା ସହିତ ଚାଲି ଯାଇଛି । ଲତା ମାଗ୍‌ତାର ପୁଅକୁ ଆପଣାର କରିନେଇଛି ।

 

ଏହି ଉପନ୍ୟାସରେ ଏକ ପକ୍ଷରେ ସତ୍ୟ, ଧର୍ମ ଓ ପ୍ରେମ ଏବଂ ଅନ୍ୟ ପକ୍ଷରେ ମିଥ୍ୟା, କପଟତା ଓ ଯୌନ ମଧ୍ୟରେ ସଂଘର୍ଷ ଦେଖାଇ ଦିଆଯାଇଛି । ପ୍ରେମ ଓ ସତ୍ୟର ହୋଇଛି ବିଜୟ । ସୁନାର ବିପର୍ଯ୍ୟସ୍ତ ଜୀବନ ବାୟାକୁ ପାଇ ଆନନ୍ଦମୁଖର ହୋଇ ଉଠିଛି । ତାର ପ୍ରେମ ପାଖରେ ମାତୃତ୍ୱ ହାର ମାନିଛି । ଲତାର ପ୍ରେମ ତ୍ୟାଗ ଭିତରେ ହୋଇ ଉଠିଛି ଦୀପ୍ତିମାନ । ତାର ବ୍ୟକ୍ତିତ୍ୱ ଦୃଢ଼ । କୌଣସି ପ୍ରକାର ପ୍ରଲୋଭନରେ ତାହା ଆକର୍ଷିତ ନୁହେଁ । ମାଗତା ତାକୁ ବାରମ୍ବାର ଉପେକ୍ଷା କରିଛି । ତଥାପି ସେ ଅବିବାହିତା ରହି ତାକୁହିଁ ଅପେକ୍ଷା କରିଛି । ମାଗ୍‌ତାର ପୁତ୍ରକୁ ସେ ଦେଇଛି ମାତୃତ୍ୱ । ପୁଲକି କିନ୍ତୁ ଯୌନ ସମ୍ଭୋଗରେ ଏକ ଚିର ଅତୃପ୍ତା ନାରୀ । କନ୍ଧର ସାରଲ୍ୟ ଓ ଧର୍ମ ବିଶ୍ୱାସ ଡମ୍ବର କପଟତା ଓ କୁଟିଳତା ଦ୍ୱାରା କିପରି ବିପର୍ଯ୍ୟସ୍ତ ହୋଇଛି ତାର ମନୋଜ୍ଞ ଚିତ୍ର ଏହି ଉପନ୍ୟାସରେ ପ୍ରଦତ୍ତ । ଏଥି ସହିତ ମଧ୍ୟ ଏଥିରେ ଅଛି ସାହୁକାରର ଶୋଷଣ, ଆଇନର ନିର୍ଦ୍ଦୋଷ ପ୍ରତି ଦଣ୍ଡ ବିଧାନ ଓ ଗୋତି ପ୍ରଥାର କରୁଣ ପରିଣତି ।

 

‘କାଡ଼୍ରାକା ଲେଲି’ (୧୯୫୯) କାହ୍ନୁଚରଣଙ୍କର ଆଉ ଏକ ଆଦିବାସୀ ସମାଜ ଭିତ୍ତିକ ଉପନ୍ୟାସ । ଏଥିରେ ଅଛି ଆଦିବାସୀ କନ୍ଧର ସତ୍ୟ ଓ ଧର୍ମ ପ୍ରତି ଅଟଳ ବିଶ୍ୱାସ । କୋରାପୁଟ ଜିଲ୍ଲାକୁ ବିନୋବାଭାବେ ଆସିବା ପରବର୍ତ୍ତୀ ସମୟର ଘଟଣା । ଆଦିବାସୀ ଗାଁରେ ବନ୍ଦୋବସ୍ତ ଚାଲିଥାଏ । ବିଲାନ୍‌ସିଲ ଗ୍ରାମକୁ ଯାଇଥାନ୍ତି ଅମିନ ରତ୍ନାକର ଦାସ । ସେ ଜମିଜମା ମାପି ଲୋକଙ୍କ ନାମରେ ରେକର୍ଡ କରୁଥାନ୍ତି । କାଡ଼୍ରାକା ବିରସାର ଘର ସେଇ ଗାଁରେ । ତାରି ଜମି ଉପରେ ଅମିନ ଉପସ୍ଥିତ । ସେହି ଜମିକୁ କାଡ଼୍ରାକା ବିରସା ନାମରେ ରେକର୍ଡ କରି ଅମିନ ତାର ବାପାଙ୍କ ନାମ ପଚାରିଲେ ମାତ୍ର ବିରସା ତା’ ବାପା ନାମ କହି ପାରି ନାହିଁ । ଅତି ପିଲା ଦିନରୁ ତାର ବାପାକୁ ବାଘ ଖାଇ ଯାଇଥିଲା । ମାଆର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ସେ ଆସି ବଢ଼ିଥିଲା ଗାଁ ନାଏକ ମାଣ୍ଡାଙ୍ଗି ଡମ୍ବ ଘରେ । ସେଇଠି ସେ ମାଣ୍ଡାଙ୍ଗି ଡମର ଝିଅ ସୋନ୍ନାକୁ ବିବାହ କଲା । ଶ୍ୱଶୁର ତାକୁ ସେଇ ଜମି ଖଣ୍ଡକ ଦେଇଥିଲେ । ସେ ମଧ୍ୟ ପରେ ଜଙ୍ଗଲ କାଟି ଜମି କରିଥିଲା । ଅମିନ ଯେତେବେଳେ ଖାନାପୁରୀ କଲା, ସେତେବେଳେ ସେ ତାର ବାପା ନାଁ ପଚାରିଲା । ସେ କିନ୍ତୁ ଜାଣେନା ତାର ବାପ ନାଁ କଣ ? କେହି ମଧ୍ୟ ଜାଣନ୍ତି ନାହିଁ । ତେଣୁ ସେ ନୀରବ ରହିଲା । ଏଣେ ଜମିର ଖାନାପୁରୀ ହୋଇ ପାରୁ ନାହିଁ । ବିରସା ଓ ତାର ପୁଅମାନେ ଅମିନକୁ ଅନୁରୋଧ କଲେ । ବହୁତ ଭାବିଚିନ୍ତି ଅମିନ ତାର ବାପା ନାଁ ବସେଇ ଦେଲେ କାଡ଼ାକା ଜଗନ୍ନା । ମାତ୍ର ଏହି ନାମଟି ସେ ଅଞ୍ଚଳର ସାହୁକାର କିନ୍ତାଲ ଜଗ୍ନାଥମ୍‌ର ଅପଭ୍ରଂଶ ନାଁ । ସାହୁକାର ସେଠି ଜଗନ୍ନା କୁମୁଟି ରୂପେ ପରିଚିତ । ସେ ଅତି ଖରାପ ଲୋକ । ସେପରି ଗୋଟାଏ ଲୋକର ନାଁ ନେବାକୁ ବିରସା ରାଜି ହେଲା ନାହିଁ । ତାର ପୁଣି ଭୟ ହେଲା ଯେ କାଳେ କୁମୁଟି ଜଗନ୍ନା ଆସି ତାର ଜମିକୁ ଦଖଲ କରିଯିବ । ତେଣୁ ସେ ଗାଁର ଡିସାରିକୁ କହିଛି ବେଜୁଣୀ ନଚେଇ ତାର ବାପା ନାଁ ଜାଣିବା ପାଇଁ । ଡିସାରି ନଚେଇଲା ବେଜୁଣୀ । ଠିକ୍‌ ଏହି ସମୟରେ ପାଖ ତେନ୍ତୁଳି ଗଛରୁ ତେନ୍ତୁଳି ପଡ଼ିଲା । କନ୍ଧ ଭାଷାରେ ତେନ୍ତୁଳିକୁ କୁହାଯାଏ ଲେଲି । ଡିସାରି କହିଲା କାଡ଼୍ରାକା ବିର୍‌ସାର ବାପା ନାଁ କାଡ଼୍ରାକା ଲେଲି । ଏହି ନାଁକୁ ସମସ୍ତେ ଗ୍ରହଣ କଲେ । ବିର୍‌ସା ମିଛ କହିଲା ନାହିଁ । ସମସ୍ତଙ୍କ ଉପସ୍ଥିତିରେ ବେଜୁଣୀ ଯେପରି ସର୍ବଜ୍ଞ ଭାବରେ ବିର୍‌ସାର ବାପା ନାଁ କହିଦେଲା । ସେହି ନାଁ ବନ୍ଦୋବସ୍ତରେ ଚଢ଼ିଲା । ଏହି ଉପନ୍ୟାସରେ ଜୀବନ-ସଂଘର୍ଷ ନାହିଁ; ଅଛି କେବଳ ସରଳ ଆଦିବାସୀ କନ୍ଧଙ୍କର ଶୁଚିପୂତ ଧର୍ମବିଶ୍ୱାସ ଓ ସତ୍ୟ ପ୍ରତି ଗଭୀର ନିଷ୍ଠା ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ପରଶୁରାମ ମୁଣ୍ଡା ମଧ୍ୟ ଆଦିବାସୀ ଜୀବନଧାରାକୁ ‘ମୂଲିଆପିଲା’, ‘ବସୁନ୍ଧରା ମାଟି’ (୧୯୮୧) ପରି କେତେଖଣ୍ଡ ଉପନ୍ୟାସ ରଚନା କରିଅଛନ୍ତି । ଏହି ଦୁଇଟି ଉପନ୍ୟାସରେ, କନ୍ଧ ଜୀବନର ନୂତନ ଜୀବନ-ଜିଜ୍ଞାସା ଫୁଟି ଉଠିଛି । ‘ବସୁନ୍ଧରା ମାଟି’ ଉପନ୍ୟାସରେ କଳାହାଣ୍ଡି ଜିଲ୍ଲାର କନ୍ଧ ଓ ଡମ୍ବମାନଙ୍କର ସାମାଜିକ ଜୀବନ ଓ ନୂତନ ପରିସ୍ଥିତି ସହିତ ଖାପ୍‌ ଖୁଆଇ ଜୀବନ-ନିର୍ବାହକୁ ବର୍ଣ୍ଣନା କରାଯାଇଅଛି । ଏହି ଉପନ୍ୟାସରେ ଆଦିବାସୀ ସମାଜ ଶୋଷିତ । ଶୋଷକ ହେଉଛି ଗଉଁତିଆ । ମାତ୍ର ଆଦିବାସୀ କନ୍ଧ ଶୋଷକମାନଙ୍କ ନିକଟରେ ନତମସ୍ତକ ହୋଇ ନାହାନ୍ତି । ସେମାନେ ସରଳ ଓ ଧର୍ମବିଶ୍ୱାସୀ, ଉଦାର ଓ ସହିଷ୍ଣୁ । ମାତ୍ର ସେମାନଙ୍କ ମାନସମ୍ମାନ ଉପରେ ଆଞ୍ଚ କେହି ଦେଲେ ସଙ୍ଗେ ସଙ୍ଗେ ସେମାନେ ତାର ଜବାବ ଦିଅନ୍ତି । ସ୍ୱାଭିମାନ ଓ ସ୍ୱାତନ୍ତ୍ର୍ୟବୋଧରେ ସେମାନେ ଦୀପ୍ତିମାନ । ସେମାନେ ମାଟିର ସନ୍ତାନ । ମାଟି ସେମାନଙ୍କର ମାଆ । କଳାହାଣ୍ଡିର କନ୍ଧମେଳି ସେହି ସ୍ୱାଭିମାନବୋଧର ଉଜ୍ଜ୍ୱଳ ନିଦର୍ଶନ । ଶୋଷକ ଗଉଁତିଆ ସେମାନଙ୍କୁ ଶୋଷଣ କରେ, ସବୁ ଜମିକୁ ନିଜେ ଦଖଲ କରେ, ସେମାନଙ୍କୁ ଭର୍ତ୍ସନା କରେ, ମାତ୍ର କନ୍ଧ ଯେତେବେଳେ ପ୍ରତିବାଦ କରେ ସେତେବେଳେ ସେ ଡରି ଯାଏ । ତାର ସବୁବେଳେ ଭୟ କନ୍ଧ ଦେହର ତାକତକୁ ।

 

ଉକ୍ତ ଉପନ୍ୟାସରେ ଚଇତନ ଓ ସେବତୀ, ଭୀମା ଓ ବାସ୍‌ମତୀ ପ୍ରେମ ଓ ସ୍ୱାଭିମାନ, ଉଦାରତା ଓ ମାନବିକତାର କମନୀୟ ଆଲେଖ୍ୟ । ଚଇତନ ଯୁବକ । ଗତି ତାର ଧର୍ମ । ଅନ୍ୱେଷା ତାର ମର୍ମ । ରକ୍ତ ଓ ଝାଳ ବୁହାଇ ତିଆରି କରିଥିବା ଜମିକୁ ଯେତେବେଳେ ଗଉଁତିଆ ନେଇଯାଇଛି ସେତେବେଳେ ସେ ଏକ ଆହତ ଅଭିମାନରେ ଗାଁ ଓ ପ୍ରିୟ ମଣିଷମାନଙ୍କୁ ଛାଡ଼ି ରାତ୍ରିର ଅନ୍ଧକାର ଭିତରେ ଚାଲି ଆସିଛି ନୂତନ ଜୀବନର ଅନୁସନ୍ଧାନରେ । ଜନୈକ ପ୍ରାଥମିକ ଶିକ୍ଷକଙ୍କ ସହାନୁଭୂତି ତାକୁ ବିହୋର କରିଛି । ସେ ଚାଲିଛି ଆଉ ଚାଲିଛି । ହାତରେ ଧନୁ ଓ ଟାଙ୍ଗିଆ । କଟିରେ ତୀର ମୁଣି । ବଳିଲା ବଳିଲା ଦେହ । ଶିକ୍ଷକଙ୍କଠାରୁ ଦରଖାସ୍ତ ଖଣ୍ଡେ ନେଇ ସେ ଆଗେଇ ଚାଲିଛି । କୌଣସି ପ୍ରଲୋଭନ ତାକୁ ଅଟକାଇ ପାରି ନାହିଁ । କ୍ଷୁଧା ତାକୁ ବିଚଳିତ କରି ପାରିନାହିଁ । ତାର ମନ ଓ ହୃଦୟରେ ସେବତୀର ପ୍ରେମ ହୋଇ ଉଠିଛି ଭାସ୍ୱର । ଭୀମ ଦାଦାର ମମତା ହୋଇ ଉଠିଛି ଜୀବନ୍ତ । ଘୁଟୁରୁଜାନିର ସ୍ନେହ ହୋଇ ଉଠିଛି ପ୍ରାଣବନ୍ତ । ବାଘ ଉପଦ୍ରୁତ ଚୂଡ଼ା ପର୍ବତ ପାଖରେ ସେ ଜଙ୍ଗଲ କାଟି ଜମି କରିଛି, ଘର କରିଛି । ମହାବଳ ବାଘକୁ ସେ ହତ୍ୟା କରିଛି । ‘ସଂସାରର ସବୁ ଦୁଃଖ, ସବୁ କଷଣ ଆଗରେ ସେ ଛିଡ଼ା ହେବ ଠିକ୍‌ ଗୋଟାଏ ମଣିଷ ପରି । ସେ କାହାକୁ ଡରିବ ନାଇଁ ଅଟଳ ମହାମେରୁ ପରି । ପୁରୁଷ ପୁରୁଷ ଧରି ତା’ ଆଗରେ ଛିଡ଼ା ହୋଇଥିବା ଏଇ ଚୂଡ଼ା ପର୍ବତ ପରି ସବୁଦିନ ଉପରକୁ ମୁଣ୍ଡ ଟେକିବ । ଦେହରେ ପଥର ପଡ଼ିଲେ ସେ ତାକୁ ଫୁଲ ମଣିବ । ଟେକି ନେଇ ରଖିବ ମଥାରେ । ତାର ଆଗରେ ଏଇ ଦୁନିଆର ଯେତିକି ଅନୀତି, ଅନାଚାର ଆସିବ, ସଭିଙ୍କୁ ପାଦରେ ଦଳି, ମାଡ଼ି, ଚକଟି ଚାଲିଯିବ ସେ ଆଗକୁ । ତା’ ଆଗରେ ପାହାଡ଼ଟିଏ ଠିଆ ହେଲେ ବି ସେ ତାର ଲୁହା ପରି ବାହୁର ଟାଣ ବିଧାରେ ଭାଙ୍ଗି, ଚୂରି, ଧୂଳି କରିଦେବ ।’ (୫୫)

 

୫୫.

ବସୁନ୍ଧରାର ମାଟି-ପୃ ୧୧୭ ।

 

ଘୁଟ୍‌ନାବାହେଲି ଗାଁର କନ୍ଧ ସୁଖବାସୀ (ଭୂମିହୀନ) । ଗଉଁତିଆର ଶୋଷଣ ଓ ଅତ୍ୟାଚାରରେ ସେମାନେ ଜର୍ଜରିତ । ଗଉଁତିଆର ଅର୍ଥ ଅଛି । ତେଣୁ ପୋଲିସ ତାର ଅକ୍ତିଆର ଭିତରେ । ବିଚରା କନ୍ଧ ନା ଅଛି ଜମି, ନା ଅଛି ଅର୍ଥ । ଚଇତନ ଗାଁ ଛାଡ଼ି ଚାଲିଗଲା ପରେ ସମସ୍ତେ ତାକୁ ଖୋଜିଛନ୍ତି । ଗଉଁତିଆକୁ ପଚାରିଛନ୍ତି । ମାତ୍ର ଗଉଁତିଆ ସେମାନଙ୍କୁ ଧମକେଇଛି । ସରଳ କନ୍ଧ ଦେଇଛି ଅଭିଶାପ । ଗଉଁତିଆ ମରିଛି ସର୍ପାଘାତରେ । ଭୀମା ଯାଇଛି ଚଇତନକୁ ଖୋଜିବା ପାଇଁ । ସେ ଚଇତନକୁ ପାଇଛି ଚୂଡ଼ାପର୍ବତ ପାଖରେ । ସେ ଖୁସି ହୋଇଛି ଚଇତନର ସାହସ କାର୍ଯ୍ୟରେ । ତା’ପରେ ସେମାନେ ଯାଇଛନ୍ତି ଭବାନିପାଟଣା ତହସିଲଦାରଙ୍କ ପାଖକୁ । ଜମି ପଟା ଆଣିଛନ୍ତି । ଦୁଇଭାଇ ଜଙ୍ଗଲ କାଟି ଜମି କରିଛନ୍ତି । ଘର ତୋଳିଛନ୍ତି । ତାପରେ ଘୁଟୁନାବାହେଲି ଗାଁର ସବୁ କନ୍ଧ ଆଉ ଡମ୍ବ ଚାଲି ଆସିଛନ୍ତି ସେଠିକୁ । ନୂଆ ଜାଗା, ନୂଆ ଜମି, ନୂଆ ଜୀବନ ସମସ୍ତଙ୍କୁ ବିଭୋର କରିଛି । ଚଇତନ ବିବାହ କରିଛି ସେବତୀକୁ, ଭୀମା ବିବାହ କରିଛି ବାସ୍‌ମତୀକୁ । ସେମାନେ ଗୋଟିଏ ଜାତି । ସମସ୍ତେ ମାଟି ମାଆର ସନ୍ତାନ । କାହାରି ଭିତରେ ଭେଦ ରହିଲା ନାହିଁ । ସମସ୍ତେ କଲେ କୋଠ ଚାଷ । ସ୍କୁଲ ବସେଇଲେ । ପାଠ ପଢ଼ିଲେ କନ୍ଧ ପିଲା । ନୂତନ ସଂସ୍କାର ଭିତରେ ହେଲା ସେମାନଙ୍କର ପ୍ରଗତି । ପ୍ରତିଷ୍ଠିତ ହେଲା ଏକ ନୂତନ ଶୋଷଣ ମୁକ୍ତ ସାମ୍ୟସମାଜ । ସେହି ସମାଜରେ ମଦ୍ୟପାନ ଓ ଗଞ୍ଜେଇ ପାନ ହେଲା ନିଷିଦ୍ଧ । ସମସ୍ତଙ୍କର ଯୋଗ ହେଲା ଗୋଟିଏ ଯୋଗ-କର୍ମଯୋଗ । ଏହି ସମାଜ ବିଶ୍ୱାସ କଲା ମାଟି ରାଜାର ନୁହେଁ, ସାହୁକାରର ନୁହେଁ । ‘‘ଯେ ମାଟିର ସେବା କରିପାରିଲା, ସେ ତାର । ଏଇ ଉକିଆ, ପାଣି, ପବନ ପରି ମାଟି ବି ସଭିଙ୍କର । ସମସ୍ତଙ୍କ ପେଟ ପୂରିଲେ ମାଟି ଖୁସି ହେବ । ମାଟି ଖୁସି ହେଲେ ଧରିତ୍ରୀ ଖୁସି ହେବ, ଧରିତ୍ରୀ ଖୁସି ହେଲେ ବେଳ କାଳ ଦେଖି ମେଘ ବରଷିବ, ଖରା ହେବ, ଶୀତ ହେବ, ଖରାରେ ମାଟି ପୋଡ଼ିବ, ବର୍ଷାରେ ଉଲ୍ଲସିବ, ଶୀତରେ ଯୋଡ଼ି ଯୋଡ଼ି ହୋଇ, ଘୋଡ଼ି ଘାଡ଼ି ହୋଇ ଆନନ୍ଦରେ ହସିବେ ।’’ (୫୬) ଏହି ସମାଜରେ ରାଗ ଅହଂକାର ରହିଲା ନାହିଁ-। ମାଟି ହେଲା ସମସ୍ତଙ୍କର । କେହି ଏକୁଟିଆ ତାକୁ ଭୋଗ କରିପାରିବେ ନାହିଁ । ଏହି ନୂଆ ଗାଁ ନାଁ-। ହେଲା ବୟୋଜ୍ୟେଷ୍ଠ ବ୍ୟକ୍ତି ଘୁଟୁର ଯାନିର ନାମ ଅନୁସାରେ ଘୁଟୁର ବାହେଲ । ଏ ଗାଁରେ ଦୁଃଖ ନାହିଁ, ଗରିବ ପଣିଆ ନାହିଁ । ଛାତି ଉଲୁସା ଭାବ, ଭାଇପଣିଆ ସମସ୍ତଙ୍କୁ ବିଭୋର କଲା । ସମସ୍ତେ ଖଟିଲେ, ସମସ୍ତେ ଖାଇଲେ । ଚାଷ କାର୍ଯ୍ୟ ସାଙ୍ଗକୁ ସେଠି ଗଢ଼ି ଉଠିଲା କେତେ ରକମର ହସ୍ତଶିଳ୍ପ-। ‘ବସୁନ୍ଧରା ମାଟି’ର ଆହ୍ୱାନ ନୂତନ ଭୂସଂସ୍କାର ନୀତି ଭିତ୍ତିରେ ପରିକଳ୍ପିତ । ‘ଚାଷ ଯାର, ଜମି ତାର, ନ୍ୟାୟ ଉପରେ ଏହା ପ୍ରତିଷ୍ଠିତ । ପ୍ରୀତି ଓ ମମତା ତ୍ୟାଗ ଓ ମାନବିକତାର ଏହି ଉପନ୍ୟାସ ଏକ ପରିପୂର୍ଣ୍ଣ ଅଭିବ୍ୟକ୍ତି । ବ୍ୟକ୍ତି-ସ୍ୱାର୍ଥ ନୁହେଁ, ସମୂହ ସମାଜ-ସ୍ୱାର୍ଥ ଏହାର ଆଦର୍ଶ । ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ଏକ ମାନବ ସମାଜ ଗଠନ ଏହାର ଲକ୍ଷ୍ୟ । ୧୯୭୦ ମସିହା ପରବର୍ତ୍ତୀ ପ୍ରଶାସନିକ, ସାମାଜିକ ଓ ରାଜନୀତିକ ପରିବର୍ତ୍ତନର ଏହା ଏକ ଆଦର୍ଶ ଭିତ୍ତିକ ଇସ୍ତାହାର ।

 

୫୬.

ବସୁନ୍ଧରାର ମାଟି-ପୃ ୧୬୭/୧୬୮ ।

 

ଅନ୍ୟତମ ଔପନ୍ୟାସିକ ନାରାୟଣ ମହାପାତ୍ରଙ୍କର ‘କାଡ଼େ ଗୋମାଙ୍ଗ’ (୧୯୮୧) ଓ ‘କାହାଣୀ : ସବୁଜ ଉପତ୍ୟକାର’ (୧୯୮୫) ଦୁଇଟି ମଧ୍ୟ ସେହି ଆଦିବାସୀ ସମାଜର ଭାବ ଭାବନା ଓ ଜୀବନ-ସଂଘର୍ଷକୁ ନେଇ ରଚିତ । ‘କାଡ଼େ ଗୋମାଙ୍ଗ’ ପ୍ରୀତି ଓ ମମତା, ଆଦର୍ଶ ଓ ମାନବିକତାର ଆଲେଖ୍ୟ ହୋଇଥିଲା ବେଳେ, ‘କାହାଣୀ : ସବୁଜ ଉପତ୍ୟକାର’ ସଂଘର୍ଷ ଓ ସଂଘାତ, ଦୁଃଖ ଓ ଯନ୍ତ୍ରଣା, ଉତ୍ତାପ ଓ ଆଲୋକର ଅଭିବ୍ୟକ୍ତି ହୋଇଅଛି । କୋରାପୁଟ ଜିଲ୍ଲାର ଗୁଣପୁର ସହରଠାରୁ ଷାଠିଏ ମାଇଲ ଦୂରରେ ଚନ୍ଦ୍ରପୁର ଜଙ୍ଗଲ ଭିତରେ ଆଦିବାସୀ ପଲ୍ଲୀ । ସବୁ ଦୁଃଖ କଷ୍ଟ ଅଭାବ ଅସୁବିଧା ଭିତରେ ସରଳ ଆଦିବାସୀମାନେ ଧରଣୀ ଦେବୀଙ୍କୁ ପୂଜା କରି ଜୀବନ କଟାନ୍ତି । ସେହି ଆଦିବାସୀ ଗାଁର ମୁଖିଆ ବ୍ୟକ୍ତି କାଡ଼େ ଗୋମାଙ୍ଗ । ଦୁଇବର୍ଷ ତଳେ ତାର ପତ୍ନୀ ବିୟୋଗ ହୋଇ ଯାଇଥିଲା । ତା’ର ସଂସାରରେ ଏକମାତ୍ର ସାନ ଝିଅଟିଏ-ସୁକି । ସେଇ ଝିଅଟିକୁ ନେଇ ତାର ଜୀବନ ଯାତ୍ରା । ହୃଦୟର ସମସ୍ତ ସ୍ନେହ ମମତାକୁ ସେ ଅଜାଡ଼ି ଦିଏ ଝିଅ ଉପରେ । ଏକଦା ସେ ଗାଁର ଅନ୍ୟମାନଙ୍କ ପରି ଗାଁ ଛାଡ଼ି ଝିଅକୁ ସାଙ୍ଗରେ ନେଇ ବାହାରିଗଲା ଜୀବନ ସଂଗ୍ରାମ ପଥରେ । ବାଟରେ ସେ କେତେ ଆଦିବାସୀଙ୍କଠାରୁ ଖାଇବାକୁ ପାଇଛି । ସରକାରୀ ସାହାଯ୍ୟ କେନ୍ଦ୍ରରେ ମଧ୍ୟ ସେମାନେ କିଛି ଖାଇବାକୁ ପାଇଛନ୍ତି । ଅବଶେଷରେ କାଡ଼େ ଗୋମାଙ୍ଗ ଆସି ପହଞ୍ଚିଛି ଗୁଣପୁର ସହରରେ । ସେଇଠି ସେ ଡାକ୍ତର ଭବାନୀଶଙ୍କର ପଟ୍ଟନାୟକଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହେଲା । ଡାକ୍ତରବାବୁ ତାକୁ ନେଇ ଚିକିତ୍ସା କଲେ ଏବଂ ସେହି ଡାକ୍ତରଙ୍କ ପାଖରେ ସେ ରହି କାମଦାମ କଲା । ବାପଝିଅ ବେଶ୍‌ ଆନନ୍ଦରେ ସମୟ କାଟିଲେ । କାଡ଼େ ଗୋମାଙ୍ଗ ବଗିଚାରେ କାମ କରେ । ଫାଟକ ଖୋଲେ ଓ ଫାଟକ ବନ୍ଦ କରେ । ସାଙ୍ଗରେ ଥାଏ ତାର ଝିଅ ସୁକି । ଡାକ୍ତରବାବୁଙ୍କ ଏକମାତ୍ର ପୁତ୍ର ପ୍ରତାପ କ୍ରମେ ଭଲ ପାଇ ବସିଲା କାଡ଼େ ଗୋମାଙ୍ଗକୁ ଓ ତାର ଝିଅ ସୁକିକୁ । ସୁକି ଆଉ ପ୍ରତାପ ସାଙ୍ଗ ହୋଇ ଖେଳନ୍ତି । ଡାକ୍ତରବାବୁଙ୍କ ପତ୍ନୀ ଚନ୍ଦ୍ରିକା ଦେବୀଙ୍କୁ ଏସବୁ ଭଲ ଲାଗେ ନାହିଁ । ସାମାନ୍ୟ ଗୋଟାଏ ଆଦିବାସୀ ଝିଅ ସହିତ ତାଙ୍କର ପୁଅର ମିଳାମିଶାକୁ ସେ ପସନ୍ଦ କରନ୍ତି ନାହିଁ । ଯେତେ ଆକଟ କଲେ ମଧ୍ୟ ପ୍ରତାପ କିନ୍ତୁ ମାନେ ନାହିଁ ।

 

ପ୍ରତାପ ବଡ଼ଲୋକଙ୍କ ପୁଅ । ମାତ୍ର ତାର ମନ ଭିତରେ ସେପରି ଅଭିମାନ ନଥାଏ । ସେ ସୁକିକୁ ପାଠ ପଢ଼ାଇଲା । ଇଂରାଜୀ ଓ ଓଡ଼ିଆ ଶିଖାଇଲା । ନିଜର ପୋଷାକ ତାକୁ ପିନ୍ଧିବାକୁ ଦେଲା । ନିଜ ସ୍କୁଲକୁ ସେ ସୁକିକୁ ନେଇଗଲା । ଏସବୁ ଘଟଣା ଚନ୍ଦ୍ରିକା ଦେବୀକୁ ଭଲ ଲାଗିଲା ନାହିଁ । ତାଙ୍କର ମନେ ମନେ କ୍ରୋଧ ପ୍ରକାଶ ପାଉଥାଏ । ଏକଦା ପ୍ରତାପ ଓ ସୁକି ବଗିଚାରେ ଖେଳୁଥିଲା ବେଳେ ପ୍ରତାପ ପଡ଼ିଗଲା । ତାର ମୁଣ୍ଡରୁ ରକ୍ତ ବହିଲା । ଚନ୍ଦ୍ରିକା ଦେବୀ ଦଉଡ଼ି ଆସି ସୁକିକୁ ଗୋଇଠା ପକାଇଲେ । ତାକୁ ନାନା ଭର୍ତ୍ସନା କଲେ । କାଡ଼େ ଗୋମାଙ୍ଗ ଝିଅକୁ ବୁଝାଇଲା । ଆଖିରୁ ତାର ଲୁହ ଝରିଲା । ମାଆ ଛେଉଣ୍ଡ ଝିଅକୁ ଦିନେ ହେଲେ ସେ ମାରି ନଥିଲା । ଆଜି ତାରି ଆଗରେ ଚନ୍ଦ୍ରିକାଦେବୀ ତାକୁ ମାଇଲେ । ତାର ମନ ଭିତରେ ଦେଖାଗଲା ତୀବ୍ର ଯନ୍ତ୍ରଣା । ସେହିଦିନ ରାତ୍ରିରେ ଝିଅକୁ ସାଙ୍ଗରେ ଧରି ଚାଲିଗଲା ନିଜ ଗାଁକୁ । ପ୍ରତାପ ସକାଳୁ ଯାଇ ସୁକିକୁ ଖୋଜିଲା । ମାତ୍ର ସୁକି ନାହିଁ । ଗୋମାଙ୍ଗ ମଧ୍ୟ ନାହିଁ । ସୁକି ଲେଖି ଦେଇଯାଇଥିବା ଚିଠି ଖଣ୍ଡକ ପଢ଼ିଲା ପ୍ରତାପ । ତାର ମନ ଭିତରେ ସୃଷ୍ଟି ହେଲା ତୀବ୍ର ପ୍ରତିକ୍ରିୟା । ସେ ସ୍କୁଲକୁ ଗଲା ମାତ୍ର ସେ ସେଠାରୁ ସିଧା ବସ୍‌ରେ ବସି ଚାଲିଗଲା ଚନ୍ଦ୍ରପୁର । ବହୁ କଷ୍ଟ ଓ ଯନ୍ତ୍ରଣା ସହି ଜଙ୍ଗଲ ରାସ୍ତାରେ ଚାଲି ଚାଲି ପ୍ରତାପ ଆସି ପହଞ୍ଚିଗଲା । ଚନ୍ଦ୍ରପୁରର ଆଦିବାସୀ ଗାଁରେ । ସୁକି ପ୍ରତାପକୁ ପାଇ ଆନନ୍ଦରେ ଅଧୀର ହୋଇ ପଡ଼ିଲା । କାଡ଼ା ଗୋମାଙ୍ଗ ମଧ୍ୟ ଖୁବ୍‌ ଖୁସି ହେଲା । ଆଦିବାସୀମାନଙ୍କର ଚଳଣୀ ଓ ସ୍ନେହ ମମତା ପ୍ରତାପକୁ ଅଭିଭୂତ କଲା । ସେ କାଡ଼ା ଗୋମାଙ୍ଗକୁ କହିଲା-‘‘ଆମେ ସବୁ ଭେଜାଲ ଜିନିଷ ଖାଇ, ଭେଜାଲ ଜିନିଷ ବ୍ୟବହାର କରି, ଭେଜାଲ ହୋଇ ଗଲୁଣି । ମଉସା, ଆମେ ସହରର ଲୋକେ ହସିଲେ କୃତ୍ରିମ ହସ ହସୁ, ସେ ହସରେ ଆନ୍ତରିକତା ନାହିଁ । ଚାହିଁଲେ କୃତ୍ରିମ ଚାହାଣୀ ଚାହୁଁ । ସେ ଚାହାଣି ଭିତରେ ନିଜର ସ୍ୱାର୍ଥ ଅନ୍ୟର ସମ୍ପତ୍ତି ମାରି ନେଇ ବଡ଼ଲୋକ ହେବା, ଅନ୍ୟକୁ ବିପଦରେ ପକାଇବା ପ୍ରଭୃତି ଅମାନୁଷିକ ଇଙ୍ଗିତ ରହେ । ଆମେ ତୁଣ୍ଡରେ ଅନ୍ୟକୁ ଭଲ ପାଉଛୁ, ସ୍ନେହ ଶ୍ରଦ୍ଧା କରୁଛୁ ବୋଲି କହୁଛୁ, ମାତ୍ର ଅନ୍ତରରେ ତା’ପ୍ରତି ଘୃଣା, ତାତ୍ସଲ୍ୟ, ବ୍ୟଙ୍ଗ ଥଟ୍ଟା ପୂରି ରହିଛି । କି ସେସବୁ ଏଠାରେ ନାହିଁ । ଏଠାର ମଣିଷ ଖାଣ୍ଟି ମଣିଷ । ସେମାନଙ୍କର ଅନ୍ତର ଯାହା ବାହାର ମଧ୍ୟ ସେୟା । କଥା ଯାହା କାମ ମଧ୍ୟ ସେୟା । ଜଣକର କାହାରି ଆପଦ ପଡ଼ିଲେ ସମସ୍ତେ ତାକୁ ନିଜର ବୋଲି ଭାବନ୍ତି ।’’ (୫୭) ପ୍ରତାପକୁ ଭଲ ଲାଗିଛି ଆଦିବାସୀ ସମାଜର ଚାଲିଚଳଣୀ ଓ ବ୍ୟବହାର । ଆରଣ୍ୟକ ପ୍ରକୃତି ମଧ୍ୟ ତାକୁ ବିଭୋର କରିଛି । ସେ ସୁକି ସହିତ ବୁଲୁଛି । ହାତୀ ପିଠିରେ ବସିଛି । ଗଛ, ଲତା, ଜୀବ ଜନ୍ତୁ, ହାତୀ, ଆଦିବାସୀ ସମସ୍ତେ ଯେପରି ହୋଇଯାଇଛନ୍ତି ତା’ର ଆପଣାର । ସେ ସମସ୍ତ ଆଦିବାସୀମାନଙ୍କୁ ମତାଇ ପୋଖରୀ ଖୋଳାଇଛି । ପୋଖରୀରେ ପାଣି ପଡ଼ିଛି । ପୋଖରୀ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ହୋଇଛି ।

 

୫୭.

କାଡ଼ା ଗୋମାଙ୍ଗ-ପୃ ୧୨୦ ।

 

ଏଣେ ପ୍ରତାପକୁ ନପାଇ ଭବାନୀଶଙ୍କର ବାବୁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ଚନ୍ଦ୍ରିକା ଦେବୀଙ୍କ ଅବସ୍ଥା ହୋଇଛି ଶୋଚନୀୟ । ପୋଲିସରେ ଖବର ଦିଆଯାଇଛି । ଖବର କାଗଜରେ ପ୍ରତାପର ଫଟୋ ବାହାରିଛି । ପୋଲିସ ଖୋଜିଛି କାଡ଼ା ଗୋମାଙ୍ଗ ଓ ତାର ଝିଅକୁ । ହାଟରେ ଆଦିବାସୀମାନେ ଏକଥା ଜାଣିଲେ । ଗୋମାଙ୍ଗ ଓ ସୁକି ବ୍ୟସ୍ତ ହୋଇ ପଡ଼ିଲେ କ’ଣ କରିବେ ? ପୋଲିସ ସେମାନଙ୍କୁ ବାନ୍ଧିନେଇଯିବ । ସୁକି ଚିଠି ଦେଇ ଜଣେ ଆଦିବାସୀ ଯୁବକକୁ ପଠାଇ ଦେଲା ଗୁଣପୁର ଡାକ୍ତର ଭବାନୀଶଙ୍କର ବାବୁଙ୍କ ପାଖକୁ । ଡାକ୍ତର ଖବର ପାଇ ସସ୍ତ୍ରୀକ ଚନ୍ଦ୍ରପୁର ଆସିଲେ । ପୋଲିସ ଆଗରୁ ଆସି କାଡ଼େ ଗୋମାଙ୍ଗକୁ ବାନ୍ଧି ନେଲେ । ସୁକି ମଧ୍ୟ ଗିରଫ ହେଲା । ସେମାନଙ୍କ ସହିତ ଯାନି ଓ ଅନ୍ୟାନ୍ୟ ଆଦିବାସୀ ଲୋକେ ମଧ୍ୟ ଗିରଫ ହେଲେ । ପ୍ରତାପକୁ ବଳି ପକାଇବାକୁ ଯୋଜନା ହୋଇଥିଲା ବୋଲି ପୋଲିସ କାଗଜପତ୍ର ପ୍ରସ୍ତୁତ କଲେ । ଠିକ୍‌ ଏହି ସମୟରେ ଭବାନୀଶଙ୍କର ବାବୁ, ଚନ୍ଦ୍ରିକା ଦେବୀ, ଏସ୍‌ ଡ଼ି. ଓ ସରୋଜବାବୁ ଓ ତାଙ୍କର ପତ୍ନୀ ନିର୍ମଳାଦେବୀ ପ୍ରମୁଖ ପହଞ୍ଚିଗଲେ । ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଗଲା । ସମସ୍ତ ଆଦିବାସୀ ମୁକ୍ତ ହେଲେ । ପୋଖରୀ ପ୍ରତିଷ୍ଠା ହେଲା । ନାଚ ଗୀତରେ ଗାଁ ଉଛୁଳି ଉଠିଲା । ଭବାନୀଶଙ୍କର ବାବୁ ସେଠାରେ ଗୋଟିଏ ଡାକ୍ତରଖାନା ଖୋଲି ଲୋକଙ୍କ ସେବା କରିବାକୁ କହିଲେ । ଚନ୍ଦ୍ରିକାଦେବୀ ମଧ୍ୟ ସେହିଠାରେ ପ୍ରତାପ ପ୍ରତିଷ୍ଠିତ ସ୍କୁଲର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଲେ । ସୁକି ଓ କାଡ଼ା ଗୋମାଙ୍ଗଙ୍କୁ ସାଙ୍ଗରେ ନେଇ ସେମାନେ ଆସିଲେ ଗୁଣପୁର ।

 

ଏହି ଉପନ୍ୟାସରେ କେତେକ ଅଲୌକିକ ଘଟଣାର ବର୍ଣ୍ଣନା ଅଛି । ମାତ୍ର ଏହା ଆଦିବାସୀ ଜୀବନର ସରଳ ଭାବଧାରାର ପରିଚୟ ଦିଏ । ବାତ୍ସଲ୍ୟ ମମତା ଓ ସେହି ମମତାଜନିତ ଚିତ୍ତ-ସଂଘର୍ଷ ଏହି ଉପନ୍ୟାସଟିକୁ ସୁଖପାଠ୍ୟ କରିଛି । ଆଦର୍ଶ ଭିତରେ ଆଦିବାସୀର ସ୍ୱାଭିମାନ ଓ ଅନାବିଳ ପ୍ରେମ ମମତାକୁ ପ୍ରକାଶ କରାଯାଇଛି । ମାନବିକତାର ହୋଇଛି ମୁଗ୍‌ଧ ବନ୍ଦନା । ଅଭିଜାତ ମଣିଷର ହୃଦୟ ପରିବର୍ତ୍ତନ ଏହାର ଅନ୍ତର୍ନିହିତ ବାଣୀ ।

 

‘କାହାଣୀ : ସବୁଜ ଉପତ୍ୟକାର’ ଉପନ୍ୟାସରେ ଲେଖକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସରକାରୀ ଯୋଜନା ଦ୍ୱାରା ଆଦିବାସୀ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାହା ବାହ୍ୟ ବୋଲି ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦାରିଦ୍ର୍ୟକୁ ଈଶ୍ୱରଦତ୍ତ ନକହି ମନୁଷ୍ୟକୃତ ରୂପେ ଅଭିହିତ କରିଅଛନ୍ତି । ବିଭିନ୍ନ ଲାଭଖୋର ବ୍ୟବସାୟୀ, ସାହୁକାର ଓ ସରକାରୀ କର୍ମଚାରୀମାନେ ସେମାନଙ୍କୁ କିପରି ନାନା ଭାବରେ ଶୋଷଣ କରନ୍ତି ତାର ଚିତ୍ର ମଧ୍ୟ ସେ ବାସ୍ତବବାଦୀ ଦୃଷ୍ଟିକୋଣରୁ ପ୍ରଦାନ କରି ଅଛନ୍ତି । ଘାଟଘୁମର ଘାଟି ଭିତରେ ମହୁଲଭଟା ଗ୍ରାମ । ସେହି ଗ୍ରାମର ଗରିବ ଆଦିବାସୀ ଝିତୃ ମାଝୀର ଘର । ତାର ସ୍ତ୍ରୀ ଫୁଲମତୀକୁ ଭାଲୁ ଖାଇଦେଲା ପରେ, ଘରେ ସେ, ତାର ପୁଅ ସନିଆ ଓ ଝିଅ ଶୁକ୍ରୀହିଁ ରହନ୍ତି । ସ୍ତ୍ରୀକୁ ଭଲ କରିବା ପାଇଁ ସାହୁକାର ଘରୁ ସେ ଦୁଇଶହ ଟଙ୍କା କରଜ ଆଣିଥିଲା । ଫଳରେ ସେ ନିଜେ ହେଲା ସାହୁକାର ଶୁକଧର ଜାମୁଗୋଛିଆ ଘରେ ଗୋତି । ଘରେ ରହିଲେ ଶୁକ୍ରୀ ଓ ସନିଆ । ଅନ୍ୟାନ୍ୟ ପରଜାମାନଙ୍କ ସହିତ ସନିଆ ମଧ୍ୟ ବଣକୁ ଯାଏ କାଠ ହାଣି ଅଥବା ଅନ୍ୟ କିଛି କାମ କରିବା ପାଇଁ-। ଏଣେ ସାହୁକାର ନିରୀହ ଆଦିବାସୀମାନଙ୍କର ଜମିକୁ ଶୋଷଣ କଲା ଏବଂ ସେମାନଙ୍କୁ ଗୋତି ଖଟାଇଲା । ସବୁବେଳେ ସେ ଗୋତିମାନଙ୍କ ଉପରେ ବିରକ୍ତ । ସାହୁକାରିଆଣୀ ଯମୁନା ତାଙ୍କୁ କହେ ତାର ସାନଭାଇ ଦୁର୍ଯ୍ୟୋଧନକୁ ଆଣି ପାଖରେ ରଖିଲେ ସେ କାମଦାମ ବୁଝିବ । ସାହୁକାର ଜାଣନ୍ତି ଯେ ଦୁର୍ଯ୍ୟୋଧନ ଚୋରିକରେ, ମଦଖାଏ, ପରଝିଅ ବୋହୂଙ୍କ ପ୍ରତି ଦୃଷ୍ଟିଦିଏ, ଜୁଆ ଖେଳେ । ବିଧବା ଶାଶୁର ଅବସ୍ଥା ମଧ୍ୟ ଭଲ ନୁହେଁ । ପତ୍ନୀ ଯମୁନାଦେବୀଙ୍କ କଥା ଅନୁସାରେ ସେ ଶାଶୁ ଓ ଶଳାଙ୍କୁ ନିଜ ଘରକୁ ଆଣିଲା । ସେହି ଦୁର୍ଯ୍ୟୋଧନ ହେଲା ତାର କାଳ। ଫକୀରମୋହନ ସେନାପତିଙ୍କର ‘ମାମୁ’ ଉପନ୍ୟାସର ମଙ୍ଗଳା ଦେଈ ଓ ରାଘୋ ମହାନ୍ତି ପରି ଏହି ଦୁଇଟି ଚରିତ୍ର । ତେବେ ରାଘୋ ମହାନ୍ତି ନିର୍ବୋଧ ମାତ୍ର ଦୁର୍ଯ୍ୟୋଧନ ଧୂର୍ତ୍ତ ।

 

ଶନିଆ ବଣ ଜଙ୍ଗଲରେ କଠୋର ପରିଶ୍ରମ କରେ । ପଇସା ରଖେ । ତାର କ୍ରମେ ପ୍ରେମସମ୍ପର୍କ ବିକାଶଲାଭ କରିଛି ମେଳିଆ ପୁଟ ଗ୍ରାମର ସିଧୁ ଡଙ୍ଗରିଆ ଝିଅ ଗୁରୁବାରୀ ସହିତ । ଶୁକ୍ରୀ ଘରେ ରହେ । ଭାଇ ସହିତ ଅଳି ଅଝଟ କରେ । ଘୁଷୁରୀ ଛୁଆ, କୁକୁଡ଼ା ଛୁଆ ପାଳେ । ଅନ୍ୟ ପକ୍ଷରେ ଝିତୃମାଝୀ ସାହୁକାର ଘରେ କଠୋର ପରିଶ୍ରମ କରେ । ସାଙ୍ଗରେ ଥାଏ ସନୁପର୍ଜା-। ଝିତୃ ମାଝୀ ସହିଷ୍ଣୁ । ଧର୍ମ ଉପରେ ନିର୍ଭର କରେ । ସନୁପର୍ଜା କିନ୍ତୁ ସାହୁକାରର କଥାରେ ପ୍ରତିବାଦ କରେ । ଦୁର୍ଯ୍ୟୋଧନକୁ ରୋଷ କଷାୟିତ ଦୃଷ୍ଟିରେ ଅନାଏ । ଝିତୃ ମାଝୀ ଓ ସନୁପର୍ଜା ଶଗଡ଼ ନେଇ ସାହୁକାର ପାଇଁ କାଠ କାଟି ବଣରୁ ଆଣୁଥିଲା ବେଳେ ଝିତୃମାଝୀ ଉପରେ ଶଗଡ଼ ମାଡ଼ିଯିବାରୁ ତାର ଅଣ୍ଟାର ହାଡ଼ ଭାଙ୍ଗିଗଲା । ତାକୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଶନିଆ ଓ ଶୁକ୍ରୀ ଖବର ପାଇ ଡାକ୍ତରଖାନାକୁ ଗଲେ । ବାପାର ଅବସ୍ଥା ଦେଖି କାନ୍ଦି ପକେଇଲେ । ଶନିଆ ପୁଣି ଗାଁକୁ ଆସି ଗୁରୁବାରୀଠାରୁ ଟଙ୍କା ନେଇ ଡାକ୍ତରଖାନାକୁ ଯାଇଛି । ମନ ମୁଦୁଲି ସହିତ ତାର ବାପାକୁ କାନ୍ଧେଇ ଗାଁକୁ ନେଇ ଆସିଛି । ଝିତୃ ମାଝୀ ହୋଇଛି ଅକର୍ମଣ୍ୟ । ଶନିଆ କିନ୍ତୁ ଦବିଲା ନାହିଁ । ସେ ଜଙ୍ଗଲ କାଟି ଫସଲ କଲା । ମନ ମୁଦୁଲି ତାକୁ ସାହାଯ୍ୟ କଲା । କିଛିଦିନ କଟେଇ ସାହୁକାର ଆସି ପହଞ୍ଚିଲା ଝିତୃ ମାଝୀ ଘରେ । ସାଙ୍ଗରେ ଦୁର୍ଯ୍ୟୋଧନ । ସେମାନେ ଶୋଷକ । ଅର୍ଥହିଁ ସେମାନଙ୍କର ସବୁ କିଛି । ଝିତୃ ମାଝୀକୁ ସାହୁକାର ଧମକେଇଲେ ଟଙ୍କା ପରିଶୋଧ କରିଦେବାକୁ । ନହେଲେ ତାର ପୁଅ ଶନିଆକୁ ଗୋତି ଖଟିବା ପାଇଁ ପଠାଇବାକୁ କହିଲେ । ଝିତୃ ମାଝୀ ଦରିଦ୍ର ଅସହାୟ ପରିବାରରେ ଖେଳିଯାଇଛି ଦୁଃଖର ଲହରୀ । ସେ ଶନିଆକୁ ବୁଝାଇଛି-‘ଆମେ ଆଦିବାସୀ, ବନବାସୀ, ପର୍ବତ, ଜଙ୍ଗଲବାସୀ । କାହାରି କଡ଼ା କଥା ପଦେ ସହିବାନି । କାହାରି ଧାରୁଆ ହୋଇ ରହିବାନି । ମିଛ କହିବା ପାପ । ଅସତ୍ୟ ହେବା ପାପ । ସାହୁକାରର ଟଙ୍କା ଧାରିଥାଇଁ । ଆମକୁ ଶୁଝିବାକୁ ପଡ଼ିବ । ତୁ ଗୋତିକୁ ଯାଆ ଶନିଆ । ମୁଁ ଅଣ୍ଟା ସାମାନ୍ୟ ସଳଖିଲେ ତୁ ଚାଲି ଆସିବୁ ।’ (୫୮) ଶନିଆର ଯୁବକ ମନ ଭିତରେ ଦେଖାଦେଇଛି ପ୍ରତିକ୍ରିୟା । ସେ ଧର୍ମ ଓ ଠାକୁରଙ୍କ ଉପରୁ ଆସ୍ଥା ହରେଇଛି, ମାତ୍ର ଝିତୃ ମାଝୀ ବିଶ୍ୱାସ କରିଛି ଠାକୁରଙ୍କ ଉପରେ ।

 

୫୮.

କାହାଣୀ : ସବୁଜ ଉପତ୍ୟକାର-ପୃ ୧୦୪ ।

 

ଶନିଆ ହେଲା ଗୋତି । ସନୁପର୍ଜା ଶନିଆକୁ ପୁଅପରି ଦେଖିଛି । ଡିଗାରୁ ଜାନି ମଧ୍ୟ ସେହି ସାହୁକାର ଘରେ ଗୋତି । ବାଘ ମାତିଥିବାରୁ ଡିଗାରୁ ଜଙ୍ଗଲକୁ ଗାଈ ଚରାଇବାକୁ ଗଲା ନାହିଁ । ଶନିଆ ଗାଈ ମଇଁଷି ନେଇ ବଣକୁ ଯାଇଛି । ମହାବଳ ବାଘ, ଗୋଟିଏ ବାଛୁରୀକୁ ନେଇଯାଉଥିଲା ବେଳେ ଶନିଆ ଖୁବ୍‌ ଜୋରରେ ଦଉଡ଼ି ଦଉଡ଼ି ବାଘକୁ ପିଟିଛି । ବାଘ ମରି ଯାଇଛି । ମାତ୍ର ବାଛୁରୀଟି ଦରମଲା ହୋଇ ପଡ଼ି ରହିଲା । ଡିଗାରୁ ଜାନି, ସନୁ ପର୍ଜା ଓ ଶନିଆ ବାଛୁରୀ ଆଣି ଗୁହାଳରେ ଶୁଆଇ ଦେଲେ । ଡିଗାରୁ ଜାନିର କୌଶଳରେ ଶନିଆ ରକ୍ଷା ପାଇଗଲା-। ସେହି ଡିଗାରୁ ଜାନି ଯୋଗୁ ଶନିଆ ପୁଣି ଟଙ୍କା ଆଣିଛି ସାହୁକାରଠାରୁ । ଗୁରୁବାରୀ ସହିତ ତାର ବାହାଘର ହୋଇଯାଇଛି । ସବୁ କାର୍ଯ୍ୟରେ ତାକୁ ସାହାଯ୍ୟ କରିଛି ଡିଗାରୁ ଜାନି, ସନୁ ପର୍ଜା ଓ ମନ ମୁଦୁଲି । ଶନିଆ ଓ ଗୁରୁବାରୀ ମଧ୍ୟ ହେଲେ ସାହୁକାର ଘରେ ଗୋତି । ଗୁରୁବାରୀକୁ ବହୁତ ପରିଶ୍ରମ ପଡ଼ିଛି । ଶନିଆ ଓ ଡିଗାରୁ ତାକୁ ସାହାଯ୍ୟ କରିଛନ୍ତି । ଅନ୍ୟ ଗୋତି ମଧ୍ୟ ଗୁରୁବାରୀ କାର୍ଯ୍ୟରେ ସାହାଯ୍ୟ କଲେ । ଦୁର୍ଯ୍ୟୋଧନ ଗୁରୁବାରୀକୁ ଏକଲା ପାଇ ତା’ କାନ୍ଧ ଉପରେ ହାତ ପକାଇ ଦେଇଛି । ଗୁରୁବାରୀ ତାକୁ ଆଘାତ ଦେଇଛି । ଶନିଆ ଏ କଥା ଶୁଣିଲା ପରେ ଦୁର୍ଯ୍ୟୋଧନକୁ ଶେଷ କରିଦେବାପାଇଁ ବାହାରିଛି । ମାତ୍ର ସନୁପର୍ଜା ଓ ଡିଗାରୁ ତାକୁ ଅଟକାଇ କୌଶଳ ସହକାରେ କାର୍ଯ୍ୟ ହାସଲ କରିବାକୁ ପରାମର୍ଶ ଦେଇଛନ୍ତି । ଯେତେବେଳେ ଶନିଆର ଶ୍ୱଶୁର ସିଧୁ ଡଙ୍ଗରିଆ ଏ କଥା ଶୁଣିଲା ସେ ଉତ୍ତେଜିତ ହୋଇଗଲା । ମନ ମୁଦୁଲି ମଧ୍ୟ ଉତ୍ତେଜିତ ହୋଇ କହିଲା-‘ଆଦିବାସୀ ଝିଅ, ବୋହୂର କାନ୍ଧରେ କେବଳ ତା’ ସ୍ୱାମୀର ହାତ ପକାଇବା ଅଧିକାର । ସେ ଆଦିବାସୀ ଝିଅର ଇଜ୍ଜତ ନେଇଛି, ତାକୁ ମାରି ମାରି ସେଇଠି ଭୂଇଁରେ ଲୋଟାଇ ଦେବାର ଥିଲା ।’ (୫୯) ଆଦିବାସୀ ଜଗେ ତାର ଇଜ୍ଜତକୁ । ତାର ଇଜ୍ଜତ ଉପରେ ଆଞ୍ଚ ଆସିଲେ ସେ ଆଉ କାହାରିକୁ ମାନେ ନାହିଁ । ଦୁର୍ଯ୍ୟୋଧନ ଶନିଆର ଧମକ ପାଇ ପ୍ରାଣ ଭୟରେ ଲୁଚି ପଳାଇଲା । ସେ ତାର ଭଉଣୀ ସାହୁକାରିଆଣୀକୁ ଶନିଆ ଓ ଗୁରୁବାରୀ ବିରୋଧରେ ନାନା କଥା କହି ଉତ୍ତେଜିତ କରାଇ ଦେଲା । ସାହୁକାରକୁ ମଧ୍ୟ ସେହିପରି ମିଥ୍ୟା କହି ଶନିଆ ବିରୋଧରେ ଉତ୍ତେଜିତ କଲା । ସାହୁକାର ତା’ ପରଦିନ ଶନିଆକୁ ସାଙ୍ଗରେ ନେଇ ବିଲକୁ ଗଲା ମାତ୍ର ପାହାଡ଼ ଉପରୁ ଶନିଆକୁ ସେ ଠେଲି ଦେଲା କୋଲାବ ନଦୀକୁ । ତାପରେ ସେ ଘରକୁ ଫେରି ଆସିଲା । ରାତି ପର୍ଯ୍ୟନ୍ତ ଶନିଆ ବସାକୁ ନଫେରିବାରୁ ଗୁରୁବାରୀ, ଡିଗାରୁ ଜାନି, ସନୁ ପର୍ଜା ପ୍ରମୁଖ ବ୍ୟସ୍ତ ହୋଇ ପଡ଼ିଲେ । ସେମାନେ ସାହୁକାରଠାରୁ କୌଣସି ଉତ୍ତର ପାଇଲେ ନାହିଁ । ଡିଗାରୁ ଜାନି ଓ ଗୁରୁବାରୀ ଆସିଲେ ମହୁଲଭଟା ଓ ମେଳିଆପୁଟ ଗ୍ରାମକୁ । ଶନିଆକୁ କେଉଁଠି ପାଇଲେ ନାହିଁ । ସିଧୁ ଡଙ୍ଗରିଆ ଓ ମନ ମୁଦୁଲି ସମସ୍ତ ଆଦିବାସୀମାନଙ୍କୁ ଏକତ୍ରିତ କରାଇ ଧନୁ, ଫାର୍ଶା ଆଦି ଅସ୍ତ୍ର ଶସ୍ତ୍ର ନେଇ ସାହୁକାର ଘର ଅଭିମୁଖେ ଯାତ୍ରା କଲେ । ସାହୁକାର ଭୟରେ ଥାନାକୁ ଚାଲିଗଲା । ଆଦିବାସୀମାନେ ଥାନା ପାଖରେ ପହଞ୍ଚି ଶନିଆକୁ ଖୋଜିଲେ । ପୋଲିସର ବ୍ୟବହାର ସେମାନଙ୍କୁ ଉତ୍ତେଜିତ କଲା । ଫଳରେ ସେମାନେ ଥାନା ପୋଡ଼ିଦେଲେ । ସମସ୍ତ ପୋଲିସଙ୍କୁ ସେମାନେ ତୀରମାରି ହତ୍ୟା କଲେ । ସାହୁକାରକୁ ମଧ୍ୟ ହତ୍ୟା କଲେ । ତତ୍‌ପରେ ସେମାନେ ଗଲେ ଶନିଆକୁ ଖୋଜିବା ପାଇଁ । ମାତ୍ର ନିରୀହ ଆଦିବାସୀମାନଙ୍କ ଉପରେ ପୋଲିସର ଅତ୍ୟାଚାର ଆରମ୍ଭ ହେଲା । ଜିଲ୍ଲା ମାଜିଷ୍ଟ୍ରେଟ କିନ୍ତୁ ଆଦେଶ ଦେଲେ ନିର୍ଦ୍ଦୋଷ, ପିଲା ଓ ସ୍ତ୍ରୀମାନଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର ନକରିବା ପାଇଁ । ସେ ମଧ୍ୟ ଉପଲବ୍‌ଧି କଲେ ନିର୍ମମ ଗୋତି ପ୍ରଥାହିଁ ସକଳ ବିପର୍ଯ୍ୟୟର କାରଣ ।

 

୫୯.

ତତ୍ରୈବ-ପୃ ୨୫୬ ।

 

ସାହୁକାରାଣୀ ଯମୁନା ସମସ୍ତ ସତ୍ୟକଥା ଜାଣିଲା ପରେ ଡକାୟତମାନଙ୍କଠାରୁ ମାଡ଼ଖାଇ ହାତ ଓ ଗୋଡ଼ ହରାଇ ଡାକ୍ତରଖାନାରେ ପଡ଼ିଥିବା ଭାଇ ଦୁର୍ଯ୍ୟୋଧନ ପାଖକୁ ଗଲେ । ଦୁର୍ଯ୍ୟୋଧନ ମାନିଗଲା ସମସ୍ତ ସତ୍ୟ କଥା । ଏଥର ସାହୁକାରାଣୀ ଗଲେ ଝିତୃ ମାଝୀ ଘରକୁ ଓ ସେଠାରୁ ଗୁରୁବାରୀ ପାଖକୁ । ତାଙ୍କର ଦେଖାଦେଲା ପରିବର୍ତ୍ତନ । ତାଙ୍କର ଚଣ୍ଡୀତ୍ୱ ଭିତରେ ପ୍ରକାଶ ପାଇଲା ଦେବୀତ୍ୱ । ସମସ୍ତ ଗୋତିଙ୍କୁ ସେ ମୁକ୍ତି କରିଦେଲେ । ସେମାନଙ୍କ ନାମରେ ଜମି କରିଦେଲେ । ପୋଲିସ ବାନ୍ଧି ନେଇଥିବା ଆଦିବାସୀମାନଙ୍କୁ ସେ ମୁକ୍ତ କଲେ । ଜିଲ୍ଲା ମାଜିଷ୍ଟ୍ରେଟ୍‌, ଏସ୍‌. ପି ପ୍ରମୁଖଙ୍କୁ ଡକାଇ ସଭାକଲେ ଓ ସେଇଠାରେ ଆଦିବାସୀମାନଙ୍କର କଲ୍ୟାଣ ପାଇଁ ସେ କେତେକ ସୁଚିନ୍ତିତ ଯୋଜନା ଦେଲେ । ନିଜେ ରାତ୍ରିରେ ନରହତ୍ୟା କରୁଥିବା ବେଳେ ସନୁ ପର୍ଜା, ଶନିଆ, ଡିଗାରୁ ପ୍ରମୁଖ ତାଙ୍କୁ ରକ୍ଷା କରିଛନ୍ତି । ସାହୁକାରିଆଣୀରୁ ସେ ହୋଇଯାଇଛନ୍ତି ନିରୀହ ଆଦିବାସୀମାନଙ୍କର କରୁଣାମୟୀ ମାଆ । ଏହି ଉପନ୍ୟାସରେ ଆଦିବାସୀମାନଙ୍କର ପରସ୍ପର ପ୍ରତି ସାହାଯ୍ୟ ମନୋଭାବ, ଧର୍ମ ଓ କର୍ତ୍ତବ୍ୟବୋଧ, ସତ୍ୟ ପ୍ରତି ଅଟଳ ଅନୁରକ୍ତି, ଯୁବକ ଯୁବତୀଙ୍କର ପ୍ରେମରେ ଏକନିଷ୍ଠତା, ଆତ୍ମସମ୍ମାନବୋଧ ଓ ଇଜ୍ଜତ ପ୍ରତି ସଚେତନତା, ପିତୃହୃଦୟର ବାତ୍ସଲ୍ୟ ମମତା, ସାହୁକାରର ଶୋଷଣ ଓ ନିର୍ମମତା, ପୋଲିସର ଅତ୍ୟାଚାର ଇତ୍ୟାଦି ସଂପର୍କରେ ବର୍ଣ୍ଣନା କରାଯାଇଛି । ବାସ୍ତବ ଜୀବନ-ଜିଜ୍ଞାସା ଅଛି; କିନ୍ତୁ ଅଛି ବାସ୍ତବତା ଓ ଲୌକିକତା ଉପରେ ଆଦର୍ଶ ଓ ଅଲୌକିକତାର ପ୍ରଭାବ ।

 

ଔପନ୍ୟାସିକ ଗୋବିନ୍ଦ ଦାସଙ୍କର ‘ଲାସୁ’ (୧୯୮୧) ଏକ ଭିନ୍ନ ଧରଣର ଉପନ୍ୟାସ । ଏଥିରେ ଆଦିବାସୀ କନ୍ଧ ତରୁଣ ଲାସୁର ଦୁଃସାହସକୁ ବର୍ଣ୍ଣନା କରାଯାଇଛି । ଆଦିବାସୀର ଶୁଚିପୂତ ଧର୍ମବିଶ୍ୱାସ ଓ ନିର୍ମଳ ପ୍ରେମ ଭାବ ମଧ୍ୟ ଏଥିରେ ରୂପାୟିତ । ଜଙ୍ଗଲ, ନଈ, ମଣିଷ, ଫୁଲ, ଚଢ଼େଇ ସମସ୍ତେ ପରସ୍ପରକୁ କୋଳାହଳ କରିବାର ଜୀବନ୍ତ ଚିତ୍ର ଏହି ଉପନ୍ୟାସରେ ଫୁଟି ଉଠିଛି । ଆଦିବାସୀ କନ୍ଧ ବିଶିଠାରୁ ଲଚ୍ଛକୁ ନେଇଗଲେ ରାମପୁରର ରାଜା ଲକ୍ଷ୍ମଣ ସିଂ । ଗୋଟାଏ ଅନାବିଳ ମମତାରେ ସେ ଲଚ୍ଛକୁ ବିବାହ କରିବାକୁ ସଂକଳ୍ପ କଲେ । ଲଚ୍ଛ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ କଲେ । ଲଚ୍ଛର ଗର୍ଭରୁ ଜନ୍ମ ନେଲା ଲାସୁ । ଅଥଚ ଲାସୁ ଲକ୍ଷ୍ମଣ ସିଂ ନିକଟରେ ରହି ନାହିଁ । ସେ ମାନବୀରୁ ହୋଇଯାଇଛି ଦେବତା । ଦୁଃଖୀ ଓ ଆର୍ତ୍ତ ମଣିଷର ସେ ହୋଇଯାଇଛି କଲ୍ୟାଣଦାତ୍ରୀ । ନିଜକୁ ସେ ତ୍ୟାଗ କରିଦେଇଛି ବିଶ୍ୱକଲ୍ୟାଣ ପାଇଁ । ଦିଆରୀ ବୁଢ଼ା ଓ ଲଚ୍ଛୁ ଦେଈ ଅବଶେଷରେ ଧରତୀ ଦେବତାଙ୍କ ପାଖକୁ ଗଲେ । କାଳ, ବିଶ୍ୱାସ ଓ ପ୍ରମାଣରେ ସେ ଧରତୀ ଦେବତା ଜୀବନ୍ତ ଓ ପରାକ୍ରମୀ । ସୀମା, ସମୟର ପରିଧି ବାହାରେ ଯୁଗ ଯୁଗ ଧରି ଏହାରି ସ୍ଥିତି । (୬୦) ସେହି ମନ୍ଦିର ଭିତରେ ଲଚ୍ଛୁ ଦେଈ ଓ ଦିଆରୀ ବୁଢ଼ା ବର୍ଷା ମୁଖର କାଳରାତ୍ରିରେ ଧର୍‌ତୀ ଦେବତାଙ୍କ ସହିତ ମିଶିଗଲେ । ପଡ଼ି ରହିଲା ସେମାନଙ୍କର ମୃତ ପିଣ୍ଡ । ଲକ୍ଷ୍ମଣ ସିଂହ ସେଠାକୁ ଆସି ଲାସୁକୁ ସାଙ୍ଗରେ ଯିବାକୁ କହିଲେ, ମାତ୍ର ଲାସୁ ଗଲାନାହିଁ । ବଣ ଭିତରକୁ ସେ ଚାଲିଯାଇଛି । ଲଚ୍ଛୁର ମୃତ୍ୟୁ ଲକ୍ଷ୍ମଣ ସିଂଙ୍କ ହୃଦୟକୁ ବଦଳାଇ ଦେଇଛି । ପ୍ରେମ ଓ ତ୍ୟାଗ, ଧର୍ମ ଓ ବିଶ୍ୱାସର ଏହି ଉପନ୍ୟାସ ଏକ କମନୀୟ ଆଲେଖ୍ୟ । ଏହି ଉପନ୍ୟାସରେ କିନ୍ତୁ ଜୀବନ-ଜିଜ୍ଞାସା ସୁତୀବ୍ର ନୁହେଁ, ସାମାଜିକ ସମସ୍ୟା ସ୍ପଷ୍ଟ ନୁହେଁ । ପରୀକ୍ଷାମୂଳକ ଭାବରେ ଉପନ୍ୟାସ ରଚନା କରିବାର ଏହା ଏକ ପ୍ରଚେଷ୍ଟା ।

 

୬୦.

ଲାସୁ-ପୃ ୪୩/୪୪ ।

 

ଅନାଦି ସାହୁଙ୍କର ‘ମୁଣ୍ଡମେଖଳା’ (୧୯୮୨) ଆଦିବାସୀ ଉପନ୍ୟାସ ଧାରାର ସଂପୂର୍ଣ୍ଣ ଏକ ବ୍ୟତିକ୍ରମ । ‘ପରଜା’ରେ ଗୋପୀନାଥ ଯେଉଁ ସଂଗ୍ରାମର ଆହ୍ୱାନ ଦେଇ ନୂତନ ସୂର୍ଯୋଦୟର ସଙ୍କେତ ଦେଇଥିଲେ ସେହି ସଂଗ୍ରାମର ଏହା ଏକ ସଙ୍ଗଠିତ ରୂପ । ବ୍ୟକ୍ତି-ସ୍ୱାର୍ଥ ଏଠି ସମୂହ ଶୋଷିତ ସମାଜ-ସ୍ୱାର୍ଥରେ ପରିଣତ ହୋଇଯାଇଛି । ଏକ ଶୋଷଣମୁକ୍ତ ସମାଜ ଗଠନ ଓ ଶୋଷକ ଶ୍ରେଣୀର ବିନାଶ ପାଇଁ ସଂକଳ୍ପ ‘ମୁଣ୍ଟମେଖଳା’ର ଅନ୍ତର୍ବାଣୀ । ବିପ୍ଳବୀମାନଙ୍କର ଲାଲ ରକ୍ତରେ ଯେପରି ପ୍ରକାଶ ପାଇଛି ନୂତନ ଉତ୍ସାହର ଅଭିନନ୍ଦନ । (୬୧) ଶୋଷଣର କାରଣ ରୂପେ ଆଇନ ଓ ପ୍ରଶାସନକୁ ବାସ୍ତବ ଭାବରେ ଏହି ଉପନ୍ୟାସରେ ଦେଖାଇ ଦିଆଯାଇଛି । କୁମୁଟି, ମହାଜନ, ବ୍ୟବସାୟୀ, ସାହୁକାର ଆଦି ଶୋଷକ ଶ୍ରେଣୀଙ୍କର ଭୟଙ୍କର ସ୍ୱରୂପକୁ ପ୍ରକାଶ କରାଯାଇଛି । ଏହିମାନେ ଯେ ଆଦିବାସୀମାନଙ୍କୁ ନାନା ଭାବରେ ଶୋଷଣ କରି ବିପର୍ଯ୍ୟସ୍ତ କରି ଦିଅନ୍ତି ଓ ସେହି ବିପର୍ଯ୍ୟସ୍ତରୁ ଆଦିବାସୀମାନଙ୍କ ଭିତରେ ଯେ ପ୍ରତିରୋଧ କରିବାର ଓ ଶୋଷକ ଶ୍ରେଣୀକୁ ବିନାଶ କରିବାର ଦୃଢ଼ ସଙ୍କଳ୍ପ ସୃଷ୍ଟି ହୋଇଛି ସେ କଥାକୁ ଲେଖକ ଉପଲବ୍‌ଧି କରିଛନ୍ତି । ମୁଣ୍ଡମେଖଳା (ମୁଣ୍ଡେମ୍‌ଖାଲ୍‌) ଗାଁର ସରଳ ଆଦିବାସୀମାନେ ମହାଜନ ମରସାୟାର୍‌ ଶୋଷଣରେ ହୋଇଛନ୍ତି ଅତିଷ୍ଠ । ଗାଁ ଶିକ୍ଷକ ଭେଙ୍କଟ ସତ୍ୟମ୍‌ ତାର ଶୋଷଣରେ ହୋଇଛି ଶିକାର । ତାପରେ ହୋଇଛି ବିପ୍ଳବୀ । ଆଦିବାସୀମାନଙ୍କୁ ସେ ସଙ୍ଗଠନ କରିଛି । ତାର ସଂଗଠନରେ ଯୋଗ ଦେଇଛନ୍ତି ତାର ଝିଅ, ସ୍ତ୍ରୀ ଓ ଅନ୍ୟାନ୍ୟ ଆଦିବାସୀମାନେ । ଆଦିବାସୀ ଭାତଖିଆ ଗୋଷ୍ଠୀଠାରୁ ତଫାତ୍‌ । ସେମାନଙ୍କର ସାଥୀ ବଣର ହିଂସ୍ର ଜନ୍ତୁ, ପଶୁ ପକ୍ଷୀ । ସେମାନଙ୍କ ଦେହରେ ଖଣ୍ଡେ ଖଣ୍ଡେ କୌପୁନୀ । ଶୀତରୁ ରକ୍ଷାପାଇବା ପାଇଁ ଖଣ୍ଡେ ଖଣ୍ଡେ ଅଖା । ସଲପ, ମହୁଲୀ, ବା ଚାଉଳୀ ସେମାନଙ୍କ ଖାଦ୍ୟ । ସେମାନେ ଗିରିଜନ । ନାଁରେ କେବଳ ସେମାନେ ଜନ-ନହେଲେ ପଶୁଠାରୁ ହୀନ, ଅର୍ଦ୍ଧଭୁକ୍ତ ସଂପ୍ରଦାୟ । (୬୨) ସେମାନେ ଅନୁଭବ କଲେ ଗିରିଜନର ଶତ୍ରୁ ମହାଜନ ଶ୍ରେଣୀ-। ସେହିମାନଙ୍କ ଯୋଗୁ ଆଦିବାସୀ ଗିରିଜନ ଭୋକିଲା, ଅଧାଖିଆ, ସେଥା ମୁହଁ, ବଢ଼ିଲା ପେଟ, ରୋଗଗ୍ରସ୍ତ, ବେଦନାଗ୍ରସ୍ତ ଓ ଭୟଗ୍ରସ୍ତ । ସେହି ଆଦିବାସୀମାନେ ଏକତ୍ରିତ ହୋଇଛନ୍ତି । ସାମାଜିକ କ୍ରାନ୍ତି ପାଇଁ ସେମାନେ ଆଗେଇ ଆସିଛନ୍ତି । ହତ୍ୟା କରିଛନ୍ତି କେତେ କୁମୁଟି, କେତେ ମହାଜନ, କେତେ ସାହୁକାରଙ୍କୁ । ସେମାନଙ୍କ ସ୍ୱାର୍ଥକୁ ରକ୍ଷା କରୁଥିବା ସରକାରୀ କର୍ମଚାରୀଙ୍କୁ ମଧ୍ୟ ହତ୍ୟା କଲେ । ଶୋଷିତର ଶତ୍ରୁକୁ ନିପାତ କରିବାକୁ ସେମାନେ ନେଲେ ବଜ୍ର ଶପଥ । ଶ୍ରେଣୀ ଶତ୍ରୁ ବିନାଶ ହେଲା ସେମାନଙ୍କର ଧର୍ମ । ଆବେଇ, ନାର୍‌ସେୟା, ଲାଚ୍ଛନ୍ନା ଆଦି କେତେ ଶୋଷକ ମୃତ୍ୟୁବରଣ କଲେ ! ଆଇନର ଧ୍ୱଜାଧାରୀ ପୋଲିଶ ଆଗେଇ ଆସିଲେ ଧନିକ ଶ୍ରେଣୀକୁ ରକ୍ଷା କରିବା ପାଇଁ । ତେଣୁ ଆଦିବାସୀ ମନେ କଲା ପୋଲିସ ମଧ୍ୟ ତାର ଶତ୍ରୁ । ଏକ ପକ୍ଷରେ ଶୋଷିତ ଆଦିବାସୀମାନଙ୍କର ମଣିଷ ପରି ବଞ୍ଚିବା ପାଇଁ ସଙ୍ଗଠନ ଓ ଶୋଷକ ଶ୍ରେଣୀକୁ ହତ୍ୟା, ଅନ୍ୟ ପକ୍ଷରେ ଆନ୍ଦୋଳନକୁ ଦବାଇ ଦେବା ପାଇଁ ସରକାରୀ ସ୍ତରରେ ନାନା ପ୍ରକାର କୌଶଳ ଓ ପୋଲିସର ଅତ୍ୟାଚାର ଭିତରେ ଉପନ୍ୟାସ ଗତି କରିଛି ଏବଂ ଶେଷରେ ବିପ୍ଳବୀମାନେ ଧରା ହୋଇଛନ୍ତି ଓ କେତେକ ମୃତ୍ୟବରଣ କରିଛନ୍ତି । ଏହି ଉପନ୍ୟାସରେ ଶୋଷଣ ଓ ପେଷଣର ଲେଲିହାନ ଶିଖା, ଶୋଷିତର ନବଜାଗରଣ ଓ ଶୋଷକର ବିନାଶକୁ ଯେପରି ବର୍ଣ୍ଣନା କରାଯାଇଛି ତାହା ବାସ୍ତବିକ ଅଭିନବ । ଆଦିବାସୀଙ୍କ ସହିତ ସମାଜ ସଚେତନ ସଭ୍ୟ ଶିକ୍ଷିତ ଗୋଷ୍ଠୀ ମିଶିଯାଇ ଦେଖିଛନ୍ତି ଏକ ନୂତନ କ୍ରାନ୍ତି ।

୬୧.

ମୁଣ୍ଡ ମେଖଳା-ପୃ ୧୦୧ ।

୬୨.

ମୁଣ୍ଡ ମେଖଳା-ପୃ ୪/୫ ।

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଆଦିବାସୀ ଜୀବନକୁ ନେଇ ଭାଗୀରଥି ନେପାକଙ୍କର ‘ରାଉ୍‌ରକେଲାର ରାତ୍ରି’, ବଳରାମ ମିଶ୍ରଙ୍କର ‘ଡୁମ୍ବା’, ଜ୍ଞାନୀନ୍ଦ୍ର ବର୍ମାଙ୍କର ‘ଅରଣ୍ୟର କୁଜ୍‌ଟିକା’ ଆଦି କେତେଖଣ୍ଡ ଉପନ୍ୟାସ ରଚିତ ହୋଇଅଛି । ସଭ୍ୟ ସମାଜର ନାରୀସମ୍ଭୋଗ-ତୃଷ୍ଣା ନିକଟରେ ଆଦିବାସୀ ଯୁବତୀ କିପରି ବଳି ପଡ଼ିଯାଇଛି ତାର ଏକ ଜୀବନ୍ତ ଚିତ୍ର ‘ଅରଣ୍ୟର କୁଜ୍‌ଟିକା’ ଉପନ୍ୟାସରେ ବର୍ଣ୍ଣିତ । ‘ଭୀମାଭୂୟାଁ’ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଯେଉଁସବୁ ଆଦିବାସୀ ସମାଜ ଓ ଜୀବନ ଭିତ୍ତିକ ଉପନ୍ୟାସମାନ ରଚିତ ହୋଇଛି, ସେସବୁ ଯଦିଓ ବାସ୍ତବତାର ଚିତ୍ର ପ୍ରଦାନ କରିଛି, ଆଦିବାସୀ ସମାଜର ଜୀବନ ସଂଗ୍ରାମ ଓ ବିପର୍ଯ୍ୟୟକୁ ପ୍ରକାଶ କିରିଛି, ତଥାପି ମନେହୁଏ ଏକ ଆଦର୍ଶବାଦୀ ସ୍ୱର ଓ ସଙ୍କଳ୍ପ ଯେପରି ହୋଇଯାଇଛି ମୁଖ୍ୟ । ଆଦିବାସୀଗିରିଜନ ସଂପ୍ରଦାୟଙ୍କର ଚାଲିଚଳଣୀ, ଧର୍ମ-ବିଶ୍ୱାସ, ସତ୍ୟନିଷ୍ଠା, କର୍ମପ୍ରବଣତା, ଜମି ପ୍ରତି ଶ୍ରଦ୍ଧା, ଗୋତି ଜୀବନ ଇତ୍ୟାଦିକୁ ଯେପରି ଜୀବନ୍ତ ଭାବରେ ବର୍ଣ୍ଣନା କରାଯାଇଛି ସେହିପରି ସେମାନଙ୍କର ନବଜାଗରଣ ଓ ନୂତନ ଜୀବନ-ଜୀଜ୍ଞାସାକୁ ଦ୍ୱାନ୍ଦ୍ୱିକ ପରିବେଶ ମଧ୍ୟରେ ଦେଖାଇ ଦିଆଯାଇଛି ଆଦିବାସୀର ଲୁହ ଯେପରି ଓଡ଼ିଆ ଉପନ୍ୟାସକୁ ବେଦନାର୍ତ୍ତ କରି ଦେଇଛି, ସେହିପରି ତାର ଲହୁ ମଧ୍ୟ ଜାଳି ଦେଇଛି ଅଗ୍ନିର ସ୍ଫୁଲିଙ୍ଗ ।

 

ମୋଟାମୋଟି ଭାବରେ ଆଦିବାସୀମାନଙ୍କର ଦୁଃଖ ଓ ବିପର୍ଯ୍ୟୟର କାରଣ ରୂପେ ଶୋଷକ ଶ୍ରେଣୀର ଧନ-ଲିପ୍‌ସା, ସମ୍ପତ୍ତି-ତୃଷ୍ଣା ଓ ଯୌନ-ସମ୍ଭୋଗ-ଆକାଂକ୍ଷାକୁ ରୂପାୟନ କରାଯିବା ସଙ୍ଗେ ସଙ୍ଗେ, ଧର୍ମ, ପୌରୋହିତ୍ୟ ପ୍ରଥା, ଆଇନ ଓ ପ୍ରଶାସନ ସେହି ଶୋଷଣକୁ କିପରି ଉଦଗ୍ର ଓ ଶାଣିତ କରିଦେଇଛି ତାର ମଧ୍ୟ ମନୋଜ୍ଞଚିତ୍ର ଉପନ୍ୟାସ-ମାନଙ୍କରେ ଫୁଟି ଉଠିଛି-। ସର୍ବତ୍ର ଯେପରି ଫୁଟି ଉଠିଛି ଉଦାର ମାନବିକ ସମ୍ୱେଦନା । ଶୋଷକର ବିନାଶ ଓ ଶୋଷକର ହୃଦୟ ପରିବର୍ତ୍ତନ-ଏହି ଦୁଇଟା ଭାବଧାରା ଯୁଗପତ୍‌ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଏ । ଉତ୍ତାପ ଓ ଆଲୋକ ଯେପରି ହୋଇଯାଇଛି ଆଦିବାସୀ ଜୀବନ ଭିତ୍ତିକ ଉପନ୍ୟାସର ଦୁଇଟି ଭାବବିନ୍ଦୁ । ଏସବୁ ସତ୍ତ୍ୱେ ଆଦିବାସୀ ସମାଜ ପ୍ରତି ଯେପରି ଅଭିଜାତ ଲେଖକମାନଙ୍କର ଦୟା-ଦୃଷ୍ଟି ପ୍ରକାଶ ପାଇଛି ଏବଂ ସେହି ଦୃଷ୍ଟି ଉପନ୍ୟାସଗୁଡ଼ିକୁ ଆଦର୍ଶବାଦୀ କରି ଦେଇଛି । ଏହି ଆଦର୍ଶବାଦ ଅନେକ ସମୟରେ ପ୍ରଚାର ଧର୍ମିତାକୁ ଗ୍ରହଣ କରିଯାଇଥିବା ମନେହୁଏ ।

 

ଅଧ୍ୟାପକ,

ଓଡ଼ିଆ ବିଭାଗ ବାଣୀବିହାର ।

***

 

Unknown

ଓଡ଼ିଆ ଉପନ୍ୟାସରେ କେତୋଟି ବିଶିଷ୍ଟ ନାରୀଚରିତ୍ର

ଡ: ଅର୍ଚ୍ଚନା ନାୟକ

 

ସାହିତ୍ୟରେ ସାଧାରଣତଃ ତିନୋଟି ପ୍ରମୁଖ ବିଭାବର ଉପଯୋଗ କରାଯାଇ ଆସୁଛି-ଈଶ୍ୱର, ପ୍ରକୃତି ଓ ନାରୀ । ପ୍ରତ୍ୟେକଟି ବିଭାବ ପାଇଁ କ୍ଷେତ୍ର ମଧ୍ୟ ଊଣାଅଧିକେ ଭିନ୍ନ । ଈଶ୍ୱରଙ୍କ ପାଇଁ, ପ୍ରକୃତି ପାଇଁ କାବ୍ୟ କବିତାର କ୍ଷେତ୍ର ହେଉଛି ପ୍ରଶସ୍ତ । ନାରୀପାଇଁ କାବ୍ୟ କବିତା ନାଟକ ପ୍ରଭୃତି ଥିଲେ ବି ଗଳ୍ପ ଉପନ୍ୟାସରେ ତାର ପ୍ରୟୋଜନ ମନେହୁଏ ଅନିବାର୍ଯ୍ୟ । ଏ ପ୍ରକାର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ ପାଇଁ ନାରୀ ବିରହିତ ନାଟକ ବା ଉପନ୍ୟାସ ରଚନା କରାଯାଏ ସତ, କିନ୍ତୁ ତାର ପରିମାଣ ଏକାନ୍ତ ନଗଣ୍ୟ । ଏକ ହଜାରରେ ଏକ କହିଲେ ଚଳିବ । ଏଥିପାଇଁ ମୁଖ୍ୟ କାରଣ ହେଉଛି ନାରୀ ସର୍ବତୋଭାବରେ ପୁରୁଷ ସମାଜର ଆନନ୍ଦ ବା ଆକର୍ଷଣ । ଏ ପ୍ରସଙ୍ଗରେ ଭର୍ତ୍ତୃହରିଙ୍କର ଉକ୍ତିଟି ଉଲ୍ଲେଖ କରାଯାଇପାରେ-

 

ସ୍ମିତେନ ଭାବେନ ଚ ଲଜ୍ଜୟା ଭିୟା

ପରାଙମୁଖୈରର୍ଧକଟାକ୍ଷବୀକ୍ଷଣୈଃ

ବଚୋଭିରୀର୍ଷ୍ୟା କଳହେନ ଲୀଳୟା

ସମସ୍ତଭାବୈଃ ଖଳୁ ବନ୍ଧନଂ ସ୍ତ୍ରୀୟଃ ।

 

ଅର୍ଥାତ୍‌-‘‘କି ସ୍ମିତରେ, କି ଭାବରେ, କି ଲାଜରେ, କି ଭୟରେ, କି ବଚନରେ, କି ଈର୍ଷାରେ, କଳହରେ କିମ୍ୱା ଲୀଳାବିଭ୍ରମରେ ସର୍ବତୋଭାବରେ ନାରୀ ବନ୍ଧନ ଆକର୍ଷଣ । ଇଂରେଜ କବି ଚସର୍‌ ମଧ୍ୟ ଏହି ଭାବର ସମର୍ଥନ କରନ୍ତି ।

 

ଉପନ୍ୟାସରେ ନାରୀଚରିତ୍ରର ଭୂମିକା ଦୁଇଟି ଦିଗରୁ ବିଶେଷ ଭାବରେ ବିଚାର୍ଯ୍ୟ । ପ୍ରଥମତଃ ଆନନ୍ଦ ଦାନ ଓ ଦ୍ୱିତୀୟତଃ ଶିକ୍ଷାଦାନ । ଏହି ପ୍ରସଙ୍ଗରେ ନାରୀର ଅନ୍ତରଙ୍ଗ ଓ ବହିରଙ୍ଗ ସ୍ୱରୂପ ଦୁଇଟି ବିଚାରଣୀୟ । ତା’ର ଅନ୍ତରଙ୍ଗ ବିଭାବଟି ଅତଳ ସାଗର ପରି । ଯେମିତି ସାଗରର ଗଭୀରତା ତାର ତରଙ୍ଗ ଲୀଳାରୁ ବୁଝାଯାଏନା, ସେହିପରି ନାରୀ ହୃଦୟର ଗଭୀରତା ତାର ବାହ୍ୟ ପ୍ରକାଶରୁ କଳନା କରିହୁଏ ନାହିଁ । କେବଳ ପୁରୁଷ ପାଇଁ ନୁହେଁ, ତା’ ନିଜପାଇଁ ମଧ୍ୟ ଏହା ଊଣାଅଧିକେ ସତ୍ୟ, ଯେହେତୁ ସେ ନିଜେ ଏକ ରହସ୍ୟ । ତାର ବହିରଙ୍ଗ ଦିଗଟି ହେଉଛି ତାର ଭାବସମୂହ ବା ଅଭିବ୍ୟକ୍ତ ଅବସ୍ଥା-ଯାହା ମୁଖ୍ୟତଃ ମାୟା ମରୀଚିକା ପରି ଝିଲ୍‌ମିଲ୍‌ କରେ ଏବଂ ଆଖିଠାରି ଡାକେ ।

 

ଏହି ମୌଳିକ ସତ୍ତାରେ ଉପନ୍ୟାସର ଚରିତ୍ରୀଭୂତ ନାରୀକୁ ଲେଖକ କେଉଁ ଭାବରେ ଓ କିପରି ଭାବରେ ବ୍ୟକ୍ତ କରିପାରେ ତାହାହିଁ ହେଉଛି ଅସଲ କଥା ଏବଂ ପାଠକ ବା ଗ୍ରାହକ କିପରି ଓ କେତେ ପରିମାଣରେ ତାହା ଘେନିପାରେ ବା ବୁଝିପାରେ ତାହା ପର କଥା । ଏହି ଉଭୟର ସମନ୍ୱୟରେ ନାରୀଚରିତ୍ରର ଉତ୍ତୀର୍ଣ୍ଣତା ନିର୍ଭର କରେ । ଏହି କାରଣରୁ ଅନେକ ସୁନ୍ଦର-ହୋଇ ପାରିଥାନ୍ତା-ଭଳି ନାରୀ ଚରିତ୍ର ଠିକ୍‌ ହୋଇପାରେ ନାହିଁ । ଅଥଚ ତା ସତ୍ତ୍ୱେ କିଛି କିଛି ଆକର୍ଷଣ ମଧ୍ୟ କରେ । ଯେପରି ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୈଳ ଉପନ୍ୟାସର ‘ସରଦେଈ’ । ଏ କ୍ଷେତ୍ରରେ ଚରିତ୍ରର ଉପଯୋଗିତା ବା ଚରିତ୍ରର ଚରିତ୍ର ଦୃଷ୍ଟିରୁ ଲେଖକ ଅନ୍ତର୍ଦୃଷ୍ଟିସଂପନ୍ନ ନୁହନ୍ତି, ଏଠି କିଛି ଭାବପ୍ରବଣ ଆବେଦନ ମାତ୍ର ରହିଛି । କଳାର ମିଥ୍ୟା ବା ମିଥ୍ୟାସୃଷ୍ଟିକୁ ସତ୍ୟରୂପେ ପ୍ରତିପନ୍ନ ବା ପ୍ରତିଭାତ କରି ପାରିନାହାନ୍ତି, ଯେମିତି ଐତିହାସିକ ଉପନ୍ୟାସର ଏକ ସଫଳ ସ୍ରଷ୍ଟା Robert Gravesଙ୍କ Wife to Mr. Miltonର Mary Powell ଚରିତ୍ର । ଏପରିକି କୁହାଯାଏ ଯେ ପାଓ୍ୱେଲ ହେଉଛନ୍ତି ନିଜେ ଗ୍ରେଭସ୍‌ ବା ଗ୍ରେଭସ୍‌ ହେଉଛନ୍ତି ପାଓ୍ୱେଲ । ସରଦେଈ ଚରିତ୍ରଟି ଉତ୍ତୀର୍ଣ୍ଣ ହେବାର କିନ୍ତୁ ବହୁ ଅବକାଶ ଥିଲା । ଅନ୍ୟପକ୍ଷରେ ଗୋଟିଏ ଗୋଟିଏ ଏମିତି ଚରିତ୍ର ଅଛି ତାହା ବହୁବର୍ଣ୍ଣିତ ବା ଅଳ୍ପବର୍ଣ୍ଣିତ ହେବା ସତ୍ତ୍ୱେ ସଫଳ ହୋଇଛି ଯେପରି ସାରିଆ, ଚିତ୍ରକଳା ବା ମାନମୟୀ । ଆଲୋଚ୍ୟ କ୍ଷେତ୍ରରେ ଓଡ଼ିଆ ଉପନ୍ୟାସର କେତୋଟି ବିଶିଷ୍ଟ ନାରୀଚରିତ୍ରର ବିବେଚନା କରାଯାଉଛି ।

 

ସାନ୍ତାଣୀ-ଫକୀରମୋହନ ସେନାପତିଙ୍କର କାଳଜୟୀ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ର ସାନ୍ତାଣୀ ନିରାତ୍ମ ପ୍ରାୟ ରାମଚନ୍ଦ୍ର ମଙ୍ଗରାଜଙ୍କର ଥିଲେ ଆତ୍ମା । ରଙ୍ଗମଞ୍ଚ ଉପରକୁ ଅଭିନୟ କାଳରେ ଆସେନା ସୂତ୍ରଧର । କିନ୍ତୁ ଅଭ୍ୟନ୍ତରରେ ସେ ଥିଲେ ମଧ୍ୟ ପ୍ରକାଶ୍ୟ ଅଭିନୟରେ ଲିପି ହୋଇଥାଏ ତାର କରଣି, ଚିନ୍ତନଶକ୍ତି । ଏଠାରେ ମଙ୍ଗରାଜଙ୍କ ଜୀବନ ମଞ୍ଚରେ ସାନ୍ତାଣୀ ସମ୍ମୁଖକୁ ଆସି ନାହାନ୍ତି, ସେ ସୂତ୍ରଧର । ଏପରିକି ମୃତ୍ୟୁ ପରେ ବି ତାଙ୍କର ପ୍ରଭାବ ନାୟକ ମଙ୍ଗରାଜଙ୍କ ଅଭିନୟକର୍ମକୁ ନିୟନ୍ତ୍ରଣ କରିଛି ।

 

ଗାଁରେ ସ୍ତ୍ରୀଲୋକମାନଙ୍କ ମଧ୍ୟରେ ସ୍ୱାମୀ ସେବା କଥା ପଡ଼ିଲେ ସମସ୍ତେ ସାନ୍ତାଣୀଙ୍କର ଉଦାହରଣ ଦେଉଥିଲେ । ତାଙ୍କର ଚରିତ୍ର ଥିଲା ଯେପରି ନିର୍ମଳ ସେହିପରି ଧର୍ମାନୁରାଗୀ । କିନ୍ତୁ ସ୍ତ୍ରୀର ସର୍ବସ୍ୱ ଧନ ପତି ସୋହାଗ ବିଧାତା ତାଙ୍କ କପାଳରୁ ପୋଛି ଦେଇଥିଲା । ମାତ୍ର ତାଙ୍କର ସେଥିପାଇଁ କୌଣସି ଶୋଚନା ନ ଥିଲା । କେବଳ ପତିସେବା ନୁହେଁ, ମନୁଷ୍ୟର ସେବାକୁ ସେ ଜୀବନର ପରମ ସୌଭାଗ୍ୟ ବୋଲି ମନେ କରୁଥିଲେ । ସପ୍ତପଦୀର ସମସ୍ତ ଶପଥ ତାଙ୍କ ଜୀବନରେ ହୋଇଥିଲା ସାର୍ଥକ । ଶାଳଗ୍ରାମର ଶୋଇବା ବସିବା ପରି ତାଙ୍କର ହସକାନ୍ଦ, ସୁଖଦୁଃଖ ଓ ଭାବକଳି ମଧ୍ୟରେ ଭେଦ ବୁଝିବା କଷ୍ଟ । ଘରେ ସେ ତାଙ୍କର କର୍ତ୍ତୃତ୍ୱ ଆଦୌ ଜାହିର କରୁ ନଥିଲେ । ସ୍ୱତଃ ତାହା ଜାହିର ହୋଇ ରହିଥିଲା ।

 

ଗାଁର ସବୁ ଲୋକଙ୍କ ସୁଖଦୁଃଖରେ ସେ ଥିଲେ ଜଣେ ଦରଦୀ ଅଂଶୀଦାର । କାହାଘରେ ଖାଇବାକୁ ନାହିଁ । କାହାଝିଅ ପୁଆଣି ହେବ ସବୁ ଆଡ଼ିକି ତାଙ୍କର ନଜର ଥିଲା । ସାଆନ୍ତଙ୍କ ଅଗୋଚରରେ ଯାହାକୁ ଯେତେ ପାରନ୍ତି ସହାୟତା କରିଯାନ୍ତି । ସେ ଦିଅନ୍ତୁ ବା ନ ଦିଅନ୍ତୁ କିନ୍ତୁ ସବୁ ଦୁଃଖୀରଙ୍କୀଙ୍କର ସେ ଥିଲେ ଆଶା ଭରସାର ସ୍ଥଳ; ଓଡ଼ିଆ ଉପନ୍ୟାସରେ ବିଶ୍ୱଜନନୀ ପରି । ଶିବୁ ପଣ୍ଡିତଙ୍କ ଭାଷାରେ ସାନ୍ତାଣୀ ଥିଲେ ଦୟା, କ୍ଷମା, ସ୍ନେହ, ଭକ୍ତି ପ୍ରଭୃତି ସ୍ୱର୍ଗୀୟ ଗୁଣାବଳୀର ମୂର୍ତ୍ତିମତୀ ଦେବୀ । କାହାରି ଦୁଃଖ ଦେଖିଲେ ସେ ଦୋଷୀ ନିର୍ଦୋଷର ବିବେଚନ କରିପାରୁ ନଥିଲେ । ସ୍ୱାମୀଙ୍କ ସହିତ ନିଜର ଅଧିକାର ନେଇ ବା ତାଙ୍କ ପ୍ରତି ମଙ୍ଗରାଜଙ୍କର ଉଦାସୀନତା କାରଣରୁ ସେ କେବେ କଳି କରିବାର କେହି ଜାଣେନା । କିନ୍ତୁ ମଙ୍ଗରାଜଙ୍କ କ୍ରୋଧ ବା ଅନ୍ୟାୟର ଶିକାର ହୋଇଥିବା ବ୍ୟକ୍ତି ପାଇଁ ସେ ବିବିଧ ପ୍ରକାର ଯୁକ୍ତି ଦର୍ଶାଇ ତା’ର ନିର୍ଦୋଷତା ପ୍ରମାଣ କରିବାକୁ ଛାଡ଼ନ୍ତିନି । ସେଥିପାଇଁ ସହିବାକୁ ପଡ଼ୁଥିବା ସମସ୍ତ ଗଞ୍ଜଣା ପ୍ରତି ସେ ଥିଲେ ନିର୍ବିକାର ।

 

ଘରକରଣା ବୁଦ୍ଧି ତାଙ୍କର ପ୍ରଖର ନଥିଲା । ଧନ ସଞ୍ଚିବା ଅପେକ୍ଷା ଅଭାବୀ ବ୍ୟକ୍ତିଙ୍କୁ ଧନ ଦେବାରେ ସେ ପାଉଥିଲେ ପରମତୃପ୍ତି । ମନର ଦୁଃଖ ମନରେ ମାରିବାରେ ସେ ଥିଲେ ଏକ କୁଶଳୀ କଳାକାର । ନିଜ ଦୁଃଖର କାରଣ ସଂପର୍କରେ ସେ କାହାରିକୁ ଜଣାଉ ନଥିଲେ । କିନ୍ତୁ ବେଳେ ବେଳେ ଜଣେ ଲୋକ ଜାଣିଯାଏ ସେ ହେଲା ମୁକୁଳା । ପିଲାଟି ଦିନୁ ତାଙ୍କୁ କୋଳରେ କାଖରେ ମଣିଷ କରିଥିଲା ଓ ବାହାଘର ସମୟରେ ବାପଘରୁ ତାଙ୍କ ସାଥିରେ ଆସିଥିଲା । ସାନ୍ତାଣୀଙ୍କର ଅତି ମନକଷ୍ଟ ବେଳେ ଧାଇଁ ଆସି ମୁକୁଳା ତାଙ୍କ ମୁହଁକୁ କେବଳ ଜଳ ଜଳ ହୋଇ ଚାହେଁ । ସାନ୍ତାଣୀ ମୁଣ୍ଡ ତଳକୁ ପୋତି ଦିଅନ୍ତି । ସେଇ ନୀରବତା ଭିତରେ ଜଣେ ଜଣାଏ ସମବେଦନା ଓ ଅନ୍ୟ ଜଣେ ପାଏ ସାନ୍ତ୍ୱନା ।

 

ରାମଚନ୍ଦ୍ର ମଙ୍ଗରାଜ ନିଜ ସ୍ତ୍ରୀକୁ ପ୍ରେମରେ ଦୁଇପଦ କଥା କହିବାର କେହି ଶୁଣିନାହାନ୍ତି । ବରଂ ତାଙ୍କ ପ୍ରତି ଉପେକ୍ଷା ପ୍ରଦର୍ଶନ କରିଛନ୍ତି ଜୀବନସାରା । ଚରମ ଅପମାନ ମଧ୍ୟ ଦେଇଛନ୍ତି । ରାତି ଅଧଯାଏ ମଙ୍ଗରାଜ ଚମ୍ପା ସହିତ ଏକାନ୍ତ ବସି ମନ୍ତ୍ରଣା କରନ୍ତି, କାହା ଜମି କିପରି କବଳିତ କରିବେ, କାହା ଘର କିପରି ଭାଙ୍ଗିବେ ଇତ୍ୟାଦି । ବାଘ ସିଂହ ପରିବାରର ସର୍ବନାଶ କରିବାର ଯୋଜନା କରୁଥିବା ବେଳେ ରାତ୍ରିର ଉତ୍ତୀର୍ଣ୍ଣ ପ୍ରହରରେ ସାନ୍ତାଣୀ ଆସି କବାଟ ପାଖରେ ନୀରବରେ ଠିଆ ହେଲେ ଓ ସ୍ୱାମୀଙ୍କର ବିରକ୍ତିସତ୍ୱେ ଧୀର ସ୍ୱରରେ ବିନୟରେ କହିଲେ, ‘‘ମୁଁ କହୁଛି ରାତି ହେଲା, ଶୋଇପଡ଼, ଆଉ ସେ କଥାଗୁଡ଼ା ପାଞ୍ଚ ନାହିଁ ।’’ କିନ୍ତୁ ତାଙ୍କ କଥା ସରିବା ପୂର୍ବରୁ ପୋଇଲୀ ଚମ୍ପାର ଅବଜ୍ଞା ସୂଚକ ‘ହୁଁ’ ଓ ମଙ୍ଗରାଜଙ୍କର ତାଙ୍କୁ ବାହାରକୁ ଯିବାର ନିର୍ଦ୍ଦେଶ ଉଭୟ ଥିଲା ତାଙ୍କ ପ୍ରତି ମର୍ମନ୍ତୁଦ ଆଘାତର କାରଣ । କୌଣସି ବିବାହିତା ପତ୍ନୀ ପୋଇଲୀ ସମ୍ମୁଖରେ ସ୍ୱାମୀଠାରୁ ଅପମାନ ପାଇବା ଓ ସ୍ୱାମୀଙ୍କ ସାକ୍ଷାତରେ ପୋଇଲୀର ଅବଜ୍ଞା ସୂଚକ ଆଚରଣକୁ ସହ୍ୟ କରିବା ମରଣାଧିକ କଷ୍ଟକର । ତା’ ପରଠାରୁ ସେଇ ଅଭିମାନିନୀ ନାରୀ ମୁହଁରୁ କେହି ଆଉ କଥା ଶୁଣିନି । କେବଳ ଦେଖିଛି ଲୁହଭରା ଦୁଇଟି ଆକ୍ଷି । ଯେତେ ମନ ଭୁଲାଇବାକୁ ଚେଷ୍ଟା କରୁଥିଲେ ବି ସ୍ୱାମୀଙ୍କର ଅପକର୍ମ ତାଙ୍କୁ ବହୁ ଭାବରେ ବିଚଳିତ କରୁଥିଲା......ଅଥଚ ସେ ତାଙ୍କୁ ନିବୃତ୍ତ କରିପାରୁ ନ ଥିଲେ । ଅନେକ ଆଘାତ ସହି ସହି ମଧ୍ୟ ତାଙ୍କ ମନର ସ୍ପର୍ଶ କାତରତା ଊଣା ହୋଇ ନଥିଲା । ତେଣୁ ଶେଷ ଆଘାତରେ ମନର ଟାଣ ଆଉ ସେ ରଖି ପାରିଲେନି । ସାରିଆର ଜମି ଫେରେଇ ଦେବାକୁ ସାନ୍ତଙ୍କ ଗୋଡ଼ତଳେ ପଡ଼ି ଯେତେ କାକୁତି ମିନତି କଲେ ସବୁ ହେଲା ନିଷ୍ଫଳ । ପୁଣି ବାଘ ସିଂହ ପରିବାରର ସର୍ବନାଶର କାରଣ ଅନୁମାନ କରି ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଲେ, ଅନ୍ନ ଜଳ ସ୍ପର୍ଶ କଲେ ନାହିଁ । କିନ୍ତୁ ଯାହାଙ୍କ ପାଇଁ ଥିଲା ତାଙ୍କର ଏ ଅନ୍ତର୍ଦାହ, ଯାହାଙ୍କ ପାଇଁ ସେ କରୁଥିଲେ କଠିନ ପ୍ରାୟଶ୍ଚିତ୍ତ ସେ କିନ୍ତୁ ସାମାନ୍ୟ ସଚେତନ ନଥିଲେ ।

 

ସାନ୍ତାଣୀଙ୍କର ଜୀବନ ଚରିତ ପ୍ରତି ଲକ୍ଷ୍ୟ କଲେ ଜଣାଯାଏ ଯେ ମଙ୍ଗରାଜଙ୍କୁ ବିବାହ କରିବା ପରେ ସେ ଶାନ୍ତିରେ ଦିନଟିଏ ମଧ୍ୟ ବିତାଇ ପାରି ନଥିବେ । ତାଙ୍କର ଚିନ୍ତା ବିଚାର, କୋମଳ ମନ, ସ୍ନେହ, ମାୟାମମତା, ଧର୍ମପରାୟଣତା ଓ ପରୋପକାର ପ୍ରବୃତ୍ତିର ସଂପୂର୍ଣ୍ଣ ବିପରୀତ ଥିଲେ ତାଙ୍କର ସ୍ୱାମୀ । ସେ କେବଳ ବୁଝିଥିଲେ ‘ଟଙ୍କା ଏକ ମନୁଷ୍ୟାଣାଂ ଚତୁବର୍ଗ ଫଳପ୍ରଦା’ । ଦିବାରାତ୍ର ତାଙ୍କର ଟଙ୍କା ଥିଲା ଧ୍ୟାନ ଓ ଟଙ୍କା ଥିଲା ଜ୍ଞାନ । ମଣିଷର ସୂକ୍ଷ୍ମ ମନୋବୃତ୍ତିର ସାମାନ୍ୟ ଅନୁଭବ ତାଙ୍କର ନଥିଲା । ତେଣୁ ଏହିପରି ପୁରୁଷର ସ୍ୱାମୀତ୍ୱକୁ ସ୍ୱୀକାର କରି ଜୀବନଯାକ କେବଳ ନୀରବ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ । ସ୍ୱାମୀ ନିକଟରୁ ପ୍ରେମ ଓ ଶ୍ରଦ୍ଧା ପାଇ ନ ଥିବା ନାରୀର ଯନ୍ତ୍ରଣାକାତର ଜୀବନକୁ ଅନୁଭବ କରିବା ସହଜ ବ୍ୟାପାର ନୁହେଁ-। ଆଉ କେହି ସାଧାରଣ ନାରୀ ହୋଇଥିଲେ ଆପଣା ଜୀବନକୁ ବ୍ୟର୍ଥ ମନେ କରିଥାନ୍ତା । ସାନ୍ତାଣୀଙ୍କର ନୀରବ ଅଥଚ ଦୃଢ଼ ବ୍ୟକ୍ତିତ୍ୱ ତାଙ୍କ ଜୀବନକୁ ବ୍ୟର୍ଥ ହେବାକୁ ଦେଇନି । ବରଂ ସେ ଏକରୁ ଅନେକ ଭିତରେ ପ୍ରସରି ଯାଇଛନ୍ତି । ତାଙ୍କର ମୃତ୍ୟୁରେ ପ୍ରତ୍ୟେକ ଶୋକକାତର ହୋଇ ଅନୁଭବ କରିଛନ୍ତି, ତାଙ୍କର ଆପଣାର କେହି ଜଣେ ଚାଲିଗଲା ।

 

ତାଙ୍କର ସ୍ୱାମୀ ମଙ୍ଗରାଜ ଥିଲେ ପଥର ହୃଦୟ । ଶୋଷଣ ପୀଡ଼ନ କେବଳ ଥିଲା ତାଙ୍କର କାମ । ପ୍ରଥମ ଓ ଶେଷଥର ତାଙ୍କ ଆଖିରୁ ଲୁହ ଝରିଥିଲା କେବଳ ସାନ୍ତାଣୀଙ୍କ ମୃତ୍ୟୁରେ । ସେ ଅବା ବୁଝି ପାରିଥିଲେ ଯେ ଅବହେଳିତା ସାନ୍ତାଣୀ ଥିଲେ ତାଙ୍କର ପୂଣ୍ୟବଳ । ପଥର ତଳେ ଯେ ଗୁପ୍ତ ଝରଣାଟିଏ ଥାଇପାରେ ସାନ୍ତାଣୀଙ୍କ ମୃତ୍ୟୁ ଦେଇଥିଲା ତାର ସନ୍ଧାନ । ସେଥିପାଇଁ ନିଜ ମୃତ୍ୟୁ ବେଳକୁ ତାଙ୍କର ଯେମିତିକି ଆତ୍ମୋଦ୍ଧାର ହୋଇ ଯାଇଥିଲା । ନିଜ ଝରଣାର ଜଳରେ ସେ ଆର୍ଦ୍ରସିକ୍ତ ହୋଇ ଯାଇଥିଲେ-ତେଣୁ ଛ-ମା-ଆ-ଗୁଁ-ଗୁଣି ହେଉଥିଲେ ।

 

ଫକୀର ମୋହନଙ୍କ ଏ ବିଚିତ୍ର ଦମ୍ପତି ପରିକଳ୍ପନା ପ୍ରକୃତରେ ବଡ଼ ଅଦ୍‌ଭୁତ । ଏ ସଦାନୀରବ ଧର୍ମପତ୍ନୀ କେଡ଼େ ମହନୀୟା, ତାଙ୍କ ମୃତ୍ୟୁ ପରେ ବେଶି ଅନୁଭୂତ ହୁଏ । ପରିତ୍ୟକ୍ତା ଶକୁନ୍ତଳାଙ୍କ ପାଖେ ପାଖେ ରହିଥିବା ଅଦୃଶ୍ୟମାନା ସାନୁମତୀ ପରି ଦୁଃଖ ଓ କରୁଣାମୟୀ ସାନ୍ତାଣୀ ଯେମିତିକି ସାଆନ୍ତ ମଙ୍ଗରାଜଙ୍କ ପାଖେ ପାଖେ ରହି ତାଙ୍କ ଜୀବନ୍ମୃତ ଆତ୍ମାର ଉଜ୍ଜୀବନ କରିଛନ୍ତି, ତାଙ୍କ ଜୀବନର ଅନ୍ତିମ ମୁହୂର୍ତ୍ତରେ ।

 

ଚିତ୍ରକଳା-ବିବିଧ ଚରିତ୍ର ଚିତ୍ରଣରେ ହଟକାରିତା ସୃଷ୍ଟି କରିବାରେ ସେନାପତି ଥିଲେ ଜଣେ ସଫଳ ଯାଦୁକର । ପ୍ରତ୍ୟେକଟି ଚରିତ୍ର ଏକ ଏକ ବିଶେଷ ବ୍ୟକ୍ତିସତ୍ତା । ଔପନ୍ୟାସିକ ଫକୀର ମୋହନଙ୍କର ଥିଲା ଏକ ପୂର୍ଣ୍ଣାଙ୍ଗ ଦୃଷ୍ଟି । ନାରୀ ଚରିତ୍ରର ବିଶେଷ ସୂକ୍ଷ୍ମ ସୁନ୍ଦର ଦିଗଗୁଡ଼ିକ ଯେପରି ତାଙ୍କ ଆଖି ଆଗରେ ଉଦ୍‌ଘାଟିତ ହୋଇଛି ସେହିପରି ଅତ୍ୟନ୍ତ କ୍ରୂର, କୁଟିଳ ଓ ଚତୁର ଦିଗଟି ମଧ୍ୟ ପ୍ରକାଶିତ ହୋଇଛି । ସେନାପତି ତାଙ୍କ ଉପନ୍ୟାସ ଓ ଗଳ୍ପଗୁଡ଼ିକରେ କାବ୍ୟ ନାୟିକା ପରିବର୍ତ୍ତେ ଲୋକ ନାୟିକାମାନଙ୍କୁ ହିଁ ଚରିତ୍ର ରୂପେ ଗ୍ରହଣ କରିଛନ୍ତି । ସେଥିପାଇଁ ସେନାପତିଙ୍କ ନାରୀ ଚରିତ୍ରଗୁଡ଼ିକ ଏତେ ସ୍ୱାଭାବିକ ମନେ ହୁଅନ୍ତି ।

 

‘ମାମୁଁ’ର ନାୟିକା ଚିତ୍ରକଳା ‘ଛ ମାଣ ଆଠଗୁଣ୍ଠ’ର ବହୁବିଦିତା ନାୟିକା ଚମ୍ପାର ଏକ ମାର୍ଜିତ ସହରୀ ସଂସ୍କରଣ । ପ୍ରଥମତଃ ବେଶଭୂଷା, ଚାଲିଚଳଣ ଓ କଥାବାର୍ତ୍ତାରେ ସେ ବେଶ୍‌ ରୁଚିସମ୍ପନ୍ନା । ଯାହାକୁ ଦେଖିଲେ ଲୋକେ ନାଜରଙ୍କ ଗୃହିଣୀ ବୋଲି ମନେ କରନ୍ତି । ‘ଚମ୍ପା ଫୁଲ ପରି ଚହଟ ଗୋରୀ ନୁହେଁ, ଦେହର ରଙ୍ଗଟା ଶ୍ୟାମଳ, ମୁଖଟିର ଗଢ଼ଣ ସୁନ୍ଦର, ତା’ ଉପରେ ପୁଣି ଓଳିକେ ଛ’ଥର ଘଷା ମଜାରେ ସୁନ୍ଦରପଣ ଫୁଟି ଦିଶେ । ତା’ର ଏଇ ସୁନ୍ଦର ରୂପଟି ହେଲା ନାଜରାଣୀଙ୍କ ଚିନ୍ତାର କାରଣ । ଚେଇଁଥିଲେ ଚିତ୍ରାର ଚିନ୍ତା, ଶୋଇଲେ ବି ସ୍ୱପ୍ନରେ ସେଇ । କିନ୍ତୁ ଘର ଗୋଟାକୁ ସମ୍ଭାଳିଛି ସେଇ......କିପରି ସ୍ୱାମୀଙ୍କ ସହିତ ତାର ସମ୍ପର୍କ ପ୍ରତି ସନ୍ଦେହ ପ୍ରକାଶ କରିବେ, ବୁଝିପାରୁ ନ ଥିଲେ ନାଜରାଣୀ । କିନ୍ତୁ ତାଙ୍କର ମନୋଭାବ ବୁଝିବା ପାଇଁ ଚିତ୍ରକଳାର ଆଦୌ ବିଳମ୍ୱ ହୋଇ ନ ଥିଲା । ‘ଯାହା ବୁଦ୍ଧି ପାଖରେ ନାଜର ବାବୁଙ୍କର ବୁଦ୍ଧି ହଟିଯାଏ, ଏ ବା କେତେ କଡ଼ାରେ ଗଣ୍ଡାଏ’ । ଚିତ୍ରକଳା ବୁଝିଲା ନାଜରାଣୀକୁ କୌଣସିମତେ ନିଜ କବ୍‌ଜାରେ ରଖିବାକୁ ହେବ ନ ହେଲେ ଅସୁବିଧା ଅନେକ । ତା’ ଯୋଜନାର ପ୍ରଥମ ପର୍ଯ୍ୟାୟ ହେଲା ନାଜରାଣିଙ୍କର ସନ୍ତୋଷ ବିଧାନ । ସେଥିପାଇଁ ଚିତ୍ରକଳା ବଜାର ସଉଦା କରିବାକୁ ଯାଇ ଅଳ୍ପ ପଇସାରେ ଏତେ ଜିନିଷ ଆଣିବାର ଦେଖି ନାଜରାଣୀଙ୍କର ଲୋଭୀ ମନ ସହଜରେ ପୋଷା ମାନିଗଲା । ନାଜର ନଟବର ସେଥିରେ ଆଉ ଟିକେ ଯୋଗ କଲେ ଯେ ସେ ନିଆଶ୍ରୀ ସ୍ତ୍ରୀ ଲୋକ, କିନ୍ତୁ ପ୍ରଚୁର ଧନର ମାଲିକ, ତା’ର ଆଉ କେହି ନାହିଁ । ସେଥିପାଇଁ ତାଙ୍କୁ ଆଶ୍ରାକରି ପଡ଼ିଛି ସବୁ ସମ୍ପତ୍ତି ସେ ତାଙ୍କରି ନାମରେ ଲେଖିଦେବ । ତା’ ପରଠାରୁ ନାଜରାଣୀଙ୍କ ପାଟିରେ ପଡ଼ିଗଲା ଶକ୍ତ କୋଲପଟିଏ । ମନ ଭିତରେ ଯେ ଟିକିଏ ଅନ୍ଧାରିଆ ରକମ ଗୋଳମାଳ ଥିଲା, ଏକାବେଳକେ ସାଫ୍‌। ଚିତ୍ରକଳାର ଚିନ୍ତା ଗଲା । କିନ୍ତୁ ନାକଫୋଡ଼ିଆମା ସହିତ ଚିତ୍ରକଳାର ଝଗଡ଼ା ବେଳେ ନାକଫୋଡ଼ିଆମା ସାଆନ୍ତଙ୍କ ସହିତ ତା’ ସମ୍ପର୍କର ରହସ୍ୟ ସାନ୍ତାଣୀଙ୍କ ଆଗରେ ଖୋଲିଦେବା ପରେ ଯେଉଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ଚିତ୍ରକଳା ଯେପରି ବିଚକ୍ଷଣତାର ସହିତ ସମ୍ଭାଳି ନେଲା ଦେଖିଲେ ତା’ର ଆଶୁବୁଦ୍ଧି ଓ ଚତୁରତାର ସ୍ପଷ୍ଟ ପରିଚୟ ମିଳିଥାଏ । ପୋଇଲୀ ହେଲେ ବି ତା’ର ଅହଂକାର ଥିଲା ବହୁତ । ନାଜରାଣୀ ତାଙ୍କ ବୋଉଙ୍କୁ ଚିତ୍ରକଳାକୁ ଚିହ୍ନାଇବାକୁ ଯାଇ ପୋଇଲୀ କହିବାରୁ ତା’ର ମାନହାନି ହୋଇଗଲା । ମନରେ ଭାବିଲା, ‘ହଁ ତୋ ଚଉଦ ପୁରୁଷ ଢେର ପୋଇଲୀ ରଖିଥିଲେ... । ଏପରି ଭାବିବା ତା’ ପକ୍ଷରେ ସ୍ୱାଭାବିକ ଥିଲା, କାରଣ ପ୍ରକୃତରେ ଚିତ୍ରକଳାହିଁ ଥିଲା ଘରର ଓ ନଟବରଙ୍କର ପ୍ରକୃତ ମାଲିକାଣୀ ।

 

ନାଜରଙ୍କ ପ୍ରରୋଚନାରେ ଉତ୍ତରରାୟ ବଂଶର ଖାନଦାନୀ ଅଳଙ୍କାର ପୁଟୁଳା ଚିତ୍ରା ଦକ୍ଷତାର ସହିତ ଚୋରାଇ ନେଇଛି ଏବଂ ଅଳଙ୍କାରତକ ହସ୍ତଗତ ହେବାପରେ ନାଜର ନିଜ ବୁଦ୍ଧିକୁ ଧନ୍ୟ ଧନ୍ୟ କରିଛନ୍ତି । ଯେଉଁଦିନ ପ୍ରଭୁଦୟାଲ ସହିତ ସନ୍ଧ୍ୟାରେ ରଙ୍ଗରସ କରୁଥିବା ବେଳେ ନାଜର ପହଞ୍ଚି ଯାଇଛନ୍ତି । ଚିତ୍ରା ଧରାପଡ଼ି ଯାଉ ଯାଉ ନିଜର ଉପସ୍ଥିତ ବୁଦ୍ଧିରେ ଏପରି ହଟଚମଟ କରିଦେଇଛି ଯେ ନାଜରଙ୍କ ପରି ଧୂର୍ତ୍ତ ଶୃଗାଳ ମଧ୍ୟ ପ୍ରକୃତ ଘଟଣାଟା ବୁଝିପାରି ନାହିଁ, ବରଂ ଏକ ପ୍ରକାର ହୀନ ଆତ୍ମସନ୍ତୋଷ ଲାଭ କରିଛି । ଗୁଡ୍‌ ଫ୍ରାଇଡେର ରୋଷଣୀ ଦେଖେଇବା ଆଳରେ ଚିତ୍ରକଳା, ନାଜରାଣୀ ଓ ତାଙ୍କର ମାଙ୍କୁ ଛାତ ଉପରକୁ ନେଇଯାଇ ରାଘବ ଓ ପ୍ରଭୁଦୟାଲକୁ ନାଜରଙ୍କ ସିନ୍ଦୁକରୁ ସରକାରୀ ତହବିଲ ଚୋରି କରିନେବାରେ ସାହାଯ୍ୟ କରିଛି ଓ ନାଜର ବନ୍ଧାହୋଇ ଯିବାପରେ ଚୋର ଭୟ ଦେଖାଇ ବିଶାଖା ଦେଈଙ୍କର ଅଳଙ୍କାରତକ ନିଜେ ଚୋରାଇ ନେଇଛି । ତା’ ଘର ଖାନତଲାସି ବେଳେ କୌଣସି ଚୋରିମାଲ୍‌ ମିଳିନି, ତା’ଘର ବାହାର ମାଟିତଳୁ ଅଳଙ୍କାର ବାହାରିଛି ।

 

ଚୋରି ଅଭିଯୋଗରେ ଚିତ୍ରକଳା ବନ୍ଧାହୋଇ ଯାଇଛି କିନ୍ତୁ କୋର୍ଟରେ ଜବାବଶୁଆଲ ବେଳେ ସେ ଆଦୌ ଭୟଭୀତ ନ ହୋଇ ଓଲଟା ଆକ୍ରମଣାତ୍ମକ ଭଙ୍ଗୀରେ କହିଛି, ‘ମୁଁ ଟଙ୍କା ଚୋରି କରିଛି କିଏ ଦେଖିଛି ? ମୋ ଘରୁ କିଛି ମାଲ ବାହାରିନି-କେହି ଲୋକ ଦୁଷ୍‌ମନି କରି ମୋ ଘର ପଛରେ ରାତିରେ ରଖିଦେଇ ଯାଇଛି-ମାଲ ଘରୁ ନବାହାରିଲେ କେହି ସଜାପାଏ ନାହିଁ । ବିଚାରପତି ମାମଲାର ରାୟ ପଢ଼ିବାବେଳେ ଚିତ୍ରକଳା ସମ୍ପର୍କରେ କହିଛନ୍ତି, ‘ଏହି ଆସାମୀ ଗୋଟାଏ ଭୟଙ୍କର ବୁଦ୍ଧିମତୀ, ଭୟଙ୍କର ଦୁଶ୍ଚରିତ୍ରା ବଜାରୀ ସ୍ତ୍ରୀ ଅଟେ...ଚତୁରତାରେ ନାଜର ନଟବର ଦାସକୁ ଭୁଲାଇ ରଖିଥିଲା । ଏହି ଦୁଷ୍ଟା ସ୍ତ୍ରୀ ପରାମର୍ଶ କୌଶଳ ଓ ବିଶ୍ୱାସଘାତକତା ପୂର୍ବକ ନାଜର ବସାରୁ ଅଳଙ୍କାର ଚୋରାଇ ଆଣିଛି । ପୁଣି ଚୋରି ଅପରାଧରୁ ମୁକ୍ତି ପାଇବା ନିମନ୍ତେ ନାନା ପ୍ରକାର କୌଶଳ ଅବଲମ୍ୱନ କରିବାରେ ତ୍ରୁଟି କରିନାହିଁ ।’

 

ଚିତ୍ରକଳାର ଚରିତ୍ରରେ ଉପର୍ଯ୍ୟୁକ୍ତ ଦୁର୍ଗୁଣଗୁଡ଼ିକ ଥିବା ସତ୍ତ୍ୱେ ଘନକୃଷ୍ଣ ମେଳମାଳା ଦେହରେ ସ୍ୱର୍ଣ୍ଣ ବିଜୁଳିର ସାମାନ୍ୟ ଝଟକ ପରି ତା’ ଭିତରେ ଭଲ ଗୁଣଟିଏ ମଧ୍ୟ ଥିଲା । ଔପନ୍ୟାସିକ ତା’ର ସୂଚନା ମାତ୍ର ଦେଇଛନ୍ତି । ଭାଇ ରାଘବ କଥାରେ ପଡ଼ି ମାଇଁ ଓରଫ ବିଶାଖା ଦେଈ ନରୁକୁ କଟୁ ଭର୍ତ୍ସନା କରିବାରୁ ନରୁ ଭୟ, ଅପମାନ ଓ ଲଜ୍ଜାରେ ଜଡ଼ ମୂର୍ତ୍ତିଟିଏ ପରି ଠିଆ ହୋଇଥିବା ବେଳେ ଆସିଛି ଚିତ୍ରକଳା । ସମଗ୍ର ଉପନ୍ୟାସରେ ଚିତ୍ରକଳା ମନରେ କାହାରି ପାଇଁ ଆନ୍ତରିକତା, ଦରଦ ବା ସ୍ନେହର ପରିଚୟ ମିଳେନାହିଁ । କିନ୍ତୁ ସେଇ ଅବସ୍ଥାରେ ନରୁକୁ ଦେଖି ଚିତ୍ରକଳାର ମନେହେଲା ନାଜରାଣୀ ପରି ଘୁଷୁରିଆଣୀଟା କଣ ଦେବତା ପୁଅକୁ ଚିହ୍ନିବ ! ନାରୁବାବୁର ହାତ ଧରି ବୁଝାଇ ସୁଝାଇ ଘର ଭିତରକୁ ନେଇଯାଇଛି । ମଣିଷ ଚିହ୍ନିବାରେ ତା’ର ଥିଲା ଅଶେଷ ଦକ୍ଷତା । କାର୍ଯ୍ୟସାଧନ ପାଇଁ ମନ୍ଦଲୋକଙ୍କର ମନନେଉଥିଲେ ମଧ୍ୟ ଭଲ ମଣିଷ ପାଇଁ ତା’ ମନରେ ସ୍ୱାଭାବିକ ଶ୍ରଦ୍ଧା ଓ ସମ୍ମାନ ଥିଲା । ଚିତ୍ରକଳା ଚରିତ୍ରର ସମସ୍ତ କାଳିମା ସତ୍ତ୍ୱେ ଏଇ ଗୋଟିଏ ସୁନ୍ଦର ଦିଗ-ତା’ ଭିତରେ ଲୁଚି ରହିଥିବା ଭଲ ମଣିଷଟିର ପରିଚୟ ଦେଇଥାଏ । ମାମୁଁ ଉପନ୍ୟାସଟିରେ ଚିତ୍ରକଳାର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ-ଯାହା ପୁରୁଷ ଦୁର୍ଲଭ ।

 

ଗଉରୀ-ଓଡ଼ିଆ ଉପନ୍ୟାସ ସାହିତ୍ୟରେ ପ୍ରଥମ ମନୋବିଶ୍ଳେଷଣଧର୍ମୀ ଉପନ୍ୟାସ ଭାବରେ ଔପନ୍ୟାସିକ ବୈଷ୍ଣବଚରଣ ଦାସଙ୍କର ‘ମନେ ମନେ’ ଏକ ସ୍ୱତନ୍ତ୍ର ଆସନର ଅଧିକାରୀ ଏହି ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ଯେଉଁ ମାନସିକ ସ୍ଥିତିର ବିଚାର କରାଯାଇଛି ତାହା ଅତ୍ୟନ୍ତ ପରିପକ୍ୱ ଲେଖନୀର ପରିଚୟ ଦିଏ । ଏହି ଉପନ୍ୟାସରେ ବର୍ଣ୍ଣିତ ନାରୀ ଚରିତ୍ରଟିଏ ଗଉରୀ । ଏପରି ଏକ ସୁନ୍ଦର ମହନୀୟ ଚରିତ୍ରଟିଏ ଅଦ୍ୟାବଧି ଅନ୍ୟ କୌଣସି ଓଡ଼ିଆ ଉପନ୍ୟାସରେ ସମ୍ଭବ ହୋଇନାହିଁ ।

 

ନାୟିକା କନକର ସେ ବିଧବା ବଡ଼ ନଣନ୍ଦ । ସାନ ଭାଇ ନିଧିର ବାହାଘରକୁ ଆସି ବାପଘରେ ରହୁଥିଲା । ଦେହରେ ତାର ଧଳା ଲୁଗା, ମୁଣ୍ଡରେ ଚିତା ଓ ବେକରେ ତୁଳସୀ ମାଳୀ ଦେଖି କନକର ପ୍ରଥମରୁ ତା’ ପାଇଁ କୌତୂହଳ ସୃଷ୍ଟି ହୋଇଛି ଓ ସେ ଜାଣିବାକୁ ଚାହିଁଛି ସେ ମାତାଟି କିଏ । ନିଜ ଝିଅକୁ ମାତା କହିଥିବା କାରଣରୁ ଶାଶୁ ପ୍ରଚଣ୍ଡ ରାଗରେ ବୋହୂ କନକକୁ ନାନା ପ୍ରକାର ଭର୍ତ୍ସନା କରିଛନ୍ତି । ଗଉରୀ ତାଙ୍କୁ ସେଠାରୁ ଟାଣିନେଇ ବୋହୂ ପାଇଁ ବହୁତ କାକୁତି ମିନତି ହୋଇ ନରାଗିବା ପାଇଁ ଅନୁରୋଧ କରିଛି ଓ ବୁଝାଇବାକୁ ଯାଇ କହିଛି, ‘ବୋହୂ କିଏ ଆଉ ଝିଅ କିଏ’ । ତା’ କଥା ଶୁଣି ତା ବୋଉଙ୍କ ଆଖିରେ କ୍ଷଣକ ପାଇଁ ଟିକିଏ ଜ୍ୟୋତି ଦେଖାଦେଲା ଓ ଲିଭିଗଲା । କିନ୍ତୁ ସେହି ସ୍ନେହର ଦୀପ୍ତିଟା ଗଉରୀ ଆଖିରେ ସବୁକାଳେ ଲାଗିଥାଏ । ସତେ ଯେପରି ସ୍ନେହର ମୂର୍ତ୍ତିଟିଏ । ସେଇ ନଣନ୍ଦ ତା’ ଘରକୁ ଫେରିଯିବ ଭାବିଲାବେଳେ କନକ ନିଜକୁ ଅତି ଅସହାୟ ମନେ କରିଛି । ଗଉରୀ ନଥିଲେ କନକର ଶାଶୁଘର ଯେ କଠୋର କାରାବାସଠାରୁ ବଳିଯିବ ଏକଥା ଆଉ କେହି ବୁଝନ୍ତୁନା ନବୁଝନ୍ତୁ କନକ ବେଶ୍‌ ବୁଝି ପାରିଥିଲା ଓ ଗଉରୀର ଚିର ସମାନ ନୀରସ ଜୀବନ ମଧ୍ୟ ଅନେକାଂଶରେ ପରିବର୍ତ୍ତିତ ହୋଇ ଆସିଥିଲା...ତାହାର ସୁନ୍ଦର ମୁହଁଟିରେ ଦୟା ଓ ସରଳତା ସହିତ ଯେଉଁ ବିଷାଦର ମଳିନ ଛାୟାଟିକ ଲାଗି ରହିଥାଏ ସେଟା କ୍ରମେ ଅନେକ ପରିମାଣରେ ଊଣା ହୋଇ ଆସିଥିଲା ।

 

ଭାଉଜ ନଣନ୍ଦଙ୍କ ଭିତରେ ଏତେ ଆନ୍ତରିକ ସମ୍ପର୍କର ଚିତ୍ର ଅନ୍ୟତ୍ର ଦେଖାଯାଏନା । ମାତ୍ର ଚାରି ପାଞ୍ଚଟା ଦିନ ଭିତରେ ପରସ୍ପର ପ୍ରତି ଏପରି ମମତା ବଢ଼ିଗଲା ଯେ ଦୁହେଁ ଦୁହିଁଙ୍କର ବାହ୍ୟ ଜୀବନର ସୁଖଦୁଃଖ ପ୍ରତି ଦୃଷ୍ଟିଦେବା ବ୍ୟତୀତ ହୃଦୟର ଗୋପନ କଥାଟି ପ୍ରତି ମଧ୍ୟ ସମ୍ୱେଦନଶୀଳ ହୋଇ ପଡ଼ିଲେ । ଅନ୍ୟର ଦୁଃଖକୁ ନିଜର କରି କାନ୍ଦିବାକୁ, ବାଣ୍ଟିନେବାକୁ ମନ ବ୍ୟାକୁଳ ହୋଇଉଠିଲା । ଲେଖକ ଉପଲବ୍‌ଧି କରିଛନ୍ତି ଯେ, ‘ଏତେ ଗଭୀର ପ୍ରଣୟ ଏତେ ଅଳ୍ପ ସମୟ ମଧ୍ୟରେ ବୋଧହୁଏ କେବଳ ନାରୀ ନାରୀ ମଧ୍ୟରେ ହିଁ ସମ୍ଭବ’ । ନାରୀ ଜୀବନରେ ପୁରୁଷର ସାନ୍ନିଧ୍ୟ ପରି ଅନ୍ୟ ଏକ ନାରୀର ବନ୍ଧୁତା ଓ ସ୍ନେହ ମଧ୍ୟ ପରମ କାମ୍ୟ ହୁଏ । ଏପରିକି ଦୁଇଟି ନାରୀ ମଧ୍ୟରେ ସମ୍ପର୍କ ବେଳେ ବେଳେ ଆହୁରି ଗଭୀର ଓ ଆନ୍ତରିକ ହୋଇଥାଏ ।

 

ଗଉରୀ ଜୀବନରେ କାହା ସହିତ ଏପରି ଘନିଷ୍ଠ ହେବାର ସୁଯୋଗ ଆସି ନଥିଲା । କନକକୁ ପାଇ ତାର ନିତି ଦିନର ଧର୍ମକର୍ମଜନିତ ନିୟମବନ୍ଧା ଜୀବନରେ ସୃଷ୍ଟି ହେଲା କେତେକ ବ୍ୟତିକ୍ରମ । ସେ ଅନୁଭବ କରିଛି ନୂଆବୋହୂ କନକ ସହିତ ଏକ ନିବିଡ଼ ଆତ୍ମୀୟତାର ବନ୍ଧନରେ ସେ ବାନ୍ଧିହୋଇ ଯାଇଛି । ଯେଉଁଦିନ ଭିଜାଗଳାରେ କନକ କହିଲା ‘ମୁଁ ବଡ଼ ଦୁଃଖୀ’, ଗଉରୀର ମନେହେଲା ସ୍ତ୍ରୀଲୋକମାନେ ପ୍ରାୟ କଥାରେ କଥାରେ ଏଇ ପଦଟା ସେମିତି କହିଦିଅନ୍ତି କିନ୍ତୁ କନକର ଏଇ ପଦକ କଥା ଭିତରୁ ତା’ ହୃଦୟର କେଉଁ ଏକ ଗୋପନ ବ୍ୟଥାହିଁ ଝରିଆସିଛି । ନାରୀ ଛଡ଼ା ନାରୀର ଏ ମର୍ମବ୍ୟଥା ଆଉ ବୁଝିବ କିଏ ! ଗଉରୀ ପରି ଏତେ ଚେତନାପ୍ରବଣ (sensitive) ନାରୀ ଚରିତ୍ରଟିଏ ଆଉ କାହିଁ !

 

ଦିନେ ଆବେଗପ୍ରଣୋଦିତ ହୋଇ ଗଉରୀ କନକ ମୁଣ୍ଡରେ ସିନ୍ଦୂର ଲଗାଇ ଦେଉଥିବାର ଦୃଶ୍ୟ ସାବୀଅପା ଆଖିରେ ପଡ଼ିଯିବା ଓ ସେ ଗଉରୀର ଏ ଆଚରଣକୁ ନିନ୍ଦାକରି ଭର୍ତ୍ସନା କରିବା ମୁହୂର୍ତ୍ତରେ ଗଉରୀ ଭିତରର ହତଭାଗିନୀ ନାରୀଟି ଲଜ୍ଜା, ଅପମାନ କ୍ଷୋଭରେ ଜଳିଯାଇ ନିଜକୁ ଧିକ୍‌କାର କରିଛି-‘ଛି ଛି ମୁଁ ଯେ ବିଧବା, ଅମଙ୍ଗୁଳୀ, ଅଲକ୍ଷଣୀ, ପୋଡ଼ାମୁହିଁ ବିଧବା’ ।

 

ପୁଣି ଅଳ୍ପ ସମୟ ଭିତରେ ଗଉରୀ ସମସ୍ତ ଅପମାନ ଓ ଦୁଃଖକୁ ନିଜ ଭିତରେ ସାଲିସ କରେଇ ନେଲା ଓ ତା’ର ସ୍ୱାଭାବିକ ହସ ହସ ମୁହଁରେ କନକ ପାଖରେ ପହଞ୍ଚିଲା । ନୀଲୁବାବୁ କୁଣିଆ ହୋଇ ଆସିଥିବାର ଖବର ଆଣିଥିବା ପିଲାଟିକୁ ପରିହାସ କରି କହିଲା,...‘ଶୁଣ୍‌ବେ ରମା, କିଏ ସେ ସାନ୍ତ ଆସିଚି କିବେ ? ମୁଁ ସେଟାକୁ ସୁଆରିରୁ ଓହ୍ଲାଇବା ବେଳେ ଭଲକରି ଦେଖିପାରିଲି ନାହିଁ ।’ ବୈଧବ୍ୟର ଅଭିଶାପ ଭୋଗୁଥିବା ଗଉରୀର ସ୍ୱାଭାବିକ ମନଟା ମରିଯାଇ ନଥିଲା ।

 

ନିଧି ଓ କନକ ଭିତରେ ଭୁଲ ବୁଝାମଣାର ସୂଚନା ପାଇବାମାତ୍ରେ ଗଉରୀ ନିଧିକୁ ହିଁ ତାଗିଦା କରିଛି । ଭାଉଜ ଅପେକ୍ଷା ସମସ୍ତ ଅଶାନ୍ତିର କାରଣ ରୂପେ ତା’ ଭାଇକୁହିଁ ଦାୟୀ କରିଛି । ଏପରି ନଜିର ବା କେତେ ଜାଗାରେ ମିଳେ । ରାତିରେ ଶୋଇବାକୁ ଯିବାବେଳେ କନକକୁ ବହୁତ ବୁଝାଇ ସୁଝାଇ ନିଧିବାବୁଙ୍କ ବଖରା ଭିତରକୁ ପଠାଇଦେଇ ନିଜେ ବିଛଣାରେ ଶୋଇ ଶୋଇ ଗଉରୀ ଚିନ୍ତା କରିଛି ଅନେକ କଥା । ତା’ର ଏଇ ଚିନ୍ତାର ଧାରା ଦେଇ ହିଁ ତା’ର ଚରିତ୍ରର ବିଶେଷ ଦିଗଟି ଉଦ୍‌ଘାଟିତ । କନକ ବାହାହୋଇ ଆସିବାପରେ ଗଉରୀ ବୁଝିପାରିଥିଲା କନକ ମନର କେଉଁ ଏକ ଗୋପନ କୋଠରୀରେ କଥାଟିଏ ଲୁଚିରହିଛି ଓ ନୀଲୁ ପ୍ରତି କନକର ଗଭୀର ଭଲ ପାଇବା ସେ ବୁଝିଥିଲା; କିନ୍ତୁ ସେସବୁକୁ ଯୋଡ଼ି ଗୋଟାଏ କିଛି ନିର୍ଦ୍ଦିଷ୍ଟ ମତରେ ପହଞ୍ଚିବାକୁ ସେ ଚାହିଁ ନଥିଲା । କିନ୍ତୁ କନକ ନିକଟରୁ ନୀଳୁ ଓ ତା’ର ସମ୍ପର୍କକଥା ଜାଣିବା ପରେ ତା’ର ସହାନୁଭୂତି କନକ ପାଇଁ ଆହୁରି ବଢ଼ିଯାଇଛି । ସେ କନକ, ନିଳୁ, ନିଧି, ରଙ୍ଗୀ ଓ ନିଜ କଥା ମଧ୍ୟ ଭାବିବାକୁ ଲାଗିଲା । ସମସ୍ତଙ୍କ ଦୁଃଖକୁ ନିଜର ବୋଲି ଭାବିବାରୁ ସେମାନଙ୍କ ଦୁଃଖର ଗଭୀରତା ମଧ୍ୟ ସେ ବୁଝିପାରିଲା । ତା’ ମନରେ ପ୍ରଶ୍ନ ଉଠିଛି ଏ ସମସ୍ତ ଦୁଃଖର କାରଣ କଣ ସମାଜ ? ସମାଜକୁ ଯଦି ବଦଳାଇ ଦିଆଯାଏ ତେବେ କଣ ଦୁଃଖର ସମାଧାନ ହୋଇଯିବ ! ଏଇ ଭାବନା ଭିତରେ ସେ ଏକ ସାଧାରଣ ସତ୍ୟ ଅନୁଭବ କରିପାରିଛି ଯେ ଦୁଃଖୀ ଓ ଦୁଃଖିନୀ ନଥାଇ କୌଣସି ସମାଜ କେବେହେଲେ ତିଷ୍ଠିରହି ପାରେନା ।

 

ସୁଖପରି ଦୁଃଖର ଅସ୍ତିତ୍ୱ ମଧ୍ୟ ସତ୍ୟ । ତାକୁ ଜୀବନଧାରାର ଏକ ଅଙ୍ଗରୂପେ ହିଁ ମାନିନେବାକୁ ହେବ । ନିଜର ସ୍ଥିତି ସେ ବିଶ୍ଳେଷଣ କରିଛି । ନିଜକୁ ପ୍ରଶ୍ନ କରିଛି ସମାଜରେ ଯଦି ବିଧବା ବିବାହର ପ୍ରଚଳନ ରହିଥାନ୍ତା ତେବେ ସେ ପୁଣି ବାହାହୋଇ ଥାନ୍ତାକି ? ତା’ ମନରୁ ଉତ୍ତର ଆସିଲା ନାଁ ।’ ତେବେ ଏମିତି କେତେ ବିଧବା ମଧ୍ୟ ବିଭିନ୍ନ କାରଣରୁ ପୁଣି ବିବାହ କରି ନଥାନ୍ତେ । ତେଣୁ ପ୍ରଥା ନାହିଁ ବୋଲି ଓ ବିଧବାର ଜୀବନ ଯାପନ କରୁଥିବାରୁ ସେ ନିଜକୁ ଅଭାଗୀ ମନେକଲା ନାହିଁ । କିନ୍ତୁ ଯେଉଁମାନେ ପୁନର୍ବିବାହ ଚାହାନ୍ତି ସେମାନଙ୍କୁ ସୁଯୋଗ ଦେବା ସମାଜର ଉଚିତ ବୋଲି ତା’ର ଧାରଣା ହେଲା । ଏଇ ପ୍ରସଙ୍ଗରେ ତା’ର ସ୍ୱାମୀର ସ୍ମୃତି କ୍ରମଶଃ ତା’ର ମନକୁ ସଂପୂର୍ଣ୍ଣ ଆଚ୍ଛନ୍ନ କରିପକାଇଲା । ସେ ବୁଝିପାରିଲା ନାହିଁ ଯେ ତାଙ୍କ ସହିତ ତା’ର କେତେଦିନର ପରିଚୟ ଥିଲା ! ସେ କଣ ଏ ସୃଷ୍ଟିର ଆଦିକାଳରୁ ତାଙ୍କୁ ଜାଣିଥିଲା ଓ ଅନନ୍ତ କାଳଯାଏ ଏ ପରିଚୟ ତାରି ଭିତରେ ସଞ୍ଚରି ରହିବ ! ତା’ର ହୃଦୟର ଭଲପାଇବା ସେ ଢାଳିଦେଇଥିଲା ଯେଉଁ ବ୍ୟକ୍ତିଟି ପାଖରେ ସେ ଆଉ ନାହିଁ, କିନ୍ତୁ ତା’ର ହୃଦୟାବେଗ ତ ଟିକିଏ ବି ଊଣା ହେଲାନି । ସେଇ ବ୍ୟକ୍ତିଟିର ସ୍ମୃତିକୁ ସେ ତା’ ମନ ପ୍ରାଣର କୋମଳ ଅନୁଭବ ଦେଇ ତାରି ଭିତରେ ଏତେ ସଜୀବ ରଖିପାରିଛି ଯେ ସେଠି ହତାଶାର ହାହାକାର କାହିଁ ! ପାଇବାର ପୂର୍ଣ୍ଣତା ଭିତରେ ହରାଇବାର ବ୍ୟର୍ଥତା ତାକୁ ସ୍ପର୍ଶ କରିପାରିନି । ତା’ର ଚିନ୍ତା, କଳ୍ପନା ଓ ଅନୁଭବ ଭିତରେ ସେ ତାର ପ୍ରିୟ ପୁରୁଷଟିର ନିତ୍ୟ ସାନ୍ନିଧ୍ୟ ଲାଭକରି ଚାଲିଛି ସେଠି ବିରହର ମର୍ମନ୍ତୁଦ ମନ୍ତ୍ରଣାର ସତ୍ତାନାହିଁ । ସେଇ ପ୍ରେମମୟୀ ନାରୀଟିର ପ୍ରୀତିସଜଳ ହୃଦୟଟିହିଁ ଅନୁଭବ ଅନୁଭୂତି ପାଇଁ ସମର୍ଥ ହୋଇ ପାରିଛି । ତା’ ମନରେ ରହିଯାଇଛି, ‘ଖାଲି ଗୋଟାଏ ଅସୀମତାର ଛାୟା, ତାର କ୍ଷୁଦ୍ର ହୃଦୟରେ ମେଲିଗଲା ଗୋଟାଏ ଦିଗନ୍ତବ୍ୟାପୀ ପୂର୍ଣ୍ଣତା-ଯାହା ଇହକାଳ, ପରକାଳ ଭେଦ କରି କୁଆଡ଼େ ଶୂନ୍ୟରେ ମିଶିଯାଇଛି-ତାର ନା ଅଛି ଏପାଖର ଠିକଣା, ନା ସେପାଖର ଅନ୍ତ ।’ ତା’ର ପ୍ରେମ ପାର୍ଥିବ ସ୍ମୃତିରୁ ଅପାର୍ଥିବ ଚେତନା ଭିତରେ ନିର୍ଜିତ ହୋଇ ଯାଇଛି ।

 

ଅବାରିତ ଭାବରେ ପ୍ରସାରିତ ହୋଇ ଚାଲିଥିବା ତା’ର ସମ୍ୱେଦନଶୀଳ ହୃଦୟଟି ତା’ର ନିକଟତମ କେତୋଟି ହୃଦୟର ଦୁଃଖରେ ଅଭିଭୂତ ହେବାକୁ ଲାଗିଲା । ସେ ଖୋଜିବୁଲିଲା ତା’ର ସମାଧାନର ପନ୍ଥା । ସେ ବୁଝିଥିଲା ନୀଳୁ କନକ ନିଧି କନକ ଓ ରଙ୍ଗୀ ନୀଳୁଙ୍କ ମଧ୍ୟରେ ସମସ୍ତ ଦୁଶ୍ଚିନ୍ତାର କାରଣ ବିବାହ ପ୍ରେମ । ବିବାହ ଓ ପ୍ରେମ ସମ୍ପର୍କିତ ଏତେ ସ୍ପଷ୍ଟ ଧାରଣା ଗଉରୀ ବ୍ୟତୀତ ଅନ୍ୟ କୌଣସି ଚରିତ୍ରର ବୋଧହୁଏ ଘଟିନାହିଁ । ସେ ମନେକରିଛି ସବୁ ସମ୍ପର୍କର ଶେଷକଥା ବିବାହ ହୋଇ ପାରେନା । କାରଣ ବିବାହରେ ଗୋଟିଏ ହୃଦୟ ତା’ର ବାଞ୍ଛିତର ଠିକଣା ସବୁବେଳେ ପାଏନାହିଁ । ବିବାହ ଏକ ସାମାଜିକ ଅନୁଷ୍ଠାନ ମାତ୍ର: କିନ୍ତୁ ହୃଦୟ ରାଜ୍ୟର ଶେଷ ସମାଧାନ ନୁହେଁ । ‘ସମାଜର ବିବାହ ସେ ସମାଜର-ସମାଜର ନରନାରୀ ସେଥିରେ ସୁରଧୂନୀ ଖୋଜିଲେ ପାଇପାରନ୍ତି; କିନ୍ତୁ ତା’ ବୋଲି ସେହି ବିବାହ ହିଁ ସୁରଧୂନୀ ବା ସର୍ବସନ୍ତାପହାରିଣୀ, ୟା କିପରି ହୋଇପାରେ’ ! ତେଣୁ ଗଉରୀ ଅନୁଭବ କରିଛି, ହୃଦୟ ହିଁ ସବୁ ଆନନ୍ଦର ସବୁ ତୃପ୍ତିର ମୂଳକାରଣ । ହୃଦୟର ପ୍ରକୃତ ଭଲପାଇବା ଥିଲେ ବ୍ୟକ୍ତି ବାହାରେ କଣ ପାଇଲା ନପାଇଲା ନେଇ ବିବ୍ରତ ବିଚଳିତ ହୁଏନାହିଁ । ପ୍ରେମହିଁ ତାର ମନକୁ ପରିପୂର୍ଣ୍ଣ କରିରଖେ । ଅଥଚ ଏଇ ଅନୁଭବ ଟିକକ ଅଭାବରୁ ମଣିଷର ଜୀବନ କେତେ ବ୍ୟର୍ଥତା ଓ ହତାଶା ଭିତରେ ଜଳିପୋଡ଼ି ପାଉଁଶ ହେଇଯାଏ !

 

ଆତ୍ମହତ୍ୟା କରିବାକୁ ଯାଇ କୂଅ ଭିତରକୁ ଡେଇଁ ପଡ଼ିଥିବା କନକକୁ ଯେତେବେଳେ ଉଦ୍ଧାର କରି ବାହାରକୁ ଅଣାଗଲା ସେତେବେଳେ ସେ ଥିଲା ଚେତାଶୂନ୍ୟ । ଚେତା ଫେରିବା ପରେ କନକର ଦୃଷ୍ଟି ଘରେ ଉପସ୍ଥିତ ଥିବା ସମସ୍ତଙ୍କ ଉପରେ ପହଁରି ଆସି ଅପ୍ରତିଭ ହୋଇ ପୁଣି ବନ୍ଦ ହୋଇଗଲା । ସେଇ ଭାବଟିକକ ଗଉରୀର ଦୃଷ୍ଟି ବୁଝି ପାରିଥିଲା । ସେ ନିଧିବାବୁଙ୍କୁ ନୀଳୁ ନିକଟକୁ ତାର କରିବାକୁ କହିଲା । ପରେ ପରେ ବାହାରେ ଗୋଟିଏ ଗାଡ଼ି ରହିବାର ଶବ୍ଦ ଶୁଣି କନକ ଦ୍ୱାର ଆଡ଼କୁ ବହୁ କଷ୍ଟରେ ଚାହୁଁଥିବାର ଦେଖି ଏକା ଗଉରୀ ହିଁ ଜାଣିଲା କେତେ ଉଦ୍‌ବେଗ ଉତ୍‌କଣ୍ଠା ତା’ ଆଖିରେ ନେଇ କନକ କାହାର ପ୍ରତୀକ୍ଷା କରୁଛି । କନକ ହୃଦୟର ପ୍ରତିଟି ସ୍ପନ୍ଦନ ସତେ ଯେପରି ଗଉରୀର ହୃଦୟରେ ପ୍ରତିଧ୍ୱନିତ ହେଉଥିଲା ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଗଉରୀ ପରି ଚରିତ୍ରଟିଏ ସମ୍ଭବ ହୋଇନାହିଁ । କାହ୍ନୁଚରଣଙ୍କର ବହୁ ଉପନ୍ୟାସ ଓ ଅନ୍ୟାନ୍ୟ ଉପନ୍ୟାସରେ ଯୁବତୀ ବିଧବାର ବହୁ ଯନ୍ତ୍ରଣାପୂର୍ଣ୍ଣ ଜୀବନ, ବିବାହ କରିବା ନକରିବା, ମାତୃତ୍ୱଲାଭର ପିପାସା, ପ୍ରେମିକକୁ ଗ୍ରହଣ କରିବା ନକରିବା ଆଦି ବିଭିନ୍ନ ସମସ୍ୟା ନେଇ ସନ୍ତୁଳି ହେବାର ଓ ପ୍ରତିପଦରେ ନିଜର ଭାଗ୍ୟହୀନତା ପାଇଁ ନିଜକୁ ଓ ଭାଗ୍ୟକୁ ଅହରହ ଦୋଷ ଦେବାର ବହୁ ବର୍ଣ୍ଣନା ମିଳେ । ନିଜକୁ ବଞ୍ଚିତ ମନେକରି ଅନ୍ୟର ସୁଖ ସୌଭାଗ୍ୟକୁ ଦେଖି ଏକ ଅବ୍ୟକ୍ତ ଈର୍ଷାରେ ଜଳିବାର ଉଦାହରଣ ମଧ୍ୟ କମ୍‌ ନୁହେଁ । କିନ୍ତୁ ବୈଷ୍ଣବଚରଣଙ୍କ ଗଉରୀ ଏକ ଅନନ୍ୟା ନାରୀ, ଗୋଟିଏ ଅତି ସୁନ୍ଦର ହୃଦୟର ଅଧିକାରିଣୀ । ବୈଧବ୍ୟକୁ ଜୀବନର ଏକ ଚୂଡ଼ାନ୍ତ ଅଭିଶାପ ବୋଲି ମନେକରି ନି, ଜୀବନଧାରାର ଏକ ପର୍ଯ୍ୟାୟ ଭାବରେ ଗ୍ରହଣ କରିଛି । ସାଥିହୀନ ନିଃସଙ୍ଗ ଜୀବନକୁ ସାଥୀର ସ୍ମୃତିଚାରଣରେ ସୁନ୍ଦର ଓ ସଜୀବ କରି ରଖିଛି । ପ୍ରେମର ପାର୍ଥିବ ଅନୁଭବକୁ ଉତ୍ତୀର୍ଣ୍ଣ କରିନେଇଛି ଏକ ଅପାର୍ଥିବ ଚେତନାର ସ୍ତରକୁ-। ସେ ହୃଦୟଟିରେ କ୍ରୋଧ ନାହିଁ, କାହାରି ଉପରେ ମାନ ଅଭିମାନ ନାହିଁ, ଈର୍ଷା ନାହିଁ ବରଂ ଅନ୍ୟମାନଙ୍କର ଦୁଃଖ ଦୂର କରିବା ପାଇଁ ନିଜ ଶକ୍ତିମତେ ଉଦ୍ୟମ କରିଚାଲିଛି । ସାଧାରଣ ନାରୀଟିଏ ଗଉରୀ; ସମାଜ, ବିବାହ, ପ୍ରେମ ଓ ଯନ୍ତ୍ରଣାର ମୂଳତତ୍ତ୍ୱଟିକୁ ଯେପରି ବୁଝିଛି ସେପରି ଅନ୍ୟ କୌଣସି ଚରିତ୍ର ବୁଝିବାକୁ ସମର୍ଥ ହେଇନାହାନ୍ତି ।

 

ସତୀ-ଔପନ୍ୟାସିକ ଉପେନ୍ଦ୍ର କୁମାରଙ୍କ ‘ମଲାଜହ୍ନ’ର ନାୟିକା ସତ୍ୟଭାମା ବା ସତୀ । ହିନ୍ଦୁ ସମାଜରେ କନ୍ୟାର ବିବାହ ଧାର୍ମିକ ଦୃଷ୍ଟିରେ ଅନିବାର୍ଯ୍ୟ ବିଚାର କରାଯାଏ । ଏଥିପାଇଁ ବାପ ମା କୌଣସି ନା କୌଣସି ପ୍ରକାରେ ନିଜ ଝିଅକୁ ବିବାହିତ ଦେଖିବାକୁ ଚାହାନ୍ତି । ସେଥିପାଇଁ ସମାଜରେ କେତେକ କ୍ଷେତ୍ରରେ ଅସାମଞ୍ଜସ ବିବାହ ମଧ୍ୟ ହୋଇଥାଏ । ସାଧାରଣତଃ ବାଲ୍ୟ ବିବାହ ଓ ଯୌତୁକ ପ୍ରଥାଜନିତ ପ୍ରତିଫଳ ହେଉଛି ଏହି ପ୍ରକାର ବିବାହର କାରଣ, ଯେଉଁଠି କିଶୋରୀ କନ୍ୟାଟିଏ ଷାଠିଏ ବା ତତୋଽଧିକ ବୟସର ବ୍ୟକ୍ତି ସହିତ ବିବାହ ବନ୍ଧନରେ ଯୁକ୍ତ ହୁଏ-। ସତୀ କ୍ଷେତ୍ରରେ ଉପର୍ଯୁକ୍ତ କୌଣସି କାରଣ ନଥିଲା । କିନ୍ତୁ ତା’ର ପିତା ଅନାଦି ମିଶ୍ର ଧନୀ ଜମିଦାର ନରହରି ମିଶ୍ରଙ୍କୁ ଜ୍ୱାଇଁ କରିବାକୁ ଯାଇ ତାଙ୍କ ବୃଦ୍ଧ ବୟସ, କୁଶ୍ଚିତ ରୂପ ଓ ଦ୍ୱିତୀୟ ବିବାହ ପ୍ରବୃତ୍ତିକୁ ବିଚାରକୁ ନେଇନାହାନ୍ତି ବା ଏ ସମ୍ପର୍କରେ କାହାରି ବାରଣ ମାନି ନାହାନ୍ତି । କନ୍ୟାପିତା ଭାବରେ ଏଗାର ବର୍ଷିୟା କିଶୋରୀ କନ୍ୟାଟିର ସୁଖ, ଶାନ୍ତି ଓ ଆନନ୍ଦ ଅପେକ୍ଷା ଧନିକ ଜାମାତା ଲାଭର ସନ୍ତୋଷ ତାଙ୍କୁ ଅନ୍ଧ କରିଦେଇଛି ।

 

ସତୀ ବାପାମାଆଙ୍କର ଏକମାତ୍ର ଆଦରର କନ୍ୟା ହୋଇଥିବାରୁ ଅନ୍ୟାନ୍ୟ ସମବୟସୀଙ୍କ ଅପେକ୍ଷା ଗାଁରେ ଘୂରିବୁଲିବା ପାଇଁ ଟିକେ ଅଧିକ ସ୍ୱାଧୀନତା ପାଇଥିଲା । ପିଲାଦିନରୁ ନିଜପ୍ରତି ଗାଁରେ ଦେଖିଆସୁଥିବା ଲୋକନାଥ ବା ତା’ର ପ୍ରିୟ ନାଥନନା ପ୍ରତି ସତୀ ଭିନ୍ନ ଏକ ଆକର୍ଷଣ ଅନୁଭବ କରିଛି, ଯେଉଁଦିନ ପୋଖରୀ ପାଣିରୁ କଇଁଫୁଲ ତୋଳି ସେ ସେଇ ଆର୍ଦ୍ର ବସନରେ ଉଠି ଆସୁଥିବାବେଳେ ନାଥନନା ସହିତ ସାକ୍ଷାତ ହୋଇଥିଲା । ସେ ଏକ ଅନିର୍ବଚନୀୟ ଆକର୍ଷଣ । କିନ୍ତୁ ସେ ଭଲ ପାଇବା ବା ଆକର୍ଷଣର ପରଣତି ଯେ ବିବାହ ତାହା ସତୀ ମନରେ ଆସିନାହିଁ । ସେ କେବଳ ଅନୁଭବ କରିଛି ଲୋକନାଥ ପ୍ରତି ତା’ ଭିତରେ ଏକ ପ୍ରେମୋଚ୍ଛ୍ୱାସ । ଏ ପ୍ରଣୟକୁ ପରିଣୟରେ ପରିଣତ କରିବାର ପ୍ରଚେଷ୍ଟା କାହାରି ପକ୍ଷରୁ ମଧ୍ୟ ପ୍ରକାଶ ପାଇନି । ଏତେ ଅଳ୍ପ ବୟସରେ ମନର ଆବେଗକୁ ଠିକ୍‌ ଭାବରେ ବୁଝିବା ମଧ୍ୟ ସହଜ ନୁହେଁ । ନିଜର ବାହାଘର କଥାଶୁଣି କିଶୋରୀ ସତୀ ମନରେ ସ୍ୱାଭାବିକ କୌତୂହଳ ସୃଷ୍ଟିହେଇଛି, ‘ଯେମିତି ଗୋଟାଏ ଅମୁହାଁ ଦେଉଳ ଆଖି ଉଢ଼ାଳରେ ସତେକି କେତେ ଅପୂର୍ବ ଦରବ ଠୁଳ ହୋଇଛି ତା’ ଭିତରେ’ । ତା’ପରେ ପୁଣି ବରର ଧନସମ୍ପତ୍ତିର ବିସ୍ତୃତ ବିବରଣୀ ଶୁଣି ସତୀ ପୁଲକିତ ହୋଇଉଠିଲା । ତା’ ପିଲାମନରେ ବରର ପ୍ରାଚୁର୍ଯ୍ୟ ବେଶ୍‌ ପ୍ରଭାବ ପକାଇଥିଲା । ବାହାଘରେ ଗହଣା ପିନ୍ଧି, କନିଆ ହୋଇ ନଇଁ ନଇଁ ଚାଲିବା ତାକୁ ବହୁତ କୌତୁକ ଲାଗୁଥିଲା । କିନ୍ତୁ ସେସବୁର ଆନନ୍ଦ ଖୁବ୍‌ ଶୀଘ୍ର ଦୂର ହୋଇଗଲା । ପିତା ବୟସର ଏକ କଦାକାର ବୃଦ୍ଧ ଓ ଦୋଭେଇବର ସହିତ ତା’ର ବାହାଘର ହୋଇଥିଲା । ସଦ୍ୟ ଯୌବନ ସହିତ ପରିଣତ ବାର୍ଦ୍ଧକ୍ୟର ହାତଗଣ୍ଠି ପଡ଼ିଗଲା ଓ ହୋମ ନିଆଁରେ ଦଶଦିଗପାଳଙ୍କୁ ସାକ୍ଷୀ ରଖି ସିଦ୍ଧ କରି ଦିଆଗଲା ସେ ଅପ୍ରାକୃତିକ ସମ୍ପର୍କକୁ । କିନ୍ତୁ ସେ ଗଣ୍ଠିର ଟାଣ କେତେ !

 

ସତୀର ଏ ପ୍ରକାର ବିବାହଜନିତ ଦୁଃଖରେ ଲୋକନାଥ କଟକ ଚାଲିଯାଇଥିଲା ଓ ପୁଣି ଯେବେ ସେ ଫେରିଲା ସେତେବେଳକୁ ଆଦ୍ୟ ଯୌବନର ସ୍ପର୍ଶରେ ଢଳ ଢଳ ହେଉଥିଲା ନବୀନାଯୁବତୀ ସତୀ । ପ୍ରଗଲ୍‌ଭା କିଶୋରୀ ସତୀର ନାଥନନା ପ୍ରତି ପ୍ରଚଣ୍ଡ ଭଲଲାଗିବା ପରିଣତ ହୋଇଯାଇଥିଲା ଭଲପାଇବାରେ । ତେବେ ଦୁହିଁଙ୍କ ଭିତରେ ଠିଆ ହୋଇଥିଲା ‘କିନ୍ତୁ’ର ଏକ ଦୁର୍ବଳ ପ୍ରାଚୀରଟିଏ । ନାଥନନାର ଜନ୍ମଦିନରେ ସତୀ ତାଙ୍କ ଘରକୁ ଯାଇଛି ଓ ଅବସ୍ଥା ଚକ୍ରରେ ଲୋକନାଥର ପ୍ରଥମ ସ୍ପର୍ଶ ଲାଭ କରି ବର୍ଷାରେ ଭିଜି ଭିଜି ଘରକୁ ଫେରି ଲୁଗା ନ ବଦଳାଇ ଶୋଇ ଯାଇଛି । ସେଇ ଓଦାଲୁଗାରେ ଲାଗିଥିବା ଲୋକନାଥ ଦେହର ସ୍ପର୍ଶ ତାକୁ ଏତେ ଆମୋଦିତ କରିଛି ଯେ ସତୀର ମନେ ହେଇଛି ସେଇ ତାର ମଧୁଶଯ୍ୟାର ରାତ୍ରି । କିନ୍ତୁ ତାକୁ ତା’ପରେ ପରେ ଯିବାକୁ ହୋଇଛି ସ୍ୱାମୀ ଘରକୁ ।

 

ସ୍ୱାମୀ ସହିତ ପ୍ରଥମ ମିଳନ ରାତ୍ରି । ନବବଧୁର ମନରେ କୌଣସି ଆବେଗ ନାହିଁ, ଆନନ୍ଦ ନାହଁ । ସତୀ ଭାବୁଥିଲା, ‘‘ସେ ଆସିବା ସମୟ ହେଲା । ଆମ ଶାସ୍ତ୍ର ଅନୁସାରେ ମୁଁ ଯାହାଙ୍କର ସ୍ତ୍ରୀ ହୋଇଛି । X X X ବୟସରେ ସେ ମୋ ବାପାଙ୍କ ସାଙ୍ଗରେ ହେବେ । ଏଇଆଙ୍କ ସାଙ୍ଗରେ ପୁଣି ମତେ ସବୁଦିନେ ଘରକରିବାକୁ ପଡ଼ିବ ସମସରି ହୋଇ । ଏହି ମୁହଁକୁ ଚାହିଁ ସତେ ପୁଣି ପିଲାଦିନର ସବୁ ସ୍ନେହ ମାୟା ଭୁଲିବାକୁ ହେବ ତ ? ସେତିକି ବେଳେ ମନେ ପଡ଼ିଗଲା ମୋର ଆଉ ଗୋଟିଏ ଲାବଣ୍ୟ ସିନ୍ଧୁ ଚିର ପରିଚିତ ମୁହଁ, ବିଧାତାଙ୍କର ସବୁ ସୁନ୍ଦର ସୃଷ୍ଟି ଯାହା ଦିହରେ ସାର୍ଥକ ହୋଇଯାଇଛି । ସେ ମୁଁହ ଆଉ ମୋ ସ୍ୱାମୀଙ୍କ ମୁହଁ ! X X ମନେ ହେଲା ଏମିତି ଭାବିଲେ ମୁଁ ପାଗଳ ହୋଇଯିବି । କିନ୍ତୁ ଏଇ ଚିନ୍ତାରେ ପାଗଳ ହୋଇଯିବା କେତେ ସୁଖକର ମନେକଲି ।’’ ତା’ର ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ପ୍ରବେଶ କଲେ ତା’ର ବୃଦ୍ଧ ସ୍ୱାମୀ କାମୁକ ନରହରି ମିଶ୍ର, ଯିଏକି ସ୍ତ୍ରୀକୁ କେବଳ ଜାନ୍ତବ କାମନା ଚରିତାର୍ଥ କରିବାର ପାତ୍ର ବୋଲି ବିବେଚନା କରନ୍ତି । ବଳପ୍ରୟୋଗ କରି ସତୀକୁ ଆଲିଙ୍ଗନ କରିବାବେଳେ ସେ ବାଧାଦେଇଛି ତାଙ୍କୁ । ଏପରି ଅମେଳ ବିବାହରେ ଇଚ୍ଛା ବିରୋଧରେ ନାରୀଟି ସମାଜର ମୋହରମରା ସ୍ୱାମୀନାମଧାରୀ ପଶୁଟି ନିକଟରେ ନିଜକୁ ସମର୍ପଣ କରିଦେବାକୁ ବାଧ୍ୟହୁଏ । ସେଥିରେ ପ୍ରେମ, ପ୍ରଣୟ ବା ଆବେଗର ସାମାନ୍ୟ ସତ୍ତା ନଥାଏ । ଜଣେ ପାଏ ପଶୁର ତୃପ୍ତି, ଆଉ ଜଣେ ଘୃଣା, ଦୁଃଖ, କ୍ଷୋଭ ଓ ଅପମାନରେ ସନ୍ତୁଳି ହେଉ ହେଉ ଅନ୍ତରରୁ ଉଠି ଆସୁଥିବା ହତାଶା ଓ ବ୍ୟର୍ଥତାର ହାବୁକା ହାବୁକା କୋହକୁ ପ୍ରାଣପଣେ ଚାପି ରଖିବାକୁ ଚେଷ୍ଟାକରେ । ଏଥିରେ ଆଉ କୌଣସି ବ୍ୟତିକ୍ରମ ହୁଏ ନାହିଁ...ଜୀବନ ସେଇ ଅସମତଳ ରାସ୍ତାଦେଇ ଗଡ଼ିଯାଏ ମୃତ୍ୟୁଯାଏ । କିନ୍ତୁ ସତୀର ମନ ନିଜକୁ ଏପରି ଭାବରେ ବଳି ଦେବାକୁ ପ୍ରସ୍ତୁତ ହୋଇନି । ସ୍ୱାମୀତ୍ୱ ନାମରେ ସ୍ୱାମୀର ଧର୍ଷଣ ପ୍ରଚେଷ୍ଟାକୁ ସେ ବାଧାଦେଇଛି । ସ୍ୱାମୀର ଧମକ ଶୁଣିଛି-‘‘ଏମିତି ହେଲେ ଏକା ଜାଣିଥା ଭାରି ଖରାପ ହେବ । ମୁଁ କହୁଛି ମୋ କଥା ମାନ, ପାଖକୁ ଆ’’ । ସତୀ ସେ ଧମକକୁ ଖାତିର କରେନି-ନରହରି ମିଶ୍ରର ସମସ୍ତ ଉଦ୍ୟମକୁ ବ୍ୟର୍ଥ କରି କବାଟ ଫିଟାଇ ବାହାରକୁ ପଳାଇ ଆସିଛି । ସତୀ ଚରିତ୍ରର ଏତିକି ଦୃଢ଼ତା ଫୁଟାଇବାକୁ ଯେ ଔପନ୍ୟାସିକଙ୍କୁ ବେଶ୍‌ କିଛି ସାହସିକତାର ପରିଚୟ ଦେବାକୁ ହୋଇଛି ଏଥିରେ ସନ୍ଦେହ ନାହିଁ । ହିନ୍ଦୀ ଔପନ୍ୟାସିକ ପ୍ରେମଚାନ୍ଦଙ୍କର ନିର୍ମଳା, ଚଣ୍ଡୀପ୍ରସାଦଙ୍କର ‘ମନୋରମା’, ଭଗବତୀ ପ୍ରସାଦଙ୍କର ‘ଅନାଥ ପତ୍ନୀ’ ପ୍ରଭୃତି ଉପନ୍ୟାସରେ ଏ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି । ନାୟିକା ମନରେ ସ୍ୱାମୀର ବୃଦ୍ଧତ୍ୱ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି, କିନ୍ତୁ ସତୀ ପରି କେହି ପ୍ରତିବାଦ କରି ନାହାନ୍ତି । ବିବାହ କରିଥିବା ବ୍ୟକ୍ତି ନିକଟରେ ନିଜକୁ ସମର୍ପଣ ନ କରିବାର ଦୃଢ଼ତା କେବଳ ଆମେ ଦେଖୁ ସତୀ ନିକଟରେ ।

 

ମାତୃତ୍ୱର ଅନୁଭବ ନାରୀପାଇଁ ଭଗବାନଙ୍କର ଏକ ବିଶେଷ ବରଦାନ । କେବଳ ସନ୍ତାନକୁ ଜନ୍ମ ଦେଲେ ଯେ ଜଣେ ନାରୀ ମା’ ହୋଇପାରେ ତା’ ନୁହେଁ, ମାତୃତ୍ୱ ତା’ ଭିତରେ ଏପରି ଏକ ସହଜ ପ୍ରବୃତ୍ତି ଯେ ତାହା ସ୍ୱତଃ ଜାଗ୍ରତ ହୁଏ । ସତୀ ଘୃଣା କରୁଥିବା ତା’ର ସ୍ୱାମୀର ପୁତ୍ର ନଟକୁ ନିଜ ସନ୍ତାନ ପରି ସ୍ନେହ କରିଛି । ମାତୃହରା ନଟ ସତୀକୁ ପାଇ ତା’ ନିଜ ମାଆକୁ ହିଁ ପାଇଛି ଓ ସତୀ ତା’ ଶାଶୁଙ୍କ ଭିତରେ ପାଇଛି ତା’ମାଆକୁ ।

 

ଦାସୀ ସଉରଭୀ ସହିତ ନିଜ ସ୍ୱାମୀର ଅବୈଧ ସଂପର୍କ ସେ ଜାଣିପାରିଛି । ଦାସୀର ମନ୍ତ୍ରଣାରେ ନରହରି ତା’ଠାରୁ ଘରର ଚାବି ନେଇ ଯାଇଛନ୍ତି, ତାକୁ ଅକଥନୀୟ ଯନ୍ତ୍ରଣା ଓ ଅପମାନ ଦେଇଛନ୍ତି । ସତୀ ଜାଣିଥିଲା ପ୍ରେମହୀନ ଦୈହିକ ସାନ୍ନିଧ୍ୟ କେବଳ ତା’ ସ୍ୱାମୀକୁ ତୁଷ୍ଟ କରିପାରିବ । ତେଣୁ ସେ ଚାହିଁଥିଲେ ଲମ୍ପଟ ନରହରିକୁ ଅନାୟାସରେ ନିଜର କର୍ତ୍ତୃତ୍ୱରେ ରଖିପାରିଥାନ୍ତା, ଦାସୀ ସଭରଭୀକୁ ଘରୁ ବିତାଡ଼ିତ କରିଦେଇ ପାରିଥାନ୍ତା । କିନ୍ତୁ ଘରର ମାଲିକାଣୀ ହେବାପାଇଁ ସେ ତା’ର ଆତ୍ମାକୁ ବାଜି ଲଗାଇ ପାରିନି । ପ୍ରେମହୀନ ସମ୍ଭୋଗଠାରୁ ବଳି ମରଣାନ୍ତକ ଯନ୍ତ୍ରଣା ନାରୀପାଇଁ ଆଉ କିଛି ନାହିଁ । ସତୀ ସମସ୍ତ ସୁବିଧା, ସୁଯୋଗ ଓ ସ୍ୱାଚ୍ଛନ୍ଦ୍ୟ ହରାଇଛି ସତ; କିନ୍ତୁ ତାର ଦୃଢ଼ତାପାଇଁ ଅନ୍ତତଃ ସେ ପ୍ରକାର ଯନ୍ତ୍ରଣା ସେ ଭୋଗ କରିନି ।

 

କପିଳେଶ୍ୱର ମହାଦେବଙ୍କ ନିକଟରେ ପୂର୍ବ ପରିକଳ୍ପିତ ଯୋଜନାନୁଯାୟୀ ସତୀକୁ ଛାଡ଼ିଦେଇ ନରହରୀ ସଉରଭୀ ଚାଲିଆସିଛନ୍ତି । ନରହରିଙ୍କର ଉଦ୍ଦେଶ୍ୟ ପୂରଣ ନ ହେବାରୁ ତାଙ୍କ ନିକଟରେ ସତୀର ଆବଶ୍ୟକତା ତୁଟି ଯାଇଥିଲା । ଏକାକିନୀ ମେଳାରେ ଭୟଭୀତା ସତୀ ହଠାତ୍‌ ତାର ନାଥନନାକୁ ଦେଖି ଆଶ୍ରା ପାଇଗଲା । କିନ୍ତୁ ପରଦିନ ସକାଳେ ଘରେ ପହଞ୍ଚି ସ୍ୱାମୀଠାରୁ ପାଇଛି ଅପମାନ ଓ ଚରିତ୍ର ହାନିର ଅପବାଦ । ସମାଜର ନାରୀପ୍ରତି ଏ ପକ୍ଷପାତ ବିଚାର ବିରୋଧରେ ମନ ତା’ର ବିଦ୍ରୋହ କରିଉଠିଛି କିନ୍ତୁ କଣ ବା ସେ କରିପାରିଥାନ୍ତା । ଲୋକନାଥର ଆଶ୍ରୟ ବ୍ୟତୀତ ତା’ର ଅନ୍ୟ କୌଣସି ଗତି ନଥିଲା କଟକର ଭଡ଼ାଘରେ ନାଥନନା ପାଖରେ ଥିବାବେଳେ ସେ ଗାଁକୁ ଫେରିଯିବାକୁ ବାରମ୍ବାର କହିବା ସତ୍ତ୍ୱେ ଲୋକନାଥର ବିଳମ୍ବ କରିବାର ଦେଖି ତା’ଭିତରେ ସନ୍ଦେହଟିଏ ମୁଣ୍ଡ ଟେକି ଉଠିଛି ଓ ସେ ସିଧାସଳଖ ଲୋକନାଥ ନିକଟରେ ଅଭିଯୋଗ କରିଛି । କିନ୍ତୁ ପିତାମାତାଙ୍କର ମୃତ୍ୟୁଖବର ଶୁଣିବା ପରେ ସତୀ ବୁଝିପାରିଛି ଯେ ଗାଁରେ ତା’ର କେହି ନାହିଁ ଯାହା ପାଖକୁ ସେ ଫେରିଯାଇ ପାରିବ ।

 

କଟକ ଘରେ ଥିବାବେଳେ ପଡ଼ୋଶୀ ସ୍ତ୍ରୀଟି ଲୋକନାଥକୁ ତା ସ୍ୱାମୀ ଭାବି କଥା କହିବା ବେଳେ ସେ ପାଇଛି ଅପୂର୍ବ ଆନନ୍ଦ । ଏତେଦିନ ନିର୍ଜନରେ ଏକାକୀ ରହିବା ପରେ ମଧ୍ୟ ସତୀ ଓ ଲୋକନାଥ କଠିନ ସଂଯମ ଅବଲମ୍ବନ କରିଛନ୍ତି । କିନ୍ତୁ ନାରୀ ଓ ପୁରୁଷର ପରସ୍ପର ପ୍ରତି ସ୍ୱାଭାବିକ ଆକର୍ଷଣକୁ କେତେଦିନ ସମାଜ ନାମରେ, ଶାସ୍ତ୍ର ନାମରେ ଏଡ଼େଇ ଦେଇପାରିଥାନ୍ତେ ! ଲୋକନାଥ ଯେଉଁଦିନ ପ୍ରଥମ କରି ସତୀକୁ ଆଲିଙ୍ଗନ କରି ଚୁମ୍ବନଟିଏ ଦେଇଛି ସତୀର ମନେ ହେଇଛି, ସେଇ ମୁହୂର୍ତ୍ତରେ ସତେ ଯେପରି ତା’ର ନାରୀତ୍ୱ ସାର୍ଥକ ହୋଇଗଲା । ବହୁ ବର୍ଷର ଦାମ୍ପତ୍ୟ ଯେଉଁ ଆନନ୍ଦଧାରାକୁ ସ୍ପର୍ଶ କରିପାରେନା, ଅନୁଭବ କରିପାରେନା, ସେଇ ଆନନ୍ଦର ଧାରା ସତୀର ସମଗ୍ର ସତ୍ତା ଭିତରେ ପ୍ରବାହିତ ହୋଇଯାଇଥିଲା । ମୁହୂର୍ତ୍ତକ ମଧ୍ୟରେ ଦେଇଯାଇଥିଲା କେତେ କଳ୍ପାନ୍ତରର ଅନୁଭୂତି । ତା’ ଜୀବନରେ ନାଥନନା କିଏ ବୋଲି ପ୍ରଶ୍ନ କଲାବେଳେ ବିନାଦ୍ୱିଧାରେ ସହଜ ଉତ୍ତରଟିଏ ଆସିଛି ‘ସେ ତା’ର ସବୁ କିଛି’ । ସତୀ ଭାବିଛି, ‘‘ସଂସାର ଲୋକେ ହଜାରେ ନାହିଁ କଲେ ସୁଦ୍ଧା ସମାଜ ଲକ୍ଷେ ଥର ଅସ୍ୱୀକାର କଲେ ସୁଦ୍ଧା ସେହି ଜଣକୁ ତ ଏ ଜୀବନରେ ନିବିଡ଼ ଭାବରେ ମୋର ବୋଲି ଅନୁଭବ କରିଛି । ଜ୍ଞାନ ହେଲା ଦିନୁ ଆଜିଯାଏ କେବଳ ତାଙ୍କରି ପାଖରେ ସ୍ତ୍ରୀର ସମସ୍ତ ଦେୟ ମନେ ମନେ ଅର୍ପଣ କରିଆସିଛି । କିନ୍ତୁ ତା’ର ଏଇ ହୃଦୟବୃତ୍ତିକୁ ମାନିନେବ କିଏ ? ମଣିଷ ଗଢ଼ା ସମାଜର ଅନ୍ଧ ନିୟମ ! ପୁରୁଷର ଯଥେଚ୍ଛାଚାର ପାଖରେ ନାରୀତ୍ୱର ମର୍ଯ୍ୟାଦା ସେ ବିସର୍ଜନ ଦେଇ ପାରିନାହିଁ ବୋଲି ସେ ହେଇଛି ସମାଜ ଆଖିରେ ପତିତା, କୁଳଟା ।

 

ସମାଜର ନାଲି ଆଖିକୁ ଭୟ କରିନି ଲୋକନାଥ । ସତୀ ପାଇଁ ସମସ୍ତ ଅପବାଦକୁ ସହ୍ୟକରି ନିର୍ଭୀକ ଭାବରେ ଠିଆ ହୋଇଛି ସେ ଶେଷଯାଏ । ସତୀ ଜାଣିଥିଲା ସାମାଜିକ କଟକଣା ଲୋକନାଥ ଓ ତାକୁ ସ୍ୱାମୀ ସ୍ତ୍ରୀ ଭାବରେ ସ୍ୱୀକୃତି ଦେବନାହିଁ । କିନ୍ତୁ ତାର ନାଥନନା ମଧ୍ୟ ତାର ଜୀବନଥିବା ଯାଏ ଅସହାୟ ସତୀକୁ ପରିତ୍ୟାଗ କରିବ ନାହିଁ । ତାର ପ୍ରିୟତମ ନାଥନନା ପ୍ରତି ସମାଜର ଆକ୍ଷେପ ଓ ଅପମାନ ସହ୍ୟ କରି ନ ପାରି ସତୀ ବାଧ୍ୟ ହୋଇଛି ଗ୍ରହଣ କରିବା ପାଇଁ ଶେଷପନ୍ଥା-ଆତ୍ମହତ୍ୟା ।

 

ସତୀ ଚରିତ୍ର ଚିତ୍ରଣରେ ଔପନ୍ୟାସିକ ଉପେନ୍ଦ୍ର କୁମାର ଯଥେଷ୍ଟ ଦୃଢ଼ତାର ପରିଚୟ ଦେଇଛନ୍ତି । ସତୀପାଇଁ ତାଙ୍କର ଆନ୍ତରିକ ଶ୍ରଦ୍ଧା ଓ ସଂବେଦନା ସତ୍ତ୍ୱେ ମଧ୍ୟ ତତ୍‌କାଳୀନ ସାମାଜିକ ପୃଷ୍ଠଭୂମିରେ ଆଉ ଅଧିକ କିଛି କରିପାରିନାହାନ୍ତି । ବାଧ୍ୟହୋଇ ସତୀକୁ ସ୍ରୋତସ୍ୱିନୀର ଗର୍ଭରେ ବିସର୍ଜନ କରିଦେଇଛନ୍ତି ।

 

ନେତ୍ରମଣୀ-ଔପନ୍ୟାସିକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ର ନାୟିକା ନେତ୍ରମଣି, ଗାଁଗଣ୍ଡାର ସାଧାରଣ ଝିଅଟିଏ । ଶାମପଧାନର ସାନପୁଅ ଛକଡ଼ିର ହାତଧରି ବାହାହୋଇ ଆସିଛି ଶାଶୁଘରକୁ । ଥିଲାବାଲା ଘରର ଝିଅ ସେ, ବାପ ଘରର ଧନ ନେଇ ମନରେ ଟିକେ ଗର୍ବ ବି ଥିଲା । ଯେଉଁ ଘରକୁ ବୋହୂ ହୋଇ ଆସିଲା ସେଠି ଥିଲେ ଶାଶୁଶଶୁର, ଯା, ଦେଢ଼ଶୁର, ଚାରୋଟି ଝିଆରୀ ପୁତୁରା ଓ ତା’ର ଦାୟିତ୍ୱହୀନ ଫୁଲାଫାଙ୍କିଆ ସ୍ୱାମୀ । ଶାଶୁ ଶଶୁରଙ୍କ ମୃତ୍ୟୁ ପରେ ଦୁଇ ଯା’ର ଭିତରେ କଳହ, ଭାଇ ଭାଇ ଭିତରେ ମନାନ୍ତର, ଜମିବଣ୍ଟା ନେଇ ନେତ୍ରମଣିକୁ ହିଁ ଦାୟୀ କରାଯାଇଛି ।

 

ବିଚରା ନେତ୍ରମଣି ! ଅଳ୍ପ ବୟସର ଝିଅଟିଏ ବୋହୂ ହୋଇ ଆସିଥିଲା ମନରେ କେତେ ସ୍ୱପ୍ନ କେତେ କଳ୍ପନା ନେଇ । ବାପଘର ଛାଡ଼ି ଆସିଲାବେଳେ ସବୁଝିଅ ଭାବନ୍ତି ସ୍ୱାମୀସହିତ ଘରସଂସାର କରିବେ, ନିଜ ମନମୁତାବକ ଘରଣୀପଣିଆ ଦେଖେଇବେ, ଘରର କର୍ତ୍ତ୍ରୀ ହେବେ । ସେହିପରି ସ୍ୱାଭାବିକ ଇଚ୍ଛାଟିଏ ଥିଲା ନେତ୍ରମଣିର । ଶାଶୁ ବଞ୍ଚିଥିବାଯାଏ ଘରର ସାନ୍ତାଣୀ ହେବା ଅଭିଳାଷଟି ତା’ର ମନରେ ସଂଗୁପ୍ତ ଥିଲା । ତା’ ମନ ସହଜଭାବରେ ଶାଶୁକୁ ହିଁ ଘରର କର୍ତ୍ତ୍ରୀ ବୋଲି ମାନିନେଇ ଥିଲା । ଶାଶୁଙ୍କର ତା’ପ୍ରତି ପ୍ରକାଶ ପାଉଥିବା ଆଦର ଯତ୍ନରେ ଘରେ ଛାଡ଼ି ଆସିଥିବା ତା’ବୋଉର ସ୍ମୃତି ମ୍ଳାନ ହୋଇଯାଇଥିଲା । କିନ୍ତୁ ଶାଶୁଙ୍କ ପରେ ହାରାବୋଉ ଓରଫ ତା’ର ବଡ଼ ଜା’ର କର୍ତ୍ତୃତ୍ୱକୁ ସେ ମାନିନେଇ ପାରିଲା ନାହିଁ କାହିଁକି ? କାହିଁକି ତା’ ଭିତରେ ଏତେ ଅସନ୍ତୋଷ ତେଜି ଉଠିଲା ? ସେ କଣ ଏକା ସେଥିପାଇଁ ଦାୟୀ ? ହାରା ବୋଉ ତା’ଠାରୁ ବୟସରେ ବେଶ୍‌ ବଡ଼ଥିଲା । ତା’ର ବଡ଼ଝିଅ ସୁନା ଓ ନେତ୍ରମଣି ପ୍ରାୟ ଥିଲେ ଏକାବୟସର । ହାରାବୋଉ ଚାରୋଟି ସନ୍ତାନର ମା, ତା’ର ଥିଲା ଘରକରଣା ସଂପର୍କରେ ଦୀର୍ଘ ଅଭିଜ୍ଞତା । ପଧାନ ବୁଢ଼ାବୁଢ଼ୀଙ୍କର ଆଦର୍ଶ ଜୀବନଧାରା ସହ ତାର ଭଲ ପରିଚୟ ଥିଲା । ଏସବୁ ସତ୍ତ୍ୱେ ସାନ ଜା’ଟିକୁ ଆନ୍ତରିକ ସ୍ନେହ ସେ ଦେଇପାରିଲା ନାହିଁ । ବରଂ ପଦେ ପଦେ ତା’ର ଦୋଷତ୍ରୁଟି ପାଇଁ ତାକୁ ଅପମାନିତ କଲା । ସ୍ନେହ ଶ୍ରଦ୍ଧାହୀନ ଶାସନ ଶାସିତକୁ ସାମୟିକ କାଳ ଲାଗି ଅବଦମିତ କରିପାରେ; କିନ୍ତୁ ତା’ ମନ ଉପରେ କୌଣସି ସ୍ଥାୟୀ ପ୍ରଭାବ ପକାଇ ପାରେ ନାହିଁ । ତାହା ହିଁ ହେଲା ନେତ୍ରମଣିର । ସେ ହାରାବୋଉକୁ ସମ୍ମାନ କଲା ନାହିଁ ବରଂ ଭାବିଲା ହାରାବୋଉ ଯେପରି ଶାମପଧାନର ଗୋଟିଏ ପୁଅର ସ୍ତ୍ରୀ । ସେ ମଧ୍ୟ ସେହିପରି ଆର ଏକ ପୁଅର ସ୍ତ୍ରୀ । ପାର୍ଥକ୍ୟଟା କ’ଣ ! ଆରମ୍ଭ ହୋଇଗଲା କଳହ, ପାରିବାରିକ ଅଶାନ୍ତି ବଢ଼ିଲା ।

 

ନେତ୍ରମଣି ନିଜର ଭବିଷ୍ୟତ ସଂପର୍କରେ ଅନିଶ୍ଚିତତା ଅନୁଭବ କରୁଥିଲା । କାରଣ ତା’ର ସ୍ୱାମୀ ଛକଡ଼ି ଥିଲା ସଂପୂର୍ଣ୍ଣ ଦାୟିତ୍ୱହୀନ ଯୁବକ । କୌଣସି ଘର କାମ ବା ବାହାର କାମରେ ତା’ର ମନ ନଥିଲା । ଯାନିଯାତ୍ରା ଦେଖିବା, ହାଟ ଘାଟରେ ବୁଲିବା ଓ ଘରକୁ ଫେରିଲେ ଝିଆରୀ ପୁତୁରାଙ୍କ ସହିତ ଖେଳିବା ବ୍ୟତୀତ ତା’ର ଅନ୍ୟକାମ କିଛି ନଥିଲା । ଛକଡ଼ିର ପିଲାମାନଙ୍କ ପ୍ରତି ଅଧିକ ସ୍ନେହମମତାକୁ ନେତ୍ରମଣି ସହିପାରୁ ନ ଥିଲା । ସେ ଭାବୁଥିଲା ତା’ସ୍ୱାମୀଟା ତା’ର ଗୋଟାଯାକ...ସେଠି ଆଉ କାହାରି କିଛି ଅଧିକାର ନାହିଁ । ଏକ୍ଷେତ୍ରରେ ତା’ର ସଂକୀର୍ଣ୍ଣ ମନର ପରିଚୟ ମିଳିଲେ ବି ନବ ବିବାହିତା ବଧୂର ଏହା ସ୍ୱାମୀ ସର୍ବସ୍ୱତା ବୋଲି କୁହାଯାଇ ପାରେ । ଛକଡ଼ିର ବଡ଼ଭାଇ ବରଜୁ ପଧାନ ହିଁ କ୍ଷେତବାଡ଼ି ଭଲ ମନ୍ଦ ସବୁ ବୁଝୁଥିଲା । ସାନ ଭାଇର ଫୁଲାଫାଙ୍କିଆ, ପିଲାଳିଆ ସ୍ୱଭାବ ପାଇଁ ଭାଇ ବରଜୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ କଲେ ମଧ୍ୟ ହାରା ବୋଉର ଆଚରଣରେ ପ୍ରକାଶିତ ଉପେକ୍ଷା ଭାବ ନେତ୍ରମଣିର ଦୃଷ୍ଟି ଏଡ଼େଇ ଦେଇ ପାରୁ ନ ଥିଲା । ସବୁ ସ୍ତ୍ରୀ ଚାହାନ୍ତି ନିଜ ସ୍ୱାମୀର ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠା । ବଡ଼ ଭାଇର ଦୟାରେ ବଞ୍ଚୁଥିବା ସ୍ୱାମୀ ପ୍ରତି ନାରୀର ଶ୍ରଦ୍ଧା ଓ ସମ୍ମାନ କମିଯାଏ । ଏକ ମେରୁଦଣ୍ଡହୀନ ବ୍ୟକ୍ତି ଉପରେ ନିର୍ଭର କରିବାକୁ ତାର ଭୟ ହୁଏ । ନେତ୍ରମଣି ଦେଖିଛି ବଡ଼ ଜାଆର ପିଲାମାନଙ୍କ ଦିନକୁ ଦିନ ବଢ଼ୁଥିବା ଖର୍ଚ୍ଚ ଓ ତାଙ୍କ ଝିଅମାନଙ୍କର ବାହାଘର ଖର୍ଚ୍ଚ ସବୁ ସେଇ କୋଠ ସମ୍ପତ୍ତିରୁ ହେଉଛି । ତା’ର ଧାରଣା ହେଉଛି, ସବୁ ସମ୍ପତ୍ତି ହୁଏତ ଏହିପରି ସରୁ ସରୁ ସରିଯିବ ଓ ଅକର୍ମା ଛକଡ଼ି କୋଉ କୂଳର ହେବନି-। ଛକଡ଼ି ସହିତ ତା’ ନିଜର ଭବିଷ୍ୟତ ମଧ୍ୟ ଜଡ଼ିତ ଏବଂ ଛକଡ଼ି ତାର ଅନାଗତ ସନ୍ତାନମାନଙ୍କର ଭବିଷ୍ୟତ । ସ୍ୱାମୀର ଦୁର୍ବଳ ବ୍ୟକ୍ତିତ୍ୱ ହିଁ ତା’ର ବର୍ତ୍ତମାନ ଓ ଭବିଷ୍ୟତର ନିରାପତ୍ତାକୁ ବିପନ୍ନ କି ତୋଳିଛି । ନେତ୍ରମଣି ଦେଖିଛି ଘରେ ଓ ବାହାରେ କୌଣସିଠାରେ ଛକଡ଼ିର କୌଣସି ଗୁରୁତ୍ୱ ନାହିଁ-। ତାକୁ ଗୋଟେ ମଣିଷ ଭାବରେ କେହି ବିବେଚନା କରୁନାହାନ୍ତି । ନେତ୍ରମଣିର ମାନସିକ ସ୍ଥିତି କ୍ରମଶଃ ବିପର୍ଯ୍ୟସ୍ତ ହୋଇଛି, ସେ ନିଜକୁ ପରିବାରର ଜଣେ ବୋଲି ଭାବି ପାରିନି, ନିଜର ସ୍ଥିତିକୁ ଦୃଢ଼ କରିବାକୁ ସେ ସ୍ଥିର କରିଛି । ନିଜର ଅଧିକାର ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ କରିବାକୁ ଯାଇ ସେ ଘରେ ଅଯଥା କଳହ ସୃଷ୍ଟି କରିଛି । ହାରାବୋଉ ଓ ନେତ୍ରମଣି ଗାଁର ଦୁଇଟି ସାଧାରଣ ନାରୀ । ଜଣେ ନିଜର କର୍ତ୍ତୃତ୍ୱରୁ ଇଞ୍ଚେ ମାତ୍ର ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ଆଉ ଜଣେ ନିଜର କିଛି କର୍ତ୍ତୃତ୍ୱ ହାସଲ କରିବାକୁ ଯାହା କିଛି ମୂଲ୍ୟ ଦେବାକୁ ପ୍ରସ୍ତୁତ ।

 

ବରଜୁ ପ୍ରଧାନ ନିଜ ସ୍ତ୍ରୀକୁ ସବୁ ପ୍ରକାର ଦ୍ଵନ୍ଦ୍ଵ କଳହରୁ ନିବୃତ୍ତ ରଖିବା ପାଇଁ ଅନଶନ, ମୌନବ୍ରତ ପ୍ରଭୃତି ପଦ୍ଧତି ଅବଲମ୍ବନ କିରିଛି । ହାରାବୋଉର ଚିତ୍ତ ପରିବର୍ତ୍ତନ ହୋଇନି, କିନ୍ତୁ ସେ ସ୍ୱାମୀ କଥାକୁ ମାନିଯାଇ ନୀରବ ହୋଇଯାଇଛି । ନେତ୍ରମଣିର ଆହ୍ୱାନର କୌଣସି ପ୍ରତ୍ୟୁତ୍ତର ଦେଇନି । କିନ୍ତୁ ଛକଡ଼ି କରିଛି କଣ ? ନିଜ ସ୍ତ୍ରୀକୁ ପ୍ରଭାବିତ କରିପାରିବା ଭଳି ବ୍ୟକ୍ତିତ୍ୱ ତା’ର ନଥିଲା । ବରଂ ସେ ନିର୍ବିବାଦରେ ମାନି ନେଲା ସ୍ତ୍ରୀର ପରାମର୍ଶ ଓ ହରି ମିଶ୍ରଙ୍କ ମନ୍ତ୍ରଣା । ଘରେ ଉଠିଲା ଭାଇ ଭାଗର ପ୍ରଶ୍ନ । ବରଜୁ ଯିଏ ସାତଖଣ୍ଡ ଗାଁରେ ଏସବୁ ସମସ୍ୟାର ସମାଧାନ କରୁଥିଲା, ତା’ରି ଘରେ ସେଇ ସମସ୍ୟାର ସେ ମୁକାବିଲା କରି ପାରିଲାନି । ଘର ମଝିରେ ପାଚିରି ଉଠାଇବାର ସେ ବିରୋଧ କଲା । କିନ୍ତୁ ମନ ଭିତରେ ଉଠି ଯାଇଥିବା ପାଚେରିଟି ଭାଙ୍ଗିବାପାଇଁ ତା’ର ଉଦ୍ୟମ ଉଲ୍ଲେଖନୀୟ ନୁହେଁ । ଘର ମଝିରେ ପାଚିରି ଉଠିବନି ଓ ବିଲ ଭିତରେ ହିଡ଼ ପଡ଼ିବନି, ବାପର ଏଇ ଶେଷ ନିର୍ଦ୍ଦେଶକୁ ମନେ ହୁଏ ସେ ଆକ୍ଷରିକ ଅର୍ଥରେ ବୁଝିଥିଲା...... ଦୁଇଭାଇ ମନମିଳି ଚଳିବାଟା ଥିଲା ଗୌଣ । ସାନଭାଇ ଛକଡ଼ିର ଅନୁପସ୍ଥିତିରେ ବରଜୁ ତା’ର ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ଘରଛାଡ଼ି ଚାଲିଗଲା । ନେତ୍ରମଣି ବାଧା ଦେଲାନି । କିନ୍ତୁ ସେ ତ କେବେ ଚାହୁଁ ନ ଥିଲା ଦେଢ଼ଶୁର ତାଙ୍କର ପିଲାଛୁଆ ଧରି ଘର ଛାଡ଼ି ଚାଲିଯାନ୍ତୁ, ସେ ତ ଚାହୁଁ ନ ଥିଲା ସମସ୍ତ ସମ୍ପତ୍ତିର ଅଧିକାରୀ ହେବାକୁ, ସେ କେବଳ ଚାହିଁଥିଲା ନିଜ ପାଇଁ ଏକ ସ୍ୱତନ୍ତ୍ର ଘର ଓ ସମ୍ପତ୍ତିରୁ ତାର ପ୍ରାପ୍ୟ ଅଂଶ । ତେଣୁ କାହାରି କଥା ନ ଶୁଣି ବରଜୁ ଘରୁ ଚାଲି ଯାଉଥିବା ବେଳେ ନେତ୍ରମଣି ତାକୁ କିପରି ବାଧା ଦେଇଥାନ୍ତା । ଏ ଥିଲା ତା ପାଇଁ କର୍ତ୍ତବ୍ୟ ବିରୋଧର ସଙ୍କଟ ମୁହୂର୍ତ୍ତ-। ତା’ ଛଡ଼ା ଦୀର୍ଘଦିନ ଧରି ରହିଥିବା ମନର ତିକ୍ତତା ହଠାତ୍‌ କିଛି ଅନୁଶୋଚନା କରିବାକୁ ପ୍ରସ୍ତୁତ ହୋଇପାରିନି । ଅହଙ୍କାରେ କହିଛି, ‘‘ମୁଁ ତ କିଛି କହିନି, ସେମାନେ ଯଦି ତାଙ୍କ ମନକୁ ଯାଉଛନ୍ତି ଯା’ନ୍ତୁ ।’’

 

ଔପନ୍ୟାସିକ ‘ମାଟିର ମଣିଷ’ ଉପନ୍ୟାସରେ ଯେତେଗୁଡ଼ିଏ ଚରିତ୍ର ସୃଷ୍ଟି କରିଛନ୍ତି ସେ ମଧ୍ୟରୁ କିଏ ଭଲ କିଏ ମନ୍ଦ ସେ ବିବେଚନା ଅବାନ୍ତର, କିନ୍ତୁ ଯେଉଁ ଚରିତ୍ର ସେ ସୃଷ୍ଟି କରିଛନ୍ତି ସେମାନେ କେତେ ଦୂର ସ୍ୱାଭାବିକ ଓ ଜୀବନ୍ତ ତାହା ହିଁ ବିଚାର୍ଯ୍ୟ । ନେତ୍ରମଣି ଚରିତ୍ର ତାଙ୍କର ଏକ ଅନନ୍ୟ ସୃଷ୍ଟି । ଗାଁ ଗଣ୍ଡାର ଅଶିକ୍ଷିତ ଗ୍ରାମ୍ୟବାଳିକାଟିଏ ଶାଶୁ ଘରେ ଆସି ପରିବର୍ତ୍ତିତ ପରିସ୍ଥିତି, ଆନ୍ତରିକତାହୀନ ବଡ଼ ଜା’, ଉଦାସୀନ ଦେଢ଼ଶୁର ଓ ଦାୟିତ୍ୱହୀନ ଦୁର୍ବଳମନା ସ୍ୱାମୀ ଛକଡ଼ିକୁ ପାଇ ଯେପରି ବ୍ୟବହାର ଦେଖାଇଛି ସେଥିପାଇଁ ତାକୁ ସମସ୍ତ ଦୋଷ ଦିଆଯାଇ ନ ପାରେ । ନେତ୍ରମଣିର ସମସ୍ତ ଅବିଗୁଣ ସତ୍ୱେ ତାକୁ ଯଦି ପ୍ରଥମରୁ ଆପଣାର କରିନେବାର ଆନ୍ତରିକ ଚେଷ୍ଟା ବରଜୁ ପଧାନ ପରିବାରରେ ପ୍ରକାଶ ପାଇଥାନ୍ତା; ତେବେ ସିଏ ହୁଏତ ସମସ୍ତଙ୍କୁ ନିଜର କରିନେଇ ପାରିଥାନ୍ତା ।

 

ଧୋବୀ-ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ସର୍ବଭାରତୀୟ ସ୍ତରରେ ଲେଖକମାନେ ନାରୀର ଜୀବନ ଯନ୍ତ୍ରଣା ପ୍ରତି ସଂବେଦନଶୀଳ ହୋଇଛନ୍ତି । ପୌରାଣିକ, ଐତିହାସିକ, ସାମାଜିକ ବା ପାରିବାରିକ ଯେ କୌଣସି ପୃଷ୍ଠଭୂମିରେ କାହାଣୀ ଓ ଚରିତ୍ର ମାଧ୍ୟମରେ କେତେକ ସମସ୍ୟା ସମାଧାନର ପନ୍ଥା ନିର୍ଦ୍ଦେଶ କରିଛନ୍ତି । କିନ୍ତୁ ଏହି ସମୟରେ ରଚିତ ଉପନ୍ୟାସ ଗୁଡ଼ିକରେ ପ୍ରାଚୀନ ଭାରତୀୟ ବିଶ୍ୱାସରେ ପତିପତ୍ନୀର ସମ୍ୱନ୍ଧକୁ ଜନ୍ମଜନ୍ମାନ୍ତରର ସମ୍ପର୍କ ବୋଲି ସ୍ୱୀକାର କରାଯାଇଥିଲା । ସେମାନେ ବିଧବାର ପୁନର୍ବିବାହକୁ ପ୍ରାୟ ସ୍ୱୀକୃତି ଦେଇ ନାହାନ୍ତି ଏବଂ ପତିର ମୃତ୍ୟୁପରେ ପବିତ୍ର ଜୀବନଯାପନକୁ ଆଦର୍ଶ ବୋଲି ମନେ କରାଯାଇଛି । କିନ୍ତୁ ବିଂଶ ଶତାବ୍ଦୀର ପୂର୍ବାଦ୍ଧରେ ଆର୍ଯ୍ୟସମାଜର ବିଧବା ବିବାହ ସପକ୍ଷରେ ଦୃଢ଼ ଆନ୍ଦୋଳନ ଓ ତା’ର ପ୍ରତିଫଳନ ଉପନ୍ୟାସଗୁଡ଼ିକରେ ଉଲ୍ଲେଖନୀୟ ସ୍ଥାନ ଲାଭ କରିଛି । ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ଶାସ୍ତି, ତୁଣ୍ଡ ବାଇଦ ପ୍ରଭୃତି ଉପନ୍ୟାସରେ ବିଧବା ନାରୀର ଦୁଃଖ ଯନ୍ତ୍ରଣା ଓ, ଅନ୍ତରର ଅଶ୍ରୁଳ କାହାଣୀ ରୂପ ପାଇଛି । କିନ୍ତୁ ସମାଧାନର ସୂତ୍ର ଦିଆଯାଇ ପାରିନି ।

 

ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ଶାସ୍ତି’ର ନାୟିକା ଧୋବୀ ଯାହାର ଜୀବନ ଦୀର୍ଘ ବୈଶାଖୀର ତତଲା ମରୁବାଲି । ବିଷ୍ଣୁପୁର ଗାଁର ଚିନ୍ତେଇ ସୋଇଁ ମହାଜନର ଏକମାତ୍ର କନ୍ୟା ଧୋବୀ ଓ ବନେଇ ପରିଡ଼ାର ପୁଅ ସନେଇର ପ୍ରେମ ସମ୍ପର୍କ ହିଁ ଉପନ୍ୟାସଟିର ମୁଖ୍ୟ କଥାବସ୍ତୁ । ଧୋବୀ ଓ ସନେଇ କିଶୋର ବୟସରୁ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ ଓ ସମୟ କ୍ରମେ ସେଇ ସାଧାରଣ ଆକର୍ଷଣ ଦୁହିଁଙ୍କ ଅନ୍ତରରେ ପ୍ରେମର ଶତଦଳ କମଳ ରୂପେ ପ୍ରସ୍ଫୁଟିତ ହୋଇଥିଲା । କିନ୍ତୁ ସନେଇ ବାପାଙ୍କର ଜାତ୍ୟଭିମାନ ଦୁଇଟି ପ୍ରେମୀ ହୃଦୟକୁ ମିଳିତ ହେବାକୁ ଦେଲାନି । ଧୋବୀ ଅନ୍ୟ ଜଣେ ବିଭବଶାଳୀ ଯୁବକକୁ ବିବାହ କରିଗଲା । ବିବାହ ବେଦୀର ପବିତ୍ର ହୋମାଗ୍ନି ସମ୍ମୁଖରେ ହାତଗଣ୍ଠି ପଡ଼ିବା ବେଳେ, ‘‘ଓଢ଼ଣା ତଳେ ଧୋବୀର ଆଖିରୁ ଝରିଲା ଲୁହ । ଲୁହର ବାଦଲ ଭିତରେ ସନେଇ ପରିଡ଼ାର ସୁନ୍ଦର ମୁହଁ, ବଳିଲା ବଳିଲା ଦେହ ଆଗରେ ଠିଆ ହେଲା । କେଡ଼େ ବିରସ କାନ୍ଦିଲା କାନ୍ଦିଲା ମୁହଁ, ଯେମିତି କଣ କହିବାକୁ ଚାହିଁଛି କହିପାରୁ ନାହିଁ ।’’ ସନେଇର ସ୍ମୃତିକୁ ସମ୍ବଳ କରି ଧୋବୀ ଯାଇଛି ସ୍ୱାମୀର ସଂସାର କରିବା ପାଇଁ । ସୁଅ ମୁହଁରେ ପତରଟିଏ ପରି ଭାସି ଯାଉଛି, ସାମାନ୍ୟ ବାଧା ସେ ଦେଇ ପାରିନି ।

 

ଦୁର୍ଭିକ୍ଷ ଦାଉରେ ବିପର୍ଯ୍ୟସ୍ତ ହୋଇ ଯାଇଛି ସାମାଜିକ ଜୀବନ । ସନେଇ ପରିଡ଼ାର ବଂଶ ଆଭିଜାତ୍ୟ କ୍ଷୁଧାର ତାଡ଼ନାରେ ନଷ୍ଟଭ୍ରଷ୍ଟ ହୋଇ ଯାଇଛି । ସନେଇ କାଙ୍ଗାଳ ଦଳରେ ମିଶି ଖାଦ୍ୟ ମୁଠାଏ ପାଇଁ ବାର ଦୁଆର ବୁଲିଛି, ଜାତି ହରାଇଛି । ଦୁର୍ଭିକ୍ଷ ପୀଡ଼ିତ କାଙ୍ଗାଳମାନଙ୍କର ସେବା କରିବାକୁ ଯାଇ ଧୋବୀର ସ୍ୱାମୀ ଓ ଶ୍ୱଶୁର ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ଶାଶୁ ଆତ୍ମହତ୍ୟା କଲା ପରେ ଧୋବୀ ବୈଧବ୍ୟର ଅଭିଶାପ ନେଇ ନିଜ ବାପ ଘରକୁ ଫେରି ଆସିଲା ।

 

ସମୟକ୍ରମେ ସ୍ୱାମୀ ମୃତ୍ୟୁର ଦୁଃଖ ଧୀରେ ଧୀରେ ମନରୁ କମି ଆସିଲା, କିନ୍ତୁ ଆଦ୍ୟ ଯୌବନର ପ୍ରେମର ପୁଷ୍ପଟି ଧୋବୀର ମନକୁ ସୁରଭିତ କରି ରଖିଥିଲା । ଦିନେ ସେ ଜାଣିଲା କାଙ୍ଗାଳ ସନେଇ ମୁମୂର୍ଷୁ ଅବସ୍ଥାରେ ଫେରି ଆସିଛି ଗାଁକୁ । ଧୋବୀର ଅନ୍ତରାତ୍ମାର ବ୍ୟାକୁଳ ଆବେଗ ତାକୁ ମଧ୍ୟ ରାତ୍ରରେ ଟାଣି ନେଇଗଲା ସନେଇ ପାଖକୁ । ପତିତ, ଜାତିଚ୍ୟୁତ ସନେଇକୁ ପରମ ଆଦରରେ ଛୋଟ ପିଲାଟିକୁ ଖୁଆଇବା ପରି ଧୋବୀ ଖୁଆଇ ଦେଲା । ସନେଇ ବଞ୍ଚିଲା ପୁଣି ମୁଣ୍ଡ ଟେକି ଠିଆ ହେଲା । ଧୋବୀର ଅର୍ଥସାହାଯ୍ୟ, ପ୍ରେରଣା ଓ ଭଲ ପାଇବାକୁ ସଂବଳ କରି ସନେଇ ଘର କଲା, ଜାତିରେ ମିଶିଲା । ସନେଇର ଧୋବୀକୁ ନେଇ ମନରେ ଖେଳୁଥିଲା ସ୍ୱପ୍ନ । କିନ୍ତୁ ଭରସି କରି କହିବା ପାଇଁ ସାହାସ ପାଉ ନଥିଲା । କିନ୍ତୁ ଶିବରାତ୍ରୀ ଦିନ ଧୋବୀ ସନେଇ ପାଖକୁ ଆସିଛି, ତା’ ବେକର ସୁନାହାର ସନେଇକୁ ଦେଇ କହିଛି-‘‘ତୁ ଜମିବାଡ଼ି କର, ଗାଁର ଆଉ ପାଞ୍ଚଟାଙ୍କ ସଙ୍ଗେ ସମାନ ହ । ସେତିକି ମୋର ଆନନ୍ଦ, ମୋର କେବେ ଯଦି ଦରକାର ପଡ଼େ ମୁଁ ତୋର ହାତ ଭିତରୁ ମୋର ପାଉଣା ଛଡ଼ାଇ ନେବି । ସେତେବେଳେ ତୁ ନାହିଁ କରିପାରିବୁ ନାହିଁ ।’’ ପୁଣି ସନେଇର କେତେକ ପ୍ରଶ୍ନର ଉତ୍ତର ସ୍ୱରୂପ କହିଛି । X X X ‘‘ତୁ ବଡ଼ହ, ତୋର ଦୁଇ ପାଦରେ ଏମିତି ମୁଣ୍ଡଲଗାଇ ତୋ ପ୍ରଶ୍ନର ଉତ୍ତର ଦେବି ।’’ ଧୋବୀର ଏହି କଥା ଶୁଣି ସନେଇ ମନରେ ଧୋବୀକୁ ପାଇବାର ଆଶା ଦୃଢ଼ୀଭୂତ ହୋଇଛି ଓ ପାଠକମାନେ ମଧ୍ୟ ଧୋବୀର ଦୁଃଖ ଯନ୍ତ୍ରଣାର ଏକ ପରିସମାପ୍ତିର ଆଶାରେ ଆଶ୍ୱସ୍ତ ହୋଇଛନ୍ତି ।

 

କିନ୍ତୁ ଔପନ୍ୟାସିକଙ୍କ ମନରେ ଧୋବୀ ପାଇଁ ରହିଛି ଭିନ୍ନ ଯୋଜନା । ସ୍ୱାମୀ ଘରକୁ ଫେରି ତାଙ୍କ ଘରେ ବନ୍ଧକ ଥିବା ପ୍ରଜାଙ୍କର ଜମିବାଡ଼ିର କାଗଜପତ୍ର ତାଙ୍କୁ ଫେରେଇ ଦେଇଛି । ତା’ ମନରେ ଧନ ସମ୍ପତ୍ତି ପାଇଁ କୌଣସି ଲୋଭ ନଥିଲା । ସେ କେବଳ ଚାହୁଁଥିଲା ଗୋଟିଏ ସାଧାରଣ ନାରୀର ଅଭିଳଷିତ ଛୋଟିଆ ଘର, ମନର ମଣିଷ ଓ ତା’ ରକ୍ତର ସନ୍ତାନ । ମାତୃତ୍ୱ ଓ ନାରୀତ୍ୱର ସାର୍ଥକତା ପାଇଁ ଧୋବୀର ମନରେ ଥିଲା ସେଇ ଚିରନ୍ତନ ବ୍ୟାକୁଳତା । ଧୋବୀର ବୋଉ ବୁଝିଥିଲେ ଝିଅର ମନକଥା । ସନେଇ ସହିତ ତା’ର ପୁନର୍ବିବାହର ପ୍ରସ୍ତାବ ଦେଲେ, କିନ୍ତୁ ଚିନ୍ତେଇଁ ସୋଇଁ ତାକୁ ପ୍ରତ୍ୟାଖ୍ୟାନ କଲେ । ସନେଇ ଦିନେ ଅନ୍ଧାର ବର୍ଷା ରାତିରେ ଛୁଟି ଯାଇଛି ଧୋବୀ ପାଖକୁ, ଦୁହେଁ ବୁଝିଛନ୍ତି ଦୁହିଁଙ୍କର ଅସହାୟତା । ସନେଇ ଫେରିଆସିଛି ହତାଶ ମନ ନେଇ ଓ ଧୋବୀ ଆଶା ଓ ଆଶାଭଙ୍ଗର ଯନ୍ତ୍ରଣା ଭିତରେ ସନ୍ତୁଳିତ ହୋଇ ରୋଗାକ୍ରାନ୍ତ ହୋଇପଡ଼ିଛି ।

 

ପାଗଳୀ କଇଁର ପ୍ରଳାପ ‘ସନିଆ ମୋ ବର’ ଶୁଣିବା ପରେ ସନିଆ ମନରେ ଭାବାନ୍ତର ସୃଷ୍ଟି ହୋଇଛି ଓ ସେ କଇଁକୁ ସ୍ତ୍ରୀରୂପେ ଗ୍ରହଣ କରିଛି । ଧୋବୀର ଶାରୀରିକ ଅବସ୍ଥା ଲକ୍ଷ୍ୟକରି ତା’ ବାପା ଚିନ୍ତେଇ ସୋଇଁ ଯେତେବେଳେ ସନିଆ ନିକଟରେ ଧୋବୀ ସହ ବିବାହର ପ୍ରସ୍ତାବ ଦେଇଛନ୍ତି, ସନିଆ ତାହା ପ୍ରତ୍ୟାଖ୍ୟାନ କରିଛି । ଏଇ ସ୍ଥାନରେ ପ୍ରସଙ୍ଗଟି କିପରି ଅବାନ୍ତର ବୋଧହୁଏ । ଯେଉଁ ଧୋବୀ ଓ ସନିଆ ପରସ୍ପରକୁ ବାଲ୍ୟକାଳରୁ ଭଲ ପାଉଥିଲେ ଓ ଧୋବୀ ଜାତିପତିଙ୍କୁ ଭୟ ନକରି ପତିତ ସନିଆକୁ ଖାଦ୍ୟଦେଇ ମୃତ୍ୟୁମୁଖରୁ ବଞ୍ଚାଇ ଥିଲା ଓ ଯାହାର ଦାନରେ ସନିଆ ଜାତିରେ ମିଶିପାରିଲା, ଘର ଦ୍ୱାର କଲା, ପାଞ୍ଚଜଣରେ ଜଣେ ହେଲା, ସେଇ ସନିଆ ଧୋବୀର ଅସହାୟତା ଜାଣି ମଧ୍ୟ ନିଜର ସୁଖ ବା ଆଦର୍ଶ ପାଇଁ କଇଁକୁ ଗ୍ରହଣ କରିଗଲା । ଧୋବୀର ଦୀର୍ଘକାଳ ଧରି ଏ କୃଚ୍ଛ୍ର ପ୍ରେମସାଧନାର ବା କି ମୂଲ୍ୟ ରହିଲା ! ହୁଏତ ଆଉ କେଇଟି ଦିନ ସନିଆ ଅପେକ୍ଷା କରିଥିଲେ ଚିନ୍ତେଇ ସୋଇଁଙ୍କର ସ୍ୱୀକୃତିରେ ସେ ଦୁହିଁଙ୍କର ବିବାହ ହୋଇପାରିଥାନ୍ତା । କିନ୍ତୁ ତା’ ହେଲା ନାହିଁ । ଧୋବୀକୁ ମୃତ୍ୟୁ ମୁଖକୁ ଠେଲି ଦିଆଗଲା । ଔପନ୍ୟାସିକ କାହ୍ନୁଚରଣ ଧୋବୀ ଚରିତ୍ର ଚିତ୍ରଣରେ ଯଥେଷ୍ଟ ସହାନୁଭୂତି ଓ ଆନ୍ତରିକତା ପ୍ରଦର୍ଶନ କରିଛନ୍ତି । କିନ୍ତୁ ହୁଏତ ବ୍ୟକ୍ତିଗତ ଭାବରେ ସେ ବିଧବା ବିବାହର ସମର୍ଥନ କରୁନଥିବାରୁ ସାମାଜିକ ବାଧା ପ୍ରତିବନ୍ଧକ ନଥିବା ସ୍ଥଳେ ମଧ୍ୟ ସେ ଧୋବୀର ବିବାହ ଦେବା ପାଇଁ କୁଣ୍ଠା ପ୍ରକାଶ କରି କାହାଣୀର ମୋଡ଼ ବଦଳାଇ ଦେଇଛନ୍ତି ଓ ଷୋଳ ସତର ବର୍ଷର ବିଧବା ଝିଅଟିକୁ ଅଶ୍ରୁତର୍ପଣ ମଧ୍ୟରେ ମୃତ୍ୟୁମୁଖକୁ ପଠାଇଦେଇ ସବୁ ସମସ୍ୟାର ସମାଧାନ କରିଦେଇଛନ୍ତି ।

 

ମାୟା-ବସନ୍ତ କୁମାରୀ ପଟ୍ଟନାୟକଙ୍କ ଉପନ୍ୟାସ ‘ଅମଡ଼ାବାଟ’ର ମାୟା ଏକ ଅନନ୍ୟ ନାରୀଚରିତ୍ର । ମାୟାର ଚରିତ୍ର ଚିତ୍ରଣରେ ଔପନ୍ୟାସିକ କଳ୍ପନା ବା ଅତିରଞ୍ଜନର ସହାୟତା ନେଇ ନାହାନ୍ତି । ମାୟା ଆମର ଅତି ପରିଚିତା । ସେ ଆମ ଘରର ବା ଆମ ପଡ଼ୋଶୀ ଘରର ଝିଅଟିଏ ପରି ଲାଗେ, ଯାହାକୁ ଆମେ ଭଲ ଭାବରେ ଜାଣିଛୁ ଓ ଚିହ୍ନିଛୁ । ଗୋଟିଏ ଚରିତ୍ରର ଏହି ପ୍ରକାର ସ୍ୱାଭାବିକତା ଶେଷଯାଏ ରକ୍ଷା କରିପାରିବା ରଚୟିତାର ଦକ୍ଷତା ଉପରେ ନିର୍ଭର କରେ । ମାୟା ଚରିତ୍ର ଚିତ୍ରଣରେ ସେହି ଉଚ୍ଚକୋଟୀର କଳା କୁଶଳତାର ପରିଚୟ ମିଳିଥାଏ ।

 

ସାଧାରଣ ଏକ ମଧ୍ୟବିତ୍ତ ପରିବାରର କର୍ତ୍ତା ପୀତାମ୍ବର ବାବୁଙ୍କର ଚାରିପୁଅରେ ଏକମାତ୍ର ଝିଅ ମାୟା । ବାପା ବୋଉଙ୍କର ଗେହ୍ଲା ଝିଅ, ବଡ଼ଭାଇ ମୋହନର ଆଦରର ଭଉଣୀ ଓ ସାନ ଭାଇ ପତୁ, ରଞ୍ଜୁ ଓ ପହିଲିର ପ୍ରୀତିପ୍ରଦ ଆତଙ୍କଟିଏ ହେଉଛି ମାୟା । ପ୍ରଥମେ ପାଠକ ଚୌକି ଉପରେ ଆଖି ବୁଜି ଲଜେନ୍‌ସର ସ୍ୱାଦୁ ଚାଖୁଥିବା ମାୟାକୁ ଭେଟନ୍ତି । ଲଜେନ୍‌ସର ସ୍ୱାଦକାରୀ ଗୁଣ ସଂପର୍କରେ ପଚାରୁଥିବା ସାନଭାଇମାନଙ୍କୁ ‘‘ବେଶି ବାଜେ ଅଳ୍ପ ଭଲ’’ କହି ଗୋଟାଏ ଗୋଟାଏ ସେଥିରୁ ସେଇମାନଙ୍କ ହାତରେ ଧରାଇଦେଇ ମାୟା ତା’ ନିଜ କାମ କରିଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଏ । କଥା କହିବାରେ ଓ ପରିସ୍ଥିତି ଦେଖି ସ୍ୱରବଦଳାଇ ଅପରପକ୍ଷକୁ ଆତଙ୍କିତ କରିଦେବାରେ ମାୟାର ଅନ୍ୟ ତୁଳନା ନାହିଁ । ସେ ପାଠ ପଢ଼ୁ ନଥିବାର ଦେଖି ବାପା ରାଗିଯିବାରୁ ତାଙ୍କୁ ତରଳାଇ ଦେବାକୁ ଆଚାର ହାତ ଆକ୍ଷିରେ ମାରି ମାୟା ଳୁହ ଝରାଉ ଝରାଉ ବିକଳହୋଇ କହେ, ‘‘ବୋଉ ଯେ କାହିଁକି ମତେ ଏନ୍ତୁଡ଼ି ଶାଳରେ ତଣ୍ଟିଚିପି ମାରି ନ ଦେଲା...।’’ ବାସ୍‌ ତା’ କାମ ହୋଇଯାଏ । ମୁହୂର୍ତ୍ତକ ଆଗରୁ ଝିଅର ଡାହା ମିଛ କଥାରେ ଜମାଟ ବାନ୍ଧି ଆସୁଥିବା ପୀତାମ୍ବର ବାବୁଙ୍କର ଲହୁଣୀ ପରି କୋମଳ ପିତୃ ହୃଦୟ ପୁଣି ସେହି ଝିଅର ଆଖି ଲୁହର ଉଷ୍ଣତାରେ ତରଳି ଯାଏ ।

 

ମାୟାଠାରୁ ସାତସାନ ପହଲି ମଧ୍ୟ କିଛି ଭୁଲ୍‌ କଲେ ମାୟାର ତୀକ୍ଷ୍‌ଣ ନଖର ଆଘାତରୁ ବର୍ତ୍ତିପାରେନା । ସାନ ଭାଇମାନେ ପଇସାଟିଏ ପାଇଁ ବଡ଼ଭାଇ ମୋହନର ଦୟାକୁ ହାତ ପାତୁଥିବା ବେଳେ ମାୟା ଜୋର୍‌ କରି ତା’ର ପ୍ରାପ୍ୟ ଆଦାୟ କରିନିଏ । ମାୟାର ପରୀକ୍ଷା ପାଖ ହୋଇ ଆସିଲେ ଘରେ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି । ପାଖ ବଖରାରେ କେହି କଥା କହିପାରିବେନି, ଦୁଆରେ ଠିଆହୋଇ ହସିପାରିବେନି, ତା’ ବଖରା ସାମ୍‌ନାଦେଇ ଚାଲିଯାଇ ପାରିବେନି, କାରଣ ଏସବୁ ତା’ ପାଠପଢ଼ାରେ ବ୍ୟାଘାତ ସୃଷ୍ଟିକରିବ । ମନେହୁଏ ସତେ ଯେମିତି ପୀତାମ୍ବର ବାବୁଙ୍କ ପରିବାରରେ ସେ ଏକଛତ୍ରାଧିପତି ଓ ଅନ୍ୟମାନେ ସମସ୍ତେ ତାର ବଚସ୍କର । ପୂରା ପରିବାର ତା’ ମର୍ଜି ଜଗି ଚଳିବାକୁ ବାଧ୍ୟ । ନହେଲେ ଘରେ ଅଦିନ ଝଡ଼ ପ୍ରଳୟ । ଏତେ ପ୍ରସ୍ତୁତି ପରେ ପରୀକ୍ଷା ଦେବାକୁ ଗଲାବେଳେ ମାୟା ତା’ର ଘଣ୍ଟାପିନ୍ଧା ହାତଟା ଗାଲରେ ଦେଇ ପଢ଼ା କଥା ଭାବୁ ଭାବୁ ସେ କଥା ଭୁଲିଯାଇ ସେ କେବଳ ଗଣିବାରେ ଲାଗେ କେତେଜଣ ମଣିଷ ତା’ ଘଣ୍ଟାକୁ ଚାହିଁଛନ୍ତି । ତା’ର ପରୀକ୍ଷା ସରିଲେ ଘରେ ଚାକର ପୁଝାରୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କର ପରୀକ୍ଷା ସରେ । ତା’ର ବନ୍ଦ ବଖରାରୁ ବାରମ୍ବାର ତା’ରି କଣ୍ଠରେ ଘୋଷିତ ହୁଏ ‘ମାୟା’ ଦାସ ଫାଷ୍ଟଡିଭିଜନ’ ଓ ତା’ପରେ ହାତତାଳିରେ ଘୋଷଣାର ସମର୍ଥନ ପ୍ରକାଶ ପାଏ ।

 

ପୀତାମ୍ବର ବାବୁଙ୍କର ହାଡ଼ଫୁଟି ଭଲ ହେବା ପରେ ମାୟା ଓ ପୀତାମ୍ବର ବାବୁଙ୍କର କଥୋପକଥନରେ ମାୟା ଚରିତ୍ରର ସହଜ, ସୂକ୍ଷ୍ମ ଓ ଆନ୍ତରିକ ଦିଗଟି ଉଦ୍‌ଘାଟିତ । ପୀତାମ୍ୱରଙ୍କ ଭାବନାରେ ମାୟା ଚରିତ୍ରର ସେହି ନିଜସ୍ୱ ସୌନ୍ଦର୍ଯ୍ୟଟି ଉଦ୍‌ଘାଟିତ ହୋଇଛି । ‘‘ଏଇ ମାୟା କିଏ କହେ ସେ ଅଣ୍ତିରୀଚଣ୍ତୀ, କିଏ କହେ କଳିହୁଡ଼ି, ଆଉ କିଏ ହୁଏତ କହେ ଉଦ୍ଧତ ।’’ ଗୋଟିଏ ଜିନିଷକୁ ବିଶ୍ଳେଷଣ କରି ଦେଖିବାର ଶକ୍ତି ଏ ଦେଶର ଲୋକଙ୍କ ପାଖରେ କାହିଁ ? ଏତେ କଷ୍ଟ କରି ଭିତର ଦେଖୁଛି କିଏ ? ବାହାରଟା ଦେଖିନେଇ ସମସ୍ତେ ସନ୍ତୁଷ୍ଟ । ଏଇ ତାଙ୍କର ଝିଅ ମାୟା । କେହି କଣ ତାକୁ ଚିହ୍ନିଛି ? ତାତିଲା ନଈ ବାଲି କଥାରେ, ବ୍ୟବହାରରେ ଲୋକଙ୍କର ମୁହଁ ପୋଡ଼ିଯାଏ । କିନ୍ତୁ ତାଙ୍କର ମନେ ହୁଏ ସେ ନିଜେ ବଡ଼ ଭାଗ୍ୟବାନ । ଏମିତି ଝିଅ କେଇଟା ଲୋକଙ୍କର ଭାଗ୍ୟରେ ଅଛି ? ଭିତରର ନୀରବତାକୁ ଯେଉଁ ଝିଅମାନେ ଭଦ୍ରତାର ଢାଙ୍କୁଣୀରେ ଢାଙ୍କିରଖନ୍ତି ତା’ ଅପେକ୍ଷା କ’ଣ ଏହା ଯଥେଷ୍ଟ ଭଲନୁହେଁ ?’’

 

ନୂଆ ହୋଇ ଆସିଥିବା ବୋହୂ କାବେରୀ ଶାଶୁଙ୍କର ଗୋଡ଼ଧୂଆ ପାଣିପିଇବାକୁ ଚାହୁଁଥିବା ଜାଣି ବୋହୂପଣିଆର ଏ ଦୟନୀୟ ଦିଗଟି ସଂପର୍କରେ ସଚେତନ ହୋଇଉଠିଥିଲା ମାୟା । ତଥାପି କାବେରୀର ଏ ପ୍ରକାର ଆଚରଣକୁ ତା’ର ସ୍ପଷ୍ଟବାଦୀ ମନ ଗ୍ରହଣ କରିପାରି ନଥିଲା । ସେ କହି ଉଠିଲା, ‘‘ଯାଃ ଅତି ଭକ୍ତି ଚୋରର ଲକ୍ଷଣ’’ ଏବଂ ବୋହୂର ଜିନିଷପତ୍ର ତଦାରଖ କରୁଥିବା ସ୍ତ୍ରୀଲୋକମାନଙ୍କ ଆଗରେ ବୋଉକୁ ପାଦଧୁଆ ପାଣି ପିଇବା ନେଇ ବିରକ୍ତି ପ୍ରକାଶ କରିଛି । ଯଦୁବୋଉ ମାୟା କଥା ଶୁଣି କହିଛନ୍ତି-‘‘ଏ ରାହାବଳୀ ଝିଅଖଣ୍ତକୁ କୋଉଠି ବାହାକରିବୁ ମହୀବୋଉ ?’’ ମାୟାର ସ୍ପଷ୍ଟବାଦୀ ସ୍ୱଭାବକୁ ମେରୁଦଣ୍ତହୀନ ଭଲ ବୋହୂର, ଭଲ ଝିଅର ସଂଜ୍ଞାରେ ବିଶ୍ୱାସୀ ମହିଳାସମାଜର ମାନିନେବାକୁ ସାମର୍ଥ୍ୟ ନ ଥିଲା । ମାୟାର ଥିଲା ପୁଣି ପ୍ରଚଣ୍ତ ରସବୋଧ । ନିଜ ଭାଉଜର ସୁନ୍ଦର ରୂପରେ ସେ ମୁଗ୍‌ଧ ହୋଇ ଯାଇଥିଲା ଓ ଅନ୍ୟ ଏକ ନାରୀର ସୌନ୍ଦର୍ଯ୍ୟର ପ୍ରଂଶସା କରିବାରେ ତା’ର ସାମାନ୍ୟ କୁଣ୍ଠା ନ ଥିଲା । ତେଣୁ ଭାଉଜକୁ କହିଛି ‘‘ନା, ନା ତମେ ପ୍ରକୃତରେ ସୁନ୍ଦର.....ହସିଲେ ଭଲ ଦିଶ, ଋଷିଲେ ବି ଭଲ ଦିଶ ।’’ ପୁଣି ସେଇ ମାୟା ଭାଉଜର ଆଚରଣରେ ଆନ୍ତରିକତାର ଅଭାବ ଦେଖି କ୍ଷୁବ୍‌ଧ ହୋଇଉଠିଛି । ପହଲିର ପାଉଡର ବୋଳା ମୁହଁକୁ ଦେଖି ଭାଉଜକୁ ଆକ୍ଷେପ କରିଛି, ‘ଭାଉଜ ପହଲି ମୁହଁରେ ଘିମିରି ଉଠିବାର ବାଟ ବନ୍ଦ କରି ଦେଇ ଆଉ ଦେହ ହାତ ଯେଉଁଠି ଘିମିରି ଉଠିଛି ସେତକ କ’ଣ ଭୁଲରେ ଛାଡ଼ିଗଲା ?’’ ଘରେ ନିଜର ପୂର୍ବ ଆଦର କମିଯିବାର ଲକ୍ଷ୍ୟକରି କୂଟନୀତିର ଆଶ୍ରୟ ନେବାକୁ ବାଧ୍ୟ ହୋଇଛି । କାବେରୀ ସକାଳେ ଶାଶୁ ଶ୍ୱଶୁରଙ୍କ ପାଇଁ ରଖିଥିବା ପାଣି ଖର୍ଚ୍ଚ କରିଦେବା, ମସଲା ବାଟିବାର ରହସ୍ୟ ଫିଟାଇଦେଇ ସେ ସମସ୍ତଙ୍କ ଆଗରେ କାବେରୀର ସ୍ୱରୂପ ପଦାରେ ପକାଇ ଦେବାକୁ ଚେଷ୍ଟା କରିଛି ।

 

ମାୟାର ସ୍ୱାଧୀନ ଆଚରଣ ଦେଖି କାବେରୀର ଅନୁତାପ ହୋଇଛି । ସେ ଭାବିଛି ସେ ମିଛୁଟାରେ ବାହାହେଲା, ଏଇ ମାୟା କେତେ ସ୍ୱାଧୀନ, ଯାହା ଖୁସି କରିଦେଇ ଯାଉଛି, କେହି ପଦେ କହିବାକୁ ନାହିଁ । ମାୟା ପରି ନଣନ୍ଦର ଜାଳା ସହୁଥିବାରୁ ସେ ନିଜକୁ ଅନ୍ୟ ବୋହୂମାନଙ୍କ ଅପେକ୍ଷା ଅଧିକ ସହିଷ୍ଣୁ ମନେ କରିଛି । କିନ୍ତୁ ସେଇ କାବେରୀ ଗାଁରୁ ଆସିଥିବା ଖୁଡ଼ି, ବିଦୁବୋଉ, ମାଳଦେଇ ପ୍ରଭୃତିଙ୍କ ଆଗରେ କାଠଗଡ଼ାରେ ଠିଆହୋଇ ବୋହୂପଣିଆର ପରୀକ୍ଷା ଦେଉଥିବା ବେଳେ ଏବଂ ସେମାନଙ୍କ ପ୍ରଶ୍ନବାଣରେ ଜର୍ଜରିତ ହେଉଥିବା ସମୟରେ ମାୟାର ସେମାନଙ୍କ ପ୍ରତି ଆକ୍ରମଣାତ୍ମକ ଓକିଲାତିରେ ରକ୍ଷାପାଇ ଯାଇ ଅନୁଭବ କରିଥିଲା ଯେ ସେ ଏ ଘରକୁ ଆସିବା ପରଠାରୁ ମାୟାକୁ ଏତେ ଭଲ ସେ ଆଗରୁ କେବେ ପାଇ ନ ଥିଲା । ଏଥିରୁ ମାୟାର ଖେଳୁଆଡ଼ ମନୋଭାବ ବା sportsmanship ଜଣାଯାଏ ।

 

ମାୟା ଚରିତ୍ରର ଦୃଢ଼ତା, ସ୍ପଷ୍ଟବାଦିତା ଅନେକ ସ୍ଥଳରେ ପ୍ରକାଶିତ ହୋଇଛି । ନିଜ ସଂପର୍କରେ କୌଣସି ବାଜେ ଅଭିଯୋଗର ସଫେଇ ଦେବାକୁ ତା’ର ଆତ୍ମସମ୍ମାନ ବାଧା ଦିଏ । ଘରକୁ ରାତ୍ରିରେ ଫେରିବାର ବିଳମ୍ବ ଦେଖି କାବେରୀର ପ୍ରରୋଚନାରେ ମୋହନର ତାଗିଦା ଶୁଣି ମାୟାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କାବେରୀ ଉଦ୍ଦେଶ୍ୟରେ କହିଛି ‘‘ମଣିଷ ନିଜ ମୁହଁଟାକୁ ହିଁ ଦର୍ପଣରେ ଦେଖେ । ତମେ ଦୁନିଆଟାକୁ ନିଜପରି ଭାବୁଛ କାହିଁକି ? ସମସ୍ତେ ତମପରି ହୋଇନାହାନ୍ତି ।’’ ମାୟାର ବେଖାତିର ଭାବରେ ଅପମାନିତ ହୋଇଛି ମୋହନ, କ୍ଷୁବ୍‌ଧ ହୋଇଛି କାବେରୀ । ପୀତାମ୍ବର ବାବୁ କାହାକୁ କଣ କହିବେ ଭାବିଛନ୍ତି, କାରଣ ମାୟା ଯେଉଁ ଧରଣର ପିଲା, ତାକୁ ପ୍ରାୟ ସମସ୍ତେ ଭୁଲ ବୁଝିବେ । ତାକୁ ସେ ନିଜେ ଭଲ କରି ଚିହ୍ନିଛନ୍ତି । ତା’ଉପରେ ତାଙ୍କର ଅଗାଧ ବିଶ୍ୱାସ । ଏଥିରେ ପିତାର କନ୍ୟା ପ୍ରତି ସ୍ନେହଜନିତ ଅନ୍ଧପ୍ରତ୍ୟୟ ନୁହେଁ । ବରଂ ମଣିଷ ଚିହ୍ନିବାରେ ଦୃଢ଼ ଆତ୍ମବିଶ୍ୱାସ ପ୍ରକାଶ ପାଇଛି ।

 

ମାୟାର ବାହାଘର ପ୍ରସ୍ତାବ ସବୁ ଭାଙ୍ଗିଯିବାରେ ମାୟା ଥିଲା ମୁଖ୍ୟତଃ ଦାୟୀ । ବାହା ହେବ ନାହିଁ ବୋଲି କିଛିନା କିଛି ଉପାୟ ବାହାର କରି ସେ ପ୍ରସ୍ତାବ ଭାଙ୍ଗି ଦିଏ । କିନ୍ତୁ ଯେଉଁଦିନ ଓକିଲ-ପାତ୍ରର ବିଧବା ମା’ ପାତ୍ରୀ ଦେଖିବାକୁ ଆସି ପହଞ୍ଚିଲେ, ମାୟାର ବେଶଭୂଷା ଓ ଉଗ୍ର ଆଚରଣ ଯାହା ଅନ୍ୟମାନଙ୍କୁ ବିଦା କରିବାରେ ଅସ୍ତ୍ରପରି ସାହାଯ୍ୟ କରୁଥିଲା, ସେ ସବୁ ତାଙ୍କୁ ଭଲ ଲାଗିଲା । ସେ ଜାଣନ୍ତି ଗର୍ଜିଲା ମେଘ ବରଷେ ନାହିଁ । ପ୍ରକୃତରେ ସେ କିଛି ଭୁଲ ଭାବି ନ ଥିଲେ । ଜଣେ ଜଣେ ମଣିଷଙ୍କୁ ପ୍ରଥମରୁ ଦେଖିଲେ ହଠାତ୍ ଭଲ ଲାଗେ, ଆଉ ଜଣ ଜଣଙ୍କୁ ପ୍ରଥମେ ଖରାପ ଲାଗେ । ଅଧିକାଂଶ ସ୍ଥଳରେ ଦେଖାଯାଏ ପ୍ରଥମ ଥର ଧାରଣା ହିଁ ଠିକ୍‌ । ବାହାଘର ହୋଇଯିବା ପରେ ମାୟାର ବୋଉଙ୍କ ମନରେ ଝିଅକୁ ନେଇ କେତେ ଉତ୍କଣ୍ଠା । ସେ କଣ ସତରେ ବୋହୂ ପଣିଆ କରିବ ! ଝିଅଠାରୁ ଅନ୍ତତଃ ମୌଖିକ ପ୍ରତିଶ୍ରୁତିଟିଏ ପାଇଲେ ତାଙ୍କୁ ଶାନ୍ତି ଲାଗିଲା । ପୀତାମ୍ବର ବାବୁଙ୍କର ତାଙ୍କର ଅଲିଅଳି ଝିଅ ମାୟା ପାଇଁ ବିଦାୟ ବେଳାରେ ଥିଲା ମାତ୍ର ପଦଟିଏ କଥା- ‘ତୁ ମୋରି ଝିଅ, ଏକଥା ଯେମିତି ଭୁଲିବୁ ନାହିଁ । ସୁଖରେ ଅଛୁ ଜାଣିଲେ ମୁଁ ମନରେ ଶାନ୍ତି ପାଇବି ।’’

 

ଶାଶୁ ଘରେ ପହଞ୍ଚିବାର ଅଳ୍ପ ସମୟ ପରେ ମାୟାର ଅନ୍ତର୍ଭେଦୀ ଦୃଷ୍ଟି ଅନ୍ୟମାନଙ୍କ ସମ୍ପର୍କରେ ବେଶ୍‌ ଏକ ଧାରଣା କରିନେଲା । ସମ୍ପୂର୍ଣ୍ଣ ଭିନ୍ନ ପରିବେଶ ଓ ଅଚିହ୍ନା ମଣିଷମାନଙ୍କ ଭିତରେ ମାୟାର ବିଦ୍ରୋହୀ ମନ ଆହତ ଅଭିମାନରେ ଗୁମୁରି ଉଠୁଥିଲା । ବାପଘରେ ସକାଳେ ତାକୁ ନିଦରୁ ଉଠାଇବା ପାଇଁ ଭୟରେ କେହି ରାଜି ହୁଅନ୍ତି ନି, ଅଥଚ ଏଠି ରାତି ଅଧରୁ ସେ କୂଅ ମୂଳରେ ଗାଧୋଇବାକୁ ବାଧ୍ୟ । ମାୟା ଜାଣେ ତାକୁ କେହି କେବେ କୌଣସି କଥାରେ ବାଧ୍ୟ କରି ପାରିବେ ନାହିଁ । କିନ୍ତୁ ବୋଉର ଶୁଖିଲା ମୁହଁ, ତା’ର ଦିଆ ପ୍ରତିଶ୍ରୁତି ଭିତରେ ତା’ର ଅନ୍ତରାତ୍ମା ଚିତ୍କାର କରୁଥିଲା ‘ତୁ ମତେ ଛାରଖାର କରିଦେଲୁ, ମତେ କଣ ଚିହ୍ନି ନଥିଲୁ, କାହିଁକି ଏଠି ଆଣି ପୁରେଇଲୁ ? ମୁଁ ତୋର କି କ୍ଷତି କରିଥିଲି !’ ଏତିକିରେ ମାୟାର ଅସୁବିଧାର ଶେଷ ହେଲାନାହିଁ । ବରଂ ପ୍ରତି ପଦେ ପଦେ ଶାଶୁଙ୍କର ଦିଆ ଅପମାନକୁ ତାକୁ ନୀରବରେ ସହ୍ୟ କରିବାକୁ ପଡ଼ିଲା । ହାତଗଣ୍ଠି ବେଳେ ଟଙ୍କା ଦବାନବା କଥା ଶୁଣି ଯେଉଁ ଝିଅ ବେଦୀରୁ ଉଠି ଯାଉଥିଲା, ସେଇ ଝିଅ ଅତି ସାଧାରଣ କଥା କଥାରେ ଶାଶୁଙ୍କର କୁତ୍ସିତ ଇଙ୍ଗିତକୁ ସହ୍ୟ କରିଯିବା ବିଶ୍ୱାସ ହୁଏ ନାହିଁ । କିନ୍ତୁ ବାପା ବୋଉଙ୍କୁ ଦେଇଥିବା ପ୍ରତିଶ୍ରୁତିର ମୂଲ୍ୟ ଦେବା ପାଇଁ ମାୟା ପରି ଜିଭରେ ବାଡ଼ବତା ନ ଥିବା ଝିଅଟି ଜିଭର ଅସ୍ତିତ୍ୱକୁ ମଧ୍ୟ ଭୁଲିଯାଇ ପାରିଛି, ଭାବିଲେ ତା’ର ଦୃଢ଼ ମନୋବଳର ପରିଚୟ ମିଳିଥାଏ । ତଥାପି ସେ ମଣିଷ ତ ! ଜ୍ୱର ଦେହରେ ସକାଳୁ ଉଠି ଚା ନକରି ଥିବାରୁ ଶାଶୁଙ୍କର ଗଞ୍ଜଣା ଶୁଣି ପ୍ରତିବାଦ କରିଛି ଭାଷାରେ ନୁହେଁ, ଆଚରଣରେ । ଚୁପ୍‌ ଚାପ ଶୋଇବା ଘରକୁ ଚାଲି ଆସିଛି । ସବୁ ଅଶାନ୍ତି ଭିତରେ ବହି ଖଣ୍ତେ ତା’ର ପରମ ସାଥୀ । କିନ୍ତୁ ତାକୁ ଯେ ପଢ଼ିବାକୁ ଶାଶୁଙ୍କର ବାରଣ ଅଛି । କାରଣ ତାଙ୍କର ଧାରଣା ବହି ପଢ଼ିଲେ କାଳେ ଘର କାମରେ ଖିଲାପ ହେବ......କାଳେ ତାଙ୍କ ପୁଅଠାରୁ ଅଧିକ ପଢ଼ି ଦେବ । କିଛି କାମ ନଥିଲେ ଚୁଲୀ ମୁହଁକୁ ଚାହିଁ ବସିବାକୁ ହେବ । ମାୟା ଜାଣିଥିଲା ବାପ ଘର ଓ ଶାଶୁ ଘର ଭିତରେ କେତେ ଫରକ । ରାନ୍ଧିବାକୁ ଯାଇ ହାତରେ ଫୋଟକା ହେଲେ ସେ ଆଖିରୁ ଲୁହ ଗଡ଼ାଏ ନାହିଁ । କାରଣ ସେ ଜାଣେ ଏଠି ଆଖି ଲୁହର କୌଣସି ମୂଲ୍ୟ ନାହିଁ ।

 

କିନ୍ତୁ ତା’ ସହନପଣିଆର ଯଥାର୍ଥ ମୂଲ୍ୟ ମିଳିଥିଲା ଯେତେବେଳେ ଜଣା ଶୁଣା ବନ୍ଧୁବାନ୍ଧବ ସମସ୍ତେ ମାୟାର ଘରକରଣାର ପ୍ରଶଂସା କରୁଥିଲେ ଓ ସେ ସମ୍ବାଦ ଶୁଣି ପୀତାଙ୍କର ଓ ମହୀ ବୋଉଙ୍କର ଅନ୍ତର ପରମ ସନ୍ତୋଷରେ ପୂରି ଉଠୁଥିଲା । ସ୍ୱାଭାବିକ ଅବସ୍ଥା ଅପେକ୍ଷା ଏକ ବିଶେଷ ବା ଜଟିଳ ଅବସ୍ଥାରେ ହିଁ ମଣିଷ ଚରିତ୍ରର ପ୍ରକୃତ ସ୍ୱରୂପ ଉଦ୍‌ଘାଟିତ ହୁଏ । ସେଇ ପ୍ରକାର ଏକ ଜଟିଳ ଅବସ୍ଥା ସୃଷ୍ଟି ହେଇଛି ମାୟାର ଜୀବନରେ । ସବୁବେଳେ ତା’ ଉପରେ ଚିଡ଼୍‌ ଚିଡ଼୍‌ ହେଉଥିବା ଶାଶୁ ବୁଢ଼ୀ ରୋଗଗ୍ରସ୍ତ ହୋଇ ମୃତ୍ୟୁର ଆଶଙ୍କାକୁ ଦୂର କରିବା ପାଇଁ ମାୟାର ସାନ୍ନିଧ୍ୟ ପ୍ରତିମୁହୂର୍ତ୍ତରେ ଚାହିଁଛନ୍ତି ଓ ତା’ର ଆନ୍ତରିକ ସେବା ଯତ୍ନରେ ନିଜେ ମଧ୍ୟ ତଟସ୍ଥ ହୋଇ ଭାବନ୍ତି- ‘ଏଇ ବୋହୂ ଯାହାକୁ ସେ ମୁହଁ ଉପରେ ପଦେ ଆଦରର କଥା କହିନାହାନ୍ତି, ସେ ପୁଣି ଏତେ ସେବା କରିବ ସେ ଭାବି ନ ଥିଲେ । ‘ଶାଶୁଙ୍କ ଚିକିତ୍ସା ପାଇଁ ଅର୍ଥାଭାବ ଜାଣିବା ପରେ ନିଜ ଗହଣା ସ୍ୱାମୀ ହାତକୁ ବିନା କୁଣ୍ଠାରେ ଟେକି ଦେଇଛି । ଶାଶୁଙ୍କ ସେବା ଓ ଘରକାମରୁ ଟିକେ ଅବସର ପାଇ ବିଶ୍ରାମ ନେବା ବେଳେ ପାଇଛି ପ୍ରତାପର ଚିଠି, ‘ବାପାଙ୍କର ଦେହ ବହୁତ ଖରାପ । ତତେ ଦେଖିବାକୁ ଖୋଜୁଛନ୍ତି । ବୋଉ ଖାଲି କାନ୍ଦୁଛି......’ ଆଉ ଅଧିକ ପଢ଼ି ପାରିଲାନି । ମାୟା ଆଖିରୁ ଝରିଗଲା ଲୁହର ଝରଣା । ତା’ ବାପା ତାକୁ କିପରି ମୃତ୍ୟୁ ଶଯ୍ୟାରେ ଆକୁଳ ଭାବରେ ଚାହିଁ ରହିଥିବେ ଅନୁଭବ କରି ତା’ର ଅନ୍ତରାତ୍ମା ଛଟପଟ ହୋଇ ଉଠିଲା ଧାଇଁ ଯିବାକୁ ସେଇ ମୁହୂର୍ତ୍ତରେ । ପିତାର ମମତାଭରା ଛାତିରେ ମଥା ରଖି ତାର କନ୍ୟା ଆତ୍ମାଟି ଏତେ ଦିନର ପୁଞ୍ଜୀଭୂତ ଅକୁହା ଯନ୍ତ୍ରଣାକୁ ଆଖି ଲୁହରେ ଭସାଇ ଦେବାକୁ ଚାହୁଁଥିଲା ବେଳେ ତେଣେ ନୟନ ପିତୁଳି କନ୍ୟାର ସ୍ନେହ ସ୍ପର୍ଶରେ ପରମ ଶାନ୍ତିରେ ପରଲୋକ ଗମନ କରିବାକୁ ଅପେକ୍ଷା କରୁଥିଲା ପିତାର ବ୍ୟାକୁଳ ଆତ୍ମା । ସେଥିପାଇଁ ଦୁଇଟି ଅଭିନ୍ନ ଆତ୍ମା ପରସ୍ପରକୁ ଗଭୀର ଭାବରେ ଆକର୍ଷଣ କରୁଥିଲେ । କିନ୍ତୁ ମାୟା କରିବ କଣ ! ଏକ ପାଖରେ ମୃତ୍ୟୁ ଶଯ୍ୟାରେ ତା’ର ଅତି ଆଦରର ବାପା, ଯେଉଁ ଛୋଟିଆ ନାମଟି ଭିତରେ ତାର ବାଲ୍ୟ କୈମୋର ଓ ପ୍ରାକ୍‌ ଯୌବନର ସମସ୍ତ ମମତାଭରା ମଧୁର ସ୍ମୃତି ଜଡ଼ିତ ରହିଛି ଓ ଏ ପାଖରେ ତା’ର ଶାଶୁ ଯିଏ କି ସେ ବାହା ହୋଇ ଆସିବା ପରଠାରୁ କେବଳ ଓରଉଣ୍ତି ତାକୁ ପଦେ ପଦେ ଲାଞ୍ଛିତ ଅପମାନିତ କରିଛନ୍ତି ଅଥଚ ଆଜି ଅସହାୟ ରୁଗ୍‌ଣ ଅବସ୍ଥାରେ ତାକୁଇ ଏକମାତ୍ର ଭରସା କରି ପଡ଼ିଛନ୍ତି । ଏକ ପାଖରେ ସ୍ନେହ ମମତାର ଆକର୍ଷଣ ଅନ୍ୟ ପାଖରେ କର୍ତ୍ତବ୍ୟର ଆହ୍ୱାନ । କୋଉ ଡୋରଟିକୁ ଛିଣ୍ତାଇବ ସେ । ମାୟାର ଅତ୍ୟନ୍ତ ବିକଳ ମାନସିକ ଅବସ୍ଥା ଯାହା ବୁଝି ହୁଏ କିନ୍ତୁ ବୁଝାଇ ହୁଏନା । ମନେ ହୁଏ ଶେଷରେ ସେ ମମତାର ଡୋରଟିକୁ କାଟି ଦେଇଛି ଏବଂ ମନେ ମନେ ଅଭିମାନ କରି ସେଇ ବାପାଙ୍କ ଉଦ୍ଦେଶ୍ୟରେ କହିଥିବ କ’ଣ କରିବି, କେମିତି ମୁଁ ଭୁଲିଯିବି ଯେ ମୁଁ ତୁମର ଝିଅ ବୋଲି । ମୋର ବିଶ୍ୱାସ ତୁମର ସେଇ ପଦକ କଥା ଭୁଲିନାହିଁ ବୋଲି ହିଁ ତୃପ୍ତିରେ ତୁମେ ଆଖି ବୁଜିବ ।

 

ସରୋଜିନୀ-ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ‘ଦାନା ପାଣି’ର ନାୟିକା ସରୋଜିନୀ । ସ୍ୱାମୀ ବଳୀଦତ୍ତର ଦାନା ପାଣିର ପଶା ପାଲିରେ ବ୍ୟବହୃତ ହୋଇଥିବା ଗୋଟି ସରୋଜିନୀ କ୍ରମେ ପରିଣତ ହୋଇଛି ରାଣୀ ମହୁ ମାଛିରେ, ଯାହା ଚାରି ପାଖରେ ଅନେକ ଭିଡ଼................ଅନେକ ଗୁଞ୍ଜନ, ତାର ମନ ପାଇବା ପାଇଁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ।

 

କିରାଣୀ ବଳୀଦତ୍ତର ନବ ବିବାହିତା ପତ୍ନୀ ସରୋଜିନୀ । ଉଚ୍ଚତାରେ ସେ ସ୍ୱାମୀଠୁଁ ଚାରି ଆଙ୍ଗୁଳି ବେଶି, ସ୍ୱାସ୍ଥ୍ୟରେ ସେ ଡଉଲ ଡାଉଲ, ସ୍ୱାମୀର ଧାର ମୁହଁକୁ ତାର ବଡ଼ ଗୋଲ ମୁହଁ, ବଡ଼ ବଡ଼ ଦାନ୍ତ । ନିଜ ବିଷୟରେ ତାର ଧାରଣା-ତାର ସବୁ ବଡ଼ ବଡ଼ । ଶାରୀରିକ ସ୍ତରରେ ସ୍ୱାମୀ ସହିତ ଯେପରି ଅମେଳ ମାନସିକ ସ୍ତରରେ ତା’ଠାରୁ ବହୁତ ବେଶି । ଦାନାପାଣିର ସଂଘର୍ଷ ଓ ତହିଁରେ ଜୟୀ ହେବାର ଅଭିଳାଷ ନେଇ ସଦା ସର୍ବଦା ଚିନ୍ତିତ ବଳୀଦତ୍ତ । କିନ୍ତୁ ସେଥିଲାଗି ସରୋଜିନୀର କୌଣସି ଉଦ୍‌ବେଗ, ଉତ୍‌କଣ୍ଠା ବା ଦୁଶ୍ଚିନ୍ତା ନାହିଁ । ତା’ ଭିତରେ ଅଛି କେବଳ ଏକ ଯୁବତୀ ନାରୀର ସେଇ ଆଦିମ କ୍ଷୁଧା-ଯାହାର ଅପରିତୃପ୍ତିରେ ତା’ ମନରେ ଦେହରେ ପ୍ରଚଣ୍ତ ଅସ୍ଥିରତା । ନିଜ ଅଜାଣତରେ ପଡ଼ୋଶୀ ଘର ଝର୍କା ଆରପଟେ ବ୍ୟାୟାମରତ କଲେଜ ଛାତ୍ର ପ୍ରତି ତା’ର ଦୃଷ୍ଟି ଆପେ ଆପେ ଆକର୍ଷିତ ହୋଇଯାଏ । ସ୍ୱାମୀକୁ ତୁଷ୍ଟ କରିବାକୁ ନିଜକୁ ଅଜାଡ଼ି ଦିଏ କିନ୍ତୁ ନିଜେ ତୁଷ୍ଟ ହୋଇ ପାରେନା । ଯୌନ ମିଳନର ଅତୃପ୍ତି ତା’ ମନରେ ଭରିଦିଏ ଅଶାନ୍ତି-‘‘ଦିନଯାକର କାମର କ୍ଳାନ୍ତି ଓ ସଞ୍ଜର ଭବିଷ୍ୟତ ଯୋଜନାରେ ବଳୀଦତ୍ତ ଯେତେବେଳେ ସୁଖରେ ଶୋଇ ଘୁଙ୍ଗୁଡ଼ି ମାରୁଥାଏ ସରୋଜିନୀ ନାଗୁଣୀ ପରି ସଁ ସଁ ଦୀର୍ଘଶ୍ୱାସ ମାରୁଥାଏ, ଛଟପଟ ହେଉଥାଏ, ବାରମ୍ବାର ଉଠିପଡ଼ି ହଲଚଲ ହୁଏ, ସୁଷୁପ୍ତ ସ୍ୱାମୀ ଆଡ଼କୁ ଚାହିଁଲା ବେଳକୁ ତା’ ମନରେ ନଥାଏ ଜିକ୍‌ ଜିକ୍‌ ପିତଳର ପତି ପରମଗୁରୁ ବ୍ରୁଚର ଛାଇ । ଗୋଳମାଳିଆ ଆଉଟା ମନରୁ କଟକଟ ଆଖିବାଟେ ଝରିପଡ଼େ ବିଷାକ୍ତ ହିଂସ୍ରକ ଦୃଷ୍ଟି । ମନରେ ମେଘଚାଲେ, ଡେରିରେ ନିଦ ହୁଏ । ସକାଳକୁ ପୁଣି ସେ ହସି ହସି ଘରକରଣାକୁ ଆଶାୟୀ ହୋଇ ପରଖେ ।’’ ସେଇ ସ୍ୱାମୀ କିନ୍ତୁ ତାର ସହକର୍ମୀ ଏଙ୍କଟରାଓ-ସ୍ତ୍ରୀର ଘରକରଣା, ବେଶଭୂଷା ଓ ଚାଲିଚଳଣ ସଂପର୍କରେ ଯେତେବେଳେ ପ୍ରଂଶସା କରେ ସରୋଜିନୀର ଈର୍ଷା ହୁଏ, ସ୍ୱାମୀ ମୁହଁରେ ଅନ୍ୟ ସ୍ତ୍ରୀର ପ୍ରଶଂସା ସେ ସହିପାରେନା ।

 

ଯେଉଁଦିନ ଅଫିସର ମହାପାତ୍ର ବଳୀଦତ୍ତ ଆସିବା ପୂର୍ବରୁ ତା’ ଘରକୁ ଆସିଛନ୍ତି ଓ ପାଣି ଗ୍ଳାସେ ପିଇଯାଇଛନ୍ତି, ତାଙ୍କର କଥା ଓ ଢଙ୍ଗରଙ୍ଗରୁ ସରୋଜିନୀ ବୁଝିଛି ସେ ଗୋଟିଏ ଅଶାନ୍ତ ପୁରୁଷର ଛବି, ଦୁଃଖୀ, ଦରିଦ୍ର, ପିପାସୁ । ପୁରୁଷର ଏଇ ଅଭାବବୋଧ ବୁଝିବାପାଇଁ ନାରୀମନର ସୂକ୍ଷ୍ମ ଅନୁଭୂତି ହିଁ ଯଥେଷ୍ଟ । ସରୋଜିନୀ ମନରେ ଭାବାନ୍ତର ସୃଷ୍ଟି ହୋଇଛି । ଘର ଓଳାଇବା, ଜିନିଷପତ୍ର ସଜାଡ଼ିରଖିବା, ରୋଷେଇ କରିବା ଓ ସ୍ୱାମୀର ଫେରିବା ବାଟକୁ ଚାହିଁରହିବାର ଯନ୍ତ୍ରବତ କାମଭିତରେ ସେ କ୍ରମଶଃ ଅଶାନ୍ତ ହୋଇଉଠିଛି । କୁମାରୀ ଜୀବନର ସ୍ୱପ୍ନ ତା’ର ରୂପନେଇ ପାରିନି । ବଳୀଦତ୍ତର ହାବଭାବ ତା’ର ପ୍ୟାଣ୍ଟକୋଟ ଓ ତା’ର ପ୍ରମୋସନର ବଡ଼ିମା ତା’ର ଯୁବତୀ ମନର ଆକାଂକ୍ଷାକୁ କୌଣସି ପ୍ରକାରେ ମେଣ୍ଟାଇ ପାରିନି । ମୁଣ୍ତରେ ଜକଜକ ସିନ୍ଦୂର ଟୋପା, ହାତରେ ଖଡ଼ୁ, ଜଗତର କାଚ ବଜର ହେଉ ଆଶୀର୍ବାଦ ଓ କାନ୍ଧ ଉପରେ ପତିପରମଗୁରୁର ବ୍ରୁଚ ଲଗାଇ ସରୋଜିନୀ ଅଜଣା ଦୁଃଖରେ ସକେଇ ସକେଇ କାନ୍ଦେ ।

 

ଅଫିସର ହେବାପରେ ବଳୀଦତ୍ତ ନୂଆ କ୍ୱାଟରକୁ ଆସିଛି । ସେଠି ପିଅନ ନିତାଇର ମା’ ଡାକ ଶୁଣି ସରୋଜିନୀ ଭାବିଲା ପ୍ରଥମକରି କେହି ତା’ପାଖରେ ଆତ୍ମସମର୍ପଣ କରୁଛି । ଅନନୁଭୂତ ମାତୃତ୍ୱରେ ପୂରି ଉଠିଛି ତାର ମନ, ମୁହଁ ଉଜ୍ଜ୍ୱଳ ହୋଇଉଠିଛି । ଅଫିସର ବଳୀଦତ୍ତକୁ ସାକ୍ଷାତ କରିବାପାଇଁ ଆସିଛନ୍ତି ତାର ଅଫିସର ଆଉ ଜଣେ ଉପରିସ୍ଥ ରଣଜିତ । ବାମ ହାତରେ ଟେନିସ୍‌ ବ୍ୟାଟ ଧରି ସୁପୁରୁଷ ରଣଜିତବାବୁ ବଳୀଦତ୍ତ ଘରେ ବସି ଚା’ ପିଇଛନ୍ତି । ଆତ୍ମୀୟତା କରିଛନ୍ତି ଓ ନିଜ ଘରକୁ ବଳୀଦତ୍ତ ଓ ସରୋଜିନୀକୁ ଆସିବାପାଇଁ ନିମନ୍ତ୍ରଣ ଜଣାଇଛନ୍ତି । ସରୋଜିନୀ ମୁଗ୍‌ଧ ହୋଇଛି । ସେ ଜାଣେ ନାହିଁ ମଣିଷର ପ୍ରଥମବୃତ୍ତି, ଆଦିମବୃତ୍ତି ଶିକାର । ସରୋଜିନୀ ତା’ ଅଜଣାତରେ ଟାଣିହେଇ ଯାଇଛି ଶିକାରୀ ପାଖକୁ । ବଳୀଦତ୍ତ ସ୍ତ୍ରୀକୁ ବୁଝାଇଛି ତା’ର ବଦଳିବା ଦରକାର । ଦାନାପାଣିର ସିଡ଼ି ପାହାଚରେ ଉପରକୁ ଉଠିବା ପାଇଁ ତା’ ସହିତ ସରୋଜର ମଧ୍ୟ ପରିଶ୍ରମ ଦରକାର । ସହକର୍ମୀ ଜେନାର ଝିଅ ଶୁଭ୍ରାଙ୍ଗିନୀର ନାଚ ଓ ପୁରୀ କୋଣାର୍କ ବୁଲିବାର ଉଦାହରଣ ଦେଇ ଉପରିସ୍ଥଙ୍କୁ ପ୍ଳିଜ୍‌ କରିବାରେ ସ୍ତ୍ରୀ କିପରି ଏକ ଆୟୁଧ ହୋଇପାରେ ତା’ର ସୂଚନା ଦେଇଛି । ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ ଏବଂ ସେ ପ୍ରସ୍ତୁତି ହେଉଛି ଆଧୁନିକ ଧରଣର କିଛି ଆଦାବକାୟଦା ଓ କିଛି ଇଂରେଜୀ ପଢ଼ା । ସରୋଜିନୀ ଖୁବ୍‌ ଶୀଘ୍ର ଏସବୁ ଆୟତ୍ତ କରିନେଇଛି । ସ୍ୱଳ୍ପ ଶିକ୍ଷିତା ଗ୍ରାମ୍ୟଯୁବତୀ ସରୋଜିନୀ ଆଧୁନିକା ନାରୀ ସରୋଜରେ ବଦଳି ଯାଇଛି, କିନ୍ତୁ ତା’ ସହିତ ସମତାଳରେ ବଦଳି ପାରିନି ବଳୀଦତ୍ତ । ତାର ମନେ ହୋଇଛି, ‘‘ଦର୍‌ହଫୁଟା ପଦ୍ମ ଫୁଲଟି ପରି, ଡେମ୍ଫରେ ହଲ ହଲ ହସକୁରୀ, କଥାରେ ନଥାଯୋଖି ରହସ୍ୟ କରେ, ହଲିଉଠୁଛି ହର୍‌ହଫୁଟା ପଦ୍ମଫୁଲ । ଚହଲା ପାଣିରେ ନିଜ ଛାଇ ଦେଖି ଛଇରେ ଫୁଲେଇ ହେଉଛି । ଆଉ ନିଜେ ସେ,-ଉବୁଟୁବୁ ଡଙ୍ଗାରେ ଚଢ଼ି ପଦ୍ମତୋଳାଳି ଯେତେଥର ନାଆପେଲି ହାତ ବଢ଼େଇଛି ସେତେଥର ହାତପାହାନ୍ତିରୁ ଅଳ୍ପଦୂରକୁ ରହି ପଦ୍ମଫୁଲ ମୁଣ୍ତ ଟୁଙ୍ଗାରୁଛି ।’’ କିନ୍ତୁ ବଳୀଦତ୍ତର ତଥାପି ଚେତା ପଶିନି । ହୁଏତ ଜାଣିଶୁଣି ନ ଜାଣିବା ପରି ରହିଛି ଉପରକୁ ଚଢ଼ିବାର ଅଦ୍ଭୁତ ନିଶାରେ ।

 

ରଣଜିତ ବାବୁଙ୍କର ଉଗ୍ରାଧୁନିକା ଭଉଣୀ ମିଲିର ସାହଚର୍ଯ୍ୟରେ ସରୋଜିନୀ ମଧ୍ୟ ସେହି ପ୍ରକାର ଜୀବନକୁ ଅନାୟାସରେ ଗ୍ରହଣ କରି ନେଇଛି । ବିଭିନ୍ନ ମହିଳା ସଙ୍ଗଠନର ନେତୃତ୍ୱ ନେଇଛି, ବସ୍ତିରେ ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟକ୍ରମ ପାଇଁ ଚାନ୍ଦା ସଂଗ୍ରହ କରିଛି, ତା’ର କାର୍ଯ୍ୟକ୍ଷେତ୍ରର ପରିଧି ବହୁତ ବଢ଼ିଯାଇଛି । ଘର ପାଇଁ ଆଉ ସମୟ ପାଇନି । ତା’ର ଚାନ୍ଦା ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ପ୍ରତି ବଳୀଦତ୍ତ କୌଣସି ପ୍ରକାର ଆଗ୍ରହ ପ୍ରକାଶ କରିନି, ବରଂ ଏତେ ଶୀଘ୍ର ସରୋଜିନୀ ଏତେ ଉପରକୁ ଉଠିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଛି,-‘‘ ସତରେ କହନ୍ତି ମାଇକିନିଆ ଝିଅ ବଡ଼ ଅସୁରୀ-।’’ ସରୋଜିନୀ ବିରକ୍ତ ହୋଇଛି । ବଳୀଦତ୍ତ ପ୍ରତି ଅବଜ୍ଞା ଭାବରେ ମନେକରିଛି ‘‘ଲୋକଟା ତାର ଦୟା ପାଇବାକୁ ବି ଅଧମ ।’’

 

ରଣଜିତ ବାବୁଙ୍କ ସହ ମିଳାମିଶା କରିବାକୁ ପ୍ରଥମରୁ ସରୋଜିନୀକୁ ବଳୀଦତ୍ତ ନିଜସ୍ୱାର୍ଥ ହାସଲ ଲାଗି ଉତ୍ସାହିତ କରିଛି । ତା’ପରେ ଶେଷ ହୋଇ ଯାଇଛି ବଳୀଦତ୍ତର ଭୂମିକା । ରଣଜିତ୍‌ଙ୍କୁ ଶିକାର କରିବାକୁ କଷ୍ଟହୋଇନି । ସରୋଜିନୀର ଆକାଂକ୍ଷା ଅପୂର୍ଣ୍ଣ ରହିନି । ତା’ପରେ ଆସିଛନ୍ତି କମ୍ପାନୀର ସବୁଠାରୁ ବଡ଼ ଅଫିସର ମିଷ୍ଟର ଶର୍ମା; ଯାହାଙ୍କର କଲମର ଗୋଟିଏ ଗାର ଉପରେ ନିର୍ଭର କରେ ତାଙ୍କର ଅଧସ୍ତନ କର୍ମଚାରୀଙ୍କର ସମସ୍ତ ସୁଖ ସୌଭାଗ୍ୟ ଏବଂ ସେଇ ସୌଭାଗ୍ୟର ପଛରେ ମୋହଗ୍ରସ୍ତ ହୋଇ ଉଡ଼ୁଥିବା ବଳୀଦତ୍ତ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ପତ୍ନୀ ଜରିଆରେ ଉପରିସ୍ଥଙ୍କୁ ଆୟତ୍ତ କରିବାର କୌଶଳ ସଫଳତାର ସହ ଉପଯୋଗ କରିଛି । ଶର୍ମା ସରୋଜିନୀର ନିକଟେଇ ଆସିଛନ୍ତି । ଦୂରକୁ ଘୁଞ୍ଚି ଯିବାକୁ ବାଧ୍ୟ ହୋଇଛନ୍ତି ରଣଜିତ୍‌ ବାବୁ । ଛାଇନେଉଟା ବେଳେ ଟେନିସ୍‌ କୋର୍ଟରେ ଗୋଟେ ପାଖେ ଶର୍ମା ଓ ସରୋଜିନୀ ଅପରପକ୍ଷରେ ରଣଜିତ୍ ଓ ଶ୍ୟାମବାବୁ । ରଣଜିତ୍‌ ବାଧ୍ୟ ହୋଇ ଖେଳୁଥିଲେ ମଧ୍ୟ ଈର୍ଷାରେ ଜଳିଯାଉଥିଲେ । ସରୋଜିନୀ ସହିତ ଆଉ କାହାର ଭାଗ୍ୟବସାକୁ ସେ ବରଦାସ୍ତ କରିପାରୁ ନଥିଲେ ।

 

ଦିନେ ରାତିରେ ସକଲତ୍‌ଓ୍ୱାଲାଙ୍କ ଘରେ ଗୋଟିଏ ନାମୀ ସମାଜ ଭୋଜିର ଆୟୋଜନରେ ଅତି ଯତ୍ନରେ ପରିପାଟି କରି ବେଶ ହୋଇ ଆସିଥିଲା ସରୋଜିନୀ, ସାଥୀରେ ବଳୀଦତ୍ତ । କିନ୍ତୁ ଭୋଜିରେ ମନ ଲାଗୁନି.....ଶର୍ମା, ରଣଜିତ୍‌ କେହି ନାହାନ୍ତି । ତା’ର ମୂଲ୍ୟ ବଢ଼ାଇବାକୁ ଆଉ କାହାରି ଆଗ୍ରହ ନାହିଁ । ଏକ ଅଜଣା ଆତଙ୍କରେ ଛାତି ଭିତରଟା ତା’ର ଥରିଉଠୁଛି । ମନ ଉଡ଼ିଯାଉଛି ମୃତ୍ୟୁର ଦୁନିଆକୁ । ବାରମ୍ବାର ସେ ଫେରି ଆସୁଛି, ନିଜକୁ ପ୍ରତ୍ୟୟ ଦେଇଛି....... ସବୁ ଠିକ୍‌ ଅଛି । ଚାରିଆଡ଼େ ଜୀବନ; ମୃତ୍ୟୁ କାହିଁ ? ତା’ର ମନେ ପଡ଼ିଲା ଶର୍ମା ଓ ରଣଜିତ୍‌ ଦୁହେଁ ଯାଇଛନ୍ତି ଶିକାରକୁ ......ହୁଏତ କେବଳ ତାରି ମନୋରଞ୍ଜନ ପାଇଁ ତାକୁ ସେ ନିଜ ନିଜର ବାହାଦୁରୀ ଦେଖେଇବା ପାଇଁ । ସରୋଜିନୀ ପୁରୁଷ ଜାତିର ବିଚାର କରିଛି । ଏକାଧିକ ପୁରୁଷର ଘନିଷ୍ଠ ସଂପର୍କରେ ଆସିଥିବା ସରୋଜିନୀ ନିଜର ଅଭିଜ୍ଞତାରୁ କଳିଛି ସେମାନଙ୍କର ବଳ କୌଶଳ । ତା’ର ମନେହେଇଛି ଏ ପୁରୁଷଜାତି, ସମସ୍ତେ ସମାନ । ପିଲାଦିନର ସେମାନଙ୍କର ମା’ ସଂସ୍କାର ଆଉ ମନରୁ ମେଣ୍ଟେ ନାହିଁ, ସ୍ତ୍ରୀଲୋକ ଦେଖିଲେ ମନେ ପଡ଼ିଯାଏ ।’’ ପୁରୁଷ ପିଲା ପୁରୁଷ ହୁଏ ନାହିଁ । ହୁଏ ସ୍ତ୍ରୀ ଲୋକର କାନିରେ ବନ୍ଧା ଖେଳନା କଣ୍ଢେଇ, ଯେତେ ବାତ୍‌ଫୁରୁସି କାଢ଼ିଲେ ସୁଦ୍ଧା ଭୀମର ବଳ ଜାଣେ କୁଇଁନ୍ତା ।’’ ସରୋଜିନୀର ମନେ ହୋଇଛି ପୁରୁଷକୁ ନ ଜାଣିଥିବା ଯାଏ ତା’ ସଂପର୍କରେ କିଛି ହେଲେ କୌତୂହଳ ଥାଏ, ଚିହ୍ନିଲେ ଜଣାଯାଏ ସମସ୍ତେ ଏକା ପରି, କୌଣସି ବ୍ୟତିକ୍ରମ ନାହିଁ,ବୈଚିତ୍ର୍ୟ ନାହିଁ । ମନ ଖିଆଲରେ ସେମାନଙ୍କୁ ଖେଳେଇ ହୁଏ । ସେଥିରେ ବାହାଦୁରୀ ନାହିଁ, ବାହା ଟେକିଦେଲେ ତାଙ୍କର ଆଖିରେ ବନ୍ଧନ ଲଗାଇ ହୁଏ, ଗୌରବ ନାହିଁ, ଖାଲି ଜ୍ଜ୍ୱାଳା ।’’

 

ସରୋଜିନୀର ଭାବାନ୍ତର ହୁଏ । କାହିଁକି ତେବେ ଏ ଖେଳ ସେ ଖେଳିଚାଲିଛି, ଯେଉଁଥିରେ କେବଳ ଜ୍ଜ୍ୱାଳା । ବିଗତ ଦିନର ସରଳ ସତେଜ ଗାଉଁଲି ସରୋଜିନୀ ତା’ ଭିତରେ ଚେଇଁ ଉଠିଛି, ଯିଏକି ଦରିଦ୍ରତା ଭିତରେ ବି ପାଇଥିଲା ବଞ୍ଚିବାର ପଦ୍ମ ସୁବାସ । ସବୁ ମନେ ହେଇଛି ଫାଙ୍କା ଅର୍ଥହୀନ; ସେ ଚାଲିଯାଇ ପାରୁନି କାହିଁକି ! ସାମାଜିକ ଅନୁଷ୍ଠାନରେ ତାକୁ ବସିବାକୁ ହେଉଛି କଣ୍ଢେଇଟିଏ ପରି, ଚାଲିଯିବାର ଉପାୟ ନାହିଁ । ସାମାଜିକତା ରକ୍ଷା କରିବାକୁ ବାଧ୍ୟ ।

 

ଶିକାରରୁ ଫେରିଛନ୍ତି ସମସ୍ତେ । ବ୍ୟସ୍ତ ବିବ୍ରତ । ସାଙ୍ଗରେ, ଗୁଳିମାଡ଼ରେ ଶର୍ମାଙ୍କ ରକ୍ତାକ୍ତ ଶରୀର । ରଣଜିତ୍‌ କହିଛନ୍ତି ଗୁଳିବାଜିବା ଥିଲା ସଂପୂର୍ଣ୍ଣ ଆକସ୍ମିକ । ଶର୍ମାଙ୍କର ଅଚେତନ ଶରୀର ଭିତରେ ସାମାନ୍ୟ ପ୍ରାଣସ୍ପନ୍ଦନ, ସେ ବିଳିବିଳାଉ ଥିଲେ । “କହିଦେବ ବଳୀଦତ୍ତ ଦାସଙ୍କୁ, ମୁଁ ଭୁଲି ନାହିଁ, ଲେଖି ଦେଇଛି ତାଙ୍କ ପାଇଁ । ମୋରି ଲେଖାରେ ସେ କୁମ୍ପାନୀର ବଡ଼ ସାହେବ ହେବେ, ମୋରି ଲେଖାରେ ତାଙ୍କର ପ୍ରମୋସନ । କହିବନା ? ଫେର ତୁମେ ଆସିବ ନିଶ୍ଚୟ । ସରୋଜିନୀର ଦେହ ଦାନ ବଳୀଦତ୍ତର ପ୍ରମୋସନର କାରଣ ହୋଇଛି । ସରୋଜିନୀ ବୁଝିଛି ଶର୍ମାର ମୃତ୍ୟୁକାରଣ କ’ଣ ହେଇପାରେ, ତା’ର ମନେହୋଇଛି ସମସ୍ତେ ଯେପରି ବୁଝିଯାଇଛନ୍ତି ସେ ରହସ୍ୟ, ସେଥିପାଇଁ ତାର ଘର ଆଡ଼କୁ ଏତେ ବୁଲି ବୁଲି ଚାହୁଁଛନ୍ତି । ନିଜ ସପକ୍ଷରେ ଯୁକ୍ତି ପ୍ରସ୍ତୁତ କରୁଛି ......କିନ୍ତୁ ଜୀବନଟା ବେଳକୁ ବେଳ ମନେହେଇଛି ହଳାହଳ ନରକ ଯନ୍ତ୍ରଣା ।

 

କିନ୍ତୁ ଯେଉଁଦିନ ସେ ଅନୁଭବ କରିଛି ଯେ ତା’ ଭିତରେ ଖଣ୍ତଖଣ୍ତ ସ୍ୱପ୍ନସବୁ ଏକାଠି ହୋଇ ବାସ୍ତବରୂପ ନେଇଛି, ସେଇଦିନ ଜୀବନ ପ୍ରତି ଓ ଜଗତ ପ୍ରତି ତା’ର ସମସ୍ତ ତିକ୍ତତା ବଦଳିଯାଇଛି ଅମୃତତ୍ତ୍ୱରେ । ସେ ଅନୁଭବ କରିଛି ସେ ଏକ ସୃଜନମୟୀ ନାରୀ । ସୃଜନକ୍ଷମତାରେ ସେ ଗରୀୟସୀ । ଆପଣାକୁ ନେଇ ସେ ପରିପୂର୍ଣ୍ଣା ହୋଇଉଠିଛି । ତା’ ଜୀବନରେ ଆଉ କାହାରି ଆବଶ୍ୟକତା ନାହିଁ । ‘‘ଆଜି ଶାମୁକାରେ କାହାଣୀ ରାଇଜର ବର୍ଷାବିନ୍ଦୁ ପଡ଼ିଛି, ଶାମୁକା ବୁଜି ହୋଇଛି । କେତେ ମେଘ ଆସିଛନ୍ତି, କେତେ ମେଘ ଗାଳିଛନ୍ତି, ଯାଇଛନ୍ତି କି ଯାଏ ତାର ?’ ଶର୍ମା, ରଣଜିତ୍‌ ଆହୁରି କେତେ କ୍ରମଶଃ ଅସ୍ପଷ୍ଟ ହୋଇଯାଉଛନ୍ତି ତା’ ଆଖିରେ, ମନରେ । ଅନ୍ତରରେ ଅନୁଶୋଚନା ନାହିଁ, ଦ୍ୱିଧା ନାହିଁ । ଗର୍ଭାଧାନର ଆନନ୍ଦରେ ମାଟି ପରିଚୟ ଖୋଜେ ନାହିଁ.......ସରୋଜିନୀ ନିଜ ଭିତରେ ନିଜେ ପରିପୂର୍ଣ୍ଣ ହୋଇଉଠିଛି । ତା ଭିତରେ ମୁଣ୍ତ ଟେକିଛି ଏକ ନୂତନ ବ୍ୟକ୍ତିତ୍ୱ ।

 

ଶର୍ମାଙ୍କର ଗାଡ଼ି କିଣିଛି ବଳୀଦତ୍ତ ଦାସ । ସରୋଜିନୀ ବହୁବାର ଆଗରୁ ବସିଥିବା ସେଇ ଗାଡ଼ିର କୋମଳ ଆରାମଦାୟକ ପଛସିଟ୍‌ରେ ଆଉଜି ବସିଛି । ଗାଡ଼ି ଗଡ଼ି ଚାଲିଛି ଆଗକୁ ଆଗକୁ । ଶର୍ମାର ମୃତ୍ୟୁ ଓ ରଣଜିତ୍‌ର ଚାଲିଯିବା ପରେ ସରୋଜିନୀର ବେଳେ ବେଳେ ମନେହେଉଥିଲା ସବୁ ଯେପରି ସରିଯାଇଛି । କିନ୍ତୁ ହଠାତ୍‌ ସେ ସଚେତନ ହୋଇଉଠିଛି ନିଜ ସଂପର୍କରେ, ‘‘ଭୋଗର ଉପକରଣ ଏହି ସାରା ଦୁନିଆଁ, ଅଥଚ ଭୋଗ ଦକ୍ଷତା କେବଳ ନିଜଠିଁ । ତେଣୁ ଶର୍ମା ଯାଉ, ରଣଜିତ୍ ଯାଉ, ନିମିତ୍ତର ଇନ୍ଧନ ଘେନି ବସୁଧା ପୂର୍ଣ୍ଣଥିବ ସବୁବେଳେ ଯେତେକାଳ ନିଜେ ସେ ଥିବ ଅଗ୍ନିସମା ।’’ ଭିତରେ ଜମାଟ ବାନ୍ଧିଆସୁଥିବା ଜଡ଼ତାର ସ୍ତରଗୁଡ଼ିକ ଖଣ୍ତ ଖଣ୍ତ ହୋଇ ଖସି ପଡ଼ିଛି । ସରୋଜିନୀ ଅନୁଭବ କରିଛି ସ୍ୱାଧୀନତାର ଏକ ଅନନ୍ୟ ସ୍ୱାଦ । ବଳୀଦତ୍ତ ତାର ବଂଶରକ୍ଷାକାରିଣୀ ଭାବରେ ସରୋଜିନୀର ସମସ୍ତପ୍ରକାର ଯତ୍ନ ଓ ଅଫିସ୍‌ର କର୍ତ୍ତାଭାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ବେଳେ ସରୋଜିନୀ ପୁଣି ସେହି ସ୍ୱାଧୀନତାର ସ୍ୱାଦ ଚାଖିବା ପାଇଁ ରଣଜିତ୍‌ ସାଙ୍ଗରେ ବାହାରକୁ ଚାଲିଯାଇଛି ।

 

ଗାଁର ସ୍ୱଳ୍ପ ଶିକ୍ଷିତା ସରୋଜିନୀ କୁମାରୀ ମନର କେତେ ସ୍ୱପ୍ନ ନେଇ ଆସିଥିଲା ବଳୀଦତ୍ତର ସ୍ତ୍ରୀହୋଇ, କିନ୍ତୁ ସେ ସ୍ୱପ୍ନ, ସେ ଆକାଂକ୍ଷା ପୂରଣ କରିବାର ସାମର୍ଥ୍ୟ ନ ଥିଲା ବଳୀଦତ୍ତର । ଯୌନ ମିଳନର ଅସନ୍ତୋଷ ନାରୀପୁରୁଷ ଉଭୟଙ୍କୁ ବିଚଳିତ କରେ । ନିଜର କାମନା ପୂରଣ ପାଇଁ ଅନ୍ୟ ପଥ ଖୋଜିବୁଲନ୍ତି ଉଭୟେ । ଏମିତି ଖୋଜି ବୁଲୁଥିବା ନାରୀ ସରୋଜିନୀ ନିକଟକୁ ପଥସବୁ ଆପେ ଆପେ ଲମ୍ବିଆସିଛି । ‘ଦାନାପାଣି’ର ସିଡ଼ିଚଢ଼ା ନିଶାରେ ସ୍ଵାମୀ ବଳୀଦତ୍ତ ସେ ପଥସବୁ ପରିଷ୍କାର କରି ସ୍ତ୍ରୀକୁ ଆଗେଇ ଯିବାର ସୁବିଧା କରିଦେଇଛି । ଥରେ ସେ ପଥରେ ପାଦରଖିବା ପରେ ସରୋଜିନୀ ଓରଫୁ ସରୋଜ ଆଉ ପଛକୁ ଚାହିଁବାର ଅବସର ପାଇନି........ଯେତେ ଯେତେ ଆଗକୁ ଗଲେ ବି ସେ ପଥ ସରିବାର ନୁହେଁ । ଏଇ ପଥଚାଲିବାର ଆଦିମ-ନିଶାରେ ସରୋଜିନୀ ଅନେକ କିଛି ଛାଡ଼ିଯାଇଛି ପଥଧାରରେ ।

 

ପୂର୍ବକଥିତ ମୌଳିକ ସତ୍ତାରେ ଏହି ପ୍ରତ୍ୟେକ ନାରୀଚରିତ୍ର ଅନ୍ତରଙ୍ଗ ଓ ବହିରଙ୍ଗ ଭଙ୍ଗୀରୁ ମନୋହାରୀ । ନାନ୍ଦନିକ ଦୃଷ୍ଟିରୁ ପ୍ରତ୍ୟେକଟିର ବିନୋଦନବିଳାସ ରହିଛି । ଅନ୍ୟ ପକ୍ଷରେ ଶିକ୍ଷଣୀୟ ବିଭାବର ବିଚାର କଲେ ଦେଖାଯିବ ଯେ ଏହାର କୌଣସି ନିର୍ଦ୍ଦେଶ ବା ସ୍ପଷ୍ଟ ଅଭିବ୍ୟକ୍ତି ନାହିଁ । କିନ୍ତୁ ଲକ୍ଷଣା କିମ୍ବା ବ୍ୟଞ୍ଜନାଧର୍ମରୁ ନିର୍ଣ୍ଣିତ ତାହା ହୋଇପାରେ ଏବଂ ଏହି ନିର୍ଣ୍ଣୟ ପାଠକର ହୃଦୟରେ ସ୍ୱତଃ ଅଙ୍କିତ ହୁଏ । ଅନ୍ୟଥା ଏ ଅଙ୍କନ ସଂପର୍କରେ ଆର୍ଟିଷ୍ଟ ପାବ୍‌ଲୋ ପିକାଶୋଙ୍କ ସହାୟକ ବିବେଚନା କଳାଗତ ଅନୁଭବରୁ ଯଥାର୍ଥ ମନେହୁଏ ‘‘ Art is a lie that makes us realize truth, at least the truth that is given us to understand. The artist must know the manner whereby to convience others of the truthfulness of his lies. ’’

 

ପିକାଶୋଙ୍କ ବକ୍ତବ୍ୟ ଯେ-କଳା ହେଉଛି ଏକ ମିଥ୍ୟା, ଯାହା ମାଧ୍ୟମରେ ଆମେ ସତ୍ୟକୁ ଉପଲବ୍‌ଧି କରିପାରୁ । କଳାକାର ବା ସାହିତ୍ୟିକ ଏପରି କୁଶଳୀ ହେବା ଆବଶ୍ୟକ ଯେଉଁଥିରେ କି ସେମାନଙ୍କର ଉପସ୍ଥାପିତ ମିଥ୍ୟା ସତ୍ୟ ବୋଲି ପାଠକର ମନେହେବ । ତେଣୁ ଉପନ୍ୟାସରେ ବର୍ଣ୍ଣିତ ହୋଇଥିବା ଚରିତ୍ରମାନେ ଔପନ୍ୟାସିକର କଳ୍ପନାପ୍ରସୂତ ହେଲେ ବି ପାଠକର ମନେହେଉଥିବ ସତେ ଯେମିତି ସେ ସେମାନଙ୍କୁ ଜାଣିଛି, ଚିହ୍ନିଛି । ଫକୀରମୋହନଙ୍କର ଅଧିକାଂଶ ଚରିତ୍ର ତାହାହିଁ ମନେହୁଅନ୍ତି । ଅଥଚ କାହ୍ନୁମହାନ୍ତିଙ୍କ ଚରିତ୍ରଗୁଡ଼ିକ ସତ ପରି ଲାଗିଆସୁଥିବା ବେଳେ ହଠାତ୍‌ ପୁଣି ମିଛ ମିଛ ହୋଇଯାନ୍ତି । ଶାସ୍ତିର ଧୋବୀ ଏକ ବିଶିଷ୍ଟ ନାରୀଚରିତ୍ର ହେଲେ ମଧ୍ୟ ଔପନ୍ୟାସିକଙ୍କ ମାନସିକ ଶିଳ୍ପବିଧି ଚରିତ୍ରର ସ୍ୱାଭାବିକ ପରିଣତିରେ ବାଧା ସୃଷ୍ଟି କରିଛି ।

 

ଆଲୋଚିତ ପ୍ରତ୍ୟେକଟି ନାରୀଚରିତ୍ର ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ବିଶିଷ୍ଟ ଓ ସାର୍ଥକ, ଯେହେତୁ ନିଜ ନିଜ ଭୂମିକାରେ ଏ ପ୍ରତ୍ୟେକ ଗୋଟିଏ ଗୋଟିଏ ଆର୍କିଟାଇପ୍‌ ହୋଇପାରନ୍ତି ।

 

 

ଅଧ୍ୟାପିକା,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ଶୈଳବାଳା ମହିଳା କଲେଜ, କଟକ-୧

 

 

[ଆଲୋଚିତ ଚରିତ୍ର ବାହାରେ ଅନୁରୂପ ଚରିତ୍ର ଆହୁରି କେତେକ ହୁଏତ ରହିଛି; କିନ୍ତୁ ସୀମିତ ପରିସର ମଧ୍ୟରେ ସେଗୁଡ଼ିକର ବିଚାର କରାଯାଇ ପାରିନି ।]

 

***

 

Unknown

ପଲ୍ଲୀ ପୃଷ୍ଠଭୂମିରେ ରଚିତ ଓଡ଼ିଆ ଉପନ୍ୟାସ

(ସ୍ୱାଧୀନତା ପୂର୍ବବର୍ତ୍ତୀ)

ଶ୍ରୀ ପ୍ରସନ୍ନ କୁମାର ମହାନ୍ତି

 

ସାହିତ୍ୟର ଅନ୍ୟାନ୍ୟ ସମସ୍ତ ବିଭାଗ ତୁଳନାରେ ଉଭୟ ପ୍ରବୃତ୍ତି, ପରିସର ଓ ଆକାର ଦୃଷ୍ଟିରୁ ଉପନ୍ୟାସର ପଟ୍ଟଭୂମି ବା Canvas ସବୁଠାରୁ ବ୍ୟାପକ । ଉପନ୍ୟାସର ଭାବବସ୍ତୁ ବା Theme ଯେପରି ମଣିଷ ଜୀବନର ଯେ କୌଣସି ସୂକ୍ଷ୍ମ ଅନୁଭୂତି ସମୂହକୁ ଆଧାର କରି ମୂର୍ତ୍ତିମନ୍ତ ହୋଇପାରେ, ସେହିପରି ଉପନ୍ୟାସର କଥାବସ୍ତୁ, କାହାଣୀଭାଗ ବା Plotର ପ୍ରଶସ୍ତ ବ୍ୟାପ୍ତି ମଧ୍ୟରେ ସଂସାରର ଅସୁମାରି ଘଟଣା ଓ ଚରିତ୍ରର ଅବତାରଣା ଅପେକ୍ଷମାଣ ଥାଏ ।

 

ଇଂରେଜ ସମାଲୋଚକ W. H. Hudsonଙ୍କ ମତରେ-‘ଉଚ୍ଚକୋଟୀର ସାହିତ୍ୟ ସିଧାସଳଖ ଜୀବନରୁ ଜନ୍ମ ନେଇଥାଏ ।’ ଏବଂ ମଣିଷକୁ, ତା’ର ଜୀବନକୁ ସବୁଠାରୁ ବେଶି ପ୍ରଭାବିତ କରିଥାନ୍ତି ତା’ର ଆତ୍ମୀୟସ୍ୱଜନ, ସେମାନଙ୍କର ସୁଖ ଦୁଃଖ, ସମାଜ, ପଡ଼ୋଶୀ, ବ୍ୟକ୍ତିଗତ ଓ ସାମୂହିକ ସମସ୍ୟାବଳୀ, ନିଜର ଜନ୍ମଭୂମି ଏବଂ ମଣିଷର ସାମଗ୍ରିକ ପାରିପାର୍ଶ୍ଵିକତା । ତା’ର ଦିନଚର୍ଯ୍ୟା, ତା’ର ସାମାଜିକତା, ସଂସ୍କୃତି, ଐତିହ୍ୟ ଓ ପାରମ୍ପରିକତାର ପରିଧି ଭିତରେ ମୁଖ୍ୟତଃ ନିୟନ୍ତ୍ରିତ ହୋଇଥାଏ । ଯେତେଦୂର ଓଡ଼ିଆଭାଷାର ଉପନ୍ୟାସ ପ୍ରସଙ୍ଗରେ ଓଡ଼ିଶା ଆଡ଼କୁ ଆମେ ଦୃଷ୍ଟିପାତ କରୁ ଓଡ଼ିଶାର ଆଚାର, ବିଚାର, ସଂସ୍କୃତି, ଐତିହ୍ୟ ଓ ଜୀବନଚର୍ଯ୍ୟା ଯେ ପଲ୍ଲୀଜୀବନ, ତା’ର ସୁଖଦୁଃଖ ଏବଂ ସମାସ୍ୟାଦିକୁ ଭିତ୍ତିକରି ଗଠିତ ଏହା ସହଜରେ ଲକ୍ଷ୍ୟ କରି ହୁଏ ।

 

ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଶା ପାଶ୍ଚାତ୍ୟ ସୁଲଭ ଉଗ୍ରଆଧୁନିକ ନଗର-ସଭ୍ୟତା ବା ଯନ୍ତ୍ରଶିଳ୍ପ-ସଭ୍ୟତାଠାରୁ ଥିଲା ଦୂରରେ । ତେଣୁ ‘ପଦ୍ମମାଳୀ’ ଓ ‘ସୌଦାମିନୀ’ ଠାରୁ ଆରମ୍ଭ କରି ‘ମାଟିର ମଣିଷ’ ବା ‘ମାଟିମଟାଳ’ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସର ଧାରା ଅନୁଧ୍ୟାନ କଲେ ଅଧିକାଂଶ ସ୍ଥଳରେ ପଲ୍ଲୀର ପୃଷ୍ଠଭୂମି ଅବଲୋକନ କରିବା ଅତ୍ୟନ୍ତ ସ୍ୱାଭାବିକ ।

 

ଶୀର୍ଷକ ବିଷୟବସ୍ତୁ ଏକ ବିଶଦ ଓ ବିସ୍ତୃତ ଗବେଷଣାର ବ୍ୟାପାର ଏବଂ ଏହି ବିଷୟରେ ତିନିଶତ ପୃଷ୍ଠାର ଏକ ସୁବୃହତ୍‌ ନିବନ୍ଧ ହୁଏତ ବିଷୟବସ୍ତୁକୁ ପୂର୍ଣ୍ଣ ନ୍ୟାୟ ପ୍ରଦାନ କରି ପାରିବ । କିନ୍ତୁ ଏଠାରେ କୋଣାର୍କ’ର ସାମଗ୍ରିକ କଳେବର ଓ ସଙ୍କଳିତ ନିବନ୍ଧମାନଙ୍କର ସଂଖ୍ୟା ଦୃଷ୍ଟିରୁ ତିରିଶ ପୃଷ୍ଠାର ଦୈର୍ଘ୍ୟ ମଧ୍ୟ ଯଥେଷ୍ଟ ଅଧିକ । ତେଣୁ କେବଳ ପଲ୍ଲୀ ପୃଷ୍ଠିଭୂମିରେ ସ୍ୱାଧୀନତା ପୂର୍ବରୁ ରଚିତ କେତେକ ଉଲ୍ଲେଖଯୋଗ୍ୟ ଉପନ୍ୟାସର ମୁଖ୍ୟବିଭାବ ଆଧାରିତ ସଂକ୍ଷିପ୍ତ ସୂଚନାତ୍ମକ ଆକଳନ ହିଁ ଏହି ନିବନ୍ଧରେ ଉପଲବ୍‌ଧ । ଅତଏବ, ଏଥିରେ ଅନୁଲ୍ଲେଖିତ ପଲ୍ଲୀବୃତ୍ତିକ ଉପନ୍ୟାସମାନଙ୍କର ସାଫଲ୍ୟ ନେଇ ଏ ନିବନ୍ଧ ଏକ ସର୍ବଶେଷ ପ୍ରାମାଣିକ ଦଲିଲ୍‌ ନୁହେଁ ।

 

ଓଡ଼ିଆ ଭାଷାରେ ଉପନ୍ୟାସ ରଚନାର ଉପୋଦ୍‌ଘାତ ଐତିହାସିକ କଥାବସ୍ତୁକୁ ଭିତ୍ତିକରି ହିଁ ହୁଏ । ୧୮୭୭-୭୮ ଖ୍ରୀଷ୍ଟାବ୍ଦରେ ‘ଉତ୍କଳ ମଧୁପ’ ପତ୍ରିକାରେ ରାମଶଙ୍କର ରାୟ ‘ସୌଦାମିନୀ’ ନାମକ ଯେଉଁ ଉପନ୍ୟାସ ଲେଖୁଥିଲେ ତାହା ଶେଷତଃ ଅସଂପୂର୍ଣ୍ଣ ରହିଯାଇଥିବାରୁ ୧୮୮୮ରେ ପ୍ରକାଶିତ ଉମେଶଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’କୁ ଆମେ ପ୍ରଥମ ଓଡ଼ିଆ ଉପନ୍ୟାସଭାବେ ଗ୍ରହଣ କରୁ ।

 

ଐତିହାସିକ ପୃଷ୍ଠଭୂମି ଉପରେ ରଚିତ ‘ପଦ୍ମମାଳୀ’ ପୂର୍ବତନ ଗଡ଼ଜାତ ନୀଳଗିରିରେ ୧୮୩୫ରେ ଘଟିତ ଏକ ସତ୍ୟ ଘଟଣା ଅବଲମ୍ବନରେ ଲିଖିତ । ରାମଶଙ୍କରଙ୍କର ‘ବିବାସିନୀ’ ମଧ୍ୟ ଏକ ଆଂଶିକ ଐତିହାସିକ ଉପନ୍ୟାସ ଭାବରେ ଗୃହୀତ ହୁଏ । ମରହଟ୍ଟା ଶାସନକାଳର ଅମାନୁଷିକ ବର୍ବରତା ଏଥିରେ ସ୍ଥାନ ପାଇଅଛି ।

 

ଉପରୋକ୍ତ ଉପନ୍ୟାସ ଦୁଇଟି ପଲ୍ଲୀ ପୃଷ୍ଠଭୂମିରେ ରଚିତ ହେଲେହିଁ ଐତିହାସିକ ଘଟଣାବଳୀର ଅବତାରଣା ମଧ୍ୟରେ ଉତ୍କଳୀୟ ପଲ୍ଲୀ ପ୍ରକୃତିର ସଚେତନ ରୂପାୟନ ଏଥିରେ କ୍ୱଚିତ୍‌ ଦେଖିବାକୁ ମିଳେ । ସଂସ୍କୃତ ଭାଷାର ବହୁଳ ପ୍ରୟୋଗ ସହିତ ବିଶ୍ଳେଷଣାତ୍ମକ ଦୀର୍ଘ ସମାସାନ୍ତ ପଦ ଓ ପ୍ରବନ୍ଧସୁଲଭ ବୌଦ୍ଧିକ ଗାମ୍ଭୀର୍ଯ୍ୟ ମଧ୍ୟରେ ଏହି ଉପନ୍ୟାସଦ୍ୱୟର ରସପ୍ରବାହ ନିଶ୍ଚିତରୂପେ ବାଧାପ୍ରାପ୍ତ । ତେବେ ଓଡ଼ିଆରେ ଉପନ୍ୟାସ ରଚନାର ପ୍ରାଥମିକ ପ୍ରୟାସରୂପେ ଏ ଦୁଇଟିର ମର୍ଯ୍ୟାଦା ସ୍ୱୀକାର୍ଯ୍ୟ ।

 

ଇତିହାସର ପୃଷ୍ଠା ଉପରେ ଗଢ଼ିଉଠିଥିବା କାହ୍ନୁଚରଣଙ୍କର ‘ହା ଅନ୍ନ’ ଏକ ସଫଳ ଓ କାଳଜୟୀ ସାମାଜିକ ଉପନ୍ୟାସ । ଚରିତ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ଭାବରେ ଐତିହାସିକ ବା ପ୍ରାମାଣିକ ଚରିତ୍ର ନହେଲେହେଁ ୧୮୬୬ ମସିହାର ଭୟାନକ ନଅଙ୍କ ଦୁର୍ଭିକ୍ଷର ହୃଦୟବିଦାରକ ଦାରୁଣ ବିପର୍ଯ୍ୟୟର ବାଙ୍‌ମୟ ନିଖୁଣ ଚିତ୍ର ଅତ୍ୟନ୍ତ ମର୍ମଭେଦୀ ଓ ଜୀବନ୍ତ ରୂପରେ ପୁନର୍ଦର୍ଶିତ ।

 

‘‘ବାଲିରାଜା’ର କଥାବସ୍ତୁ ପାଇଁ ଔପନ୍ୟାସିକ କାହ୍ନୁଚରଣ ସୁଦୂର ଅତୀତକୁ ଫେରିଯାଇ କଳିଙ୍ଗର ସାଧବ ପୁଅର ଦରିଆ ସେପାରି ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ବାଲିଦ୍ୱୀପ ପ୍ରଭୃତିକୁ ଯାଇ ବାଣିଜ୍ୟ ବ୍ୟବସାୟ କରିବାର ଐତିହାସିକ କାହାଣୀକୁ ସ୍ମରଣ କରିଛନ୍ତି । ମାତ୍ର କେତେକ ସମାଲୋଚକ ଏହାକୁ ଐତିହାସିକ ଉପନ୍ୟାସଭାବେ ଗ୍ରହଣ କରୁଥିବା ବେଳେ ଅନ୍ୟ କେତେକ ସମାଲୋଚକ ଭିନ୍ନ ମତ ପୋଷଣ କରନ୍ତି । ୧୯୨୫ରେ ‘ବାଲିରାଜା’ ଉପନ୍ୟାସ ରଚନା ଆରମ୍ଭ କରି ୧୯୨୯ରେ ଏହାକୁ କାହ୍ନୁଚରଣ ଶେଷ କରନ୍ତି । ଏହା କାହ୍ନୁଚରଣଙ୍କର ଆଦ୍ୟ-ସୃଷ୍ଟି-ପର୍ଯ୍ୟାୟର ରଚନା ହୋଇଥିବାରୁ ଏକ ବଳିଷ୍ଠ କଥାବସ୍ତୁର ସଂଯୋଜନା କରିବାକୁ ଯାଇ ଉପନ୍ୟାସକୁ ସେ ଏପରି ରୂପ ପ୍ରଦାନ କରିଛନ୍ତି ବୋଲି କେତେକ ଆଲୋଚକ ମତ ଦିଅନ୍ତି । ‘ବାଲିରାଜା’ର ରଚନା ପଛରେ ପ୍ରଖ୍ୟାତ ଫରାସୀ କଥାକାର ଆଲେକ୍‌ଜାଣ୍ତର୍‌ ଡୁମାଙ୍କର ‘କାଉଣ୍ଟ୍‌ ଅଫ୍‌ ମଣ୍ଟେକ୍ରିଷ୍ଟୋ’ର ପ୍ରଭାବ ରହିଚି ବୋଲି ଲେଖକ ନିଜେ ସ୍ୱୀକାର କରିଛନ୍ତି ।

 

ପ୍ରାକ୍‌ସ୍ୱାଧୀନତା କାଳର ଅନେକ ଉପନ୍ୟାସରେ ରାଜକୀୟ ଶାସକଗୋଷ୍ଠୀ ଏବଂ ଜମିଦାର-ମହାଜନ, ସାହୁକାର ଆଦି ବିତ୍ତବାନ୍‌ ଧନିକ ସଂପ୍ରଦାୟର ଅସହାୟ ଦରିଦ୍ର ପ୍ରଜା ତଥା ଜନସାଧାରଣଙ୍କ ଉପରେ ନିର୍ଦ୍ଦୟ ଅତ୍ୟାଚାରର ଚିତ୍ର ଜୀବନ୍ତଭାବରେ ପ୍ରକାଶିତ ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ଆଦ୍ୟ ପର୍ଯ୍ୟାୟସ୍ଥ ରାମଶଙ୍କର ରାୟଙ୍କର ‘ବିବାସିନୀ’ ୧୮୯୧ରେ ପ୍ରକାଶ ପାଏ । ଅଷ୍ଟାଦଶ ଶତକର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ମରହଟ୍ଟା ଶାସନ କାଳର କୁଶାସନ ଓ ଅତ୍ୟାଚାର ଆଲୋଚ୍ୟ ଉପନ୍ୟାସଟିର ପୃଷ୍ଠଭୂମି । ତତ୍କାଳୀନ ଓଡ଼ିଶାର ବାସ୍ତବ ସାମାଜିକ ସମସ୍ୟା ଓ ସଂଘର୍ଷଜନିତ ଗମ୍ଭୀର ପରିବେଶରୁ ଲେଖକ କଥାବସ୍ତୁ ଓ ଚରିତ୍ରାଦି ଗ୍ରହଣ କରିଛନ୍ତି । ସେତେବେଳେ ମରହଟ୍ଟା ପ୍ରଶାସନିକ ପ୍ରତିନିଧି ବା କର୍ମଚାରୀଙ୍କର ସ୍ୱେଚ୍ଛାଚାରୀ ଶାସନ, ଶୋଷଣ ଓ ଅତ୍ୟାଚାର ସାଙ୍ଗକୁ ଦେଶୀୟ ଚୌଧୁରୀମାନଙ୍କର ଦେଶଦ୍ରୋହତା ଏବଂ ଅମାନୁଷିକ ସ୍ୱାର୍ଥପରତା ସାଧାରଣ ଲୋକଙ୍କର ଜୀବନକୁ ଦୁର୍ବିସହ କରିନେଇଥିଲା । ଦୁର୍ଭିକ୍ଷ ପରି ପ୍ରାକୃତିକ ସଙ୍କଟ କାଳରେ ଏହି ଅନବଧାନତା ଓ ଅତ୍ୟାଚାର ଲୋକଙ୍କର ସହିବାର ସୀମା ଅତିକ୍ରମ କରିଥିଲା ଏବଂ ଅନାହାରୀ ମଣିଷ ତୁଣ୍ତରେ ଅନ୍ନ ମୁଠେ ଦେବାଲାଗି କେତେକ ସାହସୀ ଦେଶପ୍ରେମୀ ତରୁଣ ଶୋଷକର ସଂହାର କରି ଦୁଃସାହସିକ ବିଭୀଷିକାପୂର୍ଣ୍ଣ ଡକାୟତର ଭୂମିକା ଗ୍ରହଣ କରିଥିଲେ । ଜାତିର ସେଭଳି ଏକ ଘଡ଼ିସନ୍ଧି ମୂହୂର୍ତ୍ତରେ ପାଠକ ପ୍ରାଣରେ ଜାତୀୟତାବୋଧ, ଦେଶପ୍ରେମ, ନୈତିକ ତଥା ମାନବିକ ଚେତନା ଜାଗ୍ରତ କରିବାଲାଗି ଲେଖକଙ୍କର ପ୍ରୟାସ ସ୍ପଷ୍ଟଭାବେ ବାରିହୁଏ ।

 

୧୯୦୮ରେ ପ୍ରକାଶିତ ଗୋପାଳ ବଲ୍ଲଭଙ୍କର ‘ଭୀମାଭୂୟାଁ’ରେ କାହାଣୀ ପରିକଳ୍ପନାର ପାରମ୍ପରିକତା ବଦଳରେ ଲେଖକଙ୍କର ଏକ ସ୍ୱକୀୟ ଅଭିନବ ଦୃଷ୍ଟିଭଙ୍ଗୀ ଲକ୍ଷ୍ୟ କରାଯାଏ । ଜଣେ ରାଜାଙ୍କ ନେତୃତ୍ୱରେ ପ୍ରତିବେଶୀ ରାଜାର ଅତ୍ୟାଚାରର ଅବସାନ ଘଟାଇବାର ଚିତ୍ର ନିଶ୍ଚିତ ଭାବରେ ଗତାନୁଗତିକ ପରମ୍ପରାଠାରୁ ଏକ ଉଲ୍ଲେଖଯୋଗ୍ୟ ବ୍ୟତିକ୍ରମ ।

 

ଊନବିଂଶ ଶତାବ୍ଦୀର ଅନ୍ତିମ ଦଶକର ଠିକ୍‌ ପୂର୍ବରୁ ଓଡ଼ିଆ କଥାସାହିତ୍ୟ କ୍ଷେତ୍ରରେ ଫକୀରମୋହନଙ୍କର ଆବିର୍ଭାବ ଏକ ବିଶିଷ୍ଟ ଘଟଣା । କଥାବସ୍ତୁ, ଚରିତ୍ରଚିତ୍ରଣ, ଘଟଣାବିନ୍ୟାସ, ଭାଷା ଓ ଶୈଳୀ-ସମସ୍ତ କ୍ଷେତ୍ରରେ ଏକ ବୈପ୍ଳବିକ ନୂତନ ସ୍ୱାଦର ପରିବେଷଣ ସେ କରନ୍ତି ।

 

ତାଙ୍କର ଆଦ୍ୟତମ ତଥା ସଫଳତମ ଉପନ୍ୟାସ ଭାବେ ଗୃହୀତ ‘‘ଛ’ମାଣ ଆଠଗୁଣ୍ଠ’’ର କଥାଭାଗ ଉତ୍କଳୀୟ ପଲ୍ଲୀର ଏକ ପ୍ରାଣବନ୍ତ ପରିଧି ମଧ୍ୟରେ ନିର୍ମିତ । ପରଧନଲୋଭୀ ଶୋଷଣକାରୀ ରାମଚନ୍ଦ୍ର ମଙ୍ଗରାଜ ଏକ ଆଭିଜାତ୍ୟହୀନ, କୁଳମର୍ଯ୍ୟାଦା ଓ ବଂଶପରମ୍ପରାଶୂନ୍ୟ ଭାଗ୍ୟବାନ୍‌ ଜମିଦାର । ଇଂରେଜ ଶାସନର ପ୍ରଥମ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଜମିଜମା ବନ୍ଦୋବସ୍ତ ଫଳରେ ହଠାତ୍‌ ଯେଉଁ ଏକ ନୂତନ ଜମିଦାର ଗୋଷ୍ଠୀର ଆବିର୍ଭାବ ଘଟିଲା, ରାମଚନ୍ଦ୍ର ମଙ୍ଗରାଜ ସେମାନଙ୍କର ପ୍ରତିନିଧି । ବାଲ୍ୟାବସ୍ଥାରେ ଲଙ୍ଗଳା ହୋଇ ଗାଁ ଦାଣ୍ତରେ ଡେଉଁଥିବା ଏକ ଗରିବ ଛେଉଣ୍ତ ପିଲାର ରୂପାନ୍ତର ହୋଇଛି ଏକାଥରେ ଏକ ବିଶିଷ୍ଟ ଜମିଦାରଭାବେ ।

 

ଶୋଷଣ ଓ ପରସ୍ୱ ଅପହରଣ ଲାଗି ଧୂର୍ତ୍ତ ମଙ୍ଗରାଜଙ୍କର ସୁଚିନ୍ତିତ କୌଶଳ ଓ ସୂକ୍ଷ୍ମ ଷଡ଼ଯନ୍ତ୍ରର ବହୁ ଚମକପ୍ରଦ ଚିତ୍ର ‘ଛମାଣ ଆଠଗୁଣ୍ଠ’ରେ ରହିଚି । ଶ୍ୟାମ ଗୋଛାୟତକୁ ଧାନ ରୋଇବା ପ୍ରଣାଳୀ ସମ୍ପର୍କରେ ଉପଦେଶ ଦେଇ ମଙ୍ଗରାଜ ତାହାର ଏକ ଶୁଭେଚ୍ଛୁ ଓ ସାହାଯ୍ୟକାରୀର ଛଳ-ଭୂମିକାରେ ଠିଆହୋଇଛନ୍ତି । ବସ୍ତୁତଃ, ଜବରଦସ୍ତ ସେ ତା’ର ତଳିସବୁ ଓପାଡ଼ି ନିଆଇଛନ୍ତି ଏବଂ ପ୍ରକାରାନ୍ତରେ ନିଜ ଅରୁଆ ବିଲ ଲାଗି ଶ୍ୟାମର ଅର୍ଦ୍ଧାଧିକ ତଳି ନେଇ ଯାଇ ତାକୁ ତଳିତଳାନ୍ତ କରିଛନ୍ତି ।

 

ଇଂରେଜମାନଙ୍କର ଏକଚାଟିଆ ବ୍ୟବସାୟର ବାଣିଜ୍ୟ-କୌଶଳ ନିଜର ଜମିଦାରତ୍ୱର ପ୍ରଭାବରେ ରାମଚନ୍ଦ୍ର ମଙ୍ଗରାଜ ନିଜ ଗାଁ ହାଟରେ ପ୍ରୟୋଗ କରିଛନ୍ତି । ମଙ୍ଗରାଜଙ୍କ ବଗିଚାର ପରିବାପତ୍ର ବିପୁଳପରିମାଣରେ ହାଟକୁ ବିକ୍ରିପାଇଁ ଯାଏ ଏବଂ ସେଠାରେ ପ୍ରଚଳିତ ନିୟମ ହେଲା ମଙ୍ଗରାଜଙ୍କ ପରିବାପତ୍ର ବିକ୍ରି ନସରିବା ପର୍ଯ୍ୟନ୍ତ ଅନ୍ୟ ଗରିବ ଚାଷୀଙ୍କର କୌଣସି ପରିବା ବିକ୍ରି ହୋଇ ପାରିବନାହିଁ ।

 

‘ଛମାଣ ଆଠଗୁଣ୍ଠ’ରେ ପଲ୍ଲୀ ପୃଷ୍ଠଭୂମିର ସ୍ପର୍ଶ ଏତେ ଜୀବନ୍ତ ଓ ଆତ୍ମୀୟ ଯେ ଉପନ୍ୟାସଟି ପାଠକଲାବେଳେ ମାନସିକସ୍ତରରେ ପାଠକ ଏକ ମଫସଲ ଗାଁ’ରେ ପହଞ୍ଚି ସାରିଥାଏ-। କାହାଣୀର ଗତିଶୀଳତା ଓ ଚରିତ୍ରମାନଙ୍କର ବିକାଶ ମଧ୍ୟରେ ପଲ୍ଲୀ-ପ୍ରାଣର ଛୁଆଁଟି କେଉଁଠି ହେଲେ ନିଷ୍ପ୍ରଭ ବା ସ୍ତିମିତ ହୋଇ ପଡ଼ିନାହିଁ । ଫକୀରମୋହନଙ୍କ ସଚେତନ ଶୈଳ୍ପିକ ପ୍ରତିଭାର, କଳାତ୍ମକ ସୃଜନଶୀଳତା ଓ ପରିବେଷଣ ଭଙ୍ଗୀର ସରସତା ରୂପକ ସାମଗ୍ରିକ ସିଦ୍ଧି ଓ ସାଫଲ୍ୟର ଏହାହିଁ ଚରମ ନିଦର୍ଶନ । ରାମଚନ୍ଦ୍ର ମଙ୍ଗରାଜ, ସାଆନ୍ତାଣୀ, ଚମ୍ପା, ଭଗିଆ, ସାରିଆ, ଗୋପୀ ସାହୁ, ଗୋବରା ଜେନା, ଗୋବିନ୍ଦା ଭଣ୍ତାରୀ-ଏମାନେ ସମସ୍ତେ ଉତ୍କଳୀୟ ପଲ୍ଲୀଜୀବନର ଗୋଟିଏ ଗୋଟିଏ ସାର୍ଥକ ଓ ଜୀବନ୍ତ ପ୍ରତିନିଧି ।

 

‘ଛମାଣ ଆଠଗୁଣ୍ଠ’ ଓ ‘ମାମୁ’ର ଅନ୍ତର୍ନିହିତ ସ୍ୱର ପରସ୍ପର ସାଦୃଶ୍ୟଯୁକ୍ତ । କିନ୍ତୁ ଉଭୟରେ ଶୋଷଣର ଉପାୟ ଓ ପ୍ରଣାଳୀ କିଛିଟା ଭିନ୍ନ । ମଙ୍ଗରାଜଙ୍କ ଶୋଷଣର କୌଶଳ ଅପେକ୍ଷା ନଟବରଙ୍କ କୌଶଳ ଅଧିକ ସୂକ୍ଷ୍ମ, ବୌଦ୍ଧିକ ଓ ଯୋଜନାବଦ୍ଧ । ପୁନଶ୍ଚ ‘ମାମୁ’ରେ ନିଜର ରକ୍ତସମ୍ପର୍କୀୟ ଆତ୍ମୀୟମାନଙ୍କୁ ଲୁଟି ନିଜର ଅଭିବୃଦ୍ଧି କରିବାଜନିତ ନିଷ୍ଠୁରତର ମାନସିକତା ଓ ପ୍ରବୃତ୍ତି ଲକ୍ଷଣୀୟ । କିନ୍ତୁ ସାଧୁ ସାହୁ ମହାଜନର ଚରିତ୍ରଟି ମଙ୍ଗରାଜଙ୍କ ଚରିତ୍ରର ଠିକ୍‌ ବିପରୀତାତ୍ମକ । ଫକୀରମୋହନଙ୍କ ଉପନ୍ୟାସର ଅନ୍ୟ ଏକ ବିଶେଷତ୍ୱ ଏହି ଦୁଇଟି ଉପନ୍ୟାସରୁ ଲକ୍ଷଣୀୟ । ଏହି ଉପନ୍ୟାସଦ୍ୱୟର ମୁଖ୍ୟଚରିତ୍ର ବା ନାୟକ ହିଁ ଖଳନାୟକର ଚରିତ୍ର । କହିବା ବାହୁଲ୍ୟ, ଫକୀରମୋହନଙ୍କର ସମସ୍ତ ରଚନାର ଭାଷା ପଲ୍ଲୀବାସୀ ମୁହଁର ବ୍ୟବହୃତ ଭାଷା ।

 

‘ଛମାଣ ଆଠଗୁଣ୍ଠ’ର ମଙ୍ଗରାଜଙ୍କ ପରି ଚିନ୍ତାମଣି ମହାନ୍ତିଙ୍କର ‘ରୁପାଚୂଡ଼ି’ ଉପନ୍ୟାସର ନିତ୍ୟାନନ୍ଦ ଦାସ କପଟୀ, ସ୍ୱାର୍ଥାନ୍ଧ, ଧୂର୍ତ୍ତ ଓ ପରସ୍ଵଅପହରଣକାରୀ ବ୍ୟକ୍ତି । କିନ୍ତୁ ‘ଛମାଣ ଆଠଗୁଣ୍ଠ’ର ସାଆନ୍ତାଣୀଙ୍କ ପରି ତାଙ୍କ ସ୍ତ୍ରୀ ନୁହନ୍ତି । ସେ ଦାସଙ୍କ ସମସ୍ତ ଗୁଣର ସହଅଧିକାରିଣୀ । ସଙ୍ଗାତ ରାଧିକା ଦାସର ସମସ୍ତ ସମ୍ପତ୍ତି ଆତ୍ମସାତ୍‌ କରି ତାଙ୍କ ପୁତ୍ରକୁ ଚାକର ପରି ଖଟାଇଛି ନିତ୍ୟାନନ୍ଦ ଦାସ । ଜମିଦାର ହରି ପଟ୍ଟନାୟକଙ୍କୁ ମଧ୍ୟ କୌଶଳ କରି ସର୍ବସ୍ୱାନ୍ତ କରାଇଛି ସେ । ପ୍ରତାରଣାମୂଳକ ମହାଜନୀରେ ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇଛି ସେ । ମହାଜନ ନିତ୍ୟାନନ୍ଦ ଦାସ ଓ ଜମିଦାର ହରି ପଟ୍ଟନାୟକ-ଦୁଇ ବିତ୍ତଶାଳୀଙ୍କର ବୃଦ୍ଧିର ପ୍ରତିଯୋଗିତାରେ ବିଜୟୀ ହୋଇଛି ନିତ୍ୟାନନ୍ଦ ଦାସ ।

 

ଶେଷତଃ ନିତ୍ୟାନନ୍ଦଙ୍କର ଅତ୍ୟଧିକ ପାପାଚାର ବିଧାତା ସହ୍ୟକରି ପାରିନାହିଁ । ସମସ୍ତ ସମ୍ପତ୍ତି ଚୋରି ଓ ଘରପୋଡ଼ିରେ ନିଶ୍ଚିହ୍ନ ହୋଇଯାଇଛି ଏବଂ ଢେର୍‌ ବିଳମ୍ବରେ ଦାସଙ୍କର ଜ୍ଞାନୋଦୟ ହୋଇଛି । ଚିନ୍ତାମଣିଙ୍କର ବର୍ଣ୍ଣନାପାଟବ ଓ ଉପସ୍ଥାପନା ଶୈଳୀ ଫକୀରମୋହନଙ୍କଠାରୁ ଆଧୁନିକ ଓ ଉଚ୍ଚକୋଟୀର ମନେହୁଏ । ତାଙ୍କର ପଲ୍ଲୀ ପ୍ରକୃତିର ଅଭିନବ ଚିତ୍ରଣ ବେଶ୍‌ ବଳିଷ୍ଠ ଓ କଳାତ୍ମକ ।

 

କାଳିନ୍ଦୀଚରଣଙ୍କର ‘ମୁକ୍ତାଗଡ଼ର କ୍ଷୁଧା’ ଓ ‘ଅମରଚିତା’ରେ ଶୁଭକାନ୍ତ ଚରିତ୍ର ଲେଖକଙ୍କର ଏକ ଅପୂର୍ବ ସୃଷ୍ଟି । ପ୍ରଜାମାନଙ୍କ ଉପରେ ନିର୍ଦ୍ଦୟ ଅତ୍ୟାଚାର, ରାଜା-ରାଣୀଙ୍କର ଭୋଗବିଳାସ, ନିଷ୍ପେଷିତ ପ୍ରଜାଙ୍କର ବିପ୍ଳବ-ବେଶ୍‌ ସାର୍ଥକ ଓ ପ୍ରଭାବଶାଳୀ ଭାବରେ ଲେଖକଙ୍କ ଦ୍ୱାରା ଉପସ୍ଥାପିତ । ରାଜା ଶୁଭକାନ୍ତଙ୍କର ଅଲୌକିକ ପରିବର୍ତ୍ତନ ତଥା ସେ ପରିବର୍ତ୍ତନର କାରଣଗୁଡ଼ିକ ଆଧାରିତ ଘଟଣାବଳିର ବିନ୍ୟାସରେ ଲେଖକଙ୍କ ସଫଳତା ଅବଶ୍ୟ ସ୍ୱୀକାର୍ଯ୍ୟ ।

 

କାହ୍ନୁଚରଣଙ୍କ ‘ହା ଅନ୍ନ’ରେ ଜମିଦାରର ଅତ୍ୟାଚାର ଚିତ୍ର ବଡ଼ ଜୀବନ୍ତଭାବେ ପ୍ରକାଶିତ । ସରଳ ବିଶ୍ୱାସୀ, ସହଜପ୍ରାଣ ଓଡ଼ିଶାର ନିରୀହ ପଲ୍ଲୀବାସୀ କେବଳ ଦୁର୍ଭିକ୍ଷ ବା ଅଦୃଷ୍ଟର ନୁହେଁ, ବଙ୍ଗାଳୀ ଜମିଦାରଙ୍କର ନିଷ୍ଠୁର ନିଷ୍ପେଷଣ ତଳେ ମଧ୍ୟ କିପରି ପୋକମାଛିପରି ଛଟପଟ ହୋଇ ବୀଭତ୍ସତମ ଅକାଳମୃତ୍ୟୁର କରାଳ ଆଲିଙ୍ଗନରେ ପିଷ୍ଟ ହୋଇଯାଇଛନ୍ତି, ତାହା ‘ହା ଅନ୍ନ’ରେ ଏକ ସମ୍ମୁଖଘଟିତ ଚାକ୍ଷୁଷ ଦୃଶ୍ୟତୁଲ୍ୟ ଜୀବନ୍ତ ଓ ମର୍ମସ୍ପର୍ଶୀ ।

 

‘ଭୂମିକା’ ଜ୍ଞାନୀନ୍ଦ୍ର ବର୍ମାଙ୍କର ଶ୍ରେଷ୍ଠ ଉପନ୍ୟାସ ଭାବରେ ଗୃହୀତ ହୁଏ । ଶହ ଶହ ବର୍ଷ ଧରି ସାମନ୍ତବାଦୀ ଜମିଦାରୀ ଆଧିପତ୍ୟର ନିଷ୍ଠୁର ଅଗ୍ନିବର୍ଷଣ ତଳେ ନିରୀହ ଦରିଦ୍ର ଗ୍ରାମ୍ୟଜନତାର ଜୀବନ-ଦୁର୍ବା ଭସ୍ମୀଭୂତ ହୋଇ ଚାଲିଥିଲା । କିନ୍ତୁ କ୍ରମଶଃ ଲୋକେ ସଚେତନ ହୋଇଛନ୍ତି । ସେମାନଙ୍କ ଉପରେ ଅତ୍ୟାଚାର, ସେମାନଙ୍କର ସଚେତନଶୀଳତା ଓ ସଂଘର୍ଷ ‘ଭୂମିକା’ରେ ସାର୍ଥକଭାବରେ ପ୍ରକାଶିତ । ‘ଭୂମିକା’ ମହନି, ଜାଫର୍‌ ଖାଁ ଓ ଗୋକୁଳିର ସାମାଜିକ ଭୂମିକାର କାହାଣୀ ।

 

ଗୋପୀନାଥ ମହାନ୍ତିଙ୍କର ‘ପରଜା’ର କାହାଣୀ କୋରାପୁଟର ସର୍ଷୁପଦର ଗାଁ’ର ଶୁକୃଜାନିର ପରିବାରକୁ ନେଇ ଗଢ଼ିଉଠିଛି । ଶୁକୃ ଓ ତା’ର ଦୁଇପୁଅ ଟିକ୍ରା ଓ ମାଣ୍ତିଆ ସାହୁକାରର ଔଦ୍ଧତ୍ୟ, ଆସ୍ପର୍ଦ୍ଧା, ଆସ୍ଫାଳନ ଓ ଅପମାନକୁ ବରଦାସ୍ତ କରିପାରି ନାହାନ୍ତି । ସାହୁକାରର ରକ୍ତରେ ସେମାନେ ଖେଳିଛନ୍ତି ହୋରି ଓ ନିଃଶଙ୍କ ଚିତ୍ତରେ ଲକ୍ଷ୍ମୀପୁର ଥାନାରେ ଆସି ହାଜର ହୋଇଛନ୍ତି । ଗୋପୀବାବୁଙ୍କର ଅଧିକାଂଶ ଉପନ୍ୟାସ ପରି ‘ପରଜା’ ମଧ୍ୟ ଓଡ଼ିଶାର ଘଞ୍ଚ ଅରଣ୍ୟବାସୀ ଆଦିବାସୀ ସଂପ୍ରଦାୟର ଜୀବନଚର୍ଯ୍ୟାର କାବ୍ୟିକ ଚିତ୍ରରେ ଚିତ୍ରାର୍ପିତ ।

 

ଇଂରେଜୀ ଶିକ୍ଷା, ସଭ୍ୟତା ଓ ଚଳଣୀର ଅନ୍ଧାନୁକରଣର ଦୁଃଖଦ ପରିଣତିର ଚିତ୍ର ମଧ୍ୟ ସ୍ୱାଧୀନତା ପୂର୍ବବର୍ତ୍ତୀ ଏକାଧିକ ଉପନ୍ୟାସରେ ସୁଲଭ ।

 

ଫକୀରମୋହନଙ୍କର ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସର ଘଟଣାପ୍ରବାହର ସମୟକାଳ ଊନବିଂଶ ଶତାବ୍ଦୀର ଶେଷଭାଗ ଅଟେ । ଇଂରେଜୀ ଶିକ୍ଷାପ୍ରତି ବିତୃଷ୍ଣା ଓ ପ୍ରତିରୋଧ ପ୍ରକାଶ କରିଥିବା ଏ ଜାତି ଏହି ସମୟକୁ ନିଜର ସ୍ଥିତି ଓ ପ୍ରତିପତ୍ତି ଜାହିର କରିବାପାଇଁ ଇଂରେଜୀ ଶିକ୍ଷା, ଆଚାର ଓ କୂଟନୀତି ମଧ୍ୟ ଦେଇ ନିଜକୁ ପ୍ରକାଶିତ କରିବାଲାଗି ଚେଷ୍ଟିତ ହୋଇଛି । ମାତ୍ର ତାହା ମଧ୍ୟରେ ସଭ୍ୟତାର ମାଧୁର୍ଯ୍ୟ ପରିବର୍ତ୍ତେ ପତନ ଓ ସ୍ଖଳନର ବିଷାକ୍ତ ବିସ୍ୱାଦ ଯେ ଭରି ରହିଚି, ଫକୀରମୋହନ ଏ ଜାତିକୁ ତାହା ଜଣାଇ ସଚେତନ କରାଇ ଦେଇଛନ୍ତି ।

 

ମୃତ୍ୟୁଞ୍ଜୟ ରଥଙ୍କର ‘ଅଦ୍ଭୁତ ପରିଣାମ’ରେ ଖ୍ରୀଷ୍ଟଧର୍ମର ପ୍ରଭାବରେ ସେ କାଳର ଶିକ୍ଷିତ ଓଡ଼ିଆ ଯୁବକ ଉଚ୍ଛୃଙ୍ଖଳ ହୋଇ କିପରି ବିପଥଗାମୀ ହେଉଥିଲା, ତାହାର ଚିତ୍ର ଦେଖିବାକୁ ମିଳେ । କେତେକ ସମାଲୋଚକ ଏହାକୁ ଉପନ୍ୟାସଶୈଳୀରେ ଉପସ୍ଥାପିତ ଏକ ଦୀର୍ଘଗଳ୍ପ ବୋଲି କହିଥା’ନ୍ତି ।

 

ଗୋଦାବରୀଶ ମହାପାତ୍ରଙ୍କର ‘ପ୍ରେମ ପଥେ’ରେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ଦ୍ରୁତପ୍ରସାର କିପରି ଓଡ଼ିଆ ଯୁବକକୁ ନିଜସ୍ୱ ସଂସ୍କୃତି, ଐତିହ୍ୟ ଓ ପରଂପରା ପ୍ରତି ବିମୁଖ କରାଇ ଧ୍ୱଂସ ମୁହଁକୁ ଟାଣିନେଇଛି-ତାହା ପ୍ରତିଫଳିତ ହୋଇଛି ବେଶ୍‌ ପ୍ରଭାବଶାଳୀ ଭାବରେ । ହରି ଚରଣ ତା’ର ବାଗ୍‌ଦତ୍ତା କନକକୁ ବିସ୍ତୃତ ହୋଇଛି ସହରୀ, ଶିକ୍ଷିତା, ଯୌବନୋଦ୍ଧତା ଯୁବତୀ ଚଞ୍ଚଳାର ଆକର୍ଷଣରେ ।

 

ସମଗ୍ର ଉପନ୍ୟାସଟିର କଥାବସ୍ତୁ ଦୁଇଟି ତରୁଣ ତରୁଣୀଙ୍କର ଚିଠିର ଆଦାନପ୍ରଦାନର କ୍ରମିକ ଧାରାରେ ବିବୃତ୍ତ ହୋଇଛି । ଶିଳ୍ପପ୍ରକରଣ ବିଚାରରେ ଏହି ପତ୍ରୋପନ୍ୟାସ (epistolary) ଶୈଳୀ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ କେବଳ ପ୍ରଥମ ନୁହେଁ, ଏଥିରେ ଗୋଦାବରୀଶ ମହାପାତ୍ର ଯଥେଷ୍ଟ ସାଫଲ୍ୟ ମଧ୍ୟ ପ୍ରଦର୍ଶନ କରିଛନ୍ତି । ଏହାର ରଚନାକାଳ ୧୯୩୨ ମସିହା ।

 

ନିଷ୍ଠୁର ସାମାଜିକ ବ୍ୟବସ୍ଥା, ସାମାଜିକ କୁସଂସ୍କାର ଓ ସ୍ଖଳନର ଚିତ୍ର ମଧ୍ୟ ଆଲୋଚ୍ୟ ସମୟରେ ଅଧିକାଂଶ ଉପନ୍ୟାସରେ ଉପଲ୍‌ବଧ ।

 

‘କନକଲତା’ ପଲ୍ଲୀକବି ନନ୍ଦକିଶୋରଙ୍କର ଏକମାତ୍ର ଉପନ୍ୟାସ । ତତ୍କାଳୀନ ସମାଜର ସାମାଜିକ କୁସଂସ୍କାରମାନଙ୍କ ବିରୁଦ୍ଧରେ ଏକ ତୀବ୍ର ପ୍ରତିକ୍ରିୟା ଏହି ଉପନ୍ୟାସର ଶ୍ରେଷ୍ଠ ସଂପଦ । ନାରୀଶିକ୍ଷା, ଯୌତୁକ ପ୍ରଥା, ବାଲ୍ୟବିବାହ, ବାଲ୍ୟବିଧବା ତଥା ବିଧବା ବିବାହ ଆଦି ସେ ସମୟର ମୁଖ୍ୟ ସାମାଜିକ ସମସ୍ୟାସମୂହ ସଂପର୍କରେ ନନ୍ଦକିଶୋରଙ୍କର ସୁଚିନ୍ତିତ ଭାବଧାରା ବେଶ୍‌ ବୈପ୍ଳବିକ । ବର୍ଣ୍ଣନାବାହୁଲ୍ୟ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ବିସ୍ମୟାତ୍ମକ ନାଟକୀୟ ଶୈଳୀ ତଥା ପାଠକ-ସଚେତନତା, ହେତୁ ଭାଷା ଏକଂ ଶୈଳୀ ଦୃଷ୍ଟିରୁ ଉପନ୍ୟାସଟି ସେପରି ଶକ୍ତିଶାଳୀ ନହୋଇପାରେ, ମାତ୍ର ବିଷୟବସ୍ତୁର ବଳିଷ୍ଠତା ଯୋଗୁଁ ଏହାକୁ ନିଃସନ୍ଦେହରେ ଏକ ଉଲ୍ଲେଖଯୋଗ୍ୟ ଉପନ୍ୟାସ ବୋଲି କୁହାଯିବ ।

 

କୁନ୍ତଳା କୁମାରୀ ସାବତ୍‌ଙ୍କର ‘ରଘୁ ଅରକ୍ଷିତ’ ଏକ ସମାଜସଂସ୍କାରମୂଳକ ସଫଳ ଉପନ୍ୟାସ । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକର ବିନ୍ୟାସ ଓ ବ୍ୟାପ୍ତି ଅତି କ୍ଷୁଦ୍ର ତଥା ସଂକ୍ଷିପ୍ତ ହୋଇଥିବା ସ୍ଥଳେ ‘ରଘୁ ଅରକ୍ଷିତ’ ସମ୍ଭବତଃ ତାଙ୍କର ଏକମାତ୍ର ପୂର୍ଣ୍ଣାଙ୍ଗ ଉପନ୍ୟାସ । ଉପନ୍ୟାସର ନାୟକ ଅନାଥ ରଘୁ ନିଜ ଭାଗ୍ୟବଳରେ ବଡ଼ଲୋକ ହୋଇଛି ଏବଂ ବ୍ୟକ୍ତିଗତ ଜୀବନର ବହୁ କ୍ଷୟକ୍ଷତି ଓ ଦୁର୍ଘଟଣା ପରେ ଦେଶସେବା ଓ ସମାଜସଂସ୍କାରର ବ୍ରତରେ ସେ ନିଜକୁ ଦୀକ୍ଷିତ କରିଛି ।

 

ଗୋଦାବରୀଶ ମହାପାତ୍ରଙ୍କ ‘ବିଦ୍ରୋହ’ ଉପନ୍ୟାସରେ ଗଉରୀ ନିଜ ପିତା ରାଧାନାଥଙ୍କ ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଛି । ସମାଜର ନାନା କୁସଂସ୍କାରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ତା’ର ମୂଳୋତ୍ପାଟନ ଲାଗି ସ୍ୱର ଉତ୍ତୋଳନ କରିଛି । ଏହି ବିଦ୍ରୋହରେ ଗଉରୀ ଏବଂ ତା’ର ବୃଦ୍ଧ ପିତାଙ୍କର ଦ୍ୱିତୀୟାପତ୍ନୀ ରମାର ବିଜୟ ହୋଇଛି । ଉଭୟ କଥାବସ୍ତୁ, ପ୍ରକାଶ ଭଙ୍ଗୀ ଓ ସାମାଜିକ ବାର୍ତ୍ତା ଦୃଷ୍ଟିରୁ ‘ବିଦ୍ରୋହ’ ଏକ ସଫଳ ଉପନ୍ୟାସ ଏବଂ ତତ୍କାଳୀନ ସମାଜକୁ ଏହା ଯେ ଢେର ପ୍ରଭାବିତ କରି ଭ୍ରାନ୍ତିର ଅନ୍ଧକାର ମଧ୍ୟରେ ନୂତନ ପଥ ପ୍ରଦର୍ଶନ କରିଥିଲା, ଏହା ଗୋଦାବରୀଶଙ୍କ ଲାଗି କମ୍‌ ଗୌରବର କଥା ନୁହେଁ ।

 

୧୯୨୪ ରୁ ୨୬ ମସିହା ମଧ୍ୟରେ ନଅଜଣ ଲେଖକଙ୍କ ମିଳିତ ଲେଖନୀ ଚାଳନାରେ ‘ବାସନ୍ତୀ’ ଉପନ୍ୟାସ ସବୁଜ ସାହିତ୍ୟ ସମିତିର ସଭ୍ୟମାନଙ୍କ ଉଦ୍ୟମରେ ପ୍ରକାଶ ଲାଭ କରେ । ବାସନ୍ତୀ ଓ ଦେବବ୍ରତର ବୈବାହିକ ଜୀବନର ସମସ୍ତ ଝଡ଼ଝଞ୍ଜାର ବିଲୟ ଘଟି ଶେଷରେ ସେମାନଙ୍କର ମିଳନ ସଂଘଟିତ ହୋଇଛି । ସାମାଜିକ କୁସଂସ୍କାର ବିରୁଦ୍ଧରେ ଦୁହିଁଙ୍କର ସଂଗ୍ରାମଶୀଳ ଚେତନା ଓ ମାନସିକତା ହିଁ ସମସ୍ତ ଭୁଲ୍‌ ବୁଝାମଣାର ଊର୍ଦ୍ଧ୍ୱରେ ଦୁହିଁଙ୍କୁ ପୁଣି ପରସ୍ପରର ନିକଟତର କରିଦେଇଛି ।

 

ଏକାଧିକ ଲେଖକଙ୍କ ଯୌଥ ଉଦ୍ୟମରେ ରଚିତ ହୋଇଥିଲେ ସୁଦ୍ଧା ଏହାର ଘଟଣା ପ୍ରବାହ ଐକ୍ୟ, ଭାବଗୁମ୍ଫନ ଓ ସଜ୍ଜୀକରଣର ସାମଗ୍ରିକ ସଂହତି ଏହାକୁ ଏକ ସଫଳ ଉପନ୍ୟାସରେ ପରିଣତ କରିଛି । ଗ୍ରାମ୍ୟ ପୃଷ୍ଠଭୂମିରେ ରଚିତ ଏହି ଉପନ୍ୟାସଟିରେ ପ୍ରାଚୀନତା ଓ ଆଧୁନିକତାର ହୃଦ୍ୟସମନ୍ୱୟ ପାଠକ ଲକ୍ଷ୍ୟ କରେ । ପ୍ରାଚୀନତାର ଶତ୍ରୁପକ୍ଷରେ କିନ୍ତୁ ଏଠାରେ ଆଧୁନିକତା ଦଣ୍ଡାୟମାନ ନୁହେଁ, ବରଂ ଏ ଦୁଇଟି ପରସ୍ପରର ପରିପୂରକ ଭାବରେ ଏଥିରେ ଉପସ୍ଥାପିତ । ୧୯୪୪ରେ ପ୍ରକାଶିତ ପ୍ରାଣକୃଷ୍ଣ ସାମଲଙ୍କର ‘ନୀଳକମଳ’ର ରାମନାରାୟଣ (ନାୟକ) ଉତ୍କଳୀୟ ଓ ନାୟିକା କମଳ ଉଚ୍ଚଶିକ୍ଷିତା ବଂଗୀୟ ଯୁବତୀ । ପ୍ରଚଳିତ ପରଂପରା ବିରୁଦ୍ଧରେ ଲେଖକଙ୍କର ଇଙ୍ଗୀତ ଏଥିରୁ ସ୍ପଷ୍ଟ ।

 

‘ନଅତୁଣ୍ଡୀ’ରେ କୁନ୍ତଳା କୁମାରୀଙ୍କ ଜମିଦାର ଫକୀରମୋହନଙ୍କ ଜମିଦାର ପରି ଶୋଷକ ନୁହନ୍ତି, ସେ ସଂସ୍କାରକ । ତାଙ୍କ ଜମିଦାର ଆଦର୍ଶ ଜମିଦାର । ସେ ପିନ୍ଧନ୍ତି ଖଣ୍ଡିଏ ଖଦୀ, ସେଥିରେ ପୁଣି ଆଣ୍ଠୁ ଲୁଚେନା । ଦେହରେ ମୋଟା ଚାଦର, ପାଦରେ ପୁରୁଣା କାଳିଆ ଚଟିମାତ୍ର । କୋଟ୍ ନାହିଁ, ସୁଟ୍‌ ନାହିଁ କି ପଗଡ଼ି ବି ନାହିଁ ସଲାମୀ ଭେଟି ସେ ଛୁଅଁନ୍ତି ନାହିଁ, ଫେରାଇ ଦିଅନ୍ତି ଗରିବ ପ୍ରଜାକୁ । ‘ନଅତୁଣ୍ଡୀ’ରେ ସଂସ୍କାରକାମୀ ଜମିଦାରଙ୍କର ଆଚରଣ, ରୂପ ଓ ସ୍ୱରୂପ ଏହିପରି ।

 

ଉପେନ୍ଦ୍ର କିଶୋର ଦାସଙ୍କର ‘ମଲାଜହ୍ନ’ ଉପନ୍ୟାସର ମୁଖ୍ୟ ଚରିତ୍ର ସତ୍ୟଭାମା ଓ ନାଥ-। ମନର ମଣିଷ ନାଥ ନନା ସହ ସତ୍ୟଭାମାର ମିଳନ ଏକ ଅଧା ଦେଖା ସୁନ୍ଦର ସ୍ଵପ୍ନପରି ଖଣ୍ଡିତ ଓ ଅସଂପୂର୍ଣ୍ଣ ହୋଇ ରହି ଯାଇଚି । ଅଦୃଷ୍ଟର ନିଷ୍ଠୁରତା, ସମାଜର ବୈରତା ଆଗରେ ତାର ସବୁ ସ୍ୱପ୍ନ ମଉଳି ଯାଇଛି । ସତୀ ଆତ୍ମହତ୍ୟା କରିଚି । ଅପସଂସ୍କୃତି, ଭ୍ରାନ୍ତି ଓ ଅନ୍ଧ ବିଶ୍ୱାସ ପୂର୍ଣ୍ଣ ଗ୍ରାମ୍ୟ ସମାଜ ଜୀବନର ଜୀବନ୍ତ ଚିତ୍ର ‘ମଲାଜହ୍ନ’ରେ ପ୍ରଭାବଶାଳୀ ଭାବେ ପ୍ରକାଶିତ ହୋଇଛି ।

 

କାହ୍ନୁ ଚରଣଙ୍କର ‘ପଳାତକ’ ବିପ୍ରଚରଣ, ସାଧୁଚରଣ ଓ କୋକିଳଙ୍କ ପରି ଆଦର୍ଶ ଚରିତ୍ରର ସୃଷ୍ଟି । ମଣିଷର ଦୋଷ ଦୁର୍ବଳତାର ସଂସ୍କାର କରି ସମାଜକୁ ପୁନର୍ଗଠନ କରିବାର ଉଦ୍ୟମ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ମଦ୍ୟପ ଓ ବେଶ୍ୟାସକ୍ତ ନଷ୍ଟ ଚରିତ୍ର ଜମିଦାର ଦେବେନ୍ଦ୍ର ଓ ମିଥ୍ୟା ସନ୍ନ୍ୟାସର ଛଳନାକାରୀ ସାଧୁଚରଣର ଚରିତ୍ର ମଧ୍ୟରେ ଲେଖକ ତତ୍କାଳୀନ ସମାଜର ସ୍ଖଳନ ଏବଂ ସଂସ୍କାରହୀନତାର ପରିଚୟ ପ୍ରଦାନ କରିଛନ୍ତି ।

 

‘ପରକୀୟା’ରେ କାହ୍ନୁଚରଣ ପରିକୀୟା ପ୍ରୀତିର ଭୟାବହ ପରିଣତିର ଏକ ଆପାତ ସୁସ୍ଥ ପରିଣତି ପ୍ରଦାନ କରିଛନ୍ତି । ବୃନ୍ଦାବନ ଓ ସରସୀର ଚାରିତ୍ରିକ ସ୍ଖଳନ ଏବଂ ଶେଷରେ ଉଭୟଙ୍କର ଦାମ୍ପତ୍ୟ ଜୀବନର ପବିତ୍ର ଓ ନିରାପଦ ବନ୍ଧନ ମଧ୍ୟକୁ ପୁନର୍ପ୍ରତ୍ୟାବର୍ତ୍ତନ ହିଁ ଏହାର କଥାବସ୍ତୁ ।

 

ନିତ୍ୟାନନ୍ଦ ମହାପାତ୍ରଙ୍କର ‘ଭଙ୍ଗାହାଡ଼’ ଓ ‘ହିଡ଼ମାଟି’ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ୧୯୪୬ ରେ ପରିକଳ୍ପିତ ହୋଇ ୧୯୪୮ରେ ପ୍ରକାଶ ଲାଭ କରେ । ହୃଦୟହୀନ ନିଷ୍ଠୁର ସମାଜର ଅନ୍ୟାୟ ଅହଙ୍କାର ତଳେ ପଲ୍ଲୀବାସୀର ରକ୍ତାକ୍ତ ଜୀବନ-ସଂଗ୍ରାମର ପ୍ରାଣସ୍ପର୍ଶୀ ଚିତ୍ର ଏହି ଉପନ୍ୟାସ ଦ୍ୱୟରୁ ଲବ୍‌ଧ । ଦାରିଦ୍ର୍ୟର କ୍ରୁର ଅଭିଶାପରେ ରତନୀର ଜୀବନ କିପରି ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି, ତାହା ପାଠକରି ଆମ ସମାଜ ବ୍ୟବସ୍ଥା ପ୍ରତି ପାଠକ ମନରେ ଘୃଣା ଓ ବିଦ୍ରୋହ ସୃଷ୍ଟି ହୁଏ । ଗ୍ରାମ୍ୟ ପୃଷ୍ଠଭୂମି ବାଛି ନେଇ କିପରି ଆମ ସମାଜରେ ବିଶ୍ୱାସ ଓ ମାନବିକତାର ଭିତ୍ତି ଦୋଦୁଲ୍ୟମାନ ହୋଇ ପଡ଼ିଛି, ଏବଂ ଜୀବନଧାରା କିପରି ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ଦ୍ୱାରା ସର୍ବତୋଭାବେ କବଳିତ, ଅସ୍ତବ୍ୟସ୍ତ ଓ କ୍ଷତାକ୍ତ ହୋଇ ପଡ଼ିଛି-ସେ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ଯେତେ ତ୍ରୁଟିପୂର୍ଣ୍ଣ ହେଉନା କାହିଁକି-ତାହା ହିଁ ଲେଖକ ପ୍ରକାଶ କରିଛନ୍ତି ।

 

ଅଶିକ୍ଷିତ, ନିରୀହ, ଶାନ୍ତିପ୍ରେମୀ ପଲ୍ଲୀବାସୀଙ୍କ ସରଳତା ଓ ନିଷ୍କପଟତାର ବାସ୍ତବଧର୍ମୀ ଚିତ୍ର ଶଂସିତ କାଳର ଅନେକ ଉପନ୍ୟାସରେ ଦେଖିବାକୁ ମିଳେ । ‘ଛମାଣ ଆଠଗୁଣ୍ଠ’ରେ ଭଗିଆ ଓ ସାରିଆ ନିରୀହ, ସହଜ ପ୍ରାଣ ପଲ୍ଲୀବାସୀଙ୍କର ଦୁଇଟି ଜୀବନ୍ତ ପ୍ରତିନିଧି । ମଙ୍ଗରାଜଙ୍କ ପରି କୂଟବୁଦ୍ଧିସମ୍ପନ୍ନ, ଧୂର୍ତ୍ତ, ନିର୍ଦ୍ଦୟ ଖଳନାୟକମାନଙ୍କର ଅମାନୁଷିକ ଚକ୍ରାନ୍ତର ଜାଲରେ ଭଗିଆ ଓ ସାରିଆମାନେ ଅତି ସହଜ ତଥା କରୁଣ ଓ ଦୟନୀୟ ଭାବେ ଛନ୍ଦି ହୋଇ ଯାଇଥାନ୍ତି ।

 

ଚିନ୍ତାମଣି ମହାନ୍ତିଙ୍କର ‘ଯୁଗଳ ମଠ’ରେ ତତ୍କାଳୀନ ସମାଜର ବ୍ୟଭିଚାର ସହିତ ସାଧାରଣ ପଲ୍ଲୀ ଜୀବନର ସରଳତା ଏବଂ ପଲ୍ଲୀବାସୀଙ୍କ ଧର୍ମାଶ୍ରିତ ଜୀବନର ଚିତ୍ର ସୁନ୍ଦର ଭାବେ ପ୍ରକାଶିତ ହୋଇଛି । ଅବଶ୍ୟ ଏହା ଲେଖକଙ୍କର ପ୍ରଥମ ଉପନ୍ୟାସ ହୋଇଥିବାରୁ ଭାଷା ଓ ପ୍ରକାଶଭଙ୍ଗୀ ତାଙ୍କର ପରବର୍ତ୍ତୀ ଉପନ୍ୟାସମାନଙ୍କ ପରି ଏଥିରେ ସେତେ ଉନ୍ନତ ହୋଇପାରିନି ।

 

ଗୋପୀନାଥ ମହାନ୍ତିଙ୍କର ଅଧିକାଂଶ ଉପନ୍ୟାସ ଓଡ଼ିଶାର ଘଞ୍ଚ ଅରଣ୍ୟବାସୀ ଆଦିବାସୀ ସଂପ୍ରଦାୟର ସରଳ ଓ ନିଷ୍କପଟ ଜୀବନଚର୍ଯ୍ୟାର କାବ୍ୟିକ ଚିତ୍ରରେ ସୁସମୃଦ୍ଧ । ‘ପରଜା’ରେ ଆଦିବାସୀ ଜୀବନ-ଚିତ୍ର କେବଳ ଜୀବନ୍ତ ନୁହେଁ, ଏକାନ୍ତ ବାସ୍ତବଧର୍ମୀ ମଧ୍ୟ । ଆଦିବାସୀର ମନରେ ଲୁଚାଛପାର ସ୍ଥାନ ନଥାଏ । ଯାହା ତାର ହୃଦ୍‌ବୋଧ ହୁଏ, ଯାହା ସେ ତା’ର ସରଳ ନିଷ୍କପଟ ପ୍ରାଣରେ ଅନୁଭବ କରେ ତାକୁ ଅବିକଳ, ଅବିକୃତ ଓ ନିଃଶଙ୍କ ଭାବରେ ପ୍ରକାଶ କରେ-ଉଭୟ କଥା ଓ କାର୍ଯ୍ୟରେ । ସେଥିଲାଗି ସାହୁକାରର ରକ୍ତରେ ଚିତା ଘେନି ସେମାନେ ନିର୍ଭୀକ ଓ ନିଶଙ୍କଭାବେ ଲକ୍ଷ୍ମୀପୁର ଥାନାରେ ଆସି ହାଜର ହୋଇଛନ୍ତି ।

 

ଭାଷା ବିନ୍ୟାସ, ଶବ୍ଦ ପ୍ରୟୋଗ, ଶୈଳୀ ଓ ଉପସ୍ଥାପନାରେ ଗୋପୀନାଥ ତାଙ୍କ ଉପନ୍ୟାସ ମାନଙ୍କରେ ଏକ କାବ୍ୟର ରସୋଚ୍ଛଳତା ଓ ପ୍ରାଣପ୍ରବାହ ତଥା ଭାବାବେଗର ସ୍ପନ୍ଦନ ସୃଷ୍ଟି କରନ୍ତି । ତେଣୁ ତାଙ୍କର ଉପନ୍ୟାସଗୁଡ଼ିକୁ ଗୋଟିଏ ଗୋଟିଏ ଗଦ୍ୟ-କାବ୍ୟ ବୋଲି ସମାଲୋଚକମାନେ କହିଥାନ୍ତି ।

 

ଚିନ୍ତାମଣି ମହାନ୍ତିଙ୍କ ‘ଟଙ୍କା ଗଛ’ ଉପନ୍ୟାସରେ ହେମହରିଙ୍କ ଅଯୋଗ୍ୟ ପୁତ୍ର ମଧୁ ଭାଗ୍ୟାନୁକୂଳତାବଶତଃ ଶେଷରେ ଏକ ‘ଟଙ୍କା ଗଛ’ ବା ବିତ୍ତଶାଳୀ ବ୍ୟକ୍ତିରେ ପରିଣତ ହୋଇଛି । କଥାବସ୍ତୁର ସଂଯୋଜନା, ଚରିତ୍ର ଚିତ୍ରଣ ତଥା ଘଟଣା ବିନ୍ୟାସର ଚମତ୍କାରିତା ଏହି ଉପନ୍ୟାସର ସାଫଲ୍ୟର ପ୍ରଧାନ ସାମଗ୍ରୀ । ଏଥିରେ ନିଷ୍କପଟ ଗ୍ରାମବାସୀଙ୍କର ସରଳ ବିଶ୍ୱାସ, ପୁଣି ଲୋଭ ତଥା ନରହନ୍ତା କାପାଳିକମାନଙ୍କର ନୃଶଂସତା ଓ ପ୍ରତାରଣା ଆଦିର ବର୍ଣ୍ଣନା ଉଚ୍ଚକୋଟୀର ।

 

କାହ୍ନୁ ଚରଣଙ୍କର ‘ଢେଉ ଢେଉକା’ରେ ମଧ୍ୟ ତମସା ନଈ, ଅରଣ୍ୟଘେରା ଗ୍ରାମମାଳ, ନିମଗିରି ପାହାଡ଼ ଶ୍ରେଣୀ, ବଣୁଆ ଫୁଲର ସୁଗନ୍ଧିତ ସମ୍ଭାର, ଧାଂଡ଼ା ଧାଂଡ଼ୀ ନାଚର ରୂପାୟନ ମଧ୍ୟରେ ସରଳ ପଲ୍ଲୀବାସୀ ଗିରିଜନଙ୍କର ଜୀବନର ଚିତ୍ର ବେଶ୍‌ ସ୍ୱପ୍ନିଳ । ଏହାର ପଲ୍ଲୀଚିତ୍ର ଏକ କାବ୍ୟର ସୁଷମାରେ ରସସିକ୍ତ ଓ ଜୀବନ୍ତ ।

 

ସ୍ୱାଧୀନତା ପରେ ୧୯୪୯ରେ ପ୍ରକାଶିତ ‘ଅମୃତର ସନ୍ତାନ’ରେ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଓ ସେମାନଙ୍କର ବିଦ୍ରୋହର ଚିତ୍ର ନାହିଁ । ‘ଜୀବନରେ ସ୍ୱାଦ ଅଛି, ମରଣ ନାହିଁ, ଦୁଃଖ ନାହିଁ’-ଏଇ ମଧୁର ଉପଲବ୍‌ଧି ଆଦିବାସୀର ପ୍ରାଣକୁ କିପରି ପୁଲକସିକ୍ତ ଓ ସବୁଜାୟିତ କରେ ସେଇ ବାର୍ତ୍ତା ‘ଅମୃତର ସନ୍ତାନ’ରେ ଅଭିବ୍ୟଞ୍ଜିତ ।

 

ମାନବିକ ଆଦର୍ଶ ଓ ଆଦର୍ଶବାଦର ସ୍ୱର ବହୁ ଉପନ୍ୟାସର କଥାବସ୍ତୁର ଅନ୍ୟତମ ମୁଖ୍ୟ ଉପଜୀବ୍ୟ ହୋଇଛି । ଆଦର୍ଶ ଚରିତ୍ରମାନଙ୍କ ମାଧ୍ୟମରେ ଔପନ୍ୟାସିକମାନେ ଏହି ସ୍ୱରକୁ ରୂପ ଦେଇଛନ୍ତି । କାଳିନ୍ଦୀ ଚରଣଙ୍କର ‘ମାଟିର ମଣିଷ’ ପଲ୍ଲୀର ଧୂଳିମାଟିର ମଣିଷର କାହାଣୀ । ପଲ୍ଲୀର ଭୌଗୋଳିକ ସୌନ୍ଦର୍ଯ୍ୟଠାରୁ ଆରମ୍ଭ କରି ତା’ର ମଣିଷମାନଙ୍କର ଆତ୍ମାର ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ତା’ର ସମସ୍ତ ଆତ୍ମିକ ବିଭବ ଅସ୍ୱାଦ୍ୟ ଓ ଆବେଗମୟ ରୂପରେ ‘ମାଟିର ମଣିଷ’ରେ ମୂର୍ତ୍ତିମନ୍ତ । ମାନବିକ ଆଦର୍ଶର ମହନୀୟତା ଓ ଯାଦୁକରୀ ଶକ୍ତି ସହିତ ରକ୍ତ ସମ୍ପର୍କର ଶକ୍ତିଶାଳୀ ବନ୍ଧନ, ମଣିଷର ଆବେଗ-ସର୍ବସ୍ୱ ଆତ୍ମାର ବିମୁଗ୍‌ଧ ସ୍ଵରୂପର ଏକ ମୁଗ୍‌ଧ ସୁଗନ୍ଧିତ ଆଲେଖ୍ୟ ହେଉଛି ‘ମାଟିର ମଣିଷ’ । ଶାମ ପଧାନ ତଥା ବରଜୁ ପରି ଆଦର୍ଶ ଚରିତ୍ରକୁ ବେଶ୍‌ ବାସ୍ତବଧର୍ମୀ ଭାବେ ସୃଷ୍ଟି କରିଛନ୍ତି କାଳିନ୍ଦୀ ଚରଣ ।

 

‘ଲୁହାର ମଣିଷ’ରେ କାଳିନ୍ଦୀ ଚରଣ ବରଜୁ ଚରିତ୍ରର ଅନ୍ୟ ଗୋଟିଏ ପାର୍ଶ୍ୱ ଉପରେ ଆଲୋକ ସମ୍ପାତ କରିଛନ୍ତି । ସହରରୁ ଆସି ବରଜୁ କାରଖାନାରେ କାମ କରିଚି, ଢେର କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରିଛି, ସମାଜସେବା କରିଛି ଓ ଶେଷରେ ଏକ ରାଜନୈତିକ ଦଳରେ ଯୋଗ ଦେଇଛି ।

 

କାନ୍ତକବି ଲକ୍ଷ୍ମୀକାନ୍ତ ୧୯୩୭ ମସିହାରେ ‘କଣାମାମୁଁ’ ରଚନା ଆରମ୍ଭ କରି ଦୀର୍ଘ ୧୪ ବର୍ଷ ପର୍ଯ୍ୟନ୍ତ ତାହାର ପରିସମାପ୍ତି ଲାଗି ପ୍ରୟାସ କରିଥିଲେ ମଧ୍ୟ ଦୁର୍ଭାଗ୍ୟକୁ ତାହା ଶେଷସୁଦ୍ଧା ଅସଂପୂର୍ଣ୍ଣ ରହିଯାଇଛି । କଣାମାମୁଁ ସାରା ଗାଁ’ଟାର ଅତିପ୍ରିୟ । ଗାଁ’ର ତରୁଣମାନଙ୍କୁ ସଙ୍ଗୀତ, ଅଭିନୟ, ଧନୁର୍ବିଦ୍ୟା, ବାଡ଼ିଖେଳ, ଆସନ ଇତ୍ୟାଦି ଶିଖାନ୍ତି କଣାମାମୁଁ । ଡକାୟତମାନଙ୍କ କବଳରୁ ଗାଁର ପଧାନ ଓ ତା’ର ନାତୁଣୀକୁ ରକ୍ଷା କରନ୍ତି କଣାମାମୁଁ । ଜାତୀୟତାବୋଧର ମନ୍ତ୍ର ମଧ୍ୟ ଶିଖାନ୍ତି ସେ । ‘ମୁଁ ଚାହେଁ ସଚ୍ଚୋଟ ଯବାନ୍‌ ; ଯେ ଜୀବନ ଦେଇପାରିବ ଦେଶ ପାଇଁ । ଦେଶକୁ ସ୍ୱାଧୀନ କରିବା ହେବ ଯାହାଙ୍କର ବ୍ରତ, ଧର୍ମ ।’ ଅସଂପୂର୍ଣ୍ଣ ହେଲେହେଁ ଆଦର୍ଶ ମାନବିକ ମୂଲ୍ୟବୋଧର ଏକ ଉଜ୍ଜ୍ୱଳ ଚିତ୍ର, ସ୍ୱଦେଶୀ ଆନ୍ଦୋଳନର ସୂତ୍ରପାତ ତଥା ଉତ୍କଳୀୟ ପଲ୍ଲୀଚିତ୍ରର ଜୀବନ୍ତତା ମଧ୍ୟରେ ଏହା ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଏକ ବଳିଷ୍ଠ ମାଇଲ୍‌ ଖୁଣ୍ଟ ।

 

ହରେକୃଷ୍ଣ ମହତାବଙ୍କର ‘ନୂତନ ଧର୍ମ’ରେ ପ୍ରକୃତ ଧର୍ମର ସ୍ୱରୂପ ଆବେଗମୟ ଭାବରେ ପ୍ରକାଶିତ । ପ୍ରକୃତ ଧର୍ମ ଯେ ଲୋକ ଦେଖାଣିଆ ପ୍ରଚାରବାଦଠୁଁ ଅନେକ ଦୂରରେ; ନରନାରାୟଣଙ୍କ ସେବାରେ, ହୃଦୟର ଗଭୀର ପ୍ରେମୋଚ୍ଛ୍ୱାସରେ, ବିଚାର ଓ ଆଚରଣର ଶୁଦ୍ଧିତାରେ ରହିଚି-ଏହା ‘ନୂତନଧର୍ମ’ର ଅସଲ ବାର୍ତ୍ତା । ହରିହର ବାହାରକୁ ବଡ଼ ଦାନୀ, ଧାର୍ମିକ ଓ ଦୟାବାନ୍‌ ବୋଲି ଦେଖେଇ ହେଲେହେଁ ଅନ୍ତଃକରଣରେ ସେ ଧର୍ମବନ୍ତ ନଥିଲେ । ଅର୍ଥଲୋଭ, ସମ୍ପତ୍ତି ନିଶା ଓ ଆତ୍ମପ୍ରଚାର ତାଙ୍କର ବ୍ୟକ୍ତିତ୍ୱର ମୁଖ୍ୟ ଗୁଣ ଥିଲା । ମାୟାଧରଙ୍କ ମାନବଧର୍ମ ଯେ ପ୍ରକୃତ ଧର୍ମ, ଏକଥା ଶେଷକୁ ସେ ହୃଦୟଙ୍ଗମ କରିଛନ୍ତି ।

 

ପ୍ରାଣକୃଷ୍ଣ ସାମଲଙ୍କର ‘ହାତୀକା ଦାନ୍ତ’ ୧୯୪୭ ମସିହାରେ ପ୍ରକାଶିତ ହୁଏ । ଏଥିରେ ଶ୍ୟାମ କବିରାଜ ଏକ ବଳିଷ୍ଠ ଆଦର୍ଶବାଦୀ ବ୍ୟକ୍ତିତ୍ୱ । ପାପାତ୍ମା ଜମିଦାର ଦଇତାରୀ ବିଶୋଇର ସମସ୍ତ ସୁଚତୁର ଷଡ଼ଯନ୍ତ୍ର ଶ୍ୟାମଙ୍କର ବ୍ୟକ୍ତିତ୍ୱର ତୁଙ୍ଗିମା ଓ ମହନୀୟତା ଆଗରେ ପରାଜିତ ହୋଇଛି ।

 

କାହ୍ନୁ ଚରଣଙ୍କର ‘ପରୀ’ର ପରୀ ମଧ୍ୟ ଏକ ବଳିଷ୍ଠ ଚରିତ୍ର । ସ୍ୱର୍ଗର ପରୀଟିଏ ପରି ଏକ ସ୍ୱର୍ଗୀୟ ଦେବୋପମ ଆଦର୍ଶ ଚରିତ୍ର ଭାବରେ ପରୀ ଚରିତ୍ରର ପରିକଳ୍ପନା ଓ ଚିତ୍ରଣ କରାଯାଇଛି । ପିତାମାତା, ଜାତିଗୋତ୍ରହୀନା ପରୀ ଖୁଡ଼ୀର ସମସ୍ତ ଅତ୍ୟାଚାର ଓ ନିପୀଡ଼ନ ମଧ୍ୟରେ ଏକ ଶୁଭ୍ର ସତେଜ ପଦ୍ମଫୁଲ ପରି ବିକଶି ଉଠିଛି । ତା’ର କ୍ଷମାଶୀଳତା, ଉଦାରତା, ସ୍ନେହ ଓ ସେବାରେ ଖୁଡ଼ୀର ହୃଦୟର ମାନଚିତ୍ର ସେ ବଦଳାଇ ଦେଇପାରିଛି ।

 

କାହ୍ନୁଚରଣଙ୍କ ଅନ୍ୟତମ ସଫଳ ଉପନ୍ୟାସ ‘ତଥାସ୍ତୁ’ର ରଚନା ଓ ପ୍ରକାଶକାଳ ପାଠକକୁ ବିସ୍ମିତ କରେ । ୧୯୨୬ ମସିହାରେ ରଚିତ ହୋଇ ସୁଦ୍ଧା ଦୀର୍ଘ ୩୭ ବର୍ଷ ପରେ ୧୯୬୩ରେ ଏହା ପ୍ରକାଶିତ ହେବାର ପ୍ରକୃତ କାରଣ ସଠିକ୍‌ ଜଣାଯାଏନା । ଏଥିରେ ପୁରାଣ ଉପନିଷଦ ପ୍ରଭୃତି ଧର୍ମଗ୍ରନ୍ଥମାନଙ୍କରୁ ଲେଖକ ଆହରଣ କରିଥିବା ନୈତିକ ଓ ଆଧ୍ୟାତ୍ମିକ ଚେତନାର ପ୍ରତିଫଳନ ଦେଖାଯାଏ । ନବୀନ, ହରିପୁର ରାଜା, ଆଶା ଓ ସାବିତ୍ରୀ ଦେବୀ ପ୍ରଭୃତି ଆଦର୍ଶ ଚରିତ୍ରମାନେ କେତେକାଂଶରେ ଏକ ଅତିମାନବିକ ସ୍ତର ସ୍ପର୍ଶ କରିଥିବା ଲକ୍ଷ୍ୟ କରାଯାଏ । ଆଦର୍ଶବାଦର ଅତ୍ୟନ୍ତ ଊର୍ଦ୍ଧ୍ୱାୟିତ ଚରମ ନିଦର୍ଶନରେ ପାଠକଙ୍କୁ ପ୍ରଭାବିତ ତଥା ପରିଚାଳିତ କରିବା ଲେଖକଙ୍କର ଉଦ୍ଦେଶ୍ୟ ବୋଲି ମନେହୁଏ ।

 

‘ହା ଅନ୍ନ’ର ଚିତ୍କାର ମଧ୍ୟରୁହିଁ ‘ଶାସ୍ତି’ର ସୃଷ୍ଟି । ‘ଶାସ୍ତି’ରେ କାହ୍ନୁଚରଣ ସନେଇ ପରି ଏକ ଅଳ୍ପ ଶିକ୍ଷିତ ଗ୍ରାମ୍ୟଯୁବକକୁ ଏକ ଦୃଢ଼ ଆଦର୍ଶ ଚରିତ୍ରରେ ପରିଣତ କରିଛନ୍ତି । ଧୋବୀ ଓ ସନେଇର ପ୍ରେମର ଅସଫଳ ପରିଣତି ଏକ କରୁଣ ପରିବେଶ ସୃଷ୍ଟିକରେ । ସନେଇ ତା’ର ଶ୍ରେଣୀବିହୀନ ଆଦର୍ଶ ସମାଜ ଗଠନ କରିବାରେ ଏକ ଦୃଢ଼ ଓ ସଫଳ ପଦକ୍ଷେପ ନେବାରେ ସମର୍ଥ ହୋଇଛି; କିନ୍ତୁ ଯେଉଁ ଧୋବୀ ତା’ ପାଇଁ ପ୍ରଭୂତ ତ୍ୟାଗ ସ୍ୱୀକାର କରିଛି ଓ ସକଳ ବାଧାବିଘ୍ନ ବିପଦ ସତ୍ତ୍ୱେ ତାକୁ ଭଲପାଇ ବସିଚି-ତାକୁ ସେ ନିଜର କରିପାରିନାହିଁ । ଧୋବୀର ମାନସିକ ଦ୍ୱନ୍ଦ୍ୱ ଓ କୁଣ୍ଠିତତାର ଅବସାନ ଘଟିଲାବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଛି । କଇଁ ଓ ସନେଇର ନିଃସର୍ଗ ନୀଡ଼ଟି ଦେଖି ସ୍ତମ୍ଭିତା ହୋଇ ରହିଯାଇଚି ଧୋବୀ ।

 

ରାମଶଙ୍କରଙ୍କର ‘ବିବାସିନୀ’ର ମୁଖ୍ୟ ନାୟକ ରଘୁନାଥ ଜଣେ ସାହସୀ ଆଦର୍ଶ ଯୁବକଭାବରେ ପାଠକଙ୍କ ସମ୍ମୁଖରେ ଉପସ୍ଥାପିତ । ସେ ଏକାନ୍ତ ଦେଶପ୍ରେମୀ ଏବଂ ମାତୃଭକ୍ତ । ମାତୃ ଅବହେଳା ଆଶଙ୍କାରେ ସେ ବିପତ୍ନୀକ ହେଲେହେଁ ଦ୍ୱିତୀୟ ବିବାହ କରିନାହିଁ । ରଘୁନାଥ ଚରିତ୍ର ସୃଷ୍ଟିମୂଳରେ ଲେଖକଙ୍କର ଯେଉଁ ଉତ୍ତୁଙ୍ଗ ଆଦର୍ଶବୋଧ ରହିଚି ତାହା ସ୍ପଷ୍ଟଭାବେ ଉପଲବ୍‌ଧି କରିହୁଏ ।

 

ବାଲ୍ୟବିବାହ ପରି ଏକ ଜଘନ୍ୟ ସାମାଜିକ କୁସଂସ୍କାର-ଜଡ଼ିତ ପ୍ରଥାର ଭୟାନକ ପରିଣତି ଓ ସାମୂହିକ ସାମାଜିକ ବିପର୍ଯ୍ୟୟର ଏହା କିପରି ଏକ ସ୍ପଷ୍ଟ ଭୂମିକା, ଏହା ଅନେକ ପ୍ରାକ୍‌ସ୍ୱାଧୀନତା କାଳର ଉପନ୍ୟାସରେ ପ୍ରକାଶ କରି ସଂପୃକ୍ତ ଲେଖକମାନେ ଏ ଜାତିକୁ ଏକ ଚେତାବନୀ ଶୁଣାଇବାର ପ୍ରୟାସ କରିଛନ୍ତି । କୁନ୍ତଳା କୁମାରୀ ସାବତଙ୍କର ‘କାଳୀବୋହୂ’ ଉପନ୍ୟାସରେ କାଳୀବୋହୂ ହେଉଛି ଲକ୍ଷ୍ମୀ । ବାଲ୍ୟବିବାହ କରି ମାତ୍ର ୧୦ ବର୍ଷ ବୟସରେ ବିବାହ କ’ଣ ଜାଣିବା ପୂର୍ବରୁ ସେ ହୁଏ ବିଧବା ।

 

କୁନ୍ତଳା କୁମାରୀ ବାଲ୍ୟବିବାହର ସଂପୂର୍ଣ୍ଣ ବିରୋଧୀ ଥିଲେ । ତେଣୁ ବାଲ୍ୟବିବାହ ବିରୋଧୀ ସାରଦା ଆଇନକୁ କାର୍ଯ୍ୟକାରୀ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାଲ୍ୟବିବାହର ବିଷମୟ ପରିଣତି ନିଜେ ଲେଖିକା ଯଥାର୍ଥଭାବେ ହୃଦୟଙ୍ଗମ କରିଥିଲେ ଏବଂ ସମାଜକୁ ଏହି ସଚେତନତା ପ୍ରଦାନ କରିବାକୁ ‘କାଳୀବୋହୂ’ର କଥାବସ୍ତୁ ପରିକଳ୍ପନା କରିଥିଲେ । ଧୂଳିଖେଳ ନସରୁଣୁ ସମାଜପତିମାନେ ଶାସ୍ତ୍ର, ପରମ୍ପରା, କୁଳାଚାର ଆଦିର ଦ୍ୱାହି ଦେଇ ଅବୋଧ ଶିଶୁ ଦୁଇଟିକୁ ଯେଉଁ ବିବାହବନ୍ଧନରେ ଛନ୍ଦି ଦିଅନ୍ତି, ତାହା ପ୍ରକାରାନ୍ତରେ ସେମାନଙ୍କର ଭବିଷ୍ୟତ ଜୀବନର ଚରମ ବିପର୍ଯ୍ୟୟର ଭୂମିକା ବ୍ୟତୀତ ଅନ୍ୟ କିଛି ନୁହେଁ ।

 

କାହ୍ନୁଚରଣଙ୍କର ‘ନିଷ୍ପତ୍ତି’ ବାଲ୍ୟବିବାହ ବିରୁଦ୍ଧରେ ଓ ବିଧବା ବିବାହ ସପକ୍ଷରେ ଏକ ସାରସ୍ୱତ ନିଷ୍ପତ୍ତି । ଅକାଳ ବୈଧବ୍ୟ ହିଁ ବାଲ୍ୟବିବାହର ଅନ୍ୟତମ ମୁଖ୍ୟ କୁପରିଣତି ଓ ବିପର୍ଯ୍ୟୟ-। କାରଣ ଶିଶୁ ମୃତ୍ୟୁ ବା Child mortality ସବୁବେଳେ ସାଧାରଣ ମୃତ୍ୟୁହାରଠାରୁ ଅଧିକ ହୋଇଥାଏ । ତା’ ଛଡ଼ା ବାଲ୍ୟବିବାହରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶରୀରତାତ୍ତ୍ୱିକ, ମାନସିକ ଓ ସାମାଜିକ ସମସ୍ୟାମାନ ମଧ୍ୟ ରହିଚି । ବିବାହ କ’ଣ ବୋଲି ଜାଣିବା ପୂର୍ବରୁ ହାରାମଣି ବୈଧବ୍ୟର ଶାପରେ ଗ୍ରସ୍ତାହୁଏ ଓ ଜୀବନ-ସଂଗ୍ରାମର କଠୋରତମ ପର୍ଯ୍ୟାୟରେ ଉପନୀତା ହୁଏ । ‘ଭଲପାଇବାର ଶେଷକଥା’ରେ ମଧ୍ୟ ବାଲ୍ୟବିବାହ ବିରୁଦ୍ଧରେ କାହ୍ନୁ ଚରଣଙ୍କର ନିର୍ଦ୍ଦିଷ୍ଟ ସ୍ୱର ପ୍ରତିଧ୍ୱନିତ । ଗୁଣସାଆନ୍ତ ବାଲ୍ୟବିବାହିତା ପତ୍ନୀ ବୀଣାକୁ ପରିତ୍ୟାଗ କରି ଫୁଲକୁ ଆପଣାର କରିବାର ତାଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲେ ଗୋଟିଏ ନିରୀହ ଝିଅର ଜୀବନ ନଷ୍ଟବିନଷ୍ଟ ହୋଇଯାଇଥାନ୍ତା । ଫୁଲପରି ଏକ ବିରାଟ ହୃଦୟର ଅଧିକାରିଣୀ ଅଶିକ୍ଷିତା ଅଛୁଆଁ ଜାତିର ଝିଅ ସେ ବିପର୍ଯ୍ୟୟର ପଥରୋଧ କରିଛି ।

 

ପାଶ୍ଚାତ୍ୟ ଦେଶମାନଙ୍କ ପରି ଆମ ଦେଶରେ ପୁରୁଷ ସହ ସମାନ ଆସନ ନାରୀକୁ ପ୍ରଦାନ କରାଯାଇନାହିଁ । ଆମ ସମାଜରେ ଯୁଗେ ଯୁଗେ ନାରୀକୁ ତା’ର ସମସ୍ତ ତ୍ୟାଗ, ଧୈର୍ଯ୍ୟ, ସହନଶୀଳତା, ସାଧନା, ଅଧ୍ୟବସାୟ, ପ୍ରେମ ଓ ପବିତ୍ରତା ସତ୍ୱେ ନାଯ୍ୟ ସମ୍ମାନ ଓ ପୁରୁଷ ସହ ସମାସନ ଦିଆଯାଇନାହିଁ । ପୁରୁଷ ନିକଟରେ ନାରୀ ଏକ ଅଧସ୍ତନ କର୍ମଚାରୀ ଭଳି ଆଜ୍ଞାଧୀନ ବଶମ୍ବଦ ହୋଇ ନିମ୍ନତର ଗୌଣ ଭୂମିକାଟିରେ ସବୁବେଳେ ବାଧ୍ୟହୋଇ ସନ୍ତୁଷ୍ଟ ହୋଇ ଆସିଚି । ବସ୍ତୁତଃ, ଭିତରେ ସେ ଅସନ୍ତୁଷ୍ଟା ଓ ବିଦ୍ରୋହିଣୀ ହିଁ ହୋଇଚି । ନାରୀ ନିର୍ଯ୍ୟାତନା, ନାରୀ ଜୀବନର କଷଣ ତଥା ତ୍ୟାଗର ଚିତ୍ର ଅନେକ ଉପନ୍ୟାସରେ ତେଣୁ ପ୍ରକାଶିତ ହୋଇଥିବାର ପାଠକ ଲକ୍ଷ୍ୟକରେ ।

 

କୁନ୍ତଳା କୁମାରୀଙ୍କ ‘ପରଶମଣି’ରେ ଶାଶୁ, ନଣନ୍ଦ ଓ ସ୍ୱାମୀଙ୍କ ଅତ୍ୟାଚାରରେ କୁଳବଧୂ ଲଳିତାର ଜୀବନ ଦୁର୍ବିସହ ହୋଇପଡ଼ିଛି । କିନ୍ତୁ ଶେଷରେ ଅବଶ୍ୟ ଲଳିତାର ଧୈର୍ଯ୍ୟ, ସ୍ଥୈର୍ଯ୍ୟ ଓ ସୁଗୁଣର ସ୍ପର୍ଶମଣିର ଛୁଆଁରେ ଶାଶୁ, ନଣନ୍ଦାଦି ନିଜର ଭୁଲ୍‌ ବୁଝି ପାରିଛନ୍ତି ଓ ପରିବାର ମଧ୍ୟରେ ଶାନ୍ତି ଫେରି ଆସିଛି ।

 

କାହ୍ନୁଚରଣଙ୍କର ‘ପରୀ’ରେ ଅତ୍ୟାଚାରିଣୀ ନିର୍ଯ୍ୟାତନାକାରିଣୀର ଭୂମିକାରେ ଠିଆ ହୋଇଛି ପରୀର ଖୁଡ଼ୀ । ପରୀ ପିତାମାତାହୀନା, ଅନାଥିନୀ । ତା’ର ଜାତିଗୋତ୍ର ମଧ୍ୟ ଜଣାନାହିଁ । ଏକ ମେଘମେଦୂର ବର୍ଷଣମୁଖର ରାତ୍ରିରେ ମାଆ ତା’ର ତାକୁ ଛାଡ଼ି ଚାଲିଯାଏ ସବୁଦିନ ଲାଗି । ଖୁଡ଼ୀର ପ୍ରହାରରେ ସେ ରକ୍ତ ସ୍ନାନ କରିଛି । କିନ୍ତୁ ତା’ର ଅସୀମ ଧୈର୍ଯ୍ୟ, ସହିଷ୍ଣୁତା ଓ ନିଷ୍କପଟ ପ୍ରେମର ଯଥାର୍ଥ ପ୍ରତିଦାନ ଶେଷକୁ ସେ ପାଇ ପାରିଛି ।

 

କାହ୍ନୁଚରଣଙ୍କର ଅନ୍ୟତମ ସଫଳ ସାମାଜିକ ଉପନ୍ୟାସ ‘ଅଦେଖାହାତ’ରେ ଦାରିଦ୍ର୍ୟ ନିପୀଡ଼ିତା, ମିଥ୍ୟା ଅପବାଦର ଶିକାର ଗୀତା ଭଳି ଝିଅଙ୍କ କରୁଣ କାହାଣୀ; ଗାଁ’ ମାଇପଙ୍କର ଅସୂୟା ପ୍ରଣୋଦିତ କୁତ୍ସାରଟନାର କୁତ୍ସିତତା ବର୍ଣ୍ଣିତ । ପିତୃହୀନା ଗୀତା ଉପରେ ଉଭୟ ସମାଜ ଓ ଦାରିଦ୍ର୍ୟରୂପୀ ଅଦୃଷ୍ଟର ନିର୍ମମ ନିର୍ଯ୍ୟାତନା ହୋଇଚାଲିଛି । ‘ଏପାରିସେପାରି’ରେ ପେଚିର ଚରିତ୍ର କାହ୍ନୁଚରଣଙ୍କର ଏକ ବଳିଷ୍ଠ ଚରିତ୍ର ସୃଷ୍ଟି । ଭାଗ୍ୟର ନିର୍ମମ ଉପହାସ ଓ ଦାରିଦ୍ର୍ୟର ନିଷ୍ଠୁର କଷାଘାତ ତଳେ ସୁଦ୍ଧା ପେଚି ନିଜକୁ ଅନ୍ୟମାନଙ୍କ ସୁଖଲାଗି ଉତ୍ସର୍ଗ କରି ଚାଲିଛି । ଯେଉଁ ଭାଇକୁ ଜନ୍ମକଲା ସନ୍ତାନପରି କୋଳରେ ପୂରାଇ ମଣିଷ କଲା, ସେ ହୋଇଚି ପର । ଭାଇକୁ ଷଣ୍ଢମୁହଁରୁ ବଞ୍ଚାଇବାକୁ ଯାଇ ଛୋଟୀ ହୋଇଯିବାରୁ ସ୍ୱାମୀ ତାକୁ ପରିତ୍ୟାଗ କରି ଆଉ ଜଣକୁ (ଚମ୍ପା) ବିବାହ କରେ । ପେଚି କିନ୍ତୁ ଶେଷରେ ତା’ର ଆତ୍ମୋତ୍ସର୍ଗ, ତ୍ୟାଗ ଓ ପ୍ରେମର ପୁରସ୍କାର ପାଇଛି । ମଣିଆ (ତା’ ସ୍ୱାମୀ) ଓ ଚମ୍ପା ତାକୁ ଆଦରକରି ତୋଳି ନେଇଛନ୍ତି ।

 

ସ୍ୱାଧୀନତା ପୂର୍ବରୁ ଓଡ଼ିଆରେ ନିର୍ଦ୍ଦିଷ୍ଟଭାବେ ରାଜନୈତିକ କାହାଣୀ ବା କଥାବସ୍ତୁକୁ ନେଇ ରଚିତ ହୋଇଥିବା ଉପନ୍ୟାସର ସଂଖ୍ୟା କମ୍ । ଯଦିଓ ରାଜନୈତିକ ଚିତ୍ର ଓ ସଚେତନତା କାହାଣୀ କ୍ରମରେ ଅନେକ ଉପନ୍ୟାସରେ ବିକ୍ଷିପ୍ତଭାବେ ପ୍ରକାଶିତ । ଡକ୍ଟର ହରେକୃଷ୍ଣ ମହତାବ ରାଜନୈତିକ କାହାଣୀକୁ ନେଇ ଏକାଧିକ ସଫଳ ଉପନ୍ୟାସ ପ୍ରଣୟନ କରିଛନ୍ତି । ‘ପ୍ରତିଭା’ ଉପନ୍ୟାସରେ ତାଙ୍କର ସ୍ୱାଧୀନତା ସଂଗ୍ରାମକାଳୀନ ରାଜନୈତିକ ଜୀବନର ବହୁ ଅନୁଭୂତି ଓ ଅଭିଜ୍ଞତାର ପ୍ରତିଫଳନ ଦେଖାଯାଏ । ଅପୁଛି ଓରଫ୍‌ ପ୍ରତିଭା, ନବୀନ, ମହେନ୍ଦ୍ର, ପ୍ରକାଶ ବାବୁ ଓ ରାମହରି ବାବୁ ପ୍ରଭୃତି ମୁଖ୍ୟ ଚରିତ୍ରମାନଙ୍କୁ ନେଇ ଉପନ୍ୟାସଟି ପୁଷ୍ଟ । ନବୀନ ଓ ପ୍ରତିଭା-ଦୁଇଟି ଦେଶପ୍ରେମୀ, ଉତ୍ସର୍ଗୀକୃତ, ବିପ୍ଳବୀପ୍ରାଣ ନାନା ବିଡ଼ମ୍ବନା ଶେଷରେ ପୁଣି ମିଳିତ ହୋଇଛନ୍ତି ।

 

ମହତାବଙ୍କର ‘ଅବ୍ୟାପାର’ ଓ ‘ଟାଉଟର’ ମଧ୍ୟ ଦୁଇଟି ସଫଳ ରାଜନୈତିକ ଉପନ୍ୟାସ । ପ୍ରଜା ଆନ୍ଦୋଳନ, ଜାତିପ୍ରଥା ଓ ବେଶ୍ୟାବୃତ୍ତିର ସମସ୍ୟା, ଓଡ଼ିଶାର ପଲ୍ଲୀମାନଙ୍କର ଖାଦ୍ୟ ସମସ୍ୟା ଆଦି ଏହାର ପ୍ରଧାନ ଉପଜୀବ୍ୟ । ‘ଟାଉଟର’ରେ ଗୋଟିଏ ପକ୍ଷରେ ବାସୁଦେବ, ହରପ୍ରସାଦ ଓ ପ୍ରହ୍ଲାଦ ପରି ଶୋଷକ ତଥା ଟାଉଟର ଗୋଷ୍ଠୀ ଏବଂ ଅନ୍ୟ ପାର୍ଶ୍ୱରେ ଚାଟଶାଳୀର ଶିକ୍ଷକ ନିଃସ୍ୱାର୍ଥପର ବିପ୍ଳବୀ, ତ୍ୟାଗୀ, ସମାଜସେବୀ ରାମଚନ୍ଦ୍ର ରହିଛନ୍ତି । ଏହି ଟାଉଟରମାନଙ୍କ ଦ୍ୱାରା ରାଜନୀତି କଳୁଷିତ ହେଉଛି ଓ ସମାଜ କ୍ଷତିଗ୍ରସ୍ତ ହେଉଛି । ପଲ୍ଲୀ ଅଞ୍ଚଳରେ ସାମୂହିକ ଲୋକଚରିତ୍ରର ପରିବର୍ତ୍ତନ ଓ ଦେଶାତ୍ମବୋଧର ଜାଗରଣ ହେଲେ ଗାଁରୁ ଟାଉଟରୀ ଦୂର ହେବା ସମ୍ଭବ ହେବ ବୋଲି ଲେଖକ ଦର୍ଶାଇଛନ୍ତି ।

 

ବୈଧବ୍ୟର ନିଷ୍ଠୁର ଅଭିଶାପ କୁସଂସ୍କାରାଚ୍ଛନ୍ନ ପଲ୍ଲୀଅଞ୍ଚଳରେ ଜଣେ ନାରୀ ପକ୍ଷରେ କେତେ ଯେ ଉତ୍କଟ ଓ ଅସହ୍ୟ ଏହା କେତେକ ଉପନ୍ୟାସରେ ପାଠକକୁ ସ୍ପର୍ଶ କରିବା ପରି ବର୍ଣ୍ଣିତ-। ଚିନ୍ତାମଣି ମହାନ୍ତିଙ୍କର ‘ବୁଲାଫକୀର’ ଏକ ମିଳନାନ୍ତ ଉପନ୍ୟାସ ହେଲେ ହେଁ ଜାନକୀର ବୈଧବ୍ୟର ଚିତ୍ର ବେଶ୍ ପ୍ରଭାବଶାଳୀ । ସୁନ୍ଦରପୁରର ପୁରନ୍ଦର ମହାପାତ୍ର ସଙ୍ଗତିସଂପନ୍ନ ଓ ଅପୁତ୍ରିକ । କନ୍ୟା ଜାନକୀ ବିବାହର ଅଳ୍ପଦିନପରେ ବୈଧବ୍ୟ ହେତୁ ପିତ୍ରାଳୟରେ ଆଶ୍ରିତା ହୁଏ । ସ୍ନେହମୟୀ ଜନନୀର ଅଭାବ ଜାନକୀ ପକ୍ଷରେ ହୋଇଛି ଦୁର୍ବିସହ ଏବଂ କନ୍ୟାର ବୈଧବ୍ୟ ପିତା ପକ୍ଷରେ ସହ୍ୟ କରିବା ମଧ୍ୟ ହୋଇଚି କଷ୍ଟସାଧ୍ୟ ।

 

କୁନ୍ତଳା କୁମାରୀଙ୍କର ‘କାଳୀବୋହୂ’ରେ ଲକ୍ଷ୍ମୀ ମାତ୍ର ୧୦ ବର୍ଷରେ ହୁଏ ବିଧବା । ଲେଖିକା ସମାଜକୁ ତୀବ୍ର ସ୍ୱରରେ ପ୍ରଶ୍ନ କରିଛନ୍ତି-ବୈଧବ୍ୟ ଅଭିଶାପର ଚରମ ନିଷ୍ଠୁରତା ଲକ୍ଷ୍ମୀ ଉପରେ ଲଦିଦେବାକୁ ଏ ସମାଜ କାହିଁକି ଶପଥବଦ୍ଧ ? କାହିଁକି ତା’ ଲାଗି ଉପଭୋଗ ଅୟସ ମନା-? କାହିଁକି ସେ ଏତେ ଏକାକିନୀ, ନିଃସଙ୍ଗ, କାହିଁକି ନାରୀତ୍ୱ ଓ ମାତୃତ୍ୱରୁ ବଞ୍ଚିତା ? ଏ ଅନ୍ଧସମାଜର ଅନ୍ଧାରି ନିୟମ ମାନିବାକୁ କାହିଁକି ସେ ହେବ ବାଧ୍ୟ ?

 

କାହ୍ନୁଚରଣଙ୍କ ‘ତୁଣ୍ଡବାଇଦ’ରେ ତୁଳସୀ ପ୍ରଥମରୁ ତୁଳସୀ ପରି ପବିତ୍ର ଚରିତ୍ରଟିଏ ହୋଇ ଦେଖାଦିଏ । ମାତ୍ର ଯୌବନର ମଧ୍ୟାହ୍ନରେ ସେ ହୁଏ ବିଧବା । ତା’ପରେ ଦିଅର ସୁର ସହିତ ତା’ର ସଂପର୍କକୁ ନେଇ ତୁଣ୍ଡବାଇଦରେ ସହସ୍ରକୋଶ ଧରି ଅପପ୍ରଚାର ହୁଏ । ତୁଳସୀ ଆଉ ତୁଳସୀ ପରି ପବିତ୍ର ରହିପାରେନି । ପେଟର ଜ୍ଜ୍ୱାଳା ଓ ଦେହର ଅଗ୍ନିକୁ ଶାନ୍ତ କରିବାକୁ ନିଜକୁ ଟିମଭାଇଙ୍କ ବାହୁପାଶରେ ସମର୍ପଣ କରେ । ଦେବତୁଲ୍ୟ ଦିଅର ପ୍ରତି ପାପାସକ୍ତି ଅନୁଭବ କରେ । ଶେଷରେ ତା’ର ସମସ୍ତ ଭ୍ରାନ୍ତି ଦୂର ହୁଏ ।

 

ଜାତୀୟତାବୋଧ, ଦେଶପାଇଁ ତ୍ୟାଗ ଓ ବିପ୍ଳବର ଧ୍ୱଜା ଧାରଣର କାହାଣୀ ପରାଧୀନ ଭାରତରେ ଜନଜାଗରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଆବଶ୍ୟକତା ଥିଲା । ଏଭଳି କଥାବସ୍ତୁକୁ ଓଡ଼ିଆ କଥାକାରମାନେ ଉଚିତ୍‌ ସମ୍ମାନ ପ୍ରଦର୍ଶନ କରି ଉପନ୍ୟାସର ରୂପଦେଇଛନ୍ତି । ଗୋଦାବରୀଶ ମହାପାତ୍ରଙ୍କ ‘ବନ୍ଦୀର ମାୟା’ରେ ଦେବନାଥ ଓ ଫୁଲର ପାରସ୍ପରିକ ନିବିଡ଼ ପ୍ରେମ ଓ ଗଭୀର ଜାତୀୟତାବୋଧ କଥାବସ୍ତୁର ମୁଖ୍ୟସ୍ଵର ଭାବରେ ଗୃହୀତ ହୋଇଛି । ଏହି ବିୟୋଗାନ୍ତ ଉପନ୍ୟାସରେ ଜାତିର ବିରାଟ ସ୍ୱାର୍ଥ ଆଗରେ ବ୍ୟକ୍ତିଗତ ଜୀବନର ସୁଖଦୁଃଖ ଓ ସ୍ୱପ୍ନକୁ ଜଳାଞ୍ଜଳି ଦେବାର ମହାତ୍ୟାଗସିକ୍ତ ଆଦର୍ଶ ପ୍ରତିଷ୍ଠା କରି ଦେବନାଥ ଓ ଫୁଲ ଚରିତ୍ର ଦୁଇଟି ହୋଇଛନ୍ତି ମହାନ୍‌ ଓ ସ୍ମରଣୀୟ ।

 

କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ‘କଣାମାମୁ’ ଉପନ୍ୟାସର କଣାମାମୁ ଏକ ଦେଶପ୍ରେମୀ, ସ୍ୱାଧୀନଚେତା, ସ୍ୱାଭିମାନୀ ଓ ବିପ୍ଳବୀ ଚରିତ୍ର । ସାରା ଗାଁରେ ଜାତୀୟବୋଧର ମନ୍ତ୍ର ପ୍ରଚାର କରନ୍ତି କଣାମାମୁ । ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା ଦେଶପାଇଁ ନିଜର ବ୍ୟକ୍ତିଗତ ଦୁନିଆଁକୁ ସେ ବଳି ଦେଇଛନ୍ତି । ସେ ଖୋଜିଛନ୍ତି ସଚ୍ଚୋଟ ଯବାନ୍‌, ଦେଶ ପାଇଁ ଯେ ଜୀବନ ଦେଇପାରିବ । ପରାଧୀନତା କବଳରୁ ଦେଶକୁ ମୁକ୍ତ କରିବା ହେବ ଯାହାଙ୍କ ଜୀବନର ଏକମାତ୍ର ଧର୍ମ ଓ ଲକ୍ଷ୍ୟ ।

 

ଗୋଦାବରୀଶ ମିଶ୍ରଙ୍କର ‘ନିର୍ବାସିତ’ ଉପନ୍ୟାସରେ ବକ୍‌ସିଙ୍କର ବୈପ୍ଳବିକ ଆହ୍ୱାନର ଏକ ପ୍ରତ୍ୟୁତ୍ତର ଶୁଣିବାକୁ ମିଳେ । ‘ନିର୍ବାସନ’ର ଗଳ୍ପାଂଶର ଅଭିବୃଦ୍ଧି ସାଧିତ ହୋଇଛି ମେଜର ବେହେରାଙ୍କର ନିଜ ରାଜାଙ୍କୁ ଉଦ୍ଧାର କରିବାର ସାହସିକ ପ୍ରୟାସଦ୍ୱାରା । ତତ୍କାଳୀନ ସମାଜରେ ଗ୍ରାମବାସୀମାନଙ୍କର ଧର୍ମଭୟ କିପରି ଶକ୍ତିଶାଳୀ ଥିଲା, ତାହା, କେତେକ ଉପନ୍ୟାସରେ ଦେଖିବାକୁ ମିଳେ । ଚିନ୍ତାମଣି ମହାନ୍ତିଙ୍କ ‘ଯୁଗଳ ମଠ’ରେ ସାଧାରଣ ପଲ୍ଲୀବାସୀଙ୍କର ସରଳତା ଓ ଧର୍ମାଶ୍ରିତ ଜୀବନର ଚିତ୍ର ଦେଖିବାକୁ ମିଳେ । ଏଥିରେ ଗ୍ରାମବାସୀମାନଙ୍କର ଧର୍ମ ଭୟ ବେଶ୍‌ କୌତୁହଳୋଦ୍ଦୀପକ ଭାବରେ ଲେଖକ ବର୍ଣ୍ଣନା କରିଛନ୍ତି । ଗୋପୀନାଥ ମହାନ୍ତିଙ୍କର ‘ଦାଦିବୁଢ଼ା’ରେ ଆଦିବାସୀମାନଙ୍କର ଆଦିମ ବିଶ୍ଵାସ ଓ ଧର୍ମାନୁରକ୍ତିର ଚିତ୍ର ମଧ୍ୟ ଯେଭଳି ଜୀବନ୍ତ ସେହିଭଳି କୌତୂହଳପ୍ରଦ । ଗୋଟିଏ ଖଜୁରୀ ଗଛରେ ସେମାନେ ସ୍ଥାପନା କରନ୍ତି ତାଙ୍କର ଦେବତା ‘ଦାଦିବୁଢ଼ା’କୁ । ତା’ ପାଖରେ ମାନସିକ କରି କେହି ହତାଶ ହୁଏନି । ଏପରିକି ଘାତକ, ଚୋର, ତସ୍କର ମଧ୍ୟ ନୁହେଁ ।

 

ମାନବିକ ପ୍ରେମର ଚିତ୍ରଣ ପ୍ରାୟ ପ୍ରତ୍ୟେକ ଉପନ୍ୟାସର କାହାଣୀ କ୍ରମରେ କୌଣସି ନା କୌଣସି ପର୍ଯ୍ୟାୟକୁ ମଣ୍ଡନ କରିଥାଏ । ତେବେ କେତେକ ଉପନ୍ୟାସରେ ପ୍ରେମକୁ ଏକ ବିଶେଷ ପାହ୍ୟା ବା ମର୍ଯ୍ୟାଦା ପ୍ରଦାନ କରି କାହାଣୀର ପରିକଳ୍ପନା କରାଯାଇଥିବା ଦେଖିବାକୁ ମିଳେ ।

 

ନିତ୍ୟାନନ୍ଦ ମହାପାତ୍ରଙ୍କର ‘ଜିଅନ୍ତା ମଣିଷ’ରେ ନାୟିକା ଚପଳା ଏକ ମାନସିକ ଚପଳତାର ବଶବର୍ତ୍ତୀ ହୋଇ ତ୍ରିମୁଖୀ ପ୍ରେମର କଷଣ ଜାଲରେ ପଡ଼ି ଜୀବନର ପ୍ରକୃତ ଲକ୍ଷ୍ୟ ନେଇ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଛି । ଲେଖକ ପ୍ରତିପାଦନ କରିବାକୁ ଚାହିଁଛନ୍ତି ଯେ ମଣିଷର ବ୍ୟକ୍ତିତ୍ୱର ବାରମ୍ବାର ମୃତ୍ୟୁ ଘଟିଲେ ମଧ୍ୟ ସେ ବଞ୍ଚିରହିବାକୁ ଚାହେଁ । ନିଜର ଜୀବନ ଓ ଜୀବନ୍ତତା ଜାହିର୍‌ କରିବାକୁ ଚାହେଁ । ଏପରିକି ମୃତ୍ୟୁ କାର୍ଯ୍ୟରେ ମଧ୍ୟ ବଞ୍ଚି ରହିବାର ଇଚ୍ଛାକୁ ଅବଦମନ କରିପାରେନି ।

 

ରାଜକିଶୋର ପଟ୍ଟନାୟକଙ୍କର ‘ପ୍ରେମର ନିୟତି’ ଉପନ୍ୟାସରେ ପ୍ରେମର ଅସଲ ସ୍ୱରୂପ ଓ ପ୍ରବୃତ୍ତିକୁ ଔପନ୍ୟାସିକ ଗଭୀର ତଲ୍ଲୀନତାର ସହ ସଂଶ୍ଳେଷଣ କରି ନିଜର ଅନୁଭୂତି ସିଦ୍ଧ ସିଦ୍ଧାନ୍ତ ଉପରେ କାହାଣୀଟିର ପରିବେଷଣ କରିଛନ୍ତି । ରାଜକିଶୋରଙ୍କର ‘ଚଲାବାଟ’ରେ ମଣିଷର ଜୀବନର ଚଲାପଥରେ ପ୍ରେମ ହିଁ ଯେ ସର୍ବଶ୍ରେଷ୍ଠ ଓ ସର୍ବାଧିକ ମୂଲ୍ୟବାନ୍‌ ପାଥେୟ ଏହା ହିଁ ପ୍ରତିପାଦିତ ହୋଇଛି । ଅମରେନ୍ଦ୍ର, ଦେବୀଦତ୍ତ, ପ୍ରଫେସର ପ୍ରସାଦ, ରୀତା, ସୁମତି, ବିନି-ସମସ୍ତେ ନିଜନିଜ ଜୀବନର ଚଲାପଥରେ ‘ପ୍ରେମ’ ନାମକ ମହାର୍ଘ ବସ୍ତୁଟିର ସଂଧାନରେ ହିଁ ମନୋନିବେଶ କରିଛନ୍ତି ।

 

ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣର ନବଦିଗନ୍ତ ଉନ୍ମୋଚନ କରନ୍ତି ବୈଷ୍ଣବ ଚରଣ ଦାସ । ତାଙ୍କର ‘ମନେ ମନେ’ ୧୯୨୬ ମସିହାରେ ପ୍ରକାଶ ପାଏ । ଆବାଲ୍ୟ ଖେଳ ସାଥୀ ଓ କୈଶୋରର ପ୍ରେମୀଯୁଗଳ ନୀଳୁ ଏବଂ କନକ ପରସ୍ପରକୁ ଜୀବନ ସାଥୀ ଭାବେ ପାଇ ପାରନ୍ତିନି । ଦୁହିଁଙ୍କ ହୃଦୟରେ, ମନର ସୂକ୍ଷ୍ମତମ ପ୍ରଦେଶରେ ସୃଷ୍ଟିହୁଏ ଶୂନ୍ୟତାର ଝଡ଼ । କନକର ନଣନ୍ଦ ରଙ୍ଗି ରଙ୍ଗୀନ୍‌ ସ୍ୱପ୍ନ ଦେଖେ ନୀଳୁକୁ ଆପଣାର କରିବାକୁ । ବ୍ୟର୍ଥତା, ହତାଶ ଓ ଯନ୍ତ୍ରଣାର ଶେଷ ପାହାଚରେ ଠିଆ ହୋଇ ଆତ୍ମହତ୍ୟା କରିବାପୂର୍ବରୁ ରଙ୍ଗି ଓ ନୀଳୁକୁ ଏକତ୍ର କରି ଦେଇଯାଏ କନକ । ସମଗ୍ର ଉପନ୍ୟାସଟିରେ ଭାଷାର ଭାରସାମ୍ୟ ସୁରକ୍ଷିତ ରହି ନପାରିଥିଲେ ହେଁ ଚରିତ୍ରମାନଙ୍କର ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ବୈଷ୍ଣବଚରଣ ପରବର୍ତ୍ତୀ ଲେଖକମାନଙ୍କୁ ନିଃସନ୍ଦେହରେ ଅନୁପ୍ରାଣିତ କରିଛନ୍ତି ଏବଂ ଏଇ ଏକମାତ୍ର ଉପନ୍ୟାସ ଲେଖି ସୁଦ୍ଧା ଓଡ଼ିଆ ସାହିତ୍ୟରେ ସ୍ମରଣୀୟ ହୋଇଛନ୍ତି ।

 

ଉପେନ୍ଦ୍ରକିଶୋର ଦାସଙ୍କର ‘ମଲାଜହ୍ନ’ରେ ସତ୍ୟଭାମା ଓ ନାଥ ମୁଖ୍ୟ ଚରିତ୍ର । ସତୀର ଜୀବନରେ ଗୋଟିଏ ପରେ ଗୋଟିଏ ଝଡ଼ର ଧ୍ୱଂସଲୀଳା ଅଭିନୀତ ହୋଇଚାଲି ଶେଷରେ ତା’ର ମନର ମଣିଷ ନାଥନନା ସହିତ ତା’ର ମିଳନ ଏକ ଅଧାଦେଖା ସ୍ୱପ୍ନ ହୋଇ ରହିଯାଇଛି । ଅଦୃଷ୍ଟର ନିଷ୍ଠୁରତା, ସମାଜର ବୈରତା ସାମ୍ନାରେ ତା’ର ସବୁ ସ୍ୱପ୍ନ ଅସମୟରେ ମଉଳି ଯାଇଛି ଓ ସେ କରିଛି ଆତ୍ମହତ୍ୟା । ସତୀ ଓ ନାଥର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ବେଶ୍‌ ଉଚ୍ଚକୋଟୀର ଓ ବାସ୍ତବଧର୍ମୀ-

 

କାହ୍ନୁଚରଣଙ୍କ ‘ତୁଣ୍ତବାଇଦ’ରେ ତୁଳସୀର ମାନସିକ ପ୍ରତିକ୍ରିୟା ମଧ୍ୟରେ ତା’ର ମନସ୍ତାତ୍ତ୍ୱର କେତେକ ସୂକ୍ଷ୍ମ ଦିଗକୁ ଛୁଇଁହୁଏ । ବୈଧବ୍ୟଗ୍ରସ୍ତା ତୁଳସୀ ଦେହ ଓ ମନରେ ଅବଦମିତ ଚାଞ୍ଚଲ୍ୟକୁ ବେଶିକାଳ ଲୁଚେଇ ପାରେନା । ତାକୁ ଦେବୀ ପରି ଭକ୍ତି କରୁଥିବା ଦିଅର ସୁର ପ୍ରତି ସେ ଆସକ୍ତ ହୁଏ । ଟିମ ଭାଇଙ୍କ ବାହୁ ପାଶରେ ନିଜକୁ ସମର୍ପଣ କରି ଦେହର ଜ୍ୱାଳା ଶାନ୍ତ କରେ-। ଶେଷରେ ସେ ତା’ର ଭୁଲ୍‌ ବୁଝିପାରେ ଓ ସ୍ୱାମୀର ବିଦାୟୀ ଆତ୍ମାକୁ ଆକୁଳ ଭାବେ ନିଜର ଅତି ନିକଟରେ ଅନୁଭବ କରେ । ତୁଳସୀର ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ କାହ୍ନୁଚରଣଙ୍କର ସଫଳତା ଅନସ୍ୱୀକାର୍ଯ୍ୟ ।

 

ଓଡ଼ିଶାର ସଭ୍ୟତା ପଲ୍ଲୀସଭ୍ୟତା । ପଲ୍ଲୀଜୀବନର ମୂଳଦୁଆ ଉପରେ ହିଁ ଆମର ଯାବତୀୟ ସଂସ୍କାର, ପରଂପରା, ରୀତିନୀତି, ଚଳଣି ଓ ଐତିହ୍ୟଗତ ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ । ପୁନଶ୍ଚ, ପ୍ରାକ୍‌ସ୍ୱାଧୀନତା କାଳରେ ଓଡ଼ିଶା ଥିଲା ନଗର-ସଭ୍ୟତାର ନୂତନ ସ୍ପର୍ଶଠୁ’ ଅନେକ ଦୂରରେ । ତେଣୁ ସ୍ୱାଧୀନତା ପୂର୍ବର ଅଧିକାଂଶ ଓଡ଼ିଆ ଉପନ୍ୟାସରେ ପଲ୍ଲୀଚିତ୍ର ଅବଶ୍ୟମ୍ଭାବୀ ହୋଇପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଓଡ଼ିଶାକୁ ଇଂରେଜୀ ଶିକ୍ଷା ସଭ୍ୟତାର ଆଗମନ ଫଳରେ ଉତ୍କଳୀୟ ସଭ୍ୟତା ଓ ସଂସ୍କାର ସହିତ ତାହାର ସ୍ୱାଭାବିକ ଭାବେ ଦ୍ୱନ୍ଦ୍ୱ ଓ ସଂଘର୍ଷ ଜାତ ହୋଇଥିଲା । ତେଣୁ ଏହି ସଂଘର୍ଷର ପ୍ରତିକ୍ରିୟା ମଧ୍ୟ ଅନେକ ଉପନ୍ୟାସରେ ପ୍ରତିଫଳିତି । ଏତଦ୍‌ବ୍ୟତୀତ ଯେଉଁ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣମୂଳକ ବା ରାଜନୈତିକ ଚେତନାମୂଳକ କଥାବସ୍ତୁ ଉପନ୍ୟାସରେ ଗ୍ରହଣ କରାଯାଇଛି, ସେଠାରେ ମଧ୍ୟ ପଲ୍ଲୀ ହିଁ କାହାଣୀଟିର ପୃଷ୍ଠଭୂମି ଭାବେ ଗୃହୀତ ହୋଇଛି । ସ୍ଥୂଳତଃ, ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରେ ରଚିତ ଅଧିକାଂଶ ଉପନ୍ୟାସର ପୃଷ୍ଠଭୂମି ଊଣାଅଧିକେ ପଲ୍ଲୀ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

 

ଅଧ୍ୟାପକ :

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ବି. ଜେ. ବି. କଲେଜ, ଭୁବନେଶ୍ୱର-୧୪

 

***

 

ପରିବର୍ତ୍ତିତ ପଲ୍ଲୀ-ଜୀବନଧାରା ଓ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ

ଅଧ୍ୟାପକ ବାଳକୃଷ୍ଣ ମହାପାତ୍ର

 

ସ୍ୱାଧୀନତା ପ୍ରାପ୍ତି ଭାରତୀୟ ଜୀବନଧାରାରେ ଏକ କ୍ରାନ୍ତିକାରୀ ଘଟଣା । ଏହା କେବଳ ଏକ ରାଜନୈତିକ ମୁକ୍ତି ନଥିଲା, ବରଂ ଜାତୀୟ ଜୀବନର ବିବିଧ କ୍ଷେତ୍ରରେ ଏହା ସୃଷ୍ଟି କରିଥିଲା ନୂତନ ଉନ୍ମାଦନା, ଚଳଚଞ୍ଚଳତା ଓ ଅଭିନବ ପ୍ରାଣସ୍ଫୂର୍ତ୍ତି । ପରିବର୍ତ୍ତନ ପରିପ୍ରେକ୍ଷୀରେ ସାହିତ୍ୟରେ ମଧ୍ୟ ନୂତନତା ପରିଲକ୍ଷିତ ହୋଇଥାଏ । ଇତିହାସରୁ ଜଣାଯାଇଚି ଯେ ଏକ ସ୍ୱାଧୀନ ସମାଜରେ ବୃହତ୍ତର ସାମାଜିକ ଜୀବନର ସ୍ପନ୍ଦନ ଅନୁଭୂତ ହୁଏ । ......ଜୀବନର ବିଭିନ୍ନ ଧାରାରେ ଏକ ପ୍ରମତ୍ତଭାବନା ଜାତୀୟ ଜୀବନକୁ ଆଲୋଡ଼ିତ କରିବା ସମ୍ଭବ ହୋଇଥାଏ । (୧) ସମୟର ପରିବର୍ତ୍ତନର ସ୍ୱାକ୍ଷର ସାହିତ୍ୟରେ ଅବଶ୍ୟମ୍ଭାବୀ । ସାହିତ୍ୟିକ ଜୀବନକୁ ଯେପରି ଭାବେ ଦେଖେ, ବିଭିନ୍ନ ଘଟଣା ତାର ସୃଷ୍ଟିଶୀଳ ମାନସିକତାର ସୂକ୍ଷ୍ମତନ୍ତ୍ରରେ ଯେଉଁ ଝଙ୍କାର ତୋଳେ, ତାକୁ ନିଜସ୍ୱ ଢଙ୍ଗରେ ସେ ପ୍ରକାଶ କରେ । କିନ୍ତୁ ପ୍ରଥମତଃ ସେ ମାଟିର ମଣିଷ । ଆକାଶୀ କଳ୍ପନା ଓ ଧୂଳି ଧୂସରିତ ବାସ୍ତବତାର ଏକ ସମନ୍ୱିତ ଫେଣ୍ଟାଫେଣ୍ଟି ରୂପ ହୁଏ ତାର ସାହିତ୍ୟ । ସମାଜର ଅନ୍ତର୍ଧାରା ଓ ବହିଃରୂପ ଏକ ବିଶେଷ ରୂପରେ ପ୍ରତିଭାତ ହୁଏ ସାହିତ୍ୟରେ ।

 

୧.

ଓଡ଼ିଆ ସାହିତ୍ୟରେ ଜନଜୀବନ : ପଠାଣି ପଟ୍ଟନାୟକ,

ଲେଖକ ସମ୍ମେଳନ (ବ୍ରହ୍ମପୁର), ସ୍ମରଣିକା ୧୯୭୫ ।

 

ଉପନ୍ୟାସ ସାମାଜିକ ଜୀବନଧାରାର ସର୍ବଶ୍ରେଷ୍ଠ ଆଲ୍ଲେଖ୍ୟ । ଏହା ମଣିଷର ସକଳ ବିବିଧତାକୁ ଅତ୍ୟନ୍ତ ବିଶ୍ୱସ୍ତତାର ସହିତ ରୂପାୟିତ କରିଥାଏ । ମଣିଷ ଓ ସମାଜର ସକଳ ବୈଚିତ୍ର୍ୟର ବାସ୍ତବତାକୁ ଉପନ୍ୟାସହିଁ ବିସ୍ତୃତ ଭାବେ ପ୍ରକାଶ କରିଥାଏ । ସାଧାରଣତଃ କୌଣସି ତଥ୍ୟ ସମ୍ପର୍କୀୟ ଧାରଣାର ଅସଂପୂର୍ଣ୍ଣତା କଳାକାର ସାହାଯ୍ୟରେ ଆମ ଆଗରେ ଏକ ପୂର୍ଣ୍ଣସତ୍ୟ ଭାବେ ବିଭାସିତ ହୋଇଥାଏ । କଳାର ଧର୍ମ ଏହିପରି ଭାବରେ ଆମକୁ ନିଜକୁ ଚିହ୍ନିବାର ସୁଯୋଗ ପ୍ରଦାନ କରିବା । (୨) ଉପନ୍ୟାସ ତାହାହିଁ କରିଥାଏ । ଆମକୁ ନିଜ ସଂପର୍କରେ ଓ ସମାଜ ସମ୍ପର୍କରେ ଜାଣିବାପାଇଁ ଏକ ବ୍ୟାପକ ସମ୍ଭାବନାର କ୍ଷେତ୍ରକୁ ନେଇ ଯାଇଥାଏ ।

 

୨.

Indian Literature 1/77, Review on Confession of a lover.

 

ଏହି ପରିପ୍ରେକ୍ଷୀରେ ଓଡ଼ିଆ ଉପନ୍ୟାସର ମୂଲ୍ୟାୟନ ପୂର୍ବରୁ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଭାରତୀୟ ତଥା ଓଡ଼ିଶାର ଜନଜୀବନର ବାସ୍ତବ ସ୍ଥିତି ଓ ସ୍ୱରୂପର ସମ୍ୟକ ଆଲୋଚନା ଆବଶ୍ୟକ । ଭାରତୀୟମାନଙ୍କ ପାଇଁ ସ୍ୱାଧୀନତା ପ୍ରାପ୍ତି ଥିଲା ଏକ ସ୍ୱପ୍ନ । ଦୀର୍ଘଦିନର ଭାରତୀୟ ଜାତୀୟ ସଂଗ୍ରାମ, ମୁଖ୍ୟତଃ ଅହିଂସ ଥିଲେ ମଧ୍ୟ ବେଳେବେଳେ ଏହା ଲହୁଲୁହସିକ୍ତ ନ ହୋଇଚି ତାହା ନୁହେଁ । ମାତ୍ର ଗାନ୍ଧିଜୀଙ୍କ ଯୋଗଦାନପରେ ଏହି ସଂଗ୍ରାମ ବ୍ୟାପକତର ହୋଇଚି ଏବଂ ଗାନ୍ଧିଜୀଙ୍କ ବାଣୀକୁ ଭାରତୀୟ ଜନଗଣ ଏକ ମନ୍ତ୍ର ଭାବେ ଗ୍ରହଣ କରି ନେଇଛନ୍ତି । ଗାନ୍ଧିଜୀ ଥିଲେ ତାଙ୍କ ପ୍ରାଣର ଓ ମନର, ଆଶା ଓ ଆକାଙ୍‌କ୍ଷାର ବାର୍ତ୍ତାବହ ।

 

ଅସହଯୋଗ ଆନ୍ଦୋଳନ ପୂର୍ବରୁ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଭାବ ସେପରି ତୀବ୍ର ଭାବେ ଅନୁଭୂତ ହେଉନଥିଲା । ‘‘ଓଡ଼ିଶାର ଏକମାତ୍ର ରାଜନୀତିକ ଚିନ୍ତାଥାଏ, ଓଡ଼ିଆ ଭାଷାଭାଷୀ ପ୍ରଦେଶର ଏକତ୍ରୀକରଣ ଓ ପଡ଼ୋଶୀ ବଙ୍ଗାଳିମାନଙ୍କର ଔଦ୍ଧତ୍ୟରୁ ଆତ୍ମରକ୍ଷା ।’’ (୩) ପ୍ରଥମ କରି ୧୯୧୯ ଶେଷ ବା ୨୦ ଆରମ୍ଭରେ ଭାରତୀମନ୍ଦିର ପାଠାଗାର ମାଧ୍ୟମରେ ଓଡ଼ିଶାରେ ଭାରତୀୟ ଚିନ୍ତାଧାରା ପ୍ରବେଶ କଲା । ସେତେବେଳେ ସ୍ୱାତନ୍ତ୍ର୍ୟ-ବିହୀନ ଏହି ଦରିଦ୍ରତମ ଅଞ୍ଚଳଟିକୁ ଭାରତର ‘ଦୁର୍ଦ୍ଦଶାଗ୍ରସ୍ତ ଅବସ୍ତାର ପ୍ରତୀକ’ ଭାବେ ଗାନ୍ଧିଜୀ ଚିହ୍ନାଇ ଥିଲେ । (୪) ସେଥିପାଇଁ ସେତେବେଳେ ଏହିପରି ଗୋଟିଏ ଅଭିଶପ୍ତ ଅଞ୍ଚଳର ଲୋକମାନଙ୍କ ପକ୍ଷରେ ‘ସ୍ୱରାଜ୍ୟର ଅର୍ଥ, ଅନ୍ନ ଓ ବସ୍ତ୍ର’ ବୋଲି ଗାନ୍ଧିଜୀଙ୍କ ଅଭିଜ୍ଞତା ପରିପୁଷ୍ଟ ମନ୍ତବ୍ୟ ମଧ୍ୟରେ ଓଡ଼ିଶାର ଜନସାଧାରଣଙ୍କ ଜୀବନର ଦୈନ୍ୟ ବାସ୍ତବତଃ ରୂପାୟିତ ।

 

୩.

ସାଧନାର ପଥେ : ଡ. ହରେକୃଷ୍ଣ ମହତାବ ।

୪.

ଗାନ୍ଧିଜୀ ଓ ଓଡ଼ିଶା :ଡ. ହରେକୃଷ୍ଣ ମହତାବ ପୃ. ୩୩ ।

 

ଅବଶ୍ୟ ଅନ୍ୟତ୍ର ଯେପରି ଓଡ଼ିଶାରେ ମଧ୍ୟ ସେହିପରି ଗାନ୍ଧିଜୀଙ୍କ ନାମ, ସାଧାରଣ ମଣିଷର ମନକୁ, ପ୍ରାଣକୁ ଓ ଆତ୍ମାକୁ ଗଭୀର ଭାବେ ଆଲୋଡ଼ିତ କରିଚି । ଏମାନଙ୍କ ଭିତରୁ ଅନେକେ ଗାନ୍ଧିଜୀଙ୍କୁ ଦେଖିବାର ସୁଯୋଗ ପାଇନଥିଲେ, ଗାନ୍ଧିବାଦକୁ ବୁଝିବାତ ଦୂରର କଥା । ହୁଏତ କେହି କେହି ‘‘ସ୍ୱପ୍ନରେ ଗାନ୍ଧିଜୀଙ୍କୁ ଦେଖି’’ ମଧ୍ୟ ସବୁକିଛି ଛାଡ଼ି ଆନ୍ଦୋଳନରେ ଯୋଗ ଦେଇ ପାରିଥିଲେ । (୫) ‘‘ଗାନ୍ଧୀ ଜଣେ କେହି ଯେ ବର୍ତ୍ତମାନ ଆମର ଦୁଃଖ ଓ ଦୁର୍ଦ୍ଦଶା ଦୂର କରିବାରେ ଲାଗିଛି, ଏହାହିଁ ଏକ ଅସ୍ପଷ୍ଟ ଧାରଣା, ଯାହା ସେ ନିରୀହ ଜନତାକୁ ପାଗଳ କରି ଦେଇଛି । (୬) ସର୍ବତ୍ର ଏହିପରି ଏକ ଅଭୂତପୂର୍ବ ଉନ୍ମାଦନା । ଯେଉଁମାନେ ସାଂସାରିକ ସୁଖ, ସ୍ୱାଚ୍ଛନ୍ଦ୍ୟ ଏପରିକି ପାରିବାରିକ ସ୍ନେହ, ପ୍ରେମର ନିରାପଦତ୍ୱକୁ ମଧ୍ୟ ପଛରେ ପକାଇ ଚାଲି ଆସିଥିଲେ, ସେ ସମସ୍ତଙ୍କର ‘‘ବିଶ୍ୱାସ ଥିଲା ଚରମ ତ୍ୟାଗ ଓ କଷ୍ଟ ବରଣ କଲେ ଦେଶ ସ୍ୱାଧୀନ ହେବ । ତେଣୁ ସଚ୍ଚା ଦେଶସେବକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା କିଏ କେତେ ବେଶି ଶାସ୍ତି ପାଇବ, ଲାଠି ଗୁଳି ସହିବ ଓ ଦୀର୍ଘ ଜେଲଦଣ୍ତ ଭୋଗିବ । (୭) ଗାନ୍ଧିଜୀଙ୍କ ଏହି ଅଭିନବ ଆନ୍ଦୋଳନରେ କେବଳ ଯେ ଲୋକମାନେ ଯୋଗଦେଇଥିଲେ ତାହା ନୁହେଁ, ସେମାନଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀର୍ଣ୍ଣ, ନିସ୍ତରଙ୍ଗ, ପଙ୍କିଳ ଜୀବନଧାରାରେ ଅସ୍ପୃଶ୍ୟତା ନିବାରଣ, ଜାତିପ୍ରଥା ଲୋପ, ନିଶା ନିବାରଣ, ହରିଜନଙ୍କ ମନ୍ଦିର ପ୍ରବେଶ ପ୍ରଭୃତି ବହୁ ସଂସ୍କାରପୂର୍ଣ୍ଣ ଘଟଣାମାନ ସଂଘଟିତ ହୋଇଛି । ଅନ୍ୟ ଦିଗରେ ଆନ୍ତର୍ଜାତିକ କ୍ଷେତ୍ରରେ ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଏକ ନୂଆ ପାରମାଣବିକ ଯୁଗର ଅୟମାରମ୍ଭ ହୋଇଥାଏ । ଉପନିବେଶମାନଙ୍କରେ ମୁକ୍ତି ସଂଗ୍ରାମ ନିସ୍ପେଷିତ, ସର୍ବହରାମାନଙ୍କର ସାମ୍ୟବାଦୀ ଚିନ୍ତାଧାରା ପ୍ରଭାବରେ ସମାଧିକାର ଲାଭ ପାଇଁ ନବଚେତନା, ବଞ୍ଚିବା ପାଇଁ ବିଜ୍ଞାନର କ୍ରମବର୍ଦ୍ଧମାନ ସୁବିଧା ଓ ସୁଯୋଗ ପ୍ରଦାନ, ସମଗ୍ର ପୃଥିବୀରେ ଯୁଦ୍ଧଜନିତ ବିଧ୍ୱସ୍ତ ଭାବନା ଓ ଶାନ୍ତି ପାଇଁ ବ୍ୟାକୁଳତା ପ୍ରଭୃତି ଏହି ନୂତନ ଯୁଗର କେତୋଟି ମୁଖ୍ୟ ସ୍ୱର । ଏହିପରି ଏକ ସନ୍ଧିକ୍ଷଣରେ ବହୁ ପ୍ରତୀକ୍ଷିତ, ଅଜସ୍ର ସ୍ୱପ୍ନ ଓ ସାଧନାର ଫଳଶ୍ରୁତି ଭାବେ ସ୍ୱାଧୀନତା ଆସିଚି ଏକ ମଧ୍ୟରାତ୍ରିରେ, ପ୍ରାଚୁର୍ଯ୍ୟ ଓ ମୁକ୍ତିଭରା ଏକ ସୁନେଲୀ ସକାଳର ସମ୍ଭାବନା ଧରି ।

 

୫.

ଜୀବନ ପଥେ : ରମାଦେବୀ ପୃ. ୧୦୨ ।

୬.

ସାଧନାର ପଥେ : ଡ. ମହତାବ ପୃ. ୨୦୦ ।

୭.

ଅଗଷ୍ଟ ବିପ୍ଳବ : ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀ, ପୃ. ୩୯ ।

 

କିନ୍ତୁ ୧୯୪୪ରେ ଜେଲରୁ ବାହାରିବା ପରେ ଗାନ୍ଧିଜୀ କହିଥିଲେ, ‘‘ସ୍ୱରାଜ ଆସୁଛି, ମାତ୍ର ତାହା ମୋ ପରିକଳ୍ପିତ ସ୍ୱରାଜ ନୁହେଁ ।’’ (୮) ସ୍ୱାଧୀନ ଭାରତ ସମ୍ପର୍କରେ ତାଙ୍କର ପରିକଳ୍ପନା ଥିଲା, ‘‘ଭାରତ ଅନ୍ନବସ୍ତ୍ରରେ ସ୍ୱାବଲମ୍ବୀ ହେବ ଏବଂ ଶୋଷଣ ରହିତ ସମାଜ ହେବ । କେହି ବେକାର ଓ ଭୋକିଲା ରହିବେ ନାହିଁ । ଶ୍ରମିକ ଓ ମାଲିକ ଭିତରେ ସଦ୍‌ଭାବ ରହିବ, ଶ୍ରମ ମର୍ଯ୍ୟାଦାର ଭାବନା ଜାଗ୍ରତ ହେବ । ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ଆସିବ । ପରସ୍ପର ସହିତ ସଦ୍‌ଭାବ ରକ୍ଷା କରି ଚଳିବାର କଳାକୁ ଲୋକେ ଆୟତ୍ତ କରିବେ ଏବଂ ହିଂସାତ୍ମକ ଆକ୍ରମଣକୁ ଅହିଂସାତ୍ମକ ଉପାୟରେ ପ୍ରତିରୋଧ କରିବାର ଶକ୍ତି ଲୋକେ ଅର୍ଜନ କରିପାରିବେ ।’’ (୯) ସେ ପୁନଶ୍ଚ ୧୯୪୮ରେ କହିଥିଲେ ଯେ, ‘ଭାରତ ଏହାର ସାତଶହ ହଜାର ଗ୍ରାମ ପରିପ୍ରେକ୍ଷୀରେ ସାମାଜିକ, ନୈତିକ ଓ ଅର୍ଥନୈତିକ ସ୍ୱାଧୀନତା ପାଇବା ତଥାପି ବାକି ଅଛି । (୧୦) କିନ୍ତୁ ଗାନ୍ଧିଜୀ ଭାରତୀୟ ଜନଗଣମନର ଅଧିନାୟକ ଥିବା ସତ୍ତ୍ୱେ ଗାନ୍ଧିବାଦ ପ୍ରତି ଅନାସ୍ଥା ଓ କ୍ଷମତା ଲୋଭର ହୀନ ମନୋବୃତ୍ତି ତଥାକଥିତ ଦେଶସେବକ ଓ ନେତାମାନଙ୍କଠାରୁ ଆରମ୍ଭ ହୋଇ ସାରିଥାଏ । ଏପରିକି ୧୯୩୭ ପରବର୍ତ୍ତୀ ଅବସ୍ଥାରେ ‘‘ଜେଲ ଯାଇ ତ୍ୟାଗ କରି ତା ବିନିମୟରେ ପଦ ଗ୍ରହଣ ନିତାନ୍ତ ଆବଶ୍ୟକ, ଅନ୍ୟଥା ତ୍ୟାଗର ମୂଲ୍ୟ କିଛି ନାହିଁ ’’ ବୋଲି ମତ ପୋଷଣ କରୁଥିବା ଗୋଷ୍ଠୀ କ୍ରମଶଃ ଭାରତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଆରମ୍ଭ କରିଥିଲା । (୧୧) ସେଥିପାଇଁ ଗାନ୍ଧିଜୀଙ୍କ କଂଗ୍ରେସ ଅନୁଷ୍ଠାନକୁ ଭାଙ୍ଗି ଦେବାର ଇଚ୍ଛା ଗୃହୀତ ହୋଇ ନାହିଁ । ଏହାର ଅର୍ଥ କଂଗ୍ରେସ ଦଳ ସ୍ଥାନରେ ଅନ୍ୟ କୌଣସି ଦଳର ଶାସନ ଭାର ଗ୍ରହଣୀୟ ନୁହେଁ । ‘କାଲିର ସୃଷ୍ଟିଶୀଳ ବିପ୍ଳବୀମାନେ ଆଜିର ରକ୍ଷଣଶୀଳ ଓ କର୍ତ୍ତୃତ୍ୱ ନିର୍ଭର ଶାସକବର୍ଗରେ ପରିଣତ ହୁଅନ୍ତି ।’’ ସ୍ୱାଧୀନତା ଲାଭ ପାଇଁ ହେଉଥିବା ବିପ୍ଳବଟି ସରିଯିବା ପରେ ମାନବିକ ଓ ସାମାଜିକ ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ହେଉଥିବା ଦ୍ୱିତୀୟ ବିପ୍ଳବର ନେତୃତ୍ୱ ସେମାନେ ନେବା ସମ୍ଭବ ନୁହେଁ । କାରଣ କ୍ଷମତାରେ ହିଁ ରହିବାକୁ ସେମାନେ ଚାହାନ୍ତି ଓ ସେଥିଲାଗି ଆଉ କୌଣସି ପରିବର୍ତ୍ତନ ଚାହାନ୍ତି ନାହିଁ । (୧୨) ତେଣୁ ସାଂପ୍ରଦାୟିକ ବିଦ୍ୱେଷ, କ୍ଷମତା କନ୍ଦଳ, ସ୍ୱାର୍ଥ, ପ୍ରତାରଣାର ରାଜତ୍ୱ ଆରମ୍ଭ ହୋଇଛି । ଅପର ପକ୍ଷରେ ଯେଉଁମାନେ ଅତ୍ୟାଚାରୀ ବିଶ୍ୱାସଘାତକ ବୋଲି ପୂର୍ବରୁ ପରିଚିତ ଥିଲେ ସେହିମାନେ ହିଁ ରାତାରାତି ପରମ ଦେଶ ଭକ୍ତରେ ରୂପାନ୍ତରିତ ହୋଇ ଯାଇଛନ୍ତି । ଯେଉଁ ସମାଜ ଶତ୍ରୁମାନଙ୍କୁ ଜନତା ଉଚିତ ଶିକ୍ଷା ଦେବ ବୋଲି ବସିଥିଲା ସେହିମାନେ ପଛଆଡ଼ୁ ବୁଲିପଡ଼ି ଜନତାର ପ୍ରତିନିଧି ବୋଲାଉଥିବା ରାଜନୈତିକ ଦଳମାନଙ୍କୁ ଏପରି କାବୁ କରି ଦେଇଛନ୍ତି ଯେ ସେଥିରେ ଜନତାର ସାହା ଭରସା ଆଉ ନାହିଁ । (୧୩) ‘‘ସ୍ୱାଧୀନତା ପରେ ଆମର ମନ୍ତ୍ରୀ, ରାଜନୈତିକ ନେତା ଓ ହାକିମମାନେ ସମସ୍ତେ ହୋଇ ଉଠିଲେ ‘ଦେଶପ୍ରେମୀ’, କିନ୍ତୁ ସେମାନେ ଲୋକପ୍ରେମୀ ଆଦୌ ହୋଇ ପାରିଲେ ନାହିଁ ।’’ (୧୪)

 

୮.

ଜୀବନ ପଥେ : ରମାଦେବୀ ପୃ. ୨୦୧ ।

୯.

ତତ୍ରୈବ : ପୃ. ୧୨୪ ।

୧୦.

India of Tomorrow : by G. R. Madan P. 3 ରେ ଉଦ୍ଧୃତ ।

୧୧.

ସାଧନାର ପଥେ : ଡ. ମହତାବ, ପୃ. ୧୬୫

୧୨.

ସମାଜ : ପରିବର୍ତ୍ତନ ଓ ବିକାଶ : ଚିତ୍ତରଞ୍ଜନ ଦାସ, ପୃ ୪୮୩

୧୩.

ଗାଁ ମଜଲିସ, ୨ୟ ଖଣ୍ତ : ଡ. ମହତାବ, ପୃ. ୨୪

୧୪.

ପଥ ଓ ପୃଥିବୀ : ଶ୍ରୀ ସୁରେନ୍ଦ୍ର ମହାନ୍ତି, ପୃ. ୨୩୮

 

ଏକ ଦିଗରେ ଭାରତର ଅଗଣିତ ନିରକ୍ଷର ଜନତା ଏବଂ ଅନ୍ୟ ଦିଗରେ ଶିକ୍ଷିତ ଭାରତୀୟ ଗୋଷ୍ଠୀ ତଥା ନେତା ଓ ସ୍ୱାଧୀନ ଭାରତର ପରିଚାଳକମାନେ । ଯେଉଁ ଶିକ୍ଷିତ ଗୋଷ୍ଠୀ ଉପରେ ଏକ ନବ ଜନ୍ମଲାଭ କରିଥିବା ଦେଶର ଭାଗ୍ୟ ନିର୍ଭର କରୁଥିଲା, ସେମାନେ ହେଲେ ମେରୁଦଣ୍ତ ବିହୀନ ଏକ ପରାଙ୍ଗପୁଷ୍ଟ ଶ୍ରେଣୀ । ଏମାନେ ବୁଦ୍ଧିମାନ ଓ କାର୍ଯ୍ୟଦକ୍ଷ, ଅଥଚ ଦେଶାତ୍ମବୋଧ ଠାରୁ ଦୂରରେ ଥିବା ଏକ ସୁବିଧାବାଦୀ ଗୋଷ୍ଠୀ । (୧୫) ଏମାନଙ୍କର ନିଜର ପରମ୍ପରା ପ୍ରତି ଆସ୍ଥା ନାହିଁ ଅଥଚ ତାକୁ ସଂପୂର୍ଣ୍ଣ ପରିତ୍ୟାଗ କରିପାରିବାର ସତ୍‌ସାହସ ମଧ୍ୟ ନାହିଁ । ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଏହି ଶ୍ରେଣୀ ପାଶ୍ଚାତ୍ୟ ଆଦର୍ଶର ଅନ୍ଧାନୁସରଣ କରି କଷ୍ଟ, ସାଧନା ଓ ତ୍ୟାଗ ବ୍ୟତିରେକେ କିପରି ସହଜ ଉପାୟରେ ଯଥାଶୀଘ୍ର ସେମାନଙ୍କ ପରି ହୋଇ ପାରିବ ସେଥିପାଇଁ ତା ଭିତରେ ଅଜସ୍ର ବ୍ୟାକୁଳତା । ‘‘ ଯେ କୌଣସି ପ୍ରକାରେ, ଏପରିକି ସେମାନଙ୍କ ସାହାଯ୍ୟରେ, ଆମେ ସେମାନଙ୍କ ପରି ହେବା’’, କାରଣ ଆମେ ପଛୁଆ ଦେଶ, ଏହିପରି ହୀନମନ୍ୟତା ଗ୍ରସ୍ତ ସେମାନେ । (୧୬) ତେଣୁ ଭାରତୀୟ ଶାସନ କ୍ଷେତ୍ରରେ ପ୍ରଥମରୁ ଶାସକ ଓ ଶାସିତ ମଧ୍ୟରେ କୌଣସି ଗୋଷ୍ଠୀ ସଂପର୍କ ସ୍ଥାପିତ ହୋଇ ପାରି ନାହିଁ. ବରଂ ଶାସନ ହୋଇଛି ନିର୍ବ୍ୟକ୍ତିକ । ‘‘ଗୋଟିଏ ଦଳ......ଗୋଟିଏ ନେତା......ଗୋଟିଏ ସିଦ୍ଧାନ୍ତ ....ଆଉ ଦଳେ ସରଳ ଗ୍ରାମ୍ୟଜନତା, ଯେଉଁମାନଙ୍କ ମନରେ ଜିଜ୍ଞାସା ନାହିଁ, ଯେଉଁମାନଙ୍କର କୌଣସି ସ୍ପଷ୍ଟ ବିଚାର ନାହିଁ- କେବଳ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ’’-ଏହା ଥିଲା ସ୍ୱାଧୀନତା ପ୍ରାପ୍ତିର ଅବ୍ୟବହିତ ପରର ରାଜନୈତିକ ଜୀବନର ରୂପ । (୧୭) କୌଣସି ଜାତୀୟ ଅଭୀପ୍‌ସା ଓ ତାର ପୂର୍ତ୍ତି ପାଇଁ ସାଧନା ନାହିଁ, ବରଂ ଶ୍ରମକାତରତା, ଆତ୍ମବିଶ୍ୱାସହୀନତା ଆମର ଜାତୀୟ ଚରିତ୍ର ହୋଇ ଯାଇଛି । ଶିକ୍ଷା ନାମରେ ମାନବିକତା ବିହୀନ ଅଶିକ୍ଷା, ରାଜନୈତିକ ସଚେତନତା ନାମରେ ଧୂର୍ତ୍ତତା ଓ ଟାଉଟରୀ, ଆଇନର ଶାସନ ନାମରେ ଦୁର୍ନୀତି, ପ୍ରବଞ୍ଚନା, ଗୁଣ୍ତାମୀ ଓ ପ୍ରିୟାପ୍ରୀତି ତୋଷଣ ସାମଗ୍ରିକ ଭାବେ ସାମାଜିକ ଜୀବନକୁ ସଂପୂର୍ଣ୍ଣ ଗ୍ରାସ କରିଚି । ତେଣୁ ‘‘ଯେଉଁ ଶାସନ ଯନ୍ତ୍ରରେ ଗଣତନ୍ତ୍ରର ଏତେ ଟିକିଏ ପରଖ ବି ପଡ଼ିନାହିଁ, ମାନବିକ ଓ ସାମାଜିକ ନ୍ୟାୟ ଅପେକ୍ଷା କ୍ଷମତାମୂଢ଼ କାଗଜ କଲମର ନ୍ୟାୟକୁ ଯେଉଁଠି ସକଳ ସମ୍ବନ୍ଧ ଓ ସକଳ କାର୍ଯ୍ୟକ୍ରମର ବିଧାୟକ ବୋଲି ମାନିନିଆ ଯାଇଛି, ସେହି ଶାସନ ଯନ୍ତ୍ର ଆଜି ନୂତନ ସଂବିଧାନ ଓ ନୂତନ ଚିଠା ଯୋଜନାର ହାଉଆ ବାଜି ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ପ୍ରବର୍ତ୍ତନ ଲାଗି ଏଜେଣ୍ଟ ହୋଇ ବାହାରିବ ବୋଲି ଆମେ କିପରି ଆଶା କରିପାରିବା ?’’ (୧୮)

 

୧୫.

ସାଧନାର ପଥେ : ଡ. ମହତାବ, ପୃ. ୨୭୧

୧୬.

ପ୍ରଜ୍ଞା ସାହିତ୍ୟ : ଭାରତୀୟ ବୁଦ୍ଧିଜୀବୀର ସଂକଟ ।

୧୭.

ପଥ ଓ ପୃଥିବୀ : ଶ୍ରୀ ସୁରେନ୍ଦ୍ର ମହାନ୍ତି ପୃ ୧୧୯ ।

୧୮.

ସମାଜ : ପରିବର୍ତ୍ତନ ଓ ବିକାଶ : ଚିତ୍ତରଂଜନ ଦାସ, ପୃ ୫୦୯ ।

 

ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ଶାସନ ଓ ସମାଜର ଏହି ବିଡ଼ମ୍ବିତ ଭାଗ୍ୟ ପରିପ୍ରେକ୍ଷୀରେ ଗ୍ରାମ୍ୟଜୀବନର ଚେତନାଗତ ପରିବର୍ତ୍ତନକୁ ଲକ୍ଷ୍ୟ କରାଯାଉ । ବାସ୍ତବତଃ ସ୍ୱାଧୀନତା ଆନ୍ଦୋଳନ ବେଳକୁ ଭାରତ ଏକ ଗ୍ରାମବହୁଳ ଦେଶ ଥିଲା । ଗାନ୍ଧିଜୀଙ୍କ ଉପଦେଶ ଥିଲା ଭାରତର ସେବାପାଇଁ ଗାଁକୁ ଯାଅ । ମାତ୍ର କୃଷି ସଭ୍ୟତା ଦାରିଦ୍ର୍ୟର ପ୍ରତୀକ ଓ ଶିଳ୍ପ ହିଁ ସମୃଦ୍ଧିର ଉପାୟ, ଏହି ନୀତି ଭାରତରେ ଗୃହୀତ ହୋଇଚି ଏବଂ ତଦନୁସାରେ ସ୍ୱାଧୀନତା ପରବର୍ତ୍ତୀ କାଳରେ ଭାରତରେ ଦ୍ରୁତ ଗୁରୁଶିଳ୍ପାୟନ ଆରମ୍ଭ ହୋଇଚି । ଏପରିକି ଏହି ଧାରାରେ କୁଟୀର ଶିଳ୍ପ ମଧ୍ୟ ପରିତ୍ୟକ୍ତ ହୋଇଚି । ଏହି ଶିଳ୍ପ କେନ୍ଦ୍ରଗୁଡ଼ିକ ସହରାଞ୍ଚଳ ନିକଟରେ ସ୍ଥାପିତ କିମ୍ବା ଶିଳ୍ପକୁ କେନ୍ଦ୍ରକରି ନୂଆକରି ସହରାଞ୍ଚଳ ଗଢ଼ି ଉଠିଛି । ସହର କହିଲେ ମୁଷ୍ଟିମେୟ କେତୋଟି ବଡ଼ ସହରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପୂର୍ବର ଏକ ଏକ ବଡ଼ ଗାଁ । ପୁନଶ୍ଚ ଏହି ସହରୀକରଣ ପ୍ରକ୍ରିୟା ଯୋଗୁଁ ଗ୍ରାମମାନଙ୍କରୁ ଜୀବିକାର୍ଜନ ପାଇଁ ଉଭୟ ଶିକ୍ଷିତ ଓ ଅଶିକ୍ଷିତ ମାନେ ନୂଆ ନୂଆ ସହରର ସ୍ଥାୟୀ ବାସିନ୍ଦା ହୋଇ ଯିବାଦ୍ୱାରା କେତେକ ସ୍ଥଳରେ ଗ୍ରାମଗୁଡ଼ିକ ପରିତ୍ୟକ୍ତ ହୋଇଗଲା ପରି ପରିସ୍ଥିତି ସୃଷ୍ଟି ହୋଇଚି । ଶିକ୍ଷା, ଗମନାଗମନ ଓ ପରିବହନର ସୁବିଧା, ନିର୍ବାଚନଭିତ୍ତିକ ଭାରତୀୟ ଶାସନ ପଦ୍ଧତି ଓ ଆଧୁନିକ ସହରୀ ଜୀବନଯାପନ ପ୍ରଣାଳୀର କ୍ରମବିଲମ୍ବିତ ପ୍ରଭାବ ଗ୍ରାମ୍ୟ ଜୀବନଧାରା ଓ ଲୋକଚେତନାରେ ବହୁ ପରିବର୍ତ୍ତନ ସଂଘଟିତ କରିଚି । ଗାଁ କହିଲେ ପୂର୍ବର ଯେଉଁ ଶାନ୍ତ, ସରଳ, ସୁଷମାନ୍ୱିତ ପରିବେଶ, ଧାନ କ୍ଷେତ, ଆଖୁବିଲ, କୃଷକର ମନଫୁଲାଣିଆ ଗୀତ ସହିତ ଏକ ନିରାଡ଼ମ୍ବର, ସ୍ୱଚ୍ଛନ୍ଦ, ସ୍ୱାଭାବିକ ଓ ସ୍ୱତଃସ୍ଫୁର୍ତ୍ତ ଜୀବନଚିତ୍ରକୁ ବୁଝା ଯାଉଥିଲା, ତାହା ଏବର ଗାଁର ପରିଚୟ ନୁହେଁ ।

 

ଏହି ସମୟ ଏକ ସଂକଟର ସମୟ । ନୂତନତା ପ୍ରତି ଦୁନିର୍ବାର ଆକର୍ଷଣ ଓ ପ୍ରାଚୀନ ପରମ୍ପରା ପ୍ରତି ମୋହ ଏହି ସଂକଟର କାରଣ । ଫଳତଃ ପ୍ରାଚୀନ ମାନ୍ୟତା ଭାଙ୍ଗି ପଡ଼ିଚି ଓ ନୂତନ ମୂଲ୍ୟ ପରମ୍ପରା ବିକସିତ ହୋଇଚି । (୧୯) ପଞ୍ଚାୟତରାଜ, ଭୋଟଦାନ ଅଧିକାର ଫଳରେ ଅଧିକାର ସଚେତନତା, ଶିକ୍ଷା ପ୍ରସାର ଫଳରେ ଜୀବିକା ଉପାର୍ଜନର ନୂତନ ପନ୍ଥା ଯୋଗୁଁ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତନ, ଗ୍ରାମୋନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ, ସମବାୟ ସଂସ୍ଥା ଗଠନ, ଆଇନଗତ ବହୁ ସୁବିଧା ସଂପର୍କରେ ପ୍ରତ୍ୟକ୍ଷ ବା ପରୋକ୍ଷ ଜ୍ଞାନଲାଭ, ପାରିବାରିକ ଜୀବନର ବହୁ ଅସଙ୍ଗତି, ମିଥ୍ୟାଚାର, ଛଳନା, ସ୍ୱାର୍ଥଲିପ୍‌ସା ପ୍ରଭୃତି ସହରୀ-ସୁଲଭ ଚାରିତ୍ରିକତାର ସଂକ୍ରମଣ ପ୍ରଭୃତି ପରିବର୍ତ୍ତନ ଗ୍ରାମ୍ୟଜୀବନଧାରାରେ ଲକ୍ଷ୍ୟ କରାଯାଇପାରେ ।

 

୧୯.

ସ୍ୱାତନ୍ତ୍ର୍ୟୋତ୍ତର ହିନ୍ଦୀ ଉପନ୍ୟାସ ଔର ଗ୍ରାମଚେତନା : ଡ. ଜ୍ଞାନଚନ୍ଦ୍ର ଗୁପ୍ତ, ପୃ ୧୮

 

ଧାର୍ମିକ କ୍ଷେତ୍ରରେ ମଧ୍ୟ ସେହିପରି ଏକ ଦୋଦୁଲ୍ୟମାନ ପରିସ୍ଥିତି ସୃଷ୍ଟି ହୋଇଛି । ପରିବର୍ତ୍ତିତ ପରିସ୍ଥିତିରେ ସେହି ପ୍ରାଚୀନ ପାରମ୍ପରିକ ଧାର୍ମିକ ବିଶ୍ୱାସ ସ୍ଥାନରେ ଯେଉଁ ସଂଶୟ ଓ ଅନାସ୍ଥା ଭାବ ଦେଖା ଦେଇଛି, ତାହା ମଧ୍ୟ ଗ୍ରାମ୍ୟଜୀବନ କ୍ଷେତ୍ରକୁ ସ୍ପର୍ଶ କରିଚି । ଲୋକମାନଙ୍କର ପାରସ୍ପରିକ ସମ୍ପର୍କ, ଚାଲିଚଳନ, ବେଶଭୂଷା, କଥାବାର୍ତ୍ତା, ଆଚାର ବ୍ୟବହାର ପ୍ରତ୍ୟେକଟିରେ ପରିବର୍ତ୍ତନର ମୁଦ୍ରାଙ୍କ ସ୍ପଷ୍ଟ । ପାରିବାରିକ ଜୀବନର ପ୍ରେମ ଓ ନିର୍ଭରଶୀଳତା ମଧ୍ୟ ଆଜି ସ୍ୱପ୍ନ । ଶିଳ୍ପ ସଭ୍ୟତାର ବିକାଶ ସହିତ ଅର୍ଥ ଓ ପ୍ରତିଷ୍ଠା ମୋହର ପାଗଳାମୀ ଭିତରେ ଯୌଥ ଜୀବନଯାପନ ମନୋବୃତ୍ତିର ପରିବର୍ତ୍ତନ ଆସିଚି । ଏକାନ୍ନବର୍ତ୍ତୀ ପରିବାର ଭାଙ୍ଗି ପଡ଼ୁଚି । ଅଭାବ, ଅନାଟନ ମଧ୍ୟରେ ପେଶି ହୋଇ ଯାଉଥିବା ଗ୍ରାମୀଣ ଜନତା ମଧ୍ୟ ଏହି ପ୍ରଭାବରୁ ମୁକ୍ତ ନୁହନ୍ତି । ଭାରତୀୟ ସାମାଜିକତାରେ ଜାତିଭେଦ ଓ ଅସ୍ପୃଶ୍ୟତା ସଂପର୍କିତ ମନୋଭାବର ପରିବର୍ତ୍ତନ କେବଳ ଗାନ୍ଧିଜୀଙ୍କ ଆନ୍ଦୋଳନଗତ ପ୍ରଭାବ ନୁହେଁ ବରଂ ବହୁ ନୂଆ ନୂଆ ପରିସ୍ଥିତିରେ ଭିନ୍ନ ଭିନ୍ନ ରୂପ ଏହା ଧାରଣ କରିଚି । ଅସ୍ପୃଶ୍ୟତାକୁ ଦୂର କରିବାକୁ, ଜାତିପ୍ରଥା ରଙ୍ଗଭେଦ ଆଦିକୁ ଭାଙ୍ଗିବାର ପ୍ରୟାସ କେବଳ ଗାନ୍ଧୀବାଦ ନୁହେଁ, ପରନ୍ତୁ ଯାତାୟତ, ବେରୋଜଗାରୀ ତଥା ପୁଞ୍ଜିବାଦ ମଧ୍ୟ କରିଥିଲା । ଜାତିବୋଧ ସ୍ଥାନରେ ଶ୍ରେଣୀବୋଧ ଜାଗ୍ରତ ହେଲା । (୨୦) ପୁନଶ୍ଚ ରାଜନୀତିକ କ୍ଷମତାଲିପ୍‌ସାର ଚରିତାର୍ଥତା ପାଇଁ ଜାତିପ୍ରଥା ଓ ବର୍ଣ୍ଣଭେଦର ନୂଆ ସଂଗଠନମାନ ମୁଣ୍ତ ଟେକି ଉଠିଚି । ଏକ ଭିନ୍ନ ରୂପରେ ସେଇ ପୁରୁଣା ସଂକୀର୍ଣ୍ଣତା ପୁଣିଥରେ ଲୋକ ସଂପର୍କକୁ ପ୍ରଭାବିତ କରୁଛି । ଚାକିରୀ ଅନ୍ୱେଷଣରେ ଗ୍ରାମ ନିକଟରେ ଛୋଟ ଛୋଟ ସହର ଗଢ଼ି ଉଠିବା ଫଳରେ ସହରରେ ଚାକିରୀ ଓ ଗ୍ରାମରେ ଚାଷକାର୍ଯ୍ୟ ତଦାରଖ କରୁଥିବା ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଗ୍ରାମ୍ୟଜୀବନଧାରାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇଛି ।

 

୨୦.

ସ୍ୱାତନ୍ତ୍ର୍ୟୋତ୍ତର ହିନ୍ଦୀ ଉପନ୍ୟାସ ସାହିତ୍ୟିକ ସମାଜ ଶାସ୍ତ୍ରୀୟ ପୃଷ୍ଠଭୂମି : ଡା. ସ୍ୱର୍ଣ୍ଣଲତା,-ପୃ-୧୨ ।

 

ଏତଦ୍‌ବ୍ୟତୀତ ଅର୍ଦ୍ଧଶିକ୍ଷିତ, ବେକାର ମାତ୍ର ପରିବର୍ତ୍ତନଗତ ନୂତନ ଚେତନା ପ୍ରଭାବିତ ଯୁବକଗୋଷ୍ଠୀର ଭୂମିକା ମଧ୍ୟ ଗ୍ରାମ୍ୟଜୀବନଧାରାରେ ବହୁ ବିବାଦମାନ ପରିସ୍ଥିତି ସୃଷ୍ଟି କରିଚି । ଖୁବ୍‌ କମ୍‌ ସ୍ଥାନରେ ଏହାର ଗଠନମୂଳକ ପ୍ରଭାବ ପରିଲକ୍ଷିତ ହେଉଛି । ବରଂ ପ୍ରାଚୀନ ଗ୍ରାମାଧିକାରୀ ଓ ଏହିମାନଙ୍କ ସଂଘର୍ଷ ଫଳରେ ଗ୍ରାମ୍ୟଭୂମି ଏକ ସଂଗ୍ରାମ କ୍ଷେତ୍ରରେ ପରିଣତ ହୋଇଚି । ତାର କାରଣ ସହର ପରି ତଥା ଶିକ୍ଷିତ ଲୋକମାନଙ୍କ ପରି ଏମାନେ ମଧ୍ୟ ସ୍ୱାଧୀନତାର ବାର୍ତ୍ତାକୁ ସ୍ୱେଚ୍ଛାଚାରୀତା ଅର୍ଥରେ ହିଁ ବୁଝି ଆସିଛନ୍ତି । ଅପର ପକ୍ଷରେ ଫକୀରମୋହନଙ୍କ ଉପନ୍ୟାସରେ ଗ୍ରାମୀଣ ଅଶିକ୍ଷିତ, ନିରାଶ୍ରୟ ଲୋକଙ୍କୁ ଭୁଲାଇ ପରପରସ୍ୱାପହରଣର ଯେଉଁ ଚିତ୍ର ପ୍ରଦାନ କରାଯାଇଚି ସ୍ୱାଧୀନତା ପ୍ରାପ୍ତିର ଚାଳିଶ ବର୍ଷ ପରେ ମଧ୍ୟ ସେପରି ଘଟଣା ଆମ ସମାଜରେ ଆଦୌ ଅନୁପଲଭ୍ୟ ନୁହେଁ ବୋଲି କୁହାଯାଇ ପାରିବ ନାହିଁ । ଏବେ ବି ସେପରି ଘଟଣା ଘଟୁଚି । ବରଂ ଏବେ ଗ୍ରାମ୍ୟଟାଉଟରମାନେ ନେତା ସାଜି ବା କୌଣସି ଏକ ରାଜନୈତିକ ଦଳକୁ ଆଶ୍ରୟ କରି ଗୋଟିଏ ଗ୍ରାମକୁ ଯେପରି ସର୍ବସ୍ୱାନ୍ତ କରୁଛନ୍ତି, ତାହାର ପଟ୍ଟାନ୍ତର ନାହିଁ ।

 

ଯଦିଓ ଗାନ୍ଧିବାଦ ଓ ମାର୍କସ୍‌ବାଦ ଦ୍ୱାରା ଭାରତୀୟ ରାଜନୀତିକ ଦଳଗୁଡ଼ିକ ପ୍ରଭାବିତ ତଥାପି ଏମାନଙ୍କର କାର୍ଯ୍ୟକଳାପରୁ ସାଧାରଣ ଜନତା ଏ ସବୁ ଆଦର୍ଶ କିଛି ବୁଝେ ନାହିଁ । ଗାନ୍ଧିବାଦ ଓ ମାର୍କସ୍‌ବାଦ ଉଭୟେ ଲକ୍ଷ୍ୟରେ ଏକ, କେବଳ ଏମାନଙ୍କର ପନ୍ଥା ଭିନ୍ନ । ମାତ୍ର ଏଠି ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ଉଭୟ ଦଳଗୁଡ଼ିକର ନିର୍ବାଚନ ଇସ୍ତାହାର ଅନୁଶୀଳନ କଲେ ସେଗୁଡ଼ିକର ସମାନତା ଯେପରି ପରିଦୃଷ୍ଟ ହୁଏ, ସେମାନଙ୍କର କାର୍ଯ୍ୟ, ନେତାମାନଙ୍କର ପ୍ରତିଶ୍ରୁତି ଚଳଣି ଓ କର୍ମପନ୍ଥାକୁ ଅନୁଧ୍ୟାନ କଲେ ଠିକ୍‌ ସେହିପରି ଅନାଦର୍ଶ ଓ ପ୍ରତାରଣା, ସଂକୀର୍ଣ୍ଣତା ଓ ସ୍ୱାର୍ଥପରତା, କ୍ଷମତାଲିପ୍‌ସା ଓ ସାଧାରଣ ଜନତାଠାରୁ ଦୂରତ୍ୱ ଯେ କେହି ବେଶ୍ ଉପଲବ୍‌ଧି କରିପାରିବ । କେବଳ ଯୋଜନାରେ, କୁଢ଼ କୁଢ଼ ଫାଇଲରେ କିମ୍ବା ନେତାମାନଙ୍କ ଭାଷଣର ଆଡ଼ମ୍ବର ଭିତରେ ଗ୍ରାମୋନ୍ନତିର ଯେଉଁ ଚିତ୍ର ପ୍ରଦାନ କରାଯାଉଚି ଏବଂ ଯାହାକୁ ଶୁଣି ବା ପଢ଼ି ଆମେ କୃତ କୃତ ହେଉ ତାହା ବାସ୍ତବତାଠାରୁ କେତେ ଯେ ଭିନ୍ନ, ଏପରିକି ସ୍ଥଳ ବିଶେଷରେ ସଂପୂର୍ଣ୍ଣ ବିପରୀତ ତାହା ଲକ୍ଷ୍ୟ କରାଯାଇପାରେ । ଗ୍ରାମବାସୀର ଜୀବନ ଦୃଷ୍ଟିରୁ କୌଣସି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଏ ଯାବତ୍‌ ହୋଇନାହିଁ । ଭାଗ୍ୟ ନିର୍ଭରତା, ସରକାରୀ କର୍ମଚାରୀଙ୍କୁ ଭୟ, ସହରର ଶିକ୍ଷିତ ଓ ସଫା କପଡ଼ା ପିନ୍ଧିଥିବା ମଣିଷକୁ ଭାଗ୍ୟ ନିୟନ୍ତା ପରି ଦେଖିବା ପ୍ରଭୃତି ଅବସ୍ଥା ଅଳ୍ପେ ବହୁତେ ସେହିପରି ରହିଚି । (୨୧) ଅବଶ୍ୟ ଏଥିପାଇଁ କୌଣସି ଗୋଟିଏ ଗୋଷ୍ଠୀ ସମ୍ପୂର୍ଣ୍ଣ ଦାୟୀ ନୁହନ୍ତି, ବରଂ ସାଧାରଣ ଜନତାଠାରୁ ନେତାଙ୍କ ପର୍ଯ୍ୟନ୍ତ ଭୋକ୍ତା ଓ କର୍ତ୍ତା ଉଭୟଙ୍କର ସମାନ ଭୂମିକା ରହିଚି । ସର୍ବାଧିକ ଅସମର୍ଥ ଓ ଶକ୍ତିଶାଳୀ ସମାନ ସୁବିଧା ପାଇବାହିଁ ଗାନ୍ଧିଜୀଙ୍କ ଦୃଷ୍ଟିରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା । ମାତ୍ର ସ୍ୱାଧୀନ ଭାରତରେ ଏ ଅବସ୍ଥା ଏ ଯାବତ୍‌ ଆସିନାହିଁ । ବାସ୍ତବତଃ ‘ପଣ୍ତିତମାନଙ୍କର ମନଖୁସିଆ ହିସାବ ଅନୁସାରେ ଜାତୀୟ ଆୟରେ ଆଶାନୁରୂପ ବୃଦ୍ଧି ହୋଇଥିଲେ ମଧ୍ୟ ଆମ ଦେଶରେ ଧନୀ ଓ ଦରିଦ୍ର ଭିତରେ ବ୍ୟବଧାନ ଆଜି ବି ବଢ଼ିବାରେ ଲାଗିଚି-। (୨୨) ଏହିପରି ଏକ ବାସ୍ତବତାର ପଟ୍ଟଭୂମିରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ଗ୍ରାମୀଣ ଜନତାର ଚିତ୍ର ଓ ଚେତନା ସଂପର୍କରେ ଅନୁଧ୍ୟାନ କରାଯାଇପାରେ ।

 

୨୧.

ସମାଜ : ପରିବର୍ତ୍ତନ ଓ ବିକାଶ-ଚିତ୍ତରଞ୍ଜନ ଦାସ ପୃ ୩୩୧ ।

୨୨.

ତତ୍ରୈବ : ପୃ ୩୭୬ ।

 

ସ୍ୱାଧୀନତା ପରେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ପଞ୍ଚବାର୍ଷିକ ଯୋଜନା ପ୍ରଣୀତ ହୋଇଛି । ଗ୍ରାମ ସଙ୍ଗଠନ, କୃଷିର ଉନ୍ନତିକରଣ ଓ ଶିଳ୍ପସ୍ଥାପନ ତଥା ଶିକ୍ଷାର ପ୍ରସାର ମାଧ୍ୟମରେ ବହୁଦିନର ଅଚଞ୍ଚଳ, ସ୍ଥିର ଭାରତୀୟ ଜନଜୀବନରେ ସୃଷ୍ଟି ହୋଇଚି ଅଭିନବ ଚାଞ୍ଚଲ୍ୟ । ସର୍ବତ୍ର ନୂଆ କରି ଗଢ଼ି ତୋଳିବାର ସାଜ ସାଜ ରବ । ତା’ ସହିତ ବିନୋବାଙ୍କର ଭୂଦାନ ଯଜ୍ଞର ଆଲୋଡ଼ନ । ସାଧାରଣ ଜନତା ଠାରୁ ଶାସକ ପର୍ଯ୍ୟନ୍ତ ସଭିଙ୍କ ଆଖିରେ ସ୍ୱପ୍ନ ଦେଶଗଠନ ପାଇଁ, ଦେଶକୁ ଖୁବ୍‌ ଶୀଘ୍ର ଏକ ଉନ୍ନତ ରାଷ୍ଟ୍ରରେ ପରିଣତ କରିବା ପାଇଁ । ଏହିପରି ଏକ ପୃଷ୍ଠଭୂମିରେ ଦେଶଗଠନର ସ୍ୱପ୍ନ ଓ ଯୋଜନା ତଥା କେତେକ କ୍ଷେତ୍ରରେ ହୋଇଥିବା ଆଖିଦୃଶିଆ ପରିବର୍ତ୍ତନକୁ ଆଧାର କରି ରଚିତ ହୋଇଥିବା ଉପନ୍ୟାସଗୁଡ଼ିକ ମଧ୍ୟରୁ ଗ୍ରାମ୍ୟଭିତ୍ତିକ କାହ୍ନୁଚରଣଙ୍କ ‘ବଜ୍ରବାହୁ’ ଓ ଗୋପୀନାଥଙ୍କ ‘ମାଟିମଟାଳ’ରୁ ପଲ୍ଲା ଜୀବନଧାରା ସମ୍ପର୍କରେ ଆଲୋଚନା କରାଯାଇପାରେ ।

 

‘ବଜ୍ରବାହୁ’ର ପ୍ରଥମ ପ୍ରକାଶ ୧୯୫୯ ହେଲେ ମଧ୍ୟ ଏହାର ରଚନାକାଳ ୧୯୫୫-୫୭-। ‘ମାଟିମଟାଳ’ର ପ୍ରକାଶ କାଳ ୧୯୬୪ । ମାତ୍ର ଏହାକୁ ଲେଖିବାକୁ ଔପନ୍ୟାସିକଙ୍କୁ ଦଶବର୍ଷ ଲାଗି ଯାଇଚି, ଅର୍ଥାତ୍‌ ଏହାର ସୃଷ୍ଟି-ପରିକଳ୍ପନା କାଳ ୧୯୫୪ । (୨୩) ‘ବଜ୍ରବାହୁ’ରେ ଅନ୍ତତଃ ଦୁଇଥର ‘ବିନୋବା ବିଚାର’ର ଉଲ୍ଲେଖ ରହିଚି, ମାତ୍ର ମାଟିମଟାଳର ସମାଲୋଚନା ବେଳେ ଏହାକୁ ସର୍ବୋଦୟର ପ୍ରଚାର ବୋଲି ଆଲୋଚନା କରାଯାଇଥାଏ । ଉଭୟ ଉପନ୍ୟାସର ପ୍ରତିପାଦ୍ୟ ହିଁ ଗୋଟିଏ କଥା-ସୁଖ, ଶାନ୍ତି, ସମୃଦ୍ଧି ଓ ସହଯୋଗଭରା ମହିମାନ୍ୱିତ ଗାଆଁ-ପୃଷ୍ଠଭୂମିର ସ୍ୱାଧୀନତା ପରବର୍ତ୍ତୀ ଦେଶଗଠନ ସ୍ୱପ୍ନ ଓ ଯୋଜନା । ଜମିଦାରୀ ହରାଇଥିବା ରଣସିଂହଙ୍କ ଶିକ୍ଷିତ ପୁତ୍ର, ବେକାର ବଜ୍ରବାହୁର ଚାକିରି ଅନ୍ୱେଷଣ ପରି ଜମିଦାରୀ ଚାଲିଯାଇଥିବା ବଟ ମହାନ୍ତିଙ୍କ ପୁଅ ରବି ମଧ୍ୟ ଚାକିରି ପ୍ରୟାସୀ । ରଣସିଂହ ଓ ବଟ ମହାନ୍ତି ଉଭୟେ ପୁଅର ସରକାରୀ ଚାକିରି ଚାହାନ୍ତି । ମାତ୍ର ବଜ୍ରବାହୁ ଓ ରବି କିରାଣୀ ଚାକିରି ଅପେକ୍ଷା ମୂଲିଆ ହେବାକୁ ଚାହିଁଛନ୍ତି, ସମୂହର ସୁଖପାଇଁ-। ଏପରିକି ଉଭୟ ଉପନ୍ୟାସର ଆରମ୍ଭ ବି ସଂଧ୍ୟାରେ ବଜ୍ରବାହୁ ଓ ରବିର ଭାବନାରୁ । ‘ସମସ୍ତେ ସୁଖ, ଆନନ୍ଦରେ ସଂସାର କରନ୍ତୁ, ପରସ୍ପରକୁ ସ୍ନେହ ପାଶରେ ବାନ୍ଧି ରଖନ୍ତୁ, କାହ୍ନୁଚରଣଙ୍କ ଏହି ସ୍ୱପ୍ନ ହିଁ ବଜ୍ରବାହୁ (୨୪) ।

 

୨୪.

ବଜ୍ରବାହୁ : ଉତ୍ସର୍ଗ, କାହ୍ନୁଚରଣ ।

 

ମାଟିମଟାଳରେ ଗୋପୀନାଥଙ୍କ ମନରକଥା, ‘‘ହୃଦୟ ପରିବର୍ତ୍ତନ, ମନର ମିଳନ ଏବଂ ସମଷ୍ଟି ମଧ୍ୟରେ ମିଶିବାର ଔଦାର୍ଯ୍ୟ’ ପ୍ରତିଫଳିତ । (୨୫) ମାତ୍ର ବଜ୍ରବାହୁ ଓ ରବି ଭିତରେ ମୌଳିକ ପାର୍ଥକ୍ୟଟି ହେଉଚି ବଜ୍ରବାହୁ ପଢ଼ି, ଦେଖି ଓ ଚାକିରି ନପାଇ ସେବା ଓ ସହଯୋଗ କରିବାକୁ ବାହାରି, ସଂସ୍କାରଜନିତ କୁଣ୍ଠାଗ୍ରସ୍ତ ମନ ନେଇ ଘର ଛାଡ଼ି ବାହାରକୁ ଯାଇ କର୍ମ ଅଭ୍ୟାସ କରି ଗ୍ରାମୋନ୍ନତିର ଚରମ ପର୍ଯ୍ୟାୟରେ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିବା ସ୍ଥଳେ, ରବି ପାଇଥିବା ଛୋଟ ଚାକିରିଟିକୁ ଛାଡ଼ି ନିଜର ପୂର୍ବ ଅଭ୍ୟାସବଶତଃ (ଜମିରେ ବେଳେ ବେଳେ କାମ କରିବା) ଗ୍ରାମବାସୀଙ୍କ ଭିତରେ ଜଣେ ହୋଇ ଗ୍ରାମୋନ୍ନତି କରାଇଚି, ନିଜେ ଏକ ଅନୁଷ୍ଠାନରେ ପରିଣତ ହୋଇଚି । ଅବଶ୍ୟ ସୁରତ ଓ ସୁବ୍ରତକୁ ମିଶାଇ ରବିକୁ କେତେକାଂଶରେ ଉପଲବ୍‌ଧି କରାଯାଇପାରେ । କିନ୍ତୁ ଉଭୟେ ଉପନ୍ୟାସରେ ପରିଲକ୍ଷିତ ହେଉଥିବା ଏହି କେତେକ ସୌସାଦୃଶ୍ୟ ସତ୍ତ୍ୱେ ମାଟିମଟାଳର ବ୍ୟାପ୍ତି ଓ ଜୀବନ-ଚିତ୍ରର ଗଭୀରତା ଅବଶ୍ୟ ଲକ୍ଷଣୀୟ । ଗୋପୀନାଥ-ସୁଲଭ ଶୈଳୀର ସାବଲୀଳ ପ୍ରବହମାନତା ଭିତରେ ସମାଜ, ସଂସ୍କୃତି ଓ ସମୟ ପରିପ୍ରେକ୍ଷୀରେ ସ୍ୱତଃ ଉନ୍ମୋଚିତ ହେଉଥିବା ଗଭୀର ଜୀବନବୋଧର ଯେଉଁ ବ୍ୟାପକ ଚିତ୍ର ଉଦ୍‌ଭାସିତ ହୁଏ ତାହାହିଁ ଏହାର ପରମ ବିଶେଷତ୍ୱ ।

 

୨୫.

ନବପତ୍ର : ଗୋପୀନାଥ ସାକ୍ଷାତ୍‌କାର ପୃ-୧୬/୩ ।

 

‘ବଜ୍ରବାହୁ’ର ‘କଥା’ଟି ଏହିପରି : ଚାକିରି ଅନ୍ୱେଷୀ ଉଚ୍ଚଶିକ୍ଷିତ, ଜମିଦାରୀ ହରେଇଥିବା ଏକ କ୍ଷୁଦ୍ର ରାଜବଂଶର ଉତ୍ତରାଧିକାରୀ ସୁବ୍ରତ ବଜ୍ରବାହୁ ହତାଶ ହୋଇ ଘରକୁ ଫେରିଚି । ସାନ ଭାଇ, ପାଠ ପଢ଼ି ନଥିବା ସୁରତ ରଣରଙ୍କା ଗ୍ରାମବାସୀଙ୍କ ସଙ୍ଗେ ମିଶେ, ପରିଶ୍ରମ କରେ, ତା ଦୃଷ୍ଟିରେ ପାଠୁଆ ମଣିଷ ନିକମା, ଶାଗ ଗଛଟିଏ ବି ଲଗାଏ ନାହିଁ, ମୂଲିଆର ଉତ୍‌ପାଦନକୁ କେବଳ ଫାଉ ମାରିନେଇ ଯାଏ । ସୁରତର କଥାରେ ଗାଁ ଦାଣ୍ତକୁ ଓହ୍ଲାଇ ନୂଆକରି ବଜ୍ରବାହୁ ଦେଖେ ଗାଁକୁ-ସ୍ୱାଧୀନତା ପରର ଗାଁକୁ । କଳ୍ପନାରେ ସେ ଦେଖେ ଗ୍ରାମ ରାସ୍ତାର ଉନ୍ନତି, କୂଅ ପୋଖରୀ ସଫା, ସ୍କୁଲ, ହଷ୍ଟେଲ, ଭାଗବତ ଘର, ଲାଇବ୍ରେରୀ, ଖେଳ ସରଞ୍ଜାମ, ରେଡ଼ିଓ, ଗ୍ରାମସେବକ, ପଞ୍ଚାୟତ, ଡାକ୍ତରଖାନା, ଧାନଗୋଲା, ବହୁମୁଖୀ ସମବାୟ ସମିତି, କୃତ୍ରିମ ଗୋ ପ୍ରଜନନ, ଜାପାନୀ ଚାଷ, ଚରଖା ସଂଘ, ମେଷ ପାଳନ, ଜଳସେଚନ, ବିଜୁଳିଖମ୍ବ ପ୍ରଭୃତି ଦେଇ ଦେଶର ପ୍ରଗତିର ଚିହ୍ନ । ମାତ୍ର ତା’ ସହିତ ମଧ୍ୟ ଦେଖିଚି ସେ ଲୋକଙ୍କ ଅଭାବ; ଦୈନ୍ୟ, ପେଟ ବିକଳିଆଙ୍କ ଚାକୁଣ୍ତା ଶାଗର ଖାଦ୍ୟ, ଅଧା ଲଙ୍ଗଳାଙ୍କ ଚିରା, ଫଟା, କୋଚଟ ଛୋଟ ଲୁଗା ଏବଂ ଏକ ପାଖରେ ସାତଶେଣୀଆ ଉଚ୍ଚ ଚାଳ ଘର, କୋଠାବାଡ଼ି ସହିତ ଅନ୍ୟ ପାଖର ଦରଭଙ୍ଗା କୁଡ଼ିଆ । ମୁଣ୍ତରେ ବିନୋବା ବିଚାର । ତଥାପି ଶିକ୍ଷାର ଅଭିଯାନ ଓ ବଂଶର ସଂସ୍କାର ବଶତଃ ସ୍ୱତଃସ୍ଫୂର୍ତ୍ତ ଭାବେ ଧର୍ମ ବେଠିଆ ସଂଘର ଛକଡ଼ି ବାଉରୀର ଘର ତୋଳାରେ ସାମିଲ ହୋଇ ପାରେନା । ଅବଶ୍ୟ ସେ ବୁଝେ, ସୁରତ ମାଧ୍ୟମରେ, ଆତ୍ମମର୍ଯ୍ୟାଦା ଓ ନୂଆ ଚେତନାର ରୂପକୁ । ‘‘ସମସ୍ତଙ୍କ ସୁଖ ଆନନ୍ଦ ଦେଖି ସମସ୍ତେ ହୁଅନ୍ତେ ସୁଖୀ । X X ବାଦବୁଦିଆ ମନ ଶିଖିବାକୁ ଓ ଶ୍ରମର ପୂର୍ଣ୍ଣ ପ୍ରୟୋଗ କରି ଐଶ୍ୱର୍ଯ୍ୟର ବୃଦ୍ଧି ପାଇଁ ଆକୁଳ ହୁଅନ୍ତା ପରର ଶ୍ରମ ଚୋରିକରି ନୁହେଁ, ନିଜର ଶ୍ରମର ଉତ୍‌ପାଦନୀ ଶକ୍ତି ବଢ଼ାଇ ।’’ ଗ୍ରାମ ଛାଡ଼ି ଏକ ନଦୀବନ୍ଧ ଯୋଜନାରେ କୋଦାଳ ଓ ଗାଣ୍ତୁଆ ଧରି କୁଡ଼ିଆରେ ରହି ସେ ମୂଲିଆ ହୋଇଚି । ସେଠି ଶ୍ରମିକ ସମିତି, ସେବକ ସଙ୍ଘ ଗଢ଼ିଚି । ନିଜ ଗାଁର ପରିବର୍ତ୍ତନ କଥା ଶୁଣିଚି । ରଣଗଡ଼ ବଦଳିଚି, ସେଠି ‘କର୍ମମନ୍ତ୍ର’ର ଦୀକ୍ଷା ନେଇଛନ୍ତି ସଭିଏଁ । ସମୂହ କଲ୍ୟାଣପାଇଁ ଗ୍ରାମ ପଞ୍ଚାୟତ, ସମବାୟ ସମିତି, ପ୍ରୌଢ଼ ଶିକ୍ଷା, ଉନ୍ନତ ରାସ୍ତାଘାଟ, ଶ୍ରମଦାନ ସବୁଥିରେ ଆଗରେ ରଣରଙ୍କା, ତା’ ପଛକୁ ଧର୍ମାନନ୍ଦ ଓ ଅନ୍ୟମାନେ । କଲେଜ ଜୀବନର ସାଥୀ ଓ ଅଭିନୟ ବେଳର ନାୟିକା ତଥା ମନର ମନର ମାନସୀ ଆହୁତି ତାରି ଆଦର୍ଶରେ ଜୀବନର ଗତିପଥ ବଦଳାଇଚି । ସେ ଟୁନିନାନୀ ହୋଇ ଆସିଚି ରଣଗଡ଼, ସେବା କରିଚି, ସଫାସୁତୁରା ହୋଇ ବଞ୍ଚିବାକୁ ଶିଖାଇଚି ନାରୀମାନଙ୍କୁ, ନାରୀ କଲ୍ୟାଣ ସମିତ ଗଢ଼ା ହୋଇଚି । ସନ୍ଧ୍ୟା, ମମତା ଓ ଭାରତୀ ତଥା ଗାଁର ଅନ୍ୟମାନଙ୍କୁ ଆପଣାର କରିଚି । ରଣସିଂହ ଓ ମମତାଙ୍କୁ ବିପଥରୁ ଫେରାଇ ପାରିଚି ସ୍ନେହ ଓ ସେବା ଦ୍ୱାରା । ଛ’ ବର୍ଷ ପରେ ବଜ୍ରବାହୁ ଫେରିଚି ଗାଁକୁ ଖଦଡ଼ ଜାମା, କାନ୍ଧରେ ଖଦଡ଼ ବ୍ୟାଗ, ମୁଣ୍ତରେ ଟୋପି ପିନ୍ଧି । ଜନ୍ମମାଟିର ହସ ଖୁସି କଥା ସେ ଶୁଣି ପାରୁଚି । ସମସ୍ତଙ୍କର ଏକ ମନ, ସବୁଠି କର୍ମପ୍ରବଣତା, ପରିଷ୍କାର, ପରିଚ୍ଛନ୍ନତା, ଆନନ୍ଦ, ଟିପଚିହ୍ନ ଦେଉଥିବା ଗାଁର ଲୋକେ ଖବରକାଗଜ ପଢ଼ୁଛନ୍ତି । ଅରକ୍ଷ ଆଶ୍ରମ ବି ଗଢ଼ା ହୋଇଚି । ଶେଷରେ ସୁବ୍ରତ ଓ ଆହୁତିର ମିଳନରେ ‘ବଜ୍ରବାହୁ’ର ପରିସମାପ୍ତି ।

 

‘ମାଟିମଟାଳ’ରେ ଜମିଦାରୀ ହରାଇଥିବା ବଟ ମହାନ୍ତିଙ୍କ (ଅବଶ୍ୟ ବଟ ମହାନ୍ତି ଏକ ଅଭିଜାତ ଓ ଜମିଦାର ନୁହନ୍ତି) ପୁଅ ରବି କଲେଜ ଶିକ୍ଷା ଶେଷ କରି ବାପାଙ୍କ ତାଡ଼ନାରେ କିରାଣୀ ଚାକିରି ପାଇ ମଧ୍ୟ ଉନ୍ନୟନ କର୍ମଚାରୀ, ବନ୍ଧୁ ବିପିନ ବସାରେ ଅନ୍ୟମାନଙ୍କ ସହ ଆଲୋଚନା ପରେ ତାହା ପରିତ୍ୟାଗ କରି ଘରକୁ ଫେରିଚି । ବାପାଙ୍କର ଅନ୍ୟାୟ ଜୁଲମ, ମହାଜନୀ, ମିଥ୍ୟା ଅହମିକାରେ କ୍ଷୁବ୍‌ଧ ରବି ଚାଷ ଗାଁ ଫୁଲଶରାରେ ଆରମ୍ଭ କରିଚି ଏକ ନୂଆ ସମାଜ । ସେ ଜାତିଭେଦ, ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ପ୍ରଭୃତିକୁ ଦୂରେଇ ଦେଇ ପଲ୍ଲୀ ଜୀବନରେ ଏକ ନୂତନ ଜୀବନଧାରା ସୃଷ୍ଟି କରିଚି । ତାରି ଆଦର୍ଶରେ ଆଖପାଖ କେତୋଟି ଗାଁରେ ମଧ୍ୟ ଅନୁରୂପ ପରିବର୍ତ୍ତନ ଆରମ୍ଭ ହୋଇଚି । ସେବା, ସ୍ନେହ, ସହନଶୀଳତା, ସମଭାବନା ଓ ନିଃସ୍ୱାର୍ଥପରତା ଦ୍ୱାରା ସେ ଆକୃଷ୍ଟ କରିଚି ସଭିଙ୍କୁ । ଗାଁ ଭୂଇଁ ହସିଚି । ଏକ ପୁରୁଣା ଜମିଦାର ବଂଶର ଅଭାବୀ ଉତ୍ତରାଧିକାରୀ ସିନ୍ଧୁ ଚୌଧୁରୀଙ୍କ କନ୍ୟା ଛବି ଏହି ଆଦର୍ଶର ଅନୁରୂପ ନାରୀକଲ୍ୟାଣ, ଗ୍ରାମସେବା, ଜାତିଭେଦ ରହିତ, ସ୍ନେହ ମମତା ପରିପୂର୍ଣ୍ଣ ଏକ ସାମୂହିକ ଜୀବନଧାରାର ଆରମ୍ଭ କରିଚି ନିଜ ଗାଁ ପାଟେଳି ଗାଁରେ ।

 

ଏକଦା ଅକସ୍ମାତ୍‌ ସାକ୍ଷାତରେ ଜନ୍ମ ନେଇଥିବା ରବି ଓ ଛବିର ପ୍ରେମ ଭାବନା ପ୍ରତ୍ୟକ୍ଷ ସାକ୍ଷାତରେ ନୁହେଁ ବରଂ କର୍ମଧାରା ମାଧ୍ୟମରେ ବିକସିତ ହୋଇଚି । ଉଭୟେ ପରସ୍ପରର ନିକଟତର ହୋଇ ପାରିଛନ୍ତି ବନ୍ୟାଦୁର୍ଗତଙ୍କ ସେବାବେଳେ । ବନ୍ୟାପରେ ସର୍ବତ୍ର ପୁଣି ଥରେ ଗଢ଼ାଗଢ଼ିର କୋଳାହଳ । ରବିର ଆଦର୍ଶରେ, ସେବାରେ ମୁଗ୍‌ଧ ପ୍ରତ୍ୟେକେ ନୂଆ ଜୀବନ ବଞ୍ଚିବାକୁ ଆରମ୍ଭ କରିଛନ୍ତି । ତାର ସ୍ୱପ୍ନ ସାର୍ଥକ ହୋଇଚି ସ୍ୱାର୍ଥ ତ୍ୟାଗରେ, କର୍ମନିଷ୍ଠାରେ । ଦୀପଶିଖା ପରି ଅନ୍ୟକୁ ସେ ଆଲୋକିତ କରି ପାରିଚି । ଛବି ବି ସକଳ ଗୁଜବ ଓ ଟାପରା ସତ୍ତ୍ୱେ ପାଟେଳି ଗାଁରେ ତା’ର ସେବା ଓ କର୍ମ ଆରମ୍ଭ କରିଚି । ପାଟେଳି ଗାଁରେ ମଧ୍ୟ ଆସିଚି ପରିବର୍ତ୍ତନ । ତଣ୍ତିକୂଳକୁ ଅନ୍ୟମାନଙ୍କ ସହ ଗଲାବେଳେ ଟିକିଏ ଅଟକି ରହିଚି ଫୁଲଶରା ବାଟକୁ ଚାହିଁ-‘‘ସତେକି ସେ ନିଛାଟିଆ ବାଟୋଇଟିଏ ।’’ ମନ୍ଦିର ପାଖକୁ ଯାଇ ଆଞ୍ଜୁଳାଏ ବଉଳ ଫୁଲଧରି ମନେମନେ ଦେଖିଚି ରବିକୁ । କର୍ମର ଆହ୍ୱାନରେ ସେ ସଚେତନ ହୋଇ ଉଠିଚି । ଅଟକି ନଯାଇ ପୁଣି ଆରମ୍ଭ ହୋଇଥିବା ଯାତ୍ରାରେ ଉପନ୍ୟାସର ପରିସମାପ୍ତି ଘଟିଚି, ସିନ୍ଧୁ ଚୌଧୁରୀଙ୍କ ଆଶା ‘‘ଦିଟା ବିଶାଳ ହୃଦୟ ତ୍ୟାଗ, ତପସ୍ୟା, ସ୍ନେହ ଉଦାରତାରେ ବିଛେଇ ହୋଇ ପଡ଼ୁ ପଡ଼ୁ କେତେବେଳେ ଏକାଠି ହୋଇଯିବ’’ର ଧାରଣା ଜନ୍ମାଇ ।

 

କାହ୍ନୁ ଚରଣଙ୍କ ‘ଶାସ୍ତି’ ଓ ‘ଝଞ୍ଜା’କୁ ‘ବଜ୍ରବାବୁ’ର ପ୍ରସ୍ତୁତି ଭାବେ ଗ୍ରହଣ କରାଯାଇ ପାରେ-। କାହ୍ନୁ ଚରଣଙ୍କ ଅନୁଭୂତିରେ ଥିବା, ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ଜାତି ଭେଦ ଓ ଅସ୍ପୃଶ୍ୟତା ନିରାକରଣ ସମ୍ପର୍କୀତ ଅଭିନବ ଦୃଷ୍ଟିକୋଣ, ଅହିଂସ ସଂଗ୍ରାମ, ମାନବିକ ସମ୍ବେଦନଶୀଳତା, ସହାବସ୍ଥାନ ଓ ବିନୋବାଙ୍କ ସର୍ବୋଦୟର ଭୂମିକା ତଥା ଚିନ୍ତା ଓ ଚେତନାରେ ଥିବା ମାର୍କସଙ୍କ ସାମ୍ୟବାଦୀ ଶ୍ରେଣୀହୀନ ସମାଜ ଗଠନର ଅସ୍ପଷ୍ଟ ଛାୟା ଏବଂ ସ୍ୱପ୍ନରେ ଥିବା ଏକ ସୁସମୃଦ୍ଧ, ସୁଖୀ, ସ୍ୱାଧୀନ, ଆଦର୍ଶ ଭାରତ ଗଠନ, ଦୁର୍ଭିକ୍ଷ ଫେରା କାଙ୍ଗାଳ ସନିଆର ଜାତି ଭେଦ ରହିତ ପରିବାର, ଶ୍ରେଣୀହୀନ ସମାଜ ଗଠନର ସ୍ୱପ୍ନ ‘ଝଞ୍ଜା’ରେ ଭିନ୍ନ ପରିସ୍ଥିତି ଓ ପରିବେଶରେ ରୂପାୟିତ ହୋଇଥିଲା । ଏକ ସହରୀ ପରିବେଶରେ ଶିକ୍ଷିତ ଚରିତ୍ରମାନଙ୍କ ମଧ୍ୟରେ ଗାନ୍ଧିବାଦ ଭିତ୍ତିକ ଆଦର୍ଶ ମାଧ୍ୟମରେ ସାମାଜିକ ପରିବର୍ତ୍ତନର ରୂପାୟନ କରାଯାଇଥିଲା । କିନ୍ତୁ ‘ଝଞ୍ଜା’ର ଅନ୍ୟତମ ମୁଖ୍ୟ ଚରିତ୍ର ଦୁଷ୍ମନ୍ତ ଶେଷରେ ସବୁ ଛାଡ଼ି ଦେଇ ଚାଲିଯାଇଚି ଦୂର ପଲ୍ଲୀକୁ, ସନିଆ ବି ସେହିପରି ପଳାତକ ସାଜିଚି ‘ଶାସ୍ତି’ରେ । ହୁଏତ ନିଜ ଆଦର୍ଶ, ନିଜ କର୍ମପନ୍ଥା ଉପରେ ଅନାସ୍ଥା କିମ୍ବା ଅସ୍ପଷ୍ଟ, କୁହେଳିକାଚ୍ଛନ୍ନ ସୁଦୂର ପରିଣତି ସମ୍ପର୍କରେ ସଂଶୟ ଯୋଗୁଁ ଏହି ପଳାୟନ ଘଟିଥାଇ ପାରେ ।

 

ବଜ୍ରବାହୁଙ୍କୁ ଦୁଷ୍ମନ୍ତଙ୍କର ପରବର୍ତ୍ତୀ ରୂପ ବୋଲି ଆଲୋଚନା କରାଯାଇଥାଏ । ମାତ୍ର ବଜ୍ରବାହୁ ଚରିତ୍ରର ଚିନ୍ତା ଓ କାର୍ଯ୍ୟ ସହ ରଣଗଡ଼ର ଅଭୂତପୂର୍ବ ପରିବର୍ତ୍ତନର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ଏ ପରିବର୍ତ୍ତନରେ ମଧ୍ୟ ଶିକ୍ଷାର ପ୍ରଭାବ ନାହିଁ । କେବଳ ସମୟାନୁସାରେ ବା ଯୁଗରୁଚି ଅନୁସାରେ ଯାହାକିଛି ହୋଇ ଯାଇଚି । ସାଧାରଣ ଲୋକର ସାଧାରଣ କଥାବାର୍ତ୍ତାରେ ବି ଦାର୍ଶନିକ ସୁଲଭ ଜୀବନ-ସତ୍ୟଟିଏ ପ୍ରକାଶିତ ହୋଇଗଲା ପରି ଏ ଚେତନାର ରୂପାୟନ ହୋଇଚି-। ଅବଶ୍ୟ ଏହି ପରିବର୍ତ୍ତନରେ ବଜ୍ରବାହୁର ଆଦର୍ଶଦ୍ୱାରା ଅନୁପ୍ରାଣୀତ ହୋଇଥିବା ଆହୁତି ଆସି ଯୋଗ ଦେଇଚି ।

 

‘ମାଟି ମଟାଳ’ର ଗ୍ରାମ୍ୟଜୀବନର ପରିବର୍ତ୍ତନର ଚିତ୍ର ମଧ୍ୟ ଅନୁରୂପ । ‘ମାତ୍ର ‘ବଜ୍ରବାହୁ’ ରଚନା ଠାରୁ ଏହାର ପ୍ରକାଶନ ମଧ୍ୟରେ ପ୍ରାୟ ଏକ ଦଶନ୍ଧି ଅତିକ୍ରାନ୍ତ ହୋଇ ସାରିଚି । ତଥାପି ସେଇ ଜାତିଭେଦ ଦୂରୀକରଣ ଓ ଗାଁର ଅଶିକ୍ଷିତ, ଦୈନ୍ୟ ନିପୀଡ଼ିତ, ଗରିବ ଗ୍ରାମବାସୀଙ୍କୁ ନେଇ ଏକ ଶିକ୍ଷିତ ତଥା ସମ୍ବଳବାନ୍‌ ଯୁବକର ସମବାୟବୃତ୍ତିକ ଗ୍ରାମ ପୁନର୍ଗଠନର ସ୍ୱପ୍ନର ରୂପାୟନ କରାଯାଇଚି । ରବିର ବଞ୍ଚିବା ପାଇଁ ଇଛା ଭିତରେ ନିଭୃତ ଭାବେ ‘ନିଆରା ଜୀବନ’ର ଚିନ୍ତା ଥିଲେ ବି ପିମ୍ପୁଡ଼ି ଦଳ ଦେଖି ବା ହଂସ ଦଳ ଦେଖି ‘ଏକାଠି’ ବା ‘ବହୁ ଭିତରେ ଏକ’ ହେବାର ଚେତନାଟିର ସଂପ୍ରସାରଣ କରାଯାଇଚି । ତେଣୁ ତାର ଇଚ୍ଛା ‘ମଣିଷକୁ ସେ ମଣିଷ ବୋଲି ଚିହ୍ନିବ, ମଣିଷ ବି ତାକୁ ମଣିଷ ବୋଲି ସ୍ୱୀକାର କରିବ, ଆଉ ଅଧିକା କଣ ହେବ ? ତେଣୁ ‘ଅକଳନ୍ତି ମଣିଷଙ୍କ ସୁଖଦୁଃଖରେ ସେ ହୃଦୟ ମିଶାଇବାକୁ ଲୋଡ଼ୁଛି, ଯେପରିକି ତାର ଆନନ୍ଦ ସମସ୍ୟାର ସମାଧାନ ନୁହେଁ, ଏକ ବିଶାଳ ମାନବିକ ସହାନୁଭୂତିରେ ଏକ କୁହୁଡ଼ିଆ ଜହ୍ନରାତିର ବିସ୍ତୃତିରେ ଆପଣାକୁ ପରିଣତ କରି କଣିକା କଣିକା ହୋଇ ଚାରିଆଡ଼େ ବିଛେଇ ହୋଇ ବ୍ୟାପିବାକୁ । ତେଣୁ ‘ପାଠୁଆ ଯୁବକର ସୀମିତ ନଜର’ ପରିହାର କରି ଏକ ବ୍ୟାପକ ଜୀବନାନୁଭୂତି ଭିତରେ ସେ ନିଜକୁ ଲମ୍ବାଇ ଦେଇଚି । ଐତିହ୍ୟ ଓ ଆଧୁନିକ ଚିନ୍ତାଧାରାର ସମନ୍ୱିତ ଭୂମିରେ ସେ ଉପନୀତ ।

 

ଏହା ଭିତରେ ସେ ପ୍ରାଚୀନ, ପାରମ୍ପରିକ, ଆବହମାନ ଭାରତୀୟ ଜୀବନଧାରାର ସନ୍ଧାନ ଗ୍ରାମବାସୀଙ୍କ ଭିତରେ ଅବଶ୍ୟ ପାଇଚି । ଯେଉଁ ଧାରାଟିକୁ ଗାନ୍ଧିଜୀ ଚିହ୍ନିପାରି ଭାରତୀୟ ପରିପ୍ରେକ୍ଷୀରେ ସ୍ୱାଧୀନତା ସଂଗ୍ରାମକୁ ଅହିଂସ କରିଥିବାରୁ ତାହା ଶ୍ଳାଘ୍ୟ ହୋଇ ପାରିଥିଲା, ରବି ଠିକ୍‌ ସେହି ପରିଚିତିକୁ ଉପଲବ୍‌ଧି କରିଚି । ‘ଏହି ତ ତା ଜନ୍ମଭୂମି’ର ସବୁ କାଳର ରୂପ, ସବୁଠି କରୁଣା । ଭେକଭୂଷାର ଆଢ଼ୁଆଳ ନାହିଁ, ମିଠା କଥାର କଇତବ ନାହିଁ, ସମସ୍ତେ ତାରି ଏବଂ ମଣିଷ ଘର ଚାଳି ତଳର ଉଷୁମ ଆତିଥ୍ୟ ତା ପାଇଁ ମେଲା ହୋଇ ରହିଚି ଉଦାର ମାନବିକତାର ସଙ୍କେତ ଘେନି । ତେଣୁ ହିଂସାକୁ ନିକାଲି ଏକ ବିରାଟ ଭାଇପଣ ପ୍ରତି ଘରେ ଘରେ ଗଢ଼ିବାକୁ, ଶୁଖିଲା କାଠରୁ ରସ ସୃଷ୍ଟି କରିବାକୁ ସେ ପଣ କରି ଆଗେଇଚି । ଏଥିପାଇଁ ନୂଆଯୁଗ ଦେବତାର କର୍ମମନ୍ତ୍ରର ବାର୍ତ୍ତା ସେ ପହଁଞ୍ଚାଇଛି ସଭିଙ୍କ ପାଖରେ । ଏକା ପ୍ରକାରେ ବଞ୍ଚିବାର ଧାରା, ସମସ୍ତଙ୍କ ପାଇଁ ଭାତ, ଲୁଗା, ଘରର ବ୍ୟବସ୍ଥା, କାମ ବେଳେ ‘ଗଣ ରୋଳ’, ଏହି କର୍ମ ପ୍ରେରଣା ଏକ ସମୂହ ସମାଜ-ଚେତନା ଓ ‘ସ୍ନେହ’ ବିଶ୍ୱାସ ଦିଆଘେନା ବୁଝାମଣା ଆଉ ଦମ୍ଭିଲା ଭାଇ ପଣରେ ଛନ୍ଦାଛନ୍ଦି ହୋଇ ଏକ ପୃଥିବୀ, ଏକ ଘରର ପ୍ରତିଷ୍ଠା ପାଇଁ ରବି ନିଃସ୍ୱାର୍ଥପର କାମ କରିଚି ଏବଂ ମଧ୍ୟ ଏହି ଚେତନା ଅନେକଙ୍କ ଭିତରେ ଭରି ଦେଇ ପାରିଚି । ମାତ୍ର ଗାଁ ପୁରୋହିତ, ଗାଁ ଟରଣି ଓ ପୁରୁଣା ଦିନର ଗାଁ ଦଳାଦଳିର ନେତା ଶୁକୁଟି ନନା, ଅଗଣି ରାୟ, ବିକା ମୁଦୁଲି ଏବଂ ଏପରିକି ବଟ ମହାନ୍ତିଙ୍କ ଭିତରେ ଏ ପରିବର୍ତ୍ତନର ପ୍ରଭାବ ପଡ଼ିଥିଲା ପରି ଅନୁଭୂତ ହୁଏ ନାହିଁ ।

 

ଏହି ଉଭୟ ଉପନ୍ୟାସରେ ଗ୍ରାମ ଲୋକଙ୍କ ଜୀବନରେ ଜାତିଭେଦ ଦୂର ତଥା ସମୂହ ଜୀବନଯାପନ ପରିପ୍ରେକ୍ଷୀରେ ନିଃସ୍ୱାର୍ଥପରତା ଓ କର୍ମ-ପ୍ରବଣତାର ଯେଉଁ ନୂତନ ଚେତନାର ପ୍ରତିଫଳନ ହୋଇଚି ତଥା ଗ୍ରାମ ଗଠନର ଯେଉଁ ଲୋଭନୀୟ ଚିତ୍ର ଦିଆଯାଇଚି ବାସ୍ତବତାର ପରିପ୍ରେକ୍ଷୀରେ ତାହା ତଥାପି ପ୍ରଶ୍ନବାଚୀ ସୃଷ୍ଟି କରେ । ଏହି ପରିବର୍ତ୍ତନ ସ୍ୱାଧୀନତା ପରବର୍ତ୍ତୀ ଭାରତର ବିଭିନ୍ନ ଯୋଜନା ଓ ତତ୍‌ସମ୍ପର୍କିତ ସ୍ୱପ୍ନ ଅନୁରୂପ ବୋଲି ପୂର୍ବରୁ କୁହାଯାଇଚି । ଅବଶ୍ୟ ଏହି ପ୍ରଶ୍ନଟି ସ୍ୱାଧୀନତା ପ୍ରାପ୍ତିର ପ୍ରାୟ ୪୦ ବର୍ଷ ତଥା ଉପନ୍ୟାସ ପ୍ରକାଶନର ପ୍ରାୟ ୨୫ ବର୍ଷ ପରର ଅର୍ଥାତ୍‌ ଆଜିର ପରିସ୍ଥିତି ପରିପ୍ରେକ୍ଷୀରେ କରାଯାଉଚି, ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ଯୋଜନାର ପ୍ରାଥମିକ ଅବସ୍ଥାରେ ଏପରି ଆଖିଦୃଶିଆ ପରିବର୍ତ୍ତନ ମଧ୍ୟ ହୋଇନାହିଁ ଏପରି ନୁହେଁ । ଏହାହିଁ ତ ସ୍ୱାଧୀନ ଭାରତ ଗଠନର ବାର୍ତ୍ତା ଥିଲା ।

 

ପଣ୍ତିତ ନେହେରୁଙ୍କ କଥାରେ ‘‘ଯେଉଁ ଦେଶର ଧନୀ ଓ ଦରିଦ୍ର ମଧ୍ୟରେ ଖୁବ୍‌ ବେଶୀ ଅନ୍ତର ରହିବ ନାହିଁ, ଯେଉଁଠି ଲୋକମାନେ ସାଧାରଣତଃ ସମାନ ସୁଖ ସୁବିଧାମାନ ଉପଭୋଗ କରି ପାରିବେ, ଯେଉଁଠି ଜାତିଗତ ବ୍ୟବଧାନ ରହିବ ନାହିଁ ଏବଂ ଯେଉଁଠି ଲୋକମାନେ ପରସ୍ପର ସହିତ ଏକତ୍ର ବାସ କରିବେ, ନିଜର ଧର୍ମ ବା ଜାତି ଯାହା ହୋଇଥାଉ ପଛକେ ସେମାନେ ଗୋଟିଏ ଦେଶର ନାଗରିକ ହିସାବରେ ପରସ୍ପର ସହଯୋଗର ଆଧାର ଉପରେ ଜୀବନ ଅତିବାହିତ କରିବେ, ଆମେ ସେହିପରି ଗୋଟିଏ ଦେଶ ନିର୍ମାଣ କରିବାର ସ୍ୱପ୍ନ ଦେଖୁଚୁ । (୨୬) ଏଥିପାଇଁ ୧୯୫୨ରେ ସାମୁଦାୟିକ ବିକାଶ ଯୋଜନା ଆରମ୍ଭ କରାଗଲା । ମାତ୍ର ବାସ୍ତବତଃ ଏହାର ସୁଫଳ ଏବେ ବି ଅପହଞ୍ଚ ହୋଇ ରହିଯାଇଚି । ସରକାରୀ କଳ ତଥା ନେତାମାନଙ୍କର ପ୍ରତିଶ୍ରୁତି ଓ ପଣ୍ଡିତମାନଙ୍କର ସମସ୍ତ ହିସାବ ସତ୍ତ୍ୱେ ଗ୍ରାମଜୀବନରେ ଏହି ଚେତନାଗତ ପରିବର୍ତ୍ତନ ଏଯାବତ୍‌ ଆସିପାରି ନାହିଁ । ‘ମାଟିମଟାଳ’ର ଆଞ୍ଚଳିକ ଉନ୍ନୟନ କର୍ମଚାରୀ ରବିର ବନ୍ଧୁ ବିପିନର ଦୃଷ୍ଟିଭଙ୍ଗୀରେ ଯେଉଁ ନିସ୍ପୃହତା ଦେଖାଦେଇଚି ତାହାହିଁ ବାସ୍ତବ ଚିତ୍ର । ଏହାର କାରଣ,ଏ ସବୁ ଯୋଜନା ‘ଯାହାଙ୍କ ପାଇଁ ସେମାନେ ମାତ୍ର ଉଠି ନାହାନ୍ତି । ପରେ ଏମାନଙ୍କର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନର କଥା କୁହାଯାଇଚି-ବିପିନ ଆଗରେ ସାହାଯ୍ୟର ଅପକାରିତା ତଥା ‘କୋଠ’ ଓ ‘ମେଣ୍ଟ’ର ମହତ୍ତ୍ୱ ସମ୍ପର୍କରେ ରଘୁ, ସତୁରା, କାଙ୍ଗାଳି ପ୍ରଭୃତିଙ୍କ ଯୁକ୍ତିରେ । ବିପିନ ବି ପଚାରିଚି, ‘ଗାଁ ଲୋକଙ୍କ ବୁଦ୍ଧି ଶୁଣନ୍ତୁ ? କୋଉଠୁ ଏ ସବୁ କଥା ଶିଖିଲ ? ଅବଶ୍ୟ ରବି ସମାଜ ‘ସଂସ୍ଥା’ର ପରିବର୍ତ୍ତନ ଦ୍ୱାରା ଏହା ସମ୍ଭବ ବୋଲି ଭାବେ ଏବଂ ସେ ତାହାହିଁ କରିଚି, ତଥାପି ତାହା ମଧ୍ୟ ‘ରାସ୍ତା କରର ସୋ କେସ୍‌’ ପରି ରହିଯାଇଚି । ଏପରିକି ସାଧାରଣ ଦୃଷ୍ଟିରେ ତାର କାର୍ଯ୍ୟଧାରା ବିସ୍ମୟ ସୃଷ୍ଟି କରିଥିଲେ ବି ବିପିନ ତାକୁ ଏକ ‘ସରଳ ମୂର୍ଖ’ ଭାବରେ ତାତ୍ସଲ୍ୟ କରିଚି । ସହରରେ ରହି ଗ୍ରାମ୍ୟଜୀବନର ପରିବର୍ତ୍ତନର ଚିତ୍ର ଆଙ୍କୁଥିବା ସରକାରୀ ବଡ଼ପଣ୍ଡାମାନଙ୍କ ଫାଇଲର ଚିତ୍ର କିମ୍ବା ଚଳଚ୍ଚିତ୍ରରେ ଦର୍ଶାଯାଉଥିବା ସଙ୍ଗୀତ ଓ ସମୂହ କର୍ମ ପୃଷ୍ଠଭୂମିରେ ସୁନ୍ଦର, ସୁଠାମ, ହସିଲା, ପୂରିଲା ଗ୍ରାମଜୀବନର ଚିତ୍ରଠାରୁ ଏହାର ପାର୍ଥକ୍ୟ ବାରିହୁଏ ନାହିଁ । ରାଜଧାନୀର ଏକ ଅଂଶରେ ପରିଣତ ହୋଇଥିବା ଏକ ପୁରୁଣା ପାର୍ଥକ୍ୟ ବାରିହୁଏ ନାହିଁ । ରାଜଧାନୀର ଏକ ଅଂଶରେ ପରିଣତ ହୋଇଥିବା ଏକ ପୁରୁଣା ଗାଁରେ ରାଜଧାନୀର ସମସ୍ତ ସୁଯୋଗ ସତ୍ତ୍ୱେ ଅର୍ଥନୈତିକ ବ୍ୟବସ୍ଥାର ନିମ୍ନସ୍ତରରେ ଥିବା ଲୋକମାନଙ୍କର ଅପରିବର୍ତ୍ତିତ ଦୁରବସ୍ଥା ଓ ସୁବିଧାବାଦୀମାନଙ୍କ ପ୍ରଭୂତ ଲାଭପ୍ରାପ୍ତି ଯଦି ସ୍ୱାଧୀନତା ପ୍ରାପ୍ତିର ବହୁବର୍ଷ ପରେ ମଧ୍ୟ ପ୍ରମାଣିତ ହୋଇ ପାରୁଥାଏ ତେବେ ଉପନ୍ୟାସର ଏତାଦୃଶ ଚିତ୍ରକୁ ପ୍ରଚାରଧର୍ମୀ କହିବା ଅବାନ୍ତର ହେବ ନାହିଁ । (୨୭)

 

୨୬.

ସମାଜ : ପରିବର୍ତ୍ତନ ଓ ବିକାଶ, ଚିତ୍ତରଞ୍ଜନ ଦାସ, ପୃ-୨୭୯ରେ Kurukshetra, A Symposium on C D. in India, Govt. of India, 1961 p.149ରୁ ଉଦ୍ଧୃତ ।

୨୭.

Scarcity & Opportunity in an Indian village, 1977, by James M Freeman. P. 70.

 

ପୂର୍ବରୁ ସମାଜତାତ୍ତ୍ୱିକ ବାସ୍ତବତା ସମ୍ପର୍କୀତ ଆଲୋଚନାନୁକ୍ରମେ ଆମେ ଦେଖିଥିବା ଗାଁର ନୂଆ ପ୍ରକୃତ ରୂପଟି ଏହା ଭିତରେ ନାହିଁ । ଏପରିକି ଯେଉଁ ପରିବର୍ତ୍ତନର କଥା କୁହାଯାଇଛି ତାହା ନିର୍ବିରୋଧରେ ଆସିଯାଇଚି, ଯାହା ପ୍ରାୟତଃ ସମ୍ଭବ ନୁହେଁ । ପ୍ରତିଷ୍ଠିତ ବ୍ୟକ୍ତିମାନେ ହିଁ ସାଧାରଣ ଲୋକମାନଙ୍କର ଆଦର୍ଶ । ମୁଖ୍ୟ ଚରିତ୍ରଟି ସେହିପରି ଅଭିଜାତ ଓ ସମ୍ବଳବାନ । ତା’ ପଛରେ ଲୋକେ ନାଚିବେ । କିନ୍ତୁ ତାହା ସ୍ୱତଃସ୍ଫୂର୍ତ୍ତ ତ ! ପୁନଶ୍ଚ ଆଜି ଏପରି ଆଦର୍ଶବାନ ପ୍ରତିଷ୍ଠିତ ବ୍ୟକ୍ତି ତ ବିରଳ-ବରଂ ଯେଉଁମାନେ ସମାଜର ବଡ଼ପଣ୍ଡା ସେମାନଙ୍କ ଆଦର୍ଶ ଓ କାର୍ଯ୍ୟରେ ବିରାଟ ବ୍ୟବଧାନ, ଆଦର୍ଶରେ ସେମାନେ ଦେବତା ଓ କାର୍ଯ୍ୟରେ ଦାନବ । ମଝିରେ ପେଷିହେଉଥିବା ବିଚରା ଅଗଣିତ ଜନତାର ବିଡ଼ମ୍ବିତ ଭାଗ୍ୟ ହିଁ ଆଜିର ବାସ୍ତବତା । ଆଜି ଏଠି ମଣିଷର ଅତି ମାନସିକ ଅବସ୍ଥାକୁ ଉତ୍ତରଣ ଘଟୁନାହିଁ ବରଂ ପଶ୍ଚାତ୍‌ ଗତିରେ ସେ ଚାଲିଚି ଆଦିମତାର ସେଇ ବର୍ବର, ଅଶାଳୀନ, ବିଶୃଙ୍ଖଳିତ, ହ୍ରିଂସ, ବନ୍ୟ ଅନ୍ଧକାର ଭିତରକୁ । କାହ୍ନୁଚରଣଙ୍କ ଶାସ୍ତି ଓ ଝଞ୍ଜାର ନାୟକ ନିଜ ସୃଷ୍ଟ ଆଦର୍ଶ ପରିତ୍ୟାଗ କରି ପଳାତକ ହେବା ଭିତରେ ଏହି ସ୍ୱପ୍ନିଳ ସମାଜ ଗଠନ ପ୍ରତି ଔପନ୍ୟାସିକଙ୍କ ଦ୍ୱିଧାଗ୍ରସ୍ତ ମାନସିକତାର ପରିଚୟ ମିଳିଥାଏ । ଅବଶ୍ୟ ବଜ୍ରବାବୁ ତାର ବ୍ୟତିକ୍ରମ । ଏତେବେଳକୁ ବୋଧେ ଔପନ୍ୟାସିକ ଏପରି ଏକ କଳ୍ପନାର ବାସ୍ତବତା ସମ୍ପର୍କରେ ଅଧିକ ଆସ୍ଥାବାନ ହୋଇ ସାରିଥିଲେ । ସେହିପରି ଅଗଣିତ ଜନତାର ଏକ ସାମୁଦାୟିକ ଜୀବନଯାପନ ପାଇଁ ଅବାରିତ ସଂଗ୍ରାମ ଦୃଷ୍ଟିରୁ ‘ମାଟିମଟାଳ’କୁ ଏକ ମହାନ ସୃଷ୍ଟିର ମର୍ଯ୍ୟାଦା ଦେବା ଅନୁଚିତ ହେବନାହିଁ ।

 

ଔପନ୍ୟାସିକ ଦାଶରଥି ନନ୍ଦଙ୍କ ‘ଏଇପଥ’ ଏହି ଭାବଧାରା ପରିପୁଷ୍ଟ ଅନ୍ୟ ଏକ ଉପନ୍ୟାସ । ଜ୍ଞାନ ଓ କର୍ମର ସମନ୍ୱୟରେ ଦେଶର ପ୍ରଗତି ଅବଶ୍ୟମ୍ଭାବୀ-ଏହିପରି ଏକ ଆଦର୍ଶର ରୂପାୟନ ଶିକ୍ଷିତ ବେକାର ଯୁବକମାନଙ୍କ ଆତ୍ମନିଯୁକ୍ତି ମାଧ୍ୟମରେ କରାଯାଇଚି । ଏଥିରେ ‘ସ୍ୱାଧୀନତା ପରେ ଜନମଙ୍ଗଳ ସରକାରଙ୍କ ଉନ୍ନୟନମୂଳକ ଯୋଜନା’ର ପ୍ରଚାର ବାହୁଲ୍ୟ ପରିଲକ୍ଷିତ ହୁଏ । କାହ୍ନୁଚରଣଙ୍କ ମନଲୋଭା କାହାଣୀ ଓ ଚରିତ୍ର ସୃଷ୍ଟିର ବଳିଷ୍ଠତା କିମ୍ବା ଗୋପୀନାଥଙ୍କ ଦୃଷ୍ଟିଭଙ୍ଗୀ ଓ ଗଭୀର ଜୀବନବୋଧର ବ୍ୟାପକତା ନିକଟରେ ଏହା ନିଷ୍ପ୍ରଭ ।

 

ଅନ୍ୟ ଏକ ଶ୍ରେଣୀର ଉପନ୍ୟାସରେ ପ୍ରେମ ଓ ପ୍ରଣୟର ସହଜ ସରଳ କଥାବସ୍ତୁ ଅବଲମ୍ୱନରେ ଜାତିଆଣଭାବ, ଲୋକଙ୍କ ଆର୍ଥିକ ଦୁରବସ୍ଥା, ସେଇ ପୁରୁଣା ଗ୍ରାମପତିମାନଙ୍କର ଶୋଷଣ ଓ ଅତ୍ୟାଚାର ପ୍ରଭୃତି ସାଧାରଣ କଥା ମାଧ୍ୟମରେ ଗ୍ରାମ୍ୟ ଚିତ୍ରର ଅଭିବ୍ୟକ୍ତି ମଧ୍ୟରୁ ଗ୍ରାମ୍ୟଜୀବନର ଧାରା ସମ୍ପର୍କରେ ଅନୁଧ୍ୟାନ କରାଯାଇପାରେ । ଏହି ପରିପ୍ରେକ୍ଷୀରେ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ‘ଏଇ ଗାଁ ଏଇ ମାଟି’କୁ ଗ୍ରହଣ କରିଯାଉ । ଏଠାରେ ସ୍ମରଣୀୟ ଯେ ସମାନଧର୍ମ ବହୁ ଉପନ୍ୟାସ ରଚିତ ହୋଇଥିଲେ ମଧ୍ୟ କୌଣସି ନୂତନ ଭାବସଙ୍କେତର ଅଭାବ ଯୋଗୁଁ ପ୍ରତିନିଧି ସ୍ଥାନୀୟ ଏହି କ୍ଷୁଦ୍ରାୟତନ ଅଥଚ ପରିବର୍ତ୍ତନର ସ୍ୱରୂପକୁ ସହଜ ଓ ସ୍ୱାଭାବିକ ଭାବେ ପ୍ରକାଶ କରୁଥିବା ଏବଂ ପୂର୍ବାଲୋଚିତ ଉପନ୍ୟାସଦ୍ୱୟର ସମକାଳୀନ ସୃଷ୍ଟି ଏହି ଉପନ୍ୟାସଟିକୁ ଏଠାରେ ଆଲୋଚନା ପାଇଁ ଗ୍ରହଣ କରାଯାଇଚି । ଅବଶ୍ୟ ଏହା ସ୍ୱୀକାର୍ଯ୍ୟ ଯେ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସଗୁଡ଼ିକରେ ସବୁଠାରୁ ବେଶି ସମକାଳୀନ ସମସ୍ୟାଗୁଡ଼ିକ ଉତ୍‌ଥାପିତ ହୋଇଚି । ମାତ୍ର ପ୍ରେମ ଓ ପ୍ରଣୟର ସରଳ, ସୁଲଭ କାହାଣୀ ଭିତରେ ସେଗୁଡ଼ିକର ଗୁରୁତ୍ୱ ହଜିଯାଇଚି । ସେ ତେଣୁ ଆଦ୍ୟ ଯୌବନର ପ୍ରେମ ଓ ପୁଲକର କଥାକାର ଭାବେ ସୁପରିଚିତ ହୋଇଯାଇଛନ୍ତି ।

 

‘ଏଇ ଗାଁ ଏଇ ମାଟି’ର ପ୍ରଥମ ପ୍ରକାଶ ୧୯୫୯ ମସିହା । ଅର୍ଥାତ୍‌ ଏହା ମଧ୍ୟ ‘ବଜ୍ରବାହୁ’ ଓ ‘ମାଟିମଟାଳ’ର ସମସାମୟିକ । କିନ୍ତୁ ଏଥିରେ ପରିବର୍ତ୍ତନର ମୋହରେ କୌଣସି ଆଦର୍ଶର ଅବତାରଣା କରାଯାଇନାହିଁ । ବରଂ ଶିକ୍ଷାର ପ୍ରସାର, ଗମନାଗମନର ସୁଗମତା ତଥା ପରିବର୍ତ୍ତିତ ଆଇନ ଓ ଚିନ୍ତାଧାରା ପରିପ୍ରେକ୍ଷୀରେ ଗୋଟିଏ ମନ୍ଦିରଭିତ୍ତିକ ଗ୍ରାମ୍ୟଜୀବନଧାରାର ପରିବର୍ତ୍ତନକୁ ଏଥିରେ ଯଥାର୍ଥତଃ ପ୍ରକାଶ କରାଯାଇଚି, ଯାହା ଏବେ ମଧ୍ୟ ପ୍ରାୟ ପ୍ରତିଟି ଗ୍ରାମର ସାଧାରଣ ଅବସ୍ଥା ଓ ଚିତ୍ର । ଏହି ଉପନ୍ୟାସରେ ହରିଜନଙ୍କ ମନ୍ଦିର ପ୍ରବେଶଜନିତ ପ୍ରତିକ୍ରିୟା, ଶିକ୍ଷାପ୍ରସାର ଓ ଆଇନ ପ୍ରବର୍ତ୍ତନ ଫଳରେ ହରିଜନଙ୍କ ନୂଆ ଅଧିକାର ପ୍ରାପ୍ତି, ଭିନ୍ନଜାତିଗତ ବିବାହ ଓ ତାର ପରିଣତି ତଥା ଗୋଟିଏ ଶିକ୍ଷିତ ଦମ୍ପତିର ଉପଲବ୍‌ଧି ପ୍ରଭୃତି ସମସ୍ୟାଗୁଡ଼ିକ ଉତ୍‌ଥାପିତ ହୋଇଚି-। ଉପନ୍ୟାସରେ ସବର୍ଣ୍ଣ ଯଦୁନନ୍ଦନ ଓ ଅସବର୍ଣ୍ଣ କେତକୀ, ଏଣ୍ଡାମେଣ୍ଟ ଇନ୍‌ସପେକ୍ଟର ଶରତ, ଦେବଦାସୀ ଅନୁରାଧା ତଥା ଡାକ୍ତର ରଘୁମଣି ଓ ପୁଷ୍ପାକୁ ନେଇ ତିନୋଟି ସମାନ୍ତରାଳ କଥାବସ୍ତୁର ଅବତାରଣା କରାଯାଇଚି । ଏଥିରେ ଆସିଥିବା ସମସ୍ୟା ଓ ଦ୍ୱନ୍ଦ୍ୱ ମାଧ୍ୟମରେ ଗ୍ରାମ୍ୟଜୀବନଧାରାର ସ୍ୱରୂପଟିକୁ ସହଜରେ ଉପଲବ୍‌ଧି କରାଯାଇପାରେ ।

 

ଦେବୋତ୍ତର ଆଇନ ଓ ହରିଜନ ମନ୍ଦିର ପ୍ରବେଶ ଅଧିକାର ଫଳରେ ମଠର ଚଳଣିରେ ବାଧା ସୃଷ୍ଟି ହୋଇଚି । ଏହା ମହନ୍ତଙ୍କ ଦୃଷ୍ଟିରେ, ଧସେଇ ପସିଥିବା ପାଠ ରାହୁ ସମସ୍ତ ଧର୍ମଭାବକୁ ଲୋପକରି ଧର୍ମବିରୋଧୀ ଭାବ ବଢ଼ାଇଚି ବୋଲି ପ୍ରକାଶିତ । ଦେବଦାସୀ ଅନୁରାଧାର ପାଠପଢ଼ା ଇଚ୍ଛା ଏହାର ପରିଣାମ । ବିନୋଦିନୀ ବି ଭାବିଚି ବଦଳୁଥିବା ସମୟ ସୁଅରେ ଏ ଧର୍ମ ଅନୁଷ୍ଠାନ ବେଶିଦିନ ତିଷ୍ଠିପାରିବ ନାହିଁ । ଅପର ପକ୍ଷରେ ମନ୍ଦିରର ପୁରୁଣା ଚାକର ସନିଆ ମଳିକ ଆଇନ ବଳରେ ମନ୍ଦିର ପ୍ରବେଶ କଲାପରେ ସେବା ଛାଡ଼ିଚି । ହରିଜନ ମନ୍ତ୍ରୀ-‘ଏ ଯୁଗର ରାଜା’ଙ୍କ ଭାଷଣ ଏବଂ ନୂଆ ନଦୀ ବନ୍ଧ ଓ ପୋଲ ଦେଇ ଆସିଥିବା ସହରୀ ସଭ୍ୟତାର ଆଲୋକରେ ଉଦ୍‌ବୁଦ୍ଧ ହୋଇ ଝିଅ କେତୀକୁ ମେମ୍‌ କରିବାକୁ ପାଠ ପଢ଼ାଇଚି । କେତୀ ଗ୍ରାମସେବିକା ହୋଇ ମାମଲତକାର ନବଘନଙ୍କ ପୁଅ କିରାଣୀ ଯଦୁକୁ ରେଜିଷ୍ଟ୍ରି ବିବାହ-ଆଦର୍ଶ ବିବାହ କରିଚି ମାତ୍ର ନବଘନଙ୍କ ପୁତ୍ରବଧୂ ହୋଇ ପାରିନାହିଁ କିମ୍ୱା ମିସ୍‌ ମଲ୍ଲିକରୁ ମିସ୍‌ ସାମନ୍ତରାୟ ହୋଇ ପାରିନାହିଁ । କଣ୍ଟ୍ରୋଲ ବଜାରରୁ ଲାଭ ଉଠାଇଥିବା ଦିନମଣି ଉତ୍ତର ସିଂହଙ୍କ ଭାଇ ଡାକ୍ତର ରଘୁମଣି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଝିଅ ପୁଷ୍ପାକୁ ବିବାହ କରିଚି । ପାଠୋଇ ବୋହୂର ସାବୁନ ଲଗାଠାରୁ ଆରମ୍ଭ କରି ଗାଁରେ ବିବାହ ହେତୁ ଅସନ୍ତୋଷ ପ୍ରଭୃତି ହୋଇଚି ଗାଁର ଆଲୋଚନାର କଥା । ଗାଁ ଲୋକଙ୍କୁ ସଭ୍ୟ କରିବାକୁ ଚେଷ୍ଟା କରି ବିଫଳ ହୋଇ ସହରକୁ ଯାଇଚି ପୁଷ୍ପା ସ୍ୱାମୀ ସହ । ମାତ୍ର ସେଠି ମଧ୍ୟ ନିଜ ମାନ ସମ୍ମାନର ସୀମା ବୁଝିପାରି ଗାଁ ମାଟି ସ୍ୱର୍ଗ ବୋଲି କହି ସ୍ୱାମୀଙ୍କୁ ପ୍ରବର୍ତ୍ତାଇ ଗାଁକୁ ପୁଣି ଫେରି ଆସିଚି । ଅବଶ୍ୟ ଇତି ମଧ୍ୟରେ ତୁଳସୀ ବଣ ଗାଁ ପାଖରେ ଟାଇଲ କାରଖାନା ଓ ଶ୍ରମିକ ବସ୍ତିଟିଏ ଗଢ଼ି ଉଠିଲାଣି, ଶିଳ୍ପ ସଭ୍ୟତାର ଆଲୋକ ବି ପଶିଲାଣି ଗାଁରେ ।

 

ଏହି ତିନୋଟି କଥାବସ୍ତୁ ମଧ୍ୟରୁ ପ୍ରଥମଟିରେ ଆଇନ, ଶିକ୍ଷା ବିସ୍ତାର ଓ ଧାର୍ମିକ ଅନୁଷ୍ଠାନର ପରିବର୍ତ୍ତିତ ସ୍ୱରୂପର ଝଲକ ଓ ତୃତୀୟରେ ପାଠୋଇ ବୋହୂର ସହରୀ ଚଳଣି ପ୍ରତି ବିତୃଷ୍ଣା ଓ ଗ୍ରାମ ପ୍ରୀତିର କଥା କୁହାଯାଇଚି । ଅବଶ୍ୟ ଏ ମାନସିକ ପରିବର୍ତ୍ତନକୁ ଗ୍ରାମ ପ୍ରୀତି କୁହାଯାଇ ପାରିବ ନାହିଁ, ବରଂ ଏହା ଏକ ଆହତ ଅଭିମାନର ପରିଣାମ । ପୁଣି ଏପରି ଅଭିମାନ ବି ଅବାନ୍ତର, କାରଣ ସହରରେ ବଢ଼ିଥିବା ପୁଷ୍ପା ସହର ଭିତରେ କଣ୍ଠରୁଦ୍ଧ ହୋଇ ପଡ଼ିବା କିମ୍ୱା ଶ୍ରମିକ ବସ୍ତିକୁ ଦେଖି ସୁଖ କଳନା କରିବା ପଛରେ ଯୁକ୍ତି ସେପରି ବଳିଷ୍ଠ ନୁହେଁ । ବରଂ ରଘୁମଣିର ମନକଥା, କାରଖାନା ଯୋଗୁଁ ସହର ଗାଁ ପାଖକୁ ଘୁଞ୍ଚି ଘୁଞ୍ଚି ଆସୁଥିବା ଭିତରେ ଗାଁରେ ସହରୀ ସୁଖ, ସୁବିଧା ପ୍ରାପ୍ତି ଆଶାର ପ୍ରଛନ୍ନ ଭାବଟି ପ୍ରକଟିତ ହୁଏ ।

 

ମାତ୍ର ଦ୍ୱିତୀୟ କଥାବସ୍ତୁଟି ମାଧ୍ୟମରେ ପରିବର୍ତ୍ତିତ ଗ୍ରାମ୍ୟ ଜୀବନଧାରାର ଯେଉଁ ନିଛକ ରୂପଟି ପରିବେଶିତ ହୋଇଚି ତାହାହିଁ ଏହି ଉପନ୍ୟାସର ବୈଶିଷ୍ଟ୍ୟ । ପ୍ରାୟ ତିରିଶ ବର୍ଷ ତଳେ ଔପନ୍ୟାସିକଙ୍କ ଯେଉଁ ଉପଲବ୍‌ଧି ଏଥିରେ ପ୍ରତିଫଳିତ ତାହାହିଁ ଏବର ଅଧିକାଂଶ ଗାଁର ଏକାନ୍ତ ପରିଚୟ । ‘ଶିକ୍ଷା ଓ ସଭ୍ୟତାଠାରୁ ଦୂରରେ ରହି ନିଶ୍ଚିନ୍ତରେ ନିଃଶ୍ୱାସ ମାରୁଥିବା’ ତୁଳସୀବଣ ଗାଁ ପରି ଅଧିକାଂଶ ଗାଁ । ଏବେ ସହରୀ ସଭ୍ୟତାର ସ୍ପର୍ଶରେ ବିଭେଦ ଓ ଅଶାନ୍ତିରେ ଅଣନିଶ୍ୱାସୀ ହୋଇ ଯାଉଛି । ‘ସର୍ବନାଶୀ ଉନ୍ନତିର ପ୍ରଲୋଭନ ‘ଗ୍ରାସ କରିଚି ଗାଁର ଶାନ୍ତ, ନିରୀହ, ମଣିଷକୁ । ଶିକ୍ଷା ନାମରେ ଶୋଷଣ ଓ ବ୍ୟଭିଚାର, ଆଇନ ଓ ନ୍ୟାୟ ନାମରେ ମାଲିମୋକଦ୍ଦମା, ଜାତିଭେଦ ଦୂର ନାମରେ କେବଳ କେତେକ କାମନା ଓ ସୁବିଧାବାଦର ଖେଳ ଏବଂ ଇମିଟେସନ ଲୁଙ୍ଗି, କ୍ଳବ, ଥିଏଟର, ସିଗ୍ରେଟ ହିଁ ଗାଁରେ ନୂଆ କରି ଦେଖା ଯାଇଚି । ସାହେବଙ୍କ ସ୍ଥାନରେ ଆସିଛନ୍ତି ଖଦଡ଼ ଖୋଳରେ ଦେଶ ସେବକ । ଅତ୍ୟାଚାରୀ ଜମିଦାରଙ୍କ ସ୍ଥାନରେ ମିଛୁ ମହାନ୍ତିଙ୍କ ପରି ହଟଚମଟ କରୁଥିବା ମାମଲତ୍‌କାର ମାନଙ୍କର ଆବିର୍ଭାବ ହୋଇଚି । ସ୍ୱାଧୀନତା ପାଇଁ ନ ଲଢ଼ିବି ଖଦଡ଼ ପିନ୍ଧି ବିଶିଷ୍ଟ କର୍ମୀ ହୋଇଛନ୍ତି ସେ ଏବଂ ମନ୍ତ୍ରୀଙ୍କ ଜରିଆରେ ଗାଁ ଲୋକଙ୍କୁ ସାବାଡ଼ କରି ପାରୁଛନ୍ତି ପୂର୍ବ ଜମିଦାରମାନଙ୍କ ପରି । ମାତ୍ର ଗାଁ ଲୋକେ ଯେପରି ଥିଲେ ଠିକ୍‌ ସେହିପରି ‘ଛେଳି’ ହୋଇ ରହିଛନ୍ତି । ଆଗେ ନାଲିଟୋପି ଦେଖିଲେ କବାଟ କଣରେ ଲୁଚୁଥିଲେ, ଏବେ ଖଦଡ଼ ଟୋପି ଦେଖିଲେ ପାତାଳରେ ପଶୁଛନ୍ତି ।’ କିନ୍ତୁ ସେମାନଙ୍କ ଆଗ୍ରହ ଓ ରୁଚି, ଆତ୍ମବିଶ୍ୱାସ ଓ ଦାୟିତ୍ୱବୋଧର ପରିବର୍ତ୍ତନ କାହିଁ ? ଗାଁ ପାଖରେ ଶିଳ୍ପ ମୁଣ୍ଡ ଟେକି ଉଠୁଚି । ବିଜୁଳି ଆଲୁଅ, ପକ୍‌କା ରାସ୍ତା, ଟ୍ରକ୍‌, ଜିପ, ରେଳ ଦେଖି ନୋକି ପଧାନ ସ୍ତ୍ରୀ ପରି ସେ ଅବାକ୍‌ ହୋଇ ଭାବୁଚି କଟକ ସହର କିପରି ଗାଁକୁ ଉଠି ଆସିଚି । ଅବଶ୍ୟ ନବଘନଙ୍କ ପରି ପୁରୁଣା ପ୍ରତିଷ୍ଠାବାନ୍‌ମାନେ ଚାକର, କୋଠିଆଙ୍କ ଅଭାବ ଓ ସେମାନଙ୍କ ଅବମାନନା ଯୋଗୁଁ ଅସହାୟ ହୋଇ ପଡ଼ୁଛନ୍ତି । ଜାତିଭେଦ ଦୂର ପାଇଁ ଗାନ୍ଧିବାଦର ସକଳ ପ୍ରଚାର ସତ୍ତ୍ୱେ କାହାର ବି ମାନସିକ ପରିବର୍ତ୍ତନ ଏ ଯାବତ୍ ହୋଇ ପାରିନାହିଁ, ଏହା ଏବର ନିଶ୍ଚିତ ଉପଲବ୍‌ଧି । ଔପନ୍ୟାସିକ ଉଭୟ ପକ୍ଷର ମହନ୍ତ, ନବଘନ, ଯଦୁନନ୍ଦନ, ବିଡିଓ ବା ତାଙ୍କ ସ୍ତ୍ରୀ ଏବଂ କେତୀ ଓ ସନେଇର ଯେଉଁ ମନୋବୃତ୍ତିର ଚିତ୍ରଣ କରିଛନ୍ତି ତାହା ଏହି ପରିପ୍ରେକ୍ଷୀରେ ଅବାସ୍ତବ ଲାଗେ ନାହିଁ । ମହନ୍ତ ଏହାକୁ ଧର୍ମହାନୀ ଭାବରେ ଦେଖୁଥିଲା ବେଳେ, ନବଘନଙ୍କ ଦୃଷ୍ଟିଭଙ୍ଗୀ ହେଉଚି-‘ଗୋପନରେ ହରିଜନ ଝିଅ ବୋହୂ ସବର୍ଣ୍ଣଙ୍କ କାମନାଗ୍ନିରେ ଝାସ ଦେବା ପାଇଁ ସୃଷ୍ଟ । ତେଣୁ ସେମାନଙ୍କୁ ଉପଭୋଗ କରିବା ଅନୁଚିତ ନୁହେଁ’ । ନୂଆ ସଭ୍ୟତାର ସ୍ପର୍ଶରେ ସମାଜ ବଦଳୁଚି ବୋଲି ଯଦୁନନ୍ଦନ ଯୁକ୍ତି କଲେ ବି ଶେଷକୁ ତାର ମଧ୍ୟ ମୋହଭଙ୍ଗ ଘଟିଚି । ସେ ତାର ତାରୁଣ୍ୟର ଭାବପ୍ରବଣତାକୁ ଚିହ୍ନିଚି, ସମାଜକୁ ଛାଡ଼ି ଥିବାର ଅବଶୋଷ କାରୁଣ୍ୟରେ ପରିଣତ ହୋଇଚି । ମୂର୍ଖ, ଅଛୁଆଁ ସନେଇ ମଧ୍ୟ ଏହି ବିବାହକୁ ଅଧର୍ମ ବୋଲି ଭାବିଚି । ବର୍ଷାଭାବରେ ସନେଇର ଶୂନ୍ୟଦୃଷ୍ଟି ପଛରେ ତାର ମନ୍ଦିର ପ୍ରବେଶ ଓ ଉଚ୍ଚ ବର୍ଣ୍ଣରେ ଝିଅର ବିବାହ ଜନିତ ଗ୍ଳାନି ହିଁ ରହିଚି ସେ ତେଣୁ ରାଗେ ନିଜ ଉପରେ ଓ ନଦୀ ବନ୍ଧ ଉପରେ । ତେଣୁ ତାର ସହଜ ଉପଲବ୍‌ଧି ହେଉଚି, ‘ସରକାରଙ୍କ ଅସ୍ପୃଶ୍ୟତା ନିବାରଣ ଆଇନ ଦେଶରୁ ସବର୍ଣ୍ଣ ଲୋକଙ୍କ ବଦଳରେ ବେଶୀ ହରିଜନ ସୃଷ୍ଟି କରିବାରେ ଲାଗିଛି ।’ ଏହାର କାରଣ ‘ହରିଜନ ଝିଅ କେତକୀ ସବର୍ଣ୍ଣ ସାମନ୍ତରାୟଙ୍କ ପୁଅକୁ ବିବାହ କରି ସବର୍ଣ୍ଣ ହୋଇ ପାରିନାହିଁ । ବରଂ ସବର୍ଣ୍ଣ ସାମନ୍ତରାୟ ଅସବର୍ଣ୍ଣ କେତକୀକୁ ବିବାହ କରି ହରିଜନ ହୋଇ ଯାଇଚି ।’ ପାଠ ପଢ଼ିଥିବା କେତକୀ ଭିତରେ ବି ଏକ ଯୁଗ ଯୁଗର ସଞ୍ଚିତ ଅଭିମାନ ସତେ କି ଅହଂକାରରେ ପରିଣତ ହୋଇଚି । ତେଣୁ କିଏ ଭଲ ବା ଖରାପ ଲୋକ ତାହା ସେ ଭାବି ନାହିଁ ।

 

ଏହି ପ୍ରସଙ୍ଗରେ ଔପନ୍ୟାସିକଙ୍କ ଅନ୍ୟତମ ଉପନ୍ୟାସ ୧୯୮୨ରେ ପ୍ରକାଶିତ ‘ଅସବର୍ଣ୍ଣ’କୁ ଆଲୋଚନା କରାଯାଇ ପାରେ । ଏଥିରେ ସମସ୍ୟାଟି ସେଇ ଯୁଗ ଯୁଗରୁ ସଞ୍ଚିତ ଅଭିମାନର ପ୍ରତିକ୍ରିୟା । ମାତ୍ର ଅସବର୍ଣ୍ଣ ଭଗୀରଥର ବ୍ରାହ୍ମଣ କନ୍ୟା ଅଳକାକୁ ବିବାହ ମାଧ୍ୟମରେ ତାହା ପରିବେଶିତ ହୋଇଚି । ଦଳେଇଘାଇ ଧୋଇ ପରେ ସରକାରୀ ସାହାଯ୍ୟରେ ଜନ୍ମ ନେଇଥିବା ବାଉରୀ ସାଇ ‘ଗାନ୍ଧିଗ୍ରାମ’ ଲୋକମୁଖରେ ‘ସରକାରୀ ପଡ଼ା’ର ଭଗୀରଥ ବାନାମ୍ୱର ପଣ୍ଡିତଙ୍କ ଯୋଗୁଁ ପାଠ ପଢ଼ି ଶେଷରେ ସଂସ୍କୃତ ଅଧ୍ୟାପକ ହୋଇ ପାରିଚି । ତାକୁ ତା ପଡ଼ାର କଳା ମଣିଷ ମାଇପେ ଯେପରି ଠାକୁର ପରି ଦେଖନ୍ତି, ସେ ସେହିପରି ବାବୁ ହୋଇ ଅଲଗା ମଣିଷ ପାଲଟି ଯାଇଚି । ତେଣୁ ରଘୁ ଭୋଇ ଝିଅକୁ ବାହା ହୋଇ ସବୁଦିନ ହରିଜନ ହୋଇ ରହିବାକୁ ସେ ଚାହିଁ ନାହିଁ । କାରଣ ସେ ଜାଣେ ଉପରକୁ ଉଠିବାକୁ ହେଲେ ଲୋଡ଼ା କୌଶଳ.... । ସେଇ କୌଶଳର କଳା ନ ଜାଣିଲେ ସବର୍ଣ୍ଣ ହରିଜନ ହୋଇଯାଏ, ହରିଜନ ହୁଏ ସବର୍ଣ୍ଣ । ତେଣୁ ଶ୍ରେଣୀ ବିଭକ୍ତ ସମାଜର ଘୃଣ୍ୟ ପ୍ରଥା ଓ ଦେଶ ପ୍ରଗତିର ଅନ୍ତରାୟ ଜାତି ପ୍ରଥାକୁ ସେ ଭାଙ୍ଗିବାକୁ ଚାହିଁଚି । ତା ଭିତରେ ସବର୍ଣ୍ଣ ସମାଜ ବିରୁଦ୍ଧରେ ଈର୍ଷା, କ୍ରୋଧ । ମାତ୍ର ଶେଷରେ ହରିଜନ ଉନ୍ନତି କାର୍ଯ୍ୟରେ ସେଇ ହରିଜନ ମାନେ ହିଁ ବାଧା ସୃଷ୍ଟି କରିଛନ୍ତି । ସବର୍ଣ୍ଣଙ୍କ କୌଶଳରେ ସେହିମାନେ ହୋଇଛନ୍ତି ଆୟୁଧ । କାରଣ ସେମାନେ ଚାହାନ୍ତି ‘ହରିଜନମାନଙ୍କ ଭିତରେ ଅନ୍ତର୍ଯୁଦ୍ଧ ଲାଗିରହୁ । ତାହା ହେଲେ ସେମାନଙ୍କର ସ୍ୱାର୍ଥ ଯୁଗ ଯୁଗ ଧରି ସଂରକ୍ଷିତ ହୋଇ ରହିବ ଏବଂ ହରିଜନମାନେ ‘ସବୁଦିନେ ମୂଲିଆ ହୋଇ ପେଟ ପୋଷିବାକୁ ଚାହାନ୍ତି । ମାଲିକ ହେବାକୁ ଚାହାନ୍ତି ନାହିଁ । X X ସେମାନଙ୍କର ଉପକାର ପାଇଁ ସରକାର ଆଇନ୍‌ କଲେ ମଧ୍ୟ ସେ ଆଇନର ସୁଯୋଗ ନେବାକୁ ସେମାନେ ଚାହାନ୍ତି ନାହିଁ । ‘ଏଇ ଗାଁ ଏଇ ମାଟି’ରେ ଅସବର୍ଣ୍ଣ କନ୍ୟା ଅସବର୍ଣ୍ଣକୁ ବିବାହ କରି ଯେପରି ଅସବର୍ଣ୍ଣ ହୋଇ ରହିଥିଲା, ‘ଅସବର୍ଣ୍ଣ’ ରେ ମଧ୍ୟ ସବର୍ଣ୍ଣ କନ୍ୟା ସବର୍ଣ୍ଣକୁ ବିବାହ କରି ଅସବର୍ଣ୍ଣ ହୋଇ ଯାଇଚି । ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଏ ବିଭେଦ ବିରୁଦ୍ଧରେ ସକଳ ସଂଗ୍ରାମ ସତ୍ତ୍ୱେ ଏହାର ଆଶାନୁରୂପ ପରିବର୍ତ୍ତନ ସମ୍ଭବ ହୋଇ ପାରିନାହିଁ । କାରଣ ‘ଆଇନରେ ସମାଜ ବଦଳେ ନାହିଁ, X X ସମ୍ମିଳିତ ସମ୍ମତିର ସମାଜ ବଦଳିପାରେ ।’ ଏବଂ ସେ ସମ୍ମତି ଏ ଯାବତ୍‌ ଆସିପାରିନାହିଁ । ସରକାରଙ୍କ ସ୍ଥାନ ସଂରକ୍ଷଣ ନୀତି ଉଭୟ ପକ୍ଷର ସଂକୀର୍ଣ୍ଣତା ବଢ଼ାଇବାରେ ବରଂ ସାହାଯ୍ୟ କରୁଚି । ଏହାରି ଯୋଗୁଁ ବାନାମ୍ବର ପଣ୍ଡିତଙ୍କ ପରି ଉଦାର ଶିକ୍ଷକ ମନରେ ମଧ୍ୟ ଘୃଣା, ବିରକ୍ତି ଉଦ୍ରେକ ହୋଇ ପାରୁଚି । ସେହିପରି ଏହି ଅବସ୍ଥା ଅସବର୍ଣ୍ଣଙ୍କ ମାନସିକ ଉନ୍ନତି ତଥା ଆତ୍ମବିଶ୍ୱାସ ପ୍ରତିଷ୍ଠାର ପରିପନ୍ଥୀ ହୋଇ ସେମାନଙ୍କୁ ସେହିପରି ଅନୁଗୃହୀତ, କୁଣ୍ଠିତ ଓ ହୀନମନ୍ୟତା ବ୍ୟାଧିଗ୍ରସ୍ତ କରାଇ ରଖିଚି । ବନ୍ଧରେ ହୋଇଥିବା ଛିଦ୍ରକୁ ନିମ୍ନ ଦେଶରୁ ବନ୍ଦ କରିବାରୁ ଚେଷ୍ଟା କଲାପରି ଏହି ସ୍ଥାନସଂରକ୍ଷଣ ଆଇନଟି ବିଭେଦକୁ କ୍ରମଶଃ ବଢ଼ାଇ ଚାଲିଚି । ରାଷ୍ଟ୍ରୀୟ ଜୀବନର ଏହି ସମସ୍ୟା ବିରୁଦ୍ଧରେ ସଚେତନତା ସୃଷ୍ଟି ଆବଶ୍ୟକ । ଅବଶ୍ୟ ଭଗୀରଥ ଏପରି ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିନାହିଁ । ସେ ବି ସେହି ହୀନମନ୍ୟତା ବ୍ୟାଧିଗ୍ରସ୍ତ । ସେଥିପାଇଁ ସେ ଅସଫଳ ହୋଇଚି ଓ ଆଘାତ ବି ପାଇଚି ।

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ରାଜନୈତିକ ଉପନ୍ୟାସର ସଂଖ୍ୟା ସ୍ୱଳ୍ପ ହେଲେ ମଧ୍ୟ ରାଜନୈତିକ ଚିତ୍ର ଓ ଚରିତ୍ର ମାଧ୍ୟମରେ ସାଧାରଣ ଗ୍ରାମ୍ୟଜୀବନର ନିଷ୍ଠୁର ବାସ୍ତବତାର ଚିତ୍ରଣ ଦୃଷ୍ଟିରୁ ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧଦିଗନ୍ତ’କୁ (୧୯୬୪) ଗ୍ରହଣ କରାଯାଇପାରେ-। ଅବଶ୍ୟ ଏହି ଉପନ୍ୟାସର କ୍ଷେତ୍ର ଭିନ୍ନ, ତଥାପି ଏଥିରେ ସ୍ୱାଧୀନତା ପ୍ରାପ୍ତିପରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସଚ୍ଚୋଟ ଗାନ୍ଧିବାଦୀ, ନିରଳସ ତଥା ଗ୍ରାମୀଣ କର୍ମୀର ଜୀବନାଲ୍ଲେଖ୍ୟ ମାଧ୍ୟମରେ ପରିବର୍ତ୍ତିତ ରାଜନୈତିକ ମୂଲ୍ୟବୋଧର ବିଡ଼ମ୍ବିତ ଚିତ୍ରଟି ସ୍ପଷ୍ଟତଃ ରୂପାୟିତ । ଏକ ଦିଗରେ ଶୁଦ୍ଧୋଦନଙ୍କ ନେତୃତ୍ୱ ଲାଭପାଇଁ ଆକାଙ୍‌କ୍ଷା ଓ ତଦନୁସାରୀ ପ୍ରଚେଷ୍ଟା ଓ ଦର୍ପନାରାୟଣଙ୍କ ପରି ଅତୀତର ଜମିଦାରମାନଙ୍କର ବେଶ ବଦଳ ଏବଂ ଅନ୍ୟ ଦିଗରେ ଶ୍ୟାମବନ୍ଧୁ ଓ ନିଧିଦାସଙ୍କ ପରି ଆଦର୍ଶବାଦୀ, ସମର୍ପିତ କର୍ମୀଙ୍କ ମାଧ୍ୟମରେ ଏହି ଚିତ୍ରର ବାସ୍ତବତାକୁ ବେଶ୍‌ ଚିହ୍ନିହୁଏ ।

 

ଅତୀତରେ ‘ଭାରତୀୟ ଜୀବନର ଆତ୍ମୋତ୍ସର୍ଗ ତପସ୍ୟା ଓ ଦ୍ୱିଧାହୀନ ବିଶ୍ୱାସର ଆଦର୍ଶ’ର ସ୍ୱରୂପ ଶିକ୍ଷକ ଶ୍ୟାମବନ୍ଧୁଙ୍କ ସ୍ୱରାଜ୍ୟ ଆଶ୍ରମ ଥିଲା ଏକ ଚଳନ୍ତି ଅନୁଷ୍ଠାନ । ସ୍ୱରାଜକୁ ନୂଆ ମଣିଷ, ନୂଆ ସମାଜର ସର୍ଜନାଭାବେ ହିଁ ସେ ଦେଖିଥିଲେ । ଗାନ୍ଧୀଙ୍କୁ ବିଚାର ଓ ବିତର୍କର ଊର୍ଦ୍ଧ୍ୱରେ କେବଳ ହୃଦୟାବେଗ ଓ ବିଶ୍ୱାସ ଦେଇ ସେ ବୁଝିଥିଲେ । ସେହିପରି ନିଜର ସର୍ବସ୍ୱ ଦେଇ, ବାରମ୍ବାର ଦଣ୍ଡିତ ହୋଇ କେବଳ ସେବା ଓ କର୍ମକୁ ମନ୍ତ୍ରରୂପେ ଗ୍ରହଣ କରିଥିବା ନିଧିଦାସ ଶେଷକୁ ନିଜ ଦଳରୁ ହୋଇଛନ୍ତି ବହିଷ୍କୃତ । ଏପରିକି ବହୁ ପ୍ରତୀକ୍ଷିତ ସ୍ୱାଧୀନତା ପ୍ରାପ୍ତି ଦିନ ମଧ୍ୟ ସେ ତାଙ୍କ ଅନ୍ତରର ସମସ୍ତ ଉଦ୍‌ବେଳନ ହରାଇ ସାରିଥିଲେ ତଥାକଥିତ ‘ରାଜନୀତି’ର ନୀତିଦ୍ୱାରା ବାରମ୍ବାର ଆଘାତ ପାଇ । କୀଳାପୋତା, କଳାବଜାର ପ୍ରଭୃତି ନୂଆ ନୂଆ ଶବ୍ଦ ଏ ବେଳକୁ ସୃଷ୍ଟି ହୋଇ ସାରିଲାଣି । ତାଙ୍କର ସ୍ୱରାଜ ଥିଲା ତାହା, ଯାହା ‘ସମାଜର ସବୁ ସୁବିଧାବାଦୀ ସାଲିସ୍‌, ଶୋଷଣ ପୁଷ୍ଟ ପରମ୍ପରା ସହିତ ସବୁ ସହାବସ୍ଥାନ, ସବୁ ଅବିଚାର ସବୁ କଳଙ୍କରୁ ଗୋଟିଏ ଫୁତ୍କାରରେ ଉଡ଼ାଇ, ଧୋଇ, ନିର୍ମଳ କରି ଛାଡ଼ିଯାଇଥାନ୍ତା ।’ କିନ୍ତୁ ଏ ସ୍ୱାଧୀନତା ଆସିଚି କେବଳ କ୍ଷମତା ବଦଳ ଭାବରେ, ଏହା ଚଷୁକୁଟା ଆଇନର ସ୍ୱାଧୀନତା, ମାମ୍‌ଲାବାଜିର ସ୍ୱାଧୀନତା । ସେ ଦେଖୁଛନ୍ତି ଟାଉଟରଗୋଷ୍ଠୀ ପୋଷିପାରୁଥିବା ନେତା ଓ ଶୋଷଣ, ଲୁଣ୍ଠନକୁ ବଜାୟ ରଖିପାରୁଥିବା ଚତୁରମାନଙ୍କର ଏହି ସ୍ୱରାଜ । ସବୁଦଳ ଏଠି ଭିନ୍ନ ରଙ୍ଗରେ, ଅଲଗା ଚିତା ଓ ତିଳକ ଲଗାଇ ଉଭା ହୋଇଛନ୍ତି । ତେଣୁ ତାଙ୍କର ଉପଲବ୍‌ଧି ହୋଇଚି ମାଟି ସ୍ୱାଧୀନ ହୋଇଛି, କିନ୍ତୁ ମଣିଷର ପାଦରୁ ସେ ଶୃଙ୍ଖଳ ତଥାପି ଛିଣ୍ଡିନାହିଁ ।

 

ନିଧିଦାସଙ୍କ ଜୀବନାଲ୍ଲେଖ୍ୟଟିର ଆରମ୍ଭ ଓ ପରିସମାପ୍ତିର ପଟ୍ଟଭୂମିରେ ବିଶାଳ ଭାରତର ମହାନ୍‌ ସଂଗ୍ରାମର ପ୍ରାରମ୍ଭ ଓ ପରିଣତି ଥିଲେ ମଧ୍ୟ ଏହା ବିନ୍ଦୁଟିଏ ପରି ଗୋଟିଏ ଗାଁ ବା ଅଞ୍ଚଳର ସମସ୍ୟା ଉପରେ ଆଧାରିତ । ସୁଲତାନପୁରର ଚାଷୀ ଆନ୍ଦୋଳନ ଏହି ସଦ୍ୟତମ ସମସ୍ୟା । ଚାଷୀମାନଙ୍କର ଅଧିକାର ପାଇଁ ସଂଗ୍ରାମ ଓ ସେବର ଜମିଦାର ତଥା ଏବର ମନ୍ତ୍ରୀଙ୍କର ଚତୁର ପ୍ରତିରୋଧ ମାଧ୍ୟମରେ ‘ଆଇନର ଶାସନ’ର ସ୍ୱରୂପ ଉନ୍ମୋଚିତ ହୋଇଚି । ସାଧାରଣ, ନିରକ୍ଷର ବିଚରା ଚାଷୀ ବୁଝିପାରେ ନାହିଁ ଏ ଆଇନକୁ, ଆଇନ ଶାସନ ନାଁରେ ଚାଲିଥିବା ଭ୍ରଷ୍ଟାଚାର, ଶୋଷଣ, ପେଷଣକୁ । ତା’ର ଅଙ୍ଗେ ନିଭା ସତ୍ୟ ଓ ଆଇନରେ ବଢ଼ା ଯାଇଥିବା ତଥାକଥିତ ନ୍ୟାୟ ଭିତରେ ଥିବା ବିପରୀତ ସମ୍ପର୍କଟି ତାକୁ କ୍ଷତବିକ୍ଷତ କରେ । ସ୍ୱାଧୀନତା ପୂର୍ବରୁ ‘ଗୋବିଚାରୀ’ ନିଧିଦାସ ଯେପରି ଢିମାଢ଼ିମା ବଳଦିଆ ଆଖିରେ ନିର୍ବୋଧଙ୍କ ପରି ଶୁଦ୍ଧୋଦନଙ୍କ ପରି ନେତୃତ୍ୱାଭିଳାଷୀଙ୍କ ରାଜନୀତିର ଅବୋଧ୍ୟ ଅର୍ଥକୁ ଶତଚେଷ୍ଟା ସତ୍ତ୍ୱେ ବୁଝି ପାରିନାହିଁ, ସ୍ୱାଧୀନତା ପ୍ରାପ୍ତିପରେ ମଧ୍ୟ ଅନୁରୂପ ଭାବେ ଏ ଦେଶର ସାଧାରଣ ଗ୍ରାମୀଣ ଜନତା ପରିବର୍ତ୍ତିତ ସ୍ୱାଧୀନ ଶାସନ ଓ ସ୍ୱାଧୀନ ଆଇନକୁ ଅନାଏଁ । ହୃଦୟର ପ୍ରେରଣାରେ, ଅଧିକାରର ପ୍ରମତ୍ତତାରେ, ସତ୍ୟନ୍ୟାୟର ପ୍ରଚୋଦନାରେ ସେ ବେଳେ ବେଳେ ଠେଙ୍ଗା ବାଡ଼ି ଧରି, ହୋ ହଲ୍ଲା କରି, ରକ୍ତ ଦେଇ ନାଚି ଉଠେ । ଅବଶ୍ୟ ନିଧିଦାସଟିଏ ସବୁବେଳେ ହୁଏତ ନଥାଇପାରେ; ମାତ୍ର ‘କୃଷିସର୍ବସ୍ୱ ସାମନ୍ତବାଦୀ ସମାଜର ପିତୃପଦରେ ଅଭିଷିକ୍ତ’ ଦର୍ପନାରାୟଣଙ୍କର ଗୋଟି ଚଲାରେ ସେ ବୁଦ୍ଧିମଣା ହୋଇଯାଏ । ପଦ୍ମତୋଳା ଶୁଣୁଶୁଣୁ ଶାନ୍ତ ସୁଧାର ପରି ପେଡ଼ି ଭିତରେ ଶୋଇଯାଏ । କିନ୍ତୁ ବିଚରା ନିଧିଦାସ ଶୂନ୍ୟଦୃଷ୍ଟିରେ ଅଜସ୍ର କାରୁଣ୍ୟ ଭରି ଚାହିଁରହିଥାଏ ଅନ୍ଧଦିଗନ୍ତକୁ ଏବଂ ଅସରନ୍ତି, ଅଫୁରନ୍ତ ଯାତ୍ରାକୁ ବରି ନେଇଥାଏ ପୁଣିଥରେ, ଏତେ ସଂଗ୍ରାମ ପରେ ମଧ୍ୟ । କାରଣ ଏଠି ଲୋକପ୍ରତିନିଧିମାନଙ୍କର ଆଇନର ଶାସନ ଚାଲିଚି । ଏହି ପୁରୁଣା ଆଇନର ନୂଆ ବୋତଲରେ ସଦ୍ୟତମ ରୂପଟିକୁ ସେ ଦେଖୁଥାଏ । ମାତ୍ର ପୁରୁଣା କାଳ ପରି ଏବେ ପ୍ରତିରୋଧ କଲେ ଦଣ୍ଡିତ ହୁଏ, ଦେଶଦ୍ରୋହୀ ହୋଇଯାଏ । ସ୍ୱାଧୀନ ଦେଶରେ ‘‘ଆଇନଭଙ୍ଗ ଦେଶପ୍ରେମ ନୁହେଁ; X X ଏହାକୁ ଆଖିବୁଜି ମାନିବା ହିଁ ଏବେ ଦେଶପ୍ରେମ ।’’ ସେ ଖୋଜି ପାଏନାହିଁ ବାଟବଣା ଅନ୍ଧାରରେ ସ୍ୱାଧୀନତା ଆଲୋକର । ଅବଶ୍ୟ କେବଳ ଚାଷୀ ବା ଗାଁର ଜନତା ନୁହନ୍ତି । ଏହି ଅନ୍ଧଦିଗନ୍ତ ଆଗରେ ଆଜି ଅଧିକାଂଶ ଭାରତୀୟ ବାଟଭୁଲି ପହଞ୍ଚି ଯାଇଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ୟ ଉପନ୍ୟାସ ପରି ଏଥିରେ ମଧ୍ୟ ସେହି ସତତ ସଂଗ୍ରାମଶୀଳ ମଣିଷର ପ୍ରତିଛବିଟି ରୂପାୟିତ ।

 

ଏହି ପରିପ୍ରେକ୍ଷୀରେ ୧୯୭୭ରେ ପ୍ରକାଶିତ, ଔପନ୍ୟାସିକ ବ୍ରଜ ମହାନ୍ତିଙ୍କ ‘ନିସ୍ତବ୍‌ଧ ଆକାଶ : ଅନ୍ଧ ପୃଥିବୀ’ ଉପନ୍ୟାସଟିକୁ ଦେଖାଯାଇପାରେ । (୧୯୭୭ରେ ଏହା ପ୍ରକାଶିତ ହେଲେ ମଧ୍ୟ ୧୯୫୮କୁ ଏହାର ସମୟଭାବେ ଗ୍ରହଣ କରାଯାଇଚି । ଅବଶ୍ୟ ‘କାଳର ଏକ ସୂଚନା ବିନ୍ଦୁଭାବେ ଏହା ଗୃହୀତ ।)’’ ସ୍ୱାଧୀନତା ପୂର୍ବରୁ ସୃଷ୍ଟି ହୋଇଥିବା ଉଗ୍ରଜାତୀୟତାର ମୂଲ୍ୟବୋଧ ପରବର୍ତ୍ତୀ ସମୟରେ ବ୍ୟାହତ ହୋଇ କିପରି ସଂକୀର୍ଣ୍ଣ ବ୍ୟକ୍ତିକୈନ୍ଦ୍ରିକ ହୋଇ ପଡ଼ିଚି’ ଓ ନିର୍ବାଚନ ମଧ୍ୟ ‘ଏକ ପ୍ରହସନରେ ପରିଣତ’ ହୋଇଚି ତାହାରି ଆଲ୍ଲେଖ୍ୟ ଏହି ଉପନ୍ୟାସ । ଦଳର ସ୍ୱାର୍ଥପାଇଁ ନିର୍ବାଚନ ରାଜନୀତିରେ ପନ୍ଥାର ଉତ୍ତମତା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ । ଜାଲ ଭୋଟର ତାଲିକା, ଅର୍ଥହୀନ ବଡ଼ ବଡ଼ ପ୍ରତିଶ୍ରୁତି, ପ୍ରଚୁର ଟଙ୍କାର ଖେଳ ସହିତ ଗାଁ ଗାଁ ଓ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ କଳହ ସୃଷ୍ଟି କରିବା ଓ ଦେଶସେବକ ବୋଲି ଧାରଣା ସୃଷ୍ଟି କରିବା ଆଜିର ରାଜନୀତି । ଆଦର୍ଶବାଦର ପ୍ରଚାର, ଦେଶସେବା, ଶାସନ, ଜାଲ୍‌ ଉପାର୍ଜନ-ଏ ସମସ୍ତର ସମନ୍ୱିତ ରୂପ ହେଉଚି ଭାରତୀୟ ରାଜନୀତି । ତେଣୁ ଅଧିକାର ପ୍ରାପ୍ତିପରେ ନୈତିକ ସ୍ଖଳନ କିପରି ତାକୁ ଗ୍ରାସ କରିପାରିଚି ତାର ଉଦାହରଣ ହେଉଛନ୍ତି ଅତୀତର ସ୍ୱାଧୀନତା ସଂଗ୍ରାମୀ ଓ ଏବର ନେତା ଅରୁଣବାବୁ । ଅପରପକ୍ଷରେ ଗରୁଡ଼ ଗାଁ, ଧନେଶ୍ୱର ଗାଁ, ଚିନ୍ତାପଲ୍ଲୀ, ତପନପୁର ପ୍ରଭୃତି ଗ୍ରାମଗୁଡ଼ିକର ନିର୍ବାଚନକୈନ୍ଦ୍ରିକ ପରିଚୟ ମାଧ୍ୟମରେ ଆଜିର ଗ୍ରାମର ସ୍ୱରୂପ ଉନ୍ମୋଚିତ ହୋଇପାରିଚି । ଗାଁରେ ଶିକ୍ଷାବିସ୍ତାର ଓ ନିର୍ବାଚନ ପ୍ରଭାବରେ ଏକ ମଧ୍ୟସ୍ଥ ଗୋଷ୍ଠୀର ଆବିର୍ଭାବ ଘଟିଚି-ଏମାନେ ଟାଉଟର ବା ମାମଲତକାର । ଏଥିରେ ଅବଶ୍ୟ ବୟସ୍କ ଓ ଯୁବକ ଉଭୟଙ୍କର ଭୂମିକା ରହିଚି । ଗାଁରେ ‘ଦିନକର ମଜୁରୀରେ ଭୋଟକିଣା’ ହୋଇଥାଏ । ଏଠି ‘‘ଭୋଟପାଇଁ ଯେଉଁମାନେ ପାଗଳ ସେମାନେ ଏକ ମଧ୍ୟସ୍ଥ ଟାଉଟର ଗୋଷ୍ଠୀ, ନିୟୋଜିତ ଅର୍ଥ ଯାଏ ସେମାନଙ୍କ ପାଟିକି, ନିରୀହ ଗାଁ ଲୋକେ ଭୁଲନ୍ତି ତାଙ୍କରି କଥାରେ ।’’ ଗାଁ ଲୋକଙ୍କ ସହ ଏମାନଙ୍କର ପ୍ରତ୍ୟକ୍ଷ ଦୈନନ୍ଦିନ ସମ୍ପର୍କ । ତେଣୁ ଏମାନଙ୍କ ‘ମାମଲତଖୋରୀ’ର କବଳିତ ହୁଅନ୍ତି ଗ୍ରାମବାସୀ । ତେଣୁ ଯୁଗର ସମସ୍ତ ପରିବର୍ତ୍ତନ ସତ୍ତ୍ୱେ ଏମାନଙ୍କ ମନୋବୃତ୍ତି ବା ଚିନ୍ତାଚେତନାରେ ଆନୁପାତିକ ପରିବର୍ତ୍ତନ ହୋଇପାରିନାହିଁ । ଏବେବି ସେ ନିର୍ବାଚନର ଗୁରୁତ୍ୱ ବୁଝେନାହିଁ । ମୋହର ମାରିସାରି ଭୋଟକାଗଜ ସେ ସାଙ୍ଗରେ ନେଇଯାଏ । ‘‘ନିର୍ବାଚନ ପାଇଁ ଚଷାପୁଅର ବିଲକାମ ବନ୍ଦ ହୋଇନାହିଁ । ଦେଶର ହାନିଲାଭ ଜୟ ପରାଜୟ ସମ୍ପର୍କରେ ସେ ବୀତସ୍ପୃହ ।’’ ସେଇ ପଖାଳ ତୋରାଣୀ କିମ୍ବା ଲାଲ ଚା’ରେ ଦିନ ତା’ର ଆରମ୍ଭ ହୁଏ । ସେମାନଙ୍କର ଧାରଣା ‘‘ଆମ ଅଞ୍ଚଳକୁ ଯିଏ ଆସିଲା... ଆମେ ତାଙ୍କର । ଗାଁର ଉନ୍ନତି ହେଲେ ହେଲା । କ’ଣ ମିଳିବ ଆମକୁ କିଏ ଜିତିଲା... କିଏ ନଜିତିଲାରୁ ?’’ ଏହି ନିସ୍ପୃହତା ଅବଶ୍ୟ ଅମୂଳକ ନୁହେଁ । କାରଣ ଏଯାବତ୍‌ ଏହି ବିରାଟ ଅଂଶଟି ଦେଶର ପ୍ରଗତି ବା ପରିବର୍ତ୍ତନ ସ୍ରୋତ ସହ ଜଡ଼ିତ କରିପାରିନାହିଁ । ଭାରତ ଏକ ଗ୍ରାମବହୁଳ ଦେଶ । ଗାନ୍ଧୀ କହୁଥିଲେ ଗାଁକୁ ଯାଅ ଭାରତକୁ ଚିହ୍ନିବାକୁ, ଅଥଚ ଗାନ୍ଧୀଙ୍କ ନାମରେ ସମସ୍ତ ରାଜନୈତିକ ପ୍ରଚାର ଚାଲୁଥିଲେ ବି ନେତାମାନଙ୍କର ଗାଁ ସହ ସମ୍ପର୍କ ନଥାଏ । ନିର୍ବାଚନ ପରେ ଏମାନେ ଗାଁକୁ ଆଉ ମୁହଁ ଫେରାନ୍ତି ନାହିଁ । ଶିକ୍ଷିତ ବାବୁମାନଙ୍କ ପରି ଏମାନେ ଗାଁରେ ଧୂଳିମାଟି, ଆଖଡ଼ାଘର, ଭାଗବତ ଟୁଙ୍ଗୀ ଉପରେ ଭାଷଣବାଜୀ କରିପାରନ୍ତି, ଗାଁ ଭୂଇଁରେ ଅଶେଷ କଲ୍ୟାଣ ହିଁ ସେମାନଙ୍କ କର୍ମ ଓ ଧର୍ମ ବୋଲି ଦରକାର ବେଳେ ସଭାସମିତିରେ ହାତ ଗୋଡ଼ ହଲାଇ କହିପାରନ୍ତି ମାତ୍ର ଏମାନଙ୍କ ନେତୃତ୍ୱ ‘ଟେବୁଲ ରାଜନୀତି’ରୁ ହିଁ ଜନ୍ମ ଏବଂ ବ୍ୟକ୍ତିଗତ ଓ ଦଳଗତ ସ୍ୱାର୍ଥ ପ୍ରତିଷ୍ଠା ଏମାନଙ୍କର ଉଦ୍ଦେଶ୍ୟ । ଆଇନ୍‌ ତିଆରି କରି ତାକୁ କିପରି ଆଖିଠାର ମରାଯାଇପାରିବ ତାହାହିଁ ସେମାନଙ୍କର ସବୁଠାରୁ ବକି କର୍ମ । ଉପନ୍ୟାସର ପରିସମାପ୍ତିରେ ଗଠନମୂଳକ କାର୍ଯ୍ୟ ଓ ଉତ୍ପାଦନ କରି ଆଦର୍ଶ ଦେଖାଇବାକୁ ରାମହରିଙ୍କୁ ଗାଁକୁ ଫେରିଯିବାକୁ ଅରୁଣବାବୁଙ୍କ ପରାମର୍ଶ ଓ ନିଜକୁ ମଣିଷ କରିବାକୁ ପ୍ରାର୍ଥନା କରାଯାଇଛି । ଅବଶ୍ୟ ଏବେ ବି ଏ ଜାତି ଏହିପରି ଏକ ପରିବର୍ତ୍ତିତ ସୁନ୍ଦର ସୁଦିନର ପ୍ରତୀକ୍ଷାରେ ରହିଛି ।

 

ସ୍ୱାଧୀନତା ପରବର୍ତ୍ତୀ କାଳର ସାହିତ୍ୟ ଓ ଜୀବନ ଉଭୟ ଆନ୍ତର୍ଜାତିକ ଭାବଧାରା ପରିପୁଷ୍ଟ । ଏଥିରେ ରହିଚି ଯୁଦ୍ଧତ୍ରସ୍ତ, ଦ୍ୱିଧାଗ୍ରସ୍ତ, ଶଙ୍କିତ ମଣିଷର ହୃଦୟର କାରୁଣ୍ୟ ଓ ଅସହାୟତା, ଏକାଧିକ ଅଦ୍ଭୁତ ଉଦ୍‌ଭାବନର ସୁଫଳ ଓ କୁପରିଣାମ, ଗାନ୍ଧିବାଦ, ସାମ୍ୟବାଦ ପ୍ରଭୃତି ବହୁ ‘ବାଦର ପରୀକ୍ଷା ନିରୀକ୍ଷା । ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟପରିବେଷରେ ଆସିଥିବା ଚେତନାଗତ ପରିବର୍ତ୍ତନ-ଭିତ୍ତିକ ପରୀକ୍ଷାଧର୍ମୀ ଉପନ୍ୟାସରୁ ମଧ୍ୟ ଗ୍ରାମ୍ୟଜୀବନଧାରାର ପରିଚୟ ମିଳିଥାଏ । ଔପନ୍ୟାସିକ ଶାନ୍ତନୁ ଆଚାର୍ଯ୍ୟଙ୍କ ‘ଶକୁନ୍ତଳା’ ଏହିପରି ଏକ ସାର୍ଥକ ଉପନ୍ୟାସ ।

 

୧୯୭୬ରେ ପ୍ରକାଶିତ ତାଙ୍କର ‘ଅନ୍ୟ ଏକ ସମୟ ଅନ୍ୟ ଏକ ଭାରତ’ ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମିରେ ଗ୍ରାମୀଣ ଜନତାର ଜ୍ଞାନ, ଧାରଣା ଓ ମାନସିକତା ସହିତ ସ୍ୱାଧୀନ ଭାରତର ବିଡ଼ମ୍ବିତ ଓ ବିପର୍ଯ୍ୟସ୍ତ ମୂଲ୍ୟବୋଧକୁ ଉପଜୀବ୍ୟ କରି ଗଢ଼ି ଉଠିଚି । ପରିବର୍ତ୍ତିତ ସମୟରେ ଜନ୍ମ ନେଇଥିବା ନୂଆ ପୀଢ଼ିର ଚେତନାକୁ ଗାନ୍ଧୀଙ୍କ ସ୍ଥାନରେ ମାର୍କସ୍‌ଙ୍କ ଜୟଗାନ ମାଧ୍ୟମରେ ପ୍ରକାଶ କରାଯାଇଚି । ଏହା ସହିତ ସାମାନ୍ତବାଦର ନୂଆ ରୂପ ମଧ୍ୟରେ ସୁବିଧାବାଦର ସଙ୍କେତ ଏବଂ ଜାତିପ୍ରଥାଗତ ସଂକୀର୍ଣ୍ଣତା ଓ ବିଦ୍ୱେଷ ତଥା ରକ୍ଷଣଶୀଳତା ଓ ଶୋଷଣର ଚିତ୍ରଣ ଅଭୟପୁରର ବ୍ରାହ୍ମଣ ଲକ୍ଷ୍ମୀଧର, ସିରିଆ ଚାଷୁଣୀ, ହରିଜନ ପିଆଦା ଅର୍ଜ୍ଜୁନା ମାଧ୍ୟମରେ କରାଯାଇଚି । ‘ସ୍ୱାଧୀନ ଭାରତର ସମୁଦ୍ର ଭିତରେ ଅଭୟପୁର ତଥାପି ଗୋଟିଏ ପରାଧୀନ ଦ୍ୱୀପ ପରି ବିରାଜମାନ ।’ ଅବଶ୍ୟ ନୂଆ ଯୁଗର ଉନ୍ନତି ଗାଁରେ ପହଞ୍ଚିଚି କଳ ଲଙ୍ଗଳ, କୃଷି ବିଜ୍ଞାନର ନୂଆ ଶବ୍ଦ, ପକ୍‌କା ରାସ୍ତା, ବିଜୁଳୀ ଲାଇନ୍‌, ମଟର ଗାଡ଼ି ମାଧ୍ୟମରେ । ମାତ୍ର ସାମନ୍ତବାଦ ନଅଟା ଜୀବନ ଥିବା ଗୋଟିଏ ବିଲେଇ ପରି । ‘ଥରକୁ ଥର ମରି ସେ ଯେ କୋଉ ଖଞ୍ଜରେ ପୁଣି ଜୀଇଁ ଉଠି ବସେ । ଭୂସଂସ୍କାର ବ୍ୟବସ୍ଥା ପୁଣି ପୂର୍ବାବସ୍ଥାକୁ ଲେଉଟି ପଡ଼ିଚି । ଗାନ୍ଧିବାଦୀ ଦଳ ନୁହେଁ, ବରଂ ନୂଆ ଜମିଦାର ଭୋଟ୍‌ରେ ଜୟଲାଭ କରିଛନ୍ତି । ଗାନ୍ଧୀ ଆନ୍ଦୋଳନ ସ୍ୱାଧୀନତା ପ୍ରାପ୍ତିରେ ସରିଯାଇଚି । ଜନତାର ମୁଖରେ ମହାତ୍ମା ଠିକ୍‌ ଭାବେ ଉଚ୍ଚାରିତ ହୋଇ ପାରିନାହିଁ, ଲୋକମାନେ ତଥାପି ସଭ୍ୟ ହୋଇ ପାରି ନାହାନ୍ତି । ସକଳ ପରିବର୍ତ୍ତନ ସତ୍ତ୍ୱେ ତଥାପି ଭାରତର ‘ଗାଁ ରୂପକ କୁତ୍ସିତ ନରକରେ ଏବେ ବି ମଣିଷ ସନ୍ତୁଳିତ ହେଉଚି । ମହାତ୍ମାଙ୍କୁ ଗାଳି ଦେବାକୁ ଆରମ୍ଭ କରି ଏକ ଅନୁଚ୍ଚାରିତ ଅସହାୟତା ଓ ମର୍ମବେଦନାରେ ସନ୍ତୁଳିତ ଅର୍ଜ୍ଜୁନା ସିନା ନିଜ ଜିହ୍ୱା ନିଜେ କାଟି ପକାଇଥିଲା, ମାତ୍ର ତା ପୁଅ ପୁଣି ଜମିଦାରର ପିଆଦା ହୋଇ ‘ମହାତ୍ମାଙ୍କର ଚଉଦ ପୁରୁଷ ଉଝାଳୁଚି ।’ ଅନ୍ୟ ଏକ ସମୟରେ, ଅନ୍ୟ ଏକ ଭାରତରେ ଗାନ୍ଧୀ ଆନ୍ଦୋଳନରେ ଭାଗ ନେଇ ଲକ୍ଷ୍ମୀଧର ଯେଉଁ ଜେଲରେ ଖଟିଥିଲେ ତିନିବର୍ଷ, ପୁଅ କମ୍ୟୁନିଷ୍ଟ ହୋଇ ସେହି ଜେଲ୍‌ରେ ଆସି ରହିଚି । ମହାତ୍ମାଙ୍କୁ ପିତା ଭାବେ ଗ୍ରହଣ କରିଥିବା ଲକ୍ଷ୍ମୀଧରଙ୍କ ପୁଅ ମହାତ୍ମା ଲେନିନଙ୍କର ଜୟଗାନ କରେ ଶେଷରେ ସେହି ଜେଲ ଭିତରେ ।

 

କିନ୍ତୁ ଭାରତୀୟ ଜନଜୀବନରେ ଆମ ଧର୍ମ, ସଂସ୍କୃତି, ପାରମ୍ପରିକ ବିଶ୍ୱାସ ସହିତ ଗାନ୍ଧିବାଦୀ ଓ ସାମ୍ୟବାଦୀ ଚିନ୍ତାଧାରାର ପ୍ରଭାବ ଓ ପ୍ରତିକ୍ରିୟାକୁ ଏକ ଚମତ୍କାର ପୌରାଣିକ କାହାଣୀ ମାଧ୍ୟମରେ ପ୍ରକାଶ କରାଯାଇଚି ୧୯୮୦ରେ ପ୍ରକାଶିତ ‘ଶକୁନ୍ତଳା’ ଉପନ୍ୟାସରେ । ବଣ ପାହାଡ଼ ଘେରା ଅଥଚ ଏକ ଗଡ଼ଜାତର କିଛି ସଙ୍କେତ ବହନ କରିଥିବା, ଜଗନ୍ନାଥ ମନ୍ଦିରଟିଏ ଥିବା ପ୍ରାଚୀନ ଗ୍ରାମ କଣୁଆରେ ମାଇପିଟିଏର ଆବିର୍ଭାବ ହୋଇଚି । ଯେ ହୋଇ ଯାଇଚି ଦାମା ଗଉଡ଼ର ଭାଷାରେ ଅପ୍‌ସରୀ ବା ଶକୁନ୍ତଳା । ତା ପଛେ ପଛେ ଦୁଇଜଣ ବ୍ୟକ୍ତି ମଧ୍ୟ ଆସିଛନ୍ତି ଯାହାଙ୍କୁ ମାଧୁର୍ଯ୍ୟବାଦୀ ଓ ବାସ୍ତବବାଦୀ ଜ୍ୟୋତିଷ ଭାବେ ଗ୍ରହଣ କରାଯାଇଚି । ବାୟା, କୁଶା, ଯତୀନ ପ୍ରଭୃତିଙ୍କ ମାଧ୍ୟମରେ କମ୍ୟୁନିଷ୍ଟ ଚିନ୍ତାଧାରା ତଥା ନକ୍‌ସଲାଇଟ୍‌ ଆନ୍ଦୋଳନକୁ ଅଣାଯାଇଚି ଏହିପରି ଗୋଟିଏ ଭାରତୀୟ ସାଂସ୍କୃତିକ ଜୀବନର ପ୍ରତୀକ ସ୍ୱରୂପ, ପ୍ରାଚୀନ ଗ୍ରାମ୍ୟ ପରିବେଷ ଭିତରକୁ ଯେଉଁ ଗ୍ରାମର ଉଭୟ ଦିଗରେ ରହିଥିବା ଗୁରୁଶିଷ୍ୟ ପାହାଡ଼ ଦୁଇଟି ଏବେ ଗାନ୍ଧି ନେହେରୁ ଭାବେ ପରିଚିତ । ଏଥିରେ ଭାରତୀୟ ପରିପ୍ରେକ୍ଷୀରେ ସାମ୍ୟବାଦୀ ଚିନ୍ତାଧାରାର ସର୍ବାଧିକ ପ୍ରତିକ୍ରିୟାଶୀଳ ଦିଗର ପ୍ରୟୋଗ କରାଯାଇ ଲୋକଚେତନାରେ ତାହାର ସ୍ୱରୂପ ଉଦ୍‌ଘାଟନ କରାଯାଇଚି । ଏହାକୁ ‘‘କୃଷିଭିତ୍ତିକ ଭାରତୀୟ ମାର୍କସବାଦର ସ୍ୱରୂପ ଓ ସଫଳତାର ପ୍ରୟୋଗାତ୍ମକ ରୂପାୟନ’’ ଭାବେ ଗ୍ରହଣ କରାଯାଇ ପାରେ । (୨୮) କଥାବସ୍ତୁଟି ଏହି ଉପନ୍ୟାସରେ ଗୌଣ ‘‘ସ୍ୱାଧୀନତା ପରବର୍ତ୍ତୀ ଭାରତ ବର୍ଷର ସାଂସ୍କୃତିକ ଓ ରାଜନୈତିକ ବିପର୍ଯ୍ୟୟର ସ୍ୱର ସାଧାରଣ ଜନମାନସକୁ ଯେପରି ଭାବରେ ପ୍ରଭାବିତ କରିଚି ଏବଂ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଛି ଏବଂ ତାହାର ସଫଳ ରୂପାୟନ ଏ ଉପନ୍ୟାସରେ ପରିଦୃଷ୍ଟ ହୁଏ । X X ସମାଜ ସଂସ୍କାର ନାମରେ ଜାତୀୟ ସଂସ୍କୃତିର ହତ୍ୟା, ରାଜନୀତି ନାମରେ ବ୍ୟକ୍ତି ସତ୍ତାର ପ୍ରତିଷ୍ଠା, ସ୍ଥିତିବାଦୀ ଦର୍ଶନ ଭିତରେ ବଞ୍ଚିବାର ଦାବୀ, ଧର୍ମ ସଂସ୍କୃତି ନାମରେ ବ୍ୟଭିଚାର-ଏସବୁର ପ୍ରତିଫଳନ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଥିଲେ ମଧ୍ୟ ଭାରତରେ ସଂଘଟିତ ନକ୍‌ସାଲାଇଟ୍‌ ଆନ୍ଦୋଳନର ପୃଷ୍ଠଭୂମିରେ ଏ ଉପନ୍ୟାସର କଥାବସ୍ତୁ ସ୍ପନ୍ଦିତ ହୋଇଚି ।’’ (୨୯) ଏକ ଦିଗରେ ସ୍ୱାଧୀନତା ଆସିଚି, ସାମନ୍ତବାଦର ଉଚ୍ଛେଦ ଘଟିଚି । ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିବା ଧର୍ଷିତା ଅସୀମା ଆସିଚି ଶକୁନ୍ତଳା ହୋଇ । ଶିଳ୍ପ ସଭ୍ୟତା ରୂପକ, ଯକ୍ଷ ମଧ୍ୟ ଆସିଚି । ‘ଏ ଗାଁକୁ, ଏ ଦେଶକୁ ରାଜନୀତିବାଲା ଖାଇ ଦେଲେ, ଆମେ ଲୁହା କାରଖାନା ବସାଇବୁ ବୋଲି କହି’ । ପରିବର୍ତ୍ତିତ କୃଷି-ସଭ୍ୟତା ଓ ପୁଞ୍ଜିବାଦୀ ସଭ୍ୟତା ଆସ୍ଥାନ ଜମାଇଛନ୍ତି ଏହି ଗ୍ରାମଟିରେ । ସର୍ବୋପରି ନବବିପ୍ଳବର ବାର୍ତ୍ତା ମଧ୍ୟ ଆସିଚି ଶ୍ରମିକ କୃଷକ ବାହିନୀକୁ ସଂଗଠିତ କରି ରାଷ୍ଟ୍ରଶକ୍ତିକୁ ହାତକୁ ନେବା ପାଇଁ । ଏଥିରେ ଯୋଗ ଦେଇଛନ୍ତି ‘ନବନିଶାଗ୍ରସ୍ତ କିଶୋର’ ମାନେ ।

 

୨୮.

ପରମ୍ପରା, ଭାଗବତ : ସାଂପ୍ରତିକ ଓଡ଼ିଆ ସାହିତ୍ୟ-ଅ ଶତ୍ରୁଘ୍ନ ପାଣ୍ଡବ ଇସ୍ତାହାର ୯।୪, ପୃ-୧୭୫

୨୯.

ଓଡ଼ିଆ ଉପନ୍ୟାସରେ ରାଜନୈତିକ ଚେତନା : ଡ. ବିଜୟ କୁମାର ମହାନ୍ତି ପୃ ୬୦୦

 

ନକ୍‌ସାଲ ବିପ୍ଳବ ୧୯୬୭ ରେ ଆରମ୍ଭ ହୋଇଥିଲା-ଭୂମିହୀନ ଲୋକମାନଙ୍କର ସଶସ୍ତ୍ର ଆନ୍ଦୋଳନରୁ । ‘‘ମତବାଦ କମ୍ୟୁନିଷ୍ଟ, ମାତ୍ର କୌଶଳ ହେଉଚି ରାଜଧାନୀଠାରୁ ବହୁଦୂରରେ ଉପେକ୍ଷିତ, ନିସ୍ପେଷିତ ଜନତା ମଧ୍ୟରେ ବିଦ୍ରୋହର ଭାବ ଜାଗ୍ରତ କରି ସେମାନଙ୍କୁ ସଶସ୍ତ୍ର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ କରିବା ।’’ (୩୦) ଯୋଜନାର ବିଫଳତା ଉତ୍କଟ ଶ୍ରେଣୀବିଭେଦ, ସୁବିଧାବାଦୀମାନଙ୍କର ପ୍ରତିଷ୍ଠା ଓ ବିଶାଳ ଜନତାର ଦୁରବସ୍ଥା, ନିର୍ବାଚନ-ସର୍ବସ୍ୱ ଗଣତନ୍ତ୍ର ଶାସନ ଓ ଶାସନ ତାନ୍ତ୍ରିକ ତ୍ରୁଟି ତଥା ଶାସନ ସହିତ ସାଧାରଣ ଜନତାର ପ୍ରତ୍ୟକ୍ଷ ସମ୍ପର୍କହୀନତା, ଆଇନ ଓ ତାହାର ପ୍ରୟୋଗଗତ ପାର୍ଥକ୍ୟ ଏହିପରି ଏକ ସଶସ୍ତ୍ର, ରକ୍ତାକ୍ତ ଆନ୍ଦୋଳନର ମୂଳ କାରଣ । ଅବଶ୍ୟ ‘ଅବଶେଷରେ ବୈଚିତ୍ର୍ୟମୟ କରୁଣ ପରିସ୍ଥିତି ଭିତରେ ଲିଭି ଯାଇଥିଲା ଏ ଦାବାନଳ ବା ‘ପ୍ରେରୀ ଫାୟାର’ ଭାରତର ସାଂସ୍କୃତିକ ଜୀବନାରଣ୍ୟରୁ ।’’ ଭାରତର ସାଂସ୍କୃତିକ ଜୀବନ ସହିତ ଧର୍ମଚେତନା ଓତଃପ୍ରୋତ ଭାବେ ଜଡ଼ିତ । ଏ ଧର୍ମ ହିଁ ତାର ‘ଇତିହାସ ବା ସଂସ୍କୃତି’ । ଏଠି ସାଧାରଣ ଜନତା ଅହିଂସ ଓ ଭାଗ୍ୟବାଦୀ । ତେଣୁ ଜଗନ୍ନାଥ ହରଣଚାଳ ହେବା ପରେ ଗ୍ରାମ୍ୟଜୀବନରେ ଏହା ଭିନ୍ନ ମୋଡ଼ ନେଇଚି । ଏହି ଆନ୍ଦୋଳନ ଯୋଗୁଁ ଗ୍ରାମ୍ୟଜୀବନରେ ଅସ୍ଥିରତା ଓ ନୈରାଶ୍ୟ ଆସିଚି । ‘‘ବାମପନ୍ଥୀମାନେ ଯେପରି ବିଦେଶରୁ ପ୍ରଚୁର ଆଇଡିଆ ଧାର କରି ଏ ଦେଶଟାକୁ ଗୋଟାଏ ରାତିରେ ମସ୍କୋ ବା ପେକିଂ କରି ଦେବାର ସ୍ୱପ୍ନ’’ ଦେଖିଛନ୍ତି, ଗାନ୍ଧିବାଦୀମାନେ ସେହିପରି ‘‘ବିଦେଶରୁ ପ୍ରଚୁର ଅର୍ଥ ଧାର କରିଆଣି ଦୁଇ ତିନୋଟି ପଞ୍ଚବାର୍ଷିକ ଯୋଜନା ଦ୍ୱାରା, ଏ ଦେଶଟାକୁ ବର୍ଷ କେତେଟାରେ ନିଉୟର୍କ କରି ଦେବାର ସ୍ୱପ୍ନ ଦେଖିଛନ୍ତି । ଏଠି ‘ଶକୁନ୍ତଳା ଧର୍ଷଣ ଦୁଷ୍କର୍ମ’ କମ୍ୟୁନିଷ୍ଟମାନେ କରନ୍ତି ନାହିଁ, ଗାନ୍ଧିବାଦୀ ବ୍ୟବସାୟୀ ଦଲାଲମାନେ କରନ୍ତି । ଏ ଦେଶର ଜନତା ଦେଖେ ଶିଳ୍ପ-ସଭ୍ୟତାର ପ୍ରସାର ଫଳରେ ମେଘ ଯାଗାରେ କଳାଧୂଆଁ, ପାହାଡ଼ କାରଖାନା ଘରପରି, ନଈ ନାଳପରି ଅପାକୃତ ଓ ଦହ ନାଳମୁହଁ ଭଳି ଗନ୍ଧିଆ କୁତ୍ସିତ । ନକ୍‌ସାଲ ଆକ୍ରମଣ ଯୋଗୁଁ ଜମି ସାଧାରଣ ଲୋକଙ୍କ ହାତକୁ ଆସେ ନାହିଁ ବରଂ ଜମିମାଲିକମାନେ କମ୍ପାନୀକୁ ଜମି ବିକ୍ରିକରି ପ୍ରାପ୍ତ ପୁଞ୍ଜିକୁ ସେଇ କମ୍ପାନୀ ବ୍ୟବସାୟରେ ବିନିଯୋଗ କରନ୍ତି । ଜମି ଯେପରି କହେ, ଥେଲି ଜଗନ୍ନାଥଙ୍କର, ହେଲି ରାଜଙ୍କର, ଗଲି ଦଳେଇ ଘରକୁ, ଅଇଲି ପଳେଇ କମ୍ପାନୀ ପାଖକୁ’, ସ୍ନାନପୋଖରୀ ମଧ୍ୟ ଠିକ୍‌ ସେହିପରି ହୁଏ । ଜଗନ୍ନାଥଙ୍କ ଚାପ, ରାଜାଙ୍କ ଚାପ, କାରଖାନା କଡ଼ର ନାଳ । ତେଣୁ ଭାରତୀୟ ଜନଜୀବନରେ ଏହି ସବୁ ଆନ୍ଦୋଳନର ପ୍ରୟୋଗ ଓ ପରୀକ୍ଷା କରି ଔପନ୍ୟାସିକ ଗାନ୍ଧି, ମାର୍କସ, ଲେଲିନ ଓ ମାଓଙ୍କୁ ମିଶାଇ ତନ୍ମଧ୍ୟରେ ଜଗନ୍ନାଥଙ୍କୁ ଅଧିଷ୍ଠିତ କରାଇଛନ୍ତି, ଏକ ନୂତନ ଚେତନାର ଜନ୍ମଜାତକ ସୃଷ୍ଟି କରିଛନ୍ତି । କଣୁଆପରି ଗୋଟିଏ ସାଧାରଣ ଗ୍ରାମକୁ ପ୍ରତୀକଭାବେ ଗ୍ରହଣ କରି ଏହାରି ମାଧ୍ୟମରେ ଔପନ୍ୟାସିକ ଏକ ପ୍ରତୀକ ଶୈଳୀରେ (ଅବଶ୍ୟ ଏକ ଦୁର୍ବୋଧ୍ୟ ପରିକଳ୍ପନା ଓ କ୍ଳୀଷ୍ଟ ପ୍ରକାଶନ ଭଙ୍ଗୀ) ଦିଗହରା ଭାରତୀୟ ଜନଜୀବନର ସାଂସ୍କୃତିକ, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ସଙ୍କଟ ଓ ବିପର୍ଯ୍ୟୟକୁ ଅତ୍ୟନ୍ତ ବାସ୍ତବତାର ସହ ଚିତ୍ରିତ କରିଛନ୍ତି ।

 

୩୦.

ଗାଁ ମଜଲିସ (୪ର୍ଥ ଖଣ୍ଡ) : ଡ ହରେକୃଷ୍ଣ ମହତାବ, ପୃ ୧୪୧

 

ଏହି ପ୍ରବନ୍ଧରେ ଉପଲବ୍‌ଧ କେତେକ ସମାଜତାତ୍ତ୍ୱିକ ବାସ୍ତବତା ପରିପ୍ରେକ୍ଷୀରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ପ୍ରତିଫଳିତ ପରିବର୍ତ୍ତିତ ଗ୍ରାମ୍ୟଜୀବନଧାରାର ବିଶ୍ଳେଷଣ କରାଯାଇଛି । ଗ୍ରାମ୍ୟଜୀବନର ଚିତ୍ର ବହୁ ଓଡ଼ିଆ ଉପନ୍ୟାସରେ ଅନୁପଲଭ୍ୟ ନହେଲେ ମଧ୍ୟ ଗ୍ରାମୀଣ ସାଧାରଣ ଜନତାର ଜୀବନଧାରା ଓ ଚେତନାରେ ଆସିଥିବା ପରିବର୍ତ୍ତନକୁ ସଫଳତାର ସହିତ ପ୍ରକାଶ କରିଥିବା ମାତ୍ର କେତୋଟି ସାର୍ଥକ ଗ୍ରାମ୍ୟଭିତ୍ତିକ ଉପନ୍ୟାସକୁ ଏହି ଆଲୋଚନାଭୁକ୍ତ କରାଯାଇଚି । ଆଲୋଚନାକ୍ରମେ ଅବବୋଧ ହୁଏ ଯେ, କେତେକ ଉପନ୍ୟାସରେ ନିଚ୍ଛକ ବାସ୍ତବତା ଦୃଷ୍ଟିରେ କ୍ଳେଦାକ୍ତ ଗ୍ରାମ୍ୟଜୀବନର କାରୁଣ୍ୟ ଓ ଅସହାୟତା ରୂପାୟିତ ହୋଇଥିଲା ବେଳେ ଅନ୍ୟ କେତେକରେ ଏକ କଳ୍ପିତ ସୁନ୍ଦର, ସୁଷମାନ୍ୱିତ, ସମସ୍ୟା ବିଦୂରିତ, ସ୍ନେହ ମମତାଭରା ଆଦର୍ଶ ଗ୍ରାମ୍ୟ ଜୀବନର ଚିତ୍ର ପ୍ରତିଫଳିତ ହୋଇଚି । ଜୀବନର ପୂର୍ଣ୍ଣାଙ୍ଗତା ପାଇଁ ଯେପରି ଉଭୟ ବାସ୍ତବତା ଓ କଳ୍ପନାର ସମଆବଶ୍ୟକତା ରହିଚି, ଠିକ୍‌ ସେହିପରି ଓଡ଼ିଆ ଉପନ୍ୟାସର ପୂର୍ଣ୍ଣତା ପାଇଁ ଏ ଉଭୟଧାରାର ସୃଷ୍ଟିର ସାର୍ଥକତା ରହିଛି । କେବଳ ବାସ୍ତବତାର ରୁକ୍ଷତା ସନ୍ଦର୍ଶନ କରି ମଣିଷ ଅଣନିଃଶ୍ୱାସୀ ହୋଇପଡ଼ିବ, ହତାଶା ଓ ଗ୍ଳାନିରେ ଭରିଯିବ ତାର ଜୀବନ, ଜୀବନର ସରସତା ହରାଇ ସେ ଦିଗହରା ହୋଇପଡ଼ିବ । ବରଂ ଏହିପରି ଏକ ଅବସନ୍ନତାରୁ ମୁକ୍ତ କରି ତାକୁ ସୁନେଲୀ, ମନୋହର, ଆନନ୍ଦପ୍ରଦ, ଗଠନଶୀଳ ଭବିଷ୍ୟତ ଦିଗକୁ ବାଟ କଢ଼େଇ ନେବାକୁ, ତା ଭିତରେ ଥିବା ଚିରନ୍ତନୀ ମଣିଷର ବଞ୍ଚିବାର ସାର୍ଥକତାକୁ ପ୍ରତିପାଦନ କରିବାକୁ ଅନ୍ୟ ଶ୍ରେଣୀୟ ଉପନ୍ୟାସଗୁଡ଼ିକର ଆବଶ୍ୟକତା ଅପରିହାର୍ଯ୍ୟ । ସାଂପ୍ରତିକତାର ସୀମା ପାର ହୋଇ ଚିରନ୍ତନ ମୂଲ୍ୟବୋଧ ପ୍ରଦାନ କରିପାରିଲେ, ତଥା ମଣିଷର କଥାକୁ ଅନ୍ତରଙ୍ଗଭାବେ ପ୍ରବେଶ କରିପାରିଲେ ସୃଷ୍ଟି ହୋଇପାରିବ କାଳଜୟୀ । ଅବଶ୍ୟ ଅନୁଭୂତିର ବ୍ୟାପକତା ଓ ତ୍ରୀବତା ସହିତ ସମ୍ବେଦନଶୀଳ ସୃଷ୍ଟିପ୍ରବଣତାର ଆବଶ୍ୟକତା ଏ କ୍ଷେତ୍ରରେ ରହିଚି । ଓଡ଼ିଆ ଉପନ୍ୟାସରେ ଏହି ପ୍ରତ୍ୟକ୍ଷାନୁଭୂତିର ଅଭାବ ତଥାପି ପରିଦୃଷ୍ଟ ହୁଏ । ତଥାପି ଓଡ଼ିଆ ଔପନ୍ୟାସିକମାନଙ୍କର ସମାଜଚେତନାର ଏହି ଆଲୋଚନାରୁ ପ୍ରତିପାଦିତ ହେବା ସହିତ ଓଡ଼ିଆ ଉପନ୍ୟାସର ଅଗ୍ରଗତି ଓ ସମୃଦ୍ଧିକୁ ଅସ୍ୱୀକାର କରାଯାଇନପାରେ ।

 

 

ଅଧ୍ୟାପକ,

ଓଡ଼ିଆ ବିଭାଗ,

ବକ୍‌ସି ଜଗବନ୍ଧୁ ମହାବିଦ୍ୟାଳୟ,

ଭୁବନେଶ୍ୱର ।

 

***

 

Unknown

ଓଡ଼ିଆ ଉପନ୍ୟାସରେ ଭାଷାଶୈଳୀର କ୍ରମବିବର୍ତ୍ତନ

ଡଃ : ଶ୍ୟାମସୁନ୍ଦର ମିଶ୍ର

 

ଭାରତୀୟ ଆଧ୍ୟାତ୍ମଚିନ୍ତନରେ ଆତ୍ମା ଓ ଶରୀର ସଂପର୍କ ପରି ସାହିତ୍ୟ ଓ ଭାଷାର ସମ୍ପର୍କ ଅଙ୍ଗାଙ୍ଗୀ ନୁହେଁ । ସାହିତ୍ୟର ଆବେଦନ କୌଣସି ଭାଷାର ସୀମା ମଧ୍ୟରେ ଆବଦ୍ଧ ନୁହେଁ । ତଥାପି ସାହିତ୍ୟର ପରିବେଷଣ ପାଇଁ କୌଣସି ଏକ ମାଧ୍ୟମ ଆବଶ୍ୟକ ହୁଏ, ଆତ୍ମା ନିଜର ପାର୍ଥିବ ବିକାଶ ପାଇଁ କୌଣସି ଏକ ଶରୀର ଆବଶ୍ୟକ କଲାପରି । ସେଥିପାଇଁ ଆମେ ଓଡ଼ିଆ ସାହିତ୍ୟ କହିଲେ ଓଡ଼ିଆ ଭାଷା ମାଧ୍ୟମରେ ବିଭିନ୍ନ ଯୁଗରେ ପ୍ରକାଶିତ ସାହିତ୍ୟିକ ବିଚାର ସମୂହକୁ ଗ୍ରହଣ କରୁ ।

 

ପୃଥିବୀର ଅନ୍ୟାନ୍ୟ ଅନେକ ଅଞ୍ଚଳର ସାହିତ୍ୟ ପରି ଓଡ଼ିଶାରେ ମଧ୍ୟ ସାହିତ୍ୟ ପ୍ରଥମେ କବିତା ରୂପରେ ପ୍ରକାଶ ପାଇଥିଲା । ପ୍ରାଥମିକ ଅବସ୍ଥାରେ ସାହିତ୍ୟର ମାତ୍ର ଦୁଇଟି ରୂପ ଦେଖାଯାଏ, ଗୋଟିଏ ହେଲା ଧର୍ମର ରୂପାୟନ ଏବଂ ଅନ୍ୟଟି ମନୋରଞ୍ଜନ । ଚତୁବର୍ଗ ଫଳପ୍ରାପ୍ତି ପାଇଁ ସାହିତ୍ୟ ଥିଲା ଅନ୍ୟ ଏକ ସାଧନା । ପୁଣି ସେ ସମୟରେ ସାହିତ୍ୟର ଭାଷା ସଙ୍ଗୀତ ସହିତ ଜଡ଼ିତ ହୋଇ ରହିଥିଲା ଏବଂ ସମାଜର ସବୁ ସ୍ତରର ଲୋକ ହୃଦୟକୁ ସ୍ପର୍ଶ କରୁଥିଲା ।

 

ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ କ୍ରମେ ତାର ସାର୍ବଜନୀନ ପ୍ରକୃତି ତ୍ୟାଗକରି ଦରବାରକୁ ଆଶ୍ରା କଲା । ତାହା ହେଲା ‘ବୁଧ ହଂସ-କେଳି-ସର-ମରାଳ’ ମାନଙ୍କର ବା ପଣ୍ଡିତ ବ୍ୟକ୍ତିର ସେବ୍ୟ, ସେ ଭାଷାରେ ଆଡ଼ମ୍ୱର ଥିଲା, ଶାସ୍ତ୍ରୀୟତା ଥିଲା, ସଙ୍ଗୀତ ମୁଖରତା ମଧ୍ୟ ଥିଲା କିନ୍ତୁ ତାହା ସର୍ବତୋରୂପେ ଲୋକସାଧାରଣଙ୍କ ବସ୍ତୁ ହୋଇପାରିଲା ନାହିଁ । ଆଧୁନିକ ଯୁଗର ଆରମ୍ଭ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଏହି ଅବସ୍ଥା ରହିଥିଲା ।

 

ଆଧୁନିକ ଯୁଗର ଅନେକଗୁଡ଼ିଏ ଅଭିନବ ଅବଦାନ ମଧ୍ୟରୁ ଉପନ୍ୟାସ ରଚନାର ଧାରା ଅନ୍ୟତମ । ଏଠାରେ ‘ଉପନ୍ୟାସ’ର ଅର୍ଥ ଆଜି ଆମେ ଉପନ୍ୟାସକୁ ଯେଉଁ ଅର୍ଥରେ ଗ୍ରହଣ କରୁଛୁ ତାହା । ଏହା ଭାରତକୁ ପାଶ୍ଚାତ୍ୟ ସାହିତ୍ୟର ଦାନ । ତେଣୁ ନଭେଲ ବା ଫିକ୍‌ସନର ମୌଳିକ ଅର୍ଥରୁ ହିଁ ଆଧୁନିକ ‘ଉପନ୍ୟାସ’ର ଭାବର୍ଥ ନିଷ୍ପନ୍ନ । ଅବଶ୍ୟ ପ୍ରାଚୀନ ଭାରତୀୟ ସାହିତ୍ୟରେ କାଳ୍ପନିକ ଗଦ୍ୟରଚନାର ଧାରା ରହିଥିଲା ଯାହାକୁ ସଂସ୍କୃତ ଆଳଙ୍କାରିକମାନେ ଗଦ୍ୟକାବ୍ୟ ପର୍ଯ୍ୟାୟଭୁକ୍ତ କରିଥିଲେ । ‘କାଦମ୍ବରୀ’ ପ୍ରଭୃତି ଏଇ ଧରଣର କାବ୍ୟ ଗଦ୍ୟରଚନା ହେଲେ ମଧ୍ୟ ସେଥିରେ କାବ୍ୟିକ ଭାଷା, ଭାବ ଓ ଅଳଙ୍କାରର ବହୁଳ ପ୍ରୟୋଗ ଦେଖିବାକୁ ମିଳେ ।

 

ସଂସ୍କୃତ କାବ୍ୟ-ସାହିତ୍ୟ ରୀତିର ଅନୁସରଣରେ ଯେତେବେଳେ ଓଡ଼ିଆ କାବ୍ୟ ଯୁଗର ସୃଷ୍ଟି ହେଲା ସେଇ ସମୟରେ ରଚିତ କେତେଖଣ୍ଡ ଗଦ୍ୟକାବ୍ୟ ମଧ୍ୟରୁ ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ‘ରୁଦ୍ରସୁଧାନିଧି’ ଅନ୍ୟତମ । ଆଜକୁ ପ୍ରାୟ ପାଞ୍ଚଶହ ବର୍ଷତଳେ ରଚିତ ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସର୍ବପ୍ରଥମ ଏହି ଓଡ଼ିଆ ଗଦ୍ୟର ସ୍ୱରୂପ ଏହିପରି-‘ଏବଂ-ଭୂତ ପ୍ରକାରେ, ରୁଦ୍ରକ୍ରୀଡ଼ା ବନରେ ଜୀବେ ଅଜୀବେ କାମାନ୍ଧକାରେ ମଜ୍ଜିଲେ ଯହୁଁ ଆକର୍ଣ୍ଣ ପରିଯନ୍ତେ ପାଞ୍ଚବାଣ ପୂରୋଇ ମନ୍ମଥ ବିଚାରିଲାକି ତହୁଁ ସେ ପଞ୍ଚଶରକୁ ଶିଖାଇ, ବସାଇ, ଅଧ୍ୟାନ, ସନ୍ଧାନ ମୋକ୍ଷମଣ୍ଡଳକରି ପ୍ରତିଜ୍ଞା କଲା ତହୁଁ ପ୍ରତିଜ୍ଞା ହାଇ ହାଇ ହାଇ । ଆଜ ଜାଣିବାନା ସିଦ୍ଧଙ୍କର ଗର୍ବ ମୋତେ ପୂର୍ବେ ଜିଣିଲା ପରା ବିଚାରିଛନ୍ତି ସର୍ବ ।’’ (ପୃ-୭)

 

ଉପରୋକ୍ତ ଉଦ୍ଧୃତିରୁ ଜଣାପଡ଼େ ସେ ସମୟର ବଡ଼ବଡ଼ ଗଳ୍ପରଚନାର ଭାଷା ମଧ୍ୟ ଥିଲା ଖୁବ୍‌ ଦୀର୍ଘ, ଠିକ୍‌ ସଂସ୍କୃତ ଭାଷାର ‘କାଦମ୍ୱରୀ’ ବା ‘ଦଶକୁମାର ଚରିତମ୍‌’ର ଭାଷା ପରି, ମଝିରେ ମଝିରେ ଯତିପାତ ପରି ପଦଯୋଜନା, କେତେଗୁଡ଼ିଏ ବ୍ୟାକରଣଗତ ବୈଶିଷ୍ଟ୍ୟ ଯଥା ‘ରୁ’ ସ୍ଥାନରେ ‘ତହୁଁ’ ‘ହାଇ ହାଇ ହାଇ’ ‘ଜିଣିଲା ପରି’ ଏଥିରେ ପରିଦୃଷ୍ଟ । ଆଉ କେତେକ ପଦ ପ୍ରୟୋଗ ବର୍ତ୍ତମାନର ଦୃଷ୍ଟିକୋଣରୁ ବ୍ୟାକରଣ ଭ୍ରାନ୍ତି ଯଥା-‘ଆକର୍ଣ୍ଣ ପରିଯନ୍ତେ’ ।

 

ଏହି ଗଦ୍ୟର ବର୍ଣ୍ଣନାଭଙ୍ଗୀରେ ମଧ୍ୟ ମଧ୍ୟଯୁଗୀୟ କାବ୍ୟିକ ପ୍ରୟୋଗ ଓ ଅଳଙ୍କାର ବିନ୍ୟାସ ସୁସ୍ପଷ୍ଟ । ଯଥା ନାୟିକା ବର୍ଣ୍ଣନାରେ-‘‘ସେ ତ୍ରୈଲୋକ୍ୟ-ମୋହିନୀ କନ୍ୟା ସମାଧି ମଧ୍ୟେ ସିଦ୍ଧ ମଣ୍ଡଳର ମଧ୍ୟେ ମିଳିଲା । କେମନ୍ତ ପ୍ରାୟ ହୋଇ (ଉତ୍‌ପ୍ରେକ୍ଷା) ସ୍ଥିର ମନ ବିହଙ୍ଗର ସମୂହ ମଧ୍ୟେ ମନ୍ମଥ ପତାକା ଉଡ଼ାଇଲା ? କି ଧୈର୍ଯ୍ୟ ପର୍ବତମାନଙ୍କୁ ଲାବଣ୍ୟବାରି ବୁଡ଼ାଇଲା ? କି କୈବଲ୍ୟ ପରମାନନ୍ଦମାନଙ୍କୁ ଅଣିମାଦି ଅବିଦ୍ୟା ଢାଙ୍କିଲା ! କି ବୋଧ ଉଦୟ ଚନ୍ଦ୍ର ଜ୍ୟୋତ୍ସ୍ନାମାଳକୁ ମୋହ ମେଘପଟଳ ଢାଙ୍କିଲା ! କି ଶାନ୍ତି ରସକମଳ କୁଞ୍ଜେତ ନବ ବସନ୍ତ ବହିଲା, ପୁନରପି ବ୍ରହ୍ମପାଶ ବୁଦ୍ଧିକି ସ୍ତ୍ରୀ ସୁଖେ ବିଭ୍ରାଡ଼ିଲା ? ଯୋଗାଭ୍ୟାସ ଅଗ୍ନିକି ଅଧରାମୃତ ବାରିକି ଲିଭାଇଲା । ସେ ଅବିଦ୍ୟା ମୃତ୍ୟ ସଂଜୀବନୀ କନ୍ୟାର ନୂପୁର ବଳୟ କଙ୍କଣର କ୍ୱଣ, କଟି ମେଖଳାର ରଡ଼ି, ଝିଙ୍କା ଭୃଙ୍ଗ କୋକିଳଙ୍କ ତୁରୀପାଡ଼ି, ଏଥକୁ ସଂପୂର୍ଣ୍ଣ ଯୁକ୍ତେ ଅଛି ବସନ୍ତ ଋତୁ ବେଢ଼ି ।’’

 

ରୁଦ୍ରସୁଧାନିଧିର ଭାଷା ସଂପର୍କରେ ଓଡ଼ିଶାର ଦୁଇଜଣ ବିଜ୍ଞ ଆଲୋଚକଙ୍କ ମତାମତ ଏଠାରେ ଉଲ୍ଲେଖଯୋଗ୍ୟ । ମୁଖବନ୍ଧରେ ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ଲେଖିଛନ୍ତି-‘‘ଡା: କରୁଣାକର କରଙ୍କ ସଂପାଦିତ ‘ରୁଦ୍ରସୁଧାନିଧି ଏକ ଦୁଷ୍ପ୍ରାପ୍ୟ ଗ୍ରନ୍ଥ । ଏହା ବହୁ ଆଗରୁ ପ୍ରକାଶ ପାଇ ପାରିଥିଲେ ଓଡ଼ିଆ ଗଦ୍ୟସାହିତ୍ୟର କ୍ରମବିକାଶ ଓ ପ୍ରାଚୀନ ଓଡ଼ିଆ ଭାଷା ଓ ଛନ୍ଦ ସମ୍ପର୍କରେ ଅଧିକତର ଜ୍ଞାନଲାଭ ହୋଇପାରିଥାଆନ୍ତା ।’’

 

ଡା: କରୁଣାକର ନିଜେ ମତ ଦେଇଛନ୍ତି-‘‘ରୁଦ୍ରସୁଧାନିଧି’’ର ଭାଷା ହେଉଛି ପଦ୍ୟାତ୍ମକ ଗଦ୍ୟ । ପ୍ରତି ପଦରେ ପଦ୍ୟର ସତ୍ତା ଥିବାପରି ବୋଧହୁଏ । ତେଣୁ କେହି କେହି ଏହାକୁ ପଦ୍ୟ ବୋଲି ଅଭିହିତ ଓ ପ୍ରମାଣିତ କରିବାକୁ ପ୍ରଯତ୍ନ କରିଛନ୍ତି, କିନ୍ତୁ ଆମୂଳଚୂଳ ପାଠକଲେ ସହଜରେ ପ୍ରତୀୟମାନ ହୁଏ ଯେ ‘ରୁଦ୍ରସୁଧାନିଧି’ ଗଦ୍ୟରେ ହିଁ ଲିଖିତ । ଏହାର ଭାଷା ଅତି ବିଚିତ୍ର, ଅତି ସୁଲଳତି ମଧୁର X X X ଭାରତର ଅନ୍ୟାନ୍ୟ ପ୍ରାଦେଶିକ ଭାଷାମାନଙ୍କରେ ମଧ୍ୟ ଏପରି ଅପୂର୍ବ ଗଦ୍ୟକାବ୍ୟ ନାହିଁ କହିଲେ ଚଳେ । ତେଣୁ ରୁଦ୍ରସୁଧାନିଧି ହେଉଛି ଓଡ଼ିଶାର ଏକ ଅଭୂତପୂର୍ବ, ଅତୁଳନୀୟ ଅଭିନବ ଗଦ୍ୟକାବ୍ୟ ।’’ ଭାରତର ପ୍ରାଚୀନ ଗଦ୍ୟକାବ୍ୟକୁ କେତେକ ଆଲୋଚକ ଉପନ୍ୟାସର ସ୍ଥାନ ଦେଉଥିବାରୁ ‘ରୁଦ୍ରସୁଧାନିଧି’ରେ ଓଡ଼ିଆ ଉପନ୍ୟାସର ଆଦ୍ୟାବସ୍ଥାର ସନ୍ଧାନ ମିଳେ ।

 

ସାରଳା ଓ ପଞ୍ଚସଖା ଯୁଗ ମଧ୍ୟରେ ରଚିତ ଏହି ଗଦ୍ୟରଚନାରେ ସମସାମୟିକ କେତେକ ଭାଷାଗତ ବିଶେଷତ୍ୱ ରହିଛି, ଯାହାକି ସାରଳାଦାସଙ୍କ ମହାଭାରତ, ଚଣ୍ଡୀପୁରାଣ, ବଳରାମଙ୍କ ରାମାୟଣ ଓ ଜଗନ୍ନାଥଦାସଙ୍କ ଭାଗବତରେ ଦେଖାଯାଏ । ଯଥା-୨ୟ ବହୁବଚନରେ ‘ନ୍ତ’ ପ୍ରତ୍ୟୟ (ଈଶ୍ୱର ତହୁଁ, ମନର ତହୁଁ) ୭ମୀ ବିଭକ୍ତିରେ ‘ହିଁ’ ଓ ଉପପଦ ବିଭକ୍ତି ରୂପେ ‘ତହିଁ’ର ବ୍ୟବହାର (ବାସୁଦେବ ତହିଁ, ତୋ ତହିଁକି ଭୟେ ହିଁ, ସବୁଦ୍ୱାର ହିଁ) । ଏହି ଗଦ୍ୟରେ କେତେକ ପଞ୍ଚଦଶ ଶତାବ୍ଦୀର ପଦପ୍ରୟୋଗ ଉଲ୍ଲେଖଯୋଗ୍ୟ-ଅମନାତ୍ୟ ପେଷିଲେ, ସ୍ରୋହେ, ପବନ କରି, ମଦାଙ୍ଗ ଇତ୍ୟାଦି ।

 

ଆଧୁନିକ ଯୁଗର ଆରମ୍ଭର ଅବ୍ୟବହିତ ପୂର୍ବର ଆଉ ଖଣ୍ଡେ ଗଦ୍ୟରଚନା ସ୍ୱରୂପ ଏଠାରେ ବିଚାରକୁ ନିଆଯାଇପାରେ । ତାହା ହେଉଛି ବ୍ରଜନାଥ ବଡ଼ଜେନାଙ୍କ ‘ଚତୁର ବିନୋଦ’ । ଅଷ୍ଟାଦଶ ଶତକର ଶେଷପାଦରେ ରଚିତ ଏହି ଗଳ୍ପରଚନାରେ ଗଦ୍ୟଶୈଳୀର ଅଭିବୃଦ୍ଧି ତ ନିଶ୍ଚୟ ଘଟିଛି, ତଥାପି ଏ ଗଦ୍ୟରେ କବିତା ଓ ସଂସ୍କୃତ ଶ୍ଳୋକର ବହୁଳ ଉଦ୍ଧୃତି ରହିଛି, ପୁନଶ୍ଚ ଏଥିରେ ଅଛି ମଧ୍ୟଯୁଗୀୟ କାହାଣୀ ବର୍ଣ୍ଣନାର ଭଙ୍ଗୀ । ଉଦାହରଣତଃ-

 

‘‘ସେ ଯେ କାଞ୍ଚନବତୀ ନାମେ ଏକ ନଗର ଅଛି; ପୂର୍ଣ୍ଣକାମ ବୋଲି ସେ ରାଜାର ନାମ । ସେ ରାଜାଙ୍କ ମଣୋହି-ସୂପକାର ଚନ୍ଦ୍ରକର ବୋଲି ଗୋଟିଏ ବ୍ରାହ୍ମଣ ଥିଲା । ତାହା କୁମାରୀ ନାମ ହେମାଙ୍ଗୀ । ସେ ହେମାଙ୍ଗୀ ଏକ ଦିନକରେ ସନ୍ଧ୍ୟାକାଳରେ ପୁରଦ୍ୱାରରେ ଉଭାହୋଇ ରାଜମାର୍ଗକୁ ଚାହିଁଥିଲା । ଏହି ସମୟରେ ସେହି ରାଜ୍ୟ ମନ୍ତ୍ରୀପୁଅ ତରୁଣକାନ୍ତ ଅଶ୍ୱ ଆରୋହଣ କରି ଗମନ କରୁଥିଲା । ହେମାଙ୍ଗୀ କି ତା ପୁରଦ୍ୱାରରେ ଦେଖନ୍ତେ ତା ଶୋଭାରେ ମୋହିତ ହୋଇ ଲୌହ-ଚୁମ୍ବକ କରି ତାଠାରେ ଚକ୍ଷୁ ଜଡ଼ି ରହିଲା ।’’ (ରସବିନୋଦ)

 

ବ୍ରଜନାଥଙ୍କ ଗଳ୍ପରେ ଗଦ୍ୟର ଅନ୍ୟଏକ ବିଶେଷତ୍ୱ ହେଉଛି ତାଙ୍କର ପୂର୍ଣ୍ଣାଙ୍ଗ ହାସ୍ୟକଥା ରଚନା । ଏହା ହେଉଛି ‘ହାସ୍ୟ ବିନୋଦ’ । ତାଙ୍କର ସମସାମୟିକ କବିସୂର୍ଯ୍ୟ ବଳଦେବଙ୍କ ‘ହାସ୍ୟକଲ୍ଲୋଳ’ ପରି ସେ ମଧ୍ୟ ଅଦ୍ଭୁତ ଓ ଅବାସ୍ତବ ବର୍ଣ୍ଣନା ମାଧ୍ୟମରେ ଭାଷାରେ ହାସ୍ୟ ସୃଷ୍ଟି କରିଛନ୍ତି । ଅବଶ୍ୟ ଏହି ଭାଷା କେତେକ କ୍ଷେତ୍ରରେ ଆଧୁନିକ ପାଠକକୁ ଅରୁଚିକର ବା ଅଶ୍ଳୀଳ ବୋଧହୋଇପାରେ, ଯଥା- ‘‘X X X ବିଳାପମୁଖୀ ଜାଣିଲା ମୋହ ସମାନ ତ ପତି ମିଳିଲା, ଏମନ୍ତ ବିଚାର ନିଷ୍ଫଳ ହୋଇ କେମିତି ଭେଟିବି ବୋଲି ହୃଦୟ ତଟରୁ ଗୁଆ ଭ୍ରମରେ ସ୍ତନୁଟିଏ ଛିଣ୍ଡାଇ ଧରନ୍ତେ ରକ୍ତ ବହିବାରୁ ହୃଦୟତଟ ବଡ଼ ରକ୍ତବର୍ଣ୍ଣ ଦିଶିଲା । ମାର୍ଜାରମୁଖା ବିଚାରିଲେ ଏ ତ ଅପୂର୍ବ ନାରୀ, ହୃଦୟତଟରେ ପୁଷ୍ପବତୀ ହୁଅଇ ପରା’’ (ହାସ୍ୟବିନୋଦ) ।

 

ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ପରେ ଭାରତୀୟ ସାହିତ୍ୟମାନଙ୍କରେ ଗଦ୍ୟଶୈଳୀର କ୍ରମ-ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଆଧୁନିକ ଉପନ୍ୟାସ ଲିଖନର ପ୍ରବର୍ତ୍ତନ ହେଲା । ଏହି ଦୃଷ୍ଟିରୁ ଓଡ଼ିଆ ସାହିତ୍ୟରେ ପ୍ରଥମ ଉପନ୍ୟାସର ସ୍ଥାନ କିଏ ଲାଭ କରିବ ସେ ବିଷୟରେ କିଛିକାଳ ଆଲୋଚକମାନଙ୍କ ମଧ୍ୟରେ ମତାନୈକ ରହିଥିଲା । ଏବେ ଯାହାଙ୍କୁ ପ୍ରଥମ ଔପନ୍ୟାସିକ ଭାବରେ ଗ୍ରହଣ କରାଯାଉଛି ସେହି ଉମେଶଚନ୍ଦ୍ର ସରକାର ‘ପଦ୍ମମାଳୀ’ର ପ୍ରଥମ ସଂସ୍କରଣର ମୁଖବନ୍ଧ (୧୯-୧୦-୧୮୮୮) ରେ ଲେଖିଛନ୍ତି ‘‘ଐତିହାସିକ ଘଟଣାବଲମ୍ୱିତ ହୋଇ କୌଣସି ଉପନ୍ୟାସ ଉତ୍କଳ ଭାଷାରେ ରଚିତ ହୋଇଥିବାର ଆମ୍ଭକୁ ଜଣାନାହିଁ । ଉତ୍କଳ ଦେଶର ଇତିହାସ ପର୍ଯ୍ୟାଲୋଚନା କଲେ ଭାବୁକ ଯୁବକ ଐତିହାସିକ ଉପନ୍ୟାସ ଲେଖିବାକୁ ଉପକରଣର ଅଭାବ ଦେଖିବେ ନାହିଁ । ଆମ୍ଭେ କେବଳ ଏହି କ୍ଷୁଦ୍ର ଆୟତନ ଓ ଅପେକ୍ଷାକୃତ ଅଖ୍ୟାତନାମା ରାଜ୍ୟର ସ୍ୱଳ୍ପବ୍ୟାପୀ ଘଟଣାକୁ ଅବଲମ୍ୱନ କରି ଏ ଗ୍ରନ୍ଥ ରଚନା କରିଅଛୁ ଓ ଏଥିରେ ପୂର୍ଣ୍ଣମନୋରଥ ହୋଇ ନଥିଲେ, ଆମ୍ଭଠାରୁ ଅଧିକ କୃତବିଦ୍ୟଯୁବକ ଆମ୍ଭର ପ୍ରଦର୍ଶିତ ମାର୍ଗ ଅବଲମ୍ବନ କରି କୃତକାର୍ଯ୍ୟ ହୋଇପାରିବେ ଓ ତଦ୍ଦ୍ୱାରା ଉତ୍କଳ ଭାଷାକୁ ସମଧିକ ଗୌରବାନ୍ୱିତ କରି ଆମ୍ଭର ନିଷ୍ଫଳତାର ସମୁଚିତ କ୍ଷତିପୂରଣ କରିବେ ।’’

 

ଉପରୋକ୍ତ ଉକ୍ତିରୁ ଜଣାପଡ଼େ ଲେଖକ ‘ପଦ୍ମମାଳୀ’ର ପ୍ରକାଶନ ପୂର୍ବରୁ ଐତିହାସିକ ବ୍ୟତୀତ ଅନ୍ୟ କୌଣସି ଓଡ଼ିଆ ଉପନ୍ୟାସ ମୁଦ୍ରିତ ପାଣ୍ଡୁଲିପି ଆକାରରେ ଦେଖିଛନ୍ତି ଯାହାକି ବର୍ତ୍ତମାନ ଦୁର୍ଲଭ ।

 

୨୭-୧୧-୧୯୧୨ ଲେଖକଙ୍କର ଜୀବିତାବସ୍ଥାରେ ପୁସ୍ତକର ୨ୟ ସଂସ୍କରଣ ପ୍ରକାଶ ପାଇଲା । ସେଥିରେ ଲେଖକ କହିଛନ୍ତି, ‘‘X X ବର୍ତ୍ତମାନ ସଂସ୍କରଣରେ ପୁସ୍ତକଖଣ୍ଡ ଅନେକ ପରିମାଣରେ ସଂଶୋଧିତ ଓ ପରିବର୍ଦ୍ଧିତ ହୋଇଛି ।’’ ଏଥିରୁ ଅନୁମିତ ହୁଏ ବର୍ତ୍ତମାନ ମିଳୁଥିବା ପୁସ୍ତକ ଅପେକ୍ଷା ପ୍ରଥମ ସଂସ୍କରଣର ଭାଷା ହୁଏତ ଅଧିକ ଜଟିଳ ଓ ପ୍ରାଚୀନ ଧର୍ମୀ ଥିଲା । ଏବର ସଂସ୍କରଣର ଭାଷାରୁ ମଧ୍ୟ ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସର ଗୌରବ ଲାଭକରିଥିବା ‘ପଦ୍ମମାଳୀ’ର ଭାଷାର ପ୍ରାଚୀନତା ସଂପର୍କରେ ସୂଚନା ମିଳେ । ଯଥା :

 

ପଦ୍ମମାଳୀ ଷୋଡ଼ଶବର୍ଷ ବୟସ୍କା । ସମ୍ପୂର୍ଣ୍ଣତା ପ୍ରାପ୍ତ କମଳକଳିକାର ନ୍ୟାୟ ତାହାର ଯୌବନ ବିକାଶୋନ୍ମୁଖ ହୋଇଥିଲା । ମୁଖରେ ଲାବଣ୍ୟପ୍ରଭା ଢଳଢଳ କରୁଥିଲା X X X ଚିତ୍ରକର ତୁଳିକାଙ୍କିତର ନ୍ୟାୟ ଈଷତ୍‌ ବକ୍ର ଭ୍ରୂଯୁଗଳର ନିମ୍ନେ ନୀଳୋତ୍ପଳନିଭ ବିଶାଳ ନେତ୍ର ଯୁଗଳ ବାରେ ବାରେ କଟାକ୍ଷ ନିକ୍ଷେପ କରି ଦର୍ଶକର ଅନ୍ତରତମ ପ୍ରଦେଶ ପର୍ଯ୍ୟନ୍ତ ବିଲୋଡ଼ିତ କରୁଥିଲା । ଚକ୍ଷୁର ଏକ ସ୍ନିଗ୍‌ଧ ଜ୍ୟୋତି ପ୍ରକାଶ ପାଇଥିଲା । ପଦ୍ମମାଳୀର ସୁନ୍ଦର ଲଲାଟ, ବିଶାଳ ନେତ୍ର, ଋଜୁନାସିକା, ବିମ୍ୱାଧରୋଷ୍ଠ, ହାସ୍ୟକାଳେ ଚାରୁତରଙ୍ଗାୟିତ କପୋଳ ଓ ସୁସ୍ପଷ୍ଟ ମୁଖାକୃତି ଗ୍ରୀକ୍‌ଦେଶୀୟ ଶିଳ୍ପକାରର ରମଣୀ ସୌନ୍ଦର୍ଯ୍ୟର ଆଦର୍ଶ ହୋଇପାରେ । ଆବାଲ୍ୟ-ସଂପଦ-ସମୃଦ୍ଧ ପିତାଙ୍କର ଏକମାତ୍ର ଅପତ୍ୟ ଥିବାରୁ ଅତିଯତ୍ନରେ ପାଳିତା ପଦ୍ମମାଳୀର ମୁଖରୁ ବାଲ୍ୟଚାପଲ୍ୟ ଅପନୋଦିତ ହୋଇ ନଥିଲା । ଏ ଚପଳତା ତାହାର କମନୀୟ ମୁଖକୁ ଅଧିକତର ଚିତ୍ତହର କରିଥିଲା । ପଦ୍ମମାଳୀର ଚତୁରସ୍ରଶୋଭିତା ଅଙ୍ଗ ସୌଷ୍ଠବ ସଂଯୁକ୍ତ (ଅଙ୍ଗଯଷ୍ଟି କାମସ୍ୟ ପୁଷ୍ପବ୍ୟତିରିକ୍ତମସ୍ତ୍ରଂ) ହୋଇଥିଲା । (ପୃ ୫-୬)

 

ପଦ୍ମମାଳୀରେ ଆମେ କେବଳ ବହୁସମାସଯୁକ୍ତ ତତ୍‌ସମ ଶବ୍ଦର ବହୁଳ ପ୍ରୟୋଗ ଦେଖୁ ନାହିଁ, ଅନେକ ସମୟରେ ସଂସ୍କୃତ ସାହିତ୍ୟରୁ ଉଦ୍ଧୃତିର ଯଥେଚ୍ଛା ବ୍ୟବହାର ମଧ୍ୟ ଦେଖୁ । ଏହା ବ୍ୟତୀତ ଲେଖକ ନିଜେ ବଙ୍ଗୀୟ ପରିବାର ସନ୍ତାନ ହୋଇଥିବାରୁ ଅନେକ ସମୟରେ ତାଙ୍କ ପଦଯୋଜନା ମଧ୍ୟରେ ତାଙ୍କ ଇଚ୍ଛା ବା ଅନିଚ୍ଛା କ୍ରମେ ସମସାମୟିକ ବଂଗୀୟ ଗଦ୍ୟରଚନାର ପ୍ରଭାବ ରହିଛି ଯଥା-‘ତୁଳିକାଙ୍କିତର ନ୍ୟାୟ’ ‘ବାରେ ବାରେ’ ହାସ୍ୟକାଳେ’ ଇତ୍ୟାଦି ।

 

ଅବଶ୍ୟ ଲେଖକ ସାଧାରଣ ଚରିତ୍ରମାନଙ୍କର କଥୋପକଥନରେ ଅଧିକ ସଂଯତ ହୋଇଛନ୍ତି ଏବଂ ଲୌକିକ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଯତ୍ନବାନ ହୋଇଛନ୍ତି; ଯେପରି-

 

‘‘ତାକୁ ଫିଟାଇଦେଲା କିଏ ?’’

‘‘ଆଉ କିଏ, ଗୁଣବନ୍ତ ବଳବନ୍ତରା ।’’

 

‘‘ସେ ପୋଡ଼ାମୁହାଁଟା କାହିଁକି ଫିଟେଇ ଦେଲା ?’’

‘‘ଯେପରି ଫିଟାଇଦେଲା ସେପରି ଫଳ ପାଇଲା ।’’

‘‘ସେ କି ଫଳ ପାଇଲା ?’’

 

‘‘ଦୁର୍ଯ୍ୟୋଧନ ଫିଟିଲା କ୍ଷଣି (କ୍ରୋଧରେ ତ ଜ୍ଞାନଶୂନ୍ୟ ହୋଇଥିଲା, ବଳବନ୍ତରା ପିଠିକି ଦୁଇ ବିଧା ମାଇଲା ।-‘‘ଖୁବ୍‌ ହୋଇଛି ।’’

 

‘‘ହଁ ତୁ ଏକା ଏସବୁ କଥା କାହାକୁ କହିବୁ ନାହିଁ ।’’

 

ପଦ୍ମମାଳୀର ଅନେକ ସ୍ଥଳରେ କଥୋପକଥନର ଭାଷାରେ ଏପରି ନାଟକୀୟ ସଂଳାପଧର୍ମିତା ଅନେକ ।

 

ପଦ୍ମମାଳୀ ରଚନା ପୂର୍ବରୁ ରାଧାନାଥ ରାୟ ‘ଇତାଲୀୟ ଯୁବା’ ଓ ମଧୁସୂଦନ ରାଓ ‘ପ୍ରଣୟର ଅଦ୍ଭୁତ ପରିଣାମ’ ନାମରେ ପାଶ୍ଚାତ୍ୟ ବିଷୟବସ୍ତୁ ଅବଲମ୍ୱିତ ଦୁଇଟି କ୍ଷୁଦ୍ର ଉପନ୍ୟାସ ରଚନା କରିଥିଲେ । ରାଧାନାଥଙ୍କ ଜୀବନୀକାର ଶ୍ରୀ ଦୁର୍ଗାଚରଣ ରାୟ ଉତ୍କଳଦର୍ପଣରେ ପ୍ରକାଶିତ ‘ଇତାଲୀୟ ଯୁବା’ (୧୮୭୩)କୁ ‘କ୍ଷୁଦ୍ର ଉପନ୍ୟାସ’ ବୋଲି ଉଲ୍ଲେଖ କରିଥିବାବେଳେ (ରାଧାନାଥ ଜୀବନୀ ପୃ-୪୮) ଡା : ନଟବର ସାମନ୍ତରାୟ ଏହାକୁ ଓ ‘ପ୍ରଣୟର ଅଦ୍ଭୁତ ପରିଣାମ’କୁ ‘ଯଥାର୍ଥତଃ କ୍ଷୁଦ୍ରଗଳ୍ପ’ ବୋଲି କହିଛନ୍ତି (ଓଡ଼ିଆ ସାହିତ୍ୟର ଇତିହାସ ୨ୟ ସଂସ୍କରଣ ପୃ-୫୨୧) । ସେ ଯାହାହେଉ ବିଷୟବସ୍ତୁର ବ୍ୟାପକତା ଓ ଚରିତ୍ର ଚିତ୍ରଣର ବିଭିନ୍ନତା ଦୃଷ୍ଟିରୁ ଏ ଦୁଇଟି ଲେଖାରେ ଯେ ଉପନ୍ୟାସର ସ୍ପଷ୍ଟ ସଙ୍କେତ ରହିଛି ଏହା ନିଶ୍ଚିତଭାବରେ ଜଣାପଡ଼େ । ଅବଶ୍ୟ ରାଧାନାଥ ପ୍ରଧାନତଃ କବି ଥିବାରୁ ତାଙ୍କର ଏହି ଆଦ୍ୟତମ ଗଦ୍ୟ ରଚନାକୁ ସେତେ ସାବଲୀଳ କରିପାରିନାହାନ୍ତି । ତାହା ସେ ସମୟର କଥିତ ଭାଷା ନୁହେଁ କି ସୁଖପାଠ୍ୟ ନୁହେଁ । ଯଥା-‘‘ଅନନ୍ତର ଦିନକରେ ଆମ୍ଭର କୌଣସି ଧନୀ ବନ୍ଧୁ ଆମ୍ଭମାନଙ୍କୁ ନିମନ୍ତ୍ରିଲେ । ଆମ୍ଭେ ନିରୂପିତ ସମୟରେ ତାଙ୍କ ଘରେ ପ୍ରବେଶ ହେଲୁଁ । ସେଠାରେ ବଡ଼ ଗହଳ ହୋଇଥିଲା । ନିମନ୍ତ୍ରିତ ବ୍ୟକ୍ତିମାନେ ମଉଜରେ ବସି ଗୀତ ଗାଉଥିଲେ । ପ୍ରଶଂସିତ ଯୁବାଙ୍କୁ ସୁଦ୍ଧା ସେଠାରେ ଦେଖିଲୁ ।’’

 

ଏହାପରେ ଓ ପଦ୍ମମାଳୀ ରଚନା ପୂର୍ବରୁ ପୂର୍ଣ୍ଣାଙ୍ଗ ଉପନ୍ୟାସ ରଚନା ଦିଗରେ ଆଉ କେତୋଟି ଅସଫଳ ପ୍ରଚେଷ୍ଟା ମଧ୍ୟ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ‘ଉତ୍କଳମଧୁପ’ରେ ପ୍ରକାଶିତ ରାମଶଙ୍କର ରାୟଙ୍କ ‘ସୌଦାମିନୀ’ ଓ ୧୮୮୫ରେ ‘ପ୍ରଦୀପ’ରେ ପ୍ରକାଶିତ ‘ଅନାଥିନୀ’ ଅନ୍ୟତମ-। ସେହି ପତ୍ରିକା ଦୁଇଟି ବନ୍ଦ ହୋଇଯିବାରୁ ଉପନ୍ୟାସ ଦୁଇଟି ମଧ୍ୟ ଅସମ୍ପୂର୍ଣ୍ଣ ରହିଗଲା । ଏ ଦୁଇଟିର ଭାଷା ପଦ୍ମମାଳୀର ଭାଷାଠାରୁ ବିଶେଷ ପୃଥକ ନୁହେଁ ।

 

ରାମଶଙ୍କର ରାୟଙ୍କର ଦ୍ୱିତୀୟ ଉପନ୍ୟାସ ‘ବିବାସିନୀ’ ୧୮୯୧ରେ ପୂର୍ଣ୍ଣାଙ୍ଗରୂପେ ‘ଉତ୍କଳପ୍ରଭା’ରେ ପ୍ରକାଶିତ ହେଲା । ବିଷୟ ଓ ଭାଷାରେ ତାହା ଅଧିକ ମାର୍ଜିତ କିନ୍ତୁ ସେ ସମୟର ଅଧିକାଂଶ ରଚନା ପରି ଏହାର ଭାଷା ଅତ୍ୟନ୍ତ କରୁଣାଜର୍ଜର ଓ କିଞ୍ଚିତ ଦରବାରୀ ।

 

୧୯୦୮ରେ କଟକର ଏଡୱାଡ ପ୍ରେସ୍‌ରୁ ପ୍ରକାଶ ପାଇଥିଲା ଓଡ଼ିଶାର ଆଉଖଣ୍ଡିଏ ପ୍ରାମାଣିକ ଉପନ୍ୟାସ ‘ଭୀମାଭୂୟାଁ’ । ଦେଶପ୍ରାଣ ମଧୁସୂଦନଙ୍କ ଅନୁଜ ଗୋପାଳବଲ୍ଲଭଙ୍କ ଏହି ଉପନ୍ୟାସରେ ଅନେକ କିଛି ନୂତନତା ପ୍ରତିଫଳିତ । ପ୍ରଥମତଃ ଅଧିରେ ଅଧିକତର ବାସ୍ତବ ସାମାଜିକ ଚିତ୍ର ମିଳେ । ଦ୍ୱିତୀୟତଃ ଓଡ଼ିଶାର ଆଦିବାସୀ ଜୀବନ ଉପରେ ଉପନ୍ୟାସ ରଚନାର ଏହା ପ୍ରଥମ ପ୍ରଚେଷ୍ଟା । ତୃତୀୟତଃ ଏହାର ଭାଷା ଅଧିକତର ଲୌକିକ ଓ ସର୍ବଜନବୋଧ୍ୟ । ଏହାର ଭାଷା ଓ ପ୍ରକାଶଭଙ୍ଗୀକୁ ପ୍ରଶଂସା କରି ଭକ୍ତକବି ମଧୁସୂଦନ ଲେଖିଛନ୍ତି-

 

“X X the pure and elegant diction redolent of the homely sweetness of Oriya undefiled as also the dignity of classical speech and above all the supremely wise spirit of reverence and clarity with which the book is deeply impregnated make it out as the best of all romances yet written in Oriya’’ (ପୁସ୍ତକର ମୁଖବନ୍ଧ) ।’’

 

ଉପନ୍ୟାସର ସାର୍ବକାଳୀନ ଆବେଦନ ସମ୍ପର୍କରେ ଶ୍ରୀମତୀ ସରଳାଦେବୀଙ୍କ ମତାମତ ମଧ୍ୟ ଉଲ୍ଲେଖଯୋଗ୍ୟ- ‘‘X X ସେ ଯୁଗରେ ଉପନ୍ୟାସ ରଚିତ ହୋଇଥିଲେ ବି ଭାବାଦର୍ଶ, ଭାଷା ଓ ବିଷୟ ଇତ୍ୟାଦିରେ ଏ ଯୁଗର ଜାତୀୟଜୀବନରେ ଆଦିବାସୀ ପ୍ରଥାର ମେଳ ରହିଥିବାରୁ ବହିଟି ଦେଶକାଳପାତ୍ରର ସୀମିତ ଆବେଷ୍ଟନୀ ନିଗଡ଼ରେ ବନ୍ଧା ନହୋଇ ତା’ର ସୀମା ଛାଡ଼ି ଦିଆଯାଇଛି ବୋଲି ଏହାର ମୂଲ୍ୟ ଓଡ଼ିଆ ସାହିତ୍ୟରେ ଚିରନ୍ତନର ସ୍ୱାକ୍ଷରିକା ରଖିଦେଇଛି । (୭-୭-୬୪ ମୁଦ୍ରଣର ମୁଖବନ୍ଧ) ।

 

ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଔପନ୍ୟାସିକ ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏହାକୁ ଏକ ସାର୍ଥକ ଉପନ୍ୟାସରୂପେ ଉଲ୍ଲେଖ କରି କହିଛନ୍ତି-‘‘ଗଦ୍ୟକାବ୍ୟ ରୂପେ ଉପନ୍ୟାସ ସୁବିଦିତ । ‘ଭୀମାଭୂୟାଁ’ ଉପନ୍ୟାସଟି ଏହି କଥାକୁ ତାହାର ଭାଷାରେ, ବର୍ଣ୍ଣନାରେ ଚରିତ୍ର ଚିତ୍ରଣରେ ସାର୍ଥକ କରିଛି । ଏହାକୁ ଓଡ଼ିଆ ସାହିତ୍ୟର ‘କାଦମ୍ୱରୀ’ ଆଖ୍ୟା ଦେଲେ ଅଯଥା ହେବନାହିଁ ବୋଲି ମନେହୁଏ । (୧୯୬୪ ସଂସ୍କରଣର ମୁଖବନ୍ଧ)

 

ଉପରୋକ୍ତ ମତାମତା ସମୂହର ଦୃଷ୍ଟିକୋଣରୁ ଏହି ଉପନ୍ୟାସରେ ବ୍ୟବହୃତ ଭାଷାର କିଞ୍ଚିତ ବିଶ୍ଳେଷଣ କରାଯାଇପାରେ । ପ୍ରକୃତି ବର୍ଣ୍ଣନାରେ ଲେଖକ କହିଛନ୍ତି-‘‘ମଗୁଶିରର ଶିରଶିରିଆ, ପୁଷରେ ଭୁଷ୍‌ଭିଷିଆ ଶୀତ ହେଲେ ବି ନିର୍ବାଣୋନ୍ମୁଖ ପ୍ରଦୀପ, ଆହତ ମୁମୁର୍ଷୁ ବ୍ୟାଘ୍ର ଭଲ୍ଲୁକଙ୍କ ପରି ମାଘରେ ଶୀତର ବଡ଼ ରାଗ ବୋଲି ଜଣାଶୁଣା । ମାଘ ଗଲାଣି, ତଥାପି ରାଗଦାଗ ଯାଇନାହିଁ । ଅରୁଣଦେବ ଅଗ୍ନିକୋଣରୁ ଅପସରିବା ଆରମ୍ଭ କଲେଣି; କିନ୍ତୁ ଉଷାଦେବୀ କୁଜ୍‌ଝଟି ଓଢ଼ଣା ଅନ୍ତର କରିନାହାନ୍ତି ।’’

 

ଏ ଭାଷାରେ ମଝିରେ ମଝିରେ ଉତ୍‌ସମଶବ୍ଦାବଳୀର ରୁଚିପୂର୍ଣ୍ଣ ବ୍ୟବହାର ଦେଖାଯାଏ କିନ୍ତୁ ସନ୍ଧିସମାସର ଆଡ଼ମ୍ବର ନାହିଁ । ‘ଶିରଶିରିଆ’, ‘ଭୁଷଭୁଷିଆ’ ପ୍ରଭୃତି ଗ୍ରାମ୍ୟପଦାବଳି ମଧ୍ୟ ବର୍ଣ୍ଣନୀୟ ବିଷୟର ଜାଙ୍ଗଳିକ ପରିବେଶକୁ ଖାପ ଖାଇଲାପରି ପ୍ରଯୁକ୍ତ । ଲେଖକ ସରକାରୀ କର୍ମଚାରୀ ରୂପେ ବିଭିନ୍ନ ଗଡ଼ଜାତ, ବିଶେଷକରି କେନ୍ଦୁଝର ରାଜ୍ୟର ଭୂୟାଁପାଢ଼ ଅଞ୍ଚଳ ବୁଲି ସେଠାରେ ଜନସାଧାରଣଙ୍କ ଭାଷା, ବିଶେଷକରି ରାଜଦରବାରର ପରିବେଶ ମଧ୍ୟରେ ବ୍ୟବହୃତ ଭାଷାକୁ ଅନୁଧ୍ୟାନ କରିଛନ୍ତି । ଏହା ତାଙ୍କର ବିଭିନ୍ନ ଚରିତ୍ରମାନଙ୍କର କଥୋପକଥନରେ ବ୍ୟବହୃତ-

 

ରାଜା-‘‘କିରେ ଭୀମା ଏକି ? ଏହି ବୁଢ଼ା ତ ଆମ୍ଭଙ୍କୁ ଭଲ କରିଅଛି । ୟାକୁ ତୁ ଆଣିଥିଲୁ ଖୁଣ୍ଟିଆ ଏକି କହୁଛି ?’’

 

ଭୀମା-‘‘ମଣିମା ଛାମୁରୁ ଯେ ଆଜ୍ଞା ଦେଇଛନ୍ତି ସେ ସତ, ଖୁଣ୍ଟିଆ ଯାହା କହୁଛନ୍ତି ତାହା ସତ’’ ।

 

ଅନ୍ୟାନ୍ୟ ଚରିତ୍ରମାନଙ୍କ କଥାବାର୍ତ୍ତା ଭିତରେ ମଧ୍ୟ ସମ୍ପୂର୍ଣ୍ଣ ପଲ୍ଲୀଭାଷା ଦ୍ରଷ୍ଟବ୍ୟ ।

 

ତିଳ-‘‘ହଁ ତମକୁ କହିବାକୁ ହେଉଛି, ଟୋକଳୀଟା କଥା କିଛି ଜଣାଯାଉନାହିଁ । କାହା ମନକୁ କିପରି ଆସିଲା ବୁଝିପାରୁନାହିଁ । ସେଇଥିପାଇଁ କୁଆଡ଼ୁ କିଛି କରିପାରୁନାହିଁ ।’’

 

ସାଧୁ-‘‘ଦିନ ଯାଉଛି ନା ଆସୁଛି ? ଆଉ କେତେକାଳ ଏହିପରି ବସିଥିବ ?’’

 

ତିଳ-ମନେକରିବ ନାହିଁ ଯେ ମୁଁ ଆଖିବୁଜି ବସିଛି । ତେମେ ବି ତ ସବୁ କଥା ଜାଣ, ତେମେ କି ମନେକରୁଛ କହିଲ ?

 

ସାଧୁ-ତମ ଝିଅ ଆମ ପୁଅ ଦୁହିଁଙ୍କ ମନ ନେଲାପରି ଦେଖାଯାଉଛି । ଆଉ ସେ ତାଙ୍କ ମନକୁ ଆସିଲାପରି ଜଣାଯାଉଛି । ତେବେ କାହାକୁ କରିବା ତାହାର ଇଚ୍ଛା ଜଣାପଡ଼ୁନାହିଁ ।’’

 

୧୮୯୭ରୁ ୧୯୧୫ ମଧ୍ୟରେ ଫକୀରମୋହନଙ୍କର ଚାରୋଟି ଉପନ୍ୟାସ ପ୍ରକାଶ ପାଇଯିବା ପରେ ଓଡ଼ିଆ ଉପନ୍ୟାସ ଉଆସର ସିଂହଦ୍ୱାର ଖୋଲିଗଲା । ତାଙ୍କର ପ୍ରଥମ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ (୧୮୯୭) ହିଁ ତାଙ୍କୁ ଔପନ୍ୟାସିକର ସର୍ବଶ୍ରେଷ୍ଠ ସମ୍ମାନ ଦେଇଛି । ସମସାମୟିକ ଅନ୍ୟାନ୍ୟ ଉପନ୍ୟାସମାନଙ୍କଠାରୁ ଫକୀରମୋହନଙ୍କ ଏହି ଉପନ୍ୟାସର ବହୁ ମୌଳିକ ପାର୍ଥକ୍ୟ ରହିଛି । ସେ ପାର୍ଥକ୍ୟ ପୁଣି ଅଧିକାଂଶତଃ ଏହାର ଭାଷାରେ ପରିଦୃଷ୍ଟ ହୁଏ । ପ୍ରଥମତଃ ଏହାର ଭାଷା ତତ୍‌ସମ ଶବ୍ଦାବଳୀରଞ୍ଜିତ ଭାଷାରୁ ପ୍ରାୟଶଃ ମୁକ୍ତ । ଦ୍ୱିତୀୟତଃ ଉତ୍ତର ବାଲେଶ୍ୱର ଅଞ୍ଚଳର ଆଞ୍ଚଳିକ ବୋଲିରେ ଏହା ବହୁଭାବରେ ପ୍ରଭାବିତ । ବାଲେଶ୍ଵରରେ ମୁସଲମାନ ଶାସନର ପ୍ରଭାବ ବହୁଭାବରେ ପଡ଼ିଥିବାରୁ ଏହି ଅଞ୍ଚଳର କଥିତ ଭାଷାରେ ଯାବନିକ ପ୍ରଭାବ ଅନେକ ବେଶି । ଫକୀରମୋହନ ନିଜେ ବାଲେଶ୍ୱରବାସୀ । କିଶୋର ବୟସରେ ଅଝାଲ ସିଲେଇ ନିମକ ମାହାଲରେ କାମକରିବା ଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଭିନ୍ନ ରାଜା ଜମିଦାରଙ୍କ ଦେବାନରୂପେ କାମ କରିବା ଫଳରେ ଉର୍ଦ୍ଦୁ, ପାର୍ଶୀ ପ୍ରଭାବାଧୀନ କୋଟକଚିରି ଭାଷାର ଘନିଷ୍ଠ ସମ୍ପର୍କରେ ଆସିଥିଲେ । ତେଣୁ ‘ଛମାଣ ଆଠଗୁଣ୍ଠ’ ଓ ତାଙ୍କର ଅନ୍ୟାନ୍ୟ ଉପନ୍ୟାସରେ ସେହି ଶବ୍ଦାବଳୀର ପ୍ରଚୁର ବ୍ୟବହାର ଦେଖିବାକୁ ମିଳେ । ବିଭିନ୍ନ ସାମାଜିକ ସମସ୍ୟାକୁ ଉପନ୍ୟାସର ଭାଷାରେ ରୂପଦେବାପାଇଁ ଫକୀରମୋହନ ହିଁ ପ୍ରଥମ ସଫଳ ପ୍ରଚେଷ୍ଟା କରିଛନ୍ତି । ଓଡ଼ିଆ ଗ୍ରାମ୍ୟସମାଜକୁ ସେ ଗଭୀର ଭାବରେ ଅଧ୍ୟୟନ କରିଥିଲେ । ସେଥିପାଇଁ ତାଙ୍କର ସାମାଜିକ ଉପନ୍ୟାସଗୁଡ଼ିକ କାଳଜୟୀ । ଏକମାତ୍ର ଐତିହାସିକ ଉପନ୍ୟାସ ‘ଲଛମା’ ଚରିତ୍ର ଚିତ୍ରଣ, ବିଷୟ ପରିବେଷଣ ବା ଭାଷା ଦୃଷ୍ଟିରୁ ଏତେ ସଫଳ ହୋଇପାରିନାହିଁ ।

 

ପୂର୍ବ ସୂରୀମାନଙ୍କଠାରୁ ଫକୀରମୋହନଙ୍କ ଭାଷାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ବ୍ୟଙ୍ଗାତ୍ମକ ଶୈଳୀ । ତାଙ୍କର ପ୍ରାୟ ସମସ୍ତ ଉପନ୍ୟାସ ଦୁଃଖାନ୍ତକ ହେଲେହେଁ ବର୍ଣ୍ଣନାର ଭାଷା ହାସ୍ୟବ୍ୟଙ୍ଗରେ ଉଜ୍ଜ୍ୱଳ ଓ ଆନନ୍ଦଦାୟକ । ତାଙ୍କର ବର୍ଣ୍ଣନାର ଭାଷା ଏତେ ପ୍ରାଞ୍ଜଳ ଓ ବାସ୍ତବମୁଖୀ ଯେ ‘ଛମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜଙ୍କ ବିଚାର ପରିଚ୍ଛେଦଟି ପତ୍ରିକାରେ ପ୍ରକାଶ ପାଉଥିବାବେଳେ ଅନେକ ପାଠକ ତାହାକୁ ସତ୍ୟ ଘଟଣା ମନେକରି ମଫସଲରୁ କଟକ କଚେରୀକୁ ତାହା ଦେଖିବାକୁ ଆସିଥିଲେ ।

 

ବର୍ଣ୍ଣନା ଓ ଚରିତ୍ର ଚିତ୍ରଣ ସମୟରେ ପ୍ରସିଦ୍ଧ ଶ୍ଳୋକ ବା କବିତାର ପ୍ୟାରୋଡ଼ି କିମ୍ବା ଅବାସ୍ତବ ଅର୍ଥକରଣ ଫକୀରମୋହନଙ୍କ ଅନ୍ୟ ଏକ ବୈଶିଷ୍ଟ୍ୟ ଏବଂ ତାଙ୍କ ଭାଷାରେ ଚମତ୍କାରିତା ପ୍ରଦାନରେ ସାହାଯ୍ୟକାରୀ । ଗ୍ରାମଦେବୀଙ୍କ ବର୍ଣ୍ଣନାରେ : ‘ମୃତ୍ତିକାଶ୍ୱଗଜାରୁଢ଼ା ବନ୍ଧ୍ୟାୟା ପୁତ୍ର ଦାୟିନୀ’; ଚମ୍ପା ରୂପ ବର୍ଣ୍ଣନାରେ : ‘‘କଜ୍ଜ୍ୱଳପୂରିତ ଲୋଚନଭାଲେ, ଗୁଣ୍ଡିମିଶା ଖିଲି ଗୁଞ୍ଜିତଗାଲେ’’ କିମ୍ବା ମଙ୍ଗରାଜଙ୍କ ସନ୍ତାନ ସ୍ନେହକୁ ବ୍ୟଙ୍ଗକରି ତାଙ୍କ ତୁଣ୍ଡରେ ‘‘ଲାଳୟେତ ପଞ୍ଚବର୍ଷାଣି, ଦଶବର୍ଷାଣି ତାଡ଼ୟେତ୍‌’ ଶ୍ଳୋକର ଅଦ୍ଭୁତ ଅର୍ଥାନ୍ତରୀକରଣରେ ଏହି ବୈଶିଷ୍ଟ୍ୟ ପ୍ରତିଫଳିତ ।

 

ଫକୀରମୋହନଙ୍କ ଉପନ୍ୟାସ ରଚନା ଶେଷ ହେବାବେଳକୁ ଓଡ଼ିଆ ସାହିତ୍ୟ ରାଜ୍ୟରେ ସତ୍ୟବାଦୀ ଗୋଷ୍ଠୀର ରାଜତ୍ୱ ଆରମ୍ଭ ହୋଇଯାଇଥିଲା । ଏହି ଗୋଷ୍ଠୀରେ ଗୋଦାବରୀଶ ମିଶ୍ର ହିଁ ଐତିହାସିକ ପ୍ରସିଦ୍ଧିଲାଭ କରିଥିଲେ । ଗୋଦାବରୀଶ ଥିଲେ ପ୍ରଧାନତଃ କବି । ସମାଜ ମଧ୍ୟରୁ ଉପନ୍ୟାସର ମୌଳିକ ବିଷୟବସ୍ତୁ ସୃଷ୍ଟି କରିବାପାଇଁ ସେ ଚେଷ୍ଟାକରିନାହାନ୍ତି । କବି ରାଧାନାଥ ତାଙ୍କ କାବ୍ୟମାନଙ୍କରେ ଅନୁସରଣ କରିଥିବା ପନ୍ଥାପରି ସେ ନିଜ ଉପନ୍ୟାସର ବିଷୟବସ୍ତୁ ସବୁ ପାଶ୍ଚାତ୍ୟ ସାହିତ୍ୟରୁ ଆହରଣ କରି ସେ ସବୁର ଉତ୍କଳୀକରଣ କରିଛନ୍ତି । ଅଭାଗିନୀ, ୧୮୧୭, ଘଟାନ୍ତର ପ୍ରଭୃତି ଉପନ୍ୟାସ ସବୁ ଏହି ଶ୍ରେଣୀୟ ରଚନା । ମୂଳ ପାଶ୍ଚାତ୍ୟ ଉପନ୍ୟାସମାନଙ୍କରେ ଥିବା ଉତ୍‌କଣ୍ଠା, ଚାରିତ୍ରିକ ବୈଶିଷ୍ଟ୍ୟ ଓ ମନସ୍ତାତ୍ତ୍ୱିକ ବୈଶିଷ୍ଟ୍ୟକୁ ଅବିକଳ ଭାବରେ ନିଜ ଉପନ୍ୟାସମାନଙ୍କରେ ପ୍ରୟୋଗ କରିବା ପାଇଁ ସେ ଭାଷା ଓ ପ୍ରକାଶଭଙ୍ଗୀର ଖୁବ୍‌ ସଞ୍ଜତ ପ୍ରୟୋଗ କରିଛନ୍ତି । ଫକୀରମୋହନଙ୍କ ପରି ତାଙ୍କ ଭାଷା ବ୍ୟଙ୍ଗାତ୍ମକ ନୁହେଁ କିନ୍ତୁ ଗମ୍ଭୀର ଓ କବିସୁଲଭ ଭାବପ୍ରବଣତାରେ ଭରପୁର । ତାଙ୍କ ଭାଷାରେ ଶବ୍ଦାଡ଼ମ୍ବର ନାହିଁ କିନ୍ତୁ ଆଭିଜାତ୍ୟ ଅଛି । ପାଠକ ପ୍ରାଣକୁ ଛୁଇଁଲା ପରି ଉପାଦାନ ଅଛି ।

 

ଏ ଶତାବ୍ଦୀର ଦ୍ୱିତୀୟ ଓ ତୃତୀୟ ଦଶକରେ ଓଡ଼ିଶାରେ ଅନେକ ଉପନ୍ୟାସ ରଚନାର ଚେଷ୍ଟା କରାଯାଇଛି । ଅଧିକାଂଶର ବିଷୟ ପ୍ରେମ ଓ ସମାଜ ସଂସ୍କାର । ଏହି ସମୟରେ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଓଡ଼ିଶାରେ ଜନଆନ୍ଦୋଳନ ଚାଲିଥିଲା । ତେଣୁ ଏ ସମୟର ଉପନ୍ୟାସର ଭାଷାରେ ଜାତୀୟତା ବିଶେଷକରି ଉତ୍କଳ ପ୍ରୀତିର ଅନେକ ପ୍ରଭାବ ରହିଛି ।

 

ଏହି ସମୟରେ ଅନେକ ଲେଖକ ନିଜ ନିଜର କ୍ଷୁଦ୍ର ପ୍ରୟାସ ମଧ୍ୟରେ ଔପନ୍ୟାସିକ ଭାଷାର ଏକ ନୂତନ ଦିଗନ୍ତ ଖୋଲିଲେ । ଏହି ଭାଷାର ପାରମ୍ପରିକ ବାକ୍ୟବିନ୍ୟାସ ଓ ତତ୍‌ସମ ଶବ୍ଦାଧିକ୍ୟ ପରିବର୍ତ୍ତେ ଓଡ଼ିଆ ଲୋକଭାଷାର ବୈଶିଷ୍ଟ୍ୟ ପରିଦୃଷ୍ଟ ହେଲା । ୧୯୨୭ରେ ପ୍ରକାଶିତ ଖଣ୍ଡେ କ୍ଷୁଦ୍ର ଉପନ୍ୟାସର ମୁଖବନ୍ଧରେ ପ୍ରସିଦ୍ଧ ପ୍ରାବନ୍ଧିକ ଓ ଅଭିଧାନକାର ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ଲେଖିଛନ୍ତି, ‘‘ବନମାଳୀ ବାୟା’ (ଲେ: ଶ୍ରୀ ହରେକୃଷ୍ଣ ମହାନ୍ତି) ପୁସ୍ତକ ଖଣ୍ଡି ଆଜିକାଲି ଓଡ଼ିଆ ଘରର ଦୈନନ୍ଦିନ ସାମାଜିକ ଚିତ୍ରରେ ପୂର୍ଣ୍ଣ । ଓଡ଼ିଆ ଘରୁଆ, ଓଡ଼ିଆ ହାକିମ, ଓଡ଼ିଆ ଚାକରଙ୍କ ନିତ୍ୟ ପ୍ରତ୍ୟକ୍ଷ ଅନୁଭବ ଓ ଗୁଡ଼ିଏ ସତ୍ୟ ଘରୋଇ ଭାଷାରେ ଏଥିରେ ଚିତ୍ରିତ ହୋଇଅଛି-। ପୁସ୍ତକଟି ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଓଡ଼ିଆ ବିଶିଷ୍ଟ ବାକ୍ୟ (Idiom)ରେ ପୂର୍ଣ୍ଣ ।’’

 

ତୃତୀୟ ଦଶକରେ ସବୁଜ ସାହିତ୍ୟିକ ଗୋଷ୍ଠୀ ମଧ୍ୟରେ ଏକମାତ୍ର ସଫଳ ଔପନ୍ୟାସିକ ଥିଲେ କାଳିନ୍ଦୀଚରଣ ପାଣିଗ୍ରାହୀ । ତାଙ୍କର ସମସ୍ତ ଚରିତ୍ର ଥିଲେ ପଲ୍ଲୀବାସୀ ଏବଂ ଭାଷା ଥିଲା ପଲ୍ଲୀଜନୋଚିତ । ତାଙ୍କର ପ୍ରସିଦ୍ଧ ଉପନ୍ୟାସ ମାଟିର ମଣିଷ ଓ ପରବର୍ତ୍ତୀ ସମୟରେ ରଚିତ ‘ଲୁହାର ମଣିଷ’ରେ ଏହି ସଫଳତା ଦୃଷ୍ଟ । ବନ୍ୟା, ମହାମାରୀ ଓ ମରୁଡ଼ି ଓଡ଼ିଶାର ଥିଲା ଚିରନ୍ତନ ସମସ୍ୟା । କାଳିନ୍ଦୀଚରଣ ତାଙ୍କର ‘ମୁକ୍ତାଗଡ଼ର କ୍ଷୁଧା’ ଓ ‘ଅମରଚିତା’ ଉପନ୍ୟାସରେ ପ୍ରଥମକରି ଏ ସବୁ ସମସ୍ୟାର ଚିତ୍ର ଅଙ୍କନ କରି ଏକ ନୂତନ ଦିଗ ଦେଖାଇଛନ୍ତି । ଏହି ସବୁ ବର୍ଣ୍ଣନା ଓ ଦରିଦ୍ର ନିପୀଡ଼ିତ ଜନତା ପ୍ରତି ସହାନୁଭୂତିଶୀଳତା ତାଙ୍କ ଉପନ୍ୟାସ ଭାଷାକୁ ଅନେକ ସ୍ଥଳରେ କରୁଣାସିକ୍ତ କରିଛି ।

 

ସ୍ୱାଧୀନତାର ଅବ୍ୟବହିତ ପରେ ପ୍ରକାଶିତ ଦୁଇଟି ଉଲ୍ଲେଖଯୋଗ୍ୟ ଉପନ୍ୟାସ ହେଉଛି ଫତୁରାନନ୍ଦଙ୍କ ‘ନାକଟା ଚିତ୍ରକର’ ଓ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘କଣାମାମୁ’ ଉଭୟଙ୍କର ବର୍ଣ୍ଣନାଭଙ୍ଗୀ ଓ ଚରିତ୍ର ଚିତ୍ରଣ ବ୍ୟଙ୍ଗାତ୍ମକ ଏବଂ ଏ କ୍ଷେତ୍ରରେ ଉଭୟଙ୍କ ଉପରେ ଫକୀରମୋହନଙ୍କ ପରୋକ୍ଷ ପ୍ରଭାବ ପଡ଼ିଛି । ପୁଣି ଉଭୟଙ୍କ ଭାଷାରେ ଅଛି ଆଞ୍ଚଳିକ ଲୋକବାଣୀର ବହୁଳ ପ୍ରଭାବ । ଲକ୍ଷ୍ମୀକାନ୍ତଙ୍କ ଗଦ୍ୟଭାଷା ଉପରେ ଭଦ୍ରକ ଅଞ୍ଚଳର ଉର୍ଦ୍ଦୁ ମିଶ୍ରିତ ଖୋଲ୍‌ଟିର ପ୍ରଭାବ ଦେଖାଯାଉଥିବା ବେଳେ ଫତୁରାନନ୍ଦଙ୍କ ଲେଖାରେ କଟକ ସହରର ବସ୍ତି ଭାଷାର ପ୍ରୟୋଗ ଦେଖାଯାଏ ।

 

‘କଣାମାମୁ’ରେ ଜଣେ ଓଡ଼ିଶାବାସୀ ମୁସଲମାନ ବୃଦ୍ଧଙ୍କ ଉକ୍ତି ମଧ୍ୟରୁ ଲକ୍ଷ୍ମୀକାନ୍ତଙ୍କ ଆଞ୍ଚଳିକ ଭାଷା ପ୍ରୟୋଗର ସୂଚନା ମିଳେ-‘‘କଥା ହେଲାକି, ମହାଦେବ ଚିଲମ ନପାଇ ବହୁତ ହୟରାନ୍‌, ପରେଶାନ ହୋଇଗଲା । ପାରବତୀ ଘରମେ ନଥିଲା । ଥିଲେ ଗଞ୍ଜାବାଟି ଭାଙ୍ଗ୍‌ ବନାଇ ଦେଇଥାଆନ୍ତା । ମହାଦେବ ଚାଲିଗଲା ଏକଦମ୍‌ ଜଙ୍ଗଲକୋ । ସେଠି ଏକ ଖଜୁରଝାଡ଼୍‌ ଦେଖିଲା-।’’ ‘କଣାମାମୁ’ର ଅଧିକାଂଶ ସ୍ଥଳରେ ଏଇ ଧରଣର ଭାଷାବିନ୍ୟାସ ସାଙ୍ଗକୁ କାହାଣୀ କହିବାର ଶୈଳୀ ପାଠକକୁ ଏକ ନୂତନ ରୁଚିର ସ୍ୱାଦ ଦିଏ ।

 

ଲକ୍ଷ୍ମୀକାନ୍ତଙ୍କ ପରି ଫତୁରାନନ୍ଦଙ୍କ ଭାଷାରେ କାହାଣୀ କହିବାର ଭଙ୍ଗୀନାହିଁ, କିନ୍ତୁ ସମଗ୍ର ‘ନାକଟା ଚିତ୍ରକର’ଟି ଅନେକଗୁଡ଼ିଏ ଘଟଣାର କ୍ରମରେ ସଜ୍ଜିତ । ଏଥିରେ ମଧ୍ୟ ଅନେକଗୁଡ଼ିଏ କଥୋପକଥନ ରହିଛି ଏବଂ ଏହି କଥୋପକଥନର ଭାଷା ଅନେକସ୍ଥଳରେ ଖାଣ୍ଟି କଟକୀ । ଯଥା-‘‘ହଁ ଠିକ୍‌ ବୁଦ୍ଧିଟାଏ ବତେଇଲୁ । ସେ ଟୋକୀଟା ଯଦି ହାବୁଡ଼େ ଦିନେ ପଡ଼ିବ ପଟାଏ ହଲାପଟା କରିଦେବି । ଆଚ୍ଛା ଅଜବ ଟୋକୀ । ଶଳା ଆମେ ସାହିରେ ଏତେ ଲୋକ ଅଛୁ, କେହି ପସନ୍ଦ ହେଲେନାହିଁ । ଶଳା ହେଲା ସେ ନାକ୍‌ଟା ! ଆଃ କି ବଢ଼ିଆ ଟୋକୀଟାଏ, ମଖନପରି ହୋଇଥିବ । ନା, କୋଉ କଦରରେ ହେଲେ ତା ଦିହରେ ଶଳାକୁ ହାତ୍‌ ଲଗେଇବି । ଶଳା ବିମଳବାବୁ ତ ସାଙ୍ଗରେ ଅଛି । ପରବାଏ କଣ ?’’

 

ସ୍ୱାଧୀନତା ପୂର୍ବରୁ ଲେଖନୀଚାଳନା ଆରମ୍ଭକରି ସ୍ୱାଧୀନତା ପରେ ନିଜର ଉନ୍ନତ ପ୍ରତିଭା ପ୍ରତିଷ୍ଠା କରିପାରିଥିବା ଔପନ୍ୟାସିକ ହେଲେ କାହ୍ନୁଚରଣ, ଗୋପୀନାଥ ଓ ସୁରେନ୍ଦ୍ର ମହାନ୍ତି । କାହ୍ନୁଚରଣଙ୍କ ଉପନ୍ୟାସଗୁଡ଼ିକ ସମସାମୟିକ ସମାଜର ସାଧାରଣ ଜନତାକୁ ଉପଜୀବ୍ୟ କରି ରଚିତ ହୋଇଥିବାବେଳେ ଗୋପୀନାଥଙ୍କ ଚରିତ୍ରାବଳି ପ୍ରଧାନତଃ ଆଦିବାସୀ ଓ ହରିଜନ ଶ୍ରେଣୀର-। କାହ୍ନୁଚରଣଙ୍କ ବର୍ଣ୍ଣନାରେ ପ୍ରାକ୍‌ସ୍ୱାଧୀନତାକାଳ ଓଡ଼ିଶାର ମରୁଡ଼ି, ଦୁର୍ଭିକ୍ଷ ଓ ସ୍ୱାଧୀନତା ପରବର୍ତ୍ତୀ ଜାତିଗତ ସମସ୍ୟା, ସାମାଜିକ ସଂସ୍କାର, ଆର୍ଥନୀତିକ ସଂସ୍କାରର ଚିତ୍ର ଦେଖିବାକୁ ମିଳେ । କାହ୍ନୁଚରଣଙ୍କ ବର୍ଣ୍ଣନାରେ ଚରିତ୍ରଗୁଡ଼ିକର ସାମାଜିକ ସ୍ଥିତି ଚିତ୍ରଣ ଅଧିକ କିନ୍ତୁ ଗୋପୀନାଥ ତାଙ୍କ ବର୍ଣ୍ଣନାରେ ପ୍ରକୃତି ଓ ଚରିତ୍ରର ଅଭ୍ୟନ୍ତରର ବିଶ୍ଳେଷଣ ଉପରେ ଅଧିକ ଜୋର ଦେଇଛନ୍ତି । ତାଙ୍କର ‘ପରଜା’, ‘ଅମୃତର ସନ୍ତାନ’, ‘ଦାଦିବୁଢ଼ା’, ‘ମାଟିମଟାଳ’, ବା ‘ଲୟବିଲୟ’ରେ ଏଇ ଧରଣର ଟିକିନିଖି ଓ ଗୋଟିଏ ବିଷୟର ବାରମ୍ବାର ବର୍ଣ୍ଣନା ବେଳେବେଳେ ସାଧାରଣ ପାଠକକୁ ବିରକ୍ତିକର ବୋଧହେଲେହଁ ତାହାହିଁ ଲେଖକଙ୍କର ବିଶ୍ଳେଷଣାତ୍ମକ ବର୍ଣ୍ଣନାର ବୈଶିଷ୍ଟ୍ୟ ।

 

‘ପରକୀୟା’ ‘ଭୁଲ କାହାର’ ପ୍ରଭୃତି କାହ୍ନୁଚରଣଙ୍କର କେତୋଟି ସମ୍ପୂର୍ଣ୍ଣ ପ୍ରେମମୂଳକ ସାମାଜିକ ଆଦ୍ୟ ଉପନ୍ୟାସରେ ଭାଷା ସରଳ ଓ ଗ୍ରାମ୍ୟ, କିନ୍ତୁ ଗୋଦାବରୀଶ ମିଶ୍ର ଓ ଗୋଦାବରୀଶ ମହାପାତ୍ରଙ୍କ ପରି ତାଙ୍କର କେତୋଟି ଉପନ୍ୟାସରେ ପାଶ୍ଚାତ୍ୟ ଉପନ୍ୟାସର ପ୍ରଭାବ ପଡ଼ିଛି । ‘Count of Monteeristo’ର ଅବଲମ୍ବନରେ ରଚିତ ‘ବାଲିରାଜା’ ବା Pearl’s Buckଙ୍କ ‘Pavilion of Women’ର ଅବଲମ୍ବନରେ ରଚିତ ‘କା’ ଉପନ୍ୟାସର ଭାଷା ଓ ବର୍ଣ୍ଣନାଭଙ୍ଗୀରେ ମୂଳ ଉପନ୍ୟାସର କେତେକ ପ୍ରଭାବ ରହିଯିବା ସ୍ୱାଭାବିକ ଓ ରହିଛି ମଧ୍ୟ-

 

ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସମାନଙ୍କରେ ଇତିହାସର ଏକ ବିସ୍ତୃତ ଓ ବିବର୍ଣ୍ଣ କ୍ୟାନଭାସ ଉପରେ ସ୍ୱକୀୟ କବିସୁଲଭ କଳ୍ପନାର ତୁଳିକାରେ ଉତ୍କଣ୍ଠା, ପ୍ରେମ, ଭାବାବେଗ, ଜାତୀୟତା ପ୍ରଭୃତି ବିବିଧ ରଙ୍ଗରଞ୍ଜିତ କରିବା ଅପୂର୍ବ ସର୍ଥକତା ହାସଲ କରାଯାଇଛି । ତାଙ୍କ ବର୍ଣ୍ଣନାର ଭାଷା ବୁଦ୍ଧିଜୀବୀ ଓ ସାଧାରଣ ପାଠକ ସମସ୍ତଙ୍କ ପ୍ରାଣକୁ ସ୍ପର୍ଶ କରିଥାଏ । ‘ଅନ୍ଧଦିଗନ୍ତ’ ‘ନୀଳଶୈଳ’, ‘ଶତାବ୍ଦୀର ସୂର୍ଯ୍ୟ’ ପ୍ରଭୃତିରେ ତାଙ୍କର ଏଇ ଲିଖନଶୈଳୀ ସୁନ୍ଦର ଭାବରେ ପ୍ରକଟିତ । ତାଙ୍କର କେତେକ ଗଳ୍ପ ଉପନ୍ୟାସରେ ବୌଦ୍ଧଯୁଗୀୟ ଚିତ୍ର ଦେବାକୁ ଯାଇ ସେ ସେହି ସମୟର ଭାଷା ଓ ନାମକରଣ ପ୍ରଭୃତି ପ୍ରୟୋଗକରି ପାଠକକୁ ସେଇ ଯୁଗକୁ ନେଇଯିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେ ଉଦ୍ୟମରେ ସେତେ ସଫଳ ହୋଇପାରି ନାହାନ୍ତି ବୋଲି ମନେହୁଏ ।

 

ସ୍ୱାଧୀନତା ପୂର୍ବରୁ ସ୍ୱାଧୀନତା ସଂଗ୍ରାମର ଝଡ଼ଝଞ୍ଜା ମଧ୍ୟରେ ଯେଉଁମାନେ ଲେଖନୀ ଚାଳନା ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ନାୟକ, ଉପେନ୍ଦ୍ର କିଶୋର ଦାସ ପ୍ରଭୃତି ପ୍ରଧାନ । ଲକ୍ଷ୍ମୀଧରଙ୍କ ଲେଖାଗୁଡ଼ିକରେ ପ୍ରେମ, ସମାଜ ସଂସ୍କାର ଓ ଜାତୀୟତାର ବିବିଧ ସ୍ପର୍ଶ ଥିଲେ ମଧ୍ୟ ପ୍ରେମ ବା ନାରୀ ପୁରୁଷ ସମ୍ପର୍କଜନିତ ସମସ୍ୟା ତାଙ୍କ ବର୍ଣ୍ଣନାରେ ଅଧିକ ପ୍ରତିଫଳିତ । ସେ ବର୍ଣ୍ଣନାର ଭାଷା ଜନତାର ଭାଷା । ବୌଦ୍ଧିକତାର ସ୍ଥାନ ସେଠି ନାହିଁ । ସେଥିପାଇଁ କୌଣସି ଚେଷ୍ଟା ବି ସେ କରିନାହାନ୍ତି । ତେବେ ବୟସର ବୃଦ୍ଧି ସଙ୍ଗେସଙ୍ଗେ ତାଙ୍କ ଉପନ୍ୟାସର ଭାଷା ଓ ବିଷୟବସ୍ତୁରେ କିଛି ପରିବର୍ତ୍ତନ ଘଟିଛି । ତାଙ୍କ ଆଦ୍ୟ ଯୌବନର ଭାଷା ‘ଭୁଲିଲ ସତେ ସଖୀ’, ‘ଚରିତ୍ରହୀନାର ଚିଠି’, ‘ସେଇ ସୁନ୍ଦରୀ ତରୁଣୀ’, ‘ଆସିବ କେବେ ପ୍ରିୟ’, ‘ଧରାଛୁଆଁର ବାହାରେ’ ପ୍ରଭୃତି ଉପନ୍ୟାସର ଭାଷା ଓ ବର୍ଣ୍ଣନାଭଙ୍ଗୀ ସହ ପରବର୍ତ୍ତୀ ପରିଣତ ବୟସର ଉପନ୍ୟାସ ‘‘ନଟୀ ସୁନୟନା’’, ନାୟିକା ବଧୂ, ‘ବେଳାଭୂମିର ଅନୁରାଧା’ ପ୍ରଭୃତିକୁ ତୁଳନା କଲେ ଏହି ପାର୍ଥକ୍ୟ ବେଶ୍‌ ବାରିହୁଏ ।

 

ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସରେ କିନ୍ତୁ ତାଙ୍କର ଗଭୀର ଜୀବନାନୁଭୂତି ପ୍ରତିଫଳିତ-। ବାଲ୍ୟବୟସରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଓ ବହୁବର୍ଷ କାରାଦଣ୍ଡ ଭୋଗକରି ସେ ରାଜନୀତି ସହ ଯେତିକିଭାବରେ ସଂପୃକ୍ତ, ଭଦ୍ରକ ଅଞ୍ଚଳର ଏକ ଅଭିଜାତ ପରିବାରର ଦାୟାଦରୂପେ ଓ ବହୁବର୍ଷ ଧରି ‘ଡଗର’ ପତ୍ରିକାର ସୁଯୋଗ୍ୟ ସମ୍ପାଦକ ରୂପେ ଓଡ଼ିଶାର ସାଂସ୍କୃତିକ ଜୀବନ ସହ ଯେତିକି ସଂପୃକ୍ତ, ଜଣେ ଦୀକ୍ଷାଧାରୀ ବୈଷ୍ଣବରୂପେ ଓଡ଼ିଶାର ଧାର୍ମିକ ଓ ଆଧ୍ୟାତ୍ମିକ ଜୀବନ ସହ ସେତିକି ସଂପୃକ୍ତ ଥିଲେ । ସାହିତ୍ୟର ପ୍ରାୟ ସବୁ ବିଭାଗରେ ସେ ଲେଖନୀ ଚାଳନା କରିଥିଲେ ମଧ୍ୟ ଉପନ୍ୟାସ ରଚନାରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଆଦ୍ୟ ଉପନ୍ୟାସ ‘ଭୁଲ’ ବା ‘ଜୀଅନ୍ତା ମଣିଷ’ରେ ଭାଷାର ଗାମ୍ଭୀର୍ଯ୍ୟ ସାଙ୍ଗକୁ ପରମ୍ପରାକୁ ଛିନ୍ନକରି ମୌଳିକ ଚିନ୍ତାର ବହୁ ଚିତ୍ରଣ ଦେଖାଯାଏ-‘‘ମଣିଷ ଗୋଟାଏ ମୂକ ଠାକୁର ଥାପନା କରି, ଗୋଟାଏ ଅରୂପ ଭଗବାନର କଳ୍ପନା କରି ପୂଜାକରେ । ସମ୍ପଦରେ ବିପଦରେ ତା’ରି ମୁଣ୍ଡରେ ସବୁ ଗଡ଼େଇଦେବା ପାଇଁ ମଣିଷର ସେଇ ଭରସା, ସେଇ ବିଶ୍ୱାସଟିକକ ନଥାଏ । -ଯେଉଁ ଠାକୁର ଦୁଃଖକୁ ରୋକିପାରିଲାନାହିଁ, ସେଇ ଠାକୁର ପୁଣି ଦୁଃଖରେ ପଡ଼ି ସାରିଲେ ସେଥିରୁ ଉଦ୍ଧରିବା ପାଇଁ ବାଟ କହିଦେବ ?’’ (ଜିଅନ୍ତା ମଣିଷ)

 

ତାଙ୍କର ତରୁଣ ବୟସର ରଚନାରେ ପ୍ରେମ ଓ ବ୍ୟକ୍ତିଗତ ମଣିଷର ସମସ୍ୟା ରୂପ ପାଇଥିବା ବେଳେ, ମଧ୍ୟ ବୟସର ଲେଖାରେ ବାମପନ୍ଥୀ ଚିନ୍ତାଧାରା, ସମାଜ ସଂସ୍କାର ଓ ସ୍ୱାଧୀନତା ସଂଗ୍ରାମର ଚିତ୍ର ଅଙ୍କିତ ହୋଇଛି (ହିଡ଼ମାଟି ଭଙ୍ଗାହାଡ଼, ଜଳନ୍ତାନିଆଁ) କିନ୍ତୁ ପରିଣତ ବୟସରେ ତାଙ୍କ ଉପନ୍ୟାସର ଭାଷାରେ ଦୁଇଟି ପରିବର୍ତ୍ତନ ପାଠକ ଲକ୍ଷ୍ୟ କରିପାରେ । ପ୍ରଥମଟି ହେଉଛି ଛୋଟ ବାକ୍ୟ ଓ ସରଳ ପଦବିନ୍ୟାସ ମଧ୍ୟରେ ପାଠକର ମନୋରାଜ୍ୟର ଗଭୀରତମ ପ୍ରଦେଶରେ ପ୍ରବେଶ କରିବାର ଚେଷ୍ଟା-‘‘ଏଇ ମଣିଷ, ଏଇମିତି ମଣିଷ । ଯିଏ ଛୁଆଙ୍କ ଭଳି କାନ୍ଦିପାରେ, ଆଉ ଦରକାର ବେଳେ ନିଜକୁ ସମ୍ଭାଳି ନେଇ ବଡ଼ଙ୍କ ଭଳି ଟାଣ ହୋଇଯାଏ । ସେ ବି ଏଇ ମଣିଷ । ତାଙ୍କୁ ସବୁ ମୂର୍ଖ ବୋଲି କହନ୍ତି ବାବୁଭୟାମାନେ’’ (ହିଡ଼ମାଟି) । ସମସାମୟିକ ଉପନ୍ୟାସର ଭାଷାଠାରୁ ଏହାର ସ୍ୱାତନ୍ତ୍ର୍ୟ ଲକ୍ଷଣୀୟ ।

 

ତାଙ୍କ ଭାଷାର ଦ୍ୱିତୀୟ ବିଶେଷତ୍ୱଟି ହେଉଛି ଆଧ୍ୟାତ୍ମିକ ଚିନ୍ତନର ଭାବପ୍ରବଣ ବିହ୍ୱଳ ପରିପ୍ରକାଶ । ଏହି ପରିବର୍ତ୍ତନ ତାଙ୍କର ପରିଣତ ବୟସର ଉପନ୍ୟାସମାନଙ୍କରେ ଅଧିକ ପ୍ରକଟିତ । ଏଥିରେ ମଧ୍ୟ ଛୋଟ ଛୋଟ ବାକ୍ୟ ଓ ସରଳ ପଦବିନ୍ୟାସ କିନ୍ତୁ ଆଧ୍ୟାତ୍ମ୍ୟ ଭାବରେ ଗମ୍ଭୀର-‘‘ବିଷ୍ଣୁପ୍ରିୟା ଓ ଶ୍ରୀଗୌରାଙ୍ଗ, ଅବର୍ଣ୍ଣନୀୟ ରୂପ ଉଭୟଙ୍କର । ବିଷ୍ଣୁପ୍ରିୟାଙ୍କର ଶ୍ରୀଗୌରାଙ୍ଗ ! ଶ୍ରୀ ଗୌରାଙ୍ଗଙ୍କର ବିଷ୍ଣୁପ୍ରିୟା । ସାଧ୍ୟମତେ ପ୍ରସାଧନ ସୁସମ୍ପନ୍ନ । ସୋହାଗିନୀ ବିଷ୍ଣୁପ୍ରିୟା । ଶ୍ରୀ ଗୌରାଙ୍ଗଙ୍କର ସାଧ୍ୟମତେ ସଜାଇଛନ୍ତି ନିଜକୁ । ଏଣେ ବିଷ୍ଣୁପ୍ରିୟାଙ୍କର ଭାବଅନୁରୂପ ବିଭୂଷଣରେ ସୁଶୋଭିତ ଶ୍ରୀଗୌରାଙ୍ଗ । ପ୍ରିୟା ଅଙ୍ଗରେ ପ୍ରିୟର ଛଟା । ପ୍ରିୟ ଅଙ୍ଗରେ ପ୍ରିୟାର ଲାବଣ୍ୟ’’ (ନାହଂ ତିଷ୍ଠାମି ବୈକୁଣ୍ଠେ. ପୃ ୧୩୭)

 

ନିତ୍ୟାନନ୍ଦଙ୍କ ସମସାମୟିକ ଆଉ ଜଣେ ସଫଳ ଔପନ୍ୟାସିକ ହେଉଛନ୍ତି ଶ୍ରୀ ରାଜକିଶୋର ପଟ୍ଟନାୟକ । ନିତ୍ୟାନନ୍ଦଙ୍କ ପରି ତାଙ୍କର ଉପନ୍ୟାସମାନଙ୍କରେ ମଧ୍ୟ ଗଭୀର ମନସ୍ତାତ୍ତ୍ୱିକ ଅଧ୍ୟୟନ ଦେଖାଯାଏ । ‘ସିନ୍ଦୂର ଗାର’, ‘କଜଳ ଗାର’ ‘ପଞ୍ଜୁରୀ ପକ୍ଷୀ’ ଓ ‘ତୁଠ ପଥର’ ପ୍ରଭୃତି ତାଙ୍କର ରଚନାରେ ନିତ୍ୟାନନ୍ଦୀୟ ପଦ ସାରଲ୍ୟ ଥିଲେ ମଧ୍ୟ ତାଙ୍କର ପରବର୍ତ୍ତୀ ଲେଖାଗୁଡ଼ିକର ଭାଷା ବ୍ୟକ୍ତି ଓ ସମାଜ ପ୍ରତି ବିଦ୍ରୋହର ସ୍ୱରରେ ଭାରାକ୍ରାନ୍ତ ।

 

ସ୍ୱାଧୀନତାର ପ୍ରାୟ ଏକ ଦଶନ୍ଧ ପରେ ଯେଉଁ ତିନିଜଣ ଔପନ୍ୟାସିକ ପ୍ରସିଦ୍ଧିର ପରିସର ମଧ୍ୟକୁ ଆସିଥିଲେ ସେମାନେ ହେଲେ କୃଷ୍ଣ ପ୍ରସାଦ ମିଶ୍ର, ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ରଶେଖର ରଥ । କୃଷ୍ଣ ପ୍ରସାଦଙ୍କ ‘ସିଂହ କଟି’ ଓ ‘ମୃଗ ତୃଷ୍ଣା’ ପ୍ରଭୃତି ଉପନ୍ୟାସର ଭାଷାରେ ଶୃଙ୍ଗାର ଚେତନା ଅଧିକ । ତାଙ୍କର ବାକ୍ୟଗୁଡ଼ିକ କ୍ଷୁଦ୍ର ଓ ଶବ୍ଦ ସଜ୍ଜା ଅନେକ ସ୍ଥଳରେ କାବ୍ୟଧର୍ମୀ-

 

‘‘ଆମକୁ କେହି ଦେଖି ପାରୁ ନାହାନ୍ତି

ଅର୍ଥ ରଖି ସ୍ନିଗ୍‌ଧ ହସ ହସ, ପଥର ଉପରେ ସୁକେଶୀ ବସି ପଡ଼ିଲେ

ନର ଓ ନାରୀ

ଆଦିମ ସଂକେତ

ଶିହରଣ (ସିଂହ କଟି)

 

ଚନ୍ଦ୍ରଶେଖର ରଥଙ୍କ ‘ଯନ୍ତ୍ରାରୁଢ଼’ ଓ ‘ଅସୂର୍ଯ୍ୟ ଉପନିବେଶ’ କିମ୍ବା ଶାନ୍ତନୁ କୁମାରଙ୍କ ‘ନର କିନ୍ନର’ ‘ଶତାବ୍ଦୀର ନଚିକେତା’ ପ୍ରଭୃତିରେ ବୌଦ୍ଧିକ ବର୍ଣ୍ଣନାଶୈଳୀ ଓ ଭାଷା-ବିନ୍ୟାସ କୌଶଳ ମଧ୍ୟରେ ସମାଜର ବହୁ ବାସ୍ତବ ଓ କଳ୍ପିତ ସମସ୍ୟାବଳୀର ବିଶ୍ଳେଷଣ କରିବାର ଚେଷ୍ଟା ହୋଇଛି । ଏ ତିନି ଜଣଯାକ ଲେଖକ ହେଉଛନ୍ତି ପ୍ରବୀଣ ଅଧ୍ୟାପକ ଏବଂ ପାଶ୍ଚାତ୍ୟ ଲିଖନରୀତି ଓ ପାଶ୍ଚାତ୍ୟ ଦର୍ଶନ ଏବଂ ଚିନ୍ତାଧାରା ସହିତ ଘନିଷ୍ଠ ଭାବରେ ପରିଚିତ । ସେ ସବୁର ପ୍ରଭାବ ଏମାନଙ୍କ ଲେଖାରେ ପ୍ରତିଫଳିତ ହେବା ସ୍ୱାଭାବିକ । ଠିକ୍‌ ସେହି ଗୋଷ୍ଠୀର ଏବଂ ସେହି ଶୈଳୀର ଅନ୍ୟ ଏକ ଉପନ୍ୟାସ ହେଉଛି ମହାପାତ୍ର ନୀଳମଣି ସାହୁଙ୍କ ‘ତାମସୀ ରାଧା’ ।
 

ଉପରୋକ୍ତ ଶୈଳୀକୁ ଅନୁସରଣ କରୁଥିବା ଅନେକ ଔପନ୍ୟାସିକ ଏବେ ନିଜର ବହୁ ସଂଖ୍ୟକ ଲେଖା ମାଧ୍ୟମରେ ଲୋକପ୍ରିୟ ହେଲେଣି । ସେମାନେ ହେଲେ ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ଯଦୁନାଥ ଦାଶ ମହାପାତ୍ର, ଗାୟତ୍ରି ବସୁମଲ୍ଲିକ, ଗୋବିନ୍ଦ ଦାସ, ବୀଣାପାଣି ମହାନ୍ତି, ବିଜୟିନୀ ଦାସ, ସାତକଡ଼ି ହୋତା ଓ ଅନ୍ୟ ଅନେକ ।

ବିଜ୍ଞାନ ଓ ସମାଜର ବିଶେଷ ଧରଣର ସମସ୍ୟା ଉପରେ ପରୀକ୍ଷାମୂଳକ ଉପନ୍ୟାସମାନ ବିଗତ ଦୁଇ ଦଶନ୍ଧି ହେବ ଓଡ଼ିଶାର ପାଠକ ମନକୁ ଆକର୍ଷିତ କରୁଛି ‘ପୃଥିବୀ ବାହାରେ ମଣିଷ’, ‘ଚନ୍ଦ୍ରର ମୃତ୍ୟୁ’, ‘କୃତ୍ରିମ ଉପଗ୍ରହ’, ‘ମୃତ୍ୟୁ ଏକ ମାତୃତ୍ୱର’ ପ୍ରଭୃତି ଗୋକୁଳାନନ୍ଦ ମହାପାତ୍ରଙ୍କ ବୈଜ୍ଞାନିକ ରୋମାଞ୍ଚକର ଉପନ୍ୟାସମାନଙ୍କରେ ଭାଷାରେ ମୌଳିକତା ନଥାଇ ପାରେ, କିନ୍ତୁ ବର୍ଣ୍ଣନା ଭଙ୍ଗୀରେ ଲୋମହର୍ଷକ ଉତ୍କଣ୍ଠା ରହିଛି ।

ଅପରାଧ ଓ ଅପରାଧୀମାନଙ୍କ ସମ୍ପର୍କରେ ବହୁ କାଳରୁ ବହୁ ଉପନ୍ୟାସ ଓଡ଼ିଆରେ ଲେଖା ହେଲାଣି । ଗୋବିନ୍ଦ ତ୍ରିପାଠୀଙ୍କ ‘ଚତୁର ଗଦାଧର’ ଠାରୁ ଆରମ୍ଭ କରି ରବିନ୍‌ ସିରିଜ, ଲାଲ ସିରିଜ ମଧ୍ୟଦେଇ ‘ଡାକୁ ରାଣୀ ଫୁଲନ ବାଈ’ ପର୍ଯ୍ୟନ୍ତ ଲେଖକମାନେ ରହସ୍ୟମୟ ବର୍ଣ୍ଣନା ଓ ରୋମାଞ୍ଚକର ଭାଷା ମଧ୍ୟରେ ଉଦ୍‌ବିଗ୍ନ ପାଠକର ମନକୁ କିଛି ସମୟପାଇଁ ବୁଡ଼ାଇ ରଖିବାରେ ସଫଳ ହୋଇଛନ୍ତି । କିନ୍ତୁ ସାମାଜିକ ଅବସ୍ଥାର ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ସବୁର ଦିନକାଳ ମଧ୍ୟ ସରି ଯାଉଥିବାର ମନେ ହେଉଛି । ଆଜି ଅପରାଧ ଆଉ ବ୍ୟକ୍ତିକୁ ଆଶ୍ରୟ ନ କରି ବିରାଟ ଗୋଷ୍ଠୀ ବା ସମଗ୍ର ସମାଜକୁ ଆକ୍ରାନ୍ତ କରୁଛି । ମହାନଗରୀରେ ଦାଦା ଗୋଷ୍ଠୀଠାରୁ ଆରମ୍ଭ କରି ମାଫିଆ ସଙ୍ଗଠନ, ରାଜନୀତିକ ସନ୍ତ୍ରାସବାଦ ଓ ଉତ୍କଟ ସାଂପ୍ରଦାୟିକତା ଇତ୍ୟାଦି ଭିନ୍ନ ଭିନ୍ନ ସମସ୍ୟାରୂପେ ଆଜି ଅନେକ ଲେଖନୀକୁ ଆକୃଷ୍ଟ କରୁଛି । ଆଧୁନିକ ଓଡ଼ିଶାର ଏଧରଣର ଲେଖକମାନଙ୍କ ମଧ୍ୟରେ ଶ୍ରୀ ଅନାଦି ସାହୁଙ୍କୁ ପ୍ରତିନିଧି ସ୍ଥାନୀୟ ଔପନ୍ୟାସିକ ରୂପେ ଗ୍ରହଣ କରାଯାଇପାରେ । ତାଙ୍କର ‘ମୁଣ୍ଡ ମେଖଳା’, ‘ଶୋଣିତ ଫଲ୍‌ଗୁ’ ଓ ‘ଜଙ୍ଗଲି ସହର’ ପ୍ରଭୃତି ଉପନ୍ୟାସରେ ଲେଖକଙ୍କ ଭାଷା ହୁଏତ ଖୁବ୍‌ ସରଳ ଏବଂ ସାଧାରଣ କିନ୍ତୁ ପ୍ରତ୍ୟେକ ଘଟଣାକୁ ଲେଖକ ଯେପରି ନିରପେକ୍ଷ ଓ ନିର୍ବୈକ୍ତିକ ଭାବରେ ଚିତ୍ରଣ କରିଛନ୍ତି ତାହା ତାଙ୍କର ଭାଷା ଓ ବର୍ଣ୍ଣନାରୀତିକୁ ଏକ ବିଶେଷ ଧରଣର ମୌଳିକତା ପ୍ରଦାନ କରେ । ରାଜନୀତିକ ସନ୍ତ୍ରାସବାଦୀମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସେ ବର୍ଣ୍ଣନା କରିଛନ୍ତି-‘‘ସିଂହର ଗୁମ୍ଫାରୁ ସିଂହଶାବକକୁ ନେଇ ଆସିଥିଲେ ସେମାନେ । ଗୋଟିଏ ଅବହେଳାଗ୍ରସ୍ତ ଅନୁଷ୍ଠାନ ଯାହା ପ୍ରଚଳିତ ସାମାଜିକ ମୂଲ୍ୟବୋଧର ରକ୍ଷକଭାବେ ଦଣ୍ଡାୟମାନ ତାର ମୂଳଦୁଆରେ ପ୍ରଚଣ୍ଡ ଆଘାତ କରିଥିଲେ ଏହି ଉଦୀୟମାନ ତିନି ନକ୍‌ସଲପନ୍ଥୀ । ସେମାନେ ମରଣକୁ ଭ୍ରୁକ୍ଷେପ କରିନଥିଲେ । ଶତ୍ରୁର ବ୍ୟୁହ ଭେଦକରିବା କୌଶଳ ଅକ୍ତିଆର କରିନେଇଥିଲେ । ଖୋଜି ବୁଲିଲେ ଶ୍ରେଣୀ ଶତ୍ରୁ । ଶତ୍ରୁର ଲହୁରେ ଖେଳିଲେ ଖେଳ । ରକ୍ତରଞ୍ଜିତ କରିଦେଲେ ସେମାନଙ୍କ ଘର । ଭୀତତ୍ରସ୍ତ କରିଦେଲେ ସେମାନଙ୍କ ପରିବାର, ସେମାନଙ୍କ ଆତ୍ମୀୟ ସ୍ୱଜନ, ସେମାନଙ୍କ ଆଶ୍ରିତମାନଙ୍କୁ । ପୁଣି ରଣହୁଙ୍କାର ଶୁଣି କେତେଜଣ ପାଖେଇ ଆସିଲେ । ସାହାଯ୍ୟ କଲେ ।’’

ଓଡ଼ିଆ ଉପନ୍ୟାସର ଭାଷାରେ ଏବେ ନୂଆନୂଆ ରଙ୍ଗ ଲାଗୁଚି । ବିଷୟବସ୍ତୁ ଓ ରଚନାର ଟେକ୍‌ନିକ୍‌ ସାଙ୍ଗକୁ ଭାଷା ଓ ବର୍ଣ୍ଣନାଶୈଳୀରେ ମଧ୍ୟ ନୂତନ ପରୀକ୍ଷା ନିରୀକ୍ଷା ଚାଲୁଚି । ଅନ୍ୟ ପ୍ରାନ୍ତ ଓ ଅନ୍ୟ ଦେଶର ଉପନ୍ୟାସ ସବୁର ବହୁଳ ଅନୁବାଦ ହେବା ଫଳରେ ଓଡ଼ିଶାର ନୂତନ ଲେଖକ ଓ ପାଠକ ଉପନ୍ୟାସର ଭାଷା ସମ୍ପର୍କରେ ନବନବ ଦିଗନ୍ତର ସନ୍ଧାନ ପାଉଛନ୍ତି । ଏହାଛଡ଼ା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ଡାଏଲେକଟ୍‌ ବା ଲୋକପ୍ରଚଳିତ ‘ବୋଲି’ରେ ମଧ୍ୟ ଉପନ୍ୟାସ ରଚିତ ହେବା ଆରମ୍ଭ ହେଲାଣି । ପଶ୍ଚିମ ଓଡ଼ିଶାର ‘ବୋଲି’ରେ କେତେକ ଉପନ୍ୟାସ ଏ କ୍ଷେତ୍ରରେ ଅଗ୍ରଦୂତ ରୂପେ ଦେଖାଦେଇଛନ୍ତି । ଏହାଛଡ଼ା ଦକ୍ଷିଣାଞ୍ଚଳ ଓ ବିଭିନ୍ନ ଆଦିବାସୀ ଅଞ୍ଚଳରେ ପ୍ରଚଳିତ ‘ବୋଲି’କୁ ଅବଲମ୍ବନ କରି ଉପନ୍ୟାସମାନ ରଚିତ ହେବା ଉଚିତ । ପରଜାମାନଙ୍କ ଦ୍ୱାରା କଥିତ ଓଡ଼ିଆ ବୋଲି କିଛି ପରିମାଣରେ ନିଜ ଉପନ୍ୟାସ- ମାନଙ୍କରେ ସ୍ଥାନଦେଇ ଗୋପୀନାଥ ମହାନ୍ତି ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ତାହା ପୂର୍ଣ୍ଣାଙ୍ଗ ରୂପ ଲାଭ କରିବା ଉଚିତ । ଏ ସବୁ ଫଳରେ ଓଡ଼ିଶାର ବିଭିନ୍ନ ଉପଭାଷାର ଯେଉଁ ସମ୍ମିଶ୍ରଣ ଓ ଦିଆନିଆ ହେବ ତାହାର ଦୁଇଟି ଉତ୍କୃଷ୍ଟ ଫଳ ମିଳିବ । ଗୋଟିଏ ହେଉଛି ତାହା ଓଡ଼ିଆ ଶବ୍ଦଭଣ୍ଡାର ପ୍ରକାଶଭଙ୍ଗୀକୁ ସମୃଦ୍ଧ କରିବ ଏବଂ ଦ୍ୱିତୀୟଟି ହେଉଛି ତାହା ଓଡ଼ିଆ ଉପନ୍ୟାସକୁ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳର ସାକ୍ଷର ପାଠକ ନିକଟରେ ପହଞ୍ଚାଇ ଦେଇପାରିବ ।

ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କଠାରୁ ଏକବିଂଶ ଶତାବ୍ଦୀକୁ ଆଖିଆଗରେ ରଖି ଲେଖା ଆରମ୍ଭ କରୁଥିବା ଆଜିର ତରୁଣ ଲେଖକ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଶହ ବର୍ଷର ବ୍ୟବଧାନ ମଧ୍ୟରେ ଗଦ୍ୟର, ବିଶେଷକରି ଉପନ୍ୟାସ ଭାଷାର ବହୁ ପରିବର୍ତ୍ତନ ହୋଇଛି ଏବଂ ଆହୁରି ହେବ ମଧ୍ୟ, ତଥାପି ଏ ସମୟର ବ୍ୟବଧାନ କାହାରି ଗୁରତ୍ୱ କମାଇ ଦେଇନାହିଁ । ରୁଦ୍ରସୁଧାନିଧି, ଚତୁରବିନୋଦ, ପଦ୍ମମାଳୀ, ଛ’ମାଣ ଆଠଗୁଣ୍ଠ, ମାଟିର ମଣିଷ ବା ଅସୂର୍ଯ୍ୟ ଉପନିବେଶ ସମସ୍ତେ ନିଜନିଜ ମଧ୍ୟରେ ସମସାମୟିକ ସମାଜ, ଭାଷା, ଚରିତ୍ର ଓ ବର୍ଣ୍ଣନାଶୈଳୀକୁ ବାନ୍ଧି ରଖିଛନ୍ତି । ଭାଷା ବିବର୍ତ୍ତନ ଇତିହାସର ଲମ୍ବା ସରଣୀରେ ସମସ୍ତେ ଗୋଟିଏ ଗୋଟିଏ ଦିଗବାରେଣୀ, ସମସ୍ତେ ଗୋଟିଏ ଗୋଟିଏ କ୍ଳାସିକ୍‌ ।

 

ଓଡ଼ିଆ ବିଭାଗ

ରେଭେନ୍‌ସା କଲେଜ, କଟକ-୩

୨୦-୮-୮୮

***

 

ଉପନ୍ୟାସ ସାହିତ୍ୟ

ଶ୍ରୀ ସୌରୀନ୍ଦ୍ର ବାରିକ

 

‘ନଭେଲ୍‌’ କିମ୍ବା ଉପନ୍ୟାସ କହିଲେ ଆମକୁ ସାହିତ୍ୟର ଏକ ବଳିଷ୍ଠ, ମାତ୍ର ତୁଳନାତ୍ମକ ଭାବରେ ଏକ ତରୁଣ, ବିଭାଗକୁ ହିଁ ବୁଝାଇଥାଏ । ଆମର ଗୋଟିଏ ସାଧାରଣ ଧାରଣା ଯେ ଇଂରାଜୀ ଶବ୍ଦ ‘ନଭେଲ୍‌’ ବୋଧହୁଏ ଫରାସୀ ‘ନଭେଲା’ ଶବ୍ଦରୁ ଆନୀତ । ମାତ୍ର ସାହିତ୍ୟର ଗୋଟିଏ ବିଭାଗ ଭାବରେ ବୋଧହୁଏ ଏହା ‘ନୂତନ’ ଅର୍ଥରୁ ଆନୀତ । ପ୍ରଥମେ ଏହା ଏକ ନୂତନ ସାହିତ୍ୟ ବିଭାଗ, ଏକ ତରୁଣ ପ୍ରକାଶଭଙ୍ଗୀ ଭାବରେ ଇଂରାଜୀରେ ଗୃହୀତ । ଉପନ୍ୟାସ କହିଲେ ଆଜି ଆମେ ସାଧାରଣତଃ ଯାହା ବୁଝୁ ତାହା ଇଂରାଜୀ ସାହିତ୍ୟରେ ସପ୍ତଦଶ ଶତାବ୍ଦୀରେ ହିଁ ରିଚାର୍ଡ଼ସନ୍‌, ଫିଲ୍‌ଡିଂ, ସ୍ମଲେଟ୍‌ ଆଦି ଲେଖକମାନଙ୍କ ପାଖରୁ ହିଁ ଆରମ୍ଭ ହୋଇଥିଲା । ଏହି ଉପନ୍ୟାସର ଆଭିମୁଖ୍ୟ ଥିଲା ବାସ୍ତବବାଦୀ । କାରଣ ଏଗୁଡ଼ିକ ପୂର୍ବର ରୋମାଞ୍ଚଧର୍ମୀ ଲେଖାଗୁଡ଼ିକର ପ୍ରତିବାଦ । ଅନେକ ସମୟରେ ସେଗୁଡ଼ିକୁ ଲାଳିକାର ବିଷୟବସ୍ତୁ କରି ଜନ୍ମ ଗ୍ରହଣ କରିଥିଲା । ଏଗୁଡ଼ିକ ତେଣୁ ‘ରୋମାଞ୍ଚ’ର ପ୍ରତିବାଦ । ଏ ଲେଖାଗୁଡ଼ିକ ଭିତରେ ବିପ୍ଳବର ବୀଜ ଛପି ରହିଥିଲା । ସେ ବିପ୍ଳବଟି ହେଉଛି ଜୀବନକୁ ଦେଖିବାର ପୁଣି ତାକୁ ପ୍ରକାଶ କରିବାର । ଏହି ବୈପ୍ଳବିକ ଦୃଷ୍ଟିକୋଣରୁ ହିଁ ଉପନ୍ୟାସର ଜନ୍ମ । ଏଥିରେ ଜୀବନ ରୂପ ପାଇଲା ଏକ ନୂଆ ରୂପରେ । ଏହି ନୂଆର ଜନ୍ମଲଗ୍ନରେ ଏହା ନଭେଲ୍‌, ଅର୍ଥାତ୍‌ ନୂତନ ଭାବରେ ନାମିତ । ଏହି ନୂଆ ଭାବଟି କ’ଣ ? ଏହା କେମିତି ଉପନ୍ୟାସରେ ରୂପ ନିଏ ? ମୋର ଏହି କ୍ଷୁଦ୍ର ପ୍ରବନ୍ଧଟି ଏହାର ଏକ ସମ୍ୟକ ଉତ୍ତର ।

 

ସାର୍‌ଭେଣ୍ଟିସ୍‌ଙ୍କ ପ୍ରସିଦ୍ଧ ପୁସ୍ତକ ‘ଡନ୍‌କୁଇସୋଟ୍‌’କୁ ବିଚାର କରାଯାଇପାରେ । ଏଥିରେ ନାୟକ ବାସ୍ତବ ଜୀବନରେ ବିଭିନ୍ନ ଘଟଣାର ସମ୍ମୁଖୀନ ହୋଇ ଅସୁବିଧା ଏପରିକି ହାସ୍ୟାସ୍ପଦ ହୋଇଛି । ନାୟକର ବ୍ୟବହାର ତାର ଦୃଷ୍ଟିକୋଣ ଗୋଟିଏ ଦିଗରୁ ବିଚାର କଲେ ସେହି ପାରଂପରିକ ରୋମାନ୍‌ସ୍‌ର ‘ନାଇଟ୍‌’ର ପ୍ରତୀକ । ତାର ସ୍ୱପ୍ନର ଅବାସ୍ତବ ଜଗତ । ଡନ୍‌କୁଇକ୍‌ସଟ୍‌ ଏକ କରୁଣ ଚରିତ୍ର ଯାହା ହାସ୍ୟରସ ସୃଷ୍ଟି କରିଥାଏ । ମାତ୍ର ତାହାର ବ୍ୟବହାର ଭିତରେ ଆମେ ପାଉଁ ଲେଖକଙ୍କର ଦୃଷ୍ଟିକୋଣ । ଡନ୍‌କୁଇକ୍‌ସଟ୍‌ ଏକ ଲାଲିକା । ଲାଳିକା ରୋମାନ୍‌ସ୍‌ର । ଏହି ଦୃଷ୍ଟିକୋଣ ନେଇ ସପ୍ତଦଶ ଶତାବ୍ଦୀର ଇଂରାଜୀ ଔପନ୍ୟାସିକମାନେ ବାସ୍ତବତା ପ୍ରତି ଗୁରୁତ୍ୱ ଦେଲେ । ସମାଜ ଏବଂ ସମାଜର ମଣିଷର ସୁଖ, ଦୁଃଖ ହିଁ ତାଙ୍କ ଲେଖାର ବିଷୟବସ୍ତୁ ହେଲା । ଏହି ବାସ୍ତବମୁଖିତାର ବୀଜ ଆମେ ପାଉଁ ଡନ୍‌କୁଇକ୍‌ସଟ୍‌ରେ ଏବଂ ତାହାର ବୀଜ ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଢ଼ି ଉଠିଥିବା ଇଂରାଜୀ ଉପନ୍ୟାସରେ । ସ୍ମଲେଟ୍‌ଙ୍କ ଭାଷାରେ ଉପନ୍ୟାସ ହେଉଛି ‘‘a large diffused picture, comprehending the characters of life, disposed in different groups and exhibited in various attitudes, for the purposes of a uniform plan.’’ ସ୍ମଲେଟ୍‌ଙ୍କ ଏହି ବର୍ଣ୍ଣନାରେ ଆମେ ପାଉଁ ଉପନ୍ୟାସର ଆଭିମୁଖ୍ୟ । ଏହା ଜୀବନର ବ୍ୟାପକତା ଓ ବିଭିନ୍ନତାକୁ ତାର ବିଷୟବସ୍ତୁ ଭାବରେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଘଟଣା ଓ ଚରିତ୍ରର ବିଭିନ୍ନ ଦିଗକୁ ଏକ ନିର୍ଦ୍ଦିଷ୍ଟ ଛାଞ୍ଚ ଓ ଗଢ଼ଣରେ ପ୍ରକାଶ କରିବାରେ ଆଗ୍ରହୀ । ଏପରି ବର୍ଣ୍ଣନାରେ ଆମେ ପାଉଁ କେତୋଟି ମୌଳିକ ଦୃଷ୍ଟିକୋଣ । ଏପରି ମୌଳିକତା ମିଳିଥାଏ ଜୀବନକୁ ଦେଖିବାର ଢଙ୍ଗଟିରୁ । ଏହି ପରିବର୍ତ୍ତିତ ଢଙ୍ଗଟିରେ ହିଁ ନିହୀତ ଉପନ୍ୟାସର ନିଜସ୍ୱତା, ତାର ନୂତନତା । କଳ୍ପନାର ଶିହରଣ, ରୋମାଞ୍ଚକର ଘଟଣା ପ୍ରବାହ ନୁହେଁ ବାସ୍ତବ ଜୀବନର ଚରିତ୍ରକୁ ହିଁ ବର୍ଣ୍ଣନା କରିବାର ପ୍ରୟାସ । ଏମାନଙ୍କ ପାଖରେ କଳ୍ପନା ଜଗତ ନୁହେଁ, ସାମାଜିକ ଜୀବନର ବାସ୍ତବତା ହିଁ ଉପନ୍ୟାସର କଞ୍ଚାମାଲ । ଏକ ସମୟ ଖଣ୍ଡର ବାସ୍ତବ ଜୀବନର ସତ୍ୟଶୀଳ ରୂପ ହିଁ ସେଦିନର ଉପନ୍ୟାସ । ଏଥିରେ ଲେଖକର ସତ୍ୟଶୀଳତା ତାର ବାସ୍ତବତାବୋଧ ଏବଂ ଅନୁଭୂତିର ସଂଗଠନବୋଧ ଏବଂ ମାଧ୍ୟମର ସଚେତନତା ପାଇଥାଉଁ । ଏହି ପ୍ରସଙ୍ଗରେ ଆମ ମନକୁ ଆଉ ଗୋଟିଏ ଇଂରାଜୀ ଶବ୍ଦ ଆସେ । ତାହା ହେଉଛି ‘‘ଫିକ୍‌ସନ’’ । ଆଜି ଏହା ବଡ଼ ବ୍ୟାପକ ଅର୍ଥରେ ସାହିତ୍ୟରେ ବ୍ୟବହୃତ । ଏହାର ଶାବ୍ଦିକ ଅର୍ଥ ହେଉଛି ଯାହା ସତ୍ୟ ନୁହେଁ । ମାତ୍ର ସାହିତ୍ୟରେ ଏହା କଳ୍ପନା ପ୍ରସୂତ ଲେଖାକୁ ବୁଝାଇଥାଏ । ଇଂରାଜୀ ଫିକ୍‌ସନ୍‌ର ଅର୍ଥ ଅସତ୍ୟ ନୁହେଁ, ସତ୍ୟହୀନତା ନୁହେଁ । ଏହା ଅବାସ୍ତବ ମଧ୍ୟ ନୁହେଁ । ଏହା ବାସ୍ତବତାର ଏକ ସଜ୍ଜୀକରଣ । ବାସ୍ତବତାର ଏକ ବୈକ୍ତିଗତ ନବୀକରଣ । ଏଥିରେ ଉଭୟ କଳ୍ପନା ଏବଂ ଅନୁଭୂତି ଅଙ୍ଗାଙ୍ଗି । ଏହା ମିଥ୍ୟାର ମାୟାବୀ ସତ୍ୟ ରୂପ ନୁହେଁ । କିମ୍ବା ସତ୍ୟର ଅନୁପସ୍ଥିତି ନୁହେଁ । ଏହା ସତ୍ୟର ନାନ୍ଦନିକ ରୂପ ଯାହା ବାସ୍ତବତାକୁ କରେ ଅଧିକ ବାସ୍ତବ, ଅଧିକ ତୀବ୍ର । କଳ୍ପନା ଜରିଆରେ ବାସ୍ତବତାର ଏହି ନାନ୍ଦନିକ ରୂପ ଆଙ୍କିବାହିଁ ଉପନ୍ୟାସ । ଏହାହିଁ ନଭେଲ୍‌, ଫିକ୍‌ସନ୍‌ । ଏହି କଳ୍ପନା, ଏହି ସଜ୍ଜୀକରଣ ପୁଣି ଏହି ବ୍ୟକ୍ତିଗତ ଭଙ୍ଗୀ ଯେଉଁଠି ନାହିଁ ତାହା ସତ୍ୟର ନୁଖୁରା ରୂପ ନନ୍‌ଫିକ୍‌ସନ୍‌ ।

 

ଏହି ପ୍ରସଙ୍ଗରେ ସ୍ମଲେଟ୍‌ଙ୍କ ବର୍ଣ୍ଣନା ପ୍ରଣିଧାନଯୋଗ୍ୟ । ଉପନ୍ୟାସ ହେଉଛି ବିଭିନ୍ନ ଚରିତ୍ର ଏବଂ ଘଟଣା, ଦୁର୍ଘଟଣାକୁ ଧରି ବିଛୁଡ଼ି ହୋଇ ପଡ଼ିଥିବା ଜୀବନର ଗୋଟିଏ ବ୍ୟକ୍ତିଗତ ଛବି ଆଙ୍କିବା, ତାର ଏକ ଆତ୍ମିକ ଧାରଣା ଦେବା । ତେଣୁ ଆମ ମନକୁ ପ୍ରଥମେ ଯେଉଁ ଧାରଣାଟି ଆସିଥାଏ ତାହା ହେଉଛି ଉପନ୍ୟାସ ବାସ୍ତବତାର ରୂପ । ଏହି ବାସ୍ତବତାରେ ଅଛି ଆମ ବାହ୍ୟ ପୃଥିବୀ, ସମାଜ ଓ ମଣିଷ । ଏଥିରେ ପୁଣି ଅଛି ମଣିଷର ବାହ୍ୟ ବ୍ୟବହାର ଏବଂ ତାର ଅନ୍ଧାରି ମନ, ସର୍ବୋପରି ଏକ ଜଟିଳତାବୋଧ, ଏକ ରହସ୍ୟବୋଧ । ଉପନ୍ୟାସ ଏହି ଜୀବନ ରହସ୍ୟର କେବଳ ଛବି ଆଙ୍କିବା ନୁହେଁ; ତାର ଅର୍ଥ ଖୋଜିବା । କଳ୍ପନା ସାହାଯ୍ୟରେ ତାକୁ ନିଜସ୍ୱ ଭାବରେ ରୂପାନ୍ତରିତ କରି ନିଜ ସ୍ୱପ୍ନକୁ ରୂପ ଦେବା । ତେଣୁ ଏହା ବାସ୍ତବତାର କ୍ୟାମେରା ଛବି ନୁହେଁ, ଏଥିରେ କେବଳ ଦର୍ପଣ-ସତ୍ୟ ନାହିଁ । ଏହି ରୂପ ଏବଂ ସତ୍ୟ-ସଚେତନତା ଉପନ୍ୟାସରେ ଆଣିଦିଏ ତାର କଳା ପ୍ରକରଣ । ତାର ଆଙ୍ଗୀକ ଘଟଣା ଏବଂ ଚରିତ୍ରମାନଙ୍କର ବିକାଶଧାରା । କଳା ଭିତରେ ବାସ୍ତବତାର ମୁକୁଳିବାର ପଦ୍ଧତି । ଏଥିପାଇଁ ଦୁଇଟି ବିଷୟର ପ୍ରୟୋଜନ-ଗୋଟିଏ ସଜ୍ଜୀକରଣ, ଅନ୍ୟଟି ଭାଷାର ବ୍ୟବହାର । ଏସବୁର ସମନ୍ୱୟ ହିଁ ଉପନ୍ୟାସ, ଯାହାକୁ ଜୀବନର ଗୋଟିଏ ଟୁକୁରା ଭାବରେ ଗ୍ରହଣ କରାଯାଇପାରେ ।

 

ଏହାହିଁ ଯଦି ହୁଏ ଉପନ୍ୟାସର ରୂପରେଖ, ତେବେ ଏହି ନୂତନ ସୃଷ୍ଟିଟି ପୁରୁଣା ରୋମାନ୍‌ସର କାଳ୍ପନିକ ଜଗତଠାରୁ ଏକ ବୈପ୍ଳବାତ୍ମକ ବିଚ୍ୟୁତି । ଆଉ ଏଥିପାଇଁ ଏହା ନୂତନ । ଏହାର ମାଧ୍ୟମ କବିତା ନୁହେଁ, ଗଦ୍ୟ । ଏହାର ବିଷୟବସ୍ତୁ ସାଧାରଣ ଜୀବନ, ସାଧାରଣ ସାମାଜିକ ଜୀବନ । ତେଣୁ ଏହା ଗୋଟିଏ ଦିଗରୁ ଏକ ସମୟ-ଖଣ୍ଡରେ ମଣିଷର ସାମାଜିକ ଜୀବନର ବିଶ୍ୱସ୍ତ ରେକର୍ଡ । ଏଥିରେ ସାଂପ୍ରତିକ ଜୀବନର ସମସ୍ୟା, ତାର ସୁଖ ଦୁଃଖ ସାଥିରେ ମଣିଷର ଜୀବନ୍ତ ଛବିଟିଏ ଫୁଟି ଉଠେ । ଏହାହିଁ ଉପନ୍ୟାସର ବାସ୍ତବତା । ଏହି ବାସ୍ତବତା ଯୋଗୁଁ ମୁଖ୍ୟତଃ ଏହା ଏକ ମଧ୍ୟବିତ୍ତ ସମାଜର ମାନସିକତାର ସୃଷ୍ଟି । ଏହାର କ୍ୟାନ୍‌ଭାସ୍‌ ଖୁବ୍‌ ବିରାଟ । ଏହି ବିରାଟତା କେବଳ ଦୈର୍ଘ୍ୟ ଆଉ ପ୍ରସ୍ଥ ନୁହେଁ, ଗଭୀରତା ନୁହେଁ । ଏହି ବିରାଟତା ଜୀବନର ପୂର୍ଣ୍ଣତାକୁ ଗ୍ରହଣ କରିବାର ପ୍ରୟାସ । ଏହି ଦୃଷ୍ଟିରୁ ଏହା ବିରାଟ ଜୀବନର ମହାକାବ୍ୟ । ମହାକାବ୍ୟ ତ ଜୀବନର ଜଟିଳତାକୁ ହିଁ ରୂପ ଦେବାର ପ୍ରୟାସୀ । ତେଣୁ କ୍ଷୁଦ୍ରଗଳ୍ପ ପରି ଏହା ଗୀତିଧର୍ମୀ ନୁହେଁ-। ଏହି ନୂତନ କଳାଟି ତାର ଜଗତ ହିସାବରେ ସମସ୍ତ ବାହ୍ୟ ବାସ୍ତବତା ଏବଂ ମନର ଅନ୍ତର୍ଜଗତକୁ ଗ୍ରହଣ କରିଥିବାରୁ ଏହା ଏକ ଦିଗରେ ବର୍ଣ୍ଣନାତ୍ମକ ହେବା ସଙ୍ଗେ ସଙ୍ଗେ ଅନ୍ୟଦିଗରେ ବିଶ୍ଳେଷଣାତ୍ମକ ମଧ୍ୟ ହୋଇଥାଏ । ଫଳରେ ଏହା ହୋଇଯାଇଛି ଆଧୁନିକ ଜଗତର ବିଶ୍ୱସ୍ତତମ ପ୍ରକାଶଭଙ୍ଗୀ । ଏହା ବର୍ଣ୍ଣନାତ୍ମକ । ନାଟକୀୟତା ଏହାର ଏକ ଅଙ୍ଗ ।

 

ତୁଳନାତ୍ମକ ଭାବରେ ତରୁଣ ସାହିତ୍ୟର ଏହି ବିଭାଗଟିକୁ ବିଶ୍ଳେଷଣ କରିବାକୁ ଗଲାବେଳେ ଏ ଯୁଗର ଜଣେ ଶ୍ରେଷ୍ଠ କଳାକାର ହେନେରୀ ଜେମ୍‌ସଙ୍କ କଥା ମନକୁ ଆସେ । ତାଙ୍କ ମତରେ ଉପନ୍ୟାସ ହେଉଛି ସବୁଠାରୁ ସ୍ୱାଧୀନ, ବ୍ୟାପକ ଓ ନମନୀୟ ଏବଂ ସବୁଠାରୁ ବିରାଟ କଳାସୃଷ୍ଟି । ଏହା ସହିତ ପୁଣି ଏହା ସବୁଠାରୁ ଅଧିକ ଜନପ୍ରିୟ । କାରଣ ବାସ୍ତବତାର ଏହି କାଳ୍ପନିକ ସତ୍ୟଶୀଳ ସୃଷ୍ଟିଟି ଦେହରେ ଅସଂଖ୍ୟ ବାତାୟନ, ଯେଉଁ ବାତାୟନ ଭିତରୁ ବାହାରର ବାସ୍ତବତାର ଛବିଳ ରୂପ ଦେଖିହୁଏ । ଏହି ବାତାୟନର ଆକାର ଅନେକ । ଅନେକ ପ୍ରକାରର । କିଏ ବଡ଼, କିଏ ଛୋଟ କିଏ ବା ସାମାନ୍ୟ ଜାଲିକଣାଟିଏ । ମାତ୍ର ସବୁରି ପଛରେ ଠିଆ ହୋଇଥାଏ ଦେଖିବା ଲୋକଟି । ସେଇ ଦେଖିବା ଲୋକଟି ହିଁ ଶିଳ୍ପୀ, ଔପନ୍ୟାସିକ । ଝରକାରେ ଦିଶୁଥିବା ବାହ୍ୟ ପୃଥିବୀ ତାର ବାସ୍ତବତାର କ୍ୟାନ୍‌ଭାସ୍‌ । ଯେଉଁ ଭାବରେ ଦେଖେ ତାହାହିଁ ତାର କଳା । ଏହି କଳାହିଁ ଉପନ୍ୟାସ ।

 

ବାସ୍ତବତାକୁ ଦେଖିବାର ଅନୁଭବ ଆଉ କଳ୍ପନାର ଏହି ଚିତ୍ର ମୁଖ୍ୟତଃ କାହାଣୀଟିଏ କହିଥାଏ । ଅନେକଙ୍କ ପାଖରେ ଏହି କାହାଣୀଟି ଅତି ସାଧାରଣ କାହାଣୀଟିଏ, ସମୟ କଟାଇବାର ଅଳସ ଉପାୟଟିଏ । ବାସ୍‌ ଏତିକି । ମାତ୍ର ଉପନ୍ୟାସ କେବଳ ଏତିକି ନୁହେଁ । ଅତି ସାଧାରଣ କାହାଣୀଟି ଭିତରେ ଏହା ହୁଏତ ମଣିଷ ମନର ସବୁଠାରୁ ଅସାଧାରଣ ଶକ୍ତିଟି ଫୁଟି ଉଠିଥାଏ । ଏହି ଉପନ୍ୟାସରେ ହୁଏତ ଫୁଟି ଉଠେ ରହସ୍ୟମୟୀ ମଣିଷ ମନର ଗଭୀରତମ ଅବବୋଧ । ଏହାରି ଭିତରେ ଝଂକୃତ ହୁଏ ବ୍ୟଙ୍ଗ, ହାସ୍ୟ ଓ କାରୁଣ୍ୟ । ଆଉ ଏହିସବୁ ଫୁଟି ଉଠେ ସବୁଠାରୁ ସୁନ୍ଦର ପୁଣି ବିଶ୍ୱସ୍ତ ଭାଷାରେ । ତେଣୁ ଉପନ୍ୟାସ କଥା ବିଚାର କଲାବେଳେ ଆମ ମନକୁ ତିନୋଟି କଥା ଆସିଥାଏ । ଗୋଟିଏ ବାସ୍ତବତାର ରୂପ, ଦ୍ୱିତୀୟଟି ଔପନ୍ୟାସିକ ଏବଂ ଶେଷରେ ଔପନ୍ୟାସିକର ଦୃଷ୍ଟିକୋଣ ଏବଂ ଭାଷା ଓ ଶୈଳୀ । ଗୋଟିଏ ହେଉଛି ଉପନ୍ୟାସର ବିଷୟବସ୍ତୁ ଅନ୍ୟଟି ତାର ପ୍ରକାଶ ଭଙ୍ଗୀ ବା ଶୈଳୀ । ଏହି ଦୁଇଟିର ସମନ୍ୱୟ ହେଉଛି ଉପନ୍ୟାସର ସତ୍ୟ, ତାର କଳା । ଏହି କଳାର ସଫଳତା ହେଉଛି ଏସବୁ ଏକାକାର ହୋଇଯିବା, ଅର୍ଥାତ୍‌ କହିବା କଥାଟି କହିବା ଢଙ୍ଗ ହୋଇଯାଏ । ଅର୍ଥାତ୍‌ ଶୈଳୀ ଆଉ ବିଷୟବସ୍ତୁ ଅଙ୍ଗାଙ୍ଗୀ ହୋଇଯା’ନ୍ତି । ଶୈଳୀହିଁ ହୋଇଯାଏ ବାସ୍ତବତା । ପ୍ରଥମେ ଏହି କଳା ଚେତନାଟି ନଥିଲା ବୋଲି କେମିତି ଗୋଟିଏ ଭ୍ରମ ଧାରଣା ସୃଷ୍ଟି ହୋଇଛି । ଫଳରେ ଔପନ୍ୟାସିକ କେବଳ ମନୋରଞ୍ଜନର ମାଧ୍ୟମଟିଏ ଓ କାହାଣୀଟିଏ କହି ସବୁ ଭୁଲାଇ ଦିଏ । ଏପରି ଏକ ଧାରଣା ସୃଷ୍ଟି ହୋଇଛି । ମାତ୍ର ଫ୍ଳବେଆର୍‌ଙ୍କ ପାଖରୁ ଏପରି ଭୂମିକାର ପରିବର୍ତ୍ତନ ଆସିଛି ଏବଂ ତାଙ୍କରି ହାତରେ ଉପନ୍ୟାସ ସଚେତନ କଳାରେ ରୂପାନ୍ତରିତ ହୋଇଛି । ମାତ୍ର ଏପରି ଧାରଣା ଠିକ୍‌ ନୁହେଁ । ଉପନ୍ୟାସକୁ ଏକ କଳାର ରୂପାନ୍ତର କରିବା ପାଇଁ ସବୁ କାଳରେ ଔପନ୍ୟାସିକ ସଚେତନ ଥିଲା । ଶିଳ୍ପୀ ସବୁବେଳେ ନିଜକୁ ଜଣେ କୁଶଳୀ ରାନ୍ଧୁଣିଆ ଭାବରେ ଗ୍ରହଣ କରି ଆସିଛି । ସିଏ ଜାଣିଛି କେତେବେଳେ କେଉଁ ମସଲା କେତେ ପରିମାଣରେ, କେଉଁ ଭାବରେ ଦେବ । ଏହି ଚେତନାକୁ ତ ଫିଲ୍‌ଡିଂ କହିଥିଲେ ‘The cookery of the author’ । ଏହି କୁକାରୀର ୪ ଜନ୍ମ ନେଇଛି ଉପନ୍ୟାସର ସ୍ଥାପତ୍ୟ, ଶିଳ୍ପୀର ବୈକ୍ତିକ ଓ ଅବୈକ୍ତିକ ଦୃଷ୍ଟିକୋଣ, ଚରିତ୍ର ଚିତ୍ରଣ ଇତ୍ୟାଦି ଇତ୍ୟାଦି-। ଉପନ୍ୟାସର ଏହି କଳା ପ୍ରକରଣ ଉପନ୍ୟାସକୁ ତାର ନିଜସ୍ୱ ରୂପ ଦିଏ । ରୂପ ଦିଏ ଯେଉଁ ଭାବରେ ସେ ଜୀବନକୁ ଗ୍ରହଣ କରିଛି, ମାନବିକତାକୁ ଅଙ୍ଗେ ନିଭେଇଛି । ଏହି ଜୀବନବୋଧ ଏବଂ ତାର ଆନ୍ତରିକ ବାସ୍ତବ ପ୍ରକାଶ ହିଁ ଉପନ୍ୟାସ । ଏହି ଦୁଇଟିର ଅନୁସ୍ଥିତିରେ ଉପନ୍ୟାସ ହୋଇଯାଏ ଯାହା ଇ. ଏମ. ଫଷ୍ଟାର୍‌ କହିଥିଲେ, ‘‘a bunch of words’’ । କେବଳ ପୁଞ୍ଜାଏ ଶବ୍ଦ ମାତ୍ର । ହୁଏତ ନୁଖୁରା ଶବ୍ଦ ମାତ୍ର । ତେବେ ଉପନ୍ୟାସରେ କିଏ ବଡ଼ ? ବିଷୟବସ୍ତୁ ନା ବିଷୟବସ୍ତୁର ପ୍ରକାଶଭଙ୍ଗୀ । ଉଭୟ । ଆଉ ଏ ଉଭୟ ଯେତେବେଳେ ଅଙ୍ଗାଙ୍ଗୀ ।

 

ଏହି ଅଙ୍ଗାଙ୍ଗୀ ହୁଏ ବିଭିନ୍ନ ଭାବରେ, ହଜାରେ ଝରକା ଦେଇ ଦେଖୁଥିବା ଦୃଶ୍ୟକୁ ହଜାରେ ଭାବରେ ପ୍ରକାଶ କରିବାରେ । ତେଣୁ ଉପନ୍ୟାସର ଗୋଟିଏ ମୂଳକଥା ହେଉଛି ସ୍ୱାଧୀନତା, ସ୍ୱଚ୍ଛତା । ଔପନ୍ୟାସିକ ଜୀବନକୁ ଯେମିତି ଦେଖେ, ଯେମିତି ଅନୁଭବ କରେ ସେଇ ଭାବରେ ସେ ତାହାକୁ ପ୍ରକାଶ କରେ । ଜୀବନ ତ ହରରଙ୍ଗୀ, ଚପଳ ପ୍ରଜାପତି । ତା ଭିତରେ ହଜାରେ ଜଟିଳତା, ହଜାରେ ବିରୋଧାଭାଷ । ଏ ସମସ୍ତଙ୍କୁ ଔପନ୍ୟାସିକ ଗ୍ରହଣ କରେ । ଏ ସବୁଥିରୁ ସେ ଗୋଟାକୁ ମାତ୍ର ବାଛେ ନାହିଁ । ଯେମିତି ବାଛେ କ୍ଷୁଦ୍ର ଗଳ୍ପର ଲେଖକ । ଔପନ୍ୟାସିକ ଆଗରେ ସାରା ବିଶ୍ୱ ମେଲା ହୋଇ ପଡ଼ିଥାଏ । ସେ ସବୁକୁ ଗ୍ରହଣ କରି ଜୀବନର ଗୋଟିଏ ଛନ୍ଦ ସେ ସୃଷ୍ଟି କରେ । ଗୋଟିଏ ଦୃଷ୍ଟି ଦେଇଯାଏ, ଯାହା ଫଳରେ କି ପାଠକ ଜୀବନର ବୈଚିତ୍ର୍ୟକୁ ଗୋଟିଏ ଭାବରେ ବୁଝିପାରେ । ଗୋଟିଏ ଭାବରେ ଦେଖିପାରେ । ଏହି ସମନ୍ୱିତ ଚେତନାର ନିଜସ୍ୱ ପ୍ରକାଶ ହିଁ ଉପନ୍ୟାସରେ ସବୁଠାରୁ ବଡ଼ କଥା । ସବୁ ବିଭିନ୍ନତା ଭିତରେ ଡିକେନସ୍‌ ତାଙ୍କରି ତିଆରି ପୃଥିବୀକୁ ହିଁ ଆମକୁ ଉପହାର ଦିଅନ୍ତି । ମାତ୍ର ଏହି ପୃଥିବୀ ଭିକ୍ଟୋରିଆନ କାଳର ନିଚ୍ଛକ ଛବି ହୋଇଯାଏ । ସେହି ଭିକ୍ଟୋରିଆନ୍‌ ସମାଜର ଛବି ଆମେ ମଧ୍ୟ ପାଉଁ ଥେକାରେଙ୍କ ପାଖରେ । ମାତ୍ର ଥେକାରେଙ୍କ ଜଗତ ଡିକେନସ୍‌ଙ୍କ ପାଖରୁ କେତେ ଭିନ୍ନ । ଏହି ଭିନ୍ନତା ହିଁ ଆଣିଦିଏ ଶିଳ୍ପୀର ନିଜସ୍ୱ ଗଢ଼ଣ ଏବଂ ଦେଖିବାର ଢଙ୍ଗ ସହ ଅନୁଭବର ତୀବ୍ରତାର ଅନନ୍ୟତା । ଏହି କଥାହିଁ ଭାର୍‌ଜିନିଆ ଉଲ୍‌ଫ କହିଛନ୍ତି । ଉଲ୍‌ଫ୍‌ଙ୍କ ମତରେ ପ୍ରତି ଉପନ୍ୟାସ ଶିଳ୍ପୀର ଦିବ୍ୟଦୃଷ୍ଟିର ପରିଚୟ । ଶିଳ୍ପୀର ଦୃଷ୍ଟିରେ ଜୀବନକୁ ଦେଖି ତାର ସାର୍ବଜନୀନତାକୁ ଆମେ ଉପଲବ୍‌ଧି କରୁ । ଏହି ବ୍ୟକ୍ତିକତା ଯାହା ସାର୍ବଜନୀନତାର ପରିଚୟ ଦିଏ ତାହାହିଁ ଉପନ୍ୟାସ । ତେଣୁ ଉପନ୍ୟାସ ଗୋଟିଏ ସ୍ତରରେ ସାମାଜିକ ଦଲିଲ୍‌ଟିଏ ହୋଇଥାଇ ପାରେ, ମାତ୍ର ଏହା କେବଳ ତାହା ନୁହେଁ । ଏହାର ସତ୍ୟଶୀଳତା ଭିତରେ ଏକ ଅନନ୍ୟତା ବି ଛପି ରହିଥାଏ । ଫକୀର ମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ଗୋଟିଏ ସମୟ ଖଣ୍ଡର ସାମାଜିକ ଛବି ଆଙ୍କି ଥାଇ ପାରେ । ସେ ସମୟର ସାମାଜିକ ମଣିଷ, ତାର ମାନସିକତାର ପ୍ରତିଫଳନ କରୁଥାଇ ପାରେ, ମାତ୍ର ଏହାରି ଭିତରେ ଫକୀର ମୋହନୀୟ ଦୃଷ୍ଟିଟି ବି ଫୁଟି ଉଠିଥାଏ । ମୁ, କୁ, ଭଲମନ୍ଦର ଦ୍ୱନ୍ଦ୍ୱ ସବୁ ତାଙ୍କରି ଭାବରେ ରୂପ ପାଏ । ରାମଚନ୍ଦ୍ର ମଙ୍ଗରାଜ, ସାରିଆ, ଭଗିଆ, ଚମ୍ପା ସବୁ ଗୋଟିଏ ଗୋଟିଏ ଜୀବନ୍ତ ମଣିଷ ହୋଇ ଯାଆନ୍ତି । ନିର୍ଦ୍ଦିଷ୍ଟ ସମୟ ଖଣ୍ଡର ଟୁକୁରା ହେବା ସଙ୍ଗେ ସଙ୍ଗେ ଫକୀର ମୋହନୀୟ ଜୀବନବୋଧର ପ୍ରତୀକ ହୋଇଯାଆନ୍ତି । ଏଠାରେ ଆମେ ପାଉଁ ମଣିଷ ଜୀବନର ଅନାହତ ଗତି ପ୍ରବାହ । ଏ ଗତିରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଏକ ହୋଇ ଜୀବନର ଚିରନ୍ତନତାକୁ ହିଁ ଦେଖାଇ ଦିଏ । ଗୋଟିଏ ରାମଚନ୍ଦ୍ର, ଚମ୍ପା ଆସି ଭଗିଆ ସାରିଆକୁ ଶୋଷି ଦିଅନ୍ତି ମାତ୍ର ସେମାନେ ସମସ୍ତେ ପୁଣି ନିଜ ସୃଷ୍ଟି ଆବର୍ତ୍ତରେ ହିଁ ବୁଡ଼ିଯାଆନ୍ତି । ସମୟ, ଦାରୋଗାଟିଏ ପରି ସରଜମୀନ୍‌ ତଦନ୍ତ କରି ରିପୋର୍ଟ ହିଁ ଲେଖୁଥାଏ । ଉପନ୍ୟାସ ତ ଏହି ସମୟର ରିପୋର୍ଟ ଯାହା ସମୟକୁ ବି ଅତିକ୍ରମି ଯାଏ । ଏହି ପ୍ରସଙ୍ଗରେ ପ୍ରଫୁଲ୍ଲ ତ୍ରିପାଠୀଙ୍କ ‘ଅମଲା’ ଉପନ୍ୟାସ ଗ୍ରହଣୀୟ ।

 

ଜୀବନ, ବାସ୍ତବତା ଉପନ୍ୟାସର ମଧ୍ୟ କଞ୍ଚାମାଲ । ମାତ୍ର ଉପନ୍ୟାସରେ ଆମେ ଏହି କଞ୍ଚାମାଲର କଞ୍ଚା ରୂପ ଦେଖିବାକୁ ପାଉନାହୁଁ । ପୂର୍ବରୁ କହିଛି ଉପନ୍ୟାସ ବାସ୍ତବତାର ଏକ ସଜ୍ଜୀକରଣ ଜୀବନ ଓ ଅସଂଯତ, ସଦା ପରିବର୍ତ୍ତନଶୀଳ । ଜୀବନଧାରା ଉପରେ ସବୁବେଳେ ବର୍ତ୍ତମାନର ଛାପ ଆଉ ସେଇ ବର୍ତ୍ତମାନ ପୁଣି ପାରଦଚପଳ । ଏହିପରି ଜୀବନର ଅନୁଭୂତିକୁ ଉପନ୍ୟାସ ଜୀବନରେ ନୁହେଁ କଳାରେ ପରିଣତ କରିଦିଏ । ଅର୍ଥାତ୍‌ ଜୀବନର ଗୋଟିଏ ଫଟୋଗ୍ରାଫିକ୍‌ ଛବି ନ ଦେଇ ତାକୁ କଳ୍ପନା ଜରିଆରେ ରୂପାନ୍ତରିତ କରି ନିଜସ୍ୱ ଭାବରେ ପୁଣି ଥରେ ଗଢ଼ି ତୋଳେ । ଏହି ନିଜସ୍ୱ ଗଢ଼ଣରେ ଆସେ କଳା । ଏହି କଳା ରୂପ ପାଏ ଉପନ୍ୟାସର ଆଙ୍ଗିକରେ, ତା କହିବା ଶୈଳୀରେ । ଏହି ପ୍ରସଙ୍ଗରେ ଅଷ୍ଟାଦଶ ଶତାବ୍ଦୀର ଲେଖକ ଫିଲ୍‌ଡିଂଙ୍କ କଥା ମନେପଡ଼େ । ଫିଲ୍‌ଡିଂ ତାଙ୍କ ଉପନ୍ୟାସରେ କାହାଣୀର ବର୍ଣ୍ଣନା, ଘଟଣା ପ୍ରବାହ, ଚରିତ୍ର ଚିତ୍ରଣ-ସବୁର ଏକ ସାନ୍ଦ୍ର ସଜ୍ଜୀକରଣରେ ବିଶ୍ୱାସୀ ଥିଲେ । କଟା ହୀରା ପରି ସୁନ୍ଦର ତାଙ୍କ ଉପନ୍ୟାସର ଗଢ଼ଣ । ମାତ୍ର ସେହି ସମୟର ଅନ୍ୟ ଜଣେ ଔପନ୍ୟାସିକ ଷ୍ଟାର୍ଣ୍ଣଙ୍କ କଥା ମନକୁ ଆସେ । ତାଙ୍କ ଉପନ୍ୟାସର ଏକମାତ୍ର ବିଶେଷତ୍ୱ ହେଉଛି ତାର ବିକ୍ଷପ୍ତତା, ଆଙ୍ଗିକହୀନତା । ମାତ୍ର ଏହା ଉଚ୍ଛୃଙ୍ଖଳତା ହୁଏ । ଏହା ଅଂସଯତ ଜୀବନର ସଚେତନ ସଂଯତ ପ୍ରକାଶ ନୁହେଁ, ଏହା ଜୀବନର ସଯତ୍ନ ଅସଂଯତ ପ୍ରକାଶ । ଏପରି ଉପନ୍ୟାସରେ ଘଟଣା, ଚରିତ୍ର ପୁଣି ବାତାବରଣ ସବୁ ସୁନ୍ଦର ଭାବରେ ସଜା ହୁଏନାହିଁ । ତାକୁ ପ୍ରାକୃତିକ ଭାବରେ ବଢ଼ିବାକୁ ଛାଡ଼ି ଦିଆଯାଏ । ତେଣୁ ଏଥିରେ କାହାଣୀର ନିର୍ଦ୍ଦିଷ୍ଟତା ନୁହେଁ ବିଚ୍ଛିନ୍ନତା ହିଁ ରୂପ ପାଏ । ଏହି ଦୁଇ ମୂଳ ଔପନ୍ୟାସିକଙ୍କର ବିଭିନ୍ନତାକୁ ବିଚାର କଲେ ଆମେ ପାଉ ଉପନ୍ୟାସ ଭିତରେ ଲୁଚି ରହିଥିବା ସମ୍ଭାବନା ଆଉ ତା ଆଙ୍ଗିକର ବିପୁଳତା । ତାର ଅନିର୍ଦ୍ଦିଷ୍ଟ ବିଭିନ୍ନତା ସାନ୍ଦ୍ର ଗଠନ ସହ ଗଠନହୀନତା । ଷ୍ଟାର୍ଣ୍ଣଙ୍କ ଉପନ୍ୟାସରେ ଆଉ ଏକ ସମ୍ଭାବନା ଲୁଚି ରହିଥିଲା । ତାଙ୍କରି ଉପନ୍ୟାସ ଭିତରେ ରହିଥିଲା ଆଧୁନିକ ଯୁଗର ଇମ୍ପ୍ରେସନିଜିମ, ଚେତନାପ୍ରବାହ । ଷ୍ଟାର୍ଣ୍ଣ ହିଁ ବୋଧହୁଏ ବାଟ ପରିଷ୍କାର କରିଥିଲେ ଜେମ୍‌ସ୍‌ ଜୟେସ ଓ ଭାର୍‌ଜନିଆ ଉଲ୍‌ଫ୍‌ଙ୍କ ପାଇଁ । ଯୁକ୍ତି ଆଉ ବୁଦ୍ଧି ଦ୍ୱାରା ଜୀବନର ଟୁକୁରା ସବୁକୁ ସଜାଇ ବାସ୍ତବତାର ଛବି ଆଙ୍କିବା ପରିବର୍ତ୍ତେ ଏମାନେ ଅନୁଭୂତିର ଯେଉଁ ଛାପ ମନ ଉପରେ ପଡ଼େ ତାହାରି ସ୍ୱାଭାବିକ ରୂପ ତୋଳିବା ଏହାର ଉଦ୍ଦେଶ୍ୟ । ସେହିପରି ମନର କଥା ମଧ୍ୟ । ଆମ ମନର ଭାବନା କୌଣସି ଯୁକ୍ତିକୁ ମାନେ ନାହିଁ । କୌଣସି ନିର୍ଦ୍ଦିଷ୍ଟ ମାର୍ଗରେ ଯାଏ ନାହିଁ । ଗୋଟିଏ ମୁହୂର୍ତ୍ତରେ ଏକସଙ୍ଗରେ ଅନେକ ଭାବନା-ଉଲଫ୍‌ ଓ ଜୟେସ୍‌ ତ ଏହାହିଁ ଚାହିଁଥିଲେ । ଗୋପୀନାଥ ମହାନ୍ତିଙ୍କ ‘ରାହୁର ଛାୟା’ ଉପନ୍ୟାସରେ ଏହି ଦୃଷ୍ଟିକୋଣର ପ୍ରତିଧ୍ୱନି । ସେହିପରି ମଣିଷକୁ ଦେଖିବାର ଢଙ୍ଗରେ ଆସିଛି ଅନେକ ପରିବର୍ତ୍ତନ ।

 

ତେଣୁ ଉପନ୍ୟାସର ବିଷୟବସ୍ତୁ ଓ ତାର ଆଙ୍ଗିକ ଉଭୟେ ଅଙ୍ଗାଙ୍ଗୀ । ଉପନ୍ୟାସର ବିଭିନ୍ନ ଧାରାକୁ ବିଶ୍ଳେଷଣ କଲେ ଆମେ ଦେଖିବୁ ଶିଳ୍ପୀ ସବୁବେଳେ ଏ ଦୁଇଟିକୁ ଏକୀଭୂତ କରିବାର ପ୍ରୟାସୀ । ଏହାହିଁ ତାର ଆଙ୍ଗିକ ଚେତନା । ଏଇଥିରେ ତାର ପ୍ଳଟ୍‌, ତାର କାହାଣୀ ପୁଣି ତାର ବିକାଶ । ପ୍ଳଟ ଗୋଟିଏ ଆଧାର । ଏହା ଅନୁଭୂତିକୁ ଧରି ରଖେ । ବାସ୍ତବ ରୂପ ଦିଏ । ଏହି ରୂପ ଦେବାରେ ଆସେ କଳା । କଳା ତ ନିର୍ବାଚନ, କଳା ତ ସମତା ରକ୍ଷା କରିବା, ଏହା ଏକ ଛନ୍ଦ-। ଏହା ବାସ୍ତବତାର ଏକ ବ୍ୟକ୍ତିଗତ ପ୍ରତିଧ୍ୱନି । ଏହି ପ୍ରତିଧ୍ୱନି କେବଳ ଜୀବନର ରୂପ ନୁହେଁ, ତାର ବାଖ୍ୟା, ତାର ଅବବୋଧ ସବୁ ଗୁଞ୍ଜରୀ ଉଠେ । ଏହି ଅବବୋଧରୁ ଆସେ ଚିନ୍ତା ଓ ଚେତନା । ଚିନ୍ତା ଓ ଚେତନା ଉପନ୍ୟାସରେ ଲଦା ହୁଏ ନାହିଁ, ଜୀବନର ଅବବୋଧରୁ ଏହା ବିକଶିତ ହୁଏ । ଯେମିତି ଜର୍ମାନ୍‌ ଔପନ୍ୟାସିକ ହାର୍‌ମାନ୍‌ ହେସ୍‌ଙ୍କ ଉପନ୍ୟାସ ‘ସିଦ୍ଧାର୍ଥ’ । ଚରିତ୍ର, ଘଟଣା, ଚିନ୍ତା, ଆବେଗାନୁଭୂତିରେ ପରିଣତ ହୁଏ । ନାଟକୀୟ ଭାବେ ଧରି ରଖେ ବଞ୍ଚିବାର ଜଟିଳ ଅନୁଭୂତି ସଙ୍ଗେ ଏକ ଆବେଗ ଦଗ୍‌ଧ ମନସ୍ଥିତିକୁ । ଏହି ଦୃଷ୍ଟିରୁ ବିଚାର କଲେ ଆମେ ଉପନ୍ୟାସ ଆଉ ପୁରୁଣା ରୋମାନ୍‌ସ ଭିତରେ ପାର୍ଥକ୍ୟଟି ଜାଣି ପାରୁ । ଏହି ପାର୍ଥକ୍ୟରେ ଅଛି ବାସ୍ତବତା ସହ ଏ ଦୁଇର ସଂପର୍କ, ତାକୁ ବର୍ଣ୍ଣନା କରିବାର ଢଙ୍ଗ । ଉପନ୍ୟାସ ବାସ୍ତବଧର୍ମୀ । ଏହା ଜୀବନର ବାସ୍ତବ ରୂପ ବାସ୍ତବ ଭାବରେ ଆଙ୍କେ । ପୁଣି ଯେଉଁ ସମୟରେ ଏହା ଲେଖା ହୋଇଥାଏ ଅବା ଯେଉଁ ସମୟ କଥା ଏଥିରେ ଲେଖାହୁଏ ସେହି ସମୟର ଗୁଣକୁ ଏହା ଧରି ରଖେ । ଫଳରେ ଏହି ସାଂପ୍ରତିକତା ଉପନ୍ୟାସର ବଡ଼ ଗୁଣ, ମାତ୍ର ରୋମାନ୍‌ସ ଏହାଠାରୁ ଭିନ୍ନ । ଏହାର ଭାଷା ଗମ୍ଭୀର ଓ ଆଳଙ୍କାରିକ । ଏହା ବାସ୍ତବ ଜୀବନ ନୁହେଁ, ଯାହା କେବେ ଘଟିନାହିଁ ଅବା ଘଟିବା ସମ୍ଭବ ନୁହେଁ ତାରି କାଳ୍ପନିକ ରୂପେ ଆଙ୍କେ । ଉପନ୍ୟାସ ଏହି ଧାରାର ବିରୋଧୀ ଏବଂ ଏହି ବରୋଧ ଭିତରେ ହିଁ ଛପି ରହିଛି ତାର ରୂପ ।

 

ତେଣୁ ଏହି ବାସ୍ତବଧର୍ମୀ ସାହିତ୍ୟ ବିଭାଗଟିରେ ବାସ୍ତବତାର ରୂପ ଆଙ୍କିବାକୁ ଯାଇ ଏଥିରେ ମିଳେ ପ୍ଳଟ୍‌, ଚରିତ୍ର ଏବଂ ସ୍ଥାନ ଓ ପରିବେଶ ଅର୍ଥାତ ପଟ୍ଟଭୂମି । ପ୍ଳଟ୍‌ରେ ଆସେ ଘଟଣା, ତହିଁରେ ଚରିତ୍ରର ସଂଘର୍ଷ, ଚରିତ୍ରରେ ଆସେ ବିଭିନ୍ନ ରକ୍ତମାଂସର ମଣିଷ । କେତେବେଳେ ଆଦର୍ଶ ତ କେତେବେଳେ ଜଘନ୍ୟ । ମାତ୍ର ଏହା ସବୁବେଳେ ମଣିଷର ଜଟିଳତାର ସୂଚନା ଦେବାର ପ୍ରୟାସୀ । ଯାହାକୁ ଫଷ୍ଟର ଭିନ୍ନ ଭାବେ ‘Round’ ଚରିତ୍ର ବୋଲି କହିଥିଲେ । ଏହି ସବୁର ଗୁଣ ଉପନ୍ୟାସର ନାୟକ ପାଖରେ ଥାଇପାରେ । କେତେବେଳେ ଏ ନାୟକ ଆମ ପାଖରେ ଖରା ଝଲମଲ୍‌ ଶିଖରୀଟିଏ ପରି ଆମ ଆଗରେ ଜଳି ଉଠେ ତ କେତେବେଳେ ଏହା ପ୍ରତିନାୟକଟିଏ ହୋଇ ରହିଯାଏ । ଏକ ଦିଗରେ ଟଲ୍‌ଷ୍ଟୟଙ୍କ ଚରିତ୍ର ତ ଅନ୍ୟ ଦିଗରେ କାଫକାଙ୍କ ‘କେ’ । ଗୋଟିଏ ଦିଗରେ ସୁରେନ୍ଦ୍ର ମହାନ୍ତିଙ୍କ ରାମଚନ୍ଦ୍ର ଦେବ ତ ଅନ୍ୟ ଦିଗରେ ଗଣେଶ୍ୱର ମିଶ୍ରଙ୍କ କବିପ୍ରସାଦ ଅବା ଅନ୍ୟଦିଗରୁ ଶଚ୍ଚି ରାଉତରାୟଙ୍କ ଚିତ୍ରଗ୍ରୀବ ଉପନ୍ୟାସର ସୌରି । ଏହି ପଟ୍ଟଭୂମି ଉପନ୍ୟାସର ଏକ ଅଙ୍ଗ । ଏହା ଘଟଣା ଏବଂ ଚରିତ୍ରକୁ ସେମାନଙ୍କର ନିଜସ୍ୱତା ଦେବା ସଙ୍ଗେ ସଙ୍ଗେ ବାତାବରଣ ଏପରିକି ଲେଖକଙ୍କ ଦର୍ଶନକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା କେବଳମାତ୍ର ସ୍ଥାନ ନୁହେଁ । ଏହା କେତେବେଳେ ପ୍ରତୀକ ଧର୍ମୀ ହୋଇ ଉଠେ । ହାର୍ଡ଼ି, କାଫ୍‌କା, ତାଦ୍ଦିଙ୍କ ପାଖରେ ଏହି ପଟ୍ଟଭୂମି ପ୍ରତୀକ ହୋଇଯାଏ । ମାତ୍ର ପ୍ଳଟ, ଚରିତ୍ର ଆଉ ପଟ୍ଟଭୂମି ସମସ୍ତେ ମିଳି ଜୀବନକୁ ହିଁ ଆଙ୍କନ୍ତି । ହାତ ଧରାଧରି ହୋଇ ବାସ୍ତବତାର ରୂପ ତୋଳନ୍ତି । ହେନେରୀ ଜେମସ୍‌ଙ୍କ ଭାଷାରେ-“What is Character but the determination of incidents ? What is incident but the illustration of Character ?” ଏହି ପୂର୍ଣ୍ଣତା, ଏହି ସଂପର୍କ ହିଁ ଉପନ୍ୟାସରେ ବଡ଼କଥା । ଏହିଥିରେ ନିହିତ ତାର ନାନ୍ଦନିକ ସଫଳତା ।

 

ଜୀବକ ଏବଂ ତାର ପ୍ରକାଶ ଏହାହିଁ ଉପନ୍ୟାସର ଦୁଇ ବିନ୍ଦୁ । ମାତ୍ର ଏହି ଜୀବନ ଓ ବାସ୍ତବତାର ରୂପ ଧୀରେ ଧୀରେ ବଦଳି ଯାଉଛି । ତାର ବାହ୍ୟ ସ୍ୱରୂପ ନୁହେଁ, ତା’ ପ୍ରତି ଆମର ଧାରଣା, ଦୃଷ୍ଟିକୋଣ ବଦଳି ଯାଉଛି । ଏହି ପ୍ରସଙ୍ଗରେ ଭାର୍‌ଜିନିଆ ଉଲ୍‌ଫ୍‌ଙ୍କ ଉକ୍ତି ଉଦ୍ଧାର କରାଯାଇ ପାରେ –“Life is not a series of gig-lamps systematically arranged. Life is a luminous halo, a semi-transparent envelope surrounding us from the beginning of consciousness to the end. It is not the task of the novelist to convey this varying this unknown and uncircumscribed spirits what ever aberration or complexity it may display, with as litttle mixture of the alien and external as possible ?” ଏହି ରହସ୍ୟମୟୀ ‘halo’ଟିକୁ, ତାର ପୂର୍ଣ୍ଣତାକୁ କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚରେ ପକାଯାଇ ପାରିବ ନାହିଁ । ତେଣୁ ଆଜି ଉପନ୍ୟାସ ଧୀରେ ଧୀରେ ନିର୍ଦ୍ଦିଷ୍ଟ ଧୃପଦୀ ଛାଞ୍ଚରୁ ବାହାରି ଆସିଛି । କାହାଣୀ, ଘଟଣାର କ୍ରମବିକାଶ ନଘଟି ଅନିର୍ଦ୍ଦିଷ୍ଟ ହୋଇ ଯାଉଛି । ପ୍ଳଟ ନାହିଁ, ନାୟକର ରୂପ ଭିନ୍ନ ହୋଇଛି ସର୍ବୋପରି ଜୀବନର ରହସ୍ୟକୁ ଧରିବାକୁ ଯାଇ ଉପନ୍ୟାସ ମଧ୍ୟ ଯୁକ୍ତି ଏବଂ ପାରଂପରିକତାରୁ ବାହାରି ଆସି ଆଜି କ୍ରାନ୍ତ-ଉପନ୍ୟାସ ସ୍ତରରେ ପହଞ୍ଚିଛି । ସେଦିନର ଗଦ୍ୟ ମହାକାବ୍ୟ କବିତା ଧର୍ମୀ ହୋଇ କେମିତି କାବ୍ୟ ଉପନ୍ୟାସରେ ପରିଣତ ହେଉଛି । ଭାଷାର ବ୍ୟବହାର ଏବଂ ସର୍ବୋପରି ସମୟର ବ୍ୟବହାର ଏହାକୁ ଝଂକୃତ କରେ । ଭାଷା ଆଜିକାଲି ବାହ୍ୟବାସ୍ତବତାର ବାହକ ନୁହେଁ, କିମ୍ବା ନାଟକୀୟ ଅଳଙ୍କାର ନୁହେଁ । ଏହା ଅନ୍ଧାରୀ ରହସ୍ୟର ସୂଚକ ମଧ୍ୟ । ଜୀବନପରି ଆଜିର ଶିଳ୍ପୀ ଭାଷା ପ୍ରତି ସଚେତନ । ଏ ସଚେତନତା ଭାଷା ବାଛିବାରେ । ଭଲ ସାଧୁଭାଷା ନୁହଁ, ସତ୍ୟଶୀଳ ଭାଷା । ପ୍ରୟୋଜନ ହେଲେ ସାଧାରଣତଃ ଯେଉଁ ଭାଷା ଗ୍ରହଣୀୟ ନୁହେଁ ତାର ସାହସିକ ବ୍ୟବହାର । ଆମ ସାଂପ୍ରତିକ ସାହିତ୍ୟରେ ଏପରି ସାହସିକ ଭାଷାର ବ୍ୟବହାର ଅନେକ ତରୁଣ ଓ ପ୍ରବୀଣ ଔପନ୍ୟାସିକଙ୍କ ଲେଖାରେ ମିଳିଥାଏ । ଏହା ବ୍ୟତୀତ ଆଞ୍ଚଳିକ ଭାଷାର ବ୍ୟବହାର ଗଣେଶ୍ୱର ମିଶ୍ର ଆଦିଙ୍କ ଲେଖାରେ । ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ମହାପାତ୍ର ନୀଳମଣି ସାହୁଙ୍କ ଲେଖାରେ ଭାଷାର ସୂକ୍ଷ୍ମ ବ୍ୟବହାର ଆମେ ପାଇଥାଉଁ ।

 

ଆଜିର ଉପନ୍ୟାସରେ କାଳ ବା ସମୟ କେବଳ ପ୍ରବହମାନ ଧାରାଟିଏ ନୁହେଁ ମନ ପରି ଏହା ମଧ୍ୟ ସରଳରେଖାରେ ପ୍ରବହମାନ ନୁହେଁ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସବୁ ପୁଣି ଗୋଟିଏ ବିନ୍ଦୁରେ ମିଳିଥାନ୍ତି । ଏହି ଧାରଣା ଆଜିର ଉପନ୍ୟାସରେ ଦେଖାଦିଏ । ଜୟେସ୍‌ଙ୍କ ଇଉଲିସିସ୍‌, ଶୀର୍ଷେନ୍ଦୁ ମୁଖୋପାଧ୍ୟାୟଙ୍କ ‘ଦୂରଦିନ୍‌’ ଆଜି ଉପନ୍ୟାସରେ ସମୟ ପ୍ରତି ଏହି ଦୃଷ୍ଟିକୋଣ ଦେଖାଦିଏ ।

 

ଆଜି ଆଉ ଉପନ୍ୟାସ କାହାଣୀ ଖାଲି କହୁନାହିଁ । ଏହା ମଣିଷର ଅନ୍ୱେଷା । ଏହା ବାସ୍ତବତା ପ୍ରତି ମଣିଷର ପ୍ରତିକ୍ରିୟା । ଏହା ଯାହା ଲରେନ୍‌ସ କହିଥିଲେ ସମ୍ପୂର୍ଣ୍ଣ ମଣିଷ ଆଉ ତାରି ଜରିଆରେ ସମ୍ପୂର୍ଣ୍ଣ ଜୀବନର ଆବିଷ୍କାର । “It is the discovery of the deepest whole man, the self in its wholeness, not idealistic halfness.”

 

 

 

ଉପନ୍ୟାସ ଏହି ପୂର୍ଣ୍ଣତା, ଯାହାକୁ ଉଲ୍‌ଫ୍‌ କହିଥିଲେ “Luminous halo.”

 

ପ୍ରାଧ୍ୟାପକ

ବି ଜେ ବି କଲେଜ, ଭୁବନେଶ୍ୱର

 

***

 

ଛ’ମାଣ ଆଠଗୁଣ୍ଠ : ଛବି ଓ ବହି

ଡଃ ପ୍ରଫୁଲ୍ଲ କୁମାର ମହାନ୍ତି

 

ଫକୀର ମୋହନଙ୍କ ‘ଛ’ମାଣ ଆଠଗୁଣ୍ଠ’ ବହିର ପ୍ରକାଶନ (୧୮୯୮)ର ପ୍ରଥମ ଶତବାର୍ଷିକୀ ପୂର୍ବରୁ ତା’ ଉପରେ ଆଧାରିତ ଚଳଚିତ୍ର ଏବଂ ଦୂରଦର୍ଶନରେ ସେଇ ଚଳଚିତ୍ରର ପ୍ରସାରଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କାରଣ ବିଗତ ପ୍ରାୟ ଶହେ ବର୍ଷ ଭିତରେ ଯେତେଜଣ ‘‘ଛ’ ମାଣ ଆଠଗୁଣ୍ଠ’’ ପଢ଼ି ନ ଥିବେ, ତା’ଠାରୁ ହୁଏତ ବହୁ ସଂଖ୍ୟକ ଲୋକ ଏହି ଚଳଚିତ୍ର ଦେଖି ପାରିଥିବେ ଏବଂ ଏହାଦ୍ୱାରା ଓଡ଼ିଆ ଭାଷାସାହିତ୍ୟର ଏକ ମହାନ୍‌ ଉପନ୍ୟାସ ଜନମାନସ ପାଖରେ ପହଞ୍ଚି ପାରିଥିବ । ଏହି ଆଶା ନେଇ ହୁଏତ ‘‘ଛ’ମାଣ ଆଠଗୁଣ୍ଠ’’ ଚଳଚିତ୍ରର ନିର୍ମାତା, ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ସହଯୋଗୀମାନେ ଏହାର ପରିବେଷଣ କରି ଗର୍ବାନ୍ୱିତ ହୋଇଥିବେ । କିନ୍ତୁ ଚଳଚିତ୍ରଟି ଦେଖିଲାପରେ ମନେହେଲା ଯେ ‘‘ଛ’ମାଣ ଆଠଗୁଣ୍ଠ’’ ପରିବର୍ତ୍ତେ ଆମେ ହୁଏତ ଆଉକିଛି ଉପଭୋଗ କରିଛୁ । ଫକୀର ମୋହନଙ୍କ ଉପନ୍ୟାସ ଏବଂ ପରିବେଶିତ ଚଳଚିତ୍ର ମଧ୍ୟରେ ଅନେକ ପାର୍ଥକ୍ୟ କେବଳ ନୁହେଁ, ଅନେକ ଅଯଥା ହସ୍ତକ୍ଷେପ ଏବଂ ତଦ୍‌ଜନିତ ଭ୍ରମଧାରଣା ଚଳଚିତ୍ର ନାମରେ ପରିବେଶିତ ହୋଇଛି ବୋଲି ମନେହୁଏ । ତେଣୁ ‘‘ଛ’ମାଣ ଆଠଗୁଣ୍ଠ’’ର ପୁନରବଲୋକନ ଅପରିହାର୍ଯ୍ୟ ବୋଲି ମୁଁ ବିଶ୍ୱାସ କରେ । ଅତୀତରେ ସେକ୍‌ସପିୟରଙ୍କ ବିରାଟ ନାଟକ-‘ହାମ୍‌ଲେଟ୍‌’ ଚଳଚିତ୍ର ମାଧ୍ୟମରେ ପରିବେଶିତ ହୋଇଥିଲା ଏବଂ ନିର୍ମାତା-ନିର୍ଦ୍ଦେଶକ ଓ ଅଭିନେତାମାନଙ୍କର ନିଷ୍ଠାପର ପରିଶ୍ରମ ସତ୍ତ୍ୱେ ସମାଲୋଚକ Peter Alexandar ଏହି ଚଳଚିତ୍ର ଉପରେ, ମୂଳନାଟକକୁ ଦୃଷ୍ଟିରେ ରଖି ଏକ ପୁସ୍ତକ ରଚନା କରିଥିଲେ । ମୋର ଉଦ୍ଦେଶ୍ୟ ସେତେ ମହତ୍‌ ନ ହେଲେ ମଧ୍ୟ ଓଡ଼ିଶାର ଅନୁରାଗୀ ପାଠକ ଓ ଦର୍ଶକମାନଙ୍କ ଆଗରେ ଉପନ୍ୟାସ ଓ ଚଳଚିତ୍ର ମଧ୍ୟରେ ଏକ ଭାରସାମ୍ୟ ବାଢ଼ିବା ପାଇଁ ମୁଁ ଏଇ ପ୍ରବନ୍ଧରେ ପ୍ରୟାସ କରୁଛି ।

 

‘‘ଛ’ମାଣ ଆଠଗୁଣ୍ଠ’’ ଓଡ଼ିଆ ଭାଷାର ସର୍ବଶ୍ରେଷ୍ଠ ଉପନ୍ୟାସ ହେଉ କି ନ ହେଉ, ଏହା ସମସ୍ତ ଶିକ୍ଷିତ ଏବଂ ବୁଦ୍ଧିଜୀବୀମାନଙ୍କ ପାଖରେ ଏକ ଆଦରଣୀୟ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଇଂରେଜ ସରକାର ପ୍ରାୟ ଅଶୀ ବର୍ଷର ପ୍ରଶାସନ ଓ ଶିକ୍ଷା ବ୍ୟବସ୍ଥା ସ୍ଥାପନ କଲାପରେ ଯେଉଁ ଜୀବନ-ଚିତ୍ର ଉତୁରି ଆସିଥିଲା, ସେହି ଜୀବନ-ଚିତ୍ର ଏବଂ ତା’ପ୍ରତି ଦୃଷ୍ଟିଭଙ୍ଗୀ ଫକୀରମୋହନଙ୍କ ଉପନ୍ୟାସର କଥାବସ୍ତୁ । ଅବଶ୍ୟ ଏଥିରେ ଓଡ଼ିଆ ଜାତୀୟତାର ଜାଗରଣ କିମ୍ବା ନ’ଅଙ୍କ ଦୁର୍ଭିକ୍ଷ ପରର କରାଳ ଚିତ୍ର କିମ୍ବା ଓଡ଼ିଶାର ସାମଗ୍ରିକ ମାନସିକ ବିକାଶ ଓ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ସିଧାସଳଖ କିଛି ଲେଖାଯାଇ ନାହିଁ । ଏହି ଉପନ୍ୟାସ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଯଥା ଗୋବିନ୍ଦପୁର ଏବଂ ପ୍ରଚଳିତ ପ୍ରଶାସନିକ ବ୍ୟବସ୍ଥା ଯଥା-ଫତେପୁର ସରଷଣ୍ଢ ଜମିଦାରୀ ଓ ସେହି ଇଲାକାର ବାସିନ୍ଦାମାନଙ୍କର ଏକ ସ୍ଥୂଳଚିତ୍ର, ଯାହା ପ୍ରକାରାନ୍ତରେ ଓଡ଼ିଆ ଜନମାନସର ଆଶା, ଅଭିଳାଷ, ହତାଶା ଏବଂ ସ୍ୱାଭିମାନ ସାଙ୍କେତିକ ଭାବେ ଉପସ୍ଥାପିତ କରେ । ଏଇ ଉପନ୍ୟାସ ଆରମ୍ଭ ହୁଏ ନାୟକ ରାମଚନ୍ଦ୍ର ମଙ୍ଗରାଜ ଏବଂ ତାଙ୍କ ଜମିଦାରୀ, ବ୍ୟବସାୟ, ପରିବାର ଏବଂ ସୂକ୍ଷ୍ମ ଓ ସ୍ଥୂଳ ଚିନ୍ତା ଅନୁଚିନ୍ତାର ଜଟିଳତାରେ । ଶୈଳୀ ଦୃଷ୍ଟିରୁ ଫକୀର ମୋହନ ସତେ ଯେମିତି ଗୋଟାଏ ଇଲାକାର ମାନସିକ ଓ ଭୌଗଳିକ ସ୍ଥିତି, ଜଣେ ପ୍ରଥମ କରି ଦେଖୁଥିବା ମଣିଷ ପାଖରେ ଆଙ୍ଗୁଠି ଦେଖେଇ ଚିହ୍ନେଇ ଦେଉଛନ୍ତି । ଇଂରାଜୀରେ ଯାହାକୁ the Omniscient narrator ବା ସବ୍‌ଜାନ୍‌ତା ଲେଖକ କହନ୍ତି, ଫକୀର ମୋହନ ସେହି ପର୍ଯ୍ୟାୟର । ତାଙ୍କ ଭାଷାରେ ‘‘ଭୂତ କଥା ଭୂତ ଜାଣନ୍ତି, ଭବିଷ୍ୟତ କଥା କେହି ଜାଣନ୍ତି ନାହିଁ, ବର୍ତ୍ତମାନ କଥା ଆମ୍ଭେ ଜାଣୁ’’ ଏବଂ କାହାଣୀ କହିବା ଭିତରେ ଅନେକ ଥର ସେ ଅଟକି ଯାଇ ପାଠକକୁ ଘଟଣା ବା ଚରିତ୍ରର କ୍ରମବିକାଶ ସମ୍ପର୍କରେ ଚେତେଇ ଦେଇ କେବଳ ଯାହା ସତ୍ୟ ବା ଯାହା ପାଠକର ଜାଣିବା ଉଚିତ ସେତକ ମାତ୍ର କହନ୍ତି । ତେଣୁ ସ୍ୱୀକାର କରିବାକୁ ହେବ ଯେ ଉପନ୍ୟାସର ପ୍ରଗତିରେ ଯେଉଁ ଶୈଳୀ ପ୍ରୟୋଗ କରାଯାଇଛି, ତାହା ଇଚ୍ଛାକୃତ ଓ ଲେଖକୀୟ ଆଦର୍ଶରେ ଶୃଙ୍ଖଳିତ । ଘଟଣାକ୍ରମ ଓ ଚରିତ୍ର ଚିତ୍ରଣ ଫକୀର ମୋହନଙ୍କ ବିଶ୍ୱମାନସରୁ ଏକ ଶୃଙ୍ଖଳିତ ପରିଧିରୂପେ ସଜ୍ଜିତ । ଏଥିରେ ଘଟଣା କିମ୍ବା ଚରିତ୍ରର ଅଯଥା ଅନୁପ୍ରବେଶର ଅଧିକାର ନାହିଁ । ଏହି ଦୃଷ୍ଟିକୋଣରୁ ଫକୀରମୋହନଙ୍କ ଇଙ୍ଗିତ ଏବଂ ଇସାରା ଅନୁଯାୟୀ ପାଠକକୁ ‘‘ଛ’ମାଣ ଆଠଗୁଣ୍ଠ’’ର ଇଲାକାରେ ପ୍ରବେଶ କରିବାକୁ ହୁଏ । ଲେଖକଙ୍କ ଉଦ୍ଦେଶ୍ୟ ଅନୁସାରେ ନାୟକ-ରାମଚନ୍ଦ୍ର ମଙ୍ଗରାଜ । ଯଦିଓ ଉପନ୍ୟାସର ନାମକରଣ ଛ’ ମାଣ ଆଠଗୁଣ୍ଠ ଏବଂ ଏହି ଜମି-ଆୟତନ, ଭଗିଚନ୍ଦ୍ର ଓ ସାରିଆ ପରିବାରର ନାମକରଣ ସହିତ ଘଟଣା ବିନ୍ୟାସର ସମ୍ପର୍କ ପ୍ରାମାଣିକ ନହୋଇ ସାଙ୍କେତିକ । ରାମଚନ୍ଦ୍ର ମଙ୍ଗରାଜ ନାୟକ ହିସାବରେ ଯେଉଁ ଘଟଣାଗୁଡ଼ିକ ସୃଷ୍ଟି କରିପାରିଛନ୍ତି ଏବଂ ଯେଉଁ ଭାବରେ ନିଜର ଭୂମିକା ନିଭାଇଛନ୍ତି, ତା’ ଉପରେ ଫକୀର ମୋହନଙ୍କର ନିୟନ୍ତ୍ରଣ ନାହିଁ । ବର୍ଣ୍ଣନାଶୈଳୀ ଏବଂ ଦୃଷ୍ଟିକୋଣ ବା ଉପନ୍ୟାସର ସ୍ୱର ଫକୀର ମୋହନଙ୍କ ନିଜସ୍ୱ । କିନ୍ତୁ ଘଟଣାର ପ୍ରଗତି ଗୋଟିଏ ବଳିଷ୍ଠ ଉପନ୍ୟାସର ସ୍ୱୟଂସମ୍ପୂର୍ଣ୍ଣତା ମଧ୍ୟରେ ବାସ୍ତବଧର୍ମୀ ଓ ସ୍ୱୟଂପ୍ରବାହୀ । ଉପନ୍ୟାସର ଏହି ମୌଳିକ ସଂଗଠନକୁ ଠିକ୍‌ ଭାବରେ ବୁଝିପାରିଲେ, ଉପନ୍ୟାସର ଅନ୍ୟାନ୍ୟ ଦିଗନ୍ତଗୁଡ଼ିକ ପରିଷ୍କାର ହୋଇଯାଏ ।

 

ନାୟକ ରାମଚନ୍ଦ୍ର ଚିରାଚରିତ ନୈତିକ ପରିଧି ମଧ୍ୟରେ ଶାରୀରିକ ଭାବେ ବସବାସ କରୁଥିଲେ ମଧ୍ୟ ମାନସିକ ସ୍ତରରେ ନିର୍ଲିପ୍ତ । ଫକୀର ମୋହନ ଏପରି କୌଣସି ଦୃଶ୍ୟ ବାଢ଼ି ନାହାନ୍ତି, ଯେଉଁଠି ରାମଚନ୍ଦ୍ର ଲିଙ୍ଗରାଜ ତାଙ୍କ ପରିବାରର ସଦସ୍ୟମାନଙ୍କ ସହିତ ଏକାତ୍ମଭାବରେ ପରିଚୟ ଦିଅନ୍ତି । ବରଂ ଆମେ ଲକ୍ଷ୍ୟକରୁ ଯେ ତାଙ୍କ ସ୍ତ୍ରୀ ପୁତ୍ରମାନଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ସାଆନ୍ତାଣୀ ଏବଂ ମଙ୍ଗରାଜ ପରିବାରର ଅନ୍ୟମାନେ କୌଣସି ଉପଦେଶ କିମ୍ବା ପରାମର୍ଶ ଦେବାର ସୁଯୋଗ ପାଆନ୍ତି ନାହିଁ । ଯଦି ବା କେହି ପରାମର୍ଶ ଦିଅନ୍ତି, ତାହା, ମଙ୍ଗରାଜଙ୍କଦ୍ୱାରା ଗୃହୀତ ହୁଏ ନାହିଁ । ଅର୍ଥାତ୍‌ ମଙ୍ଗରାଜ ବ୍ୟକ୍ତି ଭାବରେ ସଂପୂର୍ଣ୍ଣ ଭାବେ ଏକା ଏବଂ ପରିବାରଠାରୁ ମାନସିକ ସ୍ତରରେ ବିଚ୍ଛିନ୍ନ । ଏହି ମନୋଭାବର ପରିଚୟ ଆମେ ଉପନ୍ୟାସର ପ୍ରଥମ ପରିଚ୍ଛେଦରେ ହିଁ ଦେଖିପାରୁ । ମଙ୍ଗରାଜ ସାମାଜିକ ଚଳଣି ଏବଂ ବିଶ୍ୱାସର ମଝିରେ ରହିଥିଲେ ମଧ୍ୟ, ତାଙ୍କର ମନ ଭିତରେ ସେ ବିଶ୍ୱାସର କୌଣସି ପ୍ରଭାବ ନାହିଁ । କାହାର ବୁଦ୍ଧି କିମ୍ବା ବିଶ୍ୱାସରେ ସେ ପରିଚାଳିତ ହୁଅନ୍ତି ନାହିଁ । ସେ ଜଣେ ବ୍ୟକ୍ତିବାଦୀ ରୂପେ ନିଜର ଶକ୍ତି ଉପରେ କେବଳ ଭରସା କରିଚାଲନ୍ତି ।

 

ନିଜ ବୁଦ୍ଧି, ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏପରି ଶୁଣା ଅଛି, ଶୁଣା କିମ୍ପା, ଆମ୍ଭେମାନେ ଠିକ୍‌ କଥା ଜାଣୁ-ମଙ୍ଗରାଜେ ପ୍ରଥମେ ଗାଁ ପ୍ରଧାନ ଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଷଜମି ଚବିଶଦସ୍ତି ପଦିକାରେ ଚାରିବାଟି ଛ’ମାଣ, ଏହା ଛାଡ଼ି ତିନିଶ ବାଟି ସତରମାଣ ଭାଗରେ ଲାଗିଅଛି ।’’

 

ମଙ୍ଗରାଜଙ୍କୁ ବ୍ୟକ୍ତିବାଦୀ କହିବାରେ କୌଣସି ଅତ୍ୟୁକ୍ତି ନାହଁ । ସେ ଅତି ଗରିବ ଘରର ପିଲା ଏବଂ ଛେଉଣ୍ଡ ମଧ୍ୟ । କିନ୍ତୁ ନିଜର ଇଚ୍ଛା ପ୍ରକ୍ଷେପଣ ଓ ଅଭିଳାଷକୁ ନେଇ ସେ କେବଳ ଜମିଦାର ହୋଇନାହାନ୍ତି, ଜଣେ ପ୍ରତିପତ୍ତି ସମ୍ପନ୍ନ ବ୍ୟକ୍ତି ହିସାବରେ ନିଜକୁ ପରିଚିତ କରାଇ ପାରିଛନ୍ତି । ଓଡ଼ିଶାର ପାରମ୍ପରିକ ଦାରିଦ୍ର୍ୟ ପରିପ୍ରେକ୍ଷୀରେ ଜଣେ ଓଡ଼ିଆଯୁବକ, ପାରମ୍ପରିକ ରୀତିନୀତି ଓ ଧର୍ମବିଶ୍ୱାସକୁ ତ୍ୟାଗକରି ନିଜକୁ ଧନୀ ହିସାବରେ ପ୍ରତିଷ୍ଠିତ କରିପାରିଛି । ଧର୍ମବିଶ୍ୱାସ ଓ ରୀତିରୁ ତାତ୍ତ୍ୱିକ ସ୍ତରରେ ମୁକ୍ତି ଖୋଜି ନାହାନ୍ତି ମଙ୍ଗରାଜ, ବରଂ ବିଶ୍ୱାସର ସଂଗଠନ ଭିତରେ ସେ ଅବିଶ୍ୱାସ ଓ ପ୍ରବଞ୍ଚନା ଦେଖାଇଛନ୍ତି । ଉଦାହରଣ ସ୍ୱରୂପ ନିର୍ଜଳା ଏକାଦଶୀ ପାଳନ କରିବା ଛଳନା କରି ସେ ଲୁଚେଇ ଲୁଚେଇ ସବୁ ଭଲ ଜିନିଷ ଖାଆନ୍ତି । ପରିବାରର ଶୃଙ୍ଖଳାକୁ ସମ୍ମାନ କରିବା ଛଳରେ ସେ ଚମ୍ପା ପରି କୁଟିଳା ନାରୀମାନଙ୍କୁ ଉଚ୍ଚ ଆସନ ଦିଅନ୍ତି, ସମାଜ ସେବା ନାମରେ ଶୋଷଣ କରନ୍ତି । ନର୍ଲୋଭ ବୋଲି ନିଜକୁ ଦେଖେଇ ହେଉଥିଲେ ମଧ୍ୟ, ସେ ସବୁ ରକମର ଲୋଭକୁ ଜାବୁଡ଼ି ଧରନ୍ତି । ଅନ୍ୟଭାଷାରେ-ମଙ୍ଗରାଜ ପ୍ରଚଳିତ ଶୃଙ୍ଖଳା ମଧ୍ୟରେ ଆତ୍ମକୈନ୍ଦ୍ରିକ ପ୍ରତିବାଦ କରନ୍ତି । ଅନୈତିକ ଅସାଧୁ ଉପାୟରେ, ଆତ୍ମତୃପ୍ତି ଏବଂ ଆତ୍ମପରିଚର୍ଯ୍ୟାରେ ଲିପ୍ତ ରହନ୍ତି । ଏହି ଭାବରେ ଦେଖିଲେ, ରାମଚନ୍ଦ୍ର ମଙ୍ଗରାଜ ନୈତିକତାର ପରିପନ୍ଥୀ ଏବଂ ଏକ ସଂପୂର୍ଣ୍ଣ ନୂତନ ଜୀବନଚର୍ଯ୍ୟାର ନାୟକ । କିନ୍ତୁ ମଙ୍ଗରାଜ ତାଙ୍କ ଆଚରିତ ଜୀବନଧାରାକୁ କୌଣସି ନୈତିକ ଉତ୍କର୍ଷ ଦେଇପାରିନାହାନ୍ତି । ସେ କେବଳ ପ୍ରବଞ୍ଚନାର ବାର୍ତ୍ତାବହ-

 

ମଙ୍ଗରାଜଙ୍କ ଅର୍ଥ ଲାଳସା ଓ ସାମାଜିକ ଆରୋହଣ ଭିତରେ ଭଗିଆ ଓ ସାରିଆ ଛନ୍ଦି ହୋଇପଡ଼ନ୍ତି । ଭଗିଆ ଓ ସାରିଆ ଯେଉଁ ନୈତିକ ବିଶ୍ୱାସର ଜୀବନ ବଞ୍ଚନ୍ତି ତାହା ମଙ୍ଗରାଜଙ୍କ ଜୀବନଧାରା ଓ ବିଶ୍ୱାସର ସମ୍ପୂର୍ଣ୍ଣ ବିପରୀତ । ସେମାନେ ସନ୍ତାନହୀନ ଏବଂ ପୁତ୍‌ ନାମକ ନର୍କରୁ ରକ୍ଷା ପାଇବା ପାଇଁ ସନ୍ତାନ କାମନାରେ ନିଜର ପାରିବାରିକ ଜୀବନକୁ ବିଷମୟ କରନ୍ତି । ଯେଉଁ ବିଶ୍ୱାସରେ ଭଗିଆ ଏବଂ ସାରିଆ ବଞ୍ଚନ୍ତି ସେ ବିଶ୍ୱାସ ଭାରତୀୟ ଓ ବିଶେଷ କରି ଓଡ଼ିଆମାନଙ୍କ ଐତିହ୍ୟ ଓ ସଂସ୍କୃତିରୁ ଉଦ୍ଭବ । ଏଇ ବିଶ୍ୱାସର ଧାରାବାହିକତା ଊନବିଂଶ ଶତାବ୍ଦୀର ଭାଗ୍ୟବାଦ ଓ ଜୀବନ ଉଦାସୀନତା ସମର୍ଥନ କରେ । ଭଗିଆ ଓ ସାରିଆ ସେଇ ବିଶ୍ୱାସର ଶିକାର ହୋଇ ସନ୍ତାନ କାମନାରେ ଅନ୍ଧ ହୋଇ ଅନ୍ଧବିଶ୍ୱାସକୁ ଚୂଡ଼ାନ୍ତ ବିଶ୍ୱାସ ଭାବେ ଗ୍ରହଣ କରନ୍ତି । ଲକ୍ଷ୍ୟ କରିବାର କଥା ଯେ ସେମାନଙ୍କର ସନ୍ତାନହୀନତା ନୈତିକ ଶକ୍ତିର ଅବକ୍ଷୟ ଏବଂ ପ୍ରକୃତିର ସ୍ୱାଭାବିକ ପ୍ରକିୟା ଯଥା-ଫୁଲଫଳ, ସନ୍ତାନର ସାଧାରଣ ପ୍ରଗତିକୁ ବ୍ୟାହତ କରିଛି । ମଙ୍ଗରାଜଙ୍କ ବ୍ୟକ୍ତିବାଦ ଯଦି ଅବିଶ୍ୱାସ ଓ ପ୍ରବଞ୍ଚନାର ନୂତନ ତତ୍ତ୍ୱ ପରିଧି ହୁଏ, ଏହାର ପ୍ରତିକ୍ରିୟା ଓ ପରିଣାମ ସ୍ୱରୂପ, ପ୍ରକୃତି ବାଟେ ହେବା ସ୍ୱାଭାବିକ । ସାରିଆର ବୁଢ଼ୀ ମଙ୍ଗଳା ପାଖରେ ଆକୁଳ ନିବେଦନ ଏକ ମୃତବିଶ୍ୱାସ ପାଖରେ ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କିଛି ନୁହେଁ । ଅପର ପକ୍ଷରେ, ମଙ୍ଗରାଜର ବ୍ୟକ୍ତିବାଦୀ ଲୋଭ ଚମ୍ପା ପରି ନାରୀକୁ ହାତବାରିଶି ରୂପେ ବ୍ୟବହାର କରେ । ଚମ୍ପା ସାରିଆ ପାଖରେ ପହଞ୍ଚି ତାକୁ ତା’ ଛ’ମାଣ ଆଠଗୁଣ୍ଠ ମଙ୍ଗରାଜଙ୍କ ପାଖେ ବନ୍ଧକ ଦେଇ ଟଙ୍କା ଧାର କରି ମଙ୍ଗଳାଙ୍କ ପାଇଁ ଦେଉଳ ତୋଳିବା ଲାଗି ପ୍ରବର୍ତ୍ତାଏ । ଯେଉଁ ବିଶ୍ୱାସ ରାମଚନ୍ଦ୍ର ମଙ୍ଗରାଜଙ୍କୁ ନୀତିହୀନ ଏବଂ ପଥଭ୍ରଷ୍ଟ କରାଏ, ସେହି ବିଶ୍ୱାସ ଯେହେତୁ ଏକ ବ୍ୟକ୍ତିଗତ ସୁଖ ସ୍ୱାଛନ୍ଦ୍ୟ କାମନାର ପୃଥିବୀ ଏବଂ ଯେଉଁଠି କଳେ ବଳେ କୌଶଳେ ସ୍ୱାର୍ଥଲାଭର ପ୍ରଚେଷ୍ଟାରେ କୌଣସି ଅନୀତି ଲକ୍ଷ୍ୟ କରାଯାଏ ନାହିଁ ସେହି ବିଶ୍ୱାସ ଭଗିଆ ଓ ସାରିଆର ଅବକ୍ଷୟିତ ନୈତିକତା ଉପରେ ଚାପି ଦିଆଯାଏ, ଚମ୍ପା ମାଧ୍ୟମରେ । ଯେଉଁ ନୈତିକ ବିଶ୍ୱାସ ଉଭୟ ଚମ୍ପା ଏବଂ ମଙ୍ଗରାଜ ‘‘ଅବିଶ୍ୱାସ କରନ୍ତି, ସେହି ନୈତିକ ବିଶ୍ୱାସର ଶିକାର ହୁଏ ସାରିଆ । ତଣ୍ଟି ତୁଠରୁ ଉଠି ଆସି ବୁଢ଼ୀ ମଙ୍ଗଳା ପାଖେ ଗୁହାରୀ କଲାବେଳେ ଚମ୍ପା ସରିଆ ଉପରେ ‘‘ଆକ୍ରମଣ’’ କରେ; ଅର୍ଥାତ୍‌-ସାରିଆ ମନରେ ଭୟ ସୃଷ୍ଟିକରେ ପାପର; ଅଶାନ୍ତିର ଏବଂ ତତ୍‌ଜନିତ ମୃତ୍ୟୁର । ଇହକାଳ ଓ ପରକାଳର ଭୟ ଚମ୍ପା ସାରିଆର ମନ ଭିତରେ ସୃଷ୍ଟି କରେ । ‘‘ଚମ୍ପା ଭାଗବତ’’ରୁ ପଂକ୍ତି ଉଦ୍ଧାର କରି କହେ-

 

ଯାହାର ପିଲାଝିଲା ନାହିଁ,

ସକାଳୁ ତା ମୁହଁ ନ ଚାହିଁ ।

ତିନି ପୁଆତି ସୁଲକ୍ଷଣି,

ବାଂଝ ବରଡ଼ି ନିଉଛୁଣୀ ।

ଯାହାର ଘରେ ପୁଅ ଝିଅ ନଥାଏ,

ସେ ମାଇକିନିଆଁ ବଡ଼ ଦୁଃଖ ପାଏ ।

(ଫକୀର ମୋହନ ଗ୍ରନ୍ଥାବଳୀ ପୃଷ୍ଠା-୪୨)

 

ଛ’ମାଣ ଆଠଗୁଣ୍ଠର ସଙ୍ଗଠନରେ ଏହି ଘଟଣା ମଙ୍ଗରାଜଙ୍କ ବ୍ୟକ୍ତିବାଦୀ ଅନୈତିକତାକୁ ଏକ ମୋଡ଼ ପଥର ଉପରେ ବିଜୟମଣ୍ଡିତ କରେ । ‘ଛ’ମାଣ ଆଠଗୁଣ୍ଠ’ ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ ଅତି ସୁନ୍ଦରଭାବେ ସାରିଆ ଓ ଭଗିଆର ଆତ୍ମବିପର୍ଯ୍ୟୟ ଫୁଟାଇ ପାରିଛନ୍ତି । କିନ୍ତୁ ସର୍ବସ୍ୱ ହରାଇଲା ପରେ ଯେତେବେଳେ ସନ୍ତାନ-ପରିପୂରକଭାବେ ବଢ଼ି ଆସିଥିବା ଗାଈ, ନେତକୁ ମଙ୍ଗରାଜ ଓ ଚମ୍ପା ନେଇଯାଆନ୍ତି ଏବଂ ଭଗିଆ ଓ ସାରିଆ ବାସ୍ତୁହରା ହୋଇ ଆଶ୍ରୟ ମଧ୍ୟ ହରାନ୍ତି ସେତେବେଳେ ମଙ୍ଗରାଜଙ୍କ ଚରମ ବିଜୟ ପ୍ରତିଷ୍ଠିତ ହୁଏ । ଏହି ପର୍ଯ୍ୟାୟର ବେଦନା ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅତି ମର୍ମସ୍ପର୍ଶୀଭାବେ ଫୁଟାଇ ପାରିଛନ୍ତି । କିନ୍ତୁ ପ୍ରାୟ ପାଗଳିନୀ ସାରିଆ ଯେତେବେଳେ ରାତିରେ ଲୁଚିଲୁଚି ବତ୍ସାହରା ମା’ ପରି ନେତକୁ ଆଉଁସିବାକୁ ମଙ୍ଗରାଜଙ୍କ ଗୁହାଳକୁ ଯାଏ, ସେତେବେଳେ ଚଳଚ୍ଚିତ୍ରର ସେହି ଅଂଶ ତାର ସମ୍ବେଦନଶୀଳତା ହରାଇବସେ । କାରଣ ଛବିଟିରେ ଏହା ପୂର୍ବରୁ ପ୍ରାୟ କୌଣସି ଦୃଶ୍ୟନାହିଁ, ଯେଉଁଥିରେ କି ନେତର ସନ୍ତାନ-ପରିପୂରକତା ସୂଚେଇ ଦିଆଯାଇଛି । ଆଗରୁ ନେତ, ଭଗିଆ ଓ ସାରିଆ ମଧ୍ୟରେ ସନ୍ତାନର ଯୋଗସୂତ୍ରପରି ରୂପାୟିତ ହୋଇନାହିଁ । କିନ୍ତୁ ଫକୀର ମୋହନ, ଉପନ୍ୟାସର ଦଶମ ପରିଚ୍ଛେଦରେ ଯେଉଁଠି ପ୍ରଥମ କରି ଭଗିଆ ଓ ସାରିଆ ଉପାଖ୍ୟାନର ସୂଚନା ଦିଅନ୍ତି, ସେଇଠି ନେତକୁ ସେଇ ତନ୍ତୀ ପରିବାରର ସନ୍ତାନଭାବେ ବର୍ଣ୍ଣନା କରିଛନ୍ତି :

 

ଭାଗି ସାରି ଦୁଇପ୍ରାଣୀ ନୁହଁନ୍ତି । ଗୋଟିଏ ଗାଈ ଅଛି । ନାମ ନେତ-ତାକୁ ଲଗାଇ ତିନି ପ୍ରାଣୀ । ଗାଈଟାକୁ ଆମ୍ଭେମାନେ ମନୁଷ୍ୟ ସାଙ୍ଗରେ ଗଣିଲୁଁ । ସେଥିରେ କଥା ଅଛି । ନେତକୁ ସାରିଆ ଝିଅପରି ପୋଷିଥାଏ, ଝିଅପରି ଗେହ୍ଲାକରେ । ପରମେଶ୍ୱର ମନୁଷ୍ୟ ମନରେ ଏକ ଆଶ୍ଚର୍ଯ୍ୟ ଅପତ୍ୟ ସ୍ନେହ ଦେଇ ଅଛନ୍ତି । ଭୋକବେଳେ ଭାତ ନପାଇଲେ ଲୋକେ ଡାଳପତ୍ର ଚୋବାଇଲା ପରି ଯାହାର ପିଲାଝିଲା କିଛି ନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ କିମ୍ବା ଛଡ଼ାଟିଏ ପୋଷି ତାକୁ ଭଲପାଏ । ସାରିଆ ଦିନରାତି ନେତ ସଙ୍ଗରେ ଲାଗିଥାଏ । ପଘାରୁ ଫିଟି ମଧ୍ୟ କାହିଁ ଯାଏନାହିଁ, ସାରିଆ ପାଖେପାଖେ ଥାଏ । ଟିକିଏ ଦାଣ୍ଡକୁ ଚାଲିଗଲେ ସାରିଆ ଡାକେ , ‘‘ନେତ ଲୋ !’’ ନେତ କହେ; ହଁ-ମାଁ । ଧାଇଁଆସି ସାରିଆକୁ ଚାଟେ, ସାରିଆ ତା ଦେହରେ ହାତ ବୁଲାଇଦେଇ ଢେର ଆଦର କରେ, ଢେର୍‌ ଦୁଃଖସୁଖ କଥା କହେ । (ଫକୀର ମୋହନ ଗ୍ରନ୍ଥାବଳୀ, ପୃଷ୍ଠା-୩୧)

 

ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ନେତ ଗାଈ ନୁହେଁ ବରଂ ସନ୍ତାନ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭଗିଆ ଓ ସାରିଆର ଚରିତ୍ର ଚିତ୍ରଣରେ ଏହି ଅଂଶ ଉପରେ ଯଥୋଚିତ ଗୁରୁତ୍ୱ ଦେଇଥିବା ପରି ମନେହୁଏ ନାହିଁ ।

 

କିନ୍ତୁ ଚଳଚ୍ଚିତ୍ରର ସବୁଠାରୁ ବଡ଼ ଦୁର୍ବଳତା ହେଲା, ବାଘସିଂହ ପରିବାରର ଧ୍ୱଂସ ଘଟଣାକୁ ପୂରାପୂରି ବାଦ୍‌ଦେବା । ଚଳଚ୍ଚିତ୍ରର ନିର୍ଦ୍ଦେଶକ ‘ଛ’ମାଣ ଆଠଗୁଣ୍ଠ’ର ଅନ୍ତରାତ୍ମାକୁ କେବଳ ଭଗିଆ ଓ ସାରିଆ ପରିବାରର ନିଷ୍ପେଷଣ ମଧ୍ୟରେ ସୀମିତ ରଖିଥିବା ହେତୁ ଫକୀରମୋହନଙ୍କ ବ୍ୟାପକ ବିଶ୍ୱଧାରଣା ଚଳଚ୍ଚିତ୍ରର ମାନସ ଇଲାକା ମଧ୍ୟରେ ପ୍ରବେଶ କରିପାରି ନାହିଁ ।

 

ନିର୍ଦ୍ଦେଶକଙ୍କ ଦୃଷ୍ଟିରେ ଭଗିଆ ଏବଂ ସାରିଆ କଥାବସ୍ତୁର ନାୟକ ଏବଂ ନାୟିକା, ଏବଂ ରାମଚନ୍ଦ୍ର ମଙ୍ଗରାଜ ଓ ଚମ୍ପା, ଖଳନାୟକ ଓ ଖଳନାୟିକା । ଚଳଚ୍ଚିତ୍ରର ‘ଛ’ମାଣ ଆଠଗୁଣ୍ଠ’ ଗୋଟିଏ, ଗରିବ ସ୍ୱାଭିମାନୀ ତନ୍ତୀ ପରିବାରର କ୍ରମବିନାଶ ମଧ୍ୟରେ କେବଳ ଏକ ନଷ୍ଟ ବା ଧ୍ୱଂସର ପ୍ରତୀକ । ସତେ ଯେମିତି ଏଇ ଛ’ମାଣ ଆଠଗୁଣ୍ଠର ଛୋଟିଆ ପୃଥିବୀ ଓ ତା’ ଉପରେ ଆଶ୍ରିତ ଏକ ପରିବାରର ଦୈନ୍ୟ ଓ ଦୁର୍ଦ୍ଦଶା ଫକୀରମୋହନ ଉପନ୍ୟାସର ସମ୍ପୂର୍ଣ୍ଣ ଆଭିମୁଖ୍ୟ । ଏହି ଭ୍ରମଧାରଣାର ବଶବର୍ତ୍ତୀ ହୋଇ ନିର୍ଦ୍ଦେଶକ ଚମ୍ପାର ବାଘସିଂହ ପରିବାର ଉପରେ ‘ଆକ୍ରମଣ’ ଏବଂ ଗୋଟିଏ ଆଭିଜାତ୍ୟ ପରମ୍ପରାର ଧ୍ୱଂସସାଧନକୁ ତାଙ୍କ ଛବିରୁ ଅଲଗା କରି ରଖିଛନ୍ତି । ଫକୀରମୋହନଙ୍କ ଉପନ୍ୟାସ କିନ୍ତୁ ଏପରି ସଂକୀର୍ଣ୍ଣ ଦୃଷ୍ଟିକୋଣ ନେଇ ରଚିତ ନୁହେଁ ।

 

ଆଗରୁ କୁହାଯାଇଥିବା ଅନୁସାରେ ମଙ୍ଗରାଜଙ୍କ ଭୂମି ଲାଳସା ଓ ଆଧିପତ୍ୟ ପିପାସା ବ୍ୟକ୍ତିବାଦୀ ବିଚ୍ଛିନ୍ନତାର ସ୍ୱର ବହନ କରି ନିଜର ସ୍ୱତନ୍ତ୍ର ପୃଥିବୀର ଯୁକ୍ତି ସଙ୍ଗଠନର ସମସ୍ତ ଆଚରିତ ମୂଲ୍ୟବୋଧକୁ ଅସ୍ୱୀକାର କରେ । ବାଘସିଂହ ପରିବାରର ଧ୍ୱଂସ ଭଗିଆ ସାରିଆ ପରିବାର ନିସ୍ପେଷଣ ଅପେକ୍ଷା ଅଧିକ ଭୟାବହ ଏବଂ ଗରୁତ୍ୱପୂର୍ଣ୍ଣ । ରାମଚନ୍ଦ୍ର ମଙ୍ଗରାଜ ଏପରି ଏକ ବ୍ୟକ୍ତି, ଯାହାଙ୍କର ପାହାଚ ଚଢ଼ା ଅଭିଯାନ ଶେଷହୀନ ଏବଂ ସନ୍ତୋଷହୀନ । ଶେଖ୍‌ ଦିଲ୍‌ଦାର ମିଆଁଠାରୁ ଫତେପୁର ସରଷଣ୍ଢ ଜମିଦାରୀ ଅନାୟାସରେ ଆୟତ୍ତ କଲାପରେ ବାଘସିଂହ ପରିବାରର ଧ୍ୱଂସସାଧନ ମଙ୍ଗରାଜଙ୍କ ଅଭିଯାନରେ ଅନ୍ୟ ଏକ ଅନୈତିକ ବିଜୟ । ଫକୀରମୋହନ ଇଚ୍ଛାକୃତ ଭାବରେ ଏପରି ଏକ ପରିବେଶର ସୂଚନା ଦେଇଛନ୍ତି ଯେ କୌଣସି ସ୍ଥାନରେ ବା କୌଣସି ପାତ୍ରପାତ୍ରୀ ଭିତରେ ନୈତିକ ଜାଗରଣ କିମ୍ୱା ବ୍ୟକ୍ତିତ୍ୱର ଔଜଲ୍ୟ ଦେଖିହୁଏ ନାହିଁ । ଗୋବିନ୍ଦପୁର ଏବଂ ଜମିଦାରୀର ସନ୍ନିକଟ ଇଲାକା ଭିତରେ ନୈତିକ ଅବକ୍ଷୟ ବ୍ୟତୀତ କୌଣସି ମୂଲ୍ୟବୋଧର ଉତ୍ତାପ ମିଳେନାହିଁ । ଗାଁର ହାଲ୍‌ଚାଲ ବର୍ଣ୍ଣନା କରିବାକୁ ଯାଇ ଫକୀରମୋହନ ସାସ୍କୃତିକ ଅବକ୍ଷୟର ଯେଉଁ ଚିତ୍ର ଦେଇଛନ୍ତି, ସେହି ଚିତ୍ର ମଙ୍ଗରାଜଙ୍କ ଆତ୍ମକୈନ୍ଦ୍ରିକ, ମୂଲ୍ୟବୋଧ ନିର୍ଲିପ୍ତ ଅଭିଯାନ ଲାଗି କେବଳ ଅନୁକୂଳ ନୁହେଁ, ବରଂ ମଙ୍ଗରାଜଙ୍କ ଏଇ ପରିବେଶର ଅବଶ୍ୟମ୍ଭାବୀ ନାୟକ ପରି ଜଣାପଡ଼ନ୍ତି । ଗାଁ ଭିତରେ ସ୍ନେହ ସଦ୍‌ଭାବ କିମ୍ବା ଆଦର୍ଶ ପରିବର୍ତ୍ତେ କଳହ ଏବଂ ଅଚଳ ବିଦ୍ୟାର ପରାକ୍ରମ ଲକ୍ଷ୍ୟ କରାଯାଏ । ଶାସ୍ତ୍ରୀୟ ଜ୍ଞାନଧାରା ଏବଂ ସଂସ୍କୃତିର ଅପପ୍ରୟୋଗ ବ୍ୟତୀତ କୌଣସି ପ୍ରେରଣା ମଙ୍ଗରାଜଙ୍କ ଚାରଣ ଭୂମିରେ ଦେଖିବାକୁ ମିଳେନାହିଁ :

 

ଦିନେଦିନେ ସେଠାରେ ବଡ଼ ଗୋଳମାଳ ହୁଏ, ସେଦିନ ଯଜମାନ ଘରୁ ମିଳିଥିବା ଶ୍ରାଦ୍ଧ ଚାଉଳ ବା ସଭାମାନ୍ୟ ଦକ୍ଷିଣା ବାଣ୍ଟ ହେଉଥିବାର ସହଜରେ ଜଣା ପଡ଼ିଯାଏ । ସେ କଳି ଶୁଣି ଲୋକମାନେ କହନ୍ତି, ‘‘ବ୍ରାହ୍ମଣ ଗୁଡ଼ାକ ଚାଉଳ ମୁଠାକ ସକାଶେ କୁକୁର ପରି କଳି କରୁଅଛନ୍ତି ।’’ ....ଆକାଶରେ ଶାଗୁଣା ଉଡ଼ିଲେ କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରକ ବେଳେ ଗୋସେଇଁମାନେ ଚିତାପଇତା ହୋଇ ପଲପଲ ବାହାରିଲେ, କେଉଁ ଗାଁରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି । (ଗ୍ରନ୍ଥାବଳୀ ପୃ-୨୪)

 

ସେହିପରି ଗୋବରା ଜେନା ଗାଁର ଚୌକିଦାର ହେଲେ ମଧ୍ୟ ସେ ପ୍ରକାରାନ୍ତରେ ଗାଁର ଶୋଷକ ଏବଂ ମଙ୍ଗରାଜଙ୍କର ଇଚ୍ଛା ଅନୁସାରେ ତା’ର ଠେଙ୍ଗା ଉଠେ କିମ୍ବା ନୀରବ ରହେ । ପୁଣି ଗାଁର ଏକମାତ୍ର ପୋଖରୀ ଅସୁରଦିଘି, ଆବର୍ଜନା ଓ ଅପସଂସ୍କୃତିର ଏକ ବାସ୍ତବ ପ୍ରତୀକ । ଫକୀରମୋହନଙ୍କ ଭାଷାରେ :

 

ନବଫେନଖଣ୍ଡବତ୍‌ ଶୁକ୍ଳବର୍ଣ୍ଣ ଛେପ ଖଙ୍କାର ସେମାନଙ୍କ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି, ଇସତ୍‌ ଲୋହିତ ପାଟୋଳାଭ ଜଭଛଞ୍ଚା ମଳି ମଧ୍ୟ ମେଞ୍ଚା ମେଞ୍ଚା ଭାସୁଅଛି । ସେଥିସହିତ ଆଉ କ’ଣ ଭାସୁଛି କି ନାହିଁ ବୋଲାଯାଇ ନପାର, କାରଣ ସମସ୍ତ ସ୍ତ୍ରୀ ଲୋକ ପଡ଼ିଆରୁ ଆସି ଜଳଶୌଚ କରିଅଛନ୍ତି । (ଗ୍ରନ୍ଥାବଳୀ ପୃ-୩୮)

 

ଫକୀର ମୋହନଙ୍କ ଉପନ୍ୟାସର ଏହି ଦିଗ, ଯଥା-ଶାରୀରିକ ଏବଂ ମାନସିକ ଆବର୍ଜନା, ମୂଲ୍ୟବୋଧର ବିପର୍ଯ୍ୟୟ ଏବଂ ଅପସଂସ୍କୃତିର ଆଧିପତ୍ୟ, ବିଚାରକୁ ନ ନେଲେ ‘‘ଛ’ମାଣ ଆଠଗୁଣ୍ଠ’’ ଉପନ୍ୟାସର ମୌଳିକ ସଂବେଦନ ବିକୃତ ହୁଏ । ଗୋଟିଏ ବିରାଟ ଭୂଖଣ୍ଡରେ ଆଚାର ବ୍ୟବହାର, ଜ୍ଞାନ ନୀତି ଓ ମାନବୀୟ ଅଧିକାର ପ୍ରଭୃତି ଏକ ଚରମ ଧ୍ୱଂସ ପର୍ଯ୍ୟାୟରେ ରହିଥିଲା ବେଳେ ଉପନ୍ୟାସର ନାୟକ ରାମଚନ୍ଦ୍ର ମଙ୍ଗରାଜ ବ୍ୟକ୍ତିବାଦୀ ବିଚ୍ଛିନ୍ନତାବୋଧ ଓ ଏକାକୀ ସ୍ୱାର୍ଥର ଧ୍ୱଜା ଉଡ଼ାଇ ପାରନ୍ତି । ଯେଉଁ ସାମାନ୍ୟ ଭଦ୍ରତା ଓ ସ୍ୱାଭିମାନ ଆମେ ଭଗିଆ ଓ ସାରିଆ ପାଖରେ ଦେଖୁ, ତାହା ମଧ୍ୟ ଅତି ଦୁର୍ବଳ ବୋଲି ମନେ ହୁଏ । କୁସଂସ୍କାର ଏବଂ ଅନାଗତ ଭୟ ନିକଟରେ ଭଗିଆ ଓ ସାରିଆ ନିଜର ସ୍ୱାଭିମାନ ଓ ନୈତିକ ଜୀବନ ହରାଇ ବସନ୍ତି; ପ୍ରତିରୋଧ କରିବାର ଶକ୍ତି ସେମାନଙ୍କର ନାହିଁ । ଫକୀରମୋହନ ଦେଖାଇଛନ୍ତି ଯେ ଗୋଟିଏ ଆତ୍ମକୈନ୍ଦ୍ରିକ କ୍ଷୟକାରୀ ଶକ୍ତି ନିକଟରେ କୌଣସି ଉଦାସୀନ ସ୍ୱାଭିମାନ ତିଷ୍ଠିପାରେ ନାହିଁ ।

 

ମଙ୍ଗରାଜ ବାହ୍ୟ ପୃଥିବୀକୁ ଉଦାସୀନ କରନ୍ତି, ପ୍ରତିବାଦ ଶକ୍ତିବିହୀନ କରନ୍ତି ଏବଂ ସର୍ବୋପରି-ନୀତିନିର୍ଲିପ୍ତ କରନ୍ତି । ତାଙ୍କର ଇଚ୍ଛା ପ୍ରକ୍ଷେପଣ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଏବଂ ଏକାକୀ କରି ତୋଳେ । କୌଣସି ଏକ ଦୃଶ୍ୟ ଛ’ମାଣ ଆଠ ଗୁଣ୍ଠରେ ମଙ୍ଗରାଜଙ୍କୁ ତାଙ୍କ ନିଜ ପରିବାର ଭିତରେ କିମ୍ୱା ଜମିଦାରୀର ଇଲାକା ଭିତରେ ସମ୍ମାନିତ କିମ୍ୱା ସ୍ୱୀକୃତ ବ୍ୟକ୍ତିତ୍ୱ ଭାବେ ଉପସ୍ଥାପିତ କରେ ନାହିଁ । ସେ ବରଂ ତାଙ୍କର ପରିବାର, ପତ୍ନୀ ଓ ସନ୍ତାନ, ପ୍ରଜାପାଟକ ଏବଂ ଗ୍ରାମବାସୀମାନଙ୍କଠାରୁ ଦୂରେଇ ଯାଇ ସମ୍ପୂର୍ଣ୍ଣଭାବେ ନିଜସ୍ୱ ସତ୍ତା ଭିତରେ ଆତ୍ମଲୀନ ହୁଅନ୍ତି । ଯଦିଓ ଚମ୍ପା ସାଆନ୍ତାଣୀଙ୍କ ସ୍ଥାନ ଆବୋରି ବସି ତାଙ୍କ ଅଧିକାର ଅଣ୍ଟାରେ ଖୋସି ମଙ୍ଗରାଜଙ୍କ ନିଭୃତ କକ୍ଷରେ ରାତି ଅଧିଆ ଯନ୍ତ୍ରଣାରେ ଭାଗନିଏ, ମଙ୍ଗରାଜ ତା’ ହୃଦୟ ଭିତରେ ମଧ୍ୟ ରହନ୍ତି ନାହିଁ । ପରିବାର, ଗ୍ରାମ, ଜମିଦାରୀ ଏବଂ ‘ପ୍ରତିପତ୍ତି-ପ୍ରତିଯୋଗୀ’ମାନଙ୍କଠାରୁ ଆନୁଗତ୍ୟ ପାଇବାଲାଗି ସେ ଯେପରି ଭାବେ ଐକାନ୍ତିକ ଇଚ୍ଛାକୁ ତାଙ୍କ ପୃଥିବୀ ଉପରେ ଚାପି ଦିଅନ୍ତି ସେଥିରେ ସବୁ ଭଲ ଓ ପ୍ରଭାବଶାଳୀ ଜୀବଜନ୍ତୁ ପୁରୁଷ-ନାରୀ ପେଷି ହୋଇଯା’ନ୍ତି । ଭଗିଆ ସାରିଆ ସେଇ ପେଷି ହୋଇଯିବା ପୁରୁଷ-ନାରୀମାନଙ୍କ ମଧ୍ୟରୁ ଏକ ନିରୀହ ଦମ୍ପତି । ମଙ୍ଗରାଜ ପରିଶେଷରେ ହତ୍ୟା ମଧ୍ୟ କରନ୍ତି । ଏହି ହତ୍ୟା ଏକ ପକ୍ଷରେ ନୀରବ ବା ଦୁର୍ବଳ ପ୍ରତିବାଦର ହତ୍ୟା ଯେଉଁଥିରେ ରକ୍ତ ଝରେ ନାହିଁ, ଯଥା-ନିଜ ପତ୍ନୀ ସାଆନ୍ତାଣୀଙ୍କ ମୃତ୍ୟୁ । ଅପର ପକ୍ଷରେ ଏହା ରକ୍ତରଞ୍ଜିତ ଅପରାଧ, ଯଥା-ସାରିଆର ହତ୍ୟା । ମଙ୍ଗରାଜଙ୍କର ଅହଂ ପରିତୃପ୍ତି, ଗୋବିନ୍ଦପୁର ଇଲାକାରେ ରକ୍ତ, ହତାଶା, ଦୀର୍ଘଶ୍ୱାସ ଓ ଅପସଂସ୍କୃତିର ଅନ୍ଧାର ହିଁ ସୃଷ୍ଟି କରେ ।

 

ଫକୀର ମୋହନ ଏହି ଉପନ୍ୟାସରେ ସଂପୂର୍ଣ୍ଣ ଭାବେ ଅନାସ୍ତାବାଦୀ ହୋଇନାହାନ୍ତି । ମଙ୍ଗରାଜଙ୍କର ସ୍ୱେଚ୍ଛାଚାରଣ ଇଲାକା, ମୂଲ୍ୟବୋଧ ବିବର୍ଜିତ ଏବଂ ନୀତିନିର୍ଲିପ୍ତ ପୃଥିବୀ ହୋଇପାରେ । କିନ୍ତୁ ଏହା ଏକ ଅଯୌତିକ ଜଡ଼ପିଣ୍ଡ ନୁହେଁ । ଏଥିରେ ଜୀବନ ବିରୋଧୀ ମୂଲ୍ୟବୋଧ-ଅସ୍ୱୀକାରୀ ଶକ୍ତିମାନେ ସାମୟିକ ବିଜୟ ଉଲ୍ଲାସରେ ନିଜକୁ ମୁକୁଟମଣ୍ଡିତ କଲେ ମଧ୍ୟ ଅନ୍ତିମ ବିଜୟ ଲାଭ କରିପାରନ୍ତି ନାହିଁ ।

 

ଏହି ଧାରଣା ଫକୀରମୋହନଙ୍କ ଏକାନ୍ତ ନିଜସ୍ୱ ନୁହେଁ । କୃଷିଭିତ୍ତିକ ସଭ୍ୟତାରୁ ଶିକ୍ଷା ଓ ସଭ୍ୟ ଯୁକ୍ତି ମାଧ୍ୟମରେ ଉତ୍ତରଣକାମୀ ସବୁ ସଂସ୍କୃତିର ଇତିହାସରେ ଏପରି ପର୍ଯ୍ୟାୟ ଲକ୍ଷ୍ୟ କରାଯାଏ । ଉଦାହରଣ ସ୍ୱରୂପ : ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ଓ ଗ୍ରୀକ୍‌ ସଭ୍ୟତା ଏବଂ ରାଣୀ ଏଲିଜାବେଥ-୧ଙ୍କ ସମୟର ଇଂଲଣ୍ଡ ଓ ତତ୍‌କାଳୀନ ଇଉରୋପୀୟ ସଭ୍ୟତା । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଫକୀରମୋହନ ଓଡ଼ିଶାର ଏକ ଇଲାକାକୁ ନେଇ ଯୁକ୍ତି ଓ ଆବେଗର ଦ୍ୱନ୍ଦ୍ୱକୁ ନୈତିକ ଦ୍ୱନ୍ଦ୍ୱର ସାଙ୍କେତିକ ପଟ୍ଟଭୂମି ଉପରେ ସ୍ଥାପନ କରିଅଛନ୍ତି । ତେଣୁ ରାମଚନ୍ଦ୍ର ମଙ୍ଗରାଜଙ୍କ ମଥିତ ପୃଥିବୀ ସଂପୂର୍ଣ୍ଣ ରୂପେ ଜଡ଼ କିମ୍ୱା ଅଚଳ ନୁହେଁ । ଏହି ପୃଥିବୀ ମଣିଷକୁ ନୈତିକ ପୁନଃଜାଗରଣ ନେଇ ନ ପାରେ, କିନ୍ତୁ ସଭ୍ୟ ସମାଜର ନିୟମ ଅନୁସାରେ ଦୋଷୀକୁ ଦଣ୍ଡ ଦିଏ । ଏହି ଦଣ୍ଡବିଧାନ ଫକୀରମୋହନ ଉପନ୍ୟାସରେ ଦୁଇଟି ସ୍ତରରେ ସଂଗଠିତ ହୁଏ । ଗୋଟିଏ ହେଲା-ନୈତିକ ଏବଂ ଅନ୍ୟଟି ଆଇନ ସଙ୍ଗତ । ପ୍ରକୃତି ଓ ତା’ର ନ୍ୟାୟରେ ଅଭିଯୁକ୍ତା ଚମ୍ପା ଏବଂ ଗୋବିନ୍ଦା ଭଣ୍ଡାରୀ ବୀଭତ୍ସ ଭାବରେ ମୃତ୍ୟୁ-ବରଣ କରନ୍ତି ଏବଂ ମଙ୍ଗରାଜଙ୍କ ଲୁଣ୍ଠିତ ସମ୍ପତ୍ତି ନଦୀ ଗର୍ଭରେ ଲୀନ ହୁଏ । ଦ୍ୱିତୀୟରେ ମଙ୍ଗରାଜ ନିଜେ କୃତକର୍ମ ଲାଗି ଜେଲ ଭୋଗନ୍ତି ଏବଂ ଜେଲରୁ ମୁକୁଳି ସାରିଲା ପରେ ସମସ୍ତ ସମ୍ପତ୍ତି ପ୍ରତିପତ୍ତି, ପରିବାର ପରିଜନ ହରାଇସାରି, ଭଗିଆର ପାଗଳାମୀର କାମୁଡ଼ା ଘାଆ ଦେହରେ ବହନ କରି ନିଜର ପତ୍ନୀ, ପ୍ରାଣ ପରିତ୍ୟାଗ କରିଥିବା ଜାଗାରେ ପୀଡ଼ା, ଯନ୍ତ୍ରଣା ଓ ବେଦନାର ସାକାର ମୁହୂର୍ତ୍ତ ପରି କିଛି ସମୟ ବାଉଳି ହେଲା ପରେ ମୃତ୍ୟୁବରଣ କରନ୍ତି, ଅର୍ଥାତ୍‌ ମୁକ୍ତି ପାଆନ୍ତି ।

 

ଫକୀରମୋହନଙ୍କ ନୈତିକ ପୃଥିବୀକୁ ଜଡ଼ପିଣ୍ଡରେ ପରିଣତ କରିଥିବା ରାମଚନ୍ଦ୍ର ମଙ୍ଗରାଜ ‘‘ଦୈବ ପ୍ରତିଶୋଧ’’ କିମ୍ୱା ସିଧା କଥାରେ କର୍ମଫଳ ଭୋଗ କରନ୍ତି । ଏଇ କର୍ମଫଳ ଧାରଣାକୁ ସାଧାରଣ ଅର୍ଥରେ କୃତକର୍ମର ପ୍ରାୟଶ୍ଚିତ କିମ୍ୱା ବ୍ୟାପକ ଅର୍ଥରେ ମଣିଷର କାର୍ଯ୍ୟାବଳୀ ଏବଂ ତା’ର ଆନୁପାତିକ ପୁରସ୍କାର ବା ଦଣ୍ଡ ହିସାବରେ ଗ୍ରହଣ କରାଯାଇ ପାରେ । ଫକୀରମୋହନ ଯେହେତୁ ଜଣେ ପ୍ରତିଭା ସମ୍ପନ୍ନ ଉପନ୍ୟାସକାର ଏବଂ ଗଭୀର ବିଶ୍ୱଧାରଣାର ଅଧିକାରୀ, ତାଙ୍କର ଉପସଂହାର ଏକ ଅପୂର୍ବ ଚିତ୍ର ପରିବେଷଣ କରେ । ଉପସଂହାରର ପ୍ରଥମ ଅନୁଚ୍ଛେଦ ଅବଶ୍ୟ ନିହାତି ସାଧାରଣ ଲେଖକୀୟ ଅନୁପ୍ରବେଶ ଯୋଗୁଁ ତ୍ରୁଟିପୂର୍ଣ୍ଣ । କିନ୍ତୁ ପରେ ପରେ ମଙ୍ଗରାଜଙ୍କର ଅପଲକ ଆଖିରେ ଆକାଶକୁ ଚାହିଁବା ଏବଂ ଅନ୍ତର୍ଦ୍ୱନ୍ଦ୍ୱର ବହୀଃକରଣ ଭାବେ କରାଳ ମୂର୍ତ୍ତିମାନଙ୍କର ପ୍ରାୟଶ୍ଚିତ ବିଧାନ ଉପନ୍ୟାସର ତାତ୍ପର୍ଯ୍ୟ ବଢ଼ାଇବା ସଙ୍ଗେ ସଙ୍ଗେ ଯାତ୍ରାଶେଷର ଦିବ୍ୟଜ୍ଞାନରେ ଉତ୍ତରଣ ଦିଏ । ମଙ୍ଗରାଜଙ୍କର ଅପଲକ ଆଖିରେ ଦୁଇଟି ଚିତ୍ର ଉଦ୍‌ଭାଷିତ ହୁଏ । ଗୋଟିଏ ହେଲା, ଶକ୍ତିରୂପିଣୀ ସାରିଆର, ‘‘ମୋ ଛ’ମାଣ ଆଠଗୁଣ୍ଠ ଦେଇ ଦେ’’ କହିବାର ଦୃଶ୍ୟ ଏବଂ ଭଗିଆ ପରି ଅସଂଖ୍ୟ ନିଷ୍ପେଷିତ ପାଗଳମାନଙ୍କର ଖଡ଼୍‌ଗ ଉତ୍ତୋଳନ ଦୃଶ୍ୟ । ଚେତନା ଲୁପ୍ତ ହେବା ପୂର୍ବରୁ ଅନୁତପ୍ତ ମଙ୍ଗରାଜ ନିଜ କର୍ମର ଭୟାବହତା ବୁଝିପାରେ । କଥା କହିବାର ଶକ୍ତି ନ ଥିଲେ ମଧ୍ୟ ଏବଂ ସାରିଆର ଛ’ମାଣ ଆଠଗୁଣ୍ଠ ଫେରାଇବା ଅବକାଶ ନ ଥିଲେ ମଧ୍ୟ ତା’ର ରୁଦ୍ଧ କଣ୍ଠରୁ ‘‘ଛ-ମା-ଆ-ଗୁଁ ନିଃସୃତ ହୁଏ ଅସ୍ପଷ୍ଟ ଭାବେ । ଏହି ଚାରୋଟି ଅକ୍ଷର ମୃତପ୍ରାୟ ମଙ୍ଗରାଜଙ୍କର ଭଙ୍ଗା ସ୍ୱରରେ ଦୁଇଥର ଉଚ୍ଚାରିତ ହୁଏ । ସତେ ଯେମିତି ସେ ଛ’ମାଣ ଆଠଗୁଣ୍ଠ ଫେରେଇ ଦେଉଛନ୍ତି, ସତେ ଯେମିତି ପୃଥିବୀର ନୈତିକ ଉର୍ବରା ଶକ୍ତି ଶେଷ ମୁହୂର୍ତ୍ତରେ ସେ ଚିହ୍ନିପାରୁଛନ୍ତି ଏବଂ ସେଥିଲାଗି ଛ’ମାଣ ଆଠଗୁଣ୍ଠ ସେ ପୃଥିବୀରେ ପୁଣି ସ୍ଥାପିତ କରିବା ଲାଗି ଶେଷ କାର୍ଯ୍ୟ କରୁଛନ୍ତି । ଏହି ଦୃଶ୍ୟ ମଙ୍ଗରାଜଙ୍କୁ ‘‘ମୁକ୍ତ’’କରେ । ତାଙ୍କର ସମସ୍ତ ଜୀବନକୁ ମୋକ୍ଷ ଦିଏ । ତେଣୁ ଯେଉଁ କଲ୍ୟାଣମୟୀ ସାଆନ୍ତାଣୀ ନୈତିକ ପ୍ରତିବାଦ କରି ତୁଳସୀ ଚଉରା ମୂଳେ ଅଶ୍ରୂଳ ଆତ୍ମବିସର୍ଜନ କରୁଥିଲେ, ସେହି କରୁଣାମୟୀ ମୂର୍ତ୍ତି କୋମଳ ବାହୁ ପ୍ରସାରଣ କରି ତାଙ୍କୁ ତୋଳି ନେଉଛନ୍ତି ଆକାଶକୁ : ମୋକ୍ଷର ଅନ୍ତରୀକ୍ଷକୁ । ଫକୀରମୋହନଙ୍କ ‘‘ଛ’ମାଣ ଆଠଗୁଣ୍ଠ’’ ପୃଥିବୀର ସାଙ୍କେତିକ ଉର୍ବରାଶକ୍ତିକୁ ଏକ ନୈତିକ ପରିଭାଷା ଭାବେ ବ୍ୟବହାର କରେ । ଏହି କାରଣ ଯୋଗୁଁ ଭଗିଆ ସାରିଆ ଉପାଖ୍ୟାନ ଉପନ୍ୟାସର ଏକ ପ୍ରଧାନ ନୈତିକ ସଞ୍ଚାଳକ । କିନ୍ତୁ ଭଗିଆ ସାରିଆ ଉପନ୍ୟାସର ନାୟକ ନୁହନ୍ତି କିମ୍ୱା ଭଗିଆ ସାରିଆ ଉପାଖ୍ୟାନ ଉପରେ ଫକୀରମୋହନଙ୍କ ଉପନ୍ୟାସ ରଚିତ ହୋଇନାହିଁ । ‘‘ଛ’ମାଣ ଆଠଗୁଣ୍ଠ’’ର ନିର୍ମାତା ଏହି କଥା ବୁଝିପାରି ନାହାନ୍ତି ବୋଲି ମନେହୁଏ ।

 

***

 

ସଂପାଦକୀୟ

ଆଧୁନିକ ଓଡ଼ିଆ ସାହିତ୍ୟରେ ସବୁଠାରୁ ଜନପ୍ରିୟ ବିଭାଗ ହେଲା ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ-। ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହାର କୌଣସି ବ୍ୟତିକ୍ରମ ଲକ୍ଷ୍ୟ କରାଯାଇ ନାହିଁ, ବା କାବ୍ୟ-କବିତା କ୍ଷେତ୍ରରେ ନାନା ପ୍ରକାର ଆନ୍ଦୋଳନ ଓ ଆସ୍ଫାଳନ ଯେପରି ଚିତ୍ତ-ବିକ୍ଷୋଭ ଓ ଚକିତତାଦ୍ୱାରା ପାଠକ ଗୋଷ୍ଠୀଙ୍କ ମାନସିକ ଦ୍ୱନ୍ଦର ପଟ୍ଟଭୂମି ସୃଷ୍ଟି କରିଛି, ସେହିପରି କୌଣସି ସୂଚନା ମଧ୍ୟ ନାହିଁ । ବରଂ ଉପନ୍ୟାସ କ୍ଷୁଦ୍ରଗଳ୍ପ ଜନସାଧାରଣଙ୍କ ଅଧିକ ପ୍ରିୟ ଶିଳ୍ପ ହୋଇ ପଡ଼ିଛି । ଫକୀର ମୋହନଙ୍କ ଠାରୁ ଗୋପୀନାଥଙ୍କ ପର୍ଯ୍ୟନ୍ତ ପ୍ରାୟ ସତୁରୀ ବର୍ଷ ମଧ୍ୟରେ ପ୍ରକାଶିତ ଉପନ୍ୟାସର ରୀତିନୀତି ଓ ଆଦର୍ଶରେ ନାନାପ୍ରକାର ପରିବର୍ତ୍ତନ ଦେଖା ଦେଇଛି-ବ୍ୟକ୍ତିଗତ ଓ ସମାଜଗତ ଜୀବନକୁ ଏ ମଧ୍ୟବର୍ତ୍ତୀ କାଳର ଔପନ୍ୟାସିକଗଣ ବିଭିନ୍ନ ଦୃଷ୍ଟିକୋଣରେ ରୂପାୟିତ କରିଛନ୍ତି-କିନ୍ତୁ ଏ ଦୃଷ୍ଟିକୋଣର ମୌଳିକତା ପରସ୍ପର ବିରୋଧୀ ନୁହେଁ । ବୋଧହୁଏ-ବିଶ୍ୱ ଉପନ୍ୟାସର ସାମଗ୍ରିକତାର ପରିଧି ମଧ୍ୟରେ ଏହାର ଐକାତ୍ମ୍ୟ ଅପରିହାର୍ଯ୍ୟ ।

 

ଦ୍ୱିତୀୟ ମହାସମରପରେ କିନ୍ତୁ ଅସ୍ତିତ୍ୱବାଦୀ ଦର୍ଶନର ନୈରାଶ୍ୟବାଦ ଆଜିକାର ବହୁ ସମସ୍ୟା ବିଧ୍ୱସ୍ତ ବହୁ ଲେଖକ ଓ ପାଠକଙ୍କୁ ଐତିହ୍ୟର ଭାରସାମ୍ୟଚ୍ୟୁତ କରି ଜୀବନର ପ୍ରତ୍ୟୟରୁ ଭ୍ରଷ୍ଟ କରି ଦେଇଛି-ଏକଥା ପୃଥିବୀର ସବୁ ମହାଦେଶରେ ହୁଏତ ସତ୍ୟ । ଅନେକ ଔପନ୍ୟାସିକ ସମାଜର ଦୁଷ୍ଟକ୍ଷତ ଅନାବରଣ କରିବା ଇଚ୍ଛାରେ ଚେତନାର ଗଭୀରତମ ଅନ୍ଧକାର ମଧ୍ୟରୁ ଯେଉଁ ଜୀବନର ଚିତ୍ର ସବୁ ଉତ୍ତୋଳନ କରି ଆଣୁଛନ୍ତି ସେହି ବୀଭତ୍ସ-ବିକାର-ଉନ୍ମତ୍ତ ମୂର୍ତ୍ତି ଦେଖି ପରମ୍ପରାଲାଳିତ ପାଠକ ଆତଙ୍କିତ ହୋଇ ଉଠୁଛନ୍ତି ।

 

ଆଧୁନିକ ଶିକ୍ଷାର ପ୍ରସାରରେ ପରିବାରର ଦୃଢ଼ବନ୍ଧନ କ୍ରମଶଃ ଶିଥିଳ ହୋଇ ଯାଉଛି । ସ୍ୱାମୀ, ସ୍ତ୍ରୀ, ସନ୍ତାନ ମଧ୍ୟରେ ଏକ ପ୍ରକାର ଆଦର୍ଶଗତ, ଶିକ୍ଷାଗତ ଏପରିକି ସମାଜଗତ ଅନ୍ତର୍ଦ୍ୱନ୍ଦ ଦେଖାଦେଇଛି । ଜୀବିକାପାଇଁ ଗୃହ-ସ୍ୱାମିନୀ ଗୃହର ବାହାରେ ପଦ ଚାରଣ କରିଛନ୍ତି, ଫଳରେ ଗୃହର ବନ୍ଧନ କିୟତ ପରିମାଣରେ ଅନ୍ୟରୂପ ଧାରଣ କରିଛି । ସମାଜରେ ଯେପରି ଭଗ୍ନ ଦଶା ଦେଖା ଦେଇଛି, ବ୍ୟକ୍ତି ଜୀବନରେ ତଦ୍ରୂପ ବିଚ୍ଛିନ୍ନତାବୋଧ ଦେଖା ଦେଇଛି । ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବିପର୍ଯ୍ୟୟ ଫଳରେ ଜୀବନର ଯେଉଁ ଚିତ୍ର ଶିଳ୍ପକଳା ଓ ସାହିତ୍ୟରେ ଫୁଟି ଉଠିଛି ତାହା କଥା-ସାହିତ୍ୟରେ ଅନୁପ୍ରବେଶ କଲେ ମଧ୍ୟ ଅଭିଶପ୍ତ ଜୀବନର ଗତି ପ୍ରତିହତ ହେବାର ସମ୍ଭାବନା ନାହିଁ ।

 

ଆଜିକାର ଉପନ୍ୟାସରେ ଆଉ କିଛି ଅନୁଚ୍ଚାର୍ଯ୍ୟ ନାହିଁ । ରିକ୍‌ସାବାଲା, ଗଣିକା, ଚାଷୀ ମଜ୍‌ଦୁର, କୁଲି ଶ୍ରମିକଙ୍କର ଜୀବନଚର୍ଯ୍ୟା ମନରେ ଆଶ୍ଚର୍ଯ୍ୟବୋଧ ସୃଷ୍ଟି କରିପାରୁନାହିଁ । ତେଣୁ ଔପନ୍ୟାସିକ ଜୀବନର ପଙ୍କିଳସ୍ତର ତଳକୁ ଓହ୍ଲାଇ ଯିବାକୁ କୁଣ୍ଠାବୋଧ କରୁନାହାନ୍ତି । ନାନା ପ୍ରକାର ପରୀକ୍ଷା ନିରୀକ୍ଷା ସହ ନରନାରୀଙ୍କ ଗୋପନ ଗୁହାଶାୟୀ ସ୍ୱାଭାବିକ ଅଭାବିକ କାମ-ପ୍ରବୃତ୍ତିର ଅବାଧ ପ୍ରସଙ୍ଗ ଅନୁସନ୍ଧିତ୍ସୁ ପାଠକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଜିକାର ଉପନ୍ୟାସର ଅନ୍ଧବିବରରେ ଜନମାନସ ଦିଗ୍‌ଭ୍ରାନ୍ତ । ଏକ ପ୍ରକାର ଶୂନ୍ୟତାବୋଧ ଚାରିଆଡ଼େ ଡାଆଣୀ ଆଲୁଅର ମାୟା ।

 

ଯାହା ସୁସ୍ଥ, ସ୍ୱାଭାବିକ, ସଂଯତ, ନୀତି ନିୟମର ଚୌହଦି ମଧ୍ୟରେ ସୀମାବଦ୍ଧ, ତାର ପ୍ରତି ଲେଖକ ଓ ପାଠକ କାହାରି ଆକର୍ଷଣ ନାହିଁ-ବିଶ୍ୱାସ ମଧ୍ୟ ନାହିଁ । ଆଜିର ବିଶ୍ୱ-ଉପନ୍ୟାସର ଏହା ସାମାନ୍ୟ ଆଭାସ ଚିତ୍ର ମାତ୍ର ।

 

ଆମର କିନ୍ତୁ ଏଥିରେ ବିବ୍ରତ ବା ଧୈର୍ଯ୍ୟଭଙ୍ଗ ହେବାର କିଛି ନାହିଁ । ବିଷୟଗତ ବୈଚିତ୍ର୍ୟ ଓ ରଚନା-ରୀତିର ଅଭିନବତ୍ୱ ଓଡ଼ିଆ ଉପନ୍ୟାସକୁ ବିଶ୍ୱଉପନ୍ୟାସର ସମଗୋତ୍ରୀୟ କରିପାରିଛି । କଳ କାରଖାନା, ଖେତ ଖମାରର ଅଚଳ ଅବସ୍ଥା, ଧନପତି ଶିଳ୍ପ ପତିଙ୍କ କ୍ରମକ୍ଷୟମାଣ ବାଙ୍କ୍‌ବାଲାନ୍‌ସ ଏବଂ ଅନ୍ନମୁଷ୍ଟି କାଙ୍ଗାଳ କଙ୍କାଳ ମଣିଷର ଶୋଭାଯାତ୍ରା-ଏଇ ବିଶୃଙ୍ଖଳ ଓ ବିରୋଧ ଚେତନା ଯଦି ଓଡ଼ିଆ ଔପନ୍ୟାସିକର କଳ୍ପନାରେ ବିଷବାଷ୍ପ ଉଦ୍‌ଗାର କରେ ତାହା ଅସ୍ୱାଭାବିକ କୁହାଯାଇ ପାରିବ ନାହିଁ । ଏକାଳର ଉପନ୍ୟାସ-ଏକ ସ୍ୱପ୍ନଭଙ୍ଗର ଇତିହାସ । ତାହା ବିସ୍ୱାଦ ହୋଇପାରେ, କିନ୍ତୁ ବିମୂର୍ତ୍ତ ନୁହେଁ । ତାହା ସ୍ପଷ୍ଟ ଓ ଚାକ୍ଷୁଷ, ଅପ୍ରତିହତ ଓ ଅଭଙ୍ଗ ।

 

ଏସବୁ ଲେଖିଲାବେଳେ କିନ୍ତୁ କବି Auden ଙ୍କ ‘‘The shield of Achilles’’ରୁ ଗୋଟିଏ ପଦ ମନେପଡ଼େ :

 

A ragged urchin, aimless and alone,

Loitered about that vacancy; a bird

Flew up to safety from his well-aimed stone,

That girls are raped, that two boys knife a third,

Were axioms to him, who’d never heard

Of any world where promises were kept

Or one could weep because another wept’’

 

ଦେଖା ଶୁଣା ଜଗତରୁ ଆଉରି ବି ଅନ୍ୟ ଜଗତଟିଏ ଅଛି । ରବୀନ୍ଦ୍ରନାଥଙ୍କର ଏହି କଥାଟି ବି ମନେ ରଖିବାକୁ ହେବ : ‘‘ଘଟେ ଯା ତା ସବ୍‌ ସତ୍ୟ ନହେ ।’’

-ବିନୋଦ ଚନ୍ଦ୍ର ନାୟକ

***

 

ଶେଷ ପୃଷ୍ଠା

 

ଉପନ୍ୟାସର ସଂକଟ : ଏକ ଅନୁଚିନ୍ତନ

ଆମେ ଯେତେବେଳେ ‘ଉପନ୍ୟାସ’ ସାହିତ୍ୟର ଶତବାର୍ଷିକୀ ପାଳନ କରିବାକୁ ବସିଛୁ ଠିକ୍‌ ସେତିକିବେଳେ ହିଁ ଓଡ଼ିଶାର ଲେଖକ, ପାଠକ, ଆଉ ପ୍ରକାଶକମାନଙ୍କ ଭିତରେ ଗୋଟାଏ ଭାଳେଣୀ ପଡ଼ିଯାଇଛି କି, ଗତ ପାଞ୍ଚ ଦଶ ବର୍ଷ ଭିତରେ ଆମ ଭାଷାରେ ପାଞ୍ଚ ସାତଖଣ୍ଡ ଆକ୍ଷିଦୃଶିଆ ଭାବେ ଉପନ୍ୟାସ ବାହାରି ପାରିନାହିଁ ଏବଂ ସମସ୍ତଙ୍କର ଆଶଙ୍କା ହେଲାଣି ଯେ, ଓଡ଼ିଆରେ ଆଉ ଉପନ୍ୟାସ ଲେଖା ମଧ୍ୟ ନହୋଇ ପାରେ । ଅବଶ୍ୟ, ଉପନ୍ୟାସ ଯେ ନ ବାହାରିଛି, ତା’ ନୁହେଁ-କିନ୍ତୁ ଯୋଉ ଧରଣର ଉପନ୍ୟାସ ଲାଗି ସମସ୍ତଙ୍କର ଭାଳେଣୀ ପଡ଼ିଛି-ସେଭଳି ଉପନ୍ୟାସ ବାହାରି ନାହିଁ । କ’ଣ ଏହାର କାରଣ ହୋଇପାରେ, ସେ ସମ୍ବନ୍ଧେ ନାନା ମତ ମଧ୍ୟ ପ୍ରକାଶ ପାଉଛି ।

 

ଗୋଟିଏ ମତ ହେଲା-ଗୋଟିଏ ଭଲ ଉପନ୍ୟାସ ଲେଖିବା ଲାଗି, ଯେତିକି ଅଭିଜ୍ଞତା, ତଥ୍ୟଜ୍ଞାନ, ମନନଶୀଳତା ଓ ଚରିତ୍ରବୋଧ ଆବଶ୍ୟକ, ତାହା ଆମର ବର୍ତ୍ତମାନର କଥାକାରମାନଙ୍କଠାରେ ନାହିଁ । ଆଉ ଗୋଟିଏ ମତ ହେଲା-ଭଲ ଉପନ୍ୟାସଟିଏ ଲେଖିବାଲାଗି ଯେତିକି ମାନସିକ ଓ ଶାରୀରିକ ଶ୍ରମ କରିବା ଦରକାର, ସେତେକ କରିବା ଲାଗି ଆମ କଥାକାରମାନେ ପ୍ରସ୍ତୁତ ନୁହନ୍ତି । ଅନ୍ୟ ମତଟି ହେଲା-ଓଡ଼ିଶାର ଅଧିକାଂଶ କବି, ଲେଖକ ହେଉଛନ୍ତି ସରକାରୀ ଚାକିରିଆ । ସେମାନେ କେହି ଗୋଟିଏ ଜାଗାରେ ସ୍ଥାୟୀଭାବେ ରହି ପାରନ୍ତି ନାହିଁ । ଉପନ୍ୟାସ ହେଲା-ଗୋଟିଏ ନିରବଚ୍ଛିନ୍ନ ଧ୍ୟାନ ଧାରଣା ସ୍ୱାଧ୍ୟାୟ ଓ ଆୟାସସାଧ୍ୟ ପରିଶ୍ରମର ଫଳ ଏବଂ ସେଥିଲାଗି ଏକାଦିକ୍ରମେ ଦୁଇତିନିବର୍ଷ ମଧ୍ୟ ଲାଗି ଯାଇପାରେ । ମାତ୍ର ସେମାନଙ୍କର ବାରମ୍ବାର ଟ୍ରାନ୍‌ସଫର ହେଉଥିବାରୁ ସେମାନେ ସେତିକି ସମୟ ଏତେବଡ଼ କାର୍ଯ୍ୟପାଇଁ ପାଉ ନାହାନ୍ତି । ଆଉ ଗୋଟିଏ ମତ ହେଲା-ଭଲ ଉପନ୍ୟାସଟିଏ ଲେଖିଲେ ଓଡ଼ିଶାରେ ତା’ର ଯଥା ଆଦର ମିଳୁ ନାହିଁ । ଓଡ଼ିଆ ଭାଷାରେ ଲିଖିତ କୌଣସି ଭଲ ବହି ପାଞ୍ଚ ବର୍ଷରେ ମଧ୍ୟ ହଜାରେ କପି ବିକ୍ରୀ ହୋଇପାରୁ ନାହିଁ । ସେଥିଲାଗି ଲେଖକ ତା’ର ପରିଶ୍ରମ ତୁଳନାରେ ପାରିଶ୍ରମିକ ମଧ୍ୟ ପାଉନାହିଁ । ଶେଷରେ ସବୁଠାରୁ ଯାହା ଶୋଚନୀୟ କାରଣ, ତାହା ହେଲା ଭଲ ଉପନ୍ୟାସଟିର ସମଝଦାର ପାଠକପାଠିକା ଏ ରାଜ୍ୟରେ ଯଥା ସଂଖାରେ ନାହାନ୍ତି । ଗୋଟିଏ ଭଲ ଉପନ୍ୟାସ ପ୍ରକାଶିତ ହେଲେ ପତ୍ରପତ୍ରିକାରେ ତା’ଉପରେ ଯଥାରୀତି ଆଲୋଚନା ବା ସମାଲୋଚନା ହୁଏନାହିଁ-। ଯଦି ବା କେବେ ହୁଏ ତାହା ହୁଏ ସେହି ଉପନ୍ୟାସଟିର ଯଥାର୍ଥ ମର୍ମ ବୁଝି ପାରୁନଥିବା ଜଣେ ଅଜ୍ଞ ବା ଅର୍ଦ୍ଧଅଜ୍ଞ ତଥାକଥିତ ଜଣେ ଅଧ୍ୟାପକ ବା ସମାଲୋଚକ ହାତରେ । ଯାହା ଫଳରେ କି ଉପନ୍ୟାସ ଲେଖକ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼େ ଏବଂ ଅନ୍ୟଖଣ୍ଡିଏ ଲେଖିବାକୁ ତାର ସୃଜନକାମୀ ସଂବେଗାତ୍ମକ ଆଗ୍ରହ ହରାଇ ବସେ । ଏହା ଛଡ଼ା ମଧ୍ୟ ଭଲ ଉପନ୍ୟାସଟିଏ ପ୍ରକାଶ ପାଇଲା ପରେ ସୁଧୀ ପାଠକପାଠିକା ମହଲରେ ତାକୁ ନେଇ ଆଦୌ ହଇଚଇ ସୃଷ୍ଟି ହୁଏ ନାହିଁ । ଅତ୍ର ତତ୍ର ଆସର ବା ମଜ୍‌ଲିସ୍‌ରେ ସେ ସମ୍ବନ୍ଧେ କେହି ଆଳାପ ସଂଳାପ କରନ୍ତି ନାହଁ ।

 

ଏସବୁ କାରଣ ବ୍ୟତୀତ, ଆମ କାନରେ ଆଉ ଗୋଟିଏ କଥା ପଡ଼େ । ତାହା ହେଲା-ଆଜିକାଲି ସାଧାରଣ ମଣିଷର ଜୀବନଧାରଣ ସମସ୍ୟା ଏତେ ଜଟିଳ, କ୍ଷିପ୍ର ଓ ଦୁଃସାଧ୍ୟ ହେଲାଣି ଯେ, ଏତେ ବଡ଼ ବଡ଼ ମୋଟା ଉପନ୍ୟାସ ପଢ଼ିବାକୁ ଲୋକଙ୍କର ଆଉ ଏତେ ସମୟ ନାହିଁ କି ଧୈର୍ଯ୍ୟ ମଧ୍ୟ ନାହିଁ । ରୋମାରୋଲାଁଙ୍କ ‘ଜ୍ୟାଁ ଖ୍ରୀଷ୍ଟୋଫର୍‌’ ବା ଲିଓ ଟଲଷ୍ଟୟଙ୍କର ‘‘ୱାର ଆଣ୍ଡ ପିସ୍‌’’ ଭଳି ମହାକାବ୍ୟଧର୍ମୀ ବିଶାଳ ଉପନ୍ୟାସ ସବୁ ପଢ଼ିବାକୁ ବର୍ତ୍ତମାନ କାହାର ଏତେ ସମୟ ଅଛି, ଧୈର୍ଯ୍ୟ ଅଛି ବା ତାକତ୍‌ ଅଛି ? ଗୋପୀନାଥ ମହାନ୍ତିଙ୍କ ‘‘ଅମୃତର ସନ୍ତାନ’’ ବା ‘‘ମାଟିମଟାଳ’’ ଉପନ୍ୟାସ ପଢ଼ି ଉପଭୋଗ କରିବାକୁ ଆମ ହାତରେ ଏତେ ସମୟ କାହିଁ ? ଆମ ମନର ବି ସେ ସାମର୍ଥ୍ୟ କାହିଁ ?

 

ଭଲ ଉପନ୍ୟାସ ଲେଖା ହେଉ ନଥିବାର କାରଣ ସଂପର୍କରେ ଏଇ ଯେଉଁସବୁ ମତବାଦ ପ୍ରକାଶ ପାଉଛି, ତାହା ଯେ ଅନେକାଂଶରେ ସାମଗ୍ରିକଭାବେ ବାସ୍ତବ ସତ୍ୟ, ଏଥିରେ ସନ୍ଦେହ ନାହିଁ-। କିନ୍ତୁ ଏହାକୁ ଆଳ କରି ଭଲ ଉପନ୍ୟାସ କେହି ଲେଖିବେ ନାହିଁ ବା ଭଲ ଉପନ୍ୟାସ କେହି ପଢ଼ିବେ ନାହିଁ-ଏକଥା ଆଦୌ ଶୁଭବୁଦ୍ଧିସମ୍ମତ ସିଦ୍ଧାନ୍ତ ନୁହେଁ । ବର୍ତ୍ତମାନର ଓଡ଼ିଆ ଓଡ଼ିଆଣୀଙ୍କ ହାତରେ ଆଦୌ ସମୟ ନାହିଁ ବୋଲି କେହି କହିଲେ ହସ ମାଡ଼ିବା କଥା । ବରଂ ସତ କଥାଟି ହେଲା-ଓଡ଼ିଆ ଓଡ଼ିଆଣୀଙ୍କ ହାତରେ ବର୍ତ୍ତମାନ ଏତେ ସମୟ ରହିଛି ଯେ, ସେତେକ ସେମାନେ କିପରି ଖର୍ଚ୍ଚ କରିବେ ବୋଲି ଜାଣି ନପାରି ହୁଏତ ସେତେକ ସମୟ ଶୋଇ ପଡ଼ନ୍ତି ଏବଂ କୌଣସି କାରଣରୁ ନିଦ ଭାଙ୍ଗିଗଲେ ଅବଶିଷ୍ଟ ଜାଗରଣ କାଳତକ ପରନିନ୍ଦା ଓ ପରଚର୍ଚ୍ଚାରେ କଟାଇ ଦିଅନ୍ତି-। ହିସାବ ନେଇ ଦେଖା ଯାଇଛି ଯେ, ଗତ ପଚିଶ ବର୍ଷ ଭିତରେ ଓଡ଼ିଶାରେ ସ୍ଵାକ୍ଷର ସଂଖ୍ୟା ଓ ଉଚ୍ଚଶିକ୍ଷିତଙ୍କ ସଂଖ୍ୟା ଯେତିକି ପରିମାଣରେ ବୃଦ୍ଧି ପାଇଛି, ସେଇ ଅନୁପାତରେ ସାହିତ୍ୟ ପାଠ କରିବା ଲୋକଙ୍କ ସଂଖ୍ୟା ଆଦୌ ବୃଦ୍ଧି ପାଇନାହିଁ । ଯେ କୌଣସି ଭାଷାର ସାହିତ୍ୟରେ ଗଳ୍ପ ଉପନ୍ୟାସର ପାଠକପାଠିକାଙ୍କ ସଂଖ୍ୟା ଖୁବ୍‌ ଅଧିକ ହୋଇଥାଏ ଏବଂ ଉନ୍ନତ ଗଳ୍ପ ଉପନ୍ୟାସ ପଢ଼ିବା ଫଳରେ ଗୋଟିଏ ବଡ଼ ଲାଭ ମଧ୍ୟ ହୋଇଥାଏ । ତାହା ହେଲା ଜୀବନର ଓ ସମାଜର ସମସ୍ୟାଗୁଡ଼ିକ ଉପରେ ସର୍ବସାଧାରଣଙ୍କର ଏକ ବୁଝାମଣା ହୋଇଯାଏ ଏବଂ ସର୍ବସାଧାରଣଙ୍କର କଥାବାର୍ତ୍ତାର ଭାଷାଶୈଳୀ ମଧ୍ୟ ବେଶ୍‌ ଉନ୍ନତ ହୋଇଯାଏ । କିନ୍ତୁ ଯେ କେହି ସମାଜସଚେତନ ଓ ସମାଜ-ସଂପୃକ୍ତ ବ୍ୟକ୍ତି ବର୍ତ୍ତମାନର ଓଡ଼ିଶାର ସର୍ବସାଧାରଣଙ୍କ ସଂପର୍କରେ ଏହି ମତ ପୋଷଣ କରିବାକୁ ବାଧ୍ୟ ହେବ ଯେ ଆମରି ଜନସାଧାରଣ ଜୀବନର ଓ ସମାଜର ବହୁବହୁ ଲଘୁଗୁରୁ ସମସ୍ୟା ସଂପର୍କରେ ଏକାନ୍ତ ଅଜ୍ଞ ଓ ଆମର ପ୍ରାତ୍ୟହିକ ଆଳାପ ଆଲୋଚନାର ଭାଷାଶୈଳୀ ନିତାନ୍ତ ନଗଣ୍ୟ, ସ୍ଥୂଳ ଓ ଭାବ-ଚିନ୍ତା-ଆବେଗାଦି ରହିତ । ଏହା ଘଟିଛି-କେବଳ ଏହି ଗଳ୍ପ-ଉପନ୍ୟାସ ପଠନର ଅଭାବ ଯୋଗୁଁ ।

 

ପରିମାଣାତ୍ମକ ଭାବରେ ନହେଉ ପଛେ, ଗୁଣାତ୍ମକ ଭାବରେ ଆମର ଯେଉଁ କେତୋଟି ଉପନ୍ୟାସ ଏହି କେତେବର୍ଷ ଭିତରେ ରଚିତ ଓ ପ୍ରକାଶିତ ହୋଇଛି-ସେଗୁଡ଼ିକ ଓଡ଼ିଶା ବାହାରେ ଖୁବ୍‌ ଆଦୃତ ହେଲେ ମଧ୍ୟ ଆମ ଭିତରେ ତାହାର ଗୁଣାତ୍ମକ ମୂଲ୍ୟମାନ ପ୍ରତିଷ୍ଠିତ ହୋଇ ପାରିନାହିଁ-। ଆମର ସର୍ବମାନ୍ୟ ଔପନ୍ୟାସିକ ଜ୍ଞାନପୀଠ ବିଜେତା ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସଗୁଡ଼ିକ ଉପରେ ସବିଶେଷ ଆଲୋଚନା ହେଲାଣି କି ? ବିଶ୍ଵବିଦ୍ୟାଳୟମାନଙ୍କରେ ତାଙ୍କ ବହିଗୁଡ଼ିକ ସମ୍ବନ୍ଧେ କେବେ ଗବେଷଣା ହେଲାଣି କି ? ସେହିପରି ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ ପ୍ରମୁଖ ଯୁଗସ୍ରଷ୍ଟା ଲେଖକଙ୍କର ଉପନ୍ୟାସଗୁଡ଼ିକ ଉପରେ କେହି କିଛି ସମର୍ଥ ସମ୍ୟକ୍‌ ଆଲୋଚନା କଲେଣି କି ? ଶୁଣାଯାଏ, କୃଷ୍ଣପ୍ରସାଦ ମିଶ୍ରଙ୍କ ‘‘ସିଂହକଟି’’ ଶାନ୍ତନୁ ଆଚାର୍ଯ୍ୟଙ୍କର ‘‘ଦକ୍ଷିଣାବର୍ତ୍ତ’’, ପ୍ରତିଭା ରାୟଙ୍କର ‘‘ଯାଜ୍ଞସେନୀ’’ ପ୍ରଭୃତି ଉପନ୍ୟାସଗୁଡ଼ିକ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇ ଖୁବ୍‌ ପ୍ରଶଂସାବାଦ ପାଇଛନ୍ତି । କିନ୍ତୁ ଓଡ଼ିଶାରେ ସେହି ଉପନ୍ୟାସଗୁଡ଼ିକର ମର୍ମକଥା ବା ମହତ୍ତ୍ୱ ଉପରେ କୌଣସି ଆଲୋକପାତ ହୋଇ ନାହିଁ । ସେହିପରି କେତେକ ମାନବୀୟ ଓ ସାମାଜିକ ସମସ୍ୟାକୁ ନେଇ କାହ୍ନୁଚରଣ, ବିଭୂତି ପଟ୍ଟନାୟକ, ଚନ୍ଦ୍ରଶେଖର ରଥ ଓ ପ୍ରତିଭା ରାୟ ପ୍ରମୁଖ ବହୁ ସୁଖପାଠ୍ୟ ଓ ଉଚ୍ଚାଙ୍ଗ ଉପନ୍ୟାସ ଲେଖିଛନ୍ତି ଯାହାକି ଗଭୀର ବିଶ୍ଳେଷଣାତ୍ମକ ଆଲୋଚନା ଦାବୀ କରେ । କିନ୍ତୁ ଦୁଃଖର କଥା ଯେ ଏ ଯାବତ୍‌ ଏହି ଲେଖକମାନଙ୍କର ଉପନ୍ୟାସଗୁଡ଼ିକର ଯଥାର୍ଥ ମୂଲ୍ୟାୟନ ଆମେ କରିନାହୁଁ । ଏପ୍ରକାର ମୂଲ୍ୟାୟନଜନିତ ଅବହେଳାରେ କୌଣସି ସାହିତ୍ୟ ଉଧାଇ ପାରିବ ନାହିଁ ।

 

ପ୍ରକାଶକମାନଙ୍କ ଉପରେ ମଧ୍ୟ ସବୁତକ ଦୋଷ ଢାଳିଦେଇ ଲାଭ ନାହିଁ । ଅବଶ୍ୟ ସେମାନଙ୍କର ମଧ୍ୟ ଯତ୍‌କିଞ୍ଚିତ ଦୁଃସାହସିକ ଦାୟିତ୍ୱ ରହିଛି । ଉନ୍ନତ ସୃଜନଶୀଳ କଥାକାରମାନଙ୍କୁ ଉପନ୍ୟାସ ଲେଖିବା ଦିଗରେ ସେମାନେ ଉତ୍ସାହ ଓ ପ୍ରବର୍ତ୍ତନା ଦେଇପାରନ୍ତେ ।

 

ଏଠି ଆଉ ଗୋଟିଏ କଥା କହିବାର ଅଛି । ପଡ଼ୋଶୀ ବଙ୍ଗଳା ସାହିତ୍ୟରେ ବା ପାଶ୍ଚାତ୍ୟ ସାହିତ୍ୟରେ ମଧ୍ୟ ଅଧୁନା ସେହିଭଳି ଉଚ୍ଚାଙ୍ଗ ଉପନ୍ୟାସର ସୃଷ୍ଟି ସଙ୍କଟ ଉପୁଜିଛି । ଇଂରାଜୀ ଭାଷାରେ ଉପନ୍ୟାସ ନାମରେ ଯେଉଁ ସହସ୍ର ସହସ୍ର ବହି ଆମ ରେଳବାଇ ବହିଷ୍ଟଲମାନଙ୍କରେ ବା ବିଦେଶୀ ବହି ଦୋକାନ ମାନଙ୍କରେ ଦେଖୁଛୁ-ସେଥିରୁ ଅଧିକାଂଶ, ଶତକଡ଼ା ଅଠାନବେ ଭାଗ ହେଉଛି-ଯୌନଚର୍ଯ୍ୟାମୂଳକ, କିମ୍ବା ଅପରାଧମୂଳକ, କିମ୍ବା ନାନାଦି ବିକୃତ ମସ୍ତିଷ୍କତାସମ୍ଭୁତ ଅଦ୍ଭୁତ ଉତ୍ତେଜନାମୂଳକ କଥା-ସାହିତ୍ୟ । ଗତ ପଚିଶି ବର୍ଷ ଭିତରେ ପାଶ୍ଚାତ୍ୟ ମୂଲକରେ ମଧ୍ୟ ଡି ଏଇଚ୍‌ ଲରେନ୍‌ସ, ଡଷ୍ଟୋଭସ୍କି, ଷ୍ଟେଇନ୍‌ବେକ୍‌, ହେମିଙ୍ଗଉଏ, ଏପରିକି ସାଲ୍‌ବିଲୋ ପ୍ରମୁଖ ଚିରଞ୍ଜୀବୀ ଔପନ୍ୟାସିକଙ୍କ ଧ୍ରୁପଦ କୃତି ଓ କୃତିତ୍ୱ ସଙ୍ଗେ ସମାନ ଆସନ ଲାଭ କରିବାଭଳି ଉପନ୍ୟାସ ଆମ ଆଖିରେ ବେଶୀ ପଡ଼ୁନାହିଁ । ପଡ଼ୋଶୀ ବଙ୍ଗ ସାହିତ୍ୟ ବା ହିନ୍ଦୀ ସାହିତ୍ୟରେ ମଧ୍ୟ ତଦ୍ରୁପ ଉଚ୍ଚାଙ୍ଗ ଉପନ୍ୟାସ କ୍ରମେ ଦୁର୍ଲଭ ହୋଇ ଆସିଲାଣି ।

 

କେତେକ ବିଦେଶୀ ସମାଲୋଚକ ଏହାର କାରଣ ସ୍ୱରୂପ କହୁଛନ୍ତି ଯେ, ଲୋକମାନଙ୍କ କଥା ଶୁଣିବା ସ୍ପୃହାକୁ ସିନେମା ଓ ଟେଲିଭିଜନ୍‌ ଆଦି ମାସ୍‌ମେଡିଆମାନେ ଏପରିଭାବେ ଶୋଷଣ କରୁଛନ୍ତି ଯେ ଲୋକେ ଆଉ ଗପଟିଏ ଶୁଣିବା ଲାଗି, ଏତେ ଭାରୀ ଚିନ୍ତାରେ ଭାରାକ୍ରାନ୍ତ ଉଚ୍ଚାଙ୍ଗ ଉପନ୍ୟାସଟିଏ ପଢ଼ିବାକୁ ଆଗ୍ରହାନ୍ୱିତ ହେଉ ନାହାନ୍ତି । ତା’ଛଡ଼ା ଲୋକଙ୍କ ହାତରେ ଏତେ ସମୟ ବା କାହିଁ ? ସହରମାନଙ୍କରେ ଶିକ୍ଷିତ ଓ ଉଚ୍ଚଶିକ୍ଷିତ ପରିବାରରେ ସ୍ୱାମୀ-ସ୍ତ୍ରୀ ଉଭୟେ ଜୀବିକା ପାଇଁ ସାରାଦିନଟି ବାହାରେ କଟାନ୍ତି । ଉଭୟେ ଘରକୁ ଫେରନ୍ତି ବାହାର ଦୁନିଆର ଧାଁ ଧପଡ଼ ବା ବକରମକର ବା ଖଟରଖାଟର ହୋଇଥିବାର ଗ୍ଳାନି ଆଉ କ୍ଳାନ୍ତି ନେଇ । ସେମାନଙ୍କ ପାଇଁ ବରଂ ଦୁଇ ତିନିଘଣ୍ଟା ସିନେମା ହଲରେ ଅଥବା ଟେଲିଭିଜନ୍‌ ପାଖେ କଟାଇ ଦେବା ବେଶୀ ଆରାମଦାୟକ ଓ କ୍ଳାନ୍ତିହାରକ ।

 

ଏହା ଯଦି ଘଟିଥାଏ, ତେବେ ବୁଝିବାକୁ ହେବ ଯେ, ଉପନ୍ୟାସର ଦିନକାଳ ସରିଗଲା ଏବଂ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଅପସଂସ୍କୃତି ଘୋଟିଯିବାର ବିଷବେଳା ଆସି ପହଞ୍ଚିଗଲା । ଭଲ ଉପନ୍ୟାସଟିଏ ପଢ଼ିବାର ଫଳ ବହୁବିଧ । ପାଠକ ସେଥିରୁ ଏକାଧାରରେ ଗଳ୍ପ, କବିତା, ନାଟକ ଓ ଚିନ୍ତା ବା ମନନଶୀଳତାର ଖୋରାକ୍‌ ପାଇଥାଏ । ପ୍ରାଚୀନ କାଳରେ ପଦ୍ୟରେ ଲିଖିତ ପୁରାଣମାନଙ୍କରୁ ଏଇ ଖୋରାକ୍‌ ମିଳୁଥିଲା । ଏପରିକି ଆମର ସୁବିଖ୍ୟାତ ରାମାୟଣ ମହାଭାରତକୁ ମଧ୍ୟ ଆମେ ପଦ୍ୟାକାରରେ ଲିଖିତ ମହାନ୍‌ ଉପନ୍ୟାସ କହିପାରୁଁ । କାବ୍ୟ ବା ମହାକାବ୍ୟ ମଧ୍ୟ ଆମ ଆଧୁନିକ ଉପନ୍ୟାସର ମଧ୍ୟଯୁଗୀୟ ପଦ୍ୟାନ୍ତ ପୂର୍ବରୂପ । ଆଧୁନିକ ଉପନ୍ୟାସ ମଧ୍ୟ ସେ ଦୃଷ୍ଟିରୁ ଗଦ୍ୟକାବ୍ୟ । ସିନେମା ବା ଟେଲିଭିଜନ୍‌ ଇତ୍ୟାଦି ଦର୍ଶକକୁ ଗଳ୍ପ, ନାଟକ ବା ସଙ୍ଗୀତର ସ୍ୱାଦ ଦେଇପାରନ୍ତି । ମାତ୍ର ଉପନ୍ୟାସର ମୌଳିକ ଆବଶ୍ୟକତା ସେମାନେ କେବେ ମେଣ୍ଟାଇ ପାରିବେ ନାହିଁ । କାରଣ, ଉପନ୍ୟାସ ତ କେବଳ ଘଟଣାବୃତ୍ତି ନୁହେଁ କିମ୍ବା ‘‘କଥାଟିଏ କହୁଁ’’ ମଧ୍ୟ ନୁହେଁ । ଘଟଣାଗୁଡ଼ିକୁ ବିଶ୍ଳେଷଣ କରେ-ସେଗୁଡ଼ିକର କାରଣ ଅନ୍ୱେଷଣ କରେ ଏବଂ ସେଗୁଡ଼ିକର ଅର୍ଥ ମଧ୍ୟ ଉଦ୍‌ଭାବନ ବା ଆବିଷ୍କାର କରେ । ଘଟଣାଗୁଡ଼ିକ ବା ଚରିତ୍ରଗୁଡ଼ିକ ଭିତରେ ଗୁପ୍ତରେ ନିଜକୁ ଗୋପନ ରଖି, କିଞ୍ଚିତ୍‌ କିଞ୍ଚିତ୍‌ ନିଜକୁ ପ୍ରକାଶ କରୁଥିବା ଲେଖକକୁ ମଧ୍ୟ କେତେକେତେବେଳେ ଦେଖାଇ ଦେଉଥାଏ ଓ ଲୁଚାଇ ମଧ୍ୟ ଦେଉଥାଏ । ଏଇସବୁ ଭିତର ଦେଇ ଉପନ୍ୟାସ ଆମକୁ ମାନବ ଚରିତ୍ରର ବହୁ ସଂଗୁପ୍ତ ତଥ୍ୟ ଓ ତତ୍ତ୍ୱ ଯୋଗାଇ ଦିଏ । ମାନବ-ବ୍ୟକ୍ତିତ୍ୱର ବହୁବହୁ ବିଭାବ ଆମ ଆଗରେ ଉଦ୍‌ଘାଟିତ କରିଦିଏ । କେବଳ ସେତିକି ନୁହେଁ-ଉପନ୍ୟାସ ଆମର କଳ୍ପନାଶକ୍ତି, ଅନୁଭବଶକ୍ତି ଓ ମନନଶକ୍ତିକୁ ଏକାଥରକେ ଉଜ୍ଜୀବିତ କରିଦିଏ । ଏଥିରେ ଖୋଦ୍‌ ଲେଖକର ବ୍ୟକ୍ତିତ୍ୱ-ଆଧାରିତ ଅନ୍ତରାତ୍ମା ସଙ୍ଗେ ପାଠକର ପରିଚୟ ଓ ମିଳନ ଘଟିଥାଏ । ଏହା ଫଳରେ ଉପନ୍ୟାସ ପାଠକର ଚିତ୍ତର ଉନ୍ମେଷ ଅଦ୍ଭୁତ ଭାବେ ଘଟିଯାଏ । ତା’ର ଚିତ୍ତବୃତ୍ତି ବିସ୍ତାରିତ ହୋଇଯାଏ । ସେ ତା’ର ଆକ୍ଷି ଆଗରେ କିଛି ଦେଖେ ନାହିଁ-କାନ ଭିତରେ କିଛି ଶୁଣେ ନାହିଁ । କିନ୍ତୁ ଆପେ ଆପେ ପଢ଼ିବାର ନୀରବ ଧ୍ୟାନସ୍ଥ ମନନଶୀଳତା ଭିତରେ ତା’ର ଅନ୍ତର୍ଦୃଷ୍ଟି ଖୋଲିଯାଏ ଓ ଅନ୍ତଃଶ୍ରୁତି ମଧ୍ୟ ମେଲିଯାଏ । ତା’ ଫଳରେ ସେ ଖୁବ୍‌ ନିବିଡ଼ ଭାବରେ, ଗଭୀର ଭାବରେ, ଅତ୍ୟନ୍ତ ଆନ୍ତରିକତା ସହିତ ଏ ପୃଥିବୀର ନରନାରୀ, ଜୀବଜନ୍ତୁ, ବୃକ୍ଷଲତା, ପାହାଡ଼ପର୍ବତ ନଦୀ ସମୁଦ୍ର ପୂରିତ ଏହି ଜୀବନଟିକୁ ନିଜଭିତରରୁ ଟାଣିନିଏ ଓ ତା’ ସଙ୍ଗେ ଏକୀଭୂତ ହୋଇଯାଏ । ସିନେମା ବା ଟେଲିଭିଜନ୍‌ ଯେତେ ବିସ୍ତାରଲାଭ କରୁ ପଛେ, ତାହା ଉପନ୍ୟାସକୁ ତା’ ଗାଦୀରୁ ହଟାଇ ପାରିବ ନାହିଁ । ସିନେମା ଓ ଟେଲିଭିଜନ୍‌ ଆଦିର ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଆବଶ୍ୟକତା ରହିଛି ଏବଂ ତା’ ସହିତ ପ୍ରତ୍ୟେକର ନିଜସ୍ୱ ସୀମା ମଧ୍ୟ ରହିଛି ।

 

ତେବେ ଏକଥା ବି ସତ ଯେ, ଯେଉଁ ଜନଗୋଷ୍ଠୀ ଉପନ୍ୟାସ ପଠନ ପରାଙ୍‌ମୁଖ ବୋଲି ପ୍ରମାଣିତ ହେବ ଏବଂ ତା’ର ଅଧିକାଂଶ ସମୟ ସିନେମା ଟେଲିଭିଜନ ଆଦି ପ୍ରଦର୍ଶିତ ଆମୋଦବିନୋଦରେ କଟୁଥିବାର ଜଣା ପଡ଼ିବ ବା ଶସ୍ତା ଯୌନତାନ୍ତ୍ରିକ ବା ଅପରାଧମୂଳକ ରୋମାଞ୍ଚକର ଗପ ପଢ଼ିବାରେ ତା’ର ଅବସର ସମୟତକ ବ୍ୟୟିତ ହେଉଥିବାର ବୁଝାପଡ଼ିବ, ସେତେବେଳେ ଜାଣିବାକୁ ହେବ ଯେ ସେହି ମୂଢ଼ ଜନଗୋଷ୍ଠୀ ଏକ ଅତିକାୟ ଅପସଂସ୍କୃତିର ପ୍ରଲୋଭନୀୟ ପାଲରେ ପଡ଼ିଗଲାଣି ।

 

ଉପନ୍ୟାସ ସାହିତ୍ୟର ଶତବର୍ଷ ପୂର୍ତ୍ତି ମୁହୂର୍ତ୍ତରେ ଗୋଟିଏ ପ୍ରଶ୍ନ ଆମ ମୁଣ୍ଡରେ ସ୍ୱାଭାବିକ ଭାବେ ଉଠୁଛି-ଆଚ୍ଛା ! ‘ପଦ୍ମମାଳୀ’ ‘ଭୀମାଭୂୟାଁ’ ‘ଛ’ମାଣ ଆଠଗୁଣ୍ଠ’ ଆଦି ଆମର ମୂଳ ଉପନ୍ୟାସଗୁଡ଼ିକ ସହିତ ଆମେ ଯେତେବେଳେ ଆମ ସମୟରେ ଲିଖିତ ‘ମାଟିର ମଣିଷ’ ‘ଅମୃତର ସନ୍ତାନ’ ‘ମାଟିମଟାଳ’ ‘ଅମଡ଼ା ବାଟ’ ‘ନୀଳଶୈଳ’ ‘ନରକିନ୍ନର’; ‘ଶକୁନ୍ତଳା’ ‘ଯନ୍ତ୍ରାରୂଢ଼’ ଓ ‘ଯାଜ୍ଞସେନୀ’ ଆଦି ଉପନ୍ୟାସଗୁଡ଼ିକ ଏକାଠି ରଖି ଆନ୍ତରିକତାର ସହିତ ନିରପେକ୍ଷ ବିଚାରକରୁ-ତେବେ କଣ ଆମେ ଏହି ଶହେବର୍ଷ ଭିତରେ ଏ ପୃଥିବୀ ଛାଡ଼ି ଗ୍ରହ ଗ୍ରହାନ୍ତରକୁ ଅଭିଯାନ ଚଳାଇ ସାରିଛୁ ବୋଲି ଆମର ଆତ୍ମପ୍ରତ୍ୟୟକୁ ବିଶ୍ୱାସ କରିବୁ ନାହିଁ ?

 

ଭବିଷ୍ୟତର ଓଡ଼ିଆ କଥା-ସାହିତ୍ୟ ଉପରେ ଉତ୍କଳଭାରତୀ ମା’ ଶାରଳାଙ୍କର କୃପାପୁଷ୍ପ ବୃଷ୍ଟି ହେଉ-ଆଜି ଏତିକି କାମନା ।

 

 

ମହାପାତ୍ର ନୀଳମଣି ସାହୁ

୧-୧-୧୯୮୯

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

***

 

“କୋଣାର୍କ” ପ୍ରକାଶନର ନିୟମାବଳୀ

 

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ମାର୍ଚ୍ଚ, ଜୁନ୍‌, ସେପ୍‌ଟେମ୍ବର ଓ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ ୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ ୧୬/- ରହିବ ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ଵତନ୍ତ୍ର ଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗାଇବାକୁ ଥିବା ୪ ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବନାହିଁ । ବିଷୟବସ୍ତୁ ବା ଥିମ୍‌ ଦୃଷ୍ଟିରୁ ଅତୀତରେ ଯେପରି ବିଭିନ୍ନ ବିଶେଷ ସଂଖ୍ୟା ପାଇଁ ଅତିଥି ସମ୍ପାଦକ ମନୋନୀତ ହୋଇଛନ୍ତି, ସେହିପରି ପ୍ରୟୋଜନ ସର୍ତ୍ତରେ ମନୋନୀତ ହେବେ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସାଧାରଣତଃ ଗବେଷଣାଧର୍ମୀ ପ୍ରବନ୍ଧମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ଵର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ସଧ୍ୟ ଏଥିରେ ସ୍ଥାନ ପାଇବ । ସୃଜନଶୀଳ ସାହିତ୍ୟକୁ ଉତ୍ସାହ ଦେବା ଲାଗି ଅନ୍ତତଃ ଦୁଇଟି ଉତ୍କୃଷ୍ଟ ମାନର କବିତା ଓ ଗୋଟିଏ କ୍ଷୁଦ୍ରଗଳ୍ପ ପ୍ରତି ସଂଖ୍ୟାରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ମଧ୍ୟ ଏଥିରେ ସ୍ଥାନ ପାଇବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟିକୋଣରୁ ମର୍ଯ୍ୟଦାବନ୍ତ ହୋଇଥିବା ବାଞ୍ଛନୀୟ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ଵାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

ପୂର୍ବରୁ ପ୍ରକାଶିତ କୌଣସି ରଚନା ‘କୋଣାର୍କ’ରେ ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେବନାହିଁ ।

୫.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ଵରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

୬.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ଓ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

୭.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ ୧୦୦/- (ଏକଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୮.

‘କୋଣାର୍କ’ ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ-

 

***

 

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ

 

 

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଦ୍ୟପ୍ରକାଶିତ ପୁସ୍ତକାବଳୀ

 

୧.

କବି ବଳରାମ ଦାସ-ଡଃ କୃଷ୍ଣ ଚରଣ ସାହୁ

୨.

ଶ୍ରୀମଦ୍‌ଭାଗବତମହାପୁରାଣମ୍‌ (୧ମ ସ୍କନ୍ଧ)

ମୂଳଶ୍ଳୋକ ଓଡ଼ିଆ ଗଦ୍ୟାନୁବାଦ ଓ ଶ୍ରୀଧରସ୍ଵାମିକୃତଟୀକା ସହିତ-ଶ୍ରୀ ସୁଶୀଳ କୁମାର ଦାସ

୩.

ଶ୍ରୀମଦ୍‌ଭାଗବତମହାପୁରାଣମ୍‌ (୨ୟ ସ୍କନ୍ଧ)

ମୂଳଶ୍ଳୋକ, ଓଡ଼ିଆ ଗଦ୍ୟନୁବାଦ ଓ

ଶ୍ରୀଧରସ୍ଵାମିକୃତଟୀକା ସହିତ-ଶ୍ରୀ ସୁଶୀଳ କୁମାର ଦାସ

୪.

ସାହିତ୍ୟ-ସାଧକ

ଡକ୍ଟର ମାୟାଧର ମାନସିଂହ-ଡଃ ବାଉରୀବନ୍ଧୁ କର

୫.

ଓଡ଼ିଆ ଉପନ୍ୟାସ ଗ୍ରନ୍ଥସୂଚୀ ଓ ପରିଚୟ-ସଂକଳକ : ଡଃ ଗଣେଶ୍ଵର ମିଶ୍ର

 

 

ପ୍ରକାଶ ଅପେକ୍ଷାରେ-

ଓଡ଼ିଶାର ସାଂସ୍କୃତିକ ଇତିହାସ (୩ୟ ଖଣ୍ଡ)-ଡଃ ସତ୍ୟନାରାୟଣ ରାଜଗୁରୁ

ଶ୍ରୀମଦ୍‌ଭାଗବତମହାପୁରାଣମ୍‌ (୩ୟ ସ୍କନ୍ଧ)-ଅନୁବାଦକ : ଶ୍ରୀ ସୁଶୀଳ କୁମାର ଦାସ

Story of Freedom Struggle in Orissa-Sri Sushil Chandra De

 

ପ୍ରାପ୍ତିସ୍ଥାନ :

ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟାଳୟ, ଭୁବନେଶ୍ଵର,

ସୂଚନା ଭବନ, ଭୁବନେଶ୍ଵର

କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର, କଟକ-୨

 

***